Unknown

 

 

 

 

 

 

 

 

 

ମୋ’ ହୃଦୟ ପିଲାଙ୍କ ପାଇଁ

ଭାସିଲି ସୁଖୋମ୍‍ଲିନ୍‌ସ୍କି

ଓଡ଼ିଆ ଅନୁବାଦ

ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

ପିଲାଙ୍କ ଶିକ୍ଷାସମ୍ବନ୍ଧରେ ବଡ଼ ବଡ଼ ତତ୍ତ୍ୱବିଦ୍‍ମାନଙ୍କ ଠାରୁ ଅନୁଭବୀ ଶିକ୍ଷକଙ୍କ ଅଙ୍ଗନିଭା କଥା ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହିଭଳି ଜଣେ ଶିକ୍ଷକ ରୁଷ ଦେଶର ଭାସିଲି ସୁଖୋମ୍‌ଲିନ୍‌ସ୍କି (୧୯୧୮-୭୦) । ଜୀବନରେ ତେତିଶ ବର୍ଷ କାଳ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ବିଧ୍ୱସ୍ତ ପରିବାରର ଆସ୍ଥାହୀନ ଶିଶୁମାନଙ୍କର ଶିକ୍ଷା ଦିଗରେ ନିୟୋଜିତ କରିଥିଲେ । ସେହି ଅବସରରେ ପିଲାଙ୍କ ମନ କଥା ଏବଂ ଶୈଶବ ଦୁନିଆ ସମ୍ବନ୍ଧରେ ଯାହା ଅନୁଭବ କରିଥିଲେ ତାର ଟିପ୍ପଣୀ ସମ୍ବଳିତ ବହିଟିଏ ଲେଖିଥିଲେ–“To Children I Give My Heart” (ଇଂରାଜୀରେ ଅନୂଦିତ, ୧୯୭୪) । ପ୍ରଫେସର ଚିତ୍ତରଞ୍ଜନ ଦାସ ଏହାର ଓଡ଼ିଆ ରୂପାନ୍ତର କରିଛନ୍ତି–“ମୋ ହୃଦୟ ପିଲାଙ୍କ ପାଇଁ” । ଚିତ୍ତରଞ୍ଜନ ଧର୍ମତଃ ଜଣେ ଶିକ୍ଷକ ହୃଦୟ ବ୍ୟକ୍ତି ଏବଂ କର୍ମତଃ ଓଡ଼ିଆ ଗଦ୍ୟ-ସାହିତ୍ୟରେ ଜଣେ କୃତବିଦ୍ୟ ଲେଖକ । ଏଣୁ, ଯଥାର୍ଥରେ ବହିଟିକୁ ପ୍ରାଣ ଦେଇ ସେ ଓଡ଼ିଆରେ ସର୍ଜନା କରିଛନ୍ତି । ଶିକ୍ଷା ସଂକ୍ରାନ୍ତରେ ଉତ୍ସର୍ଗୀକୃତ ‘ଶିକ୍ଷାସନ୍ଧାନ ’ସଂସ୍ଥା ଅନୁରୂପ ଶ୍ରଦ୍ଧା ସହିତ ଏହି ବହିଟି ମଧ୍ୟ ପ୍ରକାଶ କରିଛନ୍ତି । ଆମର ବିଶ୍ୱାସ, ଶିକ୍ଷାପ୍ରତି ସାମାନ୍ୟତମ ଚିନ୍ତାକୁଳ ଓଡ଼ିଆ ଶିକ୍ଷକ, ଅଭିଭାବକ, ପ୍ରଶାସକ ତଥା ସାଧାରଣ ପାଠକଙ୍କ ମଧ୍ୟରେ ଏହି ବହିଟି ସମାଦୃତ ହେବ ।

 

ବହିଟି ସମ୍ବନ୍ଧରେ କିଞ୍ଚିତ ଆଭାସ ପାଇବାପାଇଁ ମୂଳ ଇଂରାଜୀ ଲେଖାର ଏହି କେତୋଟି ଉଦ୍ଧୃତି ସର୍ବାଦୌ ଲକ୍ଷଣୀୟ–To teach children, you must like them. xxx The teacher must find his way to the heart of every child. xxx And childhood, the world of children, is a special world. xxx Elementary School is first of all the creative labour of one teacher.” କେହି କୌତୂହଳୀ ପାଠକ ଏହି ବାକ୍ୟ ଗୁଡ଼ିକ ପ୍ରତି ସାମାନ୍ୟ ଦୃକ୍ପାତ କଲେ ଏ ବହିର ବୈଶିଷ୍ଟ୍ୟ ଓ ମର୍ଯ୍ୟାଦା ସମ୍ବନ୍ଧରେ ସୂଚନା ପାଇବେ ।

 

ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ଚାରିଆଡ଼େ ଜାଗରଣ ଉଠିଲା ଭଳି ଲାଗୁଥିଲା ବେଳେ, ଏଥିପାଇଁ ବିଶ୍ୱବ୍ୟାଙ୍କରୁ ଶହଶହ କୋଟି ଟଙ୍କା ଅନୁଦାନର ସୁଅ ଛୁଟୁଥିଲା ବେଳେ, ପିଲାଙ୍କୁ ଭଲ ମଣିଷ କରିବା ପାଇଁ ଶିଶୁ ଶ୍ରମିକ ଉଚ୍ଛେଦ ଆଦି ଆଇନ୍ ପ୍ରବର୍ତ୍ତନ ହେଉଥିଲା ବେଳେ ଏମିତି ଖଣ୍ଡିଏ ବହି ନିହାତି ପଢ଼ିବା ଉଚିତ । କୋଉ ଗାଆଁ ଚାଟଶାଳୀର ଅବଧାନିଆ କଥା ବୋଲି ଶିକ୍ଷା ଓ ସମାଜତତ୍ତ୍ୱବିଦ୍‌ମାନେ ଏହାକୁ ଅବଜ୍ଞା କରିପାରିବେ ନାହିଁ । ଓଡ଼ିଶାରେ ବର୍ତ୍ତମାନ ଯେପରି ଦିଶାହରା ଶିକ୍ଷା-ବିପ୍ଳବ ଚାଲିଚି, ସେଠି ଏପରି ଏକ ପାଠ୍ୟ ଲୋକଙ୍କ ହାତରେ ପହୁଞ୍ଚାଇ ଦେଇ ପାରିଥିବାରୁ ଆମେ ଶ୍ରଦ୍ଧେୟ ଚିତ୍ତରଞ୍ଜନଙ୍କୁ ଏବଂ ଶିକ୍ଷାସନ୍ଧାନକୁ ବଧେଇ ଦେଉଛୁଁ ।

 

୧୭.୫.୯୭

ଖଗେଶ୍ୱର ମହାପାତ୍ର

Image

 

.........ମନୁଷ୍ୟମାତ୍ରେ ସମସ୍ତଙ୍କର ହୃଦୟଟିଏ ଅବଶ୍ୟ ଥାଏ, କିନ୍ତୁ ସମସ୍ତେ ସେଇଟିକୁ ସତକୁ ସତ ଠାବ କରି ପାରନ୍ତିନାହିଁ; ତାହାକୁ ଆଉ କାହା ଲାଗି ଦେବା ତ ଆହୁରି ଦୂରର କଥା । ସବୁ ମଣିଷ କଦାପି ଶିକ୍ଷକ ହୋଇ ପାରନ୍ତି ନାହିଁ । ଭାସିଲି ସୁଖୋମ୍‌ଲିନ୍‌ସ୍କି ଏମିତି ମଣିଷଟିଏ ଥିଲେ, ଯିଏକି ଶିକ୍ଷକ ବ୍ୟତୀତ ହୁଏତ ଆଉ କିଛିହେଲେ ହୋଇ ପାରିନଥାନ୍ତେ, ହୃଦୟଟିକୁ ବାଦ୍ ଦେଇ ଆଦୌ କିଛିହେଲେ ଦେଇ ପାରିନଥାନ୍ତେ । ବହିଟିର ଅନୁବାଦ ଶେଷ କରି ମୁଁ ଭାବିଛି, କେବଳ ତାଙ୍କର ସମ ଧର୍ମୀମାନେ ହିଁ ତାଙ୍କୁ ବୁଝି ପାରିବେ, ବାଟ ଚାଲିବା ସମୟରେ ତାଙ୍କୁ ସାଥୀରୂପେ ପାଇପାରିବେ । ତାଙ୍କ ବେଳର ସୋଭିଏତ୍‌ ରୁଷିଆ ଭାଙ୍ଗିଯିବା ପରେ ସେତେବେଳର କେତେକ କଥା ଏବେ ପ୍ରାୟ ଅପ୍ରାସଙ୍ଗିକ ହୋଇ ଯାଇଛି । ମୂଳ ବହିରେ ଥିବା ସେହିଭଳି କେତେକ ଅଶଂକୁ ଓଡ଼ିଆ ଅନୁବାଦରୁ ବାଦ ଦିଆଯାଇଛି ।

 

ତଥାପି, ଯେଉଁ ସମାଜ ବା ଯେଉଁ ରାଷ୍ଟ୍ର ସୁଖୋମ୍‌ଲିନ୍‌ସ୍କିଙ୍କ ପରି ଶିକ୍ଷକମାନଙ୍କୁ ନିଜ ହୃଦୟ ଦେଇ ଶିକ୍ଷାରେ ପ୍ରୟୋଗମାନ କରିବା ସକାଶେ ବାଟ ଛାଡ଼ି ଦିଏ, ସ୍ୱାଧୀନତା ଦିଏ, ଜଣେ ଶିକ୍ଷକଙ୍କର ଅନୁଭବଗୁଡ଼ିକୁ ବହି କରି ଛପାଏ, ତାହା ପାଖରେ ଆମେ ନିଶ୍ଚୟ କୃତଜ୍ଞ ରହିବା । ନିଜ ଭିତରେ ସୃଜନଶୀଳତାର ବାସନାଟିଏ ସବା ଆଗରେ ରହିଥିଲେ ଜଣେ ଶିକ୍ଷକ ମୋଟେ ପାଞ୍ଚଟା ବର୍ଷରେ କ’ଣ ସବୁ ଯେ କରି ଦେଖାଇ ଦେଇ ପାରେ, ଶ୍ରୀଯୁକ୍ତ ସୁଖୋମ୍‌ଲିନ୍‌ସ୍କି ଆମକୁ ତାହାରି ଏକ ପ୍ରତ୍ୟକ୍ଷ ପରିଚୟ ଯୋଗାଇ ଦେଇଛନ୍ତି । ପୃଥିବୀଯାକର ଶିକ୍ଷକଙ୍କ ମଧ୍ୟରେ ରହିଥିବା ସୃଜନାତ୍ମକତାକୁ ସେହି ପରିଚୟ ଏକାବେଳେକେ ଏକ ଉଦ୍ୱୋଧନ ତଥା ଏକ ଆହ୍ୱାନ ହୋଇ ଅବଶ୍ୟ ରହିବ ।

 

–ଅନୁବାଦକ

 

ସୂଚୀପତ୍ର

 

ପ୍ରକାଶକଙ୍କ ପକ୍ଷରୁ

ପ୍ରାକ୍‌କଥନ

ଆନନ୍ଦମୟ ପାଠଶାଳା

୧.

ଏକ ବିଦ୍ୟାଳୟର ନିର୍ଦ୍ଦେଶକ

୨.

ସର୍ବପ୍ରଥମ ବର୍ଷ–ପିଲାମାନଙ୍କୁ ଜାଣିବା

୩.

ମୋ’ ଛାତ୍ରମାନଙ୍କର ପିତାମାତା

୪.

ମୁକ୍ତ ଆକାଶତଳର ଇସ୍କୁଲ

୫.

ଆମର ସ୍ୱପ୍ନ ଦେଖିବାର କୋଣଟିଏ

୬.

ପ୍ରକୃତି, ଉତ୍ତମ ସ୍ୱାସ୍ଥ୍ୟର ଉତ୍ସ

୭.

ପ୍ରତ୍ୟେକ ପିଲା ଭିତରେ ଜଣେ କଳାକାର

୮.

ଜୀବନ୍ତ ଓ ସୁନ୍ଦର ବସ୍ତୁଗୁଡ଼ିକୁ ଭଲ ପାଇବା

୯.

ଶ୍ରମର ଜଗତ ମଧ୍ୟକୁ ଆମର ଯାତ୍ରା

୧୦.

ଆମେ ପ୍ରକୃତିର ସଂଗୀତକୁ ଶୁଣିଲୁ

୧୧.

ଶୀତର ଆନନ୍ଦ ଓ ଉଦ୍‌ବେଗମାନ

୧୨.

ଚାତକର ପ୍ରଥମ ଛୁଟିଦିନ

୧୩.

ଆମେ କିପରି ପଢ଼ି ଲେଖି ଶିଖିଗଲୁ

୧୪.

ଛୁଆରେ, ତୁ ଅନ୍ୟମାନଙ୍କ ସହିତ ବାସ କରୁଛୁ

୧୫.

ଆମ ସମୂହ–ଗୋଟିଏ ବନ୍ଧୁପରିବାର

୧୬.

ଆମେ ସ୍ୱାସ୍ଥ୍ୟର ଉଦ୍ୟାନରେ ବାସ କଲୁ

୧୭.

ପ୍ରଥମ ବର୍ଷ ପାଠ ଆରମ୍ଭ ହେବା ପୂର୍ବରୁ ଭାବନା

ଶୈଶବର ବର୍ଷଗୁଡ଼ିକ

୧୮.

ପ୍ରାଥମିକ ବିଦ୍ୟାଳୟ କହିଲେ କ’ଣ ସବୁ ବୁଝାଇବ ?

୧୯.

ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ଆଉ ପୁନର୍ବାର ସ୍ୱାସ୍ଥ୍ୟ

୨୦.

ଅଧ୍ୟୟନ – ଆତ୍ମିକ ଜୀବନର ଗୋଟିଏ ଅଂଶ

୨୧.

“ପ୍ରକୃତି-ପୁସ୍ତକ” ର ଶହେଟି ପୃଷ୍ଠା

୨୨.

ବସ୍ତୁମାନଙ୍କ ଜଗତରୁ ସମାଜକୁ ପ୍ରତ୍ୟେକ ଦ୍ରବ୍ୟ କେଉଁଠାରୁ ଆସୁଥିଲା ?

୨୩.

ଜୀବନର ଗଣିତବହିରୁ ହଜାରେ ପ୍ରଶ୍ନ

୨୪.

ଆମର ପୃଥିବୀ–“ପରିକ୍ରମା”

୨୫.

ପିଲାକୁ ବୁଦ୍ଧିଗତ ଶ୍ରମର ଆନନ୍ଦ ଦିଅ,ଏବଂ ଅଧ୍ୟୟନରେ ସଫଳତା ଲାଭ କରିବାର ଖୁସୀଟିକୁ ମଧ୍ୟ ଦିଅ

୨୬.

ପରୀଗପ ଗୁଡ଼ିକର ପ୍ରକୋଷ୍ଠ

୨୭.

ଆହୁରି ଅଧିକ ପରୀଗଳ୍ପ – ଆମର “କୁହୁକ ଦ୍ୱୀପ”

୨୮.

ସଂଗୀତ ପିଲା ଆଗରେ ପୃଥିବୀର ସୌର୍ଯ୍ୟକୁ ଉଦ୍‌ଘାଟିତ କରିଦିଏ

୨୯.

ଶିଶୁର ଅନ୍ତର୍ଗତ ଜୀବନରେ ପୁସ୍ତକ

୩୦.

ମାତୃଭାଷା

୩୧.

ସୌନ୍ଦର୍ଯ୍ୟର ଆମ ଏକାନ୍ତ କୋଣଟି

୩୨.

ଜୀବନାଦର୍ଶ ଗୁଡ଼ିକର ଉତ୍ସ

୩୩.

ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ନହୋଇ ଗୋଟିଏ ଦିନ ବି ବଞ୍ଚିବା ଉଚିତ ନୁହେଁ

୩୪.

ଉଚ୍ଚ ଅନୁଭୂତିଗୁଡ଼ିକ ଦ୍ୱାରା ଅନୁପ୍ରାଣୀତ ଶ୍ରମ

୩୫.

ପିଲାମାନେ, ତୁମେମାନେ ହିଁ ତୁମ ଜନ୍ମଭୂମିର ଭବିଷ୍ୟତ ମାଲିକ

୩୬.

ସାହସୀଙ୍କ ଦଳ, ନିର୍ଭୀକମାନଙ୍କର ଦଳ

୩୭.

ଆମେ ଗ୍ରୀଷ୍ମଋତୁକୁ ବିଦାୟ ଦେଲୁ

Image

 

ପ୍ରକାଶକଙ୍କ ପକ୍ଷରୁ

 

ଭାସିଲି ଆଲେକ୍‍ଜାଣ୍ଡ୍ରୋଭିଚ୍ ସୁଖୋମ୍‌ଲିନ୍‌ସ୍କି (୧୯୧୮-୧୯୭୦) ତାଙ୍କ ସଂକ୍ଷିପ୍ତ ଜୀବନର ପଇଁତ୍ରିଶ ବର୍ଷକାଳ ପିଲାମାନଙ୍କର ଲାଳନପାଳନ ଓ ଶିକ୍ଷା ଗ୍ରହଣରେ ଉତ୍ସର୍ଗ କରିଥିଲେ-। ଅଣତ୍ରିଶ ବର୍ଷ କାଳ ସେ ବଡ଼ ବଡ଼ ସହର ଠାରୁ ବହୁ ଦୂରରେ ଅବସ୍ଥିତ ଇଉକ୍ରେନିୟ ପାଭ୍ଲିସ୍ ଗ୍ରାମରେ ଗୋଟିଏ ବିଦ୍ୟାଳୟର ନିର୍ଦ୍ଦେଶକ ଥିଲେ ।

 

ଶିକ୍ଷା କ୍ଷେତ୍ରରେ ନିଜର କାର୍ଯ୍ୟ ନିମନ୍ତେ ତାଙ୍କୁ ‘ସମାଜବାଦୀ ଶ୍ରମିକଗୋଷ୍ଠୀର ବୀର’ ଏବଂ ‘ଇଉକ୍ରେନ୍ ସୋଭିଏତ୍ ତନ୍ତ୍ରର କୃତିପ୍ରାପ୍ତ ଶିକ୍ଷକ’ ପ୍ରଭୃତି ଉପାଧି ପ୍ରଦାନ କରାଯାଇଥିଲା । ଏବଂ ସେ ରୁଷୀୟ ଶିକ୍ଷା ବିଜ୍ଞାନ ଏକାଡ଼େମୀର ଜଣେ ଅବୈତନିକ ବାହାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

 

ଜଣେ ଶିକ୍ଷାଦାନକାରୀ ହିସାବରେ ଭାସିଲି ସୁଖୋମ୍‌ଲିନ୍‌ସ୍କି ଯେଉଁ କାର୍ଯ୍ୟ କରିଥିଲେ, ତାହାର ମର୍ମରେ ଥିବା ଅସଲ କଥାଟି କ’ଣ ?

 

ପ୍ରଗତିଶୀଳ ଶିକ୍ଷାବିଦ୍ମାନେ ବହୁ କାଳରୁ ପିଲାର ପରିପାଳନ ଓ ଶିକ୍ଷାଗ୍ରହଣକୁ ଗୋଟିଏ ଶୈକ୍ଷଣିକ ପ୍ରକ୍ରିୟା ମଧ୍ୟରେ ଏକାଠି ମିଶ୍ରିତ କରି ରଖିବାକୁ ଚେଷ୍ଟା କରି ଆସିଛନ୍ତି । ସୁଖୋମ୍‌ଲିନ୍‌ସ୍କି ଶିକ୍ଷାର କ୍ଷେତ୍ରରେ ଯାହା କିଛି କାର୍ଯ୍ୟ କରିଛନ୍ତି, ସେଥିରେ ସେ ସେହି ସ୍ୱପ୍ନଟିକୁ ବାସ୍ତବରେ ପରିଣତ କରି ଦେଖାଇ ଦେଇଛନ୍ତି । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଭିତରେ ଜଣେ ବ୍ୟକ୍ତିକୁ ଦେଖିବା, – ଏହା ହିଁ ତାଙ୍କ ଜୀବନର ଅସଲ କଥା ହୋଇ ରହିଥିଲା ଏବଂ, ଯେକୌଣସି ବ୍ୟକ୍ତି ପିଲାମାନଙ୍କର ଲାଳନପାଳନ ଏବଂ ଶିକ୍ଷଣର କ୍ଷେତ୍ରରେ କାର୍ଯ୍ୟ କରିବ, ତାହା ପାଇଁ ମଧ୍ୟ ଏହା ହିଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ଅବଶ୍ୟ ରହିବ ।

 

ପ୍ରତ୍ୟେକ ସୁସ୍ଥ ଶିଶୁ ଏକ ସାଧାରଣ ସାର୍ବଜନୀନ ବିଦ୍ୟାଳୟରେ ଏକ ଆଧୁନିକ ମାଧ୍ୟମିକ ଶିକ୍ଷା ଅବଶ୍ୟ ଲାଭ କରିପାରିବ ଏବଂ ସେଥିଲାଗି ପିଲାମାନଙ୍କୁ ବୁଦ୍ଧିମାନ୍ ଓ ଅଳ୍ପବୁଦ୍ଧିମାନ୍ ନାମକ ଦୁଇଟି ଅଲଗା ଅଲଗା ଗୋଷ୍ଠୀରେ ଆଦୌ ବିଭକ୍ତ କରିବାକୁ ପଡ଼ିବ ନାହିଁ, ଶିକ୍ଷାତତ୍ତ୍ୱ ଏବଂ ବାସ୍ତବ ପ୍ରୟୋଗ ଉଭୟ କ୍ଷେତ୍ରରେ ଭାସିଲି ସୁଖୋମ୍‌ଲିନ୍‌ସ୍କି ତାହା ପ୍ରମାଣ କରି ଦେଖାଇ ଦେଇଥିଲେ । ଏଇଟି ଯେ ତାଙ୍କର ଏକ ନୂତନ ଆବିଷ୍କାର ଥିଲା, ସେ କଥା ଆଦୌ ନୁହେଁ-। ମାତ୍ର ଯେ ଜାତୀୟ ଶିକ୍ଷା କାର୍ଯ୍ୟକ୍ରମ ସହିତ ସଂଗତି ରକ୍ଷା କରି ପିଲାଟି ଯେପରି ଆବଶ୍ୟକ ପାଠଟିକୁ ହାସଲ କରିପାରିବ, ସେଥିପାଇଁ ଶିକ୍ଷକ ସମର୍ଥ ହେଲା ଭଳି ଯୁକ୍ତିଯୁକ୍ତ ବାଟଟିକୁ ସେ ଦର୍ଶାଇ ଦେଇଥିଲେ । ପିଲା ଭିତରୁ ଶିଖିବା ନିମନ୍ତେ ଏକ ଇଚ୍ଛା ଜାଗୃତ ହୋଇ ଆସିବ, ଆତ୍ମଶିକ୍ଷଣ ଏବଂ ଆତ୍ମଶୃଙ୍ଖଳା ଲାଗି ତା’ ଭିତରେ ଏକ ରୁଚି ବିକାଶ ଲାଭ କରିବ, ସୁଖୋମ୍‌ଲିନ୍‌ସ୍କି ତାହାକୁ ହିଁ ସର୍ବପ୍ରଧାନ କଥା ବୋଲି ଗ୍ରହଣ କରୁଥିଲେ ।

 

ସୁଖୋମ୍‌ଲିନ୍‌ସ୍କି ତାଙ୍କର ପ୍ରତ୍ୟେକ ଛାତ୍ରକୁ ଉତ୍ତମ ରୂପେ ଅଧ୍ୟୟନ କରୁଥିଲେ, ତା’ ବିଷୟରେ ଅନ୍ୟ ଶିକ୍ଷକ ଓ ପିତାମାତାଙ୍କ ସହିତ ଆଲୋଚନା କରୁଥିଲେ; ପ୍ରଖ୍ୟାତ ଶିକ୍ଷାବିତ୍‌ମାନଙ୍କର ମତ ସହିତ ଏବଂ କାଳକାଳରୁ ରହି ଆସିଥିବା ଲୋକପ୍ରଜ୍ଞା ସହିତ ନିଜର ବିଚାରଗୁଡ଼ିକୁ ସିଏ ସର୍ବଦା ତୁଳନା କରି ଦେଖୁଥିଲେ ।

 

ପିଲାଙ୍କୁ ଶିକ୍ଷା ଦେବାକୁ ହେଲେ, ଆଗ ସେମାନଙ୍କୁ ଭଲ ପାଇବାକୁ ହେବ । ତେବେ ଯାଇ, ପିଲା ଯେପରି କାମ କରିବାରୁ, ବନ୍ଧୁତା ବାନ୍ଧିବାରୁ, ଏବଂ ମନୁଷ୍ୟମାନଙ୍କ ମେଳରେ ରହିବାରୁ ପ୍ରକୃତରେ ଏକ ଆନନ୍ଦର ଆବିଷ୍କାର କରି ପାରିବ, ସେଥିରେ ଆଦୌ କୌଣସି ସାହାଯ୍ୟ କରିହେବ । ପିଲାମାନେ ନିଜ କୁଟୁମ୍ବ ଲୋକଙ୍କୁ ଭଲ ପାଇବେ, ନିଜ ବିଦ୍ୟାଳୟକୁ ଭଲ ପାଇବେ, କାମ କରିବାକୁ ଓ ଜ୍ଞାନ ଅର୍ଜନ କରିବାକୁ ଭଲ ପାଇବେ, ତେବେ ଯାଇ ଜଣେ ଶିକ୍ଷକ ସେମାନଙ୍କୁ ଏସବୁ ଶିଖାଇ ଦେଇ ପାରିବ । ପିଲା ଭିତରେ ପ୍ରବେଶ କରି ତା’ର ହୃଦୟକୁ ଯାଇ ଛୁଇଁ ପାରିବା, ନିର୍ଦ୍ଦିଷ୍ଟ ଭାବରେ ଏହି ପ୍ରଣାଳୀଟି ହିଁ ଜଣେ ଶିକ୍ଷାଦାତା ହିସାବରେ ସୁଖୋମ୍‌ଲିନ୍‌ସ୍କିଙ୍କର ଯାବତୀୟ କାର୍ଯ୍ୟରେ ଆଧାରଶିଳା ହୋଇ ରହିଥିଲା ।

 

ନିଜର ପିଲାମାନଙ୍କ ଭିତରେ ଯାହା କିଛି ସର୍ବୋତ୍ତମ, ତାହାର ଅଭିବ୍ୟକ୍ତି କରାଇ ଆଣିବା, – ସେମାନଙ୍କର ଅନ୍ତର୍ନିହିତ ସାମର୍ଥ୍ୟଗୁଡ଼ିକର ବିକାଶ ଘଟାଇବା, ସେମାନଙ୍କର ନୈତିକ ଗୁଣଗୁଡ଼ିକର ସନ୍ଧାନ ପାଇବା, ଏପରି ସାଧୁ ମଣିଷମାନଙ୍କୁ ତିଆରି କରି ଆଣିବା, ଯେଉଁମାନେ କି ସମାଜର ସମସ୍ତଙ୍କର ମଙ୍ଗଳକୁ ଆଦର୍ଶ ବୋଲି ଗ୍ରହଣ କରି ନେଇଥିବେ, – ସୋଭିଏତ୍ ରୁଷିଆର ଜଣେ ଶିକ୍ଷକ ଲାଗି ସିଏ ଏହା ହିଁ ଲକ୍ଷ୍ୟ ହୋଇ ରହିବ ବୋଲି ବିଚାର କରୁଥିଲେ ।

 

ସୁଖୋମ୍‌ଲିନ୍‌ସ୍କିଙ୍କର ଶିକ୍ଷାଶୈଳୀଟି ହେଉଛି : ଯାହା ମଙ୍ଗଳକାରକ, ଯାହା ସତ୍ୟ, ପିଲା ତାହା ହିଁ ଶିଖିବ, ତା’ର ଅନୁଭବ ଶକ୍ତି ଓ ଭାବନାଶକ୍ତି ସମୃଦ୍ଧ ହେବ, ଅର୍ଥାତ୍ ତା ଭିତରୁ ଜଣେ ଉପଯୁକ୍ତ ବ୍ୟକ୍ତି ଓ ଉପଯୁକ୍ତ ନାଗରିକ ଗଠିତ ହୋଇ ଆସିବ ।

 

ନିଜ ଜୀବନର ଅନ୍ତିମ କୋଡ଼ିଏଟି ବର୍ଷରେ ସୁଖୋମ୍‌ଲିନ୍‌ସ୍କି ନିଜର ଅନୁଭୂତି ଓ ବିଚାରଗୁଡ଼ିକୁ ଟିପି ରଖୁଥିଲେ ଏବଂ ପରେ ସେହିଗୁଡ଼ିକୁ ବ୍ୟବହାର କରି ଅନେକ ବହି ଓ ଲେଖା ଲେଖିଥିଲେ । ସେଗୁଡ଼ିକ ମଧ୍ୟରୁ ସର୍ବାଧିକ ପରିଚିତ ବହିଗୁଡ଼ିକ ହେଉଛି : ମା’ ହୃଦୟ ପିଲାଙ୍କ ପାଇଁ, ଜଣେ ନାଗରିକର ଜନ୍ମ, ପାଭଲିଶ୍‍ର ମାଧ୍ୟମିକ ବିଦ୍ୟାଳୟ ଏବଂ ସାମୂହିକ ପ୍ରଜ୍ଞାର ଶକ୍ତି । ଏହି ନିପୁଣ ଶିକ୍ଷାଦାତାଙ୍କର ସମୃଦ୍ଧ ଅନୁଭବଗୁଡ଼ିକୁ ଏକାଠି ସମନ୍ୱିତ କରି ଏହି ବହିଗୁଡ଼ିକ ତିଆରି ହୋଇଛି । ସୁଖୋମ୍‌ଲିନ୍‌ସ୍କି ନିଜେ ତାଙ୍କର ବହିଗୁଡ଼ିକୁ “ମାକାରେଙ୍କୋଙ୍କର ରଚନା” ବୋଲି କହୁଥିଲେ । ସୋଭିଏତ୍ ରୁଷିଆର ଶିକ୍ଷାବିତ୍ ଆନ୍ତୋନ୍ ସେମିୟୋନୋଭିଚ୍ ମାକାରେଙ୍କୋ (୧୯୮୮-୧୯୩୯)ଙ୍କର ଶିକ୍ଷାକ୍ଷେତ୍ରୀୟ ଅନୁଭୂତିକୁ ସେ ଅତ୍ୟନ୍ତ ମୂଲ୍ୟବାନ୍ ବୋଲି ବିଚାର କରୁଥିଲେ ।

 

ଶ୍ରୀ ମାକାରେଙ୍କୋଙ୍କର ପଦ୍ଧତିରେ ମୂଳତଃ ବ୍ୟକ୍ତି ଲାଗି ଗଭୀର ସମ୍ମାନ ଓ ବିଶ୍ୱାସ ନିହିତ ହୋଇ ରହିଥିଲା । ୧୯୨୦ ଦଶକରେ ସେ ପିଲାମାନଙ୍କ ଲାଗି ତିଆରି ହୋଇଥିବା ଗୋଟିଏ କର୍ମବସତିର ମୁଖ୍ୟ ପରିଚାଳକ ଥିଲେ । ସେତେବେଳେ ସୋଭିଏତ ପ୍ରଜାତନ୍ତ୍ରର ଏକ ଅତ୍ୟନ୍ତ କଷ୍ଟକର ଦୁଃସମୟ, – ବହୁସଂଖ୍ୟକ ପିଲା ସେମାନଙ୍କର ବାପାମାଆ, ପରିବାର ଏବଂ ଗୃହ ହରାଇଥିଲେ । ଏହି ଅନାଥ ଶିଶୁମାନଙ୍କର ଦୁଃଖକୁ ଲାଘବ କରିବା ନିମନ୍ତେ ସେମାନଙ୍କର ଯତ୍ନ ନେବା, ନିର୍ଭର ଦେବା, ସେମାନଙ୍କୁ ଏକ ନୂତନ ପରିବାର ଯୋଗାଇ ଦେବା ଅତ୍ୟାବଶ୍ୟକ ହେଉଥିଲା । ମାକାରେଙ୍କୋଙ୍କର ତତ୍ତ୍ୱାବଧାନରେ ରହିଥିବା ପିଲାମାନଙ୍କ ଲାଗି ବସତିଟି ଠିକ୍ ଏହିପରି ଏକ ପରିବାରରେ ପରିଣତ ହୋଇ ପାରିଥିଲା । ଏହି ପିଲାମାନଙ୍କୁ ପୁନଃଶିକ୍ଷିତ କରିବା ପାଇଁ, ସେମାନଙ୍କ ଭିତରେ ଖୁବ୍ ଗଭୀର ଯାଏ ଚେର ମାଡ଼ି ରହିଥିବା ଅଭ୍ୟାସଗୁଡ଼ିକୁ ଭାଙ୍ଗିବା ପାଇଁ ଏକ ନୂତନ ପଦ୍ଧତି ଓ ଦୃଷ୍ଟି ତତ୍‌କ୍ଷଣାତ୍‌ ଆବଶ୍ୟକ ହେଉଥିଲା ଏବଂ ଶ୍ରୀ ମାକାରେଙ୍କୋ ଚମତ୍କାର ଭାବରେ ସେଇଟିକୁ କ୍ରିୟାନ୍ୱିତ କରିପାରିଥିଲେ । ମାତ୍ର, ସୁଖୋମ୍‍ଲିନ୍‍ସ୍କି ଯେପରି ଦେଖି ପାରୁଥିଲେ, “ଏକ ସତତ, ଅଶେଷ ମାନବିକତାର ବଳୟ” “ସର୍ବୋତ୍ତମ ମାନବୀୟ ଆସ୍ପୃହାଗୁଡ଼ିକର ମୁଗ୍ଧକାରୀ ସୌନ୍ଦର୍ଯ୍ୟ” -ଏହିଗୁଡ଼ିକ ହିଁ ମାକାରେଙ୍କୋ ଗ୍ରହଣ କରି ନେଇଥିବା ପଦ୍ଧତିଟିରେ ମୁଖ୍ୟ ଉପାଦାନ ହୋଇ ରହିଥିଲା ।

 

ଶିକ୍ଷକ ଓ ପିଲା ମଧ୍ୟରେ ରହିଥିବା ସଂପର୍କ, ସର୍ବଦା ପରିବେଶଟି ଶୁଭେଚ୍ଛା ଦ୍ୱାରା ପୂର୍ଣ୍ଣ ହୋଇ ରହିଥିବ,–ମାକାରେଙ୍କୋ ଏକଦା ସମ୍ଭବ କରିଥିବା ଠିକ୍ ଏହି ସବୁ କଥା ହିଁ ଭାସିଲି ସୁଖୋମ୍‌ଲିନ୍‌ସ୍କିଙ୍କ ଦ୍ୱାରା ପରିଚାଳିତ ପାଭ୍‌ଲିସ୍‌ ବିଦ୍ୟାଳୟର ଲକ୍ଷ୍ୟ ହୋଇ ରହିଥିଲା । ଉଭୟ ଶିକ୍ଷକ ଶିକ୍ଷାକୁ ଏକ ବିଶ୍ୱମୟ ପୌରଦୃଷ୍ଟି ସହିତ ଯୁକ୍ତ କରି ରଖିଥିଲେ, ନିଜ ଦେଶ ଏବଂ ଜାତିର ସେବାରେ ଉତ୍ସର୍ଗୀକୃତ ଭାବରେ ନିଜକୁ ନିୟୋଜିତ କରି ରଖିଥିବା ଜଣେ ବ୍ୟକ୍ତିର ସେହି ସୁନ୍ଦର ଜୀବନବୋଧଟି ସହିତ ମଧ୍ୟ ସେହି ଶିକ୍ଷା ସଂଯୁକ୍ତ ହୋଇ ରହିଥିଲା । କ’ଣ ଭଲ ଓ କ’ଣ ଭଲ ନୁହେଁ, ପିଲାଏ ଏତିକି ବୁଝିଗଲେ ତାହା କଦାପି ଯଥେଷ୍ଟ ହେବ ନାହିଁ । ଅସଲ ଜୀବନଟିଏ ବଞ୍ଚି ଶିଖିବାକୁ ହେଲେ, ସେମାନେ ଯେପରି ସମାଜର ମନ୍ଦ ଏବଂ ଅନ୍ୟାୟ ବିଷୟରେ କଦାପି ସହିଷ୍ଣୁ ନହେବେ, ସେମାନଙ୍କୁ ସେହି କଥା ଶିକ୍ଷା ଦେବାକୁ ହେବ ।

 

ଶିକ୍ଷାର କ୍ଷେତ୍ରରେ ଆମେ ଏହାକୁ ହିଁ ଭାସିଲି ସୁଖୋମ୍‌ଲିନ୍‌ସ୍କିଙ୍କର ଯଥାର୍ଥ ସନ୍ଦେଶ ବୋଲି ଜାଣି ରଖିବା : ଶିକ୍ଷାଦାନର ଏକ ପଦ୍ଧତି ଠିକ୍ କରିବାକୁ ଯାଇ ସେ ଶ୍ରୀ ମାକରେଙ୍କୋଙ୍କର ସିଦ୍ଧାନ୍ତଗୁଡ଼ିକ ଅନୁସାରେ କାର୍ଯ୍ୟ କରିଥିଲେ । ସେହି ସିଦ୍ଧାନ୍ତଗୁଡ଼ିକର ମୂଳ କଥା ହେଉଛି: ଅନ୍ୟ ପଦ୍ଧତିଗୁଡ଼ିକ ସହିତ କୌଣସି ସମ୍ପର୍କ ନରଖି କୌଣସି ଗୋଟିଏ ପଦ୍ଧତିକୁ ବ୍ୟବହାର କଲେ ସେଥିରୁ ହୁଏତ ସକାରାତ୍ମକ ଅଥବା ନକାରାତ୍ମକ ଫଳମାନ ମିଳିପାରେ । ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ଅତ୍ୟନ୍ତ ସୁସମଞ୍ଜସ ଭାବରେ ଯାବତୀୟ ପଦ୍ଧତିକୁ ସଂଗଠିତ କରିନେବାକୁ ପଡ଼ିବ ।

 

ସାମୂହିକ ଶିକ୍ଷାର ଯେଉଁ ସିଦ୍ଧାନ୍ତଟି ସର୍ବୋପରି ମାକାରେଙ୍କୋଙ୍କର ନାମ ସହିତ ସଂଲଗ୍ନ ହୋଇ ରହିଛି, ଭାସିଲି ସୁଖୋମ୍‌ଲିନ୍‌ସ୍କିଙ୍କର ଶିକ୍ଷାପ୍ରୟୋଗଟି ଦ୍ୱାରା ତାହା ଠିକ୍ ବୋଲି ସିଦ୍ଧ ହୋଇଥିଲା । ଆଧୁନିକ ପୃଥିବୀରେ ସାମୂହିକ ଜୀବନର ବାହାରେ ରଖି ପିଲାମାନଙ୍କର ବିକାଶ କରାଇବା ଓ ସେମାନଙ୍କୁ ଶିକ୍ଷା ଦେବା ଆଦୌ ସମ୍ଭବ ନୁହେଁ, କାରଣ କେବଳ ଏହିପରି ଏକ ଶିକ୍ଷା ହିଁ ପିଲାମାନଙ୍କୁ ମନୁଷ୍ୟମାନଙ୍କ ସହିତ ସଂପର୍କ ସ୍ଥାପନ କରିବାର ଆନନ୍ଦଟିକୁ ଆଣି ଦେଇ ପାରିବ ଏବଂ ନିଜ ସାମର୍ଥ୍ୟଗୁଡ଼ିକୁ ଆବିଷ୍କାର କରିବା ନିମନ୍ତେ ପ୍ରଗତିଶୀଳ ଶିକ୍ଷାବିତ୍‌ମାନଙ୍କର ଆବିଷ୍କାର, ଉପଲବ୍ଧି ଓ ସନ୍ଦେଶଟି ଉପରେ ଆମକୁ ଅପରିହାର୍ଯ୍ୟ ଭାବରେ ଅଧିକ ଦୃଷ୍ଟି ଦେବାକୁ ହେବା ସୁଖୋମ୍‌ଲିନ୍‌ସ୍କିଙ୍କ କାର୍ଯ୍ୟରୁ ଯେଉଁ ଚମତ୍କାର ଫଳ ସବୁ ଉପଲବ୍ଧି ହୋଇଥିଲା, ତାହା ଦର୍ଶାଇ ଦେଉଛି ଯେ, ଶିକ୍ଷାକ୍ଷେତ୍ରୀୟ ସବୁ କିଛି ହିଁ ଭାବୀ ବଂଶଧରମାନଙ୍କୁ ଉଚ୍ଚ ନୈତିକତା ତଥା ସମୂହ ପ୍ରତି କର୍ତ୍ତବ୍ୟ ନିମନ୍ତେ ଉଦ୍‍ବୁଦ୍ଧ କରାଇ ନେବାରେ ଲକ୍ଷ୍ୟଟି ଆଡ଼କୁ କାର୍ଯ୍ୟ କରିବାର ସେହି ଗୋଟିଏ ମାତ୍ର ଆଧାରଶିଳା ଉପରେ ପ୍ରତିଷ୍ଠିତ ହୋଇ ରହିଛି ।

 

+ + + +

 

ଭାସିଲି ସୁଖୋମ୍‌ଲିନ୍‌ସ୍କିଙ୍କର ଅଳ୍ପ ବୟସରେ କାଳ ହୋଇ ଯାଇଥିଲା । ଯୁଦ୍ଧର ପରବର୍ତ୍ତୀ କାଳରେ କେବଳ ୫୨ ବର୍ଷ ବୟସରେ ସେ ଚାଲିଗଲେ ।

 

ଫାସିଷ୍ଟ୍ ଜର୍ମାନୀ ବିରୁଦ୍ଧରେ ଯେତେବେଳେ ଦେଶକୁ ରକ୍ଷା କରିବାର ମହାନ୍ ଯୁଦ୍ଧଟି ଆରମ୍ଭ ହୋଇଥିଲା (୧୯୪୧-୪୩), ପୋଲ୍ଟାଭା ପ୍ରଶିକ୍ଷଣ ବିଦ୍ୟାଳୟରୁ ସଦ୍ୟ ପାଠ ସାରି ବାହାରିଥିବା ତେଇଶି ବର୍ଷର ସୁଖୋମ୍‌ଲିନ୍‌ସ୍କି ସେତେବେଳେ ଡାକରା ପାଇ ସୈନ୍ୟବାହିନୀକୁ ଗଲେ । ତାଙ୍କର ପତ୍ନୀ ଭେରା ନାତ୍ସୀମାନେ ଦଖଲ କରି ନେଇଥିବା ପାଭ୍‌ଲିସ୍‌ ଠାରେ ରହିଯାଇଥିଲେ ଏବଂ ଶତ୍ରୁର ପ୍ରତିରୋଧ କରୁଥିବା ବାହିନୀମାନଙ୍କୁ ସାହାଯ୍ୟ କରୁଥିଲେ । ଏହିପରି ଗୋଟିଏ କାର୍ଯ୍ୟରେ ପ୍ରେରିତ ହୋଇ ସେ ଗେଷ୍ଟାପୋ ହାତରେ ପଡ଼ିଲେ । ଫାସିଷ୍ଟ୍ ବନ୍ଦୀଶାଳାରେ ତାଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଫାସିଷ୍ଟମାନେ ସାହସିନୀ ଭେରାଙ୍କୁ ନାନା ଭାବେ ଉତ୍ପୀଡ଼ନ କଲେ, ସିଏ ପ୍ରତିରୋଧ ବାହିନୀର ନେତାଙ୍କ ନାମ କହି ଦିଅନ୍ତୁ ବୋଲି ଦାବି କଲେ । ମାତ୍ର ଭେରା ମୋ’ଟେ କିଛି ନକହି ନୀରବ ରହୁଥିଲେ । ସେମାନେ ତାଙ୍କ ଆଖି ଆଗରେ ମାତ୍ର କେତେ ଦିନର ଛୁଆଟିକୁ ହତ୍ୟା କଲେ । ଭେରାଙ୍କୁ ଫାଶୀରେ ଲଟକାଇ ଦିଆଗଲା । ....ସେତେବେଳେ ସୁଖୋମ୍‌ଲିନ୍‌ସ୍କି ମସ୍କୋର ପ୍ରବେଶପଥ ମାନଙ୍କରେ ଆକ୍ରମଣକାରୀମାନଙ୍କ ସହିତ ଯୁଦ୍ଧ କରୁଥିଲେ । ସାଂଘାତିକ ଭାବରେ ଆହତ ହେବାରୁ ତାଙ୍କୁ ଯୁଦ୍ଧକ୍ଷେତ୍ରରୁ ଅନ୍ୟତ୍ର ନିଆଯାଇଥିଲା । ସେହି ଦିନଠାରୁ ତାଙ୍କ ଛାତି ଭିତରେ ଗୁଳିର ମାରାତ୍ମକ ଖଣ୍ଡମାନ ରହିଯାଇଥିଲା, ଏବଂ ମୃତ୍ୟୁବରଣ କରିଥିବା ନିଜ ପ୍ରିୟଜନମାନଙ୍କ ଲାଗି ତାଙ୍କର ହୃଦୟରେ ତୀବ୍ର ବେଦନା ମଧ୍ୟ ରହିଥିଲା ।

 

ଜୀବନର ଅନ୍ତିମ ଦିବସଟି ପର୍ଯ୍ୟନ୍ତ – ସେପ୍ଟେମ୍ବର ୨,୧୯୭୦ – ଭାସିଲି ସୁଖୋମ୍‌ଲିନ୍‌ସ୍କି ପିଲାମାନଙ୍କ ନିମନ୍ତେ ହିଁ ବଞ୍ଚୁଥିଲେ ।

 

ତାପରେ ବହୁତ ବର୍ଷ ଚାଲିଗଲା, ଦେଶର ଦେହରୁ ଯୁଦ୍ଧଜନିତ କ୍ଷତଗୁଡ଼ିକ କ୍ରମେ ଭଲ ହୋଇଗଲା । ଏପରି ନୂଆ ପିଲାମାନେ ଜନ୍ମ ହେଲେ, ଯେଉଁମାନେ କେବଳ ଇତିହାସ ବହିରୁ ହିଁ ଯୁଦ୍ଧ ବିଷୟରେ ଜାଣିଥିଲେ । ଏହି ଯେଉଁ ବ୍ୟକ୍ତିଟି ସେମାନଙ୍କର ଶିକ୍ଷକ ରୂପେ ସେମାନଙ୍କୁ ପାଠ ପଢ଼ାଉଥିଲେ, ସେମାନଙ୍କୁ କ୍ଷେତ ଆଉ ଜଙ୍ଗଲ ଆଡ଼କୁ ବୁଲାଇ ନେଉଥିଲେ, ତାଙ୍କ ଛାତି ଭିତରେ ଯେ ଯୁଦ୍ଧର ଚିହ୍ନଗୁଡ଼ାକ ତଥାପି ଜଳୁଥିଲା ଓ ଜ୍ୱାଳା ହେଉଥିଲା, ପାଭ୍‌ଲିସ୍‌ ବିଦ୍ୟାଳୟର ପିଲାମାନେ ସେ ବିଷୟରେ ଆଦୌ କିଛି ଜାଣି ନଥିଲେ ।

 

ଔଷଧ ସେବନ ଦ୍ୱାରା କୌଣସି ଫଳ ହେଲା ନାହିଁ । ଏକ ସ୍କୁଲବର୍ଷର ଆରମ୍ଭରେ ହିଁ ସୁଖୋମ୍‌ଲିନ୍‌ସ୍କି ଦଳେ ନୂଆ ପିଲାଙ୍କ ପାଇଁ ବିଦ୍ୟାଳୟର ଦ୍ୱାରଟିକୁ ଖୋଲିଦେଇ ନିଜର ସେହି କର୍ମକ୍ଷେତ୍ରରେ ହିଁ ପ୍ରାଣତ୍ୟାଗ କରିଥିଲେ ।

 

ଶିକ୍ଷାର କ୍ଷେତ୍ରରେ ସୁଖୋମ୍‌ଲିନ୍‌ସ୍କିଙ୍କର ଅବଦାନ, ଜଣେ ଶିକ୍ଷାଦାତା ହିସାବରେ ତାଙ୍କର ଅନୁଭବ କେବଳ ସୋଭିଏତ୍ ୟୁନିଅନରେ ନୁହେଁ, ସାରା ପୃଥିବୀରେ ଶିକ୍ଷକ ତଥା ଅଭିଭାବକମାନଙ୍କର ଅଧିକରୁ ଅଧିକ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି ।

Image

 

ପ୍ରାକ୍‌କଥନ

 

ମୋ’ର ପ୍ରିୟ ପାଠକ ମାନେ, ସହକର୍ମୀ ମାନେ – ଶିକ୍ଷକ, ଶିକ୍ଷାବିତ୍ ଏବଂ ବିଦ୍ୟାଳୟ ଗୁଡ଼ିକର ନିର୍ଦ୍ଦେଶକ ମାନେ :

 

ଏହି ପୁସ୍ତକଟି ହେଉଛି ଗୋଟିଏ ବିଦ୍ୟାଳୟରେ ବହୁବର୍ଷ କାର୍ଯ୍ୟ କରିଥିବାର ପରିଣାମ, ଭାବନା, ବ୍ୟାକୁଳତା, ଚିନ୍ତା ଏବଂ ବିରକ୍ତିର ପରିଣାମ । ମୁଁ ଅବିଚ୍ଛିନ୍ନ ଭାବରେ ତେତିଶି ବର୍ଷ କାଳ ଗୋଟିଏ ଗାଁ ସ୍କୁଲରେ କାମ କରିଛି ଏବଂ ତାହା ମୋ’ ପାଇଁ ଅତ୍ୟନ୍ତ ସୁଖର ବିଷୟ ହୋଇଛି । ମୋ’ ଜୀବନଯାକ ମୁଁ ପିଲାଙ୍କ ପାଇଁ ଉତ୍ସର୍ଗ କରିଛି । ତେଣୁ, ବହୁତ ଭାବି ଭାବି ମୁଁ ଏହି ବହିଟିର ନାମ “ମୋ ହୃଦୟ ପିଲାଙ୍କ ପାଇଁ” ରଖିବାକୁ ସ୍ଥିର କରିଛି । ମୁଁ ଭାବୁଛି ସେପରି ଏକ ଅଧିକାର ମୁଁ ଅବଶ୍ୟ ଅର୍ଜନ କରିଛି । ଅନ୍ୟ ଶିକ୍ଷାଦାତା ମାନଙ୍କୁ – ଯେଉଁମାନେ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଛନ୍ତି ଓ ଆମ ପରେ ଆଉ ଯେଉଁମାନେ ସେଗୁଡ଼ିକରେ କାର୍ଯ୍ୟ କରିବେ, ସେହି ଉଭୟଙ୍କୁ ମୁଁ ଜୀବନର ଏକ ଦୀର୍ଘ ପର୍ଯ୍ୟାୟ ବିଷୟରେ କହିବାକୁ ଇଚ୍ଛା କରୁଛି, – ପ୍ରାୟ ଦଶବର୍ଷର ଏକ ପର୍ଯ୍ୟାୟ ବିଷୟରେ, –ଯେଉଁଦିନ ଠାରୁ ଗୋଟିଏ ସାନ ପିଲା, – ଆମେ ଶିକ୍ଷକମାନେ ତାକୁ ଅନେକ ସମୟରେ କୁନି ପାଜିଟାଏ ବୋଲି କହିଥାଉ ନା ! ଯେଉଁ ଦିନଠାରୁ ସେ ପ୍ରଥମ କରି ସ୍କୁଲକୁ ଯାଉଛି, – ସେହି ଦିନଠାରୁ ସେହି ଗମ୍ଭୀର ମୁହୂର୍ତ୍ତଟି ପର୍ଯ୍ୟନ୍ତ, ଯେତେବେଳେ ସିଏ ତରୁଣ ବା ତରୁଣୀଟିଏ ହୋଇ ସ୍କୁଲର ନିର୍ଦ୍ଦେଶଙ୍କ ଠାରୁ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ସମାପ୍ତ କଲା ବୋଲି ପ୍ରମାଣପତ୍ର ପାଇ ତା’ର ସ୍ୱାଧୀନ କର୍ମମୟ ଜୀବନ ଆରମ୍ଭ କରିବାକୁ ସଂସାରରେ ପ୍ରବେଶ କରୁଛି । ଏହି ସମୟଟି ହେଉଛି ଜଣେ ବ୍ୟକ୍ତିର ଜୀବନରେ ବିକାଶ ଲାଭ କରିବାର ଏକ ସମୟ । ମୋ’ ଜୀବନର ସବୁଠାରୁ ବଡ଼ କଥାଟି କ’ଣ ଥିଲା ? ଆଦୌ କିଛି ଭାବିବା ଆଗରୁ ମୁଁ ଏହି ପ୍ରଶ୍ନଟିର ଉତ୍ତର ଦେଇ କହିବି; ପିଲାମାନଙ୍କୁ ଭଲ ପାଇବା ।

 

ପ୍ରିୟ ପାଠକ, ମୋ’ ବହିର କେତେକ ବିଷୟରେ ଆପଣ ସମ୍ଭବତଃ ମୋ’ ସହିତ ଏକମତ ହେବେ ନାହିଁ । ଏଥିରେ ଥିବା କୌଣସି ପ୍ରସଙ୍ଗ ଆପଣଙ୍କୁ ହୁଏତ ବିଚିତ୍ର ଅଥବା ଆଶ୍ଚର୍ଯ୍ୟଜନକ ବୋଲି ମନେହେବ । ତେଣୁ ମୁଁ ମୂଳରୁ ଆଗତୁରା କହିରଖୁଛି ଯେ, ପିଲାମାନଙ୍କର, କିଶୋର ଅଥବା ତରୁଣ ମାନଙ୍କର ଲାଳନପାଳନରେ ଆପଣମାନେ ଏହି ବହିଟିକୁ କଦାପି ଏକ ସାର୍ବଜନୀନ ସହାୟକ ରୂପେ ମୋଟେ ଗ୍ରହଣ କରିବେ ନାହିଁ । ଶିକ୍ଷାର ପରିଭାଷାରେ କହିଲେ, ଏହି ପୁସ୍ତକରେ ଶ୍ରେଣୀ ବାହାରର ଶିକ୍ଷାକାର୍ଯ୍ୟ ବିଷୟରେ ଚର୍ଚ୍ଚା କରାଯାଇଛି । (ଅଥବା, ଶବ୍ଦଟିର ସୀମିତ ଅର୍ଥରେ ତାହାକୁ ପିଲାମାନଙ୍କର ଲାଳନପାଳନ କରିବାର କାର୍ଯ୍ୟବୋଲି କୁହାଯାଇ ପାରିବ-।) ଏହି ବହିରେ ମୁଁ ପାଠ ପଢ଼ାଇବାର କୌଣସି ସମଗ୍ରୀ ବିଷୟରେ କିମ୍ବା ବିଜ୍ଞାନର ମୌଳିକ ସିଦ୍ଧାନ୍ତଗୁଡ଼ିକୁ ଶିକ୍ଷା କରିବାର ପ୍ରକ୍ରିୟାଟିର ଯାବତୀୟ ପରାମର୍ଶପ୍ରଦାନକାରୀ ଟିକିନିଖି ବିଷୟରେ କୌଣସି ଆଲୋଚନା କରିବି ନାହିଁ । ସମ୍ବେଦନଶୀଳ ମନୁଷ୍ୟସମ୍ବନ୍ଧଗୁଡ଼ିକର ଭାଷାରେ ଏହି ପୁସ୍ତକଟିକୁ ମୁଁ ଶିକ୍ଷାଦାତାର ହୃଦୟ ପାଇଁ ଉତ୍ସର୍ଗ କରିଛି ବୋଲି କୁହାଯିବ । ଗୋଟିଏ ପିଲାକୁ କିପରି ତା’ର ଚାରିପାଖରେ ରହିଥିବା ପୃଥିବୀ ମଧ୍ୟକୁ ବାଟ ଦେଖାଇ ନେଇଯାଇ ହେବ, ତା’ ଶିଖିବାରେ କିପରି ସାହାଯ୍ୟ କରାଯାଇ ପାରିବ ଏବଂ ଏହି ବୁଦ୍ଧିଗତ ଶ୍ରମଟିକୁ କିପରି ଅଧିକ ସହଜ କରାଯାଇପାରିବ, (ତା’ର ଅନ୍ତରକ୍ଷେତ୍ରରେ କିପରି ଉତ୍କୃଷ୍ଟ ଅନୁଭୂତି ଏବଂ ସଂବେଗଗୁଡ଼ିକର ଜାଗୃତି ଓ ପ୍ରତିଷ୍ଠା ସମ୍ଭବ କରିହେବ, ତା’ ଭିତରେ ଏକ ମାନବୀୟ ସମ୍ମାନବୋଧ ପ୍ରଦାନ କରାଯାଇପାରିବ,) ମନୁଷ୍ୟ ଯେ ମୂଳତଃ ଭଲ, ସେହି ବିଶ୍ୱାସଟିକୁ ଆଣି ଦେଇ ହେବ, ତା’ ଭିତରେ ତା’ ନିଜ ଦେଶ ବିଷୟରେ କିପରି ଭଲ ପାଇବାର ପ୍ରବୃତ୍ତି ସୃଷ୍ଟି କରିହେବ, ପିଲାର ଅନୁଭୂତିକ୍ଷମ ବୁଦ୍ଧି ଏବଂ ସମ୍ବେଦନଶୀଳ ହୃଦୟରେ କିପରି ଉଚ୍ଚ ଆଦର୍ଶଟି ପ୍ରତି ଆନୁଗତ୍ୟର ପ୍ରଥମ ଉନ୍ମେଷଗୁଡ଼ିକୁ ସମ୍ଭବ କରାଯାଇପାରିବ, ବହିଟିରେ ମୁଁ ସେହି ସବୁ କଥା କହିବାକୁ ଚେଷ୍ଟା କରିଛି ।

 

ଏହି ଯେଉଁ ପୁସ୍ତକଟିକୁ ଆପଣ ହାତରେ ଧରିଛନ୍ତି, ସେଇଟି ପ୍ରାଥମିକ ଶ୍ରେଣୀମାନଙ୍କରେ ଶିକ୍ଷଣର କାର୍ଯ୍ୟ ସହିତ ସଂପୃକ୍ତ । ଅର୍ଥାତ୍ ଏଇଟି ଶୈଶବ ନାମକ ଏକ ପୃଥିବୀ ସହିତ ସଂପୃକ୍ତ । ଏବଂ, ପିଲାମାନଙ୍କର ପୃଥିବୀ ଏହି ଶୈଶବ ହେଉଛି ଏକ ସ୍ୱତନ୍ତ୍ର ପୃଥିବୀ । ଭଲ ଓ ମନ୍ଦ ବିଷୟରେ ପିଲାମାନଙ୍କର ନିଜସ୍ୱ ଧାରଣାମାନ ରହିଥାଏ ; ସାଧୁତା ଅସାଧୁତା ତଥା ମନୁଷ୍ୟର ସମ୍ମାନ ବିଷୟରେ ମଧ୍ୟ ସ୍ୱତନ୍ତ୍ର ଧାରଣା ରହିଥାଏ । ସୌନ୍ଦର୍ଯ୍ୟ ବିଷୟରେ ନିଜସ୍ୱ ମାନଦଣ୍ଡମାନ ରହିଥାଏ, ଏପରିକି ସମୟ ମାପିବାକୁ ମଧ୍ୟ ସେମାନେ ନିଜର ଏକ ପ୍ରଣାଳୀ ବ୍ୟବହାର କରନ୍ତି । ପିଲାବେଳେ ଗୋଟାଏ ଦିନ ବର୍ଷକ ପରି ଲାଗେ । ବର୍ଷଟାଏ କହିଲେ ଶାଶ୍ୱତ କାଳକୁ ବୁଝାଏ । ବାଲ୍ୟକାଳ ନାମକ ସେହି ପରୀଦୁର୍ଗ ଭିତରକୁ ପ୍ରବେଶ କରି ପାରିବା ଲାଗି ମୁଁ ନିଜେ କେତେକାଂଶରେ ସର୍ବଦା ପିଲାଟିଏ ହେବା ପାଇଁ ଚେଷ୍ଟା କରିଛି । କେବଳ ସେତିକିବେଳେ ଯାଇ ପିଲାମାନେ ତୁମକୁ ଆଉ ସେମାନଙ୍କର ପରୀରାଇଜର ପୃଥିବୀଟି ମଧ୍ୟରେ ଅଧିକାର ନଥାଇ ପ୍ରବେଶ କରିବା ମନେ କରନ୍ତି ନାହିଁ, ଯିଏକି ବାହାରୁ ଥାଇ ସେହି ପୃଥିବୀକୁ ପହରା ଦେଉଛି ସତ, ଅଥଚ ସେହି ପୃଥିବୀରେ ଯାହାସବୁ ପ୍ରକୃତରେ ହେଉଛି, ସେସବୁ ବିଷୟରେ ଉଦାସୀନ ରହିଛି ।

 

ଏହି ପୁସ୍ତକରେ ରହିଥିବା ସାମଗ୍ରୀ ଓ ଅନୁଭବର ପ୍ରକାରଟି ସମ୍ବନ୍ଧରେ ମୁଁ ତଥାପି ଆଉ ଗୋଟିଏ ପ୍ରତିବନ୍ଧର ଉଲ୍ଲେଖ କରି ରଖୁଛି । ପ୍ରାଥମିକ ଶିକ୍ଷା କହିଲେ, ସର୍ବପ୍ରଥମେ ଜଣେ ଶିକ୍ଷକର ସୃଜନାତ୍ମକ କ୍ରିୟାଶୀଳତାକୁ ହିଁ ବୁଝାଏ । ସେହି କାରଣରୁ ହିଁ ମୁଁ ଏଥିରେ ଜାଣିଶୁଣି ଅନ୍ୟ ଶିକ୍ଷକମାନଙ୍କର ବା ଅଭିଭାବକମାନଙ୍କର କାର୍ଯ୍ୟର କୌଣସି ଉଲ୍ଲେଖ କରିନାହିଁ । ସେହି ସବୁକିଛିକୁ ଆଣି ଅନ୍ତର୍ଭୂକ୍ତ କରିଥିଲେ, ଏହି ପୁସ୍ତକଟି ଅସମ୍ଭବ ପ୍ରକାରେ ବଡ଼ ହୋଇ ଯାଇଥାନ୍ତା ।

 

ଶୈଶବ ସମ୍ବନ୍ଧରେ ଗୋଟିଏ ପୁସ୍ତକରେ ପିଲାମାନଙ୍କ ପରିବାର ବିଷୟରେ କିଛି ନଲେଖିବା ମୋଟେ ସମ୍ଭବ ହେବ ନାହିଁ । ଜନ୍ମଭୂମିକୁ ରକ୍ଷା କରିବାର ସେହି ମହାଯୁଦ୍ଧ (୧୯୪୧-୧୯୪୫) ପରେ କେତେକ ପରିବାରର ବାତାବରଣ ଅତ୍ୟନ୍ତ ନିରାନନ୍ଦମୟ ଓ ବେଳେ ବେଳେ ବଡ଼ ନିରାଶାଛନ୍ନ ହୋଇ ରହିଥିଲା । ଏହି ପାରିବାରିକ ପରିବେଶଟିକୁ ଏକ ପୂର୍ଣ୍ଣ ଏବଂ ପ୍ରକୃତ ବର୍ଣ୍ଣନା ଦେଇ ପାରିନଥିଲେ, ମୋ’ର ଶିକ୍ଷାକାର୍ଯ୍ୟର ସମ୍ପୂର୍ଣ୍ଣ ପ୍ରଣାଳୀଟି ସମ୍ଭବତଃ ନାନା ବିଭ୍ରାନ୍ତି ସୃଷ୍ଟି କରିବାର କାରଣ ହୋଇଥାନ୍ତା । ଶିକ୍ଷାର ଅମୋଘ ଶକ୍ତି ଉପରେ ମୋ’ର ଦୃଢ଼ ବିଶ୍ୱାସ ରହିଛି; ନାଡ଼େଲଡ଼ା କୃପ୍‍ସ୍କାୟା, ଆଣ୍ଟୋନ୍ ମାକାରେଙ୍କୋ ଓ ଅନ୍ୟ ବିଶିଷ୍ଟ ଶିକ୍ଷାଦାତାମାନଙ୍କର ଯେପରି ରହିଥିଲା, ଠିକ୍ ସେହିପରି ।

Image

 

 

 

 

 

 

 

 

 

 

 

 

ଆନନ୍ଦମୟ ପାଠଶାଳା

 

Unknown

ଏକ ବିଦ୍ୟାଳୟର ନିର୍ଦ୍ଦେଶକ

 

ଦଶ ବର୍ଷର ଶିକ୍ଷକତା ପରେ ମୋତେ ପାଭିଲିଶ୍ ମାଧ୍ୟମିକ ବିଦ୍ୟାଳୟର ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଥିଲା । ବିଗତ ଦଶ ବର୍ଷ ମଧ୍ୟରେ ଶିକ୍ଷା ବିଷୟରେ ମୋ’ର ଯେଉଁ ସବୁ ବିଶ୍ୱାସ ନିର୍ଦ୍ଦିଷ୍ଟ ଆକାର ଗ୍ରହଣ କରି ଆସିଥିଲା, ଏଠାରେ ସେଗୁଡ଼ିକ ଚୂଡ଼ାନ୍ତ ସାକାରତା ଲାଭ କରିଥିଲେ । ମୋ’ର ସେହି ବିଶ୍ୱାସଗୁଡ଼ିକ ଏଠାରେ ପ୍ରକୃତ କାର୍ଯ୍ୟରେ ପରିଣତ ହେଉ ବୋଲି ମୁଁ ଇଚ୍ଛା କରୁଥିଲି ।

 

ମୁଁ ସେଗୁଡ଼ିକୁ ଯେତିକି ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାକୁ ଚେଷ୍ଟା କଲି, ନେତୃତ୍ୱ ଦେବା ମଧ୍ୟ ଏକ ଶିକ୍ଷାଗତ ପ୍ରୟାସ ବୋଲି ମୋ’ଆଗରେ ସେତିକି ଅଧିକ ସ୍ପଷ୍ଟ ହେବାକୁ ଲାଗିଲା-। ଅର୍ଥାତ୍ ନିଜେ ବ୍ୟକ୍ତିଗତ ଦୃଷ୍ଟାନ୍ତଟିଏ ଦେଖାଇ ପାରିଲେ ଯାଇ ସମଗ୍ର ବିଦ୍ୟାଳୟର କ୍ଷେତ୍ରରେ ଆଦର୍ଶଗତ ଓ ସଂଗଠନଗତ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ । ନିର୍ଦ୍ଦେଶକ ନିଜେ ହେଉଛନ୍ତି ଜଣେ ଭଲ ଶିକ୍ଷକ ଏବଂ ପିଲାମାନଙ୍କୁ ଶିକ୍ଷା ଦେବାର କାର୍ଯ୍ୟରେ ସିଏ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରୁଛନ୍ତି, ଶିକ୍ଷକମାନେ ଏକଥା ଦେଖିବାକୁ ପାଇଲେ ଯାଇ ଏକ ଶିକ୍ଷାଳୟ-ସଂସାରର ସଂଗଠକ ହିସାବରେ ଜଣେ ନିର୍ଦ୍ଦେଶକଙ୍କର ଫଳଦାୟକତା ଅନେକ ପରିମାଣରେ ଅବଶ୍ୟ ବୃଦ୍ଧି ପାଇବ ।

 

ଶିକ୍ଷକ ଓ ଛାତ୍ର ମଧ୍ୟରେ ସଂପର୍କ ଅବିଚ୍ଛନ୍ନ ରହିଥିବ, ଏହା ହେଉଛି ଶିକ୍ଷାର ମୂଳ କଥା । ବିଖ୍ୟାତ ରୁଷୀୟ ଶିକ୍ଷାବିତ୍ କେ.ଡି. ଉସିନ୍‌ସ୍କି (୧୮୨୪-୧୮୭୦) ଗୋଟିଏ ବିଦ୍ୟାଳୟର ନିର୍ଦ୍ଦେଶକଙ୍କୁ ବିଦ୍ୟାଳୟର ସବା ଉପରେ ଥିବା ଜଣେ ଶିକ୍ଷକ ବୋଲି କହୁଥିଲେ । ମାତ୍ର, ସବା ଉପରେ ଜଣେ ଶିକ୍ଷକ ହିସାବରେ ସେ ନିଜର କାମଟିକୁ କିପରି ତୁଲାଇବେ ?

 

ଅନ୍ୟ ଶିକ୍ଷକମାନଙ୍କର ମାଧ୍ୟମରେ ପିଲାଙ୍କର ଶିକ୍ଷା ଲାଗି ବ୍ୟବସ୍ଥା କରିଦେବା, ଶିକ୍ଷକମାନଙ୍କୁ ଶିକ୍ଷାର ବିଜ୍ଞାନ ଓ କଳା ବିଷୟରେ ଶିକ୍ଷା ଦେବା, ଏହି କାର୍ଯ୍ୟଟି ନିଶ୍ଚୟ ଅତି ମହତ୍ତ୍ୱପୂର୍ଣ୍ଣ, ମାତ୍ର ଗୋଟିଏ ବିଦ୍ୟାଳୟର ପରିଚାଳନାର ପ୍ରକ୍ରିୟାରେ ଅନେକଗୁଡ଼ିଏ ଦିଗ ମଧ୍ୟରୁ ଇଏ ହେଉଛି ଗୋଟିଏ ମାତ୍ର ଦିଗ । ସବା ଉପରେ ଥିବା ଶିକ୍ଷକ ଯଦି ଅନ୍ୟମାନଙ୍କୁ ଶିକ୍ଷାବିଧିର କଳାଟି ବିଷୟରେ କେବଳ ଶିକ୍ଷା ଦେବାରେ ହିଁ ଲାଗିଥିବ ଏବଂ ଯଦି ପିଲାମାନଙ୍କ ସହିତ ତା’ର କୌଣସି ସିଧା ସଂପର୍କ ନଥିବ, ତେବେ ତାକୁ ଜଣେ ଶିକ୍ଷାଦାତା ବୋଲି ଆଦୌ କୁହାଯିବ ନାହିଁ ।

 

ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ପ୍ରଥମ କେତେ ସପ୍ତାହ ମଧ୍ୟରେ ମୋ’ର ଦୃଢ଼ ବିଶ୍ୱାସ ହୋଇଗଲା ଯେ, ପିଲାମାନଙ୍କ ସହିତ ମେଳ ଖାଇବା ପରି ମୋ’ ନିଜର ମଧ୍ୟ ଯଦି କୌଣସି ଆଗ୍ରହ, ସଉକ ଅଥବା ଆସ୍ପୃହା ନରହେ, ତେବେ ସେମାନଙ୍କର ହୃଦୟ ଭିତରକୁ ପ୍ରବେଶ କରିବାର ସକଳ ପଥ ମୋ’ ପାଇଁ ବନ୍ଦ ହୋଇ ରହିଥିବ । ପିଲାମାନଙ୍କ ଉପରେ ସିଧା କୌଣସି ଶିକ୍ଷାଗତ ପ୍ରଭାବ ପକାଇ ନପାରିଲେ ଜଣେ ନିର୍ଦ୍ଦେଶକ ହିସାବରେ ମୁଁ ଜଣେ ଶିକ୍ଷକ-ଶିକ୍ଷାବିତ୍‍ର ଯାହା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଗୁଣ, ସେଇଟିକୁ ହରାଇ ବସିବି, ଅର୍ଥାତ୍ ମୁଁ ପିଲାମାନଙ୍କର ଅନ୍ତର୍ଜଗତ ଭିତରେ କଦାପି ପ୍ରବେଶ କରିପାରିବି ନାହିଁ । ଶ୍ରେଣୀରେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ଦେଖି ତ ମୋ’ ମନରେ ଇର୍ଷା ଜାତ ହେଲା, କାରଣ ସେମାନଙ୍କର ସବୁ ସମୟ ପିଲାମାନଙ୍କ ସହିତ କଟୁଥିଲା । ଶ୍ରେଣୀରେ ପାଠ ପଢ଼ାଉଥିବା ଜଣେ ଶିକ୍ଷକ ପିଲାମାନଙ୍କ ସହିତ ହୃଦୟ ଖୋଲିଦେଇ କଥା ହୋଇ ପାରୁଥିଲେ, ସେମାନଙ୍କ ସହିତ ଜଙ୍ଗଲକୁ, ଝରଣାକୁ ବୁଲି ଯାଉଥିଲେ, କ୍ଷେତରେ କାମ ମଧ୍ୟ କରୁଥିଲେ । ସେମାନେ କେତେବେଳେ ବାହାରକୁ ଭ୍ରମଣରେ ଯିବେ, ଖେଚୁଡ଼ି ରାନ୍ଧିବେ, ମାଛ ରାନ୍ଧିବେ, ବାହାରେ ତମ୍ବୁ ପକାଇ ରହିବେ, ଆକାଶରେ ମିଞ୍ଜି ମିଞ୍ଜି ହେଉଥିବା ତାରାକୁ ଦେଖିବେ, ପିଲାମାନେ ସେଥିଲାଗି ଅଧୀର ହୋଇ ଅପେକ୍ଷା କରୁଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଏହି ସବୁକିଛିରୁ ବଞ୍ଚିତ, ବହିର୍ଭୂତ ହୋଇ ରହୁଥିଲେ । ସିଏତ ଖାଲି ସଂଗଠିତ କରାଇବାକୁ, ଉପଦେଶ ଦେବାକୁ, ଦୋଷଗୁଡ଼ିକୁ ଦେଖି ସଂଶୋଧନ କରିବାକୁ, ଭଲ କାମରେ ଉତ୍ସାହ ଦେବାକୁ ଓ ମନ୍ଦକୁ ମନା କରିବାକୁ ରହିଥିଲେ । ଅବଶ୍ୟ ଏକଥା ସତ ଯେ, ଏଗୁଡ଼ିକ ନହେଉଥିଲେ ବି ହୁଏତ କିଛି ଚଳୁ ନଥାନ୍ତା, ମାତ୍ର ମୋତେ କେବଳ ଏତିକି ଆଦୌ ଯଥେଷ୍ଟ ବୋଲି ମନେ ହେଲା ନାହିଁ ।

 

ମୁଁ ଅନେକ ସୁଦକ୍ଷ ନିର୍ଦ୍ଦେଶକଙ୍କୁ ଜାଣିଛି, ଯେଉଁମାନେ କି ବିଦ୍ୟାଳୟର ଶିକ୍ଷାକାର୍ଯ୍ୟରେ ସକ୍ରିୟ ଭାଗ ନେଉଥିଲେ । ଶିକ୍ଷଣର ପ୍ରକ୍ରିୟାରେ ସେମାନେ ଦିଗଦର୍ଶନକାରୀ ଅନେକ ବିଚାର ଦେଇ ଯାଇଛନ୍ତି ଓ ସେମାନଙ୍କ ଦ୍ୱାରା ପ୍ରଦତ୍ତ ଶିକ୍ଷା ଶିକ୍ଷକମାନଙ୍କ ଅନୁକରଣୀୟ ହୋଇ ରହିଛି । ତରୁଣମାନଙ୍କର ସଂଗଠନର ପ୍ରତ୍ୟେକ କାର୍ଯ୍ୟରେ ସେମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିଲେ । ମାତ୍ର ମୋତେ ଲାଗିଲା ଏବଂ ପରବର୍ତ୍ତୀ ବର୍ଷମାନଙ୍କରେ ଏହି ବିଶ୍ୱାସଟି ଆହୁରି ଦୃଢ଼ ମଧ୍ୟ ହୋଇ ଯାଇଛି ଯେ, ପ୍ରାଥମିକ ବିଦ୍ୟାଳୟର ଛାତ୍ରସମୂହର ଜୀବନରେ ପ୍ରତ୍ୟକ୍ଷ ଏବଂ ଦୀର୍ଘପ୍ରସାରିତ ଭାବରେ ଅଂଶଗ୍ରହଣ କରିପାରିଲେ ଯାଇ ଜଣେ ନିର୍ଦ୍ଦେଶକ ଶିକ୍ଷାଦାତା ହିସାବରେ ସବୁଠାରୁ ଅଧିକ ନୈପୁଣ୍ୟ ହାସଲ କରିପାରିବେ । ମୁଁ ପିଲାମାନଙ୍କ ସହିତ ରହିବାକୁ ଇଚ୍ଛା କଲି, ସେମାନଙ୍କ ଆନନ୍ଦ ଓ ନିରାନନ୍ଦରେ ଭାଗ ନେଇ ସେମାନଙ୍କର ଅତି ନିକଟରେ ଅଛି ବୋଲି ଅନୁଭବ କରିବାକୁ ଇଚ୍ଛା କଲି । ଏପରି ଅନୁଭବ କରିବାକୁ ହିଁ ଜଣେ ଶିକ୍ଷକର ସବୁଠାରୁ ବଡ଼ ଆନନ୍ଦ ବୋଲି ହିଁ କୁହାଯିବ । ସମୟ ଓ ସୁଯୋଗ ଅନୁସାରେ ମୁଁ ଶିଶୁସମୂହର ବିଭିନ୍ନ କାର୍ଯ୍ୟକ୍ରମର ଜୀବନରେ ଯୋଗ ଦେବାକୁ ଚେଷ୍ଟା କଲି: ସେମାନଙ୍କ ସହିତ ଭ୍ରମଣରେ ଯୋଗ ଦେଲି, ବାହାରେ ତମ୍ବୁ ପକାଇ ରହିଲି । ଏହା ଫଳରେ ମୁଁ ସେହିସବୁ ଅନନ୍ୟ ଆନନ୍ଦମୟତାକୁ ସୃଷ୍ଟି କରିବାରେ ସହାୟକ ହୋଇପାରିଲି, ଯାହା ବିନା ଏକ ସମ୍ପୂର୍ଣ୍ଣ ଶିକ୍ଷାର କୌଣସି କଳ୍ପନା ହିଁ କରି ହେବ ନାହିଁ ।

 

ତଥାପି, ଏହିସବୁ ସମ୍ବନ୍ଧ ଭିତରେ ପିଲାମାନେ ଓ ମୁଁ ଉଭୟେ ଗୋଟାଏ ପ୍ରକାରର କୃତ୍ରିମତା ରହିଯାଉଥିବାର ଅନୁଭବ କରୁଥିଲୁ । ଶିକ୍ଷାସମ୍ବନ୍ଧୀ ସ୍ଥିତିଟି ମଧ୍ୟରେ ଯେ ଏକ ଅସ୍ୱାଭାବିକତା ରହିଯାଉଥିଲା, ତାହା ମତେ ଭାରି ବିଚଳିତ କରି ଦେଉଥିଲା: ମୁଁ ଯେ କେବଳ କେତେ ସମୟ ପାଇଁ ସେମାନଙ୍କ ସହିତ ରହିଛି, ପିଲାଏ ସେକଥା ଆଦୌ ଭୁଲି ପାରୁନଥିଲେ । ଯେତେବେଳେ ଜଣେ ଶିକ୍ଷକ ଦୀର୍ଘ ସମୟର ଜଣେ ବନ୍ଧୁ ହୋଇ ରହିପାରେ ଏବଂ ଏକାଠି ହାତକୁ ନିଆଯାଉଥିବା ସକଳ କାର୍ଯ୍ୟକ୍ରମରେ ଜଣେ ସହଯୋଗୀ ଏବଂ ସାଥି ହୋଇ ରହିଥାଏ, କେବଳ ସେତିକିବେଳେ ଯାଇ ଯଥାର୍ଥ ସମୁଦାୟଟିଏ ସମ୍ଭବ ହୋଇଥାଏ । ମୁଁ ଅନୁଭବ କଲି ଯେ ଏଥିରୁ ମୋତେ ମିଳୁଥିବା କେବଳ ଏକ ସୃଜନାତ୍ମକ ଆନନ୍ଦ ସକାଶେ ନୁହେଁ, ନିଜର ସହକର୍ମୀମାନଙ୍କୁ ଶିକ୍ଷାଦାନର କଳା ଏବଂ ବିଜ୍ଞାନ ବିଷୟରେ ଶିକ୍ଷାଦେଇ ପାରିବାକୁ ହେଲେ ମଧ୍ୟ ମୋ’ଲାଗି ସେହିଭଳି ଏକ ସମୁଦାୟର ଆବଶ୍ୟକତା ରହିଥିଲା । ପ୍ରତ୍ୟେକ ଦିନ ପିଲାମାନଙ୍କର ପ୍ରତ୍ୟେକ ସଂସ୍ରବରେ ରହିଥିବ-ସେହିଥିରୁହିଁ ତୁମକୁ ସବୁକିଛି ବିଚାର, ଶିକ୍ଷାକ୍ଷେତ୍ରୀୟ ଯାବତୀୟ ଆବିଷ୍କାର, ଆନନ୍ଦ, ନିରାନନ୍ଦ ତଥା ସବୁକିଛି ମୋହଭଙ୍ଗ ପ୍ରାପ୍ତ ହୋଇପାରିବ । ସେମାନଙ୍କୁ ବାଦ୍ ଦେଇ ଆମମାନଙ୍କର କାର୍ଯ୍ୟରେ କୌଣସି ସୃଜନଶୀଳତା ସମ୍ଭବ ହେବ ନାହିଁ । ମୁଁ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଲି ଯେ, ସବା ଉପରେ ଥିବା ଶିକ୍ଷକଙ୍କୁ ସାନ ଶିଶୁମାନଙ୍କ ସଂପ୍ରଦାୟଟିର ନାୟକ ହେବାକୁ ପଡ଼ିବ, ସେମାନଙ୍କର ବନ୍ଧୁ ଓ ସାଥୀ ହୋଇ ରହିବାକୁ ହେବ । ପାଭ୍ଲିଶ୍କୁ ଆସିବା ପୂର୍ବରୁ ମୁଁ ଯେଉଁସବୁ ଶିକ୍ଷାସତ୍ୟରେ ଉପନୀତ ହୋଇ ସାରିଥିଲି, ଏହି ଦୃଢ଼ ନିଶ୍ଚୟଟି ତାହାରି ଉପରେ ଠିଆ ହୋଇ ରହିଥିଲା ।

 

ଶିକ୍ଷାଦାନର ପ୍ରଥମ କେତୋଟି ବର୍ଷ ଭିତରେ ମୁଁ ନିଷ୍ପତ୍ତି କରି ସାରିଥିଲି ଯେ ଏକ ପ୍ରକୃତ ବିଦ୍ୟାଳୟକୁ କଦାପି କେବଳ ଏକ ସ୍ଥାନ ବୋଲି କୁହାଯିବ ନାହିଁ, ଯେଉଁଠାରେ କି ପିଲାମାନେ ଜ୍ଞାନ ଓ କୌଶଳମାନ ଅର୍ଜନ କରିବାକୁ ଏକଜୁଟ ହୋଇଥାନ୍ତି । ଅଧ୍ୟୟନ ଅବଶ୍ୟ ମହତ୍ତ୍ୱପୂର୍ଣ୍ଣ, ମାତ୍ର ପିଲାଟିର ଜୀବନରେ କେବଳ ସବୁକିଛି ଆଦୌ ନୁହେଁ । ଯେତିକି ଅଧିକ ଘନିଷ୍ଟ ଭାବରେ ମୁଁ ଆମେ ଶିକ୍ଷକ ପରିପାଳନବୋଲି କହି ଆସିଥିବା ପ୍ରକ୍ରିୟାଟିକୁ ପରୀକ୍ଷା କରି ଦେଖିଲି, ମୋ’ର ବିଶ୍ୱାସ ସେତିକି ଅଧିକ ଦୃଢ଼ ହେବାକୁ ଲାଗିଲା ଯେ, ପିଲାମାନଙ୍କର ଏହି ସମୂହର ଯେଉଁ ବହୁପ୍ରସ୍ଥଯୁକ୍ତ ଆତ୍ମିକ ଜୀବନରେ ଅଗଣିତ କେତେ କେତେ ଆଗ୍ରହ ଓ ଅନୁଧାବନରେ ଶିକ୍ଷକ ଓ ପିଲାମାନେ ଏକତ୍ର ହେଇ ରହିଥାନ୍ତି, ପ୍ରକୃତ ବିଦ୍ୟାଳୟ କହିଲେ ତାହାକୁ ହିଁ ବୁଝାଇବ । ଯେଉଁ ବ୍ୟକ୍ତିଟି କେବଳ ପାଠ ପଢ଼ାଉଥିବା ସମୟରେ ପିଲାମାନଙ୍କ ସହିତ ଏକାଠି ରହିବାକୁ ଯାଏ, – ଶିକ୍ଷକ ମେଜ୍‍ର ଏପାଖରେ ବସିଥାନ୍ତି ଓ ପିଲାମାନେ ମେଜ୍‍ର ଆରପାଖରେ ବସିଥାନ୍ତି – ସିଏ ବିଚରା ପିଲାର ଆତ୍ମା ବିଷୟରେ କିଛି ଜାଣି ନଥାଏ । ଏବଂ ଯିଏ ପିଲାମାନଙ୍କୁ ଜାଣେ ନାହିଁ, ସେମାନଙ୍କର ଭାବନା, ଅନୁଭୂତି ଏବଂ ଆସ୍ଫୃହାଗୁଡ଼ିକ ଭିତରକୁ ଯାହାର କୌଣସି ପ୍ରବେଶ ନଥାଏ, ସିଏ କେବେହେଲେ ଜଣେ ଶିକ୍ଷକ ହୋଇ ପାରିବ ନାହିଁ । ଶିକ୍ଷକଙ୍କର ଟେବୁଲଟି ବେଳେ ବେଳେ ସତେ ଅବା ଗୋଟିଏ ପଥର ପାଚେରୀ ପରି ହୋଇଥାଏ, ଯାହାର ପଛରୁ ରହି ସେ ତାଙ୍କର “ଶତ୍ରୁମାନଙ୍କୁ” ଅର୍ଥାତ୍ ପିଲାମାନଙ୍କୁ “ଆକ୍ରମଣ” କରିଥାଆନ୍ତି; ମାତ୍ର, ଅଧିକାଂଶ ସମୟରେ ଏପରି ହୁଏ ଯେ, ସେହି ଟେବୁଲ୍ ଏକ ଅବରୁଦ୍ଧ ଦୁର୍ଗରେ ହିଁ ପରିଣତ ହୋଇଯାଏ ଏବଂ ପରିଶେଷରେ ସେହି “ଶତ୍ରୁ” ପାଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥାଏ । ସେହି ଦୁର୍ଗ ଭିତରେ ବନ୍ଦୀ ହୋଇ ରହିଥିବା “ସେନାପତି” ତାଙ୍କର ହାତଗୁଡ଼ିକୁ ବନ୍ଧା ହୋଇ ରହିଥିବା ପରି ଅନୁଭବ କରିଥାଆନ୍ତି ।

 

ଏପରିକି, ଯେଉଁ ଶିକ୍ଷକମାନେ ସେମାନଙ୍କର ପାଠ୍ୟ ବିଷୟଟିକୁ ଜାଣିଥାଆନ୍ତି, ସେମାନଙ୍କର କ୍ଷେତ୍ରରେ ମଧ୍ୟ ଶିକ୍ଷା ସମୟ ସମୟରେ ଏକ ଭୟଙ୍କର ସଂଘର୍ଷରେ ହିଁ ପରିଣତ ହୋଇଥାଏ, - ଏବଂ ଏହାର ଗୋଟିଏ ମାତ୍ର କାରଣ ହେଉଛି ଯେ, ସେଠାରେ ଶିକ୍ଷକ ଓ ଛାତ୍ରମାନଙ୍କୁ ଏକତ୍ର ବାନ୍ଧି ରଖିଥିବା କୌଣସି ଆତ୍ମିକ ବନ୍ଧନ ନଥାଏ । ତେଣୁ, ପିଲାର ଆତ୍ମାଟି ଅଧିକାଂଶତଃ କ୍ଷତବିକ୍ଷତ ହୋଇ ରହିଥାଏ । କେତେକ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ରହିଥିବା ସମ୍ବନ୍ଧଟି ଯେ ଅତ୍ୟନ୍ତ ନିକୃଷ୍ଟ ଏବଂ ଅସାଧ୍ୟ ହୋଇ ରହିଥିବାର ଦୃଷ୍ଟିଗୋଚର ହୋଇ ରହିଥାଏ, ତାହାର ପ୍ରଧାନ କାରଣ ହେଉଛି ଯେ, ଦୁଇ ପକ୍ଷ ମଧ୍ୟରେ ପରସ୍ପର ପ୍ରତି ବହୁତ ଅବିଶ୍ୱାସ ଏବଂ ସନ୍ଦେହ ରହିଥାଏ । ପିଲାର ସମ୍ବେଗଗୁଡ଼ିକ ସହିତ ଶିକ୍ଷକ ଆଦୌ କୌଣସି ସହୃଦୟତା ଅନୁଭବ କରୁନଥାଏ । ପିଲାମାନଙ୍କର ଖୁସୀ ଏବଂ ଅଖୁସୀରେ ତା’ର କୌଣସି ଭାଗ ନଥାଏ, ନିଜର ମନ ଭିତରେ ସେ ନିଜକୁ ପିଲାର ସ୍ଥାନରେ ରଖି ଆଦୌ କିଛି ଭାବୁନଥାଏ ।

 

ଆପଣାର ଗୋଟିଏ ଚିଠିରେ ପୋଲାଣ୍ଡର ପ୍ରଖ୍ୟାତ ଶିକ୍ଷାବିତ୍ ୟାନୁଶ୍ କର୍ଚ୍ଚାକ୍ (୧୮୭୮-୧୯୪୨) ଆମକୁ ଗୋଟିଏ ପିଲାର ଆତ୍ମିକ ଜଗତ ଭିତରେ ପ୍ରବେଶ କରିବାର ଆବଶ୍ୟକତା ବିଷୟରେ ସ୍ମରଣ କରାଇ ଦେଉଛନ୍ତି, ସେହି ଜଗତ ବିଷୟରେ ଆଦୌ କୌଣସି ନିମ୍ନ ଦୃଷ୍ଟି ନରଖି ତା’ ଭିତରକୁ ପ୍ରବେଶ କରିବା ବିଷୟରେ କହିଛନ୍ତି । ଏଇଟି ଏକ ଅତ୍ୟନ୍ତ ସୂକ୍ଷ୍ମ ବିଚାର ଏବଂ ଆମ ଶିକ୍ଷାନୁଷ୍ଠାନମାନଙ୍କୁ ଏହି କଥାଟିକୁ ଖୁବ୍ ଭଲଭାବେ ବୁଝି ରଖିବାକୁ ହେବ । ଜଣେ ଯଥାର୍ଥ ଶିକ୍ଷକ ପିଲାଟିଏ ପୃଥିବୀକୁ ଯେପରି ଭାବରେ ଦେଖୁଛି, ତା’ର ଚତୁପାଶ୍ୱର୍ରେ ରହୁଥିବା ବାସ୍ତବତାଟି ପ୍ରତି ସେ ଯେଉଁଭଳି ସମ୍ବେଗଗତ ଏବଂ ନୈତିକ ପ୍ରତିକ୍ରିୟାମାନ ବ୍ୟକ୍ତି କରୁଛି, ସିଏ ସେହି ସବୁକିଛିକୁ ସେଗୁଡ଼ିକର ବିଶିଷ୍ଟତାପୂର୍ଣ୍ଣ ସ୍ପଷ୍ଟତା, ସମ୍ବେଦନଶୀଳତା ଏବଂ ପ୍ରତ୍ୟକ୍ଷତା ସହିତ ଆପଣାର କରିନେବ; ସେଗୁଡ଼ିକୁ ସେ ଆଦୌ କୌଣସି ଆଦର୍ଶ ସ୍ଥାନରେ ନେଇ ଥୋଇଦେବ ନାହିଁ ଅଥବା ସେଥିପାଇଁ ପିଲାଟି ଉପରେ ଆଦୌ କୌଣସି ଚମତ୍କାର ଗୁଣର ଆରୋପ ବି କରିବ ନାହିଁ । ଆମେ ଆପଣକୁ ପିଲାର ଆତ୍ମିକ ପୃଥିବୀ ମଧ୍ୟକୁ ଉତ୍ତୋଳିତ କରି ନେଇଯିବା ବୋଲି ୟାନୁଶ୍ କର୍ଚ୍ଚାକ୍ ଯାହା କହିଛନ୍ତି, ଆମେ ସେହି କଥାଟିକୁ ଅତ୍ୟନ୍ତ ସୂକ୍ଷ୍ମ ଅବବୋଧଟିଏ ବୋଲି ବୁଝିବା । ପିଲାଟି ପୃଥିବୀକୁ ନିଜେ ଯେପରି ବୁଝୁଛି, ତା’ର ମନ ଓ ହୃଦୟ ଦୁଇଟି ଯାକ ସାହାଯ୍ୟରେ ସିଏ ଯେପରି ବୁଝୁଛି, ଆମେ ସେଇଟିକୁ ବୁଝିବାକୁ ଚେଷ୍ଟା କରିବା ।

 

ମୁଁ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ, ଏପରି କେତେକ ଗୁଣ ରହିଛି, ଯାହା ବ୍ୟତୀତ ଜଣେ ବ୍ୟକ୍ତି କଦାପି ଯଥାର୍ଥରେ ଜଣେ ଶିକ୍ଷକ ହୋଇପାରିବ ନାହିଁ । ସେହିଗୁଡ଼ିକ ଭିତରୁ ପ୍ରଧାନତମ ଗୁଣଟି ହେଉଛି ଯେ, ସିଏ ପିଲାର ଆତ୍ମିକ ଜଗତଟି ମଧ୍ୟକୁ ପ୍ରବେଶ କରିବାକୁ ସମର୍ଥ ହେଉଥିବ । ସିଏ ସ୍ୱୟଂ ମଧ୍ୟ ଦିନେ ପିଲା ଥିଲା, ଯେଉଁ ବ୍ୟକ୍ତି ସେହି କଥାଟିକୁ କେବେହେଲେ ଭୁଲି ଯାଉନଥିବ, କେବଳ ସେଇ ପ୍ରକୃତ ଶିକ୍ଷକଟିଏ ହୋଇ ପାରିବ । ଅନେକ ଶିକ୍ଷକଙ୍କର ଦୁର୍ଭାଗ୍ୟ ହେଉଛି ଯେ (ପିଲାମାନେ, ବିଶେଷ କରି କିଶୋର ବୟସର ପିଲାମାନେ ସେମାନଙ୍କୁ ମକୁନ୍ଦା ମରହଟ୍ଟିଆ କହନ୍ତି), ସେମାନଙ୍କର ଛାତ୍ରଟି ହେଉଛି ସର୍ବୋପରି ଜଣେ ଜୀବନ୍ତ ମନୁଷ୍ୟ ଯିଏକି ଜ୍ଞାନ, ସୃଜନାତ୍ମକତା ଏବଂ ମାନବିକ ସମ୍ବନ୍ଧର ପୃଥିବୀ ମଧ୍ୟରେ ପ୍ରବେଶ କରିବାର ପ୍ରକ୍ରିୟା ମଧ୍ୟଦେଇ ଗତି କରୁଛି, ସେମାନେ ଏହି କଥାଟିକୁ ଭୁଲି ଯାଇଥାନ୍ତି ।

 

ଶିକ୍ଷାର କ୍ଷେତ୍ରରେ ଏପରି କୌଣସି ଅସଂଲଗ୍ନ ଖଣ୍ଡମାନ ନଥାଏ, ଯେଉଁଗୁଡିକ କି ଅଲଗା ଅଲଗା କ୍ରିୟା କରୁଥାନ୍ତି । ପିଲାମାନଙ୍କୁ ଯେଉଁ ପାଠ ପଢ଼ାଇ ଦିଆଯାଏ, ସେମାନଙ୍କ ପାଇଁ ସେଗୁଡ଼ିକ ପୃଥିବୀକୁ ଜାଣିବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ପରି କାର୍ଯ୍ୟ କରେ । ସେମାନେ ଏହି ପୃଥିବୀକୁ କିପରି ଭାବରେ ଜାଣୁଛନ୍ତି ଏବଂ ସେମାନଙ୍କ ମନରୁ କିଭଳି ପ୍ରତ୍ୟୟମାନ ତିଆରି ହୋଇ ଯାଉଛି, ତାହାରି ଉପରେ ହିଁ ସେମାନଙ୍କ ଆତ୍ମିକ ଜୀବନର ସଂପୂର୍ଣ୍ଣ ଗଠନଟି ନିର୍ଭରଶୀଳ ହୋଇ ରହିଥାଏ । ମାତ୍ର, କେବଳ ଜ୍ଞାନର ସଂଗ୍ରହ ଓ ସଞ୍ଚୟକୁ ହିଁ ପୃଥିବୀ ବିଷୟରେ ଜ୍ଞାନ ଅର୍ଜନ କରିବା ବୋଲି ମୋଟ କୁହାଯିବ ନାହିଁ । ଏହି କଥାକୁ ବହୁ ଶିକ୍ଷକଙ୍କର ଦୁର୍ଭାଗ୍ୟ ବୋଲି କୁହାଯିବ ଯେ, ସେମାନେ କେବଳ କ୍ରମାଙ୍କ ଓ ନମ୍ବର ଦ୍ୱାରା ପିଲାର ଆତ୍ମିକ ପୃଥିବୀଟିକୁ ମାପିଥାଆନ୍ତି ଓ ତାହାର ମୂଲ୍ୟାୟନ ବି କରିଥାନ୍ତି । ଏପରି କରି ସେମାନେ ନିଜ ଛାତ୍ରମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରି ଦିଅନ୍ତି; ଯେଉଁମାନେ ଭଲ ପଢ଼ୁଛନ୍ତି ଓ ଆଉ ଯେଉଁମାନେ ଭଲ ପଢ଼ୁନାହାନ୍ତି ।

 

ମାତ୍ର, ଏକ ମନୁଷ୍ୟାତ୍ମାର ବହୁପ୍ରସ୍ଥଯୁକ୍ତ ଜୀବନଟିକୁ କେବଳ ଏକପାଖିଆ କରି ବୁଝି ଯଦି ଜଣେ ଶିକ୍ଷକ ନିଜକୁ ଏପରି ଏକ ଦୂରବସ୍ଥାରେ ଆଣି ପକାଇ ଦେଇଥାଏ, ତେବେ ଯେଉଁ ନିର୍ଦ୍ଦେଶକ ମଧ୍ୟ କେବଳ ଶିକ୍ଷକମାନଙ୍କର କାର୍ଯ୍ୟଗୁଡ଼ିକର ତତ୍ତ୍ୱାବଧାନ କରୁଥାଏ, କେତେଟା “ସାଧାରଣ ପରାମର୍ଶ” ପ୍ରଦାନ କରେ ଓ ଖାଲି ଅନୁମତି ଦେବା ଓ ନଦେବାର କାର୍ଯ୍ୟରେ ବ୍ୟସ୍ତ ରହିଥାଏ, ତାହା ବିଷୟରେ ମଧ୍ୟ ଠିକ୍ ସେହି କଥା କୁହାଯିବ ନାହିଁ କି ? ତା’ର ଅବସ୍ଥାଟିକୁ ତ ଆହୁରି ଅଧିକ ଅପ୍ରୀତିକର ବୋଲି କୁହାଯାଇପାରିବ । ଏପରି ଏକ ଭୂମିକାରେ ନିଜକୁ ଦେଖି ମୋତେ ଭାରି କିଳି ହୋଇଯିବା ପରି ଲାଗିଲା । ମୁଁ ଯେତେବେଳେ ପିଲାମାନେ ପାଠ ପଢ଼ୁଛନ୍ତି କି ନାହିଁ ତଦନ୍ତ କରିବାକୁ ଆସୁଥିଲି ଏବଂ ପିଲାମାନଙ୍କୁ ତଥା ସେମାନଙ୍କର ଶିକ୍ଷକମାନଙ୍କୁ ସତେ ଅବା କ’ଣ ଏକ କଥା ବିଷୟରେ ଛାନିଆ ହୋଇ ରହିଥିବାର ଦେଖୁଥିଲି, ସେତେବେଳେ ପୁରୁଣା କଥାଗୁଡ଼ିକ ମନେ ପଡ଼ି ମୋତେ ଭାରି ଛଟପଟ ଲାଗୁଥିଲା । ସେହି ସମୟରେ ହୁଏତ ଜଣେ ବ୍ୟକ୍ତି ଯଦି ଯାଇ ସେମାନଙ୍କ ଆଗରେ ଛିଡ଼ା ହୋଇଯାଆନ୍ତା, ତେବେ ସେମାନେ ତାକୁ ହୁଏତ ମୋଟେ ଦେଖି ପାରନ୍ତେ ନାହିଁ । ନିଜ ଶିକ୍ଷକଙ୍କ ସହିତ ପିଲାମାନଙ୍କର ଏକ ଗଭୀର ଆତ୍ମିକ ସହସଂପର୍କ ରହିଥାଏ । ସେମାନଙ୍କର ନିଜସ୍ୱ ଗୁପ୍ତ କଥାମାନ ମଧ୍ୟ ରହିଥାଏ । ତେବେ, ଆମର ପ୍ରକୃତରେ ଏଭଳି ସ୍କୁଲ ନିର୍ଦ୍ଦେଶକମାନଙ୍କ ଲାଗି ଆଦୌ କୌଣସି ପ୍ରୟୋଜନ ରହିଛି କି ? ଆଦୌ ପ୍ରୟୋଜନ ନାହିଁ । ରୁଷିଆରେ ୧୯୧୭ର ମହାନ୍ ଅକ୍ଟୋବର ବିପ୍ଳବ ହେବା ପୂର୍ବରୁ ଦେଶର ବିଦ୍ୟାଳୟଗୁଡ଼ିକରେ ଯେଉଁ ପ୍ରକାର ଓ ପ୍ରଣାଳୀର ନେତୃତ୍ୱ ବିକଶିତ ହୋଇ ଆସିଥିଲା, ସେଥିରେ ନିର୍ଦ୍ଦେଶକ ମୂଳତଃ ଜଣେ ଇନ୍ସପେକ୍ଟର ହୋଇ ରହିଥିଲେ, ଯାହାଙ୍କୁ କି ଶିକ୍ଷକମାନଙ୍କ ଉପରେ ହାକିମ କରି ରଖାଯାଇଥିଲା । ସିଏ ଜଣେ ପ୍ରଶାସକ ଥିଲେ ଯିଏକି, ଶିକ୍ଷକମାନେ ପାଠ ପଢ଼ାଇବାର କାର୍ଯ୍ୟକ୍ରମଟିକୁ ଠିକ୍ ଭାବରେ ସମ୍ପାଦିତ କରିପାରୁଛନ୍ତି କି ନାହିଁ, କେବଳ ତାହାରି ଉପରେ ନଜର ରଖୁଥିଲେ । ଅଯାଚିତ ଭାବରେ ସେ କେବେ କିଛି କରୁ ନଥିଲେ ଏବଂ କଦାପି କୌଣସି ଭୁଲ କରୁନଥିଲେ । ଏଇଟା ହେଉଛି ଏକ ଏକାବେଳକେ ପୁରୁଣା ସିଦ୍ଧାନ୍ତ ।

 

ସାମ୍ପ୍ରତିକ ବିଦ୍ୟାଳୟରେ ନେତୃତ୍ୱ ଦେବାର ସର୍ବମୂଳ କଥା ହେଉଛି, ଶିକ୍ଷାଦାନର ବହୁ ଆୟାସକର କ୍ଷେତ୍ରଟି ମଧ୍ୟରେ ଶିକ୍ଷକମାନଙ୍କ ଦୃଷ୍ଟିରେ ଯେପରି ପ୍ରଗତିଶୀଳ ଶିକ୍ଷାବିଚାରଗୁଡ଼ିକୁ ସାକାର କରୁଥିବା ସର୍ବଶ୍ରେଷ୍ଠ ଅନୁଭୂତିଗୁଡ଼ିକ ସୃଷ୍ଟ ହେଉଥିବ, ଅଭିବୃଦ୍ଧି ଲାଭ କରୁଥିବ ଓ ଶକ୍ତିଶାଳୀ ହେଉଥିବ, ନେତୃତ୍ୱ ସେହି କଥାଟି ଉପରେ ଦୃଷ୍ଟି ରଖିବ, ଏବଂ, ଯେଉଁ ବ୍ୟକ୍ତି ସେହି ଅନୁଭବଟିକୁ ସୃଷ୍ଟି କରୁଥିବ, ଅନ୍ୟ ଶିକ୍ଷକମାନଙ୍କ ପାଇଁ ଯାହାର କାର୍ଯ୍ୟ ଏକ ଦୃଷ୍ଟାନ୍ତ ହୋଇ ରହିଥିବ, ସେହି ବ୍ୟକ୍ତିର ହିଁ ନିର୍ଦ୍ଦେଶକ ହୋଇ ରହିବା ଉଚିତ । ଏଭଳି ଜଣେ ନିର୍ଦ୍ଦେଶକଙ୍କ ବିନା ସାଂପ୍ରତିକ ବିଦ୍ୟାଳୟର କଳ୍ପନା ହିଁ କରିହେବ ନାହିଁ । ସିଏ ନିଜେ ମଧ୍ୟ ଜଣେ ଉତ୍ତମ ଶିକ୍ଷକ ହୋଇଥିବେ । ଜଣେ ବ୍ୟକ୍ତି ହୋଇ ପାରିବା ଲାଗି ଶିକ୍ଷା, ତାହା ହିଁ ସର୍ବପ୍ରଥମ ଶିକ୍ଷା । ପିଲାଟି ବିଷୟରେ ଆମର କୌଣସି ଜ୍ଞାନ ନଥିଲେ, ତା’ର ମାନସିକ ବିକାଶ, ଭାବନା, ଆଗ୍ରହ, ସଉକ, ସାମର୍ଥ୍ୟ, ଅନ୍ତର୍ଗତ ପ୍ରବୃତ୍ତି ଏବଂ ରୁଚିଗୁଡ଼ିକ ବିଷୟରେ ଆମେ କିଛି ଜାଣିନଥିଲେ, ଆଦୌକୌଣସି ଶିକ୍ଷା ସମ୍ଭବ ହେବ ନାହିଁ । ନିଜେ କୌଣସି ରୋଗୀର ଚିକିତ୍ସା କରୁନଥିଲେ ଯେପରି କୌଣସି ଡାକ୍ତରଖାନାର ମୁଖ୍ୟ ଡାକ୍ତରଙ୍କୁ ଜଣେ ପ୍ରକୃତ ଡାକ୍ତର ବୋଲି କୁହାଯିବନାହିଁ, ସେହିପରି ନିଜେ ପିଲାଙ୍କୁ ପାଠ ପଢ଼ାଇ ନଥିଲେ ବିଦ୍ୟାଳୟର ଜଣେ ନିର୍ଦ୍ଦେଶକ ଅନ୍ୟ ଶିକ୍ଷକମାନଙ୍କୁ ଆଦୌ କୌଣସି ନେତୃତ୍ୱ ଦେଇପାରିବ ନାହିଁ । ସିଏ ପଢ଼ାଉଥିବା ପିଲାମାନେ ବୋଲି କହିବାର ଅର୍ଥ ହେଉଛି, ପିଲାଟିଏ ବିଦ୍ୟାଳୟରେ ପ୍ରବେଶ କରିବା ଦିନଠାରୁ ସିଏ ବଡ଼ ହୋଇ ତା’ର ସାର୍ଟିଫିକେଟ୍ ପାଇବା ପର୍ଯ୍ୟନ୍ତ ନିର୍ଦ୍ଦେଶକ ନିଜେ ମଧ୍ୟ ତା’ ସହିତ ଶ୍ରେଣୀ ଉଠି ଉଠି ଯାଉଥିବେ ଏବଂ ତା’ର ମାନସିକ, ନୈତିକ, ସୌନ୍ଦର୍ଯ୍ୟବୋଧଗତ, ସଂବେଗଗତ ଓ ଶାରୀରିକ ବିକାଶ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ହୋଇ ରହିଥିବେ । ପିଲାମାନଙ୍କ ସହିତ ମେଳ ଖାଇବା ପରି ନିର୍ଦ୍ଦେଶକଙ୍କର ମଧ୍ୟ ସମାନ ଆଗ୍ରହ ସବୁ ରହିଥିବ ଓ ନିଜର ଆତ୍ମିକ ସଂପଦଗୁଡ଼ିକରେ ସିଏ ପିଲାକୁ ମଧ୍ୟ ଭାଗ ଦେଇ ପାରୁଥିବେ ।

 

ଏକ ବିଦ୍ୟାଳୟରେ କେନ୍ଦ୍ରରେ ଥିବା ବ୍ୟକ୍ତି ବୋଲି କାହାକୁ କୁହାଯିବ ? ଶିକ୍ଷଣପ୍ରକ୍ରିୟାର କେଉଁ କ୍ଷେତ୍ରରେ ନିର୍ଦ୍ଦେଶକ ଅନ୍ୟ ଶିକ୍ଷକମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇ ରହିଥିବେ ? ପ୍ରାଥମିକ ଶ୍ରେଣୀର ପିଲାମାନଙ୍କର ସମୂହ, ଅର୍ଥାତ୍ ଶ୍ରେଣୀଗୃହରୂପୀ ସମୂହର ନେତା ହେଉଛନ୍ତି ସେହି ସର୍ବପ୍ରଧାନ କେନ୍ଦ୍ରସ୍ଥ ବ୍ୟକ୍ତି । ତାଙ୍କୁ ଏକାଧାରାରେ ଜଣେ ଶିକ୍ଷକ, ପିଲାମାନଙ୍କର ଜଣେ ବନ୍ଧୁ ଏବଂ ସେମାନଙ୍କର ବହୁବିଧ ଆତ୍ମିକ ଜୀବନର ଜଣେ ନିର୍ଦ୍ଦେଶକ ହୋଇ ରହିବାକୁ ପଡ଼ିବ । ସଂପୂର୍ଣ୍ଣ ଅର୍ଥରେ କହିବାକୁ ଗଲେ ଶିକ୍ଷା ନାମକ ଫୁଲର ଅଧ୍ୟୟନ ହେଉଛି କେବଳ ଗୋଟିଏ ମାତ୍ର ପାଖୁଡ଼ା । ଶିକ୍ଷାରେ ଗୋଟିଏ ହେଉଛି ମହତ୍ତ୍ୱପୂର୍ଣ୍ଣ ଓ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନୁହେଁ, -ଏପରି ଆଦୌ କୌଣସି ବିଭାଜନ କରି ହେବନାହିଁ । ଫୁଲରେ ସୌନ୍ଦର୍ଯ୍ୟ ଆଣି ଦେଉଥିବା ପାଖୁଡ଼ାଗୁଡ଼ିକ ଭିତରୁ କେଉଁ ପାଖୁଡ଼ାଟି ପ୍ରଧାନ ପାଖୁଡ଼ା ବୋଲି କୁହାଯିବ ? ଶିକ୍ଷାରେ ସବୁ କିଛି ମହତ୍ତ୍ୱପୂର୍ଣ୍ଣ, -ପଢ଼ାଯାଉଥିବା ପାଠ, ବିଦ୍ୟାଳୟର ସମୟ ବାହାରେ ବିକଶିତ ହେଉଥିବା ଯାବତୀୟ ଆଗ୍ରହ ଏବଂ ସମୂହଟି ମଧ୍ୟରେ ପିଲାମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ବନ୍ଧ, –ଏହି ସବୁକିଛି ମହତ୍ତ୍ୱପୂର୍ଣ୍ଣ ।

 

ଏକ ବିଦ୍ୟାଳୟର ନିର୍ଦ୍ଦେଶକ ଭାବରେ ଛଅବର୍ଷ କାର୍ଯ୍ୟ କରିବା ପରେ ମୁଁ ଏକ ଶ୍ରେଣୀଗୃହ ସମୂହର ସଂଯୋଗରକ୍ଷାକାରୀ ଶିକ୍ଷକ ହୋଇଥିଲି । ଏଠାରେ କହି ରଖିବା ଉଚିତ ଯେ, ନିର୍ଦ୍ଦେଶକ ଏବଂ ଛାତ୍ରମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆତ୍ମିକ ସଂପର୍କର ପ୍ରତିଷ୍ଠା ସକାଶେ କେବଳ ତାହା ହିଁ ଏକମାତ୍ର ପନ୍ଥା ନୁହେଁ, ମାତ୍ର ମୋ’ର ନିର୍ଦ୍ଦିଷ୍ଟ ସ୍ଥିତିଟିରେ ଏହି ପଦ୍ଧତି ହିଁ ମୋତେ ସବୁଠୁ ଅଧିକ ପ୍ରତିଶ୍ରୁତିପୂର୍ଣ୍ଣ ବୋଲି ବୋଧ ହୋଇଥିଲା । ଏକ ସ୍ୱାଭାବିକ ପରିସ୍ଥିତି ମଧ୍ୟରେ ଗୋଟିଏ ଅତ୍ୟନ୍ତ ସଂପ୍ରସାରିତ ପ୍ରୟୋଗ ରୂପେ ମୁଁ ଆପଣାକୁ ଛାତ୍ରମାନଙ୍କର ସମୂହଟି ଲାଗି ନିଜକୁ ପ୍ରତ୍ୟକ୍ଷ ଭାବରେ ଦାୟୀ ହୋଇ ରହିଥିବାର ଦେଖିବାକୁ ଲାଗିଲି ।

 

ଏହିସବୁ ବର୍ଷମାନଙ୍କରେ ମୁଁ ପ୍ରକୃତରେ କ’ଣ ସବୁ କଲି, ତାହାର ଆଲୋଚନା କରିବା ପୂର୍ବରୁ ମୁଁ ଗୋଟିଏ ଅତି ମହତ୍ତ୍ୱପୂର୍ଣ୍ଣ ପରିସ୍ଥିତିର କେତେକ ଲକ୍ଷଣ ବିଷୟରେ କିଛି କହିବାକୁ ଇଚ୍ଛା କରୁଛି, ଯେଉଁଥିରୁ କି ବାସ୍ତବ ପ୍ରୟୋଗର ନିହିତାଂଶ ଏବଂ ଉଦ୍ଦେଶ୍ୟ ବିଷୟରେ ଏକ ସ୍ପଷ୍ଟ ପରିଚୟ ମିଳିଯାଇ ପାରିବ । ପିଲାଟିକୁ ଏକ ବ୍ୟକ୍ତିରେ ପରିଣତ କରି ଆଣିବାରେ ତା’ର ପୂର୍ବ ପ୍ରାଥମିକ ଓ ପ୍ରାଥମିକ ବହିଗୁଡ଼ିକର ଏକ ବିଶେଷ ଭାବରେ ଭୂମିକା ରହିଛି । ବିଖ୍ୟାତ ରୁଷୀୟ ଲେଖକ ଏବଂ ଶିକ୍ଷାଦାତା ଲିଓ ଟଲ୍‌ଷ୍ଟୟ (୧୮୨୮-୧୯୧୦) କହୁଥିଲେ ଯେ, ଜନ୍ମ ସମୟରୁ ପାଞ୍ଚ ବର୍ଷ ହେବାର କାଳଟି ମଧ୍ୟରେ ଗୋଟିଏ ଶିଶୁ ନିଜର ବୁଦ୍ଧିଚାଳନା, ଅନୁଭୂତି, ଇଚ୍ଛାଶକ୍ତି ଓ ଚରିତ୍ର ନିମନ୍ତେ ଯାହା ଅର୍ଜନ କରେ, ତା’ର ସମସ୍ତ ଜୀବନ କାଳରେ ମଧ୍ୟ ସେତିକି ଅର୍ଜନ କରେ ନାହିଁ । ଏବଂ, ସୋଭିଏତ୍ ଶିକ୍ଷାବିତ୍ ମାକାରେଙ୍କୋ ମଧ୍ୟ ଠିକ୍ ତାହା ହିଁ କହିଛନ୍ତି: ଜଣେ ବ୍ୟକ୍ତିକୁ ପାଞ୍ଚ ବର୍ଷ ହେବା ପୂର୍ବରୁ ହିଁ ସିଏ ଜୀବନରେ ଯାହା ହେବ ତାହା ହୋଇ ସାରିଥାଏ ।

 

ଏକ ଅସାଧାରଣ ନୈତିକସୌନ୍ଦର୍ଯ୍ୟକୁ ବହନ କରିଥିବା ଜଣେ ବ୍ୟକ୍ତି ୟାନୁଶ୍ କର୍ଚ୍ଚାକ୍ ତାଙ୍କର ‘ଯେତେବେଳେ ମୁଁ ପୁଣି ଗୋଟିଏ ପିଲା ହେବି’ ବହିରେ ଲେଖିଛନ୍ତି; ଗୋଟିଏ ଶିଶୁ ଶ୍ରେଣୀଗୃହ ଭିତରର କଳାପଟା ଉପରକୁ ଅନାଇ ବେଶୀ ପାଏ ବା ଝରକା ବାହାରକୁ ଅନାଇ ବେଶୀ ପାଏ, ସେକଥା କେହି କହିପାରିବ ନାହିଁ । ସେହି ମୁହୂର୍ତ୍ତରେ ତା’ପାଇଁ କ’ଣ ଅଧିକ ଉପଯୋଗୀ ଓ ଅଧିକ ମହତ୍ତ୍ୱପୂର୍ଣ୍ଣ - କଳାପଟା ଉପରକୁ ତର୍କ ଓ ବୁଦ୍ଧିର ଯେଉଁ ପୃଥିବୀକୁ ସଂକୁଚିତ କରି ଅଣାଯାଇଛି ନା ଝରକା ସେପାଖରେ ଯେଉଁ ପୃଥିବୀଟି ଭାସମାନ ହୋଇ ରହିଛି ? ଆମେ ଜଣେ ବ୍ୟକ୍ତିର ଆତ୍ମାକୁ କଦାପି ଦଉଡ଼ିରେ ବାନ୍ଧି ଛନ୍ଦି ପକାଇବା ନାହିଁ, - ବରଂ ପ୍ରତ୍ୟେକ ଶିଶୁର ସ୍ୱାଭାବିକ ବିକାଶ ଉପରେ ତା’ର ବିଶେଷ ଅଭିରୁଚି, ଆସ୍ପୃହା ଓ ଦାବିଗୁଡ଼ିକର ନିୟମଗୁଡ଼ିକ ଆଡ଼କୁ ହିଁ ଦୃଷ୍ଟି ଦେବା ।

 

ଧୂସର ମଲାଟର ଏହି କ୍ଷୁଦ୍ର ପୁସ୍ତକଟିର ଶବ୍ଦଗୁଡ଼ିକର ମୁଁ ଜୀବନଯାକ ମନେ ରଖିଆସିଛି । ଯୁଦ୍ଧ ପରେ ମୁଁ ଯେତେବେଳେ ସେହି ଶୌର୍ଯ୍ୟପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ଶୁଣିବାକୁ ପାଇଥିଲି, ସେତେବେଳେ ତାଙ୍କର କଥାଗୁଡ଼ିକ ମୋ’ର ସମଗ୍ର ଜୀବନ ନିମନ୍ତେ ଏକ ବିଭୂଆଦେଶ ପ୍ରାୟ ହୋଇ ରହିଥିଲା । ୱାରସ୍ ସହରର ଏକ ଘେଟୋ (ଇହୁଦୀମାନଙ୍କର ରହିବା ପାଇଁ ନିର୍ଦ୍ଦେଶିତ ଅଞ୍ଚଳ)ରେ ୟାନୁଶ୍ କର୍ଚ୍ଚାକ୍ ଏକ ଅନାଥାଳୟର ନିର୍ଦ୍ଦେଶକ ଥିଲେ । ହିଟ୍‌ଲର୍‌ଙ୍କର ଅନୁଗାମୀମାନେ ସେହି ବିଦ୍ୟାଳୟର ପିଲାମାନଙ୍କୁ ଟ୍ରେବ୍‌ଲିଙ୍କା ମୃତୁଯନ୍ତାର ଚୁଲି ଭିତରେ ପକାଇ ଦେଇ ହତ୍ୟା କରିଥିଲେ । ପିଲାମାନେ ମରିବେ ଅଥଚ ସିଏ ବଞ୍ଚି ରହିବେ ଅଥବା ସିଏ ମଧ୍ୟ ପିଲାମାନଙ୍କ ସହିତ ଏକାଠି ମୃତ୍ୟୁବରଣ କରିବେ, - ଦୁଇଟି ମଧ୍ୟରୁ କର୍ଚ୍ଚାକ୍‍ଙ୍କୁ ଗୋଟିଏ ବାଛି ନେବାକୁ କୁହାଯିବାରୁ ସିଏ ପୂର୍ଣ୍ଣ କୁଣ୍ଠାରହିତ ଭାବରେ ମୃତ୍ୟୁ ହିଁ ବରି ନେଇଥିଲେ । ଗେଷ୍ଟାପୋ ତାଙ୍କୁ କହୁଥିଲା, “ଜଣେ ଡାକ୍ତର ହିସାବରେ ତୁମର ନାଆଁ ଅଛି; ତେଣୁ ତୁମର ଚୁଲି ଭିତରେ ପ୍ରବେଶ କରି ମରିବାର କୌଣସି ପ୍ରୟୋଜନ ନାହିଁ ।” କର୍ଚ୍ଚାକ୍ ଉତ୍ତର ଦେଲେ, “ମୁଁ ମୋ’ ବିବେକ ବିରୁଦ୍ଧରେ ଆଦୌ କୌଣସି କାର୍ଯ୍ୟ କରିବି ନାହିଁ ।” ଏହି ବୀର ବ୍ୟକ୍ତି ନିଜ ପିଲାମାନଙ୍କ ସହିତ ଏକତ୍ର ମୃତ୍ୟୁବରଣ କରିଥିଲେ, - ତଦ୍ଦ୍ୱାରା ସେମାନଙ୍କର ଆକୁଳତାକୁ କିଞ୍ଚିତ୍ ଶାନ୍ତ କଲେ, ସେମାନଙ୍କ ଆଗରେ ରହିଥିବା ଆସନ୍ନ ମୃତ୍ୟୁର ଭୟକୁ ଲାଘବ କରିବା ପାଇଁ ଚେଷ୍ଟା କରିଥିଲେ । ୟାନୁଶ୍ କର୍ଚ୍ଚାକ୍‌ଙ୍କର ଜୀବନ ଏବଂ ଅତ୍ୟନ୍ତ ଆଶ୍ଚର୍ଯ୍ୟକାରୀ ତାଙ୍କ ନୈତିକ ଶକ୍ତି ଏବଂ ଶୁଦ୍ଧତାର ଦୃଷ୍ଟାନ୍ତ ମୋ’ଲାଗି ଏକ ପ୍ରେରଣା ହୋଇ ରହିଛି । ପିଲାମାନଙ୍କୁ ପ୍ରକୃତ ଶିକ୍ଷା ଦେବାକୁ ହେଲେ ଯେ ସେମାନଙ୍କୁ ନିଜର ହୃଦୟ ମଧ୍ୟ ଦେଇଦେବାକୁ ପଡ଼ିବ, ମୁଁ ଏକଥା ତାଙ୍କରି ଠାରୁ ଶିଖିଛି ।

 

ଶ୍ରୀଯୁକ୍ତ ଉସିନ୍‍ସ୍କି ଲେଖିଛନ୍ତି ଯେ, ଆମେ ହୁଏତ ଆଉ ଜଣଙ୍କୁ ସର୍ବଦା ଭଲ ପାଉଥିବା, ମାତ୍ର ସେ ବିଷୟରେ ଆଦୌ ସଚେତନ ନଥିବା, ଏବଂ ତା’ପରେ ଏକ ବିପର୍ଯ୍ୟୟ ଆସି ଆମକୁ ଆମ ଅନୁଭୂତିଗୁଡ଼ିକର ଗଭୀରତା ବିଷୟରେ ପ୍ରତ୍ୟକ୍ଷ ଭାବରେ ସବୁ ଜଣାଇ ଦେବ । ଯଦି ଜଣେ ନିଜ ଜନ୍ମଭୂମିରୁ ଦୀର୍ଘକାଳ ଲାଗି କେବେ ବାହାରକୁ ଯାଇ ନଥିବ, ତେବେ ସିଏ ଯେ ତାହାକୁ କେତେ ନା କେତେ ଭଲ ପାଉଛି, ତା’ଜୀବନସାରା ବିତିଯିବ ପଛକେ, ସେ ବିଷୟରେ ସେ ମୋଟେ କିଛି ଜାଣି ପାରି ନଥିବ । ଯେତେବେଳେ ପିଲାମାନେ ମୋ’ ଆଗରେ ନଥାନ୍ତି, ଦୀର୍ଘକାଳ ଧରି ଯେତେବେଳେ ସେମାନଙ୍କର ଦୁଃଖସୁଖରେ ମୁଁ କୌଣସି ଭାଗ ନେଇ ନଥାଏ, ସେତେବେଳେ ସବୁଥର ମୋ’ର ଏହି କଥାଗୁଡ଼ିକ ମନେ ପଡ଼ିଯାଏ । ପ୍ରତ୍ୟେକ ବର୍ଷ ମୋ’ର ଏହି ବିଶ୍ୱାସଟି ଅଧିକ ଦୃଢ଼ ହେବାରେ ଲାଗିଥାଏ ଯେ, ପିଲାମାନଙ୍କ ପ୍ରତି ତା’ର ରହିଥିବା ସ୍ନେହ ହେଉଛି, ଜଣେ ଉତ୍ତମ ଶିକ୍ଷକଙ୍କର ଏକ ଅନ୍ୟତମ ଲକ୍ଷଣ । ଏବଂ, ଷ୍ଟାନିସ୍ଲାଭ୍‌ସ୍କିଙ୍କର (ସୋଭିଏତ୍ ରଙ୍ଗମଞ୍ଚବିତ୍, ଶିକ୍ଷାବିତ୍, ମଞ୍ଚନିର୍ଦ୍ଦେଶକ ଏବଂ ଅଭିନେତା, ୧୮୬୩-୧୯୩୮) ଭାଷାରେ, ଯଦି “ଆଦେଶ ଦେଇ ଅନୁଭବଗୁଡ଼ିକୁ ଆଦୌ ଅଭିବ୍ୟକ୍ତ କରାଇ ଆଣିବା ଆଦୌ ସମ୍ଭବ ନୁହେଁ,” ତେବେ ଶିକ୍ଷକ ଶିକ୍ଷାଦାତା ଭିତରେ ଏହି ଅନୁଭବଗୁଡ଼ିକୁ ବ୍ୟକ୍ତି କରାଇ ଆଣିବାକୁ ଜଣେ ନିର୍ଦ୍ଦେଶକଙ୍କ ପାଇଁ ଉତ୍ତମ ଶିକ୍ଷାଦାନର ସର୍ବମୂଳ କଥା ବୋଲି କୁହାଯାଇ ପାରିବ ।

 

ଶିକ୍ଷକ ଓ ପିଲାମଧ୍ୟରେ ନିରନ୍ତର ସଂପର୍କ ନରହୁଥିଲେ, ଭାବନା, ଅନୁଭବ ଏବଂ ଏକ ଆରେକର ଅନୁଭୂତିରୂପକ ପାରସ୍ପରିକ ପୃଥିବୀଟିକୁ ଭେଦିପାରିବା ସମ୍ଭବ ହେଉ ନଥିଲେ ଶିକ୍ଷାର ମାଂସ ଓ ରକ୍ତ ପରି କାର୍ଯ୍ୟ କରୁଥିବା ସଂବେଗଗତ ଭୂମିଟିଏ ଆଦୌ କଳ୍ପନା କରି ହେବ ନାହିଁ । ଏପରି ଏକ ସମ୍ମିଳିତ, ବନ୍ଧୁତା ଦ୍ୱାରା ପରିପୂର୍ଣ୍ଣ ସାମୂହିକତା, ଯେଉଁଠାରେ କି ଶିକ୍ଷକ କେବଳ ଶ୍ରେଣୀଗୃହରେ ହିଁ ପିଲାମାନଙ୍କୁ ଭେଟୁଥିବ ଏବଂ ଯଦି କେବଳ ସେହିଠାରେ ହିଁ ତା’ର ପ୍ରଭାବଟି ଅନୁଭୂତ ହେଉଥିବ, ତେବେ ସଂବେଗଗତ ନୈକଟ୍ୟର କୌଣସି କଳ୍ପନା ହିଁ କରାଯାଇ ପାରିବ ନାହିଁ ।

 

ଅବଶ୍ୟ ଏକଥା ସତ ଯେ, ଆମେ “କଳାପଟା ଭିତରକୁ ଚିପି କରି ଅଣାଯାଉଥିବା ପୃଥିବୀ” ଏବଂ “ଝରକାକାଚ ସେପଟେ ଭାସମାନ ହେଉଥିବା ପୃଥିବୀ” – ଏହି ଉଭୟକୁ କଦାପି ଗୋଟିଏ ଅନ୍ୟଟିର ବିପରୀତ ବୋଲି ଆଦୌ ଭାବିବା ନାହିଁ । ଆମେ ଏପରି କୌଣସି ଧାରଣା ସୃଷ୍ଟି ହେବାକୁ ଦେବା ନାହିଁ ଯେ, ଆବଶ୍ୟକ ବିଷୟବସ୍ତୁର ଶିକ୍ଷାଦାନ ଜଣେ ବ୍ୟକ୍ତିର ଆତ୍ମାକୁ ହରଣ କରି ନେଇଯାଏ ଏବଂ କେବଳ ଝରକା ସେପାଖରେ ଥିବା ପୃଥିବୀଟି ହିଁ ପ୍ରକୃତ ମୁକ୍ତି ଆଣି ଦେଇଥାଏ ।

 

ପାଭ୍‍ଲିଶ୍‍କୁ ଆସିବା ପୂର୍ବରୁ ମୋ’ର ବାର ବାର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ ଗୋଟିଏ ପିଲାର ଜୀବନରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକର ଏକ ବୃହତ୍ ଭୂମିକା ସବୁବେଳେ ରହିଛି । ସେଠାରେ ଶିକ୍ଷକକୁ ପିଲାର ପରିବାରର ଜଣେ ହୋଇ, ମାଆ ପରି ହୋଇ ରହିବାକୁ ପଡ଼ିବ । କୁନି ଇସ୍କୁଲ୍ ପିଲାଟିଏ ତା’ର ଶିକ୍ଷକ ଉପରେ ଯେଉଁ ବିଶ୍ୱାସ ରଖିଥାଏ, ଶିକ୍ଷକ ଓ ଛାତ୍ର ଭିତରେ ଯେଉଁ ପାରସ୍ପରିକ ଆସ୍ଥା ରଖିଥାଏ, ପିଲାଟି ତା’ର ଶିକ୍ଷକ ମଧ୍ୟରେ ମନୁଷ୍ୟତାର ଯେଉଁ ଆଦର୍ଶଟିକୁ ଦେଖି ପାରୁଥାଏ, ତାହାକୁ ଆମେ ସର୍ବମୂଳ କଥା ବୋଲି କହିବା ଏବଂ ଯେତେବେଳେ ଜଣେ ଶିକ୍ଷକ ଶିକ୍ଷାକ୍ଷେତ୍ରରେ ଏହି ଅତ୍ୟନ୍ତ ନିଗୁଢ଼ ଏବଂ ପ୍ରଜ୍ଞାପୂର୍ଣ୍ଣ ନିୟମଗୁଡ଼ିକୁ ହୃଦୟଙ୍ଗମ କରିପାରେ, ସେତେବେଳେ ଯାଇ ସିଏ ଆତ୍ମିକ କ୍ଷେତ୍ରରେ ମଧ୍ୟ ଜଣେ ଶିକ୍ଷକ ପରି କାର୍ଯ୍ୟ କରିପାରେ । ବିନୟ ଅର୍ଥାତ୍ ପିଲାମାନଙ୍କ ପ୍ରତି ଗଭୀର ପ୍ରେମ, ଏପରି ଏକ ପ୍ରେମ, ଯେଉଁଥିରେ କି ହୃଦୟ ମଧ୍ୟରେ ଅନୁଭୂତ ହେଉଥିବା ଆଲିଙ୍ଗନ ଏବଂ ବାପା ଓ ମାଆଙ୍କର ବିଜ୍ଞତାପୂର୍ଣ୍ଣ କଠୋରତା ତଥା ତୀକ୍ଷ୍‍ଣ ସତର୍କତା ଏକାଠି ହୋଇ ରହିଥାଆନ୍ତି, ତାହା ହିଁ ହେଉଛି ଜଣେ ଶିକ୍ଷକର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଗୁଣ ।

 

ବାଲ୍ୟାବସ୍ଥା ହେଉଛି, ଜଣେ ମନୁଷ୍ୟର ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଅବସ୍ଥା । ଏହାକୁ କେବଳ ଭବିଷ୍ୟତ ଜୀବନ ପାଇଁ ପ୍ରସ୍ତୁତ ହେବାର ଅବସ୍ଥା ବୋଲି ମୋଟେ କୁହାଯାଇପାରିବ ନାହିଁ-। ବାଲ୍ୟ ଜୀବନ ହେଉଛି ବାସ୍ତବ ଜୀବନ; ଏପରି ଏତ ଅତିସ୍ପଷ୍ଟ ଓ ଯଥାର୍ଥ ନାନା ଅନୁଭୂତିପୂର୍ଣ୍ଣ ଜୀବନ, ଯାହାକି ଥରେ ଗଲେ ଆଉ ଫେରି ଆସେ ନାହିଁ । ଏବଂ, ସେତେବେଳେ ପ୍ରକୃତରେ କ’ଣ ସବୁ ଘଟିଲା, ଏହି ବର୍ଷଗୁଡ଼ିକରେ କିଏ ପିଲାଟିକୁ ବାଟ ଦେଖାଇ ନେଉଥିଲା, ଚତୁଃପାଶ୍ୱର୍ର ପୃଥିବୀରୁ ସେତେବେଳେ ତା’ ହୃଦୟ ଏବଂ ମନ ଭିତରକୁ କ’ଣ ସବୁ ପ୍ରବେଶ କରିଥିଲା,-ପିଲାଟି ବଡ଼ ହୋଇ କିଭଳି ମଣିଷଟିଏ ହେବ, ସେହି ପ୍ରକ୍ରିୟାଟିରେ ଏସବୁର ବହୁତ ହାତ ରହିଛି । ଚରିତ୍ର-ନିର୍ମାଣ, ଭାବିବାର ଏବଂ କହିବାର ପ୍ରକ୍ରିୟାଗୁଡ଼ିକ, ଏସବୁ ପିଲା ବିଦ୍ୟାଳୟକୁ ଯିବା ପୂର୍ବରୁ ଏବଂ ବିଦ୍ୟାଳୟକୁ ଯିବାର ପ୍ରାଥମିକ ବର୍ଷଗୁଡ଼ିକରେ ହିଁ ଗଠିତ ହୋଇଯାଇଥାଏ । ଏକଥା ହୁଏତ ସମ୍ଭବ ଯେ, ପଢ଼ାବହି ଓ ପାଠପଢ଼ାର ମାଧ୍ୟମରେ ବି କୌଣସି ପିଲାର ହୃଦୟ ଏବଂ ମନ ଭିତରେ ଯାହାକିଛି ପ୍ରବେଶ କରିଥାଏ, ସେକଥା ମଧ୍ୟ ପାରିପାର୍ଶ୍ୱିକ ପୃଥିବୀଟି ହେତୁ ହିଁ ସମ୍ଭବ ହୁଏ । ସେହି ପୃଥିବୀ ପାଠ୍ୟପୁସ୍ତକ ସହିତ ସର୍ବଦା ସମାନ୍ତର ଭାବରେ ରହିଥାଏ । ସେହି ପୃଥିବୀଟି ମଧ୍ୟରେ ରହି ହିଁ ଗୋଟିଏ ପିଲା ଜନ୍ମ ହେବାର ମୁହୂର୍ତ୍ତ ଠାରୁ ବହିଟିଏ ଖୋଲି ପଢ଼ି ପାରିବାର ସମୟ ପର୍ଯ୍ୟନ୍ତ କଷ୍ଟକର ପ୍ରତିଟି ପାହାଚକୁ ଉଠି ଉଠି ଆସିଥାଏ ।

 

ଶିକ୍ଷାର ଦୀର୍ଘ କ୍ରିୟାଶୀଳତାଟି ସେହି ଶୈଶବରେ ହିଁ ଆରମ୍ଭ ହୁଏ, ଆମ ସମାଜର ନୈତିକତାରେ ଭୂମି ହୋଇ ରହିଥିବା ବିଶେଷ ନୈତିକ ମୂଲ୍ୟଗୁଡ଼ିକୁ ହୃଦୟ ଓ ମନ ଦେଇ ଶିକ୍ଷା କରିବାର କାର୍ଯ୍ୟଟି ମଧ୍ୟ ସେହି ସମୟରେ ହୋଇଥାଏ । ଜନ୍ମଭୂମିକୁ ଭଲପାଇବା ଓ ତାହାର ସୁଖ, ମହାନତା ଏବଂ ଶକ୍ତିର ବୃଦ୍ଧି ନିମନ୍ତେ ନିଜର ଜୀବନ ଦେଇ ଦେବାକୁ ମଧ୍ୟ ପ୍ରସ୍ତୁତ ହେବା, ଦେଶର ଶତ୍ରୁମାନଙ୍କ ନିମନ୍ତେ ଏକ ସାଲିଶ୍‍ହୀନ କଠୋରତାର ଦୃଷ୍ଟିକୋଣ ରଖିବା,ଏସବୁ ସେତିକି ବେଳେ ହୁଏ ।

 

ପ୍ରାୟ ତେତ୍ରିଶ ବର୍ଷ କାଳ ମୁଁ ଯାବତୀୟ ବୟସର ପିଲାଙ୍କର ଏବଂ ବୟସ୍କମାନଙ୍କର ବ୍ୟବହୃତ ଶବ୍ଦାବଳୀର ଅଧ୍ୟୟନ କରିଥିଲି । ଯାହା ଦେଖିବାକୁ ପାଇଲି, ମୋତେ ତାହା ବିସ୍ମିତ କରି ଦେଇଥିଲା । କୌଣସି କୋଠକ୍ଷେତରେ ଜଣେ ସାଧାରଣ ଚାଷୀର ପରିବାରରୁ ଆସିଥିବା ସାତ ବର୍ଷର ପିଲାଟିଏ (ତା’ର ବାପାମାଆ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାଲାଭ କରିଥିଲେ ଏବଂ ତାଙ୍କ ଘରେ ପ୍ରାୟ ୩୦୦-୪୦୦ ବହି ରହିଥିଲା) ତା’ନିଜ ଭାଷାର ପ୍ରାୟ ୩୦୦୦-୩୫୦୦ ପର୍ଯ୍ୟନ୍ତ ଶବ୍ଦର ସଂବେଗଗତ ଅର୍ଥ ବ୍ୟଞ୍ଜନାକୁ ବୁଝି ପାରୁଥିଲା ଓ ଅନୁଭବ କରିପାରୁ ଥିଲା ଏବଂ ବିଦ୍ୟାଳୟରେ ପ୍ରବେଶ କରିବା ସମୟରେ ଏଥିରୁ ୧୫୦୦ ଶବ୍ଦକୁ ସକ୍ରିୟ ଭାବରେ ବ୍ୟବହାର କରି ପାରୁଥିଲା । ମାଧ୍ୟମିକ ଶିକ୍ଷାଲାଭ କରିଥିବା ୪୫ରୁ ୫୦ ବର୍ଷ ବୟସର ଶ୍ରମିକ ଓ କୋଠଚାଷୀମାନେ ନିଜ ଭାଷାର ୫୦୦୦-୫୫୦୦ ବ୍ୟଞ୍ଜନାଗୁଡ଼ିକୁ ବୁଝିପାରୁଥିଲେ ଓ ଅନୁଭବ କରିପାରୁଥିଲେ ଏବଂ ମୋଟେ ୨୦୦୦-୨୫୦୦ ଶବ୍ଦ ଯାଏ ସକ୍ରିୟ ଭାବରେ ବ୍ୟବହାର କରୁଥିଲେ । ଜଣେ ବ୍ୟକ୍ତିର ଜୀବନରେ ଶୈଶବର ବର୍ଷଗୁଡ଼ିକର ଯେଉଁ ଭୂମିକା ରହିଛି, ଏହି ଗୋଟିଏ କଥାରୁ ମଧ୍ୟ ତାହା ଅଦ୍ଭୁତ ଭାବରେ ପ୍ରମାଣିତ ହୋଇଯାଉଛି ।

 

ପୂର୍ବ ପ୍ରାଥମିକ ଓ ପ୍ରାଥମିକ ବର୍ଷଗୁଡ଼ିକ ଜଣେ ବ୍ୟକ୍ତିର ଭବିଷ୍ୟତକୁ ଏକ ନିର୍ଦ୍ଦିଷ୍ଟ ଆକାର ଯେ ପ୍ରଦାନ କରିଥାଏ, ସେହି ଦୃଢ଼ ବିଶ୍ୱାସଟି ପରବର୍ତ୍ତୀ କାଳରେ ସେହି ବ୍ୟକ୍ତିର ପୁନଃଶିକ୍ଷଣ କଦାପି ସମ୍ଭବ ନୁହେଁ ବୋଲି ଆଦୌ ଦାବୀ କରେ ନାହିଁ । ସୋଭିଏତ୍ ଶିକ୍ଷାବିତ୍ ଆଣ୍ଟୋନ୍ ମାକାରେଙ୍କୋଙ୍କର ଅନୁଭବରେ ସେହି ପୁନଃଶିକ୍ଷଣର ସମ୍ଭାବନାଟା ଅତ୍ୟନ୍ତ ଚମତ୍କାର ଭାବରେ ପ୍ରଦର୍ଶିତ ହୋଇପାରିଛି । ମାତ୍ର, ମାକାରେଙ୍କୋ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପ୍ରଥମ ବୟସଗୁଡ଼ିକର ଏକ ବିଶେଷ ତାତ୍ପର୍ଯ୍ୟ ଓ ମହତ୍ତ୍ୱ ଅବଶ୍ୟ ରହିଛି । ପିଲା ସମୟରେ ହୋଇଥିବା ଭୁଲଗୁଡ଼ିକର ସଂଶୋଧନ କଦାପି ଶିକ୍ଷାର ପ୍ରଧାନ କାର୍ଯ୍ୟ ହୋଇ ନପାରେ; ମୂଳତଃ ସେହି ଭୁଲଗୁଡ଼ିକ କିପରି ଆଦୌ ହେବନାହିଁ ଯାହା ଫଳରେ କି ପୁନଃଶିକ୍ଷଣର କୌଣସି ପ୍ରୟୋଜନ ନଥିବ, - ତାହା ହେଉଛି ଅସଲ କଥା ।

 

ଏକ ବିଦ୍ୟାଳୟର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରି, ପିଲାମାନଙ୍କ ମୁଣ୍ଡ ଭିତରକୁ ଯଥାସମ୍ଭବ ଅଧିକ ପାଠକୁ ନେଇ ଭର୍ତ୍ତି କରିଦେବାର ଏକ ପ୍ରଣାଳୀ ରୂପେ ଶିକ୍ଷାକୁ ବୁଝୁଥିବା ଜଣେ ଶିକ୍ଷକ ପିଲାମାନଙ୍କର ସ୍ୱାଭାବିକ ଜୀବନ ବିଷୟରେ କିପରି ଭୁଲ ଧାରଣାମାନ କରିପାରେ, ଅତ୍ୟନ୍ତ ତିକ୍ତ ଭାବରେ ମୁଁ ତାହାର ନିଦର୍ଶନ ଦେଖିବାକୁ ପାଇଲି ।

 

ଗୋଟିଏ ପିଲାର ସ୍ୱାଭାବିକ ଜୀବନକୁ କିପରି ପଙ୍ଗୁ କରି ଦିଆଯାଇଛି, କେବଳ ପାଠ ପଢ଼ାଇବା ସମୟରେ ନୁହେଁ, ଦିନରହଣି ବେଳେ (ତଳ ଶ୍ରେଣୀର ପିଲାମାନେ ଦଳରେ ବିଭକ୍ତ ହୋଇ ସ୍କୁଲ ସମୟ ପରେ ମଧ୍ୟ ସ୍କୁଲରେ ରହନ୍ତି, ଖାଆନ୍ତି, ଘରକୁ ଦିଆଯାଇଥିବା ପାଠକୁ କରି ଦିଅନ୍ତି, ଓ ବାପାମାଆ କାମରୁ ଫେରି ସେମାନଙ୍କୁ ଘରକୁ ନେବା ପର୍ଯ୍ୟନ୍ତ ସ୍କୁଲରେ ଖେଳୁଥାନ୍ତି ।) ମଧ୍ୟ କିପରି ତାହା ହିଁ ହୋଇଥାଏ, ତୀବ୍ର ଦୁଃଖ ଅନୁଭବ ନକରି ସେକଥା କଦାପି ଦେଖି ହେବ ନାହିଁ । ଦୁର୍ଭାଗ୍ୟବଶତଃ ଏଭଳି କେତେକ ସ୍କୁଲ ମଧ୍ୟ ରହିଛି ଯେ, ଯେଉଁଠି ପାଞ୍ଚ ଛଅ ପିରିୟଡ଼୍ ପାଠ ପଢ଼ା ହୋଇ ସାରିବା ପରେ ବି ପିଲାମାନେ ଆହୁରି ଚାରି ପାଞ୍ଚ ଘଣ୍ଟା ରହନ୍ତି । ସେତେବେଳେ ସେମାନେ ଖେଳ ଖେଳନ୍ତି ନାହିଁ, ହାଲୁକା ହୁଅନ୍ତି ନାହିଁ, ଖୋଲା ପବନ ପାଇବାକୁ ବାହାରକୁ ଯାଆନ୍ତି ନାହିଁ, ମାତ୍ର ତଥାପି ପାଠ ଭିତରେ ହିଁ ଥାଆନ୍ତି । ପିଲାମାନେ ବିଦ୍ୟାଳୟରେ ବିତାଉଥିବା ସମୟଟା ସତେ ଅବା ଗୋଟିଏ ଶେଷହୀନ ଏବଂ କ୍ଳାନ୍ତିକାରୀ ପାଠ ନିର୍ଘଣ୍ଟ ହୋଇ ରହିଥାଏ । ଏହି ବ୍ୟବସ୍ଥାଟିକୁ କଦାପି ରହିବାକୁ ଦିଆଯିବ ନାହିଁ । ଦିନରହଣିର ବ୍ୟବସ୍ଥାଟି ଏକ ଅତ୍ୟନ୍ତ ମୂଲ୍ୟବାନ୍ ଶିକ୍ଷାପଦ୍ଧତି, ଠିକ୍ ସେହି ସମୟରେ ହିଁ ଶିକ୍ଷକ ଓ ପିଲା ମଧ୍ୟରେ ଅବିଚ୍ଛିନ୍ନ ଆତ୍ମିକ ସମ୍ପର୍କ ନିମନ୍ତେ ଅନୁକୂଳ ପରିବେଶମାନ ରହିଥାଏ । ସେହି ସଂପର୍କଟି ନରହିଲେ ଉଚ୍ଚତର ସଂବେଗଗୁଡ଼ିକୁ ଶିକ୍ଷା କରିପାରିବା କଦାପି ସମ୍ଭବ ହେବ ନାହିଁ । ମାତ୍ର ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟଯେ, ଏହିପରି କେତେ କେତେ ଚମତ୍କାର ବିଚାରକୁ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରାଇ ଦିଆଯାଇଛି । ଅଧିକାଂଶ ସମୟରେ ଦିନରହଣିର ପିଲାମାନଙ୍କୁ ସେହି ଏକା ଡେସ୍କ୍ ପାଖରେ ବସାଇ ପୁରୁଣା ପାଠଗୁଡ଼ାକୁ ପଢ଼ାଯାଉଛି, ଘଣ୍ଟା ପରେ ଘଣ୍ଟା ବଜା ହେଉଛି; ଫଳରେ ଯେ କୌଣସି ପିଲାର ମଧ୍ୟ ସବୁଯାକ ଶକ୍ତି କୁଆଡ଼େ ଶୋଷି ହୋଇ ଯାଉଛି ।

 

ଏଭଳି ଘଟୁଛି କାହିଁକି ?

 

କାରଣ, ପିଲାମାନଙ୍କୁ ପଡ଼ିଆକୁ, ପାର୍କକୁ ବା ଜଙ୍ଗଲ ଆଡ଼େ ବୁଲାଇ ନେବା ଅପେକ୍ଷା ସେହି ପାଠଟାକୁ ପଢ଼ାଇବା ଅଧିକ ସହଜ ହେଉଛି ।

 

ଅତ୍ୟନ୍ତ କ୍ଷୋଭର ବିଷୟ ଯେ, ଶିକ୍ଷାସମ୍ବନ୍ଧୀ ପୁସ୍ତକମାନଙ୍କରେ ଦିନରହଣି ବିଦ୍ୟାଳୟର ଯେଉଁ ଦିନମାନ ଯାବତ୍ ଅତି ଚମତ୍କାର କାର୍ଯ୍ୟକ୍ରମଗୁଡ଼ିକର ପୂର୍ଣ୍ଣ ବର୍ଣ୍ଣନା ଦିଆଯାଇଛି, ଶିକ୍ଷାକ୍ଷେତ୍ରରେ ସେହି ସକାରାତ୍ମକ ଅନୁଭୂତିଗୁଡ଼ିକ ଆଉ କୌଣସିଠାରେ ଅଙ୍କୁର ଧରିବାକୁ ଦିଆଯାଇନାହିଁ, – ଆମ ଶିକ୍ଷାରେ ରହିଥିବା ଦୁର୍ବଳତା ହେଉଛି ଏହାର ପ୍ରଧାନ କାରଣ ।

 

ଆମେ ଏପରି ଗୋଟିଏ ସମୟରେ ବର୍ତ୍ତମାନ ବାସ କରୁଛୁ, ଯେତେବେଳେ କି ବୈଜ୍ଞାନିକ ଜ୍ଞାନସାମଗ୍ରୀ ଉପରେ ପୂର୍ଣ୍ଣ ଦଖଲ ନଥିଲେ ଆଦୌ କୌଣସି ଶ୍ରମ, ମୌଳିକ ମାନବୀୟ ଯାବତୀୟ ସମ୍ବନ୍ଧ ଏବଂ ଜଣେ ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ସମ୍ପାଦନ, - ଏହି କୌଣସିଟି କଦାପି ସମ୍ଭବ ହେବ ନାହିଁ । ଅଧ୍ୟୟନକୁ ଆମେ ହୁଏତ କେବଳ ଆନନ୍ଦ ଏବଂ ପୁଲକ ଆଣି ଦେଉଥିବା ଏକ ସହଜ ଏବଂ ସୁଖକର ଖେଳ ବୋଲି କହିପାରିବା ନାହିଁ । ଏବଂ ନାଗରିକମାନଙ୍କର ଏହି ତରୁଣ ପିଢ଼ିଗୁଡ଼ିକର ଜୀବନ ମଧ୍ୟ କଦାପି ଏକ କୋମଳ ଫୁଲର ଶେଯ ହୋଇ ରହିବ ନାହିଁ । ଆମକୁ ଶିକ୍ଷା ଦ୍ୱାରା ଏଭଳି ମନୁଷ୍ୟମାନଙ୍କୁ ତିଆରି କରିବାକୁ ହେବ, ଯେଉଁମାନେ କି ଉଚ୍ଚ ଶିକ୍ଷା ଲାଭ କରିଥିବେ, ଅଧ୍ୟବସାୟୀ ହୋଇଥିବେ ଏବଂ କର୍ମ କରିବାକୁ ପ୍ରକୃତରେ ଭଲ ପାଉଥିବେ; ସେମାନେ ଏପରି ବହୁ କଷ୍ଟ ଓ ବାଧାକୁ ଅତିକ୍ରମ କରିବା ଲାଗି ପ୍ରସ୍ତୁତ ହୋଇଥିବେ, ଯାହାକି ସେମାନଙ୍କର ପିତାମାତା, ତାଙ୍କ ପିତାମାତା ଓ ତାଙ୍କ ପିତାମାତା ଅତିକ୍ରମ କରିଥିବା ବାଧାଗୁଡ଼ିକ ଠାରୁ ଆଦୌ କମ୍ ଜଟିଳ ହୋଇ ନଥିବ । ୧୯୭୦ରୁ ୧୯୯୦ପର୍ଯ୍ୟନ୍ତ ଅବଧିର ତରୁଣ ପୀଢ଼ିର ଜ୍ଞାନସ୍ତର ପୂର୍ବବର୍ତ୍ତୀ ଦଶକଗୁଡ଼ିକର ଜ୍ଞାନସ୍ତର ଅପେକ୍ଷା ଅତୁଳନୀୟ ଭାବରେ ଅବଶ୍ୟ ଅଧିକ ଉଚ୍ଚ ହେବ । ଜଣେ ଆୟତ୍ତ କରୁଥିବା ଜ୍ଞାନର ପରିଧିଟି ଯେତିକି ବୃହତ୍ ହୋଇଥିବ, ଦ୍ରୁତ ଅଭିବୃଦ୍ଧି ଲାଭ କରୁଥିବା ସମୟରେ ଜଣେ ମନୁଷ୍ୟର ଶରୀରର ସ୍ୱଭାବଟି ବିଷୟରେ, ତା’ର ସମଗ୍ର ବିକାଶ ଏବଂ ବ୍ୟକ୍ତିତ୍ୱନିର୍ମାଣ ବିଷୟରେ, ଅର୍ଥାତ୍ ତା’ ଶୈଶବର ବର୍ଷଗୁଡ଼ିକ ବିଷୟରେ ମଧ୍ୟ ସେତିକି ଅଧିକ ବିଚାର କରିବାକୁ ହେବ । ବ୍ୟକ୍ତି ସର୍ବଦା ହିଁ ପ୍ରକୃତିର ସମ୍ମୁଖରେ ପିଲାଟିଏ ହୋଇ ରହିଥିଲା ଓ ରହିଥିବ ଏବଂ ଯାହାକିଛି ଏହି ସଂପର୍କକୁ ସମ୍ଭବ କରୁଥିବ, ତାକୁ ଆତ୍ମିକ ସଂସ୍କୃତିର କ୍ଷେତ୍ରରେ ଧନାଢ଼୍ୟ କରି ରଖିବାରେ ସେଇଟି ମଧ୍ୟ ତା’ର ସଙ୍ଗେ ସଙ୍ଗେ ରହିଥିବ । ଗୋଟିଏ ଶିଶୁକୁ ଘେରି ରହିଥିବା ପୃଥିବୀଟି ହେଉଛି ପ୍ରଥମତଃ ପ୍ରକୃତିର ପୃଥିବୀ, ବହୁ ବସ୍ତୁ ଓ ଦୃଶ୍ୟର ଅଶେଷ ସମ୍ପଦ ଏବଂ ଅକ୍ଷୟ ସୌନ୍ଦର୍ଯ୍ୟରେ ଭରି ରହିଥିବା ପ୍ରକୃତିର ଏହି ପୃଥିବୀ । ଏହି ପ୍ରକୃତିରେ ହିଁ ଗୋଟିଏ ଶିଶୁର ଯାବତୀୟ ମେଧାବୃତ୍ତିର ଶାଶ୍ୱତ ଉତ୍ସଟି ନିହିତ ହୋଇ ରହିଛି ଏବଂ ତା’ ସହିତ ପରିପାର୍ଶ୍ୱରେ ସେହି ଉପାଦାନଗୁଡ଼ିକ ତଥା ତା’ ସହିତ ଗୁନ୍ଥା ହୋଇ ରହିଥିବା ସମାଜର ମନୁଷ୍ୟମାନଙ୍କ ସହିତ ସମ୍ବନ୍ଧ, -ଏଗୁଡ଼ିକ ମଧ୍ୟ ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି ।

 

ମାତ୍ର ଆଖି ଆଗରେ ରହିଥିବା ବାସ୍ତବତା ସମ୍ବନ୍ଧରେ ଜ୍ଞାନ ଅର୍ଜନର ଏହି ପ୍ରକ୍ରିୟାକୁ ଆମେ କଦାପି ଭାବନାଗୁଡ଼ିକର ସଂବେଗଗତ ଉତପ୍ରେରଣାର ସ୍ଥାନାପନ୍ନ ବୋଲି କହିପାରିବା ନାହିଁ-। ପୂର୍ବପ୍ରାଥମିକ ଅଥବା ପ୍ରାଥମିକ ସ୍ତରର ପିଲାଟି ପାଇଁ ଏହି ଉତ୍‌ପ୍ରେରଣାର ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ପାରିପାର୍ଶ୍ୱିକ ପୃଥିବୀର ଦୃଷ୍ଟାନ୍ତ ଏବଂ ଘଟଣାଗୁଡ଼ିକର ସାଧାରଣୀକରଣ ଦ୍ୱାରା ଯେଉଁ ସତ୍ୟର ଉପସ୍ଥାପନା କରାଯାଏ, ଯଦି ଏହା ଅନୁଭୂତିଗୁଡ଼ିକୁ ପ୍ରଭାବିତ କରିପାରୁଥିବା ସ୍ପଷ୍ଟ ଚିତ୍ରବିମ୍ବଗୁଡ଼ିକ ଦ୍ୱାରା ଅନୁପ୍ରାଣିତ କରିପାରୁଥାଏ, ତେବେ ତାହା ଶିଶୁମାନଙ୍କ ପାଇଁ ଏକ ବ୍ୟକ୍ତିଗତ ପ୍ରତ୍ୟୟରେ ହିଁ ପରିଣତ ହୋଇଯାଇଥାଏ । ଏହା ଅତ୍ୟନ୍ତ ମୀମାଂସାତ୍ମକ ଯେ ଶିଶୁ ତା’ର ଚତୁର୍ଦ୍ଦିଗର ପୃଥିବୀ ମଧ୍ୟରେ ହିଁ ତା’ର ସର୍ବପ୍ରଥମ ବୈଜ୍ଞାନିକ ସତ୍ୟଗୁଡ଼ିକୁ ଆବିଷ୍କାର କରିପାରୁଥିବ, ପ୍ରାକୃତିକ ଘଟଣା ଜଗତର ସୌନ୍ଦର୍ଯ୍ୟ ଓ ତା’ର ଅକ୍ଷୟ ବହୁ ମିଶ୍ରଣ ହିଁ ଭାବନାର ଉତ୍ସ ହୋଇ ରହିଥିବ ଏବଂ ଶିଶୁ କ୍ରମଶଃ ସାମାଜିକ ସମ୍ବନ୍ଧ ତଥା ଶ୍ରମ ବ୍ୟବସ୍ଥାର ଜଗତଟି ମଧ୍ୟରେ ପ୍ରବେଶ କରି ପାରୁଥିବ ।

 

ପାଭ୍‌ଲିସ୍‌ ସ୍କୁଲରେ କାର୍ଯ୍ୟ କରିବାର ଆରମ୍ଭରୁ ହିଁ ମୁଁ ସାନ ପିଲାଙ୍କ ବିଷୟରେ ବିଶେଷତଃ ପ୍ରଥମ କେତୋଟି ଶ୍ରେଣୀର ପିଲାମାନଙ୍କ ବିଷୟରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥିଲି-। ସ୍କୁଲରେ ପାଠ ପଢ଼ିବାର ପ୍ରଥମ କେତେ ଦିନ ସେହି ପିଲାମାନେ କେତେ କେତେ ଆକାଂକ୍ଷା ଓ ଉଦ୍ଦୀପନା ସହିତ ସ୍କୁଲ ଭିତରକୁ ଆସୁଥିଲେ, ନିଜ ଶିକ୍ଷକଙ୍କର ଆଖି ଭିତରକୁ କେଡ଼େ ବିଶ୍ୱାସପୂର୍ଣ୍ଣ ନୟନରେ ଅନାଇ ରହୁଥିଲେ । ମାତ୍ର, ଅନେକ ସମୟରେ ଏପରି କ’ଣ ଘଟଣା ଘଟେ ଯେ, ଅଳ୍ପ କେତେ ମାସ, ଏପରିକି ଅଳ୍ପ କେତୋଟି ସପ୍ତାହ ପରେ ସେମାନଙ୍କ ଆଖି ଭିତରେ ଆଉ କୌଣସି ଆଲୋକ ଦେଖିବାକୁ ମିଳେ ନାହିଁ ? କେତେକ ପିଲାଙ୍କ ସକାଶେ ପାଠପଢ଼ାଟା ଏପରି ଉତ୍ପୀଡ଼ନରେ କାହିଁକି ପରିଣତ ହୋଇଯାଏ ? ବିଶେଷତଃ ଯେତେବେଳେ ସବୁ ଶିକ୍ଷକ ସେମାନଙ୍କର ଏହି ଶିଶୁ ସୁଲଭ ସ୍ୱତସ୍ଫୂର୍ତ୍ତତା, କେତେ ଆନନ୍ଦରେ ଭରପୂର ହୋଇ ପୃଥିବୀକୁ ଦେଖିବା ଓ ଆବିଷ୍କାର କରିବାର ପ୍ରବୃତ୍ତିଟି ଆଦୌ ଚାଲି ନଯାଉ ବୋଲି ପ୍ରକୃତରେ ଦେଖିବା ଓ ଆବିଷ୍କାର କରିବାର ପ୍ରବୃତ୍ତିଟି ଆଦୌ ଚାଲି ନଯାଉ ବୋଲି ପ୍ରକୃତରେ ଇଚ୍ଛା କରୁଥାନ୍ତି, ସେତେବେଳେ ଏପରି କାହିଁକି ହୁଏ ? ପାଠ ପଢ଼ିବାଟା ପିଲାମାନଙ୍କ ପାଇଁ ଏକ ପ୍ରେରଣା ଓ ଆଗ୍ରହଦାୟକ କାର୍ଯ୍ୟ ହେଉ ବୋଲି ତ ଶିକ୍ଷକମାନେ ଇଚ୍ଛା କରୁଥାନ୍ତି ।

 

ସାଧାରଣତଃ ଏଭଳି ଘଟେ, କାରଣ ଶିକ୍ଷକ ପ୍ରତ୍ୟେକ ପିଲାର ଆତ୍ମିକ ଜଗତଟି ବିଷୟରେ ଖୁବ୍ ବେଶୀ କିଛି ଜାଣି ନଥାନ୍ତି ଏବଂ କାରଣ, ଇସ୍କୁଲର କାନ୍ଥଗୁଡ଼ିକ ଭିତରେ ରହିଥିବା ଜୀବନଟି ଭିତରେ ପାଠ ପଢ଼ିବା ବ୍ୟତୀତ ଆଉ ଅନ୍ୟ କିଛି ନିମନ୍ତେ କୌଣସି ସ୍ଥାନ ନଥାଏ; - ନିୟମିତ ଭାବରେ ଘଣ୍ଟା ବାଜୁଥାଏ, ସତେ ଅବା ଗୋଟାଏ ମଇ ଚଳାଇ ଦେଇ ପିଲାମାନଙ୍କୁ ସମତୁଲ କରିଦେବାକୁ ଚେଷ୍ଟା କରାଯାଉଥାଏ, ସମସ୍ତଙ୍କୁ ଗୋଟାଏ ମାପ ଅନୁସାରେ ଖାପ ଖୁଆଇ ରଖି ବ୍ୟକ୍ତିଗତ ପୃଥିବୀର ବୈଭବଗୁଡ଼ିକ ଲାଗି ସତେଅବା ଆଦୌ କୌଣସି ବାଟ ଛାଡ଼ି ଦିଆଯାଏ ନାହିଁ । ପିଲାମାନଙ୍କର ଆଗ୍ରହ ତଥା ଭିନ୍ନ ଭିନ୍ନ ଆତ୍ମିକ ଜୀବନକୁ ବିକଶିତ କରି ଆଣିବା ଲାଗି ମୁଁ ପ୍ରାଥମିକ ଶ୍ରେଣୀଗୁଡ଼ିକର ଶିକ୍ଷକମାନଙ୍କୁ ପରାମର୍ଶ ଅବଶ୍ୟ ଦେଲି, ମାତ୍ର ପରାମର୍ଶ କଦାପି ଯଥେଷ୍ଟ ହୁଏ ନାହିଁ । ଶିକ୍ଷାଗତ ବିଚାର ଓ ଧାରଣାଟି ହେଉଛି ଅସଲ କଥା ଏବଂ ପିଲା ତଥା ଶିକ୍ଷକମାନଙ୍କ ଭିତରେ ରହିଥିବା ପାରସ୍ପରିକ ସମ୍ବନ୍ଧର ମାଧ୍ୟମରେ ହିଁ ତାହାର ପ୍ରତ୍ୟକ୍ଷ ପରିପ୍ରକାଶ ହୋଇଥାଏ । ଏବଂ, ଶିକ୍ଷକସମୂହଙ୍କ ଆଖିରେ ଯେତେବେଳେ ତାହା ବିଦ୍ୟାଳୟ ଭିତରେ ତିଆରି ହୋଇଥିବା ଏକ ଉଚ୍ଚ ଅଟ୍ଟାଳିକା ପରି ଦେଖାଯାଏ, ସେତେବେଳେ ଯାଇ ତାହା ସ୍ପଷ୍ଟ ହୋଇ ଆସେ । ତେଣୁ, ଶ୍ରେଣୀଗୃହର ସମୂହଗୁଡ଼ିକୁ ନେଇ ହିଁ ମୁଁ ମୋ’ର ଶିକ୍ଷା କାର୍ଯ୍ୟ ଆରମ୍ଭ କଲି । ତାହା ଦଶ ବର୍ଷ ପର୍ଯ୍ୟନ୍ତ ଚାଲିଲା ।

 

ଶ୍ରେଣୀ ଭିତରର ସମୂହଟି ଭିତରେ ରହିଥିବା ଜୀବକୁ ବିଦ୍ୟାଳୟରୂପକ ସମୂହଟିର ଜୀବନରୁ କଦାପି ବାଡ଼ ଦେଇ ଅଲଗା ରଖି ହୁଏ ନାହିଁ । ଅଧିକାଂଶ କ୍ଷେତ୍ରରେ ସେହି ବିଷୟଟିର ଆଲୋଚନା କଲାବେଳେ ମୁଁ ସମଗ୍ର ବିଦ୍ୟାଳୟଟିର ଗଠନର ଅଂଶ ରୂପେ ହିଁ ଏହି ଶିକ୍ଷାକାର୍ଯ୍ୟର ପ୍ରକାର ଓ ପଦ୍ଧତିଗୁଡ଼ିକର ଆଲୋଚନା କରିବି । ମାତ୍ର ଶ୍ରେଣୀଗୃହର ସମୂହଟିକୁ ଅଧିକ ସ୍ପଷ୍ଟ ଭାବରେ ଦର୍ଶାଇବାକୁ ହିଁ ମୁଁ ଏପରି କରିବି । କାରଣ, ଗୋଟିଏ ବିଦ୍ୟାଳୟ ମଧ୍ୟରେ ଶିକ୍ଷା ବୋଲି ଯାହା କିଛି ହୁଏ, ତାହା ପ୍ରଧାନତଃ ଶ୍ରେଣୀଗୃହ ମଧ୍ୟରେ ହେଉଥିବା ଶିକ୍ଷାକାର୍ଯ୍ୟର ତାତ୍ପର୍ଯ୍ୟ ଉପରେ ହିଁ ନିର୍ଭର କରିଥାଏ ।

Image

 

ସର୍ବପ୍ରଥମ ବର୍ଷ–ପିଲାମାନଙ୍କୁ ଜାଣିବା

 

୧୯୫୧ ମସିହା ଶରତକାଳରେ ସ୍କୁଲ ଖୋଲିବାର ତିନି ସପ୍ତାହ ପୂର୍ବରୁ ପ୍ରଥମ ଶ୍ରେଣୀ ପିଲାଙ୍କ ସହିତ ବର୍ଷକ ପରେ ସ୍କୁଲ ଆରମ୍ଭ କରିବାକୁ ଥିବା ଛଅବର୍ଷିଆ ପୁଅ ଓ ଝିଅମାନେ ମଧ୍ୟ ସ୍କୁଲରେ ଆସି ଭର୍ତ୍ତି ହୋଇଥିଲେ । ଏହି ପିଲାମାନଙ୍କ ସହିତ ମୁଁ ଦଶବର୍ଷ କାମ କରିବା ବୋଲି ନିୟତିନିର୍ଦ୍ଦିଷ୍ଟ ହୋଇ ରହିଥିଲା ।

 

ପିଲାମାନଙ୍କୁ ଓ ସେମାନଙ୍କର ବାପାମାଆମାନଙ୍କୁ ଏକାଠି ଡାକି ସେମାନେ ଶ୍ରେଣୀଗୁଡ଼ିକ ନିୟମ ଅନୁସାରେ ଆରମ୍ଭ ହେବାର ବର୍ଷକ ପୂର୍ବରୁ ପିଲାମାନଙ୍କୁ ସ୍କୁଲ ପଠାନ୍ତୁ ବୋଲି ମୁଁ ଯେତେବେଳେ ପ୍ରସ୍ତାବ ଦେଲି, ସେତେବେଳେ ସେମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା । କେତେ ବାପା ମାଆ ମୋ’ ଉଦ୍ଦେଶ୍ୟଟିକୁ ସମର୍ଥନ କରିଥିଲେ; ସେମାନେ ବିଚାର କରିଥିଲେ ଯେ ବର୍ଷସାରା ଚାଲିବା ଭଳି ଶିଶୁସଦନ ସେଠାରେ ନଥିବାରୁ (ସେ ସମୟରେ ଗାଆଁର ଶିଶୁସଦନଗୁଡିକ କେବଳ ଗ୍ରୀଷ୍ମ ଋତୁରେ ଚାଲୁଥିଲା), ପିଲାମାନଙ୍କୁ ସ୍କୁଲକୁ ପଠାଇଦେଲେ ତାହା ପରିବାରଗୁଡ଼ିକ ପାଇଁ ବେଶ୍ ସୁବିଧାଜନକ ହେବ, ଅନ୍ୟମାନେ ଆଶଙ୍କା କରୁଥିଲେ ଯେ, ପ୍ରକୃତ ସମୟ ପୂର୍ବରୁ ପଢ଼ା ଆରମ୍ଭ ହୋଇଗଲେ ତଦ୍ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟହାନି ହେବ । ଲ୍ୟୁବାର ମାଆ କହିଲେ, “ଶ୍ରେଣୀ ଭିତରେ ବସିବା ଲାଗି ତ ସେମାନଙ୍କୁ ପ୍ରଚୁର ସମୟ ମିଳିବ । ସ୍କୁଲ ଆରମ୍ଭ କରିବା ପୂର୍ବରୁ ହିଁ ତ ପିଲାମାନଙ୍କୁ ପ୍ରକୃତ ଶୈଶବର ଯାହାକିଛି ସୁଯୋଗ ମିଳିଥାଏ ।” ସ୍କୁଲ ଆରମ୍ଭ କଲାବେଳେ ଗୋଟିଏ ପିଲାର ସମଗ୍ର ଜୀବନରେ ହଠାତ୍ ସବୁକିଛି ବନ୍ଦ ହୋଇ ଯାଇ ତା’ର କେତେ କ୍ଷତି ହୁଏ, ଏହି କଥାଟିକୁ ଶୁଣି ମୁଁ ସେହି କଥା ଭାବୁଥିଲି-। ପିଲାର ସ୍ୱାଭାବିକ ଶକ୍ତିର ବିକାଶ ନିମନ୍ତେ ତାକୁ ଯଥେଷ୍ଟ ପରିସର ପ୍ରଦାନ କରିବା ପ୍ରକୃତରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ମୁଁ ସେମାନଙ୍କୁ କହିଥିଲି ଯେ, ପାଠପଢ଼ା ଆରମ୍ଭ ହେବାର ବର୍ଷକ ପୂର୍ବରୁ ପିଲାଏ ସ୍କୁଲକୁ ଆସିଲେ ସେମାନଙ୍କୁ ଶ୍ରେଣୀଗୃହ ଭିତରେ ବସିବାକୁ ପଡ଼ିବ, ସେକଥା ଆଦୌ ନୁହେଁ ।

 

ପାଠପଢ଼ା ଆରମ୍ଭ କରିବାର ବର୍ଷକ ଆଗରୁ ପିଲାଏ ସ୍କୁଲକୁ ଆସନ୍ତୁ ବୋଲି ମୁଁ ଏଇଥିପାଇଁ ଚାହୁଥିଲି ଯେ ଏହାଦ୍ୱାରା ମୁଁ ପ୍ରତ୍ୟେକ ପିଲାକୁ ଭଲ ଭାବରେ ଜାଣପାରିବି, ପ୍ରତ୍ୟେକ ପିଲାର ଅବରୋଧ, ଭାବନା ଓ ବୃଦ୍ଧିଗତ କ୍ରିୟାଶୀଳତାର ବ୍ୟକ୍ତିଗତ ବିଶେଷତାଗୁଡ଼ିକୁ ମୁଁ ଅଧ୍ୟୟନ କରିପାରିବି । ପିଲାଙ୍କ ଆଗରେ ପାଠକୁ ବାଢ଼ି ଦେବା ପୂର୍ବରୁ ଆଗ ସେମାନଙ୍କୁ ଭାବି ଶିଖାଇବାକୁ ହେବ, ଅବଲୋକନ କରିବାର ବିଦ୍ୟାଟିକୁ ମଧ୍ୟ ଶିଖାଇବାକୁ ପଡ଼ିବ । ପ୍ରତ୍ୟେକ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ସହିତ ମଧ୍ୟ ସଂପୂର୍ଣ୍ଣ ଭାବରେ ପରିଚିତ ହେବାକୁ ପଡ଼ିବ । ଏସବୁ ବ୍ୟତୀତ ସ୍ୱାଭାବିକ ଶିକ୍ଷାଦାନ ଆଦୌ ସମ୍ଭବ ନୁହେଁ ।

 

ବୁଦ୍ଧିର କ୍ଷେତ୍ରରେ ଗୋଟିଏ ପିଲାକୁ ବିକଶିତ କରାଇ ଆଣିବା ଓ ତାକୁ କିଛି ପାଠଜ୍ଞାନ ଅର୍ଜନ କରିବାକୁ ଦେବା, – ଦୁଇଟିଯାକ ମୋଟେ ଏକା କଥା ନୁହେଁ, ଶିକ୍ଷା ବ୍ୟତୀତ ବୁଦ୍ଧିର ଯେ କୌଣସି ବିକାଶ ସମ୍ଭବ ନୁହେଁ, ସେ କଥା ଠିକ୍ ହୋଇଥିଲେ ମଧ୍ୟ ଠିକ୍ ଯେପରି ସୂର୍ଯ୍ୟାଲୋକ ବ୍ୟତୀତ ପତ୍ରମାନେ କଦାପି ସବୁଜ ହେବେ ନାହିଁ, ମନକୁ ପ୍ରଶିକ୍ଷିତ କରାଇ ଆଣିବାର କାର୍ଯ୍ୟଟିକୁ ତଥାପି ପାଠ ପଢ଼ିବା ସହିତ ଆଦୌ ସମତୁଲ କରିହେବ ନାହିଁ । ସବୁଜ ପତ୍ରଗୁଡ଼ିକ ଯେପରି ସୂର୍ଯ୍ୟାଲୋକରେ ସମତୁଲ କରିହେବ ନାହିଁ; ଏକଥା ଠିକ୍ ସେହିପରି ।

 

ଶିକ୍ଷକ ଭାବନାର ସାମଗ୍ରୀଗୁଡ଼ିକୁ ନେଇ ହିଁ କାରବାର କରେ ଏବଂ ସେହି ସାମଗ୍ରୀଟିରେ ଜ୍ଞାନ ଆହରଣ ତଥା ଅର୍ଜନ କରିବାର ସାମର୍ଥ୍ୟ ବହୁ ପରିମାଣରେ ପିଲାର ସ୍ୱାସ୍ଥ୍ୟ ଉପରେ ହିଁ ନିର୍ଭର କରିଥାଏ । ତାହା ହେଉଛି ଏକ ଅତି ସୂକ୍ଷ୍ମ ବ୍ୟାପାର ଏବଂ ତାହାକୁ ଆଦୌ ସହଜରେ ବୁଝି ହୁଏ ନାହିଁ । ତେଣୁ ପିଲାମାନଙ୍କ ଭିତରେ ରହିଥିବା ଆତ୍ମିକ ଜଗତଟିକୁ ବିଶେଷତଃ ସେମାନଙ୍କର ଭାବନାଗୁଡ଼ିକୁ ଅଧ୍ୟୟନ କରିବା, – ପ୍ରତ୍ୟେକ ଶିକ୍ଷକ ପାଇଁ ଏହାକୁ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି କୁହାଯିବ ।

Image

 

ମୋ’ ଛାତ୍ରମାନଙ୍କର ପିତାମାତା

 

ପିଲାମାନଙ୍କ ବିଷୟରେ ଭଲ କରି ଜାଣିବାକୁ ହେଲେ ସେମାନଙ୍କର ପରିବାର, – ବାପା, ମାଆ, ଭାଇ, ଭଉଣୀ, ଜେଜେବାପା ଓ ଜେଜେମାଆ ପ୍ରଭୃତି ସମସ୍ତଙ୍କୁ ମଧ୍ୟ ଜାଣିବାକୁ ହେବ । ଆମ ବିଦ୍ୟାଳୟର ଆଖପାଖରେ ୩୧ଜଣ ଛଅବର୍ଷିଆ ପିଲା ରହିଥିଲେ –୧୬ଜଣ ପୁଅ ଏବଂ ୧୫ଜଣ ଝିଅ । ସବୁ ବାପାମାଆ ନିଜ ପିଲାଙ୍କୁ ଏହି ଆନନ୍ଦ-ଶିକ୍ଷାଳୟକୁ ପଠାଇବା ନିମନ୍ତେ ରାଜି ହୋଇଯାଇଥିଲେ, - ପୂର୍ବପ୍ରାଥମିକ ସୋପାନର ଏହି ଦଳଟିକୁ ମାଆ ଓ ବାପାମାନେ ଅଳ୍ପ ଦିନ ପରେ ସେହିପରି ଏକ ନାମ ଦେଇଥିଲେ । ୩୧ ଜଣ ପିଲାଙ୍କ ଭିତରୁ ୧୧ଜଣଙ୍କର ବାପ ନଥିଲେ, ଦୁଇଜଣଙ୍କର ବାପା ମାଆ ଉଭୟେ ନଥିଲେ । ଏହି ଦୁଇଟି ପିଲା, ବିତ୍ୟା ଏବଂ ସାଶା, ଏମାନଙ୍କୁ ପ୍ରକୃତରେ ଭାଗ୍ୟହୀନ ବୋଲି କୁହାଯିବ । ଦେଶକୁ ରକ୍ଷା କରିବାର ମହାନ୍ ଯୁଦ୍ଧରେ ବିତ୍ୟାର ବାପା ଜଣେ ପ୍ରତିରୋଧକାରୀ ଭାବରେ ଲଢ଼ିଥିଲେ ଏବଂ ତାଙ୍କ ପତ୍ନୀଙ୍କ ଆଗରେ ତାଙ୍କ ଉପରେ ବହୁ ନୃଶଂସ ଅତ୍ୟାଚାର କରିବା ପରେ ଫାସିଷ୍ଟ୍‌ମାନେ ତାଙ୍କୁ ଜୀବନରୁ ମାରି ଦେଇଥିଲେ-। ଏହି ଦୁଃଖଦ ଆଘାତକୁ ସହ୍ୟକରିନପାରି ବିତ୍ୟାର ମାଆ ପାଗଳ ହୋଇଗଲେ । ଏହି ଦୁଃଖଦ ଘଟଣାର ଛଅମାସ ପରେ ପୁଅଟି ଜନ୍ମ ହୋଇଥିଲା । ପୁଅଟିକୁ ଜନ୍ମ ଦେଇ ମାଆ ବି ଚାଲିଗଲେ ଓ ବହୁ କଷ୍ଟରେ ଶିଶୁଟିର ଜୀବନ ରକ୍ଷା ହୋଇ ପାରିଲା । ସାଶାର ବାପା ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ ଏବଂ ଫାସିଷ୍ଟ୍ ଆକ୍ରମଣକାରୀମାନଙ୍କୁ ଗାଆଁରୁ ତଡ଼ି ବାହାର କରିବାର ଯୁଦ୍ଧରେ ତା’ର ମାଆ ବି ନିହତ ହୋଇଥିଲେ ।

 

ଏହି ଆନନ୍ଦ–ପାଠଶାଳାଟି ଖୋଲିବାର ଶେଷ ଅଳ୍ପ କେତେ ସପ୍ତାହ ପୂର୍ବରୁ ମୁଁ ପ୍ରତ୍ୟେକ ପରିବାରକୁ ଜାଣିଗଲି । କେତେକ ପରିବାରରେ ଯେ ବାପାମାଆ ଓ ପିଲାଙ୍କ ଭିତରେ ଅଥବା ବାପା ଓ ମାଆଙ୍କ ଭିତରେ ସଦ୍ଭାବପୂର୍ଣ୍ଣ ବାତାବରଣ ନଥିଲା, ସେକଥା ଜାଣି ମୁଁ ଭାରି ବ୍ୟସ୍ତ ହୋଇ ପଡ଼ିଲି । ପିଲାଟିଏ ଖୁସୀ ହୋଇ ବଢ଼ିବା ପାଇଁ ଯେଉଁ ପାରସ୍ପରିକ ସମ୍ମାନ ଅତ୍ୟାବଶ୍ୟକ, ଏହିସବୁ କ୍ଷେତ୍ରରେ ତାହା କଦାପି ସମ୍ଭବ ହୁଅନ୍ତା ନାହିଁ ।

 

କୋଲ୍ୟାକୁ ଦେଖ, – କଳାକଳା ଆଖି, ଦେହର ବର୍ଣ୍ଣ ସାବନା, ନାକ ଚେପ୍ଟା । ସବୁବେଳେ ଭାରି କନକନ ହେଉଥିବା ପରି ଲାଗୁଥିବ । ମୁଁ ତା’ ଆଡ଼କୁ ଅନାଇ ମୁରୁକି ହସିଲି, ସେଥିରେ ତା’ର ଚାହାଣିଟା ଆହୁରି ଭ୍ରୁକୁଟିପୂର୍ଣ୍ଣ ହୋଇ ଆସିଲା । ସେହି ସମୟଟିରେ ମୁଁ ତା’ର ଅସ୍ୱାଭାବିକ ଘରଅବସ୍ଥାଟି ବିଷୟରେ ଚିନ୍ତା କଲି । ପୂର୍ବରୁ କୋଲ୍ୟାର ବାପା ଜେଲ୍ ଯାଇଥିଲେ ଏବଂ ତେଣୁ କୁଟୁମ୍ବଟି ଡୋନ୍‍ବାସ୍ ଅଞ୍ଚଳରେ ଯାଇ ବାସ କରୁଥିଲେ । ଫାସିଷ୍ଟମାନେ ଦେଶକୁ ଅଧିକାର ନେଇଥିବା ସମୟରେ ବାପା ଜେଲରୁ ଖଲାସ ହେଲେ ଏବଂ ତାଙ୍କ ପରିବାର ତା’ପରେ ଆମ ଗାଆଁରେ ଆସି ରହିଲେ । ଲୋକମାନଙ୍କର ଦୁଃଖଦୁର୍ଦ୍ଦଶାର ସୁଯୋଗ ନେଇ ତା’ର ମାଆ ଓ ବାପା ପଇସା କମାଇବାକୁ ଆରମ୍ଭ କଲେ । ଫାସିଷ୍ଟ୍ ଅଧସ୍ତନମାନେ ଚୋରାଇ ଆଣିଥିବା ଦ୍ରବ୍ୟଗୁଡ଼ିକୁ ଲୁଚାଇ ରଖି ସେମାନେ ବହୁତ ଲାଭ କଲେ । ସେହି ଅଭାବପୂର୍ଣ୍ଣ ବର୍ଷମାନଙ୍କରେ ତା’ର ମାଆ କୋଠବ୍ୟବସ୍ଥାର କୁକୁଡ଼ାଘରୁ ଚିଆଁମାନ ଚୋରାଇ ନେଇ ଆସୁଥିଲେ ଏବଂ କୋଲ୍ୟା ଓ ତା’ର ବଡ଼ ଭାଇକୁ ରାନ୍ଧି ଖାଇବା ନିମନ୍ତେ କାଉ ଧରିବା ବି ଶିଖାଇ ଦେଇଥିଲେ । ଚଢ଼େଇଗୁଡିକ ପିଲା ଦୁହେଁ ମାରନ୍ତି, ମାଆ ତାହାକୁ ଭାଜି ଦିଅନ୍ତି ଓ ସେଗୁଡ଼ିକ ବଜାରରେ କୁକୁଡ଼ାମାଂସ ବୋଲି ବିକ୍ରି କରାଯାଏ । ....ହଁ, ମୁଁ ଏହି ପିଲାଟି ଆଡ଼କୁ ଅନାଇ ଟିକିଏ ମୁରୁକି ହସିବାକୁ ଇଚ୍ଛା କରୁଥିଲି, ମାତ୍ର ତା’ର ଆଖି ଭିତରେ ସଂକୋଚ ଓ ଭୟ ଦେଖିବାକୁ ପାଇଲି । କୋଲ୍ୟା, ତୁ କହିଲୁ ମୁଁ ତୋ ହୃଦୟ ଭିତରେ କିପରି କୋମଳ ମାନବିକ ଅନୁଭୂତିଗୁଡ଼ିକୁ ଜାଗୃତ କରି ଆଣିପାରିବି ! ଲୋକମାନଙ୍କ ପ୍ରତି ଯେଉଁ ଅସୂୟା ଓ ଦ୍ୱେଷର ଅସ୍ୱାଭାବିକ ପରିବେଶଟି ମଧ୍ୟରେ ତୁ ପିଲା ଦିନେ ବଢ଼ି ଆସିଲୁ, ତାହାକୁ ମୁଁ କିପରି ସମକକ୍ଷ ହୋଇ ପରାହତ କରିଦେଇ ପାରିବି ? ମୁଁ ତା’ ମାଆଙ୍କର ଭାବଶୂନ୍ୟ ଏବଂ ଉଦାସୀନ ଆଖିଗୁଡ଼ିକୁ ମଧ୍ୟ ଅନାଇ ଦେଖିଲି । ମୋତେ ଭାରି ଅଶାନ୍ତ ଲାଗୁଥାଏ ।

 

ଏହି ପୁସ୍ତକରେ ଏହି ଟିକିନିଖି ବିବରଣଗୁଡ଼ିକର ଉଲ୍ଲେଖ କରିବାକୁ ସ୍ଥିର କରିବା ପୂର୍ବରୁ ମୁଁ ବହୁ ସମୟ ଧରି ଚିନ୍ତା କରିଛି, - ସେଗୁଡ଼ିକୁ ବାଦ୍ ଦେବି ବୋଲି ହୁଏତ ଦଶଥର ଭାବିଛି ଓ ପୁଣି ସେଗୁଡ଼ିକୁ ଆଣି ଭର୍ତ୍ତି କରିଛି । ଇଚ୍ଛା କରିଥିଲେ ମୁଁ କେବଳ ସାଧାରଣ କଥାଗୁଡ଼ିକୁ କହି ମୋ’କର୍ତ୍ତବ୍ୟ କରି ପାରିଥାଆନ୍ତି: ପିଲାଟି ଲାଗି ତା’ର ବାପାମାଆ ନୈତିକ ସାଧୁତାର ଆଦୌ ଯଥାର୍ଥ ଦୃଷ୍ଟାନ୍ତ ନଥିଲେ, ଇତ୍ୟାଦି ଇତ୍ୟାଦି । ମାତ୍ର, ସେପରି କରିଥିଲେ ତାହା ଅସଲ କଥାଗୁଡ଼ିକୁ ଉପରୁ ସାଉଁଳେଇ ଦେବା ପରି ହୋଇଥାନ୍ତା । ଆମର ଚତୁର୍ଦ୍ଦିଗରେ ତଥାପି ବିଦ୍ୟମାନ୍ ରହିଥିବା ଘୃଣାବ୍ୟଞ୍ଜକ କଥାଗୁଡ଼ିକ ଆଡ଼କୁ ଆମେ କଦାପି ଆଖି ବୁଜି ଦେବା ନାହିଁ । କୌଣସି ପଥର ପାଚେରୀ ଠିଆ କରି ଦେଇ କୌଣସି ବିଦ୍ୟାଳୟକୁ ସେଗୁଡ଼ିକ ଠାରୁ ସୁରକ୍ଷିତ କରି ରଖି ହେବ ନାହିଁ । ଏହି ମନ୍ଦ ସହିତ ସଂଗ୍ରାମ କରିବାକୁ ହେବ, ମନ୍ଦକୁ ଅତିକ୍ରମ କରିବାକୁ ହେବ । ଏହି କୁନି ଆତ୍ମାମାନେ ମନ୍ଦ ପୃଥିବୀଟା ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଥିବା ଆବର୍ଜନାକୁ ସେମାନଙ୍କ ଭିତରୁ ପରିଷ୍କାର କରି ଦେବାକୁ ପଡ଼ିବ, - ଏବଂ ତେଣୁ ସାହସର ସହିତ ଯାହା ସତ୍ୟ, ତାହାକୁ ମୁହାଁମୁହିଁ ଅନାଇ ପାରିବାକୁ ହେବ ।

 

ଆଉ ଗୋଟିଏ ପିଲା ଟୋଲ୍ୟା, - ମୁଣ୍ଡର ବାଳ ଅସ୍ତବ୍ୟସ୍ତ ହୋଇ ପଡ଼ିଛି, ଆକାଶର ନୀଳ ପରି ଆଖି ଦିଓଟି । ସିଏ ତା’ମାଆ ପାଖରେ ଛିଡ଼ା ହୋଇଥାଏ, ମାଆର ହାତକୁ ଧରିଥାଏ, - ତଳକୁ ଅନାଇଥାଏ, ମଝିରେ ମଝିରେ ଉପରକୁ ଚାହୁଥାଏ । କାର୍ପାଥିଆନ୍ ପାର୍ବତ୍ୟ ଅଞ୍ଚଳରେ ତା’ବାପା ବୀର ପରି ପ୍ରାଣ ଦେଇଥିଲେ । ତାଙ୍କୁ ପ୍ରଦତ୍ତ ମରଣୋତ୍ତର ଏକାଧିକ ମେଡ଼ାଲ ତା’ର ମାଆକୁ ପ୍ରାପ୍ତ ହୋଇଥିଲା । ଟୋଲ୍ୟା ତା’ ବାପାଙ୍କ ପାଇଁ ଗର୍ବ ଅନୁଭବ କରେ । ମାତ୍ର, ତା’ମାଆଙ୍କର ଗାଆଁରେ ଗୋଟିଏ ବଦ୍‍ନାମ୍ ରହିଛି । ଭାରି ଭୋଗ ଏବଂ ଅୟସରେ ଜୀବନ ବିତାନ୍ତି, - ପିଲାଟା ସତେ ଅବା ବିନା ହେଫାଜତରେ ଏଣେତେଣେ ହେଉଥାଏ । ....ଏହି ଛଅ ବର୍ଷର ପିଲାଟିର ହୃଦୟ ଯେପରି ପଙ୍ଗୁ ହୋଇ ନଯିବ, ସେଥିପାଇଁ କ’ଣ କରାଯାଇ ପାରିବ ? କ’ଣ ସବୁ ପଦକ୍ଷେପ ନେଲେ ତା’ର ମାଆ ବାଟକୁ ଆସିବେ ଏବଂ ତାଙ୍କୁ ପୁଅଟିର ଅବଶ୍ୟ ଯତ୍ନ ନେବାକୁ ହେବ, ସେହି ବିଷୟରେ ପ୍ରକୃତରେ ସଚେତନ ହୋଇ ପାରିବେ ?

 

ଯୁଦ୍ଧ କେତେ ମଣିଷଙ୍କ ଦେହରେ କେଡ଼େ କେଡ଼େ ଘାଆ କରିଛି, କ୍ଷତଗୁଡ଼ାକ ଏବେ ମଧ୍ୟ କଞ୍ଚା ରହିଛି । ମୋ’ଆଗରେ ଏପରି ପିଲାମାନେ ଅଛନ୍ତି, ଯେଉଁମାନେ ୧୯୪୫ ମସିହାରେ ଜନ୍ମ ହୋଇଛନ୍ତି, ଆଉ କେତେକ ୧୯୪୪ ମସିହାରେ, କେତେ ତ ଏପରି ଅଛନ୍ତି, ଯେଉଁମାନେ କି ଜନ୍ମ ହେବା ପୂର୍ବରୁ ବାପାଙ୍କୁ ହରାଇଛନ୍ତି । ଉଦାହରଣ ସ୍ୱରୂପ, ୟୁରା, ଯାହାର ବାପ ଯୁଦ୍ଧ ଶେଷ ହେବାର ମାତ୍ର ଦୁଇଦିନ ପୂର୍ବରୁ ଚାଲିଗଲେ । ତା’ମାଆ ତାକୁ ବିଗାଡ଼ି ଦେବା ଯାଏ ବି କେଡ଼େ ଭଲ ପାଉଛି, ତା’ର ସବୁ ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରୁଛି । ତା’ଜେଜେବାପା ମଧ୍ୟ ସେମାନଙ୍କ ସହିତ ଅଛନ୍ତି ଏବଂ ସିଏ ବି ନାତିଟା ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ପରିବାରଟି ବିଷୟରେ ମୁଁ ଯେତିକି ଜାଣିବାକୁ ପାଇଲି, ସେଥିରୁ ମୋତେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ, ଛଅ ବର୍ଷ ବୟସର ଏହି ପିଲାଟି ହୁଏତ ଏକ ଦୁଃସାଧ୍ୟ ଅତ୍ୟାଚାରୀ କୁନି ମଣିଷଟିଏ ହୋଇ ବାହାରିବ । ଜଣେ ମାଆର ଆଖିବୁଜା ଭଲ ପାଇବା ମଧ୍ୟ ପୁରା ଉଦାସୀନତା ପରି ବିପଜ୍ଜନକ ହୋଇପାରେ ।

 

ପେଟ୍ରିକ, ତା’ମାଆ ଆଉ ଜେଜେବାପାଙ୍କ ସହିତ ଆସିଥିଲା । ଏହି ଶିଶୁଟିର ମାଆ ଯାପନ କରୁଥିବା କଠିନ ଜୀବନ ବିଷୟରେ ମୁଁ ଆଗରୁ ଶୁଣିଥିଲି । ତାଙ୍କର ପ୍ରଥମ ସ୍ୱାମୀ ତାଙ୍କୁ ଯୁଦ୍ଧ ପୂର୍ବରୁ ହିଁ ଛାଡ଼ି ଚାଲି ଯାଇଥିଲେ । ଭଦ୍ର ମହିଳା ଆଉଥରେ ବିବାହ କଲେ; ମାତ୍ର ତଦ୍ଦ୍ୱାରା ଭାଗ୍ୟ ଆଦୌ ବଦଳିଲା ନାହିଁ । ଏପରି ଜଣା ପଡ଼ିଲା ଯେ, ପେଟ୍ରିକ୍‍ର ବାପାଙ୍କର ଆଗରୁ ସାଇବିରିଆର କୌଣସି ଏକ ସ୍ଥାନରେ ପରିବାରଟିଏ ରହିଥିଲା । ତେଣୁ, ଯୁଦ୍ଧ ପରେ ସିଏ ବି ଛାଡ଼ି ଚାଲିଗଲେ । ତା’ର ବାପା ଯେ ଯୁଦ୍ଧକ୍ଷେତ୍ରରେ ବୀର ପରି ମୃତ୍ୟୁବରଣ କରିଛନ୍ତି, ତା’ର ମାଆ ପୁଅକୁ ଏହିପରି କଥା କହିବେ ବୋଲି ନିଷ୍ପତ୍ତି କରିଥିଲେ । ତେଣୁ ପୁଅ ମଧ୍ୟ ଅନ୍ୟ ପିଲାମାନଙ୍କୁ ନିଜ ବାପାଙ୍କ ବିଷୟରେ ତା’ କଳ୍ପନାରୁ ହିଁ ବୀରତ୍ୱର ନାନା କାହାଣୀ କହିବାକୁ ଆରମ୍ଭ କଲା । ମାତ୍ର ସେମାନେ ତା’କଥାରେ ଆଦୌ ବିଶ୍ୱାସ କରୁ ନଥିଲେ । ସେମାନେ କହୁଥିଲେ ଯେ, ତା’ର ବାପା ଜଣେ ମିଥ୍ୟାବାଦୀ ଥିଲେ । ସେକଥା ଶୁଣି ପେଟ୍ରିକ୍ କାନ୍ଦି ତା’ମାଆଙ୍କ ପାଖକୁ ଦଉଡ଼ି ଯାଉଥିଲା । ମାତ୍ର ଏଥିରେ କୌଣସି ସନ୍ଦେହ ରହୁନଥିଲା ଯେ, ନିର୍ଦ୍ଦୟ ବ୍ୟକ୍ତିମାନେ ଏହି ପିଲାଟିର ଅନ୍ତର ଭିତରେ ତିକ୍ତତା ଏବଂ ଅବିଶ୍ୱାସର ମଞ୍ଜିଟିଏ ବେଶ୍ ପୋତି ଦେଇ ପାରିଥିଲେ । ସିଏ ଯେ ଭଲ ଉପରେ ପ୍ରକୃତରେ ବିଶ୍ୱାସ କରିବ, ସେଥିଲାଗି କ’ଣ କରାଯାଇପାରିବ ?

 

କୋଷ୍ଟିଆକୁ ସାତ ବର୍ଷର୍ ହୋଇଯାଇଥିଲା । ତଥାପି ସିଏ ସ୍କୁଲ ଆରମ୍ଭ କରି ନଥିଲା । ତା’ବାପା, ସାବତ ମାଆ ଆଉ ଜେଜେବାପା ତାକୁ ସ୍କୁଲକୁ ନେଇ ଆସିଲେ । ଯୁଦ୍ଧର ଦୁଃଖାବହତା ଏହି ପିଲାଟିକୁ ମଧ୍ୟ ସ୍ପର୍ଶ କରି ସାରିଥିଲା । ଫାସିଷ୍ଟ ଆକ୍ରମଣକାରୀମାନଙ୍କ ହାତରୁ ଗାଆଁଟି ମୁକ୍ତ ହେବାର କେତେ ସପ୍ତାହ ପରେ କୋଷ୍ଟ୍ୟାର ଗର୍ଭବତୀ ମାଆ, ତାଙ୍କ ସନ୍ତାନପ୍ରସବ ଖୁବ୍ ନିକଟବର୍ତ୍ତୀ ହୋଇଯାଇଥିଲା । କୋଉଠୁ ଧାତୁନିର୍ମିତ କେତେକ ଦ୍ରବ୍ୟ ଦେଖିବାକୁ ପାଇଲେ ଓ ସେଗୁଡ଼ିକୁ ନେଇ ଖେଳିବା ପାଇଁ ନିଜର ସାତ ବର୍ଷର ସନ୍ତାନକୁ ଦେଲେ । ସେଗୁଡ଼ିକ ଭିତରେ ଗୋଟିଏ ମାଇନ୍‍ର ଫିଉଜ୍ ମଧ୍ୟ ରହିଥିଲା । ଫିଉଜ୍‍ଟା ଠୋ କରି ଫାଟିଲା ଏବଂ ପୁଅଟି ମରିଗଲା । ତା’ପରେ ମାଆ ବେକରେ ଦଉଡ଼ା ଦେଇଦେଲେ । ମାତ୍ର ଅତି ବିଳମ୍ବ ହୋଇଯିବା ପୂର୍ବରୁ କେତେକ ଲୋକ ଆସିଯାଇଥିଲେ ଓ ତାଙ୍କୁ ଫାଶରୁ ମୁକୁଳାଇ ଆଣିଲେ ଏବଂ ସେହି ମରଣ ମୁହୂର୍ତ୍ତରେ ହିଁ କୋଷ୍ଟା ଜନ୍ମ ହେଲା । ଗୋଟାଏ ଆକସ୍ମିକ ସଂଯୋଗ ଫଳରେ ପିଲାଟି ବଞ୍ଚିଗଲା ବୋଲି କହିବାକୁ ହେବ; ପଡ଼ିଶାର ଜଣେ ମହିଳା ନିଜ ପିଲାଟି ସହିତ ତାକୁ ମଧ୍ୟ ସ୍ତନ୍ୟପାନ କରାଇ ଦେଇଥିଲେ । ତା’ପରେ ବାପା ଯୁଦ୍ଧରୁ ଫେରିଲେ । ସେ ପିଲାଟି ପ୍ରତି ଭାରି ଆସକ୍ତ ହୋଇ ପଡ଼ିଥିଲେ । ତାକୁ ସୁରକ୍ଷା ଦେଲେ ଏବଂ ଖୁବ୍ ଗେହ୍ଲାରେ ରଖିଲେ । ତା’ର ସାବତ ମାଆ ଜଣେ ଭଲ ମଣିଷ ଥିଲେ । ତା’ ଜେଜେବାପା ମଧ୍ୟ ତାକୁ ଭଲ ପାଉଥିଲେ । ମାତ୍ର କୋଷ୍ଟ୍ୟାକୁ ପାଞ୍ଚବର୍ଷ ହୋଇଥିବା ସମୟରେ ପୁଣି ଏକ ଦୁର୍ଭାଗ୍ୟ ଆସି ପହଞ୍ଚିଲା । ପରିବା କିଆରୀରେ ସିଏ ମଧ୍ୟ ଧାତୁରେ ତିଆରି ଗୋଟିଏ ଚକ୍‌ଚକ୍‌ ଜିନିଷ ଦେଖିବାକୁ ପାଇଥିଲା ଓ ସେଇଟିକୁ ନେଇ ଆଉ ଗୋଟିଏ କ’ଣ ଜିନିଷ ଉପରେ ପିଟି ଖେଳିବାକୁ ଆରମ୍ଭ କରିଦେଲା । ସେଇଟାରୁ ଏକ ବିସ୍ଫୋରଣ ଘଟିଲା ଓ ରକ୍ତ ଜୁଡ଼ୁବୁଡ଼ୁ ପିଲାଟିକୁ ଡାକ୍ତରଖାନା ନେଇ ନିଆଯାଇଥିଲା । କୋଷ୍ଟ୍ୟା ଭଲ ହେଲା ସିନା, ମାତ୍ର ପଙ୍ଗୁ ହୋଇଗଲା । ସାରା ଜୀବନ ନିମନ୍ତେ ତାକୁ ବାଆଁ ହାତ ଓ ବାଆଁ ଆଖି ହରାଇବାକୁ ପଡ଼ିଲା ଏବଂ ଦାରୁଦର ନୀଳ ଗୁଣ୍ଡଗୁଡ଼ାକ ତା’ର ମୁହଁକୁ ମଧ୍ୟ ସବୁ ଦିନ ପାଇଁ ବିକୃତ କରିଦେଇଥିଲା ।

 

କହିଲୁ କୋଷ୍ଟ୍ୟା, ତୋତେ କ’ଣ କେତେ ଆଣି ଦେଇ ପାରିଲେ, ହୃଦୟର କେତେ ଉଷ୍ମତା ଓ ସ୍ନେହଭରା ଆଲିଙ୍ଗନ ଦେଇ ପାରିଲେ ତୁ ଜଣେ ସୁଖୀ ମଣିଷରେ ପରିଣତ ହୋଇପାରିବୁ । ତୋ’ ବାପା, ଦୟାଶୀଳା ସାବତମାଆ ଓ ଜେଜେବାପାଙ୍କୁ ମୁଁ କିପରି କ’ଣ ସବୁ କହିଲେ ଯାଇ ସେମାନେ ତୋତେ ଉଚିତ ଭାବରେ ଭଲ ପଢ଼ିବାକୁ ସମର୍ଥ ହେବୁ ? ଘର ଲୋକେ କହୁଛନ୍ତି ଯେ, ବେଳେ ବେଳେ ତୋର ମୁଣ୍ଡ ଖୁବ୍ ବିନ୍ଧୁଛି । ତୋ’ ପାଠପଢ଼ାକୁ କିପରି ଅଧିକ ସହଜ କରାଯାଇ ପାରିବ, ତୋ ସ୍ୱାସ୍ଥ୍ୟର ଉନ୍ନତି ଘଟିବ ଏବଂ ତୋ ମୁହଁ ଉପରେ ରହିଥିବା ବିଷଣ୍ଣତା ଦୂର ହୋଇଯିବ ? ତୋ’ ବାପା କହୁଛନ୍ତି ଯେ, ବେଳେବେଳେ ତୁ କାହିଁକି କେଜାଣି ଅଚେତା ହୋଇ ଯାଉଛୁ ଓ କାନ୍ଦୁଛୁ । ତୋ’ ବୟସର ପିଲାମାନେ ଯେଉଁସବୁ ଖେଳ ଖେଳୁଛନ୍ତି, ସେଗୁଡ଼ିକରେ ତୋର କୌଣସି ଆଗ୍ରହ ହେଉନାହିଁ ।

 

ଧୂସର ବର୍ଣ୍ଣର ଆଖି ଥିବା ଓ ସର୍ବଦା ଚିନ୍ତାମଗ୍ନ ହୋଇ ରହୁଥିବା ସ୍ଲାଭା ମାଆ ସେପାଖରେ ବସିଛି । ତା’ର ମାଆ ଏକୁଟିଆ, ଅତ୍ୟନ୍ତ କଠିନ ଜୀବନ, ବୟସ ପଚାଶ ପାଖାପାଖି ହେଲାଣି । ସାନ ବେଳେ ସେ ସୁଖର କେତେ ସ୍ୱପ୍ନ ଦେଖୁଥିଲେ; ମାତ୍ର ଦେଖିବାକୁ ସୁନ୍ଦର ନଥିବାରୁ କେହି ତାଙ୍କୁ ବିବାହ କରିବାକୁ ମନ କଲେ ନାହିଁ । ଏହିପରି ଭାବରେ ବୟସ ଚାଲିଗଲା ଓ ସେ ବ୍ୟକ୍ତିଗତ ସୁଖରୁ ବଞ୍ଚିତ ହୋଇ ରହିଲେ । ତା’ପରେ ଯୁଦ୍ଧ ଶେଷ ହେବା ପରେ ତାଙ୍କରି ପରି ଏପର୍ଯ୍ୟନ୍ତ ବାହା ହୋଇ ନଥିବା ଜଣେ ପୁରୁଷ ଘରକୁ ଫେରି ଆସିଲେ । ତାଙ୍କର ଦେହଯାକ କ୍ଷତର ଦାଗ । ଏହି ପୁରୁଷ ତାଙ୍କୁ ଭଲ ପାଇଲେ ଓ ସେମାନଙ୍କର ବିବାହ ହୋଇଗଲା । ମାତ୍ର ସେମାନଙ୍କର ସେହି ସୁଖ ଅତି ଅଳ୍ପ ଦିନରେ ଶେଷ ହୋଇଗଲା, କାରଣ ସ୍ୱାମୀ ଇହଲୋକରୁ ଚାଲିଗଲେ । ମହିଳା ତା’ପରେ ତାଙ୍କର ସମସ୍ତ ଭଲ ପାଇବାକୁ ଆଣି ନିଜ ପୁଅଟି ପାଖରେ ଅଜାଡ଼ି ଦେଲେ, ମାତ୍ର ଉଚିତ ଭାବରେ ଲାଳନ ପାଳନ କରିପାରିଲେ ନାହିଁ । ସମସ୍ତେ କହନ୍ତି ଯେ, ସ୍ଲାଭାକୁ ମଣିଷ ଭଲ ଲାଗନ୍ତି ନାହିଁ । ସିଏ କୁଆଡ଼େ ଦିନ ପରେ ଦିନ ଖାଲି ଘରେ ବସି ରହିଥାଏ ଏବଂ ତୁମେ ତାକୁ କିଛି କର ବୋଲି କହିଲେ ସିଏ ତୁମ ଆଡ଼କୁ ବଲବଲ କରି ଅନାଏ । ବର୍ତ୍ତମାନ ମଧ୍ୟ ମୁଁ ତା’ର ଆଖି ଦୁଇଟି ଆଡ଼କୁ ଅନାଇବା ମାତ୍ରକେ ସେଗୁଡ଼ିକ ସତେଅବା ଭାରି ତୀକ୍ଷ୍‍ଣ ଏବଂ ସତର୍କ ହୋଇଯାଉଛନ୍ତି ।

 

ମୋ’ ଭାବୀ ଛାତ୍ରମାନଙ୍କୁ ମୁଁ କ୍ରମେ ଯେତିକି ଅଧିକ ଭଲ ଭାବରେ ଜାଣିବାରେ ସମର୍ଥ ହେଲି, ମୋ’ର ସେତିକି ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ନିଜ ଘରେ ଏହି ଯେଉଁମାନେ ନିଜ ପିଲାଦିନଟିକୁ ବଞ୍ଚିବାର ସୌଭାଗ୍ୟ ପାଇ ପାରିନାହାନ୍ତି, ସେମାନଙ୍କୁ ସେହି ପିଲାଦିନଟିକୁ ଆଣିଦେବା ହିଁ ମୋ’ର ସର୍ବପ୍ରଧାନ କାର୍ଯ୍ୟ ହୋଇ ରହିବ ।

 

ବିଦ୍ୟାଳୟରେ ତିନିବର୍ଷ କାର୍ଯ୍ୟ କରିବାର ଅବଧି ମଧ୍ୟରେ ମୁଁ ଏହିପରି ଡଜନେ ଡଜନେ ପିଲାଙ୍କ ସହିତ ପରିଚିତ ହୋଇଥିଲି । ଜୀବନରୁ ଏହି ଶିକ୍ଷାଟି ମିଳୁଛି ଯେ, ଯଦି ନ୍ୟାୟ ଏବଂ ଭଲ ଉପରେ ଗୋଟିଏ ପିଲାର ବିଶ୍ୱାସକୁ ତୁମେ ଫେରାଇ ନଆଣି ପାରିବ, ତେବେ ସିଏ ନିଜକୁ କେବେହେଲେ ପ୍ରକୃତରେ ଜଣେ ମନୁଷ୍ୟ ବୋଲି ଅନୁଭବ କରିପାରିବ ନାହିଁ; ତା’ଭିତରେ ଏକ ଯଥେଷ୍ଟ ବ୍ୟକ୍ତିବୋଧ କଦାପି ଆସିବ ନାହିଁ । କିଶୋର ବୟସରେ ଏହି ପିଲାଟି ଭିତରେ ବହୁ ଦ୍ୱେଷ ସଞ୍ଚିତ ହୋଇ ରହିଥିବ । ଜୀବନରେ ଆଦୌ କିଛି ହେଲେ ତାକୁ ପବିତ୍ର ବୋଲି ଲାଗିବ ନାହିଁ । ତା’ଶିକ୍ଷକ ଯାହାସବୁ କହୁଥିବେ, ତାହା ତା’ର ହୃଦୟ ଭିତରକୁ ଆଦୌ ପହଞ୍ଚି ପାରୁନଥିବ ।

 

ଏହିପରି ଗୋଟିଏ ପିଲାର ଆତ୍ମାକୁ ଯାବତୀୟ କ୍ଷତରୁ ମୁକ୍ତ କରି ଆଣିବା, ଜଣେ ଶିକ୍ଷକ ନିମନ୍ତେ ଏହାହିଁ ହେଉଛି ଏକ ଅତ୍ୟନ୍ତ ଆୟାସକର କାର୍ଯ୍ୟ । ଅତ୍ୟନ୍ତ ସଂବେଦନଶୀଳ ଏବଂ ଶ୍ରମସାଧ୍ୟ କାର୍ଯ୍ୟଟି ହେଉଛି ମୂଳତଃ ଓ ପ୍ରଧାନତଃ ନିଜର ଛାତ୍ରମାନଙ୍କୁ ଜଣେ ମନୁଷ୍ୟ ହେବାର କଳାଟିକୁ ଶିକ୍ଷା ଦେବା । ଜଣେ ପିଲା ଯେପରି ଭଲ ଓ ମନ୍ଦ କ’ଣ ଜାଣି ପାରିବ, କେବଳ ସେହି ଉପାୟଟିକୁ ଜାଣିବା ଏବଂ ଘ୍ରାଣ କରିପାରିବା ହିଁ ସେହି କଳାଟିର ସମ୍ପୂର୍ଣ୍ଣ ଅର୍ଥ ନୁହେଁ, ଏହି କ୍ଷେତ୍ରରେ ପିଲାର ସମ୍ବେଦନଯୁକ୍ତ ହୃଦୟଟିକୁ ମନ୍ଦଠାରୁ ଉପଯୁକ୍ତ ଭାବରେ ସୁରକ୍ଷିତ କରି ରଖିବାକୁ ହେବ ।

 

ପିଲାମାନଙ୍କର ଆଖିଗୁଡ଼ିକ ଭିତରକୁ ଅନାଇ, - କଳା ଆଖି, ମାଟିଆ ଆଖି ଓ କେତେ ଭଳି ନୀଳ ରଙ୍ଗର ଆଖି - ସେମାନଙ୍କର ହୃଦୟଗୁଡ଼ିକୁ ଆବଶ୍ୟକ ଉଷ୍ମତା ଆଣି ଦେବା ଭଳି ଯଥେଷ୍ଟ ଭଲ ଏବଂ ସମଦରଦ ମୋ’ନିଜ ଭିତରେ ରହୁଛି କି ନାହିଁ, ମୁଁ ସେହି କଥା ଭାବୁଥିଲି । ନାଦେଳ୍‍ଦା କୃପସ୍କାୟାଙ୍କର ସେହି କଥାଗୁଡ଼ିକ ମୋ’ର ମନେ ପଡ଼ିଯାଇଥାଏ: “ଜଣେ ପିଲା କୌଣସି ବିଚାର ଏବଂ ଗୋଟିଏ ବ୍ୟକ୍ତିତ୍ୱକୁ ମୋଟେ ପରସ୍ପର ଠାରୁ ଅଲଗା କରି ଦେଖିପାରେ ନାହିଁ । ଯଦି ଶିକ୍ଷକଙ୍କୁ ସେ ଭଲ ପାଉଥିବ, ତେବେ ତାଙ୍କର କଥାଗୁଡ଼ିକ ସେ ଯେପରି ଭାବରେ ଗ୍ରହଣ କରିବ, ଆଉ ଜଣେ ଅପରିଚିତ କିମ୍ବା ସିଏ ଘୃଣା କରୁଥିବା ବ୍ୟକ୍ତିର କଥାକୁ ତା’ଠାରୁ ଏକାବେଳେକେ ଅନ୍ୟପ୍ରକାରେ ହିଁ ଗ୍ରହଣ କରିବ ।” ତେଣୁ ମୋତେ ମୁହଁର କଥା ଓ ବ୍ୟକ୍ତିଗତ ଦୃଷ୍ଟାନ୍ତ ଉଭୟ ଦ୍ୱାରା ଶିକ୍ଷା ଦେବାକୁ ହେବ । ମୋ’ର କଥା ଓ କାର୍ଯ୍ୟ ଦୁଇଟିଯାକରେ ହିଁ ପିଲାମାନେ ଭଲକୁ, ସୌନ୍ଦର୍ଯ୍ୟକୁ ଓ ସତ୍ୟକୁ ପଢ଼ି ପାରୁଥିବେ । ମୋ’ର ପ୍ରତ୍ୟେକ କଥାର ପଛରେ ଉଷ୍ମତା ରହିଥିବ, ସ୍ନେହ ରହିଥିବ, ସହୃଦୟତା ରହିଥିବ ।

 

ଝିଅ ଗାଲ୍ୟା ତା’ ବାପାଙ୍କ ସାଙ୍ଗରେ ଆସିଥିଲା । ତାକୁ ଓ ତା’ର ସାନ ଭଉଣୀକୁ ବହୁତ ଦୁଃଖ ମଧ୍ୟ ଦେଇ ଯିବାକୁ ହୋଇଛି: ପ୍ରଥମେ ମାଆ ମରିଗଲେ । ବର୍ଷକ ପରେ ବାପା ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ । ଅପରିଚିତ ମହିଳା ଜଣେ, ତଥାପି ଦୟାଶୀଳା, କୌଣସି ଅସାଧୁତା ନଥିବା ଏବଂ ସହାନୁଭୂତି ରଖିଥିବା ମହିଳା ଜଣେ ସେମାନଙ୍କ ଘରେ ଆସି ରହିଲେ । କୁନି ଝିଅ ଦୁହିଁଙ୍କର ହୃଦୟକୁ ଜୟ କରିବାକୁ ସିଏ ସବୁ ପ୍ରକାର ଚେଷ୍ଟା କରିଥିଲେ । ପିଲାମାନଙ୍କର ଭିତରର ଅନୁଭବଗୁଡ଼ିକୁ ସେ ଯତ୍ନର ସହିତ ବୁଝୁଥିଲେ । ପିଲାମାନେ ବଡ଼ ହୋଇ ତାଙ୍କୁ ଭଲ ପାଇବେ ବୋଲି ଆଶା ରଖିଥିଲେ । ସପ୍ତାହେ ଗଲା, ଗୋଟାଏ ମାସ ଚାଲିଗଲା; ମାତ୍ର ଗାଲ୍ୟା ଓ ତା’ସାନ ଭଉଣୀ ଭାଲ୍ୟା ସେମାନଙ୍କ ସାବତମାଆଙ୍କ ସହିତ କଥା କହିବାକୁ ବି ଆଗ୍ରହ ପ୍ରକାଶ କରି ନଥିଲେ । ସେମାନେ ସତେ ଯେପରି ଆଦୌ ନଦେଖୁଥିଲା ପରି ଆଚରଣ କରୁଥିଲେ । ମହିଳା ରୋଦନ କରିବାକୁ ଲାଗିଲେ – ତେବେ ସେ ଆଉ କ’ଣ କରିବେ ବୋଲି ସ୍ୱାମୀ ଓ ସ୍ୱଜନମାନଙ୍କର ପରାମର୍ଶ ଲୋଡ଼ିଲେ । ସିଏ କ’ଣ ଆଉ ସେଠା ଛାଡ଼ି ଦେଇ ଅନ୍ୟତ୍ର ଚାଲିଯିବେ କି ? ମାତ୍ର ଏଣେ ତାଙ୍କ ନିଜ କ୍ରୋଡ଼ରେ ମଧ୍ୟ ଛୁଆଟିଏ ରହିଥିଲା । ସିଏ ଆଶା କରିଥିଲେ ଯେ ଏହି କୁନି ଛୁଆଟି ଜନ୍ମ ହେବା ପରେ ଝିଅ ଦୁହିଁଙ୍କର ହୃଦୟ କୋମଳ ହୋଇ ଆସିବ । ମାତ୍ର ତାଙ୍କ ଆଶା ଆଶାରେ ହିଁ ରହିଗଲା । ଝିଅ ଦୁହେଁ ବିଶେଷତଃ ଗାଲ୍ୟା ଏହି କୁନି ଭାଇଟି ଉପରେ କୌଣସି ନଜର ମଧ୍ୟ ପକାଇବାକୁ ଇଚ୍ଛା କରୁନଥିଲେ । ଏହି ଝିଅଟିର ଅଭିମାନପୂର୍ଣ୍ଣ ହୃଦୟଟିକୁ ସ୍ପର୍ଶ କରିବା କିପରି ସମ୍ଭବ ହେବ ? ମାଆ ଓ ବାପାଙ୍କୁ କିଭଳି ପରାମର୍ଶ ଦେଇହେବ ? ବସ୍ତୁତଃ, ବାପା ଜଣକ ଆଗରୁ ମୋ’ପାଖକୁ ଆସି ତାଙ୍କ ହୃଦୟର ସବୁ କଥା ମୋତେ କହି ସାରିଥିଲେ । ମୁଁ ଉତ୍ତର ଦେଇ କହିଥିଲି ଯେ, କେବଳ ଗାଲ୍ୟାକୁ ଆହୁରି ଭଲ ଭାବରେ ଜାଣି ସାରିବାପରେ ଯାଇ ମୁଁ ସେମାନଙ୍କୁ କ’ଣ କରିବାକୁ ହେବ ବୋଲି କିଛି କହିପାରିବି ।

 

ମୋଟୀ, ଧୂସର ଆଖି ଥିବା ଓ ମୁରୁକି ମୁରୁକି ହସୁଥିବା ଲାରିସା ତା’ମାଆଙ୍କ ଆରପାଖକୁ ବସିଥିଲା । ହାତରେ ସେବତୀ ଫୁଲଟିଏ ଧରିଥାଏ । ତା’ମାଆଙ୍କର ହୃଦୟ ଦୁଃଖରେ ଭାରି ହୋଇ ରହିଛି ବୋଲି ମୁଁ ଆଗରୁ ଜାଣିଥାଏ । ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଯାଇଥିଲେ ଏବଂ ସାନ ଝିଅଟିର ତା’ବାପାଙ୍କ କଥା କିଛି ମନେ ନଥିଲା । ମାତ୍ର, “ବାପା ଘରକୁ ଆସିବେ” ବୋଲି ମାଆ ତାକୁ କହିବାରେ ଲାଗିଥିଲେ । ପରେ ଏହି ମହିଳାଙ୍କର ଜଣେ ଉତ୍ତମ ବ୍ୟକ୍ତିଙ୍କ ସହିତ ବିବାହ ହେଲା ଏବଂ ଏହି ବ୍ୟକ୍ତି ଯେ ତା’ର ପ୍ରକୃତ ବାପା, ଝିଅଟିକୁ ଏହି ବିଶ୍ୱାସ ଦେବାରେ ସେ ସଫଳ ବି ହୋଇଥିଲେ । ଲାରିସା ସେହି ବ୍ୟକ୍ତିଙ୍କୁ ଭଲ ବି ପାଇଲା; ମାତ୍ର କାଳେ ଅଣହୁସିଆର ଭାବରେ କୌଣସି ଶବ୍ଦ ବାହାରକୁ ବାହାରି ପଡ଼ିବ ଓ ତାଙ୍କ କହିଥିବା ମିଛଟି ଧରା ପଡ଼ିଯିବ, ସେଥିଲାଗି ତା’ର ମାଆ ସର୍ବଦା ଭୟଭୀତ ହୋଇ ରହିଥିଲେ । ପିଲାଟି ବେଶ୍ ଖୁସୀଥାଏ, ମାତ୍ର କୌଣସି ନିର୍ଦ୍ଦୟ କଥାର ତୀକ୍ଷ୍‍ଣ ଆଘାତରୁ ତା’ର ହୃଦୟକୁ ରକ୍ଷା କରିବା ନିମନ୍ତେ ଖୁବ୍ ସତର୍କ ରହିବାକୁ ହେଉଥାଏ । ତା’ର ଉତ୍ତମ ବାପାମାଆଙ୍କର ସାହାଯ୍ୟରେ ତାହା କରାଯାଇ ପାରିବ କି ? ସିଏ ତ ଝିଅଟିର ପ୍ରକୃତ ବାପା ନଥିଲେ, ମାତ୍ର ଏହି ପିଲାଟିର ସାବତ ମାଆଙ୍କ ପରି ଅନ୍ୟ ପ୍ରତ୍ୟେକ ପିଲାଙ୍କର ପ୍ରକୃତ ବାପା ଏତେ ଭଲ ହୋଇ ପାରୁଛନ୍ତି କି ? ଏହି ବାପାଙ୍କୁ ମୁଁ ଯେତିକି ଅଧିକ ଭଲ ଭାବରେ ଜାଣିଲି, ମୋ’ର ସେତିକି ଦୃଢ଼ ବିଶ୍ୱାସ ହୋଇଗଲା ଯେ, ଗୋଟିଏ ପିଲାର ଲାଳନପାଳନ କରୁଥିବା ମନୁଷ୍ୟଟି ହେଉଛି ପ୍ରକୃତ ବାପା । ବାହାରକୁ ଯାଇଥିବା ବେଳେ ମୁଁ ଅନେକ ସମୟରେ ସେହି ପରିବାରକୁ ଯାଉଥିଲି ଏବଂ ସବୁଥର ବିଶେଷ କରି ଗୋଟାଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲି: ଠିକ୍ ସାବତ ବାପାଙ୍କର ଆଖି ପରି ଏହି କୁନିଝିଅଟିର ଆଖିରେ ମଧ୍ୟ ଦୟାର୍ଦ୍ରତା, ସଦିଚ୍ଛା ଏବଂ ସହାନୁଭୂତି ବିଦ୍ୟମାନ ରହିଥିଲା । ଠିକ୍ ସାବତ ବାପାଙ୍କର ଆଖିଗୁଡ଼ିକ ପରି ପିଲାଟିର ଆଖିଗୁଡ଼ିକ ମଧ୍ୟ କୌଣସି ସୁନ୍ଦର ପଦାର୍ଥର ସମ୍ମୁଖରେ ସେହି ଏକାଭଳି ପ୍ରେରଣା ଏବଂ ବିସ୍ମୟ ପ୍ରକଟ କରି ଆଣୁଥିଲେ । ଏପରିକି ତା’ର ଅଙ୍ଗଭଙ୍ଗୀ, ବିସ୍ମୟର ଅଭିବ୍ୟକ୍ତି, ସ୍ଫୂର୍ତ୍ତି ଏବଂ କଠୋରତା, - ଏହି ସବୁଗୁଡ଼ିକୁ ଲାରିସା ସତେ ଯେପରି ତା’ର ଏହି ବାପାଙ୍କ ଠାରୁ ପାଇଥିଲା ।

 

ଫେଡ଼୍ୟା - ତା’ର ମଧ୍ୟ ବାପା ନଥିଲେ । ଏବଂ, ମାଆ କେବେ ଥରେ ଏକ ଗର୍ହିତ ଆଚରଣ କରିଥିଲେ ବୋଲି ସିଏ ଅନ୍ୟମାନଙ୍କ ଠାରୁ କଟୁ ମନ୍ତବ୍ୟମାନ ଶୁଣି ସାରିଥିଲା । ତା’ ଶିଶୁସୁଲଭ ଆତ୍ମାଟି ବଡ଼ ଦ୍ୱିଧାରେ ପଡ଼ି ଯାଇଥିଲା: ବାପା ଯୁଦ୍ଧକ୍ଷେତ୍ରରେ ପ୍ରାଣବଳି ଦେଇଛନ୍ତି ବୋଲି ତା’ର ମାଆ ଯେତେବେଳେ କହୁଛନ୍ତି, ସେତେବେଳେ ମାଆଙ୍କ ବିଷୟରେ ସିଏ ଶୁଣୁଥିବା ଏହିସବୁ କଥା ସତ ହୋଇପାରିବ କିପରି ? ଯୁଦ୍ଧର ବହୁ ପୂର୍ବରୁ ମୁଁ ଫେଡ଼୍ୟାର ମାଆଙ୍କୁ ଜାଣିଥିଲି-। ଯୁଦ୍ଧ ସମୟରେ ହିଁ ତାଙ୍କର ଜୀବନ ଏକ ଦୁଃଖପୂର୍ଣ୍ଣ ଦିଗରେ ବଙ୍କେଇ ହୋଇ ଚାଲି ଯିବାକୁ ଆରମ୍ଭ କଲା । ମନୁଷ୍ୟସମ୍ବନ୍ଧର ଜଟିଳ ପୃଥିବୀଟି ମଧ୍ୟକୁ ଏହି ପିଲାଟିକୁ କିପରି ବାଟ ଦେଖାଇ ନିଆଯାଇ ପାରିବ, ଯେପରିକି ଏହିସବୁ ଉତ୍ପୀଡ଼ନକାରୀ ପ୍ରଶ୍ନମାନ ପିଲାଟିକୁ ଆଉ କୌଣସି କଷ୍ଟ ଦେଇପାରିବ ନାହିଁ ।

 

ଆମେ ଶିକ୍ଷାଦାତାମାନେ ଏହି କଥାଟିକୁ ଭୁଲିଯାଉ ଯେ, ସାନ ପିଲାମାନଙ୍କ ପାଇଁ ପୃଥିବୀବିଷୟକ ଯାବତୀୟ ଜାଣିବା ଗୋଟିଏ ଗୋଟିଏ ବ୍ୟକ୍ତିକୁ ଜାଣିବାରୁ ହିଁ ଆରମ୍ଭ ହୋଇଥାଏ-। ପିଲାଟିର ବାପା ତା’ର ମାଆକୁ ଯେଉଁ ପ୍ରକାରର ଗଳାରେ କଥାମାନ କହୁଥାନ୍ତି, ସେତେବେଳେ ବାପା ଯେପରି ଭାବ ଦେଖାଉଥାନ୍ତି ଅଥବା ଅଙ୍ଗଭଙ୍ଗୀ ଦେଖାଉଥାଆନ୍ତି, ସେଇଥିରୁ ହିଁ ପିଲା ଭଲ ଆଉ ମନ୍ଦ ବିଷୟରେ ସାକ୍ଷାତ ଜ୍ଞାନ ପାଇଯାଇଥାଏ । ମୁଁ ଏପରି ଗୋଟିଏ କୁନି ବୁଇକୁ ଜାଣିଥିଲି, ଯିଏକି, ଯେତେବେଳେ କି ତା’ର ବାପା କାମରୁ ଘରକୁ ବଡ଼ ବିଷଣ୍ଣ ହୋଇ ଫେରୁଥିଲେ, କୌଣସି କଥା କହୁନଥିଲେ ଏବଂ ତା’ର ମାଆ ତାଙ୍କୁ ପ୍ରସନ୍ନ କରାଇବା ନିମନ୍ତେ ସାଧ୍ୟମତେ ସବୁକିଛି ଚେଷ୍ଟା କରୁଥିଲେ, ସିଏ ସେତେବେଳେ ବଗିଚାର ଗୋଟିଏ ଦୂର କୋଣକୁ ଚାଲିଯାଇ ସେଠି ବସି ନୀରବରେ କାନ୍ଦିବାକୁ ଲାଗୁଥିଲା । ନିଜ ବାପାଙ୍କ ପ୍ରତି କ୍ରୋଧ ଏବଂ ମାଆଙ୍କ ପ୍ରତି କରୁଣାରେ ତା’ର ହୃଦୟ ଫାଟି ଯିବାପରି ମନେ ହେଉଥିଲା ।

 

ମାନବ-ସମ୍ବନ୍ଧର କେବଳ ଏହିସବୁ ଉପରିଆ ପ୍ରଥମ ଘଟଣାଗୁଡ଼ିକୁ ଗୋଟିଏ ପିଲା ବେଶ୍ ଠଉରାଇ ନେଇଥାଏ । ମାତ୍ର, ଯେତେବେଳେ ବାପା କି ମାଆ ତା’ଆଗରେ ଆସି କହନ୍ତି ଯେ, ସେମାନେ ଆଉ ପରସ୍ପରକୁ ଭଲ ପାଉନାହାନ୍ତି ଏବଂ ସିଏ ବୋଝ ହୋଇ ରହି ନଥିଲେ ନିଶ୍ଚୟ ଛାଡ଼ପତ୍ର ଦେଇ ଅଲଗା ହୋଇ ଯାଆନ୍ତେ, ସେତେବେଳେ ପିଲାଟିର ହୃଦୟ ଭିତରେ କ’ଣ ସବୁ ପ୍ରତିକ୍ରିୟା ହେଉଥିବ କହିଲେ !

 

ନିନା ଆଉ ସାଶା ହେଉଛନ୍ତି ଯାଆଁଳା ଭଉଣୀ । ସେମାନଙ୍କର ବାପା ସେମାନଙ୍କୁ ନେଇ ସ୍କୁଲକୁ ଆସିଥିଲେ । ବହୁତ ପିଲା ଥିବା ଏହି କୁଟୁମ୍ବଟିର (ନିନା ଆଉ ସାଶୀଙ୍କୁ ଛାଡ଼ି ଘରେ ଆହୁରି ଚାରିଜଣ ପିଲା ଥିଲେ) ନିଜର ବହୁତ ଅସୁବିଧା ରହିଥିଲା । ମାଆ ଗତ ଏକାଧିକ ବର୍ଷ ଧରି ରୋଗାକ୍ରାନ୍ତ ହୋଇ ବିଛଣାରେ ପଡ଼ିଥିଲେ । ବଡ଼ ଝିଅମାନେ ଘରର କାମସବୁ କରୁଥିଲେ । ବାପାଙ୍କୁ ପ୍ରକୃତରେ ବହୁ କଷ୍ଟ ମଧ୍ୟ ଦେଇ ଯିବାକୁ ପଡ଼ୁଥିଲା । ନିନା ଆଉ ସାଶୀଙ୍କର ମଧ୍ୟ କାମ ବିଷୟରେ ଅଭିଜ୍ଞତା ହୋଇ ଯାଇଥିଲା । ସେମାନଙ୍କର ଘରେ ଆନନ୍ଦ ବୋଲି ଆଦୌ କିଛି ନଥିଲା-। ଯେତେବେଳେ ଝିଅ ଦୁଇଜଣ ଗୋଟିଏ ପୁଅ ପିଲା ହାତରେ ଏକ ସବୁଜ ରବର ବଲ୍ ଦେଖିବାକୁ ପାଇଲେ, ସେତେବେଳେ ସେମାନଙ୍କର ଆଖି ତତ୍‌କ୍ଷଣାତ୍‌ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଥିଲା, ମାତ୍ର ତାହା ସଙ୍ଗେ ସଙ୍ଗେ ଗଭୀର ଦୁଃଖରେ ଏପରି ଏକ ଚାହାଣୀକୁ ପରିବର୍ତ୍ତିତ ହୋଇ ଯାଇଥିଲା ଯେ, ମୋ’ ହୃଦୟ ସେମାନଙ୍କ ପାଇଁ ପ୍ରକୃତରେ ଆର୍ତ୍ତନାଦ କରି ଉଠିଲା । ଏହି ପିଲାମାନଙ୍କୁ ପ୍ରକୃତରେ କିପରି ଭାବରେ ବାଲ୍ୟଜୀବନରେ ପ୍ରଶାନ୍ତ ଆନନ୍ଦଟିକୁ ଆଣି ଦେଇହେବ-? ମୁଁ ପ୍ରକୃତରେ ତାହା କରିପାରିବି କି ? ସେମାନଙ୍କ ବାପା ତ ମୋତେ କହି ସାରିଥିଲେ ଯେ, ପିଲାମାନେ ପ୍ରତ୍ୟହ କେବଳ ଗୋଟିଏ ଘଣ୍ଟା ପାଇଁ ସ୍କୁଲକୁ ଆସିବେ, କାରଣ ଘରେ ମଧ୍ୟ ସେମାନଙ୍କୁ କାମରେ ସାହାଯ୍ୟ କରିବାକୁ ପଡ଼ିବ ।

 

ଗୋଟିଏ ଡେଙ୍ଗା ଓ ଝଙ୍କା ନାସପାତି ଗଛର ଛାଇରେ ଆମେ ଘାସ ଉପରେ ବସିଥାଉ-। ଶିକ୍ଷା କିପରି ହେବା ଉଚିତ ବୋଲି ମୁଁ ଯାହା ବୁଝେ, ସେମାନଙ୍କୁ ମୁଁ ବୁଝାଇ କହୁଥିଲି । ପିଲାମାନଙ୍କ ଉପସ୍ଥିତିରେ ବାପାମାଆଙ୍କୁ ଯେତିକି କୁହାଯାଇପାରେ, ଏହିସବୁ ବିଷୟରେ ମୁଁ ସେତିକି କହିବାକୁ ଚେଷ୍ଟା କରୁଥିଲି । ମାତ୍ର ତଥାପି ପ୍ରତ୍ୟେକ ପରିବାରର ଯାବତୀୟ ସମସ୍ୟା ଓ ସଂଗ୍ରାମଗୁଡ଼ିକ ବିଷୟରେ ମୋ’ମୁଣ୍ଡ ଭିତରେ ରହିଥିବା ସବୁ କଥାକୁ ମୁଁ ଆଦୌ କହିପାରିଲି ନାହିଁ-। ପ୍ରତ୍ୟେକ ବ୍ୟକ୍ତିର ଅବଶ୍ୟ ନିଜର ଏକାଧିକ ଦୁଃଖ ଓ ଜଞ୍ଜାଳ ରହିଛି ସତ, ମାତ୍ର ସେଗୁଡ଼ିକୁ ସାରା ପୃଥିବୀ ଆଗରେ ଦର୍ଶାଇ ଦେଇପାରିବା, ଅନ୍ୟମାନଙ୍କର ଉପସ୍ଥିତିରେ ପରାମର୍ଶମାନ ଦେବା, – ତାହାର ଅର୍ଥ ହେବ ଯେ, ତୁମେ ଆଉଜଣଙ୍କର ଆତ୍ମାଟାକୁ ଭିତରୁ କାଢ଼ି ବାହାରକୁ ଦେଖାଇ ଦେଇ ପାରୁଥିବ; ଯାହା ଏକାନ୍ତ ନିଜର ଓ ଏକାନ୍ତ ବ୍ୟକ୍ତିଗତ, ତାହା ଉପରେ ସମସ୍ତଙ୍କର ଦୃଷ୍ଟି ପଡ଼ିଲା ଭଳି ଟେକି କରି ଧରି ରଖୁଥିବ । ଏସବୁକୁ ମୁଁ ଅବଶ୍ୟ ଜାଣିଥିବି ସତ, ମାତ୍ର ସବୁ ବାପାମାଆଙ୍କ ସାମନାରେ ସେହି ସବୁ ଉପରେ କହିବା ଉଚିତ ହେବ ନାହିଁ । ଯଦି ବାପାମାଆଙ୍କର ଗଭୀର ହୃଦୟତଳ ଯାଏ ଯିବାର ଆବଶ୍ୟକତା ରହିଥାଏ, ତେବେ କେବଳ ବ୍ୟକ୍ତିଗତ କଥାବାର୍ତ୍ତାରେ ହଁ ତାହା କରାଯାଇପାରିବ । ଏବଂ, ସେତେବେଳେ ମଧ୍ୟ ପ୍ରତ୍ୟେକ ବିଷୟକୁ ହଜାରବାର ଓଜନ କରି ଦେଖିବାକୁ ପଡ଼ୁଥିବ । ମୁଁ ଯେଉଁ ବାପାମାଆମାନଙ୍କ ବିଷୟରେ କହୁଛି, (ମୋ’ପିଲାମାନଙ୍କର ପ୍ରାୟ ସବୁ ବାପାମାଆ ଭାରି ଭଲ ମଣିଷ ହିଁ ଥିଲେ) ସେମାନଙ୍କର କ୍ଷତପୂର୍ଣ୍ଣ ହୃଦୟ, ବିପତ୍ତି, ଅପରାଧ, ଦୁଃଖ, ଉଦ୍‌ବେଗ ଏବଂ କଷ୍ଟଭୋଗଗୁଡ଼ିକ ପ୍ରକୃତରେ ଏତେ ବ୍ୟକ୍ତିଗତ ଯେ, ମୁଁ ସେଗୁଡ଼ିକୁ ଗୋଟିଏ ସାଧାରଣ ସତ୍ୟ ଭଳି ଆଦୌ ବର୍ଣ୍ଣନା କରି ପାରିବିନାହିଁ-। ଯେତେବେଳେ ଏହି ମନୁଷ୍ୟମାନଙ୍କ ଭିତରେ ଅତ୍ୟନ୍ତ ଜଟିଳ ଭାବରେ ପରସ୍ପର ସହିତ ଗୁଡ଼ାଇ ହୋଇ ରହିଥିବା ଭଲ ଓ ମନ୍ଦଗୁଡ଼ାକ ମୋ’ ଆଗରେ ପ୍ରକଟ ହୋଇଯାଉଥିଲା, ସେତେବେଳେ ମୁଁ ଭଲ କରି ଉପଲବଧି କରୁଥିଲି ଯେ, କୌଣସି ବାପାମାଆ ଜାଣିଶୁଣି କଦାପି ନିଜର ପିଲାମାନଙ୍କ ପାଇଁ ଏକ ମନ୍ଦ ଦୃଷ୍ଟାନ୍ତ ହୋଇ ରହିବାକୁ ଇଚ୍ଛା କରୁନଥିଲେ ।

 

ସମ୍ଭବତଃ ପାଠକ ସମ୍ମୁଖରେ ମୁଁ ଏକାବେଳକେ ଗୁଡ଼ାଏ ଦୁଃଖ ଓ ପ୍ରତିକୂଳ ଅବସ୍ଥାଗୁଡ଼ିକର କଥା କହିପକାଇଲି: ସେକଥା ଯାହା ହୋଇଥାଉ ପଛକେ, ମୁଁ କେବଳ ପିଲାମାନଙ୍କର ଗୋଟିଏ ସମୂହ ବିଷୟରେ ହିଁ ଯାହା କହୁଥିଲି । ଅବଶ୍ୟ ଆମେ କଦାପି ଭୁଲିଯିବା ନାହିଁ ଯେ, ଏହି ସବୁକିଛି କ୍ଷତ ହେଉଛି, ଯୁଦ୍ଧ ହେତୁ ପ୍ରାପ୍ତ ହୋଇଥିବା କ୍ଷତ । ଯୁଦ୍ଧର ପ୍ରଥମ କେତୋଟି ବର୍ଷ ଦୂର ଅତୀତ ଭିତରେ ଯାଇ ରହିଲାଣି । ସେହି ବର୍ଷଗୁଡ଼ିକର ଦାରୁଣ କ୍ଷତସବୁ ଭଲ ହୋଇଗଲାଣି । ସେକାଳର ପିଲାଏ ବଡ଼ ହୋଇ ନିଜେ ବାପାମାଆ ହେଲେଣି, ୧୯୪୪-୪୫ ମସିହାର ବିଜୟ–ଅଭିବାଦନର ଆଲୋକରେ ଯେଉଁମାନଙ୍କର ପ୍ରଥମ ଶବ୍ଦପରିଚୟ ହୋଇଥିଲା, ଯୁଦ୍ଧ ପରର ପ୍ରଥମ କେତେ ବର୍ଷରେ ଯେଉଁମାନେ ପାଠ ଆରମ୍ଭ କରିବାକୁ ବିଦ୍ୟାଳୟକୁ ଆସିଥିଲେ, ସେମାନଙ୍କର ଏହି ସ୍କୁଲକୁ ଆସିବା ମଧ୍ୟ ବହୁ ବର୍ଷ ପୁରୁଣା ହୋଇଗଲାଣି ଓ ସେମାନଙ୍କ ଭିତରୁ କେତେଜଣ କ୍ରମେ ଆଦ୍ୟ ଯୌବନରେ ମଧ୍ୟ ପ୍ରବେଶ କରିସାରିଲେଣି । ସେଥିରୁ ହୁଏତ ମନେ ହେବ ଯେ, ବର୍ତ୍ତମାନର ତରୁଣ ପରିବାରଗୁଡ଼ିକର ଜୀବନ ନିଶ୍ଚୟ ଅତ୍ୟନ୍ତ ସୁଖୋଜ୍ଜ୍ୱଳ ହୋଇ ରହିଥିବ । ମାତ୍ର, ବାସ୍ତବ ଜୀବନଟା ଆଦୌ ସେଭଳି ହୁଏ ନାହିଁ । ଏବେ ମଧ୍ୟ ଦୁଃଖ ଅଛି, ଦୁର୍ଭାଗ୍ୟ ରହିଛି, ବିଷାଦ ହିଁ ଭୋଗିବାକୁ ପଡ଼ୁଛି । ଏତିକି ବ୍ୟତୀତ ସେହି ବର୍ଷଗୁଡ଼ିକ ବିଷୟରେ ଆଉ ଅଧିକ କିଛି କହିବାର ନାହିଁ । ମୁଁ ଭାରି ଖୁସୀ ଯେ, ସେହି ସମୟର ଅଧିକାଂଶ ବାପା ଓ ମାଆ ସେମାନଙ୍କର କହିବା ଅନୁସାରେ ଶାନ୍ତି ଏବଂ ସଦିଚ୍ଛାପୂର୍ଣ୍ଣ ଉତ୍ତମ ପାରିବାରିକ ଜୀବନମାନ ବଞ୍ଚି ପାରିଥିଲେ ଏବଂ ନିଜର ପିଲାମାନଙ୍କୁ ମଧ୍ୟ ଭଲ ଭାବରେ ପ୍ରତିପାଳିତ କରି ଆଣିଥିଲେ ।

 

ଉଦାହରଣ ସ୍ୱରୂପ, ଟାଣୁଆ-ଦେହ ସାତ ବର୍ଷ ବୟସର ଭାନ୍ୟାର ବାପାଙ୍କ କଥା ଆଲୋଚନା କରାଯାଉ । ସେ କଠିନ ପରିଶ୍ରମ କରୁଥିଲେ, କୃଷିଶାସ୍ତ୍ର ଜାଣିଥିଲେ, କୃଷିକ୍ଷେତ୍ରକୁ ପ୍ରବଳ ଭାବରେ ଭଲ ପାଉଥିଲେ ଏବଂ ଅନ୍ୟ ମନୁଷ୍ୟମାନଙ୍କର ଭଲ ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ-। ପ୍ରତ୍ୟେକ ବର୍ଷ ସେ ନିଜ ବଗିଚାରେ ଡଜନ ଡଜନ ସେଉ ଗଛର ଚାରା ଓ ସାନ ଅଙ୍ଗୁର ଲତାମାନ ତିଆରି କରୁଥିଲେ ଏବଂ ସେଗୁଡ଼ିକୁ ବାଣ୍ଟି ଦେଉଥିଲେ । ତାଙ୍କର ପତ୍ନୀ ଏକ ଏଣ୍ଡିପୋକ ପ୍ରଜନନ ଉଦ୍ୟୋଗରେ ଶାଖାମୁଖ୍ୟ ରୂପେ କାମ କରୁଥିଲେ । ସିଏ ମଧ୍ୟ ନିଜର ବିଦ୍ୟାକୌଶଳରେ ପ୍ରବୀଣ ଥିଲେ, ଜଣେ ବ୍ୟକ୍ତି ହିସାବରେ ତାଙ୍କ ଭିତରେ ଦୟା, ଦାୟିତ୍ୱବୋଧ ଓ ସହୃଦୟତା ରହିଥିଲା । ସନ୍ତାନମାନଙ୍କର ଯତ୍ନ ମଧ୍ୟ ଦେଇ ପାରୁଥିଲେ । ୧୯୩୩-୩୪ର କଷ୍ଟପୂର୍ଣ୍ଣ ଦିନଗୁଡ଼ିକରେ ସିଏ ଚାରୋଟି ଅନାଥ ପିଲାଙ୍କୁ ନେଇ ପାଖରେ ରଖିଥିଲେ, ସେମାନଙ୍କୁ ଅନାହାରରୁ ରକ୍ଷା କରିଥିଲେ । ସେମାନଙ୍କୁ ସେ ନିଜ ପିଲାଙ୍କ ପରି ପାଳିଥିଲେ ଓ ପିଲାମାନେ ତାକୁ “ମାଆ” ବୋଲି ଡାକୁଥିଲେ ।

 

ବଢ଼ିଆ କଳା ବେଣୀ ଲଟ୍‍କାଇଥିବା କୁନି ଝିଅ ଲୁସିଆ । ତା’ବାପା ଜଣେ ଭାରି ସାଧୁ ଓ ସଚ୍ଚୋଟ ମନୁଷ୍ୟ ଥିଲେ । ଏହିପରି ବ୍ୟକ୍ତିମାନଙ୍କୁ ହିଁ ତୁମେ ଏହି ପୃଥିବୀର ବିହନ ବୋଲି କହିପାରିବ । ସେମାନଙ୍କ ମଧ୍ୟରୁ ଅନେକ ଅଧିକସଂଖ୍ୟକ ମଣିଷ କୌଣସି ବୃହତ୍ କାର୍ଯ୍ୟ କରନ୍ତି ନାହିଁ । ନିଜ ଚତୁର୍ଦ୍ଦିଗର ଅନ୍ୟ ମଣିଷଙ୍କ ସହିତ ସେମାନଙ୍କର ଯେଉଁ ସମ୍ବନ୍ଧମାନ ରହିଥାଏ, ଏହି ଲୋକମାନଙ୍କର ଆତ୍ମିକ ସୌନ୍ଦର୍ଯ୍ୟ ସେଇଥିରେ ନିହିତ ହୋଇ ରହିଥାଏ । ଅତ୍ୟନ୍ତ ସମ୍ଭବ ବୋଲି ମନେ ହେଉଛି ଯେ, ଜୀବନରେ ଦାୟିତ୍ୱସଚେତନ ଏବଂ ସହାନୁଭୂତିଶୀଳ ରହିବାକୁ ହେବ ବୋଲି ଲୁସିଆର ବାପା ଝିଅକୁ କେବେ ହେଲେ କହି ନଥିଲେ । ନିଜର ଆଚରଣ ଦ୍ୱାରା ଓ ନିଜ ପତ୍ନୀଙ୍କ ସହିତ ରହିଥିବା ସମ୍ବନ୍ଧଟି ଦ୍ୱାରା ହିଁ ସେ ପିଲାମାନଙ୍କୁ ସହାନୁଭୂତି ଏବଂ ମାନବପଣିଆର ଶିକ୍ଷା ଦେଇଥିଲେ । ଲୁସିଆର ମାଆଙ୍କ ହୃଦୟ ଭାରି ଅସୁନ୍ଦର ଥିଲା । କୋଠକ୍ଷେତରେ ସିଏ ବୀଟ୍ ବଗିଚାରେ କାମ କରୁଥିଲେ, ତେଣୁ ବାପା ହିଁ ଘରର ସବୁ କାମର ଦାୟିତ୍ୱ ବହନ କରୁଥିଲେ ।

 

କାଟ୍ୟାର ପିତାମାତା ତାଙ୍କର ବଗିଚାଟିକୁ ପିଲାମାନଙ୍କ ପାଇଁ ଏକ ଅସାଧାରଣ କ୍ଲବ୍ ସ୍ଥାନରେ ପରିଣତ କରିଦେଇଥିଲେ । ବସନ୍ତ କାଳର ଆରମ୍ଭରୁ ଶରତକାଳର ଶେଷ ପର୍ଯ୍ୟନ୍ତ ତାଙ୍କର ଚାରୋଟି ପିଲା ଓ ପଡ଼ିଶାର ଅନ୍ୟ ପିଲାମାନେ ମିଶି ସେହି ବଗିଚାରେ ଡିଆଁ ଡେଇଁ ଓ ଖେଳାଖେଳି କରୁଥିଲେ । କାଟ୍ୟାର ବାପା ସେମାନଙ୍କ ପାଇଁ ଖେଳପଡ଼ିଆଟିଏ ମଧ୍ୟ ତିଆରି କରି ଦେଇଥିଲେ । ସେଠାରେ ଫଳ ସବୁ ଖାଇବାର ଅନୁମତି ପାଇ ପିଲାମାନେ କେଡ଼େ ପାଟି ସୁଆଦ କରିପାରୁଥିଲେ ।

 

କୁନି ସାନ୍ୟାର କୃଷ୍ଣନୀଳ, ଭାବନାମଗ୍ନ ଆଖିଗୁଡ଼ିକ, - ତା’ର ବାପାମାଆ ଅତ୍ୟନ୍ତ ଦୟାଶୀଳ ଓ ସହୃଦୟ ମଣିଷ ଥିଲେ । ପ୍ରତ୍ୟେକ ବର୍ଷ ଗ୍ରୀଷ୍ମଋତୁରେ ତା’ ବାପାଙ୍କର ତିନି ଝିଆରୀ ସହରରୁ ଆସି ସେମାନଙ୍କ ସହିତ ରହୁଥିଲେ । ସେମାନେ ଆସିବେ ବୋଲି ସାନ୍ୟା ଏକାବେଳେକେ ଅଧୀର ହୋଇ ପଡ଼ୁଥିଲା । ସେମାନେ ପହଁରିବେ ବୋଲି ତା’ ବାପା ପୋଖରୀର ଗୋଟାଏ ପାଖ ଦାଢ଼ରେ ସାନ ଜାଗାଟିଏ ତିଆରି କରି ଦେଇଥିଲେ । ପିଲାମାନଙ୍କୁ ଜୀବନର ଆଉ ଗୋଟିଏ ଆନନ୍ଦ ଆଣି ଦେବାପାଇଁ ଏକ ମୋଟର ବୋଟ୍ ମଧ୍ୟ ଗଢ଼ି ଦେଇଥିଲେ ।

 

ଲିଡ଼ା ଗୋଟିଏ ଚମତ୍କାର ପରିବାରରୁ ଆସିଥିଲା । ତା’ର ବାପା ରେଳବାଇ ଡବା ତିଆରି ହେଉଥିବା ଏକ କାରଖାନାରେ କାମ କରୁଥିଲେ । ସଂଗୀତବିଦ୍ୟା ଜାଣିଥିଲେ, ନିଜେ ଗୀତ ଗାଉଥିଲେ । ନିଜ ପିଲାମାନଙ୍କ ପାଇଁ ମଧ୍ୟ ଗୀତ ଗାଇବା ଓ ବେହେଲା ବଜାଇବା ଶିକ୍ଷା ଦେଉଥିଲେ । ଏବଂ ଖୋଲାମଞ୍ଚରେ ସମ୍ମିଳିତ ବାଦ୍ୟବୃନ୍ଦର ତକ୍ରାଳିନ କାର୍ଯ୍ୟକ୍ରମମାନ କରାଉଥିଲେ । ସେହି ସଂଗୀତ ଶୁଣିବାକୁ ଏବଂ ଲୋକଗୀତମାନ ଶିଖିବାକୁ ପ୍ରାୟ କୋଡ଼ିଏ ପର୍ଯ୍ୟନ୍ତ ପିଲା ସେଠାକୁ ଆସୁଥିଲେ ।

 

ପାଭେଲ୍‍ର ପରିବାରରେ ପରିବେଶ ବନ୍ଧୁତାପୂର୍ଣ୍ଣ ଥିଲା । ତା’ର ମାଆ ଚାରି ବର୍ଷରୁ ଅଧିକ କାଳ ରୋଗରେ ଅସୁସ୍ଥ ହୋଇ ପଡ଼ିଥିଲେ । ବାପା ମାଆଙ୍କର ସବୁ କାମ ନିଜେ ଆଦରି ନେଇଥିଲେ; କାରଖାନାରେ କାମ କରି ଯାଉଥିଲେ, ଏତେ ଘରର ସବୁ କାମ କରୁଥିଲେ ।

 

ସେରିଓଝାଙ୍କ ଘରେ ଚାରିଜଣ ଲୋକ, - ଦେଖିବାକୁ ଗାଢ଼ ସାବନା ବର୍ଣ୍ଣର କଳାଆଖିଆ ସାନ ପିଲାଟିଏ, - ସେମାନେ ସମସ୍ତେ ପରସ୍ପର ପ୍ରତି ବନ୍ଧୁ ଭାବରେ ପୂର୍ଣ୍ଣ ହୋଇ ରହିଥିଲେ । କାମ ନଥିବା ଦିନମାନଙ୍କରେ ସମସ୍ତେ ଜଙ୍ଗଲ ଭ୍ରମଣରେ ଯାଉଥିଲେ । ସେଠାରେ ପଡ଼ିଆ ଜାଗା ଦେଖି ଚାରୋଟି ଲାଇମ୍ ଗଛର ଚାରା ରୋପଣ କରୁଥିଲେ । ଘରେ ପିଲାମାନେ ଆପଲ୍‍ ଗଛ ଲଗାଉଥିଲେ, ପ୍ରତ୍ୟେକେ ମାଆ, ବାପା ଜେଜେମାଆ ଓ ଜେଜେବାପାଙ୍କ ପାଇଁ ଗୋଟିଏ ଗୋଟିଏ । ସେହି ପରିବାରରେ ପିଲାମାନେ ଯେ ନିଜର ବାପା, ମାଆ ଜେଜେମାଆ ଓ ଜେଜେବାପାଙ୍କୁ ଏତେ ଭଲ ପାଉଥିଲେ, ସେ କଥାରେ ମୁଁ ଆଦୌ ବିସ୍ମୟ ପ୍ରକାଶ କରି ନଥିଲି । ସମ୍ଭବତଃ ଏପରି ହେଉଥିଲା ଯେ ମାଆ ଓ ବାପା ପିଲାମାନଙ୍କର ହୃଦୟ ଲାଗି ଯେଉଁ ଅଗାଧ ସ୍ନେହ ଯୋଗାଇ ଦେଉଥିଲେ, ତାହା ହିଁ ଶକ୍ତିଶାଳୀ ଓ ଶୁଦ୍ଧ ଭଲ ପାଇବାରେ ପରିଣତ ହୋଇ ଶହେଗୁଣ ଅଧିକା ସେମାନଙ୍କ ପାଖକୁ ଲେଉଟି ଆସୁଥିଲା ।

 

ଲ୍ୟୁବାର ମାଆ, ବାପା, ଜେଜେମାଆ, ବଡ଼ ଭଉଣୀ ଓ ସାନ ଭାଇ ତାକୁ ନେଇ ସ୍କୁଲକୁ ଆସିଥିଲେ । ତା’ର ପାଞ୍ଜଜଣ ଭାଇ ଭଉଣୀ ଥିଲେ, ଦୁଇଜଣ ଜେଜେମାଆ ଓ ଜଣେ ଜେଜେବାପା ଥିଲେ । ଗୁରୁଜନମାନଙ୍କୁ ମାନ୍ୟ କରିବାର ଏକ ଅନ୍ତର୍ଗତ ଭାବ ଏହି ପରିବାରରେ ପୂରି ରହିଥିଲା, ପରସ୍ପର ପ୍ରତି ବିଶ୍ୱାସ ଓ ସମ୍ମାନ ମଧ୍ୟ ରହିଥିଲା । ପରିବାରର ବଡ଼ମାନେ କିପରି ପିଲାମାନଙ୍କୁ ସମ୍ମାନ କରୁଥିଲେ ଓ ସେମାନଙ୍କର ଅନୁଭବଗୁଡ଼ିକୁ ସ୍ୱୀକୃତି ଦେଉଥିଲେ, ସେହି ବିଷୟରେ ମୁଁ ଆଗରୁ ବହୁତ କିଛି ଶୁଣିଥିଲି ।

 

ସବା କୁନି ପୁଅପିଲା ଡାଙ୍କୋର ପରିବାରରେ ଅତି ଚମତ୍କାର ଲୋକ – ପରମ୍ପରାମାନ ସଜୀବ ହୋଇ ରହିଥିଲା । ଛଅ, ଆଠ ଓ ନଅବର୍ଷର ତିନୋଟିଯାକ ପିଲା ଘରର ନାନା କାମକୁ ଦୃଷ୍ଟି ଦେଉଥିଲେ, – ବାପାମାଆ ବାହାରକୁ କାମ କରି ଯାଉଥିଲେ । ସେମାନେ ଖରାବେଳେ ଓ ସନ୍ଧ୍ୟାର ଭୋଜନ ପ୍ରସ୍ତୁତ କରୁଥିଲେ, ଗାଈ ଦୁହୁଁଥିଲେ ଓ ବାରିବଗିଚାର ଯତ୍ନ ନେଉଥିଲେ । ଗ୍ରୀଷ୍ମଋତୁରେ ବାପାମାଆ ସନ୍ଧ୍ୟାକୁ କାମରୁ ଫେରିଆସିବା ବେଳକୁ ସେମାନଙ୍କର ଗାଧୋଇବା ପାଇଁ ସବୁ ସଜଡ଼ା ହୋଇ ରହୁଥିଲା; ସଫା ତଉଲିଆ ରଖି ଦିଆଯାଉଥିଲା ଏବଂ ଟେବୁଲ୍ ଉପରେ ଗରମ ଭୋଜନ ଓ ତଟକା ଫୁଲ ସଜା ହୋଇ ରହୁଥିଲା । ଶ୍ରମ ପ୍ରତି ସମ୍ମାନବୋଧ ପରିବାରରେ ବିଦ୍ୟମାନ ରହିଥିଲା । ଏପରି କି କୁହାଯାଇପାରିବ ଯେ, ସେହି ପରିବାରରେ ଶ୍ରମ ଏକ ବ୍ରତ ପରି ହୋଇ ରହିଥିଲା । କେହି କେବେହେଲେ ମୋଟେ ତରବର କି ଟାଉଟାଉ ହେଉ ନଥିଲେ ।

 

ଭାଲ୍ୟାର ବାପା କ୍ରେମେନ୍‌ଚୁକ୍ ଠାରେ ଥିବା ଇଞ୍ଜିନିୟରିଂ କାରଖାନାରେ କାମ କରୁଥିଲେ ଏବଂ ତା’ର ମାଆ କୋଲ୍‍ଖଜ୍ ବା କୋଠକୃଷିରେ କାମ କରିବାକୁ ଯାଉଥିଲେ । ବନ୍ଧୁତାର ପରିବେଶରେ ପୂରି ରହିଥିବା ଏହି ପରିବାରର ସମସ୍ତେ ଅଧ୍ୟୟନରତ ଥିଲେ, - ବାପା, ମାଆ ଓ ତିନିଜଣଯାକ ପିଲା ସମସ୍ତେ ଅଧ୍ୟୟନ କରୁଥିଲେ । ଘରେ ଏକ ଅଲଗା ପରିବେଶ ସୃଷ୍ଟି କରି ରଖିଥିବା ଘରର ଏହି ଶିକ୍ଷାମନୋଭାବ ଦେଖି ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ଓ ଏହା ଆମକୁ ଖୁବ୍ ଆନନ୍ଦ ଦେଉଥିଲା । ଭାଲ୍ୟା ଯେତେବେଳେ ଆମ ଆନନ୍ଦମୟ ପାଠଶାଳାରେ ପଢ଼ିବାକୁ ଆସିଲା, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ, ଯେଉଁ ବୃଦ୍ଧା ପରିବାରର କୌଣସି ଆତ୍ମୀୟସ୍ୱଜନ ହୋଇଥିବେ ବୋଲି ସମସ୍ତେ ଅନୁମାନ କରି ନେଇଥିଲେ, ସିଏ ପ୍ରକୃତରେ ପରିବାରର ସମ୍ପର୍କୀୟା ନଥିଲେ । ତାଙ୍କର କେଉଁଠି ଆତ୍ମୀୟସ୍ୱଜନ ବୋଲି ଆଦୌ କେହି ନଥିଲେ । ତାଙ୍କର ଦୁଇ ପୁଅ ଯୁଦ୍ଧରେ ନିହତ ହୋଇଥିଲେ ଏବଂ ତା’ପରେ ଭାଲ୍ୟାର ପରିବାର ତାଙ୍କୁ ନିଜ ସହିତ ଆଦରି ନେଇଥିଲା । ପିଲାମାନେ ତାଙ୍କୁ ଏକାବେଳେକେ ଜଣେ ନିଜର ଲୋକ ବୋଲି ଭାବୁଥିଲେ । ତାଙ୍କ ସହିତ ଘରେ କାହାର କୌଣସି ରକ୍ତ ସଂପର୍କ ନଥିଲା ବୋଲି ଭାଲ୍ୟାକୁ ଜଣା ମଧ୍ୟ ନଥିଲା ।

 

ଧୂସର ଆଖି ଥିବା କୁନି ଲ୍ୟୁଡ଼ାର ବାପାମାଆ କୋଠକୃଷିରେ କାର୍ଯ୍ୟ କରୁଥିଲେ । ନିଜର ପିଲାମାନଙ୍କୁ ସେମାନେ କୃଷିର ଯାବତୀୟ କାର୍ଯ୍ୟକୁ ସମ୍ମାନର ଦୃଷ୍ଟିରେ ଦେଖି ଶିଖାଇଥିଲେ-। ପରିବାର ଭିତରେ ଏକ ସମ୍ମାନବୋଧ ସର୍ବଦା ବିରାଜିତ ରହିଥିଲା । “ଅନ୍ୟମାନଙ୍କ ପାଇଁ ଆମେ ଯାହାକିଛି କରୁଛୁ, ତାହାକୁ ଅବଶ୍ୟ ସୁନ୍ଦର ବୋଲି କୁହାଯିବ ।” ବାପା ତାଙ୍କ ପିଲାମାନଙ୍କୁ କହୁଥିଲେ । ଗ୍ରୀଷ୍ମକାଳରେ ବଡ଼ ପିଲାମାନେ ସେମାନଙ୍କ ବାପାଙ୍କ ସହିତ କ୍ଷେତରେ କାମ କରୁଥିଲେ । ମାସରେ ଏକାଧିକ ବାର ଲ୍ୟୁଡା ଓ ତା’ର ମାଆ ସେମାନଙ୍କୁ ଦେଖି ଆସିବାକୁ ଯାଉଥିଲେ । ସାନ ପିଲାଟି ପାଇଁ ଏହି ଯିବାଗୁଡ଼ିକ ଠିକ୍ ଛୁଟିଦିନ ପରି ମନେ ହେଉଥିଲା-

 

ଟାନ୍ୟାର ବାପାମାଆ କୋଠକୃଷିର ପଶୁପ୍ରଜନନ ବିଭାଗରେ କାମ କରୁଥିଲେ । ଗ୍ରୀଷ୍ମ କାଳରେ ସିଏ ଓ ତା’ର ଭଉଣୀ ସେଠାକୁ ଖୁବ୍ ଯାଉଥିଲେ ଏବଂ ଏହିପରି ଭାବରେ କାମକୁ ଭଲପାଇ ଶିଖିଗଲେ । ସେମାନଙ୍କର ବାପା ଖଳାର ଗୋଟିଏ କୋଣକୁ କିପରି ସାନ ବାଡ଼ଟିଏ ଦେଇ ଘେରାଇ ଦେଇଥିଲେ ଓ ତା’ଭିତରେ ଗୋଟିଏ ମେଣ୍ଢାଛୁଆ କିମ୍ବା ଗାଈଛୁଆ ନେଇ ରଖୁଥିଲେ, ଆମ ଶିକ୍ଷକମାନେ ସେଠାକୁ ଏକାଧିକ ଥର ଯାଇ ତାହା ଦେଖିଆସିଥିଲେ । ଟାନ୍ୟା ଓ ତା’ ବଡ଼ ଭଉଣୀ ସେହି ଛୁଆଗୁଡ଼ିକର ଖୁବ୍ ଯତ୍ନ ନେଉଥିଲେ । ଏଇଟା ସେମାନଙ୍କର ଏକ ପ୍ରିୟ ଖେଳରେ ପରିଣତ ହୋଇଯାଇଥିଲା ଏବଂ ସେମାନଙ୍କର ବାପାମାଆ ମଧ୍ୟ ଏହି ଖେଳରେ ଭାଗ ନେଉଥିବାରୁ ତାହା ସେମାନଙ୍କୁ ବାପାମାଆ ମଧ୍ୟ ଏହି ଖେଳରେ ଭାଗ ନେଉଥିବାରୁ ତାହା ସେମାନଙ୍କୁ ଆକର୍ଷକ ମନେ ହେଉଥିଲା ।

 

ଶୂରା ଗୋଟିଏ ସାନ ପୁଅପିଲା, ଆଖି ଦୁଇଟି କଳା, କୋମଳ ଓ ସତେ ଯେପରି କ’ଣ ଖୋଜୁଥିଲା ପରି ଦିଶୁଥିଲା । ତା’ ବାପା ରେଳରାସ୍ତା ତିଆରିରେ କାମ କରୁଥିଲେ ଏବଂ ସପ୍ତାହକୁ କେବଳ ଥରେ ମାତ୍ର ଘରକୁ ଆସୁଥିଲେ । ତାଙ୍କର ଏହି ଆସିବାଟା ଶୂରାକୁ ସତେଅବା କେଡ଼େ ବଡ଼ ଘଟଣାଟିଏ ପରି ଲାଗୁଥିଲା । ତା’ର ଭାଇ ଓ ଭଉଣୀ ମଧ୍ୟ ସେହିପରି ଅନୁଭବ କରୁଥିଲେ । ପିଲାଏ ଅତ୍ୟନ୍ତ ଅଧୀର ହୋଇ ତାଙ୍କର ଆସିବାକୁ ଅନାଇ ରହୁଥିଲେ, କାରଣ ସିଏ ସବୁବେଳେ ସେମାନଙ୍କ ଲାଗି କୌଣସି ନା କୌଣସି ଅଭିନବ ଉପହାର ଆଣି ଘରକୁ ଆସୁଥିଲେ: ଭାରି କୌଶଳର ସହିତ କାମ କରା ହୋଇଥିବା କାଠରେ ତିଆରି କୌଣସି ଜନ୍ତୁ, ମଣିଷ ବା କାଳ୍ପନିକ ଆଉ କୌଣସି ପ୍ରାଣୀଟିଏ । ପ୍ରତି ପିଲାଙ୍କ ପାଇଁ ସିଏ ଗୋଟିଏ ଗୋଟିଏ ଏଥିରୁ ନେଇ ଆସୁଥିଲେ-। ବାପାଙ୍କ କହୁଥିବା କାହାଣୀସବୁ ମଧ୍ୟ ପିଲାମାନଙ୍କୁ ଭାରି ଭଲ ଲାଗୁଥିଲା । ଭଲ ମଣିଷମାନଙ୍କୁ ଖୋଜି ବାହାର କରିବାରେ ତାଙ୍କର ଖୁବ୍ ଦକ୍ଷତା ରହିଥିଲା । ଏବଂ, ସେହି ଭଲ ମଣିଷମାନଙ୍କ ବିଷୟରେ ସିଏ କାହାଣୀମାନ କହୁଥିବା ସମୟରେ ତାଙ୍କ ପିଲାମାନଙ୍କ ସକାଶେ ବାହାରେ ଥିବା ପୃଥିବୀ ଆଡ଼କୁ ଝରକାଟିଏ ଖୋଲି ଯାଉଥିଲା ।

 

ଭାଲୋଡ଼୍ୟାର ବାପା ପୋଲ ତିଆରି କରୁଥିଲେ ଏବଂ କୋଠକ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ତରୁଣ ପିତାମାତା ଉଭୟେ ସେମାନଙ୍କର ଏହି ପ୍ରଥମ ସନ୍ତାନଟିକୁ ଖୁବ୍ ଭଲ ପାଉଥିଲେ । ସେମାନଙ୍କର ଭଲପାଇବା ଭିତରେ ଆଦୌ ଖୁବ୍ ବେଶୀ ବୁଦ୍ଧିମତ୍ତା ଦେଖିବାକୁ ମିଳୁନଥିଲା । ସେମାନେ ତାଙ୍କୁ ଆଗରୁ କେତେ ନା କେତେ ଲୋଭନୀୟ ଦ୍ରବ୍ୟମାନ ଦେଇସାରିଥିଲେ ଏବଂ ତା’ର ନାନା ଖିଆଲକୁ ଆଦୌ କୌଣସି କାଳବିଳମ୍ବ ନକରି ପରିତୋଷିତ କରି ଦେଉଥିଲେ । ଭାଲୋଡ଼୍ୟା ତା’ର ମାଆର ସେପାଖକୁ ବସିଥାଏ ଓ ହାତରେ ଦୁଇଟା ରବର ବଲ୍ ଧରିଥାଏ । ସିଏ ନିଜ ମାଆକୁ ସମ୍ଭବତଃ କ’ଣ କହିବ ବୋଲି ଇଚ୍ଛା କରୁଥାଏ, ମାତ୍ର ମାଆଙ୍କର ତେଣେ ଦୃଷ୍ଟି ନଥାଏ । ସେତିକିବେଳେ ସିଏ ହଠାତ୍ ମୁହଁଟାକୁ ଏଡ଼େବଡ଼ କରି ପକାଇଲା । ତା’ଆଖି ଲୁହରେ ଢଳଢଳ ହେବାରେ ଲାଗିଥାଏ ।

 

ଭାରା ଗୋଟିଏ ସାଉଁଳିଆ ଚମ ଓ କଳା ଆଖି ଥିବା ସାନ ଝିଅ । ମୁଣ୍ଡରେ କୁଞ୍ଚୁକୁଞ୍ଚୁଆ ବାଳ । ଦେହଟା ଏକାବେଳେକେ ପତଳା, ନହନହକା, ତା’ ମାଆ ଶବସଂସ୍କାର-ସ୍ଥାନରେ ସଫାଇ କାମ କରୁଥିଲେ । ଯୁଦ୍ଧରେ ସାଂଘାତିକ ଭାବରେ ଆହତ ହୋଇଥିବାରୁ ପରିବାରକୁ ହିଁ ତାଙ୍କର ଯତ୍ନ ନେବାକୁ ପଡ଼ୁଥିଲା । ତାଙ୍କର ସ୍ୱାସ୍ଥ୍ୟ ଏକାବେଳେକେ ନଷ୍ଟ ହୋଇଯାଇଥିଲା । ମାଆଙ୍କୁ ଏଡ଼େବଡ଼ ବୋଝ ବୋହିବାକୁ ହେଉଛି ବୋଲି ତିନୋଟିଯାକ ପିଲା ଅନୁଭବ କରୁଥିଲେ ଏବଂ ତେଣୁ ତାଙ୍କର ଜୀବନକୁ କିଞ୍ଚିତ୍ ଅଧିକ ସହଜ କରିପାରିବା ଲାଗି ଚେଷ୍ଟା କରୁଥିଲେ । ମାଆ ମଜୁରି ହିସାବରେ ଖୁବ୍ ବେଶୀ ଉପାର୍ଜନ କରୁନଥିଲେ ଏବଂ ପରିବାରରେ ଖର୍ଚ୍ଚ ପାଇଁ କିଛି ଅଧିକ ଯୋଗାଡ଼ ହୋଇପାରିବ ବୋଲି ସିଏ ସନ୍ଧ୍ୟା ସମୟରେ ଜାମା ଓ ତଉଳିଆ ଉପରେ ସୂତାରେ କମ ପକାଇବା କାମ ମଧ୍ୟ କରୁଥିଲେ । ମାଆଙ୍କ ସାହାଯ୍ୟ କରିବା ନିମନ୍ତେ ଭାରାର ବଡ଼ ଭଉଣୀ ମଧ୍ୟ ଏହି କମପକା କାମ ଶିଖି ସାରିଥିଲା ଓ ଭାରା ନିଜେ ବି ତାହା ଶିଖୁଥିଲା ।

 

ଗୋଟିଏ ଶିଶୁ ହେଉଛି ତା’ବାପାମାଆଙ୍କ ନୈତିକ ଜୀବନର ଦର୍ପଣ ପରି । ମୁଁ ଏହି ପ୍ରତ୍ୟେକ ପରିବାରର ଭଲ ଓ ମନ୍ଦ ବିଷୟରେ ଚିନ୍ତା କରିଥିଲି । ଭଲ ବାପାମାଆଙ୍କର ସବୁଠୁ ଅଧିକ ମୂଲ୍ୟବାନ୍ ଯେଉଁ ଭଲ ଗୁଣଟି ପିଲାମାନେ ଶିଖିବାକୁ ଇଚ୍ଛା କରନ୍ତି, ତାହା ହେଉଛି ଦୟାଭାବର ଅନୁଶୀଳନ କରିବା ଏବଂ ଅନ୍ୟ ମନୁଷ୍ୟମାନଙ୍କର ଉପକାର ହେବା ଭଳି କିଛି କାର୍ଯ୍ୟ କରିବା । ଯେଉଁସବୁ ପରିବାରରେ ବାପା ଓ ମାଆ ନିଜ ଜୀବନର କିଛି ଅଂଶକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିଥାନ୍ତି, ଅନ୍ୟ ମନୁଷ୍ୟଙ୍କର ଆନନ୍ଦ ଓ ନିରାନନ୍ଦକୁ ଅନ୍ତରର ସନ୍ନିଧାନରେ ନେଇ ରଖିଥାନ୍ତି, ସେହି ପରିବାରରେ ପିଲାମାନେ ମଧ୍ୟ ଭଲ, ସହାନୁଭୂତିଶୀଳ ଏବଂ ସହୃଦୟ ହୋଇ ବଡ଼ ହୁଅନ୍ତି । କେତେ ବାପାମାଆଙ୍କ ଭିତରେ ଯେଉଁ ଅହଂସର୍ବସ୍ୱ ଭାବ ରହିଥାଏ, ସେଇଟା ହେଉଛି ସବୁଠାରୁ ବଡ଼ ଖରାପ କଥା । ବେଳେବେଳେ ତାହା ହିଁ ନିଜ ପିଲାମାନଙ୍କୁ ଅନ୍ଧ ଭାବରେ ଅତିରିକ୍ତ ପରିମାଣରେ ଭଲ ପାଇବାର କାରଣ ହୋଇଥାଏ । ଭୋଲୋଡ଼୍ୟାର ବାପାମାଆଙ୍କ କ୍ଷେତ୍ରରେ ତାହା ହିଁ ଦୃଷ୍ଟିଗୋଚର ହେଉଥିଲା । ଯଦି ବାପା ଓ ମାଆ କେବଳ ନିଜ ପିଲାଙ୍କୁ ହିଁ ନିଜର ସବୁକିଛି ଦେଉଥାଆନ୍ତି, ଆହୁରି ଅନ୍ୟ ମଣିଷମାନେ ବି ସେମାନଙ୍କର ଚୁତୁର୍ଦ୍ଦିଗରେ ରହିଛନ୍ତି ବୋଲି ଯଦି ସେମାନେ ଭୁଲିଯାଆନ୍ତି, ତେବେ ଏହି ଅତିବେଶୀ ଭଲ ପାଇବା ହିଁ ଦିନେ ବହୁତ ଦୁଃଖର କାରଣ ହୋଇ ଦେଖା ଦେଇଥାଏ ।

 

ବାପାମାଆମାନଙ୍କୁ ଆନନ୍ଦମୟ ବିଦ୍ୟାଳୟଟି ବିଷୟରେ ମୋ’ ଚିନ୍ତାଗୁଡ଼ିକ ସ୍ପଷ୍ଟ କରି ଦେଉଥିବା ବେଳେ ମୁଁ ସେହି ବିଷୟରେ ଭାବୁଥିଲି । ଏସବୁ କଥାବାର୍ତ୍ତା ଆଦୌ ସହଜ ନଥିଲା । ମୋତେ ପରିବାରଗୁଡ଼ିକରେ ଭଲ ଓ ମନ୍ଦ ଉଭୟଟି ଉପରେ ବିଚାର କରିବାକୁ ହେଉଥିଲା । ଆନନ୍ଦମୟ ବିଦ୍ୟାଳୟରେ ମୁଁ ରହୁ ବୋଲି ଇଚ୍ଛା କରୁଥିବା ସାଧୁତା, ସତ୍ୟନିଷ୍ଠତା ଓ ପାରସ୍ପରିକ ବିଶ୍ୱାସ ବିଷୟରେ କହୁଥିବା ସମୟରେ ମୋତେ କୋଲ୍ୟାର ଘରଟି ବିଷୟରେ ବେଶ୍ ଅସହଜ ଲାଗୁଥାଏ । ମାତ୍ର ଯେଉଁ ଗମ୍ଭୀର ସମସ୍ୟାଗୁଡ଼ିକ ସେହି ପରିବାରର ଜୀବନକୁ ଖୁବ୍ ବିଗାଡ଼ି ଦେଇଥିଲା ବୋଲି ମୋତେ ଜଣାଥିଲା, ଅନ୍ୟ ବାପାମାଆମାନଙ୍କୁ ମୁଁ ସେକଥା କଦାପି ଜଣାଇ ପାରିନଥାନ୍ତି । ସେପରି କରିଥିଲେ କୋଲ୍ୟାର ମାଆ ବିଦ୍ୟାଳୟର ହୁଏତ ବିରୋଧୀ ହୋଇ ଯାଆନ୍ତେ ଏବଂ ଆଉଥରେ ଏଠାକୁ ଆଦୌ ଆସନ୍ତେ ନାହିଁ । ତେଣୁ ଆଉ ଅନ୍ୟ ପ୍ରକାରର କିଛି କରିବା ଆବଶ୍ୟକ ଥିଲା; ମାତ୍ର ସେହି ବିଷୟରେ ବହୁକାଳ ଚିନ୍ତା କରିଥିଲେ ମଧ୍ୟ ମୁଁ ତଥାପି ଠିକ୍ ଉତ୍ତରଟିଏ ପାଇ ପାରିନଥିଲି ।

 

ପିତାମାତାଙ୍କ ପାଇଁ ଶିଶୁର ଅଭିବୃଦ୍ଧି ବିଷୟରେ ମୁଁ ଗୋଟିଏ ନକ୍ସାଚିତ୍ର ତିଆରି କଲି । ଆଜି ସିନା ସେମାନେ ନିଜର ଛଅ ବରଷର ଛୁଆମାନଙ୍କୁ ସ୍କୁଲକୁ ନେଇ ଆସିଥିଲେ, ମାତ୍ର ବାରବର୍ଷ ପରେ ସେମାନେ ସମସ୍ତେ ବଡ଼ ହୋଇ ଯାଇଥିବେ, ଭବିଷ୍ୟତରେ ନିଜେ ବି ବାପା ଓ ମାଆ ହେବେ । ଏହି ପିଲାମାନେ ବଡ଼ ହୋଇ ନିଜ ଦେଶକୁ ଭଲ ପାଇ ଗର୍ବ ଅନୁଭବ କରିବେ, ନିଜ ଦେଶକୁ ଓ ଶ୍ରମିକବର୍ଗଙ୍କୁ ଭଲ ପାଇବେ, ସଚ୍ଚୋଟ ଓ ସତ୍ୟନିଷ୍ଠ ହେବେ, କଠିନ ପରିଶ୍ରମ କରିବେ, ହୃଦୟରେ ଉଷ୍ମତା ରଖିଥିବେ, ସହାନୁଭୂତିଶୀଳ ହେବେ, ମନ୍ଦ ଏବଂ ଅନ୍ୟାୟକୁ କଦାପି ମାନି ନେବେନାହିଁ, ସାହସୀ ହେବେ, ଅଧ୍ୟବସାୟର ସହିତ ବାଧାଗୁଡ଼ିକୁ ଅତିକ୍ରମ କରିଯିବେ, ବିନୟ ଶିଖିଥିବେ, ନୈତିକ ଜୀବନରେ ସୁନ୍ଦର ହୋଇଥିବେ, ସୁସ୍ଥ ରହିବେ ଓ ଶରୀରକୁ ଯଥାର୍ଥ ତାଲିମ୍ ଦେଇଥିବେ,-ଏଥି ସକାଶେ ବିଦ୍ୟାଳୟ ଅବଶ୍ୟ ସର୍ବୋତ୍ତମ ଭାବରେ ସବୁକିଛି ଉଦ୍ୟମ କରିବ । ଏହି ପିଲାମାନେ ବଡ଼ ହୋଇ ଏକ ପରିଛନ୍ନ ବୁଦ୍ଧିସାମର୍ଥ୍ୟ, ଉଦାର ହୃଦୟବତ୍ତା, ଆଦର୍ଶ ଓ କର୍ମଠ ହାତ ଏବଂ ଉଚ୍ଚ ନାନାବିଧ ଅନୁଭବର ଅଧିକାରୀ ହୋଇପାରିବେ । ପିଲା ହେଉଛି ତା’ ପରିବାରର ଦର୍ପଣ ସଦୃଶ; ସୂର୍ଯ୍ୟ ଯେଉଁଭଳି ଗୋଟିଏ ବିନ୍ଦୁ ଜଳରେ ଆପଣାକୁ ପ୍ରତିଫଳିତ କରି ରଖିଥାଏ, ଠିକ୍ ପିତାମାତାଙ୍କର ନୈତିକ ଶୁଦ୍ଧତା ସେମାନଙ୍କର ପିଲାଟି ମଧ୍ୟରେ ହିଁ ପ୍ରତିଫଳିତ ହେଉଥାଏ । ପ୍ରତ୍ୟେକ ପିଲାକୁ ସୁଖ ଦେବା ହେଉଛି ବିଦ୍ୟାଳୟ ଓ ପିତାମାତାଙ୍କର କାର୍ଯ୍ୟ; ଏପରି ଏକ ବହୁମୁଖୀ ସୁଖ, ଯାହା ରହିଥିଲେ ପିଲା ଆପଣାର ସାମର୍ଥ୍ୟଗଡ଼ିକୁ ଆବିଷ୍କାର କରିପାରିବ, ଶ୍ରମକୁ ଭଲ ପାଇ ଶିଖିବ ଏବଂ ଏପରି ସୃଜନାତ୍ମକ ପ୍ରଣାଳୀରେ କାର୍ଯ୍ୟ କରିପାରିବ, ଯାହାଦ୍ୱାରା କି ସିଏ ନିଜ ଚାରିପାଖରେ ରହିଥିବା ସୌନ୍ଦର୍ଯ୍ୟରୁ ଲାଭବାନ୍ ହୋଇପାରିବ, ଅନ୍ୟ ମନୁଷ୍ୟମାନଙ୍କୁ ଭଲ ପାଇବ, ଅନ୍ୟମାନଙ୍କର ଭଲ ପାଇବାର ଭାଜନ ବି ହେବ ଓ ଯଥାର୍ଥରେ ଜଣେ ମଣିଷ ହୋଇ ବାହାରି ପାରିବ । କେବଳ ପିତାମାତା ଏବଂ ଶିକ୍ଷକମାନେ ଏକାଠି ମିଶି କାର୍ଯ୍ୟ କଲେ ଯାଇ ପିଲା ଏହିସବୁ ସୁଖର ଅଧିକାରୀ ହୋଇପାରିବ । ତା’ପରେ ପିଲାଏ ଓ ସେମାନଙ୍କର ବାପାମାଆ ଘରକୁ ଗଲେ ଓ ମୁଁ ମନେ ପକାଇ ଦେଇ କହିଥିଲି, “କାଲିଠାରୁ, ଅଗଷ୍ଟ ୩୧ତାରିଖ ଠାରୁ ଆମର ଆନନ୍ଦମୟ ପାଠଶାଳାଟି ଆରମ୍ଭ ହେବ ।” (ରୁଷିଆରେ ସେପ୍ଟେମ୍ବର ପହିଲାରୁ ସ୍କୁଲ ଆରମ୍ଭ ହୁଏ)

 

ସେଦିନଟି ମୋତେ ପ୍ରକୃତରେ କ’ଣ ସବୁ ଆଣିଦେବେ ? ଆଜି ସିନା ଏହି ପିଲାମାନେ ସେମାନଙ୍କର ମାଆମାନଙ୍କ ହାତ ଧରି ଆସିଥିବାର ମୁଁ ଦେଖିଲି, ମାତ୍ର କାଲିକୁ ସେମାନେ ଏକୁଟିଆ ଆସିବେ । ପ୍ରତ୍ୟେକ ବ୍ୟକ୍ତିର ଏକ ନିଜସ୍ୱ ଆନନ୍ଦ ରହିଛି । ପ୍ରତ୍ୟେକ ମଣିଷର ସୂର୍ଯ୍ୟାଲୋକପୂର୍ଣ୍ଣ ସକାଳମାନ ବି ରହିଛନ୍ତି ଏବଂ ଏକ ଅନନ୍ତ ଜୀବନ ସମ୍ମୁଖରେ ପଡ଼ି ରହିଛି । ବିଦ୍ୟାଳୟ ଯେପରି ଏହି କୁନି ଛୁଆମାନଙ୍କୁ ସେମାନଙ୍କର ଆନନ୍ଦରୁ କଦାପି ବଞ୍ଚିତ କରି ନରଖେ, ସେହି ଦିନଟି ଆସିବାର ପୂର୍ବରୁ ମୁଁ ଏହି କଥାଟିକୁ ହିଁ ସବୁଠାରୁ ଅଧିକ ଭାବୁଥିଲି । ଏକାବେଳେକେ ଓଲଟାଟା ହିଁ ଘଟିବା ଉଚିତ ;– ଆମେ ପିଲାମାନଙ୍କୁ ବିଦ୍ୟାଳୟର ପୃଥିବୀଟି ମଧ୍ୟରେ ଏପରି ଭାବରେ ପରିଚାଳିତ କରି ଅବଶ୍ୟ ନେଇଯିବା, ଯେପରିକି ସେମାନଙ୍କ ଆଗରେ ନୂଆ ନୂଆ ଆନନ୍ଦ ଆସି ସର୍ବଦା ପହଞ୍ଚି ଯାଉଥିବେ, ସେମାନଙ୍କର ଶିକ୍ଷା ଯେପରି କଦାପି ଏକ ନୀରସ ଏବଂ ବିରକ୍ତିକର ପାଠ ଆୟତ୍ତ କରିବାରେ ପରିଣତ ହୋଇ ଯିବ ନାହିଁ । ଏବଂ, ଯେପରିକି, ଅନ୍ୟ ପକ୍ଷରେ, ବିଦ୍ୟାଳୟ କଦାପି ଆଦୌ କୌଣସି ଶେଷ ନଥିବା ଖେଳ ପରି ହୋଇ ନରହିବ, ବାହାରେ କେଡ଼େ ଆଗ୍ରହୋଦ୍ଦୀପକ ବୋଧ ହେଉଥିଲେ ମଧ୍ୟ ଭିତରେ ଫମ୍ପା ହୋଇ ରହି ନଥିବ । ପ୍ରତିଦିନ ହିଁ ପିଲାମାନଙ୍କର ବୁଦ୍ଧିଶକ୍ତି, ଅନୁଭବର ପରିଧି ଏବଂ ଇଚ୍ଛାର ଜଗତଟି ସମୃଦ୍ଧ ହେବାରେ ଲାଗିଥିବ ।

Image

 

Unknown

ମୁକ୍ତ ଆକାଶତଳର ଇସ୍କୁଲ୍

 

ବହୁ ପ୍ରତ୍ୟାଶାର ସହିତ ମୁଁ କେତେ ନା କେତେ ଉଦ୍ଦୀପନାରେ ଅପେକ୍ଷା କରି ରହିଥିଲି-। ସକାଳ ଆଠଟା ବେଳକୁ ସେମାନଙ୍କ ମଧ୍ୟରୁ ୨୯ ଜଣ ଆସି ପହଞ୍ଚିଲେ । ସାଶା ଆସିନଥିଲା (ବୋଧହୁଏ ତା’ର ମାଆ ସୁସ୍ଥ ନଥିଲେ) । ଭୋଲୋଡ଼୍ୟା ମଧ୍ୟ ଅନୁପସ୍ଥିତ ଥିଲା, ମନେ ହେଉଥିଲା ସତେ ଯେପରି ତା’ ନିଦ ଭାଙ୍ଗି ନଥିଲା ଓ ତା’ର ମାଆ ତାକୁ ଉଠାଇବାକୁ ଇଚ୍ଛା କଲେ ନାହିଁ-

 

ପ୍ରାୟ ସବୁ ପିଲା ସତେଅବା ଉତ୍ସବ ଦିନର ପୋଷାକ ପିନ୍ଧି ଆସିଥିଲେ, ଗୋଡ଼ରେ ନୂଆ ଜୋତା ଲଗାଇଥିଲେ । ମୋତେ କେମିତି କେମିତି ଲାଗିଲା; କାରଣ ଗାଁରେ ପିଲାମାନେ ଆବହମାନ କାଳରୁ ହିଁ ଖାଲି ଗୋଡ଼ରେ ରହି ଆସିଥିଲେ । ଏବଂ ତାହା ହିଁ ହେଉଛି ସର୍ବୋତ୍ତମ ଶାରୀରିକ ଶିକ୍ଷା, ଥଣ୍ଡା ନଲାଗିବାର ସବୁଠୁ ଅଧିକ ଫଳପ୍ରଦ ପ୍ରତିକାର । ପିତାମାତାମାନେ ସେମାନଙ୍କ ପିଲାମାନଙ୍କର ପାଦକୁ କାହିଁକି ମଇଳା, ସକାଳର ଶିଶିର ଏବଂ ଖରା ପଡ଼ି ଗରମ ହୋଇ ରହିଥିବା ଖାଲି ଭୂଇଁରୁ ସୁରକ୍ଷିତ ରଖିବାକୁ ଇଚ୍ଛା କରନ୍ତି କେଜାଣି ? ସେମାନଙ୍କର ଉଦ୍ଦେଶ୍ୟ ଠିକ୍ ଥାଏ ସତ, ମାତ୍ର ସେଥିରୁ ମନ୍ଦ ପରିଣାମ ହିଁ ଉତ୍ପନ୍ନ ହୋଇଥାଏ: ଏବେ ପ୍ରତ୍ୟେକ ବର୍ଷ ଅଧିକସଂଖ୍ୟକ ପିଲା ସର୍ଦ୍ଦିଜରରେ ପଡ଼ୁଛନ୍ତି, - ଘଣ୍ଟିକା ବଢ଼ୁଛି ଓ କଫ ହେଉଛି । ପିଲାମାନଙ୍କୁ ଏପରି ବଢ଼ାଇବାକୁ ହେବ, ଯେପରିକି ସେମାନେ ଗରମ ଏବଂ ଥଣ୍ଡାକୁ ମୋଟେ ଭୟ କରିବେ ନାହିଁ ।

 

“ପିଲାଏ, ଆସ ସ୍କୁଲକୁ ଯିବା,” – ମୁଁ ସେହି କୁନି ଛୁଆମାନଙ୍କୁ କହିଲି ଓ ବଗିଚା ଆଡ଼କୁ ବାହାରିଲି । ପିଲାଏ ଆଁ’ କରି ମୋ’ ଆଡ଼କୁ ଅନାଇବାକୁ ଲାଗିଲେ ।

 

“ହଁ, ପିଲାମାନେ, ଆମେ ପ୍ରକୃତରେ ଇସ୍କୁଲକୁ ଯାଉଛୁ । ଆମ ସ୍କୁଲ ଖୋଲା ଆକାଶ ତଳେ ହେବ, ସବୁଜ ଘାସ ଉପରେ ନାସ୍ପାତି ଗଛର ଛାଇରେ । ସେଠି ଅଙ୍ଗୁରଗଛର ଲଟା ମାଡ଼ିଥିବ, ଶାଗୁଆ ରଙ୍ଗର ପଡ଼ିଆ ବି ଥିବ । ଏଇଠୁ ଜୋତାଗୁଡ଼ିକ ଖୋଲି ବାହାର କରିଦିଅ ଏବଂ, ଆଗେ ତୁମେମାନେ ଯେପରି କରୁଥିଲ, ଖାଲି ପାଦରେ ସେଠାକୁ ଚାଲ ।” ପିଲାଏ ମହା ଆନନ୍ଦରେ କେଚେରେ ମେଚେରେ ହେବାକୁ ଲାଗିଲେ; ଗ୍ରୀଷ୍ମଋତୁରେ ଜୋତା ପିନ୍ଧିବାର ଅଭ୍ୟାସ ସେମାନଙ୍କର କେବେ ନଥିଲା । କାରଣ ସେପରି କଲେ ଅଡ଼ୁଆ ବି ଲାଗୁଥିଲା । “ହଁ, କାଲିକି ଆଉ କେହି ଜୋତା ପିନ୍ଧି ଆସିବ ନାହିଁ । ଆମ ଇସ୍କୁଲ ପାଇଁ ତାହା ହିଁ ସବୁଠାରୁ ଭଲ ହେବ ।”

 

ଆମେ ଅଙ୍ଗୁରଲତା ମାଡ଼ିଥିବା କୁଞ୍ଜଟି ଆଡ଼କୁ ଚାଲି ଚାଲି ଗଲୁ । ଗୋଟିଏ କୋଳାହଳହୀନ କୋଣରେ ଗଛମାନଙ୍କର ଆଢ଼ୁଆଳରେ ଅଙ୍ଗୁରଲତାମାନେ ଘଞ୍ଚ ହୋଇ ମାଡ଼ିଥାନ୍ତି । ଧାତୁନିର୍ମିତ ଭାଡ଼ିଟିରେ ଗୁଡ଼ାଇ ହୋଇ ଗୋଟିଏ ସବୁଜ ରଙ୍ଗର କୁଟୀର ନିର୍ମାଣ କରି ରଖିଥାନ୍ତି । କୁଟୀରଟିର ଭିତରେ କଅଁଳ ଗହଳ ଘାସ ମାଡ଼ିକରି ରହିଥାଏ । ସେଠାରେ କେବଳ ନୀରବତା ହିଁ ରାଜତ୍ୱ କରୁଥାଏ ଏବଂ ଗହଳ ଶାଗୁଆ ରଙ୍ଗ ଭିତରୁ ସମସ୍ତ ପୃଥିବୀଟା ମଧ୍ୟ ସତେଅବା ଶାଗୁଆ ହୋଇ ଯାଇଥିବା ପରି ବୋଧ ହେଉଥାଏ । ଆମେ ସମସ୍ତେ ଘାସ ଉପରେ ଯାଇ ବସିଲୁ ।

 

“ଆମ ଇସ୍କୁଲ ଏହିଠାରେ ଆରମ୍ଭ ହେବ । ଏଇଠାରୁ ଆମେ ନେଳିଆ ଆକାଶ ଆଡ଼କୁ ଅନାଇବା,-ବଗିଚା, ଗାଆଁ, ସୂର୍ଯ୍ୟ ସମସ୍ତଙ୍କୁ ଦେଖିବା ।”

 

ପ୍ରକୃତିର ସେହି ସୌନ୍ଦର୍ଯ୍ୟ ଦ୍ୱାରା ସମ୍ମୋହିତ ହୋଇ ପିଲାମାନେ ଚୁପ୍ ହୋଇ ଆସିଲେ-। ପତ୍ରଗହଳରୁ ପାଉଁଶିଆ ରଙ୍ଗର ଅଙ୍ଗୁରଗୁଡ଼ିକ ଝୁଲି କରି ରହିଥାଏ । ପିଲା ଚାଖି ଦେଖିବାକୁ ଇଚ୍ଛା କଲେ । ହଁ, ପିଲାଏ ଆମେ ସେକାମ ମଧ୍ୟ କରିବା, ମାତ୍ର ଆଗ ସେଗୁଡ଼ିକ କେଡ଼େ ସୁନ୍ଦର ଦେଖାଯାଉଛନ୍ତି, ତାହାକୁ ଦେଖି ଖୁସୀ ବି ହେବ । ପିଲାଏ ଚାରି ଆଡ଼କୁ ଅନାଇଲେ । ବଗିଚାଟି ସତେଅବା ଗୋଟିଏ ସବୁଜବର୍ଣ୍ଣ କୁହୁଡ଼ିର ଆସ୍ତରଣ ତଳେ ରହିଥିବା ପରି ଦିଶୁଥାଏ, ସତେ ଅବା ପାଣି ତଳେ ରହିଥିବା କୌଣସି ଏକ ରାଜ୍ୟ ଭିତରେ । ପୃଥିବୀର ଉପର ସମତଳଟା-ବିଲ, ପଡ଼ିଆ, ରାସ୍ତାସବୁ ଯେପରି ଉଜ୍ଜ୍ୱଳ ଶାଗୁଆ ରଙ୍ଗର କୁହୁଡ଼ି ଭିତରେ କମ୍ପି ଉଠିଲା ପରି ମନେ ହେଉଥାଏ ଏବଂ ଆଲୁଅରେ ଚକମକ ହେଉଥିବା ଗଛଗୁଡ଼ିକ ଉପରେ ସୂର୍ଯ୍ୟର କିରଣ ବିଛାଡ଼ି ହୋଇ ପଡ଼ିଥାଏ ।

 

“ସୂର୍ଯ୍ୟ ତା’ କିରଣଗୁଡ଼ିକୁ ଚାରି ଆଡ଼କୁ ଦେଉଛି” – କାଟ୍ୟା ଥିରି ଥିରି କହିଲା ।

 

ଏହି ସମ୍ମୋହନକାରୀ ଳପରିପାଶ୍ୱର୍ଟି ମଧ୍ୟରୁ ପିଲାମାନେ ଆପଣାକୁ ବିଚ୍ଛିନ୍ନ କରିପାରୁନଥାନ୍ତି, - ତେଣୁ ସେମାନଙ୍କୁ ମୁଁ ସୂର୍ଯ୍ୟ ବିଷୟରେ ଗୋଟିଏ କାହାଣୀ କହିବାକୁ ଆରମ୍ଭ କଲି ।

 

“ହଁ, ପିଲାମାନେ, କାଟ୍ୟା ଭାରି ଚମତ୍କାର ଭାବରେ କହିଲା : ସୂର୍ଯ୍ୟ କିରଣ ଗୁଡ଼ିକୁ ଚାରିଆଡ଼କୁ ଦେଉଛି । ସୂର୍ଯ୍ୟ ଯାଇ କେତେ ଦୂରରେ ଉଚ୍ଚ ଆକାଶରେ ରହିଛି । ତା’ ପାଖରେ ଦୁଇଟା ବିରାଟକାୟ କମାର ଅଛନ୍ତି । ଭାତିଟା ସୁନାରେ ତିଆରି ହୋଇଛି । ସକାଳ ପାହିବା ଆଗରୁ ନିଆଁ ପରି ଜଳୁଥିବା ଦାଢ଼ି ରଖିଥିବା ଏହି କମାର ଦୁଇଜଣ ସୂର୍ଯ୍ୟଙ୍କ ପାଖକୁ ଯାଆନ୍ତି ଓ ସୂର୍ଯ୍ୟ ସେମାନଙ୍କୁ ଦୁଇ ବଣ୍ଡୁଲି ରୂପାର ସୂତା ଆଣି ଦିଅନ୍ତି । କମାରମାନେ ଲୁହାର ହାତୁଡ଼ିମାନ ଧରି ସୂତାକୁ ଭାତି ଉପରେ ରଖି ଏପରି ହାତୁଡ଼ି ଦେଇ ପିଟନ୍ତି ଯେ ସେଗୁଡ଼ିକ ଚାରିଆଡ଼କୁ ଛିଞ୍ଚାଡ଼ି ହୋଇଯାଏ । ସୂର୍ଯ୍ୟ ପାଇଁ ସେମାନେ ରୂପାର ହାରଟିଏ ତିଆରି କରି ଦିଅନ୍ତି ଏବଂ ରୂପାର ରଶ୍ମିକଣାମାନ ହାତୁଡ଼ି ତଳୁ ଛିଟିକି ଯାଇ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଆନ୍ତି ଏବଂ ତା’ପରେ ପୃଥିବୀ ଉପରେ ବିଛାଡ଼ି ହୋଇ ପଡ଼ନ୍ତି । ରଶ୍ମିମାନେ ପୃଥିବୀ ଉପରେ ଆସି ପଡ଼ୁଥିବାରୁ ତୁମେମାନେ ଏଠାରେ ସେଗୁଡ଼ିକୁ ଦେଖିବାକୁ ପାଅ । ସନ୍ଧ୍ୟା ହେଲେ ସେହି କ୍ଳାନ୍ତ କମାରମାନେ ସୂର୍ଯ୍ୟ ପାଖକୁ ଯାଇ ହାରଟିକୁ ଦେଇ ଆସନ୍ତି । ସୂର୍ଯ୍ୟ ନିଜର ସୁନାରଙ୍ଗର ବେଣୀଗୁଡ଼ିକ ଉପରେ ହାରଟିକୁ ପକାଇ ଦେଇ ତା’ର କୁହୁକ ବଗିଚାଟିକୁ ବିଶ୍ରାମ ନେବା ପାଇଁ ଚାଲିଯାଏ ।”

 

ମୁଁ କାହାଣୀ କହୁଥାଏ ଓ ଏଣେ ଚିତ୍ର କରି ଦେଖାଇ ଦେଉଥାଏ । ଧଳା କାଗଜଟି ଉପରେ ଅଦ୍‍ଭୂତ ଓ ଅକଳ୍ପନୀୟ ରୂପମାନ ଉକୁଟି ଉଠିବାରେ ଲାଗିଥାନ୍ତି – ବିରାଟକାୟ ଦୁଇଜଣ କମାର ସୁନା ଭାତିଟା ଉପରେ ନଇଁ ଠିଆ ହୋଇଥାନ୍ତି ଏବଂ ଲୁହାର ହାତୁଡ଼ିଗୁଡ଼ିକରୁ ରୂପାରଙ୍ଗର ଅଗ୍ନିକଣାମାନ ଛିଞ୍ଚାଡ଼ି ହୋଇ ପଡ଼ୁଥାଏ ।

 

ସେହି କୁହୁକପୂର୍ଣ୍ଣ ପୃଥିବୀଟି ବିଷୟରେ ସମ୍ମୋହିତ ହୋଇ ପିଲାମାନେ କାହାଣୀଟିକୁ ଶୁଣୁଥାଆନ୍ତି; ଏବଂ ମନେ ହେଉଥାଏ, ସତେ ଯେପରି କାଳେ ସେହି ସମ୍ମୋହିତ ପରିବେଶଟି ଭାଙ୍ଗିଯିବ ବୋଲି ଭୟ କରି ସେମାନେ ବିରାଜମାନ କରୁଥିବା ନୀରବତାଟିକୁ ଭାଙ୍ଗିଦେବା ପାଇଁ ମଧ୍ୟ ଭୟ କରୁଥାନ୍ତି । ତା’ପରେ ସେମାନଙ୍କର ପ୍ରଶ୍ନ ପଚାରିବା ଆରମ୍ଭ ହୋଇଗଲା : କମାରମାନେ ରାତିରେ କ’ଣ କରନ୍ତି ? ସେମାନେ କାହିଁକି ପ୍ରତିଦିନ ସୂର୍ଯ୍ୟଙ୍କୁ ନୂଆ ହାରଟିଏ ତିଆରି କରି ଦିଅନ୍ତି-? ରୂପାରଙ୍ଗର ସେହି ରଶ୍ମିକଣାଗୁଡ଼ିକ କୁଆଡ଼େ ଅଦୃଶ୍ୟ ହୋଇ ଚାଲିଯାଏ - ସେଗୁଡ଼ିକ କ’ଣ ପ୍ରତିଦିନ ସତକୁ ସତ ପୃଥିବୀ ଉପରେ ଆସି ପଡ଼ନ୍ତି ?

 

“ମୁଁ ଆଉଦିନେ ଏସବୁ କଥା କହିବି । ଆମ ହାତରେ ଆହୁରି ଢେର୍ ସମୟ ଅଛି । ଆସ, ମୁଁ ତୁମମାନଙ୍କୁ ଅଙ୍ଗୁର ଖାଇବା ଲାଗି ନିମନ୍ତ୍ରଣ କରୁଛି ।” ପିଲାମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରି ରହିଥାଆନ୍ତି ଓ ଏଣେ ଟୋକେଇଟା ଅଙ୍ଗୁରରେ ଭର୍ତ୍ତି ହେବାରେ ଲାଗିଥାଏ । ପ୍ରତ୍ୟେକ ପିଲାକୁ ମୁଁ ଦୁଇଟି କରି ପେନ୍ଥା ଦେଲି; ଗୋଟିଏ ସେମାନେ ନିଜେ ଖାଇବେ, ଆଉ ଗୋଟିଏ ଘରକୁ ନେଇ ମାଆକୁ ଦେବେ, ଯେପରିକି ସିଏ ମଧ୍ୟ ସୁଆଦ ଚାଖି ପାରିବେ । ପିଲାମାନେ କେତେ ଧୈର୍ଯ୍ୟର ପ୍ରମାଣ ଦେଉଥାଆନ୍ତି, ଦେଖି ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗୁଥାଏ । ସେମାନେ ଅଙ୍ଗୁରଗୁଡ଼ିକୁ କାଗଜରେ ବାନ୍ଧିଲେ । ଏବଂ ମୁଁ ତଥାପି ଭାବୁଥାଏ, ସେମାନେ କ’ଣ ଏଗୁଡ଼ିକୁ ସତରେ ଘରକୁ ନେଇ ଯିବେ ? ବା ହୁଏତ ବାଟରେ ଖାଇ ଶେଷ କରିଦେବେ । ଟୋଲ୍ୟା ଓ କୋଲ୍ୟା ଅଙ୍ଗୁରଗୁଡ଼ିକୁ ନେଇ ମାଆକୁ ଦେବେ ? ନିନାକୁ ମୁଁ ଅଧିକ କେତୋଟି ପେନ୍ଥା ଦେଇଥିଲି;– ଗୋଟିଏ ତା’ର ପୀଡ଼ିତା ମାଆଙ୍କ ପାଇଁ ଏବଂ ତା’ ଭଉଣୀମାନଙ୍କ ପାଇଁ ଓ ଜେଜେମାଆଙ୍କ ପାଇଁ ଆଉ କେତୋଟି । ଭାଗ୍ୟା ତା’ବାପାଙ୍କ ପାଇଁ ତିନି ପେନ୍ଥା ନେଲା । ମୁଁ ବସି ଭାବିବାକୁ ଲାଗିଲି ଯେ, ଏହି ପିଲାମାନଙ୍କ ଦେହରେ ଯଥେଷ୍ଟ ବଳ ଆସିଗଲେ, ସେମାନେ ପ୍ରତ୍ୟେକେ ନିଜର ଅଙ୍ଗୁରବୁଦା ନିଶ୍ଚୟ ଲଗାଇବେ । ...ଏହି ଶରତ ଋତୁରେ ଭାରାଙ୍କ ଘରେ ଡଜନ ଅଙ୍ଗୁରଚାରା ଲାଗିବ, ଯେପରିକି ସେଗୁଡ଼ିକରେ ବର୍ଷକ ପରେ ଫଳ ଧରିବ ଏବଂ ତାହା ତା’ବାପାଙ୍କ ପାଇଁ ଭଲ ଔଷଧ ପରି କାମ କରିବ ।

 

ପରୀରାଇଜର ସେହି ସବୁଜ ଘନଛାୟା ଭିତରୁ ଆମେ ବାହାରକୁ ଆସିଲୁ ଏବଂ ମୁଁ ପିଲାମାନଙ୍କୁ କହିଲି, “କାଲି ସମସ୍ତେ ସନ୍ଧ୍ୟା ଛଅଟା ବେଳେ ଆସିବ । ଭୁଲିବ ନାହିଁଟି ।”

 

ମୁଁ ବେଶ୍ ଦେଖି ପାରିଲି ଯେ ପିଲାମାନେ ମୋଟେ ଯିବାକୁ ଚାହୁନଥାନ୍ତି । ତଥାପି, ଅଙ୍ଗୁର ବନ୍ଧା ହୋଇଥିବା ଧଳା ପୁଡ଼ିଆଗୁଡ଼ିକୁ ଛାତି ପାଖରେ ଜାକି ଧରି ସେମାନେ ଗୋଟି ଗୋଟି ହୋଇ ଚାଲିଗଲେ । ସେମାନଙ୍କ ମଧ୍ୟରୁ କେଉଁମାନେ ଅଙ୍ଗୁରଗୁଡ଼ିକୁ ପୂରା ଘର ପର୍ଯ୍ୟନ୍ତ ନେଇ କରି ଯାଇଥିବେ, ମୁଁ ସେହି କଥା ଜାଣିବାକୁ ଇଚ୍ଛା କରୁଥିଲି ! କିନ୍ତୁ ସେମାନଙ୍କୁ ପଚାରି କ’ଣ ବୁଝିଥାଆନ୍ତି ? ସେମାନେ ନିଜେ ମୋତେ କହିଲେ, ତାହା ଅବଶ୍ୟ ଉତ୍ତମ କଥା ହୁଅନ୍ତା ।

 

ଏହିପରି ଭାବରେ ମୁକ୍ତାକାଶ ବିଦ୍ୟାଳୟର ପ୍ରଥମ ଦିନଟି ସମାପ୍ତ ହେଲା । ସେଦିନ ରାତିରେ ମୁଁ ସୂର୍ଯ୍ୟଙ୍କର ରୂପେଲି ରଶ୍ମିଗୁଡ଼ିକ ବିଷୟରେ ସ୍ୱପ୍ନ ଦେଖିଲି । ଏବଂ ତା’ଆର ଦିନ ବଡ଼ି ସକାଳୁ ଉଠି ମୁଁ ଏହାପରେ କ’ଣ କରିବି ବୋଲି ଚିନ୍ତା କରୁଥିଲି । ସେଦିନ ମୁଁ ପିଲାମାନଙ୍କୁ କ’ଣ କହିବି ବା ସେମାନଙ୍କୁ କୁଆଡ଼େ ନେବି, ସେ ବିଷୟରେ କୌଣସି ବିସ୍ତୃତ ଯୋଜନା କରି ନଥିଲି । ଆମ ବିଦ୍ୟାଳୟର ଜୀବନଟି ଏପରି ଗୋଟିଏ ବିଚାରରୁ ବିକାଶ ଲାଭ କରିଥିଲା, ଯାହାକି ମୋତେ ଖୁବ୍ ପ୍ରେରଣା ଦେଇଥିଲା: ଗୋଟିଏ ପିଲାର ନିଜ ସ୍ୱଭାବଟି ହେଉଛି ଯେ, ସିଏ ଅତ୍ୟନ୍ତ ଉତ୍ସୁକ ଭାବରେ ତା’ଚାରି ପାଖରେ ରହିଥିବା ପୃଥିବୀର ସବୁ ରହସ୍ୟକୁ ଉଦ୍‍ଘାଟନ କରିବ । ତେଣୁ, ଜୀବନମୟ ନାନାବିଧ ରଙ୍ଗ, ସ୍ପଷ୍ଟ ଓ ପ୍ରକମ୍ପିତ ଯାବତୀୟ ଶବ୍ଦର ଏହି ବିସ୍ମୟପୂର୍ଣ୍ଣ ପୃଥିବୀଟି ସେମାନଙ୍କ ଆଗରେ ପରୀଗପ, ଖେଳ, ବ୍ୟକ୍ତିଗତ ସର୍ଜନାତ୍ମକତା ଓ ସୌନ୍ଦର୍ଯ୍ୟ ମାଧ୍ୟମରେ ଉନ୍ମୋଚିତ ହେବାରେ ଲାଗିଥାଏ ଏବଂ ଅନ୍ୟମାନଙ୍କର ହିତ ସାଧନ କରିବା ପାଇଁ ସେମାନଙ୍କର ହୃଦୟକୁ ପ୍ରେରଣା ଦେଉଥାଏ । ପରୀଗପ, ବିଚିତ୍ର କାଳ୍ପନିକତା ଏବଂ କ୍ରୀଡ଼ା ମାଧ୍ୟମରେ ଏକକ ମୁହୂର୍ତ୍ତଗୁଡ଼ିକର ନାନା ସର୍ଜନାତ୍ମକତାର ବାଟ ଦେଇ ଆମେ ଗୋଟିଏ ପିଲାର ହୃଦୟ ଭିତରକୁ ସୁନିଶ୍ଚିତ ରାସ୍ତାଟିଏ ପାଇ ଯାଇଥାଉ । ମୁଁ ପାରିପାର୍ଶ୍ୱିକ ଏପରି ଏକ ପୃଥିବୀ ଭିତରକୁ ପିଲାମାନଙ୍କୁ ପ୍ରକୃତରେ ନେଇଯିବି, ଯାହାକି ପ୍ରତ୍ୟହ ନୂତନ କିଛିର ଉନ୍ମୋଚନ କରାଇ ଆଣୁଥିବ, - ଏପରି ଏକ ଉପାୟରେ ସେହି ଉନ୍ମୋଚନଗୁଡ଼ିକୁ ଘଟାଉଥିବ, ଯେପରିକି ଆମେ ପକାଉଥିବା ପ୍ରତ୍ୟେକଟି ପାଦ ଯାବତୀୟ ଭାବନା ଓ ଯାବତୀୟ କଥାର ଉତ୍ସଗୁଡ଼ିକ ମଧ୍ୟକୁ, ପ୍ରକୃତିର କୁହୁକସୃଷ୍ଟିକାରୀ ସୌନ୍ଦର୍ଯ୍ୟ ମଧ୍ୟରୁ ହିଁ ଆମ ଯାତ୍ରାର ଏକ ଅଂଶ ହୋଇ ରହିଥିବ । ଏହି କଥାଟି ଉପରେ ମୁଁ ଅବଶ୍ୟ ଦୃଷ୍ଟି ରଖିଥିବି ଯେ, ମୋ’ର ପ୍ରତ୍ୟେକଟି ଛାତ୍ର ଜଣେ ବିଚାରଶୀଳ ଓ ଜିଜ୍ଞାସାପୂର୍ଣ୍ଣ ବ୍ୟକ୍ତିରେ ପରିଣତ ହେବାକୁ ବାଟ ପାଇଯିବ, ଯେପରିକି ଜ୍ଞାନର ଅଭିମୁଖରେ ତା’ର ପ୍ରତ୍ୟେକଟି ପଦକ୍ଷେପ ତା’ର ହୃଦୟକୁ ଉଦାର କରି ଆଣିବ ଓ ଇଚ୍ଛାଶକ୍ତିକୁ ଯଥୋଚିତ ଭାବରେ ପ୍ରସ୍ତୁତ କରି ଆଣୁଥିବ ।

 

ଦ୍ୱିତୀୟ ଦିନ ପିଲାମାନେ ସନ୍ଧ୍ୟା ଆଡ଼କୁ ସ୍କୁଲରେ ଆସି ପହଞ୍ଚିଲେ । ଶରତ କାଳର ଶାନ୍ତ ଦିନଟି ବେଶ୍ ଶୀତଳ ହୋଇ ଯାଇଥିଲା । ଗାଆଁରୁ ବାହାରି ଯାଇ ଆମେ ପୁରାତନ କାଳର ଏକ ଉଚ୍ଚ ସମାଧିଗଦା ପାଖରେ ଯାଇ ପହଞ୍ଚିଲୁ । ସୂର୍ଯ୍ୟକିରଣରେ ସୁନେଲି ରଙ୍ଗ ଧାରଣ କରି ପ୍ରାନ୍ତରଟି ଅତି ବିସ୍ମୟଜନକ ଭାବରେ ସୁନ୍ଦର ଦିଶୁଥାଏ । ପପ୍‍ଲାର ଗଛଗୁଡ଼ିକ ସିଧା ହୋଇ ଠିଆ ହୋଇଥାଆନ୍ତି ଏବଂ ଦିଗ୍‍ବଳୟ ଉପରେ ଦୂର ଶ୍ମଶାନକୁଦଗୁଡ଼ିକ ବିସ୍ତୀର୍ଣ୍ଣ ହୋଇ ରହିଥାନ୍ତି । ଆମେ ସତେଅବା ଯାବତୀୟ ବିଚାର ଏବଂ ଶବ୍ଦର ଉତ୍ସଗୁଡ଼ିକ ପାଖରେ ଆସି ପହଞ୍ଚି ଯାଇଥିଲୁ । ପରୀଗଳ୍ପ ଏବଂ ମୁକ୍ତକଳ୍ପନା, – ଏହିଗୁଡ଼ିକ ହିଁ ଚାବି ପରି ହୋଇ ଏହିସବୁ ଉତ୍ସସ୍ଥାନକୁ ଉନ୍ମୋଚିତ କରି ଦେଇଥାନ୍ତି, –ଏବଂ ତାପରେ ଯାଇ ଶବ୍ଦମାନେ ଅଜାଡ଼ି ହୋଇ ପଡ଼ନ୍ତି । “ସୂର୍ଯ୍ୟ ରଶ୍ମିଗୁଡ଼ିକୁ ଛିଞ୍ଚାଡ଼ି ଦେଉଛି,” – କାଲି କାଟ୍ୟା ଏହି ଯେଉଁ କଥାଟି କହିଥିଲା, ତାହା ମନେ ଅଛିତ ? ଘଟଣାଗୁଡ଼ିକର ପୂର୍ବାନୁମାନ କରି ମୁଁ ଏଠାରେ ଆପଣମାନଙ୍କୁ କହିବି ଯେ, ବାରବର୍ଷ ପରେ ସ୍କୁଲପାଠ ସମାପ୍ତ କରୁଥିବା ସମୟରେ ସିଏ ନିଜର ଜନ୍ମସ୍ଥାନ ବିଷୟରେ ଯେଉଁ ରଚନାଟି ଲେଖିଥିଲା, ସେଥିରେ ପ୍ରକୃତି ପ୍ରତି ରହିଥିବା ତା’ର ଭଲ ପାଇବାକୁ ବ୍ୟକ୍ତ କରି ସେ ଠିକ୍ ଏହି କଳ୍ପନାଟିକୁ ବ୍ୟବହାର କରିଥିଲା । ଠିକ୍ ଏହିପରି ଭାବରେ ହିଁ ପିଲାମାନଙ୍କର ମନ ଉପରେ ପରୀଗପରେ ଥିବା କଳ୍ପନାଗୁଡ଼ିକର ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରଭାବ ପଡ଼ିଥାଏ । ଚତୁର୍ଦ୍ଦିଗର ପୃଥିବୀଟିକୁ ରାଶି ରାଶି କଳ୍ପନାରେ ଭରି ଦେଉଥିବା ବେଳେ, ଏହିସବୁ କଳ୍ପନାକୁ ଗଢ଼ି ଆଣୁଥିବା ସମୟରେ ପିଲାମାନେ କେବଳ ଯେ ସୌନ୍ଦର୍ଯ୍ୟର ଆବିଷ୍କାର କରନ୍ତି ତା’ ନୁହେଁ, ସେମାନେ ସତ୍ୟକୁ ମଧ୍ୟ ଆବିଷ୍କାର କରନ୍ତି ବୋଲି ମୁଁ ହଜାର ଥର ପ୍ରମାଣ ପାଇଯାଇଥିବି । ଗୋଟିଏ ପିଲାର କଳ୍ପନା ପରୀଗପ ବ୍ୟତୀତ ଆଦୌ ବଞ୍ଚି ରହିପାରିବ ନାହିଁ, ଖେଳ ବ୍ୟତୀତ ବି ନୁହେଁ । ପରୀଗପ ବ୍ୟତୀତ ଚାରିପାର୍ଶ୍ୱର ପୃଥିବୀ ତଥାପି ଏକ ଯଥେଷ୍ଟ ସୁନ୍ଦର ସ୍ଥାନ ହୋଇ ରହିଥିବ ସତ, ମାତ୍ର ସତେଅବା କନା ଉପରେ ଅଙ୍କା ହୋଇଥିବା ପରି ବୋଧ ହେଉଥିବ । ପରୀଗପଗୁଡ଼ିକ ହିଁ ତାହାକୁ ଜୀବନ୍ତ କରି ଆଣିବ ।

 

ଆଳଙ୍କାରିକ ଭାବରେ ବର୍ଣ୍ଣନା କଲେ, ଗୋଟିଏ ପରୀଗପକୁ ଆମେ ସେହି ତାଜା ତଟକା ପବନ ସହିତ ତୁଳନା କରିପାରିବା, ଯାହାକି ଶିଶୁମାନଙ୍କର ଭାବନା ତଥା କହିବା ଶକ୍ତିକୁ ଅନୁକୂଳତା ଯୋଗାଇ ଦେଇ ପ୍ରଜ୍ଜ୍ୱଳିତ କରି ଆଣିଥାଏ । ପିଲାମାନେ ପରୀଗପମାନ ଶୁଣିବାକୁ କେବଳ ଯେ ଭଲ ପାଆନ୍ତି, ତା’ନୁହେଁ, ସେମାନେ ନିଜେ ବି ସେଗୁଡ଼ିକର ଉଦ୍ଭାବନ କରିବାରେ ଆନନ୍ଦ ପାଇଥାନ୍ତି । ଅଙ୍ଗୁରଲତାର ସେହି ସବୁଜ ପ୍ରାଚୀରଟି ମଧ୍ୟ ଦେଇ ମୁଁ ପିଲାମାନଙ୍କୁ ପୃଥିବୀର ଦୃଶ୍ୟ ଦେଖାଉଥିବା ବେଳେ, ସେମାନଙ୍କୁ ଗୋଟିଏ କାହାଣୀ ବି କହିବି ବୋଲି ଜାଣିଥିଲି ସତ, ମାତ୍ର ଠିକ୍ କେଉଁ କାହାଣୀଟି କହିବି, ସେକଥା ଆଦୌ ଜାଣି ନଥିଲି । “ସୂର୍ଯ୍ୟ ତା’ ରଶ୍ମିଗୁଡ଼ାକୁ ଛିଞ୍ଚାଡ଼ି ଦେଉଛି” ବୋଲି କାଟ୍ୟାଠାରୁ ଶୁଣିବା ପରେ ଯାଇ ମୁଁ ନିଜ କଳ୍ପନାଶକ୍ତିକୁ ଉଡ଼ାଇ ନେବା ଲାଗି ଏକ ପ୍ରେରଣା ପାଇଗଲି । ପିଲାମାନେ ପ୍ରକୃତରେ କେଡ଼େ ନିରାଟ ନିଛକ, କଳାତ୍ମକ ଏବଂ ପ୍ରକାଶସମର୍ଥ କଳ୍ପନାର ପରିଚୟ ନଦିଅନ୍ତି,–ସେଗୁଡ଼ିକ ସର୍ବଦା କେଡ଼େ ପରିଚ୍ଛନ୍ନ ହୋଇଥାଏ ଓ ଭାଷାଟା ବି କେଡ଼େ ବର୍ଣ୍ଣାଢ଼୍ୟ ହୋଇ ରହିଥାଏ ।

 

ତେଣୁ ପିଲାମାନେ ଅକ୍ଷରର ମାଧ୍ୟମରେ ସେମାନଙ୍କର ପ୍ରଥମ ପୃଥିବୀଟିକୁ ପାଠ କରିବା ଲାଗି ବହିଟିଏ ଖୋଲିବା ଆଗରୁ ମୁଁ ସେମାନଙ୍କୁ ସବୁଠାରୁ ଅଧିକ କୁହୁକ ସୃଷ୍ଟି କରି ପାରୁଥିବା ବହିଟି ପାଖକୁ, – ପ୍ରକୃତିର ବହି ପାଖକୁ ଆଣିବା ଲାଗି ଚେଷ୍ଟା କରିଥିଲି ।

 

ପ୍ରକୃତି ମଧ୍ୟରେ ଯାହା ସବୁଠାରୁ ଅଧିକ ସଂବେଦନଶୀଳ, ସବୁଠାରୁ ଅଧିକ କୋମଳ ଓ ସବୁଠାରୁ ଅଧିକ କୁହୁକପୂର୍ଣ୍ଣ ହୋଇ ରହିଛି, ଆମେ ଶିକ୍ଷକମାନେ ଏହି ପିଲାର ମନଟିକୁ ନେଇ ଯେ ଯାହାକିଛି କରୁଛୁ, ପ୍ରକୃତି ଭିତରେ ରହିଥିବା ସମୟରେ ହିଁ ସେହି କଥାଟି ମୋ’ ସମ୍ମୁଖରେ ବିଶେଷ ଭାବରେ ସ୍ପଷ୍ଟ ହୋଇ ଆସିଥିଲା । କୌଣସି ପିଲାର ମନ ବିଷୟରେ ଚିନ୍ତା କଲାବେଳେ ଆମକୁ କଳ୍ପନା କରିବାକୁ ହେବ ସତେ ଯେପରି ଶିଶିର ବିନ୍ଦୁଗୁଡ଼ିକର ମାଳିଗୁଡ଼ିକ ଉପରେ ଅତି କୋମଳ ଗୋଲାପ ଫୁଲଟିଏ କମ୍ପି ଉଠିବା ପରି ଲାଗୁଛି । ଗୋଲାପ ଫୁଲଟିକୁ ତୁମେ ଆଣିବ ଅଥଚ, ତାଦେହରୁ ଶିଶରର ବିନ୍ଦୁଗୁଡ଼ିକ ଝରି ପଡ଼ିବ ନାହିଁ,–ଏଥିପାଇଁ କେତେ ଅଧିକ ଯତ୍ନ ଓ ସମ୍ବେଦନଶୀଳତା ଆବଶ୍ୟକ କହନ୍ତୁ ତ ! ଆମକୁ ପ୍ରକୃତରେ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ସାବଧାନ ରହିବାକୁ ପଡ଼ିବ: କାରଣ ପ୍ରକୃତି ମଧ୍ୟରେ ଯାହା ସବୁଠାରୁ ଅଧିକ କୋମଳ ଓ ଅଧିକ ସଂବେଦନଶୀଳ, ଏହି କ୍ଷେତ୍ରରେ ଆମେ ବିକାଶ ଲାଭ କରୁଥିବା ପିଲାର ସେହି ଭାବନା ବସ୍ତୁଟିକୁ ହିଁ ସ୍ପର୍ଶ କରୁଛୁ ।

 

ପିଲା କାଳ୍ପନିକ ଚିତ୍ରଭାଷାରେ ହିଁ ଯାହାକିଛି ଭାବିଥାଏ । ଅର୍ଥାତ୍, ଉଦାହରଣ ସ୍ୱରୂପ, ଗୋଟିଏ ଜଳବିନ୍ଦୁର ଯାତ୍ରା ବିଷୟରେ ତା’ଶିକ୍ଷକଙ୍କର କାହାଣୀଟିକୁ ଶୁଣି ସିଏ ସକାଳ ସମୟରେ ରୂପେଲି ରଙ୍ଗର ତରଙ୍ଗ ସୃଷ୍ଟି କରୁଥିବା କୁହୁଡ଼ିର କଳ୍ପନା କରେ, କଳା କଳା ମେଘର କଳ୍ପନା କରେ, ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ପାଏ, ଆଦ୍ୟ ନିଦାଘର ବର୍ଷଣ କଥା ବି ଭାବୁଥାଏ । ଏହି ଛବିଟି ଭିତରେ ଚିତ୍ରଗୁଡ଼ିକ ଯେତିକି ଅଧିକ ସ୍ପଷ୍ଟ ହୋଇଥାଏ, ପିଲା ପ୍ରକୃତିର ନିୟମଗୁଡ଼ିକୁ ପ୍ରକୃତରେ ସେତିକି ଅଧିକ ଗଭୀର ଅର୍ଥଟିଏ ପ୍ରଦାନ କରିବାକୁ ସମର୍ଥ ହୋଇଥାଏ । ତା’ମସ୍ତିଷ୍କ ଭିତରର କୋମଳ ଓ ସ୍ପର୍ଶକାତର ନିଉରନ୍ ଗୁଡ଼ିକ ଆଦୌ ଟାଣ ହୋଇ ନଥାନ୍ତି; ତେଣୁ ସେଗୁଡ଼ିକୁ ବିକଶିତ କରାଇ ଆଣିବାକୁ ଓ ଶକ୍ତ କରାଇ ଆଣିବାକୁ ହୋଇଥାଏ ।

 

ପିଲା ଚିନ୍ତା କରୁଥାଏ । ଏହାର ଅର୍ଥ ହେଉଛି, ତା’ମସ୍ତିଷ୍କର ଉପରିଭାଗରେ ଥିବା ଏକ ବିଶେଷ କିସମର ନିଉରନ୍‍ମାନେ ସେହି ଚିତ୍ରଗୁଡ଼ିକ (ଛବି, ଦୃଷ୍ଟାନ୍ତ, ଘଟଣା, ଶବ୍ଦାବଳୀ) ବିଷୟରେ ନିଜର ଅବବୋଧଗୁଡ଼ିକୁ ଅର୍ଜନ କରୁଥାନ୍ତି, ପାରିପାର୍ଶ୍ୱିକ ପୃଥିବୀର ବିଷୟରେ ସଚେତନ ହେଉଥାଆନ୍ତି ଏବଂ ଲବ୍ଧ ସଙ୍କେତଗୁଡ଼ିକ ଏହିସବୁ ଅତ୍ୟନ୍ତ କୋମଳ ସ୍ନାୟୁ କୋଷଗୁଡ଼ିକରେ ମଧ୍ୟ ଦେଇ ଗତି କରିବାରେ ଲାଗିଥାନ୍ତି । ନିଉରନ୍‍ମାନେ ସମ୍ବାଦଗୁଡ଼ିକର ପ୍ରତିଲିପି ତିଆରି କରି ନେଉଥାନ୍ତି । ଏକ ନିର୍ଦ୍ଦିଷ୍ଟ ଧାରାରେ ସଜାଇ ରଖନ୍ତି, ଶ୍ରେଣୀବଦ୍ଧ କରନ୍ତି, ତୁଳନା କରି ଦେଖନ୍ତି ଏବଂ ଅଲଗା ଅଲଗା କରି ବାଛି ନିଅନ୍ତି । ଏବଂ, ଭିତରକୁ ଆସୁଥିବା ଯାବତୀୟ ନୂତନ ସମ୍ବାଦର ଏହିପରି ବାରବାର ପ୍ରତିଲିପି ହେବାରେ ଲାଗିଥାଏ । ଯାବତୀୟ ନୂତନ ପ୍ରତିରୂପ ତଥା ସମ୍ବାଦର ପ୍ରତିଲିପି ନିର୍ମାଣର ସମ୍ମୁଖୀନ ହୋଇପାରିବା ସକାଶେ ନିଉରନ୍‍ଗୁଡ଼ିକର ସ୍ନାୟୁଗତ ଶକ୍ତି ପ୍ରତିରୂପଗୁଡ଼ିକର ଅବବୋଧକ୍ଷେତ୍ରରୁ ଅସାଧାରଣ ଭାବରେ ଅତ୍ୟନ୍ତ କମ୍ ସମୟରେ ସେଗୁଡ଼ିକର ପ୍ରତିଲିପି ଲେଖା ହେଉଥିବା କ୍ଷେତ୍ରକୁ ନିଜକୁ ସ୍ଥାନାନ୍ତରିତ କରିଥାଏ ।

 

ନିଉରନ୍‍ଗୁଡ଼ିକର ସ୍ନାୟୁଗତ ଶକ୍ତିର ଏପରି ବିସ୍ମୟକାରୀ ବେଗରେ ସ୍ଥାନାନ୍ତରିତ ହେବା, ଏହାକୁ ହିଁ ଆମେ ଭାବନା ବୋଲି କହିଥାଉ । ପିଲାଟି ଭାବୁଥାଏ । ପିଲାର ମସ୍ତିଷ୍କ-କୋଷଗୁଡ଼ିକ ଏତେ ସୁକୁମାର ଓ ଅରବୋଧର ବସ୍ତୁଗୁଡ଼ିକ ପ୍ରତି ପ୍ରତିକ୍ରିୟା ବ୍ୟକ୍ତ କରିବାର କ୍ଷେତ୍ରରେ ଏତେ ସୂକ୍ଷ୍ମ ଯେ, କେବଳ ଯେତେବେଳେ ଅବବୋଧ ଏବଂ ଅର୍ଥଆରୋପଣର ବସ୍ତୁଗୁଡ଼ିକଦେଖି ହେଉଥିବେ, ଶୁଣି ହେଉଥିବେ ଓ ଛୁଇଁ ହେଉଥିବେ, ସେତିକିବେଳେ ହିଁ ସେମାନେ ସ୍ୱାଭାବିକ ଭାବରେ କାର୍ଯ୍ୟ କରିପାରିବେ । ତେଣୁ ଯେତେବେଳେ ଏକ ବାସ୍ତବ ସ୍ପଷ୍ଟ ଦୃଷ୍ଟାନ୍ତ ଅଥବା ଏକ ଅତ୍ୟନ୍ତ ସ୍ପଷ୍ଟ ଶାଦ୍ଦିକ ଚିତ୍ର, ଯାହାର ମାଧ୍ୟମରେ କି ଆଲୋଚ୍ୟ ବିଷୟଟିକୁ ପିଲା ଦେଖି ପାରୁଥିବ, ଶୁଣି ପାରୁଥିବ ଓ ଅନୁଭବ କରିପାରୁଥିବ, ସତେଅବା ତା’ସମ୍ମୁଖରେ ଦଣ୍ଡାୟମାନ ରହିଥିବ, କେବଳ ସେତିକିବେଳେ ଯାଇ ଯାବତୀୟ ଭାବିବାର ସାରମର୍ମ ସ୍ୱରୂପ କାର୍ଯ୍ୟ କରୁଥିବା ଭାବନାଗୁଡ଼ିକର ଏହି ସ୍ଥାନାନ୍ତରୀକରଣ ସମ୍ଭବ ହୋଇ ପାରିବ । (ସେହି କାରଣରୁ ହିଁ ପିଲାମାନେ ପରୀକାହାଣୀଗୁଡ଼ିକୁ ଏତେ ବେଶୀ ଭଲ ପାଆନ୍ତି ।)

 

ପିଲାଙ୍କ ମସ୍ତିଷ୍କର ଏହି ବିଶେଷ ପ୍ରକୃତିଟି ହେତୁ, ତାହାକୁ ଭାବନାର ଉତ୍ସସ୍ଥାନରୁ ଅର୍ଥାତ୍ ସୁସ୍ପଷ୍ଟ ତଥା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଳ୍ପନାଚିତ୍ରଗୁଡ଼ିକର କ୍ଷେତ୍ରରୁ ହିଁ ତାହାକୁ ଶିକ୍ଷା ଦେଇ ଆଣିବାକୁ ହେବ । ଯେପରିକି ସେହି ଚିତ୍ରଟି ଭିତରେ ରହିଥିବା ସମ୍ବାଦଟିର ପ୍ରତିଲିପିଗ୍ରହଣର ସ୍ତରକୁ ତାହାର ଭାବନାଗୁଡ଼ିକ ସୁସ୍ପଷ୍ଟ ଚିତ୍ରଟିର ସ୍ତରରୁ ସ୍ଥାନାନ୍ତରିତ କରି ଆଣିପାରିବ । ଯଦି ପିଲାମାନଙ୍କୁ ପ୍ରକୃତି ଠାରୁ ବିଛିନ୍ନ କରି ରଖାଯାଏ, ଅଧ୍ୟୟନର ପ୍ରଥମ କାଳରୁ ହିଁ ଯଦି ପିଲାମାନେ କେବଳ ଶବ୍ଦଗୁଡ଼ାକ ହିଁ ଦେଖନ୍ତି, ତେବେ ସେମାନଙ୍କର ମସ୍ତିଷ୍କରେ ଥିବା କୋଷଗୁଡ଼ିକ ଖୁବ୍ ଶୀଘ୍ର ଥକି ପଡ଼ିବେ ଏବଂ ଶିକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରି ଦେଉଥିବା କାର୍ଯ୍ୟଗୁଡ଼ିକୁ ସେମାନେ ଆଉ କରିପାରିବେ ନାହିଁ । ତେଣୁ, ସେମାନଙ୍କର ସେହି କୋଷଗୁଡ଼ିକର ବିକାଶ ସାଧନ କରାଇବାକୁ ହେବ, ସେଗୁଡ଼ିକୁ ବଳଯୁକ୍ତ କରାଇ ଆଣିବାକୁ ହେବ । କୋଷଗୁଡ଼ିକର ଶକ୍ତିକୁ ସଂଗୃହୀତ କରି ଆଣିବାକୁ ପଡ଼ିବ । ଏହି କାରଣରୁ ହିଁ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ଅନେକ ସମୟରେ ଗୋଟିଏ ପିଲାକୁ ନୀରବ ହୋଇ ବସିଥିବାର ଦେଖିବାକୁ ପାଆନ୍ତି । ସିଏ ସତେ ଯେପରି ମନ ଦେଇ ସବୁ ଶୁଣୁଥିବା ପରି ତୁମ ଆଖି ଆଡ଼କୁ ଅନାଇଥିବା ପରି ଲାଗୁଥାଏ । ମାତ୍ର କୁହା ହେଉଥିବା ଗୋଟିଏ ଶବ୍ଦକୁ ମଧ୍ୟ ସେ ବୁଝି ପାରୁନଥାଏ । କାରଣ, ଶିକ୍ଷକ କେବଳ କହିବାରେ ହିଁ ଲାଗିଥାଆନ୍ତି, ପିଲାକୁ ଖାଲି ନିୟମ, ସମସ୍ୟା ଓ ଉଦାହରଣ ବିଷୟରେ ଶୁଣିବାକୁ ମିଳୁଥାଏ, -ସେଗୁଡ଼ାକ କେବଳ ଅମୂର୍ତ୍ତ ଏବଂ ସାଧାରଣସ୍ଥାନୀୟ ହୋଇ ରହିଥାନ୍ତି, – ସେଠାରେ କୌଣସି ଜୀବନ୍ତ ଚିତ୍ରକଳ୍ପନା ନଥାଏ, ତେଣୁ ପିଲାର କଳ୍ପନା କ୍ଳାନ୍ତ ହୋଇପଡ଼େ । ସେହିଠାରୁ ହିଁ ଅସୁବିଧାମାନ ଆରମ୍ଭ ହୁଏ । ପ୍ରକୃତି ମଧ୍ୟରେ ହିଁ ପିଲାମାନଙ୍କର ଭାବନାଶକ୍ତିର ବିକାଶ ଏବଂ ସଂବଳନ ହୋଇ ପାରୁଥିବା ଉଚିତ: ପିଲାର ଶାରୀରିକ ବିକାଶର ନିୟମମାନ ତାହା ହିଁ ଦାବି କରିଥାଆନ୍ତି । ଏହି କାରଣରୁ ହିଁ ପ୍ରକୃତି ମଧ୍ୟକୁ ଯାବତୀୟ ଅଭିଯାନ ଭାବନା ପାଇଁ, ମନର ବିକାଶ ପାଇଁ ଏକ ପାଠର ହିଁ କାର୍ଯ୍ୟ କରିଥାଏ ।

 

ଆମେ ସମାଧିସ୍ଥାନର କୁଦଟି ଉପରେ ବସିଥାଉ ଏବଂ ଆମ ଚତୁର୍ଦ୍ଦିଗରେ ଝିଣ୍ଟିକାମାନଙ୍କର ସମ୍ମିଳିତ ସଂଗୀତ ଲାଗି ରହିଥାଏ ଏବଂ ଚାରଣଭୂମିର ଘାସଗନ୍ଧରେ ପବନ ପୂର୍ଣ୍ଣ ହୋଇ ରହିଥାଏ । ଏଭଳି ଗୋଟିଏ ବାତାବରଣରେ ପିଲାମାନଙ୍କୁ ମୋଟେ ଖୁବ୍ ବେଶୀ କଥା କହିବାକୁ ପଡ଼େ ନାହଁ, - ବେଶୀ ମଜା ବା କୌତୁକ କିଛି ନଥାଇ କେବଳ କଥା କହି ହିଁ ଯାହାକିଛି ସନ୍ତୋଷ ଦେବାକୁ ପଡ଼ୁଥାଏ,–ଏଭଳି ସନ୍ତୋଷବିଧାନ ଦ୍ୱାରା ଭୟଙ୍କର ଅନିଷ୍ଟ ହୁଏ । ପିଲା ଯେ ଖାଲି ଶିକ୍ଷକଙ୍କ ମୁହଁରୁ ବାହାରୁଥିବା ଶବ୍ଦଗୁଡ଼ିକୁ ହିଁ ଶୁଣୁଥିବ, ସେକଥା ଆଦୈନୁହେଁ, ସିଏ ନୀରବ ମଧ୍ୟ ରହିପାରୁଥିବ । ଏହିସବୁ ମୁହୁର୍ତ୍ତରେ ସିଏ ନିଜେ ଚିନ୍ତା କରିବ; ନିଜେ ଯାହା ଦେଖିଛି ବା ଶୁଣିଛି, ତାହାକୁ ବୁଝିବା ପାଇଁ ଚେଷ୍ଟା କରିବ । ତେଣୁ ଏକ ଅତି ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଶ୍ରେଣୀରେ କେତେ କଥା କୁହାଯାଉଛି, ଶିକ୍ଷକ ସେଥିରେ ମଧ୍ୟ ଗୋଟିଏ ସୀମା ନିର୍ଦ୍ଧାରଣ କରି ରଖିଥିବ । ପିଲାମାନେ ନିତାନ୍ତ ନିଷ୍କ୍ରିୟ ଭାବରେ କେବଳ ଶୁଣୁଥିବା କଥାଗୁଡ଼ିକୁ ଗ୍ରହଣ କରି ନେଉଥିବେ, ଏଭଳି ଯେପରି କଦାପି ନହୁଏ । ରୈଖିକ ହେଉ ବା ଶାବ୍ଦିକ ହେଉ, କଳ୍ପନା ଚିତ୍ରଗୁଡ଼ିକୁ ବୁଝିପାରିବା ଲାଗି ବହୁତ ସମୟ ଏବଂ ସ୍ନାୟୁଗତ ଶକ୍ତି ଆବଶ୍ୟକ । ତେଣୁ, ପିଲାକୁ କିଛି ନିଜେ ଭାବିବାକୁ ଦେବା, ଏଇଟି ହେଉଛି ଜଣେ ଶିକ୍ଷକର ଗୋଟିଏ ଅତ୍ୟନ୍ତ ସୂକ୍ଷ୍ମ ଗୁଣ । ଏବଂ, ପ୍ରକୃତିର ପରିବେଶ ମଧ୍ୟରେ ରହିଥିବା କେବଳ ପିଲା ପାଇଁ ଶୁଣିବାର, ଚତୁର୍ଦ୍ଦିଗକୁ ଅନାଇବାର ଓ ଅନୁଭବ କରିବାର ସମ୍ଭାବନାଟି ମଧ୍ୟ ପ୍ରଦାନ କରାଯାଇଥିବା ଉଚିତ ।

 

ଆମେ ଝିଣ୍ଟିକାମାନଙ୍କର ସମ୍ମିଳିତ ସଂଗୀତଟିଏ ଶୁଣିଲୁ । ପିଲାମାନେ ସେହି ଅଦ୍ଭୁତ ସଂଗୀତକୁ ମୋହିତ ହୋଇ ଶୁଣିଲେ, ସେଥିପାଇଁ ମୋତେ ଖୁବ୍ ଖୁସୀ ଲାଗିଲା । ପଡ଼ିଆଟିରେ ସୁଗନ୍ଧ ଏବଂ ଆଶ୍ଚର୍ଯ୍ୟଜନକ ଧ୍ୱନିଗୁଡ଼ିକ ଦ୍ୱାରା ସିକ୍ତ ହୋଇ ରହିଥିବା ଏହି ଶାନ୍ତ ସନ୍ଧ୍ୟାସମୟଟି ସେମାନଙ୍କର ସ୍ମୃତି ମଧ୍ୟରେ ସବୁଦିନ ପାଇଁ ଖୋଦିତ ହୋଇ ରହିଥାଉ । ଦିନେ ସେମାନେ ଝିଣ୍ଟିକାମାନଙ୍କ ବିଷୟରେ କେତେ କେତେ କାହାଣୀ ଗଢ଼ି ଥୋଇ ଦେଇପାରିବେ ।

 

ମାତ୍ର ପିଲାମାନଙ୍କର ଭାବଗମ୍ଭୀର କାହାଣୀଗୁଡ଼ିକ ବର୍ତ୍ତମାନ ସୂର୍ଯ୍ୟାସ୍ତ ଉପରେ ନିବଦ୍ଧ ହୋଇ ରହିଯାଇଥିଲା । ସୂର୍ଯ୍ୟ ସେତେବେଳକୁ ଦିଗ୍‍ବଳୟର ତଳକୁ ଖସି ଆସିଥାନ୍ତି ଏବଂ ଆକାଶ ସୂର୍ଯ୍ୟାସ୍ତ ସମୟର ନାନା ରଙ୍ଗ ଓ ଛିଟାରେ ଆଚ୍ଛାଦିତ ହୋଇ ରହିଥାଏ ।

 

“ଦେଖିଲ, ସୂର୍ଯ୍ୟ ବର୍ତ୍ତମାନ ବିଶ୍ରାମ ନେବାକୁ ଗଲେଣି” –ଲାରିସା କହିଲା । ତା’ର ମୁଖମଣ୍ଡଳଟି ବିଷଣ୍ଣ ଦିଶି ଆସୁଥାଏ ।

 

ଲିଡ଼ା ପଚାରିଲା, “କମାରମାନେ ସୂର୍ଯ୍ୟ ପାଇଁ ରୂପାର ହାରଟିକୁ ନେଇକରି ଆସିଛନ୍ତି । .....କାଲି ପିନ୍ଧିଥିବା ହାରଟାକୁ ସିଏ କୋଉଠି ରଖି ଆସିଲେ ?”

 

ଏହି କାହାଣୀଟି ଆହୁରି ଆଗକୁ ଚାଲୁ ବୋଲି ଅପେକ୍ଷା କରି ପିଲାମାନେ ମୋ’ଆଡ଼କୁ ଅନାଇଲେ । ମାତ୍ର, ଏଥିପାଇଁ କେଉଁ ଚିତ୍ରକଳ୍ପନାଟିକୁ ବ୍ୟବହାର କରିବାକୁ ହେବ, ମୁଁ ସେ ବିଷୟରେ କିଛି ଠିକ୍ କରିନଥାଏ । ଏଥିରେ ଫେଡ଼୍ୟା ମୋତେ ସାହାଯ୍ୟ କଲା ।

 

ସିଏ ଶାନ୍ତ ଭାବରେ କହିଲା, “ହାରଟିକୁ ବର୍ତ୍ତମାନ ଆକାଶଟା ଯାକ ଲମ୍ବାଇ ଦିଆଯାଇଛି ।”

 

ସମସ୍ତେ ପୂରା ଚୁପ୍ ହୋଇଗଲେ । ଫେଡ୍ୟା ତା’ପରେ କ’ଣ କହିବ, ତାହା ଶୁଣିବୁ ବୋଲି ଆମେ ଅପେକ୍ଷା କରି ରହିଥିଲୁ । ପ୍ରକୃତରେ ସିଏ କାଲିର ଗପଟିକୁ ଆହୁରି ଆଗକୁ ନେଇଯିବାକୁ ହିଁ ଏହି କଥାଗୁଡ଼ିକୁ କହିଥିଲା । ମାତ୍ର, ସିଏ ବି ଚୁପ୍ ରହିଥାଏ, ସମ୍ଭବତଃ ତାକୁ ଟିକିଏ ଲାଜ ଲାଗୁଥାଏ । ମୁଁ ତାକୁ ସାହାଯ୍ୟ କରିବାକୁ କହିଲି :

 

“ହଁ, ହାରଟିକୁ ପ୍ରକୃତରେ ଆକାଶ ଯାକ ଲମ୍ବାଇ ଦିଆଯାଇଛି । ଗୋଟିଏ ଦିନ ପରେ ଏହା ସୂର୍ଯ୍ୟର ନିଆଁ ପରି ଗରମ ବେଣୀରେ ପଡ଼ି ଉତ୍ତପ୍ତ ହୋଇଯାଏ ଏବଂ ମହମ ପରି କୋମଳ ହୋଇ ଆସେ । ସୂର୍ଯ୍ୟ ମଧ୍ୟ ନିଜର ନିଆଁ ପରି ହାତକୁ ବଢ଼ାଇ ତାକୁ ଛୁଇଁ ଦିଏ ଓ ସୁନାର ସ୍ରୋତଟାକୁ ସନ୍ଧ୍ୟାର ଆକାଶ ଉପରେ ଆଣି ଅଜାଡ଼ି ଦେଇଯାଏ । ନିଜ ବିଶ୍ରାମ ନେବାକୁ ଯାଉଥିବା ସମୟରେ ଏହି ଶେଷ କିରଣଗୁଡ଼ିକ ହିଁ ଏହି ସ୍ରୋତରେ ଆଲୋକ ହୋଇ ବୋହିଯାଏ;–ଦେଖ ସେଗୁଡ଼ିକୁ ତୁମେମାନେ ବେଶ୍ ଦେଖିପାରୁଥିବ । ତାହାପରେ ତାହା ଗୋଲାପୀ ରଙ୍ଗଗୁଡ଼ିକ ସହିତ ଖେଳିବାରେ ଲାଗିଯାଏ । ତା’ପରେ ଚକ୍‌ଚକ୍‌ ହୋଇ ମ୍ଳାନ ହୋଇ ଆସେ । ସୂର୍ଯ୍ୟ ଅଧିକରୁ ଅଧିକ ଦୂରକୁ ଚାଲିଯିବାରେ ଲାଗିଥାଏ । ଦେଖ, ବର୍ତ୍ତମାନ ସିଏ ଆକାଶରେ ଥିବା ତା’ କୁହୁକବଗିଚା ଭିତରକୁ ଚାଲିଯିବ ଏବଂ ତା’ପରେ ତାରାମାନେ ଆକାଶରେ ମିଞ୍ଜିମିଞ୍ଜି ହୋଇ ଦେଖାଯିବେ ।”

 

ପିଲାମାନେ ଏକାବେଳକେ ପଚାରିବାକୁ ଆରମ୍ଭ କରିଦେଲେ: “ତାରା ପୁଣି କ’ଣ ? ସିଏ ଏପର ମିଞ୍ଜିମିଞ୍ଜି କାହିଁକି ହୁଏ ? ତାରା କୋଉଠୁ ଆସେ ? ଆମେ ତାକୁ ଦିନବେଳେ ଦେଖିପାରୁ ନାହୁଁ କାହିଁକି ? ମାତ୍ର, ଏକାବେଳେକେ ବହୁସଂଖ୍ୟକ କଳ୍ପନାଚିତ୍ର ଦ୍ୱାରା ପିଲାମାନଙ୍କୁ ଭାରାକ୍ରାନ୍ତ କରି ପକାଇବା ମଧ୍ୟ ଅନୁଚିତ । ଦିନକ ସକାଶେ ସେତିକି ହିଁ ଯଥେଷ୍ଟ ଏବଂ ତେଣୁ ପିଲାମାନଙ୍କର ଦୃଷ୍ଟିକୁ ମୁଁ ଆଉଗୋଟାଏ ଆଡ଼କୁ ଆକୃଷ୍ଟ କରି ଆଣିଲି ।

 

“ଘାସ ପଡ଼ିଆକୁ ଅନାଇ ଦେଖ । ଦେଖ, ଉପତ୍ୟକା, ପଡ଼ିଆ, ତଳ ସମତଳ ଭୂମି, ସବୁ କିପରି ଅନ୍ଧାର ହୋଇଆସୁଛି । ସମାଧିର ସେହି କୁଢ଼ଗୁଡ଼ାକ ଆଡ଼କୁ ଅନାଅ, ସେଗୁଡ଼ିକ ବି କିପରି କୋମଳ ହୋଇ ଆସୁଛନ୍ତି, ସନ୍ଧ୍ୟାର ଝାପ୍‍ସା ଆଲୁଅ ଭିତରକୁ ପଶି ଯାଉଛନ୍ତି । କୁଦଗଡ଼ିକ ଧୂସର ଦେଖାଦେଲେଣି । ସେଗୁଡ଼ିକର ଉପରିଭାଗକୁ ଅନାଅ, ସେଠି କ’ଣ ଦେଖୁଛ କହିଲ ।”

 

“ଜଙ୍ଗଲ.....ବୁଦାସବୁ.....ଗୋଟିଏ ଗୋରୁପଲ....ମେଣ୍ଢା ଜଗୁଆଳ ମେଣ୍ଢା ନେଇ ଯାଉଛି । ଚାଷୀମାନେ ରାତିରେ କ୍ଷେତରେ ରହିବାର ଯୋଗାଡ଼ କରୁଛନ୍ତି,–ଗୋଟାଏ ଧୂନି ଲଗାଇଲେଣି, ମାତ୍ର ସେଇଟା ତୁମେ ଦେଖିପାରିବ ନାହିଁ । ତୁମକୁ କେବଳ ଧୂଆଁ ହିଁ ଦିଶିବ.....” । ଅନ୍ଧାର ହୋଇ ଆସୁଥିବା ପାହାଡ଼ଗୁଡ଼ିକୁ ଚାହିଁ ପିଲାମାନଙ୍କର କଳ୍ପନାରୁ ଏହିସବୁ ବସ୍ତୁ ଜନ୍ମଲାଭ କରୁଥିଲେ । ଘରକୁ ଯିବାର ସମୟ ହେଲା ବୋଲି ମୁଁ ପିଲାମାନଙ୍କୁ କହିଲି, ମାତ୍ର ସେମାନେ ଘରକୁ ଯିବା ପାଇଁ ଇଚ୍ଛା କରୁନଥିଲେ । ଆମେ ସେଠାରେ ଆଉ କେତେ ମିନିଟ୍ ବସି ପାରିବା କି ନାହିଁ ବୋଲି ସେମାନେ ମୋତେ ପଚାରିଲେ । ସନ୍ଧ୍ୟା ସମୟରେ ଯେତେବେଳେ ପୃଥିବୀ ରହସ୍ୟ ଦ୍ୱାରା ଆବୃତ ହୋଇ ଆସେ, ସେତେବେଳେ ପିଲାମାନଙ୍କର କଳ୍ପନା କୁଆଡ଼େ ମନ କୁଆଡ଼େ ଧାଇଁବାକୁ ଆରମ୍ଭ କରେ । ମୁଁ କେବଳ ଏତିକି କହିଥିଲି ଯେ, ସନ୍ଧ୍ୟାର ଗୋଧୂଳି ଏବଂ ରାତ୍ରିର ଅନ୍ଧକାର କେଉଁ ସୁଦୂର ଉପତ୍ୟକା ଏବଂ ଅରଣ୍ୟଗୁଡ଼ିକରୁ ଗୋଟିଏ ସ୍ରୋତ ପରି ବହି ଆସନ୍ତି ଏବଂ ଏତିକି ଶୁଣିବା ମାତ୍ରକେ ଅନ୍ଧକାର ଏବଂ ତମସା ପ୍ରଭୃତି କାଳ୍ପନିକ ଜନ୍ତୁମାନଙ୍କର ପ୍ରତିରୂପମାନ ସେମାନଙ୍କର କଳ୍ପନାଗୁଡ଼ିକ ଭିତରେ ଆବିର୍ଭୂତ ହେବାକୁ ଆରମ୍ଭ କରି ସାରିଥିଲେ । ସାନ୍ୟା ଏହିସବୁ ଜନ୍ତୁମାନଙ୍କ ବିଷୟରେ କାହାଣୀଟିଏ କହିବସିଲା: ଦୂର କେଉଁ ଅରଣ୍ୟର ସେପାଖରେ ଗୋଟାଏ ଗୁମ୍ପା ଭିତରେ ସେମାନେ ବାସ କରନ୍ତି । ଦିନବେଳେ ସେମାନେ ଘୁଷୁରି ଘୁଷୁରି ଏହି ଅତଳ ଓ ଅନ୍ଧାର ଗାତଟା ଭିତରକୁ ଚାଲି ଆସନ୍ତି । ସେଇଠାରେ ଶୁଅନ୍ତି ଏବଂ ସ୍ୱପ୍ନ ଦେଖିବା ସମୟରେ ସଅଁ ସଅଁ ହେଉଥାନ୍ତି । (କାହିଁକି ସଅଁ ସଅଁ ହୁଅନ୍ତି ତାହା କେବଳ କାହାଣୀଟିକୁ କହୁଥିବା ବ୍ୟକ୍ତି ହିଁ ଜାଣିଛନ୍ତି...) । ମାତ୍ର, ସୂର୍ଯ୍ୟ ଯାଇ ତାଙ୍କର କୁହୁକ ବଗିଚାଟି ଭିତରେ ପ୍ରବେଶ କଲା ମାତ୍ରକେ ସେମାନେ ସେହିସବୁ ସ୍ଥାନରୁ ବାହାରକୁ ବାହାରି ଆସନ୍ତି । ସେମାନଙ୍କର ଏଡ଼େ ବଡ଼ ବଡ଼ ପଞ୍ଝାରେ କଅଁଳ ରୁମ ଭର୍ତ୍ତି ହୋଇ ରହିଥିବାରୁ ସେମାନଙ୍କର ଚାଲିବା ଶବ୍ଦକୁ ଆଦୌ କେହି ଶୁଣି ପାରନ୍ତି ନାହିଁ । ଅନ୍ଧାର ଓ ତମସାସୁର ଭାରି ଦୟାଶୀଳ, ଶାନ୍ତ, ସ୍ନେହୀ ଜନ୍ତୁ, କାହାରି କୌଣସି କ୍ଷତି କରନ୍ତି ନାହିଁ ।

 

ଅନ୍ଧାର ତମାସାସୁର କିପରି ସେମାନଙ୍କୁ ଭୁଲାଇ ଭୁଲାଇ ଶୁଆଇ ପକାନ୍ତି, ସେଇ କଥାଟିକୁ ନେଇ ପିଲାମାନେ ଗୋଟାଏ କାହାଣୀ ଗଢ଼ି ଥୋଇଦେବାକୁ ସମର୍ଥ ଥିଲେ, ମାତ୍ର ଗୋଟାଏ ଦିନ ସେତେବେଳକୁ ଯଥେଷ୍ଟ ହୋଇ ସାରିଥିଲା । ସେମାନେ ତହିଁ ଆରଦିନ ସନ୍ଧ୍ୟାକୁ ମଧ୍ୟ ଏହିପରି ଆସିପାରିବେ କି ନାହିଁ ବୋଲି ପିଲାଏ ପଚାରୁଥାନ୍ତି ଓ ଆମେ ସେଠାରୁ ଘରକୁ ବାହାରିଲୁ । ଭାରା କୁହଥାଏ ଯେ, “ତେବେ କାହାଣୀମାନ ଗଢ଼ିବା ଭାରି ସହଜ ହୋଇଯିବ ।”

 

ପିଲାମାନେ କାହିଁକି ଏଡ଼େ ଉତ୍ସୁକ ଭାବରେ କାହାଣୀମାନ ଶୁଣନ୍ତି ? କଳ୍ପନାମାନେ କୁଆଡ଼େ ମନ କୁଆଡ଼େ ଉଡ଼ିଯିବା ପାଇଁ ବାତାବରଣ ଅନୁକୂଳ ହୋଇ ରହିଥିବା ଏହି ଗୋଧୂଳି ସମୟଟିକୁ ସେମାନେ କାହିଁକି ଭଲ ପାଆନ୍ତି ? କାହାଣୀମାନେ କାହିଁକି ଯେକୌଣସି ପିଲାର କହିବାର ପ୍ରକ୍ରିୟାକୁ ବିକଶିତ କରି ଆଣନ୍ତି ଓ ଭାବନାର ପ୍ରକ୍ରିୟାଟିକୁ ବଳଯୁକ୍ତ କରନ୍ତି ? କାରଣ, କାହାଣୀରେ ଥିବା ଚିତ୍ରରୂପଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସଂବେଗଗୁଡ଼ିକ ଦ୍ୱାରା ହିଁ ବହୁବର୍ଣ୍ଣଯୁକ୍ତ ହୋଇ ରହିଥାଆନ୍ତି । କାହାଣୀର ଶବ୍ଦଗୁଡ଼ିକ ପିଲାର କଳ୍ପନା ଭିତରେ ବାସ କରୁଥାନ୍ତି । କଳ୍ପନାଚିତ୍ର ଦ୍ୱାରା ଚିତ୍ର ହୋଇଥିବା ଶବ୍ଦଗୁଡ଼ିକୁ ଶୁଣିଲା ବେଳେ ଅଥବା ଉଚ୍ଚାରଣ କଲାବେଳେ ଗୋଟିଏ ପିଲାର ହୃତ୍ସ୍ପନ୍ଦନ ସତେଅବା ବନ୍ଦ ହୋଇଗଲା ପରି ଲାଗେ । ପିଲାଏ କାହାଣୀ ଶୁଣୁ ନଥିବେ ଏବଂ ତାହା ସଙ୍ଗେ ସଙ୍ଗେ ନିଜେ କାହାଣୀମାନ ଉଦ୍ଭାବନ କରୁନଥିବେ,-ଏପରି ଏକ ଅବସ୍ଥାରେ ମୁଁ କୌଣସି ବିଦ୍ୟାଳୟ କିମ୍ବା ଅଧ୍ୟୟନର କଳ୍ପନା ହିଁ କରିପାରିବି ନାହିଁ ।

 

ଆନନ୍ଦମୟ ପାଠଶାଳାର ପ୍ରଥମ ଦୁଇମାସ ପିଲାମାନେ ଯେଉଁସବୁ କାହାଣୀ ଓ ପରୀକଥାର ଉଦ୍ଭାବନ କରିଥିଲେ, ସେଥିରୁ ଏଠାରେ କେତୋଟି ଦିଆଯାଉଛି । ସେଗୁଡ଼ିକ ମଧ୍ୟରେ ଆମେ ପିଲାମାନଙ୍କର ଭାବନା, ଅନୁଭବ, ଅଭିଳାଷ ଏବଂ ଅବଲୋକନର ଜଗତଟିକୁ ଅବଶ୍ୟ ଦେଖିବାକୁ ପାଇବା ।

 

ସାନ ଠେକୁଆ (ଶୂରା)

 

ମାଆ ମୋତେ କେଡ଼େ ଛନଛନିଆ ଠେକୁଆଟିଏ ଆଣି ଦେଲେ । ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ । ସେଇଟିକୁ ବଡ଼ଦିନ ଗଛର ଗୋଟିଏ ଡାଳରେ ନେଇ ଝୁଲାଇ ଦେଲି । ସମସ୍ତେ ଶୋଇବାକୁ ଗଲେ । ଗଛଟି ଉପରେ ଗୋଟିଏ ସାନ, ଅତିସାନ ଆଲୁଅ ଝଲମଲ ହେଉଥିଲା । ମୁଁ ଅନାଇ ଦେଖୁଥାଏ । ଠେକୁଆଟି ଡେଇଁ ଡେଇଁ ତା’ସାନ ଡାଳଟିକୁ ଚାଲି ଆସିଲା ଏବଂ ଗଛ ଚାରିପାଖରେ ଭଉଁରୀ ବୁଲିବାକୁ ଲାଗିଲା । ଏମିତି ଭଉଁରୀ ପରେ ଭଉଁରୀ ବୁଲି ସିଏ ପୁଣି ଗଛରେ ଥିବା ତା ଡାଳ ଉପରକୁ ଡେଇଁ ଡେଇଁ ଚାଲିଗଲା ।

 

ସୂର୍ଯ୍ୟମୁଖୀ ଫୁଲ (କାଟ୍ୟା)

 

ସୂର୍ଯ୍ୟ ଉଠିଲେ । ସାନ ସାନ ଚଢ଼େଇ ନିଦରୁ ଉଠିଲେ ଏବଂ ଆକାଶରେ ଚାତକ ପକ୍ଷୀଟିଏ ଆସି ଉଡ଼ିଲା । ଶେଷରେ ସୂର୍ଯ୍ୟମୂଖୀ ଫୁଲ ବି ନିଦରୁ ଉଠିଲା । ଉଠି ନିଜ ପାଖୁଡ଼ାଗୁଡ଼ିକରୁ କାକରକୁ ପୋଛି ପକାଇଲା । ସୂର୍ଯ୍ୟ ଆଡ଼କୁ ଅନାଇ କହିଲା, “ନମସ୍କାର, ସୂର୍ଯ୍ୟ ମହାଶୟ । ମୁଁ ଆପଣଙ୍କ ପାଇଁ କେତେବେଳୁ ଅପେକ୍ଷା କରିଛି । ଆପଣଙ୍କର ଉଷୁମ ନବାଜି ମୋ’ର ସୁନେଲି ପାଖୁଡ଼ାମାନେ କିପରି ଝାଉଁଳି ପଡ଼ିଛନ୍ତି ଦେଖିଲେ । ମାତ୍ର, ସେମାନେ ପୁଣି ସତେଜ ହୋଇ ଉଠିଲେଣି । କେଡ଼େ ଖୁସୀ ହେଲେଣି । ମୁଁ ମଧ୍ୟ ଗୋଲ୍ ଏବଂ ସୁନାରଙ୍ଗର; ଠିକ୍ ତୁମରି ପରି ।

 

ସେମାନେ କିପରି କ୍ଷେତକୁ ଚଷିଲେ (ୟୁରା)

 

ଫସଲକଟା ଯନ୍ତ୍ର ଗହମ ଫସଲକୁ କାଟି ଦେବା ପରେ ଚୁଟିଆମୂଷା ତା’ଗାତରୁ ବାହାରି ଦେଖିଲା ଯେ କ୍ଷେତରେ ଗହମ ନାହିଁ ଏବଂ ଗହମ ସୀଁସାରୁ ଆଉ କୌଣସି ଶବ୍ଦ ହେଉନାହିଁ । ଠୁଣ୍ଟା ମୂଳଗୁଡ଼ାକ ଉପରେ ସିଏ ପଥର ପରି ଗଡ଼ିଗଲା । ଗୋଟାଏ ବିଶାଳ ଜନ୍ତୁ, - ଧାତୁ ପରି ଚକ୍‌ଚକ୍‌ ଦେଖାଯାଉଥିବା ବିମ୍ବପୋକଟାଏ ତା’ ଆଡ଼କୁ ମାଡ଼ି ଆସିଲା । ସିଏ ଆସି ପାଟି କଲା, ଘୋ, ଘୋ ଗର୍ଜନ କରିବାକୁ ଲାଗିଲା । ତା’ପଛରେ ଲଙ୍ଗଳମାନ ଲାଗିଥିଲେ । ତା’ ପଛରେ କେବଳ ଚଷି ହୋଇ ଯାଉଥିବା କଳାମାଟି ଦେଖିବାକୁ ମିଳୁଥାଏ । ଚୁଟିଆ ମୂଷାଟି ନିଜ ଗାତରେ ବସି ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଅନାଇବାରେ ଲାଗିଲା । ଭାବିଲା, “ସେମାନେ ଏହି ବିଶାଳ ବିମ୍ବପୋକଟାକୁ କେଉଁଠାରୁ ପାଇଲେ ?”ମାତ୍ର ତାହା ବିମ୍ବପୋକ ନଥିଲା, ଗୋଟିଏ ଟ୍ରାକ୍ଟର ଥିଲା ।

 

ଲେନିନ୍‌ଙ୍କ ଦୁଇଟି ଛବି (ଭାନ୍ୟା)

 

ମୋ’ ବଡ଼ ଭଉଣୀ ଅକ୍ଟୋବର ଶିଶୁସଂଘରେ ଯୋଗ ଦେଇଥିଲା । ସିଏ ଗୋଟିଏ ନାଲି ରଙ୍ଗର ତାରା ଲଗାଇଛି । ସେଇ ତାରାଟି ଉପରେ ଲେନିନ୍‍ଙ୍କର କୁନି ଚିତ୍ରଟିଏ ରହିଛି । ବର୍ତ୍ତମାନ ଆମ ଘରେ ତାଙ୍କର ଦୁଇଟି ଛବି ରହିଲା । ଗୋଟିଏ କାନ୍ଥରେ ଟଙ୍ଗା ହୋଇଛି ଓ ଆଉ ଗୋଟିଏ ଓଲ୍ୟାର ତାରା ଭିତରେ ଅଙ୍କା ହୋଇଛି । ଲେନିନ୍ ଶ୍ରମିକମାନେ ସୁଖରେ ରହିବେ ବୋଲି ସଂଘର୍ଷ କରିଥିଲେ । ସିଏ ଜଣେ ଭାରି ଭଲ ଛାତ୍ର ବୋଲି ବାପା କହୁଥିଲେ । ମୁଁ ମଧ୍ୟ ଭଲ ଭାବରେ ପଢ଼ିବି-। ମୁଁ ଜଣେ ତରୁଣ ଲେନିନ୍‍ପନ୍ଥୀ ହେବି ।

 

ଓକ୍ ଗଛର ଫଳ (ଜିନା)

 

ପବନ ବୋହୁଥାଏ । ଏହି ସମୟରେ ଓକ୍ ଗଛରୁ ଫଳଟିଏ ତଳେ ଆସି ପଡ଼ିଲା । ଭାରି ହଳଦିଆ ଆଉ ଚକ୍‌ଚକ୍‌ ଦେଖାଯାଉଥାଏ, ସତେ ଯେପରି ତମ୍ବାରେ ତିଆରି ହୋଇଛି । ତଳେ ପଡ଼ି ସିଏ ଭାବିଲା, “ଡାଳରେ ଥିଲି, କେଡ଼େ ଆନନ୍ଦରେ ଥିଲି”; ମାତ୍ର ବର୍ତ୍ତମାନ ଭୂଇଁରେ ଆସି ଭାରି ଦୁଃଖ ଲାଗୁଥାଏ । ଓକ୍ ଗଛକୁ ପଚାରିଲା, “ଓକ୍‍ଗଛ, ମୋତେ ପୁନର୍ବାର ଡାଳ ଉପରକୁ ନେଇଯାଆ ।” ମାତ୍ର ଓକ୍‍ଗଛ ଉତ୍ତର ଦେଇ କହିଲା, “ତୁ ଏଡ଼ିକି ଓଲୁ ! ଦେଖ୍, ମୁଁ ବି ଦିନେ ସେଇ ଭୂଇଁରୁ ବାହାରିଛି । ତେଣୁ, ତୋ ଚେରଗୁଡ଼ାକୁ ଖୁବ୍ ଶୀଘ୍ର ମାଟି ଭିତରକୁ ଲମ୍ବାଇ ନେ’ ଓ ବଡ଼ ହୋଇଯାଆ ।”ତେବେ ତୁ ଗୋଟିଏ ଶକ୍ତିଶାଳୀ ଓକ୍ ଗଛରେ ପରିଣତ ହୋଇଯାଇପାରିବୁ ।”

 

ପ୍ରକୃତି ଭିତରେ ଯାହା ସବୁ ଘଟେ, କେବଳ ସେଇଗୁଡ଼ିକୁ ନେଇ ପିଲାମାନେ ଉତ୍ସାହିତ ହୋଇଉଠନ୍ତି ନାହିଁ । ସେମାନେ ଏହି ପୃଥିବୀରେ ଶାନ୍ତି ରହିଥାଉ ବୋଲି ମଧ୍ୟ ଇଚ୍ଛା କରିଥାନ୍ତି । କେତେ କେତେ ଶକ୍ତି ପୃଥିବୀରେ ଯୁଦ୍ଧ ପାଇଁ ଯୋଜନା କରୁଛନ୍ତି ବୋଲି ସେମାନେ ଜାଣିଥାନ୍ତି । ନିମ୍ନଲିଖିତ ଗପଟିରେ ଏହିସବୁ ତାମସିକ ଶକ୍ତିକୁ ଗୋଟିଏ ଅଜଗରର ଅଦ୍‍ଭୂତ ପ୍ରତୀକ ଦେଇ ବର୍ଣ୍ଣନା କରାଯାଇଛି ।

 

ଆମେ କିପରି ଲୁହା ଡ୍ରାଗନକୁ ମାରିଦେଲୁ (ସେରୋଝା)

 

ସିଏ ବହୁଦୂରରେ ଗୋଟିଏ ଜଳାଭୂମିରେ ବାସ କରୁଥିଲା । ଏହି ମହାସାଗର ଉପରେ ଗଲେ ଅନେକ ଦୂରରେ । ସିଏ ଆମ ଦେଶର ଲୋକମାନଙ୍କୁ ଘୃଣା କରୁଥିଲା । ପରମାଣୁ ବୋମା ତିଆରି କରୁଥିଲା । ବୋମାଗୁଡ଼ିକୁ ବହୁ ସଂଖ୍ୟାରେ ତିଆରି କରୁଥିଲା । ସେଗୁଡ଼ିକୁ ଡେଣା ଉପରେ ରଖି ଉଡ଼ି ପଳାଉଥିଲା । ବୋମାଗୁଡ଼ିକୁ ସୂର୍ଯ୍ୟ ଉପରକୁ ପକାଇବ ବୋଲି ଇଚ୍ଛା କରୁଥିଲା । ସିଏ ସୂର୍ଯ୍ୟର ଆଲୁଅକୁ ନିଭାଇ ଦେବାକୁ ଇଚ୍ଛା କରୁଥିଲା । ଯେପରିକି ଆମେ ସମସ୍ତେ ଅନ୍ଧାର ଭିତରେ ମରିଯିବୁ । ସେହି ଲୁହା ଡ୍ରାଗନ୍‍କୁ ମାରିବା ନିମନ୍ତେ ମୁଁ ଚାତକମାନଙ୍କୁ ପଠାଇଲି । ଚାତକମାନେ ସୂର୍ଯ୍ୟ ଦେହରୁ ନିଜ ଥଣ୍ଟରେ ଟିକିଏ ଟିକିଏ ଆଲୁଅ ନେଇ ଡ୍ରାଗନ ପାଖକୁ ଉଡ଼ିଗଲେ । ଥଣ୍ଟରେ ଧରିଥିବା ନିଆଁକୁ ତା’ଡେଣା ଉପରେ ପକାଇଦେଲେ । ବିଚରା ଲୁହା ଡ୍ରାଗନ ଜଳାଭୂମି ଭିତରକୁ ଖସି ପଡ଼ିଲା ଓ ତା’ର ବୋମାଗୁଡ଼ିକ ସହିତ ଗୋଟାସୁଦ୍ଧା ଜଳିଗଲା । କିନ୍ତୁ ସୂର୍ଯ୍ୟ ଏବେ ମଧ୍ୟ ଖେଳିବାରେ ଲାଗିଛି ଏବଂ ଚାତକମାନେ ଆନନ୍ଦରେ କିଚିରି ମିଚିରି ଶବ୍ଦ କରିବାରେ ଲାଗିଛନ୍ତି ।

 

ଏହି ଗଳ୍ପଟିରୁ ପିଲାଟିର ଅସାଧାରଣ ବିଶ୍ୱଦୃଷ୍ଟିଟି ବିଷୟରେ ଏକ ପ୍ରମାଣ ମିଳିଯାଉଛି । ପିଲାଟି ଭାବୁଛି ଯେ, ଚଢ଼େଇ ଏବଂ ଅନ୍ୟ ଜନ୍ତୁମାନେ ଭାଗ ନନେଲେ ଭଲ ମନ୍ଦ ବିରୁଦ୍ଧରେ ଲଢ଼ାଇ କରିପାରିବ ବୋଲି ପିଲାଟି କଳ୍ପନା କରିପାରୁନାହିଁ । ସଦୟହୃଦୟ ଠେକୁଆ ଓ ଚାତକ ପକ୍ଷୀମାନେ, ଏମାନେ କେବଳ ପିଲାର ମୁଣ୍ଡ ଭିତରୁ ବାହାରିଥିବା ଚେନାଏ ଚେନାଏ ମିଛ କଳ୍ପନା ନୁହଁନ୍ତି–ସେଗୁଡ଼ିକ ହେଉଛନ୍ତି ଭଲର ପ୍ରତିନିଧିତ୍ୱ କରୁଥିବା ଗୋଟିଏ ଗୋଟିଏ ଅବତାର ।

 

ପିଲାମାନଙ୍କର ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ପ୍ରତ୍ୟହ କୌଣସି ନା କୌଣସିନୂତନ ଆବିଷ୍କାରକୁ ବହନ କରି ଆଣୁଥିଲା । ପ୍ରତ୍ୟେକଟି ଆବିଷ୍କାରକୁ ଏକ କାହାଣୀରେ ରୂପାନ୍ତରିତ କରିଦିଆଯାଉଥିଲା ଏବଂ ପିଲାମାନେ ହିଁ ସେଗୁଡ଼ିକର ସୃଷ୍ଟି କରୁଥିଲେ । ପାରୀଗଳ୍ପର କଳ୍ପନାଚିତ୍ରଗୁଡ଼ିକ ପିଲାମାନଙ୍କୁ ସେମାନଙ୍କର ନିଜ ଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ସାହାଯ୍ୟ କରୁଥିଲା । ସେମାନଙ୍କର ନିଜ ଘରର ସୌନ୍ଦର୍ଯ୍ୟକୁ ସେମାନେ ଯେ ଉପଲବ୍‍ଧି କରି ପାରୁଥିଲେ,ସେଥିଲାଗି ଗଳ୍ପ, କଳ୍ପନା ଓ ସୃଜନାତ୍ମକତାକୁ ହିଁ ଧନ୍ୟବାଦ୍ ଦେବାକୁ ହେବ । ନିଜର ଜନ୍ମଭୂମିକୁ ଭଲ ପାଇବାର ଗୁଣଟି ସେହିଥିରୁ ଜନ୍ମଲାଭ କରିଥାଏ । ନିଜ ଜନ୍ମଭୂମିର ଐଶ୍ଚର୍ଯ୍ୟ ଏବଂ ମହାନତାକୁ ବୁଝିପାରିବାର ସାମର୍ଥ୍ୟ,-ତାହା ଧୀରେ ଧୀରେ ଜାତ ହୁଏ ଏବଂ ସୌନ୍ଦର୍ଯ୍ୟରେ ହିଁ ତାହାର ଉତ୍ସ ନିହିତ ହୋଇ ରହିଥାଏ । ସାନ ପିଲାମାନଙ୍କର ଦାୟିତ୍ୱରେ ଥିବା ଜଣେ ତରୁଣ ଶିକ୍ଷକଙ୍କୁ ମୁଁ ଏହିଭଳି ପରାମର୍ଶ ଦେବାକୁ ଇଚ୍ଛା କରୁଛି; ସୁଚିନ୍ତିତ ଭାବରେ ଏବଂ ଅତ୍ୟନ୍ତ ସାବଧାନତା ସହିତ ତୁମେ ପିଲାଟିକୁ ସେହି ମୁହୂର୍ତ୍ତଟି ଲାଗି ପ୍ରସ୍ତୁତ କରି ଆଣିବ, ଯେତେବେଳେ କି ତୁମେ ତାହାକୁ ମହାନ୍, ଶକ୍ତିଶାଳୀ ଭୂମିଟି ବିଷୟରେ–ସୋଭିଏତ୍ ଯୁକ୍ତରାଷ୍ଟ୍ର ବିଷୟରେ ସର୍ବପ୍ରଥମ କରି କିଛି କରିପାରିବ । ତୁମର ସେହି କଥାଗୁଡ଼ିକ ଯଥାର୍ଥ ପ୍ରେରଣା ଦେଇ ପାରୁଥିବ, ସେଥିରେ ଅନେକ ଉଦାତ୍ତ ଭାବନା ଭରପୂର ହୋଇ ରହିଥିବ । (ସେମାନେ ଇଚ୍ଛା କଲେ ଏହାକୁ ଶବ୍ଦାଡ଼ମ୍ବରପୂର୍ଣ୍ଣ ବୋଲି କହନ୍ତୁ ପଛେକ,–ଯଦି ତୁମର ଅନ୍ତରଟି ଶୁଦ୍ଧ ଏବଂ ଉଚ୍ଚ ଅନୁଭୂତିମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ରହିଥାଏ, ତେବେ ତୁମେ ଏ ବିଷୟରେ କୌଣସି ଚିନ୍ତା କରିବ ନାହିାଁ ।) ମାତ୍ର, ଏହିପରି ଭାବରେ ଶବ୍ଦଗୁଡ଼ିକ ଯେପରି ପିଲାମାନଙ୍କର ହୃତ୍‍ସ୍ପନ୍ଦନର ବେଗକୁ ବୃଦ୍ଧି କରିଦେଇ ପାରିବ, ସେଥିଲାଗି ଏହା ଏକାନ୍ତ ଆବଶ୍ୟକ ଯେ, ସେଗଡ଼ିକ ବର୍ଣ୍ଣାଢ଼୍ୟ ହୋଇଥିବେ, ସୁଚିନ୍ତିତ ଭାବରେ ରୋପିତ ହୋଇଥିବେ ଏବଂ ପିଲାମାନଙ୍କର ଜ୍ଞାନକ୍ଷେତ୍ରରୁ ଆନୀତ ସୌନ୍ଦର୍ଯ୍ୟର ବୀଜଗୁଡ଼ିକ ଦ୍ୱାରା ହିଁ ଗୁନ୍ଥା ହୋଇ ରହିଥିବେ ।

 

ପିଲା ସେହି ସୌନ୍ଦର୍ଯ୍ୟଟିକୁ ଅନୁଭବ କରୁ ଏବଂ ତାହାକୁ ଶୁଣି ଆନନ୍ଦବିଭୋର ହେଉ । ତା’ର ହୃଦୟ ତଥା ସ୍ମୃତି ଚିରଦିନ ପାଇଁ ତା’ର ଜନ୍ମଭୂମି ଅବତାର ଗ୍ରହଣ କରିଥିବା ପ୍ରତିରୂପଟିକୁ ସଞ୍ଚୟ କରି ରଖିଥାଉ । ସୌନ୍ଦର୍ଯ୍ୟ ହେଉଛି ମାନବତା, ଦୟାର୍ଦ୍ର ଅନୁଭବ ଓ ଉଷ୍ମ ଯାବତୀୟ ସମ୍ବନ୍ଧର ମାଂସ ଏବଂ ରକ୍ତ ପରି । ଟୋଲ୍ୟା, ସ୍ଲାଭା, କୋଲ୍ୟା, ଭିତ୍ୟା ଏବଂ ସାଶା - ଏମାନଙ୍କର କଠିନ ହୋଇ ଯାଇଥିବା ହୃଦୟଗୁଡ଼ିକ କିପରି କ୍ରମେ କୋମଳ ହୋଇ ଆସୁଥିଲେ, ସେକଥା ଦେଖି ମୁଁ କେଡ଼େ ଆନନ୍ଦିତ ହୋଇ ଯାଉଥିଲି । ସୌନ୍ଦର୍ଯ୍ୟର ସମ୍ମୁଖକୁ ଆସି ଥରେ ମୁରୁକି ହସିଦେବା, ପ୍ରେରଣା ଲାଭ କରିବା ଏବଂ ବିସ୍ମୟ ପ୍ରକାଶ କରିବା, ଏଗଡ଼ିକ ମୋ ପାଇଁ ଏକ ମାର୍ଗ ହୋଇ ଆବିର୍ଭୂତ ହେବାକୁ ଲାଗିଲେ, ଯାହା ଉପରେ କି ମୁଁ ଗୋଟିଏ ପିଲାର ହୃଦୟକୁ ପରିଚାଳିତ କରି ନେଇଯାଇ ପାରିବି ।

 

ବହୁତ କଡ଼ା ନିୟମ ଥିଲା ବୋଲି ଆନନ୍ଦମୟ ପାଠଶାଳାଟି ତଦ୍ଦ୍ୱାରା ଆଦୌ ବାଧାପ୍ରାପ୍ତ ହେଉନଥିଲା । ପିଲାଏ କେତେ ସମୟ ବାହାରେ ରହିବେ, ତାହାର ସୀମା ଧାର୍ଯ୍ୟ କରି ଦିଆଯାଇନଥିଲା । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବୋଲି ଏହି କଥାଟିକୁ ବିଚାର କରାଯାଉଥିଲା ଯେ, ପିଲାମାନଙ୍କୁ ଏହି ସ୍କୁଲଟି କେବେହେଲେ ନୀରସ ଲାଗିବ ନାହିଁ, “ଘରକୁ ଯିବାର ସମୟ ହେଲା”, ଶିକ୍ଷକ ଏହି ବାକ୍ୟଟିକୁ ଉଚ୍ଚାରଣ କରିବା ପର୍ଯ୍ୟନ୍ତ ନୀରସ ଭାବେ ଅପେକ୍ଷା କରିବାକୁ ପଡ଼ିବ ନାହିଁ;-ଏସବୁ କଥା ସେମାନଙ୍କର ହୃଦୟ ଭିତରକୁ ପ୍ରବେଶ ହିଁ କରୁ ନଥିବ । ମୁଁ ତ ଆମ ସ୍କୁଲର କାର୍ଯ୍ୟଟିକୁ ଏପରି ଏକ ମୁହୂର୍ତ୍ତରେ ଶେଷ କରିବାକୁ ଚେଷ୍ଟା କରୁଥିଲି, ଯେତେବେଳେ କି ପିଲାମାନେ ଆମେ କରୁଥିବା କାମଟି ଭିତରେ ଅତ୍ୟନ୍ତ ଆଗ୍ରହର ସହିତ ନିମଗ୍ନ ହୋଇ ରହିଥିଲେ-। ସେମାନେ ଆସନ୍ତା କାଲିଟିକୁ ମଧ୍ୟ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହନ୍ତୁ । ଆଗାମୀ କାଲିଟି ସେମାନଙ୍କ ନିମନ୍ତେ ନୂତନ ଆନନ୍ଦ ଆଣି ଦେବାର ପ୍ରତିଶ୍ରୃତି ବହନ କରୁଥାଉ । ସୂର୍ଯ୍ୟ ଆପଣାର ଯେଉଁ ରୂପେଲି କିରଣକୁ ପୃଥିବୀ ଉପରେ ବିକ୍ଷିପ୍ତ କରି ଦେଉଛନ୍ତି, ଆଜିର ରାତି ସେମାନଙ୍କ ଲାଗି ସେହି କିରଣକୁ ହିଁ ଆଣି ଦେଉ । ହୁଏତ ଦିନେ ଖୋଲା ଆକାଶର ସ୍କୁଲଟି ଘଣ୍ଟାଏ ବା ଦେଢ଼ଘଣ୍ଟା ପାଇଁ ବସିବ ଏବଂ ତହିଁ ଆରଦିନ ଚାରି ଘଣ୍ଟାପାଇଁ । କୌଣସି ଦିନଟିରେ ମୁଁ ପିଲାମାନଙ୍କୁ କେତେ ଆନନ୍ଦ ଦେଇ ପାରୁଛି, ସବୁ ତାହାରି ଉପରେ ହିଁ ନିର୍ଭର କରିବ । ଏକଥା ମଧ୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ପ୍ରତ୍ୟେକ ପିଲା କେବଳ ଯେ ଆନନ୍ଦ ଅନୁଭବ କରୁଥିବ ତା’ ନୁହେଁ, ସିଏ ଆନନ୍ଦ ବି ସୃଷ୍ଟି କରୁଥିବ । ସମୂହର ଜୀବନ ଭିତରେ ନିଜ ସୃଜନଶୀଳତାର କଣିକାଏ ଆଣି ଦେଇ ପାରୁଥିବ-

 

ସେ ବର୍ଷ ଶରତଋତୁ ଆସିବାର ବହୁଦିନ ପରଯାଏ ପାଗ ଉଷୁମ ରହିଥିଲା । ବର୍ଷା ହେଉନଥିଲା ଓ ଅକ୍ଟୋବର ଅଧାଯାଏ ଗଛମାନଙ୍କର ପତ୍ର ହଳଦିଆ ହୋଇ ନଥିଲା । ବେଶ୍ କେତେଥର ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳିଥିଲା, ମନେ ହେଉଥିଲା, ସତେ ଯେପରି ଗ୍ରୀଷ୍ମଋତୁ ପୁନର୍ବାର ଫେରିଆସିବ; ଏବଂ ସକାଳେ ଘାସ ଉପରେ କାକର ପଡ଼ୁଥିଲା । ଏହା ମୋ’ କାର୍ଯ୍ୟରେ ଭାରି ଅନୁକୂଳ ସ୍ଥିତି ଆଣି ଦେଇଥିଲା । ଧଳା ତୁଳା ପରି ଠୋଲା ଠୋଲା ମେଘମାନେ ସେମାନଙ୍କ ପାଇଁ ବହୁ ବିସ୍ମୟକାରୀ ଆବିଷ୍କାରର ଏକ ଜଗତ ପରି କାର୍ଯ୍ୟ କରୁଥିଲେ । ସେଗୁଡ଼ିକର ଖିଆଲୀ ଓ କ୍ଷଣେ କ୍ଷଣେ ବଦଳି ଯାଉଥିବା ସୀମାରେଖାଗଡ଼ିକ ମଧ୍ୟରେ ସେମାନେ କେତେ ପ୍ରକାରର ଜନ୍ତୁ ଦେଖୁଥିଲେ, ପରୀଗଳ୍ପର ରାକ୍ଷସମାନଙ୍କୁ ବି ଦେଖୁଥିଲେ । ସେମାନଙ୍କ କଳ୍ପନାର କ୍ଷିପ୍ତ ଡେଣାବିଶିଷ୍ଟ ଯାତ୍ରାଗୁଡ଼ିକ ସେମାନଙ୍କୁ ମେଘ ସେପାଖରେ ରହିଥିବା ପୃଥିବୀଟିକୁ ମଧ୍ୟ ନେଇ ଚାଲି ଯାଉଥିଲା, ନୀଳ ସମୁଦ୍ର ଓ ଅରଣ୍ୟ ଏବଂ ଦୂର ଅଜ୍ଞାତ ନାନା ରାଜ୍ୟକୁ ବହନ କରି ନେଉଥିଲା ଏବଂ ଏହି ଉଡ଼ିଯିବା ଦ୍ୱାରା ଶିଶୁର ବ୍ୟକ୍ତିଗତ ଜଗତଟି କେଡ଼େ ପ୍ରଶସ୍ତ ହୋଇ ଖୋଲି ଯାଉଥିଲା । ଅନାଇ ଦେଖିଲ, ଗୋଟାଏ ନିହାତି ଖିଆଲୀ ମେଘ କିପରି ଆକାଶ ଦେଇ ଭାସି ଯିବାର ଲାଗିଛି !

 

“ପିଲାଏ, ତୁମେମାନେ କ’ଣ ଦେଖୁଛ କହିଲ !”

 

“ଗୋଟିଏ ବୁଢ଼ା ମେଣ୍ଢାଚରାଳି, ଛଣରେ ତିଆରି ଟୋପି ପିନ୍ଧିଛି ଓ ଗୋଟିଏ ବେତ ଉପରେ ଭରା ଦେଇ ଠିଆ ହୋଇଛି ।” ଭାରା କହିଲା, “ଦେଖୁନା, ତା’ ପଛକୁ ପଲେ ମେଣ୍ଢା ଚାଲି ଯାଉଛନ୍ତି । ସବା ଆଗରେ ଗୋଲିଆ ଶିଙ୍ଗଥିବା ଅଣ୍ଡିରା ମେଣ୍ଢାଟିଏ ଯାଉଛି ଏବଂ ମାଈମାନେ ପଛେ ପଛେ ଯାଉଛନ୍ତି । ...ମେଣ୍ଢା ଜଗୁଆଳର ମୁଣି ଭିତରୁ କ’ଣ ସବୁ ଜିନିଷ ବାହାରକୁ ବି ଦେଖାଯାଉଛି ।”

 

ପାଭ୍ଲୋ ପ୍ରତିବାଦ କରି କହିଲା, “ସିଏ ମୋଟେ ଜଣେ ବୁଢ଼ା ମଣିଷ ନୁହେଁ,–ସିଏ ହେଉଛି ଗୋଟିଏ ତୁଷାର ମଣିଷ,-ଆମେ ଯେମିତି ଶୀତ ଦିନେ ତିଆରି କରୁ, ତାହାରି ପରି । ଅନା, ତା’ ହାତରେ ଝାଡ଼ୁଟିଏ ବି ଅଛି ଏବଂ, ସେଇଟା କାହିଁକି ନଡ଼ାର ଟୋପି ହେବ, ସିଏ ହେଉଛି ଗୋଟିଏ ବାଲ୍ଟି ।”

 

“ନା-ନା,-ତୁଷାର ମଣିଷ ବି ନୁହେଁ, ଇଏ ଗୋଟିଏ ପାଳଗଦା,”-ୟୁରା କହୁଥିଲା, “ଏବଂ ପାଖରେ କୃଷି- ଉପକରଣ ହାତରେ ଦୁଇଜଣ ମେଣ୍ଢାଚରାଳି ଛିଡ଼ା ହୋଇଛନ୍ତି । ଅନା, ସେମାନେ ତଳେ ଥିବା ଶଗଡ଼ ଭିତରକୁ ନଡ଼ା ପକାଇବାରେ ଲାଗିଛନ୍ତି । ଏବଂ, ସେଇଟା ଅଣ୍ଡିରା ମେଣ୍ଢା ନୁହେଁ, ସେଇଟା ଶଗଡ଼ । ସେଇଟା ହେଉଛି ଶଗଡ଼ର ଦଣ୍ଡା, ଶିଙ୍ଗ ନୁହେଁ ।”

 

“ଏଇଟା ଗୋଟାଏ କେଡ଼େ ବଡ଼, ଭାରି ବଡ଼ ଠେକୁଆ । ଥରେ ମୁଁ ସ୍ୱପ୍ନରେ ଏହିପରି ଗୋଟିଏ ଠେକୁଆ ଦେଖିଥିଲି । କାହିଁ, ମୁଁ ତ ଆଦୌ କୌଣସି ଶଗଡ଼ ଦେଖୁନାହିଁ ! ସେଇଟା ଠେକୁଆର ଲାଞ୍ଜ ।”

 

ସମସ୍ତେ ଏହିପରି କଳ୍ପନାରେ ବସି କ’ଣ ନା କ’ଣ ଆବିଷ୍କାର କରନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି । ମାତ୍ର କୋଲ୍ୟା, ସ୍ଲାଭା, ଟୋଲ୍ୟା ଆଉ ମିଶା ମଧ୍ୟ କୌଣସି କାରଣରୁ ଚୁପ୍ ହୋଇ ରହିଥିଲେ । କୋଲ୍ୟାର ମୁହଁ ଉପରେ ସେହି ନିମ୍ନଦୃଷ୍ଟି ଭ୍ରୁକୁଟିଟାକୁ ଦେଖି ମୋ’ ହୃଦୟରୁ ରକ୍ତ ବୋହି ଯାଉଥିଲା ପରି ଲାଗିଲା । ଏହି ପ୍ରକାରର ଚାହାଣୀ ତୁମେ ବସସ୍କମାନଙ୍କ ଠାରେ ଦେଖିବାକୁ ପାଇବ, ଯେଉଁମାନେ କି ପିଲାମାନଙ୍କର ଖେଳକୁ ନିଜଲାଗି ଅବମାନନାସୂଚକ ବୋଲି ବିଚାର କରନ୍ତି । ମାତ୍ର, ଏହି ପିଲାଟିର ଆଖି ଏକ ସୌନ୍ଦର୍ଯ୍ୟର ସମ୍ମୁଖରେ ଯେ ଉଜ୍ଜ୍ୱଳ ହୋଇ ଉଠିଥିଲା, ମୁଁ ଆଗରୁ ସେକଥା ମଧ୍ୟ ଦେଖିଛି । ....ଏ ବିଷୟରେ ମୁଁ ବେଶୀ ଚିନ୍ତା କରି ନଥିଲି; ମାତ୍ର ମୋ’ର ଅନୁଭୂତି ମୋତେ ଏହି ସିଦ୍ଧାନ୍ତଟି ପାଖରେ ଆଣି ପହଞ୍ଚାଇ ଦେଲା ଯେ, ଯେପର୍ଯ୍ୟନ୍ତ ଗୋଟିଏ ପିଲା ଆନନ୍ଦରେ ଅଭିଭୂତ ହୋଇ ନପଡ଼ିଛି, ଯେପର୍ଯ୍ୟନ୍ତ ତା’ର ଆଖି ଭିତରେ ଯଥାର୍ଥ ଆନନ୍ଦ ପ୍ରକଟ ନହୋଇଛି ଏବଂ ଯେପର୍ଯ୍ୟନ୍ତ ପିଲାଳିଆ କୌତୁକଗୁଡ଼ିକ ଭିତରକୁ ସିଏ ପ୍ରଲୁବ୍ଧ ହୋଇ ନ ଆସିଛି, ତେବେ ଏକଥା କହିବାକୁ ମୋ’ର ଆଦୌ କୌଣସି ଅଧିକାର ରହିବ ନାହିଁ ଯେ ତା’ ଉପରେ ଶିକ୍ଷାଗତ ଆଦୌ କୌଣସି ପ୍ରଭାବ ପଡ଼ିଛି । ପିଲାମାନେ ଅବଶ୍ୟ ପିଲା ହିଁ ହେବେ । ତେଣୁ, ଗୋଟିଏ କାହାଣୀ ଶୁଣୁଥିବା ସମୟରେ ଯଦି ସେ ଭଲ ଓ ମନ୍ଦ ଭିତରେ ଲାଗିଥିବା ସଂଘର୍ଷଟିକୁ ଅନୁଭବ କରି ନପାରିଲା, ଯଦି କାହାଣୀଟିର ପ୍ରଶଂସାରେ ଆନନ୍ଦର ସ୍ଫୁଲିଙ୍ଗମାନ ନବାହାରି ତା’ ଆଖିଗୁଡ଼ିକରେ ଉଦାସୀନତା ଦେଖିବାକୁ ମିଳିଲା, ତା’ର ଅର୍ଥ ହେଉଛି ଯେ ପିଲାଟିର ଆତ୍ମାଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି ଏବଂ ସେହି କ୍ଷତଟିକୁ ପୁଣି ସଜାଡ଼ି ଆଣିବା ପାଇଁ ନିଶ୍ଚୟ ବହୁତ ପ୍ରୟାସ କରିବାକୁ ପଡ଼ିବ ।

 

ନାନା ଭଳି ରେଖା ଆଙ୍କି ଗୋଟାଏ ମେଘ ଦିଗ୍ବଳୟ ଉପରେ ଆସି ଦେଖାଦେଲା । ସେଇଟି ଉଚ୍ଚ ଉଚ୍ଚ ପାଚେରୀ ଦ୍ୱାରା ଘେରା ଓ ଅନେକ ପର୍ଯ୍ୟବେକ୍ଷଣମିନାର ରହିଥିବା ଏକ ଅତ୍ୟନ୍ତ ଚମତ୍କାର ରାଜପ୍ରସାଦ ପରି ଦିଶୁଥିଲା । ପ୍ରାସାଦଟିର ବର୍ହିରେଖାଗୁଡ଼ିକରେ ଥିବା ଅସ୍ପଷ୍ଟ ସ୍ଥାନଗୁଡ଼ିକୁ କଳ୍ପନାଶକ୍ତି ଆପଣାର ସମ୍ପଦଗୁଡ଼ିକୁ ଆଣି ଭରି ଦେବାକୁ ଆରମ୍ଭ କଲା । ସେତେବେଳକୁ ୟୁରା ପୃଥିବୀର ଅପର ପ୍ରାନ୍ତରେ ଅବସ୍ଥିତ ଏକ କୁହୁକରାଜ୍ୟ ବିଷୟରେ କାହାଣୀଟିଏ କହିବାକୁ ଆରମ୍ଭ କରି ଦେଇଥାଏ, ବାବା-ୟାଗା ବୋଲି ଗୋଟାଏ ରାକ୍ଷସ ଓ ଏକ ସୁନ୍ଦରୀ କନ୍ୟାକୁ ଉଦ୍ଧାର କରିଥିବା ଜଣେ ବୀରର କଥା କହିବାକୁ ଆରମ୍ଭ କରି ଦେଇଥାଏ । ଭିତ୍ୟାର ମୁଣ୍ଡକୁ ଏକାବେଳେକେ ଅଲଗା ପ୍ରକାରର କାହାଣୀଟିଏ ଆସି ଜୁଟିଲା । ବହୁ ଦୂରରେ ଆଉ ଏକ ସ୍ଥାନରେ ଆମ ଦେଶର ସୀମା ପାର ହୋଇ ଆହୁରି ତେଣିକି ଗଲେ ପାହାଡ଼ ଭିତରେ ଗୋଟାଏ ଭୟାନକ ପ୍ରାଣୀ ବାସ କରୁଥିଲା ଏବଂ ଯୁଦ୍ଧ କରିବାକୁ ଯୋଜନା କରୁଥିଲା । କଳ୍ପନାର ଡେଣାଗୁଡ଼ିକ ଏହି କୁନି ପିଲାଟିକୁ ଗୋଟିଏ କୁହୁକ ଗାଲିଚା ଉପରେ ବସାଇ କୁଆଡ଼େ କୁଆଡେ ଉଡ଼ାଇ ନେଲେ ଏବଂ ମୁହୂର୍ତ୍ତକ ଭିତରେ ତାକୁ ଏପରି ଗୁମ୍ପା ଉପରର ଉଚ୍ଚତାମାନଙ୍କରେ ନେଇ ପହଞ୍ଚାଇ ଦେଲେ, ଯେଉଁଠାରେ କି ଅନ୍ଧକାରର ଶକ୍ତିମାନେ ଘର କରି ରହିଥିଲେ । ତାହା ଫଳରେ ସିଏ ମନ୍ଦ ରାକ୍ଷସଟାକୁ ମାରି ପୃଥିବୀରେ ଶାନ୍ତିକୁ ଅଧିକ ଶକ୍ତିଶାଳୀ କରି ଦେଇଥିଲା ।

 

ତା’ପରେ ମୁଁ ସେମାନଙ୍କୁ ବହୁଦୂରବର୍ତ୍ତୀ ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର କଥା କହିଲି । ସେଠାରେ ସର୍ବଦା ଗ୍ରୀଷ୍ମଋତୁ ହିଁ ରହିଥିଲା । ସେଠା ଆକାଶର ଅଭିନବ ତାରାପୁଞ୍ଜ, ନୀଳବର୍ଣ୍ଣର ମହାସାଗର ଓ ଡେଙ୍ଗା ଡେଙ୍ଗା ତାଳଗଛଗୁଡ଼ିକ ବିଷୟରେ ମୁଁ ସେମାନଙ୍କୁ କହିଥିଲି । ଏଠାରେ କଳ୍ପନା ସହିତ ବାସ୍ତବ ଏକତ୍ର ଛନ୍ଦାଛନ୍ଦି ହୋଇ ରହିଥିଲା । ସତେ ଯେପରି ସେହି ଦୂରଦୂରାନ୍ତ ପୃଥିବୀରେ ଥିବା ଗୋଟିଏ ସାନ ଝରକାକୁ ଭାଙ୍ଗି ପିଲାମାନଙ୍କୁ ସବୁ ଦେଖାଇ ଦେଉଥିଲି । ମୁଁ ସେହି ଭୂମି ଓ ସେଠାରେ ବାସ କରୁଥିବା ମନୁଷ୍ୟମାନଙ୍କ ବିଷୟରେ କହିଲି; ସାଗର ଓ ମହାସାଗର, ସେଠାରେ ଥିବା ସମୃଦ୍ଧ ଉଦ୍ଭିଦ ତଥା ପ୍ରାଣୀ-ଜଗତ ଏବଂ ପ୍ରାକୃତିକ ସମ୍ପଦରାଜି ବିଷୟରେ କହିଥିଲି ।

 

ମୁଁ ଏପରି ଏକ ପୃଥିବୀ ବିଷୟରେ କହିବାକୁ ଆରମ୍ଭ କଲି, ଯେଉଁଠାରେ କି କେତେକ ମନୁଷ୍ୟ ଅନ୍ୟ ମନୁଷ୍ୟମାନଙ୍କୁ ସେମାନଙ୍କର ଦାସ କରି ରଖିଥାନ୍ତି । ଶ୍ରମିକମାନଙ୍କର, ବିଶେଷ କରି ଶିଶୁମାନଙ୍କର କଷ୍ଟଭୋଗର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଦ୍ୱାରା ଭଲ ଓ ମନ୍ଦ ଭିତରେ ପୃଥିବୀରେ ଯେ ଗୋଟିଏ ନିର୍ମମ ସଂଗ୍ରାମ ଚାଲିଛି, ସେହି ଆତଙ୍କଦାୟକ ଭାବନାଟିକୁ ପିଲାମାନଙ୍କ ଭିତରେ ଜାଗୃତ କରି ଆଣିଥିଲା । ଏବଂ ଆମ ଦେଶର ଲୋକମାନେ ସୁଖ ପାଇଁ, ସମ୍ମାନ ପାଇଁ ଏବଂ ବ୍ୟକ୍ତିର ସ୍ୱାଧୀନତା ପାଇଁ ସଂଗ୍ରାମ କରୁଛନ୍ତି ବୋଲି ସ୍ପଷ୍ଟ କରି ଦେଇଥିଲା । ମୋ’ର ଛାତ୍ରମାନେ ଏହି ଅଳ୍ପ ବୟସରୁ ମଧ୍ୟ କିପରି ସମାଜରେ ରହିଥିବା ମନ୍ଦ ବିଷୟରେ ଏକ ଅସହିଷ୍ଣୁତା ପ୍ରକାଶ କରିବେ, ସେଥିଲାଗି ମୁଁ ଆବଶ୍ୟକ ଉଦ୍ୟମ କରିଥିଲି । ସେପରି ହେଲେ ସେମାନେ ବ୍ୟକ୍ତି ଦ୍ୱାରା ବ୍ୟକ୍ତିର ଶୋଷଣକୁ କଦାପି ସ୍ୱୀକାର କରିବେ ନାହିଁ । ଏବଂ ତାହା ଫଳରେ ପୃଥିବୀର ପ୍ରଥମ ଶୋଷଣମୁକ୍ତ ଦେଶ ହିସାବରେ ଆମ ଦେଶକୁ ନିଜର ଅତୀବ ପ୍ରିୟ ବୋଲି ଗ୍ରହଣ କରିନେବେ । ମନ୍ଦ ଆଦୌ ଏକ କାଳ୍ପନିକ କଥା ନୁହେଁ, ଏହା ପ୍ରକୃତରେ ଏହି ପୃଥିବୀରେ ସାକାର ଭାବରେ ରହିଛି ଏବଂ ସବୁ ସଚ୍ଚୋଟ ମନୁଷ୍ୟ ଏହାକୁ ଅବଶ୍ୟ ତାହାକୁ ନିଜର ଶତ୍ରୁ ବୋଲି ଅନୁଭବ କରିବେ, ପିଲାର ମନରେ ସେହି ଧାରଣାଟିକୁ ଆଣିଦେବା ହେଉଛି ଶିକ୍ଷାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ପିଲାମାନଙ୍କୁ ମୁଁ ସେହିସବୁ ଦେଶ ବିଷୟରେ କହିଲି, ଯେଉଁଠାରେ କି ପୁଞ୍ଜିବାଦୀ ଓ ଜମି ମାଲିକମାନଙ୍କର ଏକ କ୍ଷୁଦ୍ର ବର୍ଗ ସମସ୍ତ ଧନକୁ ନିଜର ନିୟନ୍ତ୍ରଣରେ ରଖିଛନ୍ତି ଏବଂ ତେଣୁ ଯେଉଁଠି ଶ୍ରମିକମାନଙ୍କ ଲାଗି କେବଳ ଅତ୍ୟାବଶ୍ୟକ ପଦାର୍ଥମାନ ହିଁ ଉପଲବ୍ଧ ହୋଇପାରୁଛି । ମାତ୍ର, “ସାମ୍ରାଜ୍ୟବାଦ”ର ଗଭୀରତର ଅର୍ଥଟି ବିଷୟରେ ମୁଁ ପିଲାମାନଙ୍କୁ କୌଣସି ଭାବବାଚକ ଧାରଣା ଦେବା ପାଇଁ ଆଦୌ ତରତର ହେଲି ନାହିଁ । ସମୟ ଆସିଗଲେ ସେମାନେ ବଳେ ସେହି ବିଷୟରେ ଚିନ୍ତା କରିପାରିବେ । ସେହି ବୟସରେ ଆପଣାର ସଂବେଗଗତ ଦୃଷ୍ଟିଭଙ୍ଗୀ ମଧ୍ୟରେ ମୀମାଂସକ ଅର୍ଥଟିର ଧାରଣାଟି ଅବଶ୍ୟ ପ୍ରାଞ୍ଜଳ ହୋଇଯିବ ।

 

ଶିଶୁର ପୂର୍ଣ୍ଣ ମାନସିକ ବିକାଶ ନିମନ୍ତେ ତା’ର ବିପୁଳ ଅନ୍ତର୍ଗତ ଜୀବନଟି ନିମନ୍ତେ ତା’ ସହିତ ସୁଖରେ ଓ ଦୁଃଖରେ ଏକାଠି ହୋଇ ରହୁଥିବା ଜଣେ ଶିକ୍ଷକ ତାକୁ ଯେଉଁ କାହାଣୀମାନ କହିଥାନ୍ତି, ସେଗୁଡ଼ିକର ଏକ ଅତ୍ୟାବଶ୍ୟକ ଅବଦାନ ରହିଛି । ଏହି କାହାଣୀଗୁଡ଼ିକର ଶିକ୍ଷାଗତ ତାତ୍ପର୍ଯ୍ୟ ହେଉଛି ଯେ, ପିଲାମାନେ ସେଗୁଡ଼ିକୁ ଏପରି ଏକ ପରିବେଶରେ ଶୁଣିଥିଲେ, ଯହିଁରେ କି କଳ୍ପନାଜଗତର ପ୍ରତିରୂପଗୁଡ଼ିକ ପ୍ରକୃତରେ ଜନ୍ମଲାଭ କରିଥାନ୍ତି; ଶାନ୍ତ ସନ୍ଧ୍ୟା ସମୟରେ, ଯେତେବେଳେ ସର୍ବପ୍ରଥମ ତାରାଗୁଡ଼ିକ ଦୃଷ୍ଟିଗୋଚର ହେବାକୁ ଲାଗନ୍ତି, ଜଙ୍ଗଲ ଭିତରେ କୌଣସି ସୁଖଦ କୁଡ଼ିଆଘରେ ସମସ୍ତେ ମଝିରେ ଜଳୁଥିବା ଅଗି ଚାରି ପାଖରେ ବସିଥାନ୍ତି, ଜଳନ୍ତା କାଠକୋଇଲାର ରଡ଼ରୁ ବାହାରୁଥିବା ଆଲୁଅ ବିଚ୍ଛୁରିତ ହୋଇ ପଡ଼ିଥାଏ ଏବଂ ତେଣେ ବାହାରେ ଶରତକାଳିଆ ଅସରାଏ ବର୍ଷା ବରଷି ଯାଇଥାଏ । ଅଥବା ଯେତେବେଳେ କାଲୁଆ ପବନ ଆପଣାର କରୁଣ ସଂଗୀତଟି ଗାଇବାରେ ଲାଗିଥାଏ, ସେତିକିବେଳେ, ସେହିପରି ଏକ ପରିବେଶରେ । ଗପଗୁଡ଼ିକ ପରିଷ୍କାର ଓ ଚିତ୍ରବହୁଳ ହୋଇଥିବା ଦରକାର । ଅତିବେଶୀ ଦୀର୍ଘ ହେବା ବି ଉଚିତ ନୁହେଁ । ସେଗୁଡ଼ିକରେ ଗୁଡ଼ାଏ ଘଟଣା ଏକାଠି ଗଦାହୋଇ ରହିବା ବି ଅନୁଚିତ । ପିଲାମାନଙ୍କୁ ଏକାବେଳେକେ ଗୁଡ଼ାଏ ପ୍ରଭାବରେ ପୋତି ପକାଇବା ଉଚିତ ନୁହେଁ । ତା’ନହେଲେ ଗଳ୍ପଗୁଡ଼ିକ ପ୍ରତି ସେମାନଙ୍କର ସଂବେଦନଶୀଳତା ବଧିରା ହୋଇଯିବ ଏବଂ ତା’ପରେ ସେମାନଙ୍କୁ ଆଦୌକୌଣସି ବିଷୟରେ ଆଗ୍ରହାନ୍ୱିତ କରିପାରିବା ଆଉ ସମ୍ଭବ ହେବ ନାହିଁ ।

 

ପିଲାମାନଙ୍କର ଅନୁଭୂତି, କଳ୍ପନା ଏବଂ ମନୋରାଜ୍ୟର ଜୀବନଟି ଉପରେ ନିଜର ପ୍ରଭାବଟିକୁ କ୍ରିୟାଶୀଳ କରାଇବା ନିମନ୍ତେ ମୁଁ ପରାମର୍ଶ ଦେବି । ଏହି ଶେଷହୀନ ପୃଥିବୀଟି ଆଡ଼କୁ ଧୀରେ ଧୀରେ ଝରକାଟି ଖୋଲି ଦେବ–ଏକାବେଳେ କଦାପି ଧଡ଼କରି ଖୋଲି ଦେବେ ନାହିଁ । ଏହି ଝରକାଟିକୁ କଦାପି ଏକ ଏଡ଼େବଡ଼ ଦୁଆରରେ ପରିଣତ କରି ପକାଇବ ନାହିଁ, ଯାହା ବାଟ ଦେଇ କି ଆମର ସକଳ ଉତ୍ତମ ଅଭିପ୍ରାୟ ସତ୍ତ୍ୱେ କାହାଣୀରେ ଲାଗିଥିବା ପିଲାର ମନଟି ଆମ ସମସ୍ତଙ୍କର ଆଖି ଆଗରେ ସତେଅବା ଏକ ବଲ୍ ପରି ଗଡ଼ି ଗଡ଼ି ବାହାରକୁ ପଳାଉଥିବ । ଏକାବେଳେକେ ଗୁଡ଼ାଏ କଥାର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଥିଲେ ପିଲାମାନଙ୍କର ମୁଣ୍ଡ ପୂରା ଗୋଳମାଳ ହୋଇଯିବ ଏବଂ ତା’ପରେ ଏହି ବସ୍ତୁଗୁଡ଼ିକ ହିଁ ମୂଳତ ଅପରିଚିତ ପରି ଲାଗିବେ ଏବଂ ଖାଲି ଗୁଡ଼ାଏ ଫମ୍ପା ଶବ୍ଦ ବ୍ୟତୀତ ଆଉ ଅନ୍ୟ କିଛି ବୋଲି ମନେ ହେବେ ନାହିଁ ।

 

ପିଲାମାନଙ୍କ ନିମନ୍ତେ ଚତୁର୍ଦ୍ଦିଗର ପୃଥିବୀ ଆଡ଼କୁ କିପରି ଝରକାଟିଏ ଖୋଲି ଦେବାକୁ ହୁଏ, ଖୋଲା ଆକାଶ ତଳର ବିଦ୍ୟାଳୟଟି ମୋତେ ସେକଥା ଶିଖାଇ ଦେଇଥିଲା ଏବଂ ଅନ୍ୟ ସମସ୍ତ ଶିକ୍ଷକଙ୍କୁ ମୁଁ ସେହି କଥାଟିକୁ ବୁଝାଇ କହିବାକୁ ଚେଷ୍ଟା କରିଥିଲି । ପିଲାମାନଙ୍କୁ କଦାପି ଜ୍ଞାନ ଦ୍ୱାରା ପ୍ଳାବିତ କରି ନପକାଇବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେଇଥିଲି–ନିଜେ ଜାଣିଥିବା ସବୁ କଥାକୁ ପିଲାମାନଙ୍କୁ କହି ପକାଇବାର ଚେଷ୍ଟା ନକରିବାକୁ କହିଥିଲି । ପିଲାମାନଙ୍କ ଭିତରେ ଯେଉଁ ଉତ୍ସୁକତା ଏବଂ ପ୍ରଖର ଜିଜ୍ଞାସା ରହିଥାଏ, ତାହା ଜ୍ଞାନ ନାମକ ଏକ ତୁଷାରସ୍ପଳନ ତଳେ ପୋଡ଼ି ହୋଇ ପଡ଼ିବାର ଏକ ଭୟ ମଧ୍ୟ ସର୍ବଦା ରହିଥାଏ । ଚତୁର୍ଦ୍ଦିଗର ପୃଥିବୀକୁ ସେମାନଙ୍କ ଆଗରେ କେବଳ ଗୋଟାଏ କି ଦୁଇଟା କଥା ଆଣି ବାଢ଼ିଦେବ, ଯେପରିକି ପିଲାମାନଙ୍କ ସାମନାରେ ଇନ୍ଦ୍ରଧନୁର ସକଳ ରଙ୍ଗଗୁଡ଼ିକୁ ବହନ କରି ଜୀବନର ଅଂଶଟିଏ ଚକ୍‌ଚକ୍‌ କରି ଉଠିବାକୁ ଆରମ୍ଭ କରିବ । ସର୍ବଦା କିଛି ନା କିଛି ଅକୁହା ରଖିଥିବ, ଯେପରିକି ପିଲା ବାରବାର ସିଏ ଆବିଷ୍କାର କରିଥିବା ସମ୍ପଦଟି ପାଖକୁ ଫେରି ଆସୁଥିବ ।

 

ମନୁଷ୍ୟ ତା’ ଭାବନାଶକ୍ତି ଦ୍ୱାରା ଯେ କେତେ କ’ଣ ହାସଲ କରିପାରିବ, ତା’ର ଆଦୌ କୌଣସି ସୀମା ନାହିଁ । ଉଦାହରଣ ସ୍ୱରୂପ ଆମେ ତ ପ୍ରକୃତରେ କେତେ ନା କେତେ ବହି ଲେଖି ଥୋଇ ଦେଇଛୁ, ପିଲାମାନଙ୍କୁ ସେଥିରୁ ଗୋଟିଏ ବହିର ସୌନ୍ଦର୍ଯ୍ୟ ପ୍ରଜ୍ଞା ଏବଂ ଗଭୀରତାଟିକୁ ଦେଖାଇ ଦିଅ, ମାତ୍ର ଏପରି ଭାବରେ ଦେଖାଅ, ଯେପରି ପ୍ରତ୍ୟେକ ପିଲା ସତେଅବା ସବୁଦିନ ଲାଗି ବହି ପଢ଼ିବାର ପ୍ରେମରେ ଯାଇ ପଡ଼ିଯିବ ଏବଂ କ୍ରମେ ବହିମାନଙ୍କର ସମୁଦ୍ରରେ ସ୍ୱାଧୀନ ଭାବରେ ସନ୍ତରଣ କରିବା ଲାଗି ପ୍ରସ୍ତୁତ ହୋଇଯିବ । ନିଜ ଚତୁର୍ଦ୍ଦିଗରେ ରହିଥିବା ପୃଥିବୀଟି ମଧ୍ୟରେ ସେମାନେ ନିଜ ଆଖିରେ ଦେଖିଥିବା ଘଟଣା ଏବଂ ଉପସ୍ଥିତିଗୁଡ଼ିକ ବିଷୟରେ ପିଲାମାନେ ଯେଉଁ ପ୍ରାଞ୍ଜଳ, ସଂକ୍ଷିପ୍ତ ଓ ସଂବେଗଭରା କାହାଣୀମାନ କହିଥିଲେ, ସେଗୁଡ଼ିକୁ ମୁଁ ଜୀବନ୍ତ ପୃଥିବୀର ଉତ୍ସ ମଧ୍ୟକୁ ଯାତ୍ରା ବୋଲି କହୁଥିଲି ଓ ସେଗୁଡ଼ିକ ସମ୍ବନ୍ଧରେ ମୋ’ଭାବନାଗୁଡ଼ିକୁ ଅନ୍ୟ ଶିକ୍ଷକମାନଙ୍କ ପାଖରେ ମଧ୍ୟ କହିଥିଲି । ପ୍ରାଥମିକ ଶ୍ରେଣୀଗୁଡ଼ିକର ଶିକ୍ଷକମାନଙ୍କ ପାଖରେ ମଧ୍ୟ କହିଥିଲି । ପ୍ରାଥମିକ ଶ୍ରେଣୀଗୁଡ଼ିକର ଶିକ୍ଷକମାନେ ମୋ’ ଉଦାହରଣଟିକୁ ଗ୍ରହଣ କରି ଠିକ୍ ସେହିପରି ‘ଯାତ୍ରା’ ଗୁଡ଼ିକର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ । ଶ୍ରେଣୀଗୃହର ଦ୍ୱାରଗୁଡ଼ିକ ଖୋଲି ଯାଇଥିଲା ଏବଂ ପିଲାମାନେ ତାଜା ପବନରେ ଘାସ ଉପରେ ଯାଇ ବସିବାକୁ ଆରମ୍ଭ କରିଦେଲେ । ପଠନ ଓ ଗଣିତର ଯାବତୀୟ ପାଠ, ବିଶେଷତଃ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ଅଧିକରୁ ଅଧିକ ଥର ମୁକ୍ତ ପବନ ତଳେ ବସିବାକୁ ଆରମ୍ଭ କଲା । ବାହାରେ ଶ୍ରେଣୀ ନେବା ଦ୍ୱାରା ପାଠକୁ ଯେ ବର୍ଜନ କରିବାକୁ ପଡ଼ିଲା ଅଥବା ବହି ବା ବିଜ୍ଞାନକୁ ବାଦ୍ ଦେବାକୁ ପଡ଼ିଲା, ସେକଥା ଆଦୌ ନୁହେଁ । ଠିକ୍ ଓଲଟା କଥାଟା ହିଁ ଘଟିଲା, -ତା ଫଳରେ ଅଧିକ ସମୃଦ୍ଧିମନ୍ତ ଭାବରେ ପାଠପଢ଼ାଇ ଦେଲା ଏବଂ ବହିଗୁଡ଼ିକ ତଥା ବିଜ୍ଞାନ ସତେଅବା ଜୀବନ୍ତ ହୋଇ ଆସୁଥିବା ପରି ବୋଧ ହେଉଥିଲା ।

 

ପିଲାଙ୍କୁ ପଢ଼ାଇ ସାରିବା ପରେ ପ୍ରାଥମିକ, ଶ୍ରେଣୀଗୁଡ଼ିକର ସବୁ ଶିକ୍ଷକ କର୍ମୀ–ପ୍ରକୋଷ୍ଠରେ ଏକାଠି ହେଉଥିଲେ ଏବଂ, ପିଲାମାନେ କିପରି ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ବିଷୟରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ପ୍ରକୃତି ତଥା ସମାଜର ମୂଳ ତଥ୍ୟଗୁଡ଼ିକ ବିଷୟରେ ବ୍ୟୁତ୍ପତ୍ତି ଲାଭ କରିପାରିବେ, ସେହି ବିଷୟରେ ମତର ଆଦାନପ୍ରଦାନ କରୁଥିଲେ । ଏସବୁ ପାଠପଢ଼ା ହେଉଥିବା ସମୟରେ ପିଲାମାନଙ୍କୁ ଆଦୌ ନୀରସ ଲାଗୁନଥିବ ଓ ତେଣୁ ସବୁ ପ୍ରୟାସ କଦାପି ବୃଥା ହୋଇ ଯାଉନଥିବ । ଏହି ସାମୂହିକ ସର୍ଜନାତ୍ମକତାର ପରିଧି ମଧ୍ୟରେ ଏକ ନୂତନ ଧାରଣା ମଧ୍ୟ ଜନ୍ମଲାଭ କରିଥିଲା; ପିଲାମାନଙ୍କୁ କୃଷିକାର୍ଯ୍ୟ ଏବଂ ବୈଷୟିକ କ୍ଷେତ୍ରଗୁଡ଼ିକ ସହିତ ବି ପରିଚିତ କରାଇବାକୁ ହେବ, ସେମାନଙ୍କୁ ଧୀରେ ଧୀରେ ସର୍ବୋତ୍ତମ ଶ୍ରମିକମାନଙ୍କର ସଂସ୍ପର୍ଶରେ ଆଣିବାକୁ ପଡ଼ିବ । ଜୀବନ୍ତ ଶବ୍ଦର ଉତ୍ସଗୁଡ଼ିକ ପାଖକୁ ପିଲାମାନଙ୍କର ଏହି ‘ଯାତ୍ରା’ ବିଷୟରେ ନାନାବିଧ କଳ୍ପନା କରୁକରୁ ଶିକ୍ଷକମାନେ ମୋ’ର ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରି ପ୍ରକୃତିରେ ଘଟୁଥିବା ଏପରି କେତୋଟି ଘଟଣା ତଥା ସଂଯୋଗର ସମାହାରଟିଏ ଧାର୍ଯ୍ୟ କରି ଦେଇଥିଲେ, ଯେଉଁଗୁଡ଼ିକୁ କି ବର୍ଷର ଚାରୋଟିଯାକ ଋତୁରେ ଭାବନା ଏବଂ କଥା କହିବାର ବିକାଶକ୍ଷେତ୍ରରେ ସବୁଠାରୁ ଅଧିକ ସମୀଚୀନ ଭାବରେ ବ୍ୟବହାର କରାଯାଇ ପାରିବ ।

Image

 

ଆମର ସ୍ୱପ୍ନ ଦେଖିବାର କୋଣଟିଏ

 

ଗାଆଁ ବାହାରେ, ବିଦ୍ୟାଳୟ ଠାରୁ ବେଶୀ ଦୂର ହେବ ନାହିଁ, ଗୋଟାଏ ବଡ଼ ଘାଟିଜାଗା ରହିଥିଲା, ଯାହାକି ନାନା ବୁଦା ଓ ଗଛରେ ପୂର୍ଣ୍ଣ ହୋଇ ରହିଥିଲା । ପିଲାମାନେ ସେହି ସ୍ଥାନଟିକୁ ଏକ ଗହଳିଆ ଜଙ୍ଗଲ ବୋଲି ଭାବୁଥିଲେ, ଯେଉଁଠାରେ କି କେତେ କେତେ ରହସ୍ୟ ଓ ଅନିଶ୍ଚିତତା ପୂର୍ଣ୍ଣ ହୋଇ ରହିଥିଲା । ଦିନେ ସେହି ଘାଟିର କାନ୍ଥରେ ମୁଁ ଏକ ଗୁମ୍ପା ଭିତରକୁ ଗୋଟାଏ ପ୍ରବେଶଦ୍ୱାର ରହିଥିବାର ଦେଖିବାକୁ ପାଇଥିଲି । ଗୁମ୍ପା ଭିତରଟା ବେଶ୍ ଫର୍ଚ୍ଚା ଲାଗୁଥିଲା, କାନ୍ଥଗୁଡ଼ିକ ଖୁବ୍ ଟାଣ ଓ ଶୁଖିଲା ଥିଲା । ପ୍ରକୃତରେ ଏକ ସଂପୂର୍ଣ୍ଣ ଆବିଷ୍କାର; ଏହିଠାରେ ହିଁ ଆମେ ଆମ ସ୍ୱପ୍ନ ଦେଖିବାର କୋଣଟିକୁ ଆରମ୍ଭ କରିବାକୁ ଯାଉଥିଲୁ । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ସେଠାକୁ ନେଇକରି ଗଲି, ସେତେବେଳେ ସେମାନଙ୍କର କି ଆନନ୍ଦ । ସେମାନେ କେତେ ପ୍ରକାରେ ପାଟି କଲେ, ଗୀତ ଗାଇଲେ, ପରସ୍ପରକୁ ଉଦ୍ଦେଶ୍ୟ କରି କେଡ଼େ ଜୋରରେ କଥା କହିଲେ ଏବଂ ଲୁଚକାଳି ବି ଖେଳିଲେ । ସେହିଦିନ ଆମେ ସେଠି ତଳେ ଶୁଖିଲା ଘାସ ବି ନେଇ ବିଛାଇ ଦେଇଥିଲୁ ।

 

ପ୍ରଥମେ ସେହି ଗୁପ୍ତ ଜାଗାଟିକୁ ଆମେ କେବଳ ଉପଭୋଗ ହିଁ କଲୁ, ତାହାକୁ ନିଜର ଘର ପରି ଆଦରି ନେଲୁ, ସେଠାରେ ସବୁକିଛିକୁ ସୁନ୍ଦର ଏବଂ ଆରାମଦାୟକ କରି ଆଣିଲୁ । କାନ୍ଥରେ ସାନ ସାନ ଛବି ଟାଙ୍ଗିଲୁ । ପ୍ରବେଶଦ୍ୱାରଟିକୁ ଅଧିକ ଚଉଡ଼ା କରିଦେଲୁ, ସାନ ଟେବୁଲଟିଏ ବି ତିଆରି କରି ନେଇଥିଲୁ । ମଝିରେ ମଝିରେ ଗୁମ୍ପାଟିକୁ ଉଷୁମ କରିବା ଲାଗି ସେଠାରେ ସାନ ଚୂଲୀଟିଏ ତିଆରି କରିବା ବିଷୟରେ ମଧ୍ୟ ପିଲାମାନେ ଖୁସୀ ହୋଇ ରାଜି ହୋଇଗଲେ ।

 

ଚୁଲି ପାଇଁ ଗାତ ଖୋଲା ହେଲା, ଧୂଆଯିବା ପାଇଁ ଯେଉଁ ନଳୀ ରହିବ, ସେଥିପାଇଁ ବି ଜାଗାଟିଏ ତିଆରି ହେଲା । ସେଠାରେ ପଡ଼ିଥିବା ଫାଲ୍‍ତୁ ଆବର୍ଜନାକୁ ଉଠାଇ ନେଇ ଆମେ କାଦୁଅ ଆଉ ଇଟା ବୋହି ଆଣିଥିଲୁ । କାମ ମୋଟେ ସହଜ ନଥିଲା । ମାତ୍ର ଆମ ଭିତରେ ସ୍ୱପ୍ନଟିଏ ରହିଥିଲା–ଗୁମ୍ପା ପାଇଁ ଗୋଟିଏ ଚୁଲି ତିଆରି କରିବାର ସ୍ୱପ୍ନ । ଦୁଇ ସପ୍ତାହ ମଧ୍ୟରେ ଚୁଲି ତିଆରି ହୋଇଗଲା । ସମସ୍ତେ ସେହି କାର୍ଯ୍ୟରେ ଲାଗି ଯାଇଥିଲେ; ଏପିରକି କୋଲ୍ୟା, ସ୍ଳାଭା ଓ ଟୋଲ୍ୟା ମଧ୍ୟ ଆଡ଼େଇ ହୋଇ ଠିଆ ହୋଇ ରହିଲେ ନାହିଁ । ଆମେ ସାମୂହିକ ଭାବରେ କରୁଥିବା ପ୍ରତ୍ୟେକ କାମରେ ଉଦାସୀନ ହୋଇ ରହି ଆସୁଥିବା ଏହି ପିଲାମାନେ ଆଗରୁ ମୋତେ ଖୁବ୍ ଚିନ୍ତିତ କରି ପକାଉଥିଲେ । ମାତ୍ର, ଏବେ ସେମାନଙ୍କର ଆଖିଗୁଡ଼ିକ ଅଧିକରୁ ଅଧିକ ସମୟରେ ଉଜ୍ଜଳ ହୋଇ ଉଠୁଥିଲା ଏବଂ ଉତ୍ସାହର ବହ୍ନିଟି ଆଦୌ ଦୀର୍ଘ ସମୟ ପାଇଁ ନିର୍ବାପିତ ହୋଇ ରହିଗଲା ନାହିଁ । ଏହି ଆଗ୍ରହପୂର୍ଣ୍ଣ ଘଟଣାଟି ସାଶା, ଲ୍ୟୁଡା ଓ ଭାଲ୍ୟାଙ୍କ ପରି ଲଜ୍ଜା ଓ ସଙ୍କୋଚ କରୁଥିବା ଏବଂ କ’ଣ କରିବେ ସ୍ଥିର କରିପାରୁନଥିବା ପିଲାମାନଙ୍କୁ ମଧ୍ୟ ପ୍ରେରଣା ଆଣିଦେଲା । ମୁଁ ତ ଆହୁରି ଅଧିକ ନିଶ୍ଚିତ ହେବାକୁ ଲାଗିଲି ଯେ, ଗୋଟିଏ ସମୂହ ହିସାବରେ ଶ୍ରେଣୀର ସଂବେଗଗତ ସ୍ଥିତି, ଖୁସୀର ସ୍ଥିତି ଓ ଅନୁପ୍ରେରଣା,-ଏସବୁ ଏପରି ଏକ ଅନ୍ତର୍ଗତ ଶକ୍ତିରେ ପରିଣତ ହୋଇଯାଏ, ଯାହାକି ପିଲାମାନଙ୍କୁ ଏକତ୍ର ସମ୍ମିଳିତ କରିଆଣେ, ବିଲ୍‍କୁଲ୍ ଉଦାସୀନମାନଙ୍କର ହୃଦୟରେ ମଧ୍ୟ, ସମୂହ କ’ଣ କରୁଛି, ସେହି ବିଷୟରେ ଆଗ୍ରହକୁ ଉଦ୍ଦୀପିତ କରି ଆଣିଥାଏ ।

 

ଶେଷରେ ଚୁଲିରେ ନିଆଁ ଜଳା ହେଲା । ଶୁଖିଲା ଡାଳ ସବୁ କେଡ଼େ ପ୍ରସନ୍ନ ଭାବେ ଜଳି ଉଠିଲେ । ସନ୍ଧ୍ୟା ହୋଇ ଆସୁଥାଏ । ମାତ୍ର ଆମର ଏହି କ୍ଷୁଦ୍ର ଏକାନ୍ତ କୋଣଟି ଉଜ୍ଜଳ ଓ ଆରାମଦାୟକ ହୋଇ ରହିଥାଏ । ପାହାଡ଼ଘାଟୀର ଢାଲୁଗୁଡ଼ିକୁ ପୂର୍ଣ୍ଣ କରି ରଖିଥିବା ଗଛ ଓ ବୁଦାଗୁଡ଼ିକ ଆଡ଼କୁ ଆମେ ଅନାଇ ଦେଖିଲୁ ଏବଂ ସେଇଠାରୁ କୌଣସି ଗନ୍ତାଘର ଭିତରୁ ପରୀଗପର ଚିତ୍ରକଳ୍ପଗୁଡ଼ିକ ଆମର ସନ୍ନିକଟ ହୋଇ ଆସୁଥାନ୍ତି । “ବର୍ତ୍ତମାନ ଆମ ବିଷୟରେ ଗୋଟିଏ ଗପ କୁହନ୍ତୁ” –ସେମାନେ ସତେ ଅବା ସେହି ପ୍ରଶ୍ନ କରୁଥାନ୍ତି । ବୃକ୍ଷ ଏବଂ ବୁଦାଗୁଡ଼ିକ ଗୋଧୂଳିର ଏକ ଅର୍ଦ୍ଧସ୍ୱଚ୍ଛ ଆଭାସ ଦ୍ୱାରା ଆବୃତ ହୋଇ ରହିଥାନ୍ତି;–ପ୍ରଥମେ କିଞ୍ଚିତ୍ ନୀଳ ଓ ତା’ପରେ ବାଇଗଣି ଦେଖା ଯାଉଥାନ୍ତି । ସେହି ଆଭାସଟି ଭିତରେ ବୃକ୍ଷରାଜି ନାନା ଅପ୍ରତ୍ୟାଶିତ ବର୍ହିରେଖା ଧାରଣ କରିବାରେ ଲାଗିଥାନ୍ତି ।

 

ଏହିସବୁ ମୁହୂର୍ତ୍ତମାନଙ୍କରେ ପିଲାମାନେ କେଡ଼େ ଉତ୍ସାହରେ କ’ଣ ସବୁ କଳ୍ପନାମାନ କରିଯାଆନ୍ତି, କାହାଣୀମାନ ଗଢ଼ି ଥୋଇଦିଅନ୍ତି !

 

“ପାହାଡ଼ ତୀଖର ଢାଲୁରେ ଗହଳ ହୋଇ ରହିଥିବା ସେହି ଗଛମାନେ କିପରି ଦେଖାଯାଉଛନ୍ତି ?” ଯେତେ ପିଲାମାନଙ୍କୁ ନୁହେଁ, ମୋ’ର ମନନଗୁଡ଼ିକୁ ସମ୍ବୋଧନ କରି ମୁଁ ଏହି ପ୍ରଶ୍ନଟି ପଚାରିଲି । ମୋତେ ତ ସେମାନେ ଗୋଟିଏ ସବୁଜ ରଙ୍ଗର ଜଳପ୍ରପାତ ପରି ଦିଶୁଥିଲେ, - ଗୋଟାଏ ତୀଖ ପାହାଡ଼ର ଗଡ଼ାଣି ଦେଇ କେଡ଼େ ବେଗରେ ତଳ ଆଡ଼କୁ ଧାଇଁ ଆସୁଥିଲେ,-ସେହି ତୀଖ ବାଟଟା ବର୍ତ୍ତମାନ କଠିନ ହୋଇ କଳା ଏବଂ ତମ୍ବା ବର୍ଣ୍ଣର କେତେ କେତେ ରୂପାକୃତିରେ ଗଠିତ ହୋଇ ରହିଥିଲା । ମୁଁ ଯେଉଁଭଳି ଯାହା ଦେଖୁଛି, ଏ ପିଲାମାନେ ପ୍ରକୃତରେ ସେହିଭଳି ଦେଖୁଥିବେ କି ନାହିଁ ବୋଲି ମୁଁ ଭାବୁଥିଲି; କାରଣ ସନ୍ଧ୍ୟାର ଏହି ମୁହୂର୍ତ୍ତଗୁଡ଼ିକ ଯଥାର୍ଥରେ ଏପରି ଏକ ସମୟ, ଯେତେବେଳେ କି ପିଲାମାନଙ୍କର ଭାବନା ପ୍ରକ୍ରିୟାକୁ ନିରୀକ୍ଷଣ କରିବା ପାଇଁ ଇଚ୍ଛା ହୋଇଥାଏ ।

 

ଏବଂ ତା’ପରେ ମୁଁ ଦେଖିବାକୁ ପାଇଥିଲି ଯେ, ଗୋଟିଏ ପିଲାର ଭାବନାଗୁଡ଼ିକ ସତେଅବା କୌଣସି ବାଟଘାଟ ନମାନି କ୍ଷିପ୍ର ଗତିରେ ଧାଇଁ ଚାଲିଛି, କେତେ କେତେ ନୂତନ କାଳ୍ପନିକ ରୂପକୁ ଜନ୍ମ ଦେଉଛି । ପୁନଶ୍ଚ ଆଉ ଗୋଟିଏ ପିଲା ସତେ ଅବା ଏକ ପ୍ରଶସ୍ତ ଗଭୀର ଓ ଶକ୍ତିମନ୍ତ ନଦୀପରି ଚିନ୍ତା କରୁଛି; ଧୀରେ ଧୀରେ ଗତି କରୁଛି ସତ, ମାତ୍ର ଆପଣାର ଗଭୀର ସ୍ଥାନଗୁଡ଼ିକରେ ସତେ ଅବା ଗୋପନରେ ରହିବାକୁ ଇଚ୍ଛା କରୁଛି । ସେହି ନଦୀରେ ଆଦୌ କୌଣସି ସ୍ରୋତ ଥିଲା କି ନାହିଁ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ୁନଥିଲା । ମାତ୍ର ଶକ୍ତିମନ୍ତ ଥିଲା ଏବଂ ଅଦମ୍ୟ ହୋଇ ରହିଥିଲା । ଅନ୍ୟ ପିଲାମାନଙ୍କର ବେଗବନ୍ତ ତରଳ ଭାବନାସ୍ରୋତ ପରି ଏହି ନଦୀଟିର ଗତିପଥଟିକୁ ଆଦୌ ସେତେ ସହଜରେ ବଦଳାଇ ଦେଇ ହେବନାହିଁ, ତାକୁ ବନ୍ଧ ଦେଇ ଅଟକାଇ ବି ହେବ ନାହି; କାରଣ ବାନ୍ଧି ରଖିବାକୁ ଚେଷ୍ଟା କରିବା ମାତ୍ରକେ ତାହା ତତ୍‌କ୍ଷଣାତ୍‌ ଏକ ଅନ୍ୟ ଗତିପଥର ସନ୍ଧାନ କରିବା ଆରମ୍ଭ କରିଦେବ । ଶୂରା ଗଛଗୁଡ଼ିକର ଅଗରେ ପଲେ ଗାଈ ଦେଖିବାକୁ ପାଉଥିଲା; ମାତ୍ର, “ସେଠି ସେମାନେ ଚରିବେ କେଉଁଠି । ସେଠି ତ କୌଣସି ଘାସ ନଥିବ” ବୋଲି ସେର୍ୟୋଜା ପଚାରି ଦେବା ମାତ୍ରକେ ଶୂରା ପୁଣି କଥାକୁ ବଦଳାଇ ଦେଇ କହିଲା: “ନାଇଁ, ନାଇଁ ସେମାନେ ଗାଈ ନୁହଁନ୍ତି, ସେମାନେ ହେଉଛନ୍ତି କେତେ ଖଣ୍ଡ ମେଘ, ରାତିରେ ବିଶ୍ରାମ ନେବା ପାଇଁ ପୃଥିବୀକୁ ଆସିଥିଲେ ।” ୟୁରାର ଭାବନା ଉଡ଼ିଉଡ଼ି କେତେ ଉପରକୁ ଚାଲିଗଲା ଓ ପୁନର୍ବାର ସେତିକି ଚଞ୍ଚଳ ବଦଳିଗଲା । ମାତ୍ର ମିସା ଓ ନିନା ଖୁବ୍ ନୀରବ ଓ ସ୍ଥିରଧ୍ୟାନ ହୋଇ ଦେଖିବାରେ ଲାଗିଥିଲେ । ସେମାନେ କ’ଣ ସବୁ ଦେଖିଲେ ? ପିଲାମାନଙ୍କର କଳ୍ପନା ଭିତରେ ଜନ୍ମ ନେଇଥିବା ଡଜନ ଡଜନ ଚିତ୍ରରୂପ ଆମକୁ ଛୁଇଁ ଦେଇ ଅତିକ୍ରମ କରିଯାଉଥିଲା । ମାତ୍ର ମିସା ଓ ନିନା ତଥାପି ଚୁପ୍ ହୋଇ ରହିଥାନ୍ତି । ସ୍ଳାଭା ବି କିଛି କହିନଥାଏ । ସେମାନେ ଯେ ଆଦୌ କିଛି ଭାବି ନଥାନ୍ତି, ସେକଥା କଦାପି କହି ହେବନାହିଁ । ଘରକୁ ଫେରିବାର ସମୟ ହୋଇଯାଇଥାଏ; ଠିକ୍ ସେତିକିବେଳେ ସମସ୍ତଙ୍କ ଠାରୁ ଅଧିକ ଚୁପ୍ ରହୁଥିବା ପୁଅପିଲା ମିସା କହିବାକୁ ଆରମ୍ଭ କଲା, “ଏଇଟା ଗୋଟାଏ ଷଣ୍ଢ, ଭାରୀ ରାଗରେ ନିଜ ଶିଙ୍ଗ ଦ୍ୱାରା ପାହାଡ଼ଟାକୁ ଚୁନା କରିଦେବ ବୋଲି ବାହାରିଛି । ପାହାଡ଼ଟାକୁ ସେ କଦାପି ଜୟ କରିପାରିବ ନାହିଁ, ତେଣୁ ଅଟକି ରହିଯାଇଛି, ଆଉ ସେପରି କରୁନାହିଁ । ଦେଖ କେମିତି କେତେ ବଳ ଖଟାଉଛି; ଦେଖ, ଦେଖ, ପଥର ଅତଡ଼ାଟାକୁ ସିଏ କିପରି ଧକ୍କା ମାରିବାରେ ଲାଗିଛି ।”

 

ଏବଂ, ଆମକୁ ଘେରି କରି ଏହି ଯେତେସବୁ କଳ୍ପନା ଭିଡ଼ କରି ରହିଥିଲେ, ସେସବୁ ଅଚିରେ ବିଦାୟ ନେଇ ଚାଲିଗଲେ । ଆମେ ଦେଖିଥିଲୁ ଯେ, ବୃକ୍ଷମାନଙ୍କର ସଘନ ପୁଞ୍ଜଟି ବସ୍ତୁତଃ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବରେ ଗୋଟାଏ ଷଣ୍ଢର ଅଦମନୀୟ କ୍ରୋଧ ଭଳି ଦେଖାଯାଉଥିଲା । ପିଲାମାନେ ନିଜ ଭିତରେ ଫୁଟୁରୁ ଫୁଟୁରୁ ହେଲେ: ଦେଖ ସିଏ ତା’ ଗୋଡ଼ଗୁଡ଼ାକୁ ନେଇ କିପରି ପର୍ବତଘାଟୀର ଅଣ୍ଟା ଉପରେ ନେଇ ରଖୁଛି । ବେକଟା କେମିତି ବଙ୍କାଇଛି ଦେଖ–ତା’ ମାଂସପେଶୀର ତନ୍ତୁଗୁଡ଼ାକ ସମ୍ଭବତଃ କମ୍ପି କମ୍ପି ଉଠୁଛି, ଏବଂ ତା’ ଶିଙ୍ଗଗୁଡ଼ାକ ମାଟି ଭିତରେ ଯାଇ ପଶିଛି ।

 

ମିସା ଯାହା ଭାବୁଥିଲା, ଥରେ ଭାବି ଦେଖତ ! ସେହି ମୁହୂର୍ତ୍ତରେ ଯେତେବେଳେ କି ଜୀବନ୍ତ ଏହି ରୂପଗୁଡ଼ିକ ଆମ ମୁଣ୍ଡ ଉପର ଦେଇ ଭାସି ଯାଉଥିଲେ, ମିସାର ଭାବନାଗୁଡ଼ିକ ତା’ର ନିଜ ବାଟରେ ଯିବାରେ ଲାଗିଥାନ୍ତି । ସିଏ ତା’ ସାଙ୍ଗମାନଙ୍କ କଥାକୁ ମନ ଦେଇ ଶୁଣି ସାରିଥିଲା, ମାତ୍ର ସେଥିରେ ଗୋଟିଏ ବର୍ଣ୍ଣନା ମଧ୍ୟ ତାକୁ ଆକର୍ଷକ ଲାଗୁନଥିଲା । ତା’ର କଳ୍ପନାଟି ସବୁଠାରୁ ଅଧିକ ପରିଷ୍କାର ଓ ଅଧିକ ବାସ୍ତବବାଦୀ ଥିଲା । ପିଲାଟି ଏପରି କିଛି ବସ୍ତୁ ଦେଖିଥିଲା, ଯାହା ସେ ହୁଏତ ପ୍ରକୃତରେ ଦେଖିଥିଲା ଓ ଯାହାକି ତାହା ଉପରେ ଏକ ପ୍ରଭାବ ପକାଇଥିଲା । ଏବଂ ତଥାପି, ଏପରି ପ୍ରାୟ ଚୁପଚାପ୍ ରହୁଥିବା ଓ ବୁଦ୍ଧି ଶୀଘ୍ର କାର୍ଯ୍ୟ କରୁନଥିବା ପିଲାମାନେ ପାଠ ପଢ଼ିବାରେ ଭୟଙ୍କର ବାଧାର ସମ୍ମୁଖୀନ ହୋଇଥାନ୍ତି । ଶିକ୍ଷକ ଇଚ୍ଛା କରୁଥାଏ ଯେ, ପିଲା ଅଧିକ ଶୀଘ୍ର ପ୍ରଶ୍ନଟିର ଉତ୍ତର ଦେଉ । ପିଲାଟି କିପରି ଭାବରେ ଭାବୁଛି, ତା’ପାଇଁ ସେହି କଥାଟିର କୌଣସି ମୂଲ୍ୟ ନଥାଏ । ସେ ଚାହୁଥାଏ ଯେ ପିଲା ତତ୍‌କ୍ଷଣାତ୍‌ ଉତ୍ତରଟିଏ ଦେଉ । ଯେପରିକି ସେ ତାକୁ ଗୋଟିଏ ନମ୍ବର ଦେଇପାରିବ । ଶିକ୍ଷକ କେବେହେଲେ ଏକଥା ଭାବିନଥାଏ ଯେ, ଏହି ଧୀର ଅଥଚ ଶକ୍ତିମନ୍ତ ନଦୀଟିର ପ୍ରବାହର ବେଗକୁ ଚଢ଼ାଇବା ଆଦୌ ସମ୍ଭବ ନୁହେଁ । ତେଣୁ ନଈଟି ତା’ ନିଜର ପ୍ରକୃତି ଅନୁସାରେ ହିଁ ବହୁଥାଉ । ତା’ର ଜଳରାଶି ନିଶ୍ଚୟ ଲକ୍ଷ୍ୟସ୍ଥଳରେ ଯାଇ ପହଞ୍ଚିବ । ତେଣୁ ଆଦୌ ତରତର ହୁଅନାହିଁ । ଆଦୌ ଅଧୀର ହୁଅନାହିଁ, ଖରାପ ନମ୍ବରର ବଢ଼ିଣାମୁଠା ଦେଇ ଏହି ଶକ୍ତିଶାଳୀ ନଦୀକୁ ପ୍ରହାର କରନାହିଁ । ଏସବୁ କିଛି କୌଣସି କାମ ଦେବନାହିଁ । ପ୍ରତ୍ୟେକ ଶିକ୍ଷକର ଏହି କଥାଟି ଉପରେ ଚିନ୍ତା କରିବା ଉଚିତ ଯେ, ଜନ୍ମରୁ ପରିପକ୍ୱତା ଲାଭ କରିବା ସକାଶେ ମନୁଷ୍ୟର ଶରୀରକୁ ଯେମିତି ସମୟ ଲାଗେ, ଅନ୍ୟ କୌଣସି ଇତରପ୍ରାଣୀକୁ ସେତେ ସମୟ ଲାଗି ନଥାଏ । ମନୁଷ୍ୟର ଶରୀର ବିକଶିତ ଏବଂ ପାକଳ ହେବା ଲାଗି କୋଡ଼ିଏ ବର୍ଷ ବା ଅଧିକ ସମୟ ଲାଗେ । ମନୁଷ୍ୟର ଶରୀରର ବିକାଶ କାହିଁକି ଏତେ ଦୀର୍ଘ ସମୟ ନିଏ, ତା’ପ୍ରକୃତିର ଗୋଟିଏ ବିରାଟ ରହସ୍ୟ ହୋଇ ରହିଛି । ସତେ ଯେପରି ମସ୍ତିଷ୍କର ତନ୍ତୁଗୁଡ଼ିକ ଲାଗି ଅର୍ଥାତ୍ ସ୍ନାୟୁବ୍ୟବସ୍ଥାର ବିକାଶ, ପାକଳ ହେବା ଓ ପ୍ରଶିକ୍ଷିତ ହୋଇ ପାରିବା ନିମନ୍ତେ ଏତେ ଅଧିକ ସମୟ ଦରକାର ହେଉଛି । ତେଣୁ ଜଣେ ମନୁଷ୍ୟକୁ, ପ୍ରକୃତରେ ଜଣେ ମନୁଷ୍ୟ ହେବା ଲାଗି ସ୍ନାୟୁ ବ୍ୟବସ୍ଥାର ଏକ ଶୈଶବ ଏବଂ ମସ୍ତିଷ୍କର ଏକ ବାଲ୍ୟକାଳ ମଧ୍ୟଦେଇ ଯିବାକୁ ପଡ଼ୁଛି ।

 

ପିଲାଟିଏ ଜନ୍ମ ହେବା ସମୟରେ ତା’ ଦେହରେ ଯେଉଁ ବହୁକୋଟି କୋଷ ରହିଥାନ୍ତି, ସେଗୁଡ଼ିକ ସଙ୍ଗେ ସଙ୍ଗେ ଚତୁଃପାଶ୍ୱର୍ର ବାତାବରଣଟି ପ୍ରତି ଆପଣାର ଅନୁସ୍ପନ୍ଦନ ଜଣାଇଥାନ୍ତି ଏବଂ କେତେ ନିର୍ଦ୍ଦିଷ୍ଟ ସ୍ଥିତିର ଆୟତନ ମଧ୍ୟରେ ମାନସିକ କ୍ରିୟାଶୀଳତା ନିମନ୍ତେ ସମର୍ଥ ହୁଅନ୍ତି । ଏହି କୋଷଗୁଡ଼ିକୁ ଚେତନାର ଜଡ଼ଗତ ମୂଳଦୁଆ ବୋଲି କୁହାଯିବ । ଜନ୍ମରୁ ପରିପକ୍ୱତା ଓ ତା’ପରେ ବୃଦ୍ଧାବସ୍ଥା ଆସିବା ଯାଏ ଶିଶୁ ଆଉ ଗୋଟିଏ ଅଧିକ ମସ୍ତିଷ୍କକୋଷର ବି ବିକାଶ ଘଟାଇ ପାରେ ନାହିଁ । ଶୈଶବ କାଳରେ ମସ୍ତିଷ୍କର ସେହି ଉପାଦାନଟିକୁ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ପ୍ରତ୍ୟହ ପ୍ରଶିକ୍ଷିତ କରି ଆଣିବାକୁ ପଡ଼େ ଏବଂ ଅବରୋଧ, ଅବଲୋକନ ଏବଂ ଭାବନାକୁ ଏହି ଅଭ୍ୟାସଗୁଡ଼ିକର ମୂଳଦୁଆ ବୋଲି କୁହାଯାଇପାରିବ ।

 

ପାରିପାର୍ଶ୍ୱିକ ପୃଥିବୀରେ କାରଣ ଏବଂ ପରିଣାମ ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକର ମୂଳକୁ ଗଭୀର ଭାବରେ ଭେଦ କରି ଶିଖିବା ପୂର୍ବରୁ ହିଁ ଜଣେ ମନୁଷ୍ୟକୁ ତା’ର ଶୈଶବ କାଳରେ ମାନସିକ ପର୍ଯ୍ୟାୟର ଏକ ଅଭ୍ୟାସ ମଧ୍ୟଦେଇ ଯିବାକୁ ହୋଇଥାଏ । ଏହି ଅଭ୍ୟାସଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଦୃଶ୍ୟମାନ ଉଦାହରଣ ଏବଂ ଦୃଶ୍ୟମାନ ଘଟଣା; ପିଲା ପ୍ରଥମେ ଜୀବନ୍ତ ପ୍ରତିରୂପଟିକୁ ଦେଖେ ଏବଂ ତା’ପରେ ଯାଇ ସେଇଟିର କଳ୍ପନା କରେ ଏବଂ ନିଜ ବୋଧର ପରିସର ଭିତରକୁ ସେଇଟିକୁ ଗ୍ରହଣ କରି ନେଇଥାଏ । ଗୋଟିଏ ଜୀବନ୍ତ ଘଟଣାକୁ ଦେଖିବା ଏବଂ କଳ୍ପନା ଭିତରେ ତା’ର ଗୋଟିଏ ପ୍ରତିରୂପ ସୃଷ୍ଟି କରିବା, -ମାନସିକ ସକ୍ରିୟତାର ଏହି ଉଭୟ ସୋପାନ ମଧ୍ୟରେ ଆଦୌ କୌଣସି ବିରୋଧ ନଥାଏ । ପିଲା କୌଣସି କାହାଣୀର ଯେଉଁ କଳ୍ପନାସଚଳ ପ୍ରତିରୂପଗୁଡ଼ିକୁ ପ୍ରତ୍ୟକ୍ଷ କରେ ଏବଂ ଚିନ୍ତା କରେ, ସେଗୁଡ଼ିକ ତାକୁ ବାସ୍ତବ ଜଗତଟି ଭଳି ହିଁ ସ୍ପଷ୍ଟ ହୋଇ ଦେଖାଯାଏ । କଳ୍ପନାକ୍ଷେତ୍ରର ଏହି ପ୍ରତିରୂପ ଗୁଡ଼ିକର ସର୍ଜନା–ଆମେ ତାହାକୁ ହିଁ ସେହି ଉଦାରତମ ମୃତ୍ତିକା ବୋଲି କହିବା, ଯେଉଁଥିରେ କି ଭାବନାର ସେହି ଉପଦ୍ରବକାରୀ ଅଙ୍କୁରଗୁଡ଼ିକ ବିକାଶଲାଭ କରିଥାଏ ।

 

ଶୈଶବ କାଳରେ ଭାବନାର ପ୍ରକ୍ରିୟାଗୁଡ଼ିକର ପାରିପାର୍ଶ୍ୱିକ ପୃଥିବୀର ଜୀବନ୍ତ, ସ୍ୱଚ୍ଛ ତଥା ସୁସ୍ପଷ୍ଟ ଉଦାହରଣଗୁଡ଼ିକ ସହିତ ଯଥାସମ୍ଭବ ନିବଡ଼ ସଂପର୍କ ରହିଥିବା ଆବଶ୍ୟକ । ପ୍ରଥମ ଅବସ୍ଥାରେ କାର୍ଯ୍ୟ ଓ କାରଣର ସମ୍ବନ୍ଧ ବିଷୟରେ ପିଲାକୁ ଆଦୌ କୌଣସି ଚିନ୍ତାରେ ପକାଇ ଦେବ ନାହିଁ । ପିଲା କୌଣସି ବସ୍ତୁକୁ କେବଳ ପରୀକ୍ଷା କରି ଦେଖିବ, ସେଥିରେ ଥିବା କିଛି ନୂଆ କଥାକୁ ଆବିଷ୍କାର କରୁଥିବ । କୁନି ପିଲା ମିସା ସନ୍ଧ୍ୟାର ସେହି ଝାପ୍‍ସା ଆବରଣଟି ମଧ୍ୟରେ ବୃକ୍ଷର ଗହଳ ଭିତରେ ଏକ କ୍ରୋଧୀ ଷଣ୍ଢକୁ ଦେଖି ପାରିଥିଲା । ଏହାକୁ କେବଳ କଳ୍ପନାର ଏକ ଖେଳ ବୋଲି କୁହାଯିବ ନାହିଁ, ଭାବନା ସାମ୍ରାଜ୍ୟର ଏକ କଳାତ୍ମକ ଏବଂ କାବ୍ୟମୟ ଉପାଦାନ ବୋଲି ମଧ୍ୟ କୁହାଯିବ । ସେହି ଗଛଗୁଡ଼ିକ ମଧ୍ୟରେ ଆଉ ଗୋଟିଏ ପିଲା ଆଉ କ’ଣଟିଏ ଦେଖିଥିଲା; ପ୍ରତ୍ୟକ୍ଷ କରାଯାଇଥିବା, କଳ୍ପିତ ହୋଇଥିବା ଏବଂ ଭାବନାର ଛାଞ୍ଚରେ ଆଣି ପକା ଯାଇଥିବା ପ୍ରତିରୂପଟି ସହିତ ଏହାଦ୍ୱାରା ଏକ ବ୍ୟକ୍ତିଗତ ଉପାଦାନ ଆସି ଯେଡ଼ି ହୋଇ ଯାଇଥିଲା-। ପ୍ରତ୍ୟେକ ଶିଶୁ ଯେ କେବଳ କିଛି ପ୍ରତ୍ୟକ୍ଷ କରୁଥାଏ ତା’ ନୁହେଁ, ସିଏ ବି କିଛି ଆଙ୍କୁଥାଏ, ସୃଷ୍ଟି କରୁଥାଏ, ରଚନା ମଧ୍ୟ କରୁଥାଏ । ପୃଥିବୀକୁ ଜଣେ ପିଲା ଏକ ଅନନ୍ୟ କଳାତ୍ମକ ସୃଜନ ସଦୃଶ ଦେଖୁଥାଏ । ଯାବତୀୟ ପ୍ରତିରୂପକୁ ସିଏ ଏକାବେଳେକେ ଦେଖୁଥାଏ ଓ ତାହା ସହିତ ନିଜର ସୃଜନାତ୍ମକତାକୁ ମଧ୍ୟ ମିଶାଇ ଦେଉଥାଏ । ସେଥିରେ ନିରନ୍ତର ସ୍ୱଚ୍ଛ ସଂବେଗଗତ ବ୍ୟଞ୍ଜନାମାନ ଭରି ରହିଥାଏ । ପାରିପାର୍ଶ୍ୱିକ ପୃଥିବୀରେ ପ୍ରତିରୂପଗୁଡ଼ିକୁ ପ୍ରତ୍ୟକ୍ଷ କରୁଥିବା ସମୟରେ ପିଲାମାନେ ନିଜ ଭିତରେ ସତେଅବା ଝଡ଼ ପରି ଏକ ଆନନ୍ଦ ଅନୁଭବ କରିଥାନ୍ତି ଏବଂ ନିଜର କଳ୍ପନାରୁ ମଧ୍ୟ ସେଥିରେ ଆଉ କିଛି ନେଇ ମିଶାଇ ଦେଇଥାନ୍ତି । ଅବରୋଧର କ୍ଷେତ୍ରଟି ଏହିପରି ଭାବରେ ସଂବେଗ ଦ୍ୱାରା ଅନୁସିକ୍ତ ହୋଇ ତାହା ହିଁ ପିଲାଟିର ଭିତରୁ ତା’ର ସୃଜନଶୀଳତାକୁ ଯୋଗାଇ ଦିଏ । ଏଥିରେ ମୋ’ର ଆଦୌ କୌଣସି ସନ୍ଦେହ ନାହିଁ ଯେ, ସଂବେଗଗତ ଏହି ଉତ୍ସାହଟି ବ୍ୟତୀତ ପିଲାର ମସ୍ତିଷ୍କ କୋଷଗୁଡ଼ିକର ଅଭିବୃଦ୍ଧି ଆଦୌ ସମ୍ଭବ ହୁଅନ୍ତା ନାହିଁ । ପିଲାର ମସ୍ତିଷ୍କରେ ସତତ ଲାଗି ରହିଥିବା ଦୈହିକ ପ୍ରକ୍ରିୟା ଗୁଡ଼ିକର ମଧ୍ୟ ସଂବେଗଗୁଡିକ ସହିତ ସଂପର୍କ ରହିଛି: ଉଦବେଗ, ଉତ୍ସାହ ଏବଂ ଆଗ୍ରହର ମୁହୂର୍ତ୍ତଗୁଡ଼ିକରେ ମସ୍ତିଷ୍କର ବାହ୍ୟ ଆନନ୍ଦଗୁଡ଼ିକୁ ଯାଉଥିବା ଖାଦ୍ୟପରିମାଣରେ ବୃଦ୍ଧି ଘଟିଥାଏ । ଏହି ସମୟରେ କୋଷଗୁଡ଼ିକ ବହୁ ପରିମାଣରେ ଶକ୍ତି କାମରେ ଲଗାଇଥାନ୍ତି ; ମାତ୍ର ଅନ୍ୟ ପକ୍ଷରେ, ସେମାନେ ଦେହରୁ ମଧ୍ୟ ପ୍ରଭୂତ ଶକ୍ତି ଲାଭ କରିଥାନ୍ତି । ପ୍ରାଥମିକ ଶ୍ରେଣୀଗୁଡ଼ିକରେ ବର୍ଷ ବର୍ଷ ଧରି ଛାତ୍ରମାନଙ୍କର ବୌଦ୍ଧିକ ଶ୍ରମକୁ ଅବଲୋକନ କରି ମୁଁ ଏହିପରି ନିଷ୍ପତ୍ତି କରିଥିଲି ଯେ, ସଂବେଗଗତ ଅତ୍ୟନ୍ତ ଉତ୍ସାହର ମୁହୂର୍ତ୍ତଗୁଡ଼ିକର ପିଲାର ଭାବନାଗୁଡ଼ିକ ବିଶେଷ ଭାବରେ ସ୍ୱଚ୍ଛ ହୋଇଯାଏ ଏବଂ ସିଏ ଅଧିକ ପ୍ରଗାଢ଼ ଭାବରେ ସବୁ ମନେ ରଖିପାରେ ।

 

ପିଲାମାନଙ୍କୁ କିପରି ଭାବରେ ଶିକ୍ଷା ଦେବାକୁ ହେବ, ତା’ଉପରେ ଏହି ପର୍ଯ୍ୟବେକ୍ଷଣଗୁଡ଼ିକ ନୂତନ ଆଲୋକପାତ କରିଥାଏ । ପ୍ରାଥମିକ ଶ୍ରେଣୀର ପିଲାମାନଙ୍କର ଭାବନାକୁ ଅନୁଭବ କରିବା ଏବଂ ଅଭିଜ୍ଞତା ଲାଭ କରିବାରୁ କଦାପି ଅଲଗା କରି ହେବନାହିଁ । ଶିକ୍ଷଣର ଯାବତୀୟ ପ୍ରକ୍ରିୟା, ବିଶେଷତଃ ପାରିପାର୍ଶ୍ୱିକ ପୃଥିବୀକୁ ପ୍ରତ୍ୟକ୍ଷ କରୁଥିବାରୁ ଯାବତୀୟ କ୍ଷେତ୍ରରେ ସଂବେଗ ଦ୍ୱାରା ଅବଶ୍ୟ ଅନୁସିକ୍ତ ହୋଇ ରହିଥିବ, –ପିଲାର ଭାବନାପ୍ରକ୍ରିୟାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯାବତୀୟ ନିୟମ ସର୍ବଦା ଏହା ହିଁ ଦାବି କରିଥାଏ ।

 

.......ଶରତକାଳର ଦିନଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବରେ ଉଷୁମ ଲାଗୁଥିଲା । ଆମେ ଆଦୌ ଏକା ଜାଗାରେ କେବେହେଲେ ବସୁ ନଥିଲୁ । ମାତ୍ର କ୍ଷେତ, “ତୋଟା କେତେ ଆଡ଼େ ବୁଲି ପଳାଉଥିଲୁ, ଖାଲି ବେଳେ ବେଳେ ଆମର ସେହି “ସ୍ୱପ୍ନର କୋଣ”ଟିରେ ଆସି ଦଣ୍ଡେ ଅଟକି ଯାଉଥିଲୁ । ଗାଆଁଠାରୁ ଦୁଇ କିଲୋମିଟର ଦୂରରେ ପିଲାମାନେ ଗୋଟିଏ ସାନ ପାହାଡ଼ ଆବିଷ୍କାର କରିଥିଲେ, ଯେଉଁଠାରୁ କି ଗାଆଁର ସବୁଜ ବଗିଚାଗୁଡ଼ିକୁ ଭାରି ସୁନ୍ଦର ଭାବରେ ଦେଖି ହେଉଥିଲା-। ଅଧିକ ଦୂରରେ ଆହୁରି କେତେ କେତେ କ୍ଷେତ ବିସ୍ତୁତ ହୋଇ ରହିଥିଲା,-ସମାଧିଗୁଡ଼ିକ ଗାଢ଼ ନୀଳବର୍ଣ୍ଣ ବି ଦିଶୁଥିଲା । ତା’ସହିତ ଲାଗି କରି ଅରଣ୍ୟର ରୋପାବଳୀ । ପବନ ବି ଆଶ୍ଚର୍ଯ୍ୟଜନକ ଭାବରେ ପରିଷ୍କାର ଓ ସ୍ୱଚ୍ଛ ଥିଲା ଏବଂ ଭୂଇଁ ଉପରେ ଢଳଢ଼ଳ ହେଉଥିବା ବୁଢ଼ିଆଣୀ ଜାଲମାନେ ରୂପା ପରି ଚିକ୍‍ଚିକ୍ କରୁଥିଲେ । ଚଢ଼େଇଙ୍କର ନାନା ଦଳ ଆକାଶମାର୍ଗରେ ଆବିର୍ଭୂତ ହୋଇ ପୁଣି କୁଆଡ଼େ ଚାଲି ଯାଉଥିଲେ । ବେଶ୍ କେତୋଟି ମିଠା ଚେଷ୍ଟ୍ନଟ୍ ଗଛ ଥିବା ଗୋଟିଏ ତୋଟା ଆମ ପାହାଡ଼ଟିର ଅନତିଦୂରରେ ଅବସ୍ଥିତ ରହିଥିଲା । ନାଲିଆ ମାଳି ପରି ଦିଶୁଥିବା କେତେ କୋଳି ଏବଂ ଡାଳମାନଙ୍କରୁ ଝୁଲୁଥିବା ରୂପାବର୍ଣ୍ଣର ବୁଢ଼ିଆଣୀ ଜାଲ-ଏସବୁ ଆମ ଆଖିକୁ ବଡ଼ ମନୋହର ଦିଶୁଥିଲା । ପ୍ରତ୍ୟେକ ସାନବୁଦାଟିର ବହିରାକାରକୁ ଆମେ ମନେ ରଖିବାକୁ ଚେଷ୍ଟା କରୁଥିଲୁ ଏବଂ ବଗିଚାଗୁଡ଼ିକ ଆଡ଼କୁ ଏକ ଗାଆଁଧାରରେ ରହିଥିବା ଡେଙ୍ଗା ପପ୍‍ଲାର୍ ଗଛଗୁଡ଼ିକର ଧାଡ଼ିଟିକୁ ନିବଡ଼ ଭାବରେ ଦେଖୁଥିଲୁ । ପିଲାମାନେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କଥା ଆବିଷ୍କାର କରୁଥିଲେ । ସବୁଜ ରଙ୍ଗର ତୋଟାଟି ସେମାନଙ୍କର ଆଖି ଆଗରେ ନାଲି ପଡ଼ି ଆସୁଥିଲା-। ପତ୍ରମାନେ ବି ଆଶ୍ଚର୍ଯ୍ୟଜନକ ଭାବରେ କେତେ ବିଚିତ୍ର ରଙ୍ଗରେ ଖଞ୍ଜି ହୋଇ ଯାଉଥିଲେ । ଏହି ଆବିଷ୍କାରଗୁଡ଼ିକ ପିଲାମାନଙ୍କୁ ବହୁ ଆନନ୍ଦ ଆଣି ଦେଉଥିଲା ।

 

ଜୀବନ୍ତ ଶବ୍ଦ ଏବଂ ସୃଜନାତ୍ମକ ଭାବନାର ଉତ୍ସଗୁଡ଼ିକ ଏପରି ସମ୍ପଦପୂର୍ଣ୍ଣ ଏବଂ ଅକ୍ଷୟ ହୋଇ ରହିଥିଲା ଯେ, ଯଦି ଆମେ ପ୍ରତ୍ୟେକ ଘଣ୍ଟାରେ କେବଳ ଗୋଟିଏ ଆବିଷ୍କାର ବି କରି ପାରିଥାନ୍ତୁ, ତେବେ ଏହି ଆବିଷ୍କାରଗୁଡ଼ିକ ବହୁବର୍ଷ ଯାଏ ସୁରକ୍ଷିତ ହୋଇଯାଇଥାନ୍ତେ । ଆମ ଆଖି ଆଗରେ ଚେଷ୍ଟ୍‍ନଟ୍ ଗଛଗୁଡ଼ିକର ଉଜ୍ଜ୍ୱଳ ନାଲି ରଙ୍ଗର ଶାଖାଗୁଡ଼ିକରେ ବିକ୍ଷିପ୍ତ ହୋଇ ରହିଥିବା ରୂପେଲୀ ବୁଢ଼ିଆଣୀ ଜାଲଗୁଡ଼ିକ କୋଳିକୁ କୋଳି ବିସ୍ତାରିତ ହୋଇ ରହିଥିଲେ, ସକାଳର କାକରବିନ୍ଦୁରେ ପ୍ରକମ୍ପିତ ହେଉଥିଲେ । କାକରର ବିନ୍ଦୁସବୁ ଲାଲ୍ ସବୁଜ ରଙ୍ଗ ଧାରଣ କରିଥିଲେ । ଆମେ ମୁଗ୍ଧ ହୋଇ ସେହି ବୁଦାଗୁଡ଼ିକ ପାଖରେ ଛିଡ଼ା ହୋଇଥାଉ, ଏହି ସମୟରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ପାଇଲୁ: ଶିଶିର ବିନ୍ଦୁଗୁଡ଼ିକ ବୁଢ଼ିଆଣୀ ଜାଲଗୁଡ଼ିକରେ ପ୍ରାନ୍ତ ଆଡ଼ୁ କେନ୍ଦ୍ର ଆଡ଼କୁ ଗଡ଼ି ଆସିବାକୁ ଆରମ୍ଭ କଲେ, ସତେ ଯେପରି ସେମାନଙ୍କର ଜୀବନ ବି ଥିଲା-। ତାହା ଫଳରେ ଜାଲଗୁଡ଼ିକ ସଂକୁଚିତ ହୋଇଯାଉଥାନ୍ତି । ବିନ୍ଦୁଗୁଡ଼ିକ ପରସ୍ପର ସହିତ ଲୀନ ହୋଇ ଯିବାରେ ଲାଗିଥାନ୍ତି । ମାତ୍ର ମୋଟେ ବଡ଼ ହେଉନଥାନ୍ତି କି ତଳକୁ ଖସି ପଡ଼ୁନଥାନ୍ତି-। ଆମେ ନିମଗ୍ନ ଭାବରେ ତାହାକୁ ଦେଖିବାକୁ ଲାଗିଥାଉ । ଶିଶିର ବିନ୍ଦୁଗୁଡ଼ିକ ସତେ ଯେପରି ଖୁବ୍ ଶୀଘ୍ର ବାଷ୍ପ ହୋଇ ଉଭେଇ ଯାଉଥାନ୍ତି । ଆମେ ସଫା ଦେଖୁଥାଉ ଯେ, ସେମାନେ ଛୋଟ ହୋଇ ଯାଉଥାନ୍ତି ଓ ଉଭେଇ ଯାଉଥାନ୍ତି ।

 

ଲାରିସା କାନ ପାଖରେ ଆସି ଥିରିଥିରି କହିଲା, “ସାନ କାକର ବିନ୍ଦୁଗୁଡ଼ିକୁ ସୂର୍ଯ୍ୟ ଖାଇ ଯାଉଛି ।” ତା’ କଳ୍ପନା ଭିତରୁ ଉକୁଟି ଆସିଥିବା ସେହି ପ୍ରତିରୂପଟି ଅନ୍ୟ ପିଲାମାନଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କଲା ଏବଂ ସେଥିରୁ ଗୋଟିଏ ନୂତନ କାହାଣୀର ଜନ୍ମ ହେଲା । ଏଇଠି ଏହ ଚେଷ୍ଟନଟ୍ ଗଛଗୁଡ଼ିକ ନିକଟରେ, ଜୀବନ୍ତ ଶବ୍ଦର ଏହି ଉତ୍ସଟିର ସମୀପରେ, ପିଲାମାନଙ୍କର ସମ୍ମୁଖରେ ଏକ ନୂତନ ଓ ବିସ୍ମୟକାରୀ ଝରଣା ଉଦ୍‌ଘାଟିତ ହୋଇ ଆସିଲା । ହୁଏତ ବଡ଼ ଆକସ୍ମିକ ଭାବରେ ଏହା ଘଟିଥିଲା, ମାତ୍ର ଡେରିରେ ହେଉ କିମ୍ବା ଶୀଘ୍ର ହେଉ ଏହା ଅବଶ୍ୟ ଘଟିଥାନ୍ତା । ଲାରିସା ଆବିଷ୍କାର କରିପାରିଲା ଯେ, କାଳରବିନ୍ଦୁ (ରୋସିଙ୍କି), ବୁଢ଼ିଆଣୀ ଜାଲ (ପାଉତିଙ୍କି) ଓ କାଚମାଳି (ବୁସିଙ୍କି) ଏହି ଶବ୍ଦଗୁଡ଼ିକ ଏକାଭଳି ଶୁଭୁଥିଲା । ଏହି ଆଶ୍ଚର୍ଯ୍ୟଜନକ ମେଳଟାକୁ ଲକ୍ଷ୍ୟ କରୁ କରୁ ପିଲାମାନଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା ପରି ମନେ ହେଲା । ସେମାନଙ୍କର ବଡ଼ ଭାଇ ଓ ଭଉଣୀମାନେ ବହିରୁ କବିତାମାନ ପାଠ କରୁଥିବାର ସେମାନେ ଆଗରୁ ଅବଶ୍ୟ ଶୁଣିଥିଲେ, ମାତ୍ର ଏହି କ୍ଷେତ୍ରରେ ଜୀବନ୍ତ ଶବ୍ଦଟିରୁ ଅର୍ଥାତ୍ ସେମାନଙ୍କର ଚତୁର୍ଦ୍ଦିଗରେ ଥିବା ପୃଥିବୀରୁ ହିଁ ଏହି କବିତାଟି ଜନ୍ମଗ୍ରହଣ କରିଥିଲା :

 

ରାତିରେ ପଡ଼ିଲା “ରୋସିଙ୍କି” (କାକରବିନ୍ଦୁ)

ରୂପେଲି ରଙ୍ଗର “ପାଉତିଙ୍କି” (ବୁଢ଼ିଆଣୀ ଜାଲ)

 

ଲାରିସା ଗୀତଟିଏ ଗାଇଲା ପରି କହିଲା ଓ ତା’ର ଆଖିମାନେ ଆନନ୍ଦରେ ଚକ୍‌ଚକ୍‌ ହେବାକୁ ଲାଗିଲେ । ସମସ୍ତେ ନୀରବ ରହିଥାନ୍ତି; ମାତ୍ର ମୁଁ ବେଶ୍ ଦେଖି ପାରୁଥାଏ ଯେ, ପ୍ରତ୍ୟେକ ପିଲାର ଭାବନାଗଡ଼ିକ ଏହି ଶବ୍ଦଗୁଡ଼ିକର ଶକ୍ତି ଦ୍ୱାରା ପ୍ରେରିତ ହୋଇ ବିସ୍ମୟର ଅନୁଭୂତି ମଧ୍ୟରୁ ସତେଅବା ଏକ ହାବେଳୀବାଣ ପରି ଉପରକୁ ଉଠି ଯାଇଥିଲା ।

 

“ଆଉ ତା’ପରେ କମ୍ପି ଉଠିଲା ଶାଗୁଆ ରଙ୍ଗର ବୁସିଙ୍କି (କାଚମାଳି)” –ୟୁରା ପଦ ଯୋଡ଼ିଦେଲା ।

 

ଅସ୍ତିତ୍ୱର ଉତ୍ସସ୍ତରକୁ ନିବିଡ଼ ହୋଇ ଲାଗି ଆସିଲେ, ଠିକ୍ ଏହା ହିଁ ଘଟିଥାଏ; ସେତେବେଳେ ଶବ୍ଦଗୁଡ଼ିକ ତୁମ ଲାଗି କେବଳ କେତୋଟି ବସ୍ତୁର ନାମ ପରି ମୋଟେ ମନେ ହୁଏନାହିଁ, ସେତେବେଳେ ସେଗୁଡ଼ିକରୁ ଫୁଲର ମହକ ବାହାରି ଆସୁଥାଏ, ତୁମେ ସତେଅବା ମାଟିର ଗନ୍ଧଟିକୁ, ତୁମର ଜନ୍ମଭୂମି ଏହି ତୃଣାଞ୍ଚଳ, ଏହି ଅରଣ୍ୟରାଜିର ସଙ୍ଗୀତକୁ ଆଘ୍ରାଣ କରୁଥିବା ପରି ଅନୁଭବ କର, ସବୁକିଛି ଅତ୍ୟନ୍ତ ବ୍ୟକ୍ତିଗତ ଅନୁଭବ ଓ ଅଭିଜ୍ଞତା ପରି ମନେ ହେଉଥାଏ ।

 

ଶିକ୍ଷାକ୍ଷେତ୍ରର ନିୟମ ଅନୁସାରେ, ପିଲାମାନେ ଗୀତଟିକୁ ଏହିପରି ଲଗାଇ ଲଗାଇ ରଚନା କରନ୍ତୁ ବୋଲି ମୁଁ ହୁଏତ ପ୍ରସ୍ତାବ ଦେଇଥାନ୍ତି; ମାତ୍ର ସେହି ନିୟମ ସବୁ ମୋ’ମୁଣ୍ଡ ଭିତରୁ ହିଁ ବାହାରୁଥିଲା, ଏବଂ ମୁଁ ବି ପିଲାମାନଙ୍କ ସୃଜନଶୀଳତାର ସେହି ପ୍ରବାହ ଭିତରେ ନିଜେ ଜଡ଼ିତ ହୋଇଗଲି ଏବଂ ଗାଇବାକୁ ଲାଗିଲି:

 

ସୂର୍ଯ୍ୟ ପିଇଗଲେ “ରୋସିଙ୍କି”କୁ

ଧୋଇ ନେଇଗଲେ “ପାଉତିଙ୍କି”କୁ

ହସାଇ ଆଣିଲେ “ବୁସିଙ୍କି”କୁ

 

ଏହି ସାନ କବିତାଟିକୁ ବାରବାର ଆବୃତ୍ତି କରି ଆମେ ଚିତ୍କାର କରି ବୁଦାଗୁଡ଼ିକ ଭିତରେ ଦଉଡ଼ିବାକୁ ଲାଗିଲୁ । ପ୍ରେରଣାର ସେହି ବିସ୍ପୋରଣଟି ବିଷୟରେ ମୁଁ ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ଯଥାସମ୍ଭବ ଶୀଘ୍ର କହିବାକୁ ଇଚ୍ଛା କଲି । ଚତୁର୍ଦ୍ଧିଗର ପୃଥିବୀ ହିଁ ତା’ର ଉତ୍ସ ହୋଇ ରହିଥିଲା-। ସେମାନଙ୍କୁ ମୁଁ ପରାମର୍ଶ ଦେବାକୁ ଚାହୁଥିଲି ଯେ, ଭାବିବାର କଳାଟି ବିଷୟରେ ସର୍ବପ୍ରଥମ ଶିକ୍ଷାଦାନଟି ଆଦୌ ଶ୍ରେଣୀଗୃହ ଭିତରେ ହେବ ନାହିଁ, ମୋଟେ ବ୍ଲାକବୋର୍ଡ ସାମନାରେ ହେବ ନାହିଁ, -ମାତ୍ର ପ୍ରକୃତି ଭିତରେ ହିଁ ହେବ, ମୁଁ ଏକଥା ମଧ୍ୟ କହିବାକୁ ଇଚ୍ଛା କରିଥିଲି ଯେ, ଯଥାର୍ଥ ଭାବନାର ଅନ୍ତର ମଧ୍ୟରେ ସର୍ବଦା ସଂବେଗଟିଏ କମ୍ପି ଉଠିବାରେ ଲାଗିଥାଏ । ପିଲାଟି ଯଦି କେବଳ ଗୋଟିଏ ଶବ୍ଦ ଭିତରେ ରହିଥିବା ମହକଟିକୁ ହିଁ ଅନୁଭବ କରୁଥିବ, ତେବେ ତା’ର ସମସ୍ତ ହୃଦୟ ସେହି ପ୍ରେରଣା ଦ୍ୱାରା ଅବଶ୍ୟ ଅନୁପ୍ରେରିତ ହୋଇ ଉଠିବ । କ୍ଷେତକୁ ଯାଅ, ପାର୍କକୁ ଚାଲିଯାଅ । ଭାବନାର ଉତ୍ସଟିରୁ ଆକଣ୍ଠ ପାନ କର ଏବଂ ସେହି ଜୀବନ୍ତ ଜଳ ହିଁ ତୁମକୁ ଛାତ୍ରମାନଙ୍କୁ ବିଜ୍ଞ ଗବେଷକ, ଜିଜ୍ଞାସୁ ମନୁଷ୍ୟ ଓ କବି ରୂପେ ତିଆରି କରି ଆଣିବ । ଏହି ବିଷୟରେ ମୋ’ର ହଜାର ବାର ଏକ ଦୃଢ଼ ପ୍ରତ୍ୟୟ ହୋଇ ଯାଇଛି ଯେ, ଏହିପରି କାବ୍ୟାତ୍ମକ ସଂବେଗୀ-ସୌନ୍ଦର୍ଯ୍ୟବୋଧୀ ବିସ୍ପୋରଣମାନ ସମ୍ଭବ କରି ନପାରିଲେ ପିଲାର ବୁଦ୍ଧିଗତ ସାମର୍ଥ୍ୟଗୁଡ଼ିକର ପୂର୍ଣ୍ଣ ବିକାଶ ସାଧନ ଆଦୌ ସମ୍ଭବ ହେବ ନାହିଁ । ଗୋଟିଏ ପିଲାର ଭାବନାଗୁଡ଼ିକର ସ୍ୱଭାବ ହିଁ ଏପରି ଯେ, ତାହା ସର୍ବଦା ଏକ କାବ୍ୟାତ୍ମକ ସୃଜନଶୀଳତାର ଦାବି କରିଥାଏ । ସୂର୍ଯ୍ୟ ଓ ଫୁଲମାନଙ୍କ ପରି ସୌନ୍ଦର୍ଯ୍ୟ ଏବଂ ଜୀବନ୍ତ ଭାବନା ସ୍ୱଭାବତଃ ପରସ୍ପର ସହିତ ଗଅଁଠାଇ ହୋଇ ରହିଥାଆନ୍ତି । ସୌନ୍ଦର୍ଯ୍ୟ ପ୍ରତ୍ୟକ୍ଷ କରିବାରୁ ହିଁ କାବ୍ୟକାରିତାର ସୃଜନଶୀଳତା ଆରମ୍ଭ ହୋଇଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ଅବରୋଧକୁ ଶାଣିତ କରିଆଣେ, ସର୍ଜନାତ୍ମକ ଭାବନା ଶକ୍ତିର ଜାଗୃତି ଘଟାଏ ଏବଂ ଶବ୍ଦକୁ ଏକ ବ୍ୟକ୍ତିଗତ ଅଭିବ୍ୟଞ୍ଜନା ଆଣି ଦେଇଥାଏ । ସେହି ବାଲ୍ୟକାଳରେ ହିଁ ଜଣେ ବ୍ୟକ୍ତି କିପରି ତା’ ମାତୃଭାଷାର ଏତେ ସଂଖ୍ୟକ ଶବ୍ଦକୁ ଆୟତ୍ତ କରିବାକୁ ସମର୍ଥ ହୁଏ ? କାରଣ, ସେହି ସମୟରେ ପାରିପାର୍ଶ୍ୱିକ ପୃଥିବୀ ମଧ୍ୟରେ ରହିଥିବା ସୌନ୍ଦର୍ଯ୍ୟର ପ୍ରଥମ ଆବିଷ୍କାରଗୁଡ଼ିକ ହିଁ ଘଟିଥାଏ । କାରଣ, ସେତେବେଳେ ପ୍ରତ୍ୟେକ ଶବ୍ଦ ମଧ୍ୟରେ ରହିଥିବା କେବଳ ଧାରଣାଟି ହିଁ ଦୃଶ୍ୟମାନ ହୋଇ ଆସେ ନାହିଁ, ସୌନ୍ଦର୍ଯ୍ୟର ସଂବେଦନଶୀଳ ଇଙ୍ଗିତଗୁଡ଼ିକ ମଧ୍ୟ ପ୍ରତ୍ୟକ୍ଷ ହେଉଥାଏ ।

Image

 

Unknown

ପ୍ରକୃତି, ଉତ୍ତମ ସ୍ୱାସ୍ଥ୍ୟର ଉତ୍ସ

 

ଆମକୁ ଆମ ଅଭିଜ୍ଞତା ଶିକ୍ଷା ଦେଇଛି ଯେ, ଯେଉଁସବୁ ପିଲା ପରୀକ୍ଷାରେ ଫେଲ୍ ହୁଅନ୍ତି ଅଥବା ପଛୁଆ ରହିଥାନ୍ତି, ସେମାନଙ୍କ ଭିତରୁ ଶତକଡ଼ା ୯୫ ଭାଗଙ୍କର ସ୍ୱାସ୍ଥ୍ୟ ଭଲ ନଥାଏ-। ସେମାନେ ଏପରି କିଛି ଅସୁସ୍ଥତା କିମ୍ବା ବେରାମ ଭୋଗ କରୁଥାନ୍ତି, ଯାହା ଉପରେ କି ସାଧାରଣତଃ କାହାରି ଦୃଷ୍ଟି ପଡ଼ିନଥାଏ । ମାତ୍ର, ବାପାମାଆ, ଚିକିତ୍ସକ ଏବଂ ଶିକ୍ଷକ ଯଦି ଏକତ୍ର ପ୍ରୟାସ କରନ୍ତେ, ତେବେ ସେଗୁଡ଼ିକର ଅବଶ୍ୟ ଆରୋଗ୍ୟ ହୋଇପାରନ୍ତା । ହୃଦ୍‍ଯନ୍ତ୍ର, ଫୁସ୍‍ଫୁସ୍ ଏବଂ ଉଦରର ବହୁତ ଅସୁସ୍ଥତା ପ୍ରଚ୍ଛନ୍ନ ହୋଇ ରହିଥାଏ, ଅଧିକାଂଶ ସମୟରେ ସେଗୁଡ଼ିକ ଅସୁସ୍ଥତା ବୋଲି ଜଣା ପଡ଼ୁନଥାଏ;–କେବଳ ସାଧାରଣ ସ୍ୱାସ୍ଥ୍ୟାବସ୍ଥାର କିଞ୍ଚିତ୍ ବ୍ୟତିକ୍ରମ ପରି ଲାଗୁଥାଏ । ବାହାରେ ପିଲା ଚଞ୍ଚଳ ଓ ଜୀବନପୂର୍ଣ୍ଣ ହୋଇ ରହିଥାଏ ଯେ, ଅସୁସ୍ଥତାଟି ତାହାରି ମୁଖା ତଳେ ଢାଙ୍କି ହୋଇ ରହିଯାଇଥାଏ । ବହୁ ବର୍ଷର ପର୍ଯ୍ୟବେକ୍ଷଣ ପରେ ଆମେ ଦେଖିବାକୁ ପାଇଛୁ, ପିଲାମାନେ ଶିକ୍ଷାର କ୍ଷେତ୍ରରେ ଯେଉଁ ତଥାକଥିତ ମାନ୍ଦା ବୋଲି ମନେ ହୁଅନ୍ତି, ତାହା ଅଧିକାଂଶ ସମୟରେ ଏହି ସାଧାରଣ ଅସୁସ୍ଥତା ହେତୁ ହିଁ ହୁଏ; ପିଲା ନିଜେ ବି ତାହାକୁ ଲକ୍ଷ୍ୟ କରିନଥାଏ । ମସ୍ତିଷ୍କର କୋଷଗୁଡ଼ିକର କାର୍ଯ୍ୟକାରିତାରେ କୌଣସି ପରିବର୍ତ୍ତନ ଅଥବା ହସ୍ତକ୍ଷେପ ହେତୁ ତାହା ମୋଟେ ହୋଇ ନଥାଏ । ବାହାରୁ ମୁହଁଟା ଭାରି ରୁଗ୍‍ଣ ଓ ବିବର୍ଣ୍ଣ ଦିଶୁଥାଏ, କେତେକ ପିଲାଙ୍କୁ ଭଲ ଭୋକ ମଧ୍ୟ କରେନାହିଁ । ଖାଇବା ବିଷୟରେ କିଞ୍ଚିତ ଉନ୍ନତି ଆଣିବାର ସାମାନ୍ୟ ଚେଷ୍ଟା କଲେ ତାହାର ଏକ ପ୍ରତିକ୍ରିୟା ହୁଏତ ଦେଖାଯାଏ: ଦେହ ଉପରେ ଦାଗ ଦାଗ ହୋଇଯାଏ । ଯେତେ ଯତ୍ନ ନେଇ ବିଶ୍ଳେଷଣ କଲେ ମଧ୍ୟ କିଛି ଜଣା ପଡ଼େନାହିଁ; ସବୁ ଠିକ୍ ଥିବା ପରି ଜଣାଯାଏ । ଅଧିକାଂଶ କ୍ଷେତ୍ରରେ ମନେ ହୋଇଥାଏ ଯେ, ବହୁ ସମୟ ଘର ଭିତରେ ବସି ରହିବାଦ୍ୱାରା ଶାରୀରିକ କ୍ରିୟାଶୀଳତାରେ ଯେଉଁ ବାଧା ଆସିଥାଏ, ଏସବୁ ଅସୁବିଧା ସେହି କାରଣରୁ ହୁଏ । ସେପରି ହେଲେ ପିଲାର ମନୋନିବେଶ କରିବାର ଶକ୍ତି ଆଉ ରହେନାହିଁ ଏବଂ ବୌଦ୍ଧିକ ଶ୍ରମର ସାମର୍ଥ୍ୟ ମଧ୍ୟ ହ୍ରାସ ହୋଇଯାଏ । ଶରୀର ଯେତେବେଳେ କ୍ଷିପ୍ତ ବେଗରେ ବୃଦ୍ଧି ପାଉଥାଏ ଏବଂ କିଶୋରଅବସ୍ଥା ଆସିବାକୁ ଯାଉଥାଏ, ସେତିକି ବେଳେ ହିଁ ଏହିସବୁ ଅସୁସ୍ଥ ଅବସ୍ଥା ଅଧିକତର ସଂଖ୍ୟାରେ ଦୃଷ୍ଟିଗୋଚର ହୋଇଥାଏ ।

 

କାମ ଏବଂ ଖେଳର ଅନୁସୃତ ରୀତିରେ ଏକ ପରିବର୍ତ୍ତନ ଘଟାଇ ପାରିଲେ ହିଁ ଏହିସବୁ ଅବସ୍ଥାରେ ଶୀଘ୍ର ଏକ ଆରୋଗ୍ୟ ସମ୍ଭବ କରାଯାଇପାରେ; ବାହାରେ ଅଧିକ ସମୟ କଟିବ, ଝରକା ଖୋଲା ରଖି ଶୋଇବ, ଶୀଘ୍ର ଶୋଇବାକୁ ଯିବ ଓ ଶୀଘ୍ର ଉଠିବ, ଏବଂ ଉତ୍ତମ ଖାଦ୍ୟ ଖାଇବ ।

 

କେତେକ ପିଲା ବେଶ୍ ସୁସ୍ଥ ଥିଲା ପରି ମନେ ହୁଅନ୍ତି, ମାତ୍ର ନିକଟରୁ ପରୀକ୍ଷା କରି ଦେଖିଲେ, ସେମାନଙ୍କର କାର୍ଯ୍ୟରୁ ହିଁ ସେମାନଙ୍କ ଭିତରେ କୌଣସି ଅସୁସ୍ଥତା ପ୍ରଚ୍ଛନ୍ନ ହୋଇ ରହିଛି ବୋଲି ପ୍ରମାଣ ମିଳିଯାଉଥାଏ । ଏବଂ ଏଇଟା ପ୍ରକୃତରେ ବେଶ୍ ଆଗ୍ରହୋଦ୍ଦୀପକ: ପିଲାମାନେ ପାଠ ପଢ଼ୁଥିବାର ପ୍ରତ୍ୟେକ ମୁହୂର୍ତ୍ତକୁ ଶିକ୍ଷକ ଯେତେବେଳେ ସଘନ ବୁଦ୍ଧିଗତ ଶ୍ରମ ଦ୍ୱାରା ପୂର୍ଣ୍ଣ କରି ରଖିବାକୁ ଚେଷ୍ଟା କରିଥାଆନ୍ତି, ବିଶେଷତଃ ସେତିକି ବେଳେ ହିଁ ଏହିସବୁ ଅସୁସ୍ଥତା ଏବଂ ବେରାମ ଆସି ଦେଖାଦିଏ । “ଗୋଟିଏ ମିନିଟ୍ ମଧ୍ୟ ନଷ୍ଟ ହେବ ନାହିଁ”ର ଏହି ପ୍ରଚେଷ୍ଟା କେତେକ ପିଲାଙ୍କର ଯାବତୀୟ ବଳକୁ ପ୍ରକୃତରେ ପରାହତ କରି ଦେଇଥାଏ । ଏଥିରେ ମୋ’ର ଆଦୌ କୌଣସି ସନ୍ଦେହ ନାହିଁ ଯେ, ବେଗଟି ଏହିପରି “କ୍ଷିପ୍ର” ହୋଇ ରହିଥିଲେ ତଦ୍ଦ୍ୱାରା ସମ୍ପୂର୍ଣ୍ଣ ସୁସ୍ଥ ପିଲାମାନଙ୍କର ମଧ୍ୟ କ୍ଷତି ହୋଇଥାଏ । ଅତିରିକ୍ତ ମାନସିକ ଶ୍ରମ ଦ୍ୱାରା ପିଲାମାନଙ୍କର ଆଖି ନିଷ୍ପ୍ରଭ ଦେଖାଯାଏ, ମୁହଁର ଚେହେରା ବିବର୍ଣ୍ଣ ହୋଇ ଆସେ ଏବଂ ଗତିଶୀଳତା ପ୍ରାଣହୀନ ହୋଇଯାଏ । ଏହି ସ୍ଥିତିରେ ପିଲାଟି ଆଦୌ କୌଣସି ପାଇଁ ଆଉ ଯୋଗ୍ୟ ହୋଇ ରହେ ନାହିଁ; ସେତେବେଳେ ସିଏ କେବଳ ମୁକ୍ତ ବାୟୁ ହିଁ ଆବଶ୍ୟକ କରୁଥାଏ; ମାତ୍ର ଶିକ୍ଷକ ତାକୁ ଲଗାମ ଭିଡ଼ି ଧରିଥାନ୍ତି ଓ ଅଧିକରୁ ଅଧିକ ବେଗରେ ଅଡ଼ାଇ ନେବାରେ ଲାଗିଥାନ୍ତି ।

 

ଆନନ୍ଦ-ପାଠଶାଳା ଆରମ୍ଭ ହେବାର ପ୍ରଥମ ସପ୍ତାହଟିରେ ହିଁ ମୁଁ ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଅତ୍ୟନ୍ତ ଦୃଷ୍ଟି ଦେଇଥିଲି । ସବୁ ପିଲା ପ୍ରକୃତିର କ୍ରୋଡ଼ରେ ଗ୍ରାମାଞ୍ଚଳରେ ହିଁ ବଢ଼ିଥିଲେ ସତ, ମାତ୍ର ସେମାନଙ୍କ ଭିତରୁ କେତେଜଣ ବେଶ୍ ବିବର୍ଣ୍ଣ ଦିଶୁଥିଲେ, ସେମାନଙ୍କର ଛାତିରେ ମୋଟେ ସେତେ ବଳ ନଥିଲା । ଏବଂ, ଭାଲୋଡ଼୍ୟା, କାଟ୍ୟା ଓ ସାନ୍ୟା, ଲୋକେ କହିଲା ପରି, କେବଳ ଅସ୍ଥିଚର୍ମସାର ଥିଲେ । ଭାରି ପତଳା ଓ ଦୁର୍ବଳ ଥିଲେ । ଅଧିକାଂଶ ପିଲାଙ୍କୁ ଘରେ ଯଥେଷ୍ଟ ଖାଇବାକୁ ମିଳୁଥିଲା; ସେମାନଙ୍କ ମଧ୍ୟରୁ କେତୋଟି ପିଲା ଯେ ତଥାପି ଦୁର୍ବଳ ଥିଲେ, ତାହାର ମୁଖ୍ୟ କାରଣ ହେଉଛି ଯେ, ସେମାନେ ସତେଅବା ଗୋଟିଏ କାଚଘରେ ହିଁ ବାସ କରୁଥିଲେ, –ଏତେ ଟିକିଏ ପବନ ଯେପରି ଦେହରେ ନବାଜିବ, ସେଥିଲାଗି ସେମାନଙ୍କ ମାଆମାନେ ଅତ୍ୟନ୍ତ ସତର୍କ ଥିଲେ । ଆନନ୍ଦମୟ ପାଠଶାଳାରେ ପିଲାମାନେ ପ୍ରଥମ କେତେ ଦିନ ଖୁବ୍ କ୍ଳାନ୍ତ ହୋଇ ପଡ଼ୁଥିଲେ । ଗୋଟାଏ କିଲୋମିଟର ପାଦରେ ଚାଲିଯିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର ହେଉଥିଲା । ସେମାନଙ୍କୁ ଭଲ ଭୋକ ହେଉନାହିଁ ବୋଲି ମାଆମାନେ ଅଭିଯୋଗ ବି କରୁଥିଲେ ।

 

ବାପାମାଆମାନଙ୍କୁ ମୁଁ ବୁଝାଇ କହିଥିଲି ଯେ, ସେମାନେ ନିଜ ପିଲାମାନଙ୍କୁ ଥଣ୍ଡା ନଲାଗିବାକୁ ଦେବା ବିଷୟରେ ଯେତେ କଟକଣା କରାଇବେ, ପିଲାମାନେ ସେତିକି ଅଧିକ ଦୁର୍ବଳ ହୋଇଯାଉଥିବେ । ମୋ’ର ଏତେ କରି କହିବା ଫଳରେ, ଗରମ ଦିନମାନଙ୍କରେ ପିଲାମାନେ ଖାଲି ଗୋଡ଼ରେ ସ୍କୁଲକୁ ଆସିବେ ବୋଲି ସମସ୍ତେ ରାଜି ହୋଇଥିଲେ । ପିଲାମାନଙ୍କର ଆନନ୍ଦ କହିଲେ ନସରେ: ଦିନେ ଆମେ କ୍ଷେତରେ ଥିବାବେଳେ ଉଷୁମ ଲାଗୁଥିବା ଅସରାଏ ବରଷା ଆମକୁ ଓଦା କରିଦେଲା । ସମସ୍ତ ରାସ୍ତାର କାଦୁଅ ପାଣି ରାସ୍ତା ଦେଇ ପିଲାମାନେ ଘରଯାଏ ଚାଲି ଚାଲି ଆସିଲେ । ବାପାମାଆମାନେ ଯେତେ ଯାହା ଭୟ କରିଥିଲେ ମଧ୍ୟ ଗୋଟିଏ ପିଲା ବି ଅସୁସ୍ଥ ହୋଇ ନଥିଲା । ବହୁତ କଷ୍ଟରେ ଯାଇ ବାପାମାଆଙ୍କୁ ରାଜି କରାଇ ହେଲା ଯେ, ସେମାନେ ପିଲାମାନଙ୍କୁ ଗୁଡ଼ାଏ ବସ୍ତ୍ରାଦି ପିନ୍ଧାଇବେ ନାହିଁ ଏବଂ “କାଳେ କିଛି ହୋଇଯିବ” ବୋଲି ଆଶଙ୍କା କରି ସ୍ୱେଟର ଓ ଜ୍ୟାକେଟମାନ ସେମାନଙ୍କ ଉପରେ ଲଦି ଦେବେ ନାହିଁ । ଆମେ ଗୋଟାଏ ନିୟମ କରି ଦେଲୁ; ଶରତ, ବସନ୍ତ ଏବଂ ଗ୍ରୀଷ୍ମରେ ପିଲାଏ ପୂରା ସମୟ ବାହାରେ କଟାଇବେ । ଆନନ୍ଦ ପାଠଶାଳାର ପ୍ରଥମ ଚାରିରୁ ତିନି ସପ୍ତାହ ପିଲାମାନେ ପ୍ରତହ୍ୟ ଦୁଇତିନି କିଲୋମିଟର ଚାଲୁଥିଲେ ଦ୍ୱିତୀୟ ମାସରେ ଚାରି ପାଞ୍ଚ କିଲୋମିଟର ଚାଲିଲେ ଏବଂ ତୃତୀୟ ମାସରେ ଛଅ କିଲୋମିଟର ଗଲେ । ଏବଂ, ଏହି ଚାଲିବାଟା ସଂପୂର୍ଣ୍ଣ ଭାବରେ କ୍ଷେତ ଓ ପଡ଼ିଆମାନଙ୍କରେ, ତୋଟା ଆଉ ଅରଣ୍ୟ ଭିତରେ ହେଉଥିଲା । ସେମାନେ ପ୍ରତିଦିନ କେତେବାଟ ଚାଲିକରି ଯାଉଥିଲେ, କେହି ତା’ର ହିସାବ ରଖୁନଥିଲେ, କାରଣ, କୌଣସି ଦିନ ଏତିକି କିଲୋମିଟର ଚାଲିବାକୁ ହେବ ବୋଲି ଆଗରୁ କୌଣସି ଲକ୍ଷ୍ୟ ଧାର୍ଯ୍ୟ ହେଉ ନଥିଲା । ଏହି ସଚଳତା, ଏହି ପାଦରେ ଚାଲିକରି ଯିବା, ଏଗୁଡ଼ିକ ଅନ୍ୟାନ୍ୟ କେତେ ଲକ୍ଷ୍ୟ ସକାଶେ ସାଧନମାତ୍ର ଥିଲେ । ପିଲା ନାନା ସ୍ଥାନକୁ ଯିବାକୁ ଇଚ୍ଛା କରୁଥାଏ, କାରଣ ତଦ୍ଦ୍ୱାରା ସେ ପୃଥିବୀଯାକ ଆବିଷ୍କାର କରିପାରିବ ବୋଲି ଅନୁଭବ କରୁଥାଏ । ଘରକୁ ଗଲା ବେଳକୁ ପିଲାମାନେ କ୍ଳାନ୍ତ ହୋଇଯାଉଥିଲେ ସତ, ମାତ୍ର ଭାରି ଖୁସୀ ଏବଂ ପୁଲକିତ ହୋଇ ରହୁଥିଲେ । କ୍ଳାନ୍ତ ନହେଲେ ଉତ୍ତମ ସ୍ୱାସ୍ଥ୍ୟ ଆଦୌ ସମ୍ଭବ ହେବ ନାହିଁ । ନିଜ ଶକ୍ତିକୁ କାମରେ ଲଗାଇ ସାରିବା ପରେ ପିଲା ଯେତେବେଳେ ବିଶ୍ରାମ ନେଉଥାଏ, ସେତିକିବେଳେ ହିଁ ଉତ୍ତମ ସ୍ୱାସ୍ଥ୍ୟ ତା’ର ଶରୀର ଭିତରକୁ ପ୍ରବାହିତ ହୋଇ ଆସେ ।

 

ତାଜା ପବନରେ ସାତ କିଲୋମିଟର ଚାଲିବା ପରେ ପିଲାମାନେ “ଭାଲୁଙ୍କ ପରି ଭୋକିଲା” ହୋଇ ଘରକୁ ଫେରି ଆସୁଥିଲେ, ବାପାମାଆଙ୍କଠାରୁ ଏହିପରି କଥା ଶୁଣିବାକୁ ମିଳୁଥିଲା । ଜଙ୍ଗଲକୁ ଗଲାବେଳେ ମୁଁ ପିଲାମାନଙ୍କ ସାଙ୍ଗରେ ପାଉଁରୁଟି, ଉଲି, ଲୁଣ ଓ ପିଇବା ପାଣି ନେଇ ଯିବା ନିମନ୍ତେ କହୁଥିଲି, କିଛି କଞ୍ଚା ଆଳୁ ମଧ୍ୟ ନେବାକୁ ପରାମର୍ଶ ଦେଉଥିଲି । ଏକଥା ଶୁଣି ବାପାମାଆ ପ୍ରଥମେ କେମିତି କେମିତି ଭାବିଲେ; ପିଲାମାନେ ଏସବୁ ଜିନିଷ ଖାଇ ପାରିବେ ବୋଲି ସେମାନଙ୍କର ବିଶ୍ୱାସ ହେଉନଥିଲା, କାରଣ ନିଜ ଘରେ ତ କେଡ଼େ ଭଲ ଭଲ ଖାଇବା ବି ସେମାନେ ନଖାଇ ଚାଲି ଯାଉଥିଲେ: ମାତ୍ର ଜଙ୍ଗଲରେ ଏହି ପାଉଁରୁଟି, ଉଲି ଆଉ ଆଳୁସିଝା । ସେମାନଙ୍କୁ ସବୁଠାରୁ ଅଧିକ ସୁଆଦିଆ ଖାଇବା ପରି ମନେ ହେଉଥିଲା । ଏହାଦ୍ୱାରା ପିଲାମାନଙ୍କର ଖାଇବା ପାଇଁ ରୁଚି ଏପରି ବଢ଼ି ଯାଇଥିଲା ଯେ, ସେମାନେ ଏଣିକି ସେମାନଙ୍କୁ ଘରେ ଦିଆଯାଉଥିବା ସୁପ୍ ବା ପରିବା ମିଶା ଝୋଳକୁ ମଧ୍ୟ କେଡ଼େ ଖୁସୀ ହୋଇ ଖାଇଦେଲେ । ଗୋଟାଏ ମାସ ନଯାଉଣୁ ସବୁଠାରୁ ବିବର୍ଣ୍ଣ ଦିଶୁଥିବା ପିଲାମାନଙ୍କର ଗାଲ ମଧ୍ୟ ଲାଲ୍ ଦିଶିବାକୁ ଆରମ୍ଭ କରିଥିଲା ଏବଂ ପିଲାଏ ଏତେ ଭଲ ଭାବରେ ଖାଇଲେ ଯେ ମାଆମାନେ ସେମାନଙ୍କୁ ଶୀଘ୍ର ସନ୍ତୁଷ୍ଟ କରିପାରୁ ନଥିଲେ । ପିଲାମାନେ ଆଉ ଏଇଟା ଖାଇବି ନାହିଁ କହି ମୋଟେ ନାକ ଟେକିଲେ ନାହିଁ: ସେମାନଙ୍କର ଥାଳିରେ ଯାହା ଦେଲେ ମଧ୍ୟ ଆଗ୍ରହର ସହିତ ଖାଇଦେଲେ ।

 

ଶରୀରକୁ ଗତିଶୀଳ ରଖିବା ହେଉଛି ଶାରୀରିକ ଶିକ୍ଷାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କଥା । ପିଲାମାତ୍ରକେ ସମସ୍ତେ ଦଉଡ଼ିବାକୁ ଭଲ ପାଆନ୍ତି, ଖେଳିବାକୁ ଭଲପାଆନ୍ତି । ଆମେ ସେମାନଙ୍କ ପାଇଁ ଗୋଟିଏ ଖେଳପଡ଼ିଆ ତିଆରି କରି ଦେଲୁ । ଖେଳ ପାଇଁ ଓ ଶ୍ରେଣୀଗୃହ ବାହାରେ ଆନନ୍ଦ କରିବା ପାଇଁ ଯାହାକିଛି ଦରକାର, ସେଠାରେ ସବୁ କିଛି ରହିଥିଲା, ମାତ୍ର ମୁଁ ଆହୁରି ଅଧିକ ରହୁ ବୋଲି ଇଚ୍ଛା କରୁଥିଲି । ସେମାନଙ୍କ ପାଇଁ ଗୋଟାଏ ଚକ୍ରୀ-ଦୋଳା ଦରକାର ହେଉଥିଲା, ସକ୍ରିୟ ଖେଳଗୁଡ଼ିକ ସହିତ ପରିକାହାଣୀଗୁଡ଼ିକୁ ଆଣି ଯୋଡ଼ିବା ଦରକାର ହେଉଥିଲା–ଯେପରିକି ସେଗୁଡ଼ିକରେ କଳ୍ପନା ଭରି ରହିଥିବ । ମୁଁ ମନେମନେ ଚିତ୍ର ଦେଖୁଥିଲି, -ସେଥିରେ ପିଠିରେ କୁଜ ଥିବା ଗୋଟିଏ ଘୋଡ଼ା ଥିବ, ହାତୀଟିଏ ଥିବ, ହେଟା ଓ କୋକିଶିଆଳୀ ସମସ୍ତେ ଥିବେ, ସମସ୍ତେ କାଠର ଚକଦୋଳିଟି ଉପରେ ଠିଆ ହୋଇ ରହିଥିବେ । ପିଲାମାନେ ଯେ, ସେମାନଙ୍କ ପିଠି ଉପରେ ଯାଇ ବସିବେ କେବଳ ସେତିକି ନୁହେଁ, ମାତ୍ର ସେମାନେ ଯେ ପ୍ରକୃତ ସାନ ଓ କୁଜାପିଠିଆ ଘୋଡ଼ା ବା ମାଟିଆ ରଙ୍ଗର ହେଟାଟି ଉପରେ ବସିଛନ୍ତି, ତଜ୍ଜନିତ ଉଦ୍ଦୀପନାଟିକୁ ଅନୁଭବ ବି କରୁଥିବେ । ଏସବୁ କେବଳ ସ୍ୱପ୍ନ ହିଁ ଥିଲା, ମାତ୍ର ମୁଁ ଅତ୍ୟନ୍ତ ଦୃଢ଼ ଭାବରେ ବିଶ୍ୱାସ କରୁଥିଲି ଯେ, ଛଅମାସ ପରେ ହେଉ କିମ୍ବା ଗୋଟିଏ ବର୍ଷ ପରେ ହେଉ ପଛକେ, ତାହା ନିଶ୍ଚୟ ସମ୍ଭବ ହେବ । ଦୋଳିଟି ପାଇଁ ମୁଁ ସାମଗ୍ରୀ ଏବଂ ସରଞ୍ଜାମ ସଂଗ୍ରହ କଲି । ପିଲାମାନେ ଆଗାମୀ ଶୀତଋତୁ ସକାଶେ କିପରି ଭାବରେ ପ୍ରସ୍ତୁତ ହେବେ, ମୁଁ ସେ ବିଷୟରେ ମଧ୍ୟ ଯୋଜନାମାନ କରୁଥିଲି, ଯେପରିକି ସେମାନେ ଅଧିକ ସମୟ ବାହାରେ ରହିପାରିବେ ଓ ଅଧିକ ନିର୍ମଳ ପବନ ମଧ୍ୟ ପାଇପାରିବେ ।

 

ବହୁ ବର୍ଷ ଧରି ଇସ୍କୁଲରେ ପଢ଼ୁଥିବା ସାନ ପିଲାମାନଙ୍କର ଶାରୀରିକ ବିକାଶକୁ ନିରୀକ୍ଷଣ କରି ଦେଖି ମୋ’ର ବହୁ ଦୃଢ଼ ପ୍ରତ୍ୟୟ ହୋଇଯାଇଛି ଯେ, ସେମାନଙ୍କୁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ଦେବା ହେଉଛି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଶରୀରର ଉପଯୁକ୍ତ ବିକାଶ ନିମନ୍ତେ, ଅସୁସ୍ଥତାର ପ୍ରତିକାର ନିମନ୍ତେ ଏବଂ ସାଧାରଣ ଗତିଶୀଳତାଗୁଡ଼ିକୁ ବଜାୟ ରଖିବା ନିମନ୍ତେ ଯେତିକି ପୁଷ୍ଟିର ଆହାର ମିଳିବା ଆବଶ୍ୟକ, ତାହା ପିଲାମାନଙ୍କୁ ଯଥେଷ୍ଟ ପରିମାଣରେ ମିଳୁନଥିଲା । କେବଳ ଆଠୋଟି ପରିବାରରେ ମହୁ ଥିଲା । ଅର୍ଥାତ୍ ଆଳଙ୍କାରିକ ଭାବରେ କହିଲେ, ଥାଳୀରେ ସୂର୍ଯ୍ୟାଲୋକ ଖଣ୍ଡେ ପରଷା ହୋଇପାରୁଥିଲା । ଏ ବିଷୟରେ ବାପାମାଆଙ୍କ ସହିତ ମୋ’ର କଥାବାର୍ତ୍ତା ହେଲା; କାରଣ, ବର୍ଦ୍ଧିଷ୍ଣୁ ପିଲାମାନଙ୍କ ପାଇଁ ମହୁ ନିତାନ୍ତ ଆବଶ୍ୟକ ବୋଲି ମୋ’ର ଦୃଢ଼ ପ୍ରତ୍ୟୟ ରହିଥିଲା । ସେପ୍ଟେମ୍ବର ଶେଷ ବେଳକୁ ତେରଟି ପରିବାର ମହୁ ବାକ୍ସ କିଣି ସାରିଥିଲେ । ବସନ୍ତ ଋତୁ ସମୟକୁ ତେଇଶିଟି ପରିବାର ମହୁମାଛି ପାଳନ କରୁଥିଲେ ।

 

ଶରତଋତୁରେ ମୁଁ ମାଆମାନଙ୍କୁ ନାନାବିଧ କୋଳିରୁ ଜାମ୍ ତିଆରି କରିନେବାକୁ ପରାମର୍ଶ ଦେଲି, ସେହିସବୁ ଫଳରେ ଜୀବସାର ଭର୍ତ୍ତି ହୋଇ ରହିଥିଲା । ନିଜ ନିଜ ବଗିଚାରେ ଆପଲ୍‍ ଗଛ ସମେତ ଅନ୍ୟ ଅନେକ କିସମର ଫଳଗଛ ଯଥେଷ୍ଟ ସଂଖ୍ୟାରେ ଲଗାଇବାକୁ ମୋତେ ବାପାମାଆମାନଙ୍କ ସହିତ କଥାବାର୍ତ୍ତା କରିବାକୁ ହେଲା । ଶୀତଋତୁ ତମାମ୍ ପ୍ରଚୁର ତଟକା ଫଳ ମିଳିପାରିବା ନିମନ୍ତେ ସେମାନଙ୍କ ବଗିଚାରେ ଯଥେଷ୍ଟ ସଂଖ୍ୟାରେ ଫଳଗଛ ରହିବା ଆବଶ୍ୟକ ଥିଲା । ଏବଂ, ଗ୍ରାମାଞ୍ଚଳରେ ଏସବୁ ବ୍ୟବସ୍ଥା କରିବା ଅତ୍ୟନ୍ତ ସହଜ, କେବଳ ଯାହା କିଞ୍ଚିତ ଶ୍ରମ କରିବାକୁ ପଡ଼ିଥାଏ ।

 

ଉତ୍ତମ ସ୍ୱାସ୍ଥ୍ୟ କହିଲେ ନିର୍ମଳ ମୁକ୍ତ ପବନକୁ ବୁଝାଇବ,–ଗହମ, ମାଣ୍ଡିଆ, ଯଅ, ସୁଆଁ ଏବଂ ପଡ଼ିଆରେ ବଢ଼ୁଥିବା ଉଦ୍ଭିଦଗୁଡ଼ିକ ଦ୍ୱାରା ପରିବେସିତ ମୁକ୍ତ ପବନକୁ ବୁଝାଇବ । ମୁଁ ପିଲାମାନଙ୍କୁ ଅନେକ ସମୟରେ କ୍ଷେତ ଓ ପ୍ରାନ୍ତର ଆଡ଼କୁ ନେଇ ଯାଉଥିଲି, ଯେପରି ସେମାନେ ରୁଟି ତିଆରି ହେଉଥିବା ଶସ୍ୟର ମହକ ଦ୍ୱାରା ପୂର୍ଣ୍ଣ ହୋଇଥିବା ନିର୍ମଳ ବାୟୁକୁ ସେବନକରିପାରିବେ । ବାପାମାଆମାନଙ୍କୁ ମଧ୍ୟ ମୁଁ ପିଲାମାନଙ୍କର ଶୋଇବା ଘରର ଝରକା ତଳେ ନାନା ଜାତିର କୋଳିଗଛ ଆଣି ଲଗାଇବାକୁ ପରାମର୍ଶ ଦେଇଥିଲି । ସେହି ଗଛମାନେ ବାୟୁ ଭିତରେ ଏପରି ଉପାଦାନମାନ ଆଣି ଭରି ନିଅନ୍ତି, ଯାହାଦ୍ୱାରା କି ଅନେକ ରୋଗବାହୀ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ଅନିଷ୍ଟକାରୀ ପତଙ୍ଗମାନେ ମଧ୍ୟ କୋଳିମାନଙ୍କର ବାସନାକୁ ସହି ପାରନ୍ତି ନାହିଁ । କୋଳି ଥିବା ସ୍ଥାନମାନଙ୍କରେ ମାଛି ଓ ମଶା ରହିପାରନ୍ତି ନାହିଁ । ହଁ, ଦୁଆରେ ଏକ ଗ୍ରୀଷ୍ମକାଳୀନ ମୁକ୍ତ ସ୍ନାନାଗାର ରଖିବା ପାଇଁ ମଧ୍ୟ ମୁଁ ପ୍ରତ୍ୟେକ ପରିବାର ପାଖରେ ଦାବି କରିଥିଲି-

 

ବହୁସଂଖ୍ୟକ ପିଲାଙ୍କର ଦୃଷ୍ଟିଶକ୍ତି କାହିଁକି ଏତେ ଖରାପ, ପ୍ରଥମେ ଅନେକ ବର୍ଷଯାକ ମୋତେ ତାହା ବେଶ୍ ବିସ୍ମିତ କରି ଦେଉଥିଲା । ତୃତୀୟ ଶ୍ରେଣୀରେ କାହିଁକି ଏତେ ପିଲା ଚଷମା ପିନ୍ଧୁଥିଲେ ? ବହୁ ସାନ ପିଲାଙ୍କର ପର୍ଯ୍ୟବେକ୍ଷଣ କରି ମୁଁ ଏହି ସିଦ୍ଧାନ୍ତରେ ଆସି ପହଞ୍ଚିଲି ଯେ, ପଢ଼ିବା ଦ୍ୱାରା ପିଲାମାନଙ୍କର ଆଖି ଉପରେ ଚାପ ପଡ଼ି ଯେ ଏପରି ହେଉଛି, ସେକଥା ନୁହେଁ; ସେମାନଙ୍କର ଆହାରରେ ଜୀବସାରର ଅଭାବ ରହୁଛି ଏବଂ ଶାରୀରିକ ବ୍ୟାୟାମ ଯଥେଷ୍ଟ ହେଉନାହିଁ ବୋଲି ସେହିପରି ହେଉଛି । ଏହାଦ୍ୱାରା ପିଲାମାନଙ୍କର ସର୍ଦ୍ଦି ପ୍ରତି ମଧ୍ୟ ପ୍ରବିଣତା ବଢ଼ିଯାଉଛି । ପିଲାଦିନେ ଭୋଗିବାକୁ ପଡ଼ୁଥିବା ଅନେକ ଅସୁସ୍ଥତାର ମଧ୍ୟ ଦୃଷ୍ଟିଶକ୍ତି ଉପରେ ହାନିକାରକ ପ୍ରଭାବ ପଡ଼ିଥାଏ । ପୂର୍ଣ୍ଣ ସନ୍ତୁଳିତ ଆହାର, ଉଚିତ ନିଦ୍ରା ଓ ଶାରୀରିକ ବ୍ୟାୟାମ ହିଁ ପିଲାକୁ ଅସୁସ୍ଥତାରୁ ସୁରକ୍ଷା ପ୍ରଦାନ କରନ୍ତି ଏବଂ ଚତୁର୍ଦ୍ଦିଗରେ ଥିବା ପୃଥିବୀକୁ ଅବଲୋକନ କରି ସୁଖ ଓ ଆନନ୍ଦ ଅନୁଭବ କରିବାର ରହସ୍ୟଟି ବତାଇ ଦେଇଥାନ୍ତି ।

 

ବର୍ଷ ବର୍ଷ ଧରି ପିଲାମାନଙ୍କୁ ନିରୀକ୍ଷଣ କରି ମୁଁ ଏପରି ଏକ ଆତଙ୍କଦାୟକ ସିଦ୍ଧାନ୍ତରେ ମଧ୍ୟ ଆସି ପହଞ୍ଚିଲି ଯେ, ବସନ୍ତ ଋତୁରେ ମାର୍ଚ୍ଚମାସ ଆରମ୍ଭ ବେଳକୁ ସବୁ ପିଲାଙ୍କର ସ୍ୱାସ୍ଥ୍ୟ ଦୁର୍ବଳ ହୋଇଆସେ । ପିଲାଟି ଭାରି ଝଡ଼ିଗଲା ପରି ଦେଖାଯାଏ, ଥଣ୍ଡା ପ୍ରତି ଶରୀରର ପ୍ରତିରୋଧଶକ୍ତି କମିଯାଏ ଏବଂ କାମ କରିବାର ସାମର୍ଥ୍ୟ ମଧ୍ୟ ଉଣା ହୋଇଯାଏ । ଦୃଷ୍ଟିଶକ୍ତି ଖରାପ ହୋଇଯିବାର କଥାଟି ମଧ୍ୟ ବିଶେଷତଃ ସେହି ବସନ୍ତ ଋତୁର ମାସଗୁଡ଼ିକରେ ଦେଖାଯାଇଥାଏ ।

 

ଡାକ୍ତର ଓ ମନୋବିଜ୍ଞାନୀମାନେ ବ୍ୟାଖ୍ୟା କରି କହନ୍ତି ଯେ, ଦେହର ଭିନ୍ନ ଭିନ୍ନ କ୍ରିୟାକ୍ଷେତ୍ର ମଧ୍ୟରେ ହେଉଥିବା ପାରସ୍ପରିକ ପ୍ରତିକ୍ରିୟାର ଛନ୍ଦରେ ଘଟୁଥିବା ଅତିରିକ୍ତ ପରିବର୍ତ୍ତନଗୁଡ଼ିକ ସକାଶେ ହିଁ ଏହା ଘଟିଥାଏ । କାରଣଟି ହେଉଛି ଯେ, ଶୀତଋତୁ ଶେଷ ହେବା ବେଳକୁ ଶରୀରକୁ ଜୀବସାର ଯୋଗାଇଦେବା କ୍ଷେତ୍ରରେ ଅତ୍ୟନ୍ତ ହ୍ରାସ ଘଟିଥାଏ, ସୂର୍ଯ୍ୟରଶ୍ମିର ବିକୀରଣ ଏକାବେଳେକେ କମ୍ ହୋଇଯାଏ ଏବଂ ଏଣେ ଦୀର୍ଘ ସମୟ ଧରି ବୌଦ୍ଧିକ କ୍ରିୟାଶୀଳତା ଲାଗି ରହିଥିବାରୁ ସ୍ନାୟୁଗୁଡ଼ିକ କ୍ଳାନ୍ତ ହୋଇପଡ଼ନ୍ତି ।

 

ଏହିସବୁ ଅଭାବର ପରିମାଣକୁ କିପରି କମ୍ କରି ହେବ, ମୁଁ ସେହି ବିଷୟରେ ଭାବିଲି-। ଜୀବସାର ପ୍ରଚୁର ରହିଥିବା ଫଳ ଏବଂ ପନିପରିବା ବିଶେଷତଃ ବସନ୍ତଋତୁର ମାସଗୁଡ଼ିକରେ ଯୋଗାଇ ଦେବା ଲାଗି ବାପାମାଆମାନେ ଅଧିକ ମନୋଯୋଗୀ ହେଲେ । ଶୀତ ଓ ବସନ୍ତ ଏହି ଦୁଇ ଋତୁରେ ଯେତେଦିନ ଭଲ ଖରାପାଗ କରିଥିଲା, ଆମେ ସ୍କୁଲରୁ ବାହାରି ଚାଲିଚାଲି ଆଉ କୁଆଡ଼େ ଯିବାକୁ ଚେଷ୍ଟା କରୁଥିଲୁ । ବସନ୍ତଋତୁର ମାସଗୁଡ଼ିକରେ ପିଲାମାନଙ୍କର ମସ୍ତିଷ୍କ ଉପରେ ଯେପରି କମ୍ ଚାପ ପଡ଼ିବ, ମୁଁ ସେଥିଲାଗି ଚିନ୍ତା କରୁଥିଲି । ଶ୍ରେଣୀ ଗୃହ ଭିତରେ ନୁହେଁ, ଯଥାସମ୍ଭବ ବାହାରେ ହିଁ ଭାବନାର ପ୍ରକ୍ରିୟାଗୁଡ଼ିକ କ୍ରିୟାଶୀଳ ହେବ ଓ ତାହାକୁ ଶାରୀରିକ ଶ୍ରମ ସହିତ ସଂଲଗ୍ନ କରି ରଖିବାକୁ ହେବ । ଏଇଟି ହିଁ କ୍ରମେ ବସନ୍ତ ଋତୁର ମାସଗୁଡ଼ିକରେ ଆମର ଗୋଟିଏ ନିୟମ ହୋଇ ରହିଲା ।

 

ଯୁଦ୍ଧର ପରବର୍ତ୍ତୀ ପ୍ରଥମ କେତେ ବର୍ଷ ଅନେକ ପିଲା ସ୍ନାୟୁଗତ ଅସୁସ୍ଥତା ଲାଗି ପ୍ରାୟ ଉନ୍ମୋଚିତ ହୋଇ ରହିଥିଲେ । ମୋ’ର କେତେଜଣ ଛାତ୍ର, ବିଶେଷ କରି ଟୋଲ୍ୟା, କୋଲ୍ୟା, ସ୍ଳାଭା ଏବଂ ଫେଡ୍ୟା ବେଳେବେଳେ ଅତ୍ୟନ୍ତ ବିଷାଦପୀଡ଼ିତ ହୋଇ ରହୁଥିଲେ ଏବଂ ଜୀବନରୁ ନିଜକୁ ଗୋଟିଏ ପ୍ରକାର ପ୍ରତ୍ୟାହୃତ କରି ନେଉଥିଲେ । ସେମାନଙ୍କର ଏହି ବିଷାଦ, କିଛି ନିଷ୍ପତ୍ତିରେ ପହଞ୍ଚିବା ଲାଗି ଅସମର୍ଥତା ଏବଂ ଯନ୍ତ୍ରଣାଦାୟକ ଲଜ୍ଜାଶୀଳତା ଯେପରି ଏକ ସ୍ନାୟବିକ ଅସୁସ୍ଥତାରେ ପରିଣତ ହୋଇ ନଯାଏ, ସେଥିଲାଗି ମୁଁ ଲଢ଼ାଇ କରିବାକୁ ଚେଷ୍ଟା କରୁଥିଲି । ବିଦ୍ୟାଳୟର ସମୂହିତ ଜୀବନଟି ପିଲାମାନଙ୍କୁ କିପରି ଆନନ୍ଦ ଆଣି ଦେଇପାରୁଥିବ, ମୁଁ ସେଥିଲାଗି ବିଭିନ୍ନ ସୂତ୍ରରୁ ପରାମର୍ଶ ମଧ୍ୟ ଲୋଡ଼ୁଥିଲି, ଏବଂ ବିଭିନ୍ନ ପ୍ରାଥମିକ ଶ୍ରେଣୀଗୁଡ଼ିକର ଆମେ ଶିକ୍ଷକମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲୁ ଯେ, ଗୋଟିଏ ପିଲା ତାର ପରିବାରରେ ଯେଉଁସବୁ ଦୁର୍ଭାଗ୍ୟ, ଦୁଃଖ ଏବଂ ଦ୍ୱନ୍ଦ ଦେଖିବାକୁ ବାଧ୍ୟ ହେଉଥିଲା, ସେଗୁଡ଼ିକ ଯଥାସମ୍ଭବ ଶାନ୍ତ କରି ଆଣିବା ହିଁ ବିଶେଷ ମହତ୍ତ୍ୱପୂର୍ଣ୍ଣ ଥିଲା । ପ୍ରତ୍ୟେକ ପିଲାର ଆତ୍ମା ଭିତରେ କ’ଣ ସବୁ ଘଟୁଥିଲା, ଜଣେ ପିଲା ଯେଉଁସବୁ ସମସ୍ୟାକୁ ଅନ୍ତରରେ ବହନ କରି ସ୍କୁଲକୁ ଆସୁଥିଲା, ଶିକ୍ଷକମାନେ ସେଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁଥିଲେ, ଯେପରି କି ସେମାନେ ତା’ର ସ୍ପର୍ଶକାତର ହୃଦୟ ଲାଗି ଅସାବଧାନ ଭାବରେ ଆହୁରି ଅଧିକ ପୀଡ଼ାର କାରଣ ନହେବେ । ଯେକୌଣସି ପିଲାର ଅନ୍ତର୍ଜୀବନରେ ରହିଥିବା ଯେକୌଣସି ବିଷୟ ଯଦି ବିଶେଷ ଦୃଷ୍ଟି ଆବଶ୍ୟକ କରୁଥିଲା, ତେବେ ଆମେ ଶିକ୍ଷକମାନେ ଆମ ବୈଠକମାନଙ୍କରେ ସେଗୁଡ଼ିକର ଆଲୋଚନା କରୁଥିଲୁ, –ଏହି ବୈଠକଗୁଡ଼ିକୁ “ମନୋବୈଜ୍ଞାନିକ ସେମିନାର” ବୋଲି କୁହାଯାଉଥିଲା । ପିଲାର ଯାବତୀୟ ଦୁଃଖର ନିରାକରଣ ହିଁ ସ୍କୁଲରୂପୀ ସମୂହର କର୍ତ୍ତବ୍ୟ ହୋଇ ରହିଥିଲା ।

 

ଯେଉଁ ପିଲାମାନେ ଆଗରୁ ହିଁ ନାନା ଦୁଃଖାନୁଭବ ଦ୍ୱାରା ବହୁଭାରାକ୍ରାନ୍ତ ହୋଇ ରହିଥିଲେ, ଆମକୁ ସେମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିଲା, କୋଲ୍ୟା, ସାଶା, ଟୋଲ୍ୟା, ପେଟ୍ରିକ୍ ଓ ସ୍ଳାଭା, –ଏମାନଙ୍କର ସ୍ନାୟୁଗୁଡ଼ିକ ଉପରେ ଯେଉଁ ଚାପ ପଡ଼ିଥିଲା, ତାହାର ପ୍ରକୃତରେ କୌଣସି ସୀମା ନଥିଲା । ସେମାନଙ୍କର ହୃଦୟରେ କାଳେ ଆମ ଆଙ୍ଗୁଠି ଯାଇ ବାଜିଯିବ, ସେଥିଲାଗି ଆମେ ଅତ୍ୟନ୍ତ ସାବଧାନ ରହୁଥିଲୁ; ନହେଲେ ଯେକୌଣସି ମୁହୂର୍ତ୍ତରେ ହୁଏତ ଏକ “ବିସ୍ପୋରଣ” ଘଟିବାର ଆଶଙ୍କା ରହିଥିଲା । କେତେଦିନ ପାଇଁ ତ ପିଲାମାନଙ୍କୁ ଆଦୌ କୌଣସି ପ୍ରଶ୍ନ ହିଁ ପଚାରି ହେଲା ନାହିଁ । ଯେଉଁସବୁ ପ୍ରଣାଳୀ ସାହାଯ୍ୟରେ ତୁମେ ଅନ୍ୟ ପିଲାମାନଙ୍କୁ ପ୍ରଭାବିତ କରିପାରିବ କିମ୍ବା ଶିକ୍ଷା ଦେଇପାରିବ, ଏମାନଙ୍କର କ୍ଷେତ୍ରରେ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ହିଁ ଅସମ୍ଭବ ଥିଲା । ମୁଁ “ମେଡ଼ିକାଲ୍ ଶିକ୍ଷାଶାସ୍ତ୍ର” ନାମକ କଥାଟି ସହିତ ପରିଚିତ ହୋଇଥିଲି ଏବଂ, ନାନା ମାନସିକ ଅପରିବେଶଗତ କାରଣ ହେତୁ ଯେଉଁ ପିଲାମାନେ ଅସୁସ୍ଥ ହୋଇ ରହିଥିଲେ ଓ ଯେଉଁମାନଙ୍କର ଆଚରଣ ଉପରେ ତାହାର ପ୍ରଭାବ ପଡ଼ିଥିଲା, ସେମାନଙ୍କୁ ଶିକ୍ଷା ଦେବାର କେତୋଟି ମୂଳକଥା ଉପରେ ଆମେ ନିର୍ଭୁଲ ଭାବରେ ବହୁତ କିଛି ଜାଣିବାକୁ ପାଇଥିଲୁ । ଏହି ମେଡ଼ିକାଲ୍ ଶିକ୍ଷାଶାସ୍ତ୍ର ପ୍ରଧାନ ତତ୍ତ୍ୱଗୁଡ଼ିକ ହେଲା : (୧)ପିଲାଟିର ଅସୁରକ୍ଷିତ ଏବଂ ଅସୁସ୍ଥ ମନର ସମସ୍ୟାଗୁଡ଼ିକ ଉପରେ ଆଦୌ ବ୍ୟସ୍ତ ହୋଇ ପଡ଼ିବ ନାହିଁ । (୨) ଯଥାସମ୍ଭବ ସବୁ ପ୍ରକାରେ, ବିଦ୍ୟାଳୟର ଜୀବନ ପିଲାକୁ ତା’ର ବିଷାଦଗ୍ରସ୍ତ ଭାବନା ଓ ଅନୁଭବ ମଧ୍ୟରୁ ବାହାରକୁ ନେଇଯିବାକୁ ଚେଷ୍ଟା କରିବ, ଯେପରିକି ତା’ଭିତରୁ ଖୁସୀର ଏକ ଅନୁଭବ ଜାଗୃତ ହୋଇ ଆସିପାରିବ ଏବଂ (୩) କୌଣସି ପରିସ୍ଥିତିରେ ମଧ୍ୟ, ତୁମେ ପିଲାଟିକୁ ଅସୁସ୍ଥ ବା ଆହତ ବୋଲି ଯେ ଭାବୁଛ, ପିଲାର ମନରେ ସେପରି ଧାରଣା କେବେହେଲେ ଦେବନାହିଁ ।

 

ଆମ ବିଦ୍ୟାଳୟରେ ଭୋଲୋଡ଼୍ୟା ବୋଲି ଯେଉଁ ପିଲାଟି ଥିଲା, ତାକୁ ହିଷ୍ଟରିଆ ବେମାରୀ ଭୋଗିବାକୁ ପଡ଼ୁଥିଲା । ତା’ର ବାପାମାଆ ସିଏ ଗୋଟିଏ ଅସାଧାରଣ ପିଲା ବୋଲି ଯେ ଭାବୁଥିଲେ, ଏହି କଥାଟି ମୋତେ ଭାରି ଚିନ୍ତିତ କରି ଦେଉଥିଲା । ମୁଁ ଖୁବ୍ ଭୟ କରୁଥିଲି ଯେ, ଯେତେବେଳେ ଦିନେ ନା ଦିନେ ଏହି ବିଷୟରେ ସେମାନଙ୍କର ମୋହଭଙ୍ଗ ହେବ, ସେତେବେଳେ ଏହି ବାଳକଟି ହୁଏତ ବାପାମାଆଙ୍କୁ ଓ ସାଧାରଣ ଭାବରେ ତା’ର ଗୁରୁଜନସ୍ଥାନୀୟ ସମସ୍ତଙ୍କୁ ଘୃଣା କରିବାକୁ ଆରମ୍ଭ କରିବ । ମୁଁ ଭାବୁଛି ଏହି ପିଲାମାନଙ୍କୁ ପ୍ରଧାନତଃ ବିନୟୀ ହେବାର ଓ ଅନ୍ୟମାନଙ୍କୁ ସମ୍ମାନ କରିବାର ଶିକ୍ଷା ଦେବା ଦ୍ୱାରା ହିଁ ଆମେ ଏମାନଙ୍କୁ ସୁସ୍ଥ କରି ଆଣିପାରିବା । ଭାଲୋଡ଼୍ୟା ଯେପରି ତା’ ସହିତ କାରବାର ହେଉଥିବା ପ୍ରତ୍ୟେକଙ୍କୁ ଜଣେ ବ୍ୟକ୍ତି ବୋଲି ଅନୁଭବ କରିବ, ମୁଁ ସେଥିପାଇଁ ଚେଷ୍ଟା କରୁଥିଲି ।

 

ଯେଉଁ ପିଲାମାନଙ୍କର ଭାବନା ମନ୍ଥର ଓ ବିଷାଦଗ୍ରସ୍ତ ହୋଇ ରହିଥାଏ, ମେଡ଼ିକାଲ୍ ଶିକ୍ଷାଶାସ୍ତ୍ରରେ ସେମାନଙ୍କ ବିଷୟରେ ବିଶେଷ ଧ୍ୟାନ ଦିଆଯାଇଛି । ଏମାନଙ୍କର ମସ୍ତିଷ୍କକୋଷଗୁଡ଼ିକ ଯେପରି ଅକ୍ରିୟ ଏବଂ ଜଡ଼ ହୋଇ ରହିଥାଏ, ହୃଦ୍‌ଯନ୍ତ୍ର ବା ଉଦରର ବେରାମଗୁଡ଼ିକ ପରି ଅତ୍ୟନ୍ତ ବିଚାରଶୀଳ ଭାବରେ ଏବଂ ଧୈର୍ଯ୍ୟ ସହକାରେ ସେଇଟିର ମଧ୍ୟ ଆରୋଗ୍ୟବିଧାନ କରାଯିବା ଉଚିତ । ମାତ୍ର ସେଥିନିମନ୍ତେ ହଜାର ଗୁଣ ଅଧିକ ଯତ୍ନ ଏବଂ ଶିକ୍ଷା କୌଶଳରେ ପ୍ରୟୋଜନ ରହିଥାଏ, ପ୍ରତ୍ୟେକ ପିଲାର ବ୍ୟକ୍ତିଗତ ସ୍ୱଭାବ-ଲକ୍ଷଣଗୁଡ଼ିକ ବିଷୟରେ ଗଭୀର ଜ୍ଞାନ ଅର୍ଜନ କରିବା ଆବଶ୍ୟକ ହୁଏ ।

Image

 

ପ୍ରତ୍ୟେକ ପିଲା ଭିତରେ ଜଣେ କଳାକାର

 

ଆନନ୍ଦ-ପାଠଶାଳାର ପାଠପଢ଼ା ଆରମ୍ଭ ହେବାର ଠିକ୍ ସପ୍ତାହରେ ପରେ ମୁଁ ପିଲାମାନଙ୍କୁ କହିଲି: “କାଲି ତୁମେମାନେ କିତାଏ କାଗଜ ଓ ଗୋଟିଏ ପେନସିଲ୍ ନେଇ ଆସିବ । ଆମେ ଛବି ଆଙ୍କିବା” ତହିଁ ଆରଦିନ ଆମେ ଇସ୍କୁଲ ଖଳାଘର ଆଗରେ ଥିବା ଘାସ ଉପରେ ଯାଇ ଆରାମରେ ବସିଲୁ । ପିଲାମାନଙ୍କୁ ପ୍ରସ୍ତାବ ଦେଇ ମୁଁ କହିଲି: “ନିଜ ଚାରିପାଖକୁ ଚାହଁ । ତା’ପରେ ତୁମମାନଙ୍କୁ ଯୋଉଟା ସବୁଠାରୁ ସୁନ୍ଦର ବୋଲି ଲାଗୁଛି, ଯାହାକିଛିକୁ ତୁମେ ସବୁଠାରୁ ଅଧିକ ଭଲ ବୋଲି ଭାବୁଛ, ତାକୁ କାଗଜ ଉପରେ ଆଙ୍କି ଦିଅ” ।

 

ଇସ୍କୁଲ ବଗିଚା ଆମର ଆଖି ଆଗରେ ଲମ୍ବି ରହିଥାଏ । ତା’ସମେତ ପ୍ରୟୋଗର କେନ୍ଦ୍ରଟି ଶରତ ଋତୁର ସୂର୍ଯ୍ୟ ଦ୍ୱାରା ଆଲୋକିତ ହୋଇ ରହିଥାଏ । ପିଲାମାନେ କେଚେରେ ମେଚେରେ କରିବାକୁ ଆରମ୍ଭ କରିଦେଲେ: କାହାକୁ ନାଲି ଆଉ ହଳଦିଆ ରଙ୍ଗର ବୋଇତାଳୁ ଭଲ ଲାଗୁଥିଲା, ଆଉ କାହାକୁ ମାଟି ଆଡ଼କୁ ନଇଁ ପଡ଼ିଥିବା ସୂର୍ଯ୍ୟମୁଖୀଗୁଡ଼ିକ ଭଲ ଲାଗୁଥିଲେ; ତୃତୀୟ ଆଉଜଣକୁ ପାରାଭାଡ଼ି ଭଲ ଦିଶୁଥିଲା ତ ଚତୁର୍ଥଟିକୁ ଅଙ୍ଗୁର ପେନ୍ଥାଗୁଡ଼ିକ । ଆକାଶରେ ଭାସି ଯାଉଥିବା ହାଲୁକା ଓ ଫାଲୁଆ ବାଦଲମାନେ କେଡ଼େ ସୁନ୍ଦର ଦିଶୁଥିଲେ । ସେରିଓଝା ଗାଡ଼ିଆଟିର ଦର୍ପଣ ପରି ଦିଶୁଥିବା ପାଣିରେ ପହଁରୁଥିବା ହଂସମାନଙ୍କୁ ସବୁଠାରୁ ଭଲ ବୋଲି ଭାବୁଥିଲା । ଡାଙ୍କୋ ଗୋଟିଏ ମାଛର ଚିତ୍ର ଆଙ୍କିବ ବୋଲି ଚିନ୍ତା କରୁଥିଲା । ନିଜ କକାଙ୍କ ସାଙ୍ଗରେ ସିଏ ଦିନେ କିପରି ମାଛ ଧରି ଯାଇଥିଲା, ସିଏ ଆମକୁ ଅତୀବ ଉତ୍ସାହର ସହିତ ସେହିକଥା ବର୍ଣ୍ଣନା କରି କହି ସାରିଥିଲା । ସେଦିନ ଆଦୌ ମାଛ ପଡ଼ିଲେ ନାହିଁ ସିନା, ମାତ୍ର ତଥାପି, ମାଛମାନେ ପାଣିରେ କିପରି “ଖେଳନ୍ତି”, ସେମାନେ ତାହା ଦେଖିବାକୁ ପାଇଥିଲେ ।

 

ଟିନା କହିଲା, “ମୁଁ ସୂର୍ଯ୍ୟ ଆଙ୍କିବି । ସୂର୍ଯ୍ୟ ଆମର ବନ୍ଧୁ ।”

 

ପିଲାମାନେ ମନ ଦେଇ ଛବି ଆଙ୍କୁଥାନ୍ତି । ପିଲାମାନଙ୍କୁ କିପରି ଛବି ଆଙ୍କିବା ଶିଖାଇବାକୁ ହୁଏ, ମୁଁ ସେହି ବିଷୟରେ ଆଗରୁ ବହୁତ କିଛି ପଢ଼ିଥିଲି । ମାତ୍ର ବର୍ତ୍ତମାନ ତ ମୋ’ ଆଗରେ ଜୀବନ୍ତ ପିଲାମାନେ ହିଁ ଉପସ୍ଥିତ ଅଛନ୍ତି ଓ ଛବି ଆଙ୍କୁଛନ୍ତି । ମୁଁ ଦେଖିବାକୁ ପାଇଲି ଯେ ପିଲାମାନଙ୍କର ଛବି ଆଙ୍କିବା, ଛବି ଆଙ୍କିବାର ପ୍ରକ୍ରିୟାଟି ହେଉଛି, ପିଲାର ଅନ୍ତର୍ଗତ ଜୀବନର ଏକ ଅଂଶ । ପିଲାମାନେ କଦାପି ଚତୁର୍ଦ୍ଦିଗର ପୃଥିବୀରୁ କ’ଣଟିଏ ଆଣି ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିବା ଜଣେ ଜଣେ ବ୍ୟକ୍ତି ହିସାବରେ କାଗଜ ଉପରେ ମୋଟ କିଛି ଆଙ୍କି ପକାନ୍ତି ନାହିଁ । ସେମାନେ ସେହି ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି । ଭାନ୍ୟା ତା’ନିଜ କାମଟିରେ ମଗ୍ନ ହୋଇ ରହିଥାଏ । ସିଏ ମହୁଫେଣାର ଛବି କରୁଥାଏ । ମହୁଫେଣାର ପାଶ୍ୱର୍ରେ ଗଛଟିଏ । ଗଛରେ ବଡ଼ବଡ଼ ଫୁଲ ଫୁଟିଛି ଏବଂ ସେଠାରେ ଗୋଟିଏ ଫୁଲ ଉପରେ ଏକ ମହୁମାଛି ବସିଛି, ଯାହାର ଆକାରଟି ଠିକ୍ ମହୁଫେଣାର ଆକାର ପରି ହୋଇଛି । ପିଲାଟିର ସେହି ପ୍ରୟାସଜନିତ ସକଳ ଭାବ ତା’ର ଗାଲ ଉପରେ ଅତ୍ୟନ୍ତ ସ୍ପଷ୍ଟ ହୋଇ ଫୁଟି ଉଠୁଥାଏ, ତା’ର ଆଖି ଦିଓଟିରେ ପ୍ରେରଣାର ଅଗ୍ନି ହୁତୁହୁତୁ ହୋଇ ଜଳୁଥାଏ । ଏକଥା ଦେଖିଲେ ଯେକୌଣସି ଶିକ୍ଷକର ମନ ପୁଲକିତ ହୋଇ ଉଠିବ ।

 

ପିଲାମାନଙ୍କର ସୃଜନଶୀଳତା ହେଉଛି, ସେମାନଙ୍କ ଅନ୍ତର୍ଗତ ଜୀବନରେ ଏକ ଗଭୀର ଏବଂ ଅନନ୍ୟ କ୍ଷେତ୍ର,–ଆତ୍ମଅଭିବ୍ୟକ୍ତି ଓ ଆତ୍ମପ୍ରତିଜ୍ଞାପନର ଏପରି ଗୋଟିଏ କ୍ଷେତ୍ର, ଯେଉଁଥିରେ କି ପ୍ରତ୍ୟେକ ପିଲାର ବ୍ୟକ୍ତିଗତ ମୌଳିକତା ସ୍ପଷ୍ଟ ଭାବରେ ପ୍ରକାଶ ଲାଭ କରିଥାଏ । ଏହି ମୌଳିକତାକୁ କୌଣସି ସର୍ବକ୍ଷେତ୍ରରେ ପ୍ରୟୋଗ କରାଯାଇ ପାରୁଥିବା ମାନଦଣ୍ଡରେ କଦାପି କୌଣସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରିହେବ ନାହିଁ ।

 

ତାକୁ ଏଇଟା ବା ସେଇଟା ଭଲ ଲାଗୁଛି ବୋଲି କୋଲ୍ୟା କିଛି କହିଲା ନାହିଁ । ମାତ୍ର ସିଏ ଯାହା ଆଙ୍କିବାରେ ଲାଗିଥିଲା,ତାକୁ ଦେଖି ମୁଁ ଅତ୍ୟନ୍ତ ବିହ୍ୱଳ ହୋଇ ପଡ଼ିଲି । ସାନ ପିଲାଟିର କାଗଜ ଉପରେ ମୁଁ ଅନେକ ଡାଳ ବିଶିଷ୍ଟ ଗୋଟିଏ ଗଛ ଦେଖିବାକୁ ପାଇଲି । ଡାଳଗୁଡ଼ିକରେ ଗୋଲ୍ ଗୋଲ୍ ଫଳ ଭର୍ତ୍ତି ହୋଇ ରହିଥିଲା । ଅର୍ଥାତ, ଏହା ହେଉଛି ଗୋଟିଏ ଆପଲ୍ ଗଛ । ଗଛର ଚାରିପାଖରେ ସାନ ସାନ ବହୁତ ତାରା ଓ ଗଛର ବହୁତ ଉପରେ ଅଙ୍କା ଯାଇଥିବା ଜହ୍ନର ଚାରିପାଖରେ ଗୋଟିଏ ଆଲୋକ ମଣ୍ଡଳ । ଏହି ଅଦ୍ଭୁତ ଛବିଟିରୁ ମୁଁ ପିଲାଟିର ଅନ୍ତରତମ ପ୍ରଦେଶରେ ରହିଥିବା ଭାବନା ଓ ଅନୁଭବଗୁଡ଼ିକୁ ଜାଣିବା ପାଇଁ ଇଚ୍ଛା କରୁଥିଲି; କାରଣ ଆମେ ପୃଥିବୀଟି ଆଡ଼କୁ ଅବଲୋକନ କରୁଥିବା ସମୟରେ ଏହି ପିଲାଟିର ଆଖି ଭିତରେ ମୁଁ ପ୍ରେରଣାର ଏକ ସ୍ଫୁଲିଙ୍ଗକୁ ଦେଖିବାକୁ ପାଇଥିଲି ।

 

ମୁଁ କୋଲ୍ୟାକୁ ପଚରିଲି, “ଆପଲ୍‍ଗଛ ଉପରେ ଥିବା ଏହି ସାନ ସାନ ତାରାଗୁଡ଼ିକ କ’ଣ ?”

 

ବାଳକଟି ଉତ୍ତର ଦେଲା, “ସେଗୁଡ଼ିକ ତାରା ନୁହଁନ୍ତି । ସେଗୁଡ଼ିକ ହେଉଛି, ଜହ୍ନରୁ ବଗିଚା ଉପରେ ଖସି ପଡ଼ୁଥିବା ଗୋଟିଏ ଗୋଟିଏ ସ୍ପୁଲିଙ୍ଗ, ରୂପା ରଙ୍ଗର । ଜହ୍ନରେ ମସ୍ତ ମସ୍ତ କମାରମାନେ ଅଛନ୍ତି, ନୁହେଁ ?”

 

“ଅବଶ୍ୟ ଅଛନ୍ତି”,–ମୁଁ ଉତ୍ତର ଦେଇ କହିଲି ଏବଂ ଆଗରୁ ସେହି ସନ୍ଧ୍ୟା ସମୟର ଶାନ୍ତ ମୁହୂର୍ତ୍ତଗୁଡ଼ିକ ସମୟରେ ପିଲାଟିକୁ ଉଦ୍ଦୀପିତ କରିଥିବା ସେହି ଭାବନାଗୁଡ଼ିକର ଇଙ୍ଗିତ ପାଇ ମୁଁ ଖୁବ୍ ବିସ୍ମିତ ହୋଇ ଯାଇଥିଲି । ଏହାର ଅର୍ଥ ହେଉଛି, ସିଏ ରାତିରେ ଆକାଶ ଆଡ଼କୁ ଚାହିଁ ଦେଖୁଥିଲା, ଜହ୍ନର ଦୀପ୍ତିଟିକୁ ଦେଖି ବିସ୍ମିତ ଓ ପୁଲକିତ ହୋଇଥିଲା ଏବଂ ଆପଲ୍‌ ଗଛ ଉପରେ ଥିବା ଫିକା ଓ ପ୍ରକମ୍ପିତ ପ୍ରଭାମଣ୍ଡଳକୁ ବି ଲକ୍ଷ୍ୟ କରିଥିଲା ।

 

ପିଲାଟି ଭାବନାମଗ୍ନ ହୋଇ ପଚାରିଲା, “ମାତ୍ର ଏହି ରାକ୍ଷସ ପରି କମାରମାନେ ରାତିରେ କେଉଁ ପ୍ରକାରର ସୂତାମାନ ତିଆରି କରନ୍ତି ?” ଏବଂ, ତା’ ଆଡ଼କୁ ଲକ୍ଷ୍ୟ କରି ମନେ ହେଉଥାଏ ଯେ ସିଏ ତା’ର ଏହି ପ୍ରଶ୍ନଟି ପଚାରୁ ନଥିଲା, ରାତ୍ରିର ଆକାଶ, ଜହ୍ନର ଫିକା ଆଲୁଅ ଓ ଚତୁର୍ଦ୍ଦିଗରେ ନାଚୁଥିବା ତାରାମାନଙ୍କ ବିଷୟରେ ତା’ନିଜ ସ୍ମରଣଗୁଡ଼ିକୁ ହିଁ ତା’ଠାରୁ ଅଧିକ ଗମ୍ଭୀର ଭାବରେ ସେହି ପ୍ରଶ୍ନଟି ପଚାରୁଥିଲା । ତା’ର ଏହି ସର୍ଜନାତ୍ମକ ପ୍ରେରଣାଟିକୁ ମୁଁ କାଳେ ଚହଲାଇ ଦେବି, ସେହି ବିଷୟରେ ମୋ’ର ଖୁବ୍ ଭୟ ହେଉଥିଲା । ଏକ ଆବିଷ୍କାରଜନିତ ଆନନ୍ଦରେ ମୋ’ର ହୃଦୟ ସ୍ପନ୍ଦିତ ହୋଇ ଉଠୁଥାଏ; ସର୍ଜନାତ୍ମକତା ହିଁ ଗୋଟିଏ ପିଲାର ଆତ୍ମାରେ ରହିଥିବା ସେହି ଅନ୍ତର୍ଗତତମ କୋଣଗଡ଼ିକୁ ଆସି ଖୋଲି ଦେଇଯାଏ, ଯେଉଁଠାରେ କି କୋମଳ ଅନୁଭବର ଉତ୍ସଗୁଡ଼ିକ ପ୍ରସୁପ୍ତ ହୋଇ ରହିଥାନ୍ତି । ତା’ଚତୁର୍ଦ୍ଦିଗରେ ରହିଥିବା ପୃଥିବୀଟିର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଲାଗି ପିଲାଟିକୁ ସାହାଯ୍ୟ କରିବା ଦ୍ୱାରା ଜଣେ ଶିକ୍ଷକ ଅତ୍ୟନ୍ତ ଅଜାଣତରେ ସେହି କୋଣଗୁଡ଼ିକୁ ହିଁ ପ୍ରକତରେ ସ୍ପର୍ଶ କରିଥାଏ ।

 

ଲାରିସାର ଉଦାହରଣଟିରୁ ଶିକ୍ଷା କରି ମୁଁ ରାକ୍ଷସତୁଲ୍ୟ ସେହି କମାରମାନଙ୍କର ଛବି ଆଙ୍କିବାକୁ ଆରମ୍ଭ କଲି । ମୋ’ର ମନେ ହେଉଥାଏ ଯେ ଛବିଟିକୁ ମୁଁ ବେଶ୍ ଭଲ ଭାବରେ ଆଙ୍କି ପାରୁଛି । କମାରମାନେ ଖୁବ୍ ବାସ୍ତବ ଦେଖାଯାଉଥିଲେ; ଭାତିଟା ମଧ୍ୟ କୋଠକ୍ଷେତରେ ଥିବା ଭାତିଟି ପରି ଦେଖାଯାଉଥିଲା । ମୁଁ ଜଣେ ବୟସ୍କ ମନୁଷ୍ୟ ବୋଲି ଏକାବେଳକେ ଭୁଲିଯାଇ ମୁଁ ମଧ୍ୟ ଏକ ଆନନ୍ଦ ଅନୁଭବ କରିବାକୁ ଲାଗିଲି: ମୋ’କମାରମାନେ ଲାରିସା ଆଙ୍କିଥିବା କମାରମାନଙ୍କ ଠାରୁ ସ୍ୱଭାବତଃ ଅଧିକ ଭଲ ହେବେ । ମାତ୍ର ପିଲାମାନେ ମୋ’ ଅଙ୍କା ଛବିଟା ଉପରେ ପ୍ରାୟ ଆଦୌ ଧ୍ୟାନ ନଦେଇ ଏକ ପ୍ରକୃତ ଆଗ୍ରହର ସହିତ ଲାରିସାର ଛବିଟି ପାଖରେ ଯାଇ ରୁଣ୍ଡ ହୋଇଗଲେ । “ସିଏ ପ୍ରକୃତରେ କ’ଣ ଗୋଟିଏ ଆଙ୍କିଛି କେଜାଣି ?”–ମୁଁ ମନେ ମନେ ଭାବୁଥାଏ । ମୁଁ ପିଲାମାନଙ୍କର ମୁଣ୍ଡ ଉପରୁ ଛବିଟିକୁ ଅନାଇ ଦେଖୁଥିଲି: ପିଲାଟିର ଛବିରେ ଆଦୌ ବିଶେଷ ବୋଲି କହିବା ଭଳି କିଛି ନଥାଏ । ତେବେ ପିଲାମାନେ କାହିଁକି ସମସ୍ତେ ଏଇଟିକୁ ପ୍ରଶଂସା କରୁଛନ୍ତି ଓ ମୋ’ଟାକୁ ମୁହଁ ମୋଡ଼ି ଦେଉଛନ୍ତି ? ଝିଅଟିର ଛବିଟିକୁ ମୁଁ ଯେତେ ମନୋନିବେଶ ସହିତ ପରଖି ଦେଖୁଥାଏ, ମୁଁ ସେତିକି ଅଧିକ ସ୍ପଷ୍ଟ ଭାବରେ ଜାଣି ପାରୁଥାଏ ଯେ, ପିଲାମାନଙ୍କର ପୃଥିବୀକୁ ଅବଲୋକନ କରିବାର ନିଜସ୍ୱ ରୀତିମାନ ରହିଛି । କଳାତ୍ମକ ଅଭିବ୍ୟକ୍ତିର ନିଜସ୍ୱ ଭାଷାଟିଏ ମଧ୍ୟ ରହିଛି; ଏବଂ ତୁମେ ଯେତେ ଚେଷ୍ଟା କଲେ ମଧ୍ୟ କଦାପି ସେହି ଭାଷାଟିକୁ ଅନୁକରଣ କରିପାରିବ ନାହିଁ । ମୋ’ଅଙ୍କା କମାରମାନଙ୍କ ମୁଣ୍ଡରେ ଓ ଅଣ୍ଟାରେ ସେହି ସାଧାରଣ ଟୋପି ଓ ଅଣ୍ଟାବନ୍ଧା ରହିଥିଲା, ସେମାନେ ବୁଟଜୋତା ପିନ୍ଧିଥିଲେ ଓ ସେମାନଙ୍କର ଲମ୍ବା ଲମ୍ବା ଦାଢ଼ି ରହିଥିଲା, ମାତ୍ର ତା’ଛବିରେ ସେମାନଙ୍କର ଭାଲୁ ପରି ହୋଇଥିବା ମୁଣ୍ଡ ବାଳରୁ ସ୍ପୁଲିଙ୍ଗଗୁଡ଼ିକର ପରଭାରଟିଏ ବାହାରି ଯାଉଥିଲା । ଏବଂ, ଏଡ଼େ ଶକ୍ତିଶାଳୀ କମାରମାନଙ୍କର ଦାଢ଼ିକୁ କଦାପି ଖାଲି ଦାଢ଼ି ବୋଲି କହିହେବ ନାହିଁ, ସେଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ଅଗ୍ନି ପିଣ୍ଡୁଳା ପରି ଦେଖାଯାଏ । ସେମାନଙ୍କର ବିରାଟ ହାତୁଡ଼ିଗୁଡ଼ିକ ଆକାରରେ ସେମାନଙ୍କ ନିଜ ମୁଣ୍ଡଠାରୁ ବି ଦୁଇଗୁଣ ବଡ଼ ଥିଲେ । ଏହାଦ୍ୱାରା ସତ୍ୟର ଖଣ୍ଡନ ହେଉଛି ବୋଲି ଜଣେ ପିଲା ଆଦୌ ଭାବି ନଥାଏ । ତାହାକୁ ସିଏ ଏକ ସ୍ୱପ୍ରତିଷ୍ଠାଯୁକ୍ତ ସତ୍ୟ ବୋଲି ଧରି ନେଇଥାଏ । ସେହି ବିପୁଳ ଶକ୍ତି ଏବଂ କୌଶଳ, ପରୀଗପ–ରାଜ୍ୟର ଅନ୍ତର୍ଗତ ହୋଇ ରହିଥିବା ଜଣେ ଶକ୍ତିଶାଳୀ ବ୍ୟକ୍ତି ଏବଂ ଅଗ୍ନି ନାମକ ଉପାଦାନଟିର ସତ୍ୟ ବୋଲି ଧରି ନେଇଥାଏ । ପିଲାମାନଙ୍କର କଳ୍ପନା ଭିତରେ ରହିଥିବା ଏହି ବିସ୍ମୟଜନକ ଭାଷାକୁ ଆମେ ବୟସ୍କମାନଙ୍କର ଭାଷା ସହିତ ନେଇ ଖାପ ଖୁଆଇବାର କୌଣସି ଚେଷ୍ଟା କରିବା ନାହିଁ । ପିଲାମାନେ ପରସ୍ପର ସହିତ ସେହି ନିଜ ଭାଷାରେ ହିଁ କଥାବାର୍ତ୍ତା କରନ୍ତୁ । ଆନୁପାତିକତା, ପରିପ୍ରେକ୍ଷୀ ଏବଂ ଭାରସାମ୍ୟ ବିଷୟରେ ପିଲାମାନଙ୍କୁ କିଛି ନିୟମ ଶିଖାଇ ଦେବା ନିମନ୍ତେ ମୁଁ ପ୍ରାଥମିକ ଶ୍ରେଣୀର ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲି । ତାହା ଅବଶ୍ୟ ଭଲ କଥା ଓ ସେଥିରୁ ଉପକାର ବି ହେବ । ମାତ୍ର, ତଥାପି ପିଲାମାନଙ୍କର କଳ୍ପନା ସକାଶେ ମଧ୍ୟ ଜାଗା ଛାଡ଼ି ଦେବାକୁ ପଡ଼ିବ । ପରୀକାହାଣୀଗୁଡ଼ିକୁ ମାଧ୍ୟମ ରୂପେ କାମରେ ଲଗାଇ ପୃଥିବୀର ବାଖ୍ୟା କରିବା ସକାଶେ ପିଲାର ଯେଉଁ ସାମର୍ଥ୍ୟ ରହିଛି, ଯେପରି ସେଇଟିକୁ କଦାପି ନଷ୍ଟ କରି ଦିଆନଯାଏ ।

 

ସିଏ କାହାର ଛବି ଆଙ୍କିଛି, ପ୍ରତ୍ୟେକ ପିଲା ମୋତେ ସେହି କଥାଟିକୁ କହିବା ଲାଗି ଇଚ୍ଛା କରୁଥିଲେ । ଏହିସବୁ କାହାଣୀରେ ସ୍ୱଚ୍ଛ ପ୍ରତିରୂପ ଓ ତୁଳନାଗୁଡ଼ିକ ବେଶ୍ ମୂଲ୍ୟବାନ୍ ଖଣ୍ଡିଏ ଖଣ୍ଡିଏ ପଥର ପରି ଚକ୍‌ଚକ୍‌ କରିବାରେ ଲାଗିଥାନ୍ତି । ଛବି ଆଙ୍କିବା ଦ୍ୱାରା ପିଲାମାନଙ୍କର କଥା କହିବା ଶକ୍ତିର ବିକାଶରେ ମଧ୍ୟ ସହାୟତା ମିଳିଥାଏ ।

 

ପ୍ରତ୍ୟେକ ଥର କ୍ଷେତ ଓ ପଡ଼ିଆ ଆଡ଼େ ବୁଲି ଗଲାବେଳେ ଆମେ ସାଙ୍ଗରେ କାଗଜ ଓ ପେନ୍‍ସିଲ୍ ନେଇ ଯାଉଥିଲୁ । ବଡ଼ ପିଲାମାନେ ସାନମାନଙ୍କ ଲାଗି ଛବି ଆଙ୍କିବା ସକାଶେ କାଗଜରେ କିତାଏ କିତାଏ ଏକାଠି ବାନ୍ଧିଦେଲେ, ଯେପରିକି ସେମାନେ ଏଗୁଡ଼ିକୁ ନିଜ ପକେଟ୍ ଭିତରେ ରଖିପାରିବେ । ବସନ୍ତ ଋତୁରେ ଆମ ସ୍କୁଲ୍ ଆରମ୍ଭ ହେବାର ବେଶ୍ କେତେ ମାସ ପରେ ମୁଁ ଗୋଟିଏ ବଡ଼ ଆଲ୍‍ବମ୍ ତିଆରି କରି ଦେଇଥିଲି, ଯେଉଁଥିରେ କି ପ୍ରତ୍ୟେକ ପିଲା ପାରିପାର୍ଶ୍ୱିକ ପୃଥିବୀରେ ଥିବା ତା’ର ପ୍ରିୟ ଅଞ୍ଚଳଟି ମଧ୍ୟରୁ ତା’ମନମୁତାବକ କିଛି ଆଙ୍କି ଦେଇପାରୁଥିଲା । ସେଥିରେ ମୁଁ କୁନି କୁନି ଗପ ବି ଲେଖି ଦେଉଥିଲି । ଆମ ସାମୂହିକ ସଂସାରର ଜୀବନ ଓ ଆତ୍ମିକ ବିକାଶର କ୍ଷେତ୍ରରେ ଏହି ଆଲ୍‍ବମ୍ ଗୋଟିଏ ପୂର୍ଣ୍ଣ ଅଧ୍ୟାୟ ହୋଇ ରହିଯାଇଥିଲା ।

Image

 

ଜୀବନ୍ତ ଓ ସୁନ୍ଦର ବସ୍ତୁଗୁଡିକୁ ଭଲ ପାଇବା

 

ଜୀବନ୍ତ ବସ୍ତୁ ଓ ଚାରିପାଖରେ ରହିଥିବା ପୃଥିବୀର ସୌନ୍ଦର୍ଯ୍ୟ ବିଷୟରେ କେତେ ପିଲାଙ୍କର ଉଦାସୀନତା ମୋତେ ଅଶାନ୍ତ କରି ପକାଇଥିଲା । ଏପରି କେତୋଟି କାର୍ଯ୍ୟକଳାପରେ ମୁଁ ଚିନ୍ତାରେ ପଡ଼ି ଯାଇଥିଲି, ଯେଉଁଗୁଡ଼ିକ କି ପ୍ରଥମେ ଦେଖୁଥିବା ସମୟରେ ଅବୋଧ୍ୟ ଶିଶୁସୁଲଭ ନିର୍ଦ୍ଦୟତା ବୋଲି ମନେ ହେଉଥିଲା । ଆମେ ପଡ଼ିଆ ଭିତର ଦେଇ ଯାଉଥିବୁ, ଏବଂ ପ୍ରଜାପତି ଭଅଁର ଏବଂ ଆଉ କେତେ ପ୍ରକାର ପତଙ୍ଗ ଘାସ ଉପରେ ଉଡ଼ି ବୁଲୁଥିବେ । ୟୁରା ଗୋଟିଏ ପୋକକୁ ଯାଇ ଧରିଲା, ନିଜ ପକେଟ୍‍ରୁ ଖଣ୍ଡେ କାଚ ବାହର କରି ପତଙ୍ଗଟିକୁ ଦୁଇଖଣ୍ଡ କରି କାଟି ପକାଇଲା । ଉଦ୍ଦେଶ୍ୟ, “ଭିତରଟା କିପରି ଦିଶୁଛି ଦେଖିବି” । ବିଦ୍ୟାଳୟର କ୍ଷେତରେ ଗୋଟାଏ ଘାସଗହଳିଆ କୋଣରେ ବହୁ ବର୍ଷରୁ ଚାତକମାନଙ୍କର ବହୁ ପରିବାର ବାସ କରି ଆସୁଥିଲେ । ଆମେ ଥରେ ସେଠାରେ ପହଞ୍ଚିଛୁ କି ନାହିଁ, ଏବଂ ମୁଁ ଚାତକମାନଙ୍କର ବସା ବିଷୟରେ ଦୁଇଟା ପଦ ବି ମୁହଁ ଖୋଲି କହିନାହିଁ, ଶୂରା ଚଢ଼େଇମାନଙ୍କର ଘରକୁ ଲକ୍ଷ୍ୟ କରି ଟେକାଟିଏ ପକାଇଲା । ଦୁଆରେ ଯେଉଁ ସୁନ୍ଦର କାନା ଫୁଲ ସବୁ ଫୁଟିଥିଲେ, ସବୁ ପିଲା ସେଗୁଡ଼ିକର ଖୁବ୍ ଯତ୍ନ ନେଉଥିଲେ । ମାତ୍ର ଲୁସିଆ ଫୁଲ ପାଖକୁ ଯାଇ ଫୁଲଗୁଡ଼ାକୁ ଭାଙ୍ଗି ଦେବାରେ ଲାଗିଲା । ଏଇ ସବୁଯାକ ଘଟଣା ଆନନ୍ଦ ପାଠାଶାଳାର ପ୍ରଥମ କେଇଦିନ ଭିତରେ ଘଟିଥିଲା । ମୋ’ର ମନେ ହେଲା ଯେ, ପିଲାମାନଙ୍କର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହିତ ସୁନ୍ଦର କୌଣସି ପଦାର୍ଥର ଦଶାପ୍ରତି ଉଦାସୀନତା ପ୍ରଦର୍ଶନ କରିବାର ହୁଏତ କେଉଁଠି କ’ଣ ସଂପର୍କ ରହିଛି । ଏହି ପିଲାଙ୍କ ସହିତ ମୋ’ର ଭେଟ ହେବାର ବହୁ ପୂର୍ବରୁ ମୁଁ ଦୃଢ଼ ବିଶ୍ୱାସ କରୁଥିଲି ଯେ, ସୁନ୍ଦରର ପ୍ରଶଂସା କରିବା କହିଲେ ସଦିଚ୍ଛାର ପ୍ରଥମ ଅଙ୍କୁରୋଦ୍‍ଗମ ଅପେକ୍ଷା ଆଦୌ ଅଧିକ କିଛିକୁ ବୁଝାଏ ନାହିଁ ଏବଂ ଏଇ ଗୁଣଟିର ସାବଧାନତା ସହିତ ଅନୁଶୀଳନ କରିବାକୁ ପଡ଼ିଥାଏ । କୋଲ୍ୟା ଓ ଟୋଲ୍ୟା ଯାହା କଲେ, ମୋତେ ତାହା ବିଶେଷ ଭାବରେ ବିଚଳିତ କରି ଦେଇଥିଲା । କୋଲ୍ୟା ଭିତରେ ଘରଚଟିଆ ଚଢ଼େଇମାନଙ୍କର ବସାଗୁଡ଼ିକୁ ଭାଙ୍ଗି ପକାଇବା ନିମନ୍ତେ ଏକ ପ୍ରବଳ ଆଗ୍ରହ ରହିଥିଲା-। ସମସ୍ତେ କହୁଥିଲେ ଯେ, ସିଏ ଭାଙ୍ଗି ଦେଉଥିବା ବସାଗୁଡ଼ିକରୁ ତଳକୁ ଖସି ପଡ଼ୁଥିବା ଛୁଆମାନଙ୍କୁ ମଇଳା ଯାଉଥିବା ନଳା ଭିତରକୁ ଫୋପାଡ଼ି ଦେଉଥିଲା । ସେଠାରେ ପଡ଼ି ଘରଚଟିଆ ପିଲାଗୁଡ଼ିକ ବହୁ ସମୟ ପର୍ଯ୍ୟନ୍ତ ଚିଁ ଚିଁ ହେଉଥିଲେ ଏବଂ କୋଲ୍ୟା ପାଇପ୍ ଉପରେ ତା’ର କାନଟାକୁ ମାଡ଼ି ଦେଇ ତାହାକୁ ଶୁଣୁଥିଲା । ଏକ ଅଶାନ୍ତ ପରିବାରରୁ ଆସିଥିବା କେବଳ କୋଲ୍ୟାଠାରେ ଯେ ନିଷ୍ଠୁରତା ଦୃଷ୍ଟିଗୋଚର ହେଉଥିଲା, ସେକଥା ନୁହେଁ, ସାଧାରଣ ପରିବେଶରେ ବାସ କରୁଥିବା ପିଲାଙ୍କ ଭିତରେ ମଧ୍ୟ ତାହା ଦେଖିବାକୁ ମିଳୁଥିଲା । ଏବଂ,ସବୁଠାରୁ ଅଧିକ ଆତଙ୍କଦାୟକ କଥା ହେଉଛି ଯେ, କେବଳ ହୃଦୟହୀନତାର ପରିଚୟ ଦେଉଥିବା ମନ୍ଦ ଆଚରଣର ଏହି “ସାମାନ୍ୟ” ନିଦର୍ଶନମାନ ଓ ସୌନ୍ଦର୍ଯ୍ୟ ପ୍ରତି ଏହି ଉଦାସୀନତା ଯେ ଅତ୍ୟନ୍ତ ନିନ୍ଦନୀୟ କଥା, ପିଲାମାନେ ସେକଥା ବୁଝି ନଥିଲେ ।

 

ପିଲାମାନଙ୍କ ଭିତରେ କିପରି ଉଜ୍ଜ୍ୱଳ ଓ କୋମଳ ଅନୁଭବଗୁଡ଼ିକୁ ଜାଗୃଚ କରି ଅଣାଯାଇପାରିବ ? ଜୀବନ୍ତ ତଥା ସୁନ୍ଦର ବସ୍ତୁମାନଙ୍କ ପ୍ରତି ଯେ କୋମଳ ଓ ବିଚାରଶୀଳ ହେବାକୁ ପଡ଼ିବ - ଏହି କଥାଟିକୁ ସେମାନଙ୍କର ହୃଦୟ ଭିତରେ କିପରି ରଖିହେବ ? ଦିନେ କ୍ଷେତଆଡ଼େ ବୁଲୁଥିବା ସମୟରେ ଆମେ ଘାସ ଭିତରେ ଡେଣା ଜଖମ ହୋଇ ଯାଇଥିବା ଗୋଟିଏ ଚାତକପକ୍ଷୀ ଦେଖିବାକୁ ପାଇଥିଲୁ । ପକ୍ଷୀଟି ଖାଲି ଡେଣା ଫଡ଼ଫଡ଼ କରି ଏଠୁ ସେଠାକୁ ଡେଇଁବାରେ ଲାଗିଥାଏ, ମାତ୍ର ଉଡ଼ି ପଳାଇ ଯାଇପାରୁ ନଥାଏ । ପିଲାମାନେ ଚଢ଼େଇଟିକୁ ଧରିଲେ । ସେମାନଙ୍କର ହାତ ଭିତରେ ଥାଇ ଜୀବନର ସେଇ ସାନ ପିଣ୍ଡଟି କମ୍ପିବାରେ ଲାଗିଥାଏ; ସାନ ସାନ କାଚମାଳି ପରି ଦେଖା ଯାଉଥିବା ଭୟଜର୍ଜର ଆଖି ଦୁଇଟିରେ ସିଏ ନୀଳ ଆକାଶ ଆଡ଼କୁ ଅନାଇ ରହିଥାଏ । କୋଲ୍ୟା ତାକୁ ଜୋର କରି ଚିପି ପକାଇଲା, ଏବଂ ଚଢ଼େଇଟି ଅଭିଯୋଗ କଲା ପରି ଚିତ୍କାର କରିବାକୁ ଲାଗିଲା । ପିଲାଏ ହସି ଉଠିଲେ । “ସାଙ୍ଗମାନେ କ୍ଷେତରେ ଛାଡ଼ି ଯାଇଥିବା ଏହି ପକ୍ଷୀଟି ପ୍ରତି କାହାରି ଜଣକର ମଧ୍ୟ କିପରି ଦୟା ହେଉ ନାହିଁ ?”–ମୁଁ ସେହି କଥା ଭାବୁଥାଏ ଏବଂ ପିଲାମାନଙ୍କ ଆଡ଼କୁ ଅନାଇଥାଏ । ଲିଡ଼୍ୟା, ଟାନ୍ୟା, ଦାନ୍ୟା, ସେରିଓଝା ଏବଂ ନିନା,-ଏମାନଙ୍କର ଆଖି ଲୁହରେ ଢଳଢ଼ଳ ହେଉଥାଏ ।

 

“ବିଚରା ଚଢ଼େଇଟିକୁ ତୁ କାହିଁକି କଷ୍ଟ ଦେଉଛୁ ?”–ଅତ୍ୟନ୍ତ ଦୁଃଖଭରା କଣ୍ଠରେ ଲିଡ଼୍ୟା ଟୋଲ୍ୟାକୁ କହିଲା ।

 

“ତୋ’ର କ’ଣ ଗଲା ?” –ବାଳକଟି ଉତ୍ତର ଦେଲା । “ଯଦି ତାହାର ଯତ୍ନ ନେବୁ, ତେବେ ନଉନୁ !” –ଏକଥା କହି ସିଏ ଚଢ଼େଇଟିକୁ ଲିଡ଼ା ଆଡ଼କୁ ଫିଙ୍ଗି ଦେଲା ।

 

“ଆହା, ଚଢ଼େଇଟା କେତେ କଷ୍ଟ ପାଉଛି । ହଁ, ମୁଁ ନିଶ୍ଚୟ ତାହାର ଯତ୍ନ ନେବି ।”–ଝିଅଟି କହୁଥାଏ ଓ ପକ୍ଷୀଟିକୁ ଆଉଁସି ଦେଉଥାଏ ।

 

ଆମେ ସମସ୍ତେ ଜଙ୍ଗଲର ସୀମା ଉପରେ ଛିଡ଼ା ହୋଇଥାଉ । ମୁଁ ପିଲାମାନଙ୍କୁ କହୁଥାଏ ଯେ, ଶରତକାଳ ହେଲେ ଭ୍ରମଣରେ ଅଭ୍ୟସ୍ତ ଚଢ଼େଇମାନେ ମେଳା ମେଳା ହୋଇ ଦୂରଦୂରାନ୍ତକୁ ଉଡ଼ି ଚାଲି ଯାଆନ୍ତି । ଗୋଟାଏ ଗୋଟାଏ ଚଢ଼େଇ ଫାଙ୍କା କ୍ଷେତମାନଙ୍କରେ ଏକୁଟିଆ ରହିଯାଆନ୍ତି, ଏମାନଙ୍କର ଡେଣା ଜଖମ ହୋଇ ଯାଇଥାଏ । ଅଥବା, ଶିକାରୀ ଚଢ଼େଇମାନଙ୍କର କବଳରୁ ଏମାନେ ନିଜକୁ ଯେକୌଣସି ପ୍ରକାରେ ରକ୍ଷା କରି ନେଇ ଆସିଥାଆନ୍ତି-। .....ଏବଂ ସେମାନଙ୍କ ସମ୍ମୁଖରେ କଠିନ ଶୀତଋତୁ ରହିଥାଏ, ବରଫଝଡ଼ ରହିଥାଏ, କଷ୍ଟଦାୟକ ହିମବୃଷ୍ଟି ବି ଥାଏ । ଏହି ଚାତକପକ୍ଷୀଟିର ଭାଗ୍ୟରେ ପ୍ରକୃତରେ କ’ଣ ରହିଛି କେଜାଣି ? ବିଚରା ଇଏ କେଉଁଠି ଥଣ୍ଡାରେ କୋଲ ମାରି ରହିଯିବ ଓ ମରିଯିବ । ମାତ୍ର, ବସନ୍ତ ଓ ଗ୍ରୀଷ୍ମ ସମୟରେ ଏହି ଚଢ଼େଇଟି କେଡ଼େ ସୁନ୍ଦର ଗୀତ ଗାଇ ପାରିଥିବ ଏବଂ ତୃଣଭୂମିର ଏହି ସମସ୍ତ ଅଞ୍ଚଳଟିକୁ ସମ୍ମୋହକ ସଂଗୀତରେ ପୂର୍ଣ୍ଣ କରି ଦେଇଥିବ ! ଚାତକପକ୍ଷୀ ହେଉଛି, ସୂର୍ଯ୍ୟଙ୍କର ସନ୍ତାନ-। ପରୀଗପମାନଙ୍କରେ କୁହାଯାଇଛି ଯେ, “ଏହି ପକ୍ଷୀ ସୂର୍ଯ୍ୟ ଭିତରେ ରହିଥିବା ନିଆଁରୁ ଜନ୍ମଲାଭ କରିଥିଲା ।” ସେଥିପାଇଁ ଆମ ଦେଶର ଲୋକମାନେ ଏହାକୁ ‘ନିଆଁକାକ’ ବୋଲି ନାଆଁ ଦେଇଛନ୍ତି ଏବଂ ତୁମେମାନେ ତ ଜାଣିଛ, ଯେତେବେଳେ ଥଣ୍ଡାରେ ଆଙ୍ଗୁଠିଗୁଡ଼ିକ କୋଲ୍ ମାରିଯାଏ ଓ ଯେତେବେଳେ କାଲୁଆ ପବନରେ ନିଃଶ୍ୱାସ ବି ନେଇ ହୁଏନାହିଁ, ସେତେବେଳେ ପ୍ରକୃତରେ କେତେ କଷ୍ଟ ନହୁଏ ! ତୁମେମାନେ ଘରକୁ ଦଉଡ଼ି ଯାଅ ଓ ଉଷୁମ ଚୁଲି ପାଖରେ ବସ-। ....ମାତ୍ର, ଏହି ବିଚରା ଚଢ଼େଇଟି କୁଆଡ଼େ ଯିବ କହିଲ । କିଏ ତାକୁ ଆଶ୍ରୟ ଯୋଗାଇ ଦେବ-? ତେଣୁ ବରଫରେ କୋଲ ମାରି ଇଏ ମଲା ମେଞ୍ଚାଟାଏ ହିଁ ହୋଇଯିବ ।

 

“କିନ୍ତୁ ଆମେ ତାକୁ କେବେହେଲେ ମରିବାକୁ ଦେବା ନାହିଁ,”–ଭାରା ଥାଇ କହିଲା । “ଆମେ ତାକୁ ନେଇ ଗୋଟିଏ ଉଷୁମ ଜାଗାରେ ରଖିବୁ, ତା’ପାଇଁ ସାନ ବସାଟିଏ ତିଆରି କରିଦେବୁ ଏବଂ ସିଏ ସେଇଠି ବସନ୍ତ ଋତୁ ଆସିବା ଯାଏ ଅପେକ୍ଷା କରିପାରିବ ।”

 

ଚାତକ ସକାଶେ କିପରି ସାନ ଘରଟିଏ ତିଆରି କରିଦେବାକୁ ହେବ, ପିଲାମାନେ ସେ ବିଷୟରେ ନିଜ ଭିତରେ ଆଲୋଚନା କରିବା ଆରମ୍ଭ କରିଦେଲେ । ଶୀତଋତୁଟା ପାଇଁ ତାକୁ ପ୍ରତ୍ୟେକ ନିଜ ଘରକୁ ନେବା ପାଇଁ ଇଚ୍ଛା କରୁଥାନ୍ତି । କେବଳ କୋଲ୍ୟା, ଟୋଲ୍ୟା ଓ ଆଉ କେତେଜଣ ବାଳକ ଚୁପ୍ ରହିଥାନ୍ତି ।

 

“କିନ୍ତୁ ଚଢ଼େଇଟିକୁ ଆମେ ଘରକୁ କାହିଁକି ନେବା ? ଆମେ ବିଦ୍ୟାଳୟରେ ହିଁ ତା’ପାଇଁ ସାନ ବସାଟିଏ ତିଆରି କରିଦେବା । ତାକୁ ଖାଇବାକୁ ଦେବା, କ୍ରମେ ଭଲ କରି ଆଣିବା ଏବଂ ତା’ପରେ ଋତୁ ଆସିଲେ ତାକୁ ଛାଡ଼ି ଦେବା ।”

 

ଆମେ ଚାତକ ଚଢ଼େଇଟିକୁ ସ୍କୁଲକୁ ନେଇ ଆସିଥିଲୁ ଏବଂ ତାକୁ ପିଲାମାନଙ୍କର କୋଠରୀରେ ଥିବା ଗୋଟିଏ ପିଞ୍ଜରା ମଧ୍ୟରେ ରଖିଲୁ । ପ୍ରତିଦିନ ସକାଳେ ଗୋଟିଏ ପିଲା ଆସି ତାହାର ସବୁ କାମ କରି ଯାଉଥିଲା । ସେମାନେ ସମସ୍ତେ ତା’ପାଇଁ ଖାଇବା ଆଣୁଥିଲେ ।

 

କେତେଦିନ ଉତ୍ତାରୁ କାଟ୍ୟା ଗୋଟିଏ କାଠହଣା ଚଢ଼େଇ ଧରି ସ୍କୁଲରେ ଆସି ପହଞ୍ଚିଗଲା । ତା’ବାପା ସେଇଟିକୁ ଜଙ୍ଗଲରୁ ପାଇଥିଲେ । ସମ୍ଭବତଃ ଗୋଟାଏ ବନ୍ୟଜନ୍ତୁ ତାରୁ ଧରିଥିଲା, ମାତ୍ର ଅତ୍ୟନ୍ତ ଆକସ୍ମିକ ଭାବରେ ଚଢ଼େଇଟି ତା’ମୁହଁରୁ ଖସି ଆସିଥିଲା । କାଠହଣା ଚଢ଼େଇଟିର ଡେଣା ଦୁଇଟି ନିର୍ଜୀବ ହୋଇ ତଳକୁ ଝୁଲି ପଡ଼ିଥାଏ ଏବଂ ତା’ର ପିଠି ଉପରେ ଠାଏ ଠାଏ ରକ୍ତ ବି ଲାଗି ରହିଥାଏ । ଆମେ ତାକୁ ଚାତକ ପକ୍ଷୀଟି ସହିତ ଏକାଠି ନେଇ ରଖିଲୁ । କାଠହଣାକୁ କ’ଣ ଖାଇବାକୁ ଦିଆଯିବ, ସେକଥା କେହି ଜାଣି ନଥିଲେ । ପୋକ ଦିଆଯିବ ? ହଁ, ବୋଧହୁଏ ସିଏ ଖାଇବ । ଏବଂ, ଗଛର ବକଳ ତଳେ ରହୁଥିବା ସେହି ପୋକମାନଙ୍କୁ କେଉଁଠାରୁ ଖୋଜି ଅଣାଯିବ ?

 

କୋଲ୍ୟା ଛାତି ଫୁଲାଇ ଦେଇ କହିଲା, “ମୁଁ ଜାଣିଛି । ଚଢ଼େଇଟା ଖାଲି ପୋକ ଓ ମାଛି ମୋଟେ ଖାଏ ନାହିଁ । ଶିଉଳୀର ଫୁଲ ଓ ଘାସର ମଞ୍ଜି ମଧ୍ୟ ଖାଏ । ମୁଁ ପରା ଦେଖିଥିଲି....” । ସିଏ କିଛି କହିବ ବୋଲି ଇଚ୍ଛା କରୁଥିଲା, ମାତ୍ର କ’ଣ ପାଇଁ ଥତମତ ହୋଇଗଲା । ସମ୍ଭବତଃ ସିଏ ଆଉ କେବେ କାଠହଣା ଚଢ଼େଇଟିଏ ଶିକାର କରିଥିଲା ।

 

“ଭଲ କଥା ତ ! କାଠହଣା କ’ଣ ଖାଏ ବୋଲି ଯଦି ତୁ ଜାଣିଛୁ, ତେବେ ତୁଇ ତା’ପାଇଁ ନିତି ଖାଦ୍ୟ ନେଇ ଆସିବ । ଦେଖିଲୁ ଚଢ଼େଇଟି କେଡ଼େ କରୁଣ ଦେଖାଯାଉଛି ।”

 

ସେହି ଦିନଠାର କୋଲ୍ୟା ନିତି କାଠହଣା ଚଢ଼େଇ ପାଇଁ ଖାଦ୍ୟ ନେଇ ଆସୁଥିଲା । ତଥାପି ସିଏ ଜୀବନ ଥିବା ବସ୍ତୁମାନଙ୍କ ପ୍ରତି ଆଦୌ କୌଣସି ଦୟା ଅନୁଭବ କରୁ ନଥିଲା; କିନ୍ତୁ ଚଢ଼େଇଟାକୁ ଖାଇବାକୁ ଦେଲେ ସାଙ୍ଗମାନେ ତା’ର ପ୍ରଶଂସା କରିବେ ବୋଲି ଭାବି ତାକୁ ଭଲ ଲାଗୁଥିଲା ଏବଂ ସେଇଥିପାଇଁ ସେ କାମଟିକୁ କରୁଥିଲା । ଆମ କୋଲ୍ୟା ଗୋଟାଏ କି ପ୍ରକାର ପିଲା ଥିଲା ଦେଖିଲ–ଚଢ଼େଇମାନଙ୍କୁ କ’ଣ ଖାଇବାକୁ ଦେବାକୁ ହୁଏ, ସେକଥା ତାକୁ ଜଣା ଥିଲା । ମାତ୍ର, ଏହି ଆତ୍ମସମ୍ମାନବୋଧରୁ ହିଁ ତା’ଭିତରୁ କୋମଳ ଭାବନାର ଉନ୍ମେଷ ହୋଇ ଆସୁ; ସେଇଟା ଆଦୌ ଖରାପ କଥା ନୁହେଁ । ଭଲ କାମଗୁଡ଼ିକୁ ଏକ ଅଭ୍ୟାସରେ ପରିଣତ ହୋଇଯାଉ; ସେମାନେ ଭାବନାଗୁଡ଼ିକୁ ମଧ୍ୟ ଅବଶ୍ୟ ଜାଗୃତ କରି ଆଣିବେ ।

 

ତୁମେ ଜୀବନରେ ଜଣେ କିଭଳି ମଣିଷ ହେବାକୁ ଇଚ୍ଛା କରୁଛ, ପିଲାମାନେ ମୋତେ ଏହି ପ୍ରଶ୍ମଟିର ଶହଶହ ଉତ୍ତର ଦେଉଥିଲେ ବୋଲି ମୋ’ର ମନେ ଅଛି । –କିଏ ବଳୁଆ ହେବ, ଆଉ କିଏ ସାହସୀ ହେବ-କିଏ ବୁଦ୍ଧିଆ, ଚତୁର ବା ନିର୍ଭୟ ବି ହେବ । ମାତ୍ର, କେହି କୋମଳ ହେବ ବୋଲି କେବେ ଉତ୍ତର ଦେଇ ନଥିଲେ । କୋମଳ ଓ ଦୟାଶୀଳ ହେବାକୁ କାହିଁକି କେହି ସାହସ ବା ସେହିପରି ଆଉସବୁ ଗୁଣର ସମାନ ବୋଲି ବିଚାର କରୁ ନଥିଲେ ? ପିଲାମାନେ କାହିଁକି ନିଜେ କେଉଁଠାରେ ଦୟାଶୀଳ ହେଲେ ବୋଲି ଭାରି ଅଡ଼ୁଆ ଅନଭବ କରନ୍ତି ? ତଥାପି, ଦୟାଶୀଳ ଓ କୋମଳ ନହୋଇ ପାରିଲେ, ଜଣେ ଆଉ ଜଣେ ବ୍ୟକ୍ତିକୁ ଦେଖାଉଥିବା ଏହି ଯଥାର୍ଥ ସହୃଦୟତା ବିନା କୌଣସି ଆତ୍ମିକ ସୌନ୍ଦର୍ଯ୍ୟ କେବେହେଲେ ସମ୍ଭବ ହେବନାହିଁ । ପୁଅପିଲାମାନେ ଝିଅମାନଙ୍କ ତୁଳନାରେ କାହିଁକି ଅଳ୍ପ ଦୟାଶୀଳ, ମୁଁ ସେହି ବିଷୟରେ ମଧ୍ୟ ଚିନ୍ତା କରିଥିଲି । ଇଏ କ’ଣ ଖାଲି ସେମିତି ମନେ ହୋଇଥାଏ କି ? ନାହିଁ, ନାହିଁ, ତାହା ପ୍ରକୃତରେ ସେହିଭଳି । ଝିଅମାନେ ଅଧିକ କୋମଳ, ଦୟାଶୀଳ । ସମ୍ଭବତଃ ତାହାର କାରଣ ହେଉଛି ଯେ, ପିଲାଟି ଦିନରୁ ହିଁ ଅତ୍ୟନ୍ତ ଅଚେତନ ଭାବରେ ସେମାନଙ୍କ ଭିତରେ ଏକ ସହଜାତ ଜନନୀଭାବ ବିଦ୍ୟମାନ ରହିଥାଏ । ଜଣେ ଝିଅ ଏକ ନୂତନ ଜୀବନକୁ ଜନ୍ମ ଦେବାର ଯଥେଷ୍ଟ ପୂର୍ବରୁ ହିଁ ତା’ର ହୃଦୟରେ ଜୀବନ୍ତ ବସ୍ତୁମାନଙ୍କ ପ୍ରତି ଦରଦଭାବ ପ୍ରତିଷ୍ଠିତ ହୋଇ ଯାଇଥାଏ । ଦୟାଶୀଳତାର ପ୍ରକୃତ ଉତ୍ସ ଓ ମୂଳ ହେଉଛି, ସର୍ଜନାତ୍ମକତା,-ଜୀବନ ଏବଂ ସୌନ୍ଦର୍ଯ୍ୟ ପ୍ରତି ପ୍ରଦର୍ଶିତ ଏକ ସମର୍ଥନ । ଦୟାଶୀଳତା ସୌନ୍ଦର୍ଯ୍ୟ ସହିତ ଅବିଚ୍ଛିନ୍ନ ଭାବରେ ଯୋଡ଼ା ହୋଇ ରହିଛି ।

 

ଫେଡ଼୍ୟା ଯେଉଁଦିନ ସକାଳେ ଗୋଟିଏ ହଳଦୀବସନ୍ତ ନେଇ ସ୍କୁଲକୁ ଆସିଲା, ସେଦିନ ପିଲାଙ୍କ ପାଇଁ ଏକ ଛୁଟିଦିନ ହୋଇଗଲା । ଏହି ଚଢ଼େଇଟି ମଧ୍ୟ କୌଣସି କାରଣରୁ ଉଡ଼ି ପାରୁନଥିଲା ଏବଂ ଫେଡ଼୍ୟା ତାକୁ ପଶୁଗୁହାଳର ଗୋଟିଏ ବୁଦା ଭିତରେ ଆବିଷ୍କାର କରିଥିଲା । ଚଢ଼େଇଟିର ସୁନ୍ଦର, ବହୁବର୍ଣ୍ଣ ଦେହଟିକୁ ପିଲାମାନେ ନିର୍ନିମେଷ ହୋଇ ଅନାଇ ରହିଥାନ୍ତି । ଆମେ ସମସ୍ତେ ପକ୍ଷୀ ଡାକ୍ତରଖାନାରେ (ଆମ ଶ୍ରେଣୀଗୃହର ଏହି କୋଣଟିକୁ ପିଲାମାନେ ଏହି ନାମ ଦେଇଥିଲେ) ସକାଳେ ଯାଇ ବସୁଥିଲୁ ଓ ପୁଣି ତହିଁ ଆରଦିନ ସେହିଠାରେ ବସିବୁ ବୋଲି ମନସ୍ଥ କରି ପରସ୍ପର ଠାରୁ ବିଦାୟ ନେଉଥିଲୁ । କୋଷ୍ଟା ଗୋଟିଏ ବକନେଟାକୁ, ଅତି କ୍ଷୀଣଦେହ ଘରଚଟିଆ ଚଢ଼େଇ ମଧ୍ୟ ଆଣିଲା, ସେଇଟିକୁ ସେ ରାସ୍ତାକଡ଼ରୁ ପାଇଥିଲା । ଚଟିଆଟା ଶସ୍ୟଦାନା କିମ୍ବା ଟୁକୁରା ପାଉଁରୁଟି କିଛି ଖୁମ୍ପି ଖାଇବାକୁ ରାଜି ହେଇନଥିଲା । ଚଢ଼େଇଟି ଅସୁସ୍ଥ ହୋଇ ପଡ଼ିଛି ବୋଲି ସାନ କୋଷ୍ଟ୍ୟାର ମନରେ ଭାରି ଦୁଃଖ ହେଉଥିଲା । ଚଟିଆଟା ମରିଗଲା ବୋଲି ଆମେ ସମସ୍ତେ ଦୁଃଖ କଲୁ । କୋଷ୍ଟ୍ୟା ଭେଁ ଭେଁ ହୋଇ କାନ୍ଦିଲା । ସାନଝିଅମାନେ ବି କାନ୍ଦି ପକାଇଲେ । କୋଲ୍ୟା ବିଷାଦଗ୍ରସ୍ତ ହୋଇ ରହିଥିଲା ଓ ଯେତେ ଯାହା ପଚାରିଲେ ମଧ୍ୟ ଜବାବ ଦେଉ ନଥିଲା ।

 

ୟାନୁସ୍ କର୍ଚ୍ଚାକ୍‍ଙ୍କର କଥାଗୁଡ଼ିକ ମୋ’ର ମନେ ପଡ଼ିଗଲା: “ଗୋଟିଏ ପିଲାର ଆଲୋକୋଜ୍ଜ୍ୱଳ ସମତନ୍ତ୍ରବୋଧରେ ଆଦୌ କୌଣସି ଉଚ୍ଚନୀଚ ଭେଦ ନଥାଏ । ଖେତରେ କୌଣସି ଶ୍ରମିକର ସ୍ୱେଦ ଅଥବା ତା’ନିଜ ବୟସର କୌଣସି ପିଲାର ଭୋକରେ ବେଦନା ଅନୁଭବ କରିବାର ବହୁ ପୂର୍ବରୁ ମୁଣ୍ଡ କଟା ଯାଇଥିବା କୁକୁଡ଼ା ଛୁଆ କିମ୍ବା କୁନି ଘୋଡ଼ାଇ ଦୁର୍ଭାଗ୍ୟ ବିଷୟରେ ପିଲାଙ୍କ କାହାଣୀରୁ ଶୁଣି ସିଏ ମନେ ମନେ କେତେ ଦୁଃଖ ପାଇବାକୁ ଆରମ୍ଭ କରି ଦେଇଥାଏ । କୁକୁର ଓ ଚଢ଼େଇମାନେ ତା’ର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥାଆନ୍ତି । ପ୍ରଜାପତି ଓ ଫୁଲମାନେ ତାକୁ ଠିକ ନିଜପରି ହିଁ ଲାଗନ୍ତି । ସେ ପଥର ଓ ଶାମୁକାଙ୍କ ସାଙ୍ଗରେ ମଧ୍ୟ ଯାଇ ଭାଇ ହୁଏ । ଗୋଟିଏ ଦମ୍ଭୀ ପରିବାରର ଦମ୍ଭ ତା’ଅନୁଭବ ବାହାରେ ରହିଥାଏ । କାରଣ ସିଏ ଏକଥା ମଧ୍ୟ ଜାଣି ନଥାଏ ଯେ, କେବଳ ମଣିଷମାନଙ୍କର ହିଁ ଆତ୍ମା ରହିଛି ।” ଏହି ସବୁ କିଛି କଥା ଅବଶ୍ୟ ଠିକ୍, ମାତ୍ର ଦରଦ ଥିବା ଗୋଟିଏ ପିଲା କଦାପି ସ୍ୱର୍ଗରୁ ପୃଥିବୀକୁ ଖସି ପଡ଼ିନଥାଏ । ତାକୁ ସେଥିପାଇଁ ଶିକ୍ଷା ଦେବାକୁ ପଡ଼େ । ଥରେ ପାହାଡ଼ ଅତଡ଼ାଇ ତଳ ଦେଇ ଯାଉଥିବା ସମୟରେ ପିଲାମାନେ ଗୋଟିଏ ଠେକୁଆ ଦେଖିବାକୁ ପାଇଲେ । ତା’ର ଗୋଟିଏ ଗୋଡ଼ ଜଖମ ହୋଇ ଯାଇଥିଲା । ସେମାନେ ତାକୁ ନିଜ କୋଠରୀକୁ ନେଇଗଲେ ଓ ଗୋଟିଏ ନୂଆ ପିଞ୍ଜରା ଭିତରେ ରଖିଲେ । ଏହିପରି ଭାବରେ ପଶୁମାନଙ୍କ ପାଇଁ ଆଉ ଗୋଟିଏ ଡାକ୍ତରଖାନା ଆରମ୍ଭ ହୋଇଗଲା-। ସପ୍ତାହକ ପରେ ଲାରିସା ଗୋଟିଏ ବିଲେଇ ଆଣି ପହଞ୍ଚିଲା । ତା’ ଦେହରେ ଏତେ ଟିକିଏ ହେଲେ ମାଉଁସ ନଥାଏ ଓ ସିଏ ଶୀତରେ ଠକ ଠକ ଥରୁଥାଏ । ପିଲାମାନେ ତାକୁ ଠେକୁଆ ସହିତ ଗୋଟିଏ ପଞ୍ଜୁରୀରେ ରଖିଲେ । ସେମାନଙ୍କୁ କେତେ ନା କେତେ କାମ କରିବାକୁ ପଡ଼ୁଥାଏ,-ସେମାନେ ଠେକୁଆ ପାଇଁ ଗାଜର ଆଣୁଥିଲେ, ବିରାଡ଼ି ସକାଶେ ଗୋରସ । ଦିନେ ସକାଳେ ବିଲେଇ ଆଉ ଠେକୁଆ ଏକାଠି ଗୋଟିଏ ବେଣୀରେ ବାନ୍ଧି ହେଲାପରି ଶୋଇଥିବାର ଦେଖି ପିଲାମାନେ ଯେପରି ଉଚ୍ଛ୍ୱସିତ ହୋଇ ଉଠିଲେ, ତାହାକୁ ଆଦୌ ସହଜରେ ବର୍ଣ୍ଣନା କରି ହେବ ନାହିଁ । ପିଲାଏ କେବଳ ଫୁସ୍‍ଫୁସ୍ କରି କଥା କହୁଥାନ୍ତି; କାରଣ, ସେମାନେ କାଳେ ପ୍ରାଣୀ ଦୁଇଟିଙ୍କର ନିଦଭାଙ୍ଗିଯିବ ବୋଲି ଭୟ କରୁଥାନ୍ତି ।

 

ଶୀତଋତୁରେ ଚଢ଼େଇଙ୍କର ଡାକ୍ତରଖାନାରେ କେତୋଟି ନୀଳ ରଙ୍ଗର ଚେମେଣି ଆସି ପହଞ୍ଚିଗଲେ । ଶୀତଋତୁ ଯାକ ରହୁଥିବା ଚଢ଼େଇଙ୍କର ଖାଇବା ପାତ୍ରଟି ନିକଟରୁ ପିଲାମାନେ ସେଗୁଡ଼ିକୁ ଉଠାଇ ଆଣିଥିଲେ । ଆଉଗୋଟିଏ କଥାରେ ବି ମୁଁ ଖୁସୀ ହୋଇଥିଲି: କେତେ ପିଲା ସେମାନଙ୍କ ନିଜ ଘରେ ମଧ୍ୟ ନିଜ ନିଜର “ଚଢ଼େଇ ଡାକ୍ତରଖାନା”ଓ ଜନ୍ତୁମାନଙ୍କର ବସା ଆରମ୍ଭ କରି ଦେଇଥିଲେ । ତା’ପରେ ଆମ କୋଠରୀଟି ଭିତରକୁ ଆମେ ମାଛଘରଟିଏ ଆଣିବା ପରେ ପିଲାଏ ନିଜ ଘରେ ମଧ୍ୟ ସେହିପରି ମାଛ ରଖିବେ ବୋଲି ବାପାମାଆଙ୍କ ପାଖରେ ଅଳି କରିବାକୁ ଲାଗିଲେ । ମାଛବାକ୍ସଟିଏ କିପରି ତିଆରି କରିବାକୁ ହୁଏ, ସେକଥା ଜାଣିବା ଲାଗି ବହୁତ ବାପାମାଆ ସ୍କୁଲକୁ ଆସିଥିଲେ । ମାଛଘର ପାଇଁ ମାଛ ଓ ଜଳୀୟ ଗଛ ସବୁ ଯୋଗାଡ଼ କରିବା ବେଶ୍ କଷ୍ଟକର ଥିଲା; ମାଛଙ୍କ ଖାଦ୍ୟ ଯୋଗାଡ଼ କରିବା ତ ଆହୁରି ଅଧିକ କଠିନ ହୋଇଥିଲା । ମାତ୍ର ପିଲାମାନେ ନଛୋଡ଼ବନ୍ଧା; ଏବଂ କାର୍ଯ୍ୟଟି ହୋଇପାରିବା ପର୍ଯ୍ୟନ୍ତ ସେମାନେ ମୋତେ ଏବଂ ନିଜ ନିଜର ବାପାମାଆଙ୍କୁ ଶାନ୍ତିରେ ରଖି ଦେଲେ ନାହିଁ । ଏହିପରି ଭାବରେ ସବୁ ପ୍ରକାର ଅସୁବିଧାକୁ ଅତିକ୍ରମ କରି ହୋଇଗଲା । ସ୍ଳାଭା ଓ ଟିନାର ମାଆମାନେ ସ୍କୁଲକୁ ଆସି ଅଭିଯୋଗ କରିଥିଲେ ଯେ, ଅନ୍ୟମାନଙ୍କର ମାଛ ଘରେ ସୁନାମାଛ ରହିଥିବା ବେଳେ ସେମାନଙ୍କ ମାଛ ଘରେ ତାହା ନାହିଁ ବୋଲି ପିଲାମାନେ ସେମାନଙ୍କୁ ଆଉ ବସାଇ ଉଠାଇ ଦେଉନାହାନ୍ତି । ଆମେ ଏଥିପାଇଁ ବଡ଼ ପିଲାମାନଙ୍କର ସାହାଯ୍ୟ ମାଗିଲୁ । ସେତେବେଳେ ପିଲାମାନଙ୍କ ପାଇଁ ସ୍କୁଲରେ କୌଣସି କର୍ମଶାଳା ନଥିଲା । ମାତ୍ର ଏହି ମାଛଘରଗୁଡ଼ିକୁ ତିଆରି କରିଦେବା ନିମନ୍ତେ ପିଲାଙ୍କ ସକାଶେ ବାଧ୍ୟ ହୋଇ ସ୍କୁଲର ସର୍ବପ୍ରଥମ କର୍ମଶାଳା ଆରମ୍ଭ କରିବାକୁ ହୋଇଥିଲା ।

 

ମୁଁ ସେହିସବୁ ସନ୍ଧ୍ୟାଗୁଡ଼ିକୁ କେବେହେଲେ ଭୁଲିପାରିବି ନାହିଁ, ଯେତେବେଳେ ଆମେ ସ୍କୁଲରେ ଏକାଠି ବସୁଥିଲୁ, ମାଛଘରର ସାନ ଆଲୁଅଟି ବ୍ୟତୀତ ଆଉ କୌଣସି ଆଲୁଅ ଜଳୁ ନଥିଲା ଏବଂ ଆମେ ସୁନା ମାଛଟିକୁ ଦେଖି ଖୁସୀରେ ଉଚ୍ଛ୍ୱସିତ ହୋଇ ଯାଉଥିଲୁ । ପିଲାମାନଙ୍କୁ ମୁଁ ମହାସାଗରର ଗଭୀରତା ବିଷୟରେ କହୁଥିଲି, ସମୁଦ୍ରରେ ବାସ କରୁଥିବା ଜୀବଜନ୍ତୁମାନଙ୍କର ଅସାଧାରଣ ଜୀବନ ବିଷୟରେ ମଧ୍ୟ କହୁଥିଲି । ମୋ’ର ଯେଉଁ ପିଲାମାନେ ଅନେକ ପୂର୍ବରୁ ସ୍କୁଲ ଛାଡ଼ି ସାରିଛନ୍ତି ଓ ବଡ଼ ହୋଇ ଗଲେଣି, ସେମାନେ ମଧ୍ୟ ନିଜର ସାରା ଜୀବନଯାକ ସେହି ସନ୍ଧ୍ୟାଗୁଡ଼ିକୁ ମନେ ରଖିଛନ୍ତି । ଏହି ଅଳ୍ପ ଦିନ ପୂର୍ବେ କୋଲ୍ୟା ଦିନେ ମୋତେ କହୁଥିଲା:

 

“ଅନେକ ସମୟରେ ସେହି ସାନ ଆଲୁଅଟିକୁ ମୁଁ ସ୍ୱପ୍ନରେ ଦେଖୁଥାଏ । ତାହାରି ଆଲୁଅଟିକୁ ହିଁ ଆମ ଜ୍ଞାନଲାଭର ପ୍ରଥମ ଉତ୍ସ ବୋଲି କୁହାଯିବ । ସମୁଦ୍ରର ସେହି ରହସ୍ୟମୟ ଗଭୀରତାଗୁଡ଼ିକ ବିଷୟରେ ଓ ସେହି ଅଦ୍ଭୁତ ମାଛଟି ବିଷୟରେ ମୁଁ ଆହୁରି ଅଧିକ ଜାଣିବା ଲାଗି ଇଚ୍ଛା କରିଥିଲି....” ।

 

ଯଦି ୨୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏପରି ଉଷ୍ମତା ସହକାରେ ମାଛଟିକୁ ମନେ ରଖିପାରିଛି, ତେବେ ତାହାର ଅର୍ଥ ହେଉଛି ଯେ, ଏହି କଥାଟିକୁ କଦାପି ହାଲୁକା ଭାବରେ ଗ୍ରହଣ କରିହେବ ନାହିଁ । କାରଣ ସମଦରଦୀ ହେବାର ଗୁଣଟିକୁ ଶିକ୍ଷା କରିବା ପାଇଁ ଏଇଟି ମଧ୍ୟ ଗୋଟିଏ କ୍ଷେତ୍ର ପରି କାର୍ଯ୍ୟ କରିଥିଲା । ସବୁଠାରୁ ଅଧିକ ଉଦାସୀନ ପିଲାମାନଙ୍କର ହୃଦୟରେ ମଧ୍ୟ କୋମଳ ଭାବନା, ସହୃଦୟତା ଓ କରୁଣାକୁ ଜାଗୃତ କରାଇ ଆଣିବା ଲାଗି ପାରିପାର୍ଶ୍ୱିକ ପୃଥିବୀର ସୌନ୍ଦର୍ଯ୍ୟ ନିମନ୍ତେ ମୁଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହୁଥିଲି । ସେହି ବର୍ଷର ସର୍ବପ୍ରଥମ ହିମପାତ ବେଳର କଥା ମୁଁ ମୋଟେ ଭୁଲିପାରିବି ନାହିଁ । ଆମେ ବଗିଚା ଭିତରେ ଗୋଲାପ ଗଛଟି ଆଡ଼କୁ ଯାଉଥିଲୁ । ସେଥିରେ ଗୋଟିଏ ଫୁଲ କେଡ଼େ ଉଜ୍ଜ୍ୱଳ ହୋଇ ଫୁଟିଥିବାର ଦେଖିବାକୁ ପାଇଲୁ । ତା’ର ସୁକୁମାର ପାଖୁଡ଼ା ଗୁଡ଼ିକ ଉପରେ କାକରବିନ୍ଦୁ ଲାଗି ରହିଥାଏ: ସତେଅବା ଅଲୋକିକ କୌଣସି କାରଣରୁ କାଲୁଆ ରାତିର ପ୍ରକୋପକୁ ଫୁଲଟି ଆପଣାକୁ ବଞ୍ଚାଇ ପାରିଥାଏ । ଫୁଲଟି ଆଡ଼କୁ ଅନାଇ ଆମେ ବିଷଣ୍ଣ ହୋଇ ପଡ଼ିଥିଲୁ: କଠୋର କାଲୁଆ ପାଗ ଆସି ଅଚିରେ ଏହି ସୌନ୍ଦର୍ଯ୍ୟଟିକୁ ବିନଷ୍ଟ କରିଦେବ । ଏତିକିବେଳେ କୋଲ୍ୟାର ଆଖି ସହିତ ମୋ’ଆଖି ଯାଇ ମିଳିଗଲା ଏବଂ ପ୍ରଥମ ଥର ପାଇଁ ମୁଁ ତା’ଭିତରେ ଦୁଃଖ ଏବଂ ଉଦବେଗ ଦେଖିବାକୁ ପାଇଥିଲି-ଏକାବେଳେକେ ଶୁଦ୍ଧ ପିଲାଳିଆ ଭାବନାଟିଏ । ତା’ପରେ ଆମେ ଆମ କାଚଘର ଆଡ଼କୁ ଗଲୁ, ଯେଉଁଠାରେ କି ସେହି ଅଞ୍ଚଳରେ କ୍ୱଚିତ୍ ମିଳୁଥିବା କେତେ କେତେ ଫୁଲଗଛର କୁଣ୍ଡ-ରୋଡ଼ୋଡ଼େଣ୍ଡ୍ରନ ଓ କାକ୍ଟସ୍-ସୁରକ୍ଷିତ ହୋଇ ରହିଥିଲେ । ଗୋଟିଏ ବାଇଗଣୀ ରଙ୍ଗର ସାନ ଫୁଲ-କାକ୍ଟସ୍ ଫୁଲଟିଏ,-ଫୁଟିବାକୁ ଆରମ୍ଭ କରୁଥିଲା । ଆମେ ବହୁ ସମୟ ପର୍ଯ୍ୟନ୍ତ ବିସ୍ମିତ ପୁଲକରେ ସେଗୁଡ଼ିକ ଆଡ଼କୁ ଚାହିଁ ରହିଥିଲୁ ।

 

ଜୀବନ୍ତ ବସ୍ତୁ ଏବଂ ସୁନ୍ଦର ପଦାର୍ଥମାନଙ୍କ ଲାଗି ଏହି ଦରଦଭାବଟି କ୍ରମେ ପିଲାମାନଙ୍କର ଜୀବନ ମଧ୍ୟରେ ଆସି ପ୍ରବେଶ କରିଥିଲା । ୧୯୫୧ ଶରତ କାଳର ଶେଷ ଆଡ଼କୁ, ଯେତେବେଳେ ଗଛମାନଙ୍କରୁ ପତ୍ରମାନେ ଝଡ଼ି ସାରିଥିଲେ, ଆମେ ଥରେ ଜଙ୍ଗଲକୁ ଯାଇ ଗୋଟେ ଲିଣ୍ଡେନ୍ ଗଛର ମୂଳକୁ ଖୋଳି ବାହାର କଲୁ ଏବଂ ସେଇଟିକୁ ସ୍କୁଲର କ୍ଷେତ ଜମିରେ ଆଣି ଲଗାଇ ଦେଲୁ । ସାନ ଗଛଟି ଆମର ବନ୍ଧୁରେ ପରିଣତ ହୋଇଯାଇଥିଲା । ଆମେ ସେଇଟିକୁ ନେଇ ସ୍ୱପ୍ନ ଦେଖିଲୁ, କାହାଣୀମାନ ତିଆରି କଲୁ, ସତେ ଯେପରି, ଆମର ଦରଦ, ଉଦବେଗ ଓ ଅନୁଭୂତିକୁ ଅନୁଭବ କରିପାରୁଥିବା କୌଣସି ଜୀବନ ଥିବା ପ୍ରାଣୀକୁ ନେଇ ଆମେ ଏସବୁ କରୁଥିଲୁ ! ଯେତେବେଳେ କେତେ ଅସରା ବର୍ଷା ହୋଇ ପାଗ ଟିକିଏ ଉଷୁମ ହୋଇ ଯାଉଥାଏ, ସେତେବେଳେ ପିଲାମାନେ କେଡ଼େ ଖୁସୀ ହୋଇ ଯାଉଥାନ୍ତି, କାରଣ ଆମର ଏହି ସାନ ବନ୍ଧୁଟି ଲାଗି ଆର୍ଦ୍ରତାର ବିଶେଷ ପ୍ରୟୋଜନ ରହିଥିଲା । ଯେତେବେଳେ ହିମ ପଡ଼ୁଥିଲା ଓ କ୍ଷେତ ଉପରେ ଦେଇ ଦେହରେ ଛୁଞ୍ଚି ବିନ୍ଧି ଦେଉଥିବା ଥଣ୍ଡା ପବନ ବୋହୁଥିଲା, ଆମେ ସେତେବେଳେ ଚିନ୍ତିତ ହୋଇ ଉଠୁଥିଲୁ । ଆଶଙ୍କା ହେଉଥିଲା ଆମର ଏହି ବନ୍ଧୁଟି ଥଣ୍ଡାରେ କେତେ କଷ୍ଟ ପାଇବ । ପିଲାମାନେ ତୁଷାରଗୁଣ୍ଡ ସଂଗ୍ରହ କରି ଆଣିଲେ ଓ ଲିଣ୍ଡେନ୍ ଗଛର ଗଣ୍ଡି ଚାରିପାଖରେ ଟାଣ କରି ବାନ୍ଧିନେଲେ । ବସନ୍ତ ଋତୁ ଆସି ପହଞ୍ଚିବା ମାତ୍ରକେ ଆମେ ଅନେକ ସମୟରେ ଆମ ବନ୍ଧୁକୁ ଦେଖି ଆସିବାକୁ ଯାଉଥିଲୁ ଏବଂ ପତରଗଜା ଗୁଡ଼ିକ କେବେ ବାହାରିବ ବୋଲି ଉତ୍କଣ୍ଠିତ ଭାବରେ ଅପେକ୍ଷା କରୁଥିଲୁ । ସବୁଜ ପତ୍ରଗୁଡ଼ିକ ବାହାରିବା ଆରମ୍ଭ ହେବା ମାତ୍ରକେ ପିଲାମାନେ ଆନନ୍ଦରେ ଉନ୍ମତ୍ତ ହୋଇ ଉଠିଲେ: ତେବେ ଗଛଟି ବଞ୍ଚି ପାରିଲା ! ଗ୍ରୀଷ୍ମକାଳରେ ଆମେ ଗଛଟି ମୂଳରେ ପାଣି ମଧ୍ୟ ଦେଲୁ ।

 

ଦରଦ ଓ ସମବେଦନାର ଏହି ସାମୂହିକ ଅନୁଭୂତିର, ଏହି ସାମୂହିକ ସଦିଚ୍ଛାର ପ୍ରକୃତରେ କେତେ ଅମିତ ଶକ୍ତି ନରହିଛି ! ତାହାକୁ ଆମେ ହୁଏତ ଏପରି ଗୋଟିଏ ଖରସ୍ରୋତା ନଦୀ ବୋଲି କହି ପାରିବା, ଯାହାକି ସବୁଠାରୁ ଅଧିକ ଉଦାସୀନମାନଙ୍କୁ ମଧ୍ୟ ନିଜର ସ୍ରୋତରେ ଭସାଇ ନେଇ ଯାଉଥାଏ । କୋଲ୍ୟା, ଟୋଲ୍ୟା, ସ୍ଲାଭା ଏବଂ ପେଟ୍ରିକ୍ କିପରି ସେମାନଙ୍କର ବନ୍ଧୁଟିକୁ, ସେହି କୁନି ସବୁଜ ଲିଣ୍ଡେନ୍ ଗଛଟିକୁ ଦେଖିବା ନିମନ୍ତେ ଉତ୍କଣ୍ଠାର ସହିତ ଧାଇଁ ଯାଇଥିଲେ, ତାହା ଦେଖି ମୁଁ ଆନନ୍ଦରେ ପ୍ରକୃତରେ ଆତ୍ମହରା ହୋଇଗଲି, ମାଛବାକ୍ସରେ ଥିବା ମାଛଗୁଡ଼ିକୁ ସେମାନେ ଖାଇବାକୁ ଦେଲାବେଳେ ମଧ୍ୟ ମୁଁ କମ୍ ପୁଲକିତ ହୋଇ ନଥିଲି ।

 

ସେଦିନ ଯେଉଁମାନଙ୍କର ହୃଦୟ କୁନି ଲିଣ୍ଡେନ୍ ଗଛଟି ଶୀତଳ ହିମ ଭିତରେ ରହି କେତେ କଷ୍ଟ ପାଉଛି ବୋଲି ଭାବି କମ୍ପି ଉଠିଥିଲା, ସେମାନେ ସମସ୍ତେ ବଡ଼ ହୋଇ ଗଲେଣି । ଆମର ବନ୍ଧୁ ସେହି ଗଛଟି ମଧ୍ୟ ବଡ଼ ହେଲାଣି, ଅନେକ ଶାଖା ଓ ପ୍ରଶାଖା ମେଲାଇ ଦେଲାଣି, ଏବଂ ଏବେ ମଧ୍ୟ, ଝିଅ ଓ ପୁଅ ଅନେକ ସାନ ସାନ ପିଲା ଏବଂ ତରୁଣ ବାପା ଓ ମାଆ ଏଇଟିକୁ ଦେଖିବାକୁ ଆସୁଛନ୍ତି ଏବଂ ପିଲା ସମୟର ସେହି ସୁନେଲି ଶରତକାଳଟିର କଥା ମନେ ପକାଇ ହର୍ଷରେ ଉଚ୍ଛୁଳି ଉଠୁଛନ୍ତି ।

 

ଅଭିଜ୍ଞତା କହୁଛି ଯେ, କୋମଳତାର ଏହି ଅନୁଭବଗୁଡ଼ିକର ଚେର ଶୈଶବରେ ହିଁ ରହିଥାଏ ଏବଂ ମାନବିକତା, ସଜ୍ଜନତା, ସମବେଦନା ଏବଂ ଉଦାରତା ଚତୁର୍ଦ୍ଦିଗରେ ରହିଥିବା ପୃଥିବୀର ସୌନ୍ଦର୍ଯ୍ୟ ପ୍ରତି ରହିଥିବା ଆମର ଦରଦର ଏବଂ ଉତ୍ସୁକତା ଓ ସେଥିପାଇଁ ଆମର କାର୍ଯ୍ୟରୁ ହିଁ ଜନ୍ମଲାଭ କରିଥାଏ । ଦୟାନୁସିକ୍ତ ଅନୁଭବ ଏବଂ ସଂବେଗପୂର୍ଣ୍ଣ ପ୍ରତିପାଳନ,-ଏଗୁଡ଼ିକ ହେଉଛି ମାନବତା ବୃଦ୍ଧି ପାଇବାର ମୂଳ କଥା । ଯଦି ଶୈଶବ ସମୟରେ ସେହି ଅନୁଭବଗୁଡ଼ିକର ରୋପଣ ହୋଇ ନଥିବ, ତେବେ ସେଗୁଡ଼ିକ ଜୀବନରେ ଆଉ କେବେ ବି ସମ୍ଭବ ହେବନାହିଁ; କାରଣ, ସର୍ବପ୍ରଥମ ଓ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକୁ ଭେଟିବା, ଏବଂ ନିଜ ଭାଷାର ଶବ୍ଦଗତ ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକର ଅଭିଜ୍ଞତା ଓ ଅନୁଭୂତି ଲାଭ କରିବା ସଙ୍ଗେ ସଙ୍ଗେ ହିଁ ଆମର ଅନ୍ତର ଭିତରେ ମାନବତା ସୁପ୍ରତିଷ୍ଠ ହୋଇ ରହିବାକୁ ଆରମ୍ଭ କରେ । ଜଣେ ବ୍ୟକ୍ତିକୁ ତା’ର ଶୈଶବରେ ହିଁ ସଂବେଗ ଶିକ୍ଷା କରିବାର ବିଦ୍ୟାଳୟରେ ଯାଇ ବସିବାକୁ ହେବ ଏବଂ ସେହି ବିଦ୍ୟାଳୟରେ ହିଁ ସମବେଦନା ଅନୁଭବ କରିବାର କ୍ଷେତ୍ରରେ ତା’ର ଯଥାର୍ଥ ଶିକ୍ଷାଲାଭ ହୋଇ ପାରିବ ।

Image

 

ଶ୍ରମର ଜଗତ ମଧ୍ୟକୁ ଆମର ଯାତ୍ରା

 

ଶ୍ରମକୁ କିପରି ପିଲାମାନଙ୍କର ଏକ ଅନ୍ତର୍ଗତ ଆବଶ୍ୟକତାରେ ପରିଣତ କରି ହେବ, ସେହି ବିଷୟରେ ଆମ ବିଦ୍ୟାଳୟର ସବୁ ଶିକ୍ଷକ ଚିନ୍ତା କରୁଥିଲେ । ଶ୍ରେଣୀକାର୍ଯ୍ୟ ଆରମ୍ଭ ହେବାର ପ୍ରଥମ ଦିନଗୁଡ଼ିକରୁ ହିଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପିଲାମାନଙ୍କୁ କାମ କରିବା ଲାଗି ବିଦ୍ୟାଳୟର ବଗିଚାକୁ ନେଉଥିଲେ, ଶ୍ରମର କ୍ଷେତ୍ରରେ ନିଜ ବିଦ୍ୟାଶିକ୍ଷାର ଅଂଶସ୍ୱରୂପ ସେମାନେ ସେଠାରେ ଯାହା ପାରୁଥିଲେ, ସେହି କାର୍ଯ୍ୟ କରୁଥିଲେ । ପିଲାମାନେ ଶୀତଦିନରେ କାର୍ଯ୍ୟ କରିପାରିବେ ବୋଲି ଆମେ ଗୋଟିଏ ସାନ କାଚତିଆରି କୃଷିଘର ତିଆରି କରି ଦେଇଥିଲୁ-। ପିଲାମାନଙ୍କର ଶ୍ରମକୁ ଏକ ଉଚ୍ଚ ଆଦର୍ଶଗତ ସ୍ତରକୁ ଉନ୍ନୀତ କରି ନେବାଲାଗି ବିଭିନ୍ନ ଉପାୟ ଖୋଜି ବାହାର କରିବା ସମୟରେ, ବିଜୟଦିବସର ଅବସରରେ (ଫାସିଷ୍ଟ୍ ଜର୍ମାନୀ ଉପରେ ସୋଭିଏତ୍ ଜନତାର ବିଜୟ, ମଇ ୯, ୧୯୪୫) ପିଲାମାନେ ଗୋଟିଏ ଓକ୍ ଗଛ ଲଗାଇବେ ବୋଲି ଶିକ୍ଷକମାନେ ସ୍ଥିର କରିଥିଲେ । ଏହା ଆମ ଆନନ୍ଦର ପ୍ରକୃତରେ ଏକ ଜୀବନ୍ତ ନିଦର୍ଶନ ହୋଇ ରହିବ । ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ପିଲାମାନେ ଆମ ବିଜୟଦିବସ ଓକ୍ ତୋଟାରେ ପ୍ରତିବର୍ଷ ଶତାବ୍ଦୀ-ବୃକ୍ଷମାନ (ପିଲାଏ ଓକ୍ ଗଛକୁ ସେହି ନାମଟି ଦେଇଛନ୍ତି) ଲଗାଇ ଆସିଛନ୍ତି-

 

ପିଲାମାନଙ୍କର ଚତୁପାଶ୍ୱର୍ରେ ଖାଲି ପ୍ରକୃତି ନୁହେଁ, ଶ୍ରମର ଜଗତଟି ମଧ୍ୟ ବିଦ୍ୟମାନ ରହିଥିବ ବୋଲି ଆମେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରିଥିଲୁ । ସେମାନଙ୍କୁ ବେଷ୍ଟନ କରି ସୃଜନାତ୍ମକ ଏବଂ ନିର୍ମାଣର ଜଗତଟି ମଧ୍ୟ ରହିଥିବ । ଶ୍ରମର ମାଧ୍ୟମରେ ହିଁ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇ ଆସିଥାଏ ।

 

ଏଣୁ ଆମ ଆନନ୍ଦ ପାଠଶାଳା ଶ୍ରମର ଜଗତ ମଧ୍ୟକୁ “ଯାତ୍ରା” କରିବା ଆରମ୍ଭ କରି ଦେଇଥିଲା । କୋଠଖମାରର ଶସ୍ୟାଗାରକୁ ସେମାନଙ୍କର ପ୍ରଥମ “ଯାତ୍ରା” ଗୁଡ଼ିକୁ ପିଲାମାନେ କଦାପି ଭୁଲିବେ ନାହିଁ । ସେମାନେ ଗଦା ଗଦା ଗହମ ଓ ହଜାର ହଜାର ପେଟି ପାଉଁରୁଟି ଜମା ହୋଇଥିବାର ଦେଖିବାକୁ ପାଇଥିଲେ । କୋଠ ଖେତରେ ଯେଉଁମାନେ ନିଜର କାମକୁ ଭଲ ଭାବରେ କରୁଥିଲେ, ଭାନ୍ୟାର ବାପା ଆମକୁ ସେମାନଙ୍କ ବିଷୟରେ କହିଥିଲେ । କମ୍ବାଇନ୍ ଯନ୍ତ୍ରର ଚାଳକ ଗ୍ରିଗରୀ ଆନ୍ଦ୍ରେୟେଭିଚ୍ ପିଲାମାନଙ୍କୁ ଖେତ ଆଡ଼େ ବୁଲାଇ ନେଲେ, -ଗାଆଁର ସୀମା ପାର ହେବା ମାତ୍ରକେ, ଶସ୍ୟାଗାରର ପଛପଟେ ହିଁ ସେହି ଖେତଗୁଡ଼ିକ ଅବସ୍ଥିତ ଥିଲେ । ସେ କହୁଥାଆନ୍ତି, “ଏହି ଶହେ ହେକ୍ଟର ଜମିରୁ ମୁଁ ଏବର୍ଷ ଚାରିହଜାର ପେଟି ପାଉଁରୁଟି ପାଇଛି । ଏବଂ, ଗତ ଦଶବର୍ଷ ମଧ୍ୟରେ ମୋ’ କମ୍ବାଇନ୍‍ଟି ସାହାଯ୍ୟରେ ମୁଁ ଯେତେ ଶସ୍ୟ ଉତ୍ପାଦନ କରିଛି, ତାହା ଆଲୋକ୍‍ଜାଣ୍ଡ୍ରିଆ ପରି ଗୋଟିଏ ବଡ଼ ସହର ପାଇଁ ପାଉଁରୁଟି ତିଆରି କରିବାକୁ ଯଥେଷ୍ଟ ହୋଇଯିବ ।”

 

ଚତୁର୍ଦ୍ଦିଗର ପୃଥିବୀକୁ ଜାଣିବା ଓ ସ୍ୱୀକୃତି ଦେବା, ଏହା କେବଳ ବୁଦ୍ଧି କ୍ଷେତ୍ରର ଏକ ବିଷୟ ନୁହେଁ, ଏଥିରେ ସମ୍ବେଗର ମଧ୍ୟ ବହୁତ ସମ୍ବନ୍ଧ ରହିଛି । ଶ୍ରମ କରୁଥବା ଜଣେ ବ୍ୟକ୍ତିର ଜୀବନରେ ଯେ କେତେ ସୌନ୍ଦର୍ଯ୍ୟ ରହିଛି, ଆମ ପିଲାମାନେ ତାହା ହୃଦୟଙ୍ଗମ କରି ଆଶ୍ଚର୍ଯ୍ୟ ହେଉଥିଲେ । ସେହି ବ୍ୟକ୍ତିଟିକୁ ନେଇ ସେମାନେ ନିଜେ ବି ଗର୍ବ ଅନୁଭବ କରୁଥିଲେ । ଏହି ସବୁ “ଯାତ୍ରା” ସମୟରେ ଯେତେବେଳେ ନିଜର ବାପାମାଆମାନଙ୍କ ସହିତ ସେମାନଙ୍କର ଭେଟ ହୋଇ ଯାଉଥିଲା, ସେତେବେଳେ ସେହି ଅନୁଭୂତି ଆହୁରି ପ୍ରଗାଢ଼ ହେଉଥିଲା । ଗୋରସ ବିଭାଗକୁ ଆସି ସେମାନେ ଜାଣିଥିଲେ ଯେ, ଟ୍ୟାନାର ମାଆ ଏଠାରେ ପନ୍ଦରଶହ ଲୋକଙ୍କ ପାଇଁ ଆବଶ୍ୟକ ହେଉଥିବା ଗୋରସକୁ ଉତ୍ପାଦନ କରୁଛନ୍ତି । ଶରତ କାଳରେ ବେଶ୍ ଉଷୁମ ଲାଗୁଥିବା ଗୋଟିଏ ଦିନ ଆମେ ଇଞ୍ଜିନିୟରିଂ ଫାକ୍ଟରିକୁ ଯାଇଥିଲୁ । ସେଠାରେ ଭାଲ୍ୟାର ବାପାଙ୍କ ସହିତ ଦେଖାହେଲା । ସିଏ ପିଲାମାନଙ୍କୁ ଢଳାଇ ବିଭାଗକୁ ବୁଲାଇ ନେଇଗଲେ । ଗୋଟିଏ ନିଦା ଟାଣ ଜିନିଷକୁ କିପରି ତରଳ ନିଆଁର ରକ୍ତବର୍ଣ୍ଣ ନଦୀରେ ପରିଣତ କରି ଦିଆଯାଏ ଏବଂ ଆମର ଶ୍ରମ ଓ ଇଚ୍ଛାଶକ୍ତି ଦ୍ୱାରା ସେହି ନଦୀକୁ ପୁଣି ଗୋଟିଏ ଧାତୁ ପିଣ୍ଡରେ ରୂପାନ୍ତରିତ କରାଯାଏ, ପିଲାମାନେ ଆଗରୁ ଶୁଣିଥିବା ଅବା ଫାନ୍ଦିଥିବା ଯେକୌଣସି କାହାଣୀଠାରୁ ତାହା ସେମାନଙ୍କୁ ପ୍ରକୃତରେ ଅଧିକ ଆଗ୍ରହୋଦ୍ଦୀପକ ଲାଗିଲା । ପିଲାଏ କେତେ ଆନନ୍ଦରେ ଏହି ନୂତନ କଥାଟିକୁ ନିଜ ଭିତରକୁ ଗ୍ରହଣ କରି ନେଉଥିଲେ, ମୁଁ ତାହା ଲକ୍ଷ୍ୟ କରି ଦେଖୁଥିଲି: ସେମାନେ ସେହି ଯୋଦ୍ଧାମାନଙ୍କ ବିଷୟରେ କାହାଣୀମାନ ତିଆରି କରିବାକୁ ଲାଗିଲେ, ଯେଉଁମାନେ କି ନିଆଁର ଗୋଟିଏ ନଈ ସୃଷ୍ଟି କରି ଦିଅନ୍ତି : ସେମାନେ ଧାତୁ ଶ୍ରମିକମାନଙ୍କର କେତେ ଚିତ୍ର ମଧ୍ୟ ଆଙ୍କିଥିଲେ, ଧାତୁ ସରଞ୍ଜାମର ଦୋକାନକୁ ନିଜ ଜୀବନରେ ପ୍ରଥମ ଥର ପାଇଁ ଯାଇ ପିଲାମାନଙ୍କର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇଥିଲା । ସେମାନେ ଏକ ନୂଆ ଆଖି ଦେଇ ବସ୍ତୁଗୁଡ଼ିକୁ ଦେଖିଥିଲେ : ଧାତୁ ନଥିଲେ ଜଣେ ବ୍ୟକ୍ତି ଦିନଟିଏ ମଧ୍ୟ ବଞ୍ଚି ପାରିବ ନାହିଁ କିମ୍ବା କାମ କରିପାରିବ ନାହିଁ । ତେଣୁ ଶ୍ରମିକ, ଧାତୁଶ୍ରମିକ, ଯେଉଁମାନେ ମେସିନ୍‌ଗୁଡ଼ିକୁ ତିଆରି କରିଛନ୍ତି,–ଏହିମାନେ ହେଉଛନ୍ତି ଜୀବନର ପ୍ରକୃତ ସମ୍ଭବକାରୀ । ମୋ’ର ପିଲାମାନଙ୍କ ଭିତରେ ଏହି ବ୍ୟକ୍ତିମାନଙ୍କ ପ୍ରତି ଏକ ଗଭୀର ସମ୍ମାନ ସୁପ୍ରତିଷ୍ଠିତ ହୋଇ ରହିଥିଲା ।

 

ମେସିନ୍ ଓ ଟ୍ରାକ୍ଟର ତିଆରି ହେଉଥିବା କାରଖାନାର ଫିଟର୍ ଏବଂ ଲେଦ୍ ମେସିନରେ କାମ କରୁଥିବା ଶ୍ରମିକମାନଙ୍କର ବିଶେଷ ଯନ୍ତ୍ରକୌଶଳର ବିଭାଗଗୁଡ଼ିକୁ ଆମର ଯାତ୍ରା ମଧ୍ୟ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ହୋଇଥିଲା । ଖଣ୍ଡେ ଖଣ୍ଡେ ଧାତୁରୁ ଟ୍ରାକ୍ଟର ଓ କମ୍ବାଇନ୍ ପ୍ରଭୃତିର ଅଂଶମାନ କିପରି ତିଆରି କରାଯାଉଥିଲା, ସେଠାରେ ପିଲାମାନେ ତାହା ଦେଖିବାକୁ ପାଇଲେ । ଲାରିସାର ବାପା ନିଜ କୁଶଳୀ ହାତରେ ଯେତେବେଳେ ଗୋଟାଏ ପେଚ ବୁଲାଇ ଦେଉଥିଲେ, ସେତେବେଳେ ସେମାନେ ଏକା ନିଘାରେ ସେଇ ଆଡ଼କୁ ଅନାଇ ରହୁଥିଲେ । ଏହି ପେଚଗୁଡ଼ିକ ବ୍ୟତୀତ କୌଣସି ଇଞ୍ଜିନ୍ କିଛି କାମ କରି ପାରୁନଥାନ୍ତା ।

 

ମାନବସମୂହର ଉପକାର ନିମନ୍ତେ ଯେଉଁ ଶ୍ରମ କରାଯାଇଥାଏ, ସର୍ବପ୍ରଥମେ ସେଇଥିରେ ହିଁ ବ୍ୟକ୍ତିଗତ ଯାବତୀୟ ସମ୍ବନ୍ଧ ଏବଂ ସମାଜସ୍ଥ ଜୀବନର ଆବିଷ୍କାର ସମ୍ଭବ ହୁଏ । ଜଣେ ବ୍ୟକ୍ତି ଅନ୍ୟମାନଙ୍କ ନିମନ୍ତେ କ’ଣ କରୁଛି ବା ନକରୁଛି, ସେଇଟି ସହିତ ସମଚ୍ଛନ୍ଦ ଭାବରେ ହିଁ ତା’ର ମାନବତ୍ୱର ବିକାଶ ହୁଏ । ଏପରି ଏକ ପରିବେଶ, ଯାହାକି ମୋ’ ପିଲାମାନଙ୍କ ଲାଗି ଆମ ସମାଜବାଦୀ ବାସ୍ତବତାର ଠିକ୍ ଏହି ଦିଗଟିକୁ ଉନ୍ମୋଚିତ କରିଦେଇ ପାରିବ, ମୁଁ ସେମାନଙ୍କୁ ସର୍ବପ୍ରଥମେ ସେହିଭଳି ଏକ ପରିବେଶ ମଧ୍ୟରେ ଅନୁସିକ୍ତ କରି ରଖିବା ପାଇଁ ଚିନ୍ତା କରୁଥିଲି । ଖାଲି ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ସମ୍ବନ୍ଧିତ ବିଷୟଗୁଡ଼ିକରେ ନୁହେଁ, ମାତ୍ର, ଯେଉଁ ମୂଳକଥାଟି ପାଇଁ ଜଣେ ବ୍ୟକ୍ତି ଆମ ଦେଶରେ ଜନ୍ମଲାଭ କରିଛି ଏବଂ ସେହି ବ୍ୟକ୍ତି ଜନ୍ମଭୂମି, ସମାଜ ତଥା ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଯାହାକିଛି କାର୍ଯ୍ୟ କରୁଛି, ପିଲାମାନେ ଯେପରି ସେଥିରୁ ମଧ୍ୟ ଆନନ୍ଦ ଆହରଣ କରିପାରିବେ, ମୁଁ ସେଥି ସକାଶେ ଚେଷ୍ଟା କରୁଥିଲି । ପିଲାମାନେ ଶ୍ରମରତ ମନୁଷ୍ୟମାନଙ୍କୁ ଶ୍ରଦ୍ଧା କରି ଶିଖିବେ, ଏହାକୁ ହିଁ ମନୁଷ୍ୟ ସମାଜରେ ଥିବା ଯାବତୀୟ ନୈତିକତାର ଉତ୍ସ ବୋଲି କୁହାଯିବ ।

Image

 

ଆମେ ପ୍ରକୃତିର ସଙ୍ଗୀତକୁ ଶୁଣିଲୁ

 

ସଙ୍ଗୀତ, ସ୍ୱରମାଧୁର୍ଯ୍ୟ ଓ ସାଂଗୀତିକ ଧ୍ୱନିଗୁଡ଼ିକର ସୌନ୍ଦର୍ଯ୍ୟ, ଏହି ସବୁକିଛି ଆମର ନୈତିକ ଏବଂ ବୌଦ୍ଧିକ ବିକାଶର କ୍ଷେତ୍ରରେ ଗୋଟିଏ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସାଧନ ରୂପେ କାର୍ଯ୍ୟ କରନ୍ତି । ହୃଦୟର ଉଦାରତା ଏବଂ ଆତ୍ମା ଶୁଦ୍ଧତା ପାଇଁ ଏକ ୭ମୂଳ ଉତ୍ସ ହୋଇ ରହିଥାନ୍ତି । ସଂଗୀତ ହିଁ ଆମ ଆଖିକୁ ନୈସର୍ଗିକ ସୌନ୍ଦର୍ଯ୍ୟ ଆଡ଼କୁ ଉନ୍ମୋଚିତ କରିଦିଏ, ନୈତିକ ଯାବତୀୟ ଭୂମିକୁ ଓ ଶ୍ରମ ମଧ୍ୟକୁ ଆମର ପ୍ରବେଶ ଘଟାଏ । ଯାହାକିଛି ସୂକ୍ଷ୍ମ ଓ ସୁନ୍ଦର, ସଂଗୀତ ସେଗୁଡ଼ିକର ଧାରଣାକୁ ଖାଲି ଚାରିପାଖର ପୃଥିବୀରେ ନୁହେଁ, ମାତ୍ର ଆମ ଭିତରେ ମଧ୍ୟ ଜାଗୃତ କରିଆଣେ । ଆତ୍ମପ୍ରଶିକ୍ଷଣର ଏକ ଶକ୍ତିଶାଳୀ ସାଧନ ରୂପେ ସଂଗୀତର ସର୍ବଦା ଏକ ଭୂମିକା ରହିଥାଏ ।

 

ପିଲା ବୟସରୁ ସେମାନେ ବଡ଼ ହେବାଯାଏ ସେହି ଏକା ପିଲାଙ୍କର ଆତ୍ମିକ ବିକାଶକୁ ଏକାଧିକ ବର୍ଷ ଧରି ନିରୀକ୍ଷଣ କରିବା ଦ୍ୱାରା ମୋ’ର ପୂର୍ଣ୍ଣ ପ୍ରତ୍ୟୟ ହୋଇ ଯାଇଥିଲା ଯେ, ଫିଲ୍ମ, ରେଡ଼ିଓ ଏବଂ ଟେଲିଭିଜନର ଅନିୟନ୍ତ୍ରିତ ଓ ଅସଂଗଠିତ ପ୍ରଭାବଟା ପିଲାମାନଙ୍କୁ ଯଥାର୍ଥ ସୌନ୍ଦର୍ଯ୍ୟବୋଧ ଶିକ୍ଷା ଦେବାରେ ଆଦୌ ସାହାଯ୍ୟ କରି ନଥାଏ । ବରଂ ଅଧିକାଂଶ ସମୟରେ ନାନା କ୍ଷତି ହିଁ କରିଥାଏ । ଅତିରିକ୍ତ ଏବଂ ଅନିୟନ୍ତ୍ରିତ ଭାବରେ ସଂଗୀତର ଆବେଶଗୁଡ଼ିକ ଆସି ମାଡ଼ି ବସିଥିଲେ ତଦ୍ଦ୍ୱାରା ବିଶେଷ ହାନି ହିଁ ହୁଏ । କେବଳ ପ୍ରକୃତିର ଏକ ପୃଷ୍ଠଭୂମି ଉପରେ ହିଁ ପିଲାମାନଙ୍କୁ ସଂଗୀତର ମାଧୁରୀ ଗ୍ରହଣ କରିବାକୁ ଶିକ୍ଷା ଦିଆଯିବା ଉଚିତ୍, ତେବେଯାଇ ସେମାନେ ଶାନ୍ତ ଶସ୍ୟଖେତ ଓ ପ୍ରାନ୍ତରରେ, ଓକ୍ ତୋଟାର ମର୍ମର ଶବ୍ଦରେ, ନୀଳ ଆକାଶର କେଉଁ ଚାତକପକ୍ଷୀର ଗୀତରେ, ଗହମ କ୍ଷେତରେ ଶସ୍ୟ କେଣ୍ଡାଗୁଡ଼ିକର ଧୀର ଗୁଞ୍ଜରଣରେ ଏବଂ ମହୁମାଛି ଓ ଭଅଁରଙ୍କର ଗୁଣୁଗୁଣୁ ଶବ୍ଦରେ ମଧ୍ୟ ସଂଗୀତର ସୌନ୍ଦର୍ଯ୍ୟକୁ ବୁଝିବେ ଏବଂ ଅନୁଭବ କରିପାରିବେ । ଏହି ସବୁଗୁଡ଼ିକ ହେଉଛନ୍ତି ପ୍ରକୃତିର ସଂଗୀତ, ଏବଂ ସେହି ଉତ୍ସରୁ ହିଁ ଜଣେ ବ୍ୟକ୍ତି ଏକ ସଂଗୀତର ସୃଷ୍ଟି କରିବା ପାଇଁ ପ୍ରେରଣା ଲାଭ କରିଥାଏ ।

 

ସାଧାରଣତଃ ସୌନ୍ଦର୍ଯ୍ୟବୋଧଗତ ଶିକ୍ଷାରେ ଓ ବିଶେଷ କରି ସଂଗୀତର କ୍ଷେତ୍ରରେ ଜଣେ ଶିକ୍ଷାଦାନକାରୀ ବ୍ୟକ୍ତି ପ୍ରକୃତରେ କେଉଁ ମନୋଗତ ଉଦ୍ଦେଶ୍ୟଗୁଡ଼ିକୁ ଧ୍ୟାନରେ ରଖି ପିଲାମାନଙ୍କୁ ସୌନ୍ଦର୍ଯ୍ୟର ଜଗତଟି ସହିତ ନେଇ ପରିଚିତ କରାଉଛି, ସେଗୁଡ଼ିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପିଲାମାନେ ଯେପରି ସଂବେଗର କ୍ଷେତ୍ରରେ ନିଜକୁ ସୁନ୍ଦର ସହିତ ସଂପର୍କିତ କରି ରଖିବାର ସାମର୍ଥ୍ୟଟି ଶିକ୍ଷା କରି ପାରିବେ ଏବଂ ଏକ ସୌନ୍ଦର୍ଯ୍ୟବୋଧଗତ ପ୍ରଭାବଗୁଡ଼ିକ ଲାଗି ସେମାନଙ୍କର ରହିଥିବା ପ୍ରୟୋଜନଟିକୁ ମଧ୍ୟ ଅନୁଭବ କରିପାରିବେ, ଏହା ହିଁ ମୋ’ଲାଗି ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇ ରହିଥିଲା । ଆମ ଜୀବନରେ ସୌନ୍ଦର୍ଯ୍ୟ ଏକ ଅଙ୍ଗୀଭୂତ ଅଂଶ ହୋଇ ରହିବା ଉଚିତ ଏବଂ, ଶିକ୍ଷା ଦ୍ୱାରା ହିଁ ସେହି ଲକ୍ଷ୍ୟଟିକୁ ହାସଲ କରାଯାଇଥାଏ ।

 

ଆନନ୍ଦ-ପାଠଶାଳାରେ ଆମେ ସଂଗୀତ ଶୁଣିବା ପାଇଁ ପ୍ରଭୂତ ଦୃଷ୍ଟି ଦେଉଥିଲୁ–ରଚିତ ସଂଗୀତ ତଥା ପ୍ରକୃତିର ସଂଗୀତ ଦୁଇଟିଯାକ ପାଇଁ । ଆମର ଏହି କ୍ଷେତ୍ରରେ ପ୍ରଥମ ଲକ୍ଷ୍ୟ ହୋଇ ରହିଥିଲା ଯେ, ଶୁଣୁଥିବା ସଂଗୀତ ପିଲାମାନଙ୍କର ସଂବେଗଗତ କ୍ଷେତ୍ରରେ ଏକ ଅନୁସ୍ପନ୍ଦନ ସୃଷ୍ଟି କରିବ ଓ ତା’ପରେ କ୍ରମେ ପିଲାମାନଙ୍କ ମଧ୍ୟରେ ଏହି ପ୍ରତ୍ୟୟଟିକୁ ଆଣି ଦେବ ଯେ, ଚତୁର୍ଦ୍ଦିଗର ପୃଥିବୀଟି ମଧ୍ୟରେ ରହିଥିବା ସୌନ୍ଦର୍ଯ୍ୟରେ ହିଁ ସଂଗୀତରେ ରହିଥିବା ସୌନ୍ଦର୍ଯ୍ୟର ଉତ୍ସ ନିହିତ ହୋଇ ରହିଛି; ସଂଗୀତର ଛନ୍ଦଟି ଜଣେ ମନୁଷ୍ୟକୁ ଦଣ୍ଡେ ଅଟକି ଯାଇ ପ୍ରକୃତି ମଧ୍ୟରେ ଝଙ୍କୃତ ହେଉଥିବା ସଂଗୀତକୁ ଶୁଣିବା ଲାଗି ବାହନ କରି ନେଇଯିବ,-ଏବଂ ତା’ ପରେ ସିଏ ସମଗ୍ର ଜଗତରେ ରହିଥିବା ସୌନ୍ଦର୍ଯ୍ୟକୁ ମଧ୍ୟ ଅନୁଭବ କରିବ ଓ ସେହି ସୌନ୍ଦର୍ଯ୍ୟ ଆଡ଼କୁ ଆକୃଷ୍ଟ ହୋଇ ତାହାର ବୃଦ୍ଧି ମଧ୍ୟ ଘଟାଇ ପାରିବ । ବହୁ ବର୍ଷର ଅଭିଜ୍ଞତା ଏହା ହିଁ ଦର୍ଶାଇ ଦେଉଛି ଯେ, ଜଣେ ବ୍ୟକ୍ତି କେବଳ ତା’ର ବାଲ୍ୟ ସମୟରେ ହିଁ ନିଜର ମାତୃଭାଷା ଏବଂ ସଂଗୀତର ମର୍ମକୁ ବୁଝି ପାରିବାର ଶକ୍ତିକୁ ହାସଲ କରିଥାଏ । ସଂଗୀତର ମର୍ମକୁ ବୁଝିପାରିବା କହିଲେ ଏଠାରେ ଗୋଟିଏ ସ୍ୱରଝଙ୍କାରର ସୌନ୍ଦର୍ଯ୍ୟକୁ ଗ୍ରହଣ କରିବା, ବୁଝିବା, ଅନୁଭବ କରିବା ଏବଂ ଅଙ୍ଗେ ନିଭାଇବାର ସାମର୍ଥକୁ ବୁଝାଇବ । ବାଲ୍ୟ ସମୟରେ ଯାହା ହାସଲ କରି ନଥିବ, ବୟସ ବଢ଼ିଗଲା ପରେ ତାହା ପୂରଣ କରିବା ବହୁତ କଷ୍ଟକର ହେବ । ଏପରିକି ଅସମ୍ଭବ ହୋଇ ପଡ଼ିବ । ଗୋଟିଏ ପିଲାର ଆତ୍ମା ନିଜର ମାତୃଭାଷାକୁ, ପ୍ରକୃତିରେ ରହିଥିବା ସୌନ୍ଦର୍ଯ୍ୟକୁ ଓ ସ୍ୱରର ଝଙ୍କାରକୁ ସମାନ ମାତ୍ରାରେ ହିଁ ଅନୁଭବ କରିଥାଏ । ସଂଗୀତର ସୌନ୍ଦର୍ଯ୍ୟର ଯଦି ସେହି ବାଲ୍ୟକାଳରେ ତା’ର ହୃଦୟ ମଧ୍ୟରେ ପ୍ରବେଶ କରିଥାଏ, ଯଦି ସେ ଧ୍ୱନି ଭିତରେ ରହିଥିବା ମାନବୀୟ ସଂବେଗଗୁଡ଼ିକର ନାନାବିଧ ସୂକ୍ଷ୍ମତାକୁ ଅନୁଭବ କରିପାରୁଥାଏ, ତେବେ ସିଏ ବଡ଼ ହୋଇ ସଂସ୍କୃତିର ଏପରି ଏକ ସ୍ତରକୁ ହାସଲ କରିପାରିବ, ଯାହାକି ଅନ୍ୟ କୌଣସି ପ୍ରଣାଳୀ ଦ୍ୱାରା କଦାପି ସମ୍ଭବ ହେବ ନାହିଁ । ଏକ ସ୍ୱରଝଙ୍କାରର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଦ୍ୱାରା ଗୋଟିଏ ଶିଶୁର ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ମଧ୍ୟ ତା’ଆଗରେ ଉନ୍ମୋଚିତ ହୋଇ ଯାଇଥାଏ । କ୍ଷୁଦ୍ର ବ୍ୟକ୍ତିଟି ତା’ର ନିଜ ସମ୍ମାନକୁ ମଧ୍ୟ ଉପଲବ୍ଧି କରିଥାଏ । ଜଣେ ବ୍ୟକ୍ତିକୁ ଜଣେ ସଂଗୀତଜ୍ଞ ହେବାର ତାଲିମ୍ ଦେବାକୁ ସଂଗୀତର ଶିକ୍ଷା ବୋଲି କୁହାଯିବ ନାହିଁ, ତାକୁ ଜଣେ ମନୁଷ୍ୟବ୍ୟକ୍ତି ହେବାର ଶିକ୍ଷା ଦେବା ହେଉଛି ସର୍ବପ୍ରଥମ ଉଦ୍ଦେଶ୍ୟ ।

 

ଶରତଋତୁର ପ୍ରଥମ ଦିନଗୁଡ଼ିକରେ, ଯେତେବେଳେ ସ୍ୱଚ୍ଛ ପବନ ମଧ୍ୟଦେଇ ପ୍ରତ୍ୟେକଟି ଧ୍ୱନିକୁ ସୂକ୍ଷ୍ମ ଭାବରେ ଶୁଣି ହେଉଥିଲା, ଦିନେ ଉପରବେଳା ପିଲାମାନେ ଓ ମୁଁ ସବୁଜ ଘାସ ଉପରେ ଯାଇ ବସିଥିଲୁ । ମୁଁ ପ୍ରସ୍ତାବ ଦେଲି ଯେ ଆମେ ବର୍ତ୍ତମାନ ରିମସ୍କି–କୋର୍ସାକୋଭ୍ ଲେଖିଥିବା ‘ଜାର୍ ସୁଲତାନ୍‍ଙ୍କ କାହାଣୀ’ ଗୀତିନାଟ୍ୟର “ଭଅଁରଟା ଉଡ଼ି ପଳାଇଲା” ଗୀତଟିକୁ ଶୁଣିବା । ସଂଗୀତଟି ପିଲାମାନଙ୍କର ସଂବେଗକ୍ଷେତ୍ରରେ ଅନୁସ୍ପନ୍ଦନ ସୃଷ୍ଟି କରିପାରିଲା । ସେମାନେ କହିଲେ, “ଭଅଁରଟା ପାଖକୁ ପାଖକୁ ଆସୁଛି ଓ ପୁଣି ଦୂରକୁ ଉଡ଼ି ପଳାଇଯାଉଛି । ସାନ ସାନ ଚଢ଼େଇମାନେ କିଚିରିମିଚିରି ହେଉଥିବାର ବି ଶୁଣାଯାଉଛି” ଆମେ ଗୀତଟିକୁ ଆଉଥରେ ଶୁଣିଲୁ ଏବଂ ତା’ପରେ ମହୁଭର୍ତ୍ତି ଫୁଲରେ ଭର୍ତ୍ତି ହୋଇଥିବା ଘାସ ଉପରକୁ ଗଲୁ । ପିଲାମାନେ ମହୁମାଛିମାନଙ୍କର ବୀଣାବାଦନ ଓ ଭଅଁରମାନଙ୍କର ଭଅଁ ଭଅଁ ଶବ୍ଦକୁ ଶୁଣୁଥାଆନ୍ତି । ଗୋଟାଏ ବଡ଼ ବାଳବାଳୁଆ ଭଅଁରକୁ-ସେମାନେ ଦେଖିବାକୁ ପାଇଲେ । ଭଅଁରଟି ଗୋଟିଏ ଫୁଲ ଉପରେ ଚକ୍କର କାଟି ବୁଲିଲା ଏବଂ ତା’ପରେ ତା’ଭିତରକୁ ପଶିଗଲା । ପିଲାଙ୍କର ଆନନ୍ଦ କହିଲେ ନସରେ :ଏଇଟି ରେକର୍ଡରେ ବାଜୁଥିବା ସଂଗୀତ ପରି ହିଁ ଘଟିଲା, ତଥାପି ସଂଗୀତର ସ୍ୱରଟି ଭିତରେ ଏପରି ଏକ ପ୍ରକାରର ଅସାଧାରଣ ସୌନ୍ଦର୍ଯ୍ୟ ରହିଥିଲା, ଯାହାକି ରଚୟିତା ନିଜେ ପ୍ରକୃତି ଭିତରେ ଶୁଣିଥିଲେ ଏବଂ ଆମ ପାଖକୁ ସଂଚାରିତ କରି ଦେଉଥିଲେ । ପିଲାଏ ଗୀତଟିକୁ ଆଉଥରେ ଶୁଣିବାକୁ ଇଚ୍ଛା କଲେ ।

 

ଦିନକ ପରେ ସକାଳେ ଆମେ ଏପରି ଗୋଟିଏ ଜାଗାକୁ ଗଲୁ, ଯେଉଁଠାରେ କି କେତେ କେତେ ଫୁଲ ଭର୍ତ୍ତି ହୋଇ ରହିଥିଲା । ପିଲାମାନେ ମନୋଯୋଗ ସହିତ ମହୁମାଛିମାନଙ୍କର ଶବ୍ଦକୁ ଶୁଣିଲେ ଏବଂ ରୁମରୁମିଆ ଭଅଁରର ଭଅଁଭଅଁକୁ ଧରିବାକୁ ମଧ୍ୟ ଚେଷ୍ଟା କଲେ । ସେମାନଙ୍କୁ ଆଗରୁ ଏକାନ୍ତ ମାମୁଲି ବୋଲି ମନେ ହୋଇ ଆସିଥିବା ଗୋଟାଏ ବ୍ୟାପାର ମଧ୍ୟରେ ବି ସେମାନେ ସୌନ୍ଦର୍ଯ୍ୟର ଆବିଷ୍କାର କରିବାକୁ ସମର୍ଥ ହେଲେ । ସଂଗୀତରେ ପ୍ରକୃତରେ ଏପରି ଶକ୍ତି ରହିଛି !

 

ଯେଉଁସବୁ ଗୀତରେ ପିଲାଏ ବୁଝିପାରିବା ଭଳି ସ୍ପଷ୍ଟ ଭାବରୂପମାନ ରହିଛି ଓ ସେମାନଙ୍କ ଚତୁର୍ଦ୍ଦିଗରେ ଶୁଣୁଥିବା ଧ୍ୱନିଗୁଡ଼ିକର ପୁନରୁପସ୍ଥାପନା କରୁଛି, ମୁଁ ବାଛି ବାଛି ସେହିପରି ସଂଗୀତମାନ ବଜାଇବାକୁ ଚେଷ୍ଟା କଲି: ଚଢ଼େଇମାନଙ୍କର ଚିଇଁ ଚିଇଁ ଶବ୍ଦ, ପତ୍ରମାନଙ୍କର ମର୍ମର, ଘଡ଼ଘଡ଼ିକ ଡାକ, କୌଣସି ଝରଣାର କଳକଳ ଏବଂ ପବନର ଘୁ’ ଘୁ’ । ଏହା ବ୍ୟତୀତ ମୁଁ ଦେଖୁଥିଲି, ଯେପରି ପିଲାଙ୍କର ଅବବୋଧ ଉପରେ ଏକାବେଳକେ ଗୁଡ଼ାଏ ଭାବଚିତ୍ର ଅଜାଡ଼ି ହୋଇ ନପଡ଼େ ! ମୁଁ ପୁନର୍ବାର କହିବି ଯେ, ସଂଗୀତର ବହୁସଂଖ୍ୟକ ଭାବଚିତ୍ର ପିଲାଙ୍କ ଉପରେ ଆସି ଗଦା ହୋଇ ପଡ଼ିବା ଦ୍ୱାରା ସେମାନଙ୍କର କ୍ଷତି ହୋଇଥାଏ । ଏହା ସେମାନଙ୍କୁ ବିଭ୍ରାନ୍ତିରେ ପକାଇଦେଇପାରେ ଏବଂ ସେମାନଙ୍କର ସଂବେଗଗତ ଅନୁସ୍ପନ୍ଦନକୁ ଗୋଟାସୁଦ୍ଧା ନୀରସ କରି ପକାଇପାରେ । ମୁଁ ମାସକୁ ଦୁଇଟାରୁ ଅଧିକ ସ୍ୱରର ବ୍ୟବହାର କରୁନଥିଲି,-ମାତ୍ର ସେହି ସ୍ୱରଗୁଡ଼ିକୁ ନେଇ ମୁଁ ଶିକ୍ଷାଗତ ବହୁ ଅବକାଶର ସୃଷ୍ଟି କରୁଥିଲି । ପିଲାମାନଙ୍କ ଭିତରେ ବାରବାର ସଂଗୀତ ଶୁଣିବାର ବାସନା ଜାଗୃତ କରାଇ ଆଣିବା ହିଁ ତାହାର ଅଭିପ୍ରାୟ ହୋଇ ରହିଥିଲା । ଏହିପରି ଭାବରେ ଆମେ ହୁଏତ ଏପରି ଏକ ସ୍ଥିତିରେ ଯାଇ ପହଞ୍ଚିବା, ଯେତେବେଳେ କି ପିଲାମାନେ ଗୋଟାଏ ସଂଗୀତରଚନାକୁ ଯେତେଥର ଶୁଣୁଥିବେ, ସେତେଥର ସେଥିରୁ ନୂତନ ସୌନ୍ଦର୍ଯ୍ୟର ଆବିଷ୍କାର କରି ପାରୁଥିବେ । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ସଂଗୀତକୁ ବୁଝିବାର ମୂଳ ତତ୍ତ୍ୱଗୁଡ଼ିକ ଉପରେ ଦଖଲ ଅର୍ଜନ କରିବା ଦିଗରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରୁଥିବା ସ୍ୱରଗୁଡ଼ିକୁ ଶୁଣୁଥିବା ସମୟରେ ମଝିରେ କୌଣସି ଶୃଙ୍ଖଳାହୀନ ଏବଂ ବିଭ୍ରାନ୍ତିକର ଭାବଚିତ୍ରର ସୃଷ୍ଟି କରାଯିବା ଆଦୌ ଉଚିତ ନୁହେଁ । ସ୍ୱରଟିକୁ ଶୁଣି ସାରିବା ପରେ ପିଲାମାନେ କ୍ଷେତଗୁଡ଼ିକରେ ବିରାଜିତ ରହିଥିବା ନୀରବତାକୁ ମଧ୍ୟ ଶୁଣିପାରୁଥିବେ ଏବଂ ଦୁଇଟିଯାକ ସ୍ୱରଝଙ୍କାରର ଅବରୋଧ ମଧ୍ୟରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଜାଣିବା ନିମନ୍ତେ ସମର୍ଥ ହେବେ ।

 

ଆମେ ଏକ ଓକ୍ ତୋଟା ଭିତରକୁ ଗଲୁ । ଅଦିନ ଗ୍ରୀଷ୍ମକାଳର ଖରା ଦ୍ୱାରା ଧୋଇ ହୋଇ ରହିଥିବା ଶାନ୍ତ ଦିନଟିର ପ୍ରସାର ମଧ୍ୟରେ ବିବିଧ ବର୍ଣ୍ଣର ପରିଚ୍ଛଦ ପିନ୍ଧିଥିବା ଗଛଗୁଡ଼ିକ ସୂର୍ଯ୍ୟର କିରଣରେ ଦାଉ ଦାଉ ହୋଇ ଜଳୁଥିଲେ । ଗୋଟିଏ ଟ୍ରାକ୍ଟରର ଶବ୍ଦ ସହିତ ଶରତକାଳୀନ ପକ୍ଷୀମାନଙ୍କର ଗୀତ ମଧ୍ୟ ଶୁଣିବାକୁ ମିଳୁଥିଲା । ନୀଳ ଆକାଶପଥରେ ଦଳେ ହଂସ ଉଡ଼ିଯାଉଥାନ୍ତି-। ଆମେ ସଂଗୀତକାର ଚାଇକଭୋସ୍କିଙ୍କର “ଶରତଋତୁର (ଅକ୍ଟୋବର) ଗୀତ” ଶୁଣିବାରେ ଲାଗିଥାଉ । ପିଲାମାନେ ସେମାନଙ୍କର ନିତ୍ୟପରିଚିତ ପରିପାଶ୍ୱ ମଧ୍ୟରେ ଏପର୍ଯ୍ୟନ୍ତ ଦେଖିବାକୁ ପାଇନଥିବା ସେହି ବସ୍ତୁଗୁଡ଼ିକର ଅନନ୍ୟ ସୌନ୍ଦର୍ଯ୍ୟକୁ ଅନୁଭବ କରିବା, ସେହି ସଂଗୀତଟି ଦ୍ୱାରା ସହଜ ହୋଇ ଯାଇଥିଲା । ପତ୍ରଗୁଡ଼ିକରୁ ଶାନ୍ତ ଖସ୍ ଖସ୍ ଶବ୍ଦ ଆସୁଥାଏ,–ଓକ୍ ଗଛରେ ସେମାନେ ହଳଦିଆ ପଡ଼ିଯାଇଥାନ୍ତି । ସ୍ୱଚ୍ଛ ବାୟୁର ସୁଗନ୍ଧ ଚତୁର୍ଦ୍ଦିଗକୁ ଭରି ରଖିଥାଏ । ରାସ୍ତାର ଦୁଇ ପାଖରେ ଘାସଫୁଲମାନେ ଶୁଖି ଯାଇଥାନ୍ତି ।

 

ପିଲାଙ୍କର ମନ ହରଷ ରହିଥାଏ ସତ, କିନ୍ତୁ ପ୍ରଧାନ ସଂଗୀତଟି ସେମାନଙ୍କୁ କିଞ୍ଚିତ୍ ବିଷଣ୍ଣ କରି ଦେଇଥାଏ । ସେମାନେ ଅନୁଭବ କରୁଥିଲେ ଯେ, ମେଘୁଆ ଦିନ, ଦେହକୁ କାଲୁଆ କରି ଦେଉଥିବା ବରଫଝଡ଼ ଏବଂ ଶୀଘ୍ର ସନ୍ଧ୍ୟା ହୋଇ ଆସିବାର ସମୟ କ୍ରମେ ଆସନ୍ନ ହୋଇ ଆସୁଛି । ସଂଗୀତଟି ଦ୍ୱାରା ଉତ୍ସାହିତ ହୋଇ ସେମାନେ ଗ୍ରୀଷ୍ମଋତୁର ସୌନ୍ଦର୍ଯ୍ୟ ଓ ଶରତ ସମୟର ପ୍ରଥମ ସୁନେଲି ଦିନଗୁଡ଼ିକ ବିଷୟରେ କଥାବାର୍ତ୍ତା ହେବାକୁ ଲାଗିଲେ । ପ୍ରତ୍ୟେକ ପିଲା ଅତ୍ୟନ୍ତ ସ୍ପଷ୍ଟ ଓ ଅଭିବ୍ୟକ୍ତିପୂର୍ଣ୍ଣ ଭାବରେ କିଛି ନା କିଛି ମନେ ପକାଇ ପାରୁଥିଲା ଏବଂ ସେମାନଙ୍କର କଳ୍ପନା ଆଗରେ ଗ୍ରୀଷ୍ମ ଓ ଶରତ କାଳର ଭାବରୂପମାନ ସେଗୁଡ଼ିକର ପୂର୍ଣ୍ଣ ସୌନ୍ଦର୍ଯ୍ୟରେ ଆବିର୍ଭୂତ ହେବାକୁ ଲାଗିଲେ । ଉଦାହରଣ ସ୍ୱରୂପ, ଲାରିସା କହିଲା, “ମୋ ବାପା ଓ ମୁଁ ଥରେ ଘାଟି ଆଡ଼କୁ ଯାଇଥିଲୁ । ଏ ପାଖରେ ଢାଲୁ ଅଞ୍ଚଳଟି ଗୋଟିଏ ସବୁଜ ପାଚେରୀ ପରି ଦିଶୁଥିଲା,–ଖାଲି ଜଙ୍ଗଲ ଆଉ ଜଙ୍ଗଲ ସୂର୍ଯ୍ୟର କିରଣରେ ଝଲମଲ ଦେଖାଯାଉଥିଲେ । କୋଉଠି ଗୋଟାଏ କପୋତ ଡାକିବାରେ ଲାଗିଥାଏ । ଜଙ୍ଗଲ ଭିତରଟା ପ୍ରକୃତରେ କେଡ଼େ ସୁନ୍ଦର, କେଡ଼େ ସୁନ୍ଦର ଦିଶୁଥିଲା । ....ତା’ଭିତରେ ଖାଲି ଚାଲି ଚାଲି ବୁଲିବାକୁ ମନ ହେଉଥିଲା । ଚାରିପାଖରେ କପୋତମାନେ ଏମିତି ଗୀତ ଗାଉଥିଲେ, ମନେ ହେଉଥାଏ, ସତେ ଯେପରି ଗଛଗୁଡ଼ିକର ପତ୍ରମାନେ ବି ତାକୁ ଶୁଣିବା ଲାଗି ନିଜର ସମସ୍ତ ଶକ୍ତି ଦେଇ ଶାନ୍ତ ହୋଇ ଠିଆ ହୋଇଛନ୍ତି ।”

 

ଶୂରା ମନେ ପକାଇ କହିଲା, “ମାଆ ମୋତେ ସାଙ୍ଗରେ ନେଇ ବିଲକୁ ଯାଇଥିଲା । ସିଏ କମ୍ବାଇନ୍ ପାଖରେ କାମ କରୁଥାଏ । ମୁଁ ଯନ୍ତ୍ରଟିକୁ ଚଳାଉଥିବା ମୋ’ କକାଙ୍କ ପାଖରେ ବସି ପଡ଼ିଲି । ତା’ପରେ ମୋ’ର ଶୋଇବାକୁ ଇଚ୍ଛା ହେଲା । ମାଆ ମୋତେ ନେଇ ଗୋଟାଏ ସଜ କୁଟାଗଦା ଉପରେ ଶୁଆଇ ଦେଲା । ମୁଁ ସେଇଠାରୁ ନୀଳ ଆକାଶକୁ ଅନାଇ ରହିଥାଏ ଏବଂ କୁଟାଗଦା ମାଟି ଉପରୁ ବହୁତ, ବହୁତ ଉଚ୍ଚ ହୋଇ ରହିଥାଏ । ଆକାଶରେ ଥରଥର ହେଉଥିବା ଗୋଟିଏ ଚଢ଼େଇର ମୁଁ ଖୁବ୍ ପାଖକୁ ଆସିଗଲି, ତା’ପରେ ସିଏ ମୋ’ଠାରୁ ପୁଣି ଦୂରକୁ ଉଡ଼ି ଚାଲିଗଲା । ମୋ’ ସହିତ ଝିଣ୍ଟିକାମାନେ ବି ଫଟ୍ଫଟ୍ ଉଡ଼ୁଥାନ୍ତି; ପୂରା ଦଳେ ଝିଣ୍ଟିକା ଗୀତ ଗାଉଥାନ୍ତି ଓ ଚଢ଼େଇଟାକୁ ଭେଟିବା ପାଇଁ ଡେଇଁବାରେ ଲାଗିଥାନ୍ତି । ଏହିପରି ଭାବରେ ମୋତେ ନିଦ ହୋଇଗଲା । ନିଦ ଭାଙ୍ଗିବା ପରେ ମଧ୍ୟ ଦେଖିଲି ଯେ, ଚଢ଼େଇଟି ଆକାଶରେ ଠିକ୍ ସେହିପରି ଉଡ଼ିବାରେ ଲାଗିଥାଏ । ଝିଣ୍ଟିକାମାନେ ସତେଅବା ଆହୁରି ବଡ଼ ପାଟିରେ ଗୀତ ଗାଉଥାନ୍ତି ।”

 

ଆମେ ପୁଣି ଚାଇକୋଭସ୍କିଙ୍କୁ ଶୁଣିଲୁ; ମୁଁ ଅନୁଭବ କରୁଥାଏ ଯେ ପିଲାମାନେ ସଂଗୀତଟି ମଧ୍ୟରେ ସେମାନଙ୍କ ହୃଦୟର ଅତ୍ୟନ୍ତ ନିକଟରେ ରହିଥିବା ଗ୍ରୀଷ୍ମ ଓ ଶରତର ସେହି ଅବିସ୍ମରଣୀୟ ସୌନ୍ଦର୍ଯ୍ୟର ସ୍ମୃତିଗୁଡ଼ିକୁ ହିଁ ଆବିଷ୍କାର କରି ପାରିଛନ୍ତି । ସେମାନେ ନୂତନ ସଂସ୍କରଣଗୁଡ଼ିକୁ ହିଁ ଶୁଣୁଛନ୍ତି ।

 

“ବାପା ଆଉ ମୁଁ ପାଳ ବୋଝେଇ ଶଗଡ଼ ଉପରେ ଯାଉଥିଲୁ । ମୁଁ ପାଳ ଉପରେ ଶୋଇଥାଏ ଓ ତାରାମାନେ ଆକାଶରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାନ୍ତି । କ୍ଷେତରେ ହରଡ଼ ଚଢ଼େଇମାନେ ଗୀତ ଗାଉଥାନ୍ତି ; ଏବଂ ତାରାଗୁଡ଼ିକ ହଠାତ୍ ମୋ’ର ଏତେ ପାଖକୁ ଆସିଗଲେ ଯେ ମୋ’ର ମନେ ହେଉଥାଏ, ସତେ ଯେପରି ହାତ ବଢ଼ାଇ ସେଗୁଡ଼ିକୁ ଗୋଟିଏ ସାନ ଲଣ୍ଠନ ପରି ଉଠାଇ ନେଇ ଆସିବି ।”

 

ଏହି ସଂସ୍କରଣଟି ଜିନାର । ମୁଁ ଅବାକ୍ ହୋଇ କୁନି ବୁଇଟିର କଥାଗୁଡ଼ିକୁ ଶୁଣୁଥାଏ । ସିଏ ସବୁବେଳେ କେତେ ଚୁପ୍ ହୋଇ ରହି ଆସିଥିଲା । ତା’ ପାଟିରୁ ଗୋଟିଏ ଶବ୍ଦ ବାହାର କରିବା ବି ସହଜ ନଥିଲା । ମାତ୍ର, ଏହି ସଂଗୀତ ଆସି ତା’ ମୁହଁକୁ ଖୋଲି ଦେଇଗଲା ।

 

କେଡ଼େ ଖୁସୀର କଥା ଯେ ସଂଗୀତ ଆମର ସଂବେଗଗତ ଅନୁସ୍ପନ୍ଦନକୁ ଅଧିକ ପ୍ରଗାଢ଼ କରିଦିଏ । ମୁଁ ଇଚ୍ଛା କରୁଥିଲି ଯେ, ସଂଗୀତ ଦ୍ୱାରା ପ୍ରଭାବିତ ହୋଇ ପ୍ରତ୍ୟେକ ପିଲା ସ୍ୱପ୍ନ ଦେଖୁ ଓ କଳ୍ପନାର ଚିତ୍ରଗୁଡ଼ିକୁ ତିଆରି କରିପାରୁ । ପିଲାମାନଙ୍କ ଭିତରେ ଯାହା କବିସୁଲଭ ଓ ସ୍ୱପ୍ନବତ୍ ହୋଇ ରହିଥାଏ, ସଂଗୀତ ତାହାକୁ ଗଭୀରତର କରିଥାଏ ; ଏବଂ ତାହା ହେଉଛି ଏକ ଅତ୍ୟନ୍ତ ଭଲ କଥା । ମୋତେ ଅତ୍ୟନ୍ତ ଖୁସୀ ଲାଗିଲା ଯେ କୋଲ୍ୟା ଆଉ ଟୋଲ୍ୟା ଭାବନାମଗ୍ନ ହୋଇ ଟାନ୍ୟା ଓ ଲାରିସାଙ୍କ ସଂବେଗପ୍ରେରିତ କାହାଣୀଗୁଡ଼ିକୁ ଶୁଣୁଥିଲେ । ସେମାନେ ମଧ୍ୟ କିଛି ମନେ ପକାଇବାରେ ଲାଗିଥିଲେ ।

 

ସଂଗୀତ ହେଉଛି ଭାବନାର ଏକ ଶକ୍ତିଶାଳୀ ଉତ୍ସ । ସଂଗୀତର ଆନନ୍ଦକୁ ଅଙ୍ଗେ ନିଭାଇ ନଥିବା କୌଣସି ପିଲାର କ୍ଷେତ୍ରରେ ଯଥାର୍ଥ ମାନସିକ ବିକାଶ ଆଦୌ ସମ୍ଭବ ନୁହେଁ । କେବଳ ପାରିପାର୍ଶ୍ୱିକ ପୃଥିବୀ ମଧ୍ୟରୁ ଯେ ସଂଗୀତର ଜନ୍ମ ହୋଇଥାଏ, ସେକଥା ନୁହେଁ, ତାହା ସଂପୃକ୍ତ ବ୍ୟକ୍ତିଟି ମଧ୍ୟରେ ହିଁ ଜନ୍ମ ଲାଭ କରିଥାଏ । ସାଂଗୀତିକ ଭାବରୂପଗୁଡ଼ିକ ବସ୍ତୁଗୁଡ଼ିକର ବିଶିଷ୍ଟତା ଓ ବାସ୍ତବ ପ୍ରକୃତିସତ୍ୟଗୁଡ଼ିକୁ ନୂତନ ଭାବେ ଉଦ୍‌ଘାଟିତ କରି ଆଣିଥାଏ । ପିଲାର ମନ ସଂଗୀତ ଦ୍ୱାରା ତା’ସମ୍ମୁଖରେ ନୂଆ ହୋଇ ଉଦ୍‌ଘାଟିତ ହୋଇଥିବା ବସ୍ତୁ ଏବଂ ପ୍ରକୃତିସତ୍ୟଗୁଡ଼ିକ ଉପରେ ଅଭିନିବେଶିତ ହୋଇ ରହିଥାଏ ଏବଂ ତା’ର ଭାବନାଗୁଡ଼ିକ ମଧ୍ୟ ଏକ ସ୍ପଷ୍ଟ ଚିତ୍ର ଆଙ୍କିବାରେ ସମର୍ଥ ହୁଅନ୍ତି । ଏବଂ ସେହି ଚିତ୍ର ହିଁ ଶାବ୍ଦିକ ଅଭିବ୍ୟକ୍ତିକୁ ଆମନ୍ତ୍ରିତ କରି ଆଣିଥାଏ । ପିଲା ଶବ୍ଦଗୁଡ଼ିକର ସାହାଯ୍ୟରେ ସୃଷ୍ଟି କରିପାରେ, ନୂତନ ଧାରଣା ଏବଂ ଭାବନାଗୁଡ଼ିକ ପାଇଁ ଚତୁର୍ଦ୍ଦିଗର ପୃଥିବୀରୁ ସାମଗ୍ରୀ ସଂଗ୍ରହ କରି ସିଏ ସୃଷ୍ଟି କରିବାରେ ଲାଗିଥାଏ ।

 

ସଂଗୀତ, କଳ୍ପନା, କଳ୍ପନାରେ ଚିତ୍ରନିର୍ମାଣ, ପରୀଗଳ୍ପ, ସୃଜନଶୀଳତା,–ଏହି ମାର୍ଗ ଅନୁସରଣ କରି ହିଁ ଗୋଟିଏ ଶିଶୁ ଆପଣାର ଅନ୍ତର୍ଗତ ଶକ୍ତିଗୁଡ଼ିକର ବିକାଶ କରି ଆଣିବାକୁ ସମର୍ଥ ହୁଏ । ସଂଗୀତ ଶିଶୁ ଭିତରେ ସ୍ପଷ୍ଟ ଧାରଣାଗୁଡ଼ିକୁ ଉନ୍ମେଷିତ କରାଇ ଆଣେ । ବୁଦ୍ଧିସାମର୍ଥ୍ୟର ସର୍ଜନାତ୍ମକ ଶକ୍ତିଗୁଡ଼ିକୁ ଉଚିତ ଭାବରେ ଶିକ୍ଷିତ କରାଇ ଆଣିବା ନିମନ୍ତେ ଏହା ସର୍ବୋତ୍ତମ ପ୍ରଣାଳୀ । ଏଡ୍‍ଓ୍ୱାର୍ଡ ଗ୍ରୀବ୍‍ଙ୍କ ଦ୍ୱାରା ରଚିତ ଗୋଟିଏ ସ୍ୱରଝଙ୍କାରକୁ ଶୁଣୁଥିବା ସମୟରେ ପିଲାମାନେ କୁହୁକ ଗୁମ୍ପା, ଅଗମ୍ୟ ଅରଣରାଜି ଓ ଭଲ ଓ ମନ୍ଦ ଜନ୍ତୁମାନଙ୍କର କଳ୍ପନା କରିବାକୁ ଆରମ୍ଭ କଲେ । ଏପରିକି ଯିଏ ସବୁଠାରୁ ଅଧିକ ଚୁପ୍ ରହୁଥିଲା, ସିଏ ମଧ୍ୟ କହିବାଲାଗି ଇଚ୍ଛା ପ୍ରକାଶ କଲା; ପିଲାମାନେ ହାତ ବଢ଼ାଇ ନିଜ ନିଜ ପେନ୍‍ସିଲ ଓ ଡ୍ରଇଁ କାଗଜ ଖୋଜିବାକୁ ବାହାରିଲେ, ସେମାନେ ପରିକାହାଣୀ ସଦୃଶ ଏହି ପ୍ରତିରୂପଗୁଡ଼ିକୁ କାଗଜ ଉପରେ ସାକାର କରି ରଖିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ସବୁଠାରୁ ଅଧିକ ନିର୍ଜୀବ ପିଲାଙ୍କ ଭିତରେ ମଧ୍ୟ ସଂଗୀତ ଭାବନାର ସାମର୍ଥ୍ୟକୁ ଜାଗୃତ କରି ଆଣିଲା । ମନେହେଲା, ସତେ ଯେପରି ସଂଗୀତ ମସ୍ତିଷ୍କର କୋଷଗୁଡ଼ିକ ଉପରେ କୌଣସି ଏକ ପ୍ରକାରର କୁହୁକ ଶକ୍ତିକୁ ଆଣି ସଜାଡ଼ି ଦେଇ ଯାଇଛି । ସଂଗୀତର ପ୍ରଭାବଦ୍ୱାରା ବୁଦ୍ଧିଗତ ସାମର୍ଥ୍ୟଟି ମଧ୍ୟ କିପରି ବିକଶିତ ହୋଇ ଆସିଥାଏ, ମୁଁ ତାହାରି ମଧ୍ୟରେ ଭାବନାର ସଂବେଗୀ ଉତ୍ସଟିକୁ ଦେଖି ପାରୁଥିଲି ।

 

ଶୀତର ଦିନମାନଙ୍କରେ ଯେତେବେଳେ ବରଫ ପଡ଼ି ଆମର ସମସ୍ତ ରାସ୍ତା ପୋତି ହୋଇ ଯାଉଥିଲା, ଆମେ ସେତେବେଳେ ପାଠଶାଳାର କୋଠରୀ ଭିତରେ ବସି ଚାଇକୋଭସ୍କି, ଗ୍ରୀଗ୍, ଶୁବେଆର୍ଟ୍ ଓ ଶୁମାନ୍‌ଙ୍କର ରଚିତ ସଂଗୀତଗୁଡ଼ିକ ଶୁଣୁଥିଲୁ । ଗୋଧୂଳି ସମୟରେ ପରୀକାହାଣୀର ସେହି ସ୍ୱର ଝଙ୍କାରଗୁଡ଼ିକୁ ଶୁଣି ପିଲାମାନେ ବିଶେଷ ଭାବରେ ବେଶୀ ଆନନ୍ଦ ପାଉଥିଲେ । ସେମାନଙ୍କୁ ମୁଁ ୟୁକ୍ରେନ୍‌ର ଲୋକଗଳ୍ପଟି ଭିତରେ ଥିବା ବାବାୟାଗା ନାମକ ଦୁଷ୍ଟ ଡାଆଣୀର କଥା କହିଲି ଓ ତା’ପରେ ଆମେ ଚାଇକୋଭସ୍କିଙ୍କର ‘ବାବାୟାଗା’ ରଚନାଟିକୁ ଶୁଣିଲୁ । ସେହି ରଚନାର ପ୍ରଭାବରେ ଯେଉଁସବୁ ଅଦ୍ଭୁତ ଚିତ୍ରରୂପ ଓ ଧାରଣାମାନ ଜନ୍ମଲାଭ କରିଥିଲା, ତାହାର ଐଶ୍ଚର୍ଯ୍ୟଟିକୁ ଆଦୌ କୌଣସି ଶବ୍ଦ ଦେଇ ବର୍ଣ୍ଣନା କରି ହେବନାହିଁ । ପିଲାମାନେ ନିଜ ନିଜ ସ୍ୱପ୍ନ ଉପରେ ଆରୋହଣ କରି ଅରଣ୍ୟଗୁଡ଼ିକର ନୀଳ ସାଗରର ସେପାଖରେ କେତେ ଦୂରରେ ଯାଇ ଅବସ୍ଥିତ ରହିଥିବା ପାହାଡ଼ ଗୁଡ଼ିକରେ ପହଞ୍ଚିଗଲେ । କେତେ କେତେ କୁହୁକପୂର୍ଣ୍ଣ ଗୁହା ଏବଂ ଗର୍ତ୍ତ ଭିତରେ ଯାଇ ପହଞ୍ଚିଗଲେ । ସେଥିରୁ ସେମାନେ ଯେଉଁ ଏକାନ୍ତ ଅବିଶ୍ୱାସ୍ୟ କାହାଣୀସବୁ ବନାଇ ମୋ’ ଆଗରେ କହିଲେ, ମୁଁ ଅବାକ୍ ହୋଇ ସେଗୁଡ଼ିକୁ ଶୁଣୁଥିଲି । ସେଥିରୁ କେତୋଟିକୁ ମୁଁ ମୋ’ଜୀବନଯାକ ମନେ ରଖି ଆସିଛି । ୟୁରାର କଳ୍ପନାରେ, ଦୁଷ୍ଟ ଡାଆଣୀ ବାବାୟାଗା ଗୋଟାଏ ମାନବଦ୍ୱେଷୀରେ ପରିଣତ ହୋଇଗଲା ଏବଂ ମନୁଷ୍ୟମାନଙ୍କର ଆନନ୍ଦରେ ବାଧା ସୃଷ୍ଟି କଲା,-ଗୀତଗୁଡ଼ିକୁ ମଧ୍ୟ ହଲଚଲ୍ କରିଦେଲା । “ଗୋଟାଏ ବଡ଼ ପାତ୍ର ନେଇ ସିଏ ନିଜ ଢିଙ୍କିଟା ଉପରେ ଯାଇ ବସିଲା । (ପାରମ୍ପରିକ ଝାଡ଼ୁ ଉପରେ ନବସି ବାବାୟାଗା ଗୋଟିଏ ଢିଙ୍କି ଉପରେ ବସୁଥିଲା) ଏବଂ ତା’ପରେ ସାରା ପୃଥିବୀରେ ଉଡ଼ି ବୁଲିଲା । ଗୋଟିଏ ଗୀତ ଆସି ତା’ କାନରେ ବାଜିବା ମାତ୍ରକେ ସିଏ, ଗୀତଟି ଯେଉଁଠାରୁ ଆସୁଥିଲା ଓ ଲୋକମାନଙ୍କୁ ଆନନ୍ଦ ଦେଉଥିଲା, ସେହି ଜାଗାକୁ ଉଡ଼ି ଚାଲିଗଲା, ଢିଙ୍କିଟା ଦେଇ ପାତ୍ରଟାକୁ ବଜାଇବାକୁ ଲାଗିଲା ; ଲୋକମାନେ ଏକାବେଳେକେ ତୁନି ପଡ଼ିଗଲେ ; ଡାଆଣୀଟା ତା’ର ପାତ୍ର ଭିତରେ ଗୀତକୁ ଲୁଚାଇ ଦେଇଥିବାରୁ ଲୋକମାନେ ଗୀତ ଗାଇବାକୁ ବି ଭୁଲିଗଲେ । ଏହିପରି ଭାବରେ ବାବାୟାଗା ସବୁ ଗୀତକୁ ଲୁଚାଇ ରଖିଲା । ସାରା ପୃଥିବୀ ଭିତରେ କେବଳ ଗୋଟିଏ କୁନି ମେଣ୍ଢାଜଗୁଆଳ ବାଳକ ଗୀତ ଗାଉଥିଲା । ନିଜ ବଇଁଶୀଟିକୁ ବଜାଇ ସିଏ ଗୀତ ଗାଇବାରେ ଲାଗିଥାଏ । ଢିଙ୍କିଟାକୁ ବୁଢ଼ୀ ଡାଆଣୀ ପାତ୍ରଟା ଉପରେ ନେଇ ଯେତେ ପିଟିଲା ପଛକେ, ତା’ଗୀତକୁ ମୋଟେ ବନ୍ଦ କରିପାରିଲା ନାହିଁ । ବାଳକଟିର ବଇଁଶୀ ଏକ କୁହୁକ ବଇଁଶୀ ଥିଲା । ତେଣୁ, ଦୁଷ୍ଟ ବାବାୟାଗା ମନ ମାରି ବସିଲା, ତେଣେ ତା’ପାତ୍ର ଭିତରେ ସବୁଯାକ ଗୀତ ଭର୍ତ୍ତି ହୋଇ ରହିଥାଏ । ତମାମ୍ ପୃଥିବୀ ଥିର ରହିଥାଏ; କେହି ଗାଉ ନଥାନ୍ତି, ଖୁସୀ ବୋଲି କେଉଁଠି କିଛି ନଥାଏ । କେବଳ ଏହି ମେଣ୍ଢାଜଗୁଆଳ ପିଲାଟା ଯାହା ବଇଁଶୀ ବଜାଇ ଗୀତ ଗାଉଥାଏ । ସିଏ ବି ନିଦରେ ଶୋଇ ପଡ଼ିଲା । ବାବାୟାଗା ତା’ବଇଁଶୀଗୁଡ଼ିକୁ ଚୋରୀ କରି ନେଇଗଲା । ନିଦରୁ ଉଠି ପିଲାଟି ତା’ ସାହସୀ ସାଙ୍ଗମାନଙ୍କୁ ଏକାଠି କରି ବାବାୟାଗା ପାଖକୁ ବାହିରିଲା ।” ତାପରେ ୟୁରା ତା’ବନାଇଥିବା ଗପଟିରେ, ପିଲାଟି କିପରି ଗୀତମାନଙ୍କୁ ମୁକ୍ତ କରି ଆଣିଲା ଓ ଲୋକମାନେ କିପରି ପୁଣି ଖୁସୀ ହେଲେ, ସେହି କଥା ବର୍ଣ୍ଣନା କରିଥିଲା । ଅତି ଆଶ୍ଚର୍ଯ୍ୟ ଲାଗୁଛି ଯେ, ସଂଗୀତର ପ୍ରଭାବରେ ଗୋଟିଏ ଶିଶୁ ପରୀଗପର ଜନ୍ତୁମାନଙ୍କର ଯେଉଁ ଚିତ୍ରରୂପଗୁଡ଼ିକୁ ତିଆରି କରେ, ସେଗୁଡ଼ିକ କିପରି ଏତେ ଅଧିକ ସ୍ପଷ୍ଟ ହୋଇଥାନ୍ତି, କିପରି ସେଥିରେ ଭଲ ଓ ମନ୍ଦର ପ୍ରତୀକମାନେ ଅଲଗା ଅଲଗା ବାରି ହୋଇ ଯାଆନ୍ତି ଏବଂ ନ୍ୟାୟପ୍ରତିଷ୍ଠାର ସଂଗ୍ରାମରେ ଶିଶୁଟି ନିଜେ ମଧ୍ୟ ଗୋଟିଏ ଅଂଶଗ୍ରହଣକାରୀର ଭୂମିକାରେ ରହିଥିବା ପରି ମନେ ହେଉଥାଏ । ସଂଗୀତ ପରୀକାହାଣୀର ଚିତ୍ରରୂପଗୁଡ଼ିକୁ ଜୀବନ୍ତ ଓ ସ୍ପନ୍ଦନଯୁକ୍ତ ହୃଦୟମାନ ଆଣି ଦେଇଥାଏ, ଥରଥର ଭାବନାଗୁଡ଼ିକୁ ମଧ୍ୟ ଜୀବନ୍ତ କରିଦିଏ । ସଂଗୀତ ପିଲାକୁ ଭଲର ପୃଥିବୀ ଭିତରେ ଆଣି ପହଞ୍ଚାଇ ଦିଏ ।

 

ପିଲାମାନଙ୍କର ଭାବନା ଭିତରେ ମୁଁ ଯେତେବେଳେ କୌଣସି ନିର୍ଜୀବତା ଆସି ପଶି ଯାଇଥିବାର ଲକ୍ଷ୍ୟ କରିପାରୁଥିଲି, ସେତେବେଳେ ସେମାନଙ୍କୁ ଓକ୍ ତୋଟା ଆଡ଼କୁ ବା ବଗିଚାକୁ ନେଇ ଯାଉଥିଲି, ସେଠାରେ ବସି ଆମେ ସଂଗୀତ ଶୁଣୁଥିଲୁ । ଏବଂ ସଂଗୀତ ଭଲ ଓ ମନ୍ଦ ବିଷୟରେ ସ୍ପଷ୍ଟ ପ୍ରତିରୂପଗୁଡ଼ିକୁ ଜାଗୃତ କରି ଆଣୁଥିଲା । ସଂଗୀତ ସତେଅବା ଭାବନାର ଝରଗୁଡ଼ିକୁ ଉନ୍ମୋଚିତ କରି ଦେଇ ଯାଉଥିଲା ।

 

ସେହି ଶୀତକାଳରେ ଆମ ସ୍କୁଲରେ ଆମେ ନୂଆ ନୂଆ ଅଧିକରୁ ଅଧିକ ସ୍ୱପ୍ନଚାରୀମାନଙ୍କୁ ଆବିଷ୍କାର କରିଥିଲୁ । କୁନି ଡାନ୍ୟା ଏତେ ବେଶୀ ଲାଜ କରୁଥିଲା ଯେ, ଯେତେ ଚେଷ୍ଟା କଲେ ମଧ୍ୟ ତା’ ପାଟିରୁ କଥାଟିଏ ବାହାରୁ ନଥିଲା । ମାତ୍ର ସିଏ ମଧ୍ୟ ବାବାୟାଗା ବିଷୟରେ ତାର ନିଜ କାହଣୀଟିକୁ କହି ବସିଲା । ହଁ, ସେଇଟା ଅନେକ ପରିମାଣରେ ୟୁରା କହିଥିବା କାହାଣୀଟି ପରି ଶୁଭୁଥିଲା ସତ, ମାତ୍ର ଡ୍ୟାନାର ଗପରେ ବାବାୟାଗା ବିଷୟରେ ତାର ନିଜ କାହାଣୀଟିକୁ କହି ବସିଲା । ହଁ, ସେଇଟା ଅନେକ ପରିମାଣରେ ୟୁରା କହିଥିବା କାହାଣୀଟି ପରି ଶୁଭୁଥିଲା ସତ, ମାତ୍ର ଡାନ୍ୟାର ଗପରେ ବାବାୟାଗା ତା’ଢିଙ୍କିରେ ବସି ସାରା ପୃଥିବୀଯାକ ଉଡ଼ିଲା ଏବଂ ସବୁଯାକ ଫୁଲକୁ ତୋଳି ନେଇଥିଲା । ନିଜର ଭୟଙ୍କର ରୋଷେଇଶାଳକୁ ମଧ୍ୟ ଉଡ଼ିଯାଇ ହାଣ୍ଡିଟାକୁ ଚୁଲି ଉପରେ ବସାଇ ଦେଲା । ଫୁଲଗୁଡ଼ିକୁ ରାନ୍ଧି ରାନ୍ଧି ମାରିଦେଲା । “ମାତ୍ର ମୁଁ”–ପିଲା ଅନେକ ସମୟରେ ନିଜକୁ ହିଁ ନିଜ ଗପରେ ଉଦ୍ଧାରକାରୀ ବୀର ରୂପେ ତିଆରି କରି ରଖିଥାଏ । “ସବୁ ଫୁଲରୁ ମଞ୍ଜି ଆଣି ପୃଥିବୀରେ ଲଗାଇ ଦେଲି । ଫୁଲମାନେ ପୁଣି ଫୁଟିଲେ । ବାବାୟାଗା ଏକଥା ଜାଣିବା ପରେ ହିଂସାରେ ତା’ଢିଙ୍କି ଓ କୁକୁଡ଼ାହାଡ଼କୁ ପିଟି ପିଟି ଚୁନା କରିଦେଲା । ତେଣୁ ସିଏ ବର୍ତ୍ତମାନ ଆଉ କାହାରି କୌଣସି ଅନିଷ୍ଟ କରିପାରିବ ନାହିଁ ।”

 

ଏସବୁ କାହାଣୀ ପରେ ମୁଁ ଶିକ୍ଷକମାନଙ୍କ ସହିତ ଶିକ୍ଷାର ଅସୁବିଧା ଓ ଅସମ୍ପୂର୍ଣ୍ଣତାଗୁଡ଼ିକ ବିଷୟରେ ଆଲୋଚନା କରିଥିଲି । ଆମେ ସମସ୍ତେ ସେହି ଗୋଟିଏ ସିଦ୍ଧାନ୍ତରେ ଆସି ପହଞ୍ଚିଥିଲୁ: ଆମର ଶିକ୍ଷା ଗୋଟିଏ କଥାକୁ ଏକାବେଳେକେ ଭୁଲି ଯାଇଛି ଯେ, ପିଲା ଯେତୋଟି ବର୍ଷ ସ୍କୁଲରେ ପଢ଼ୁଛି, ତା’ର ବେଶ୍ ଅଧେ ସମୟ ପାଇଁ ସିଏ ହେଉଛି ସର୍ବପ୍ରଥମେ ଗୋଟିଏ ପିଲା । ଅନେକ ସମୟରେ ପିଲାର ମୁଣ୍ଡ ଭିତରକୁ ଗଡ଼ାଏ ତଥ୍ୟ, ଅବବୋଧ ଓ ସିଦ୍ଧାନ୍ତ ଆଣି ଖୁନ୍ଦି ହେବା ବେଳେ ଶିକ୍ଷକ ପିଲାକୁ ଭାବନା ଏବଂ ଜୀବନ୍ତ ଶବ୍ଦଗୁଡ଼ିକର ଯଥେଷ୍ଟ ନିକଟବର୍ତ୍ତୀ ହେବାକୁ ମୋଟେ ସମୟ ହିଁ ଦେଉନାହିଁ । ସ୍ୱପ୍ନ, କଳ୍ପନା ଏବଂ ସୃଜନାତ୍ମକତା, ସିଏ ଏହି ଡେଣାଗୁଡ଼ିକୁ ଏକାବେଳେକେ ବାନ୍ଧି ପକାଉଛି । ପିଲାକୁ ବାଧ୍ୟ ହୋଇ ଏକ ଜୀବନ୍ତ, ସକ୍ରିୟ ଏବଂ ବାସ୍ତବ ପ୍ରାଣୀଟିଏ ନହୋଇ ତଥାକଥିତ ଘୋଷି ମନେ ରଖିବାକୁ ସହାୟକ ରୂପେ ଗ୍ରହଣ କରିବାକୁ ପଡ଼ୁଛି । ଏପରି ହେବା ଉଚିତ ନୁହେଁ । ପଥରର ପାଚେରୀମାନ ଉଠାଇ ଆମେ ପିଲାମାନଙ୍କୁ କଦାପି ସେମାନଙ୍କ ଚତୁର୍ଦ୍ଦିଗରେ ଥିବା ପୃଥିବୀଠାରୁ ବିଚ୍ଛିନ୍ନ କରି ରଖିବା ନାହିଁ । କୌଣସି ଛାତ୍ରକୁ ଆତ୍ମିକ ଜୀବନର ବହୁବିଧ ଆନନ୍ଦରୁ ବଞ୍ଚିତ କରି ରଖିବା ନାହିଁ । ପିଲା ଯେତେବେଳେ ଖେଳ, ପରୀଗପ, ସଂଗୀତ, କଳ୍ପନା ଏବଂ ସୃଜନଶୀଳତାର ଜଗତଟି ମଧ୍ୟରେ ବାସ କରୁଥାଏ, କେବଳ ସେତିକିବେଳେ ହିଁ ସିଏ ଏକ ଯଥାର୍ଥ ଆତ୍ମିକ ଜୀବନ ଭିତରେ ରହିଥାଏ । ଏସବୁ ବ୍ୟତୀତ ସିଏ କେବଳ ଗୋଟିଏ ଶୁଖିଲା ଫୁଲ ପରି ହୋଇଯାଏ ।

 

କହିବା ବାହୁଲ୍ୟ ଯେ, ଅଧ୍ୟୟନକୁ ଆମେ ଏପରି ଏକ ସରଳ କ୍ରିୟାରେ ପରିଣତ କରି ଦେଇ ପାରିବା ନାହିଁ, ଯେଉଁଥିରେ ଖାଲି ସୁଖ ହିଁ ରହିଥିବ । ଅଧ୍ୟୟନକୁ ସର୍ବପ୍ରଥମେ ଏକ ଉଦ୍ୟମ ଓ ପରିଶ୍ରମ ବୋଲି ହିଁ କୁହାଯିବ । ମାତ୍ର, ସେହି ଉଦ୍ୟମଟିକୁ ସୁସଂଗଠିତ କରିବାକୁ ହେଲେ ଆମକୁ ପିଲାର ବୌଦ୍ଧିକ, ନୈତିକ, ସଂବେଗଗତ ଏବଂ ସୌନ୍ଦର୍ଯ୍ୟବୋଧଗତ ବିକାଶର ପ୍ରତ୍ୟେକ ସୋପାନରେ ତା’ର ଅନ୍ତର୍ଜଗତଟିର ଖବର ମଧ୍ୟ ରଖିବାକୁ ପଡ଼ିବ । ପିଲାମାନଙ୍କର ବୌଦ୍ଧିକ ଶ୍ରମ ବୟସ୍କମାନଙ୍କର ବୌଦ୍ଧିକ ଶ୍ରମଠାରୁ ଭିନ୍ନ ପ୍ରକାରର । ପିଲାର ଜୀବନରେ, ଜଣେ ବୟସ୍କଠାରୁ ଏହିଠାରେ ତା’ର ଏକି ଭିନ୍ନତା ରହିଛି–ଜ୍ଞାନଗ୍ରହଣ ରୂପକ ଚୁଡ଼ାନ୍ତ ଉଦ୍ଦେଶ୍ୟଟିକୁ କଦାପି ତା’ର ବୁଦ୍ଧିସ୍ତରୀୟ ପ୍ରୟାସଗୁଡ଼ିକର ପ୍ରଧାନ ଉତପ୍ରେରକ ବୋଲି କହି ହେବନାହିଁ । ଶିକ୍ଷା କରିବାର ଆଗ୍ରହର ଉତ୍ସଟି ପିଲାର ମାନସିକ ଶ୍ରମର ସ୍ୱାଭାବିକ ପ୍ରକୃତିଟିରେ, ଭାବନାଗୁଡ଼ିକର ସଂବେଗୀ ଅନୁରଞ୍ଜନ ମଧ୍ୟରେ ଓ ତା’ର ବୁଦ୍ଧିକ୍ଷେତ୍ରର ଅଭିଜ୍ଞତାଗୁଡ଼ିକରେ ଯାଇ ବିଦ୍ୟମାନ ରହିଥାଏ । ଯଦି ସେହି ଉତ୍ସଟି ଶୁଷ୍କ ହୋଇଯିବ, ତେବେ ଯେତେ ବାଧ୍ୟ କରି ମଧ୍ୟ ଗୋଟିଏ ପିଲାକୁ ବହି ଧରି କଦାପି ବସାଇ ହେବନାହିଁ ।

 

ଆନନ୍ଦ-ପାଠଶାଳାର ସେହି ପ୍ରଥମ ଶୀତଋତୁଟିକୁ ମୁଁ ମୋଟେ ଭୁଲି ପାରିବ ନାହିଁ । ଯଦି ସେଠାରେ ସଂଗୀତ ନଥାନ୍ତା, କଳ୍ପନାର ଖେଳ ଅଥବା ସୃଜନଶୀଳତା ନଥାନ୍ତା, ତେବେ ଆମର ନାନା ଉଷ୍ମ ଭାବନା ଦ୍ୱାରା ପରିପୂର୍ଣ୍ଣ ଆରାମଦାୟକ ଶ୍ରେଣୀଗୃହଟି ଅଚିରେ ଏହି ଶିରଃପୀଡ଼ାରେ ପରିଣତ ହୋଇ ଯାଇଥାନ୍ତା । ସଂଗୀତ ହିଁ ଆମ ଚାରିପାଖରେ ରହିଥିବା ପୃଥିବୀଟିକୁ ଏକ ବିସ୍ମୟକାରୀ ମନୋରମତାରେ ପୂର୍ଣ୍ଣ କରି ରଖିଥିଲା । ଜାନୁୟାରୀ ମାସ ସନ୍ଧ୍ୟାଗୁଡ଼ିକରେ, ଝଡ଼ ଓ ଘୂର୍ଣ୍ଣିବାତ୍ୟାଗଡ଼ିକ ମଧ୍ୟରେ ବରଫ ହୋଇ ବସି ଯାଇଥିବା ପୋଖରୀଗୁଡ଼ିକର ଫଟପଟ ଶବ୍ଦରେ, - ଆମେ ସର୍ବତ୍ର ପରୀଗପର ଆକାରଗୁଡ଼ିକୁ ହିଁ ଦେଖି ପାରୁଥିଲୁ; ସେମାନେ ଆମ କଳ୍ପନାଗୁଡ଼ିକ ମଧ୍ୟରେ ସର୍ବଦା ଆବିର୍ଭୂତ ହୋଇ ଆସୁଥିଲେ ।

 

ଆନନ୍ଦ–ପାଠଶାଳାରେ ପ୍ରଥମ ବସନ୍ତ ଋତୁ ଆସି ପହଞ୍ଚିଲା । କ୍ଷୁଦ୍ର ଝରଣାଗୁଡ଼ିକ କୁଳୁକୁଳୁ ଶବ୍ଦ କଲେ, ହଳଦୀ ଓ ବାଇଗଣୀ ରଙ୍ଗର ଫୁଲମାନେ ଫୁଟିବାକୁ ଆରମ୍ଭ କଲେ ଏବଂ ଆପଲ୍‌ ଓ ନାସ୍ପାତି ଗଛର କାନ୍ଦି କାନ୍ଦି ଧଳା ଫୁଲ ଭିତରୁ ମହୁମାଛିମାନଙ୍କର ଗୁଣୁଗୁଣୁ ଶବ୍ଦ ଶୁଣାଗଲା । ଆମେ ବସନ୍ତ କାଳର ଅରଣ୍ୟ, ନୀଳ ଆକାଶ ଏବଂ ପଡ଼ିଆ ଓ ତୃଣଭୂମିଗୁଡ଼ିକର ଗୀତ ଶିଖିବାରେ ଲାଗିଲୁ ।

 

ସଜ ସଞ୍ଜର ଶାନ୍ତ ମୂହୁର୍ତ୍ତଗୁଡ଼ିକରେ ଆମେ ପଡ଼ିଆ ଆଡ଼କୁ ବୁଲି ଯାଉଥିଲୁ । ଆମେ ସମ୍ମୁଖରେ ଗୋଟାଏ ଭାବନାମଗ୍ନ ଉଇଲୋ ଗଛ କୋମଳ ପତ୍ରଗୁଚ୍ଛ ମେଲାଇ ଦେଇ ଠିଆ ହୋଇଥାଏ ଏବଂ ପୋଖରୀ ଭିତରେ ଅସୀମ ଆକାଶର ପ୍ରତିଫଳନଗୁଡ଼ିକ ଦେଖାଯାଉଥାଏ । ପରିଷ୍କାର ନୀଳବର୍ଣ୍ଣ ଆକାଶରେ ଦଳେ ହଂସ ଉଡ଼ି ଚାଲିଗଲେ । ସେହି ସୁନ୍ଦର ସନ୍ଧ୍ୟାର ସଂଗୀତକୁ ଆମେ ଅଭିନିବିଷ୍ଟ ହୋଇ ଶୁଣୁଥାଉ । ହଠାତ୍ ପୋଖରୀର ଗୋଟିଏ ଥାନରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଶବ୍ଦ ଆସି ଆମ କାନରେ ପଡ଼ିଲା, ସତେ ଯେପରି କେହି କୌଣସି ପିଆନୋର ଘରାଗୁଡ଼ିକୁ ଥିରିଥିରି ବଜାଇବାରେ ଲାଗିଥିଲା । ପୋଖରୀ, ପୋଖରୀ କୂଳ ଓ ଆକାଶ, ସତେ ଯେପରି ସବୁଠାରେ ସେହି ଶବ୍ଦର ପ୍ରତିଧ୍ୱନି ହେଉଥିଲା । ଭାନ୍ୟା ଫୁସ୍‍ଫୁସ୍ କରି ପଚାରିଲା, ଏଇଟା ପୁଣି କି ଶବ୍ଦ ଶୁଭୁଛି ?” ମୁଁ ପିଲାମାନଙ୍କୁ ଉତ୍ତର ଦେଲି, “ଇଏ ହେଉଛି ବସନ୍ତ କାଳର ପଡ଼ିଆମାନଙ୍କର ସଂଗୀତ । ତୁମେମାନେ ପୋଖରୀ ଭିତରେ ନୀଳ ଆକାଶର ପ୍ରତିଫଳନକୁ ଦେଖି ପାରୁଥିବ । ପୋଖରୀରେ କେତେ ଗଭୀରରେ ସ୍ପଟିକରେ ତିଆରି ହୋଇଥିବା ଗୋଟିଏ ପ୍ରକାଣ୍ଡ ଘଣ୍ଟା ରହିଛି । ସେହିଠାରେ ଗୋଟିଏ ଅଦ୍ଭୁତ ଜାଗାରେ ସୁନ୍ଦରୀ କନ୍ୟା ବାସ କରୁଛି । ତା’ନାଆଁ ବସନ୍ତ । ସ୍ପଟିକ ତିଆରି ଘଣ୍ଟାଟିକୁ ସେ ସୁନା ହାତୁଡ଼ିରେ ପିଟୁଛି ଏବଂ ସେହି ଶବ୍ଦ ଆସି ପଡ଼ିଆ ଯାକ ଖେଦି ଯାଉଛି ।”

 

ସେହି ଶବ୍ଦ ପୁନର୍ବାର ଶୁଭିଲା । କୋଲ୍ୟା ମୁରୁକି ହସି କହିଲା, “ହଁ ହଁ ଗୋଟାଏ ବେଙ୍ଗ ବୋବାଉଛି ।” ମୋ’ର ଭୟ ହେଉଥାଏ ଯେ, ସମସ୍ତେ ଫେଁ କରି ହସିଦେବେ ଏବଂ ଯେଉଁ ସମ୍ମୋହନଟି ସମସ୍ତଙ୍କୁ ଯାବୁଡ଼ି ଧରିଥିଲା, ସେଇଟି ଅନ୍ତର୍ହିତ ହୋଇଯିବ । ମାତ୍ର, କେହି ଗୋଟିଏ ଶବ୍ଦ ବି ଉଚ୍ଚାରଣ କଲେ ନାହିଁ । ସାଶା ତା’ପରେ କହିଲା, “ହଁ, ଗୋଟାଏ ବେଙ୍ଗ ହୋଇପାରେ, ହୁଏତ ବେଙ୍ଗ ନହୋଇ ବି ପାରେ । ତେଣୁ, ଯଦି ବେଙ୍ଗ ହୋଇଥାଏ, ତେବେ ହେଉ । ପଡ଼ିଆ ତଥାପି ଗୀତ ଗାଉଛି ।”

 

ସତେଅବା ତା’କଥାଗୁଡ଼ିକର ଜବାବ ଦେଲା ପରି ଶବ୍ଦଟି ଆଉଗୋଟିଏ କୌଣସି ସ୍ଥାନରେ ପାଖରେ ଥିବା ଗୋଟିଏ ପୋଖରୀ ଉପରେ ବାଜିବାକୁ ଆରମ୍ଭ କଲା ଏବଂ କେତେ ସେକେଣ୍ଡ ପରେ ବହୁ ଦୂରରେ ଥିବା ପଡ଼ିଆରୁ ତାହାର ଧ୍ୱନି ଶୁଣାଗଲା । ବସନ୍ତ ଋତୁର ସେହି ପ୍ରାନ୍ତରଗୁଡ଼ିକର ସେହି ବିସ୍ମୟକାରୀ ସଂଗୀତ ଦ୍ୱାରା ଆମେ ସମ୍ମୋହିତ ହୋଇ ଛିଡ଼ା ହୋଇଥାଉ । ଏହି ସଂଗୀତଟି ଏକ ଆଶାବାଦୀ ବିଶ୍ୱଦୃଷ୍ଟିର ସତେଅବା ଜୀବନପ୍ରଦାନକାରୀ ଉତ୍ସଟିଏ ହୋଇ ରହିଥିଲା । ଏହା ପିଲାମାନଙ୍କୁ ବୁଝିବାରେ, ଆବିଷ୍କାର କରିବାରେ ଏବଂ ସୌନ୍ଦର୍ଯ୍ୟ ଅଛି ବୋଲି ଜାଣି ପୁଲକ ଅନୁଭବ କରିବାରେ ସାହାଯ୍ୟ କରୁଥିଲା । ସୌନ୍ଦର୍ଯ୍ୟର ସୌଷମ୍ୟ କହିଲେ ମୁଁ ସେଇ ଉଜ୍ଜ୍ୱଳ ପ୍ରଭାମଣ୍ଡଳକୁ ବୁଝିଥାଏ, ଯାହାକି ଶୈଶବର ସେହି ଅବିସ୍ମରଣୀୟ ଦିନଗୁଡ଼ିକର ସ୍ମୃତିକୁ ଘେରି କରି ରହିଥାଏ ।

 

ପୁରାତନ ସମାଧି ସ୍ତୁପଗୁଡ଼ିକ ଖରାରେ ଝଲମଲ ହେଉଥିବା ଏପ୍ରିଲ୍ ମାସର ସେହି ପ୍ରଥମ ସୂର୍ଯ୍ୟକିରଣ ବିଛାଡ଼ି ହୋଇ ପଡ଼ିଥିବା ଦିନଟିରେ ଆମେ ଚାତକ ପକ୍ଷୀର ଗୀତ ଶୁଣିବାକୁ ତୃଣଭୂମି ଆଡ଼େ ବାହାରି ଯାଇଥିଲୁ, ଏବଂ ସେଠାରେ ନୀଳ ଆକାଶରେ କମ୍ପି ଉଠୁଥିବା ଏକ କ୍ଷୁଦ୍ର ଧୂସର ଝଙ୍କାଏ ଜୀବନକୁ ଦେଖିବାକୁ ପାଇଲୁ । ସେତେବେଳେ ଏକ ରୂପା ଘଣ୍ଟାର କୋମଳ ଶବ୍ଦ ଆସି ଆମ ସମସ୍ତଙ୍କ କାନରେ ବାଜୁଥାଏ ଏବଂ ହଠାତ୍ ସେହି ଘଣ୍ଟାଟି ଆଉ ବାଜିଲା ନାହିଁ । ଧୂସର ସେହି ପିଣ୍ଡଟି ମାଟି ଉପରକୁ ଖସି ପଡ଼ିଲା । ଶୀତଖେତର ଗହମଶୀଷାଗୁଡ଼ିକ ଉପରେ ସେହି ସାନ ଚଢ଼େଇଟି ନିଜର ଡେଣାକୁ ମେଲାଇ ଦେଲା ଏବଂ ସତେଅବା ଗୋଟିଏ ଅଦୃଶ୍ୟ ସୂତାକୁ ଲମ୍ବାଇ ଦେଉଥିବା ପରି ଧୀରେ ଧୀରେ ଉର୍ଦ୍ଧ୍ୱକୁ ଉଠିବାକୁ ଲାଗିଲା । ତା’ପରେ ଆମେ ଆଉ ଘଣ୍ଟା ବାଜିବାର ଶବ୍ଦକୁ ଶୁଣିଲୁ ନାହିଁ; ମାତ୍ର ସେହି ରୂପା ସୂତାଟିର ଖୋଲି ଖୋଲି ଯାଉଥିବାର ପ୍ରତିଧ୍ୱନିକୁ ହିଁ ଶୁଣିଲୁ । ..... ଏହି ଅଦ୍ଭୁତ ସଂଗୀତଧ୍ୱନି ପିଲାମାନଙ୍କର ହୃଦୟକୁ ସ୍ପର୍ଶ କରୁ ଏବଂ ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ସୌନ୍ଦର୍ଯ୍ୟ ମଧ୍ୟକୁ ସେମାନଙ୍କର ଆଖିଗୁଡ଼ିକୁ ଖୋଲି ଦେଇ ଯାଉ ବୋଲି ମୁଁ ଇଚ୍ଛା କରୁଥିଲି । ତା’ପରେ ଚାତକଟି ବିଷୟରେ ମୁଁ ଗପଟିଏ କହିଲି ।

 

“ଚାତକ ହେଉଛି ସୂର୍ଯ୍ୟର ସନ୍ତାନ । ଶୀତଦିନେ ସୂର୍ଯ୍ୟ ବହୁଦୂରକୁ ଚାଲିଯାଏ । ଆମଠାରୁ ବହୁତ ଦୂରକୁ ଚାଲିଥାଏ । ପୃଥିବୀଯାକ ବରଫ ଓ ହିମ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ । ତା’ପରେ ସୂର୍ଯ୍ୟ ଧୀରେ ଧୀରେ ଆମ ପାଖକୁ ଫେରି ଆସେ; ମାତ୍ର ବରଫଗୁଡ଼ାକୁ ତରଳାଇ ଦେବା ତା’ପାଇଁ ଏକ କଠିନ କାର୍ଯ୍ୟ ହୋଇଯାଏ । ବରଫର ସ୍ରୋତ ଆଡ଼କୁ ସିଏ ଗରମ ରଶ୍ମିଗୁଡ଼ିକୁ ନିକ୍ଷେପ କରେ । ସେହି ରଶ୍ମି ଆସି ବାଜିଥିବା ସ୍ଥାନଗୁଡ଼ିକରେ ବରଫ ତରଳେ ଓ ପୁନର୍ବାର ଜୀବନ ଦେଖାଦିଏ । ଏବଂ, ଚାତକ ନାମ ସେହି ଅଦ୍ଭୁତ ଚଢ଼େଇଟିର ଜନ୍ମ ହୁଏ । ନୀଳ ଆକାଶ ଭିତରକୁ ଉଠିଯାଇ ସିଏ ସୂର୍ଯ୍ୟକୁ ଭେଟିବ ବୋଲି ଧାଏଁ । ସିଏ ଉଡ଼ୁଥାଏ ଓ ଗୀତ ଗାଉଥାଏ ଏବଂ ସୂର୍ଯ୍ୟ ରୂପାରଙ୍ଗର ରଶ୍ମିମାନ ନିକ୍ଷିପ୍ତ କରୁଥାଏ । ପୃଥିବୀ ଆଡ଼କୁ ଚାହିଁ ଚାହିଁ ଚାତକ ନୀଳ ଆକାଶରେ ଉଡ଼ି ଯାଉଥାଏ ଏବଂ ସବୁଠୁ ଉଜ୍ଜ୍ୱଳ ରଶ୍ମିଟିକୁ ଅନ୍ୱେଷଣ କରୁଥାଏ । ସେପରି ଗୋଟିଏ ରଶ୍ମି ସହିତ ଭେଟ ହେବା ମାତ୍ରକେ ସିଏ ଗୋଟିଏ ପଥରମୁଣ୍ଡା ପରି ପୃଥିବୀ ଆଡ଼କୁ ଖସିପଡ଼େ, ସେହି ରଶ୍ମିଟିକୁ ଉଠାଇ ନିଏ ଓ ତାହା ତତ୍‌କ୍ଷଣାତ୍‌ ଗୋଟିଏ ପାତଳା ରୂପେଲୀ ସୂତାରେ ପରିଣତ ହୋଇଯାଏ । ସୂତାର ଗୋଟିଏ ଅଗକୁ ଚାତକ ପକ୍ଷୀ ଏକ ଗହମ ଶୀଷାରେ ବାନ୍ଧି ଦେଇ ପୃଥିବୀ ଉପରେ ରଖିଯାଏ ଏବଂ ଆର ଅଗଟିକୁ ସୂର୍ଯ୍ୟ ଆଡ଼କୁ, ନୀଳ ଆକାଶ ଆଡ଼କୁ ଉଚ୍ଚକୁ ଉଚ୍ଚକୁ ଟାଣି ନେଇଯାଏ । ଦେଖିଲ, ଏପରି ଉର୍ଦ୍ଧ୍ୱକୁ ଉଡ଼ିବା ଚଢ଼େଇଟି ପାଇଁ କେଡ଼େ କଷ୍ଟକର ହେଉଛି । ତା’ର ଧୂସର ଡେଣାଗୁଡ଼ିକୁ କେତେ ଫଡ଼ପଡ଼ କରିବାକୁ ପଡ଼ୁଛି । ରୂପା ସୂତାଟାକୁ ସିଏ ଦଉଡ଼ି ପରି ବ୍ୟବହାର କରେ ଏବଂ ସିଏ ଯେତିକି ଉପରକୁ ଉଠୁଥାଏ, ଦଉଡ଼ିଟା ସେତିକି ଉଚ୍ଚରେ ଶବ୍ଦ କରୁଥାଏ । ଚାତକ ପକ୍ଷୀ ଏକାବେଳେକେ ସୂର୍ଯ୍ୟ ଯାଏ ସୂତାଟାକୁ ମେଲାଇ ଚାଲିଯାଉଥାଏ ଏବଂ ଆଉ ଗୋଟିଏ ରଶ୍ମିର ତଲାସରେ ପୁଣି ପୃଥିବୀ ଉପରକୁ ଲେଉଟି ଆସେ ।”

 

ପ୍ରକୃତିର ବିଧାନଗୁଡ଼ିକ ବିଷୟରେ ଜ୍ଞାନ ପରୀଗଳ୍ପର ପଥରେ ବାଧା ସୃଷ୍ଟି କରେ ନାହିଁ କି ? ନାହିଁ:–ଠିକ୍ ଓଲଟାଟା ହୁଏ । ଏହା ଦ୍ୱାରା କହିବାଟା ଅଧିକ ସହଜ ହୋଇଯାଏ । ପିଲାମାନେ ବେଶ୍ ଭଲ ଭାବରେ ବୁଝିଥାନ୍ତି ଯେ, ମେଞ୍ଚାଏ ମାଟି କଦାପି ଏକ ଜୀବନ୍ତ ପ୍ରାଣୀରେ ପରିଣତ ହୋଇପାରିବ ନାହିଁ ; ସେମାନେ ଏକଥା ମଧ୍ୟ ବୁଝିଥାନ୍ତି ଯେ ରାକ୍ଷସ କମାର, ବାବାୟାଗା ଓ କେବେହେଲେ ମରୁ ନଥିବା ଡ୍ରାଗନମାନେ ମଧ୍ୟ ଆଦୌ କେଉଁଠି ହେଲେ ନଥାନ୍ତି । ମାତ୍ର, ଯଦି ପିଲାମାନେ ଏଗୁଡ଼ିକ ବିଷୟରେ ଜାଣୁ ନଥାନ୍ତେ, ଭଲ ଓ ମନ୍ଦ ଭିତରେ ଲାଗିଥିବା ଯୁଦ୍ଧଟିକୁ ଯଦି ସେମାନେ ଅନୁଭବ କରୁ ନଥାନ୍ତେ, ସତ୍ୟ, ଗୌରବ ଓ ସୌନ୍ଦର୍ଯ୍ୟ ଏହି ପରୀ ଗପଗୁଡ଼ିକରେ ପ୍ରତିଫଳନ ହୋଇଥାନ୍ତି ବୋଲି ଯଦି ବୁଝୁନଥାନ୍ତେ, ତେବେ ସେମାନଙ୍କର ପୃଥିବୀଟା ସେମାନଙ୍କୁ ଭାରି ଅଣନିଃଶ୍ୱାସୀ ଓ ଅଶ୍ୱସ୍ତିକର ଲାଗୁଥାନ୍ତା ।

 

ଚାତକ ଚଢ଼େଇ ବିଷୟରେ ଏହି ଗପଟି ପିଲାମାନଙ୍କୁ ପ୍ରକୃତି ଭିତରେ ବାଜୁଥିବା ସଂଗୀତଟିକୁ ବୁଝିବାରେ ସାହାଯ୍ୟ କରିଥିଲା, ସଂଗୀତର ସ୍ୱରଗୁଡ଼ିକୁ କାନ ଡେରି ଶୁଣିବାଲାଗି ସେମାନଙ୍କୁ ପ୍ରସ୍ତୁତ କରି ନେଉଥିଲା । ସ୍କୁଲକୁ ଫେରି ଆସି ଆମେ ଚାଇକୋଭ୍‌ସ୍କିଙ୍କର “ଚାତକର ସଙ୍ଗୀତ”କୁ ଶୁଣିଲୁ । ପିଲାଏ ସେହି ସଙ୍ଗୀତର ଧ୍ୱନି ଭିତରେ ଆସି ଧରାଦେଇଥିବା ରୂପା ଘଣ୍ଟାଟିକୁ ଶବ୍ଦକୁ ଭଲକରି ବୁଝିନେଇ ପାରିଲେ ଏବଂ ସବୁଜ ଶସ୍ୟକ୍ଷେତ ଓ ସୂର୍ଯ୍ୟକୁ ଏକାଠି ଗଅଁଠାଇ ରଖିଥିବା ପାତଳା ରୂପା ସୂତାଟିର ମୂର୍ଚ୍ଛନାଗୁଡ଼ିକ ମଧ୍ୟରେ ବି ପ୍ରବେଶ କରି ପାରିଲେ । ଏହି ସଂଗୀତକୁ ଆମେ ଏକାଧିକ ଥର ଶୁଣିଥିଲୁ, ଖରା ପଡ଼ିଥିବା ସଫା ସକାଳ ସମୟରେ ଓ ଧୂସର ବର୍ଷାଧୌତ ଦିନମାନଙ୍କରେ ମଧ୍ୟ ଶୁଣିଥିଲୁ, ମାତ୍ର ପିଲାମାନେ ସର୍ବଦା ଚମତ୍କାର, ସୂର୍ଯ୍ୟାଲୋକପୂର୍ଣ୍ଣ ପୃଥିବୀଟିକୁ ହିଁ ମନେ ପକାଉଥିଲେ,–ନୀଳ ଆକାଶ, ଧୂସର ଜୀବନର ସେହି ମେଞ୍ଚାଟି ଏବଂ ଖୋଲା ଶସ୍ୟକ୍ଷେତ ଗୁଡ଼ିକୁ ହିଁ ମନେ ପକାଉଥିଲେ । ଚଢ଼େଇଟି ବିଷୟରେ ସେମାନଙ୍କର ଧାରଣାଟି ପରୀଗପର ସ୍ୱଚ୍ଛ ପ୍ରତିରୂପ ଗୁଡ଼ିକରେ ସାକାର ହୋଇ ରହୁ ବୋଲି ସେମାନେ ଇଚ୍ଛା କରୁଥିଲେ । ସେମାନେ ଚାତକଟିର, ରୂପେଲି ସୂର୍ଯ୍ୟରଶ୍ମି ଗୁଡ଼ିକର ଏବଂ ପୃଥିବୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଲମ୍ବି ରହିଥିବା ଦଉଡ଼ିଟିର ପରୀଗପଧର୍ମୀ ଛବିମାନ ମଧ୍ୟ ଆଙ୍କିଥିଲେ ।

 

କ୍ରମେ ଆମେ ପିଲାମାନଙ୍କୁ ଭଲ ଲାଗୁଥିବା ସଂଗୀତରଚନା ଗୁଡ଼ିକର ଗୋଟିଏ ଆଲ୍‍ବମ୍‍ ତିଆରି କରି ନେଲୁ । ମଝିରେ ମଝିରେ ବହୁବାର ଆମେ କୋଠରୀ ଭିତରକୁ ଯାଇ ସେଗୁଡ଼ିକୁ ଶୁଣୁଥିଲୁ । ସେହି ଆଲ୍‍ବମଟିକୁ ମୁଁ “ସଂଗୀତରଗହଣାବାକ୍ସ” ବୋଲି ନାଆଁ ଦେଇଥିଲି ଏବଂ ପିଲାମାନଙ୍କୁ ତାହା ଖୁବ୍ ଭଲ ଲାଗିଥିଲା । ସେମାନେ ଗର୍ବର ସହିତ କହୁଥିଲେ, “ଆମର ଗୋଟିଏ ସଂଗୀତର ଗହଣାବାକ୍ସ ଅଛି ।”ମୋ’ମନ ଭିତରକୁ ଏକ ବିଚାର ଆସିଲା ଯେ, ଆମେ ପ୍ରତିବର୍ଷ ସଂଗୀତର ସମ୍ପଦଭଣ୍ଡାରରୁ ସର୍ବୋତ୍ତମଗୁଡ଼ିକୁ ବାଛିବୁ ଏବଂ ଏମିତି ଭାବରେ ଏକ ସଂଗୀତପ୍ରକୋଷ୍ଠ ତିଆରି କରିନେବୁ, ଯେଉଁଠାରେ କି ଆମେ ସଂପୃକ୍ତ ବ୍ୟକ୍ତି ତଥା ପ୍ରକୃତି ଦ୍ୱାରା ସୃଷ୍ଟ ଆନନ୍ଦଟିକୁ ଆସ୍ୱାଦନ କରିପାରିବୁ । ଆମେ ଗୀତ ଗାଇବୁ, ବେହେଲା ଓ ପିଆନୋ ବଜାଇ ଶିଖିବୁ । ମାତ୍ର, ଏହି ସବୁକିଛି ଭବିଷ୍ୟତରେ ହେବ; ବର୍ତ୍ତମାନ ପାଇଁ ଆମେ ଆମ ବଇଁଶୀଗୁଡ଼ିକୁ ବଜାଇ ଶିଖିବୁ ।

 

ଦିନ ମେଘ ଘୋରା ଘୋରା କରିଥାଏ; ଆମେ ତୋଟାକୁ ଗଲୁ ଏବଂ ଏଲଡରବରି ଗଛରୁ ଡାଳଟିଏ କାଟି ଆଣିଲୁ । ଡାଳଟିକୁ ଚଞ୍ଛାଚଞ୍ଛି କରି କଣାସବୁ ତିଆରି ହେଲା । ସେହି ବଇଁଶୀରେ ମୁଁ ମେଣ୍ଢା ଚରାଉଥିବା ଖୁସୀ ସାନପିଲା ବିଷୟରେ ରହିଥିବା ଇଉକ୍ରେନରେ ଗୋଟିଏ ଲୋକଗୀତର ସୁର ପକାଇ ବଜାଇବାକୁ ଲାଗିଲି । ସେଥିରେ ପିଲାଙ୍କର ଖୁସୀକୁ ସହଜରେ ବର୍ଣ୍ଣନା କରି ହେବ ନାହିଁ । ପିଲାମାନେ ଜଣ ଜଣ କରି ନିଜେ ବଜାଇବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କର ନିଜର ମଧ୍ୟ ବାଦ୍ୟଯନ୍ତ୍ର ରହିବ ବୋଲି ସ୍ୱପ୍ନ ଦେଖୁଥାଆନ୍ତି । ସେମାନେ ନିଜେ ନିଜର ବଇଁଶୀ ତିଆରି କରିନେଲେ । ଲିଡ଼ା, ଲାରିସା, ୟୁରା, ଟିନା, ସେରିଓଝା ଓ କୋଷ୍ଟ୍ୟା - ଏମାନଙ୍କର କାନ ସଂଗୀତ ପାଇଁ ଖୁବ୍ ଅନୁକୂଳ ଥିଲା, ସ୍ୱରଗୁଡ଼ିକ ଲାଗି ଖୁବ୍ ସଂବେଦନଶୀଳ ହୋଇ ରହିଥିଲ-। ଅଳ୍ପ ଦିନ ଭିତରେ ପିଲାମାନେ ସମସ୍ତେ ଲୋକଗୀତ ଓ କେତେଗୋଟି ନୃତ୍ୟର ସ୍ୱରକୁ ବଜାଇ ପାରୁଥିଲେ । ଯେଉଁଦିନ ସନ୍ଧ୍ୟାରେ ଟିନା ନିଜ ବାଜାଟିରେ ଇଉକ୍ରେନର ଗୋଟିଏ ପୂରାତନ ଲୋକଗୀତର ସ୍ୱରକୁ ବଜାଇ ପାରିଲା, ସେକଥା ଆଦୌ ଭୁଲି ହେବ ନାହିଁ । କୁନି ଝିଅଟିର ଆଖି ଦିଓଟି ଜଳୁଥିବା ପରି ଦେଖାଯାଉଥାଏ । ଗାଲ ଦୁଇଟା ଲାଲ୍ ପଡ଼ିଯାଇଥାଏ । ତା’ର ମାଆ ମୋତେ ଆସି କହିଲେ ଯେ, ଘରେ ମଧ୍ୟ ଟିନା ଅନେକ ଘଣ୍ଟା ଧରି ବଗିଚାକୁ ଚାଲି ଯାଉଥିଲା ଓ ସେଠାରେ ବସି ନିଜ ବାଜାରୁ କେତେ ପ୍ରକାର ସ୍ୱର “ତିଆରି” କରୁଥିଲା । ଏବଂ ସେହି କଥାଟି କରୁଥିବା ସମୟରେ ସ୍ୱପ୍ନାବିଷ୍ଟ ଭାବରେ ଆକାଶକୁ ଓ ଗଛଗୁଡ଼ିକ ଆଡ଼କୁ ଅନାଇ ରହୁଥିଲା ।

 

ଦିନେ ସକାଳେ ମୁଁ ସହଳ ସହଳ ସ୍କୁଲକୁ ଚାଲି ଆସିଲି । ଚାରିଆଡ଼ ଶାନ୍ତ ରହିଥାଏ । ହଠାତ୍ ବଗିଚା ଭିତରେ କେଉଁ ଦୂରରୁ ମୁଁ ବଇଁଶୀର ସ୍ୱନ ଶୁଣିବାକୁ ପାଇଲି । ଏହି ସ୍ୱର କେଉଁଠାରୁ ଆସୁଛି ବୋଲି ସନ୍ଧାନ କରି ବାହାରିଲି । କିଏ ଜଣେ ସ୍ୱରଟିଏ ବଜାଉଥିଲା ଓ ସେହି ସ୍ୱରଟିକୁ ସେ ନିଃସନ୍ଦେହ ଭାବରେ ନିଜେ ତିଆରି କରିଥିଲା । ସୁରଟି ଭିତରେ ସତେ ଯେପରି ଦୁଃଖାନୁଭୂତିର ଉଜ୍ଜ୍ୱଳ ଏବଂ ଶୁଦ୍ଧ ନାଲି ସୂତାଟିଏ ବୁଣି ହୋଇ ରହିଥିଲା । ବଜାଳିକୁ କୌଣସି ପ୍ରକାରେ ଅନ୍ୟମନସ୍କ କରି ଦେବିନାହିଁ ବୋଲି ମୁଁ ଭାରି ସତର୍କ ଭାବରେ ଗୋଲାପ ପଟାଳି ଆଡ଼କୁ ଗଲି । ସେଇଠି ଘାସ ଉପରେ ଟିନା ବସିଥିଲା । ମନେ ହେଉଥିଲା, ତା ‘ବାଜା ସତେ ଯେପରି ତା’ ଅସ୍ତିତ୍ୱର ଏକ ଅଂଶରେ ହିଁ ପରିଣତ ହୋଇଯାଇଛି । ସିଏ କୋମଳ ସୋହାଗଭରା ଚାହାଣିରେ ଗୋଟିଏ ଗୋଲାପଫୁଲକୁ ଅନାଇ ରହିଥାଏ । ତା’ପରେ ମୁଁ ସିଏ ବଜାଉଥିବା ସ୍ୱରଟିକୁ ମଧ୍ୟ ବୁଝିବାକୁ ଆରମ୍ଭ କଲି: ସିଏ ସେହି ସୁନ୍ଦର ଫୁଲଟି ବିଷୟରେ, ନୀଳ ଆକାଶଟି ବିଷୟରେ ସ୍ୱରଟିଏ ବଜାଉଥିଲା । ଯାହା ବାହାରକୁ ଦୁଃଖାନୁଭୂତି ବୋଲି ମନେ ହେଉଥିଲା, ତାହାକୁ ବସ୍ତୁତଃ ଏକ ଅଶ୍ୱସ୍ତି ବୋଲି କୁହାଯିବ । ଟିନା ଭବିଷ୍ୟତ ବିଷୟରେ ନିଜର ଭାବନାକୁ ସଂଗୀତର ମାଧ୍ୟମରେ ବ୍ୟକ୍ତ କରିବାକୁ ଚେଷ୍ଟା କରୁଥିଲା ।

 

କୋଷ୍ଠ୍ୟା ମଧ୍ୟ କ୍ରମେ ରାତି ଏହି କଳାଟିକୁ ଭଲ ପାଇବାକୁ ଆରମ୍ଭ କଲା । ଗୋଟିଏ ହାତରେ ବଜାଇବାଟା ତା’ପାଇଁ ବେଶ୍ କଷ୍ଟ ହେଉଥାଏ ସତ, ମାତ୍ର ସିଏ ମାତ୍ର କେଇିଟା ଦିନରେ ଏକାଧିକ ଲୋକଗୀତର ସ୍ୱରକୁ ବଜାଇ ପାରିଲା ଏବଂ ତା’ପରେ ନିଜେ ନୂଆ ସ୍ୱର ତିଆରି କଲା, ନିଜ କଳ୍ପନାକୁ ଆକାର ଦେଲା, ନିଜର ଭାବନା, ଅନୁଭବ ଓ ଅଭିଜ୍ଞତାଗୁଡ଼ିକୁ ସଂଗୀତକୁ ରୂପାନ୍ତରିତ କରିପାରିଲା । ଦିନେ ଭାରି ଜୋରରେ ଝଡ଼ ହେଉଥାଏ, ଘଡ଼ଘଡ଼ି ମାରୁଥାଏ, –ଆମେ ଆମ “ସ୍ୱପ୍ନ ଦେଖିବାର କୋଣ”ରେ ବସିଥାଉ । ଘଡ଼ଘଡ଼ି ମାରିବା ବନ୍ଦ ହୋଇଗଲା ଏବଂ ଆକାଶରେ ଗୋଟିଏ ଇନ୍ଦ୍ରଧନୁ ପଡ଼ିଲା । ସମସ୍ତେ ଚୁପ୍ ହୋଇ ସେହି ଛବିଟିକୁ ଅବାକ୍ ହୋଇ ଦେଖୁଥିଲେ । ଆମେ ଏକ ଶାନ୍ତ ସଂଗୀତ ଶୁଣିବାକୁ ପାଇଲୁ: କୋଷ୍ଟ୍ୟା ତା’ ବାଜାଟିକୁ ବଜାଉଥିଲା-। ସଂଗୀତଟି ଭିତରେ ସତେ ଯେପରି ଗୋଟିଏ ଝରଣା ବ୍ୟଗ୍ର ଗର୍ଜନ କରି ଘୁ ଘୁ ହୋଇ ବହି ଯାଉଥିଲା । ତା’ପରେ ଉପରକୁ ଗୋଜିଆ ଗୋଜିଆ ମୁହଁ କରିଥିବା ମେଘଖଣ୍ଡମାନେ ମାଡ଼ି ଆସିଲେ, ଦୂରରେ ଘଡ଼ଘଡ଼ିର ଶବ୍ଦମାନ ଶୁଣାଯାଉଥାଏ । ଆମେ ସମସ୍ତେ ଶୁଣୁଛୁ ବୋଲି କ୍ଷୁଦ୍ର ବାଳକଟି ପୂରାପୁରି ଭୁଲି ଯାଇଥିଲା: ସିଏ ତା’ର ସବୁକିଛି ଅନୁଭବକୁ ଆଣି ତା’ସୃଷ୍ଟି ଭିତରେ ଅଜାଡ଼ି ଦେଲା । ତା’ର ସାଙ୍ଗମାନେ ଭାବନାମଗ୍ନ ମୁଖରେ ତା’ପାଖରେ ବସିଛନ୍ତି ବୋଲି ସେ ହଠାତ୍ ସଚେତନ ହୋଇଗଲା ଓ ଲାଜ ଲାଜ ହେଲା....ଏକଥା ଆଦୌ ସତ ନୁହେଁ ଯେ, ସେମାନେ ସମସ୍ତେ ବଡ଼ ହେଲେ ଜଣେ ଜଣେ ସଂଗୀତଜ୍ଞ ହେବେ, ମାତ୍ର ମୁଁ ଅତ୍ୟନ୍ତ ଗଭୀର ଭାବରେ ବିଶ୍ୱାସ କରୁଛି ଯେ, ସଂଗୀତକୁ ବୁଝୁଥିବାର ଅନୁଭବଟିକୁ ପ୍ରତ୍ୟେକ ବ୍ୟକ୍ତି ଭିତରେ ଅବଶ୍ୟ ବିକଶିତ କରି ଆଣି ହେବ ।

 

ଏହି ସରଳ ଲୋକସଂଗୀତ ଦ୍ୱାରା ସମ୍ମୋହିତ ହୋଇପଡ଼ିବା ଆମ ପ୍ରତେକଙ୍କ ନିମନ୍ତେ ଏକ ଗଭୀର ଭାବରେ ବ୍ୟକ୍ତିଗତ ବ୍ୟାପାର ହୋଇ ରହିଥିଲା । ଅନେକ ସମୟରେ ଏକ ଅସାଧାରଣ “ସାଂଗୀତିକ ମିଜାଜ୍” ଆସି ଆମକୁ ଅଧିକାର କରି ନେଉଥିଲା: ପିଲାମାନେ ଖାଲି ବସି ବଇଁଶୀ ବଜାଇବାକୁ ଇଚ୍ଛା କରୁଥିଲେ । ଅଧିକାଂଶ ସମୟରେ ସୂର୍ଯ୍ୟାସ୍ତ ପରେ ଶାନ୍ତ ସନ୍ଧ୍ୟାଟି ସମୟରେ ହିଁ ଏପରି ଘଟୁଥିଲା । ସୂର୍ଯ୍ୟ ଦିଗ୍‍ବଳୟର ଅନେକ ତଳକୁ ଖସି ଆସିଥିଲା ଏବଂ ତା’ର ପ୍ରତିଫଳନଗୁଡ଼ିକ ତଥାପି ପୃଥିବୀକୁ ଆଲୋକିତ କରି ରଖିଥିଲା । ସଂଗୀତ ଯେ ଆମକୁ ଏତେ ଆନନ୍ଦ ଏବଂ ସନ୍ତୋଷ ଆଣି ଦେଇ ପାରୁଛି, ଆମ ଲାଗି ତାହା ଏକ ଅତୀବ ସୁଖର ବିଷୟ ଥିଲା ।

 

କୋଲ୍ୟା ମଧ୍ୟ ସଂଗୀତ ଶୁଣିବାକୁ ଭଲ ପାଉଥିଲା ଏବଂ ଲୋକଗୀତଗୁଡ଼ିକର ସ୍ୱରଗୁଡ଼ିକୁ ବଜାଇ ପାରିବାକୁ ତାକୁ ଆଦୌ ବେଶୀ ସମୟ ଲାଗିଲା ନାହିଁ । ଦିନେ ଆମେ ସମସ୍ତେ ଜଙ୍ଗଲରୁ ଫେରୁଛୁ, ମୁଁ କୋଲ୍ୟାକୁ କହିଲି, “ରୂପା ହାରଟିକୁ ତିଆରି କରୁଥିବା କମାରମାନଙ୍କର ଚିତ୍ର ତୁ ଆଙ୍କିଥିଲୁ ବୋଲି ମନେ ଅଛି ତ ? ତେବେ, ତୁ ନିଜ ବଇଁଶୀରେ ମଧ୍ୟ କାହିଁକି ସେହି କମାରମାନଙ୍କୁ ବର୍ଣ୍ଣନା କରିବାକୁ ଚେଷ୍ଟା ନକରିବୁ-ସେମାନେ ଯେପରି ହାତୁଡ଼ି ଦେଇ ପିଟନ୍ତି, ଯେମିତି ଶୀତଳ ସ୍ପୁଲିଙ୍ଗଗୁଡ଼ିକ ଚାରି ଆଡ଼କୁ ମାଟି ଉପରେ ଛାଟି ହୋଇ ପଡ଼ୁଥାଏ... ?”

 

ପିଲାଟା ଭାରି ଆପତ୍ତି କରି କହିଲା, “କିନ୍ତୁ ସ୍ପୁଲିଙ୍ଗଗୁଡ଼ିକ କଦାପି ଶୀତଳ ହେବେ ନାହିଁ-। ସେଗୁଡ଼ିକ ଗରମ, ଭାରି ଗରମ ।”

 

ହଁ, ହଁ, ଅବଶ୍ୟ ଗରମ....ହାତୁଡ଼ିଟା ଯେତେବେଳେ ଭାତି ଉପରେ ଆସି ପଡ଼ିବ, ସେତେବେଳେ ତା ତଳୁ କେବେହେଲେ କୌଣସି ଶୀତଳ ପଦାର୍ଥ ବାହାରିବ ନାହିଁ । ମୁଁ ମଧ୍ୟ ମୋ’ ବଇଁଶୀରେ କମାରମାନଙ୍କ ବିଷୟରେ କହିବାକୁ ଚେଷ୍ଟା କରିବି,–ସୂର୍ଯ୍ୟର ସେହି କମାରମାନଙ୍କ ବିଷୟରେ ।

 

ଦିନକ ପରେ ଆମେ ସକାଳ ସମୟରେ ଇସ୍କୁଲ ବଗିଟା ଭିତରକୁ ଗଲୁ । ଆମ ବଇଁଶୀଗୁଡ଼ିକର ନିଖୁଣ ସ୍ୱର ଦେଇ ଆମେ ସେହି ଅଦ୍ଭୁତ କମାରମାନଙ୍କ କଥା ବର୍ଣ୍ଣନା କରିବାକୁ ଆରମ୍ଭ କଲୁ । ଆମେ ଯେ କେବଳ ପରସ୍ପରକୁ ବୁଝି ପାରୁଥିଲୁ, ତା’ନୁହେଁ । ମାତ୍ର ଯେଉଁ ମିଜାଜଗୁଡ଼ିକର ପ୍ରଭାବରୁ ଆମର ସଂଗୀତଗୁଡ଼ିକ ଜନ୍ମଲାଭ କରୁଥିଲେ, ଆମେ ସେହି ମିଜାଜ୍‍ଗୁଡ଼ିକୁ ମଧ୍ୟ ଅନୁଭବ କରୁଥିଲୁ । ମୁଁ ଗଭୀର ମନୋଯୋଗ ସହକାରେ କୋଲ୍ୟାର “କମାରମାନଙ୍କର” ସଂଗୀତଟିକୁ ଶୁଣୁଥିଲି । ସେହି ସଂଗୀତରେ ସିଏ ଯେ କେବଳ ହାତୁଡ଼ିଗୁଡ଼ିକର ପ୍ରତିଧ୍ୱନିକୁ ଅତ୍ୟନ୍ତ କୋମଳ ଭାବରେ ବ୍ୟକ୍ତ କରି ଆଣିଥିଲା ତା’ନୁହେଁ, ସିଏ ସେଗୁଡ଼ିକର ଶକ୍ତିଟିକୁ ମଧ୍ୟ ନିଜ ଅଭିବ୍ୟକ୍ତିରେ ଏକ ଯୋଗ୍ୟ ସ୍ଥାନ ଦେଇ ପାରିଥିଲା । ବିଲ ଓ ବଗିଚାମାନଙ୍କ ଉପରକୁ ଛିଟିକି ପଡ଼ୁଥିବା ରୂପେଲୀ ସୂର୍ଯ୍ୟରଶ୍ମିଗୁଡ଼ିକର ସୌନ୍ଦର୍ଯ୍ୟ ତାକୁ ବିସ୍ମିତ କରି ଦେଇଥିଲେ ଏବଂ, ସମୁଦାୟ ପୃଥିବୀଟିକୁ ଦେଖି ନପାରୁଥିବାରୁ ତା’ଭିତରେ ଏକ ଦୁଃଖ ମଧ୍ୟ ରହିଥିଲା । ପ୍ରତ୍ୟେକ ବସ୍ତୁରେ ଅସ୍ପଷ୍ଟ ଭାବେ ଅନୁଭବ କରି ପାରୁଥିବା ସୌନ୍ଦର୍ଯ୍ୟକୁ ସେ ଆଖିରେ ଦେଖିବାକୁ ଇଚ୍ଛା କରୁଥିଲା ।

 

ଏବେ ଯାଇ ମୁଁ ସୁନିଶ୍ଚିତ ଭାବରେ ଏହି ପିଲାଟିର ହୃଦୟ ଭିତରକୁ ରାସ୍ତାଟିଏ ପାଇଗଲି । ସଂଗୀତ ଆତ୍ମାକୁ ଶିକ୍ଷିତ କରିଆଣେ, ଅନୁଭବଗୁଡ଼ିକୁ ମାନବିକ ମୂର୍ଛନାମାନ ଦେଇଥାଏ । ଶବ୍ଦଗୁଡ଼ିକ ପରି ଏହି ସଂଗୀତରେ ମଧ୍ୟ ଯଥାର୍ଥ ମାନବତା ଅଭିବ୍ୟକ୍ତି ଲାଭ କରିଥାଏ-। ସଂଗୀତ ପ୍ରତି ଗୋଟାଏ ପିଲାର ସଂବେଦନଶୀଳତାକୁ ବିକଶିତ କରାଇ ଆଣିବାର ପ୍ରକ୍ରିୟାରେ ଆମେ ତାହାର ଭାବନା ଏବଂ ଆସ୍ପୃହାଗୁଡ଼ିକୁ ମଧ୍ୟ ଉତ୍ତୋଳିତ କରି ଆଣିଥାଉ । ସଂଗୀତ ପ୍ରତ୍ୟେକ ବ୍ୟକ୍ତିର ହୃଦୟରେ ଅନୁଭବର ସେହି ଜୀବନଦାୟୀ ଉତ୍ସଟିକୁ ଅବଶ୍ୟ ଉନ୍ମୋଚିତ କରି ଦେବା ଉଚିତ । ନିଜ ମାତୃଭାଷାର ଜୀବନ୍ତ ଏବଂ କମ୍ପନଯୁକ୍ତ ଶବ୍ଦଗୁଡ଼ିକ ପରି ସଂଗୀତ ମଧ୍ୟ ଗୋଟିଏ ଶିଶୁର ସମ୍ମୁଖରେ ତା’ର ଚତୁର୍ଦ୍ଦିଗରେ ରହିଥିବା ପୃଥିବୀଟିର ସୌନ୍ଦର୍ଯ୍ୟକୁ ଖୋଲି ଦେଇଥାଏ । ମାତ୍ର ସଂଗୀତ ହେଉଛି ମାନବିକ ଅନୁଭୂତିର ଭାଷା: ଏବଂ ପିଲାର ଆତ୍ମା ଲାଗି ତାହା କେବଳ ଏହି ପୃଥିବୀର ସୌନ୍ଦର୍ଯ୍ୟ ବ୍ୟତୀତ ଅନେକ ଅଧିକ କିଛି ମଧ୍ୟ ବହନ କରି ଆଣିଥାଏ । ମନୁଷ୍ୟମାନଙ୍କର ସମ୍ମୁଖରେ ତାହା ମନୁଷ୍ୟର ମହତ୍ତା ଏବଂ ମହିମାକୁ ଆଣି ଉଦ୍‌ଘାଟିତ କରିଦିଏ । ସଂଗୀତର ଆସ୍ୱାଦନ କରୁଥିବା ମୁହୂର୍ତ୍ତଗୁଡ଼ିକରେ ପିଲା ଆପଣାକୁ ଯଥାର୍ଥ ବ୍ୟକ୍ତିଟିଏ ପରି ଅନୁଭବ କରୁଥାଏ । ଏକ ଶିଶୁର ଆତ୍ମା ହେଉଛି ଜଣେ ସଂବେଦନଶୀଳ ସଂଗୀତସ୍ରଷ୍ଟାର ଆତ୍ମା । ସେହି ଆତ୍ମାରେ ଯେଉଁ ରଜ୍ଜୁଗୁଡ଼ିକ ସିଧା ଭିଡ଼ି ହୋଇ ରହିଥାଏ, ସେଗୁଡିକୁ ସ୍ପର୍ଶ କରି ପାରିଲେ ଅପୂର୍ବ ସମ୍ମୋହନଶକ୍ତି ଧାରଣ କରିଥିବା ସଂଗୀତ ହିଁ ଝଙ୍କୃତ ହୋଇ ଆସିବାକୁ ଆରମ୍ଭ କରେ; ଖାଲି କଳ୍ପନାର ଅଳଙ୍କାରରେ ନୁହେଁ: ଏକାନ୍ତ ସାକାର ଭାବରେ ଝଙ୍କୃତ ହୋଇ ଆସେ । ଖେଳ ନଥିଲେ, ପରୀକାହାଣୀ ନଥିଲେ ଯେପରି କୌଣସି ଶୈଶବ ସମ୍ଭବ ହୁଏ ନାହିଁ, ସଂଗୀତ ବିଷୟରେ ମଧ୍ୟ ଠିକ୍ ସେହି କଥାଟି କୁହାଯାଇ ପାରିବ ।

 

ଅଭିଜ୍ଞତା ଅବଶ୍ୟ କହିବ ଯେ, ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ ଏକ ଆତ୍ମିକ ସହଜୀବନ ସମ୍ଭବ ହେବାରେ ସଂଗୀତ ହିଁ ଉଦାତ୍ତତମ ପୃଷ୍ଠଭୂମିଟିଏ ଆଣି ପ୍ରଦାନ କରିଥାଏ । ସଂଗୀତ ମନୁଷ୍ୟମାନଙ୍କର ହୃଦୟକୁ ଉନ୍ମୋଚିତ କରିଦିଏ । ଗୋଟିଏ ସ୍ୱରଝଙ୍କାରକୁ ଶୁଣୁଥିବା ସମୟରେ, ତାହାର ସୌନ୍ଦର୍ଯ୍ୟକୁ ଅନୁଭବ ଏବଂ ଆସ୍ୱାଦନ କରୁଥିବା ସମୟରେ ଶିକ୍ଷକ ଏବଂ ଛାତ୍ର ପରସ୍ପରର ଅତି ନିକଟରୁ ଚାଲି ଆସନ୍ତି; ସେମାନେ ଆଉ ପରସ୍ପର ପାଖରେ ଆଦୌ ଅପରିଚିତ ହୋଇ ରହନ୍ତି ନାହିଁ ।

 

କେବଳ ସଂଗୀତ ହିଁ ଆଣି ଦେଉଥିବା ଏହି ସହାନୁଭବର ମୁହୂର୍ତ୍ତଗୁଡ଼ିକରେ ଶିକ୍ଷକ ଛାତ୍ର ଭିତରେ ଏପରି ଅନେକ ବସ୍ତୁ ଦେଖିବାରେ ସମର୍ଥ ହୁଏ, ଯାହାକୁ କି ସେ ସଂଗୀତ ବିନା ଆଦୌ ଦେଖି ପାରନ୍ତା ନାହିଁ । ସଂଗୀତର ପ୍ରଭାବ ଦ୍ୱାରା ହିଁ, ଯେତେବେଳେ ଅତ୍ୟୁଚ୍ଚ ବହୁ ଅନୁଭୂତି ଦ୍ୱାରା ଆତ୍ମା ଉତ୍ତୋଳିତ ହୋଇ ଯାଉଥାଏ, ସେତେବେଳେ ପିଲା ନିଜର ସମସ୍ତ ଭୟ ଏବଂ ଉଦ୍‌ବେଗକୁ ନେଇ ଶିକ୍ଷକ ପାଖରେ ରଖିଦିଏ । ଠିକ୍ ସେହିପରି ଗୋଟିଏ ମୂହୁର୍ତ୍ତରେ କୋଲ୍ୟା ଆସି ମୋତେ କହିଥିଲା ଯେ, ତା’ଘରେ ଥିବା ଗୋଟିଏ ଖାତାରେ ସିଏ ତାକୁ ଉଦ୍ଦୀପିତ କରୁଥିବା ଓ ଖୁସୀ କରି ଦେଉଥିବା ସବୁ କିଛିର ଛବିକୁ ଯାଇ ଆଙ୍କି ଦେଉଥିଲା । ତା’ପରେ ସେହି ଛୁଆଟି ମୋତେ ତା’ର ଆଙ୍କିଥିବା ଛବିଗୁଡ଼ିକୁ ପ୍ରକୃତରେ ଆଣି ଦେଖାଇଥିଲା । କେତେ କେତେ ସ୍ୱପ୍ନର ଗୋଟିଏ ପୃଥିବୀ ମୋ’ ସମ୍ମୁଖରେ ଉନ୍ମୋଚିତ ହୋଇ ଯାଇଥିଲା । କୋଲ୍ୟା ଜଣେ ଟ୍ରାକ୍ଟର-ଚାଳକ ଏବଂ ତା’ପରେ ଜଣେ ସୀମାରକ୍ଷକ ପ୍ରହରୀ ହେବ ବୋଲି ଇଚ୍ଛା କରୁଥିଲା ।

Image

 

ଶୀତର ଆନନ୍ଦ ଓ ଉଦ୍‌ବେଗମାନ

 

ଶୀତଋତୁ......ଏହି ଆନନ୍ଦମୟ ଋତୁଟି ଭିତରେ ଶିକ୍ଷା ଓ ବିକାଶର କେତେ କେତେ ଅପୂର୍ବ ସୁଯୋଗ ଲୁକ୍କାୟିତ ହୋଇ ନରହିଛି ! କେବଳ ଗ୍ରୀଷ୍ମ ଋତୁରେ ହିଁ ପିଲାମାନଙ୍କୁ ସୁସ୍ଥ ରଖିହେବ ବୋଲି ଯେଉଁମାନେ କହନ୍ତି, ସେମାନେ ଅତି ଭୁଲ କଥା କହିଥାନ୍ତି । ଶୀତ ଦିନରେ ଉତ୍ତାପ ଇଷତ୍ ଶୀତଳ ରହିଥାଏ ଏବଂ ନରମ ଓ ପ୍ରଚୁର ତୁଷାରପାତ ହେଉଥାଏ; ଏଗୁଡ଼ିକ ପିଲାର ସ୍ୱାସ୍ଥ୍ୟକୁ ପ୍ରକୃତରେ ଅଧିକ ବଳ ଆଣି ଦିଅନ୍ତି । ଏବଂ, ଯଦି ତୁମେ ସେହି ସୁଯୋଗଟିର ସଦ୍‍ବ୍ୟବହାର କରି ନପାରିବ, ତେବେ ଗ୍ରୀଷ୍ମଋତୁ ମଧ୍ୟ ତୁମକୁ ଆଦୌ କୌଣସି ସାହାଯ୍ୟ କରିପାରିବ ନାହିଁ । ମୁଁ ପିଲାମାନଙ୍କୁ ଶୀତର ଥଣ୍ଡା ସହିବାରେ ଏବଂ ପରିଚ୍ଛନ୍ନ ଶୀତପବନକୁ ସେବନ କରିବାରେ କ୍ରମେ ପ୍ରଶିକ୍ଷିତ କରି ଆଣିଥିଲି ।

 

ସକାଳେ ଆମେ ସ୍କୁଲର ଉତ୍ତାପଦିଆ କାଚ ଘରଟିକୁ ଚାଲି ଯାଉଥିଲୁ ଓ ସେହିଠାରେ ସୂର୍ଯ୍ୟୋଦୟକୁ ସ୍ୱାଗତ କରୁଥିଲୁ । ଉଦୟସୂର୍ଯ୍ୟର କିରଣ ଆସି ଅଜାଡ଼ି ହୋଇ ପଡ଼ୁଥିଲା ଓ ହିମ ବସି ଯାଇଥିବା କାଚ କାନ୍ଥଗୁଡ଼ିକୁ ଅସ୍ତବ୍ୟସ୍ତ ନାନା ବାଇଗଣୀ ରଙ୍ଗର ନକ୍ସାରେ ସଜାଇ ଦେଉଥିଲା-। ଆମର କଳ୍ପନା ଶକ୍ତି ପ୍ରତ୍ୟେକଟି କାଚ ଫଳକ ଉପରେ ଏକ ବିସ୍ମୟକାରୀ ପୃଥିବୀକୁ ଆଣି ଆଙ୍କି ଦେଉଥିଲା: ତା’ଉପରେ ଆମେ ବିଚିତ୍ର ଅଦ୍ଭୁତ କେତେ କେତେ ପ୍ରାଣୀ ଏବଂ ଗୁପ୍ତ ଗିରିସଂକଟ, ମେଘ ଓ ଫୁଲମାନଙ୍କୁ ଦେଖି ପାରୁଥିଲୁ । ଏଠାରେ, ହିମ ବସି ଯାଇଥିବା କାଚ ପାଖରେ ପିଲାମାନେ କେତେ କେତେ କାହାଣୀ ଯୋଡ଼ି ଥୋଇ ଦେଉଥିଲେ । ସେମାନେ ଏହିଠାରେ ହିଁ ପଢ଼ି ଶିଖିଲେ । ମୁଁ ଏ ବିଷୟରେ ପରେ କହିବି ।

 

ସୂର୍ଯ୍ୟଙ୍କୁ ଭେଟି ସାରିବା ପରେ ପିଲାମାନେ ବାଟ ଦୁଆରକୁ ଖୋଲି ଦେଇ କାଚଘର ଭିତରକୁ ଯାଉଥିଲେ ଓ ଫୁଲମାନଙ୍କର ଜଗତ ଭିତରେ ପ୍ରବେଶ କରୁଥିଲେ । ସେବର୍ଷ ଶୀତଦିନେ ଆମର ଗୋଟିଏ କାଚଘରେ ସେବତୀ ଫୁଲମାନ ଫୁଟିଥାନ୍ତି । ପ୍ରତ୍ୟେକ ପିଲା ସେଠାରେ ନିଜର ଫୁଲଟିଏ ବାଛି ନେଲା–ତାକୁ ସେ ତା’ର ବିଶେଷ ବନ୍ଧୁ ବୋଲି କହିଲା । ପିଲାଏ ଫୁଲଗଛମାନଙ୍କରେ ପାଣି ଦେଲେ । ସେହି ମୁହୂର୍ତ୍ତଗୁଡ଼ିକର ଆନନ୍ଦ କହିଲେ ନସରେ, କୁନି କୁନି ଜଳବିନ୍ଦୁରେ କେତେ କେତେ ଇନ୍ଦ୍ରଧନୁ ପ୍ରଜ୍ଜ୍ୱଳିତ ହୋଇ ଉଠୁଥିଲେ....ପିଲାମାନେ ସେଗୁଡ଼ିକର ଶୋଭା ଆସ୍ୱାଦନ କରୁଥିଲେ ଏବଂ ଗ୍ରୀଷ୍ମର ସ୍ୱପ୍ନ ଦେଖୁଥିଲେ । ଏହିଠାରେ ହିଁ ସୂର୍ଯ୍ୟାଲୋକର ସେତୁ, ଅର୍ଥାତ୍ ସୁନେଲି ଇନ୍ଦ୍ରଧନୁର କାହାଣୀ ଜନ୍ମଲାଭ କରିଥିଲା ।

 

ସବୁଥର ବରଫଝଡ଼ ପରେ ଯେତେବେଳେ ଭୂଇଁଟାଯାକ ଚାରିଆଡ଼େ ପୁଣି ତୁଷାର ଦ୍ୱାରା ଆବୃତ ହୋଇ ରହୁଥିଲା, ବରଫର ଉଚ୍ଚ ଉଚ୍ଚ ହଡ଼ାଗୁଡ଼ାକୁ ଦେଖିବା ଲାଗି ଆମେ ବଗିଚା ଭିତରକୁ ଯାଉଥିଲୁ । ସିଏ ବି ପ୍ରକୃତରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଜଗତ: ମେଘମାନଙ୍କର ଜଗତ ପରି ଅତ୍ୟନ୍ତ ରହସ୍ୟମୟ ଏବଂ ଅପ୍ରତ୍ୟାଶିତ । ଆଦୌ କୌଣସି ନିୟମ ନମାନି ଏଣେ ଓ ତେଣେ ଲମ୍ବି ରହିଥିବା ବରଫ ହୁଡ଼ାମାନଙ୍କରେ ପିଲାମାନେ ପରୀଗପର ଦୁର୍ଗ ଏବଂ ପର୍ବତଶିଖରଗୁଡ଼ିକୁ ଆବିଷ୍କାର କରି ନେଉଥିଲେ । ସେମାନେ କଠିନ ବରଫ ପାଲଟି ଯାଇଥିବା ସମୁଦ୍ର ତରଙ୍ଗଗୁଡ଼ିକର ବି କଳ୍ପନା କଲେ, ଗୋଟିଏ ଧଳା ହଂସ ଏବଂ ମାଟିଆ ହେଟାକୁ ବି ଦେଖି ପାରୁଥିଲେ । ଗୋଟିଏ ଧୂର୍ତ୍ତ କୋକୀଶିଆଳୀ ମଧ୍ୟ ରହିଥିଲା । ଦିନେ ସତେ ଅବା ପ୍ରକୃତି ଖାସ୍ ଆମ ପାଇଁ ଗୋଟିଏ ପରୀକାହାଣୀର ଜାହାଜ ମଧ୍ୟ ସୃଷ୍ଟି କରି ଦେଉଥିଲା, ତା’ଉପରେ ପାଲ ଉଡ଼ୁଥିଲା ଓ କପ୍ତାନ୍‍ଙ୍କର ସେତୁଟିଏ ଥିଲା । ସେଥିରେ ଗୋଟିଏ ଲଙ୍ଗର ଥିଲା ଓ ଜଳଦସ୍ୟୁମାନେ ଠିଆ ହୋଇ ଦୂର ଦୂର ସ୍ଥାନକୁ ଅନାଉଥିଲେ । ପବନ ଆଉ ସୂର୍ଯ୍ୟ ଆସି ଜାହାଜକୁ ଧ୍ୱଂସ କରିଦେବା ପୂର୍ବରୁ ଆମେ ପ୍ରତ୍ୟେକ ଦିନ ଧାଡ଼ି ବାନ୍ଧି ତାକୁ ଦେଖିବାକୁ ଯାଉଥିଲୁ । ସନ୍ଧ୍ୟାବେଳେ ଜଲଦସ୍ୟୁ ଓ ସେହିଭଳି ବ୍ୟକ୍ତିମାନଙ୍କ ବିଷୟରେ, ଦୁର୍ବଳ ଏବଂ ମିଛରେ ଦୋଷୀ ବୋଲି ଅପବାଦ ପାଉଥିବା ମନୁଷ୍ୟମାନଙ୍କର ରକ୍ଷାକର୍ତ୍ତାମାନଙ୍କ ବିଷୟରେ ମୋ’ଠାରୁ କାହାଣୀମାନ ଶୁଣିବାକୁ ପିଲାମାନେ ଇସ୍କୁଲକୁ ଆସୁଥିଲେ । ଭଲ ଓ ମନ୍ଦ ଭିତରେ ଲାଗିଥିବା ସମର ବିଷୟରେ ଏବଂ ଅନ୍ୟାୟ ଉପରେ ସତ୍ୟର ବିଜୟ ବିଷୟରେ ।

 

ଯେଉଁଦିନ ଅତିବେଶୀ ଥଣ୍ଡା ପଡ଼ୁଥିଲା, ସେହିଦିନ ମାନଙ୍କରେ ଆମେ ବୁଲି ଯାଉନଥିଲୁ-। ପିଲାଏ ମଧ୍ୟମ ପାଗ ହେଉଥିବା ଦିନ ହିଁ ବାହାରକୁ ଯାଉଥିଲେ ଏବଂ ଯେଉଁଦିନ ବରଫ ତରଳୁଥିବା ପାଗ ହେଉଥିଲା, ସେଦିନ ଏକ ବାସ୍ତବ ଛୁଟିଦିନ ପରି ହୋଇ ଯାଉଥିଲା । ତରୁଣ ବାଳଚର ଦଳ ଆମକୁ ବରଫରେ ଏକ ଦୁର୍ଗ ତିଆରି କରିବାରେ ସାହାଯ୍ୟ କଲେ-। ବରଫଖଣ୍ଡଗୁଡ଼ିକୁ ଦେଇ ଗୁମ୍ପା ପରି ଗୋଟିଏ ଜାଗା ତିଆରି ହେଲା । ଏବଂ ଏଠାରେ କାମ ଆଉ ଖେଳ ସହିତ କାହାଣୀ ଓ ବିଭିନ୍ନ କ୍ରୀଡ଼ା ମଧ୍ୟ ରହିଥିଲା । ଆମେ ମେରୁ ଅଞ୍ଚଳକୁ ଆବିଷ୍କାର କରି ଯାଉଥିବା ବ୍ୟକ୍ତିମାନଙ୍କ ପରି ନିଜକୁ କଳ୍ପନା କରୁଥିଲୁ । ବୃହତ୍ ବରଫସ୍ରୋତ ରହିଥିବା ସ୍ଥାନମାନଙ୍କରେ କିପରି ନୀରବତା ବ୍ୟତୀତ ଆଉ କେହି ନଥାନ୍ତି, ମୁଁ ପିଲାମାନଙ୍କୁ ସେହି ବିଷୟରେ କାହାଣୀସବୁ କହୁଥିଲି । ନିରାଟ କଳ୍ପନାରୁ ଗଢ଼ା କଥାମାନ ମନୁଷ୍ୟମାନଙ୍କ ବାସ୍ତବ ବୀରତ୍ୱର କାହାଣୀଗୁଡ଼ିକ ସହିତ ଏକାଠି ଗଅଁଠା ହୋଇ ରହିଥିଲା । ଯେତେବେଳେ ସୂର୍ଯ୍ୟର କିରଣ ପଡ଼ି ଦୁର୍ଗଟି ତରଳି ଯାଇଥିଲା, ସେତେବେଳେ ପିଲାମାନେ ତାହାକୁ ଅତ୍ୟନ୍ତ ଦୁଃଖର ସହିତ ବିଦାୟ ଦେଇଥିଲେ ।

 

ସେବର୍ଷ ଶୀତଋତୁରେ ଆମେ ଦୁଇଥର ଜଙ୍ଗଲକୁ ଯାଇଥିଲୁ; ଥରେ ମୋଟରଗାଡ଼ିରେ ଓ ଆଉଥରେ ତିନୋଟି ଘୋଡ଼ା ଟାଣୁଥିବା ଗାଡ଼ିରେ । ଅଳପ ଅଳପ ହିମ ପଡ଼ୁଥିଲା ଓ ସେଥିରେ ଆମର ଗାଲସବୁ ନାଲି ପଡ଼ି ଚକ୍‌ଚକ୍‌ ଦିଶୁଥିଲା । ମାତ୍ର, ଏତେ ଥଣ୍ଡା ହେଉଛି ବୋଲି କେହି କୌଣସି ଅଭିଯୋଗ କରିନାହାନ୍ତି । ସେଠାରେ ଆମେ କଟାଉଥିବା ଦିନଗୁଡ଼ିକୁ ପିଲାମାନେ କେବେ ଭୁଲି ନାହାନ୍ତି । ଆମେ ଶୀତ ଅରଣ୍ୟର ସଂଗୀତକୁ ଶୁଣିବାରେ ଲାଗିଥିଲୁ ଏବଂ ଚଢ଼େଇମାନଙ୍କର ଜୀବନକୁ ନୀରିକ୍ଷଣ କରି ଦେଖିଥିଲୁ । ଜଙ୍ଗଲ ଘାଟିରେ ଆମେ ଏପରି ଝରଣାଟିଏ ଦେଖିଲୁ, ଯାହାର ପାଣି ତଥାପି ବରଫ ହୋଇ ବସି ଯାଇ ନଥିଲା । ସେଠାରେ ଆମେ ନିଆଁ ପୁଇଁ ଉଷୁମ ହେଲୁ ଏବଂ କାଷା ତିଆରି କରି ପିଇଲୁ । ଆମେ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ ଦେଖି ବିଭୋର ହୋଇଥିଲୁ, ତାହା ଆମ ଆଖି ଆଗରେ ହିଁ ତୁଷାର ଦ୍ୱାରା ଆବୃତ ଡାଳଗୁଡ଼ିକର ରଙ୍ଗକୁ ବଦଳାଇ ଦେବାରେ ଲାଗିଥିଲା । କେତେବେଳେ ହାଲୁକା ଗୋଲାପୀ ତ ଆଉ କେତେବେଳେ କେଶରୀ ଲାଲ୍ ଓ ପୁଣି ବାଇଗଣୀ ମିଶା ନୀଳ ବି ଦେଖାଯାଉଥିଲା । ସୂର୍ଯ୍ୟ ବିଷୟରେ ରହିଥିବା ପରୀଗପଟିକୁ ନୂଆ ନୂଆ ଚିତ୍ରରୂପ ଦେଇ ସମୃଦ୍ଧ କରାଗଲା ଏବଂ ପିଲାମାନେ ସେହି ମୁହୂର୍ତ୍ତର ଅଦ୍ଭୁତ ଓ ଅସାଧାରଣ ସୌନ୍ଦର୍ଯ୍ୟ ଦ୍ୱାରା ବିଭୋର ହୋଇ ରହିଥିଲେ । ଏଠାରେ ଆମେ କବିତାମାନ ବି ତିଆରି କଲୁ, ଯେଉଁଥିରେ କି ପିଲାମାନେ ଶୀତଋତୁର ଅରଣ୍ୟ ବିଷୟରେ ସେମାନଙ୍କର ଧାରଣାଗୁଡ଼ିକୁ ବ୍ୟକ୍ତି କରିଥିଲେ । ବରଫର ପରିଚ୍ଛଦରେ ମଣ୍ଡିତ ରହିଥିବା ପାଇନ୍ ଗଛମାନଙ୍କର ସୌନ୍ଦର୍ଯ୍ୟରେ ପୁଲକିତ ହୋଇ କାଟ୍ୟା କହିଲା: “ପାଇନ୍ ଗଛ ନିଦରେ ଶୋଇଛି ।”

 

ଜିନା ଚିତ୍ରରୂପଟିକୁ ଆହୁରି ସ୍ପଷ୍ଟ କରିଆଣିଲା: “ପାଇନ୍‍ଗଛ ଗ୍ରୀଷ୍ମଋତୁ ଆସିବା ଯାଏ ଶୋଇ ପଡ଼ିଛି ।”

 

ସେରିଓଝା କହିଲା, “ପାଇନ୍ ଗଛ ବସନ୍ତ ଆସିବାଯାଏ ନିଦରେ ଶୋଇ ପଡ଼ିଛି ।” ଏବଂ ସମସ୍ତେ ଏହି କଥାଗୁଡ଼ିକର ସାଂଗୀତିକତାକୁ ଅନୁଭବ କରୁଥିଲେ । ପିଲାମାନେ ସେମାନଙ୍କର ଏହି ବନ୍ଧୁଟି ବିଷୟରେ ଭାବନାକୁ ଅବିଚ୍ଛନ୍ନ ରଖିବାକୁ ଚାହୁଥିଲେ ।

 

“ହଁ, ସିଏ ଶୋଇଛି, ଶୋଇଛି, ଶୋଇଛି, ଆଉ ସ୍ୱପ୍ନ ଦେଖୁଛି”,–ଆଉ ଗୋଟିଏ କିଏ କହିଲା ।

 

ପାଇନ ଗଛ ବସନ୍ତ ଆସିବା ଯାଏ ଶୋଇପଡ଼ିଛି,

 

ସିଏ ଶୋଇଛି, ଶୋଇଛି, ଶୋଇଛି, ଆଉ ସ୍ୱପ୍ନ ଦେଖୁଛି–ସମସ୍ତେ ମିଶି ଗାଇବାକୁ ଲାଗିଲେ, ସେମାନେ ନିଜେ ଗୀତଟିକୁ ତିଆରି କରିଥିଲେ ବୋଲି ବେଶ୍ ଗର୍ବ ଅନୁଭବ କରୁଥିଲେ-। ଶୀତଋତୁର ସେହି ସନ୍ଧ୍ୟାଟି ଗୋଟିଏ ପିଲାର ଆତ୍ମିକ ସମ୍ପଦରେ ସଂପୂର୍ଣ୍ଣ ପୃଥିବୀଟିକୁ ମୋ’ଆଗରେ ଆଣି ଉଦ୍‌ଘାଟିତ କରି ଦେଇଥିଲା । ଏବଂ, ଶେଷରେ ଏହି ଦୃଢ଼ ବିଶ୍ୱାସଟି ହୋଇ ଯାଇଥିଲା ଯେ, ପିଲାମାନଙ୍କୁ ଅଧ୍ୟୟନ କରିବାକୁ, ଭାବିବାକୁ ଓ ସେମାନଙ୍କର ବୌଦ୍ଧିକ ଶକ୍ତି ଓ ସାମର୍ଥ୍ୟଗୁଡ଼ିକର ବିକାଶ କରିବାକୁ ହେଲେ ଆମକୁ ସେମାନଙ୍କ ଭାବନା ତଥା ଭାଷାର ଉତ୍ସଗୁଡ଼ିକ ସହିତ ପ୍ରତ୍ୟକ୍ଷ ସଂସ୍ପର୍ଶ ମଧ୍ୟକୁ ଅବଶ୍ୟ ନେଇ ଆସିବାକୁ ପଡ଼ିବ ।

 

ଏମିତି କୋଉ ପିଲା ଅଛି, ଯିଏକି ବରଫମଣିଷଟିଏ ତିଆରି କରିବାକୁ ଓ ଖସାଗାଡ଼ିରେ ବରଫ ଉପରେ ଖସିବାକୁ ଭଲ ନପାଏ ! ଅଳପ ଥଣ୍ଡା ହେଉଥିବା ଓ ପବନ ବହୁ ନଥିବା ପାଗରେ, ବିଶେଷତଃ ଯେତେବେଳେ ଚାରିଆଡ଼େ ଉଜ୍ଜ୍ୱଳ ଖରା ପଡ଼ିଥାଏ, ଆମେ ଗୋଟାଏ ପୂରା ଦିନ ବାହାରେ ଅତିବାହିତ କରୁଥିଲୁ । ଗାଆଁର ସୀମା ଯେଉଁଠାରେ ସରିଛି, ଆମେ ସେଠାରେ ବରଫର ଗୋଟାଏ ପାହାଡ଼ ତିଆରି କଲୁ । କାଠ ବା ଧାତୁର, ଆମକୁ କୌଣସି ଖସା-ଗାଡ଼ି ଭଲ ଲାଗୁନଥିଲା, କାରଣ ସେଗୁଡ଼ାକ ମୋଟେ ଯଥେଷ୍ଟ ଶୀଘ୍ର ଗତି କରୁନଥିଲେ । ତେଣୁ, ଆମେ ପ୍ରାୟ କୋଡ଼ିଏଟି ବରଫର ଖସାଗାଡ଼ି ତିଆରି କଲୁ, ଆଗ କୁଟାରେ ଗୋବର ମିଶାଇଲୁ, ତା’ଉପରେ ଥଣ୍ଡା ପାଣି ଆଣି ଢାଳିଲୁ ଏବଂ ତାକୁ ଗୋଟିଏ ସାନ ଗାଡ଼ିଟିଏ ପରି ତିଆରି କରି ଦେଲୁ । ଏହି ଖସାଗାଡ଼ିଗୁଡ଼ିକ ସଂପୂର୍ଣ୍ଣ ନିରାପଦ ଥିଲେ ।

 

ମୋ’ର ମୋ’ ନିଜ ପିଲାଦିନ କଥା ମନେ ପଡ଼ିଲା...ଆମେ ଗାଡ଼ିର ଚକଟିଏ ନେଇ ତା’ର ଅଖକୁ ପୋଖରୀର ନିଦା ବରଫ ଭିତରେ ଥିବା ଗୋଟିଏ ଗାତରେ ପୂରାଇ ଦେଉଥିଲୁ । ଗାତଟା ବରଫ ହୋଇ ବସିଯିବା ପରେ ଅଖଟା ସିଧା ଓ ମଜବୁତ୍ ହୋଇ ଠିଆ ଆଡ଼ରେ ରହୁଥିଲା ଏବଂ ଚକ ବରଫ ଉପରେ ଥିବା ଗୋଟିଏ ଚକିରିର କାମ ଦେଉଥିଲା । ପିଲାମାନେ ଚକରେ ବନ୍ଧା ହୋଇଥିବା କାଠିଗୁଡ଼ିକୁ ଯାବୁଡ଼ି ଧରୁଥିଲେ ଏବଂ ଦର୍ପଣ ପରି ଦିଶୁଥିବା ପୋଖରୀ ଉପରେ ଚକିରି ବୁଲୁଥିଲେ । ଏମିତି ଖେଳି ଖେଳି ଗୋଟାଏ ଗୋଟାଏ ଦିନ ଚାଲି ଯାଉଥିଲା । ଦୁର୍ବଳିଆ ପିଲାମାନେ–ସାନ୍ୟା, ଭୋଲୋଡ଼୍ୟା, କାଟ୍ୟା ଆଉ କୋଷ୍ଟ୍ୟା ମୁହଁକୁ ଫୁଲାଇ ଲାଲ୍ ହୋଇ ଯାଉଥିଲେ ।

 

ବିଶେଷ ଭାବରେ ପବନ ବୋହୁ ନଥିବା ମେଘମୁକ୍ତ ଓ ହିମଯୁକ୍ତ ସଂନ୍ଧ୍ୟାଗୁଡ଼ିକରେ ହିଁ ଶୀତଋତୁର ପ୍ରାକୃତିକ ଅସାଧାରଣ ସୌନ୍ଦର୍ଯ୍ୟଟି ପିଲାମାନଙ୍କ ଆଗରେ ଆପଣାର ଉନ୍ମୋଚିତ କରି ଦେଉଥିଲା । ବଗିଚା ଭିତରେ ଛିଡ଼ାହୋଇ ଆମେ ବାଇଗଣୀ ରଙ୍ଗର ସୂର୍ଯ୍ୟାସ୍ତ ଆଡ଼କୁ ଅନାଇ ରହୁଥିଲୁ ଓ ପ୍ରଥମ ତାରାମାନଙ୍କର ଆସିବା ଲାଗି ଅପେକ୍ଷା କରୁଥିଲୁ । ସନ୍ଧ୍ୟାବେଳର ରଶ୍ମିରେ ବରଫ ଗୋଲାପୀ ରଙ୍ଗ ଧାରଣ କରୁଥିଲା ଏବଂ ତା’ପରେ ଗାଢ଼ ବାଇଗଣୀ ହୋଇ ଯାଉଥିଲା । ଏହିସବୁ ମୁହୂର୍ତ୍ତରେ ପିଲାମାନଙ୍କୁ ଅଭିଭୂତ କରି ଦେଉଥିବା ଅନୁଭୂତିଗୁଡ଼ିକ ଶବ୍ଦ ଏବଂ ସଂଗୀତ ଦ୍ୱାରା ଅଭିବ୍ୟକ୍ତ ହୋଇ ଆସୁଥିଲେ । ସେମାନେ ଅନନ୍ୟ ସୌନ୍ଦର୍ଯ୍ୟରେ ପ୍ରତିଧ୍ୱନିତ ହୋଇ ଉଠୁଥିବା ବହୁ ଲୋକଗୀତର ସ୍ୱରଗୁଡ଼ିକୁ ମନେ ପକାଉଥିଲେ । ଆମେ ସମସ୍ତେ ମୁଗ୍ଧ ହୋଇ ସ୍କୁଲ ଅଟ୍ଟାଳିକାକୁ ଫେରି ଆସୁଥିଲୁ, ଚୁଲାରେ ନିଆଁ ଜାଳି ଗୀତ ଗାଉଥିଲୁ ।

 

ସ୍ଥିର ଶୀତସକାଳର ସୂର୍ଯ୍ୟୋଦୟଗୁଡ଼ିକୁ ମଧ୍ୟ ପିଲାମାନେ କମ୍ ଭଲପାଉନଥିଲେ । ସେମାନେ ନୀରବରେ ଠିଆ ହୋଇ ରହୁଥିଲେ ଏବଂ ସୌନ୍ଦର୍ଯ୍ୟଟିର ମନନ କରୁଥିଲେ । ନିଜର ପୁଲକଟିକୁ ବ୍ୟକ୍ତ କରିବା ଲାଗି ଶବ୍ଦଗୁଡ଼ିକୁ ପାଇବା ପାଇଁ ଇଚ୍ଛା କରୁଥିଲେ ଏବଂ ସେମାନଙ୍କର ଏହି ଅନ୍ୱେଷଣରେ ମୁଁ ସାହାଯ୍ୟ ବି କରୁଥିଲି । ଏହି ପ୍ରତ୍ୟେକଟି ଆବିଷ୍କାର ଯେ କେବଳ ଆନନ୍ଦର ଉଦ୍ରେକ କରାଉଥିଲା ତା’ନୁହେଁ, ଭାବନାକୁ ବଳ ଦେବାରେ ଏକ ନୂତନ ଉତ୍ସ ରୂପେ ମଧ୍ୟ କାର୍ଯ୍ୟ କରୁଥିଲା ।

Image

 

Unknown

ଚାତକର ପ୍ରଥମ ଛୁଟି ଦିନ

 

ସାରା ଶୀତଋତୁଟା ଯାକ ପକ୍ଷୀ ଓ ପଶୁମାନଙ୍କର “ଡାକ୍ତରଖାନା” ଗୁଡ଼ିକର ପିଞ୍ଜରାମାନଙ୍କ ପାଖରେ ବସି ଆମେ ବସନ୍ତର ଉଷ୍ମ ଦିନଗୁଡ଼ିକୁ ସ୍ୱପ୍ନ ଦେଖୁଥିଲୁ, ଯେତେବେଳେ ଆମର ଏହି ସାନ ସାନ ବନ୍ଧୁମାନେ ନୀଳ ଆକାଶକୁ ଉଡ଼ି ଚାଲିଯିବେ ଅଥବା ତୋଟା ଭିତରକୁ ଯାଇ ଫକଫକ ହେବେ । ଏବଂ, ପରିଶେଷରେ ସେହି ଦୀର୍ଘ ପ୍ରତିକ୍ଷିତ ଛୁଟିଦିନଟି ଆସି ପହଞ୍ଚିଗଲା-। ଆକାଶରେ ସର୍ବପ୍ରଥମ ଚାତକଟି ଆସି ଆଭିର୍ଭୂତ ହୋଇଯିବା ପରେ ଆମେ ପକ୍ଷୀ ଓ ପଶୁମାନେ ରହି ଆସିଥିବା ପିଞ୍ଜରାଗୁଡ଼ିକୁ ନେଇ ପାହାଡ଼ ଆଡ଼କୁ ଗଲୁ । ସମସ୍ତ ତୃଣଭୂମି ପକ୍ଷୀମାନଙ୍କର ସଂଗୀତରେ ମୁଖରିତ ହୋଇ ଉଠୁଥାଏ । ପିଲାମାନେ ପଞ୍ଜୁରୀଗୁଡ଼ିକର ଦୁଆର ଖୋଲିଦେଲେ ଏବଂ ଚାତକ, କାଠହଣା, ହଳଦୀବସନ୍ତ ଏବଂ ଠେକୁଆ, – ସମସ୍ତଙ୍କୁ ଛାଡ଼ି ଦିଆଗଲା । ଆମେ ଦେଖୁ ଦେଖୁ ଚାତକ ଗୀତ ଗାଇ ଆକାଶ ଭିତରକୁ ଉଡ଼ିଗଲା ଏବଂ ତା’ପରେ ମାଟି ଉପରେ ଆସି ବସିଲା । ......ଆମେ ସମସ୍ତେ ସୌନ୍ଦର୍ଯ୍ୟମୁଗ୍ଧ ହୋଇ ଠିଆ ହୋଇଥାଉ ଏବଂ, ଆମେ ଯେ ଏହି ଜୀବମାନଙ୍କର ପ୍ରାଣରକ୍ଷା କରି ପାରିଛୁ, ସେଥିପାଇଁ ଖୁସୀ ହେଉଥାଉ ।

 

ଏହି ମୁହୂର୍ତ୍ତଗୁଡ଼ିକରେ ମୁଁ ଭବିଷ୍ୟତର କଳ୍ପନା କରୁଥିଲି, ପ୍ରତିବର୍ଷ ଆମେ ଏହି ପାହାଡ଼ଚୂଡ଼ାକୁ ଆସିବୁ ଏବଂ ଚାତକ ପକ୍ଷୀ ମୁକ୍ତିଲାଭ କରିବାର ଉତ୍ସବକୁ ପାଳନ କରିବୁ ।

 

ଚାତକର ଏହି ଛୁଟି ପାଇବାର ଉତ୍ସବଟି ଆମପାଇଁ ବସନ୍ତ ଏବଂ ଗ୍ରୀଷ୍ମ ମଧ୍ୟରେ ଏକ ସୀମାରେଖା ହୋଇ ରହିଲା । ପକ୍ଷୀମାନଙ୍କର ଜୀବନ ରକ୍ଷା କରିଥିବାର କାର୍ଯ୍ୟଟିକୁ ପିଲାମାନେ ଏକ ଗୌରବ ବୋଲି ବିଚାର କରୁଥିଲେ । ପ୍ରତ୍ୟେକ ପିଲାର ନିଜ ଘରେ ମଧ୍ୟ “ଜୀବନ ଓ ସୌନ୍ଦର୍ଯ୍ୟ ପାଇଁ ଗୋଟିଏ କୋଣ” ଆରମ୍ଭ ହୋଇଗଲା । ସୂର୍ଯ୍ୟଧୌତ ପଡ଼ିଆଗୁଡ଼ିକ ଉପରେ ଝଙ୍କୃତ ଅନନ୍ୟ ସଂଗୀତଗୁଡ଼ିକୁ ଗାଇବାରେ ଲାଗିଥିବା ଚାତକର ଭାବରୂପଟି ପିଲାମାନଙ୍କର ଅନ୍ତର୍ଜୀବନରେ ଏକ ଅଂଶ ହୋଇ ରହିଲା । ଆହୁରି ଏକ କାରଣ ଲାଗି ମଧ୍ୟ ପିଲାମାନେ ଅତି ଉତ୍ସୁକ ହୋଇ ଏହି ମୁକ୍ତିର ଦିନଟିକୁ ପ୍ରତୀକ୍ଷା କରି ରହୁଥିଲେ, କାରଣ ଏହି ଦିବସଗୁଡ଼ିକ କଳାତ୍ମକ ସୃଜନଶୀଳତାର ଉଦ୍ଦୀପନା ସହିତ ସଂଯୁକ୍ତ ହୋଇ ରହିଥିଲା: ସେମାନଙ୍କର ମାଆମାନେ ଧଳା ରଙ୍ଗର ଚକଟା ଅଟାରୁ ସେମାନଙ୍କୁ ସାନ ସାନ ଚାତକ, ଚୂଳିଆ ଚଢ଼େଇ, ବଡ଼ ଥଣ୍ଟ ଓ ଚୂଳ ଥିବା ବଗ, କଟର କଟର ଶବ୍ଦ କରୁଥିବା ଚଢ଼େଇ, ବୁଲ୍‍ବୁଲ୍ ପକ୍ଷୀ ଓ ଚେମେଣି ପ୍ରଭୃତି କରିବାରେ ମଧ୍ୟ ସାହାଯ୍ୟ କଲେ । ପିଲାମାନେ ନିଜର ଏହି ସୃଷ୍ଟିଗୁଡ଼ିକୁ ସାଙ୍ଗରେ ସ୍କୁଲକୁ ନେଇ ଆସୁଥିଲେ । ଆପଣାର ଏହି ସାନ ସାନ ସୃଷ୍ଟ ବସ୍ତୁରେ ସେମାନେ ପ୍ରକୃତି ପ୍ରତି ରହିଥିବା ସେମାନଙ୍କର ଶ୍ରଦ୍ଧାକୁ ଢାଳି ଦେଉଥିଲେ । ପ୍ରତ୍ୟେକ ପିଲା ନିଜର ଆପଣା ରୀତିରେ ହିଁ ନିଜର ସୌନ୍ଦର୍ଯ୍ୟଭାବନାକୁ ବ୍ୟକ୍ତ କରୁଥିଲା ।

 

ଶରତ ଋତୁ ଆସିଲା, ପିଲାମାନେ ମାର୍ଗଚାରୀ ପକ୍ଷୀମାନଙ୍କୁ ଦୁଃଖର ସହିତ ବିଦାୟ ଦେଲେ । ଏହି ଦୁଃଖ ମନୁଷ୍ୟମାନଙ୍କର ହୃଦୟକୁ ଶୁଦ୍ଧ ଓ ଉଜ୍ଜ୍ୱଳ କରି ଦେଇଥାଏ । ଏହି ଦୁଃଖ ନଥିଲେ କୌଣସି ସଦିଚ୍ଛା ରହିପାରେ ନାହିଁ ।

Image

 

ଆମେ କିପରି ପଢ଼ି ଲେଖି ଶିଖିଗଲୁ

 

ପିଲାମାନେ କିପରି ଲେଖି ପଢ଼ି ଶିଖିଲେ, ମୁଁ ବର୍ତ୍ତମାନ ସେହି କଥା କହିବି । ମୁଁ ଏହି ବିଷୟରେ ଯାହାକିଛି କହିବି ତାକୁ ଆପଣମାନେ ଅନୁଗ୍ରହ କରି ପଢ଼ା ଓ ଲେଖା ଶିକ୍ଷା ଦେବା କ୍ଷେତ୍ରରେ ଆଦୌ ଏକ ନୂତନ ପ୍ରଣାଳୀ ବୋଲି ଭାବିବେ ନାହିଁ । ମୁଁ ଆମ ସୃଜନାତ୍ମକତାର ବୈଜ୍ଞାନିକ ଭୂମିଟି ସମ୍ବନ୍ଧରେ କିଛି ଚିନ୍ତା କରି ନଥିଲି । ମାତ୍ର, ପିଲାମାନଙ୍କର ଏହି ସୃଜନଶୀଳତା ହିଁ ଶିକ୍ଷା କ୍ଷେତ୍ରରେ ସକଳ କାର୍ଯ୍ୟ ତଥା ଅଧ୍ୟୟନରେ ସହାୟତା କରିଥାଏ । ଯାହାକିଛି ପ୍ରଣାଳୀ ହୁଏତ କିଞ୍ଚିତ୍ ପରିମାଣରେ ବର୍ତ୍ତମାନର ପରୀକ୍ଷିତ ଏବଂ ପ୍ରକୃତ ପ୍ରଣାଳୀଗୁଡ଼ିକ ବଦଳରେ ବ୍ୟବହୃତ ହୋଇପାରିବ, ଆମେ ତା’ଠାରୁ ପ୍ରକୃତରେ ବହୁତ ଦୂରରେ ଯାଇ ରହିଥିଲୁ । ଆମର ଏହି ସୃଜନଶୀଳତା ବିଲରେ ଏବଂ ପଡ଼ିଆରେ ଜନ୍ମଗ୍ରହଣ କରିଥିଲା, ଗ୍ରୀଷ୍ମଋତୁର ସୂର୍ଯ୍ୟୋଦୟ ଏବଂ ଶୀତଋତୁର ଗୋଧୂଳି ସମୟରେ ଓକ୍ ତୋଟାର ଛାୟାରେ ହିଁ ଜନ୍ମ ହୋଇଥିଲା ।

 

ପିଲାଟିଏ ତା’ଜୀବନରେ ପ୍ରଥମ କରି ସ୍କୁଲକୁ ଆସିଥିବା ସମୟରେ ପଢ଼ିବା ଓ ଲେଖିବାଟା ତା’ଲାଗି ଯେ କେତେ କଷ୍ଟକର, କ୍ଳାନ୍ତିଦାୟକ, ଆଗ୍ରହଶୂନ୍ୟ ହେଉଥିବ, ମୁଁ ବହୁବର୍ଷ ଧରି ସେ ବିଷୟରେ ଚିନ୍ତା କରି ଆସିଥିଲି । ଯାବତୀୟ ଅଧ୍ୟୟନକୁ ଗୋଟାଏ ତୁଚ୍ଛା ପୁସ୍ତକୀୟ ବ୍ୟାପାରରେ ପରିଣତ ନକରି ଆମେ କିପରି ପିଲାମାନଙ୍କୁ ନେଇ ଜ୍ଞାନଲାଭର ସେହି କଣ୍ଟକିତ ପଥରେ ଆଣି ଥୋଇ ପାରିବା ? ପିଲାମାନେ କିପରି ବିଭିନ୍ନ ଅକ୍ଷରମାନଙ୍କ ଭିତରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ବୁଝିବାକୁ ଚେଷ୍ଟା କରୁଥିଲେ, ଅକ୍ଷରଗୁଡ଼ିକ ସେମାନଙ୍କର ଆଖି ଆଗରେ ଫକଫକ କରି ଡେଉଁ ଡେଉଁ କିପରି ବୋଧର ଅତୀତ ଗୋଟାଏ ଛାଞ୍ଚ ଭିତରେ ଆସି ପଡ଼ି ଯାଉଥିଲେ, ମୁଁ ସେକଥା ଲକ୍ଷ୍ୟ କରି ଦେଖୁଥିଲି । ଏବଂ, ତା’ସହିତ ମୁଁ ଏକଥାଟିକୁ ମଧ୍ୟ ଦେଖୁଥିଲି ଯେ, ଯଦି ସେମାନଙ୍କର ଖେଳ ସହିତ ଏକାଠି ଗୁନ୍ଥି ଦେଇ, କୌଣସି ଆଗ୍ରହୋଦ୍ଦୀପକ ଆଉ କିଛିଦ୍ୱାରା ଏହି କାର୍ଯ୍ୟଟିକୁ ସରସ କରି ଦିଆଯାଇ ପାରୁଥିଲା, ତେବେ ସେମାନେ ଖୁବ୍ ସହଜରେ ଅକ୍ଷରଗୁଡ଼ିକୁ ମନେ ରଖି ପାରୁଥିଲେ ଏବଂ ସେଗୁଡ଼ିକୁ ନେଇ ଶବ୍ଦ ବି ଗଢ଼ି ପାରୁଥିଲେ । ଏବଂ, ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେତେବେଳେ କେହିହେଲେ ସେମାନଙ୍କୁ “ୟାକୁ ମନ ରେଖିବୁ, ନହେଲେ....ଯଦି ଭୁଲିଯିବୁ, ତେବେ ତୋତେ ମାଡ଼ ମୂଲାଇବାକୁ ହିଁ ପଡ଼ିବ” ବୋଲି ଦାବି କରିବାକୁ ନଥିବେ, ସେତେବେଳେ ତାହା ଆହୁରି ସହଜ ହୋଇଯିବ ।

 

ବିଦ୍ୟାଳୟକୁ ଆସିବାର ପ୍ରଥମ ଦିନଗୁଡ଼ିକରୁ ହିଁ ଅଧ୍ୟୟନର କଣ୍ଟକପଥରେ ଗ୍ରେଡ୍‍ ସବୁ ଦିଆଯିବା ବି ଆରମ୍ଭ ହୋଇଯାଏ । ଗୋଟିଏ ପିଲା ଲାଗି ଗ୍ରେଡ୍‍ ରୂପକ ଦେବତା ଭାରି ସଦୟ ଓ କରୁଣାପୂର୍ଣ୍ଣ ହୋଇଥାନ୍ତି ଏବଂ ଆଉ ଗୋଟିଏ ପିଲା ପାଇଁ ଭାରି ନିଷ୍ଠୁର, ନିର୍ଦ୍ଦୟ ଏବଂ କଠୋର ହୁଅନ୍ତି । କାହିଁକି ଏପରି ହୋଇଥାଏ ? ଏହି କଥାଟି ପିଲାମାନେ ଆଦୌ ବୁଝିପାରନ୍ତି ନାହିଁ । ଜଣେ ପିଲାର କାମ ଉପରେ, ଅର୍ଥାତ୍ ତା’ର ସର୍ବୋତ୍ତମ ଚେଷ୍ଟାକୁ କାମରେ ଲଗାଇବା ଉପରେ ନିର୍ଭର କରି ଗ୍ରେଡ୍‍ ଦିଆଯାଉଛି ବୋଲି ଗୋଟିଏ ସାତ ବର୍ଷର ପିଲା କଦାପି ବୁଝି ପାରିବ ନାହିଁ । ତା’ର ବୟସ ଦୃଷ୍ଟିରୁ ଏହିସବୁ କଥା ତା’ପାଇଁ ନିଶ୍ଚୟ ଅବୋଧ୍ୟ ହୋଇ ରହିବ । ବିଚରା ପିଲାଟି ସେହି ଦେବତା ବା ପିତୁଳାଟିକୁ ପ୍ରସନ୍ନ କରି ରଖିବାକୁ, ଏବଂ, ସବୁଠାରୁ ଅଧିକ ଖରାପ ସ୍ଥିତିରେ ତା’ଆଗରେ ମିଛ କହିବାକୁ ହିଁ ନିଜର ଉଦ୍ଦେଶ୍ୟ କରି ରଖିବ ଏବଂ ଏହିପରି ଭାବରେ ସେ କାଳକ୍ରମେ ବ୍ୟକ୍ତିଗତ ସନ୍ତୋଷ ନିମନ୍ତେ ନୁହେଁ, ମାତ୍ର ଗ୍ରେଡ୍‍ ପାଇବା ଲାଗି ପାଠ ପଢ଼ିବାରେ ହିଁ ଅଭ୍ୟସ୍ତ ହୋଇଯିବ । କୌଣସି ସ୍କୁଲରୁ ଗ୍ରେଡ୍‍ ଦେବାର ପଦ୍ଧତି ଉଠିଯାଉ ବୋଲି ମୁଁ ଆଦୌ ଭାବୁ ନାହିଁ, ନା, ଗ୍ରେଡ୍‍କୁ ଫୁସୁଲା ଫୁସୁଲି କରି ଉଠାଇ ଦିଆଯିବାର କୌଣସି ପ୍ରଶ୍ନ ନାହିଁ । ମାତ୍ର, ପିଲାମାନେ ସେମାନଙ୍କର ଅଧ୍ୟୟନରେ ପ୍ରକୃତରେ କେତେ ପରିମାଣରେ ଶକ୍ତି ବିନିଯୋଗ କରୁଛନ୍ତି, ତାହାରି ଉପରେ ହିଁ ସେମାନଙ୍କର ଯାବତୀୟ ବୌଦ୍ଧିକ ଶ୍ରମର ଗୁଣାତ୍ମକତା ନିର୍ଭର କରୁଛି ବୋଲି ବୁଝିବାକୁ ସମର୍ଥ ହେବା ପରେ ଯାଇ ସେମାନଙ୍କୁ ଗ୍ରେଡ୍‍ ଦିଆଯିବାର ବ୍ୟବସ୍ଥା ରହିବା ଉଚିତ ।

 

ଏବଂ, ମୋ’ ମତରେ ପିଲାମାନେ କେତେ ଆଶାବାଦୀ ଓ ଆନନ୍ଦିତ ହୋଇ ସେମାନଙ୍କର ସ୍କୁଲ ଜୀବନ ଆରମ୍ଭ କରୁଛନ୍ତି, ପ୍ରାଥମିକ ବିଦ୍ୟାଳୟର ସ୍ତରରେ ଗ୍ରେଡ୍‍ ବିଷୟରେ ପ୍ରଧାନତଃ ସେହି କଥାଟିର ଅପେକ୍ଷା ରହିବା ଉଚିତ । ଆଳସ୍ୟ ଏବଂ ଅବହେଳା ପାଇଁ ଏକ ଶାସ୍ତି ରୂପେ ନୁହେଁ, କଠିନ ପରିଶ୍ରମର ଏକ ପୁରସ୍କାର ରୂପେ ହିଁ ଗ୍ରେଡ୍‍ର ନିର୍ଣ୍ଣୟ ହେଉଥିବା ଉଚିତ । ଗୋଟାଏ ଅଳସୁଆ ଘୋଡ଼ାକୁ ଛାଟେ ମାରିବା ପାଇଁ କମ୍ ନମ୍ବର ଦେବା ଓ ଅଧିକ ନମ୍ବରକୁ ଖଣ୍ଡେ ପିଠା ପରି ପିଲାର ମୁହଁରେ ନେଇ ଗୁଞ୍ଜି ଦେବା ପରି ଯଦି ବ୍ୟବହାର କରାଯାଏ, ତେବେ ପିଲା ଖୁବଶୀଘ୍ର ସେହି ଛାଟ ଓ ପିଠା ଉଭୟକୁ ଘୃଣା କରିବାକୁ ଆରମ୍ଭ କରିବ । କମ୍ ନମ୍ବର ଦେବାଟାକୁ ଆମେ ଏପରି ଗୋଟିଏ ସୂତୀକ୍ଷ୍ଣ ଏବଂ ସୂକ୍ଷ୍ମ ଅସ୍ତ୍ର ପରି କଳ୍ପନା କରିବା, ଯାହାକୁ ବି ଏକ ପ୍ରାଥମିକ ସ୍କୁଲର ବିଜ୍ଞ ଓ ଅଭିଜ୍ଞତାସମ୍ପନ୍ନ ଶିକ୍ଷକ ସର୍ବଦା ପାଖରେ ରଖିଥିବ ସିନା, ମାତ୍ର କେବେହେଲେ ବ୍ୟବହାର କରିବ ନାହିଁ । ଆହୁରି ଅଧିକ ସ୍ପଷ୍ଟ ଭାବରେ କହିଲେ, ପ୍ରାଥମିକ ଶ୍ରେଣୀମାନଙ୍କରେ ତାହାକୁ ଆଦୌ କେବେହେଲେ ବ୍ୟବହାର କରାଯିବ ନାହିଁ ବୋଲି ଏହି ଅସ୍ତ୍ରଟି ସେଠାରେ ରହିବ । ଗୋଟିଏ ପିଲା କେବେହେଲେ ତା’ନିଜ ଉପରେ ରହିଥବା ବିଶ୍ୱାସଟିକୁ ହରାଇ ଦେବ ନାହିଁ । ସିଏ ଆଦୌ କେଉଁଠିହେଲେ ଯାଇ ପହଞ୍ଚିପାରୁ ନାହିଁ ବୋଲି କଦାପି ଅନୁଭବ କରିବ ନାହିଁ, ଏହି ବିଷୟରେ ସୁନିଶ୍ଚିତ ହୋଇ ରହିବାକୁ ହିଁ ଶିକ୍ଷା କ୍ଷେତ୍ରର ଯଥାର୍ଥ ପ୍ରଜ୍ଞା ବୋଲି କୁହାଯିବ । ପିଲା ପକାଉଥିବା ତା’ର ପ୍ରତ୍ୟେକଟି ପଦକ୍ଷେପ, ତାହା ଯେତେ କ୍ଷୁଦ୍ର ହୋଇଥାଉ ନା କାହିଁକି, ତାହା ଆଗକୁ ହିଁ ପଡ଼ୁଛି ବୋଲି ପିଲା ସର୍ବଦା ଅନୁଭବ କରୁଥିବ । ସାତ ବର୍ଷ ବୟସର ଯେଉଁ ପିଲାଟି ମାତ୍ର ଏବେ ଇସ୍କୁଲକୁ ଆସୁଛି ଓ “କ” “ଖ” ଗ୍ରେଡ୍‍ଗୁଡ଼ିକ ଭିତରେ କ’ଣ ଫରକ ରହିଛି ସେ ବିଷୟରେ କିଛି ଜାଣି ନାହିଁ, ତାକୁ ତୁମେ ସାନ ଗ୍ରେଡ୍‍ଟିଏ ଦେଇ ଫେଲ୍ କରାଇ ଦେଉଛ । ସିଏ ଏସବୁର ଅର୍ଥ ମୋଟେ କିଛି ବୁଝି ପାରୁନାହିଁ ଏବଂ କମ୍ ଗ୍ରେଡ୍‍ ଆସିଲା ବୋଲି ସେହି ପ୍ରଥମ ଅବସ୍ଥାରେ ଦୁଃଖ ବା ଉଦ୍‌ବେଗ କିଛି ପ୍ରକାଶ କରୁନାହିଁ । ତେଣୁ ଏକାବେଳେକେ ଚକିତ ହୋଇ ଯାଉଛି । ୟାନୁସ୍ କର୍ଚ୍ଚାକ୍ ଲେଖିଥିଲେ, ଅନେକ ସମୟରେ ଏକ ଆକ୍ରମଣାତ୍ମକ କଠୋର ଏବଂ ପୁରାତନ ମନୋଭାବର ନିର୍ବୋଧତା ଦ୍ୱାରା ଗୋଟିଏ ବୁଦ୍ଧିମାନ୍ ପିଲା ମଧ୍ୟ ଅବାକ୍ ହୋଇଯାଏ ଏବଂ ତା’ଦ୍ୱାରା ତା’ର ସକଳ ଅଗ୍ରଗତି ବନ୍ଦ ହୋଇଯାଏ । ପିଲାର ଅଜ୍ଞାନତାକୁ ସମ୍ମାନ ଦେଇ ଶିଖିବାକୁ ହେବ ।”ପୋଲାଣ୍ଡ୍‍ର ଏହି ଶିକ୍ଷାବିତ୍‌ଙ୍କର ଉକ୍ତିଟିକୁ ମୁଁ ମୋ’ ଜୀବନସାରା ମନେ ରଖିଆସିଛି । ଜଣେ ଶିକ୍ଷକ ଯେତେବେଳେ କୌଣସି ବ୍ୟକ୍ତିକୁ ବୁଝାଇବା କ୍ଷେତ୍ରରେ ରହିଥିବା ସୂକ୍ଷ୍ମତାଗୁଡ଼ିକ ଉପରେ ନିର୍ଭୁଲ ଭାବରେ ଜ୍ଞାନ ହାସଲ କରି ପାରିଥାଏ, ଯେତେବେଳେ ସେ ଗୋଟିଏ ପିଲାର ଅଜ୍ଞତାକୁ ସମ୍ମାନ ଦେଖାଇପାରେ, ସେତେବେଳେ ଯାଇ ତା’ ହାତରେ ଫେଲ୍ କରାଇବାର ଗ୍ରେଡ୍‍ ଟି ସବୁଠାରୁ ଅଧିକ ତୀକ୍ଷ୍ଣ ଓ ଅଧିକ ଫଳପ୍ରଦ ଅସ୍ତ୍ର ହୋଇ ରହେ । ମାତ୍ର ଏହା କଦାପି ପ୍ରାଥମିକ ବିଦ୍ୟାଳୟରେ କାମରେ ଲାଗୁନଥାଏ ।

 

ଆନନ୍ଦ-ପାଠଶାଳା ଆରମ୍ଭ ହେବାର କିଛି ବର୍ଷ ପୂର୍ବରୁ ଗୋଟିଏ ଆଗ୍ରହୋଦ୍ଦୀପକ ଘଟଣା ଘଟିଥିଲା । ଛଅ ବର୍ଷ ବୟସର ପୂର୍ବପ୍ରାଥମିକ ପିଲାଙ୍କୁ ନେଇ ମୁଁ ଜଙ୍ଗଲଧାରକୁ ବୁଲି ଯାଇଥାଏ । ସେମାନଙ୍କୁ ମୁଁ ପ୍ରଜାପତି ଓ ଭଅଁରମାନଙ୍କ ବିଷୟରେ କହୁଥାଏ । ଆମେ ହଠାତ୍ ଶିଙ୍ଗ ଥିବା ଗୋଟିଏ ଭଅଁରକୁ ଘାସ ଭିତର ଦେଇ ଯାଉଥିବାର ଦେଖିବାକୁ ପାଇଲୁ । ଭଅଁରଟି ଉଡ଼ିଯିବ ବୋଲି କେତେଥର ଚେଷ୍ଟା କଲା, ମାତ୍ର ତଥାପି ଭୂଇଁରୁ ଉପରକୁ ଉଠି ପାରୁନଥାଏ । ପିଲାମାନେ ତନ୍ନତନ୍ନ କରି ତାକୁ ଅଧ୍ୟୟନ କରିବାକୁ ଲାଗିଲେ । ମୋ’ପାଖରେ ଖାତାଟିଏ ଥିଲା ଓ ମୁଁ ସେଥିରେ ଗୋଟିଏ ଭଅଁର ଆଙ୍କି ପିଲାମାନଙ୍କୁ ଦେଖାଇଦେଲି । “ଭଅଁର” ବୋଲି ଲେଖି ଦେବାକୁ ଗୋଟିଏ ପିଲା ମୋତେ କହିଲା । ମୁଁ ବଡ଼ ବଡ଼ ଅକ୍ଷରରେ ଶବ୍ଦଟିକୁ ଲେଖିଦେଲି । ପିଲାମାନେ ଉତ୍କଣ୍ଠାର ସହିତ ଶବ୍ଦଟିକୁ ବାରବାର ଉଚ୍ଚାରଣ କଲେ ଏବଂ ଅକ୍ଷରଗୁଡ଼ିକୁ ପରୀକ୍ଷା କରି ଦେଖିବାକୁ ଲାଗିଲେ । ଲେଖାଟା ସେମାନଙ୍କୁ ଗୋଟିଏ ଛବି ପରି ଲାଗୁଥାଏ । ଜଣେ ପିଲା ଅକ୍ଷରଗୁଡ଼ିକୁ ବାଲି ଉପରେ ଲେଖି ପକାଇଲା ଏବଂ ଆଉକିଏ ଘାସକୁ ସଜାଇ ଶବ୍ଦଟିକୁ ଲେଖି ଥୋଇ ଦେଲା । ପ୍ରତ୍ୟେକଟି ଅକ୍ଷର ପିଲାମାନଙ୍କୁ କ’ଣ ଗୋଟିଏ ବସ୍ତୁ ପରି ଦେଖାଯାଉଥିଲା । ଉଦାହରଣ ସ୍ୱରୂପ, ଶବ୍ଦର ପ୍ରଥମ ଅକ୍ଷରଟି ସେମାନଙ୍କୁ ସେହି ଭଅଁରଟି ପରି ଦିଶୁଥିଲା, ଯିଏକି ଉଡ଼ିଯିବା ପାଇଁ ଚେଷ୍ଟା କରି ଡେଣାଗୁଡ଼ିକୁ ଫଡ଼ଫଡ଼ କରୁଥିଲା, ମାତ୍ର ତଥାପି ଉଡ଼ିଯାଇ ପାରୁ ନଥିଲା । ଏହାର କେତେ ମାସ ପରେ, ଏହି ପିଲାମାନେ ଇସ୍କୁଲ୍ ଆରମ୍ଭ କରିବା ପରେ ମୁଁ ଥରେ ଏଥିରୁ କେତେଜଣଙ୍କର ପାଠପଢ଼ା ଦେଖିବାକୁ ଯାଇଥିଲି । ଅକ୍ଷର ପଢ଼ିବାରେ ପିଲାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶିକ୍ଷକ ଅଭିଯୋଗ କଲେ । ଦୈବାତ୍, ସେଦିନ ମଧ୍ୟ ସେମାନେ ଭଅଁର ଶବ୍ଦର ମୂଳ ଅକ୍ଷରଟିକୁ ପଢ଼ି ଶିଖୁଥିଲେ । ହଠାତ୍ ପିଲାମାନଙ୍କର ମୁହଁରେ ହସ ଫୁଟି ଉଠିଲା ଏବଂ ଶ୍ରେଣୀ ଗୃହଟି ଉତ୍ତେଜନାର ଗୁଞ୍ଜରଣରେ ମୁଖରିତ ହୋଇଗଲା । ପିଲାମାନେ ବାରମ୍ବାର “ଭଅଁର” ଶବ୍ଦଟିକୁ କହିଲେ ଏବଂ ମୂଳ ଅକ୍ଷରଟିକୁ ବାରି ପକାଇଲେ । ପିଲାଏ ସମସ୍ତେ, “ଭଅଁର” ଲେଖି ଦେଇଥିବାର ଦେଖି ଶିକ୍ଷକ ଅବାକ୍ ହୋଇ ଯାଉଥାନ୍ତି । ପୁରା ପାଠଘଣ୍ଟାଟି ତା’ପରେ ଅତ୍ୟନ୍ତ ଆନନ୍ଦପୂର୍ଣ୍ଣ ଓ ପ୍ରୀତିକର ହୋଇ ପଡ଼ିଥିଲା । ଜୀବନ ଯେ ଜଣେ ଶିକ୍ଷକକୁ ବସ୍ତୁତଃ ସବୁ ଶିକ୍ଷା ଦେଇଥାଏ, ଜଣେ ଶିକ୍ଷାଦାତା ହିସାବରେ ମୁଁ ସେଦିନ ସେହି ପାଠଟିକୁ ପଢ଼ିଥିଲି ।

 

ଏବଂ ଏହି ଆନନ୍ଦ-ପାଠଶାଳାରେ ବର୍ତ୍ତମାନ ବି ମୁଁ ସେହି କଥାଟିକୁ ସ୍ମରଣ କଲି । ପିଲାମାନଙ୍କର ଜୀବନ ସୌନ୍ଦର୍ଯ୍ୟ, ଖେଳ, ପରୀକାହାଣୀ, ସଂଗୀତ, ଚିତ୍ରାଙ୍କନ ଏବଂ ସୃଜନାତ୍ମକତାର ଜଗତଟି ମଧ୍ୟରେ ଅତିବାହିତ ହେଉଥିବା ଉଚିତ । ଆମେ ସେମାନଙ୍କୁ ପଢ଼ି ଲେଖି ଶିଖାଉଥିବା ସମୟରେ ସେହି ଜଗତଟି ପିଲାଙ୍କୁ ବେଷ୍ଟନ କରି ରହିଥିବା ଉଚିତ । ଜ୍ଞାନ ଓ ଶିକ୍ଷାଲାଭ ପ୍ରତି ଗୋଟିଏ ପିଲାର ସମଗ୍ର ଦୃଷ୍ଟି କିପରି ହେବ, ତାହା ଏହି ସିଡ଼ିର ପ୍ରଥମ କେତୋଟି କାଠି ଚଢ଼ିବା ଉପରେ ହିଁ ନିର୍ଭର କରିଥାଏ । ଅନେକ ପିଲାଙ୍କ ସକାଶେ ଏହି କାଠିଗୁଡ଼ିକ ଝୁଣ୍ଟି କରି ପଡ଼ିଯିବାର ଗୋଟିଏ ଗୋଟିଏ ପ୍ରତିବନ୍ଧକ ପରି ସେ କାର୍ଯ୍ୟ କରିବ, ତାହା ଭାବିବାକୁ ମଧ୍ୟ ଭୟଙ୍କର ମନେ ହେଉଛି । ବିଦ୍ୟାଳୟର ଜୀବନ ଉପରେ ଦୃଷ୍ଟିପାତ କଲେ ଜଣା ପଡ଼ିବ ଯେ, ପଢ଼ି ଲେଖି ଶିଖୁଥିବାର ଠିକ୍ ସେହି ସମୟଟିରେ ହିଁ ଅନେକ ପିଲାଙ୍କର ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ ତୁଟି ଯାଇଥାଏ । ତେଣୁ ଆମେ ସେହି କାଠିଗୁଡ଼ିକୁ ଏପରି ଭାବରେ ଗଢ଼ିବା, ଯେପରିକି ପିଲାମାନଙ୍କୁ ସେଠାରେ ଆଦୌ କ୍ଳାନ୍ତ ଲାଗିବ ନାହିଁ । ଗୋଟିଏ ଚଢ଼େଇ ଖୁସୀ ହୋଇ ଉପରକୁ ଉଡ଼ି ଯାଉଥିବା ପରି ସେମାନେ ଜ୍ଞାନ ସିଡ଼ିର କାଠିକୁ କାଠି ପାର ହୋଇ ଯାଉଥିବେ; ପିଠି ଉପରେ ବୋହୁଥିବା ଗୋଟାଏ ଏଡ଼େବଡ଼ ବୋଝ ଦ୍ୱାରା ଉତ୍ପୀଡ଼ିତ କୌଣସି ଶ୍ରାନ୍ତ ପଥିକ ପରି ନୀରସ ଭାବରେ ପାଦ ପକାଇବାକୁ ସେମାନେ ଆଦୌ ବାଧ୍ୟ ହେଉ ନଥିବେ ।

 

ପିଲାମାନଙ୍କୁ ସାଙ୍ଗରେ ନେଇ ମୁଁ ଶବ୍ଦଗୁଡ଼ିକର ଉତ୍ସକୁ “ଯାତ୍ରା” ଆରମ୍ଭ କରିଦେଲି: ସେମାନଙ୍କର ଆଖିକୁ ମୁଁ ପୃଥିବୀର ସୌନ୍ଦର୍ଯ୍ୟରାଜି ମଧ୍ୟକୁ ମୁକୁଳା କରି ରଖିଲି ଏବଂ ତା’ସାଙ୍ଗକୁ ଶବ୍ଦଗୁଡ଼ିକର ସଂଗୀତଟି ଆଡ଼କୁ ମଧ୍ୟ ସେମାନଙ୍କର ହୃଦୟଗୁଡ଼ିକୁ ଖୋଲି ଦେବାକୁ ଚେଷ୍ଟା କଲି । ଏପରି ଏକ ପରିବେଶ ସୃଷ୍ଟି କଲି ଯେ, ସେଥିରେ ଶବ୍ଦଗୁଡ଼ିକ କେବଳ ମଣିଷ, ସ୍ଥାନ, ବସ୍ତୁ ବା ଘଟଣାଗୁଡ଼ିକର ଗୋଟିଏ ଗୋଟିଏ ନାମ ବୋଲି ମୋଟେ ମନେ ରହିବ ନାହିଁ,–ସେଗୁଡ଼ିକ ମଧ୍ୟରେ ସେଗୁଡ଼ିକର ସଂବେଗଗତ ଅନୁରଞ୍ଜନ ମଧ୍ୟ ଅଙ୍ଗାଙ୍ଗୀ ହୋଇ ରହିଛି, ସେଗୁଡ଼ିକର ନିଜର ମହକ ଓ ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକ ସର୍ବଦା ନିହିତ ହୋଇ ରହିଛି ବୋଲି ଲାଗୁଥିବ । ଏହା ଖୁବ୍ ମହତ୍ତ୍ୱପୂର୍ଣ୍ଣ ଯେ, ପିଲାମାନେ ସତେଅବା କୌଣସି ଅଦ୍ଭୁତ ସ୍ୱରଝଙ୍କାରକୁ ଶୁଣୁଥିବା ପରି ମନୋଯୋଗ ସହକାରେ ଶବ୍ଦଟିକୁ ଶୁଣୁଥିବେ । ଯେପରିକି ଶବ୍ଦଟିର ସୌନ୍ଦର୍ଯ୍ୟ ଏବଂ ଶବ୍ଦଟି ପୃଥିବୀର ଯେଉଁ ଅଂଶଟିକୁ ସୂଚିତ କରି ଦେଉଥିବ, ସେହିଟିର ସୌନ୍ଦର୍ଯ୍ୟ ମଧ୍ୟ ବର୍ଣ୍ଣମାଳାର ଅକ୍ଷରଗୁଡ଼ିକ ପାଇଁ ଅର୍ଥାତ୍ ମନୁଷ୍ୟମାନେ ଉଚ୍ଚାରଣ କରୁଥିବା ଧ୍ୱନିଗୁଡ଼ିକର ସଂଗୀତକୁ ଉପସ୍ଥାପିତ କରି ଦେଉଥିବା ସେହି ଛବିଗୁଡ଼ିକ ପାଇଁ ଏକ ଆଗ୍ରହକୁ ଜାଗ୍ରତ କରି ଆଣିବ । ପିଲା ଯେପର୍ଯ୍ୟନ୍ତ ଶବ୍ଦଗୁଡ଼ିକର ମହକକୁ ଅନୁଭବ କରି ନଥିବ, ସେଗୁଡ଼ିକର ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକୁ ଦେଖି ପାରୁନଥିବ, ସେପର୍ଯ୍ୟନ୍ତ ସିଏ ପଢ଼ି ଲେଖି ଶିଖିବା ଲାଗି ଆଦୌ ପ୍ରସ୍ତୁତ ହେବ ନାହିଁ ଏବଂ ଯଦି ଶିକ୍ଷକ ଏହି ପ୍ରକ୍ରିୟାଟିକୁ ଉପଯୁକ୍ତ ସମୟଟି ଆସିବା ପୂର୍ବରୁ ମଧ୍ୟ ଆରମ୍ଭ କରିଦେବେ, ତେବେ ସେ ପିଲାକୁ ଏକ ଅତି କଷ୍ଟକର କାର୍ଯ୍ୟର ଅକଳ ଭିତରେ ନେଇ ପକାଇ ଦେବେ । ପରିଶେଷରେ ଅବଶ୍ୟ ପିଲା ଏହି ବାଧାଟିକୁ ଅତିକ୍ରମ କରିଯାଇ ପାରିବ ସତ, ମାତ୍ର ସେଥିପାଇଁ ତାକୁ ବହୁତ ମୂଲ୍ୟ ଦେବାକୁ ହେବ ।

 

ପଢ଼ାଲେଖାର କାର୍ଯ୍ୟଟି ଯଦି ପିଲାମାନଙ୍କ ପାଇଁ ଜୀବନର ଏକ ଉଜ୍ଜ୍ୱଳ ଓ ଉଦ୍ଦୀପନାମୟ ଅଂଶ ହୋଇ ରହିଥିବ, ଯଦି ତାକୁ ତାହା ନାନା ଜୀବନ୍ତ ପ୍ରତିରୂପ, ଧ୍ୱନି ଏବଂ ସଂଗୀତରେ ଭରି ଦେଇ ଯାଇପାରୁଥିବ, ତେବେ ତାହା ପ୍ରକୃତରେ ଖୁବ୍ ସହଜ ହୋଇଯିବ । ପିଲା ଯାହା ମନେ ରଖିବ, ସେଇଟି ତା’ସକାଶେ ଅବଶ୍ୟ ଆଗ୍ରହୋଦ୍ଦୀପକ ହୋଇଥିବା ଆବଶ୍ୟକ । ପଢ଼ିବା ଓ ଲେଖିବାର ଶିକ୍ଷା ଅତ୍ୟନ୍ତ ନିବିଡ଼ ଭାବରେ ଆଙ୍କିବା ସହିତ ଯୋଡ଼ା ହୋଇ ରହିଥିବା ଉଚିତ ।

 

ଶବ୍ଦଗୁଡ଼ିକର ଉତ୍ସମାନଙ୍କ ପାଖକୁ “ଆମ ଅଭିଯାନ ଯାତ୍ରା”ରେ ଆମେ ସାଙ୍ଗରେ କାଗଜ ପେନସିଲ୍ ନେଇ ଯାଉଥିଲୁ । ଥରେ ସେହି ପ୍ରଥମ ଅବସ୍ଥାର ଗୋଟିଏ ଯାତ୍ରାରେ ମୁଁ ପିଲାମାନଙ୍କୁ “ପଡ଼ିଆ” ଶବ୍ଦଟିର ସୌନ୍ଦର୍ଯ୍ୟ ଏବଂ ସୂକ୍ଷ୍ମ ବ୍ୟଞ୍ଜନାଟିକୁ ଦେଖାଇବାକୁ ଇଚ୍ଛା କରିଥିଲି-। ପୋଖରୀ ଉପରକୁ ବଙ୍କା ହୋଇ ଆସିଥିବା ଗୋଟିଏ ଉଇଲୋ ଗଛ ତଳେ ଆମେ ବସିଥାଉ-। ଦୂରରେ ଗୋଟିଏ ସବୁଜ ପଡ଼ିଆ ଖରା ପଡ଼ି ଉଜ୍ଜ୍ୱଳ ହୋଇ ରହିଥାଏ । ମୁଁ ପିଲାମାନଙ୍କୁ କହିଲି: “ଆମ ଆଗରେ ରହିଥିବା ସୌନ୍ଦର୍ଯ୍ୟଟିକୁ ଅନାଇ ଦେଖ । ପ୍ରଜାପତି ଓ ମହୁମାଛିମାନେ ଘାସ ଉପରେ ଉଡ଼ି ବଲୁଛନ୍ତି । ପଲେ ଗାଈ ଏତେ ଦୂରରେ ଚରୁଛନ୍ତି ଯେ ଏଠାରୁ ସାନ ସାନ ଖେଳନା ପରି ଦେଖା ଯାଉଛନ୍ତି । ପଡ଼ିଆଟି ଗୋଟିଏ ଚକ୍‌ଚକ୍‌ ସବୁଜ ନଈ ପରି ଦେଖାଯାଉଛି ଏବଂ ଗଛମାନେ ତା’ର ବହଳ ଶାଗୁଆ ରଙ୍ଗର କୂଳ ପରି ଦିଶୁଛନ୍ତି । ଗାଈମାନେ ନଦୀ ଭିତରେ ଛିଡ଼ା ହୋଇଛନ୍ତି । ଏହି ଆରମ୍ଭ ଶରତକାଳରେ କେତେ କେତେ ପ୍ରକାରର ସୁନ୍ଦର ଫୁଲ ବିଛାଡ଼ି ହୋଇ ଫୁଟିଛନ୍ତି ଦେଖ । ପଡ଼ିଆର ଗୀତଟିକୁ କାନ ଡେରି ଶୁଣ, – ସାନ ସାନ ମାଛିଙ୍କର କଅଁଳ ଗୁଣୁଗୁଣୁ ଶବ୍ଦଟିକୁ ତୁମେମାନେ ଶୁଣି ପାରୁଛ ? ଆଉ, ଝିଣ୍ଟିକାମାନଙ୍କର ଶବ୍ଦକୁ-?

 

ମୋ’ ଖାତାରେ ମୁଁ ପଡ଼ିଆର ଗୋଟିଏ ଛବି ଆଙ୍କିଦେଲି, – ସେଥିରେ ଗାଈ ଓ ହଂସମାନେ ଖଣ୍ଡେ ଖଣ୍ଡେ ଧଳା ତୁଳା ମେଞ୍ଚା ପରି ଏଣେତେଣେ ବିକ୍ଷିପ୍ତ ହୋଇ ରହିଗଲେ, – ପଡ଼ିଆ ଉପରର ପାତଳା ଧୂଆଁଟା କ୍ୱଚିତ୍ ବାରି ହେଉଥିଲା । ଦିଗ୍‍ବଳୟ ଉପରେ ଧଳା ମେଘଖଣ୍ଡମାନ ଭାସୁଥିଲେ । ସେହି ଶାନ୍ତ ସକାଳଟିର ସୌନ୍ଦର୍ଯ୍ୟରେ ପିଲାମାନେ ମୁଗ୍ଧ ହୋଇ ଯାଇଥାଆନ୍ତି । ସେମାନେ ମଧ୍ୟ ଆଙ୍କିଲେ । ମୋ’ଛବିର ତଳକୁ ମୁଁ ପଡ଼ିଆ ବୋଲି ଲେଖି ଦେଇଥିଲି । ଅଧିକାଂଶ ପିଲାଙ୍କ ସକାଶେ ଏହି ଅକ୍ଷରଗୁଡ଼ିକ ଛବିଟିର ଏକ ଅଂଶ ହୋଇ ରହିଥିଲା-। ଏବଂ, ପ୍ରତ୍ୟେକ ଛବି ସେମାନଙ୍କୁ କୌଣସି ଗୋଟିଏ ନା ଗୋଟିଏ ବସ୍ତୁର ସ୍ମରଣ କରାଇ ଦେଇଥାଏ, ମାତ୍ର ସେହି ବସ୍ତୁଟି ପ୍ରକୃତରେ କ’ଣ ? ସେଇଟି ହେଉଛି ଗୋଟାଏ ଗୋଟାଏ ଘାସ । ଛବିରେ ଘାସଗୁଡ଼ାକ ବଙ୍କାଇ–ଅକ୍ଷର ପରି କରି ଦେଇଥିଲି । ଚାରୋଟି ଘାସକୁ ମିଶାଇ ଆହୁରି–ଅମୂକ ଅକ୍ଷରଟିକୁ ତିଆରି କରିଥିଲି । ପିଲାମାନେ ନିଜେ ନିଜର ଛବି ତଳେ ମଧ୍ୟ “ପଡ଼ିଆ” ବୋଲି ଲେଖି ଦେଲେ । ତା’ପରେ ଆମେ ଶବ୍ଦଟିକୁ ପଢ଼ିଥିଲୁ । ପ୍ରକୃତିର ସଂଗୀତ ପ୍ରତି ପିଲାମାନଙ୍କର ଯେଉଁ ସଂବେଦନଶୀଳତା ରହିଥିଲା, ତାହା ସେମାନଙ୍କୁ ଶବ୍ଦଟିର ଧ୍ୱନିଗୁଡ଼ିକୁ ଅନୁଭବ କରିବାରେ ସାହାଯ୍ୟ କରିଥିଲା । ପ୍ରତ୍ୟେକଟି ଅକ୍ଷରକୁ କିପରି ଲେଖାଯାଏ, ଏହା ସେମାନଙ୍କୁ ସେହି କଥା ସ୍ମରଣ କରାଇ ଦେଇଥିଲା । ଏବଂ, ସେମାନେ ପ୍ରତ୍ୟେକଟି ଛବିରେ ଜୀବନ୍ତ ଧ୍ୱନି ଆଣି ଭରି ଦେଇଥିଲେ । ଏହିପରି ଭାବରେ ଅକ୍ଷରଗୁଡ଼ିକୁ ଖୁବ୍ ସହଜରେ ମନେ ରଖି ହେଲା । ଯେଉଁ ଶବ୍ଦଟିକୁ ତୁମେ ଆଙ୍କି ଦେଇପାରିବ, ତାହାକୁ ତୁମେ ଏକ ସମଗ୍ର ଭାବରେ ନିଶ୍ଚୟ ପ୍ରତ୍ୟକ୍ଷ କରିପାରିବ । ତା’ପରେ ଶବ୍ଦଟିକୁ ତୁମେ ପାଠ ବି କରିପାରିବ । ଏବଂ, ଶବ୍ଦଟିରେ ରହିଥିବା ଧ୍ୱନିଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଏବଂ ମିଶ୍ରଣ ଦ୍ୱାରା ଯେ ଏହି ପଠନ ସମ୍ଭବ ହେବ ତା’ନୁହେଁ, ମାତ୍ର ବରଂ କାନ ପାଖରେ ଆସି ବାଜୁଥିବା ସାଂଗୀତିକ ପ୍ରତିରୂପଟିର ଏକ ସ୍ୱେଚ୍ଛାକୃତ ପୁନଃସଂର୍ଜନ ଦ୍ୱାରା ହିଁ ତାହା ହୋଇ ପାରୁଥିବ । ସାଂଗୀତିକ ପ୍ରତିରୂପଟିର ଅନୁରୂପ ହୋଇ ଏକ ଦୃଶ୍ୟମାନ୍ ପ୍ରତିରୂପ ମଧ୍ୟ ରହିଥବ । ଏବଂ, ଦୃଶ୍ୟମାନ୍ ପ୍ରତିରୂପ କହିଲେ ପିଲାମାନେ କେବଳ ଏକ ଛବିକୁ ହିଁ ବୁଝନ୍ତି । ଏହିପରି ଭାବରେ ଚକ୍ଷୁ ଓ କର୍ଣ୍ଣର ପ୍ରତ୍ୟକ୍ଷଗୁଡ଼ିକ ଏକାଠି ହେବେ, ଶବ୍ଦଟିର ଦୃଶ୍ୟ ପ୍ରତିରୂପ ଓ ସାଂଗୀତିକ ଧ୍ୱନି ଉଭୟଟି ମଧ୍ୟରେ ରହିଥିବା ଉର୍ବର ସଂବେଗଗତ ଅନୁରଞ୍ଜନଟି ଦ୍ୱାରା ସେଗୁଡ଼ିକ ଅନୁପ୍ରେରିତ ହୋଇ ରହିଥିବେ । ତେବେ ପିଲାମାନେ ଯୁଗପତ୍ ଭାବରେ ଅକ୍ଷରଗୁଡ଼ିକୁ ଏବଂ ସାନ ଶବ୍ଦଟିକୁ ମଧ୍ୟ ମନେ ରଖି ପାରିବେ । ଏହାକୁ ପଢ଼ିବାର ଉପାୟ ଶିଖାଇବାର କ୍ଷେତ୍ରରେ ଆଦୌ କୌଣସି ନୂତନ ପଦ୍ଧତି ବୋଲି କୁହାଯିବ ନାହିଁ । ବିଜ୍ଞାନ ଦ୍ୱାରା ଯାହା ପ୍ରଦର୍ଶିତ ହୋଇ ପାରିଛି, ଏହାକୁ ତାହାରି ଏକ ବାସ୍ତବ ଉପଲବ୍ଧି ବୋଲି ହିଁ କୁହାଯିବ: ଯାହାକୁ ତୁମେ ମନେ ରଖିବାକୁ ବାଧ୍ୟ ନହେବ, ତାହାକୁ ହିଁ ଅପେକ୍ଷାକୃତ ଅଧିକ ସହଜରେ ମନେ ରଖିପାରିବ । ପ୍ରତ୍ୟକ୍ଷ ହେଉଥିବା ପ୍ରତିରୂପଗୁଡ଼ିକର ସଂବେଗଗତ ଅନୁରଞ୍ଜନ ସ୍ମରଣ ରଖିବାର କ୍ଷେତ୍ରରେ ଏକ ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 

ଦୃଶ୍ୟ ପ୍ରତିରୂପଟି, ଧ୍ୱନି ଏବଂ ଗୋଟିଏ ଶବ୍ଦର ସଂବେଗଗତ ଅନୁରଞ୍ଜନ, – ଏଗୁଡ଼ିକ ଏକତ୍ର ହେବା ଦ୍ୱାରା ଧ୍ୱନିଗୁଡ଼ିକର ସ୍ୱତନ୍ତ୍ର ଓ ଭିନ୍ନ ଭିନ୍ନ ବିଶ୍ଳେଷଣଟି ଆଦୌ ଅସ୍ୱୀକୃତ ହୋଇ ରହିଯାଏ ନାହିଁ । ବରଂ ଠିକ୍ ବିପରୀତ କଥାଟି ହିଁ ହୁଏ; “ପଡ଼ିଆ” ଶବ୍ଦଟି କହିଲା ସମୟରେ ପ୍ରକୃତରେ କାନକୁ କିପରି ଶୁଭେ, ସେକଥାକୁ ମନୋଯୋଗ ଦେଇ ଶୁଣିଲାବେଳେ ପିଲାମାନେ ପ୍ରତ୍ୟେକଟି ଧ୍ୱନିକୁ ଗ୍ରହଣ କରି ନେଉଥିଲେ; ସେମାନେ ବୁଝୁଥିଲେ ଯେ ଏହି ଶବ୍ଦଟି ଭିନ୍ନ ଭିନ୍ନ ଧ୍ୱନିକୁ ନେଇ ତିଆରି ହୋଇଛି ଏବଂ ପ୍ରତ୍ୟେକ ଧ୍ୱନିର ଅନୁରୂପ ଗୋଟିଏ ଅକ୍ଷର ବି ରହିଛି ।

 

ଆହୁରି କେତେଦିନ ପରେ ଆମେ ଗୋଟିଏ ନୂଆ “ଅଭିଯାନ”ରେ ବାହାରିଥିଲୁ । ସୂର୍ଯ୍ୟକୁ ସ୍ୱାଗତ କରିବା ନିମନ୍ତେ ଦିନେ ବଡ଼ି ସକାଳେ ଆମେ ବିଦ୍ୟାଳୟର ଉଦ୍ୟାନ ଭିତରକୁ ଗଲୁ-। ସେଠାରେ ପଡ଼ିଥିବା ପ୍ରତ୍ୟେକଟି ଶିଶିରବିନ୍ଦୁରେ ସୂର୍ଯ୍ୟର ରଶ୍ମି ଢଳ ଢଳ ହେଉଥିଲା । ଘାସ, ଗଛମାନଙ୍କରପତ୍ର, ଅଙ୍ଗୁର ଫଳର ପେନ୍ଥାଗୁଡ଼ିକ, ହଳଦିଆ ନାସ୍ପାତି ଓ ବାଇଗଣୀ ରଙ୍ଗର ପ୍ଲମ୍, - ସବୁକିଛି ଉପରେ ଶିଶିର ପଡ଼ିଥିଲା । ରଶ୍ମିଗୁଡ଼ିକ ଗୋଟିଏ ଜାଗାରୁ ଅନ୍ତର୍ହିତ ହୋଇ ଆଉ ଗୋଟିଏ ଜାଗାରେ ଆବିର୍ଭୂତ ହୋଇ ଉଠୁଥିଲେ । ସତେ ଯେପରି ସୂର୍ଯ୍ୟ ଗୋଟିଏ ବିନ୍ଦୁକୁ ଆସି ଶୋଷି ନେଉଥିଲା ଓ ତା’ ଜାଗାରେ ଆଉ ଗୋଟିଏ ବିନ୍ଦୁକୁ ଆଣି ରଖି ଦେଉଥିଲା । ଶିଶିରବିନ୍ଦୁ ଉପରେ ସୂର୍ଯ୍ୟକିରଣ ପଡ଼ୁଥିବା ସମୟରେ ହିଁ ବିନ୍ଦୁଗୁଡ଼ିକ ଆଲୋକରେ ଝଲମଲ ହୋଇ ଉଠୁଥିଲେ । ମାତ୍ର ଏହିପରି ଉଭେଇ ଯାଇ କାକର ବିନ୍ଦୁଟି କୁଆଡ଼େ ଚାଲି ଯାଉଥିଲା ? କେତେକ ବିନ୍ଦୁ ବାଷ୍ପ ହୋଇ ଯାଉଥିଲେ ଓ ଅନ୍ୟଗୁଡ଼ିକ ଧୀରେ ଧୀରେ ଘାସ ପତରଗୁଡ଼ିକ ଉପରୁ ଗଡ଼ି ଆସି ମାଟିରେ ଶୋଷି ହୋଇ ଯାଉଥିଲେ । ଏହି କାକର ନଥିଲେ ଘାସ ଓ ଫୁଲମାନେ ମୋଟେ ବଞ୍ଚି ପାରନ୍ତେ ନାହିଁ । ତା’ପରେ ଆମେ ବିଭିନ୍ନ ପ୍ରକାରର ଫୁଲ ଉପରେ ପଡ଼ିଥିବା ଶିଶିର କଣାଗୁଡ଼ିକୁ ଚାହିଁ ଦେଖିଲୁ । ମୁଁ ଗୋଟିଏ ଘାସପତର ଆଙ୍କି ଦେଲି, ଫୁଲଟିଏ ଆଙ୍କି ଦେଲି, ସୂର୍ଯ୍ୟକୁ ଆଙ୍କିଲି ଓ ଚକ୍‌ଚକ୍‌ ହେଉଥିବା କାକର ବିନ୍ଦୁଟିଏ ବି ଆଙ୍କି ଦେଲି । ପିଲାମାନେ ମଧ୍ୟ ଆଙ୍କିଲେ । ଏହି ଗଛଗୁଡ଼ିକ ତଳେ ଆମେ “ବିନ୍ଦୁ” ବୋଲି ଲେଖିଲୁ । ଏହି ଅକ୍ଷରଗୁଡ଼ିକ ପିଲାମାନଙ୍କୁ ସୂର୍ଯ୍ୟର ଓ କାକରବିନ୍ଦୁର ସ୍ମରଣ କରାଇ ଦେଉଥାନ୍ତି । ଆମେ ଅକ୍ଷର-ଚିତ୍ରଗୁଡ଼ିକୁ ପାଠ କଲୁ । ପ୍ରତ୍ୟେକ ପିଲା ତା’ନିଜ ଶୈଳୀରେ ଅକ୍ଷରଗୁଡ଼ିକୁ ଆଙ୍କିଥିଲା । ଅକ୍ଷରଗୁଡ଼ିକର ମାଧ୍ୟମରେ ସିଏ ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ବିଷୟରେ ତା’ର ନିଜ ଧାରଣାଟିକୁ ହିଁ ପ୍ରକଟ କରୁଥିଲା । ସେରୋଝା ତା’ସାଥୀମାନଙ୍କୁ କହିଲା, “ହେଇ ଦେଖ୍, ମୋ’ ଛବିରେ କାକରଟି ଗୋଟିଏ ଘାସ ପତର ଉପରେ ଝୁଲୁଛି ।” ଏହିପରି ଭାବରେ ସେ ଅକ୍ଷରଟିର କଳ୍ପନା କରୁଥିଲା । ଅଳ୍ପ ସମୟ ଗଲେ ସେଇଟି ତଳକୁ ଗଡ଼ି ଆସିବ-ବିନ୍ଦୁଟି ପ୍ରକୃତରେ ଅପେକ୍ଷା କରିଛି, ମାତ୍ର ସୂର୍ଯ୍ୟ ଆସିବା ଯାଏ କଦାପି ଅପେକ୍ଷା କରିବ ନାହିଁ । “କୁନି ବାଳକଟି ଏଇପରି ଭାବରେ–ଅକ୍ଷରଟିକୁ ଦେଖି ପାରୁଥିଲା । ଦେଖିଲୁ, ସୂର୍ଯ୍ୟକିରଣ ଏହି ସାନ ବିନ୍ଦୁଟିର ଭିତରେ ଯାଇ ପ୍ରବେଶ କରି ସାରିଲାଣି”- ସେରୋଝା ତା’ ପେନସିଲ୍ ସାହାଯ୍ୟରେ-ଅକ୍ଷରଟିକୁ ଦେଖାଇ ଦେଉଥିଲା ।

 

ମୁଁ ପ୍ରସ୍ତାବ ଦେଲି, ଏଥର ସବୁ ପିଲା କାକରବିନ୍ଦୁ ଲାଗିଥିବା ଘାସଗଛର ଛବି ଅଙ୍କନ କରିବେ । ପିଲାମାନେ “ବିନ୍ଦୁ” ଶବ୍ଦଟିର ନିଜ ନିଜ ଛବିମାନ ଆଙ୍କିଥିଲେ । “ପିଲାମାନେ ଆଙ୍କିଲେ ଓ ଲେଖିଲେ” ବୋଲି କହିବା ଭାରି ସହଜ । ମାତ୍ର ସେମାନଙ୍କ ପାଇଁ ଆଙ୍କିବା ଓ ଲେଖିବା ଦୁଇଟିଯାକ ହିଁ ନାନା ପ୍ରତିରୂପ, ଧ୍ୱନି, ରଙ୍ଗ ଓ ଅନୁଭୂତିର ବହୁ ଅବିଭାଜିତ ପୃଥିବୀରେ ପରିଣତ ହୋଇ ରହିଥିଲା । ପିଲାର ଚେତନା ଭିତରେ ରହିଥିବା ପ୍ରତ୍ୟେକଟି ଶବ୍ଦ ବହୁ ରୈଖିକ ପ୍ରତିରୂପ ସହିତ ଯୋଡ଼ା ହୋଇ ରହିଥିବାରୁ ଶବ୍ଦଟିକୁ ଏକ ସମଗ୍ର ଅସ୍ତିତ୍ୱ ରୂପେ ଏବଂ ଭିନ୍ନ ଭିନ୍ନ ଅକ୍ଷରଗୁଡ଼ିକୁ ମନେ ରଖିବା ସହଜ ହୋଇ ଯାଇଥାଏ ।

 

ଲଗାତାର ଏକାଧିକ ଦିନ ଧରି ଆମେ କାକରବିନ୍ଦୁଗୁଡ଼ିକୁ ଦେଖି କେତେ ମୁଗ୍ଧ ହୋଇଥିଲୁ ଏବଂ ଆମର ଅଙ୍କନ କରିବା ଓ ଲେଖିବା ମଧ୍ୟ ଅବ୍ୟାହତ ରହିଥିଲା । ଏବଂ ନୂଆ ଅଙ୍କିତ ହେଉଥିବା ପ୍ରତ୍ୟେକଟି ଛବିକୁ କେବଳ ପରବର୍ତ୍ତୀ କାର୍ଯ୍ୟଟିଏ ବୋଲି ନକହି ପ୍ରକୃତରେ ଏକ ନୂତନ ସୃଜନ ବୋଲି କହିବାକୁ ହେବ । “ବିନ୍ଦୁ” ଶବ୍ଦଟିକୁ ନେଇ ଆମର ସେହି ସୃଜନଶୀଳତା ଦୁଇ ତିନି ସପ୍ତାହ ଯାଏ ଲାଗି ରହିଥିଲା । ପିଲାମାନଙ୍କୁ ଘାସଗଛର ଯେଉଁ ପତ୍ର ବା ଶାଖାଟି ଭଲ ଲାଗୁଥିଲା, ସିଏ ତାକୁ ଏକାଧିକ ଥର ପାଇଁ ଆଙ୍କୁଥିଲା । ତା’ପରେ ସିଏ ଶବ୍ଦର ଉଚ୍ଚାରଣଟିକୁ ଶୁଣୁଥିଲା, ଅଲଗା ଅଲଗା ଧ୍ୱନି ଏବଂ ସେଗୁଡ଼ିକୁ ପ୍ରକାଶ କରୁଥିବା ଅକ୍ଷରମାନଙ୍କୁ ବାରି ନେଇ ପାରୁଥିଲା । ଅକ୍ଷରଗୁଡ଼ିକ ସହିତ ଚତୁର୍ଦ୍ଦିଗର ଜଗତ ଭିତରେ ରହିଥିବା ସାଦୃଶ୍ୟଟି ପିଲାମାନଙ୍କ ନିମନ୍ତେ ମୂଳତଃ କଳ୍ପନା, ପରୀଗଳ୍ପ ଓ ସୃଜନାତ୍ମକତାର ଏକ ବ୍ୟାପାର ହୋଇ ରହିଥିଲା ।

 

ଛବିଅଙ୍କା ଖାତା ଉପରେ ମୁଁ ଏକ ଶୀର୍ଷକ ରୂପେ “ଆମ ମାତୃଭାଷା” ବୋଲି ଲେଖିଦେଲି । ପିଲାମାନଙ୍କୁ କହିଲି, “ଆମେ ଅନେକ ବର୍ଷ ପାଇଁ ଏଇଟିକୁ ସାଇତି ରଖିବା । ତୁମେମାନେ ବଡ଼ ହୋଇ ସ୍କୁଲପାଠ ଶେଷ କରିବା ପର୍ଯ୍ୟନ୍ତ । ଛବି ଓ ଅକ୍ଷରଗୁଡ଼ିକ ରହିଥିବା ତୁମର ନିଜ ଖାତାଗୁଡ଼ିକ ତୁମମାନଙ୍କ ନିଜ ନିଜ ପାଖରେ ରହିବ, ମାତ୍ର ଏହି ଖାତାଟିକୁ ଆମେ ଶ୍ରେଣୀରେ ନେଇ ରଖିବା ।”

 

ଦିନ ଦିନ ହୋଇ କେତେ ସପ୍ତାହ ଚାଲିଗଲା ଏବଂ, ଜୀବନ୍ତ ଶବ୍ଦର ସେହି ଉତ୍ସସ୍ଥାନଟିକୁ ଆମର “ଅଭିଯାନଗୁଡ଼ିକ” ଅବ୍ୟାହତ ରହିଥିଲା । ନିମ୍ନଲିଖିତ କେତୋଟି ଶବ୍ଦ ସହିତ ପରିଚିତ ହୋଇ ପିଲାମାନେ ସବୁଠାରୁ ଅଧିକ ଖୁସୀ ହୋଇଥିଲେ: ଗାଆଁ, ପାଇନ୍, ତୋଟା, ଓକ୍ ଗଛ, ଉଇଲୋ, ଜଙ୍ଗଲ, ବରଫ, ପର୍ବତ, ମାଣ୍ଡିଆ, ଆକାଶ, ଓକ୍ ଫଳ, ଲିଣ୍ଡେନ୍ ଗଛ, ଆଶ୍ ଗଛ, ଆପଲ୍ ଗଛ, ମେଘ, କୁଟା, ତୋଟା, ତଳକୁ ପଡ଼ିଯାଇଥିବା ପତ୍ର । ବସନ୍ତ ଋତୁରେ ଆମେ ଅଭିଯାନଗୁଡ଼ିକୁ ଯେଉଁ ଶବ୍ଦଗୁ଼ଡ଼ିକ ଲାଗି ଉଦ୍ଦିଷ୍ଟ କରି ରଖିଥିଲୁ, ସେଗୁଡ଼ିକ ହେଲେ: ଫୁଲ, ଲାଇଲାକ୍, ଉପତ୍ୟକାର ଲିଲି, ଆକାଶିଆ, ଅଙ୍ଗୁର, ପୋଖରୀ, ନଦୀ, ହ୍ରଦ, ଜଙ୍ଗଲର ଧାର, କୁହଡ଼ି, ବର୍ଷା, ଘଡ଼ଘଡ଼ି, ଝଡ଼, ସୂର୍ଯ୍ୟୋଦୟ, କପୋତ ପକ୍ଷୀ, ପପ୍‍ଲାର୍ ଓ ଚେରି ।

 

ପ୍ରତ୍ୟେକ ଥର ଯେଉଁ ପିଲାଟି ଭିତରେ ଶବ୍ଦଟି ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଧାରଣା, ଅନୁଭବ ଓ ସ୍ମୃତିଗୁଡ଼ିକୁ ଜାଗୃତ କରି ଆଣୁଥିଲା ସେଇ “ ଆମ ମାତୃଭାଷା” ନାମକ ଖାତାରେ ଛବିଟିଏ ଆଙ୍କି ଦେଉଥିଲା । ଆମ ମାତୃଭାଷାର ସୌନ୍ଦର୍ଯ୍ୟ ପ୍ରତି କେହି ଗୋଟିଏ ହେଲେ ପିଲା ଆଦୌ ଉଦାସୀନ ରହି ଯାଇନଥିଲେ । ୧୯୫୨ ମସିହା ବସନ୍ତ ଋତୁ ବେଳକୁ ଅର୍ଥାତ୍ ଆମର କାର୍ଯ୍ୟଟି ଆରମ୍ଭ ହେବାର ଆଠମାସ ପରେ ପିଲାମାନେ ବର୍ଣ୍ଣମାଳାର ସବୁଯାକ ଅକ୍ଷର ଆଙ୍କି ଦେଇ ପାରୁଥିଲେ: ପଢ଼ି ପାରୁଥିବେ ଏବଂ ଲେଖି ପାରୁଥିଲେ ।

 

ଏହି ଅଭିଜ୍ଞତାଟିକୁ ଯାନ୍ତ୍ରିକ ଭାବରେ ଗ୍ରହଣ କରିବାର ଉଦ୍ୟମ ବିଷୟରେ ଏଠାରେ ମୁଁ ଅବଶ୍ୟ ସତର୍କ କରିଦେବି । ଏହି ପଦ୍ଧତିଟି ଦ୍ୱାରା ପଢ଼ି ଲେଖି ଶିଖିବା ହେଉଛି ଏକ ସୃଜନଶୀଳ ପ୍ରକ୍ରିୟା ଏବଂ କୌଣସି ପ୍ରକାରର ସୃଜନଶୀଳତା କଦାପି ଏକ ଛାଞ୍ଚକୁ ସହ୍ୟ କରିପାରିବ ନାହିଁ । କେବଳ ସୃଜନାତ୍ମକ ଭାବରେ ହିଁ ଯାହା କିଛି ନୂଆ ପ୍ରଣାଳୀକୁ ଗ୍ରହଣ କରାଯାଇପାରିବ ।

 

ପିଲାମାନଙ୍କୁ ସବୁଯାକ ଅକ୍ଷର ମନେ ରଖି ପଠନଶକ୍ତି ହାସଲ କରିବାକୁ ପଡ଼ିବ ବୋଲି ସେମାନଙ୍କୁ କଦାପି ନକହିବା, ଏଇଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଖେଳଟିଏ ଖେଳିବାର ଏକ ପ୍ରକ୍ରିୟା ଦ୍ୱାରା ହିଁ ପିଲା ଜ୍ଞାନଆହରଣର ପ୍ରଥମ କେତୋଟି ସୋପାନକୁ ଆରୋହଣ କରିଥାଏ । ତା’ର ବୌଦ୍ଧିକ କ୍ଷେତ୍ରର ଜୀବନ ସୌନ୍ଦର୍ଯ୍ୟ, ପରୀଗଳ୍ପ, ସଂଗୀତ, କଳ୍ପନାରେ ବିଚରଣ, ସୃଜନାତ୍ମକତା ଏବଂ କଳ୍ପନାଜଗତର ଯାବତୀୟ ଖେଳକୁ ଗୋଟିଏ ଆତ୍ମିକ ସମ୍ପଦରେ ପରିଣତ କରି ଦେଇଥାଏ । ସେମାନଙ୍କର ଅନୁଭବଗୁଡ଼ିକୁ ଯାହାକିଛି ଉଦ୍ଦୀପିତ କରେ, ଆପଣାର ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ କରୁଥାଏ, ପିଲାମାନେ ସେଗୁଡ଼ିକୁ ଅତ୍ୟନ୍ତ ଗଭୀର ଭାବରେ ମନେ ରଖିପାରନ୍ତି । ନିଜର ଅନୁଭୂତିଗୁଡ଼ିକୁ କେବଳ ଶବ୍ଦରେ ପ୍ରକାଶ କରିବାକୁ ନୁହେଁ, ମାତ୍ର ସେଗୁଡ଼ିକୁ ଲେଖିବା ପାଇଁ ଯେ ଅନେକ ପିଲା ପ୍ରବଳ ଆଗ୍ରହ ଦେଖାଇଲେ, ତାହା ମୋତେ ପ୍ରକୃତରେ ଭାରି ଆଶ୍ଚର୍ଯ୍ୟ କରି ଦେଇଥିଲା ।

 

ଦିନେ ବର୍ଷା ହେବାରୁ ଆମେ ଜଙ୍ଗଲ ଭିତରେ ଥିବା ଗୋଟିଏ ଘରେ ଯାଇ ଆଶ୍ରୟ ନେଲୁ । ଘଡ଼ଘଡ଼ି ଗର୍ଜନ କରିବାରେ ଲାଗିଥାଏ, ବିଜୁଳି ଚକ୍‌ଚକ୍‌ ହେଉଥାଏ । କୁନିକୁନି କୁଆପଥର ପଡ଼ିବାକୁ ଆରମ୍ଭ କଲା । ବର୍ଷା ଛାଡ଼ିଯିବା ପରେ ମଧ୍ୟ ସେଗୁଡ଼ିକ କିଛି ସମୟ ପାଇଁ ଶାଗୁଆ ଘାସ ଉପରେ ପଡ଼ି ରହିଥାନ୍ତି । ଏହି ସମୟରେ ସୂର୍ଯ୍ୟ ମେଘ ସେପଟୁ ବାହାରି ଆସିଲା ଏବଂ କୁନି କୁଆପଥଗୁଡ଼ିକ ବି ଶାଗୁଆ ଦେଖାଗଲେ । କେଡ଼େ ସୁନ୍ଦର ଦେଖାଯାଉଛି ବୋଲି ପିଲାମାନେ ଏକାବେଳେକେ ପାଟି କରି ଉଠୁଥାଆନ୍ତି । ତା’ପରଦିନ ସେମାନେ ପୂର୍ବଦିନ ଦେଖୁଥିବା କଥାଟିକୁ ଆଙ୍କିବା ଲାଗି ମନ କରିଥିଲେ । ଏବଂ ୟୁରା, ସେରୋଝା, ଶୂରା ଓ ଗାଲ୍ୟା ସେମାନଙ୍କର ଛବିରେ ଗୋଟିଏ ଗୋଟିଏ ଶୀର୍ଷକ ମଧ୍ୟ ଲେଖି ଦେଇଥିଲେ । ସେମାନେ ସେତେବେଳକୁ ଭଲ ଭାବରେ ପଢ଼ି ଶିଖିଲେଣି ଏବଂ ବର୍ତ୍ତମାନ ମୁଁ ସେମାନଙ୍କର ସର୍ବପ୍ରଥମ ରଚନାଗୁଡ଼ିକୁ ଦେଖିବାକୁ ପାଇଥିଲି । ସେମାନେ ଲେଖିଥିଲେ : “ଝଡ଼ର ମେଘମାନେ ଘାସ ଉପରେ କୁଆପଥର ବିଞ୍ଚି ଦେଉଛନ୍ତି” “ଶାଗୁଆ ଘାସ ଉପରେ ଧଳା କୁଆପଥର ପଡ଼ିଛି,” “ସୂର୍ଯ୍ୟ କୁଆପଥରକୁ ତରଳାଇ ଦେଉଛି”, “ଝଡ଼ ଓ ଘଡ଼ଘଡ଼ିରେ ଧଳା କୁଆପଥରମାନ ଅଜାଡ଼ି ହୋଇ ପଡ଼ିଛି ।”

 

ଏଥିରେ ମୋ’ର ପୁନର୍ବାର ସେହି ପ୍ରତ୍ୟୟଟି ହୋଇ ଯାଇଥିଲା ଯେ, ପିଲାମାନେ ଭାବନା ଏବଂ ଭାଷାର ସର୍ବପ୍ରଥମ ଉତ୍ସଗୁଡ଼ିକର ଯେତିକି ନିକଟକୁ ଆସି ପାରିବେ, ଚତୁର୍ଦ୍ଦିଗର ପୃଥିବୀଟିର ଯେତିକି ଅଧିକ ନିକଟବର୍ତ୍ତୀ ହେବେ, ସେମାନଙ୍କର କଥା ମଧ୍ୟ ସେତିକି ଅଧିକ ସମୃଦ୍ଧ ଓ ଅଭିବ୍ୟକ୍ତକ୍ଷମ ହୋଇ ପାରିବ । ମୁଁ ବିଶ୍ୱାସ କରିଥିଲି ଯେ, ଆଉ ଅଳ୍ପଦିନ ଭିତରେ ସବୁଯାକ ପିଲା ନିଜ ନିଜର କୁନି ରଚନାମାନ ଲେଖିପାରିବେ । ମୋ ବିଶ୍ୱାସଟି ୧୯୫୨ ମସିହାର ଗ୍ରୀଷ୍ମଋତୁରେ ଠିକ୍ ବୋଲି ପ୍ରମାଣିତ ହୋଇଗଲା । ସ୍କୁଲ୍ ଚାଷଜମିର ଗୋଟିଏ କୋଣରେ ପପି ମଞ୍ଜି ବୁଣା ହୋଇଥିଲା । ଯେତେବେଳେ ନାନା ବର୍ଣ୍ଣର ଶହଶହ ଫୁଲରେ ସେହି କିଆରୀଟି ଆଲୋକିତ ହୋଇ ରହିଥିଲା, ମୁଁ ଦିନେ ପିଲାମାନଙ୍କୁ ସେହି ସ୍ଥାନକୁ ନେଇ ଯାଇଥିଲି । ସେହି ଫୁଲଗୁଡ଼ିକର ସୌନ୍ଦର୍ଯ୍ୟ ପିଲାମାନଙ୍କର ହୃଦୟରେ ନାନା ଆନନ୍ଦମୟ ଅନୁଭୂତିର ତରଙ୍ଗଗୁଡ଼ିକୁ ଜାଗୃତ କରି ଆଣିଲା । ଆମେ ଦୀର୍ଘ ସମୟ ଧରି ମୁଗ୍ଧ ହୋଇ ଫୁଲଗୁଡ଼ିକୁ ଦେଖୁଥିଲୁ ଓ ମହୁମାଛିମାନଙ୍କର ଗୁଣୁଗୁଣୁ ଶବ୍ଦ ଶୁଣିବାରେ ଲାଗିଥିଲୁ । ତହିଁ ଆରଦିନ ଆମେ ଆମର ଡ୍ରଇଁ ଖାତା ଓ ରଙ୍ଗ ପେନ୍‌ସିଲ୍‌ମାନ ଧରି ସେଠାକୁ ଗଲୁ । ପିଲାମାନେ ଛବି ଆଙ୍କିଲେ, ଗୋଟିଏ ପପି ମଞ୍ଜିକୁ ଇନ୍ଦ୍ରଧନୁ କିପରି ସାତୋଟିଯାକ ରଙ୍ଗର ସୌନ୍ଦର୍ଯ୍ୟକୁ ପ୍ରଦାନ କରିଛି, ସେମାନଙ୍କୁ ମୁଁ ସେହି ବିଷୟରେ ଗପଟିଏ କହିଲି । ବହୁତ ପିଲା ଶବ୍ଦ ସାହାଯ୍ୟରେ ନିଜର ଆନନ୍ଦଟିକୁ ବ୍ୟକ୍ତି କରିବାରେ ଇଚ୍ଛା କଲେ ଏବଂ ସ୍ୱଚ୍ଛ, ଅଭିବ୍ୟକ୍ତିକ୍ଷମ ରଚନାମାନ ଲେଖିଦେଲେ: “ପପିମାନଙ୍କର ଗାଲିଚାଟି ଫୁଟି ଉଠିଛି” (ଟାନ୍ୟା), “ପପିମାନଙ୍କର ଗୋଟିଏ ଗାଲିଚା ମାଟିକୁ ଆଚ୍ଛାଦିତ କରି ରଖିଛି” (ନିନା), “ପପିମାନେ ଫୁଟିବାର ଲାଗିଲେ ଓ ସୂର୍ଯ୍ୟ ଖୁସୀ ହୋଇଗଲା” (ଜିନା), “ପପିର ଗାଲିଚା ଉପରେ ମହୁମାଛିମାନେ ଗୁଣୁଗୁଣୁ ହେଉଛନ୍ତି” (ଗାଲ୍ୟା), “ସୂର୍ଯ୍ୟ ଆସି ପୃଥିବୀ ଉପରେ ନୀଳ, ଗୋଲାପୀ, ଲାଲ୍ ଓ ପାଣିଆ ନୀଳ କେତେ କେତେ ରଙ୍ଗର ଫୁଲ ବିଞ୍ଚିଦେଲା ।” (ଲାରିସା), “ଗୋଟାଏ ରୁମୁରୁମିଆ ଭଅଁର ଆସି ହାଲୁକା ନୀଳରଙ୍ଗର ପାଖୁଡ଼ା ଉପରେ ବସିଛି” (ସେରୋଝା), “ପତଳା ଡାଳଗୁଡ଼ିକ ଉପରେ ଫୁଲମାନେ ଦୋହଲିବାରେ ଲାଗିଛନ୍ତି” (ଶୂରା), “ସୂର୍ଯ୍ୟ ପପିଫୁଲର କିଆରୀରେ ଖେଳିବାରେ ଲାଗିଛି” (କୋଲ୍ୟା), “ନୀଳ ପାଖୁଡ଼ାଗୁଡ଼ିକ ଆକାଶରୁ ଆସି ପଡ଼ିଲେ ଓ ମାଟି ଉପରେ ଗୋଟିଏ ଗାଲିଚା ହୋଇ ଫୁଟି ଉଠିଲେ”(କାଟ୍ୟା) । ପିଲାମାନେ ସେହି ରଚନା ଏବଂ ଅଙ୍କନଗୁଡ଼ିକ ନିଜ ନିଜ ଖାତାରୁ ଚିରି “ଆମ ମାତୃଭାଷା”ସଂଗ୍ରହ ଭିତରେ ନେଇ ରଖି ଦେଇଥିଲେ ।

 

ସୂର୍ଯ୍ୟମୁଖୀ ଓ କୋଦୁଅ ଫୁଟିଥିବା କିଆରୀଗୁଡ଼ିକୁ ଆମର “ଅଭିଯାନ” ସମୟରେ ପିଲାମାନଙ୍କର କଳ୍ପନା କେତେ କେତେ ସ୍ୱଚ୍ଛ ପ୍ରତିରୂପ ସହିତ ଜୀବନ୍ତ ବସନ୍ତ ଋତୁ ସହିତ ଖେଳିବାରେ ଲାଗିଥିଲା । ଚତୁର୍ଦ୍ଦିଗରେ ପୃଥିବୀଟିର ସୌନ୍ଦର୍ଯ୍ୟ ସେମାନଙ୍କୁ ଯେତେ ଅଧିକ ଉଦ୍ଦୀପନା ଆଣି ଦେଇଥିଲା, ସେମାନେ ସେତିକି ଅଧିକ ଗଭୀର ଭାବରେ ଅକ୍ଷରଗୁଡ଼ିକୁ ମନେ ରଖି ପାରିଲେ । ଅବଶ୍ୟ ଏକଥା ସତ ଯେ, ଅନ୍ୟ ସମସ୍ତଙ୍କ ସମ୍ମୁଖରେ ଏହାକୁ ଆଦୌ ଲକ୍ଷ୍ୟ ରୂପେ ରଖାଯାଇ ନଥିଲା । ମୋ’ର ଆହୁରି ଅଧିକ ପ୍ରତ୍ୟୟ ହୋଇଗଲା ଯେ, ଦୃଶ୍ୟ ପୃଥିବୀଟିର ପ୍ରତିରୂପଗୁଡ଼ିକ ଏବଂ ସୌନ୍ଦର୍ଯ୍ୟର ଅନୁଭୂତିଟିକୁ ଶବ୍ଦରେ ପ୍ରକାଶ କରିବାର ଉଦ୍ୟମ ହିଁ ପିଲାମାନଙ୍କର ଭାବନାରେ ହୃଦୟରୂପେ କାର୍ଯ୍ୟ କରୁଥିଲା । ପିଲାମାନେ ସୃଜନାତ୍ମକ ଭାବରେ ଚିନ୍ତା କରନ୍ତି, ଅତ୍ୟନ୍ତ ସ୍ୱଚ୍ଛ ଭାବରେ ସଂବେଗ ଦ୍ୱାରା ଅନୁସିକ୍ତ ହୋଇ ରହିଥିବା ପ୍ରତିରୂପଗୁଡ଼ିକର ମାଧ୍ୟମରେ ହିଁ ଚିନ୍ତା କରିଥାନ୍ତି । ପିଲାଟିକୁ ବୁଦ୍ଧିମାନ ଓ ପ୍ରତିଭାଦୀପ୍ତ କରି ଆଣିବାକୁ ହେଲେ, ଏକାବେଳେକେ ଆଦ୍ୟ ଶୈଶବରୁ ହିଁ ତାହାକୁ ଜଗତକୁ କଳାତ୍ମକ ଭାବରେ ଦେଖିବାର ଆନନ୍ଦଟିକୁ ଆଣି ଅବଶ୍ୟ ପ୍ରଦାନ କରିବାକୁ ପଡ଼ିବ ।

 

ସୁନ୍ଦର ବସ୍ତୁଟିକୁ ଦେଖିବା ବେଳେ ଓ ଅନୁଭବ କଲାବେଳେ ଗୋଟିଏ ପିଲାର ଚେତନାରେ ତା’କଳ୍ପନା ଏବଂ ସୃଜନଶୀଳତାର ଅକ୍ଷୟ ଉତ୍ସଗୁଡ଼ିକୁ ଆମର ଗୋଟିଏ ‘ଅଭିଯାନ’ ର କଥାକୁ ମୁଁ କେବେହେଲେ ଭୁଲି ପାରିବି ନାହିଁ । ଗ୍ରୀଷ୍ମଋତୁରେ ଆମେ ଦିନେ କୋଠକୃଷିରେ ଥିବା ମଧୁମକ୍ଷୀ-ପାଳନ ବିଭାଗକୁ ଯାଇଥିଲୁ । ସେଠାରେ ଦାୟିତ୍ୱରେ ଥିବା ଲୋକଟି ଆମକୁ ସଦ୍ୟ ମହୁ ଖାଇବାକୁ ଦେଲା, ଝରଣାରୁ ଥଣ୍ଡା ପାଣି ମଧ୍ୟ ଆଣି ଦେଇଥିଲା । ପିଲାମାନେ ଆପଲ୍‌ ଗଛଗୁଡ଼ିକର ଛାଇରେ ବସି କ୍ଷେତରେ ଫୁଲ ଫୁଟିଥିବା କୋଦୁଅର ଶୋଭାକୁ ଦେଖୁଥାଆନ୍ତି । ତୃଣଭୂମିର ଯାତ୍ରାରୁ ଫେରି ଆସୁଥିବା ମହୁମାଛିମାନେ ଶୀତଳ ଜଳ ରହିଥିବା ସାନ ଝରଣାଟି ଉପରେ ବେଢ଼ା ବୁଲି ଶାନ୍ତ ଭାବରେ ଗୁଣୁଗୁଣୁ ହେଉଥାନ୍ତି । ପିଲାମାନେ କହିଲେ,“ସେମାନେ ପରସ୍ପରକୁ ଫୁଲ ଆଉ ତୋଟାମାନଙ୍କ ବିଷୟରେ କହୁଛନ୍ତି - କୋଦୁଅ ଓ ସୂର୍ଯ୍ୟଭମୁଖୀ ପପିମାନଙ୍କର ଉଜ୍ଜ୍ୱଳ ମସ୍ତକ ଓ ବାଇଗଣୀ ବଣମେଥି ବିଷୟରେ କଥାବାର୍ତ୍ତା ହେଉଛନ୍ତି ।”

 

ପାଞ୍ଚ ବର୍ଷ ପରେ ମୋ’ କୁନି ପିଲାମାନେ ଯେତେବେଳେ ଚତୁର୍ଥ ଶ୍ରେଣୀରେ ଥିଲେ, ସେତେବେଳେ ମୁଁ ସେମାନଙ୍କୁ “ମହୁମାଛିମାନେ କାହା ବିଷୟରେ ଗୁଣୁଗୁଣୁ ହୁଅନ୍ତି ?” ବିଷୟରେ ଗପଟିଏ ଲେଖିବାକୁ ଦେଇଥିଲି । ସେକାଳର ସେହି ଜୁନ୍‍ମାସର ଉକ୍ତ ଦିନଟିର ଅବିସ୍ମରଣୀୟ ସ୍ମୃତିଗୁଡ଼ିକ ବର୍ତ୍ତମାନ ଭାବନାର ବହମାନ ଝରଣାଟିରେ ସ୍ୱଚ୍ଛ ବହୁ ପ୍ରତିରୂପର ଆକାର ଧାରଣ କରିଥିଲେ । ପିଲାଦିନେ ଯାହାକିଛି ଆମକୁ ମୁଗ୍ଧ କରିଥାଏ, ସେଗୁଡ଼ିକ ମୋଟେ ଭୁଲି ହୋଇଯାଏ ନାହିଁ । ଶୈଶବର ଦିନଗୁଡ଼ିକ ପିଲାମାନଙ୍କ ଚେତନା ଉପରେ ଠିକ୍ ଏହିପରି ଭାବରେ ସେମାନଙ୍କର ମାତୃଭାଷା ଓ ଚତୁର୍ଦ୍ଦିଗରେ ରହିଥିବା ପୃଥିବୀଟିର ସୌନ୍ଦର୍ଯ୍ୟଟିକୁ ଆଣି ସର୍ବଦା ଲିପିବଦ୍ଧ କରି ରଖିଥାଉ ! ଜ୍ଞାନଲାଭର ତୀଖ, ଆୟାସସାଧ୍ୟ ସିଡ଼ିଟିର ପ୍ରଥମ ସୋପାନଗୁଡ଼ିକ ଠିକ୍ ଏହିପରି ଭାବରେ ହିଁ ସୌନ୍ଦର୍ଯ୍ୟ ଦ୍ୱାରା ଖଚିତ ହୋଇ ରହିଥାଉ !

 

ପିଲାମାନେ ଯେତିକି ଯେତିକି ଅଧିକ ଭଲ ଭାବରେ ପଢ଼ି ଶିଖିଲେ, ସେମାନଙ୍କର ଅନ୍ତର୍ଜୀବନରେ ପୁସ୍ତକଗୁଡ଼ିକର ଭୂମିକା ମଧ୍ୟ ସେତିକି ଅଧିକ ବୃହତ୍ ହେବାକୁ ଲାଗିଲା । ଆମେ କେତେକ ଛବିବହିର ସାନ ଲାଇବ୍ରେରୀଟିଏ ତିଆରି କଲୁ । ଦୁର୍ଭାଗ୍ୟର ବିଷୟ, ବହି ଦୋକାନମାନଙ୍କରେ କିଛି ଭଲ ବହି ନଥିଲା ଏବଂ ତେଣୁ ମୋତେ ନିଜକୁ ହିଁ ଲେଖିବାକୁ ପଡ଼ିଲା, ସେଗୁଡ଼ିକ ପାଇଁ ଛବି ଆଙ୍କିବାକୁ ମଧ୍ୟ ପଡ଼ିଲା । ମୋ’ଦ୍ୱାରା ପ୍ରସ୍ତୁତ ସର୍ବପ୍ରଥମ ଛବିବହିଟିରେ ବରଫ ଅଜା, ଦୁଷ୍ଟ ସାବତ ମାଆ, ଦୟାଶୀଳା ସାବତ-ଭଉଣୀ ଓ ଅଳସେଇ ଝିଅଟି ବିଷୟରେ ଲେଖା ହୋଇଥିବା ଗୋଟିଏ ଇଉକ୍ରେନୀୟ ଲୋକଗଳ୍ପ ସ୍ଥାନ ପାଇଥିଲା । ବହିଟା ଟିକିଏ ଲମ୍ବା ହୋଇଗଲା, - ତିରିଶି ପୃଷ୍ଠାରୁ ଅଧିକ, ପ୍ରତ୍ୟେକ ପୃଷ୍ଠାରେ ଗୋଟିଏ ଛବି ଓ କେତୋଟି ବାକ୍ୟ । ଅବଶ୍ୟ ବେଳେ ବେଳେ ଗୋଟିଏ ମାତ୍ର ବାକ୍ୟାଂଶ ବି ରହିଥିଲା । ୧୯୫୨ ମସିହା ବସନ୍ତଋତୁ ବେଳକୁ ଅଧିକାଂଶ ପିଲା ଖୁବ୍ ଭଲ ଭାବରେ ପଢ଼ି ପାରୁଥିଲେ । ଭାରା, କୋଲ୍ୟା, ଗାଲ୍ୟା, ଲାରିସା, ସେରୋଝା ଓ ଲିଡ଼ା ବିଶେଷ ଭଲ ପଢ଼ୁଥିଲେ । ଆମେ ଘାସ ଉପରେ ଯାଇ ବସୁଥିଲୁ ଓ ପିଲାମାନଙ୍କ ଭିତରୁ ଜଣେ ଛବିବହିଟିକୁ ଖୋଲି ପଢ଼ିବାକୁ ଆରମ୍ଭ କରୁଥିଲା....ଖାଲି ଶବ୍ଦଗୁଡ଼ିକୁ ପଢ଼ି ଯେ ସେଗୁଡ଼ିକରୁ ଏକ ବାକ୍ୟ କରିବାକୁ ପଡ଼ୁଥିଲା ସେକଥା ନୁହେଁ । ଏହା ଏକ ସୃଜନଶୀଳ କାର୍ଯ୍ୟ ଥିଲା । ପରୀଗପଟିକୁ ପଢ଼ିବା ସମୟରେ ପିଲାଟି ଚିତ୍ରଗୁଡ଼ିକରେ ପ୍ରଦର୍ଶିତ ହୋଇଥିବା ପୃଥିବୀ ମଧ୍ୟରେ ଯାଇ ରହିଥିଲା ପରି ମନେ ହେଉଥିଲା । ଗଳ୍ପଟି ପାଠ କରିବାର ସ୍ୱରଟିରେ ହିଁ ଦୟାଶୀଳ ବରଫ-ଅଜା, ଦୁଷ୍ଟ ସାବତ ମାଆ, କଠିନ ପରିଶ୍ରମ କରୁଥିବା ତରଳ ହୃଦୟ ସାବତ ଝିଅ ଏବଂ ଅଳସେଇ ଓ ହୃଦୟହୀନ ଝିଅର ଅନୁଭବ ଏବଂ ଆସ୍ପୃହାରେ ରହିଥିବା ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକ ପ୍ରକଟ ହୋଇ ଯାଉଥିଲା । ପିଲାମାନେ ଯାହା ପଢ଼ୁଥିଲେ, ତାହାକୁ ଗଭୀର ଭାବରେ ଅନୁଭବ କରୁଥିଲେ : ସେମାନେ ମନ୍ଦକୁ ଘୃଣା କରୁଥିଲେ ଏବଂ ଭଲର ବିଜୟରେ ଉଲ୍ଲସିତ ହେଉଥିଲେ ।

 

ଏବଂ, ଆଉ ଗୋଟିଏ ଆଗ୍ରହୋଦ୍ଦୀପକ କଥା ହେଉଛି: ପିଲାମାନେ ସେହି ଗଳ୍ପଟିକୁ ହୁଏତ କେତେ ଡଜନ ଥର ପଡ଼ିଥିଲେ, ତଥାପି ପ୍ରତ୍ୟେକ ଥର କେଡ଼େ ଆଗ୍ରହରେ ତାହାକୁ ଶୁଣୁଥିଲେ । ପିଲାମାନେ କାହିଁକି ଏଡ଼େ ନୀରସ ହୋଇ ଓ ଆଦୌ କୌଣସି ପ୍ରତିକ୍ରିୟା ବ୍ୟକ୍ତ ନକରି ପଢ଼ନ୍ତି ବୋଲି କେତେକ ଶିକ୍ଷକ ବ୍ୟସ୍ତ ହୋଇ କହିଥିବାର ମୋ’ର ମନେ ଅଛି । ପିଲାମାନଙ୍କର ପଢ଼ିବା ସମୟରେ କାହିଁକି ଏତେ କ୍ୱଚିତ୍ କୌଣସି ସଂବେଗଗତ ଅନୁରଞ୍ଜନ ଥିଲା ପରି ଶୁଣା ଯାଇଥାଏ ? କାରଣ, ଅଧିକାଂଶ କ୍ଷେତ୍ରରେ ପିଲାମାନଙ୍କର ପଢ଼ିବା ସହିତ ସେମାନଙ୍କର ଅନ୍ତର୍ଜୀବନ, ଭାବନା, ଅନୁଭୂତି ଏବଂ ଧାରଣାଗୁଡ଼ିକ ସହିତ ଆଦୌ କୌଣସି ସଂଯୋଗ ନଥାଏ । ପିଲାର ଉଦ୍ଦୀପନା ଗୋଟାକ ବିଷୟରେ ଥାଏ ତ ସିଏ ଆଉ ଗୋଟାଏ ବିଷୟ ପାଠ କରୁଥାଏ । ଯେତେବେଳେ ପଠିତ ଶବ୍ଦଗୁଡ଼ିକ ପିଲାମାନଙ୍କ ହୃୟୟରେ ଥିବା ଗୁପ୍ତ ସ୍ଥାନଗୁଡ଼ିକୁ ସ୍ପର୍ଶ କରିପାରନ୍ତି, ପଠନ ସେତିକି ବେଳେ ଯାଇ ସେମାନଙ୍କର ଜୀବନକୁ ସମୃଦ୍ଧ କରେ-

 

ଆମେ ନୂଆ ନୂଆ ଛବି ବହି ତିଆରି କରିବା ଆରମ୍ଭ କଲୁ । ୟୂରା, ସେରୋଝା, କାଟ୍ୟା, ଲିଡ଼ା, ଲ୍ୟୁବା ଓ ଲାରିସା ଛବିଗୁଡ଼ିକୁ ଅଙ୍କନ କରିଥିଲେ । ଏପରି ଜଣେହେଲେ ପିଲା ବି ନଥିଲା, ଯିଏକି ଆମ ଅଙ୍କନରେ ସାହାଯ୍ୟ କରିବାକୁ ଇଚ୍ଛା କରୁନଥିଲା । ଏହି ଅଙ୍କନରେ ସେମାନଙ୍କର ଯେଉଁ ଆଗ୍ରହ ରହିଥିଲା, ପ୍ରଧାନତଃ ତାହାରି ଦ୍ୱାରା ହିଁ ପଢ଼ିବା ଓ ଲେଖିବାରେ ଦକ୍ଷତା ଅର୍ଜନ କରିବା କ୍ଷେତ୍ରରେ ଦେଖା ଦେଉଥିବା ଅସୁବିଧାଗୁଡ଼ିକୁ ଅତିକ୍ରମ କରି ହେଉଥିଲା ।

 

୧୯୫୨ ମସିହା ଗ୍ରୀଷ୍ମଋତୁରେ ପିଲାମାନେ ପିଲାମାନଙ୍କ ଲାଗି ଲେଖା ହୋଇଥିବା ସାନ ଛପାବହିମାନ ପଢ଼ିବାକୁ ଆରମ୍ଭ କଲେ : ଉଶିନିସ୍କିଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକରୁ ଅଣା ଯାଇଥିବା ଲୋକଗଳ୍ପ, ଛୋଟ କାହାଣୀଗୁଡ଼ିକର ଟଲଷ୍ଟୟ ପ୍ରସ୍ତୁତ କରିଥିବା ନାନା ସଂସ୍କରଣ ସେଥିରେ ପ୍ରଧାନ ଥିଲା । ସେମାନେ ପୁଷ୍କିନ୍, ଲେର୍ମଣ୍ଟୋଭ୍, ନେକ୍ରାସୋଭ୍ ଏବଂ ୟୁକ୍ରେନ୍‍ର କବି ଶେଭଚେଙ୍କୋ, ଲେସ୍ୟା ଉକ୍ରାଇଙ୍କା ଓ ଫ୍ରାଙ୍କୋଙ୍କର କବିତାଗୁଡ଼ିକୁ ମଧ୍ୟ ପଢ଼ିଥିଲେ । ମୁଁ କେବଳ ଉସିନସ୍କିଙ୍କ ବହିରୁ, “ପିଲାଏ ଇସ୍କୁଲ୍ ବେଳ ହେଲା” କବିତାଟିକୁ ପାଠ କରି ଦେଉଥିଲି ଏବଂ ପିଲାମାନଙ୍କର କ୍ରମେ କବିତାଟି ପ୍ରାୟ ମୁଖସ୍ଥ ହୋଇଯାଇଥିଲା । ଏଥିରେ ଅତିଶୟ ଆନନ୍ଦିତ ହୋଇ ମୁଁ ମଧ୍ୟ ବେଶ୍ ଉଦ୍ଦୀପନା ସହିତ ୟାଡ଼ୁସ୍ୟାଡ଼ୁ କବିତାମାନ ଲେଖିବାକୁ ଆରମ୍ଭ କରିଥିଲି । ଯଦି ପୁରୋହିତିଆ ଭାଷାରେ ଏମିତି ଶୁଖିଲା କବିତାମାନ ଲେଖା ହୋଇଥିବ, ତାହା ପିଲାମାନଙ୍କ ଭିତରେ ଲିଖିତ ଶବ୍ଦ ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରିବା ପରିବର୍ତ୍ତେ ବରଂ ଅଧିକ କ୍ଷେତ୍ରରେ ହୁଏତ କାବ୍ୟିକ ଅନୁଭବଗୁଡ଼ିକୁ ନଷ୍ଟ ହିଁ କରିଦେବ ।

 

ଅନ୍ୟ ଶିକ୍ଷକମାନଙ୍କ ସହିତ ମୁଁ ମୋର ସକଳ ସଫଳତା ଓ ସକଳ ଅସୁବିଧାଗୁଡ଼ିକ ବିଷୟରେ ଆଲୋଚନା କରୁଥିଲି, ଶିଶୁଶ୍ରେଣୀର ପିଲାମାନଙ୍କୁ ପ୍ରଥମ ଶ୍ରେଣୀ ପାଇଁ ତିଆରି କରିବାର କାର୍ଯ୍ୟଟି ଆମ ବିଦ୍ୟାଳୟର ସବୁ ପ୍ରାଥମିକ ସ୍ତରର ଶିକ୍ଷକମାନଙ୍କର ଏକ ସାମୂହିକ ଉଦ୍ୟମ ହୋଇ ରହିଥିଲା । ଶିକ୍ଷକମାନଙ୍କର ସୃଜନାତ୍ମକ ଅଭିଜ୍ଞତାମାନ ବର୍ଷକୁ ବର୍ଷ ବୃଦ୍ଧି ପାଉଥିଲା, ଶିକ୍ଷାଦାନର ପଦ୍ଧତିଗୁଡ଼ିକ ଗଭୀରତର ହେଉଥିଲା,-ବିଶେଷତଃ କ୍ଲାସ୍ ଓ ସ୍କୁଲ ବାହାରେ କରାଯାଉଥିବା କାର୍ଯ୍ୟଗୁଡ଼ିକ ବିଷୟରେ ବିଶେଷ ଭାବରେ ତାହା କୁହାଯାଇପାରିବ । ଏହାଦ୍ୱାରା ପିଲାମାନଙ୍କର ସମନ୍ୱିତ ବୌଦ୍ଧିକ ବିକାଶ ସହଜ ହେଉଥିଲା; ସଫଳ ଅଧ୍ୟୟନ ନିମନ୍ତେ ଯେଉଁସବୁ ମୌଳିକ ବାସ୍ତବ କୌଶଳ ଏକାନ୍ତ ଆବଶ୍ୟକ, ପିଲାମାନେ ସେଗୁଡ଼ିକୁ ଅର୍ଜନ କରି ନେଉଥିଲେ । ପଠନ ହେଉଛି ଏଗୁଡ଼ିକ ମଧ୍ୟରେ ସର୍ବପ୍ରଥମ କୌଶଳ ।

 

ଦୁଇଟା ବର୍ଷ ମଧ୍ୟରେ ପୂର୍ବପ୍ରାଥମିକ ସ୍ତରର ଶିକ୍ଷକମାନେ ପିଲାଏ ପ୍ରଥମଶ୍ରେଣୀକୁ ଯିବା ପୂର୍ବରୁ ସେମାନଙ୍କୁ ପଠନରେ ସୁଦକ୍ଷ କରି ନେଇଥିଲେ । ଏହାଦ୍ୱାରା କେବଳ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ନୁହେଁ, ଉପର ଶ୍ରେଣୀଗୁଡ଼ିକରେ ମଧ୍ୟ ଶିକ୍ଷାର ସମସ୍ତ କାର୍ଯ୍ୟକ୍ରମଟି ଉଲ୍ଲେଖଯୋଗ୍ୟ ପରିମାଣରେ ହାଲୁକା ହୋଇଯାଇଥିଲା । ବହୁବର୍ଷ ଧରି ସାମୂହିକ ଭାବରେ ଆମର ହୋଇଥିବା ଅଭିଜ୍ଞତା ଆମକୁ ଏହି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ଆଣି ଉପନୀତ କରାଇଥିଲା ଯେ, ପିଲା ସ୍ପଷ୍ଟ ଓ ଅଭିବ୍ୟକ୍ତିସମର୍ଥ ଭାବରେ ପଢ଼ି ପାରୁଥିବ, ପଢ଼ୁଥିବା ବିଷୟଟିକୁ ବୁଝୁଥିବ ଏବଂ ପଠନର ସେହି ପ୍ରକ୍ରିୟାଟି ମଧ୍ୟରେ ସର୍ଜନାତ୍ମକ ମାନସିକ ଶ୍ରମ ଲାଗି ପିଲାର ବୌଦ୍ଧିକ ବିକାଶ ମଧ୍ୟ ହେଉଥିବ, - ତେବେଯାଇ ହେବ । ସେହି ସିଦ୍ଧାନ୍ତଟି ହେଉଛି: ପିଲା ଯେତେ ଶୀଘ୍ର ପଢ଼ିବା ଶିଖିଯିବ, ତା’ର ସମଗ୍ର ଅନ୍ତର୍ଜୀବନଟି ସହିତ ପଠନ ସେତିକି ଅଧିକ ସ୍ୱାଭାବିକ ଭାବରେ ସମ୍ପର୍କିତ ହୋଇ ରହିପାରିବ, ପଠନ ସମୟରେ ଘଟୁଥିବା ଭାବନାର ପ୍ରକ୍ରିୟାଗୁଡ଼ିକ ସେତିକି ଅଧିକ ବହୁମୁଖୀ ହୋଇ ପାରୁଥିବ ଏବଂ ବୌଦ୍ଧିକ ବିକାଶର କ୍ଷେତ୍ରରେ ପଠନର ସେତିକି ଅଧିକ ଅବଦାନ ମଧ୍ୟ ରହିବ । ସାତ ବର୍ଷ ହେବା ପୂର୍ବରୁ ଯେଉଁ ପିଲାଟି ପଢ଼ିବା ଆରମ୍ଭ କରି ଦେଇଥିବ, ସିଏ ପ୍ରକୃତରେ ଏକ ଅତ୍ୟନ୍ତ ମୂଲ୍ୟବାନ୍ କୌଶଳ ହାସଲ କରିଛି ବୋଲି କୁହାଯିବ: ତା’ର ଦୃଶ୍ୟ ତଥା ମାନସିକ କ୍ଷେତ୍ରରେ ଶବ୍ଦଗୁଡ଼ିକର ତଥା ବାକ୍ୟାଂଶଗୁଡ଼ିକର ଅବବୋଧ କେବଳ ଧ୍ୱନିଗୁଡ଼ିକର ଉଚ୍ଚାରଣ କରିବା ଅପେକ୍ଷା ଅନେକ ଅଧିକ ଦୂରକୁ ଚାଲିଯାଇ ପାରିବ । ପଠନ ସମୟରେ ପିଲା ଆଉ କଦାପି ଶବ୍ଦଗଡ଼ିକ ସହିତ ବାନ୍ଧି ହୋଇ ରହିବ ନାହିଁ । ବହି ଉପରୁ ନିଜର ଦୃଷ୍ଟିକୁ ଅନ୍ୟଆଡ଼େ ନେଇ ସେ ଧ୍ୱନିଗୁଡ଼ିକର ଅର୍ଥକୁ ମଧ୍ୟ ବିଶଦ ଭାବରେ ଭାବି ନେଇପାରିବ । ଏହିପରି ଭାବରେ ପିଲାର ପଢ଼ିବା, ଭାବିବା ଏବଂ କଳ୍ପନା କରିବା, - ସବୁ ଯୁଗପତ୍ ଭାବରେ ଚାଲିଥିବ ।

 

ଆମର ସାମୂହିକ ଅନୁଭବ ଆମକୁ ଏହି ପ୍ରତ୍ୟୟଟିକୁ ଆଣି ଦେଇଥିଲା ଯେ, ଠିକ୍ ଏହିପରି ଭାବରେ ସ୍ପଷ୍ଟ କରି ପଠନର ସମର୍ଥ ହେବା, - ଏହାକୁ ହିଁ ସଂପୂର୍ଣ୍ଣ ଭାବରେ ଅର୍ଥ ବୁଝି ପଢ଼ିବାର ଗୋଟିଏ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉପାଦାନ ବୋଲି କୁହାଯିବ ।

Image

 

ଛୁଆରେ, ତୁ ଅନ୍ୟମାନଙ୍କ ସହିତ ବାସ କରୁଛୁ

 

ସ୍କୁଲ୍ କ୍ଷେତବାଡ଼ିର ଦୂରସ୍ଥ ଗୋଟିଏ କୋଣରେ ତରୁଣ ଅଗ୍ରଗାମୀମାନେ ସେବତୀ ଗଛ ଲଗାଇଥିଲେ । ଶରତ କାଳ ପାଖ ହୋଇ ଆସିବା ବେଳକୁ ସେଠାରେ ଧଳା, ନୀଳ ଓ ଗୋଲାପୀ ରଙ୍ଗର ଫୁଲମାନେ ଫୁଟିବାକୁ ଆରମ୍ଭ କରିଦେଲେ । ଦିନେ ଭଲ ଖରା ପଡ଼ିଥାଏ, ବେଶ୍ ଉଷୁମ ଲାଗୁଥାଏ, ମୁଁ ପିଲାମାନଙ୍କୁ ନେଇ ସେଠାକୁ ଯାଇଥିଲି । ସେଠାରେ ଏତେଗୁଡ଼ିଏ ଫୁଲ ଦେଖି ପିଲାଏ ଭାରି ଖୁସୀ ହୋଇଗଲେ । ମାତ୍ର, ତିକ୍ତ ଅଭିଜ୍ଞତାରୁ ଯାହା ଜଣାଯାଇଛି, ସୌନ୍ଦର୍ଯ୍ୟରେ ପିଲାମାନଙ୍କର ମୁଗ୍ଧ ହେବାର ପଶ୍ଚାତରେ ଅନେକ ସମୟରେ ଅହଂଟା ବି ଲୁଚି ରହିଥାଏ । ହୁଏତ କୌଣସି ପିଲା ଫୁଲଟାଏ ଦେଖିବା ମାତ୍ରକେ ଛିଣ୍ଡାଇ ନେଇଆସେ, ମାତ୍ର ସେଥିରେ ଆଦୌ ନିନ୍ଦନୀୟ କିଛି ରହିଛି ବୋଲି ଦେଖି ପାରେନାହିଁ । ସେଦିନ ସେହିପରି ଘଟଣାଟିଏ ଘଟିଲା । ପିଲାମାନଙ୍କର ହାତରେ ମୁଁ ପ୍ରଥମେ ଗୋଟିଏ, ତା’ପରେ ଦୁଇଟି ଓ ପୁଣି ତା’ପରେ ତିନୋଟି ପର୍ଯ୍ୟନ୍ତ ଫୁଲ ଥିବାର ଆବିଷ୍କାର କରିଥିଲି । ସେତେବେଳକୁ ପ୍ରାୟ ଅଧେଫୁଲ ଛିଣ୍ଡା ହୋଇ ସାରିଲାଣି । କାଟ୍ୟା ଚିତ୍କାର କରି କହିଲା, “ସେବତୀ ଫୁଲଗୁଡ଼ାକ ଛିଣ୍ଡାଇବା ପ୍ରକୃତରେ ଠିକ୍ କାମ କି ?”

 

ତା’ର ଶବ୍ଦଗୁଡ଼ିକ ଭିତରେ କୌଣସି ବିସ୍ମୟ ନଥିଲା, କୌଣସି ରୋଷ ମଧ୍ୟ ନଥିଲା । ସିଏ କେବଳ ସମସ୍ତଙ୍କୁ ଉଦ୍ଦେଶ୍ୟ କରି ପ୍ରଶ୍ନଟିଏ ପଚାରୁଥିଲା । ମୁଁ କୌଣସି ଉତ୍ତର ଦେଇ ନଥିଲି-। ଆଜି ପିଲାମାନେ ଗୋଟାଏ ଶିକ୍ଷା ପାଆନ୍ତୁ ବୋଲି ମୁଁ ଭାବୁଥିଲି । ସେମାନେ ଆଉ କିଛି ଫୁଲ ବି ଛିଣ୍ଡାଇଲେ; ସେହି କୋଣଟି ଆଉ ମୋଟେ ସୁନ୍ଦର ଦିଶୁନଥାଏ ଏବଂ ଘାସପଡ଼ିଆଟା ପରିତ୍ୟକ୍ତ ହୋଇ ପଡ଼ିଥିବା ପରି ମନେ ହେଉଥାଏ । ପିଲାମାନଙ୍କର ହୃଦୟରେ ସୌନ୍ଦର୍ଯ୍ୟର ପ୍ରଶଂସା କରି ଯେଉଁ ଉଚ୍ଛ୍ୱାସ ଖେଳି ଉଠିଥିଲା, ସେଇଟି ବନ୍ଦ ହୋଇଯାଇଥାଏ । ଛିଣ୍ଡାଇ ଆଣିଥିବା ଫୁଲକୁ ନେଇ କ’ଣ କରିବେ, ପିଲାମାନେ ମୋଟେ ଜାଣିନଥାନ୍ତି ।

 

ମୁଁ ସେମାନଙ୍କୁ ପଚାରିଲି, “ଆଚ୍ଛା, ପିଲାମାନେ, ବର୍ତ୍ତମାନ ଏହି କୋଣଟା ଆଉ ସୁନ୍ଦର ଦେଖାଯାଉଛି କି ? ଯେଉଁ ଗଛଗୁଡ଼ିକରୁ ତୁମେମାନେ ଫୁଲ ତୋଳିନେଇ ସେଗୁଡ଼ିକ ବି ସୁନ୍ଦର ଦେଖା ଯାଉଛନ୍ତି ?”

 

ପିଲାଏ କିଛି ଉତ୍ତର ଦେଲେ ନାହିଁ । ତା’ପରେ କେତେଜଣ ଉତ୍ତର ଦେବାକୁ ଲାଗିଲେ,

 

“ନାଇଁ, ମୋଟେ ସୁନ୍ଦର ଦିଶୁନାହାନ୍ତି ।”

 

“ତେବେ ବର୍ତ୍ତମାନ ଆମେ ସୁନ୍ଦର ଫୁଲଗୁଡ଼ିକୁ କେଉଁଠି ଯାଇ ଦେଖି ପାରିବା ?”

 

ମୁଁ ପିଲାମାନଙ୍କୁ କହିଲି, “ତରୁଣ ଅଗ୍ରଗାମୀମାନେ ଏହି ଫୁଲଗଛଗୁଡ଼ିକୁ ଲଗାଇଥିଲେ-। ସେମାନେ ବି ସୁନ୍ଦର ଫୁଲଗୁଡ଼ିକୁ ଦେଖିବାକୁ ମନ କରି ଏଠାକୁ ଆସିବେ, ଆସି କ’ଣ ଦେଖିବେ-? ତୁମେମାନେ ମୋଟେ ଭୁଲିଯିବ ନାହିଁ ଯେ ତୁମେମାନେ ଅନ୍ୟମାନଙ୍କ ସହିତ ବାସ କରୁଛ-। ସମସ୍ତେ ସୁନ୍ଦର ଜିନିଷଟିଏ ଦେଖିବାକୁ ନିଶ୍ଚୟ ଭଲ ପାଉଥିବେ । ଆମ ଇସ୍କୁଲରେ ବି ଆମର କେତେ ଫୁଲ ରହିଛି; ମାତ୍ର ଯଦି ପ୍ରତ୍ୟେକ ପିଲା ଗୋଟିଏ ଲେଖାଏଁ ଫୁଲ ତୋଳି ନେବ, ତେବେ କ’ଣ ହେବ କହିଲ ! ଗଛରେ କୌଣସି ଫୁଲ ରହିବ ନାହିଁ । ଲୋକମାନଙ୍କ ପାଇଁ ସୁନ୍ଦରିଆ ପଦାର୍ଥଟିଏ ଦେଖିବାକୁ କିଛି ନଥିବ । ଆମେ ସୌନ୍ଦର୍ଯ୍ୟକୁ ରକ୍ଷା କରିବା, ତାକୁ ନଷ୍ଟ କରି ଦେବା ନାହିଁ । ଶରତଋତୁ ଆସି ଦିନଗୁଡ଼ିକ ଅଧିକ ଥଣ୍ଡା ହେବାକୁ ଆରମ୍ଭ କଲେ ଆମେ ସେବତୀ ଗଛଗୁଡ଼ିକୁ ନେଇ କାଚଘର ଭିତରେ ଲଗାଇବା । ସେଠାରେ ସେଗୁଡ଼ିକର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେବ । ଗୋଟିଏ ଫୁଲ ଛିଣ୍ଡାଇଲେ ତୁମକୁ ଦଶଟି ଗଛ ଲଗାଇବାକୁ ହେବ ।”

 

ଏହାର କେତେ ଦିନ ପରେ ଆମେ ଘାସପଡ଼ିଆର ଆଉ ଗୋଟିଏ ଅଞ୍ଚଳରେ ଥିଲୁ । ସେଠାରେ ଆହୁରି ଅଧିକ ସେବତୀ ଫୁଲ ଫୁଟିଥାନ୍ତି । ସେଦିନ ପିଲାମାନେ କୌଣସି ଫୁଲ ଛିଣ୍ଡାଇଲେ ନାହିଁ; ସେମାନେ ସେଗୁଡ଼ିକର ସୌନ୍ଦର୍ଯ୍ୟର ପ୍ରଶଂସା କରୁଥିଲେ ।

 

ଅନ୍ୟ ମନୁଷ୍ୟମାନଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ଆନନ୍ଦ ସୃଷ୍ଟି କରିବାର ଆହ୍ୱାନଟି ଆଡ଼କୁ ପିଲାଙ୍କ ହୃଦୟ ସଂବେଦନଶୀଳ ହୋଇ ରହିଥାଏ । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ସେହି ଆହ୍ୱାନଟି ସହିତ ଅନୁରୂପ କାର୍ଯ୍ୟ ମଧ୍ୟ ଅବଶ୍ୟ ରହିଥିବ । ତା’ପାଖକୁ ଲାଗି ଅନ୍ୟ ମନୁଷ୍ୟମାନେ ଅଛନ୍ତି ଓ ତା’ର କାର୍ଯ୍ୟଗୁଡ଼ିକ ସେମାନଙ୍କୁ ଆନନ୍ଦ ଦେଇପାରିବ ବୋଲି ଯଦି ପିଲା ଅନୁଭବ କରୁଥିବ, ତେବେ ସିଏ ଛୋଟ ବେଳରୁ ହିଁ ନିଜର ବାସନାଗୁଡ଼ିକୁ ଅନ୍ୟମାନଙ୍କର ସ୍ୱାର୍ଥ ସହିତ ସୁସମଞ୍ଜସ କରି ରଖିବାକୁ ନିଶ୍ଚୟ ଶିକ୍ଷା କରିବ । ଏବଂ, ଦୟାଶୀଳତା ଏବଂ ମାନବିକତାର ବିକାଶ ପାଇଁ ଏହାର ବିଶେଷ ମହତ୍ତ୍ୱ ରହିଛି । ଯେଉଁ ଲୋକମାନେ ନିଜ ବ୍ୟକ୍ତିଗତ ଇଚ୍ଛାଗୁଡ଼ିକର ସୀମାକୁ ଜାଣି ନଥାନ୍ତି, ସେମାନେ କଦାପି ଯଥାର୍ଥ ନାଗରିକ ହୋଇ ପାରିବେ ନାହିଁ । ଆତ୍ମକେନ୍ଦ୍ରୀ ଓ ଆତ୍ମସ୍ୱାର୍ଥୀ ମଣିଷମାନେ, ଯେଉଁମାନେ ଅନ୍ୟ ମନୁଷ୍ୟମାନଙ୍କର କଷ୍ଟ ଏବଂ ଦୁଃଖ ବିଷୟରେ ଉଦାସୀନ ହୋଇ ରହିଥାନ୍ତି, ସେମାନେ ପିଲା ଥିବା ସମୟରେ ନିଜର ଇଚ୍ଛାଗୁଡ଼ିକୁ ଆଦୌ ନିୟନ୍ତ୍ରିତ କରି ଶିଖିନଥିବେ ଏବଂ ସମୂହର ଭଲ ଉପରେ କୌଣସି ଦୃଷ୍ଟି ଦେଇ ନଥିବେ । ନିଜର ଇଚ୍ଛାଗୁଡ଼ିକୁ ନିୟନ୍ତ୍ରଣରେ ରଖିବାର କ୍ଷମତା, ଏହା ହେଉଛି ଏକ ଅତି ସହଜ ଅଭ୍ୟାସ, ଏବଂ ଯୁଗପତ୍ ଭାବରେ ଏକ ଅତ୍ୟନ୍ତ କଷ୍ଟକର ଅଭ୍ୟାସ । ତାହା ହିଁ ମାନବତା, ସମ୍ବେଦନଶୀଳତା, କୋମଳହୃଦୟତା ଏବଂ ଆତ୍ମଶୃଙ୍ଖଳାରେ ସର୍ବମୂଳ କଥା, ଏବଂ ସେଇଟି ନଥିଲେ ଜଣେ ବ୍ୟକ୍ତିର ବିବେକ ବୋଲି କିଛି ରହିବ ନାହିଁ ଓ ତାହାକୁ ଜଣେ ପ୍ରକୃତ ମନୁଷ୍ୟ ବୋଲି କୁହା ବି ଯିବନାହିଁ ।

 

ଏବଂ, ସେହି ପିଲା ସମୟରେ ହିଁ ଗୋଟିଏ ଶିଶୁକୁ ଜଣେ ପ୍ରକୃତ ମନୁଷ୍ୟ ହେବା ନିମନ୍ତେ ଶିକ୍ଷା ଦେବା ଯେ କେତେ ମହତ୍ତ୍ୱପୂର୍ଣ୍ଣ, ଏଠାରେ ପୁନର୍ବାର ସେହି କଥାଟି ଉପରେ ଜୋର୍ ଦେବାର ଆବଶ୍ୟକତା ରହିଛି । ନୀତିଗତ ଯାବତୀୟ ପ୍ରତ୍ୟୟ, ଦୃଷ୍ଟିକୋଣ ଏବଂ ଅଭ୍ୟାସ, ଆମର ଅନୁଭବରାଜ୍ୟଟି ସହିତ ଏଗୁଡ଼ିକର ନିବିଡ଼ ସଂପର୍କ ରହିଥାଏ । ଏକ ଆଳଙ୍କାରିକ ଭାଷାରେ କହିଲେ, ଉଚ୍ଚ, ନୈତିକ ମାନର କାର୍ଯ୍ୟଗୁଡ଼ିକ ସକାଶେ ଆମର ଅନୁଭବଗୁଡ଼ିକ ହିଁ ଉର୍ବର ମୃତ୍ତିକା ରୂପେ କାର୍ଯ୍ୟ କରିଥାଏ । ଯେଉଁଠାରେ ସମ୍ବେଦନଶୀଳତା ନଥାଏ, ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ବିଷୟରେ କୌଣସି ତୀକ୍ଷ୍ଣ ଅବବୋଧ ନଥାଏ, ସେଠାରେ ମନୁଷ୍ୟମାନେ ବଡ଼ ହୃଦୟହୀନ ଓ ଆତ୍ମା ଦ୍ୱାରା ପରିତ୍ୟକ୍ତ ହୋଇ ରହିଥାନ୍ତି । ସମ୍ବେଦନଶୀଳତା, ଆତ୍ମାର ନମନୀୟତା, - ଶୈଶବରେ ହିଁ ଏଗୁଡ଼ିକର ରଚନା ହୋଇଥାଏ । ପିଲାବେଳେ ହିଁ ସେଗୁଡ଼ିକର ଅନୁଶୀଳନ ହୋଇ ନଥିଲେ, ପରେ ଆଉ କଦାପି ସେଗୁଡ଼ିକର ପରିପୂରଣ ସମ୍ଭବ ହୁଏ ନାହିଁ ।

 

ମାନବିକ ବହୁ ସମ୍ବନ୍ଧର ଏହି ବହୁବିଧ ତାତ୍ପର୍ଯ୍ୟଯୁକ୍ତ ଜଗତ ମଧ୍ୟରେ ପିଲାକୁ ବାଟ ଦେଖାଇ ଆଗରୁ ନେଇଯିବା,-ଏଇଟି ହେଉଛି ଜଣେ ଶିକ୍ଷାଦାତାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ-। ପିଲାମାନେ ଆନନ୍ଦ ବ୍ୟତିରେକେ ଆଦୌ ବଞ୍ଚିପାରନ୍ତି ନାହିଁ । ଶୈଶବକୁ ସୁଖମୟ କରି ରଖିବା ସକାଶେ ଆମ ସମାଜ ଯଥାଶକ୍ତି ଉଦ୍ୟମ କରିଥାଏ । ମାତ୍ର, ତଥାପି ସେହି ଆନନ୍ଦ କଦାପି ଦାୟିତ୍ୱହୀନ ହୋଇପାରିବ ନାହିଁ । ତା’ର ଗୁରୁଜନମାନେ କେତେ ଯତ୍ନରେ ବଢ଼ାଇ ଆଣିଥିବା ବୃକ୍ଷଟିରୁ ଯେତେବେଳେ ଗୋଟିଏ ପିଲା ଫଳଗୁଡ଼ିକୁ ଚୟନ କରି ଆଣୁଥାଏ, ଯଦି ସେତେବେଳେ କିଏ ଅନ୍ୟମାନଙ୍କ ସକାଶେ କ’ଣ ରହିଲା ବୋଲି କୌଣସି ଚିନ୍ତା ନକରେ, ତେବେ ସିଏ ଜଣେ ବ୍ୟକ୍ତିର ସବୁଠାରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଗୁଣଟିକୁ ହରାଇ ପକାଏ,-ତା’ର ଆଉ ବିବେକ ବୋଲି କିଛି ରହେ ନାହିଁ । ସମାନତା ଉପରେ ପ୍ରତିଷ୍ଠିତ ଗୋଟିଏ ସମାଜରେ ନିଜକୁ ଜଣେ ଭାବୀ ନାଗରିକ ବୋଲି ଉପଲବ୍ଧି କରିବା ପୂର୍ବରୁ ସିଏ ଭଲ ବଦଳରେ ଭଲ ହିଁ ଦେଇ ପାରିବାକୁ ନିଜର ହାତ ଦ୍ୱାରା ଅନ୍ୟ ମନୁଷ୍ୟମାନଙ୍କ ପାଇଁ ସୁଖ ଓ ଆନନ୍ଦର ସୃଷ୍ଟି କରିବା ପାଇଁ ଅବଶ୍ୟ ଶିକ୍ଷା କରିବ ।

 

ଆନନ୍ଦ-ପାଠଶାଳା ଜନ୍ମଲାଭ କରିବାର ବେଶ୍ କେତେ ବର୍ଷ ପୂର୍ବରୁ ମୁଁ ଖୁବ୍ ଚିନ୍ତିତ ହୋଇ ପଡ଼ୁଥିଲି ଯେ, ଅନେକ ବାପାମାଆ ନିଜ ପିଲାମାନଙ୍କ ପ୍ରତି ଅତ୍ୟନ୍ତ ସହଜାତ ଭାବରେ ସେମାନଙ୍କର ରହିଥିବା ଭଲ ପାଇବା ଦ୍ୱାରା ଅନ୍ଧ ହୋଇ ସେମାନଙ୍କ ଭିତରେ କେବଳ ଭଲ ହିଁ ଦେଖୁଥିଲେ ଓ ନକାରାତ୍ମକ ପ୍ରବୃତ୍ତିଗୁଡ଼ିକ ଉପରେ ଦୃଷ୍ଟି ଦେଉନଥିଲେ । ମୋ’ର ମନେ ଅଛି, କିପରି ଚାରିବର୍ଷର ପୁଅ ପିଲାଟିଏ ପାଇଖାନା ଯିବାଯାଏ ଅପେକ୍ଷା ନକରି ତା’ମାଆ ଓ ମାଆଙ୍କର ଜଣେ ପ୍ରତିବେଶୀଙ୍କ ସମ୍ମୁଖରେ କାର୍ଯ୍ୟଟିକୁ ସାରିଦେଲା । ମାଆ ଏଥିରେ ରୋଷ ପ୍ରକାଶ କଲେ ନାହିଁ ସତ, ମାତ୍ର କଥାଟି ତାଙ୍କୁ ଗୋଟିଏ ବିଶେଷ କ’ଣଟିଏ ପରି ମନେ ହେଲା: “ଦେଖ ଆମ ପୁଅର ବୁଦ୍ଧି, ତା’ର ଡରଭୟ ବୋଲି ମୋଟେ କିଛି ନାହିଁ ।” ପିଲାଟା ଟିକିଏ ଉଦ୍ଧତ ଚାହାଣୀରେ ମାଆ ଆଡ଼କୁ ଅନାଇଲା, ପ୍ରଥମେ ମୁହଁ ଫୁଲାଇ ଦେଲା ଓ ତା’ପରେ ଅବଜ୍ଞା ଦେଖାଉଥିବା ପରି ଦାନ୍ତ ନିକୁଟିଲା । ସିଏ ନିଜକୁ ଗୋଟିଏ ଦୃଶ୍ୟବସ୍ତୁରେ ପରିଣତ କରି ସାରିଥିଲା ଏବଂ ଯଦି ତାକୁ ଆକଟ କରାନଯାଏ, ତେବେ ସେଥିରୁ ଗୋଟାଏ ସୟତାନ୍ ହିଁ ବାହାରିବାର ସମ୍ଭାବନା ରହିଥିଲା । ଅନ୍ୟମାନଙ୍କର ଆଖିରେ ନିଜକୁ ଦେଖି ନଶିଖିଲେ, ଆଉ ଅନ୍ୟ ପ୍ରକାରର କ’ଣ ହୁଅନ୍ତା ?

 

ଭୋଲୋଡ଼୍ୟାର ମାଆଙ୍କ ସହିତ ମୋତେ ବେଶ୍ କେତେଥର କଥା ହେବାକୁ ପଡ଼ିଥିଲା-। ମାଆ କିଛି କହିବାକୁ ଆରମ୍ଭ କରିବା ମାତ୍ରକେ ପୁଅ ମାଆଙ୍କର ପିନ୍ଧିବା ବସ୍ତ୍ରକୁ ଟାଣି ଆଣୁଥିଲା ଓ ତାଙ୍କୁ ହାତରେ ଜାବୁଡ଼ି ଧରୁଥିଲା । ତା’ର ମାଆଙ୍କ ପାଖରେ ସବୁବେଳେ କିଛି ଜରୁରୀ କଥା କହିବାକୁ ରହିଥିଲା । ପିଲା ଯେତେବେଳେ ଅଝଟ ଲଗାଇବ ଓ ତା’ନିଜ ଆଡ଼କୁ କାହାର ଦୃଷ୍ଟି ପଡ଼ୁବୋଲି ଦାବି କରୁଥିବ, ସେଗୁଡ଼ିକୁ ପିଲା ଭିତରେ ରହିଥିବା ବିଭିନ୍ନ କିସମର ସ୍ୱାର୍ଥପରତା ବୋଲି ଜାଣି ରଖିବାକୁ ହେବ । ପିଲାର ସବୁକିଛିକୁ କ୍ଷମା ଦେବା, ଗେଲବସରିଆ କଥାମାନ କହିବା ଓ ଆଦୌ କୌଣସି ଦଣ୍ଡ ନଦେବା,-ସ୍ୱାର୍ଥପରତା ଏହିଗୁଡ଼ିକରୁ ହିଁ ଜନ୍ମଲାଭ କରିଥାଏ-। କେତେ ବାପାମାଆ (ଏବଂ ଦୁର୍ଭାଗ୍ୟବଶତଃ କେତେ ଶିକ୍ଷକ ମଧ୍ୟ) ଭାବିଥାନ୍ତି ଯେ, ପିଲାମାନଙ୍କ ସହିତ କଥା କହୁଥିବା ସମୟରେ ସବୁବେଳେ ପିଲାଙ୍କ ପରି କଅଁଳିଆ ଗଳାରେ କଥା କହିବାକୁ ପଡ଼ିବ । ପିଲା ତାହାକୁ ଗେଲବସରିଆ କଥା ବୋଲି ଭ୍ରମ କରିଥାଏ ଏବଂ ପିଲାଟିର ଅନଭିଜ୍ଞ ହୃଦୟ ବୟସ୍କ ମଣିଷଟିର ଏହି ପିଲାଳିଆ ଅଲିଅଳ କଥାକୁ ଦୁଷ୍ଟ ଆଚରଣ ଦ୍ୱାରା ହିଁ ଜବାବ ଦେଇଥାଏ । କଥା କହିବାର ସେହି ଢଙ୍ଗଟି ଭିତରେ ରହିଥିବା ବିପଦଗୁଡ଼ିକ ବିଷୟରେ ମୁଁ ସବୁବେଳେ ସତର୍କ ରହିଥାଏ ଏବଂ କ୍ଷଣକ ପାଇଁ ବି ପାଶୋରି ଦିଏ ନାହିଁ ଯେ, ପ୍ରତ୍ୟେକ କୁନି ମଣିଷଟି ଭିତରେ ଭବିଷ୍ୟତର ବୟସ୍କ ନାଗରିକଟି ହିଁ ଲୁକ୍କାୟିତ ହୋଇ ରହିଛି । ଅନ୍ୟ ମନୁଷ୍ୟମାନଙ୍କ ନିମନ୍ତେ ଆମେ କ’ଣ ସବୁ କରିପାରିବା, ଏହି କଥାଟିର ଆଲୋଚନା ହେଉଥିବା ବେଳେ ଏହିପରି ଚିନ୍ତା କରିବା ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ବୋଧ ହେଉଥିଲା । ପିଲାମାନେ ବେଳେବେଳେ ଭାବନ୍ତି ଯେ, ସେମାନେ କୌଣସି କାର୍ଯ୍ୟ କରି ବୟସ୍କମାନଙ୍କ ପ୍ରତି ସତେଅବା ଅଶେଷ କୃପା ହିଁ କରୁଛନ୍ତି ଓ ତେଣୁ ସେଥିଲାଗି ସେମାନଙ୍କୁ ଖୁବ୍ ପ୍ରଶଂସା କରିବାକୁ ହେବ ଓ ଏପରିକି କିଛି ପୁରସ୍କାର ମଧ୍ୟ ଦେବାକୁ ପଡ଼ିବ,-ଅନେକ ସମୟରେ ପିଲାଙ୍କ କାମ ପଛରେ ଏହିପରି ଏକ ଅତି ମନ୍ଦ ମତଲବଟିଏ ରହିଥାଏ ।

 

ଶରତଋତୁ ଆସିବାରୁ ଆମେ ସେବତୀଗୁଡ଼ିକୁ ଉଠାଇ କାଚଘରେ ନେଇ ଲଗାଇ ଦେଇଥିଲୁ । ଗାଆଁର ପିଲାମାନଙ୍କ ପାଇଁ ଏହା ଗୋଟିଏ ଉଚିତ କାର୍ଯ୍ୟ ଥିଲା । ପିଲାମାନେ ପ୍ରତ୍ୟହ ଲଗା ହୋଇଥିବା ଗଛଗୁଡ଼ିକରେ ପାଣି ଦେଉଥିଲେ ଏବଂ ପ୍ରଥମ ଫୁଲଗୁଡ଼ିକ କେବେ ଫୁଟିବ ବୋଲି ଅଧୀର ଭାବରେ ଅପେକ୍ଷା କରି ରହିଥିଲେ । କାଚଘରଟି ଏକ ଚମତ୍କାର ଶୋଭାର ସ୍ଥାନରେ ପରିଣତ ହୋଇଗଲା । ପିଲାମାନଙ୍କୁ ପ୍ରସ୍ତାବ ଦେଇ ମୁଁ କହିଲି, “ବର୍ତ୍ତମାନ ଆମେ ଅତିଥିମାନଙ୍କୁ ଡାକିବା ।” “ତେବେ କେଉଁମାନଙ୍କୁ ନିମନ୍ତ୍ରଣ କରିବାକୁ ହେବ ?” ସେମାନଙ୍କ ମଧ୍ୟରୁ ଅନେକଙ୍କର ସାନ ଭାଇ ଓ ଭଉଣୀମାନେ ଥିଲେ । ସେମାନଙ୍କୁ ପିଲାମାନେ କାଚଘରକୁ ନିମନ୍ତ୍ରଣ କରି ଆଣିଲେ, ସେମାନଙ୍କର ହାତ ଧରି ବୁଲାଇ ଦେଖାଇଲେ । ଏହି ଅତିଥିମାନେ ସେବତୀଗୁଡ଼ିକ ଆଡ଼କୁ ଲୋଭ କରୁଥିଲେ, ମାତ୍ର ମୋ’ ପିଲାମାନେ ସେମାନଙ୍କୁ ଗୋଟିଏ ହେଲେ ଛିଣ୍ଡାଇବାକୁ ଦେଲେ ନାହିଁ ।

 

ମୁଁ ପିଲାମାନଙ୍କୁ କହିଥିଲି,“ଯଦି ଆମେ ଯଥେଷ୍ଟ ଗଛ ଲଗାଇ ପାରିବା, ତେବେ ମାର୍ଚ୍ଚ ଆଠ ତାରିଖରେ ପଡ଼ୁଥିବା ଆନ୍ତର୍ଜାତିକ ମହିଳା ଦିବସରେ ଆମେ ମାଆମାନଙ୍କୁ ଗୋଟିଏ ଲେଖାଏଁ ସେବତୀ ଫୁଲ ଦେଇପାରିବା ।” ପିଲାଏ ଏହି କଥାଟି ଦ୍ୱାରା ବେଶ୍ ଅନୁପ୍ରାଣିତ ହେଲେ ଏବଂ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ଆମର ଯଥେଷ୍ଟ ଫୁଲ ହୋଇ ଯାଇଥିଲା । ଛୁଟି ଦିନଟିରେ ମାଆମାନେ ନିମନ୍ତ୍ରିତ ହୋଇ ଆସିଲେ, ଆମ କାଚଘରଟିକୁ ବୁଲି ଦେଖିଲେ, ଆମେ ସେମାନଙ୍କୁ ଗୋଟିଏ ଗୋଟିଏ ସୁନ୍ଦର ଫୁଲ ଦେଇଥିଲୁ । ଗାଲ୍ୟାର ସାବତ ମାଆ ତା’ ସହିତ ଆସିଥିଲେ ଏବଂ ତାଙ୍କ କୁନି ଝିଅଟି ତାଙ୍କ ହାତରେ ବି ଫୁଲଟିଏ ନେଇ ଦେଲା । ଆଗରୁ ଗାଲ୍ୟା ସହିତ ତା’ର ସାବତ ମାଆଙ୍କ ବିଷୟରେ ମୁଁ କେତେଥର କଥାବାର୍ତ୍ତା କରିଥିଲି । ସିଏ ଜଣେ ଭଲ ମଣିଷ ବୋଲି ତା’ ମନରେ ପ୍ରତ୍ୟୟ ଆଣିଥିଲି ଓ ମୋ’ର କଥାଗୁଡ଼ିକ ପିଲାଟିର ହୃଦୟକୁ ସ୍ପର୍ଶ କରିଥିଲା । ମୋତେ ଭାରି ଖୁସୀ ଲାଗିଲା ଯେ, କୋଲ୍ୟା ଓ ଟୋଲ୍ୟାଙ୍କ ମାଆ, ସାଶାର ଆଈମାଆ ଓ କୋଷ୍ଟ୍ୟାର ସାବତମାଆ ଆମର ଏହି ମେଳାକୁ ଆସିଥିଲେ ।

 

ଏପରି ଅନେକ କଥା ରହିଛି, ଯାହାକି ଗୋଟିଏ ସାନ ପିଲାକୁ ବୁଝାଇ କହି ହୁଏନାହିଁ । ଭଲ ଆଚରଣ ବିଷୟରେ ଅନେକ ଚମତ୍କାର ଶବ୍ଦ ବ୍ୟବହାର କରି କେତେ କଥା କହିଲେ ମଧ୍ୟ ତାହା ଅନେକ ସମୟରେ ପିଲାର ଚେତନା ଭିତରେ ପ୍ରବେଶ କରିପାରେ ନାହିଁ; ମାତ୍ର ଗୋଟିଏ ସାନପିଲା ତଥାପି ମନୁଷ୍ୟତ୍ୱର ସୌନ୍ଦର୍ଯ୍ୟକୁ ନିଜର ହୃଦୟରେ ନିଶ୍ଚୟ ଅନୁଭବ କରିପାରିବ । ଆନନ୍ଦ-ପାଠଶାଳାର ପ୍ରଥମ ଦିନଗୁଡ଼ିକରୁ ହିଁ ମୁଁ ପ୍ରତ୍ୟେକ ପିଲାକୁ ଅନ୍ୟ ମନୁଷ୍ୟମାନଙ୍କର ସୁଖ, ଦୁଃଖ, କଷ୍ଟ ଓ ବିପଦଗୁଡ଼ିକୁ ଅନୁଭବ କରି ଶିଖାଇବାକୁ ଚେଷ୍ଟା କରିଥିଲି । ଶରତଋତୁରେ ଓ ବସନ୍ତଋତୁରେ ଆମେ ଅନେକ ସମୟରେ କୋଠଚାଷର ମହୁମାଛିଙ୍କ ଦାୟିତ୍ୱରେ ଥିବା ଆନ୍ଦ୍ରେଇ ଅଜାଙ୍କ ପାଖକୁ ଯାଉଥିଲୁ । ବୃଦ୍ଧଙ୍କର ପରିବାର ବୋଲି କେହି ନଥିଲେ ଏବଂ ଏକୁଟିଆ ଥିବାରୁ ସିଏ ଭାରି ଦୁଃଖୀ ହୋଇ ରହିଥିଲେ । ପିଲାଏ ଅନୁଭବ କରୁଥିଲେ ଯେ, ଆମେ ଦେଖା କରିବାକୁ ଗଲେ ଆନ୍ଦ୍ରେଇର ଅଜାଙ୍କୁ ଖୁବ୍ ଭଲ ଲାଗୁଥିଲା । ତାଙ୍କ ଯିବା ପୂର୍ବରୁ ପିଲାମାନଙ୍କୁ ମୁଁ ଅଜାଙ୍କ ପାଇଁ କିଛି ଆପଲ୍‌, ଅଙ୍ଗୁର, ପ୍ଲମ୍ ଓ ବଣର କେତେ ପ୍ରକାରର ଫୁଲ ଆଣିବାକୁ କହିଥିଲି: ଏଗୁଡ଼ିକ ପାଇଲେ ସିଏ ଟିକିଏ ଖୁସୀ ନିଶ୍ଚୟ ହେବେ ! ପିଲାମାନଙ୍କର ହୃଦୟ କ୍ରମେ ଅନ୍ୟମାନଙ୍କର ମନର ଅବସ୍ଥା, ଅନୁଭୂତି ଓ ଅଭିଜ୍ଞତାଗୁଡ଼ିକ ପ୍ରତି ଅଧିକ ସମ୍ବେଦନଶୀଳ ହୋଇ ଆସୁଥିଲା । ଏହି ବୃଦ୍ଧଙ୍କୁ କେଉଁ କେଉଁ ପ୍ରକାରେ ଆନନ୍ଦ ଦେଇ ହେବ, ସେକଥା ପିଲାମାନେ ନିଜେ ଚିନ୍ତା ବି କରୁଥିଲେ । ଦିନେ ଆମେ ଜଙ୍ଗଲରେ କାଶା ତିଆରି କଲୁ । ଯେତେବେଳେ ନିଆଁ ଜଳିବାକୁ ଆରମ୍ଭ କଲା, ସେତେବେଳେ ପିଲାଙ୍କର ଆନନ୍ଦ କ’ଣ ଦେଖିବ ! ....ଏବଂ, ଠିକ୍ ସେହି ଆନନ୍ଦର ମୁହୂର୍ତ୍ତଟିରେ ଭାରା ଭାବନାମଗ୍ନ ହୋଇ କହିଲା :

 

“ମାତ୍ର ଆଁଦ୍ରେଇ ଅଜା ବର୍ତ୍ତମାନ ଏକୁଟିଆ ଥିବେ ।”

 

ପିଲାମାନେ ବି ଚିନ୍ତାମଗ୍ନ ହୋଇଗଲେ । କେତେ ବୟସ୍କଙ୍କୁ ହୁଏତ କଥାଟା କିଞ୍ଚିତ୍ ଭାବପ୍ରବଣ ମନେ ହୋଇପାରେ; କେହି ହୁଏତ ଭାବିପାରନ୍ତି : ସାତବର୍ଷର ଛୁଆମାନେ ସତରେ ଏସବୁ ଆତ୍ମିକ ଆବେଗ ଲାଗି ସମର୍ଥ ହୋଇଥିବେ ? ହଁ ମୋ’ର ଶିକ୍ଷକ ବନ୍ଧୁମାନେ, ଯଦି ଠିକ୍ ସେହି ବୟସରେ କୌଣସି ଶିଶୁର ଆତ୍ମିକ ଅବବୋଧଟିକୁ ଉପଯୁକ୍ତ ଭାବରେ ଗ୍ରହଣଶୀଳ କରାଯାଇ ପାରିବ, ପିଲାଟି ଅନ୍ୟ ମଣିଷମାନଙ୍କ ସହିତ ଯେ ବାସ କରୁଛି, ଏହି ବୃହତ୍ ସତ୍ୟଟିକୁ ଯଦି ତା’ର ହୃଦୟ ଭିତରକୁ ଅଣାଯାଇପାରିବ, ତେବେ ସିଏ ନିଶ୍ଚୟ ଆପଣାର ଆନନ୍ଦରେ ଅନ୍ୟମାନଙ୍କୁ ମଧ୍ୟ ଭାଗ ଦେବାକୁ ଇଚ୍ଛା କରିବ । ତା’ର ଜଣେ ବନ୍ଧୁ ଏକାକୀ ଥିବାବେଳେ ସିଏ ଏଠି ମଜା କରୁଛି, ଏହି ଭାବନାଟି ତାକୁ ନିଶ୍ଚୟ ଦୁଃଖ ଦେବ ।

 

ପିଲାମାନେ ସେମାନଙ୍କର ଦୁଃଖରେ ଆଁଦ୍ରେଇ ଅଜାଙ୍କୁ ଭାଗ ଦେବାକୁ ସ୍ଥିର କଲେ । କାଟ୍ୟା କହିଲା, “ଚାଲ, ତାଙ୍କ ପାଇଁ କିଛି ଲହୁଣୀମିଶା କାଶା ନେଇଯିବା ।” ଏହି କଥାଟିକୁ ଶୁଣି ସମସ୍ତେ ଉଚ୍ଛ୍ୱସିତ ହୋଇ ଉଠିଲେ । ସେମାନେ ତାଙ୍କ ଆଁଦ୍ରେଇ ଅଜାଙ୍କ ପାଖକୁ ଏତେ ଅଧିକ କାଶା ନେଇ ଆସିଥିଲେ ଯେ, ଗୋଟିଏ ଭୋକିଲା ଭାଲୁ ବି ତାହାକୁ ଖାଇ ଶେଷ କରି ପାରିନଥାନ୍ତା । ମହୁ ବିଭାଗରେ ଆମେ ମଧ୍ୟ ସେଥିରୁ କିଛି କିଛି ଖାଇଲୁ, ଅଜା ବି ଆମ ସାଙ୍ଗରେ ଖାଉଥାନ୍ତି ।

 

କେବଳ ବାଲ୍ୟକାଳରେ ହିଁ ଆନନ୍ଦ ଏବଂ ଦୁଃଖପ୍ରତି ଗ୍ରହଣଶୀଳ ହେବାର ଗୁଣଟିକୁ ଶିଖାଇ ହେବ । ସେହି ବୟସରେ ହୃଦୟ ମନୁଷ୍ୟର ଦୁଃଖ, ଦୁର୍ଭାଗ୍ୟ, ନୈରାଶ୍ୟ ଏବଂ ଏକାକିତ୍ୱ ପ୍ରତି ବିଶେଷ ଭାବରେ ସଂବେଦନଶୀଳ ହୋଇ ରହିଥାଏ । ପିଲା ସତେ ଯେପରି ଆପଣାକୁ ରୂପାନ୍ତରିତ କରିଦିଏ; ନିଜକୁ ନେଇ ଅନ୍ୟ ବ୍ୟକ୍ତିଟିର ସ୍ଥାନରେ ରଖିଦିଏ । ମୋ’ର ମନେ ପଡ଼ୁଛି, ଦିନେ ଆମେ ବଣରୁ ଫେରିଥାଉ, ବାଟରେ ଗୋଟିକିଆ କୁଡ଼ିଆଟିଏ ପଡ଼ିଲା । ଖୁବ୍ ବେଗରେ ପବନ ବୋହୁଥାଏ । ମୁଁ ପିଲାମାନଙ୍କୁ କହୁଥିଲି ଯେ ଦେଶରକ୍ଷାର ମହାନ୍ ଯୁଦ୍ଧରେ ଲଢ଼ିଥିବା ଜଣେ ବ୍ୟକ୍ତି ପ୍ରାୟ ଅଚଳ ହୋଇ ଏଠାରେ ବାସ କରୁଛନ୍ତି । ତାଙ୍କର ଦେହ ଭଲ ରହୁନାହିଁ ଓ ସେ ଆପଲ୍‌ କିମ୍ବା ଅଙ୍ଗୁର ଗଛମାନ ଲଗାଇ ପାରୁନାହାନ୍ତି । ପିଲାମାନଙ୍କର ଆଖିରେ ଲୁହ ଛଳଛଳ ହୋଇ ଆସିଲା । ପ୍ରତ୍ୟେକ ପିଲା ସତେଅବା ସେହି ଅସୁସ୍ଥ ବ୍ୟକ୍ତିଙ୍କର ଏକାକୀ ଜୀବନକୁ ନିଜେ ଅନୁଭବ କରୁଥିଲା । ଏକ ଉପହାର ସ୍ୱରୂପ ଆମେ ତାଙ୍କ ପାଇଁ ସେଠାରେ ଦୁଇଟି ଆପ୍ଲ ଗଛ ଓ ଦୁଇଟି ଅଙ୍ଗୁର ଗଛ ଲଗାଇଥିଲୁ ଏବଂ ପ୍ରତିଦାନ ସ୍ୱରୂପ ଆମକୁ ସେହି ସବୁଠାରୁ ଅଧିକ ମୂଲ୍ୟବାନ୍ ଆନନ୍ଦ,-ଆଉ ଜଣେ ବ୍ୟକ୍ତି ନିମନ୍ତେ କିଞ୍ଚିତ୍ ସୁଖ ସମ୍ଭବ କରିବାର ଆନନ୍ଦଟି ମଧ୍ୟ ମିଳିଥିଲା ।

 

ଅନ୍ୟମାନଙ୍କର ଦୁଃଖରେ ଏବଂ କଷ୍ଟରେ ସମ୍ବେଦନଶୀଳତା ଏବଂ ସହାନୁଭୁତି ଅନୁଭବ କରିବାର ଗୁଣଟିକୁ ଅର୍ଜନ କରିବା,-ଆମ ଦେଶରେ ଏକ ବିଦ୍ୟାଳୟ ପାଇଁ ଏଇଟି ହେଉଛି ଗୋଟିଏ ବଡ଼ ଦାୟିତ୍ୱ । ଯଦି ଅନ୍ୟ ଜଣେ ମନୁଷ୍ୟର ଦୁଃଖକୁ ମୁଁ ନିଜର ବୋଲି ଅନୁଭବ କରୁଥିବି, ତେବେ ସେହି ବ୍ୟକ୍ତି ମୋ’ପାଇଁ ଜଣେ ବନ୍ଧୁ, ସାଥୀ ଓ ଭାଇରେ ପରିଣତ ହୋଇଯିବ । ଆଉ ଜଣେ ବ୍ୟକ୍ତିର ହୃଦୟରେ ପ୍ରକୃତରେ କ’ଣ ରହିଛି, ଗୋଟିଏ ପିଲା ତାହାକୁ ଅବଶ୍ୟ ଅନୁଭବ କରିପାରୁଥିବା ଉଚିତ । ତେଣୁ ମୁଁ ନିଜ ଉପରେ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗତ ଦାୟିତ୍ୱଟିକୁ ନ୍ୟସ୍ତ କରିଛି, ତାହାକୁ ଏହିପରି ଭାବରେ ସଂଗଠିତ କରି କୁହାଯାଇ ପାରିବ ।

 

ତା’ର ଜଣେ ସାଥୀ, ବନ୍ଧୁ, ମାଆ, ବାପା ବା ଦେଶବାସୀ କ’ଣ ଅନୁଭବ କରୁଛି ବା କରୁଛନ୍ତି, ଯଦି ଗୋଟିଏ ପିଲା ସେହି ବିଷୟରେ ଉଦାସୀନ ରହେ, ଯଦି ଆଉ ଜଣେ ମନୁଷ୍ୟର ଆଖିକୁ ଦେଖି ତା’ ହୃଦୟରେ କ’ଣ ରହିଛି ଗୋଟିଏ ପିଲା ତାହା ଜାଣି ନପାରେ, ତେବେ ସିଏ କେବେ ହେଲେ ଜଣେ ଯଥାର୍ଥ ବ୍ୟକ୍ତି ହୋଇପାରିବ ନାହିଁ । ମୋ’ ପିଲାମାନଙ୍କର ହୃଦୟରେ ଥିବା ଗ୍ରହଣଶୀଳତାକୁ ମୁଁ ଶାଣିତ କରିବାକୁ ଚେଷ୍ଟା କରିଥିଲି, ଯେପରିକି ସେମାନେ ଯେଉଁମାନଙ୍କୁ ପ୍ରତିଦିନ ଭେଟୁଥିଲେ, କେବଳ ସେମାନଙ୍କର ଆଖିରେ ନୁହେଁ, ମାତ୍ର ଯେଉଁମାନଙ୍କ ସହିତ ସେମାନଙ୍କର ଦୈବାତ୍ ଭେଟ ହୋଇ ଯାଇଥିଲା, ସେମାନଙ୍କର ଆଖିର ମଧ୍ୟ ସକଳ ଅନୁଭୂତି, ଅଭିଜ୍ଞତା, ଆନନ୍ଦ ଓ ନିରାନନ୍ଦଗୁଡ଼ିକୁ ମଧ୍ୟ ଦେଖିବାରେ ସମର୍ଥ ହେବେ ।

 

ଦିନେ ଜଙ୍ଗଲକୁ ଫେରି ଆସୁଥବା ସମୟରେ ଆମେ ଜଣେ ବୃଦ୍ଧ ଲୋକଙ୍କୁ ରାସ୍ତା କଡ଼ରେ ଥିବା ଘାସ ଉପରେ ବସିଥିବାର ଦେଖିବାକୁ ପାଇଲୁ । କ’ଣ ଗୋଟିଏ କାରଣରୁ ବୁଢ଼ାଟି ଭାରି ଦୁଃଖିତ ହୋଇ ପଡ଼ିଥିଲା । ମୁଁ ପିଲାମାନଙ୍କୁ କହିଥିଲି, “ସେହି ଲୋକଟିର ଜୀବନରେ ହୁଏତ ଗୋଟାଏ ଦୁଃଖଦ ଘଟଣା ଘଟିଛି । ସମ୍ଭବତଃ ସିଏ କୁଆଡ଼େ ଯାଉଥିଲା ଓ ବାଟରେ ଅସୁସ୍ଥ ହୋଇ ପଡ଼ିଲା । ହୁଏତ ତା’ର କୌଣସି ଜିନିଷ ହଜିଯାଇଛି ।”

 

ବୁଢ଼ାଟି ପାଖକୁ ଯାଇ ଆମେ ପଚାରିଲୁ, “ଅଜା, ଆମେ ତୁମକୁ କିଛି ସାହାଯ୍ୟ କରିପାରିବୁ କି ?” ବୁଢ଼ାଟି ଦୀର୍ଘ ନିଶ୍ୱାଃସଟିଏ ପକାଇଲା: “ନାଇଁ ପିଲାଏ, ତୁମେମାନେ ଯେତେ ସାହାଯ୍ୟ କରିବାକୁ ଇଚ୍ଛା କଲେ ମଧ୍ୟ ମୋତେ କୌଣସି ସାହାଯ୍ୟ କରିପାରିବ ନାହିଁ । ମୋ’ସ୍ତ୍ରୀ ଡାକ୍ତରଖାନାରେ ମରମର ଅବସ୍ଥାରେ ପଡ଼ିଛି । ମୁଁ ତାହାରି ପାଖକୁ ଯାଉଥିଲି, ଏଠାରେ ବସ୍‍କୁ ଅପେକ୍ଷା କରିଛି । ତୁମେ ଆଉ ମୋ’ ପାଇଁ କ’ଣ କରିପାରନ୍ତ, ମାତ୍ର ତୁମେମାନେ ମୋ’ପାଇଁ ସବୁକଥାକୁ ସହଜ କରିଦେଲ । ଏହି ପୃଥିବୀରେ ତଥାପି ଭଲ ମଣିଷ ଅଛନ୍ତି ବୋଲି ମୁଁ ଜାଣି ପାରିଲି ।” ପିଲାମାନେ ଚୁପ୍ ହୋଇଗଲେ; ସେମାନଙ୍କର ୟାଡ଼ୁ ସ୍ୟାଡ଼ୁ ଗପମାନ ବନ୍ଦ ହୋଇଗଲା-। ବୁଢ଼ୀଟିର ଦୁଃଖପୂର୍ଣ୍ଣ କଥାଗୁଡ଼ିକୁ ହୃଦୟରେ ବହନ କରି ସେମାନେ ଯେଝା ବାଟରେ ନିଜ ନିଜ ଘରକୁ ଯାଉଥିଲେ । ସେମାନେ ଆଉ କିଛି ସମୟ ଖେଳିବେ ବୋଲି ଭାବିଥିଲେ, କିନ୍ତୁ ସେ ବିଷୟରେ ସବୁ ଭୁଲିଗଲେ ଓ ଘରକୁ ଗଲେ ।

 

ପିଲାମାନଙ୍କୁ ଅନୁଭବ କରିବାର ଶିକ୍ଷା ଦେବା, ଏଇଟି ହେଉଛି ଶିକ୍ଷାରେ ସବୁଠାରୁ କଷ୍ଟକର କଥା । ବନ୍ଧୁତ୍ୱ, ସଦାଚାରିତା ଏବଂ ଭ୍ରାତୃତ୍ୱ, - ଏହିଗୁଡ଼ିକ ହିଁ କୋମଳହୃଦୟତା, ସଂବେଦନଶୀଳତା ଓ ଆନ୍ତରିକତାକୁ ବିଦ୍ୟାଳୟରୁ ଶିକ୍ଷା କରାଯାଏ । ଗୋଟିଏ ପିଲା ଯେତେବେଳେ ଅନ୍ୟ କାହା ପାଇଁ ସୁଖ, ଆନନ୍ଦ ଓ ଅନ୍ତର୍ଗତ ଶାନ୍ତି ଦେବା ପାଇଁ କିଛି କରେ, ସେତିକିବେଳେ ହିଁ ସେ ଅନ୍ୟମାନଙ୍କୁ କୋମଳ ଓ ନିବିଡ଼ ଭାବରେ ଅନୁଭବ କରିଥାଏ । ଗୋଟିଏ ସାନ ପିଲାର ତା’ର ମାଆ, ବାପା, ଆଈ ଓ ଅଜାଙ୍କ ପ୍ରତି ଯେଉଁ ଭଲପାଇବା ରହିଥାଏ, ଯଦି ତାହାକୁ କୌଣସି ଭଲର ସମ୍ଭବ କରିବା ପାଇଁ ଅନୁପ୍ରେରିତ କରି ଅଣାନଯାଏ, ତେବେ ତାହା ଏକ ଆତ୍ମକୈନ୍ଦ୍ରିକ ଅନୁଭବରେ ପରିଣତ ହୋଇଯାଇଥାଏ । ମାଆ ପିଲାକୁ ଆନନ୍ଦ ଦିଏ ଓ ପିଲା ସେହି ଆନନ୍ଦ ଆବଶ୍ୟକ କରୁଥାଏ, - ଗୋଟିଏ ପିଲା ସେହି ସକାଶେ ହିଁ ତା’ର ମାଆକୁ ଭଲ ପାଉଥାଏ-। ମାତ୍ର, ଆମକୁ ଗୋଟିଏ ପିଲାର ହୃଦୟ ଭିତରେ ପ୍ରକୃତ ମାନବୀୟ ପ୍ରେମର ସଞ୍ଚାର କରାଇ ଆଣିବାକୁ ପଡ଼ିବ ; ଅନ୍ୟ ମଣିଷଟିଏ ପାଇଁ ସେମାନଙ୍କ ଭିତରେ ବି ଉଦବେଗ, ଉତ୍ତେଜନା ଏବଂ ଉତ୍କଣ୍ଠା ଅବଶ୍ୟ ରହିଥିବ । ଯେଉଁ ମନୁଷ୍ୟ ଅନ୍ୟମାନଙ୍କର ଜୀବନ ସହିତ ନିଜକୁ ସଂଶ୍ଳିଷ୍ଟ କରି ରଖିପାରେ, କେବଳ ତାହାରି ହୃଦୟରେ ଯଥାର୍ଥ ଭଲ ପାଇବାର ଉନ୍ମେଷ ଘଟିଥାଏ-। ଏକଥା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ପିଲାମାନଙ୍କର ଏପରି ଜଣେ ବନ୍ଧୁ କେହି ଥିବ, ଯାହା ବିଷୟରେ କି ସେମାନେ ଚିନ୍ତା କରି ପାରୁଥିବେ । ମହୁମାଛିମାନଙ୍କର ଦାୟିତ୍ୱରେ ରହିଥିବା ଆନ୍ଦ୍ରେଇ ଅଜା କ୍ରମେ ମୋ’ପିଲାମାନଙ୍କ ସକାଶେ ସେହିପରି ଜଣେ ବନ୍ଧୁ ହୋଇ ଯାଇଥିଲେ । ମୋ’ର ଦୃଢ଼ ବିଶ୍ୱାସ ହୋଇଯାଇଥିଲା ଯେ, ଗୋଟିଏ ପିଲା ଅନ୍ୟମାନଙ୍କ ବିଷୟରେ ଯେତିକି ଅଧିକ ଚିନ୍ତା କରେ, ନିଜର ସାଙ୍ଗ ଓ ପରିବାର ପ୍ରତି ମଧ୍ୟ ତା’ହୃଦୟ ସେତିକି ଅଧିକ ସଂବେଦନଶୀଳ ହୋଇଥାଏ । ପିଲାମାନଙ୍କୁ ମୁଁ ଆନ୍ଦ୍ରେଇ ଅଜାଙ୍କ କଠିନ ପରିଶ୍ରମ ବିଷୟରେ କହିଥିଲି: ତାଙ୍କର ଦୁଇ ପୁଅ ଯୁଦ୍ଧରେ ନିହତ ହୋଇଥିଲେ, ତାଙ୍କର ପତ୍ନୀ ମଧ୍ୟ ମରିଯାଇଥିଲେ । ଏହି ପୃଥିବୀରେ ସିଏ ନିଜକୁ ସତେଅବା ଏକାବେଳେକେ ଏକାକୀ ବୋଲି ଅନୁଭବ କରୁଛନ୍ତି ।

 

“ପିଲାମାନେ ତାଙ୍କ ପାଖକୁ ଆମେ ଆହୁରି ଅଧିକ ଥର ଯିବା । ପ୍ରତ୍ୟେକ ଥର କିଛିହେଲେ ବି ଖୁସୀ ଦେଇ ଆସିବା ।”

 

ଆଁଦ୍ରେଇ ଅଜାଙ୍କୁ ଦେଖା କରିବାକୁ ଗଲାବେଳେ ତାଙ୍କୁ ଖୁସୀ କରିବା ନିମନ୍ତେ କ’ଣ କରାଯାଇପାରିବ, ପ୍ରତ୍ୟେକ ପିଲା ସେହି ବିଷୟରେ ଚିନ୍ତା କରୁଥିଲେ । ସେମାନେ ତାଙ୍କୁ ଗୋଟିଏ ଡ୍ରଇଁ ଖାତା ଆଣି ଦେଲେ, ଯେଉଁଥିରେ କି ପ୍ରତ୍ୟେକ ଗୋଟିଏ ଗୋଟିଏ ଛବି ଆଙ୍କି ଦେଇଥିଲେ । ନଦୀତୀରରୁ ସେମାନେ କେତେ ପ୍ରକାରର ପଥର ସଂଗ୍ରହ କରି ତାଙ୍କୁ ଦେଇ ଆସିଲେ । ଅଜା କାଠର ଛୋଟ ବାକ୍ସଟିଏ ତିଆରି କଲେ, ପଥରଗୁଡ଼ିକୁ ସେହି ବାକ୍ସ ଭିତରେ ରଖିଲେ ଏବଂ ଆମକୁ ଦେଲେ....ପିଲାମାନେ ସେମାନଙ୍କର ବନ୍ଧୁଙ୍କ ପାଇଁ କୁଟାର ଟୋପିଟିଏ ତିଆରି କଲେ । ସେ ଆମ ପାଇଁ କାଠରୁ କୁନି ଠେକୁଆଟିଏ, ଗୋଟିଏ କୋକିଶିଆଳୀ, ଗୋଟିଏ ମେଣ୍ଢା, ଏହିପରି କେତେ ପ୍ରାଣୀ ତିଆରି କରି ଦେଇଥିଲେ ।

 

ପିଲାମାନେ ସେମାନଙ୍କର ସାଙ୍ଗକୁ ଯେତେ ଯେତେ ଆତ୍ମିକ ସହାୟତା ଆଣି ଦେଇଥିଲେ, ଏଣେ ନିଜ ଭିତରେ ସେତିକି ଅଧିକ ପରିମାଣରେ ଦୁଃପରିସ୍ଥିତି, ଦୁଃଖ ଏବଂ ଦୁଃଶ୍ଚିନ୍ତା ଦେଖିବାରେ ଲାଗିଥିଲେ । ସେମାନେ ଲକ୍ଷ୍ୟ କରିଥିଲେ ଯେ ନିନା ଓ ସାଶା ବେଳେବେଲେ ଭାରି ବିଷଣ୍ଣମୁଖ ହୋଇ ବିଦ୍ୟାଳୟକୁ ଆସୁଥିଲେ, ସେମାନଙ୍କର ଆଖିଗୁଡ଼ିକୁ ଦୁଃଖପୂର୍ଣ୍ଣ ଏବଂ ଚିନ୍ତାମଗ୍ନ ହୋଇ ରହୁଥିଲା । ସେମାନେ ଝିଅ ଦୁହିଁଙ୍କୁ ପଚାରୁଥଲେ, ତୁମମାନଙ୍କ ମାଆ କେମିତି ଅଛନ୍ତି ? ମାଆ ମୋଟେ ଭଲ ନଥିଲେ, ସେହି କାରଣରୁ ହିଁ ପିଲା ଦୁଇଟି ଦୁଃଖୀ ହୋଇ ରହୁଥିଲେ । ନିଜ ସାଙ୍ଗମାନଙ୍କର ଦୁଃଖକୁ ଲାଘବ କରିବା ନିମନ୍ତେ କିଛି କରିପାରିଲେ ପିଲାମାନଙ୍କର ହୃଦୟ ଭିତରେ କୋମଳ ଭାବନାଗୁଡ଼ିକ ଦୃଢ଼ ହୋଇଯାଉଥିଲା । ଆମେ କେତେଥର ନିନା ଆଉ ସାଶାଙ୍କ ଘରକୁ ଯାଇ ସେମାନଙ୍କ ବଗିଚାରୁ ଘାସ ବାଛି ଦେଉଥିଲୁ, ଆଳୁଖୋଳା କାମରେ ସାହାଯ୍ୟ କରୁଥିଲୁ । ସବୁଥର ଜଙ୍ଗଲକୁ ବୁଲିଗଲା ବେଳେ ନିନା ଓ ସାଶା ମଧ୍ୟ ଯିବେ କି ନାହିଁ ବୋଲି ପିଲାମାନେ ପଚାରୁଥିଲେ, କାରଣ ବାପାଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ଘରେ ରହିଯିବାକୁ ପଡ଼ୁଥିଲା । ତେଣୁ ଆମ ସାମୂହିକ ଖୁସୀର ପୂର୍ବଦିନ ଆମେ ନିନା ଓ ସାଶାଙ୍କର ଘରକୁ ଯାଇ ଏଇଟା ବା ସେଇଟାରେ ସାହାଯ୍ୟ କରି ଆସୁଥିଲୁ ।

 

ସମାଜରେ ବାସ କରିବାର ଅର୍ଥ ହେଉଛି, ଅନ୍ୟମାନଙ୍କର ସୁଖ ଏବଂ ଶାନ୍ତି ନିମନ୍ତେ ନିଜର ସୁଖକୁ ତ୍ୟାଗ କରିବା ଲାଗି ସମର୍ଥ ହେବା । ସମ୍ଭବତଃ ଆମେ ସମସ୍ତେ ଏହିସବୁ ଘଟଣାର ସମ୍ମୁଖୀନ ହୋଇଛୁ: ଦୁଃଖ ଦେଖିଛୁ, ନିରାନନ୍ଦ ଦେଖିଛୁ, ପିଲାଟିଏ ତା’ ଆଗରେ ଆଉ କାହାର ଆଖିରୁ ଲୁହ ବୋହିଯାଉ ଥିବାର ମଧ୍ୟ ନିଶ୍ଚୟ ଦେଖିଛି । ମାତ୍ର ତଥାପି ସିଏ ନିଜର ଖୁସୀଗୁଡ଼ିକୁ ଉପଭୋଗ କରିଛି ଓ ସେଥିରେ ଆଦୌ ବିଚଳିତ ହୋଇନାହିଁ । ଏପରି ମଧ୍ୟ ଘଟେ ଯେ, ଜଣେ ମାଆ ବି କୌଣସି ଦୁଃଖଦ କିମ୍ବା ନିରାନନ୍ଦପୂର୍ଣ୍ଣ କଥାଟିଏ ଦେଖିଲେ ନିଜ ପିଲାର ଦୃଷ୍ଟିକୁ ସେଥିରୁ ଅନ୍ୟ ଆଡ଼କୁ ନେଇ ଆସିବାକୁ ଚେଷ୍ଟା କରିଥାଏ, - ପିଲାର ଆନନ୍ଦପାତ୍ରଟିରୁ ଯେପରି ବୁନ୍ଦାଏ ଖୁସୀ ବି କୁଆଡ଼କୁ ଚହଲି ନପଡ଼ିବ, ସିଏ ସେଥିଲାଗି ନଜର ରଖିଥାଏ । ମାତ୍ର ସେଇଟା ହେଉଛି ନିର୍ଲଜ୍ଜ ଅହଂକାରିତାର ପାଠଶାଳା । ଆମେ କେବେହେଲେ ମନୁଷ୍ୟଜୀବନର ଦୁଃଖଦ ପାଖଟିରୁ ପିଲାଟିକୁ ବାଆଁରେଇ ଆଉ କୁଆଡ଼େ ନେଇ ଯିବା ନାହିଁ । ସିଏ ଅବଶ୍ୟ ଜାଣୁ ଯେ, ଜୀବନରେ ଯେ କେବଳ ଆନନ୍ଦ ରହିଛି, ସେକଥା ମୋଟେ ସତ ନୁହେଁ, ଜୀବନରେ ନିରାନନ୍ଦ ମଧ୍ୟ ରହିଛି । ଅନ୍ୟ ମନୁଷ୍ୟମାନଙ୍କର ଦୁଃଖକୁ ପିଲାମାନଙ୍କର ହୃଦୟ ଭିତରକୁ ପ୍ରବେଶ କରିବା ନିମନ୍ତେ ବାଟ ଛାଡ଼ି ଦିଅ ।

 

ବ୍ୟକ୍ତିତ୍ୱର ନୈତିକ ରୂପଟି କିପରି ହେବ, ତାହା ପରିଶେଷରେ, ଜଣେ ବ୍ୟକ୍ତି ତା’ର ବାଲ୍ୟକାଳରେ କେଉଁଭଳି ଉତ୍ସମାନଙ୍କରୁ ତା’ନିଜର ଆନନ୍ଦଗୁଡ଼ିକୁ ଲାଭ କରିଥିଲା, ତାହାରି ଉପରେ ହିଁ ନିର୍ଭର କରିଥାଏ । ଯଦି ସେହି ଆନନ୍ଦଗୁଡ଼ିକ ଭାବନାଶୂନ୍ୟ ଏବଂ ସ୍ୱାର୍ଥପ୍ରଣୋଦିତ ଥିଲା, ଯଦି ପିଲାଟିଏ ଦୁଃଖ, କ୍ରୋଧ ଓ କଷ୍ଟ କ’ଣ ବୋଲି ମୋଟେ ଜାଣି ନଥିଲା, ତେବେ ସିଏ ଅହଂକାରୀ ମଣିଷଟିଏ ହୋଇ ବଡ଼ ହେବ ଏବଂ ମନୁଷ୍ୟମାନଙ୍କୁ ପ୍ରତି ବଧିର ହୋଇ ରହିବ । ତେଣୁ, ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ପିଲା ସେହି ସର୍ବୋଚ୍ଚ ଆନନ୍ଦଟିକୁ-ଆଉ ଜଣେ ମନୁଷ୍ୟବ୍ୟକ୍ତିର ଦୁଃଖରେ ଯାଇ ସାହାଯ୍ୟ କରିବା ଜନିତ ସେହି ପ୍ରେରଣାମୟ ଅନୁଭବଟିର ଆନନ୍ଦଟିକୁ ଅବଶ୍ୟ ଶିକ୍ଷା କରିଥିବ ।

Image

 

ଆମ ସମୂହ–ଗୋଟିଏ ବନ୍ଧୁ ପରିବାର

 

ଆନନ୍ଦ ପାଠଶାଳା ଆରମ୍ଭ ହେବାର ସର୍ବପ୍ରଥମ ଦିନଗୁଡ଼ିକରୁ ହିଁ ମୁଁ ପିଲାଙ୍କ ଭିତରେ ଏକ କୁଟୁମ୍ବସୁଲଭ ଉଷ୍ମତା, ଆନ୍ତରିକତା ସହାନୁଭୂତି ଏବଂ ପାରସ୍ପରିକ ଆସ୍ଥା ଓ ସାହାଯ୍ୟକାରିତା ସୃଷ୍ଟି କରି ରଖିବାକୁ ଚେଷ୍ଟା କରିଥିଲି । ସେପ୍ଟେମ୍ବର ମାସରେ ତିନିଜଣ ପିଲାଙ୍କର ଜନ୍ମଦିନ ପଡ଼ିଥିଲା: ଭିତ୍ୟା, ଭାଲ୍ୟା ଏବଂ କୋଲ୍ୟାଙ୍କର । ସେଗୁଡ଼ିକୁ ଆମେ ସାମୂହିକ ଭାବରେ ପାଳନ କଲୁ । ସ୍କୁଲର ପାକଶାଳାରେ ଗୋଟିଏ କେକ୍ ତିଆରି ହେଲା ଏବଂ ଜନ୍ମଦିନ ଥିବା ପିଲାମାନଙ୍କୁ ଆମେ ଛବି ଓ ବହିସବୁ ଉପହାର ଦେଇଥିଲୁ । ଏକଥା ଶୁଣି ମୋତେ ଭାରି ଆଶ୍ଚର୍ଯ୍ୟ ଲାଗିଲା ଯେ, କୋଲ୍ୟାଙ୍କ ଘରେ ବାପାମାଆଙ୍କର କିମ୍ବା ପିଲାଙ୍କର କାହାରି ଜନ୍ମଦିନ ପାଳନ କରାଯାଉ ନଥିଲା । ଆମେ ଯେ ତା’ ଜନ୍ମଦିନକୁ ପାଳନ କଲୁ, ସେଇଟିକୁ ହିଁ ସେହି କୁନି ବାଳକଟିର ଜୀବନର ପ୍ରଥମ ଉତ୍ସବ ବୋଲି କୁହାଯିବ । ନିଜ ସାଥୀମାନେ ସେଦିନ ତା’ର କେତେ ଖାତିର କଲେ, ସେକଥା ଦେଖି ସିଏ ପ୍ରକୃତରେ ଉତ୍ତେଜିତ ହୋଇ ପଡ଼ିଥିଲା ।

 

ଶୈଶବ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଗୋଟିଏ କିଛିର ଅଂଶ ବୋଲି ଅନୁଭବ କରିବାକୁ ଏକ ସହୃଦୟତା ଆବଶ୍ୟକ କରିଥାଏ । ଯଦି କୌଣସି ପିଲାକୁ ଏକାନ୍ତ ହୃଦୟହୀନ ସ୍ଥିତିଗୁଡ଼ିକ ଭିତରେ ବଢ଼ିବାକୁ ପଡ଼େ, ତେବେ ସିଏ କ୍ରମେ ସୌନ୍ଦର୍ଯ୍ୟ ଏବଂ ସହୃଦୟତା ପ୍ରତି ଉଦାସୀନ ହୋଇଯାଏ । ବିଦ୍ୟାଳୟ କଦାପି ପରିବାରର ଭୂମିକାକୁ ଗ୍ରହଣ କରିପାରିବ ନାହିଁ, ବିଶେଷତଃ କୌଣସି ପିଲା ପାଇଁ ମାଆଟିଏ ହୋଇ ପାରିବ ନାହିଁ; ମାତ୍ର ଯଦି ପିଲା ସ୍ନେହ, ଉଷ୍ମତା ଓ ଗୃହର ଯତ୍ନରୁ ବଞ୍ଚିତ ହୋଇ ରହୁଥାଏ, ତେବେ ତାକୁ ଶିକ୍ଷା ଦେଉଥିବା ଆମମାନଙ୍କୁ ତା’ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ହିଁ ପଡ଼ିବ ।

 

ଆମର ଏହି କ୍ଷୁଦ୍ର ସମୂହଟି କ୍ରମେ ନିଜର ବାସ୍ତବ ସମ୍ପତ୍ତି, ଗୁପ୍ତ ସମ୍ପଦ, ସହଭାବନା ଏବଂ ସମଦୁଃଖିତାଗୁଡ଼ିକର ଅଧିକାରୀ ହେବାକୁ ଆରମ୍ଭ କଲା । ଗୋଟିଏ ବଖରାରେ ଆମେ ଖେଳନା, ପେନସିଲ୍‍ ଓ ଖାତାଗୁଡ଼ିକୁ ସାଇତି ରଖିଲୁ । “ସ୍ୱପ୍ନମାନଙ୍କର କୋଣରେ “ଖାଦ୍ୟଭଣ୍ଡାର”ଟିଏ ରଖାଗଲା । ସେଠାରେ ଆମେ ଆଳୁ, ରଗଡ଼ା ଶସ୍ୟଦାନା, ଖାଇବା ତେଳ ଓ ପିଆଜ ଏକାଠି କରି ରଖିଲୁ । ଏସବୁ ଶରତକାଳର ସନ୍ଧ୍ୟାରେ ବର୍ଷା ପାଗରେ କାମରେ ଆସିବ । ଆମ ପରିବାରରେ ସମସ୍ତେ ହେଉଛନ୍ତି ସାନ ସାନ ପିଲା, ମାତ୍ର ସେମାନଙ୍କ ଭିତରୁ କେତେଜଣେ ବିଶେଷ ଭାବରେ ସାନ ଥିଲେ । ସେମାନେ ହେଲେ-ଡାଙ୍କୋ, ଟିନା ଓ ଭାଲ୍ୟା । ବୁଲିଯିବା ବେଳେ ଓ ଜଙ୍ଗଲ ଭିତରେ ଏହି ଅତି ସାନମାନଙ୍କର ସହାୟତା କରିବାକୁ ପ୍ରତ୍ୟେକେ ଏକ ବ୍ୟକ୍ତିଗତ କର୍ତ୍ତବ୍ୟ ବୋଲି ମନେ କରୁଥିଲେ ।

 

ଯଦି କୌଣସି ଅଜ୍ଞାତ କାରଣରୁ କେତେକ ପିଲା ସ୍କୁଲକୁ ଆସୁନଥିଲେ, ତେବେ ସେମାନେ ଆଉ ଅସୁସ୍ଥ ହୋଇ ପଡ଼ିଲେ କି ବୋଲି ଆଶଙ୍କା କରି ସେମାନଙ୍କ ସାଥୀମାନେ ସେଦିନ ସଂଜବେଳେ ସେମାନଙ୍କ ଘରକୁ ଯାଇ ଦେଖି ଆସୁଥିଲେ । ଏହା କ୍ରମେ ଏକ ଉତ୍ତମ ପରମ୍ପରାରେ ପରିଣତ ହୋଇ ଯାଇଥିଲା । ପରସ୍ପର ପ୍ରତି ଶ୍ରଦ୍ଧା ଅନୁଭବ କରିବା ହେଉଛି ଯାବତୀୟ ଅନ୍ତର୍ଗତ ଆବଶ୍ୟକତାର ମୂଳଦୁଆ ସ୍ୱରୂପ ଏବଂ ସେଇଟି ବ୍ୟତୀତ ମଣିଷ ଭିତରେ କୌଣସି ସହୃଦୟତାର ସମ୍ବନ୍ଧ ରହିଛି, ଅର୍ଥାତ୍ ଅନ୍ୟ ମନୁଷ୍ୟମାନଙ୍କର ପ୍ରୟୋଜନ ସମୟରେ ଆମେ କୌଣସି ସାହାଯ୍ୟ କରୁଛୁ ବୋଲି କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ପିଲାମାନଙ୍କ ମଧ୍ୟରେ ରହିଥିବା ସଂପର୍କଗୁଡ଼ିକରେ ଯେପରି ସେମାନେ ନିଜ ଆନନ୍ଦର ଉତ୍ସଟିକୁ ଅନୁଭବ କରିବେ, ଆପଣାର ଯାବତୀୟ ଅନୁଭବ ଓ ଅଭିଜ୍ଞତାର ପୂର୍ଣ୍ଣତାର ଆସ୍ୱାଦନ କରିପାରିବେ, ମୁଁ ସେଥିଲାଗି ସବୁପ୍ରକାରର ଉଦ୍ୟମ କରିଥିଲି, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ ଜୀବନମୂଲ୍ୟ ଗୁଡ଼ିକର ଆଦାନପ୍ରଦାନ ହୋଇ ପାରୁଥିଲା । ପ୍ରତ୍ୟେକ ପିଲା ନିଜସ୍ୱ ବୋଲି କହି ହେବା ଭଳି କିଛିକୁ ସାଙ୍ଗରେ ନେଇ ସମୂହ ଭିତରକୁ ଆସୁଥିଲା ଏବଂ ଅନ୍ୟ ମନୁଷ୍ୟମାନଙ୍କ ସକାଶେ ଆନନ୍ଦ ଓ ଖୁସୀ ସୃଷ୍ଟି କରୁଥିଲା ।

 

ପିଲାମାନଙ୍କର ଏହି ସମୂହଟିକୁ ବିକଶିତ କରି ଆଣିବାରେ ମୋ’ର ଏହି କାର୍ଯ୍ୟରେ ମୁଁ ଅନେକ ପ୍ରତିକୂଳତାର ସମ୍ମୁଖୀନ ହୋଇଥିଲି ଏବଂ ସେଗୁଡ଼ିକର ଅତିକ୍ରମ କରିବା ନିମନ୍ତେ ମୁଁ ଅଭିଜ୍ଞ ଶିକ୍ଷାବିତ୍ ତଥା ପିଲାର ଆତ୍ମାକୁ ଏବଂ ସମୂହର ଅନ୍ତର୍ନାଡ଼ିଟିକୁ ନିର୍ଭୁଲ ଭାବରେ ବୁଝି ପାରୁଥିବା ପ୍ରାଥମିକ ସ୍କୁଲର ଶିକ୍ଷକମାନଙ୍କ ସହିତ କଥା ହୋଇଥିଲି ଓ ସେମାନଙ୍କର ପରାମର୍ଶ ଲୋଡ଼ିଥିଲି । ପିଲାମାନଙ୍କର କୋଳାହଳ ବନ୍ଦ ହୋଇଯିବା ପରେ ଆମେ ସ୍କୁଲଘରେ ଅଥବା ସ୍କୁଲର ଚାଷଘରେ ବହୁଥର ସନ୍ଧ୍ୟା ସମୟରେ ଏକାଠି ବସୁଥିଲୁ ଏବଂ ପିଲାମାନଙ୍କର ସମୂହରେ ସେମାନେ ବଞ୍ଚୁଥିବା ଜୀବନଟିର ବହୁମୁଖୀ ଦିଗଗୁଡ଼ିକ ବିଷୟରେ ପରସ୍ପରର ବିଚାରଗୁଡ଼ିକୁ ମନ ଦେଇ ଶୁଣୁଥିଲୁ । ଆମେ ସମସ୍ତେ ଖୁବ୍ ଭଲ କରି ଜାଣିଥିଲୁ ଯେ, ପିଲା ତା’ର ପରିବାରରେ ହିଁ ତା’ର ଜ୍ଞାନ ଆହରଣର ପ୍ରକ୍ରିୟାଟିକୁ ଆରମ୍ଭ କରିଥାଏ । ମାଆ ଗୀତଟିଏ ବୋଲି ପିଲାକୁ ଶୁଣାଉଥିବା ସମୟରେ ଯେତେବେଳେ ପିଲା ମାଆ ଆଡ଼କୁ ଅନାଇ ପ୍ରଥମ ଥର ପାଇଁ ହସିଦିଏ, ଠିକ୍ ସେହି ମୁହୂର୍ତ୍ତରେ ହିଁ ତାହା ଆରମ୍ଭ ହୋଇଥାଏ । ତେଣୁ ଏଇଟି କେଡ଼େ ମହତ୍ତ୍ୱପୂର୍ଣ୍ଣ କଥା ଯେ, ପୃଥିବୀରେ ଯାହା କିଛି ଭଲ, ସହୃଦୟତାପୂର୍ଣ୍ଣ ଏବଂ ସର୍ବୋତ୍ତମ,- ଅର୍ଥାତ୍ ଜଣେ ବ୍ୟକ୍ତି ଲାଗି ଆଉ ଜଣେ ବ୍ୟକ୍ତିର ଭଲ ପାଇବା, - ଏଇଟିକୁ କେବଳ ବ୍ୟକ୍ତିଗତ ଅନୁଭବ ଦ୍ୱାରା ଜାଗୃତ କରି ଅଣାଯିବ ଏବଂ ଗୋଟିଏ ପିଲା ପାଇଁ ଯାହା କିଛି ସବୁଠାରୁ ଅଧିକ ପ୍ରିୟ, ପିଲାର ମାଆ ଏବଂ ବାପାଙ୍କୁ ତାହା ହିଁ ଦେବାକୁ ପଡ଼ିବ । ମାତ୍ର, ଯଦି ପରିବାରରେ ଯଥେଷ୍ଟ ପରିମାଣରେ ପ୍ରକୃତ ମନୁଷ୍ୟସୁଲଭ ସହୃଦୟତା ନଥାଏ ବା ଯଦି ତାହାର ସମ୍ପୂର୍ଣ୍ଣ ଅଭାବ ରହିଥାଏ, ତେବେ ବିଦ୍ୟାଳୟର ଏହି ସମୂହ କେତେ ପରିମାଣରେ ତାହାକୁ ପ୍ରଦାନ କରିପାରିବ ? ଗୋଟିଏ ଶିଶୁର ଗ୍ରହଣଶୀଳ, ସଂବେଦନସଚେତନ ହୃଦୟ ଆଗରେ ମନୁଷ୍ୟଆତ୍ମାର ସଦୟତା ଏବଂ ସୌନ୍ଦର୍ଯ୍ୟ ଆଡ଼କୁ ପଡ଼ିଥିବା ମାର୍ଗଟିକୁ କିପରି ଉନ୍ମୋଚିତ କରି ଦିଆଯାଇ ପାରିବ ?

 

ଏହିସବୁ ସାନ୍ଧ୍ୟ କଥୋପକଥନଗୁଡ଼ିକ ସମୟରେ ଆମେ କ୍ରମେ, ମୋ’ମତରେ, ଏପରି ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାବିଚାର ପାଖରେ ଆସି ପହଞ୍ଚିଲୁ, ଯାହାକି ଆମ ବିଦ୍ୟାଳୟର ସମୂହଟିର ମୂଳପ୍ରତ୍ୟ ରୂପେ ଗୃହୀତ ହୋଇଥିଲା: ଏହି ସମୂହଟି ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିକୁ କ୍ରମଶଃ ଉଦାତ୍ତ କରି ଆଣୁଥିବ ଓ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ବ୍ୟକ୍ତିଗତ ସମ୍ପୂର୍ଣ୍ଣତା ତଥା ଆତ୍ମସମ୍ମାନବୋଧକୁ ଶକ୍ତିମତ କରି ପାରୁଥିବ, କେବଳ ସେତିକିବେଳେ ଯାଇ ତାହାର ଏକ ଶିକ୍ଷାଗତ ସାମର୍ଥ୍ୟ ହିସାବରେ ପ୍ରକୃତରେ ଏକ ଶକ୍ତି ରହିଛି ବୋଲି କୁହାଯିବ । କାରଣ ମାଆ ଓ ବାପାମାନଙ୍କର ଏହି ଶିକ୍ଷାଗତ ସାମର୍ଥ୍ୟ ହିସାବରେ ପ୍ରକୃତରେ ଏକ ଶକ୍ତି ରହିଛି ବୋଲି କୁହାଯିବ । କାରଣ ମାଆ ଓ ବାପାଙ୍କର ଯଥାର୍ଥ ଭଲ ପାଇବା ହିଁ ଆତ୍ମସମ୍ମାନର ସେହି ବୋଧଟିକୁ ଏବଂ ଉତ୍ତମ ମନୁଷ୍ୟ ହେବାର ବାସନାଟିକୁ ଆଣି ଦେଇଥାଏ । ଏହି ଅଭିଜ୍ଞ ଶିକ୍ଷାବିତ୍‌ମାନଙ୍କର ପରାମର୍ଶ ଭିତରେ ମୁଁ ସବୁଠାରୁ ଅଧିକ ମୂଲ୍ୟବାନ୍ ଯେଉଁ ସର୍ଜନାତ୍ମକ ବିଚାରଟିକୁ ପାଇଲି, ତାହା ହେଉଛି: ଆମେ ଗୋଟିଏ ପିଲାକୁ ତା’ନିଜ ବିଷୟରେ ଓ ତା’ର ଯାବତୀୟ କାର୍ଯ୍ୟ ବିଷୟରେ ଗୌରବ ଅନୁଭବ କରି ଶିଖାଇବା, - ସିଏ ଯେପରି ନିଜ ସମ୍ମାନ ଓ ପ୍ରତିଷ୍ଠାର ରକ୍ଷା ନିଜେ କରିପାରିବ, ଆମେ ସେଥିଲାଗି ତାକୁ ସମର୍ଥ କରାଇ ପାରୁଥିବା ।

 

ଆମ ବିଦ୍ୟାଳୟର ସର୍ବୋତ୍ତମ ଶିକ୍ଷକମାନଙ୍କ ଠାରୁ ଅତ୍ୟନ୍ତ ସାବଧାନତା ସହିତ ଶିକ୍ଷାବିବେକର ରତ୍ନକୁ ସଂଗ୍ରହ କରୁଥିବା ସମୟରେ ମୁଁ ଏକଥା ଦେଖିବାକୁ ଚେଷ୍ଟା କରିଥିଲି ଯେ, ପିଲାମାନଙ୍କର ସମୂହ ଭିତରେ ଯେଉଁ ହାର୍ଦ୍ଦିକ ଏବଂ ନିଷ୍କପଟ ସମ୍ବନ୍ଧମାନ ରହିବ, ତାହାହିଁ ସେମାନଙ୍କ ମଧ୍ୟରେ ଭଲ ହେବାର ବାସନାକୁ ଜାଗ୍ରତ କରାଇ ଆଣିବ । ତେଣୁ, ସେହି ହାର୍ଦ୍ଦିକ ନିଷ୍କପଟ ସମ୍ବନ୍ଧଗୁଡ଼ିକର ସ୍ଥାପନ କରିବା ହିଁ ସମୂହକୁ ନେଇ ମୋ’ର ସକଳ କାର୍ଯ୍ୟରେ ମୋ’ ଉଦ୍ୟମର ନିରନ୍ତର ଲକ୍ଷ୍ୟ ହୋଇ ରହିଥିଲା । ଏକ ସାଧାରଣ ଲକ୍ଷ୍ୟ ଏବଂ ସମ୍ମିଳିତ ଶ୍ରମର କାର୍ଯ୍ୟଶ୍ରମକୁ ନେଇ ସମାନ ଭାବରେ ଚିନ୍ତା କରୁଥିବା ଗୋଟିଏ ସମବାୟ ସମିତି ପରି ମୁଁ ଏହି ସମୂହର ବହୁମୁଖୀ ଜୀବନଟିକୁ ଆଦୌ ଦେଖି ପାରିଲି ନାହିଁ; ଏହାକୁ ମୁଁ ଏପରି ଗୋଟିଏ ଅବସର ରୂପେ ଦେଖିଲି, ଯେଉଁଠି ପ୍ରତ୍ୟେକେ ଅପର ପ୍ରତି ସଂବେଦନଶୀଳ ହୋଇ ରହିଥିବେ, ଏବଂ ସେଠାରେ ଆଉଜଣେ ବ୍ୟକ୍ତିର ମନ, ଆତ୍ମା, ସୁଖ ତଥା ଦୁଃଖଗୁଡ଼ିକୁ ଜାଣିବା ନିମନ୍ତେ ଏକ ଆତ୍ମିକ ସାମର୍ଥ୍ୟ ମଧ୍ୟ ରହିଥିବ । କାରଣ, ସମୂହ ଭିତରେ ରହିଥିବା ଏହି ସମ୍ବନ୍ଧଗତ ସହୃଦୟତା ଏବଂ ନିଷ୍କପଟତାରେ ହିଁ ଉତ୍ତମ ମନୁଷ୍ୟଟିଏ ହେବାର ସେହି ଉଦାର ଅଭିଳାଷଟି ନିହିତ ହୋଇ ରହିଥାଏ; ଅନ୍ୟ ପାଖରେ ନିଜକୁ ଦେଖାଇହେବା ନୁହେଁ, ଅନ୍ୟମାନଙ୍କ ଠାରୁ ପ୍ରଶଂସା ପାଇବା ନୁହେଁ, ମାତ୍ର ନିଜର ମର୍ଯ୍ୟାଦାଟିକୁ ଅନୁଭବ କରିପାରିବାର ସେହି ସ୍ୱଭାବଗତ ଆବଶ୍ୟକତାଟି ନିହିତ ହୋଇ ରହିଥାଏ ।

 

ଶିଶୁ କିଶୋର ଅଥବା ଯୁବକ କିମ୍ବା ଯୁବତୀଟି ମଧ୍ୟରେ ସେହି ମନୁଷ୍ୟତା ଗୁଣଟିକୁ ଉତ୍ତୋଳିତ କରି ଆଣିବା ହିଁ ପରବର୍ତ୍ତୀ ବର୍ଷଗୁଡ଼ିକରେ ମୂଳତଃ ମୋ’ର ଶିକ୍ଷାଗତ ସକଳ କାର୍ଯ୍ୟରେ ସର୍ବପ୍ରଧାନ ଉଦ୍ୟମ ହୋଇ ରହିଥିଲା । ଗୋଟିଏ ସମୂହ ଭିତରେ ସମ୍ବନ୍ଧଗୁଡ଼ିକ ତାହାରି ଉପରେ ହିଁ ଆଧାରିତ ହୋଇ ରହିଥାଏ । ବ୍ୟକ୍ତିକୁ ଉତ୍ତୋଳିତ କରି ଆଣିବାର ଏହି କାର୍ଯ୍ୟଟି ସମ୍ମୁଖରେ ମୁଁ ସମାଜର ଏକ ଅଂଶ ହିସାବରେ ପିଲାମାନଙ୍କର ଏହି ସମୂହସ୍ଥ ଜୀବନକୁ ଗୌଣ କରି ରଖିଥିଲି । ପିଲାମାନଙ୍କର ସର୍ଜନାତ୍ମକତାର ବିକାଶ କରାଇ ଆଣିବା ଓ ସେମାନଙ୍କର ରୁଚି ତଥା ପ୍ରତିଭାଗୁଡ଼ିକର ବିକାଶ ସାଧନ କରାଇବାର କାର୍ଯ୍ୟଗୁଡ଼ିକୁ ମଧ୍ୟ ସେଇଥିପାଇଁ ଉଦ୍ଦିଷ୍ଟ କରି ରଖିଥିଲି ।

Image

 

ଆମେ ସ୍ୱାସ୍ଥ୍ୟର ଉଦ୍ୟାନରେ ବାସ କଲୁ

 

ମୋ’ ପିଲାମାନେ ସ୍କୁଲ ଆରମ୍ଭ କରିବାର ଆଉ ମାସେ ବାକିଥାଏ । ସେହି ଚମତ୍କାର ଗ୍ରୀଷ୍ମମାସ ଅଗଷ୍ଟ ନିକଟବର୍ତ୍ତୀ ହୋଇ ଆସୁଥାଏ । ଜୁଲାଇ ମାସର ଗରମ ଦିନଗୁଡ଼ିକରେ ପିଲାମାନେ ହୁଏତ ବଡ଼ି ସକାଳୁ ନଚେତ୍ ଉପରବେଳା ଥଣ୍ଡା ପଡ଼ି ଆସିଲା ବେଳକୁ ସ୍କୁଲକୁ ଆସୁଥିଲେ । କେତେଜଣଙ୍କର ଘର ବହୁତ ଦୂର ଥିବାରୁ ସେମାନେ ଆଉ ମଧ୍ୟାହ୍ନ ଭୋଜନ ପାଇଁ ନିଜ ଘରକୁ ଯାଇ ପାରୁନଥିଲେ, ତେଣୁ ବେଳେବେଳେ ଛଅ ସାତଜଣ ପିଲା ବିଦ୍ୟାଳୟର ଭୋଜନଶାଳାରେ ହିଁ ଖାଉଥିଲେ । ମୁଁ ହଠାତ୍ ଭାବିଲି, ସ୍କୁଲ ଆରମ୍ଭ ହେବା ପୂର୍ବରୁ ଏହି ଗୋଟିଏ ମାସ ପିଲାମାନେ ଘରେ ରହିବା ଅପେକ୍ଷା ବିଦ୍ୟାଳୟର ବଗିଚାରେ ଥିବା ପୋଖରୀ କୂଳରେ କୌଣସି ସ୍ଥାନରେ ରହିଲେ ଭଲ ହୁଅନ୍ତା । ପୋଖରୀ ପାଖକୁ ଆମେ ଜାଗାଟିଏ ବାଛିଲୁ । ଗଛ ଗହଳରେ କେତୋଟି କୁଡ଼ିଆ ତିଆରି କରିବାରେ ତରୁଣ ଅଗ୍ରଗାମୀମାନେ ଆସି ସାହାଯ୍ୟ କରିଥିଲେ । କୋଠ ଚାଷଘରର ତରଭୁଜ କିଆରୀକୁ ଜଗୁଥିବା ଲୋକମାନେ ପୂରା ଖରାଦିନଟି ଏହିଭଳି କୁଡ଼ିଆମାନଙ୍କରେ ରହୁଥିଲେ । କୁଡ଼ିଆ ଭିତରେ ଆମେ ତଳେ ପାଳ ବିଛାଇ ଦେଲୁ ଓ ଛବି ଆଙ୍କିବା ପାଇଁ ସାନ ସାନ ଟେବୁଲ୍ ତିଆରି କରିଦେଲୁ । କୋଠ ଚାଷର ବଡ଼ ଉଦ୍ୟାନଟି ଆମ କୁଡ଼ିଆଗୁଡ଼ିକୁ ଲାଗି ଅବସ୍ଥିତ ରହିଥିଲା । ବଗିଚାର ତତ୍ତ୍ୱାବଧାରକ ବଗିଚାଟିକୁ ହିଁ ଆମର ପ୍ରଧାନ ବିଶ୍ରାମସ୍ଥାନ ରୂପେ ବ୍ୟବହାର କରିବା ଲାଗି ଆମକୁ ଅନୁମତି ଦେଇଥିଲେ । କୁଡ଼ିଆଘରକୁ ଲାଗି ରନ୍ଧାଘରଟିଏ ତିଆରି ହେଲା । କୋଠଚାଷ ତରଫରୁ ଖାଦ୍ୟ ସରଞ୍ଜାମ ମିଳିଲା, ଆମ ପାଇଁ ଜଣେ ରାନ୍ଧୁଣିଆ ରଖାଗଲା । ସାଡ଼୍ୟାର ବାପା ଆସି ଗାଧୁଆଘରଟିଏ ତିଆରି କରିଦେଲେ ଏବଂ, ତା’ପାଖରେ ରଖା ହୋଇଥିବା ମୋଟର ଲାଗିଥିବା ନୌକାଟି ଉପରେ ଯେମିତି ବାଳକମାନଙ୍କର ଆଖି ପଡ଼ିଗଲା, ସେମାନଙ୍କର ଆଖି ପ୍ରବଳ ଉତ୍ସାହରେ ଉଜ୍ଜ୍ୱଳ ହୋଇ ଉଠିଥିଲା ।

 

ଏହିପରି ଭାବରେ ସ୍ୱାସ୍ଥ୍ୟଉଦ୍ୟାନରେ ଆମ ସାମୂହିକ ଜୀବନ ଆରମ୍ଭ ହୋଇଥିଲା । ପିଲାମାନଙ୍କର ବାପାମାଆମାନେ ଆମର ନିବାସ ଓ ବିଶ୍ରାମର ଅଞ୍ଚଳଟିର ଏହିପରି ନାମକରଣ କରିଥିଲେ । ପୂରା ମାସଟାଯାକ ଆମେ ମୁକ୍ତ ବାୟୁ ଭିତରେ ରହିଲୁ । ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରୁଥିଲୁ । ପୋଖରୀରେ ଗାଧୁଆ ସାରୁଥିଲୁ ଓ ସକାଳର ବ୍ୟାୟାମ କରୁଥିଲୁ । ପ୍ରାତଃଭୋଜନ ଶେଷକରି ଜଙ୍ଗଲ ଭିତରକୁ ବୁଲି ଯାଉଥିଲୁ, କିମ୍ବା ବଗିଚା ଅଥବା କ୍ଷେତ ଆଡ଼େ ଯାଉଥିଲୁ । ଏହି ମାସଟିରେ ଆମର ଭାଷାର ଉତ୍ସଗୁଡ଼ିକୁ ଆମର ସବୁଠାରୁ ଅଧିକ ଆଗ୍ରହୋଦ୍ଦୀପକ “ଅଭିଯାନ”ମାନ ଅନୁଷ୍ଠିତ ହୋଇଥିଲା । ତୃଣଭୂମିରେ ଥିବା ଗୋଟିଏ ପାହାଡ଼ ଉପରୁ ସୂର୍ଯ୍ୟୋଦୟର ଅବଲୋକନ କରୁଥିଲୁ । ଶହଶହ ଚାତକ ଚଢ଼େଇ କିପରି ଦଳ ଦଳ ହୋଇ ଅଧିକ ଉଷ୍ମ ଅଞ୍ଚଳଗୁଡ଼ିକୁ ଉଡ଼ିଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ଆମେ ସେକଥା ମଧ୍ୟ ଦେଖିଲୁ । ସୂର୍ଯ୍ୟ ଏବଂ ପବନମାନେ କିପରି ନଦୀକୁ ଆଚ୍ଛାଦିତ କରି ରଖିବାକୁ କୁହୁଡ଼ିର ଆସ୍ତରଣଟିକୁ କାଢ଼ି ନେଇ ଯାଉଥିଲେ, ଆମେ ସେଇଟିକୁ ଦେଖୁଥିଲୁ । କ୍ଷେତରେ, ପଡ଼ିଆରେ ଏବଂ ଜଙ୍ଗଲରେ ପିଲାମାନେ ଦ୍ୱିତୀୟ ଥର ପାଇଁ ପ୍ରାତଃଭୋଜନ କରୁଥିଲେ: ସେମାନେ ଆପଲ୍‍, ନାସ୍ପାତି ଓ ପ୍ଲମ୍ ଖାଉଥିଲେ, ତାଜା କାକୁଡ଼ି, ତରଭୁଜ କିମ୍ବା ଟମାଟୋ ଦେଇ ସଦ୍ୟ ଖୋଳା ଯାଇଥିବା ଆଳୁର ସିଝା ବି ଖାଉଥିଲେ । ଅଗଷ୍ଟ ମାସ ହେଉଛି ଫଳ ଓ ପରିବାମାନଙ୍କର ମାସ; ଏହି ଦିନଗୁଡ଼ିକରେ ପ୍ରତ୍ୟେକ ପିଲା ପ୍ରାୟ ଦୁଇ କିଲୋଗ୍ରାମ୍ ପର୍ଯ୍ୟନ୍ତ ଆପଲ୍‌ ଓ ନାସ୍ପାତି ଖାଇ ଶେଷ କରି ଦେଉଥିଲା-। ଆଁଦ୍ରେ ଅଜା ମହୁ ଆଣି ଦେଉଥିଲେ । ସକାଳେ ଓ ସଂଜରେ ପ୍ରତ୍ୟହ ପିଲାମାନେ ତଟକା ଗୋରସ ପିଉଥିଲେ । ତଟକା ପରିବା ଦେଇ ରାନ୍ଧୁଣିଆ ମଧ୍ୟ ଆମ ପାଇଁ ସୁସ୍ୱାଦୁ ସାମଗ୍ରୀମାନ ତିଆରି କରି ଦେଉଥିଲା ।

 

ଅଧା ପ୍ୟାଣ୍ଟ୍ ଆଉ ଗେଞ୍ଜି ପିନ୍ଧି ପିଲାମାନେ ଖାଲି ଗୋଡ଼ରେ ଚାରିଆଡ଼େ ଦଉଡ଼ିବାରେ ଲାଗିଥିଲେ । ଖରା ତାପରେ ସେମାନଙ୍କର ଚମଡ଼ା ସିଝି ମାଟିଆ ରଙ୍ଗ ହୋଇ ଯାଇଥିଲା । ହଁ, ମୋଟରଚାଳିତ ନୌକାରେ ମଧ୍ୟ ସେମାନେ ପ୍ରତ୍ୟହ କୌଣସି ନା କୌଣସି ଆଡ଼େ ଯାଉଥିଲେ ।

 

ପୁଷ୍ଟିକର ଭୋଜନ, ସୂର୍ଯ୍ୟାଲୋକ, ମୁକ୍ତ ବାୟୁ ଏବଂ ତାଜା ପାଣି, ତା’ ସାଙ୍ଗକୁ ସେମାନଙ୍କ ବୟସକୁ ଚାହିଁ କିଛି କାମ, ଖେଳ, - ଏହିଗୁଡ଼ିକ ଏକାଠି ମିଶି ଉତ୍ତମ ସ୍ୱାସ୍ଥ୍ୟର ଅପରିହାର୍ଯ୍ୟ ଉତ୍ସ ରୂପେ ସର୍ବଦା କାର୍ଯ୍ୟ କରିଥାନ୍ତି ।

Image

 

Unknown

ପ୍ରଥମ ବର୍ଷର ପାଠ ଆରମ୍ଭ ହେବା ପୂର୍ବରୁ ଭାବନା

 

ଆମ ଆନନ୍ଦ-ପାଠଶାଳାର ଜୀବନ ସମାପ୍ତ ହୋଇ ଆସୁଥିଲା । ଆଉ ଅଳ୍ପଦିନ ପରେ ମୋ’ର ପିଲାମାନେ ସ୍କୁଲରେ ପ୍ରବେଶ କରିବେ ଏବଂ ସେକଥା ଭାବି ମନ ଆନ୍ଦୋଳିତ ହେଲା, ଚିନ୍ତିତ ମଧ୍ୟ ହେଉଥିଲା । ଆନନ୍ଦିତ ହେଉଥିଲା, କାରଣ ଏହି ପିଲାମାନଙ୍କ ସହିତ ଆଉ ବେଶ୍ କେତେ ବର୍ଷ ପାଇଁ ମୁଁ ଏକାଠି ଜୀବନର, କର୍ମର ଓ ଜ୍ଞାନଲାଭର ବାଟଟିକୁ ଚାଲିବି, କାରଣ ବିଗତ ବର୍ଷଟି ମଧ୍ୟରେ ମୋ’ର ଏହି ଛୁଆମାନେ ଅଧିକ ବଳୁଆ ହୋଇ ପାରିଥିଲେ, ସାନ ସାନ କୋଳି ପରି ଟାଣ ଓ ମାଟିଆ ଦେଖାଯାଉଥିଲେ ।

 

ଆନନ୍ଦ ପାଠଶାଳାରୁ ଦିନଗୁଡ଼ିକ ସରି ଆସୁଥିବା ସଙ୍ଗେ ସଙ୍ଗେ, ଭୋଲୋଡ଼୍ୟା, କାଟ୍ୟା, ସାନ୍ୟା, ଟୋଲ୍ୟା, ଭାରା, କୋଷ୍ଟ୍ୟା ବର୍ଷକ ପୂର୍ବେ ଯାହାଥିଲେ ଓ ବର୍ତ୍ତମାନ ଯେପରି ଅଛନ୍ତି, ମୁଁ ମନେ ମନେ ତାର ଏକ ତୁଳନା କରି ଦେଖୁଥିଲି । ସେତେବେଳେ ସେମାନେ କେଡ଼େ ବିବର୍ଣ୍ଣ ଦିଶୁଥିଲେ, ବେମାରିଆ ମନେ ହେଉଥିଲେ ଓ ସେମାନଙ୍କର ଆଖି ତଳେ କଳା ମୁଦି ପରି ଚିହ୍ନମାନ ରହିଥିଲା । ମାତ୍ର, ବର୍ତ୍ତମାନ ସେମାନେ କେଡ଼େ ବଳୁଆ ଦେଖାଯାଉଛନ୍ତି, ଖରାରେ ପାଚି ପାଚି ସେମାନଙ୍କର ଦେହର ରଙ୍ଗ ତମ୍ବା ପରି ହୋଇଯାଇଛି; ସେମାନଙ୍କ ଦେହରେ ଉତ୍ତମ ସ୍ୱାସ୍ଥ୍ୟ ଫୁଟି ଉଠିଛି ବୋଲି ତୁମେ ଅବଶ୍ୟ କହିପାରିବ । ମୁଁ ଏଥିପାଇଁ ମଧ୍ୟ ଖୁସୀ ହେଉଥିଲି ଯେ, ଚକ୍ ଆଉ ବ୍ଲାକ୍‌ବୋର୍ଡ଼ ନଥାଇ, ଅନୁରେଖଣର କାଗଜ ଓ କଟା ହୋଇ ପ୍ରସ୍ତୁତ ହୋଇଥିବା ଅକ୍ଷରମାନ ନଥାଇ ପିଲାମାନେ ଜ୍ଞାନର ପ୍ରଥମ ପାବଚ୍ଛଟିକୁ ଆରୋହଣ କରିପାରିଥିଲେ । ସେମାନେ ପଢ଼ିଲେଖି ଶିଖି ଯାଇଥିଲେ । ବର୍ତ୍ତମାନ ସେମାନଙ୍କ ପାଇଁ ଚାରିକୋଣିଆ ବ୍ଲାକ୍‌ବୋର୍ଡର ସୀମାଟା ଭିତରେ ପ୍ରଥମ ପାହାଚଟିକୁ ଆରମ୍ଭ କରିଥିବା ପିଲାମାନଙ୍କର ତୁଳନାରେ ସବୁକିଛି ଅନେକ ଅଧିକ ସହଜ ହୋଇଯିବ ।

 

ଶିକ୍ଷାଶାସ୍ତ୍ର ଲାଗି ମୋ’ର ଗଭୀର ସମ୍ମାନ ରହିଛି ଏବଂ ତରବରରେ କରାଯାଉଥିବା ମୂର୍ଖ ଯୋଜନାଗୁଡ଼ିକୁ ମୁଁ ପ୍ରକୃତରେ ଘୃଣା କରିଥାଏ । ମାତ୍ର, ଜୀବନ ହିଁ ଏପରି ଦାବି କରିଥାଏ ଯେ, ଆମକୁ ଅଳ୍ପ ଅଳ୍ପ କରି ଜ୍ଞାନକୁ ଆୟତ୍ତ କରିବାକୁ ହେବ ଏବଂ ଅଧ୍ୟୟନର ଯେଉଁ କାର୍ଯ୍ୟଟି ପିଲା ପାଇଁ ସବୁଠାରୁ ଅଧିକ ଗମ୍ଭୀର ଓ ପରିଶ୍ରମସାପେକ୍ଷ କାର୍ଯ୍ୟ ହୋଇ ରହି ଆସିଛି, ତାହା ଯୁଗପତ୍ ଭାବରେ ଆନନ୍ଦଦାୟକ ବି ହେବ, ଏବଂ ପିଲାର ଆତ୍ମିକ ତଥା ଶାରୀରିକ ଶକ୍ତିଗୁଡ଼ିକୁ ମଧ୍ୟ ଟାଣ କରିପାରୁଥିବ । ପିଲାମାନେ ତ ଶ୍ରମର ଲକ୍ଷ୍ୟ କହିଲେ କିଛି ବୁଝନ୍ତି ନାହିଁ କିମ୍ବା ଅସୁବିଧାମାନ କାହିଁକି ହୁଏ, ସେ ବିଷୟରେ କିଛି ଜାଣନ୍ତି ନାହିଁ;–ତେଣୁ, ସେମାନଙ୍କ କ୍ଷେତ୍ରରେ ତାହାର ବିଶେଷ ମହତ୍ତ୍ୱ ରହିଛି ।

 

ଏହି କଥାଟିକୁ ହଜାର ଥର କୁହାଯାଇଛି ଯେ, ଅଧ୍ୟୟନ କରିବା ଏକ କଷ୍ଟକର କାର୍ଯ୍ୟ ଏବଂ ଏହାକୁ କଦାପି ଏକ ଖେଳରେ ପରିଣତ କରିଦେଇ ହେବ ନାହିଁ । ମାତ୍ର, କାମ ଏବଂ ଖେଳ ମଧ୍ୟରେ କଦାପି ଏକ ଅଲଂଘନୀୟ ପ୍ରତିବନ୍ଧକ ଆଣି ମଧ୍ୟ ରଖି ଦିଆଯାଇ ପାରିବନାହିଁ । ଗୋଟିଏ ଶିଶୁର ଜୀବନରେ ଖେଳ ଖେଳିବାର ଯେଉଁ ଭୂମିକା ରହିଛି, ତାହା ଉପରେ ନିବଡ଼ ଭାବରେ ଦୃଷ୍ଟିପାତ କଲେ ତୁମେ ଦେଖିବାକୁ ପାଇବ ଯେ, ବିଶେଷ କରି ପୂର୍ବପ୍ରାଥମିକ ସୋପାନର ଗୋଟିଏ ପିଲା ପାଇଁ ଖେଳ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବ୍ୟାପାର ହୋଇ ରହିଥାଏ । ଏହି ଖେଳର ମାଧ୍ୟମରେ ହିଁ ଗୋଟିଏ ପିଲା ପାଇଁ ସମଗ୍ର ପୃଥିବୀ ଉଦ୍‌ଘାଟିତ ହୋଇଯାଇଥାଏ, ତା’ବ୍ୟକ୍ତିତ୍ୱର ସକଳ ସୃଜନାତ୍ମକ ସାମର୍ଥ୍ୟ ମଧ୍ୟ ଉଦ୍‌ଘାଟିତ ହୋଇଥାଏ । ଖେଳ ବ୍ୟତୀତ ପିଲାର ସମୂର୍ଣ୍ଣ ମାନସିକ ବିକାଶ ସମ୍ଭବ ହୋଇ ପାରିବ ନାହିଁ । ଖେଳ ହେଉଛି ଏକ ବିଶାଳ ଓ ସୂର୍ଯ୍ୟାଲୋକ ଦ୍ୱାରା ଧୌତ ଗବାକ୍ଷ, ଯେଉଁ ବାଟ ଦେଇ ପିଲାର ଅନ୍ତର୍ଜଗତ ମଧ୍ୟକୁ ପାରିପାର୍ଶ୍ୱିକ ପୃଥବୀ ବିଷୟରେ ଯାବତୀୟ ବିଚାର ଏବଂ ବୋଧର ଏକ ଜୀବନଦାୟୀ ନିର୍ଝରିଣୀ ଅଜାଡ଼ି ହୋଇ ପଡ଼ିଥାଏ । ଖେଳ ହେଉଛି ସେହି ଅଗ୍ନିକଣା, ଯାହାକି ଜିଜ୍ଞାସା ଏବଂ ଆଗ୍ରହର ଅଗ୍ନିକୁ ପ୍ରଜ୍ଜ୍ୱଳିତ କରେ । ବୌଦ୍ଧିକ ବିକାଶର କ୍ଷେତ୍ରରେ ଯଦି ଏପରି ଗୋଟିଏ ସ୍ତର ରହିଛି ଯେଉଁଠାରେ କି ଖେଳ ପ୍ରକୃତରେ କାର୍ଯ୍ୟ ସହିତ ଏକତ୍ର ମିଶି କରି ରହିଥାଏ, ତେବେ ପିଲାଟିଏ ଯଦି ଖେଳୁ ଖେଳୁ ଲେଖିବା ଶିଖି ପାରିଲା ଓ “ତୁ ବହୁତ ସମୟ ଖେଳିଲୁଣି, ଏଥର ଚାଲ କାମ କରିବାକୁ ଯିବା” ବୋଲି ପିଲାମାନଙ୍କୁ ଜଣେ ଶିକ୍ଷକଙ୍କୁ ସେତେ ଅଧିକ ଥର କହିବାକୁ ନପଡ଼େ, ତେବେ ସେଥିରେ କାହିଁକି କ’ଣ ଗୋଟାଏ ଭୟଙ୍କର କଥା ଘଟିଯିବ ?

 

ଖେଳକୁ ଆମେ ସମଗ୍ର ଭାବରେ ଏବଂ ଅନେକ ଅର୍ଥରେ ବିଚାର କରିପାରିବା । ସେମାନଙ୍କ ଭିତରୁ କିଏ ସବୁଠାରୁ ଅଧିକ ବେଗରେ ଦୌଡ଼ି ପାରୁଛି, ସେହି କଥାଟି ଜାଣିବା ସମୟରେ ଯେ ପିଲାମାନେ ଖେଳନ୍ତି, ସେ କଥା ଆଦୌ ନୁହେଁ, ଖେଳକୁ ସାମର୍ଥ୍ୟ ଏବଂ କଳ୍ପନାଶକ୍ତି ହାସଲ କରିବାର ଏ ମୁଖ୍ୟ ଉଦ୍ୟମ ଭିତରେ ମଧ୍ୟ ଅନ୍ତର୍ଗତ କରି ରଖିହେବ । ମାନସିକ ଶକ୍ତି ଆଣି ଦେଉଥିବା ଖେଳଗୁଡ଼ିକ ବ୍ୟତୀତ, ସୃଜନଶୀଳ କଳ୍ପନାର ସାମର୍ଥ୍ୟ ବ୍ୟତୀତ ଯଥାର୍ଥ ଶିକ୍ଷାଲାଭର କୌଣସି କଳ୍ପନା ହିଁ କରିହେବ ନାହିଁ, ବିଶେଷତଃ ପୂର୍ବପ୍ରାଥମିକ ସୋପାନମାନଙ୍କରେ ତ ଆଦୌ ସମ୍ଭବ ହେବ ନାହିଁ । ଖେଳକୁ ତା’ର ପ୍ରଶସ୍ତ ଅର୍ଥରେ ବିଚାର କଲେ, ଯେତେ ଯେତେ କ୍ଷେତ୍ରରେ ସୌନ୍ଦର୍ଯ୍ୟ ରହିଥାଏ, ଖେଳ ମଧ୍ୟ ସେତେ ସେତେ କ୍ଷେତ୍ରରେ ଆରମ୍ଭ ହୋଇପାରେ ଏବଂ, ଯେହେତୁ ଏକ ସୌନ୍ଦର୍ଯ୍ୟବୋଧ ରହିଥିବା ଆରମ୍ଭ ବ୍ୟତୀତ ଶ୍ରମର କଳ୍ପନା ହିଁ କରାଯାଇପାରିବ ନାହିଁ, ସେଇଥିରୁ ପ୍ରତିପାଦିତ ହୋଇଯାଉଛି ଯେ, ଶୈଶବ ସମୟରୁ ହିଁ କାମକୁ ଖେଳ ସହିତ ନିବିଡ଼ ଭାବରେ ଗଅଁଠାଇ ରଖିବାକୁ ପଡ଼ିବ । ଯେଉଁ ଉତ୍ସବମୟ ଦିନଟିରେ ବିଦ୍ୟାଳୟ ଜମିରେ ଫସଲ କାଟିବା ଆରମ୍ଭ ହେଉଥିଲା, ସେଦିନ ପିଲାମାନେ ଭଲ ପୋଷାକ ପିନ୍ଧିଥିଲେ । ସର୍ବପ୍ରଥମେ କଟାଯାଇଥିବା ଗହମ କେଣ୍ଡାଗୁଡ଼ିକୁ ଚାଦର ପଡ଼ିଥିବା ଟେବୁଲ୍ ଉପରେ ଗୋଟିଏ ପାତ୍ରରେ ଆଣି ରଖାଗଲା । ଏହି ସଂସ୍କାରଟି ପଛରେ ଏକ ଗଭୀର ଅର୍ଥ ରହିଥିଲା । ମାତ୍ର ଅତ୍ୟନ୍ତ କୃତ୍ରିମ ଭାବରେ କାମ ସହିତ “ଯୋଡ଼ି” ରଖିବାକୁ ବସିଲେ ଖେଳର ଆଉ କୌଣସି ଶିକ୍ଷାଗତ ମୂଲ୍ୟ ରହେ ନାହିଁ । କାରଣ, ସେତେବେଳେ ଖେଳର ସୌନ୍ଦର୍ଯ୍ୟଟି ମଧ୍ୟରେ ପାରିପାର୍ଶ୍ୱିକ ପୃଥିବୀ ଏବଂ ବ୍ୟକ୍ତିଟିର ସଂବେଗଗତ ମୂଲ୍ୟଟି ଆପଣାକୁ ଆଦୈା ପ୍ରକାଶ କରିପାରେ ନାହିଁ ।

 

ସବୁଠାରୁ ଅଧିକ ସମୟୋଚିତ ଭାବରେ କିପରି ପଢ଼ିଲେଖି ଶିଖାଇବାକୁ ହେବ, ଏବେ ମଧ୍ୟ ସେହି ପ୍ରଶ୍ନଟିର ଉତ୍ତର ଦିଆଯାଇନାହିଁ । ପିଲାଟିଏ ଯେତେବେଳେ ପ୍ରଥମ ଶ୍ରେଣୀରେ ଯାଇ ବସୁଛି ବା ସମ୍ଭବତଃ ସ୍କୁଲ ଆରମ୍ଭ କରିବାର ପୂର୍ବ ବର୍ଷଟିରେ ଟିକିଏ ଆଗରୁ ତାହାକୁ କିପରି କାର୍ଯ୍ୟକାରୀ କରିବାକୁ ହେବ ? ଆମର ଶିକ୍ଷାସମୂହଟିର ନିଜର ଅଭିଜ୍ଞତାରୁ ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ବିଦ୍ୟାଳୟ କହିଲେ ପିଲାର ଜୀବନରେ କଦାପି ଏକାବେଳେକେ ଏକ ବିଚ୍ଛିନ୍ନ ହୋଇଯିବାକୁ ବୁଝାଇବା ଉଚିତ ନୁହେଁ । ଛାତ୍ରଟିଏ ହୋଇ ସ୍କୁଲକୁ ଆସିବା ପରେ ମଧ୍ୟ ସିଏ କାଲି ଯାହା କରୁଥିଲା, ଆଜି ମଧ୍ୟ ସେହିଗୁଡ଼ିକୁ କରି ପାରୁଥିବା ଉଚିତ । ତା’ ଜୀବନରେ ଧୀରେ ଧୀରେ ହିଁ ନୂଆଟିର ଆବିର୍ଭାବ ହେଉ ଏବଂ ଏକାବେଳେକେ କେତେ କେତେ ନୂଆ ଅନୁଭବର ହିମସ୍ଖଳନ ଘଟି ତାକୁ ପୋତି ନଦେଉ ।

 

ମୋ’ର ଦୃଢ଼ ବିଶ୍ୱାସ ରହିଛି ଯେ, ପଢ଼ିବା ଲେଖିବା ସହିତ ଛବି ଆଙ୍କିବା ଓ ଖେଳ ଖେଳିବାର ନିବିଡ଼ ସଂପର୍କ ରହିଛି ଏବଂ, ପୂର୍ବପ୍ରାଥମିକ ଲାଳନପାଳନ ସହିତ ଗୋଟିଏ ସେତୁ ପରି ହୋଇ ତାହା ବିଦ୍ୟାଳୟକୁ ସଂଯୁକ୍ତ କରି ଦେଇଥାଏ । ମୋ’ ପିଲାମାନେ ଅକ୍ଷର ଆଙ୍କି ଶିଖୁଥିବା ସମୟରେ ସେମାନଙ୍କର ସମ୍ମୁଖରେ କାକରବିନ୍ଦୁଗୁଡ଼ିକ ଉପରେ ପଡ଼ୁଥିବା ସୂର୍ଯ୍ୟାଲୋକର ସୌନ୍ଦର୍ଯ୍ୟ ବିସ୍ତୃତ ହୋଇ ରହିଥିଲା । ଠିକ୍ ସେହିପରି ଶହେ ବର୍ଷ ବୟସର ସେହି ଶକ୍ତ ଓକ୍ ଗଛର ଐଶ୍ୱର୍ଯ୍ୟ, ପୋଖରୀ ଉପରକୁ ଝୁଲି ରହିଥିବା ସେହି ଉଇଲୋ ଗଛଟିର ସୌନ୍ଦର୍ଯ୍ୟ ମଧ୍ୟ ପ୍ରସାରିତ ହୋଇ ରହିଥିଲେ । ନୀଳବର୍ଣ୍ଣ ଆକାଶରେ ପଂକ୍ତିଏ ବଗ ଉଡ଼ି ଯାଉଥିଲେ ଏବଂ ଏକ ଉତ୍ତପ୍ତ ଜୁଲାଇ ଦିନ ପରେ ପଡ଼ିଆମାନେ ନିଦରେ ଶୋଇ ପଡ଼ିଥିଲେ । ପିଲାମାନେ ଯେ ଖୁବ୍ ଭଲ ଭାବରେ ଅକ୍ଷରଗୁଡ଼ିକୁ ଆଙ୍କି ପାରୁନଥିଲେ, ସେଥିରେ ମୋଟେ କିଛି ଯାଏ ଆସେ ନାହିଁ । ତାହା ଆଦୌ ସର୍ବପ୍ରଧାନ କଥା ନୁହେଁ, - ସର୍ବପ୍ରଧାନ କଥାଟି ହେଉଛି ଯେ ସେମାନେ ଆଙ୍କି ଦେଉଥିବା ପ୍ରତ୍ୟେକ ଛବିରେ ଜୀବନର ସ୍ପନ୍ଦନକୁ ଅନୁଭବ କରୁଥିଲେ । ପିଲାମାନେ ଯେ ରଙ୍ଗର ମୂଲ୍ୟ ଏବଂ ଶବ୍ଦର ଛନ୍ଦଟିକୁ ବୁଝିବାକୁ ଆରମ୍ଭ କରିଥିଲେ, ସେଥିଲେ ମୁଁ ବହୁତ ଆନନ୍ଦ ପାଇଥିଲି: ସେମାନଙ୍କର ଚେତନାରେ ସ୍ୱଚ୍ଛ, ଅଭିବ୍ୟକ୍ତିସମର୍ଥ ଏବଂ କାବ୍ୟିକ ଭାବନାଶକ୍ତିର ଦୃଢ଼ ମୂଳଦୁଆଗୁଡ଼ିକ ବିଦ୍ୟମାନ ରହିଥିଲେ । ଛବି ଆଙ୍କିବା କ୍ରମେ ପିଲାମାନଙ୍କର ଆତ୍ମିକ ଜୀବନର ଏକ ଅଂଶରେ ପରିଣତ ହୋଇ ଯାଇଥିଲା । ସେମାନେ ଏହି ଛବିଗୁଡ଼ିକରେ ନିଜର ଅନୁଭବ, ଭାବନା ତଥା ଅଭିଜ୍ଞତାଗୁଡ଼ିକୁ ବ୍ୟକ୍ତ କରିବା ଲାଗି ଚେଷ୍ଟା କରିଥିଲେ । ସଂଗୀତ ଶୁଣିବା ମଧ୍ୟ ମୋ’ପିଲାଙ୍କର ଏକ ଅନ୍ତର୍ଗତ ଆବଶ୍ୟକତାରେ ପରିଣତ ହୋଇ ଯାଇଥିଲା ।

 

ନୈତିକ ବିକାଶର କ୍ଷେତ୍ରରେ ମଧ୍ୟ ପିଲାମାନେ ଆଗକୁ ପ୍ରଥମ ପାଦଟିଏ ପକାଇଛନ୍ତି ଦେଖି ମୁଁ ଉତ୍‍ଫୁଲ୍ଲ ହୋଇ ଉଠିଥିଲି । ମନୁଷ୍ୟର ହିତ ହେଲା ଭଳି କାର୍ଯ୍ୟ କରିବାର ସୁନ୍ଦର ପୃଥିବୀଟିରେ ମଧ୍ୟ ସେମାନେ ପ୍ରବେଶ କରିପାରିଥିଲେ । ଅନ୍ୟ ମନୁଷ୍ୟମାନଙ୍କର ଆନନ୍ଦ ଓ ନିରାନନ୍ଦ ପ୍ରତି ସଂବେଦନଶୀଳ ରହିବାର ଗୁଣଟି ସେମାନଙ୍କ ହୃଦୟରେ ଜାଗୃତ ହୋଇ ଆସିଥିଲା-। ଆଉ ଜଣେ ବ୍ୟକ୍ତି ପାଇଁ ସୌନ୍ଦର୍ଯ୍ୟ ଓ ଆନନ୍ଦ ସୃଷ୍ଟି କରିବା ଦ୍ୱାରା ମିଳୁଥିବା ଖୁସୀଟି ସହିତ ସେମାନେ ପରିଚିତ ହୋଇଯାଇଥିଲେ । ପିଲାଟିଏ ସର୍ବପ୍ରଥମେ କୌଣସି ବିଦ୍ୟାଳୟର ଗୃହ ଭିତରକୁ ପ୍ରବେଶ କରିବା ଠାରୁ ଆରମ୍ଭ କରି ଏକ ସୁବିକଶିତ ବ୍ୟକ୍ତିତ୍ୱ ସହିତ ବୟସ୍କମାନଙ୍କର ପୃଥିବୀରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏହି ଦୀର୍ଘ ଅନେକ ବର୍ଷର ଅବଧି ମଧ୍ୟରେ ଶିକ୍ଷାର ପ୍ରକ୍ରିୟା ଲାଗି ରହିଥାଏ । ଜଣେ ମନୁଷ୍ୟକୁ କିପରି ଅନୁଭବ କରି ଶିଖାଇବାକୁ ହେବ, - ମୋ’ଲାଗି ତାହାହିଁ ପ୍ରଧାନ କଥା ହୋଇ ରହିଥିଲା: ଆମେ ଯେଉଁମାନଙ୍କୁ ଶିକ୍ଷା ଦେଉଛୁ, ସେମାନେ ଗଭୀର ଭାବରେ ଅନୁଭବ କରିବେ ଯେ, ଯେଉଁ ଅନ୍ୟ ମନୁଷ୍ୟମାନେ ସେମାନଙ୍କ ସହ ବାସ କରୁଛନ୍ତି, ସେମାନେ ମଧ୍ୟ ସେମାନଙ୍କ ନିଜ ପରି ସେହି ଏକା ଦୁଃଖ, କଷ୍ଟ, ଯନ୍ତ୍ରଣା ଏବଂ ପ୍ରତିକୂଳତାଗୁଡ଼ିକୁ ଅନୁଭବ କରୁଛନ୍ତି । ମୋ’ ପିଲାମାନଙ୍କର ଉତ୍ତମ କାର୍ଯ୍ୟଗୁଡ଼ିକ ସର୍ବାଦୌଜଣେ ବ୍ୟକ୍ତିର ଅନୁଭୂତିଗୁଡ଼ିକ ଉପରେ ହିଁ ଯେ ଅବଶ୍ୟ ଆଧାରିତ ହୋଇ ରହିବ, ମୁଁ ସେହିକଥା ଦେଖିବା ଲାଗି ଚେଷ୍ଟା କରିଥିଲି-। ମୋତେ ଏକଥା ଦେଖି କେଡ଼େ ଖୁସୀ ଲାଗିଥିଲା ଯେ, ପିଲାମାନେ ସହାନୁଭୂତି ପ୍ରଦର୍ଶନ କରି ଶିଖିଲେ, ସେମାନଙ୍କର ଖେଳସାଥୀ ଓ ବଡ଼ ପିଲାମାନଙ୍କର ନିଜ ବାପାମାଆଙ୍କର ଓ ସାଧାରଣ ଭାବରେ ବୟସ୍କମାନଙ୍କର ଅନୁଭବ ଓ ଉଦ୍ଦୀପନାଗୁଡ଼ିକ ଦ୍ୱାରା ପୂର୍ଣ୍ଣ ହୋଇ ଉଠିବାରେ ଆଦୌ କୌଣସି ବିଳମ୍ବ କରୁନଥିଲେ । ମୋ’ର ସର୍ବାଧିକ ଖୁସୀର ବିଷୟ ଥିଲା ଯେ, ପିଲାମାନେ ଯେଉଁଠି ଯେଉଁ ବ୍ୟକ୍ତିର ସଂପର୍କରେ ଆସୁଥିଲେ, ତାକୁ ସର୍ବପ୍ରଥମେ ଜଣେ ବ୍ୟକ୍ତି ଭାବେ ହିଁ ଦେଖୁଥିଲେ-

 

ଏହିସବୁ ଉତ୍ତମ ଅନୁଭବ ସହିତ ମୋ’ମନରେ କେତେକ ଚିନ୍ତା ମଧ୍ୟ ଆସିଯାଉଥିଲା । ପ୍ରତ୍ୟେକ ଦିନର ବୌଦ୍ଧିକ ଶ୍ରମ ହେଉଛି ପିଲାମାନଙ୍କର ପ୍ରଧାନ କର୍ତ୍ତବ୍ୟ–ପାରିପାର୍ଶ୍ୱିକ ପୃଥିବୀ ବିଷୟରେ ସେମାନଙ୍କର ଆଗ୍ରହକୁ ମୁଁ ତଥାପି ଜାଗ୍ରତ କରି ରଖିପାରିବି କି ? ପ୍ରତ୍ୟେକ ପିଲା ତା’ଆପଣା ଢଙ୍ଗରେ ହିଁ ପୃଥିବୀକୁ ଦେଖିଥାଏ । ନିଜ ଢଙ୍ଗରେ ହିଁ ବସ୍ତୁ ଓ ଘଟଣାଗୁଡ଼ିକୁ ଗ୍ରହଣ କରେ । ସେମାନଙ୍କର ଜ୍ଞାନଜଗତ ମଧ୍ୟରେ ମୁଁ କ୍ଷିପ୍ର, ବ୍ୟାକୁଳ ଭାବରେ ଧାଉଁଥିବା ଝରଣାଗୁଡ଼ିକୁ ଏବଂ କ୍ୱଚିତ ଦୃଶ୍ୟମାନ ହେଉଥିବା ଗଭୀର ନଦୀଗୁଡ଼ିକୁ ଏକତ୍ର ସମ୍ଭବ କରିପାରିବି କି ?

 

ପ୍ରତ୍ୟେକ ପିଲାର ଅନ୍ତର୍ଜଗତକୁ ନେଇ ହୁଏତ ମୁଁ ଆହୁରି ଅଧିକ ଚିନ୍ତା କରୁଥିଲି । ମୋ’ଆଗରେ ଏହି ସଂବେଦନଶୀଳ, କୋମଳ ଓ ଆଶୁପ୍ରଭାବିତ ହୃଦୟଗୁଡ଼ିକ ବିଦ୍ୟମାନ ରହିଥିଲେ । ପିଲାମାନଙ୍କ ସହିତ ମୁଁ ଯେତିକି ଅଧିକ ସଂପର୍କରେ ଆସିଲି, ଏହି ସଂପର୍କ ଦ୍ୱାରା ପ୍ରତ୍ୟେକ ପିଲାର ହୃଦୟ ଓ ମସ୍ତିଷ୍କ କିପରି ମୋ’ର କଥା, ମତ ଏବଂ ମୋ’ର ପରାମର୍ଶ ଓ ମନ୍ତବ୍ୟର ଆବେଗଗୁଡ଼ିକ ପ୍ରତି ଅଧିକ ତୀକ୍ଷ୍ଣ ଭାବରେ ଗ୍ରହଣଶୀଳ ହୋଇ ଉଠୁଥିଲା, ସେକଥା ମୁଁ ସେତିକି ଅଧିକ ସ୍ପଷ୍ଟ ଭାବରେ ଦେଖି ପାରୁଥିଲି । ମୋ’ସମ୍ମୁଖରେ ଏକତିରିଶଟି ପିଲା ଅର୍ଥାତ୍ ଏକତିରିଶଟି ଭିନ୍ନ ଜଗତ ବିଦ୍ୟମାନ୍ ରହିଥିଲେ ।

 

କୋଲ୍ୟା ଓ କୋଷ୍ଟ୍ୟା, ଭାରା ଓ ଟିନା, ଡାଙ୍କୋ ଓ ଲାରିସା, ଭାଲୋଡ଼୍ୟା ଓ ସ୍ଲାଭା, - ପୂର୍ବପ୍ରାଥମିକ ବର୍ଷଗୁଡ଼ିକରେ ମଧ୍ୟ ଏମାନେ କେତେ ଭିନ୍ନ ଭିନ୍ନ ହୋଇ ରହିଥିଲେ; ଏବଂ, ବିତିଯାଉଥିବା ପ୍ରତ୍ୟେକଟି ଦିନ ଓ ସପ୍ତାହ ସଙ୍ଗେ ସଙ୍ଗେ ସେମାନଙ୍କର ବ୍ୟକ୍ତିତ୍ୱଗତ ସ୍ୱତନ୍ତ୍ରତା ଅଧିକ ଗଭୀର ଓ ଅଧିକ ଦୃଷ୍ଟିଗୋଚର ହେବାରେ ଲାଗିଥିଲା । ତା’ନିଜ ହୃଦୟର କେଉଁ ଅତୀବ ରହସ୍ୟପୂର୍ଣ୍ଣ ଗଭୀରରେ ପ୍ରତ୍ୟେକ ପିଲାର ସ୍ୱତନ୍ତ୍ର ସୂତାଟି କେଉଁଠାରେ ଲୁକ୍କାୟିତ ହୋଇ ରହିଥିଲା-। ଏହି ସୂତାଟି ନିଜ ରୀତିରେ ହିଁ ପ୍ରତିକ୍ରିୟା ବ୍ୟକ୍ତ କରୁଥିଲା ; ଏବଂ, ସେମାନଙ୍କର ହୃଦୟ ଯେପରି ମୋ’ କଥାରେ ନିଜର ଅନୁସ୍ପନ୍ଦନକୁ ବ୍ୟକ୍ତ କରିପାରିବ, ସେଥିଲାଗି ସେହି ପ୍ରତ୍ୟେକଟି ସୂତାର ଛନ୍ଦଟି ସହିତ ଆପଣାକୁ ସମଛନ୍ଦ କରି ରଖିବାକୁ ହେଉଥିଲା । ଗୋଟିଏ ପିଲା କୌଣସି ବିଷୟରେ ଆତଙ୍କିତ ଅଥବା ଦୁଖିତ ହୋଇ ଉଠିଲେ ତା’ ହୃଦୟ ଭିତରେ କେତେ କଠିନ ଅନୁଭବମାନ ଜାତ ହେଉଥିଲା, ମୁଁ ସେକଥା ଆଗରୁ ଦେଖିଥିଲି । ହୁଏତ ଶିକ୍ଷକ ଏବିଷୟରେ କିଛି ଜାଣି ନଥିଲେ । ପିଲାର ହୃଦୟ ଭିତରେ କ’ଣ ସବୁ ରହିଛି, ମୁଁ ସେଗୁଡ଼ିକୁ ପ୍ରତ୍ୟେକ ଦିନ ଜାଣିବାକୁ ସମର୍ଥ ହେବି କି ? ତାହାର ଅଙ୍ଗେ ନିଭାଉଥିବା ସବୁକିଛିକୁ ମୁଁ ଜାଣିପାରିବି କି ? ପିଲାମାନଙ୍କ ପ୍ରତି ମୁଁ ସର୍ବଦା ଉଚିତ ଆଚରଣ ଦେଖାଇ ପାରିବି ତ ?

 

କିନ୍ତୁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଟି, ଯାହାକି ମୁଁ କାର୍ଯ୍ୟ କରିବାର ଏହି ବର୍ଷଗୁଡ଼ିକରେ ମୋତେ ଆଦୌ ଶାନ୍ତି ଦେଇପାରୁନଥିଲା, ସେଇଟି ହେଉଛି, ସ୍କୁଲରେ ପଢ଼ୁଥିବା ଗୋଟିଏ ସାନ ପିଲାକୁ ଆମେ ସାମାଜିକ ଜୀବନର ବୃହତ୍ ଜଗତଟି ମଧ୍ୟକୁ କିପରି ପରିଚାଳିତ କରି ନେଇ ଯାଇପାରିବା ? ଏହି କଥାଟିକୁ କିପରି ସମ୍ଭବ କରିବା ଯେ ପ୍ରତ୍ୟେକ ପିଲା କେବଳ ନିଜ ଗାଆଁଟିକୁ ଦେଖିବ ନାହିଁ, ସେ ବାଲ୍ୟକାଳଟିକୁ ଯାହାର ତଟରେ କଟାଇଥିଲା, କେବଳ ସେହି ନଦୀଟିକୁ ଦେଖିବ ନାହିଁ, - ମାତ୍ର ନିଜ ମାତୃଭୂମି ରୂପକ ବିଶାଳ ଓ ସୀମାହୀନ ପୃଥିବୀଟିକୁ ଦେଖି ପାରୁଥିବ ? ତା’ନିଜ ଦେଶର ଲୋକମାନେ ଯାହାକିଛି ହାସଲ କରିପାରିଛନ୍ତି, ତାହାର ଆଦର୍ଶ ସମାଜ ବ୍ୟବସ୍ଥା, ସ୍ୱାଧୀନ ଜୀବନ, ସମ୍ମାନ ଓ ଆମ ଦେଶର ବିଭିନ୍ନ ସମୂହଗୁଡ଼ିକ ମଧ୍ୟରେ ରହିଥିବା ବନ୍ଧୁତା ପ୍ରଭୃତି ଯାହାକିଛି ହାସଲ କରିଛନ୍ତି, ସେଗୁଡ଼ିକୁ ରକ୍ଷା କରିବା ଲାଗି ସିଏ ପ୍ରସ୍ତୁତ ରହିପାରିବ ତ ? ଏହି ନାଗରିକ ଶିକ୍ଷାଟି ସହିତ ମୁଁ କିପରି ସର୍ବାଙ୍ଗୀନ ବିକାଶକୁ ଏକତ୍ର ସମ୍ଭବ କରିପାରିବି ? ସ୍କୁଲରେ ପଢ଼ୁଥିବା ସାନ ପିଲାଙ୍କର ଶିକ୍ଷା ପ୍ରକୃତରେ ଏକ ଜଟିଳ ବ୍ୟାପାର । ସେମାନଙ୍କର କୋମଳ ବୟସଗୁଡ଼ିକ ଯେପରି ଆବଶ୍ୟକ କରୁଥିଲା, ମୁଁ ସେହି ଅନୁସାରେ ତାହାକୁ ସମାଧାନ କରିବାରେ ସଫଳ ହେବି ତ ?

Image

 

 

 

 

 

 

 

 

 

 

 

 

ଶୈଶବର ବର୍ଷଗୁଡ଼ିକ

 

ପ୍ରାଥମିକ ବିଦ୍ୟାଳୟ କହିଲେ କ’ଣ ସବୁ ବୁଝାଇବ ?

 

୧୯୫୨ ମସିହା ଅଗଷ୍ଟ ମାସର ଶେଷ ଦିନର ଶାନ୍ତ, ରୌଦ୍ରସ୍ନାତ ସକାଳ ସମୟରେ ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ସମସ୍ତେ ସ୍କୁଲଘର ସାମନାରେ ଥିବା ସବୁଜ ଘାସପଡ଼ିଆରେ ଏକତ୍ରିତ ହୋଇଥିଲେ । ତହିଁ ଆରଦିନ ସ୍କୁଲବର୍ଷଟି ଆରମ୍ଭ ହେବା କଥା, ତେଣୁ କୋଉକାଳରୁ ଆମେ ଏହି ଦିନଟିକୁ ଗମ୍ଭୀର ଭାବରେ ଆଦୌ କୌଣସି ପାଠ ବା ପୁସ୍ତକ ନଥିବା ପାରମ୍ପରିକ ଛୁଟିଦିନ ରୂପେ ପାଳି ଆସୁଥିଲୁ । ଏହିଦିନ ସକାଳଟିର ଉତ୍ସବଟି ବିଶେଷ ଭାବରେ ଉଦ୍ଦୀପନାପୂର୍ଣ୍ଣ ଥିଲା ।

 

ଜଣେ ଆବିଷ୍କାରକ ଯେପରି ତା’ର ସହଯାତ୍ରୀ ଏବଂ ସାଥୀମାନଙ୍କର ଆଖି ଭିତରକୁ ଅନାଇ ଅନାଇ ଦୂରସ୍ଥ ଅଜ୍ଞାତ ଭୂମିଗୁଡ଼ିକ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥାଏ, ଠିକ୍ ସେହିପରି ମୁଁ ମୋ’ ପିଲାମାନଙ୍କର ଆଖିଗୁଡ଼ିକ ଭିତରକୁ ଅନାଇ ରହିଥିଲି । ସେମାନେ-ଷୋହଳଟି ସାନ ବାଳକ ଓ ପନ୍ଦରଟି ସାନ ବାଳିକା-ଠିଆ ହୋଇଥାଆନ୍ତି । ସେଦିନ ସେମାନଙ୍କ ସହିତ ସେମାନଙ୍କର ବାପାମାଆ ଓ ଅନେକଙ୍କର ଜେଜେବାପା ଓ ଜେଜେମାଆମାନେ ମଧ୍ୟ ଆସିଥାନ୍ତି । କୋଲ୍ୟା ଓ ଟୋଲ୍ୟାଙ୍କ ମାଆ ଆସିଥାନ୍ତି ଏବଂ ସାନ ଦୁଇଟିର କାନ୍ଧରେ ହାତ ପକାଇ ଗାଲ୍ୟାର ସାବତମାଆ ମଧ୍ୟ ଛିଡ଼ା ହୋଇଥାଆନ୍ତି । ମାତ୍ର, ବର୍ଷକ ତଳେ ଯେପରି ଦେଖିବାକୁ ମିଳିଥିଲା, ଆଜି ତାଙ୍କର ଆଖିରେ ଆଦୌ କୌଣସି କୋପ ନଥାଏ । ପ୍ରତ୍ୟେକ ଆମକୁ ଅଭିନନ୍ଦନ ଜଣାଇଲେ, ଆମର ସଫଳତା କାମନା କଲେ । ଦଶମ ଶ୍ରେଣୀ ଛାତ୍ରମାନେ ପିଲାମାନଙ୍କର ପାଖକୁ ଆସି ସେମାନଙ୍କର ଆଗତ ନୂତନ ଜୀବନର ସନ୍ତକ ରୂପେ ବହିଗୁଡ଼ିକୁ ପ୍ରଦାନ କରିଥିଲେ । ବହିଗୁଡ଼ିକରେ ଲେଖି ଦିଆଯାଇଥିଲା, “କୁନି ବନ୍ଧୁ, ଆମେ ତୁମର ସୌଭାଗ୍ୟ କାମନା କରୁଛୁ । ତୁମେ ଏହି ବହିଟିର ଯତ୍ନ ନେବ । ଏହି ବହିଟି ସବୁବେଳେ ତୁମେ ପ୍ରଥମ କରି ସ୍କୁଲକୁ ଆସିଥିବା ଦିନଟି ସ୍ମରଣ କରାଇ ଦେଉଥିବ । ଏଇଟିକୁ ତୁମେ ପରିବାରର ପାଠାଗାରାରେ ନେଇ ରଖିବ ।” (ବର୍ଷ ପରେ ବର୍ଷ ଚାଲିଯାଇଥିଲା, ମୋ’ ଛାତ୍ରମାନେ ବଡ଼ ବି ହେଲେ ଏବଂ ସମସ୍ତେ ଏହି ବହିଗୁଡ଼ିକୁ ସତେଅବା ଗୋଟିଏ ଗୋଟିଏ ପବିତ୍ର ସମ୍ପଦ ପରି ଏକ ସ୍ୱର୍ଣ୍ଣିମ ଶୈଶବର ଅତି ମୂଲ୍ୟବାନ୍ ସ୍ମାରକ ରୂପେ ସାଇତି ରଖିଥିଲେ ।)

 

ପିଲାମାନେ, ସେମାନଙ୍କର ବାପାମାଆ ଓ ଅନ୍ୟ ଶିକ୍ଷକମାନେ ଆମେ ସମସ୍ତେ ମିଶି ବିଦ୍ୟାଳୟର ବଗିଚା ଭିତରକୁ ଗଲୁ । ଦଶମ ଶ୍ରେଣୀର ପିଲାମାନେ ଖୁବ୍ ଯତ୍ନର ସହିତ ଗୋଟିଏ ଆପଲ୍‍ ଗଛକୁ ତା’ସ୍ଥାନରୁ ଖୋଳି ତା’ମୂଳରେ ରହିଥିବା ମାଟିମୁଣ୍ଡାଟି ସହିତ ଆଉ ଗୋଟିଏ ଜାଗାରେ ଖୋଳା ହୋଇଥିବା ଗୋଟିଏ ଗାତରେ ନେଇ ଲଗାଇ ଦେଇଥିଲେ । ନୂଆ ଛାତ୍ରମାନେ ପ୍ରତ୍ୟେକେ ସେହି ଗାତଟିକୁ ପୂର୍ଣ୍ଣ କରିବା ଲାଗି ସେଥିରେ ମୁଠିଏ ମୁଠିଏ ଅଳିଆ ମାଟି ନେଇ ପକାଇ ଦେଲେ ଏବଂ ସେଥିରେ ପାଣି ଦେଇ ଘରକୁ ଗଲେ । ତହିଁ ଆରଦିନ ସ୍କୁଲକୁ ଆସି ପାଠପଢ଼ା ଆରମ୍ଭ କରିବା କଥା । ବର୍ତ୍ତମାନ ଚାରିବର୍ଷ ଲାଗି ସେମାନେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହୋଇ ରହିବେ ଓ ମୁଁ ସେମାନଙ୍କୁ ଚାରିବର୍ଷ ପାଠ ପଢ଼ାଇବି, ସେମାନଙ୍କର ତତ୍ତ୍ୱ ନେବି । ପ୍ରଥମ ଦିନଟିର ପ୍ରାକ୍‍କାଳରେ ମୁଁ ଏକ ପ୍ରାଥମିକ ବିଦ୍ୟାଳୟ କହିଲେ ପ୍ରକୃତରେ କ’ଣ ବୁଝାଏ, ସେହିକଥା ଚିନ୍ତା କରିଥିଲି । ପ୍ରାଥମିକ ବିଦ୍ୟାଳୟର ବୃହତ୍ ଓ ମୀମାଂସାତ୍ମକ ଭୂମିକା ବିଷୟରେ ବହୁତ କଥା କୁହାଯାଇଛି । “ପ୍ରାଥମିକ ଶ୍ରେଣୀଗୁଡ଼ିକରେ ଜ୍ଞାନର ଏକ ଦୃଢ଼ ମୂଳଦୁଆ ପଡ଼ିଥାଏ” ଏବଂ ପ୍ରାଥମିକ ଶ୍ରେଣୀଗୁଡ଼ିକ ହିଁ ସେହି ମୂଳଦୁଆଗୁଡ଼ିକର ମୂଳଦୁଆ ରୂପେ କାର୍ଯ୍ୟ କରନ୍ତି” ବୋଲି କୁହାଯାଇଛି । ମଝି ଓ ଉପର ଶ୍ରେଣୀମାନଙ୍କରେ ଯେତେବେଳେ ଶିକ୍ଷାଦାନର କ୍ଷେତ୍ରରେ ନାନା ଅଭାବ ଓ ପ୍ରମାଦ ପରିଲିକ୍ଷିତ ହୁଏ କିମ୍ବା ପିଲାମାନଙ୍କର ଜ୍ଞାନଗ୍ରହଣରେ ଉପରଠାଉରିଆ ଏବଂ କଞ୍ଚା ହୋଇ କ’ଣ ସବୁ ରହିଯାଇଛି ବୋଲି ଜଣା ପଡ଼ିଯାଏ, ସେତିକିବେଳେ ଉକ୍ତ ବାକ୍ୟଗୁଡ଼ିକର ପୁନରାବୃତ୍ତି କରି କୁହାଯାଇଥାଏ । ଆଗକୁ ରହିଥିବା ଅଧ୍ୟୟନ ଲାଗି ପିଲାମାନଙ୍କୁ ଆବଶ୍ୟକ ଜ୍ଞାନ ଓ କୌଶଳଗୁଡ଼ିକୁ ଦିଆଯାଇ ନଥାଏ ପ୍ରାଥମିକ ବିଦ୍ୟାଳୟକୁ ହିଁ ଦୋଷ ଦିଆଯାଏ ।

 

ହଁ, ଅଭିଜ୍ଞତା ମଧ୍ୟ କହୁଛି ଯେ, ପ୍ରକୃତରେ କିପରି ପାଠ ପଢ଼ିବାକୁ ହେବ, ପ୍ରାଥମିକ ବିଦ୍ୟାଳୟରେ ହିଁ ପିଲାମାନଙ୍କୁ ତାହା ସର୍ବପ୍ରଥମେ ଶିଖାଇବାକୁ ପଡ଼ିବ । ୟାନ୍ ଆମୋସ୍ କୋମେନସ୍କି (୧୫୯୨-୧୬୭୦), କେ.ଡି.ଉଶିନ୍‍ସ୍କି ଏବଂ ଏଫ୍,ଏ.ଡି. ଷ୍ଟରଭେକ୍ (୧୭୯୦-୧୮୬୬) ଠିକ୍ ଏହି ସମସ୍ୟାଟି ବିଷୟରେ ଲେଖିଥିଲେ । ଶିକ୍ଷିକାମାନଙ୍କର ଅଭିଜ୍ଞତା ମଧ୍ୟ ତାହାର ସମର୍ଥନ କରୁଛି । ପିଲାମାନଙ୍କ ନିଦା ଜ୍ଞାନ ଓ କୌଶଳଗୁଡ଼ିକର ଖାସ୍ ଏକ ଆୟତନ ଯୋଗାଇ ଦେବା ହେଉଛି ପ୍ରାଥମିକ ବିଦ୍ୟାଳୟର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ । ଅଧ୍ୟୟନର ସାମର୍ଥ୍ୟ ମଧ୍ୟରେ ଜ୍ଞାନ ହାସଲ କରିବା ସହିତ ସଂପୃକ୍ତ ଆହୁରି ଅନେକ କୌଶଳ ଅନ୍ତର୍ଭୁକ୍ତ ହୋଇ ରହିଛି: ପଢ଼ିବାର ସାମର୍ଥ୍ୟ, ଲେଖିବା ଶକ୍ତି, ପାରିପାର୍ଶ୍ୱିକ ପୃଥିବୀର ବସ୍ତୁଗୁଡ଼ିକ ଅବଲୋକନ କରିପାରିବାର ଶକ୍ତି, ଭାବିବା ଓ ନିଜର ଭାବନାକୁ ଶବ୍ଦରେ ପ୍ରକାଶ କରିବାର ଶକ୍ତି । ଏକ ଆଳଙ୍କାରିକ ଭାଷାରେ କହିଲେ, ଏହି ସାମର୍ଥ୍ୟଗୁଡ଼ିକ ରୂପକ ସାଧନ ବ୍ୟତୀତ ଜ୍ଞାନ ହାସଲ କରିବା ଅସମ୍ଭବ ।

 

ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପିଲାମାନଙ୍କୁ ପଢ଼ାଇବା ନିମନ୍ତେ, ନିଜକୁ ପ୍ରସ୍ତୁତ କରିବାକୁ ଯାଇ ପିଲାମାନେ କେଉଁ ସବୁ ବିଷୟକୁ ପୂର୍ଣ୍ଣ ଭାବରେ ଜାଣିବେ ଓ କ’ଣ ସବୁ ପ୍ରକୃତରେ କରିପାରିବେ, ମୁଁ ସେହିଗୁଡ଼ିକୁ ଖୋଜି ବାହାର କରିବାକୁ ଚେଷ୍ଟା କରିଥିଲି ।

 

ମାତ୍ର ଏହିସବୁ କାର୍ଯ୍ୟକୁ ଯେ ପ୍ରାଥମିକ ସ୍ତରରେ ହିଁ ଶେଷ କରିବାକୁ ହେବ, ସେକଥା ନୁହେଁ । ଆମେ ଗୋଟିଏ ମୁହୂର୍ତ୍ତ ସକାଶେ ମଧ୍ୟ ଭୁଲିଯିବା ନାହିଁ ଯେ, ପ୍ରାଥମିକ ବିଦ୍ୟାଳୟରେ ଆମେ ସାନ ପିଲାମାନଙ୍କୁ ହିଁ ପାଠ ପଢ଼ାଉଛୁ ।

 

ପ୍ରାଥମିକ ଶ୍ରେଣୀଗୁଡ଼ିକର ପିଲାମାନଙ୍କୁ ୭ରୁ ୧୧ ଯାଏ ବୟସ ହୋଇଥିବା ସମୟରେ ହିଁ ବ୍ୟକ୍ତିଟିଏ ଗଠିତ ହେବାର ପ୍ରକ୍ରିୟା ଲାଗି ରହିଥାଏ । ସେହି ପ୍ରକ୍ରିୟା ଯେ ପ୍ରାଥମିକ ଶ୍ରେଣୀଗୁଡ଼ିକୁ ଶେଷ କରିବା ସଙ୍ଗେ ସଙ୍ଗେ ଶେଷ ହୋଇଯାଏ ସେକଥା ନୁହେଁ । ମାତ୍ର ଠିକ୍ ଏହି ବର୍ଷଗୁଡ଼ିକରେ ହିଁ ମନୁଷ୍ୟଜୀବନର ସଘନତମ ଅଂଶଟିର ଗଠନ ହୋଇଥାଏ । ଏହି ସମୟଟିରେ ଭବିଷ୍ୟତରେ ସଫଳତାର ସହିତ ଶିକ୍ଷାର୍ଜନ କରିବା ନିମନ୍ତେ ଯାବତୀୟ ଜ୍ଞାନ ତଥା ସାମର୍ଥ୍ୟକୁ ସଂଗ୍ରହ କରି ପିଲା ଯେ ଆହୁରି ଆଗକୁ ରହିଥିବା ଅଧ୍ୟୟନଗୁଡ଼ିକ ଲାଗି ଆପଣାକୁ ପ୍ରସ୍ତୁତ କରିନେବ, କେବଳ ସେତିକି ନୁହେଁ, ସିଏ ଏକ ସମୃଦ୍ଧିଯୁକ୍ତ ଅନ୍ତର୍ଗତ ଜୀବନକୁ ମଧ୍ୟ ବଞ୍ଚୁଥିବ । ପ୍ରାଥମିକ ବିଦ୍ୟାଳୟର ସଂପୂର୍ଣ୍ଣ ପର୍ଯ୍ୟାୟରେ ପିଲାର ନୈତିକ, ବୌଦ୍ଧିକ, ସଂବେଗଗତ, ଶାରୀରିକ ଏବଂ ସୌନ୍ଦର୍ଯ୍ୟବୋଧଗତ ବିକାଶଗୁଡ଼ିକ ସାଧିତ ହେଉଥିବ; ମାତ୍ର ସିଏ କେବଳ ପାଠକୁ ଆୟତ୍ତ କରି, କେବଳ ଆଗମୀ କାଲି ପାଇଁ ପ୍ରସ୍ତୁତ ନହୋଇ ଯଦି ପ୍ରତ୍ୟେକ ଦିନ ଏକ ସମୃଦ୍ଧ ଜୀବନ ମଧ୍ୟ ବଞ୍ଚି ପାରୁଥିବ, ତେବେ ଯାଇ ସେଇ ବିକାଶଗୁଡ଼ିକ କେବଳ କେତେଟା ଫମ୍ପା କଥାରେ ପରିଣତ ହୋଇ ନଯାଇ ଏକ ବାସ୍ତବତା ହୋଇ ରହିପାରିବ ।

 

ଆମ ଦେଶର ବିଦ୍ୟାଳୟମାନଙ୍କରେ ପ୍ରାଥମିକ ସ୍ତରରେ ହଜାର ହଜାର ଅତ୍ୟନ୍ତ ନିପୁଣ ଶିକ୍ଷକ ରହିଛନ୍ତି । ଏବଂ ସେମାନଙ୍କ ମଧ୍ୟରେ ପ୍ରତ୍ୟେକେ ଯେ ପିଲା ନିମନ୍ତେ ଜ୍ଞାନ ଆଡ଼କୁ କେବଳ ଏକ ଆଲୋକ ରୂପେ କାର୍ଯ୍ୟ କରୁଛନ୍ତି ସେକଥା ନୁହେଁ, ସେମାନେ ଜଣେ ଜଣେ ଶିକ୍ଷାଦାତା ହୋଇ ରହିଛନ୍ତି, ସେହି ଶବ୍ଦଟିର ଯଥାର୍ଥ ଅର୍ଥରେ ଜୀବନର ଶିକ୍ଷକ ହୋଇ ରହିଛନ୍ତି । ରୁଷିଆ ଦେଶରେ ପ୍ରାଥମିକ ବିଦ୍ୟାଳୟ ସାଧାରଣ ମାଧ୍ୟମିକ ଶିକ୍ଷା ପାଇଁ ଏକ ଶକ୍ତିଶାଳୀ ଭୂମି ହୋଇ ରହିଛି । ମାତ୍ର, ଯେଉଁ ବହୁସଂଖ୍ୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ, ବିଶେଷତଃ ଆଠବର୍ଷିଆ ତଥା ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ରହିଥିବା ପ୍ରାଥମିକ ଶ୍ରେଣୀଗୁଡ଼ିକ ଯେ ତଥାପି ନାନା ଅତ୍ୟନ୍ତ ଗମ୍ଭୀର ଅଭାବରୁ ମୁକ୍ତ ହୋଇ ପାରିନାହାନ୍ତି, ଆମେ ସେହି ବିଷୟରେ ଆଦୌ ନୀରବ ରହିପାରିବା ନାହିଁ । କେତେକ ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପଢ଼ୁଥିବା ପିଲାମାନଙ୍କର ଅବସ୍ଥା ମୋତେ ଅବାଞ୍ଛନୀୟ ବୋଲି ଲାଗିଥାଏ । ସେଠାରେ ପିଲାର ପିଠି ଉପରେ ଏପରି ଗୋଟିଏ ବସ୍ତା ଲଦି ଦିଆଯାଇଛି, ଯାହା ଭିତରେ କି ଶିକ୍ଷକ ଅଧିକରୁ ଅଧିକ ସାମଗ୍ରୀ ଭର୍ତ୍ତି କରି ଦେବାକୁ ଚେଷ୍ଟା କରିଛି । ପିଲାଟି ସେହି ଅଖାଟିକୁ ବୋହି ଏକ ପୂର୍ବନିର୍ଣ୍ଣିତ ଗାର ପାଖକୁ ଅର୍ଥାତ୍ ମଧ୍ୟ ତଥା ଉଚ୍ଚତର ଶ୍ରେଣୀଗୁଡ଼ିକରେ ପଢ଼ିବାକୁ ଯିବ, - ଅଧିକାଂଶ ସମୟରେ ଶିକ୍ଷକଜୀବନର ତାତ୍ପର୍ଯ୍ୟ ଏବଂ ଛାତ୍ରଟିର କାର୍ଯ୍ୟ କହିଲେ କେବଳ ତାହାକୁ ହିଁ ବୁଝୁଛି ।

 

ପ୍ରାଥମିକ ବିଦ୍ୟାଳୟ ଛାତ୍ରକୁ ଜ୍ଞାନର ଏକ ଦୃଢ଼ ଆୟତନ ଅବଶ୍ୟ ଯୋଗାଇ ଦେବ । ସେହି ପ୍ରକ୍ରିୟା ମଧ୍ୟରେ ରହି ଯାଇଥିବା ପ୍ରତ୍ୟେକ ଅସ୍ପଷ୍ଟତା ଓ ଅନିଶ୍ଚିତତା କେବଳ ପ୍ରାଥମିକ ବିଦ୍ୟାଳୟକୁ ନୁହେଁ, ଅଧ୍ୟୟନର ପରବର୍ତ୍ତୀ ସୋପାନଗୁଡ଼ିକୁ ମଧ୍ୟ ଦୁର୍ବଳ କରି ପକାଇବ । ପିଲାମାନଙ୍କୁ ଜ୍ଞାନ, ସାମର୍ଥ୍ୟ ତଥା ବାସ୍ତବ କୌଶଳ ହିସାବରେ କ’ଣ ସବୁ ଦିଆଯିବ, ସେଗୁଡ଼ିକର ଏକ ନିର୍ଭୁଲ ଯୋଜନା ବ୍ୟତୀତ ଆଦୌ କୌଣସି ସ୍କୁଲ ସମ୍ଭବ ହେବ ନାହିଁ । ପ୍ରଥମ, ଦ୍ୱିତୀୟ ତଥା ପରବର୍ତ୍ତୀ ଶ୍ରେଣୀଗୁଡ଼ିକରେ ପିଲା କ’ଣ ସବୁ ନିୟମ ଓ ସଂଜ୍ଞାଗୁଡ଼ିକୁ ଯତ୍ନର ସହିତ ଭାବିବ ଏବଂ ମନେ ରଖିବ ଏବଂ ଶୁଦ୍ଧ ବନାନ ସହିତ କେଉଁସବୁ ଶବ୍ଦକୁ ଯଥାର୍ଥ ଭାବରେ ଲେଖିପାରିବ, ଅନେକ ସମୟରେ ଶିକ୍ଷକ ତାହାଉପରେ ଯେ ଯଥେଷ୍ଟ ଦୃଷ୍ଟି ଦେଇ ନଥାନ୍ତି, ବହୁତ ବିଦ୍ୟାଳୟରେ ଠିକ୍ ଏହି କ୍ଷେତ୍ରରେ ହିଁ ମୌଳିକ ସୁତ୍ରଗୁଡ଼ିକର ଘୋର ଅଭାବ ରହିଥାଏ । ପିଲାର ବୌଦ୍ଧିକ ବୋଝକୁ ଟିକିଏ ହାଲୁକା କରି ଦେବାର ଅଭିପ୍ରାୟରେ କେତେକ ଶିକ୍ଷକ ଏକଥାଟିକୁ ପାଶୋରି ଦିଅନ୍ତି ଯେ, ପିଲା ଯେ କେବଳ କେତୋଟି ବସ୍ତୁ ବିଷୟରେ ଜାଣିବ ଏବଂ ଆଗ୍ରହ ପ୍ରକାଶ କରିବ ତା’ନୁହେଁ, ସେଗୁଡ଼ିକୁ ସେ ଅବଶ୍ୟ ମୁଖସ୍ଥ କରିବ ଓ ସବୁଦିନ ପାଇଁ ମନେ ମଧ୍ୟ ରଖିବ । ଏବେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ଛାତ୍ରର ସାଧାରଣ ବିକାଶ ଯେ ଅଧ୍ୟୟନ ଏବଂ ଲାଳନପାଳନରେ ଏକ ବିଶେଷ ମହତ୍ତ୍ୱପୂର୍ଣ୍ଣ ଉପାଦାନ, ସେଥିରେ କୌଣସି ସନ୍ଦେହ ନାହିଁ; ମାତ୍ର ଯେଉଁ ମୌଳିକ ଜ୍ଞାନଟି ବ୍ୟତୀତ ଶକ୍ତି ଦୀର୍ଘସ୍ଥାୟୀ ସ୍ମରଣ ଶକ୍ତି ଓ ସାଧାରଣ ବିକାଶ ଆଦୌ ସମ୍ଭବ ହେବ ନାହିଁ, ସେଇଟି ମଧ୍ୟ ସମାନ ପରିମାଣରେ ମହତ୍ତ୍ୱପୂର୍ଣ୍ଣ, କାରଣ ସାଧାରଣ ବିକାଶ କହିଲେ ଜ୍ଞାନ ଉପରେ ସତତ ପ୍ରବୀଣତା ହାସଲ କରିବାକୁ ହିଁ ବୁଝାଇବ ଏବଂ ସେଥିପାଇଁ ଅଧ୍ୟୟନର ସାମର୍ଥ୍ୟ ଅର୍ଜନ କରିବା ମଧ୍ୟ ଏକାନ୍ତ ଆବଶ୍ୟକ ।

 

ପ୍ରାଥମିକ ବିଦ୍ୟାଳୟରେ ସମ୍ମୁଖୀନ ହେବାକୁ ପଡ଼ୁଥିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟର କ୍ଷେତ୍ରରେ କଦାପି ଭୁଲିଯିବା ଉଚିତ ନୁହେଁ ଯେ, ସେଠାରେ ଜଣେ ଶିକ୍ଷକ ଏପରି ଜଣେ ବ୍ୟକ୍ତିର ଦାୟିତ୍ୱକୁ ବହନ କରୁଛି ଯିଏକି ତା’ର ସ୍ନାୟୁଗତ ଅଭିବୃଦ୍ଧିର ଏକ କ୍ରିୟାଶୀଳ ପର୍ଯ୍ୟାୟ ମଧ୍ୟଦେଇ ଗତି କରୁଛି-। ପିଲାର ଜୀବନକୁ କଦାପି ଶିକ୍ଷକ ଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏପରି ଏକ ଜୀବନ୍ତ ସଂଗଠନ ବୋଲି ଆଦୌ ବିଚାର କରାଯିବ ନାହିଁ, ଯାହାକି ଜ୍ଞାନ ଆହରଣ କରିପାରୁଥିବ, ମନେ ରଖି ପାରୁଥିବ ଓ ତଥ୍ୟଗୁଡ଼ିକୁ ଜମା କରିପାରୁଥିବ । ସାତରୁ ଏଗାର ବର୍ଷର ପିଲାମାନଙ୍କର ମସ୍ତିଷ୍କ ଏକ ଦ୍ରୁତ ବିକାଶର ପ୍ରକ୍ରିୟା ମଧ୍ୟଦେଇ ଗତି କରୁଥାଏ । ଏବଂ, ସ୍ନାୟୁବିକ ଅଭିବୃଦ୍ଧିର ମଧ୍ୟ ଯତ୍ନ ନେବାକୁ ହେବ ବୋଲି ଯଦି ଶିକ୍ଷକ ପାସୋରି ଦିଏ, ମସ୍ତିଷ୍କର କୋଷଗୁଡ଼ିକୁ ବଳଶାଳୀ କରାଇବାକୁ ହେବ ବୋଲି ଭୁଲିଯାଏ, ତେବେ ଯାବତୀୟ ଅଧ୍ୟୟନ ପିଲାକୁ ପ୍ରକୃତରେ ଅଧିକ ମାନ୍ଦା ହିଁ କରି ପରାଇବ ।

 

ଅଧ୍ୟୟନ ଦ୍ୱାରା ଯେ ଅବିଚ୍ଛିନ୍ନ ଭାବରେ ଜ୍ଞାନକୁ ସଂଗ୍ରହ କରି ଆଣିବାର ପ୍ରକ୍ରିୟାରେ ଖାଲି ମନେ ରଖିବାର ଏକ ତାଲିମ୍‍କୁ ବୁଝାଇବ, ଯାହା ଫଳରେ କି ଘୋଷି ଘୋଷି ପିଲା ମାନ୍ଦା ଓ ଜଡ଼ବତ୍ ହୋଇଯିବ, ସେକଥା ଆଦୌ ନୁହେଁ । ସେକଥା ହେଉ ବୋଲି କେହି ଇଚ୍ଛା କରୁନଥାଏ ଏବଂ ତାହା ପିଲାର ସ୍ୱାସ୍ଥ୍ୟ ତଥା ମାନସିକ ବିକାଶ ଲାଗି କ୍ଷତିକାରକ ବି ହୋଇଥାଏ । ମୁଁ ଅଧ୍ୟୟନକୁ ପିଲାର ସମ୍ଭାବନାମୟ ଅନ୍ତର୍ଗତ ଜୀବନର ଏକ ଅଂଶରେ ପରିଣତ କରିବାକୁ ଚେଷ୍ଟା କରିଥିଲି, ଯାହାକି ତା’ର ବିକାଶରେ ସହାୟକ ହେବ ଏବଂ ତା’ର ମନକୁ ଅଧିକ ସମୃଦ୍ଧ କରିପାରିବ । ଖାଲି ଘୋଷିବାକୁ ପଡ଼ିବ ନାହିଁ, ମାତ୍ର ବୌଦ୍ଧିକ ଜୀବନଟି ପରିପୂର୍ଣ୍ଣ ଭାବରେ କ୍ରିୟାଶୀଳ ହୋଇ ରହିଥିବ; ସେମାନେ ଖେଳ ଖେଳିବେ, ପରୀଗଳ୍ପ, ସୌନ୍ଦର୍ଯ୍ୟ, ସଂଗୀତ, କଳ୍ପନା ଓ ସର୍ଜନାତ୍ମକତାର ପୃଥିବୀରେ ପ୍ରବେଶ କରିବେ, - ମୋ’ ପିଲାମାନଙ୍କ ସକାଶେ ଏହା ହିଁ ଶିକ୍ଷାଲାଭର ଧାରା ହୋଇ ରହିବ । ପିଲାମାନେ ସେହି ଜଗତରେ ଯାତ୍ରୀ ହେବେ, ଆବିଷ୍କାର କରୁଥିବେ ଏବଂ ସୃଷ୍ଟି କରିପାରୁଥିବେ, - ମୁଁ ସେହିପରି ଇଚ୍ଛା କରୁଥିଲି । ସେମାନେ ପର୍ଯ୍ୟବେକ୍ଷଣ କରିବେ, ଚିନ୍ତା କରିବେ, ଆଲୋଚନା କରିବେ, କର୍ମଜନିତ ଆନନ୍ଦକୁ ଅନୁଭବ କରିବେ ଏବଂ ନିଜର ସୃଜନଗୁଡ଼ିକ ପାଇଁ ଗୌରବ ଅନୁଭବ କରୁଥିବେ, ଲୋକମାନଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ଆନନ୍ଦ ସୃଷ୍ଟି କରିବେ ଏବଂ ସେହି ସର୍ଜନାତ୍ମକ ଆନନ୍ଦ ମଧ୍ୟରେ ପ୍ରକୃତି, ସଂଗୀତ ଏବଂ କଳାର ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ କରିପାରିବେ, ଏହି ସୌନ୍ଦର୍ଯ୍ୟରେ ନିଜର ଅନ୍ତର୍ଜଗତଟିକୁ ଧନଶାଳୀ କରିବେ, ଅନ୍ୟ ମନୁଷ୍ୟମାନଙ୍କର ସୁଖ ଓ ଦୁଃଖକୁ ନିଜ ହୃଦୟ ଭିତରେ ଅନୁଭବ କରିପାରିବେ । ସେମାନେ ସତେଅବା ଏମାନଙ୍କର ନିଜର ଲୋକ, ସେହିପରି ଭାବରେ ସେମାନଙ୍କର ଅବସ୍ଥାଗୁଡ଼ିକୁ ଗ୍ରହଣ କରିନେଉଥିବେ, ଏହିଗୁଡ଼ିକ ହିଁ ମୋ’ର ଶିକ୍ଷାଦର୍ଶ ହୋଇ ରହିଥିଲା । ଏହା ସହିତ ମୁଁ ସ୍ପଷ୍ଟ ଓ ସୁସଜ୍ଞାକୃତ ଲକ୍ଷ୍ୟଟିକୁ ମଧ୍ୟ ମନେ ରଖିଥିଲି : ପିଲାମାନେ ପ୍ରକୃତରେ କ’ଣ ସବୁ ଜାଣିବେ ? କେଉଁସବୁ ଶବ୍ଦକୁ ସେମାନେ ଲେଖିପାରିବେ ଓ ମୋଟେ ଭୁଲିବେ ନାହିଁ ? ଗଣିତର କେଉଁସବୁ ଧାରାକୁ ମୁଖସ୍ଥ କରି ରଖିବେ ? ଆନନ୍ଦ-ପାଠଶାଳା ଚାଲିଥିବା ସମୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାମାନେ ଭଲ କରି ଜାଣିବାର ଶବ୍ଦଗୁଡ଼ିକର ମୁଁ ଏକ ତାଲିକା କରି ରଖିଥିଲି ।

 

ପ୍ରଣାଳୀ, ପ୍ରକାର ଏବଂ ବୌଦ୍ଧିକ ଶ୍ରମର ଉପାୟଗୁଡ଼ିକ ଉପରେ ଦଖଲ ଅର୍ଜନ କରିବା ସମୟରେ ମୁଁ ଲାଳନପାଳନର ଅତ୍ୟନ୍ତ ମହତ୍ତ୍ୱ ରହିଛି ବୋଲି ଦେଖି ପାରିଥିଲି । ପ୍ରାଥମିକ ଶ୍ରେଣୀଗୁଡ଼ିକ ପ୍ରତି ବିଦ୍ୟାଳୟରେ ନିର୍ଦ୍ଦେଶକ ଓ ପରିଦର୍ଶକମାନେ ଯେପରି ଏକ କୃପାମିଶ୍ରିତ ମନୋଭାବ ପୋଷଣ କରିଥାନ୍ତି, ତାହା ମୋତେ ଭାରି ବ୍ୟଥିତ କରି ଦେଇଥିଲା । ପରିଦର୍ଶକ ସ୍କୁଲରେ ପହଞ୍ଚି ସବାଆଗ ମଝି, ଏବଂ ଉପର ଶ୍ରେଣୀଗୁଡ଼ିକ ବିଷୟରେ ଆଗ୍ରହ ଦେଖାଇବେ; ତଳ ଶ୍ରେଣୀମାନଙ୍କରେ ସତେ ଯେପରି ପିଲାଏ ଖେଳ ହିଁ ଖେଳୁଛନ୍ତି ଓ ସେଠାରେ ପ୍ରକୃତ ଶିକ୍ଷା ବୋଲି କିଛି ନାହିଁ, ସେହିପରି ମନୋଭାବ ଦେଖାଇବେ । ମାତ୍ର, ପିଲାମାନେ ଯେତେବେଳେ ପଞ୍ଚମ ଶ୍ରେଣୀରେ ଆସି ପହଞ୍ଚୁଥିଲେ, ପିଲାମାନେ ବି ବିଷୟଗୁଡ଼ିକର କ୍ଷେତ୍ରରେ କେତେ କମ୍ ଜାଣିଛନ୍ତି, ସେକଥା ଦେଖି ସେମାନଙ୍କର ସେହି ଢିଲା ମନୋଭାବ ଏକ ବିସ୍ମୟରେ ପରିଣତ ହୋଇ ଯାଉଥିଲା-

 

ସାନ ପିଲାଙ୍କୁ ନେଇ କାର୍ଯ୍ୟ ଆରମ୍ଭ କଲାବେଳେ ମୋ’ ଭିତରେ ସେପରି କୌଣସି କୋମଳ ଭାବପ୍ରବଣତା ନଥିଲା । ଦ୍ୱିତୀୟ ଶ୍ରେଣୀ ଶେଷ କରି ସେମାନଙ୍କୁ ସହଜ ଓ ସୁବୋଧ ଭାବରେ ପଢ଼ି ଶିଖିବାକୁ ହେବ । ସେମାନ ଦୃଶ୍ୟମାନ ଭାବରେ ସାନ ସାନ ବାକ୍ୟ ଏବଂ ଦୀର୍ଘ ବାକ୍ୟଗୁଡ଼ିକର ଅଂଶଗୁଡ଼ିକୁ ସମଗ୍ର ଭାବରେ ଅନ୍ଦାଜ କରିପାରୁଥିବେ । ପଠନକୁ ଭାବନା ଏବଂ ମାନସିକ ବିକାଶର ଏକ ଉତ୍ସ ବୋଲି କୁହାଯାଇପାରିବ । ପଠନକୁ ମୁଁ ଏପରି ଭାବରେ ଶିଖାଇବାକୁ ସ୍ଥିର କଲି, ଯେପରିକି ପିଲା ପଢ଼ିବା ସମୟରେ ଚିନ୍ତା ମଧ୍ୟ କରୁଥିବ । ଜ୍ଞାନ ହାସଲ କରିବାର କ୍ଷେତ୍ରରେ ପିଲାଙ୍କ ପାଇଁ ପଠନ ଏକ ଯଥାର୍ଥ ସାଧନ ରୂପେ ଅବଶ୍ୟ କାର୍ଯ୍ୟ କରୁଥିବ । ଏକ ଆତ୍ମିକ ଜୀବନର ଉତ୍ସଗୁଡ଼ିକ ପରି ପଠନ ମଧ୍ୟ ଏକ ସାଧନ ହୋଇ ରହିଥିବ ।

 

୧୯୫୨ ମସିହା ଶରତଋତୁ ଠାରୁ ଆରମ୍ଭ କରି ୧୯୫୬ ମସିହା ବସନ୍ତଋତୁ ପର୍ଯ୍ୟନ୍ତ ଚାରି ବର୍ଷର ସମୟଟିରେ ପ୍ରାଥମିକ ବିଦ୍ୟାଳୟର ଦୁଇ ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଐକ୍ୟ ସ୍ଥାପନ କରିବାରେ ମୁଁ କିପରି କାର୍ଯ୍ୟ କରିଥିଲି, ପରବର୍ତ୍ତୀ ଅଧ୍ୟାୟଟିରେ ମୁଁ ସେହିକଥା କହିବି । ପ୍ରଥମତଃ, ପିଲାମାନେ ବିଷୟଗୁଡ଼ିକରେ ଗଭୀର ଓ ଯଥାର୍ଥ ଜ୍ଞାନ ହାସଲ କରିବେ, ଦ୍ୱିତୀୟତଃ, ଘୋଷିବା ଆଦୌ ରହିବ ନାହିଁ ଏବଂ ପିଲାମାନଙ୍କର ସମ୍ଭବନାମୟ ଆତ୍ମିକ ଜୀବନ ପାଇଁ ଓ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସକଳ ଯତ୍ନ ମଧ୍ୟ ନିଆଯିବ ।

Image

 

Unknown

ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ଏବଂ ପୁନର୍ବାର ସ୍ୱାସ୍ଥ୍ୟ

 

ଏଠାରେ ପୁନର୍ବାର କହିବାରେ ମୁଁ ମୋଟେ କୁଣ୍ଠିତ ହେବି ନାହିଁ ଯେ, ପିଲାର ସ୍ୱାସ୍ଥ୍ୟ ବିଷୟରେ ଯତ୍ନ ନେବା ହେଉଛି ଜଣେ ଶିକ୍ଷକର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଗୋଟିଏ ପିଲାର ଆତ୍ମିକ ଜୀବନଗୁଡ଼ିକ, ବିଶ୍ୱଦୃଷ୍ଟିଗୁଡ଼ିକ, ତା’ର ଯଥାର୍ଥ ଜ୍ଞାନ ଏବଂ ଆତ୍ମବିଶ୍ୱାସ, - ଏହି ସବୁକିଛି ତା’ର ପ୍ରସନ୍ନ ରହିବା ଉପରେ ନିର୍ଭର କରେ । ମୋ’ ପିଲାମାନଙ୍କର ପ୍ରଥମ ଚାରିବର୍ଷର ଅଧ୍ୟୟନ ସମୟରେ ସେମାନଙ୍କ ବିଷୟରେ ରହିଥିବା ମୋ’ର ଯାବତୀୟ ଚିନ୍ତା ଏକ ଭାବନାର ପରିମାଣକୁ ଯଦି ମାପିବାକୁ ଉଦ୍ୟମ କରାଯାଏ, ତେବେ ସେଗୁଡ଼ିକର ଅଧିକରୁ ବେଶୀକୁ ସ୍ୱାସ୍ଥ୍ୟସମ୍ବନ୍ଧିତ ବୋଲି କୁହାଯିବ ।

 

ପରିବାର ସହିତ ନିରନ୍ତର ସଂପର୍କ ନରଖି ପାରିଲେ ପିଲାର ସ୍ୱାସ୍ଥ୍ୟ ବିଷୟରେ ଯତ୍ନ ନେବା ଆଦୌ ସମ୍ଭବ ହେବ ନାହିଁ । ବିଶେଷତଃ ସ୍କୁଲର ପ୍ରଥମ ଦୁଇବର୍ଷ ଭିତରେ ମୁଁ ପରିବାରଗୁଡ଼ିକ ସହିତ ଯେତେ ଯାହା କଥାବାର୍ତ୍ତା ହୋଇଥିଲି, ସେଗୁଡ଼ିକ ମଧ୍ୟରୁ ଅତ୍ୟନ୍ତ ଅଧିକାଂଶ ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ହିଁ ଥିଲା । ବାପାମାଆମାନଙ୍କୁ ମୁଁ ବୁଝାଇ କହି ଦେଇଥିଲି ଯେ ପିଲାମାନଙ୍କୁ ଘର ପାଇଁ କୌଣସି ପାଠ ଦିଆଯିବ ନାହିଁ । ଶ୍ରେଣୀରେ ପାଠପଢ଼ା ହେଉଥିବା ସମୟରେ ହିଁ ସେମାନେ ଧାରା ଓ ସଜ୍ଞାଗୁଡ଼ିକୁ କଣ୍ଠସ୍ଥ କରି ରଖୁଥିବେ । ଘରେ ସେମାନେ କେବଳ ଉହାଦରଣମାଳାକୁ ସଂପୂର୍ଣ୍ଣ କରିବେ, ଯାହାଦ୍ୱାରା କି ପଢ଼ିଥିବା ବିଷୟଟି ଉପରେ ସେମାନଙ୍କ ବୁଝିବା ଅଧିକ ଗଭୀର ହୋଇପାରିବ । ତା’ଛଡ଼ା ସେମାନେ ପଢ଼ିବେ, ଆଙ୍କିବେ, ପ୍ରକୃତିର ପର୍ଯ୍ୟବେକ୍ଷଣ କରିବେ, ପାରିପାର୍ଶ୍ୱିକ ପୃଥିବୀର ବସ୍ତୁ ଓ ଘଟଣାବଳୀ ବିଷୟରେ କ୍ଷୁଦ୍ର ରଚନାମାନ ଲେଖିବେ ଏବଂ ଯେଉଁ କବିତାଗୁଡ଼ିକ ଭଲ ଲାଗୁଥିବ, ସେଗୁଡ଼ିକୁ ମୁଖସ୍ଥ କରି ପକାଇବେ । ଘର ପାଠ ଆଦୌ କ୍ଳାନ୍ତିକର ହେବ ନାହିଁ, - ମାତ୍ର ତାହାକୁ ଏକାବେଳେକେ ବାଦ୍ ଦେବା ମଧ୍ୟ ସମ୍ଭବ ହେବନାହିଁ । ଆମେ କଦାପି ଯୁକ୍ତିଯୁକ୍ତ ଭାବରେ ଦାବି କରିପାରିବା ନାହିଁ ଯେ, ଯେହେତୁ ଅଧ୍ୟୟନର ପ୍ରଣାଳୀଗୁଡ଼ିକ କ୍ରମେ ସମ୍ପୂର୍ଣ୍ଣ ଭାବରେ ନିପୁଣ ହୋଇ ଆସିଲେଣି, ପିଲାମାନେ ଶ୍ରେଣୀ ବାହାରେ ଆଉ କୌଣସି ପାଠବିଷୟକ କାମ କରିବେ ନାହିଁ । ଏପରି ଯୁକ୍ତି ଅଧ୍ୟୟନର ଲକ୍ଷ୍ୟ ଏବଂ ନିୟମଗୁଡ଼ିକୁ ଆଦୌ ପ୍ରତିଫଳିତ କରେ ନାହିଁ, କାରଣ ପିଲାର ସବୁଯାକ ବୌଦ୍ଧିକ ଶ୍ରମକୁ କଦାପି ଲଗାତାର ତିନି ବା ଚାରିଘଣ୍ଟା ଭିତରେ ସଂକେନ୍ଦ୍ରିତ କରି ରଖିହେବ ନାହିଁ ।

 

ପିଲାଏ ଅଧିକ ସମୟ କୋଠରୀ ବାହାରେ କଟାଇବେ, ଶୀଘ୍ର ଶୋଇବେ, ଶୀଘ୍ର ଉଠିବେ ଏବଂ ଝରକା ଖୋଲା ରଖି ଶୋଇବେ, - ଏସବୁ ବିଷୟରେ ଧ୍ୟାନ ଦେବା ପାଇଁ ବାପାମାଆମାନେ ପ୍ରତିଶ୍ରୃତି ଦେଇଥିଲେ । ହଁ, ପୂରା ଗ୍ରୀଷ୍ମଋତୁ, ଶରତ ଋତୁର ଶୀତ ପଡ଼ିନଥିବା ସମୟ ଏବଂ ବସନ୍ତ ଋତୁରେ ପିଲାମାନେ ବାହାରେ ହିଁ ଶୋଇବେ, - ଏକଥାରେ ମୁଁ ବାପାମାଆମାନଙ୍କ ସହିତ ଏକମତ ହୋଇଥିଲି । ବାପାମାଆମାନେ ଖଳାଘରର ଛାତ ତଳେ ଶୋଇବା ସକାଶେ କୁଟା ଉପରେ ଏପରି ଗୋଟିଏ ଗୋଟିଏ “ଶୟନ-ସ୍ଥାନ” ତିଆରି କରିଦେଲେ, ଯେଉଁଠାରେ ବର୍ଷାରୁ ରକ୍ଷା ମିଳି ପାରୁଥିବ । ଏଇଟା ପିଲାମାନଙ୍କୁ ଭାରି ଭଲ ଲାଗିଥିଲା । ଯେଉଁ ପରିବାରଗୁଡ଼ିକର ପିଲା ସ୍କୁଲରେ ପଢ଼ୁଥିଲେ, ସେମାନଙ୍କ ଦୁଆରେ ଗୋଟିଏ ଗ୍ରୀଷ୍ମନିବାସ ତିଆରି ହୋଇଗଲା, ଯେଉଁଠାରେ କି ପିଲାମାନେ ପଢ଼ି ପାରିଲେ, ଛବି ଆଙ୍କି ପାରିଲେ ଏବଂ ଖେଳିବି ପାରିଲେ । ବେଶ୍ କେତେ ବର୍ଷ ପୂର୍ବରୁ ମୁଁ ଏହି ବିଷୟରେ ବାପାମାଆଙ୍କ ସହିତ ରାଜି ହୋଇ ସାରିଥିଲି । ବଡ଼ ବୟସର ସ୍କୁଲପିଲାଏ ଏହି ପ୍ରକଳ୍ପରେ ସାହାଯ୍ୟ କରିଥିଲେ ।

 

ଆନନ୍ଦ-ପାଠଶାଳା ବେଳରୁ ହିଁ ପିଲାମାନଙ୍କର ସକାଳୁ ବ୍ୟାୟାମ କରିବା ବିଷୟରେ ଅଭ୍ୟସ୍ତ ହୋଇ ସାରିଥିଲା । ବର୍ତ୍ତମାନ ମୁଁ ତାହାକୁ ଏପରି ଏକ ବ୍ୟବସ୍ଥାରେ ଆଣି ପକାଇଲି, ଯାହା ଦ୍ୱାରା କି ଅଭ୍ୟାସଟି ଆଦୌ ବନ୍ଦ ହୋଇଯିବ ନାହିଁ । ମୁଁ ଭଲ ଭାବରେ ଜାଣିଥିଲି ଯେ, ବ୍ୟାୟାମ କରିବାର ଅଭ୍ୟାସଟା ଏକାବେଳେକେ ପିଲାଦିନରୁ ହିଁ ଦୃଢ଼ ହୋଇଯିବା ଦରକାର । ବାପାମାଆମାନେ ପିଲାମାନଙ୍କୁ ସବୁଦିନ ଏକା ସମୟରେ ଉଠିବାକୁ ଶିକ୍ଷା ଦେଇଥିଲେ । ମୁକ୍ତ ବାୟୁରେ ବ୍ୟାୟାମ କରିସାରି ପିଲାଏ ସ୍ନାନ କରିବାକୁ ଯାଇଥିଲେ । ଖରାଦିନେ ପୋଖରୀରେ ଗାଧୋଉଥିଲେ ଏବଂ ଅନେକେ ବାପାମାଆ ଦୁଆରେ ବା ବଗିଚାରେ ବର୍ଷଣସ୍ନାନର ବ୍ୟବସ୍ଥା ବି କରିଦେଲେ, ଯେଉଁଠାରେ କି ମଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷର ପାଞ୍ଚମାସ ପିଲାମାନେ ସ୍ନାନ କରିପାରୁଥିଲେ । ଏଇଟି ସେମାନଙ୍କର ଏପରି ଏକ ଅଭ୍ୟାସରେ ପରିଣତ ହୋଇଗଲା ଯେ, ଶୀତମାସଗୁଡ଼ିକରେ ମଧ୍ୟ ପିଲାମାନେ ଅଣ୍ଟା ଉପରକୁ ଗାଧୋଇ ପଡ଼ୁଥିଲେ । ଅବଶ୍ୟ ଘର ଭିତରେ ।

 

ଯେଉଁମାନଙ୍କ ପାଇଁ ନିହାତି ଦରକାର ହେଉଥିଲା, ଟିନା, ଟୋଲ୍ୟା, ଲାରିସା, ନିନା ଓ ସାଶା ଓ ସ୍ଲାଭା-ଏମାନଙ୍କ ପାଇଁ ବାପାମାଆମାନଙ୍କର ସାହାଯ୍ୟରେ ବାହାରେ ଛଅଗୋଟି ବର୍ଷଣସ୍ନାନର ନିର୍ମାଣ ହୋଇ ଯାଇଥିଲା । ଏହି ଯେଉଁ ପିଲାମାନଙ୍କର କୌଣସି ପ୍ରକାରର ଶାରୀରିକ ଅସୁବିଧା ରହିଥିଲା, ଉଦାହରଣ ସ୍ୱରୂପ, ଦେହ ବା ମୁହଁ ବଙ୍କା ଥିଲା କିମ୍ବା ସମାନୁପାତିକ ନଥିଲା, ସେମାନେ ଜିମ୍‍ନାଷ୍ଟିକ୍ କରିବେ ଓ ଶାୱାରରେ ଗାଧୋଇବେ ବୋଲି ମୁଁ ବିଶେଷ ଦୃଷ୍ଟି ଦେଇଥିଲି । ଖାଲି ସୁସ୍ଥ ହେବା ତ ଯଥେଷ୍ଟ ନୁହେଁ, ଦେହଟି ଆକର୍ଷକ ମଧ୍ୟ ହୋଇଥିବା ଆବଶ୍ୟକ ଏବଂ ଆକର୍ଷକତାକୁ କଦାପି ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶରୀର ରଚନାର ସୌଷମ୍ୟ ଠାରୁ ଅଲଗା କରି ଦେଖି ହେବନାହିଁ । ଶରୀରର ବିଭନ୍ନ ଅଙ୍ଗ ଯେପରି ସୁଷମ ଓ ସମାନୁପାତିକ ହୋଇ ବୃଦ୍ଧି ପାଇବେ, ପିଲାଦିନେ ଜଣେ ଖାଉଥିବା ଖାଦ୍ୟ ଉପରେ ତାହା ନିର୍ଭର କରିଥାଏ; ହାଡ଼ ବିଶେଷତଃ ଛାତିହାଡ଼ର ଅଭିବୃଦ୍ଧି ମଧ୍ୟ ଆଂଶିକ ଭାବରେ ନିର୍ଭର କରେ । ବହୁବର୍ଷର ପର୍ଯ୍ୟବେକ୍ଷଣରୁ ଜଣାଯାଏ ଯେ, ଆମେ ଗ୍ରହଣ କରୁଥିବା ଖାଦ୍ୟରେ ଯଦି ଖଣିଜ ଉପାଦାନ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ପଦାର୍ଥର ଅଭାବ ରହିଥାଏ, ତେବେ ଅସ୍ଥିଗଠନର କେତେକ ଅଂଶ ଆଦୌ ଅନୁପାତ ମୁତାବକ ବୃଦ୍ଧି ପାଏନାହିଁ ଏବଂ ତେଣୁ, ଜୀବନର ଅବଶିଷ୍ଟ କାଳଟି ନିମନ୍ତେ ଗତିଶୀଳତା ବାଧାପ୍ରାପ୍ତ ହୋଇଥାଏ । ଯେପରି ଏସବୁ ଭୋଗିବାକୁ ନପଡ଼େ, ସେଥିପାଇଁ ପିଲାମାନଙ୍କୁ ଆବଶ୍ୟକ ସକଳ ଜୀବସାର ରହିଥିବା ଖାଦ୍ୟ ମିଳିବା ଉପରେ ଓ ଜୀବସାର ତଥା ଖଣିଜ ଉପାଦାନଗୁଡ଼ିକର ଯଥାର୍ଥ ସମ୍ମିଶ୍ରଣ ହୋଇଥିବା ଦିଗରେ ମୁଁ ବିଶେଷ ଧ୍ୟାନ ଦେଇଥିଲି । ଏକାଧିକ ବର୍ଷର ପର୍ଯ୍ୟବେକ୍ଷଣ ଏବଂ ବିଶେଷ ଗବେଷଣାରୁ ଏହି ଭୟାନକ ତଥ୍ୟଟି ଉପଲବ୍ଧ ହୋଇଛି: ସାନ ପିଲାଙ୍କର ଶତକଡ଼ା ୨୫ ଭାଗ ସ୍କୁଲ ଯିବା ଆଗରୁ କିଛି ଖାଇ ଯାଆନ୍ତି ନାହିଁ, - ସେମାନେ ସକାଳୁ କିଛି ଖାଇବାକୁ ଇଚ୍ଛା କରନ୍ତି ନାହିଁ । ସକାଳେ ଯେତିକି ଖାଦ୍ୟ ପେଟକୁ ଯିବା ଆବଶ୍ୟକ, ଶତକଡ଼ା ୩୦ ପିଲା ତାହାର ଅଧିକରୁ କମ୍ ଖାଆନ୍ତି, ଶତକଡ଼ା ୨୩ ଅଧା ଖାଆନ୍ତି ଓ କେବଳ ୨୨ ଠିକ୍ ଭାବରେ କିଛି ଖାଇଥାନ୍ତି । ଶ୍ରେଣୀରେ ଏକାଧିକ ଘଣ୍ଟା ବସିବା ଫଳରେ କିଛି ନଖାଇ ଆସିଥିବା ପିଲାର ପାକସ୍ଥଳୀ ଗର୍ଜନ କରିବାକୁ ଆରମ୍ଭ କରେ ଓ ମୁଣ୍ଡ ବୁଲାଏ । ଘରକୁ ଫେରିବା ବେଳକୁ ପିଲା ଘଣ୍ଟା ଘଣ୍ଟା ଧରି କିଛି ଖାଇ ନଥାଏ, ମାତ୍ର ସେତେବେଳକୁ ସେମାନେ ଖାଇବା ଲାଗି ସ୍ୱାଭାବିକ ଏବଂ ସୁସ୍ଥ ରୁଚି ମଧ୍ୟ ଅନୁଭବ କରୁନଥାନ୍ତି (ବାପାମାଆ ଅନେକ ସମୟରେ ଅଭିଯୋଗ କରନ୍ତି ଯେ, ପିଲାମାନେ ସରଳ ପୁଷ୍ଟିଦାୟକ କୌଣସି ଖାଦ୍ୟ-ଝୋଳ, ଜାଉ, କଢ଼ି କିମ୍ବା କ୍ଷୀର ଖାଇବାକୁ ଇଚ୍ଛା କରନ୍ତି ନାହିଁ, ସେମାନେ “ସୁଆଦ ଲାଗୁଥିବା” କିଛି ଜିନିଷ ଖାଇବାକୁ ଚାହାନ୍ତି ।)

 

ଭୋକ ନହେବା ହେଉଛି ଉତ୍ତମ ସ୍ୱାସ୍ଥ୍ୟର ଗୋଟିଏ ଭୟଙ୍କର ଅନର୍ଥସୃଷ୍ଟିକାରୀ ଲକ୍ଷଣ, ବହୁ ଅସୁସ୍ଥତା ଏବଂ ବେମାରିର ମୂଳ କାରଣ; ଏହାର ପ୍ରଧାନ କାରଣ ହେଉଛି, ପିଲାମାନଙ୍କୁ ଦୀର୍ଘ ଅନେକ ଘଣ୍ଟା ଧରି ଅଣନିଃଶ୍ୱାସୀ କରି ଦେଉଥିବା ଶ୍ରେଣୀଘର ଭିତରେ ବସିବାକୁ ପଡ଼େ, ନୀରସ ମାନସିକ ଶ୍ରମ କରିବାକୁ ହୁଏ, ମୁକ୍ତ ବାୟୁରେ ବିଭିନ୍ନ ପ୍ରକାରେ ସକ୍ରିୟ ହୋଇ ରହିବାର କୌଣସି ସୁଯୋଗ ନଥାଏ । ସେମାନେ “ମୁକ୍ତ ବାୟୁ” ପାଇଁ ଭୋକିଲା ହୋଇ ରହିଥାନ୍ତି । ଦିନସାରା ସିଏ ଅଙ୍ଗାରକାମ୍ଳ ଭରି ରହିଥିବା ବାୟୁ ଗ୍ରହଣ କରେ । ବର୍ଷ ବର୍ଷର ପର୍ଯ୍ୟବେକ୍ଷଣ ମୋତେ ଆହୁରି ଏକ ପ୍ରତିକୂଳ ତଥ୍ୟ ଆଣି ବି ଦେଇ ଯାଇଛି । ଅଙ୍ଗାରକାମ୍ଳ ଭରି ରହିଥିବା ଗୋଟିଏ ଘର ଭିତରେ ଦୀର୍ଘକାଳ ରହିବା ଫଳରେ ପିଲାର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ବହୁତ କ୍ଷତିଗ୍ରସ୍ତ ହୁଏ, ଏବଂ ତା’ଫଳରେ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏହିସବୁ ବେରାମ ସହଜରେ ଯାଏ ନାହିଁ, ଭଲ ମଧ୍ୟ ହୁଏ ନାହିଁ । ପାଚନସମ୍ବନ୍ଧୀ ଅଙ୍ଗାଶଗୁଡ଼ିକ ଏପରି ତିଆରି ହୋଇଛନ୍ତି ଯେ, ବାପାମାଆମାନେ ଅନେକ ସମୟରେ ନାନା ପ୍ରକାରର ମିଠାଇ ପ୍ରଭୃତି ସୁସ୍ୱାଦୁ ପଦାର୍ଥ ଦେଇ ପିଲାର କ୍ଷୁଧାକୁ ସୃଷ୍ଟି କରିବାକୁ ଇଚ୍ଛା କରିଥାନ୍ତି । “ମୁକ୍ତବାୟୁ”କୁ ଏଡ଼ାଇ ରଖିବା ନିମନ୍ତେ ମୁକ୍ତ ବାୟୁର ଯଥେଷ୍ଟ ପରିସର ସୃଷ୍ଟି କରି ରଖିବାକୁ ହୁଏ । ଏବଂ, ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଲାଗି ଏହାକୁ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି କୁହାଯିବ ।

 

ପିଲାମାନଙ୍କ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଭୋଜନ ପ୍ରସ୍ତୁତ କରିବା ପାଇଁ ଓ ଶୀତଦିନ ନିମନ୍ତେ ଅଧିକ ଜୀବସାର ରହିଥିବା ଅଧିକ ଫଳ ସାଇତି ରଖିବାକୁ ମୁଁ ବାପାମାନଙ୍କୁ ପରାମର୍ଶ ଦେଇଥିଲି । ସେତେବେଳେ ଆମର ବି କେତୋଟି ମହୁଫେଣା ଥିଲା, ତେଣୁ ଆମେ ବିଦ୍ୟାଳୟର ଭୋଜନଶାଳାରେ ପିଲାମାନଙ୍କୁ ଶୀତଦିନେ ମହୁ ଦେଇପାରିଲୁ ।

 

ପିଲାମାନେ ଅଧିକ ସମୟ ବାହାରେ ରହୁଥିଲେ, ଖୁବ୍ ବୁଲାବୁଲି କରୁଥିଲେ, ଶାରୀରିକ ଶ୍ରମ କରୁଥିଲେ ଓ ଶ୍ରେଣୀର ପାଠ ଶେଷ ହେବା ପରେ ସାଙ୍ଗେ ସାଙ୍ଗେ ପୁଣି ପଢ଼ାରେ ଯାଇ ବସୁ ନଥିଲେ, - ତେଣୁ ସେମାନଙ୍କୁ ଭୋକ କରୁଥିଲା । ସବୁପିଲା ସକାଳେ ଯଥେଷ୍ଟ ଭୋଜନ କରି ଆସୁଥିଲେ ଏବଂ ସ୍କୁଲକୁ ଆସିବାର ତିନିଘଣ୍ଟା ପରେ (ପାଠପଢ଼ା ଆରମ୍ଭ ହେବାର ଅଢ଼େଇ ଘଣ୍ଟା ପରେ) ସ୍କୁଲର ଭୋଜନଶାଳାରେ ମଧ୍ୟାହ୍ନ ଭୋଜନ କରୁଥିଲେ । ସେମାନଙ୍କୁ ଗରମ ସୁପ୍ ବା ଜାଉ ଦିଆଯାଉଥିଲା, ତା’ସହିତ ମାଂସ, କଟଲେଟ୍, ଗିଲାସେ କ୍ଷୀର, ପାଉଁରୁଟି ଏବଂ ଲହୁଣୀ ମଧ୍ୟ ମିଳୁଥିଲା । ପାଠ ସାରି ସେମାନେ ଘରକୁ ଯାଇ ଭୋଜନ କରୁଥିଲେ (ମଧ୍ୟାହ୍ନଭୋଜନର ତିନି ବା ସାଢ଼େ ତିନିଘଣ୍ଟା ପରେ) ।

 

ଦିନର ଦ୍ୱିତୀୟ ଭାଗଟି ପିଲାମାନେ ବାହାରେ କାଟୁଥିଲେ, ଘରେ ହେଉ ଅଥବା ବିଦ୍ୟାଳୟରେ ହେଉ । ଖାଲି ବର୍ଷା ହେଲେ କିମ୍ବା ବରଫ ପଡ଼ିଲେ ସେମାନଙ୍କୁ ଘର ଭିତରେ ରହିବାକୁ ହେଉଥିଲା ।

 

ପିଲାର ସୁସମଞ୍ଜସ ବିକାଶ ସହିତ ସବୁକିଛି ପରସ୍ପର-ସମ୍ବନ୍ଧିତ ହୋଇ ରହିଥାଏ । ପିଲାକୁ ଘର ପାଇଁ କିପରି ପାଠ ଦିଆଯାଉଛି ଓ ସିଏ ତାକୁ କିପରି ଓ କେତେବେଳେ କରୁଛି, ଉତ୍ତମ ସ୍ୱାସ୍ଥ୍ୟ ସେଇଟି ଉପରେ ମଧ୍ୟ ନିର୍ଭର କରୁଥାଏ । ସେ ଘରେ ନିଜେ ନିଜେ କରୁଥିବା ବୌଦ୍ଧିକ କାର୍ଯ୍ୟ ସହିତ ରହିଥିବା ସଂବେଗଗତ ଅନୁରଞ୍ଜନର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି-। ଯଦି ପିଲାଟିର ନିଜ ପଢ଼ାରେ ଉତ୍ସାହ ନଥାଏ, ତେବେ ତାହା ପିଲାର ଅନ୍ତରବଳଟିକୁ ଯେ ଶୋଷି ନେଇଯାଏ ତା’ନୁହେଁ, ଅନ୍ତର୍ଗତ ଅବୟବଗୁଡ଼ିକର ପାରସ୍ପରିକ ନିର୍ଭରଶୀଳତାର ଜଟିଳ ବ୍ୟବସ୍ଥାଟି ଉପରେ ମଧ୍ୟ ତାହାର ପ୍ରଭାବ ପଡ଼େ । ମୁଁ ଏପରି ଅନେକ ଦୃଷ୍ଟାନ୍ତ ଦେଖିଛି, ଯେଉଁଠାରେ କି ପିଲାର ପାଠପଢ଼ା ପ୍ରତି ତୀବ୍ର ଘୃଣାଭାବ ରହିଥାଏ ଏବଂ ତାହା ଫଳରେ ତାହାର ହଜମକ୍ରିୟା ଅତ୍ୟନ୍ତ ବାଧାପ୍ରାପ୍ତ ହୁଏ ଏବଂ ପରିଣାମତଃ କୌଣସି ନା କୌଣସି ପେଟରୋଗ ଆସି ଦେଖା ଦେଇଥାଏ ।

 

ଆମେ ଆମର ଶରତ, ବସନ୍ତ ଓ ଶୀତଋତୁର ଛୁଟିଗୁଡ଼ିକୁ ସର୍ବଦା ବାହାରେ ପ୍ରକୃତି ଭିତରେ କଟାଉଥିଲୁ । କୁଆଡ଼େ ବୁଲି ଯାଉଥିଲୁ, ବିଶ୍ରାମ ନେଉଥିଲୁ, ଜଙ୍ଗଲରେ ରହୁଥିଲୁ ବା ଖେଳ ଖେଳୁଥିଲୁ । ....ଆମର ସର୍ବପ୍ରଥମ ଶୀତଛୁଟିରେ ପିଲାମାନେ ଗୋଡ଼ରେ ସ୍ଳି ଲଗାଇ ଜଙ୍ଗଲକୁ ଯାଇଥିଲେ ଏବଂ ବରଫରେ ଖସୁଥିଲେ । ଆନନ୍ଦ-ପାଠଶାଳା ପରି ଏହି ଛୁଟିରେ ମଧ୍ୟ ଆମେ ଗୋଟିଏ ବରଫଦୁର୍ଗ ଓ ଗୋଟିଏ ବରଫ-ଚକ ତିଆରି କରିଥିଲୁ । ପିଲାମାନେ ଯେତେବେଳେ ତରୁଣ ଅଗ୍ରଗାମୀ ଦଳରେ ଯୋଗ ଦେଲେ, ସେତେବେଳେ ସେମାନଙ୍କ ଦଳର ସବୁଠାରୁ ଅଧିକ ଆକର୍ଷକ ବୈଠକଗୁଡ଼ିକ ଜଙ୍ଗଲରେ ହିଁ ହେଉଥିଲା ।

 

ଆମେ ଶୀତକାଳରେ ବାହାରେ କରୁଥିବା କାମ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ କାରଣ ରୂପେ କାର୍ଯ୍ୟ କରୁଥିଲା । ସାଧାରଣ ହିମସମୟ (-୧୦ପର୍ଯ୍ୟନ୍ତ) ଆଠବର୍ଷର ପିଲାଏ ସପ୍ତାହରେ ଥରେ ଦୁଇଘଣ୍ଟା ପାଇଁ, ନଅ ଆଉ ଦଶ ବର୍ଷର ପିଲାମାନେ ତିନିଘଣ୍ଟା ପାଇଁ ଏବଂ ଏଗାର ବର୍ଷର ପିଲାମାନେ ଚାରିଘଣ୍ଟା ସକାଶେ କାମ କରୁଥିଲେ । ସେମାନେ ଗଛର ଗଣ୍ଡିଗୁଡ଼ିକୁ ବେତ ଦେଇ ବାନ୍ଧୁଥିଲେ । ଗଛଗୁଡ଼ିକୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଚକ ଥିବା ସାନ ସାନ ଗାଡ଼ିରେ ବରଫ ବୋହି ଆଣୁଥିଲେ, ଇତ୍ୟାଦି, ଇତ୍ୟାଦି । ତଟକା ପବନରେ ଏହିପରି କାମ କରିବା ଦ୍ୱାରା ସେମାନଙ୍କ ଶରୀର ଟାଣ ହେଉଥିଲା ଓ ସେମାନଙ୍କୁ ଆଉ ଥଣ୍ଡା ଧରୁ ନଥିଲା ।

 

ପଡ଼ିଆ, ବିଲ ଆଉ ଜଙ୍ଗଲ ଆଡ଼େ ବୁଲିବାକୁ ଯାଇ ପିଲାମାନଙ୍କର ଗ୍ରୀଷ୍ମଛୁଟିଟି କଟିଥିଲା । ପ୍ରକୃତି ସହିତ ପ୍ରତ୍ୟକ୍ଷ ସଂପର୍କରେ ରହି ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହିତ ବୌଦ୍ଧିକ ବିକାଶ ମଧ୍ୟ ହୋଇପାରିଲା । ପ୍ରଥମ ବର୍ଷଟି ଶେଷ କରି ପିଲାଏ ଅଗଷ୍ଟ ମାସଟା କୋଠକ୍ଷେତର ବଗିଚା ଓ ମହୁମାଛିପାଳନ ବିଭାଗରେ କଟାଇଥିଲେ । ଦ୍ୱିତୀୟ ଶ୍ରେଣୀ ପରେ କୋଠକ୍ଷେତର ତରଭୁଜ କିଆରୀରେ ରହିଥିଲେ ।

 

ଅଗଷ୍ଟ ମାସରେ ପ୍ରକୃତି ଆପଣାର ଦାନଗୁଡ଼ିକ ବିଷୟରେ ଅତ୍ୟନ୍ତ ଉଦାର ହୋଇଯାଏ; ଚାରିଆଡ଼େ ଫୁଲ ଫୁଟି କେତେ ସୁନ୍ଦର ଦିଶୁଥାଏ, - ସତେଅବା ପର୍ବଟିଏ ପାଳୁଥିବା ପରି ଶ୍ରମ କରିବାର ବେଳ ଆସିଯାଏ । ସେହି ସମୟରେ ବାୟୁ ବିଶେଷ ଭାବରେ ସ୍ୱଚ୍ଛ ଓ ମନୋହର ହୋଇ ରହିଥାଏ, ସତେଅବା କଟା ହୋଇଥିବା ଗହମ, ପାଚିଲା ତରଭୁଜ, ଅଙ୍ଗୁର ଓ ଆପଲ୍‍ର ସୁଗନ୍ଧରେ ମାଦକିତ ହୋଇ ରହିଥାଏ । ଯଦି ଫୁସ୍‌ଫୁସ୍ ରୋଗ, ସର୍ଦ୍ଦି ଓ ବାତ ଦ୍ୱାରା ଆକ୍ରାନ୍ତ ପିଲାମାନଙ୍କୁ ତୁମେ ମଜବୁତ ରଖିବାକୁ ଇଚ୍ଛା କରୁଥିବ, ତେବେ ସେମାନଙ୍କୁ ଏହି ମାସ ଗୋଟାକ ବାହାରେ ରହିବାକୁ ଛାଡ଼ି ଦେବା ଆବଶ୍ୟକ ।

 

ଥରେ ପିଲାମାନେ କୋଠଚାଷର ତରଭୁଜ କିଆରୀରେ ଦିନଟିଏ କଟାଉଥାଆନ୍ତି । ସେମାନଙ୍କୁ ପ୍ରଚୁର ପରିମାଣରେ ତରଭୁଜ ଓ ଫୁଟି ଖାଇବାକୁ ମିଳିଲା । ସେହି ମନ୍ତ୍ରମୁଗ୍ଧକାରୀ ବିସ୍ତୃତ ସ୍ଥାନଟିରୁ ଘରକୁ ଆସିବା ସମୟରେ ଭାରି ଦୁଃଖ ଲାଗୁଥାଏ । ତରଭୁଜ କିଆରୀରେ ଆଉ ଚାରୋଟି କୁଡ଼ିଆ ତିଆରି କରିବାକୁ ସେହିଦିନ ସନ୍ଧ୍ୟାରେ ହିଁ କୋଠଚାଷର ସର୍ବୋଚ୍ଚ ବ୍ୟବସ୍ଥାପକ ଆଦେଶ ଦେଇଥିଲେ । ଏହି ତିଆରି କାମ ଗୋଟାଏ ଦିନରେ ସରି ଯାଇଥିଲା । ଆମେ ଛୁଟିରେ ତରଭୁଜ କିଆରୀରେ ଯାଇ ରହିବା ବୋଲି ମୁଁ ଯେତେବେଳେ ପିଲାମାନଙ୍କୁ କହିଲି, ସେତେବେଳେ ପିଲାମାନେ ମୋ’କଥାରେ ବିଶ୍ୱାସ କଲେ ନାହିଁ; “ସେମାନେ ସତରେ ସେଠାରେ ରହିବାକୁ ଦେବେ-?” ଛପର ସହିତ ଘରଗୁଡ଼ିକୁ ଦେଖିବା ପରେ ଯାଇ ସେମାନଙ୍କର ବିଶ୍ୱାସ ହୋଇଥିଲା । ଆମେ ରାତିରେ ସେହିଠାରେ ରହିବୁ ବୋଲି ଜାଣି ସେମାନେ ଆନନ୍ଦରେ ବିହ୍ୱଳ ହୋଇ ପଡ଼ିଲେ । ଆମେ କୁଡ଼ିଆଗୁଡ଼ିକର ଚଟାଣକୁ ମଧୁର ଗନ୍ଧ ଦେଉଥିବା କୁଟାରେ ଆଚ୍ଛାଦିତ କରିଦେଲୁ, ଚଦର ଆଣିଲୁ, କମ୍ବଳ ଆଣିଲୁ, ଗୋଟାଏ ଅସ୍ଥାୟୀ ମୁହଁହାତ ଧୋଇବା ଜାଗା ତିଆରି କଲୁ ଏବଂ ପିଲାଙ୍କର ଖାଇବା ପାଇଁ ବାପାମାଆମାନେ ରୋଷେଇଘରଟିଏ ସଜାଡ଼ି ଦେଇଥିଲେ । ଦୁଇଟି କୁଡ଼ିଆରେ ପୁଅମାନେ ଓ ଆଉ ଦୁଇଟିରେ ଝିଅମାନେ ରହିଲେ । ତରଭୁଜ କିଆରୀରେ ଆମେ ଯେଉଁ ମାସଟି ଯାଇ ରହିଲୁ, ପିଲାମାନେ ତାହାକୁ କଦାପି ଭୁଲିନାହାନ୍ତି । ନୀଳ ଆକାଶର ଏକ ମନୋମୁଗ୍‍ଧକାରୀ ସଂଗୀତ ଓ ଉଜ୍ଜଳ ସୂର୍ଯ୍ୟକିରଣ ପରି ସେମାନେ ତାହାକୁ ମନେ ରଖିଛନ୍ତି ।

 

ଆମେ ବଡ଼ିସକାଳୁ ଉଠି ଯାଉଥିଲୁ, ସ୍ୱପ୍ନଭରା ଗୋଟିଏ ରାତି ପରେ ନିଦରୁ ଉଠି ଆମେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟକୁ ମୁଗ୍ଧ ହୋଇ ଦେଖିଥିଲୁ, କାକର ଉପରେ ବୁଲୁଥିଲୁ, ଝରଣା ପାଣିରେ ହାତମୁହଁ ଧୋଉଥିଲୁ, ବଡ଼ ବଡ଼ କାଠ ପିପାରେ ସେହି ପାଣିକୁ ଆଣି ଆମ ଅସ୍ଥାୟୀ କୁଣ୍ଡରେ ଢାଳି ଦିଆଯାଉଥିଲା । ପିଲାମାନଙ୍କ ପାଇଁ ସବୁକିଛି ଏକ ଉପଭୋଗ ହୋଇ ରହିଥିଲା : ସକାଳୁ ବ୍ୟାୟାମ କରିବା, ଥଣ୍ଡା ପାଣିରେ ହାତମୁହଁ ଧୋଇବା, ଟମାଟୋ ଓ ତରଭୁଜ ଦେଇ ଖାଇବା, ସକାଳେ ଆଳୁ ରାନ୍ଧି ରଖିବା ଇତ୍ୟାଦି, ଇତ୍ୟାଦି । ସକାଳ ଜଳଖିଆ ଶେଷ କରି ଆମେ କାମରେ ଲାଗି ଯାଉଥିଲୁ: ଫୁଟି ଆଉ ତରଭୁଜ ତୋଳିବାରେ ଆମେ କୋଠକ୍ଷେତର ଚାଷୀମାନଙ୍କୁ ସାହାଯ୍ୟ କରୁଥିଲୁ ।

 

ସହରରୁ ଅନେକ ପିଲା ଓ ସେମାନଙ୍କର ବାପାମାଆମାନେ ଆମକୁ ଦେଖିବାକୁ ଆସୁଥିଲେ । ଆମେ କେଡ଼େ ଗର୍ବର ସହ ସେମାନଙ୍କୁ ଫୁଟି କିଆରୀମାନ ଦେଖାଉଥିଲୁ, ସେମାନଙ୍କୁ ଫୁଟି ଓ ତରଭୁଜ ଖାଇବାକୁ ଦେଉଥିଲୁ । ତରଭୁଜଟିଏ ପାଚିଛି କି ନାହିଁ, ପିଲାଏ ଅନାଇ ଦେଇ ତାହା କହି ପାରୁଥିଲେ । ତରଭୁଜ କିଆରୀର ସେପାଖକୁ ଫୁଲଗଛମାନ ଲଗାହୋଇଥିଲା ଏବଂ କୋଠଚାଷର ମହୁବିଭାଗର ରକ୍ଷକ ଅଗଷ୍ଟ ମାସରେ ସେଠାକୁ ଆସୁଥିଲେ-। ଏହିପରି ଭାବରେ ଆଁଦ୍ରେଇ ଅଜାଙ୍କ ସହିତ ଆମର ପ୍ରତିଦିନ ଦେଖାହେଲା । ପାଶା, ଖୁଡ଼ୀ, ଆମ ରୋଷେଇଶାଳାର ରାନ୍ଧୁଣିଆ, ଆମ ପାଇଁ ଯେଉଁ କଟଲେଟ୍ ତିଆରି କରି ଦେଉଥିଲେ, ଆମେ ସେଥିରୁ କିଛି ଓ ତରଭୁଜ ମଧ୍ୟ ଅଜାଙ୍କ ପାଇଁ ନେଇ ଆସୁଥିଲୁ । ଆଁଦ୍ରେ ଅଜା ଆମ ଶ୍ରେଣୀକୁ ମହୁମାଛି ସହିତ ଗୋଟିଏ ମହୁବାକ୍ସ ଆଣି ଦେଲେ । କହିଲେ, “ନିଅ, ଏଇଟିକୁ ତୁମ ଇସ୍କୁଲ ବଗିଚାରେ ରଖିବ ।” ପିଲାମାନେ ବହୁତ ଆଗ୍ରହରେ ମହୁମାଛିମାନଙ୍କର ଜୀବନଯାତ୍ରାକୁ ଲକ୍ଷ୍ୟ କରି ଦେଖୁଥିଲେ ।

 

ପିଲାମାନେ ପ୍ରତିଦିନ ପୋଖରୀରେ ଗାଧୋଉଥିଲେ, ତା’ପରେ ଜଙ୍ଗଲକୁ ଯାଉଥିଲେ ଅଥବା ବଣରୁ ଫୁଲ ସଂଗ୍ରହ କରି ଆାଁଦ୍ରେ ଅଜା ଓ ପାଶା ଖୁଡ଼ୀଙ୍କୁ ଦେଉଥିଲେ । ଖରାବେଳେ ଭାରି ଗରମ ହେଉଥିବା ସମୟରେ ଆମେ କୁଡ଼ିଆଗୁଡ଼ିକୁ ଯାଇ ଖୋଲା ପବନ ଆସିବ ବୋଲି କାନ୍ଥରେ ତିଆରି ହୋଇଥିବା ଝରକାଗୁଡ଼ିକୁ ଖୋଲି ଶୋଇ ପଡ଼ୁଥିଲୁ । ଝରକାରେ ଏମିତିଗୁଡ଼ିଏ ଫୁଲଡ଼ାଳ ବାନ୍ଧି ଦିଆଯାଉଥିଲା, ଯାହାର ଗନ୍ଧ ସକାଶେ ମଶା ଓ ମାଛିମାନେ ଆଉ ଘର ଭିତରକୁ ଆସୁ ନଥିଲେ । ବାହାରେ ସିନା ଗରମ ଲାଗୁଥିଲା, ମାତ୍ର ଭିତରେ ବେଶ୍ ଥଣ୍ଡା ଥିଲା । ଆନନ୍ଦ-ପାଠଶାଳାର ପ୍ରଥମ ଦିନରୁ ହିଁ ମୁଁ ପବନକୁ ଭୟ ନକରିବା ଲାଗି ପିଲାମାନଙ୍କୁ ଶିଖାଇ ଦେଇଥିଲି । ଅଭିଜ୍ଞତା କହୁଛି ଯେ, ପିଲା ଦିନୁଁ ଅଭ୍ୟସ୍ତ ହୋଇଗଲେ ପବନ ମୋଟେ କୌଣସି ଅନିଷ୍ଟ କରି ପାରେ ନାହିଁ । ଭଲ କରି ପବନ ଯାଆଆସ କରି ପାରୁ ନଥିବା ଗୋଟିଏ କୋଠରୀର ନିଃଶ୍ୱାସକୁ ରୁନ୍ଧି ପକାଉଥିବା ବାୟୁକୁ କଦାପି ସହ୍ୟ ନକରିବା, ଏଇଟି ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପରି ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ ।

 

ଗରମ କମି ଆସିଲେ ପିଲାମାନେ କାମ କରି ଯାଉଥିଲେ : ଅଧିକାଂଶ ଦିନ ଚାଷୀମାନେ ତରଭୁଜ ଓ ଫୁଟି ନେବା ପାଇଁ ଉପର ବେଳା ହିଁ ଆସୁଥିଲେ । ଯେତେବେଳେ ସୂର୍ଯ୍ୟ ଗଡ଼ି ଆସୁଥିଲା, କ୍ଷେତ, ପାହାଡ଼ ଏବଂ ପ୍ରାନ୍ତରଗୁଡ଼ିକ ଯେତେବେଳେ ହାଲୁକା ରକ୍ତ ରଙ୍ଗର ଆଭାରେ ଆଚ୍ଛାଦିତ ହୋଇ ଯାଉଥିଲେ, ଏବଂ ତାରାମାନେ ଗୋଟିକ ପରେ ଗୋଟିଏ ଦେଖା ଦେଉଥିଲେ, ସେତେବେଳେ ପିଲାମାନେ ଗୋଟିଏ ପାଖରେ ଆସି ବସୁଥିଲେ । ସନ୍ଧ୍ୟାବେଳେ ସେମାନେ ବିଶେଷ କରି ଗପ, ପରୀକାହାଣୀ, ଦୁଃସାହସିକ ଯାତ୍ରା ଓ ବୀରତ୍ୱପୂର୍ଣ୍ଣ ବର୍ଣ୍ଣନା ଥିବା ଗପସବୁ ଶୁଣିବାକୁ ଇଚ୍ଛା କରୁଥିଲେ । ମୁଁ ସେମାନଙ୍କୁ କଳ୍ପନାରୁ ପ୍ରସ୍ତୂତ ପରୀଗପର ପ୍ରାଣୀମାନଙ୍କ ବିଷୟରେ ଜଳପରୀ ଓ ଡାଆଣୀଙ୍କ ବିଷୟରେ ଗପ କହୁଥିଲି । ଏବଂ, ଶରତରାଣୀ, ଯିଏକି ଲୋକମାନଙ୍କର ବିଶ୍ୱାସ ଅନୁସାରେ ଅଗଷ୍ଟ ମାସର ଶାନ୍ତ ରାତ୍ରିଗୁଡ଼ିକରେ ମାଟିକୁ ଉର୍ବରତା ଆଣି ଦିଅନ୍ତି, ତାଙ୍କ ବିଷୟରେ,ଜଳପରୀ ଓ ଡାଆଣୀଙ୍କ ବିଷୟରେ ଗପ କହୁଥିଲି । ଏବଂ, ଶରତରାଣୀ, ଯିଏକି ଲୋକମାନଙ୍କର ବିଶ୍ୱାସ ଅନୁସାରେ ଅଗଷ୍ଟ ମାସର ଶାନ୍ତ ରାତ୍ରିଗୁଡ଼ିକରେ ମାଟିକୁ ଉର୍ବରତା ଆଣି ଦିଅନ୍ତି, ତାଙ୍କ ବିଷୟରେ ମଧ୍ୟ କହୁଥିଲି ।

 

ରାତ୍ରିର ଶାନ୍ତ ପରିବେଶରେ ଆମେ ପୁନର୍ବାର ଏକ ଅଦ୍ଭୁତ ସଙ୍ଗୀତ ଶୁଣିବାକୁ ଲାଗିଲୁ: କ୍ଷେତଗୁଡ଼ିକ ଉପରେ ଯେଉଁଠାରେ ଗହମ ଏବେ କଟା ହୋଇଥିଲା, ସତେ ଅବା ପତର ପେଁକାଳୀର ଶବ୍ଦ ପରି ଗୋଟିଏ ଶବ୍ଦ ଧ୍ୱନିତ ହୋଇ ଉଠୁଥିଲା । ଆପାତତଃ କୌଣସି ଅପରିଚିତ ରାତିଚଢ଼େଇ ହୁଏତ ଗୀତ ଗାଉଥିଲା, ମାତ୍ର ପିଲାମାନେ ନିଜ କଳ୍ପନାରୁ ଗୋଟିଏ ବିଚିତ୍ର ପ୍ରାଣୀକୁ ତିଆରି କରି ଆଣିଲେ-ସେମାନେ କହିଲେ ଯେ, ଗୋଟିଏ କ୍ଷୁଦ୍ର ବାଳକ ହାତରେ ଗହମରେ ଗୁନ୍ଥା ହୋଇଥିବା ମାଳା ଧରି ଲୋକମାନଙ୍କୁ ଖୁସୀ କରିବା ନିମନ୍ତେ ପେଁକାଳୀ ବଜାଉଛି । ପିଲାଏ ଏହି ପ୍ରାଣୀଟିକୁ ସୂର୍ଯ୍ୟତୃଣ ବୋଲି କହିଲେ । ମନେ ମନେ ସେମାନେ ତାକୁ ସୂର୍ଯ୍ୟର ଓ ଉର୍ବରା ପୃଥିବୀର

 

ଜଣେ ସନ୍ତାନ ବୋଲି କଳ୍ପନା କରୁଥିଲେ । ଯେତେ ଯେଉଁଠି ଗହମ କେଣ୍ଡାମାନ ପାଚୁଥିଲା, ସେଠାରେ ଏହି ଜୀବନଟିକୁ ଦେଖିବାକୁ ମିଳୁଥିଲା । ଏବଂ, ଗହମ କଟା ହେଉଥିବା ସମୟରେ ସିଏ ଗୋଟିଏ ଚମତ୍କାର ବାସନା ଦେଉଥିବା ପାଳଗଦା ଭିତରକୁ ଚାଲି ଯାଉଥିଲା ଓ ସନ୍ଧ୍ୟା ସମୟରେ ଆନନ୍ଦ ଓ ନିରାନନ୍ଦର ଗୀତମାନ ଗାଉଥିଲା । ଶୀତ ପାଖେଇ ଆସିଲେ ସିଏ ଉଷ୍ମ ମାଟି ଭିତରକୁ ଚାଲିଯାଏ । ସେଠାରେ ଉର୍ବରତାର ଜୀବନଦାୟୀ ଉତ୍ସଗୁଡ଼ିକ ସୁପ୍ତ ହୋଇ ରହିଥାନ୍ତି । ମାତ୍ର, ଗହମ ଗଛମାନେ ସବୁଜ ହୋଇ ଉପରକୁ ଉଠିଆସିବା ପରେ ସୂର୍ଯ୍ୟତୃଣ ପୁନର୍ବାର କ୍ଷେତମାନଙ୍କରେ ଆସି ପହଞ୍ଚିଯାଏ ଓ ନିଜର ସୁନ୍ଦର ଗୀତଗୁଡ଼ିକୁ ଗାଇବାରେ ଲାଗିଥାଏ-

 

ହୁଏତ ମନେ ହୋଇପାରେ ଯେ ପିଲାମାନେ ଅତିରିକ୍ତ ଭାବରେ ବ୍ୟକ୍ତିକଳ୍ପନାକୁ ଆଣି ପୂରାଇ ଦିଅନ୍ତି ଏବଂ ଏହିପରି ଭାବରେ କଳ୍ପନାରେ ଭାସି ଯାଉଥିଲେ ସେମାନେ କେତେ ପରିମାଣରେ ବାସ୍ତବତା ଠାରୁ ଦୂରକୁ ଚାଲିଯିବାର ଭୟ ମଧ୍ୟ ରହିଥାଏ । ମୁଁ ହଜାର ଥର ନାହିଁ ବୋଲି କହିବି । ବସ୍ତୁତଃ ଏଇଟି ହେଉଛି ଜୀବନ, ଜନନକ୍ଷମତା ଓ ବ୍ୟକ୍ତିକୁ ନେଇ ରଚିତ ହୋଇଥିବା ଗୋଟିଏ ଗୋଟିଏ ପରୀଗପ,-ଏଗୁଡ଼ିକ ସମସ୍ତେ ପ୍ରେରଣାର ଶକ୍ତିଶାଳୀ ଉତ୍ସ ରୂପେ କାର୍ଯ୍ୟ କରିଥାନ୍ତି । ସୂର୍ଯ୍ୟତୃଣକୁ ନେଇ ପିଲାମାନେ ଯେଉଁ ଗୀତଟି ଲେଖିଥିଲେ, ସେଥିରେ ନିଜ ଭିତରେ ଜୀବନ, ସୌନ୍ଦର୍ଯ୍ୟ, ଜନନକ୍ଷମତା ଓ ପ୍ରାଚୁର୍ଯ୍ୟକୁ ଜନ୍ମ ଦେଉଥିବା ଗୋଟିଏ ଜୀବର ହିଁ ବ୍ୟକ୍ତିରୂପ ଧାରଣ କରିଥିବା ପରୀଗପର ପ୍ରତିରୂପଟି ବିଦ୍ୟମାନ ରହିଥିଲା । ସେମାନଙ୍କର ସେହି ସରଳ ଗୀତଟି ହେଉଛି :

 

ସୂର୍ଯ୍ୟ ପୃଥିବୀକୁ ନିଦରୁ ଉଠାଇ ଦେଲା,

ଗହମ କିଆରୀରେ ଗହମ ପାଚିଲା ;

ସେଠି କିଏ ପେଁକାଳୀ ବଜାଉଛି ରେ ?

ହଁ, ସିଏ ସେହି ସୂର୍ଯ୍ୟତୃଣ, ସୂର୍ଯ୍ୟତୃଣ,

ଯାଦୁରାଇଜର ପୋଷାକ ପିନ୍ଧିଛି

ଗହମ କୁଟାର ଅଗରୁ ତିଆରି ସେହି ପୋଷାକ ;

ସିଏ ଶସ୍ୟକେଣ୍ଡାର ଅଗରୁ

ସୁନେଲି ଭ୍ରୁଲତା ମାଗି ଆଣିଛି,

ତା’ର ଖୁସୀ ଆଖିପତାଗୁଡ଼ିକୁ ମଧ୍ୟ ଆଣିଛି ।।

 

ପିଲାମାନେ ଏହିପରି ଭାବରେ ପରୀଗଳ୍ପର ଆକୃତିଗୁଡ଼ିକ ପ୍ରଭାବ ଭିତରେ ବୁଡ଼ି ରହିଥିବା ବେଳେ ଗୋଟିଏ ଭାରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ: ଏପରି ଗୋଟିଏ ଶବ୍ଦ, ଯାହାକୁ କି ସେମାନେ ଆଉ କେଉଁଠାରୁ ଶୁଣିଥାନ୍ତି ବା ପଢ଼ିଥାନ୍ତି, ସେଇଟି ସତେଅବା ଚେତନାର କେଉଁ ଗଭୀରରୁ ଜାଗୃତ ହୋଇ ଆସେ, ତାହା କେତେ କେତେ ଉଜ୍ଜ୍ୱଳ ରଙ୍ଗରେ ଝଲମଲ କରୁଥାଏ, ବିଲ ଓ ପଡ଼ିଆର ବାସନାରେ ଭରି ରହିଥାଏ ଏବଂ ପିଲାଟି ସୃଜନଶୀଳ ହୋଇ କାବ୍ୟିକ ପ୍ରତିରୂପମାନ ତିଆରି କରିବାରେ ଲାଗିଥାଏ ।

 

ସ୍ୱାସ୍ଥ୍ୟ ବିଷୟରେ କୁହା ହେଉଥିବା ବେଳେ ମୁଁ କାହିଁକି ପରୀଗଳ୍ପ, କଳ୍ପନାରୁ ପ୍ରସୂତ ଯାବତୀୟ ଆକୃତି ଏବଂ ପିଲାମାନଙ୍କର ସର୍ଜନାତ୍ମକତା ବିଷୟରେ କହିବାରେ ଲାଗିଛି, ପାଠକେ ହୁଏତ ଏଭଳି ଗୋଟିଏ ପ୍ରଶ୍ନ ପଚାରି ପାରନ୍ତି । ହଁ, ମୁଁ ସେପରି କରୁଛି, କାରଣ ଏହା ପିଲାମାନଙ୍କର ଆନନ୍ଦ ସହିତ ହିଁ ସମ୍ବନ୍ଧିତ ହୋଇ ରହିଛି ଏବଂ, ଆନନ୍ଦଟି ନଥିଲେ, ଆତ୍ମିକ ଏବଂ ଦୈହିକ ସ୍ୱାସ୍ଥ୍ୟ ମଧ୍ୟରେ ଆଦୌ କୌଣସି ସାମଞ୍ଜସ୍ୟତା ସମ୍ଭବ ହେବ ନାହିଁ । ସୁନ୍ଦର ଶସ୍ୟକ୍ଷେତ ଓ ମିଞ୍ଜି ମିଞ୍ଜି କରୁଥିବା ତାରା, ଝିଣ୍ଟିକାମାନଙ୍କର ଶେଷହୀନ ସଙ୍ଗୀତଧ୍ୱନି ଏବଂ ଫୁଲଗୁଡ଼ିକର ବାସନା ଦ୍ୱାରା ସମ୍ମୋହିତ ହୋଇ ଯଦି ଗୋଟିଏ ପିଲା ଗୀତଟିଏ ରଚନା କରେ, ତେବେ ବୁଝିବାକୁ ହେବ ଯେ, ସିଏ ଆତ୍ମା ଏବଂ ଶରୀରର ସୌଷମ୍ୟର ଶିଖରରେ ହିଁ ଯାଇ ବାସ କରୁଛି । କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା କହିଲେ କେବଳ ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତାର ଗୋଛାଏ ନିୟମ ଓ ପରାମର୍ଶକୁ ବୁଝାଇବ ନାହିଁ; ସିଏ ଅମୁକ ଖାଦ୍ୟ ଖାଇବ, ଅମୁକ କାମ କରିବ ବା ଅମୁକ ଖେଳ ଖେଳିବ ଇତ୍ୟାଦିର ଗୋଟାଏ ବିଧାନପୁସ୍ତକକୁ ମଧ୍ୟ ବୁଝାଇବ ନାହିଁ । ତାହା ସର୍ବପ୍ରଥମେ ଯାବତୀୟ ଶାରୀରିକ ଏବଂ ଆତ୍ମିକ ଶକ୍ତିଗୁଡ଼ିକର ଏକ ସୌଷମ୍ୟଯୁକ୍ତ ପରିପୂର୍ଣ୍ଣତା ପ୍ରତି ଧ୍ୟାନ ଦେବାକୁ ହିଁ ବୁଝାଇବ; ଏବଂ ସର୍ଜନାତ୍ମକ ଆନନ୍ଦକୁ ସେହି ସୌଷମ୍ୟର ମୁକୁଟ ବୋଲି ହିଁ କୁହାଯାଇପାରିବ ।

 

ପିଲାମାନଙ୍କର ତୃତୀୟ ଶ୍ରେଣୀ ଶେଷ ହେବା ପରେ ମଧ୍ୟ ଆମେ ତରଭୁଜ କିଆରୀରେ ଗ୍ରୀଷ୍ମଋତୁଟି ଯାଇ ରହିଥିଲୁ, ମାତ୍ର ଏଥର ଆଉ ଗୋଟିଏ ଜାଗାରେ ଅଙ୍ଗୁର ବଗିଚା କଡ଼ରେ ଯାଇ ରହିଥିଲୁ । ପିଲାମାନେ ଏଠା କାର୍ଯ୍ୟରେ ମଧ୍ୟ ସହଯୋଗ କରିଥିଲେ, ତୋଳାଯାଇଥିବା ପେନ୍ଥାଗୁଡ଼ିକୁ ଝୁଡ଼ିରେ ନେଇ ରଖିବାରେ ସେମାନେ ବୟସ୍କମାନଙ୍କୁ ସାହାଯ୍ୟ କରିଥିଲେ । ସକାଳେ ଓ ସନ୍ଧ୍ୟାବେଳେ ପୋଖରୀରେ ଯାଇ ଗାଧୋଉଥିଲେ । ଏଠାରେ ଗୋଟାଏ ଆଗ୍ରହୋଦ୍ଦୀପକ ଖେଳ ମଧ୍ୟ ଖେଳା ଯାଇଥିଲା: ତିନୋଟି ନୌକାକୁ ଏକାଠି କରି ପିଲାମାନେ ସେମାନଙ୍କର କଳ୍ପନାରେ ତିମିମାଛ ଶିକାର କରିବାର ଏକ ଅଭିଯାନ ପାଇଁ ଯୋଜନା କରିଥିଲେ । ପୋଖରୀଟି ମହାସମୁଦ୍ର ହେଲା ଓ ଆମେ ସମସ୍ତେ ତିମି ଅନ୍ୱେଷଣରେ ଏକ ସର୍ବେକ୍ଷଣ କରି ବାହାରିଲୁ । ....ଏଥିରେ ମଧ୍ୟ ପେଁକାଳି ତିଆରି ହେଲା, ଆମର ସଂଗୀତ-ଗୋଷ୍ଠୀ ସନ୍ଧ୍ୟାବେଳେ ବୈଠକରେ ବସୁଥିଲା । ଆମେ ଲୋକଗୀତର ସ୍ୱରରେ ପେଁକାଳି ବଜାଉଥିଲୁ । ଗ୍ରୀଷ୍ମକାଳୀନ ସନ୍ଧ୍ୟାଗୁଡ଼ିକ ବିଷୟରେ ଗୀତସବୁ ଲେଖିଥିଲୁ, ଘଡ଼ଘଡ଼ି ଓ ନାଲି ଆକାଶ ବିଷୟରେ ମଧ୍ୟ ଗୀତ ଲେଖାହେଉଥିଲା । ନଦୀବନ୍ଧ ପାଖରେ ଥିବା ଗୁପ୍ତପୋଖରୀ ଅନ୍ୟ ଦେଶଗୁଡ଼ିକୁ ଉଡ଼ିଯାଉଥିବା ଚଢ଼େଇମାନଙ୍କ ବିଷୟରେ ମଧ୍ୟ ବର୍ଷ ପରେ ବର୍ଷ ବିତି ଯାଉଥିବା ସଙ୍ଗେ ସଙ୍ଗେ ସଂଗୀତ ଅଧିକରୁ ଅଧିକ ପରିମାଣ ଆମର ଆତ୍ମିକ ଜୀବନ ଭିତରକୁ ପ୍ରବେଶ କରିଥିଲା । ପିଲାମାନେ ଛୁଟିରେ ଯେଉଁଠାକୁ ଯାଉଥିଲେ, ସେମାନେ ସେଠାରେ ମଧ୍ୟ ପ୍ରଖ୍ୟାତ ସଂଗୀତଜ୍ଞଙ୍କର ରଚନା ତଥା ଲୋକଗୀତଗୁଡ଼ିକର ସ୍ୱରକୁ ଟେପରେ ଶୁଣିବାକୁ ପାଉଥିଲେ ।

 

ଚତୁର୍ଥ ଶ୍ରେଣୀ ସମାପ୍ତ କରି ୧୯୫୬ ମସିହାର ଗ୍ରୀଷ୍ମଋତୁରେ ପିଲାମାନେ ଓକ୍ ତୋଟା କଡ଼କୁ ହ୍ରଦର କୂଳରେ ଛୁଟିର ଛାଉଣୀ ପକାଇଥିଲେ । ଗଛଡାଳରେ କୁଡ଼ିଆ ତିଆରି ହୋଇଥିଲା ଓ ଛାତରେ ଛଣ ପଡ଼ିଲା । ସେମାନଙ୍କର ବାପାମାଆମାନେ ଗୋଟିଏ ସ୍ନାନଘର ତିଆରି କରିବାରେ ସାହାଯ୍ୟ କଲେ । ରୋଷେଇ ଘରଟି ମଧ୍ୟ ସେହିପରି ତିଆରି ହୋଇଗଲା । ପିଲାମାନେ ତ ଏବେ ବଡ଼ ହୋଇ ଯାଇଥିଲେ, ତେଣୁ ରୋଷେଇରେ ସାହାଯ୍ୟ କରିପାରିଲେ, ସେମାନେ ଗାଆଁ ଭିତରକୁ ଯାଇ ପାଉଁରୁଟି, ଆଳୁ, ମାଛ, କ୍ଷୀର ଓ ପରିବା ଆଣୁଥିଲେ । ଆମେ କୋଡ଼ିଏଟି ବାଛୁରୀ ଓ ଦୁଇଟି ଘୋଡ଼ାଙ୍କର ହେପାଜତ କରୁଥିଲୁ । ପିଲାଏ ଦିନରେ ବାଛୁରୀମାନଙ୍କୁ ଚରାଇ ନେଉଥିଲେ ଏବଂ ରାତିରେ ହ୍ରଦ କଡ଼ରେ ଥିବା ଗୋଟିଏ ଗୁହାଳରେ ବନ୍ଦ କରୁଥିଲେ । ପ୍ରତ୍ୟେକ ପିଲା ଘୋଡ଼ା ଚଢ଼ି ଶିଖିଗଲେ ଓ ଖାଦ୍ୟସାମଗ୍ରୀ କିଣିବା ପାଇଁ ଘୋଡ଼ା ଚଢ଼ି ଗାଆଁକୁ ଯାଉଥିଲେ । ସବୁପିଲା କିଛି ବାଟଯାଏ ଘୋଡ଼ା ଉପରେ ଚଢ଼ିବାକୁ ଆଗ୍ରହ କରୁଥିବାରୁ ଏହି କ୍ଷେତ୍ରରେ କଠୋର ନିୟମ କରି ଦିଆଯାଇଥିଲା । ଭୋଲ୍ୟୋଡ୍ୟା, ସାନ୍ୟା ଓ ଟିନା ଘୋଡ଼ାଚଢ଼ାରେ ବିଶେଷ ପାରଙ୍ଗମ ହୋଇ ଯିବାର ଦେଖି ମୋତେ ଖୁବ୍ ଖୁସୀ ଲାଗିଲା । ଘୋଡ଼ାଚଢ଼ା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା ।

 

ସେବର୍ଷ ସବୁ ପିଲା ଗଭୀର ହ୍ରଦରେ ଯାଇ ପହଁରିଥିଲେ ଓ ଭଲ ପହଁରି ଶିଖିଗଲେ । ସ୍ନାନ ପାଇଁ ମୁଁ ନିରାପଦ ଅରାଟିଏ ବାଛି ନେଇଥିଲି ଓ ପ୍ରତ୍ୟେକ ପିଲାକୁ ସାଙ୍ଗରେ ନେଇ ତାହା ଭିତରେ ଗୋଟାଏ ଘେରା ପହଁରି ଆସୁଥିଲି ।

 

କୁଟା ଅମଳ କରିବାର ଦିନଗୁଡ଼ିକ ବିଶେଷ ଭାବରେ ଆନନ୍ଦଦାୟକ ହେଉଥିଲା । କୁଟାକୁ ଶୁଖାଇ ଗଦା ମାରିବାରେ ଆମେ ବୟସ୍କମାନଙ୍କୁ ସାହାଯ୍ୟ କରୁଥିଲୁ ଏବଂ ସନ୍ଧ୍ୟାବେଳେ ଗୋଟାଏ କୁଟାଗଦା ଦେଖି ତା’ଉପରେ ଯାଇ ଚଢ଼ୁଥିଲୁ । ଏହି ସମୟଗୁଡ଼ିକରେ ପିଲାମାନେ ବେଶ୍ ବିମୋହିତ ହୋଇ ଯାଉଥିଲେ: ସେତେବେଳେ ସେମାନେ ତାରା ଏବଂ ଦୂର ଦୂରର ପୃଥିବୀଗୁଡ଼ିକ ବିଷୟରେ ଗପ ଶୁଣିବାକୁ ଭାରି ମନ କରୁଥିଲେ । ତାରାମାନଙ୍କ ଦ୍ୱାରା ଖଚିତ ଚାନ୍ଦୁଆ ତଳେ ପିଲାମାନେ ସତେ ଅବା ବିଶ୍ୱବ୍ରହ୍ମାଣ୍ଡର ମୁହାଁମୁହିଁ ହୋଇ ବସିଥିବା ପରି ଅନୁଭବ କରୁଥିଲେ ଓ ମୋତେ କେତେ ପ୍ରଶ୍ନ ପଚାରୁଥିଲେ: “ଏହି ପୃଥିବୀ, ସୂର୍ଯ୍ୟ, ତାରାମାନେ,-ଏମାନେ ସବୁ କେଉଁଠାରୁ ଆସିଲେ ?” ମୁଁ ଦୁଢ଼ ଭାବରେ ବିଶ୍ୱାସ କରୁଛି ଯେ, ଯେତେବେଳେ ବିଚାରଶକ୍ତି ଓ ଅନୁଭବ ପ୍ରକୃତିର ସୌନ୍ଦର୍ଯ୍ୟ ଓ ମହାବିସ୍ତାରଟିର ସମ୍ମୁଖରେ ବିସ୍ମୟରେ ପୂର୍ଣ୍ଣ ହୋଇ ରହିଥାଏ, ପିଲାମାନଙ୍କର ଚେତନାରେ ସେତେବେଳେ ଏହିଭଳି ପ୍ରଶ୍ନଗୁଡ଼ିକ ଜାଗୃତ ହୋଇ ଆସିଥାନ୍ତି ।

 

ଗ୍ରହନକ୍ଷତ୍ରମାନଙ୍କ ବିଷୟରେ ଗୋଟିଏ ଗପ ଶୁଣିସାରିବା ପରେ ପିଲାମାନେ ମୋତେ ଯେପରି “ତା’ର ଆହୁରି ସେପାଖକୁ କ’ଣ ଅଛି ?” ବୋଲି ପଚାରିଥିଲେ, ମୁଁ ତାହା କେବେହେଲେ ଭୁଲିବି ନାହିଁ । ଆମେ ଦେଖି ପାରୁଥିବା ପୃଥବୀଗୁଡ଼ିକ ସେପାଖରେ ମଧ୍ୟ ଏହି ଏକ ବିଶ୍ୱବ୍ରହ୍ମାଣ୍ଡ ବିସ୍ତୃତ ହୋଇ ରହିଛି ବୋଲି ଯେତେବେଳେ ମୁଁ ଉତ୍ତର ଦେଇଥିଲି, ଓ ତେଣୁ ଏହିପରି ଅଗଣିତ ପୃଥିବୀମାନ ରହିଛି ବୋଲି କହିଥିଲି, ସେତେବେଳେ ସେମାନେ ଏକାବେଳେକେ ବିସ୍ମୟଚକିତ ହୋଇ ପଡ଼ିଥିଲେ: “ମାତ୍ର, ପୃଥିବୀ ପୁଣି କେଉଁଠାରେ ସରିଛି ?” ବିଶ୍ୱବ୍ରହ୍ମାଣ୍ଡର ଯେ କୌଣସି ଅନ୍ତ ନାହିଁ, ସେକଥାଟା ସେମାନଙ୍କୁ ଏକାନ୍ତ ବୋଧାତୀତ ବୋଲି ଲାଗିଲା । ମୋ’ର ମନେ ଅଛି, ଏହି ବିସ୍ମୟକର କଥାଟିକୁ ଶୁଣି ପିଲାମାନେ ପୂରା ଚୁପ୍ ହୋଇଗଲେ ;– ସେମାନେ ଅନ୍ତହୀନତାର ଏକ ଧାରଣା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଧାରଣା କରି ପାରୁନଥିଲେ । ସେଦିନ ରାତିରେ ସେମାନେ ଦୀର୍ଘକାଳ ପର୍ଯ୍ୟନ୍ତ ଶୋଇବାକୁ ଯାଇନଥିଲେ ଏବଂ ଏକାଧିକ ପିଲା ବହୁଦୂରରେ ଅବସ୍ଥିତ ସୂର୍ଯ୍ୟ ଓ ନକ୍ଷତ୍ରମାନଙ୍କୁ ସ୍ୱପ୍ନରେ ଦେଖୁଥିଲେ । ତହିଁ ଆରଦିନ ମଧ୍ୟ ସାନ ପୁଅଝିଅଗୁଡ଼ିକ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ପ୍ରଶ୍ନଟି ପାଖକୁ ବାରବାର ଫେରି ଆସୁଥିଲେ : ଏହି ଅନନ୍ତତା କହିଲେ, ପ୍ରକୃତରେ କ’ଣ ବୁଝାଏ ବୋଲି ଗୁଣି ହେଉଥିଲେ । ସେମାନେ ସ୍କୁଲରେ ରହିଥିବା ତମାମ୍ ବର୍ଷଗୁଡ଼ିକରେ ମଧ୍ୟ ଏହି ପ୍ରଶ୍ନଟିର ଆକର୍ଷଣ ସେମାନଙ୍କ ଲାଗି ଆଦୌ କମ୍ ହୋଇ ଯାଇନଥିଲା ।

 

ଆନନ୍ଦ-ପାଠଶାଳାରେ ଏହି ପିଲାମାନଙ୍କୁ ଶିକ୍ଷା ଦେବାର ପ୍ରଥମ ସପ୍ତାହରୁ ହିଁ ମୁଁ କ୍ରୀଡ଼ା ଉପରେ ବହୁତ ଗୁରୁତ୍ୱ ଦେଇଥିଲି । ବଡ଼ ପିଲାମାନେ ଆମକୁ ଗୋଟିଏ ଖେଳପଡ଼ିଆ ତିଆରି କରିବାରେ ଓ ଦୋଳାଟିଏ ଟାଙ୍ଗିବାରେ ସାହାଯ୍ୟ କଲେ । ଆମ ପାଖରେ ପ୍ରଚୁର ବଲ୍ ରହିଥିଲା ଏବଂ ଦ୍ୱିତୀୟ ଶ୍ରେଣୀ ବେଳକୁ ପିଲାମାନେ ପିଙ୍ଗ୍‍ପଙ୍ଗ୍ ବି ଖେଳିବାକୁ ଆରମ୍ଭ କରି ଦେଇଥିଲେ । ଡିସ୍କ୍ ପକାଇବା, ବଲ୍ ପକାଇବା ଓ ଦଉଡ଼ା କିମ୍ବା ଖୁଣ୍ଟରେ ଉପରକୁ ଉଠିବା ମଧ୍ୟ ସେମାନଙ୍କୁ ସେହିପରି ଭଲ ଲାଗୁଥିଲା । ସାରା ଗ୍ରୀଷ୍ମଋତୁଟା ପିଲାମାନେ ଖାଲିପାଦ ହୋଇ ଚାଲିଲେ ଏବଂ ବର୍ଷାକୁ ମୋଟେ ଡରୁ ନଥିଲେ । ମୁଁ ଏହାକୁ ଶାରୀରିକ ଶିକ୍ଷାର ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ମନେ କରୁଥିଲି । ପ୍ରଥମ ଦୁଇ ଶ୍ରେଣୀ ସମୟରେ ମୋଟେ ତିନିଜଣ ପିଲାଙ୍କୁ ଥଣ୍ଡା ଧରିଥିଲା ଏବଂ ତୃତୀୟ କି ଚତୁର୍ଥ ଶ୍ରେଣୀରେ କେହି ଥଣ୍ଡାରେ ପଡ଼ି ନଥିଲେ ।

 

ମୁଣ୍ଡରେ ସର୍ଦ୍ଦି ଜମିବାରୁ ପ୍ରତିରକ୍ଷା ରୂପେ କିଛି କରିବାକୁ ମୁଁ ବିଶେଷ ମହତ୍ୱପୂର୍ଣ୍ଣ ବିଚାର କରୁଥିଲି । ଏଇଟା ବହୁବର୍ଷ ଯାଏ ମୋ’ର ଚିନ୍ତା ହୋଇ ରହିଥିଲା । ପାଗରେ କ୍ଷିପ୍ର ପରିବର୍ତ୍ତନମାନ ହେଉଥିବା ସମୟରେ ପ୍ରାୟ ଅଧେ ପିଲାଙ୍କର ଛିଙ୍କ ହେଉଥିଲା । ଏପରି ବେରାମରେ ଦେହରେ ଉତ୍ତାପ ହେଉନଥିଲା ସତ, ମାତ୍ର ସାଧାରଣ ଦିନ ପରି ତଥାପି ନିଜର କାମ ସବୁ କରି ହେଉନଥିଲା । ଏବଂ, ମୁଣ୍ଡରେ ସର୍ଦ୍ଦି ଜମିଲେ ଶୀଘ୍ର ଭଲ ହେବାକୁ କୌଣସି ଔଷଧ ନଥିଲା । ଚିକିତ୍ସାବିଜ୍ଞାନ ପ୍ରମାଣ କରି ସାରିଛି ଯେ, ଅନେକ ପ୍ରକାରର ମୁଣ୍ଡ ସର୍ଦ୍ଦି ଆଦୌ ସଂକ୍ରମିତ ହୁଏ ନାହିଁ ମାତ୍ର କ୍ଷିପ୍ର ଭାବରେ ପରିବର୍ତ୍ତିତ ହେଉଥିବା ସ୍ପର୍ଶକାତର ଶରୀରବ୍ୟବସ୍ଥାଟି ତୀବ୍ର ପ୍ରତିକ୍ରିୟାମାନ ଦେଖାଇଥାଏ । ବହୁବର୍ଷର ଅଭିଜ୍ଞତାରୁ ଜଣାପଡ଼ୁଛି ଯେ, ପାଦଦୁଇଟା ବିଶେଷ ଭାବରେ ସ୍ପର୍ଶକାତର ହୋଇଯାଆନ୍ତି । ଯଦି ଅଳପ ଥଣ୍ଡା ହେବା ମାତ୍ରକେ ପାଦଗୁଡ଼ିକ ସ୍ପର୍ଶକାତର ହୁଅନ୍ତି, ତେବେ ଜଣେ ବ୍ୟକ୍ତିର ମୁଣ୍ଡରେ ଥଣ୍ଡା ଜମେ, ଅବଶ୍ୟ ତାହା ସଂକ୍ରମିତ ହୁଏ ନାହିଁ । ଆମ ଶିକ୍ଷଣ-କାର୍ଯ୍ୟକ୍ରମରେ ଶରୀରକୁ ବଳଯୁକ୍ତ କରିବାର ଯେଉଁ ମାର୍ଗଟି ବିକଶିତ ହୋଇ ଆସିଥିଲା, ପାଦକୁ ଟାଣ କରିବାରୁ ହିଁ ସେହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅବଶ୍ୟ ଏସବୁ ଆରମ୍ଭ କରିବା ଆଗରୁ ପିଲାର ସାଧାରଣ ସ୍ୱାସ୍ଥ୍ୟାବସ୍ଥାଟିର ଖିଆଲ ରଖିବାକୁ ପଡ଼ିବ । ପାଦକୁ ଟାଣ କରିବା ନିମନ୍ତେ କେତେ ସମୟ କୌଣସି ନିର୍ଦ୍ଦିଷ୍ଟ ବ୍ୟାୟାମ କରିବାର କୌଣସି ଉପାୟ ନାହିଁ । ଅବଶ୍ୟ ସାଧାରଣ ଭାବରେ କେତୋଟି ନିୟମକୁ ପାଳନ କରିବାକୁ ହେବ, ମାତ୍ର ପିଲାକୁ କୌଣସି ପ୍ରକାର ଅହେତୁକ ବ୍ୟସ୍ତତା ପ୍ରକାଶ କରାଯିବ ନାହିଁ, ଯାହାଦ୍ୱାରା କି ଶରୀରର ପ୍ରତିରୋଧଶକ୍ତି ନଷ୍ଟ ହୋଇଯିବ । ଯଦି ଗ୍ରୀଷ୍ମଋତୁରେ ପିଲା ଖାଲିପାଦରେ ଚାଲିବ ନାହିଁ, ତେବେ ଓଦା ତଉଲିଆ ଦ୍ୱାରା ସ୍ପଞ୍ଜ୍ କରାଇବା ଓ ସ୍ନାନ ଦ୍ୱାରା କୌଣସି ଉପକାର ହେବ ନାହିଁ ।

 

ଏହିପରି ଭାବରେ ପିଲାମାନଙ୍କର ପ୍ରାଥମିକ ବିଦ୍ୟାଳୟ ଶେଷ ହୋଇଗଲା । ଛୁଟିର ଶେଷଦିନ ସେମାନେ ଆଗ ହ୍ରଦରେ ଯାଇ ପହଞ୍ଚିଲେ ଓ ତା’ପରେ ସବୁଜ ଘାସ ପଡ଼ିଆରେ ଆସି ଏକତ୍ର ହେଲେ । ସମସ୍ତେ ବଳୁଆ ଓ ସୁନ୍ଦର ଦିଶୁଥାନି, ସୂର୍ଯ୍ୟକିରଣରେ ଚମଡ଼ା ତମ୍ବାରଙ୍ଗ ହୋଇଯାଇଥାଏ । ପ୍ରକୃତ ବୟସ ଏଗାର ହେଲେ ମଧ୍ୟ ବାର ବା ତେର ବର୍ଷର ବୋଲି ବେଶ୍ ଭ୍ରମ ହୋଇଯିବ । ଏପିରକି ସାନ ଢାଙ୍କୋ, ଯାହାକୁ “ଚୁଇଁ” ବୋଲି ଡକା ଯାଉଥିଲା, ସିଏ ମଧ୍ୟ ପଞ୍ଚମ ଶ୍ରେଣୀର ଅନେକଙ୍କ ପରି ଡେଙ୍ଗା ଦେଖାଯାଉଥିଲା ।

 

ସେମାନଙ୍କୁ ଡାକ୍ତର ବର୍ଷରେ ଏକାଧିକ ଥର ପରୀକ୍ଷା କରି ଦେଖିଥିଲେ । ପ୍ରଥମ ଶ୍ରେଣୀରେ ଚାରୋଟି ପିଲାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ଥିଲା, ଦ୍ୱିତୀୟରେ ଏପରି ଦୁଇଟି ପିଲା ରହିଲେ ଓ ତୃତୀୟ ବେଳକୁ ଏପରି କେହି ନଥିଲେ । ଅଭିଜ୍ଞତା କହିବ ଯେ, ଆଖିର କୌଣସି ଦୋଷରୁ ଯେ ଦୃଷ୍ଟିଶକ୍ତି ଦୁର୍ବଳ ହୁଏ ତା’ ନୁହେଁ, ମାତ୍ର ଶାରୀରିକ ଏବଂ ଆତ୍ମିକ ବିକାଶରେ ସମଚ୍ଛନ୍ଦତା ନରହିଲେ ହିଁ ତାହା ହୋଇଥାଏ । ପ୍ରଥମ ଦୁଇବର୍ଷ ଦୁଇଟି ପିଲାଙ୍କର ହୃଦଯନ୍ତ୍ରରେ କିଛି ଅସୁବିଧା ଥିଲା ବୋଲି ଲକ୍ଷଣରୁ ଜଣା ପଡ଼ିଥିଲା; ଦୁଇଜଣଙ୍କ ଠାରେ ଫୁସ୍‍ଫୁସ୍ ଶୋଥର ଉପସର୍ଗମାନ ଥିଲା, ଦୁଇଜଣଙ୍କର ଶ୍ୱାସନଳୀରେ ଶ୍ୱାସନଳୀରେ ଶୋଥର ଲକ୍ଷଣ ପ୍ରକାଶ ପାଇଥିଲା ଏବଂ ଗୋଟିଏ ପିଲାଠାରେ ଯକ୍ଷ୍ମାର ପ୍ରବଣତା ରହିଥିଲା । ପ୍ରାଥମିକ ବିଦ୍ୟାଳୟ ଶେଷ କଲା ବେଳକୁ କେବଳ ଗୋଟିଏ ପିଲାର ହୃଦଯନ୍ତ୍ରର ଦୁର୍ବଳତା ଥିଲା, ତଥାପି ପ୍ରଥମ ଦୁଇବର୍ଷର ତୁଳନାରେ ତାହାର ପ୍ରକୋପ ବହୁତ ପରିମାଣରେ କମ୍ ହୋଇ ଯାଇଥିଲା ।

Image

 

ଅଧ୍ୟୟନ, – ଆତ୍ମିକ ଜୀବର ଗୋଟିଏ ଅଂଶ

 

ଏହା ଏକ ମହତ୍ତ୍ୱପୂର୍ଣ୍ଣ କଥା ଯେ, ପିଲାମାନେ ପାଠଶାଳାକୁ ଯିବା ପୂର୍ବରୁ ସେମାନଙ୍କୁ ଚେଷ୍ଟିତ କରି ପ୍ରକୃତି, କ୍ରୀଡ଼ା, ସୌନ୍ଦର୍ଯ୍ୟ, ସଂଗୀତ, କଳ୍ପନା ଏବଂ ସର୍ଜନାତ୍ମକତାର ଯେଉଁ ଚକିତ କରି ଦେଇଥିବା ପୃଥିବୀଟି ବିଦ୍ୟମାନ ରହିଥାଏ, ପିଲାମାନେ ଶ୍ରେଣୀଗୃହକୁ ଆସିବା ପରେ ସେହି ପୃଥିବୀଟିକୁ ସେମାନଙ୍କ ଠାରୁ କଦାପି କିଳି ଅଲଗା କରି ରଖି ଦିଆଯିବ ନାହିଁ । ବିଦ୍ୟାଳୟରେ ପ୍ରଥମ କେତେ ମାସ ଓ ବର୍ଷର ଅଧ୍ୟୟନକୁ କେବଳ ଗୋଟିଏ ପ୍ରକାରର କାର୍ଯ୍ୟ ରୂପେ ପରିଣତ କରି ରଖାଯିବା ଆଦୌ ଉଚିତ ନୁହେଁ । ପିଲାଟିକୁ ପୂର୍ବରୁ ଯେଉଁ ଆନନ୍ଦ ମିଳୁଥିଲା, ଜଣେ ଶିକ୍ଷକ ଉଦାର ଭାବରେ ସେହିସବୁ ଆନନ୍ଦକୁ ତା’ଆଗରେ ଉନ୍ମୁକ୍ତ କରି ରଖିପାରିଲେ ଯାଇ ପିଲା ସ୍କୁଲକୁ ଭଲ ପାଇପାରିବ । ଶିକ୍ଷକ ପିଲାମାନଙ୍କର ଆନନ୍ଦକୁ କଦାପି ସେମାନଙ୍କ ଅଧ୍ୟୟନ ସହିତ ଅନୁକୂଳିତ କରି ରଖିବ ନାହିଁ କିମ୍ବା ପିଲାକୁ କାଳେ ନୀରସ ଲାଗିବ, ସେଥିଲାଗି ଅଧ୍ୟୟନକୁ ଜାଣିଶୁଣି ହାଲୁକା ବି କରି ପକାଇବ ନାହିଁ । ଅଳ୍ପ ଅଳ୍ପ କରି ହିଁ ଗୋଟିଏ ପିଲା ମନୁଷ୍ୟଜୀବନର ସେହି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଦିଗଟି ଲାଗି ଅର୍ଥାତ୍ ଗମ୍ଭୀର, ଅବିଚଳିତ ଓ କଠୋର ପରିଶ୍ରମ ଲାଗି ପ୍ରସ୍ତୁତ ହୋଇ ଆସିବ, ଏବଂ ମାନସିକ ପ୍ରଚେଷ୍ଟା ବ୍ୟତୀତ ତାହା ଆଦୌ ସମ୍ଭବ ହେବନାହିଁ ।

 

ପିଲାମାନଙ୍କ ଭିତରେ କଠିନ ପ୍ରୟାସ ଅଭ୍ୟାସ ଓ ସୃଜନଶୀଳ ବୌଦ୍ଧିକ ପରିଶ୍ରମକୁ ଅତ୍ୟନ୍ତ ଧୀରେ ଧୀରେ ପ୍ରବିଷ୍ଟ କରାଇ ଆଣିବାକୁ ମୁଁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାକାର୍ଯ୍ୟ ବୋଲି ଦେଖି ପାରିଲି । ପିଲା ଏକ ନିର୍ଦ୍ଦିଷ୍ଟ ମୁହୁର୍ତ୍ତରେ ପାରିପାର୍ଶ୍ୱିକ ପୃଥିବୀ ମଧ୍ୟରୁ ନିଜକୁ ଅଲଗା କରି ଆଣିପାରୁଥବ, ଶିକ୍ଷକ ବା ସିଏ ନିଜେ ସମ୍ମୁଖରେ ଯେଉଁ ଲକ୍ଷ୍ୟଟି ନେଇ ରଖିଛି, ତାହାରି ଆଡ଼କୁ ନିଜର ମାନସିକ ପ୍ରଚେଷ୍ଟାଗୁଡ଼ିକୁ ମୁହାଁଇ ଦେଇ ପାରୁଥିବ । ମୁଁ ପିଲାମାନଙ୍କୁ ଏହି ସଂକେନ୍ଦ୍ରଣ ବିଷୟରେ ଅଭ୍ୟସ୍ତ କରାଇ ଆଣିବାକୁ ଉଦ୍ୟମ କରିଥିଲି । ତା’ପରେ ଯାଇ ବୌଦ୍ଧିକ ଶ୍ରମ ଏକ ପ୍ରିୟ କର୍ମରେ ପରିଣତ ହୋଇ ପାରିଲା ।

 

କେବଳ ଶାରୀରିକ ନୁହେଁ, ମାନସିକ କ୍ଷେତ୍ରର ଅସୁବିଧାଗୁଡ଼ିକୁ ମଧ୍ୟ କିପରି ଅତିକ୍ରମ କରିବାକୁ ହୁଏ, ପିଲାମାନଙ୍କୁ କ୍ରମେ ସେହି କଥାଟିକୁ ଶିଖାଇବା ଜଣେ ଶିକ୍ଷକର କାର୍ଯ୍ୟ ହୋଇ ରହିବ । ପିଲାମାନେ ବୌଦ୍ଧିକ ଶ୍ରମର ସାରକଥାଟିକୁ ଅବଶ୍ୟ ହୃଦୟଙ୍ଗମ କରିବେ । ଅର୍ଥାତ୍ ସେମାନେ ମାନସିକ ଉଦ୍ୟମ କରିପାରୁଥିବେ, ଭିନ୍ନ ଭିନ୍ନ ଜଟିଳତା ଓ ସୂକ୍ଷ୍ମତାଗୁଡ଼ିକୁ ବୁଝି ପାରୁଥିବେ; ବସ୍ତୁ, ଘଟଣା ଓ ବିଷୟଗୁଡ଼ିକ ମଧ୍ୟରେ ରହିଥିବା ଟିକିନିଖି ସାରକଥା ଏବଂ ବିରୋଧଗୁଡ଼ିକୁ ମଧ୍ୟ ବୁଝୁଥିବେ । ଅଧ୍ୟୟନକୁ ଅଧିକ ସହଜ କରିଦେବା ସକାଶେ ପିଲାକୁ ସେହି ଅସୁବିଧାଗୁଡ଼ିକୁ ଜାଣିବାରୁ କଦାପି ବଞ୍ଚିତ କରି ରଖାଯିବ ନାହିଁ । ବିଷୟବସ୍ତୁର ଜ୍ଞାନରେ ନିପୁଣତା ଅର୍ଜନ କରିବାର ପ୍ରକ୍ରିୟା ସହିତ ସ୍ୱାଧୀନ ବୌଦ୍ଧିକ ଶ୍ରମଲାଗି ମଧ୍ୟ ଅବକାଶ ରହିଥିବା ଉଚିତ । ବୌଦ୍ଧିକ ଶିକ୍ଷାକୁ ଆମେ ଆତ୍ମିକ ଜୀବନର ଏପରି ଏକ ଆୟତନ ବୋଲି କହିବା, ଯେଉଁଟିରେ କି ଶିକ୍ଷା ଦେଉଥିବା ବ୍ୟକ୍ତିର ପ୍ରଭାବ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଆତ୍ମ-ଶିକ୍ଷଣ ସହିତ ଏକତ୍ର ମିଶିକରି ରହିଥାଏ । ସମ୍ମୁଖସ୍ଥ ଲକ୍ଷଣଗୁଡ଼ିକୁ ମାନସିକ କ୍ଷେତ୍ରରେ ସଂଗଠିତ କରି ଆଣିବା, ବୁଦ୍ଧିଗତ ଶକ୍ତିକୁ ସଂକ୍ରେନ୍ଦ୍ରିତ କରି ରଖିବା, ବୁଝିବାର ପ୍ରୟାସ ଏବଂ ଆତ୍ମସଂଯମ,-ଏଗୁଡ଼ିକ ସଙ୍ଗେ ସଙ୍ଗେ ଇଚ୍ଛାଶକ୍ତିର ଶିକ୍ଷା ମଧ୍ୟ ଆରମ୍ଭ ହୋଇ ଯାଇଥାଏ । ‘କଷ୍ଟକର’ କହିଲେ ପ୍ରକୃତରେ କ’ଣ ବୁଝାଏ, ନିଜର ବୌଦ୍ଧିକ ଶ୍ରମ ଦ୍ୱାରା ହିଁ ପିଲାମାନେ ତାହା ନିଜେ ଆବିଷ୍କାର କରନ୍ତୁ ବୋଲି ମୁଁ ଦେଖିବାକୁ ଇଚ୍ଛା କରିଥିଲି ।

 

ପିଲାଟି ପାଇଁ ସିଏ ବିଦ୍ୟାଳୟରେ କରୁଥିବା ସବୁକିଛି ଯଦି ସହଜ ହୋଇଯାଏ, ତେବେ ତଦ୍ଦ୍ୱାରା ତା’ର ମାନସିକ ପ୍ରକ୍ରିୟାଗୁଡ଼ିକ କ୍ରମେ ମାନ୍ଦା ହୋଇ ଆସିବେ । ସିଏ ଏପରି ଗୋଟିଏ ବିକୃତ ବ୍ୟକ୍ତିରେ ପରିଣତ ହୋଇଯିବ, ଯାହାର କି ଜୀବନ ପ୍ରତି କେବଳ ଏକ ସାରହୀନ ମନୋଦୃଷ୍ଟି ହିଁ ରହିଥିବ । ଏକଥାଟି ଭାରି ଆଶ୍ଚର୍ଯ୍ୟ ଲାଗେ ସତ, ମାତ୍ର ଯଦି ଅଧ୍ୟୟନର ପ୍ରକ୍ରିୟାଟି ପିଲାମାନଙ୍କ ଲାଗି ଏକ ଚ୍ୟାଲେଞ୍ଜ୍ ହୋଇ ରହିନଥାଏ, ତେବେ ପ୍ରତିଭାଶୀଳ ପିଲାମାନେ ଅଧିକାଂଶ ସମୟରେ ନାନା ଅଳସ ଚିନ୍ତା ଭିତରେ ହିଁ ପଡ଼ି ରହିଥାନ୍ତି । ପ୍ରଥମ ପର୍ଯ୍ୟାୟର ଶ୍ରେଣୀଗୁଡ଼ିକରେ, ଯାହା ଶିକ୍ଷା କରିବା ପାଇଁ ଅନ୍ୟ ପିଲାମାନଙ୍କୁ କିଛି ପରିମାଣରେ ମାନସିକ ପ୍ରୟାସ କରିବାକୁ ପଡ଼ୁଥାଏ, ଯେତେବେଳେ ଅଧିକ ପ୍ରତିଭା ରହିଥିବା ପିଲାଟି ତାହାକୁ ଅନାୟାସରେ ଆୟତ୍ତ କରି ନେଉଥାଏ, ଅଧିକାଂଶ ସମୟରେ ସେତିକିବେଳେ ହିଁ ଅଳସ ଚିନ୍ତାର କବଳରେ ପଡ଼ିବାକୁ ହୋଇଥାଏ ଏବଂ ସିଏ ବସ୍ତୁତଃ ଇତସ୍ତତଃ ଘୂରିବାରେ ଲାଗିଥାଏ । ପିଲାମାନଙ୍କୁ ଆମେ କଦାପି ଆଳସ୍ୟ ଭିତରେ ଛାଡ଼ି ଦେବା ନାହିଁ;-ଏହାକୁ ମଧ୍ୟ ଏକ ଅସାଧାରଣ ଶିକ୍ଷଣଗତ କାର୍ଯ୍ୟ ବୋଲି ଗ୍ରହଣ କରିବାକୁ ହେବ ।

 

ଆମର ପ୍ରଥମ ଶ୍ରେଣୀଟି ଗୋଟିଏ ସାନ ଅଲଗା ଅଟ୍ଟାଳିକାରେ ବସୁଥିଲା । ପାଠ ପଢ଼ୁଥିବା ସେହି ବୃହତ୍ ସୁଆଲୋକିତ କୋଠରୀଟିରେ ପୂର୍ବ ଓ ଦକ୍ଷିଣ ଦିଗକୁ ଝରକା ରହିଥିଲା, ତେଣୁ ଶ୍ରେଣୀଗୃହରେ ପ୍ରଚୁର ସୂର୍ଯ୍ୟାଲୋକ ପଡ଼ିପାରୁଥିଲା । ଝରକା ସେପାଖକୁ କେତୋଟି ବଡ଼ କୋଳିଗଛ ଥିଲା, ତା’ସେପାଖକୁ ଆପଲ୍‌, ନାସ୍ପାତି ଓ ବାଦାମ ଗଛ ଏବଂ ଆହୁରି ସେପାଖକୁ ଓକ୍ ଗଛର ତୋଟାଟିଏ ରହିଥିଲା । ଖାଲି ଆମ ସ୍କୁଲଘରଟି ନୁହେଁ, ଅନ୍ୟ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ସବୁଜିମା ଦ୍ୱାରା ପରିବେଷ୍ଟିତ ହୋଇ ରହିଥିଲା । ଗଛଗୁଡ଼ିକର ପତ୍ରମାନେ ବାୟୁକୁ ଅମ୍ଳଜାନ ଦ୍ୱାରା ସମୃଦ୍ଧ କରି ରଖିଥିଲେ । ବିଦ୍ୟାଳୟର ଖଳାଘରଟି ସବୁବେଳେ ଶାନ୍ତ ରହିଥିଲା । ଆମ ସ୍କୁଲ ଘର ପାଖରୁ ଗୋଟିଏ ଲମ୍ବ ସଂଯୋଜକ-ମାର୍ଗ ଥିଲା ଓ ତା’ର କବାଟ ବାଟେ ବାହାରିଗଲେ ଆଉ ଗୋଟିଏ ଅଟ୍ଟାଳିକା ପଡ଼ୁଥିଲା । ଏଠାରେ ଆମେ ପରୀଗପଗୁଡ଼ିକ ନିମନ୍ତେ ଗୋଟିଏ କୋଠରୀ ତିଆରି କରିବାକୁ ସ୍ୱପ୍ନ ଦେଖୁଥିଲୁ ।

 

ଆମ ଘରଟିର ସାମନାରେ ଗୋଟିଏ ପକ୍କା ଚଟାଣ ଥିଲା, ସେଠାରେ ଜୋତାସବୁ ଧୋଇବା ସକାଶେ ବର୍ଷାପାଣି ରଖାଯାଉଥିଲା । ଏହି ଚଟାଣ ପାଖରୁ ଚାରିଆଡ଼କୁ ରାସ୍ତାମାନେ ଚାଲି ଯାଇଥିଲେ, ରାସ୍ତାର ଦୁଇକଡ଼ ବଡ଼ ବଡ଼ ଗଛ ବି ଥିଲା । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅଲଗା ଅଲଗା ଅଟ୍ଟାଳିକାରେ ପାଠ ପଢ଼ିବା ଉଚିତ ବୋଲି ମୋ’ର ମନେ ହୋଇଥିଲା । ବିଶେଷତଃ ପ୍ରଥମ ଶ୍ରେଣୀରେ ପିଲାମାନଙ୍କର ପାଠପଢ଼ା କାମ ଓ ଖେଳ ସବୁକିଛି ଏକ ଅଲଗା ସଂସାର ହୋଇ ରହିଥିଲା । ଉପର ବଡ଼ ଶ୍ରେଣୀଗୁଡ଼ିକର କୋଳାହଳ ଏବଂ ଧାଁଦଉଡ଼ମାନ ସାନ ପିଲାଙ୍କର ଶାନ୍ତିଭଙ୍ଗ କରିବା ଲାଗି କୌଣସି ଯୁକ୍ତି ନଥିଲା । ତେଣୁ ଯେତେ ସମୟ ଯାଏ ସମ୍ଭବ ହେଉଛି, ନିଜର ପୂର୍ଣ୍ଣ ବୌଦ୍ଧିକ ବିକାଶ ନିମନ୍ତେ ସାନ ପିଲାମାନଙ୍କୁ ଶାନ୍ତିରେ ରହିବାକୁ ଅବକାଶ ଦେବା ନିତାନ୍ତ ଉଚିତ ଥିଲା । ମୁଁ ଅନୁଭବରୁ ଜାଣିଛି ଯେ, ପିଲାଟିଏ ସ୍କୁଲକୁ ଆସି ତା’ର ସର୍ବପ୍ରଥମ କେତୋଟି ଦିନରେ ଯେଉଁ ଅଭିଜ୍ଞତାଟି ଲାଭ କରିଥାଏ, ତାହା ତାକୁ ପ୍ରାୟ ସ୍ତମ୍ଭିତ କରି ଦେଇଥାଏ-। ବୌଦ୍ଧିକ ପରିଶ୍ରମରୁ ଯେତେ ନୁହେଁ, ପାଟି ତୁଣ୍ଡ, କୋଳାହଳ ଆଦି ସ୍କୁଲର ପ୍ରଥମ କେତେ ଦିନରେ ଯାହା ସେମାନଙ୍କ ଚାରିପାଖରେ ଲାଗି ରହିଥାଏ, ପିଲାମାନେ ସେଇଥିରୁ ହିଁ ଅଧିକ କ୍ଳାନ୍ତ ହୋଇ ପଡ଼ିଥାନ୍ତି । ମଝିରେ ହେଉଥିବା ଖେଳଛୁଟି ପରେ ମୁଁ ପାଞ୍ଚବର୍ଷ କାଳ ପ୍ରଥମ ଶ୍ରେଣୀ ପିଲାଙ୍କୁ ଲକ୍ଷ୍ୟ କରି ଦେଖିଥିଲି । ଛୁଟିର ଅଧଘଣ୍ଟା ସମୟ ସ୍କୁଲରେ ଯେଉଁ କୋଳାହଳ ଓ ଠେଲାପେଲା ଲାଗି ରହିଥାଏ, ଏହି ପିଲାମାନେ ତାହାରି ଭିତରେ ରହିଥାନ୍ତି । ଛୁଟି ସରିଲେ ପିଲାଏ ଶ୍ରେଣୀକୁ ଫେରି ଆସନ୍ତି । ପିଲାମାନଙ୍କୁ ଶାନ୍ତ କରିବାରେ ହିଁ ଅଭିଜ୍ଞ ଶିକ୍ଷକମାନଙ୍କୁ ଆଗ ଦଶ ମିନିଟ୍ ସମୟ ଲାଗିଥାଏ । ମାତ୍ର ପ୍ରଥମ ଶ୍ରେଣୀ ପିଲାମାନେ ଯେତେବେଳେ ନିଜର ସାନ ସମୂହଟିରେ ହିଁ ଖେଳ ଛୁଟି କଟାନ୍ତି, ସେତେବେଳେ ପରିଣାମ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସେତେବେଳେ ଦୁଇଟା ମିନିଟରେ ସେମାନେ ଶାନ୍ତ ହୋଇ ଯାଆନ୍ତି ।

 

ଏବେ, ଆମର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସବୁଜିମା ଭିତରେ ଅଲଗା ଅଲଗା ଅଟ୍ଟାଳିକାରେ ପଢ଼ୁଛନ୍ତି । କୌଣସି ବିଦ୍ୟାଳୟରେ ପିଲାମାନେ ଏକାବେଳେକେ ଅନିୟନ୍ତ୍ରିତ ଭାବରେ ପାଟି କରୁଥିବେ ଏବଂ ଦଉଡ଼ାଧାପଡ଼ା କରୁଥିବେ, ଏହା ଗୋଟିଏ ସ୍କୁଲର ଆଦୌ ଏକ ସର୍ବଶ୍ରେଷ୍ଠ ନିଦର୍ଶନ ନୁହେଁ । ପିଲାମାନଙ୍କର ଆନନ୍ଦକୁ ଏପରି ଗୋଟିଏ ଗଭୀର ନଦୀ ସହିତ ତୁଳନା କରାଯିବ, ଯେଉଁଥିରେ କି ବାସନା ଓ ଖିଆଲଗୁଡ଼ିକୁ ବାଟ ଓଗାଳି ରଖିବା ପାଇଁ ଗୋଟିଏ ବନ୍ଧ ରହିଥିବା ଏକାନ୍ତ ଆବଶ୍ୟକ ।

 

ପ୍ରଥମ କେତେ ସପ୍ତାହରେ ମୁଁ କ୍ରମେ ପିଲାମାନଙ୍କୁ ସେମାନଙ୍କର ନୂତନ ଜୀବନଟି ମଧ୍ୟରେ ପ୍ରବିଷ୍ଟ କରାଇ ଆଣିଥିଲି । ଆନନ୍ଦ-ପାଠଶାଳା ତୁଳନାରେ ଏଠାରେ ଅଧ୍ୟୟନ ମୂଳତଃ ଖୁବବେଶୀ ଭିନ୍ନ ପ୍ରକାରର ନଥିଲା । ସେପ୍ଟେମ୍ବର ମାସରେ ଆମେ ଶ୍ରେଣୀ ଗୃହ ଭିତରେ ଦିନକୁ ଆଦୌ ଚାଳିଶ ମିନିଟରୁ ବେଶୀ ରହୁନଥିଲୁ, ଏବଂ ଅକ୍ଟୋବରରେ ଖୁବ୍ ବେଶୀ ହେଲେ ଦୁଇଘଣ୍ଟା ରହୁଥିଲୁ । ସେତେବେଳେ କେବଳ ଲିଖନ ଓ ଗଣିତ ପଢ଼ା ଯାଉଥିଲା । ବାକି ଦୁଇଘଣ୍ଟା ବାହାରେ ଅତିବାହିତ ହେଉଥିଲା । ଶ୍ରେଣୀଗୃହରେ ହେଉଥିବା କାର୍ଯ୍ୟଗୁଡ଼ିକୁ ପିଲାମାନେ ପ୍ରକୃତ ପଢ଼ା ବୋଲି କହୁଥିଲେ ଏବଂ ସେଥିଲାଗି ଉତ୍ସୁକ ହୋଇ ଅପେକ୍ଷା କରି ରହୁଥିଲେ । ସେଥିରେ ମୁଁ ଅତ୍ୟନ୍ତ ଆନନ୍ଦିତ ହୋଇ ଯାଉଥିଲି ଓ ଭାବୁଥିଲି, “ପିଲାମାନେ ରେ, ପ୍ରାୟ ଅଣନିଃଶ୍ୱାସୀ କରି ଦେଉଥିବା ଗୋଟାଏ ଶ୍ରେଣୀଗୃହ ଭିତରେ ରହି ରହି କ୍ଳାନ୍ତ ହୋଇ ପଡ଼ୁଥିବାରୁ ତୁମର ଇସ୍କୁଲ ସାଙ୍ଗମାନେ କିପରି ଖେଳଛୁଟି ସମୟ ହେବ ଓ ଘଣ୍ଟା ବାଜିବ ବୋଲି ଅପେକ୍ଷା କରି ରହୁଥିଲେ, ଯଦି ସେହି କଥାଟିକୁ ତୁମେମାନେ ଜାଣିପାରନ୍ତ.... ।”

 

ଶ୍ରେଣୀଗୃହର ପାଠପଢ଼ା ନିମନ୍ତେ ପିଲାମାନଙ୍କୁ ଧୀରେ ଧୀରେ ପ୍ରସ୍ତୁତ କରି ଆଣିବା–ଏକ ସମ୍ପୂର୍ଣ୍ଣ ବେଷୟିକ, ନୈତିକ, ଶାରୀରିକ ଓ ବୌଦ୍ଧିକ ଶିକ୍ଷା ଲାଗି ତାହା ଅତ୍ୟାବଶ୍ୟକ । ଜଣେ ବ୍ୟକ୍ତି ବିଭିନ୍ନ ପରିବେଶ ମଧ୍ୟରେ ବି କାର୍ଯ୍ୟ କରିପାରିବ, - ତାକୁ ସେହି ଶିକ୍ଷାଟି ଦେବା ହେଉଛି ଏହି କ୍ଷେତ୍ରରେ ଚୁଡ଼ାନ୍ତ ଉଦ୍ଦେଶ୍ୟ । ଶ୍ରେଣୀଗୃହ ଭିତରେ ପଢ଼ାଯାଉଥିବା ପାଠକୁ ଆମେ କଦାପି କୌଣସି ପ୍ରକାରର ଏକ ଆବଶ୍ୟକ ମନ୍ଦ ବୋଲି ଭାବିବା ନାହିଁ, ଯାହାକୁ ହି ତୁମେ ଇଚ୍ଛା କର କି ନକର ତୁମକୁ ସ୍ୱୀକାର କରି ନେବାକୁ ହିଁ ପଡ଼ିବ । ବୌଦ୍ଧିକ ଶ୍ରମ ଲାଗି ସେହି ପାଠ ହିଁ ସର୍ବୋତ୍ତମ ଅବକାଶ ଆଣି ଦେଇଥାନ୍ତି, ମାତ୍ର ସେଥିଲାଗି ପିଲାଟିକୁ ଆସ୍ତେ ଆସ୍ତେ ତିଆରି କରି ନେବାକୁ ହୋଇଥାଏ । ଏବଂ, ସେହି ଅନୁସାରେ ସାନ ସ୍କୁଲପିଲାମାନଙ୍କ ସକାଶେ ବିଶେଷ ଭାବରେ ପାଠ ପଢ଼ାଇବାର ଯୋଜନାଟିକୁ କରିବାକୁ ହୁଏ । ତୁମେ ଯଦି ସେମାନଙ୍କୁ ସାଙ୍ଗେ ସାଙ୍ଗେ ଶ୍ରେଣୀଗୃହ ଭିତରେ ଦିନକୁ ଚାରିଘଣ୍ଟା ଆଣି ପାଠ ପଢ଼ାଇବେ, ତେବେ ସେମାନଙ୍କର ସ୍ୱାସ୍ଥ୍ୟ ତାହାଦ୍ୱାରା ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇ ପଡ଼ିବ ।

 

ଶ୍ରେଣୀଗୃହରେ ଆମେ ବର୍ଣ୍ଣବୋଧଗୁଡ଼ିକୁ ପଢ଼ିଲୁ, ରେଖା, ବୃତ୍ତ ଏବଂ ଅକ୍ଷରଗୁଡ଼ିକୁ ମଧ୍ୟ ଆଙ୍କିଥିଲୁ । ସାନ ସାନ ଗଣିତ କଷିଲୁ । ଏହାଦ୍ୱାରା ପିଲାମାନେ କ୍ରମଶଃ ନିଜନିଜର ବହୁମୁଖୀ ଆତ୍ମିକ ଜୀବନ ମଧ୍ୟରେ ପ୍ରବିଷ୍ଟ ହେବାକୁ ଲାଗିଲେ ଏବଂ ସେମାନଙ୍କୁ ଆଦୌ କିଛିହେଲେ ବିଜାର ଲାଗିଲା ନାହିଁ । ସବୁ ପିଲାଙ୍କର ଭଲ ଅକ୍ଷର ପରିଚୟ ହୋଇ ଯାଇଥିଲା ଏବଂ ତେଣୁ ଆମକୁ ଆଉ ବର୍ଣ୍ଣବୋଧ ବହିଟାକୁ ବାର ବାର ପଢ଼ିବାକୁ ପଡ଼ିଲା ନାହିଁ । ପଢ଼ିବାର ଶୈଳୀ ହିସାବରେ ମୁଁ କେତୋଟି କାମକୁ ମଧ୍ୟ ମାଧ୍ୟମରୂପେ ବ୍ୟବହାର କରିଥିଲି । ପିଲାମାନେ ପ୍ରକୃତି ବିଷୟରେ ସାନ ସାନ ରଚନା ତିଆରି କଲେ ଓ ଲେଖିଥିଲେ ଏବଂ ବହିଟାକୁ ବାର ବାର ପଢ଼ିବା ଅପେକ୍ଷା ପିଲାମାନଙ୍କ ପଠନ-ଦକ୍ଷତା ବଢ଼ାଇବାରେ ଏହି ପଦ୍ଧତି ଅଧିକ ସାହାଯ୍ୟ କଲା ।

 

ପ୍ରତ୍ୟେକ ପିଲା ଯେପରି ଆବଶ୍ୟକ ପଠନ-କୌଶଳଗୁଡ଼ିକୁ ଶିକ୍ଷା କରିବ, ସେହି ବିଷୟରେ ମୁଁ ନିଶ୍ଚିତ ହେବାକୁ ଚାହୁଥିଲି । ସେଥିପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିବାକୁ ପଡ଼ିଲା ଓ ସେହି ଅନୁସାରେ କାର୍ଯ୍ୟ କରିବାକୁ ହେଲା । ଖାଲି ଅକ୍ଷର-ପରିଚୟ ହୋଇଗଲେ ଚଳିବ ନାହିଁ, ପିଲାମାନେ ଅକ୍ଷରଗୁଡ଼ିକୁ ଓ ଶବ୍ଦଗୁଡ଼ିକୁ ମଧ୍ୟ ପଢ଼ିପାରୁଥିବେ । ପଠନ ହେଉଛି ପୃଥିବୀ ଆଡ଼କୁ ମୁହଁ କରିଥିବା ଗୋଟିଏ ଝରକା ପରି, ତେଣୁ ଉଚିତ ବେଗରେ ଓ ଯଥେଷ୍ଟ ସ୍ପଷ୍ଟ ଭାବରେ ତାହାକୁ ଆୟତ୍ତ କରିବାକୁ ପଡ଼ିବ । ପିଲାମାନେ ପଢ଼ିଲେ, ଲେଖିଲେ, ଆଙ୍କିଲେ; ଏହା ଫଳରେ ପଠନ ପ୍ରାୟ ଏକ ସାବଲୀଳ ପ୍ରକ୍ରିୟାରେ ପରିଣତ ହୋଇ ଯାଇଥିଲା ଏବଂ ଦ୍ୱିତୀୟ ଶ୍ରେଣୀରେ ପିଲାମାନେ ଅଧିକ ଉଚ୍ଚାରଣ ରହିଥିବା ଶବ୍ଦଗୁଡ଼ିକୁ ମଧ୍ୟ ଏକ ସମଗ୍ରରୂପେ ଅନୁଭବ କରିପାରିଲେ-

 

ଶ୍ରେଣୀଗୃହର ପ୍ରଥମ କେତୋଟି ଘଣ୍ଟାରେ ଯେ କେବଳ ପଠନ, ଲିଖନ ଓ ଗଣିତର କାର୍ଯ୍ୟକ୍ରମ ରହିବ, ତାହାର କୌଣସି କାରଣ ନାହିଁ । ତା’ଫଳରେ ପିଲାଙ୍କୁ ବିଜାର ଲାଗିବ ଓ ସେମାନେ ଅତିଶୀଘ୍ର କ୍ଳାନ୍ତ ହୋଇଯିବେ । ତେଣୁ ପିଲାଏ କ୍ଳାନ୍ତ ହୋଇ ଆସିବାର ଦେଖିଲେ ମୁଁ ଆଉ କିଛି ନୂଆ କାମଟିଏ ଆରମ୍ଭ କରି ଦେଉଥିଲି । ମୁଁ କହୁଥିଲି, “ପିଲାମାନେ, ବର୍ତ୍ତମାନ ଡ୍ରଇଁଖାତା ଖୋଲ, ପଢ଼ୁଥିବା ଗପଟି ବିଷୟରେ ଆମେ ଏଥର ଛବିଟିଏ ଆଙ୍କିବା । ପିଲାଙ୍କର ଆଖି ଉପରୁ କ୍ଳାନ୍ତିର ପ୍ରଥମ ସଙ୍କେତଗୁଡ଼ିକ ଅନ୍ତର୍ହିତ ହୋଇ ଯାଉଥିଲା ଏବଂ ତାହା ବଦଳରେ ଆନନ୍ଦର ରେଖାମାନ ଫୁଟି ଆସୁଥିଲା । ଗଣିତ ପଢ଼ାଇବା ବେଳେ ମଧ୍ୟ ମୁଁ ସେହିପରି କଲି । ମୁଁ କଷିବାକୁ ଦେଇଥିବା ଅଙ୍କଟି ପିଲାମାନେ ବୁଝି ପାରୁନାହାନ୍ତି ବୋଲି ଲକ୍ଷ୍ୟ କରିବା ମାତ୍ରକେ, ମୁଁ ସାଙ୍ଗେ ସାଙ୍ଗେ ଅଙ୍କନର ସହାୟତା ନେଉଥିଲି । .....ଦୀର୍ଘ ସମୟ ଶୁଣିବା ଦ୍ୱାରା ମଧ୍ୟ ପିଲାମାନେ ଭାରି କ୍ଳାନ୍ତ ହୋଇପଡ଼ନ୍ତି । ତେଣୁ, ପିଲାମାନଙ୍କର ଆଖି ବିବର୍ଣ୍ଣ ହୋଇ ଆସୁଥିବାର ଦେଖିବା ମାତ୍ରକେ ଗପ କହିବା ମଧ୍ୟ ବନ୍ଦ କରି ଦେଉଥିଲି ଓ ଆମେ ଆଙ୍କି ବସୁଥିଲୁ । ବର୍ଷାରମ୍ଭର ତିନି ସପ୍ତାହ ପରେ ମୋ’ର ପିଲାମାନେ ପ୍ରକୃତି ବିଷୟରେ ଏକ ଛବିପୁସ୍ତକର ସଂକଳନ କରି ଦେଇଥିଲେ । ଉପର ଶ୍ରେଣୀର ପିଲାମାନେ ପ୍ରତ୍ୟେକ ପିଲାପାଇଁ ଟାଣ ମଲାଟ ଥିବା ଗୋଟିଏ ଗୋଟିଏ ଖାତା ତିଆରି କରିଦେଲେ । ସେଥିରେ କୋଟିଏ ଫର୍ଦ୍ଦ ମୋଟା କାଗଜ ଥିଲା, ମଲାଟ ସହିତ ଗୋଟିଏ ପେନ୍‍ସିଲ୍ ବନ୍ଧା ହୋଇଥିଲା । ସପ୍ତାହରେ ଦିନେ ଆମେ ବାହାରକୁ ଯାଉଥିଲୁ ଏବଂ ଗୋଟିଏ ଗୋଟିଏ ଛବି ତିଆରି କରୁଥିଲୁ । ପ୍ରଥମେ ଆପଲ୍‌ ବଗିଚାକୁ ଗଲୁ । ସେଠାରେ ପିଲାମାନେ ଗପମାନ ତିଆରି କଲେ, ଯେଉଁଥିରେ କି ସେମାନଙ୍କର ଅବବୋଧ ଓ ଧାରଣାଗୁଡ଼ିକର ବ୍ୟକ୍ତିଗତ ପୃଥିବୀଗୁଡ଼ିକ ପ୍ରତିଫଳିତ ହୋଇ ରହିଥିଲା ।

 

“ଆପଲ୍‍ମାନେ ମାଟି ଉପରକୁ ଓହଳି ପଡ଼ିଛନ୍ତି” “ଆପଲ୍‌ମାନେ ଖରା ପୁଉଁଛନ୍ତି”, “ସବୁଜ ପତ୍ର ଗହଳରେ ନାଲି ନାଲି ଆପଲ୍‍ମାନେ”, “ସୂର୍ଯ୍ୟ ଆପଲ୍‍କୁ ଆଲିଙ୍ଗନ କରୁଛି ଏବଂ ଡାଳ ତାକୁ ହଲାଇ ଦେଇଛି,” “ବସନ୍ତଋତୁରେ ଧଳା ଧଳା ଫୁଲ ଆଉ ଶରତ ଋତୁରେ ସୁନାରଙ୍ଗର ଆପଲ୍‌”, “ଆମେ ଆପଲ୍‍ଗୁଡ଼ିକୁ ଦେଖି ଆସିଥିଲୁ,” - ପ୍ରକୃତି ବିଷୟରେ ପିଲାମାନେ ନିଜ ନିଜ ଛବିବହିରେ ଏହିସବୁ ଲେଖିଥିଲେ । ନିଜ ନିଜର କ୍ଷୁଦ୍ର ରଚନାଗୁଡ଼ିକୁ ସେମାନେ ଶ୍ରେଣୀରେ ପାଠ କଲେ ଓ ସେଥିରୁ ବହୁତ ଆନନ୍ଦ ପାଇଲେ । ବଗିଚାରେ ପାଠ ପଢ଼ିବାଟା ଆଦୌ ଏକ ଶେଷ ଲକ୍ଷ୍ୟ ନଥିଲା । ଏହିସବୁ କ୍ଷୁଦ୍ର ରଚନାମାନ ପିଲାମାନଙ୍କୁ ଭବିଷ୍ୟତରେ ଅଧ୍ୟବସାୟପୂର୍ଣ୍ଣ, ଗମ୍ଭୀର ବୌଦ୍ଧିକ ଶ୍ରମ ନିମନ୍ତେ ଏକ ଅତି ଚମତ୍କାର ସାଧନ ଭାବରେ ପ୍ରସ୍ତୁତ କରି ନେଉଥିଲା । ପ୍ରଥମ ଶ୍ରେଣୀରେ ଏବଂ ବିଶେଷତଃ ଦ୍ୱିତୀୟରେ, ପ୍ରତ୍ୟେକ ପିଲାକୁ ଯେପରି ତା’ର ବ୍ୟକ୍ତିଗତ ପାଠ ଦିଆଯିବ ଓ ସିଏ ଯେପରି ସେହି କାମଟିକୁ ସଂପୂର୍ଣ୍ଣ ଭାବରେ କରିବ, ମୁଁ ତାହା ଉପରେ ଲକ୍ଷ୍ୟ ରଖିଥିଲି । ମାନସିକ ଶ୍ରମର କ୍ଷେତ୍ରରେ ଶୃଙ୍ଖଳା ଶିକ୍ଷା ଦେବା ସକାଶେ ତାହା ଅତି ମହତ୍ତ୍ୱପୂର୍ଣ୍ଣ ଥିଲା ।

 

ଅଧ୍ୟୟନର ପ୍ରଥମ ବର୍ଷଟିରେ ସବୁଯାକ ଛବିବହି ଅଙ୍କନ ଓ ରଚନାରେ ଭର୍ତ୍ତି ହୋଇ ଯାଉଥିଲେ । ପିଲାମାନେ ନାଲି ନାଲି କୋଳିପେନ୍ଥା, ଫସଲ ଅମଳ କରିବା, ନିଦରେ ଶୋଇଥିବା ହ୍ରଦ (ସେମାନେ କହୁଥିଲେ ଯେ, ହ୍ରଦ ସମ୍ଭବତଃ ନିଦରେ ଶୋଇ ପଡ଼ିଛି, କାରଣ, ଆମେ ଯେତେଥର ସେଠାକୁ ଆସିଥିଲୁ, ସେଥିରେ ପାଣି ଠିକ୍ ଗୋଟିଏ ଦର୍ପଣ ପରି ସ୍ୱଚ୍ଛ ଓ ଶାନ୍ତ ଦେଖାଯାଉଥିଲା) ପିଲାମାନେ କିପରି ବିଦ୍ୟାଳୟର ବଗିଚାରେ କାମ କରୁଥିଲେ, ସକାଳ ଆକାଶ କିପରି ଲାଲ୍ ଦେଖାଯାଉଥିଲା, ଶରତଋତୁରେ ଯେଉଁଦିନ ପ୍ରଥମ ଥର ହିମପାତ ହେଉଥିଲା, ଶରତଋତୁରେ କିପରି ବର୍ଷା ହେଉଥିଲା ଓ ମେଘ ଘୋଡ଼ାଇ ରହିଥିଲା, ମହାନ୍ ଅକ୍ଟୋବର ବିପ୍ଳବର ବାର୍ଷିକୀ ଦିନ କିପରି ଉତ୍ସବ ପାଳନ କରାଯାଉଥିଲା, ଆମ ଗ୍ରାମରେ ଲୋକମାନଙ୍କର ଜୀବନ, ଯେଉଁଦିନ ପ୍ରଥମ କରି ବରଫ ପଡ଼ୁଥିଲା, ଜାନୁୟାରୀ ମାସର ବରଫଝଡ଼, ପାଣିକୁ ବରଫ କରି ଦେଉଥିବା ଅଜା ଯିଏକି ପରୀଗପ ଭିତରେ ନଦୀ ଓ ହ୍ରଦଗୁଡ଼ିକୁ ଚାବି ପକାଇ ରଖି ଦେଉଥିଲା, ଫେବୃୟାରୀ ମାସରେ କିପରି ବରଫ ତରଳୁଥିଲା, ମାର୍ଚ୍ଚ ମାସରେ ବରଫ ଉପରେ କିପରି ନୀଳ ନୀଳ ଛାଇମାନ ପଡ଼ୁଥିଲା, ପ୍ରଥମେ ଯେଉଁ ଫୁଲଗୁଡ଼ିକ ଫୁଟିବାକୁ ଆରମ୍ଭ କରୁଥିଲେ, ଯେଉଁ ଚଢ଼େଇମାନେ ଗ୍ରୀଷ୍ମ ଦେଶମାନଙ୍କରୁ ଆଗ ଆସି ପହଞ୍ଚି ଯାଉଥିଲେ ଓ ମାର୍ଚ୍ଚ ମାସରେ ବତାସ ପବନରେ ଉଡ଼ୁଥିବା ବରଫକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ, ବସନ୍ତଋତୁରେ ଦୂର ଦେଶରୁ ଉଡ଼ି ଆସିଥିବା କେଡ଼େ ଖୁସୀ ଚଢ଼େଇମାନେ (ଏହି ଶେଷ ଦୁଇଟି ଶବ୍ଦକୁ ପିଲାମାନେ ନିଜେ ଲେଖିଥିଲେ) ଏବଂ ଅଦିନ ଖରାପାଗରେ ଉଡ଼ି ଉଡ଼ି ଘାସଫୁଲମାନଙ୍କ ଠାରୁ ବିଦାୟ ନେଇ ଯାଉଥିବା ମହୁମାଛିଗୁଡ଼ିକ-ଏହି ସବୁକିଛି ବିଷୟରେ ରଚନାମାନ ଲେଖିଥିଲେ ।

 

ପ୍ରକୃତି ବିଷୟରେ ପ୍ରସ୍ତୁତ କରାଯାଉଥିବା ଏହିସବୁ ଛବିବହି ଆମର ସମୂହଟି ନିମନ୍ତେ ଏକ ଅନନ୍ୟ ସାଧରଣ କବିତାଭଣ୍ଡାର ହୋଇ ରହିଥିଲା । ସେଥିରେ ଆମ ପ୍ରାକୃତିକ ପରିପାଶ୍ୱର୍ର ରଙ୍ଗଗୁଡ଼ିକ ବିଷୟରେ ଅତ୍ୟନ୍ତ ସୂକ୍ଷ୍ମ ଅବବୋଧମାନ ବ୍ୟକ୍ତ ହୋଇଥିଲା, –ପୃଥିବୀ ତଥା ଆକାଶର ସଂଗୀତ ଏବଂ ଶବ୍ଦଗୁଡ଼ିକର ମଧୁର ଗନ୍ଧ ବେଶ୍ ମିଳିଯାଉଥିଲା । ସେଗୁଡ଼ିକୁ ପିଲାମାନଙ୍କର ସେହି ଆନନ୍ଦ ବୋଲି କୁହାଯିବ, ଯାହା ବ୍ୟତୀତ ଅଧ୍ୟୟନ କଦାପି ସେମାନଙ୍କର ଅନ୍ତର୍ଜୀବନ ମଧ୍ୟରେ ସ୍ଥାନ ପାଇ ପାରିନଥାନ୍ତା ।

 

ଶ୍ରେଣୀରେ ପିଲାମାନେ କଟାଉଥିବା ସମୟକୁ ଯଦି ପାଠ ଅନୁସାରେ ବିଭକ୍ତ କରାଯିବ, ତେବେ କୁହାଯିବ ଯେ, ବର୍ଷର ପ୍ରଥମ ଦୁଇମାସ ଆମେ ପ୍ରତ୍ୟେକ ଦିନ ଗୋଟାଏ ପାଠ ସାରିଥିଲୁ; ତୃତୀୟ ଓ ଚତୁର୍ଥ ମାସରେ ଦୁଇଟି, ପଞ୍ଚମ ଓ ଷଷ୍ଠ ମାସରେ ଅଢ଼େଇଟି ଏବଂ ସପ୍ତମ ଓ ଅଷ୍ଟମ ମାସରେ ତିନୋଟି ପାଠ ଶେଷ କରୁଥିଲୁ । ପ୍ରଥମ ଦୁଇ ଘଣ୍ଟା ସେଥିପାଇଁ ଅଧଘଣ୍ଟା ସମୟ ଦିଆଯାଉଥିଲା, ଏବଂ ତା’ପରେ ପଇଁଚାଳିଶି ମିନିଟ୍ । ଯଦି କୌଣସି ପିଲାକୁ ଖେଳଛୁଟି ପୂର୍ବରୁ ଶ୍ରେଣୀରୁ ଚାଲିଯିବାକୁ ହେଉଥିଲା, ତେବେ ସିଏ ଅନୁମତି ନେଇ ଯାଉଥିଲା । ଯଦି ମଝିରେ ଶିକ୍ଷକଙ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିବା ସମ୍ଭବ ହେଉନଥିଲା, ତେବେ ପିଲାଟି କେବଳ ଉଠି ଠିଆ ହେଉଥିଲା, ପିଲାଟିର ବାହାରକୁ ଯିବାର ଅଛି ବୋଲି ଶିକ୍ଷକ ଜାଣୁଥିଲେ ଏବଂ ନୀରବରେ ଅନୁମତି ଦେଉଥିଲେ । ଏହି ବ୍ୟବସ୍ଥା ସହିତ ଅଧିକାଂଶ ପିଲା ବେଶ୍ ଅଭ୍ୟସ୍ତ ହୋଇ ଯାଇଥିଲେ; ତଥାପି କେତେକଙ୍କ ଲାଗି ତାହା କିଞ୍ଚିତ୍‍ କଷ୍ଟକର ବି ହୋଇଥିଲା । ଟୋଲ୍ୟା, କାଟ୍ୟା, କୋଷ୍ଟ୍ୟା ଓ ଶୂରା ଭାରି ଶୀଘ୍ର କ୍ଳାନ୍ତ ହୋଇ ପଡ଼ୁଥିଲେ । ପଢ଼ା ସମୟରେ ଯେପରି ଭାବରେ ଥିର ହୋଇ ବସିବାକୁ ପଡ଼ୁଥିଲା, ସେଥିରେ ସେମାନେ ଭାରି ଥକି ଯାଉଥିଲେ, କାରଣ ସେମାନେ ଅନୁଭବ କରୁଥିଲେ ଯେ, ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିବା ଫଳରେ ସେମାନଙ୍କର କାର୍ଯ୍ୟ କରିବାର ସ୍ୱାଧୀନତାକୁ ବହୁତ ପରିମାଣରେ କ୍ଷୁନ୍ନ କରି ଦିଆଯାଉଛି । ଅବଶ୍ୟ ସେମାନଙ୍କର ଏହି ଇଚ୍ଛାକୁ ମୁଁ ବାଟ ଛାଡ଼ି ଦେଇ ପାରିନଥିଲି । ସବୁ ପିଲାଙ୍କୁ ଗମ୍ଭୀର ଭାବରେ ନିଜ ନିଜ ଡେସ୍କ୍ ପାଖରେ ବସି କାମ କରିବାରେ ଅଭ୍ୟସ୍ତ ହେବାକୁ ପଡ଼ୁଥିଲା, ମାତ୍ର ପିଲାମାନଙ୍କର ଇଚ୍ଛା ଓ ଅଭ୍ୟାସଗୁଡ଼ିକୁ ମୁଁ ଅତିବେଶୀ କଡ଼ା ହୋଇ ଭାଙ୍ଗି ଦେଇ ପାରୁନଥିଲି । ପ୍ରଥମେ କେତେ ସପ୍ତାହ ଲାଗି ମୁଁ ପିଲାମାନଙ୍କୁ ସେମାନଙ୍କର ଇଚ୍ଛା ଅନୁସାରେ ଶ୍ରେଣୀ ଛାଡ଼ି ବାହାରକୁ ଯିବା ଲାଗି ଛାଡ଼ି ଦେଉଥିଲି ଏବଂ ଧୀରେ ଧୀରେ ନିଜ ଡେସ୍କରେ ବସି କାମ କରିବାରେ ମଧ୍ୟ ଅଭ୍ୟସ୍ତ କରି ଆଣିଲି । ସ୍କୁଲ ବର୍ଷଟି ଆରମ୍ଭ ହେବାର ତିନି ଚାରି ମାସ ପରେ ସବୁଯାକ ପିଲା ବିଦ୍ୟାଳୟର ବ୍ୟବସ୍ଥା ଓ ବିଧାନଟିକୁ ମାନିବାକୁ ସମର୍ଥ ହୋଇ ଯାଇଥିଲେ ।

 

ଶରତ କାଳର ଖରାପାଗ ହୋଇଥିବା ଦିନଗୁଡ଼ିକରେ ଉଚ୍ଚ ଉଚ୍ଚ ଆପଲ୍ ଗଛଗୁଡ଼ିକ ଭିତରେ ରହିଥିବା ଘାସ ଉପରେ (ଆମେ ତାହାକୁ ସବୁଜ ଶ୍ରେଣୀଗୃହ ବୋଲି କହୁଥିଲୁ) ଆମର ପାଠପଢ଼ା ହେଉଥିଲା । ବେଶ୍ କେତେ ବର୍ଷ ଆଗରୁ ସ୍କୁଲର ବଡ଼ ପିଲାମାନେ ତାର ଓ ଲୁହାଛଡ଼ ଦେଇ ସେଠାରେ ଭବିଷ୍ୟତର ସେହି ସବୁଜ ଶ୍ରେଣୀଗୃହଗୁଡ଼ିକ ନିମନ୍ତେ ଢାଞ୍ଚାଗୁଡ଼ିକୁ ତିଆରି କରିନେବାରେ ସାହାଯ୍ୟ କରିଥିଲେ । ତା’ପରେ ସେଠାରେ ଆମେ ଚାରିଆଡ଼େ ବଣ ଅଙ୍ଗୁର ଓ ଅନ୍ୟାନ୍ୟ ଉପରକୁ ମାଡ଼ୁଥିବା ଲଟାଗଛସବୁ ଲଗାଇ ଦେଉଥିଲୁ । ଏବଂ, ଦୁଇଟା ବର୍ଷରେ ସବୁଜ ଶ୍ରେଣୀଗୃହଟି ପ୍ରସ୍ତୁତ ହୋଇ ଯାଇଥିଲା-ଲଟାଗୁଡ଼ିକ ଛାତ ଉପରକୁ ବି ଉଠି ସାରିଥିଲେ । କୁନି କୁନି ଝରକା ରଖା ଯାଇଥିଲା, ତେଣୁ ଭିତରକୁ ଭଲ ଆଲୁଅ ଆସି ପାରୁଥିଲା । ସେଠି ଗ୍ରୀଷ୍ମ କାଳରେ ଶୀତଳ ଲାଗୁଥିଲା ଏବଂ ଶରତଋତୁରେ ବେଶ୍ ଉଷ୍ମ ଓ ଆରାମଦାୟକ ଲାଗୁଥିଲା । ଭିତରଟି ସର୍ବଦା ଶାନ୍ତ ହୋଇ ରହିଥିଲା । ଲଟାଗୁଡ଼ିକ ସାହାଯ୍ୟରେ “ଝରକାଗୁଡ଼ିକୁ” ବନ୍ଦ କରି ହେଉଥିଲା । ତା’ପରେ ଭିତରେ ଅଧାଅନ୍ଧାରିଆ ହୋଇ ଯାଉଥିଲା, ଲତା ଭିତରର କଣାଗୁଡ଼ିକ ଦେଇ ସୂର୍ଯ୍ୟାଲୋକ ପଡ଼ୁଥିଲା, –ଏହିପରି ଭାବରେ ଆଲୁଅ ଓ ଛାଇର ଏକ ଖିଆଲୀ ଖେଳ ଲାଗି ରହିଥିଲା । ପିଲାମାନେ ତାହାକୁ “ପରୀଗପ ନିମନ୍ତେ ଝରକାକୁ ବନ୍ଦ କରିଦେବା” ବୋଲି କହୁଥିଲେ । ଭିତରେ କୁନି ଟେବୁଲ ଓ ଟୁଲ୍ ପଡ଼ିଥିଲା ଏବଂ ସେଗୁଡ଼ିକର ସାହାଯ୍ୟରେ ପିଲାମାନେ ସବୁଜ ଶ୍ରେଣୀଗୃହରେ ପଢ଼ିବା, ଲେଖିବା ଓ ଅଙ୍କ କଷିବା ପ୍ରଭୃତି କାମ କରିପାରୁଥିଲେ ।

 

ଆମର ଦ୍ୱିତୀୟ “ସବୁଜ ଶ୍ରେଣୀଗୃହ” ଗୋଟିଏ ଘାସପଡ଼ିଆରେ ତିଆରି ହୋଇଥିଲା, ଯାହାର ତିନି ପାଖକୁ ହିମପାତ ଦ୍ୱାରା ନଷ୍ଟ ହୋଇଯାଉନଥିବା ଗୋଟିଏ ପ୍ରକାରର ଅଙ୍ଗୁର ଗଛର ଲତା ଦ୍ୱାରା ଘେରାଇ ରଖାଯାଇଥିଲା । ଯେତେବେଳେ ଭାରି ଗରମ ହେଉଥିଲା, –ଆମର ସେହି ଅଞ୍ଚଳଟିରେ ଶରତ ଓ ବସନ୍ତ ସମୟରେ ଏହିଭଳି ଗରମ ପଡ଼ୁଥିବା ଦିନଗୁଡ଼ିକ ଆଦୌ ବିରଳ ନଥିଲା,-ସେତେବେଳେ ଏଠାରେ ବେଶ୍ ଶୀତଳ ବୋଧ ହେଉଥିଲା ।

 

ପର୍ବତ–ଅତଡ଼ାର ଅଦୂରରେ ଦୂରସ୍ଥ ଗୋଟିଏ ତୋଟା ଭିତରେ ଶ୍ୟାମଳ ବୃକ୍ଷମାନଙ୍କ ଦ୍ୱାରା ଖଚିତ ଘାସଜାଗାଟିରେ ମଧ୍ୟ ଆମର ଆଉ ଗୋଟିଏ “ସବୁଜ ଶ୍ରେଣୀଗୃହ” ରହିଥିଲା । କୌଣସି କାମରେ ପୁଣି ସ୍କୁଲ୍ ଅଟ୍ଟାଳିକାକୁ ଫେରିଯିବାର ନଥିଲେ ଆମେ ଆମର ଶେଷ ଘଣ୍ଟାର ପାଠ ପାଇଁ ବେଳେ ବେଳେ ସେଠାକୁ ଯାଉଥିଲୁ । ସାରା ବର୍ଷଟି ମଧ୍ୟରେ ଆମ ପାଠପଢ଼ାର ଶତକଡ଼ା ଚାଳିଶ ଭାଗକୁ ମୁଁ ସ୍କୁଲ ଅଟ୍ଟାଳିକାରେ ନ ନେଇ ଏହି “ସବୁଜ ଶ୍ରେଣୀଗୃହ” ଗୁଡ଼ିକରେ ନେଇଥିଲି । ବାକି ଯେଉଁ ଷାଠିଏ ଭାଗ ରହିଲା, ତାହାର ଗୋଟିଏ ବଡ଼ ଅଂଶ “ସବୁଜ ଲାବୋରେଟୋରୀ” ଅର୍ଥାତ୍ ସ୍କୁଲର ସବୁଜ କୃଷିଘରେ ନିଆଯାଉଥିଲା । ଏହି “ସବୁଜ ଲାବୋରେଟୋରୀ”କୁ ଗୋଟିଏ ଅଲଗା ଗୃହ ରୂପେ ତିଆରି କରାଯାଇଥିଲା । ସେଠାରେ ଚାରିପାଖରେ ବହୁତ ଗଛ ଓ ଅଙ୍ଗୁର ଲଟା ରହିଥିଲା । ଏହାକୁ ଉଦ୍ଭିଦ ଏବଂ ପୁଷ୍ପ ଦ୍ୱାରା ପରିପୂର୍ଣ୍ଣ ଗୋଟିଏ ଅଧ୍ୟୟନ-ଗୃହ ବୋଲି ମଧ୍ୟ କୁହାଯାଇପାରିବ ।

 

ଆମ ପାଠର ଏତେ ଅଧିକ ଅଂଶକୁ ଯେ ଆମେ ପ୍ରକୃତି ମଧ୍ୟରେ, ମୁକ୍ତ ବାୟୁ ଓ ନୀଳ ଆକାଶ ଦ୍ୱାରା ବେଷ୍ଟିତ ହୋଇ ପଢ଼ୁଥିଲୁ, ପିଲାମାନଙ୍କ ଲାଗି ତାହାର ଗୋଟିଏ ବିଶେଷ ତାତ୍ପର୍ଯ୍ୟ ରହିଥିଲା । ଅବଶିଷ୍ଟ ଅଧ୍ୟୟନ ସମୟରେ ମଧ୍ୟ ସେମାନେ ଅତ୍ୟନ୍ତ ପ୍ରସନ୍ନ ଅନୁଭବ କରୁଥିଲେ ଓ ଘରକୁ ଗଲାବେଳେ ମୋଟେ କେବେହେଲେ ମୁଣ୍ଡବ୍ୟଥାକୁ ସାଙ୍ଗରେ ନେଇ ଯାଉନଥିଲେ ।

 

ପାଠକାମ ସାରିଦେଇ ପିଲାମାନେ ଘରେ ଖେଳୁଥିଲେ । ପିଲାମାନେ ବିଦ୍ୟାଳୟରେ ଅତି ବେଶୀ କିଛି କରିବେ ନାହିଁ ବୋଲି ବିଶେଷ ପଦକ୍ଷେପମାନ ନିଆଗଲେ ମଧ୍ୟ ସେମାନେ ତଥାପି କ୍ଳାନ୍ତ ହୋଇ ପଡ଼ୁଥିଲେ ଓ ତେଣୁ ପଢ଼ା ପରେ ବିଶ୍ରାମ ଆବଶ୍ୟକ କରୁଥିଲେ । ବହୁବର୍ଷର ଅଭିଜ୍ଞତାରୁ ମୁଁ ଏକଥା ବୁଝି ପାରିଥିଲି ଯେ, ଦିବସର ଦ୍ୱିତୀୟ ଅଧରେ ପିଲାମାନଙ୍କୁ ସାଧାରଣତଃ ସେମାନେ ସ୍କୁଲରେ କରୁଥିବା ଭଳି କୌଣସି ଭାରି ବୌଦ୍ଧିକ ଶ୍ରମ କରିବାକୁ ଆଦୌ ପଡ଼ିବା ଉଚିତ ନୁହେଁ । ଏହାର ଆହୁରି ଏକ କାରଣ ମଧ୍ୟ ହେଉଛି ଯେ, ଗୋଟିଏ ସାନ ପିଲା ଉପରେ କେବେହେଲେ ବି ଅତିରିକ୍ତ ବୋଝ ଲଦି ଦେବା ଉଚିତ ନୁହେଁ । ଯଦି ବିଦ୍ୟାଳୟରେ ତିନି ଚାରିଘଣ୍ଟା ବୌଦ୍ଧିକ ଶ୍ରମ କରିବା ପରେ ପିଲାକୁ ଘରେ ମଧ୍ୟ ସେହିପରି ଭାରି କାମ କରିବାକୁ ପଡ଼େ, ତେବେ ତା’ଉପରେ ତା’ର ବଳ ଅନୁପାତରେ ଅତ୍ୟଧିକ ବୋଝ ଲଦିଦେବା ହିଁ ସାର ହେବ-

 

ଘର ପାଇଁ ଅବଶ୍ୟ ପାଠ ଦେବାକୁ ହେବ । ଆପଣାର ମାନସିକ ଶକ୍ତିକୁ ଏକାଗ୍ର କରିବା ଓ ମନୋଯୋଗୀ ହେବାର ରୀତିଟିକୁ ପିଲା ଅବଶ୍ୟ ଶିଖିବ । ମାତ୍ର, ଏହି କଥାଟିକୁ ସବାଆଗ କ୍ଲାସରେ ପାଠ ପଢ଼ା ହେଉଥିବା ସମୟରେ କରିବାକୁ ହେବ, ସ୍ୱାଧୀନ ଭାବରେ ବୌଦ୍ଧିକ ଶ୍ରମ କରିବାର ଅଭ୍ୟାସଟିକୁ ସେ ଧୀରେ ଧୀରେ ଶିକ୍ଷା କରୁଥିବ । ମନୋଯୋଗୀ ଏବଂ ଏକାଗ୍ର ହୋଇ କିଛି କରି ଶିଖିବା ଗୋଟିଏ ପିଲା ପାଇଁ ଆଦୌ ସହଜ ନୁହେଁ । କୌଣସି ବିଶେଷ ଉପାୟର ସାହାଯ୍ୟ ନ ନେଇ ଓ କେବଳ ପାଠସାମଗ୍ରୀ ଉପରେ ନିର୍ଭର କରି ହିଁ ଜଣେ ଅଭିଜ୍ଞ ଶିକ୍ଷକ ତା’ନିଜର ଗଳ୍ପ ଏବଂ ବ୍ୟାଖ୍ୟାଗୁଡ଼ିକ ଦ୍ୱାରା ପିଲାର ମନୋଯୋଗକୁ “ବାନ୍ଧି” କରି ରଖିଥାଏ-। ପିଲାମାନଙ୍କର ବୌଦ୍ଧିକ କ୍ଷେତ୍ରରେ ନିପୁଣତା ସହିତ ଆବଶ୍ୟକ ଅନୁକୂଳ ବ୍ୟବସ୍ଥାଗୁଡ଼ିକୁ ସମ୍ଭବ କରିପାରିବାର ଅର୍ଥ ହେଉଛି ଯେ, ପିଲା ମନ ଦେଇ ଶିକ୍ଷକଙ୍କର କଥାକୁ ଶୁଣୁଥିବ, ଯାହା କୁହାଯାଉଛି ତାକୁ ମନେ ରଖୁଥିବ ଓ ତାହା ବିଷୟରେ ଚିନ୍ତା ବି କରୁଥିବ ଏବଂ, ଏପରି କରିବା ନିମନ୍ତେ ତାକୁ ପ୍ରକୃତରେ କୌଣସି ଉଦ୍ୟମ କରିବାକୁ ହେଉଛି ବୋଲି ଆଦୌ ସଚେତ ହୋଇ ରହିନଥିବ ।

 

ଯଦି ଜଣେ ଶିକ୍ଷକ ଏତିକିରେ ସଫଳ ହୋଇ ପାରିବ, ତେବେ ପିଲା ତା’ର ଆଗ୍ରହକୁ ଜାଗୃତ କରାଉଥିବା ସବୁକିଛିକୁ ନିଶ୍ଚୟ ମନେ ରଖିବ । ଏବଂ, ତାହା ପ୍ରକୃତରେ ଆହୁରି ଅଧିକ ଆଶ୍ଚର୍ଯ୍ୟଜନକ ଲାଗିବ । ମୋ’ ପିଲାମାନେ କିପରି ଏଡ଼େ ସହଜରେ ବର୍ଣ୍ଣମାଳା ଶିଖିଗଲେ, ପଢ଼ିପାରିଲେ ଓ ଲେଖି ମଧ୍ୟ ପାରିଲେ ? କାରଣ, ସେପରି କରିବାକୁ ସେମାନଙ୍କୁ କେହି ବାଧ୍ୟ କରୁନଥିଲେ । କାରଣ, ପ୍ରତ୍ୟେକ ଅକ୍ଷର ପିଲାଟି ପାଇଁ ଏକ ସ୍ପଷ୍ଟ ପ୍ରତିରୂପର ଅବତାର ରୂପେ ଦୃଷ୍ଟିଗୋଚର ହେଉଥିଲା ଏବଂ ସେହି ପ୍ରତିରୂପ ପିଲାଟିର ଶ୍ରଦ୍ଧାକୁ ଉଦ୍ରେକ କରି ଆଣୁଥିଲା । ଯଦି ମୁଁ ଏହି ପୂର୍ବପ୍ରାଥମିକ କୁନିପିଲାମାନଙ୍କୁ ପ୍ରତ୍ୟେକ ଦିନ “ଚେନାଏ ଚେନାଏ ଜ୍ଞାନ” ଦେଉଥାନ୍ତି, ସେମାନଙ୍କୁ ଗୋଟିଏ ଅକ୍ଷର ଦେଖାଇ ଦେଉଥାନ୍ତି ଓ ସେମାନେ ତାହାକୁ ଶିଖନ୍ତୁ ବୋଲି ସେମାନଙ୍କ ଠାରୁ ଦାବି କରିଥାନ୍ତି, ତେବେ ମୋତେ ଆଦୌ କୌଣସି ଫଳ ମିଳିନଥାନ୍ତା । ଅବଶ୍ୟ ତାହାର ଅର୍ଥ ନୁହେଁ ଯେ, ଆମେ ନିଜର ଅଭିପ୍ରାୟକୁ ପିଲାଠାରୁ ସବୁବେଳେ ଲୁଚାଇ ରଖିଥିବା । ଜଣେ ଶିକ୍ଷକ କେବଳ ଏପରି ଭାବରେ ଶିକ୍ଷା ଦେବ ଯେ, ପିଲାମାନେ ଅଭିପ୍ରାୟଟି ବିଷୟରେ ଆଦୌ କୌଣସି ଚିନ୍ତା କରୁନଥିବେ,–ଏହାଦ୍ୱାରା ସେମାନଙ୍କର ମାନସିକ ଶ୍ରମ ହାଲୁକା ହୋଇଯିବ-। ହଠାତ୍ ଚାହିଁଦେଲେ ଯେପରି ମନେ ହେଉଛି, ତାହା ଆଦୌ ସେଡ଼େ ସହଜ ନୁହେଁ । ଏଠାରେ ଆମେ ପିଲାର ମାନସିକ ବିକାଶର କ୍ଷେତ୍ରରେ ଥିବା ଏପରି ଗୋଟିଏ ବିଶେଷ ସ୍ଥିତି ବିଷୟରେ କହୁଛୁ, ଯାହାକୁ କି ବିଦ୍ୱାନମାନେ ସ୍ନାୟବିକ ବ୍ୟବସ୍ଥାର ଶିଶୁଅବସ୍ଥା ବୋଲି କହିଥାନ୍ତି । ଏହି ସମୟରେ ସ୍କୁଲ ଯିବା ବୟସର ପିଲାମାନେ, ବିଶେଷ କରି ଅଧ୍ୟୟନର ପ୍ରଥମ ବର୍ଷର ପିଲାମାନେ ଆଦୌ କୌଣସି ମନୋଯୋଗର ସମର୍ଥ ହୋଇପାରନ୍ତି ନାହିଁ । ଶିକ୍ଷକଙ୍କୁ ସେହି ପିଲାକୁ ମନୋଯୋଗୀ କରାଇ ଆଣିବାକୁ ହୁଏ; ମନୋବିଜ୍ଞାନରେ ଯାହାକୁ ଅନୈଚ୍ଛିକ ମନୋନିବେଶ ବୋଲି କହିଥାନ୍ତି, ତାହାକୁ ଜାଗୃତ କରି ଆଣିବାକୁ ହୋଇଥାଏ ।

 

ଗୋଟିଏ ସାନ ପିଲାର ମନୋଯୋଗ ହେଉଛି ପ୍ରକୃତରେ ଭାରି ଖିଆଲୀ ଜନ୍ତୁଟିଏ । ମୁଁ ତାକୁ ଏପରି ଗୋଟିଏ ଚଢ଼େଇ ସହିତ ତୁଳନା କରିବି, ଯିଏକି ଭାରି ସହଜରେ ଭୟଭୀତ ହୋଇପଡ଼େ ଏବଂ ତୁମେ ଯେତିକି ତା’ନିକଟକୁ ଆସିବ ବୋଲି ଚେଷ୍ଟା କର, ସିଏ ବସାରୁ ସେତିକି ଦୂରକୁ ଉଡ଼ି ପଳାଇ ଯାଉଥାଏ । ଏବଂ, ଯେତେବେଳେ ତୁମେ ତା’ପାଖରେ ପହଞ୍ଚିବାକୁ ସମର୍ଥ ହଅ, ସେତେବେଳେ ତାକୁ ହାତରେ ଧରି ରଖିବାକୁ ପଡ଼େ ନହେଲେ ଗୋଟିଏ ପିଞ୍ଜରା ଭିତରେ ବନ୍ଦ କରିଦେବାକୁ ହୁଏ । ମାତ୍ର, ବନ୍ଦୀ ହୋଇ ରହିଛି ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ସିଏ ଗୀତ ଗାଇବ ବୋଲି ତୁମେ ତା’ଠାରୁ କଦାପି ଆଶା କରି ପାରିବନାହିଁ । ସାନ ପିଲାଟିର ମନୋଯୋଗ ପ୍ରକୃତରେ ଏହିପରି : ଯଦି ତୁମେ ତାକୁ ବନ୍ଦୀ ପରି କରି ରଖିଥିବ, ତେବେ ସେ ତୁମ ସହିତ ଅତ୍ୟନ୍ତ କମ୍ ସହଯୋଗ କରିବ ।

 

ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ କି ପାଠ ପଢ଼ାଉଥିବା ସମୟରେ ପିଲାମାନଙ୍କ ଭିତରେ ଏକ “ସତତ ମାନସିକ ପ୍ରୟାସ” ର ସ୍ଥିତି ସୃଷ୍ଟି କରିପାରନ୍ତି ବୋଲି ବେଶ୍ ଗର୍ବ ଅନୁଭବ କରନ୍ତି । ଅଧିକାଂଶ ସମୟରେ କୌଣସି ବାହ୍ୟ କାରଣ ହିଁ ପିଲାର ମନୋଯୋଗକୁ ନିଜ ଅକ୍ତିଆରରେ ରଖିବାକୁ ଶିକୁଳି ପରି କାର୍ଯ୍ୟ କରିଥାଏ । ସେମାନଙ୍କୁ ମନ ଦେଇ ଶୁଣିବା ଲାଗି ବାରବାର ସାବଧାନ କରି ଦିଆଯାଉଥାଏ । ଗୋଟିଏ ପ୍ରକାରର କାର୍ଯ୍ୟକୁ ଖୁବ୍ ଶୀଘ୍ର ଆଉ ଗୋଟିଏ ପ୍ରକାରର କାର୍ଯ୍ୟରେ ବଦଳାଇ ଦିଆଯାଉଥାଏ, ଗୋଟିଏ କଥା ବତାଇ ଦିଆଯିବା ମାତ୍ରକେ ପିଲାମାନେ ତାହାକୁ ବୁଝିଲେ କି ନାହିଁ, ତାହାର ପରୀକ୍ଷା କରାଯାଉଥାଏ (ଅଧିକ ନିର୍ଭୁଲ ଭାବରେ କହିଲେ : ଯାହା କୁହାଯାଉଛି, ପିଲା ତାହା ନଶୁଣିଲେ ତାକୁ ଫେଲ୍ ନମ୍ବର ଦିଆଯିବାର ଧମକ ଦିଆଯାଉଥାଏ, ଏବଂ ଏକ ସୈଦ୍ଧାନ୍ତିକ ବିଷୟରେ ଶିକ୍ଷା ପ୍ରଦାନ କରିବାର ଅବ୍ୟବହିତ ପରେ କୌଣସି ଏକ ପ୍ରକାରର ପ୍ରୟୋଗାତ୍ମକ କାର୍ଯ୍ୟ ଦେବା ପାଇଁ ବାଧ୍ୟ ହେବାକୁ ପଡ଼ୁଥାଏ ।

 

ହଠାତ୍ ଦୃଷ୍ଟିପାତ କଲା ବେଳକୁ ଏହି ଯାବତୀୟ ପଦ୍ଧତି ହୁଏତ ଏକ କ୍ରିୟାଶୀଳ ବୌଦ୍ଧିକ ଶ୍ରମର ଧାରଣା ଜନ୍ମାଉଥିବ : କାର୍ଯ୍ୟର ପ୍ରକାରଗୁଡ଼ିକୁ ସାଙ୍ଗେ ସାଙ୍ଗେ ବଦଳାଇ ଦିଆଯାଉଥିବା ସମୟରେ ପିଲାମାନେ ମନୋଯୋଗ ଦେଇ ଶିକ୍ଷକଙ୍କର ପ୍ରତ୍ୟେକ କଥାକୁ ଶୁଣୁଥାନ୍ତି ଏବଂ ଶ୍ରେଣୀଗୃହ ମଧ୍ୟରେ ଏକ ଅଶ୍ୱସ୍ତିକର ଶାନ୍ତି ବିଦ୍ୟମାନ ରହିଥାଏ । ମାତ୍ର ଏସବୁ ହାସଲ କରିବାକୁ କେତେ ଚେଷ୍ଟା କରିବାକୁ ନପଡ଼େ ଓ ଏହାର ଫଳ ମଧ୍ୟ କେତେ କମ୍ ମିଳେ । ମନୋଯୋଗ ରହିବ ବୋଲି ଓ ଯେପରି କିଛି ବାଦ୍ ନପଡ଼ି ଯିବ ବୋଲି ସତତ ଚେଷ୍ଟା କରିବାକୁ ପଡ଼ୁଥାଏ; ମାତ୍ର ସେହି ବୟସର ପିଲା ତଥାପି ନିଜକୁ ମନୋଯୋଗୀ କରି ରଖି ପାରେ ନାହିଁ । ପାଠପଢ଼ା ହେବା ସମୟରେ ସେ ଗୋଟାଏ ମିନିଟ୍ ମଧ୍ୟ ହାତ ଛଡ଼ା କରି ଦେବ ନାହିଁ, ପ୍ରତ୍ୟେକଟି କ୍ଷଣକୁ ବୌଦ୍ଧିକ ଶ୍ରମରେ ଲଗାଉଥିବ,-ଜଣେ ମନୁଷ୍ୟର ଶିକ୍ଷା ପରି ଏକ ସ୍ପର୍ଶକାତର ବ୍ୟାପାରରେ ଏହାଠାରୁ ଅଧିକ ନିର୍ବୋଧ କଥା ଆଉ କ’ଣ ହୋଇପାରେ ? ଏବଂ, ସେଥିପାଇଁ ଶିକ୍ଷକର କାର୍ଯ୍ୟଟି ମଧ୍ୟ ସେହିଭଳି ଖଣ୍ଡାଧାରରେ ଚାଲୁଥିବା ପରି ହୋଇ ରହିଥାଏ, ପିଲାମାନଙ୍କ ଭିତରୁ ସମ୍ଭାବ୍ୟ ସବୁକିଛି ଚିପଡ଼ି ବାହାର କରି ଆଣିବାକୁ ପଡ଼େ, –ଏଇଟାକୁ ମଧ୍ୟ ସମାନ ଭାବରେ ନିର୍ବୋଧ ବୋଲି ହିଁ କୁହାଯିବ । ଏହିଭଳି “ଫଳପ୍ରଦ”କେତୋଟି ପାଠଘଣ୍ଟା ପରେ ପିଲାମାନେ କ୍ଳାନ୍ତ ହୋଇ ଘରକୁ ଯାଆନ୍ତି । ଟିକକ କଥାରେ ବିରକ୍ତ ହୁଅନ୍ତି, ଟିକକ କଥାରେ ଉତ୍ତେଜିତ ହୋଇ ଉଠନ୍ତି । ସେମାନଙ୍କ ପାଇଁ ବିଶ୍ରାମ ଏବଂ ଖେଳର ପ୍ରୟୋଜନ ଥାଏ,–ତଥାପି ଘରପାଠ କରିବାକୁ ପଡ଼େ ; ବସ୍ତାନି ମୁଣା ଭିତରୁ ବହି ଆଉ ଖାତାମାନଙ୍କୁ ବାହାର କଲା ବେଳକୁ ସେମାନେ ଅତ୍ୟନ୍ତ ଶୋଚନୀୟ ଅନୁଭବ କରୁଥାନ୍ତି ।

 

ପିଲାମାନଙ୍କ ଭିତରେ ଯେ ବହୁତ ପରିମାଣର ମନ୍ଦ ଆଚରଣ ଦେଖିବାକୁ ମିଳେ, ସେମାନେ ଶିକ୍ଷକ ପ୍ରତି ଅଥବା ପରସ୍ପର ପ୍ରତି ଖୁବ୍ କର୍କଶ ହୁଅନ୍ତି, ଗାଳି ଶୁଣିଲେ ଉଦ୍ଧତ ଭାବରେ ଜବାବ ଦିଅନ୍ତି ଏବଂ ତାହାର ପରିଣାମ ସ୍ୱରୂପ ଆହୁରି କେତେ କ’ଣ ଦ୍ୱନ୍ଦ୍ୱମାନ ଉପସ୍ଥିତ ହୋଇଯାଏ, ଏଗୁଡ଼ିକୁ ଆଦୌ ଆକସ୍ମିକ ବୋଲି କୁହାଯିବ ନାହିଁ । ଏସବୁର କାରଣ ହେଉଛି ଯେ, ପିଲାମାନଙ୍କର ସ୍ନାୟୁଶକ୍ତିକୁ ତାହାର ଶେଷ ସୀମାଯାଏ ଭାରାକ୍ରାନ୍ତ କରି ରଖାଯାଏ : ଏବଂ ଶିକ୍ଷକ ମଧ୍ୟ ଗୋଟାଏ କମ୍ପ୍ୟୁଟର ମଧ୍ୟ ନୁହଁନ୍ତି । ସମସ୍ତ ପାଠଘଣ୍ଟା ଲାଗି ଶ୍ରେଣୀର ମନୋଯୋଗକୁ ଏହି “ଅତ୍ୟୁଚ୍ଚ ଫଳଦାୟକତା”ର ସ୍ତରରେ ରଖିବାର ଏହିପରି ଚେଷ୍ଟା କରୁଥିବା ସମୟରେ ଶିକ୍ଷକକୁ ମଧ୍ୟ ଶିକ୍ଷା ଦେଉଥିବା ବିଷୟଟାକୁ କ୍ଷିପ୍ର ଭାବରେ ବଦଳାଇ ଦେବାକୁ ପଡ଼ୁଥାଏ । ଏହା ଆଦୌ ଆକସ୍ମିକ ନୁହେଁ ଯେ, ପିଲାମାନେ ଅତ୍ୟନ୍ତ ବିରସ, ବିଷଣ୍ଣ ଏବଂ ସବୁକିଛି ବିଷୟରେ ଉଦାସୀନ ହୋଇ ଇସ୍କୁଲରୁ ଘରକୁ ଯାଆନ୍ତି,-ଅଥବା, ତା’ର ଠିକ୍ ଓଲଟା, ଅତ୍ୟନ୍ତ ଚିଡ଼ିଚିଡ଼ା ହୋଇ ଘରକୁ ଫେରନ୍ତି ।

 

ଏତେଗୁଡ଼ାକ ଅନିଷ୍ଟ ଭିଆଇ ଆମେ ଆଦୌ ପିଲାମାନଙ୍କ ଭିତରେ ମନୋଯୋଗ, ଏକାଗ୍ରତା ଓ ମାନସିକ ସକ୍ରିୟତା ବଜାୟ ରଖିବାକୁ ଚେଷ୍ଟା କରିବା ନାହିଁ । ପିଲାମାନଙ୍କର ବିଶେଷ କରି ସାନ ପିଲାଙ୍କର ମାନସିକ ଶକ୍ତି ଏବଂ ସ୍ନାୟୁର କ୍ରିୟାଶୀଳତା ଆଦୌ ଏକ ପାତାଳଫୁଟା କୂଅ ନୁହେଁ ଯେ ଆମେ ଏକାବେଳେକେ ଅବିଶ୍ରାନ୍ତ ଭାବରେ ସେଥିରୁ ପାଣି କାଢ଼ିବାରେ ଲାଗିଥିବା । ତେଣୁ, ତୁମର ଯେତିକି ପ୍ରୟୋଜନ, ତୁମେ ସେହି କୂଅରୁ ବୁଦ୍ଧିମତ୍ତା ଏବଂ ବିଚାର ସହିତ କେବଳ ସେତିକି ନେବ ଏବଂ ତା’ସହିତ ପିଲାଟିର ସ୍ନାୟୁଶକ୍ତିର ଉତ୍ସଗୁଡ଼ିକୁ ମଧ୍ୟ ପୁନର୍ବାର ସମ୍ବଳିତ କରି ଦେଇ ପାରୁଥିବ । ସେହି ଉତ୍ସଗୁଡ଼ିକ ହେଉଛି ଯେ, ପିଲା ପାରିପାର୍ଶ୍ୱିକ ପୃଥିବୀର ବସ୍ତୁ ଏବଂ ଘଟଣାଗୁଡ଼ିକୁ ନିରୀକ୍ଷଣ କରୁଥିବ, ପ୍ରକୃତି ଦ୍ୱାରା ପରିବେଷ୍ଟିତ ଜୀବନଟିକୁ ଦେଖି ପାରୁଥିବ, ତା’ର ଆଗ୍ରହକୁ ଜାଗୃତ କରି ଆଣିଲା ଭଳି ବହିଗୁଡ଼ିକୁ ପାଠ କରୁଥିବ, ଶ୍ରେଣୀ ଭିତରେ ଆଦିଷ୍ଟ ନହୋଇ ନିଜେ କିଛି ଆବିଷ୍କାର କରିବାକୁ ଇଚ୍ଛା କରିଥିବ ଏବଂ ଯାବତୀୟ ଜୀବନ୍ତ ଭାବନା ଓ ଭାଷାର ଉତ୍ସମାନଙ୍କୁ “ଯାତ୍ରା” କରିପାରୁଥିବ ।

 

ବିଦ୍ୟାଳୟର ଜୀବନରେ ଏପରି କିଛି ଅଦୃଶ୍ୟ ହୋଇ ରହିଥାଏ, ଯାହାକୁ ତାହାର ଆତ୍ମିକ ସୁପରିବେଶ ବୋଲି କୁହାଯାଇପାରିବ । ଏହି କଥାଗୁଡ଼ିକୁ ହିଁ ମୁଁ ତାହା ମଧ୍ୟରେ ଅନ୍ତର୍ଭୁକ୍ତ କରିଥାଏ, ପିଲାମାନେ ଏକ ପରିପୂର୍ଣ୍ଣ ଜୀବନକୁ ଅନୁଭବ କରୁଥିବେ, ସେମାନଙ୍କର ଭାବନା ପରିଚ୍ଛନ୍ନ ହୋଇ ରହିଥିବ, ନିଜର ଶକ୍ତି ଉପରେ ବିଶ୍ୱାସ ରହିଥିବ, ସବୁକିଛି ଅସୁବିଧାକୁ ଅତିକ୍ରମ କରିଯିବାର ବିଶ୍ୱାସ ମଧ୍ୟ ରହିଥିବ । ଆତ୍ମିକ ସୁପରିବେଶର ବିଶେଷ ଲକ୍ଷଣ ହେଉଛି, ସମସ୍ତେ ଶାନ୍ତ ଭାବରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଗରେ ରଖି କାର୍ଯ୍ୟ କରୁଥିବେ, ପାରସ୍ପରିକ ସମ୍ବନ୍ଧଗୁଡ଼ିକ ସମୁଚିତ ଓ ସାହଚର୍ଯ୍ୟପୂର୍ଣ୍ଣ ହୋଇ ରହିଥିବ ଏବଂ କେଉଁଠି ହେଲେ କୌଣସି ବିରକ୍ତ ଭାବ ନଥିବ । ଏହି ଆତ୍ମିକ ସୁପରିବେଶଟି ନଥିଲେ ଆଦୌ ସୁସ୍ଥ ଭାବରେ କାର୍ଯ୍ୟ କରିହେବ ନାହିଁ । ଯେତେବେଳେ ତାହା ବାଧାପ୍ରାପ୍ତ ହେଉଥିବ, ସେତେବେଳେ ସାମୁହିକ ଜୀବନ ପ୍ରକୃତରେ ଏକ ନର୍କରେ ପରିଣତ ହୋଇଯିବ: ପିଲାମାନେ ପରସ୍ପରକୁ ଅପମାନିତ ଓ ବିରକ୍ତ କରିବାରେ ଲାଗିଥିବେ ଏବଂ ଏକ ଉତ୍ତେଜନା ହିଁ ସର୍ବତ୍ର ରାଜତ୍ୱ କରୁଥିବ । ତେବେ କେଉଁ ଉପାୟରେ ଏହି ଆତ୍ମିକ ସୁପରିବେଶକୁ ସମ୍ଭବ କରିହେବ, ଏବଂ ଯାହା ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ, ତାହାକୁ ସ୍ଥାୟୀ କରି ରଖିହେବ ? ସର୍ବଶ୍ରେଷ୍ଠ ଶିକ୍ଷାବିତ୍‌ମାନଙ୍କର ଅଭିଜ୍ଞତାରୁ ମୁଁ ଜାଣିପାରିଲି ଯେ, ଶିକ୍ଷାର କ୍ଷେତ୍ରରେ ଯାହା ଅତ୍ୟନ୍ତ ସୂକ୍ଷ୍ମ, ଏଠାରେ ସେଇଟି ହିଁ ପ୍ରକୃତରେ ସର୍ବପ୍ରଧାନ କଥା: ସତତ ବିଚାର ଓ ସତତ ସକ୍ରିୟତା,–ଆତ୍ମିକ ବଳର କ୍ଷେତ୍ରରେ ଆଦୌ ହଲିଯିବାକୁ ପଡ଼ୁନଥିବ, ଅଧୀର ହେବାକୁ ପଡ଼ୁନଥିବ, କୌଣସି ଅବସାଦ ବି ଆସୁନଥିବ ।

 

ଆତ୍ମିକ ସୁପରିବେଶକୁ ସମ୍ଭବ କରିବାକୁ ହେଲେ ସଦିଚ୍ଛା, ପାରସ୍ପରିକ ସହାୟତାର ଏକ ତଦନୁରୂପ ପରିବେଶ ରହିଥିବା ଉଚିତ, ପ୍ରତ୍ୟେକ ପିଲାର ବୁଦ୍ଧିଗତ ସାମର୍ଥ୍ୟ ଏବଂ ସିଏ ଯାହା ପ୍ରକୃତରେ କରିପାରିବ, ଦୁଇଟି ମଧ୍ୟରେ ଏକ ସାମଞ୍ଜସ୍ୟତା ରହିଥିବା ଉଚିତ । ମୁଁ ବହୁ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କର ଆତ୍ମିକ ସୁପରିବେଶଟିଏ ସମ୍ଭବ କରିପାରିବାର ଶିକ୍ଷାଗତ କଳାଟିକୁ ଅତ୍ୟନ୍ତ ଯତ୍ନର ସହିତ ଅଧ୍ୟୟନ କରିଥିଲି । ମୋ’ ମତରେ ଯେଉଁମାନଙ୍କୁ ମୁଁ ଅଧିକ ବିଜ୍ଞବୋଲି ଭାବୁଥିଲି, ସେମାନଙ୍କର “ରହସ୍ୟଟିକୁ” ଜାଣିବା ପାଇଁ ଚେଷ୍ଟା କଲି ଏବଂ, ସେହି କ୍ଷେତ୍ରରେ ଅଧିକ ସ୍ୱାଭାବିକ କଥାଟିକୁ ମଧ୍ୟ ଆବିଷ୍କାର କରିଥିଲି । ସେଇଟି ହେଉଛି, ସେମାନଙ୍କର ସବୁ ପିଲା ଆପଣାର ସବୁଯାକ ସାମର୍ଥ୍ୟକୁ ଲଗାଇ ଅଧ୍ୟୟନ କରୁଥିଲେ । ପୂର୍ଣ୍ଣ ସମର୍ଥ ଛାତ୍ରଟିଏ ହେବାର ସମ୍ଭାବନା ଥିଲେ ସେମାନଙ୍କର କୌଣସି ପିଲା ଆଦୌ ଏକ ହାରାହାରି ମାମୁଲି ସ୍ତରରେ ରହିଯାଉନଥିଲେ । ଏସବୁ ଶ୍ରେଣୀରେ ପ୍ରକୃତରେ ହାରାହାରି ସ୍ତରରେ ରହିଥିବା ପିଲାମାନେ ମଧ୍ୟ ନିଜକୁ କଦାପି କୌଣସି ଦୁର୍ଭାଗ୍ୟର ଶିକାର ବୋଲି ଭାବୁ ନଥିଲେ ଏବଂ ସେମାନଙ୍କର ସାଙ୍ଗମାନେ ମଧ୍ୟ ସେମାନଙ୍କୁ ଆଦୌ କୌଣସି ନ୍ୟୁନ ଦୃଷ୍ଟିରେ ଦେଖୁ ନଥିଲେ ।

 

ସବୁଠାରୁ ଅଧିକ ନମ୍ବର ରଖିବାପାଇଁ ପିଲାମାନଙ୍କର ଯେଉଁ ଜ୍ୱରବତ୍ ଅଧୀରତା, ସେହି ବିଷୟରେ ମୁଁ ସର୍ବଦା ଅତ୍ୟନ୍ତ ଚିନ୍ତିତ ଅନୁଭବ କରୁଥିଲି । ସେହି ଅଧୀରତା ପିଲାମାନଙ୍କର ଘରୁ ହିଁ ଜନ୍ମଲାଭ କରିଥାଏ ଓ ଶିକ୍ଷକମାନେ ତାହାର ଖୁବ୍ ଫାୟଦା ଉଠାନ୍ତି । ପିଲାମାନଙ୍କର କୋମଳ ଆତ୍ମା ଉପରେ ତାହା ଏକ ଭାରି ବୋଝକୁ ନେଇି ଲଦି ଦେଇଥାଏ ଏବଂ ସେମାନଙ୍କୁ କ୍ଷତ ବିକ୍ଷତ କରିଦିଏ । ଗୋଟିଏ ପିଲାର ସବୁଠାରୁ ଅଧିକ ନମ୍ବର ରଖିବା ଲାଗି ହୁଏତ କୌଣସି ସାମର୍ଥ୍ୟ ନଥାଏ, ଅଥଚ ବାପାମାଆ ତା’ଠାରୁ ତାହା ହିଁ ଦାବି କରୁଥାନ୍ତି ବା ସେ ଅନ୍ତତଃ ସର୍ବୋଚ୍ଚ ନମ୍ବରର ପାଖାପାଖି ରଖୁ ବୋଲି ଚାହୁଥାନ୍ତି । ବିଚରା ହତଭାଗା ପିଲାଟି ଯଦି ହାରାହାରି ନମ୍ବର ପାଏ, ତେବେ ନିଜକୁ ସତେଅବା ଭାରି ଅଯୋଗ୍ୟ ବୋଲି ଅନୁବବ କରିବାକୁ ଆରମ୍ଭ କରେ । ମାତ୍ର ଅଭିଜ୍ଞ ଶିକ୍ଷକମାନଙ୍କ କ୍ଷେତ୍ରରେ ଏପରି ହୁଏନାହିଁ । ସର୍ବୋତ୍ତମ ଫଳ ଦେଖାଉଥିବା ଛାତ୍ରମାନେ ନିଜକୁ ଭାଗ୍ୟଦେବୀଙ୍କର ଆଶୀର୍ବାଦ ଲାଭ କରିଛନ୍ତି ବୋଲି ଭାବନ୍ତି ନାହିଁ ଅଥବା ହାରାହାରି ସ୍ତରର ଅନ୍ୟମାନେ ନିଜକୁ କମ୍ ସମର୍ଥ ମନେ କରି କଦାପି ବିଷଣ୍ଣ ହୋଇ ପଡ଼ନ୍ତି ନାହିଁ-। ଏହି ପ୍ରକୃତ ଶିକ୍ଷାବିତମାନଙ୍କ ଠାରୁ ହିଁ ମୁଁ ବୁଦ୍ଧିମତ୍ତାପୂର୍ଣ୍ଣ ଓ ଏକାଗ୍ର ମାନସିକ ଶ୍ରମର ସାମର୍ଥ୍ୟ ହାସଲ କରିବାର ଉପାୟଟିକୁ ଶିକ୍ଷା କରିଥିଲି । ମୁଁ ସେମାନଙ୍କ ଭିତରେ ଶିକ୍ଷଣକଳାର ଗୋଟିଏ ସୂକ୍ଷ୍ମ ଲକ୍ଷଣ ରହିଥିବାର ଲକ୍ଷ୍ୟ କରିପାରିଥିଲି : ସେମାନେ ପିଲାମାନଙ୍କର ହୃଦୟ ଓ ମନ ଭିତରେ ଜ୍ଞାନଜନିତ ଆନନ୍ଦର ଏକ ବୌଦ୍ଧିକ ଅନୁଭବକୁ ଜାଗୃତ କରାଇ ପାରୁଥିଲେ । କୌଣସି ସଫଳତା, ଏପରିକି ଅତି ସାମାନ୍ୟ ସଫଳତାଗୁଡ଼ିକ ମଧ୍ୟ ସେହି ଶିକ୍ଷକମାନଙ୍କର ଛାତ୍ରମାନଙ୍କ ଭିତରେ ସତ୍ୟର ଆବିଷ୍କାର ଏବଂ ଗବେଷଣା ସହିତ ସଂଲଗ୍ନ ହୋଇ ରହିଥିବା ସେହି ଆନନ୍ଦମୟ ଆତ୍ମିକ ଉଦବେଳନଟିକୁ ଘଟାଇବାରେ ମଧ୍ୟ ବିଫଳ ହୋଇ ଯାଉଥିଲେ । ଏହି ଅଭିଜ୍ଞ ଶିକ୍ଷାବିତ୍‌ମାନଙ୍କର ଏହିସବୁ ଲବ୍ଧସତ୍ୟ ରୂପକ ମଣିକୁ ସଂଗ୍ରହ କରି ମୁଁ ପିଲାମାନଙ୍କୁ ପରୀକ୍ଷାରେ ଭଲ ମନ୍ତବ୍ୟ ଆଣିବାକୁ ନୁହେଁ, ମାତ୍ର ଆକର୍ଷଣପୂର୍ଣ୍ଣ ବୌଦ୍ଧିକ ଅନୁଭୂତିମାନ ଲାଭ କରିବାର ଆଗ୍ରହ ହେତୁ ମୁଁ ପିଲାମାନେ ଯେପରି କାର୍ଯ୍ୟ କରିବେ, ସେଥିଲାଗି ଚେଷ୍ଟା କରିଥିଲି । ଏକଥା ଦେଖି ମୋତେ ଖୁବ୍ ଖୁସୀ ଲାଗିଲା ଯେ, ଆମ ଛାତ୍ର ସମୂହଟି ଭିତରେ ଭଲ ନମ୍ବର ରଖିବା ପାଇଁ କୌଣସି ବିଶେଷ ଅଧୀରତା ନଥିଲା ଅଥବା ମଧ୍ୟମ ଧରଣର ନମ୍ବର ଆସିଲେ କାହାରି ମନରେ କୌଣସି ଉଦ୍‌ବେଗର ସୃଷ୍ଟି ମଧ୍ୟ ହେଉନଥିଲା ।

 

ପ୍ରତ୍ୟେକ ଦିନ ଆମେ ଏକାଧିକ ପାଠସମୟକୁ ଭାବନା ଏବଂ ମାତୃଭାଷାର ସେହି ଉତ୍ସସ୍ଥାନକୁ “ଯାତ୍ରା” କରିବା ଓ ପର୍ଯ୍ୟବେକ୍ଷଣ କରିବା ଲାଗି ଉତ୍ସର୍ଗୀକୃତ କରି ରଖିଥିଲୁ । ସେଠାରେ ସମସ୍ତେ ପ୍ରକୃତିର ପ୍ରତ୍ୟକ୍ଷ ସଂପର୍କରେ ଆସୁଥିଲେ, କାରଣ ତାହା ନହେଲେ ପିଲାର ମାନସିକ ସାମର୍ଥ୍ୟ ଓ ସ୍ନାୟୁବିକ କ୍ରିୟାଶୀଳତାର ରୂପଟି ଖୁବ୍ ଶୀଘ୍ର ଶୁଷ୍କ ହୋଇ ଯାଉଥିଲା । ଶରତଋତୁରେ ପାଗ ଉଷୁମ ଥିବା ସମୟରେ, ବସନ୍ତ ଏବଂ ଗ୍ରୀଷ୍ମରେ ଆମେ ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଅଭିଯାନରେ ବାହାରି ଯାଉଥିଲୁ । ଗାଆଁର ପିଲାମାନେ ପ୍ରକୃତରେ ଭାରି ଶୀଘ୍ର ଉଠିପାରନ୍ତି-। ପ୍ରକୃତି ବିଷୟରେ, ଚାରିପାଖର ପୃଥିବୀରେ ଥିବା ଓ ଘଟୁଥିବା ବସ୍ତୁ ଓ ଘଟଣାବଳୀ ବିଷୟରେ କାହାଣୀମାନ ପିଲାମାନଙ୍କର ଜିଜ୍ଞାସାକୁ ପ୍ରଜ୍ଜ୍ୱଳିତ କରି ରଖିଥିଲା ଏବଂ ମୋତେ ବହୁତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଥିଲା: ଏଠାରେ ସେଥିରୁ କେତୋଟିର ଉଲ୍ଲେଖ କରାଯାଇପାରିବ । “ସୂର୍ଯ୍ୟ କାହିଁକି ବଡ଼ି ସକାଳେ ଲାଲ୍ ଆଉ ଖରାବେଳେ ନିଆଁ ପରି ଦେଖାଯାଏ ?” ବିଜୁଳି ଓ ଘଡ଼ଘଡ଼ି କାହିଁକି ମାରେ ? ମେଘମାନେ କୁଆଡ଼ୁ ଆସନ୍ତି ? –ଫୁଲ କାହିଁକି ସକାଳୁ ଫୁଟି ଖରାବେଳକୁ ବୁଜି ହୋଇଯାଏ ? ପଶ୍ଚିମରୁ ପବନ ବୋହିଲେ କାହିଁକି ବର୍ଷା ହୁଏ ଏବଂ ପୂର୍ବରୁ ବୋହିଲେ କାହିଁକି ବର୍ଷା ହୁଏ ନାହିଁ ? ସୂର୍ଯ୍ୟମୁଖୀ ଫୁଲ କାହିଁକି ସୂର୍ଯ୍ୟ ଆଡ଼କୁ ବୁଲି ବୁଲି ଯାଉଥାଏ, –ସିଏ କ’ଣ ମଣିଷଙ୍କ ପରି ଦେଖିପାରେ କି ? ଲୁହାରେ କାହିଁକି କଳଙ୍କି ଲାଗେ ? ପାରାମାନେ କାହିଁକି ଗଛ ଚଢ଼ନ୍ତି ନାହିଁ ? ଗ୍ରୀଷ୍ମ ଋତୁରେ ଗଛରେ ପତ୍ର ଥିବାବେଳେ ସେଗୁଡ଼ିକୁ ଗୋଟିଏ ଜାଗାରୁ ନେଇ କାହିଁକି ଆଉ ଗୋଟିଏ ଜାଗାରେ ଲଗାଇ ହୁଏନାହିଁ ? ତାରାମାନେ ଆକାଶରୁ ଖସି କେଉଁଠାରେ ପଡ଼ନ୍ତି ? ବରଫର ଖଣ୍ଡଗୁଡ଼ିକ କାହିଁକି କାଗଜରୁ କଟା ହୋଇଥିବା ଫୁଲ ପରି ଏଡ଼େ ସୁନ୍ଦର ଦିଶନ୍ତି ? ଏତେ ଏତେ ଦୂରକୁ ଉଡ଼ି ଗଲାବେଳେ ଚଢ଼େଇମାନେ କିପରି ବାଟ ଜାଣନ୍ତି ? ଜହ୍ନ ଚାରିପାଖରେ ସେହି ଧଳା ମଣ୍ଡଳଟା କେଉଁଠାରୁ ଆସିଥାଏ ? ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଳେ ଆକାଶ ଲାଲ୍ ଦେଖାଯାଏ କାହିଁକି ? ମହୁ ଆଣିବାକୁ ଯିବା ଆଗରୁ ମହୁମାଛିମାନେ କାହିଁକି ନାଚନ୍ତି ? ଗଛରେ ଫୁଲ ଧରିଥିବା ସମୟରେ ବଗିଚାରେ କାହିଁକି କୁଟା ଜଳାଯାଏ ? ଜଙ୍ଗଲ ଭିତରେ କାହିଁକି ପ୍ରତିଧ୍ୱନି ଶୁଣାଯାଏ ? ଇନ୍ଦ୍ରଧନୁ କ’ଣ ? ଶୀତଦିନେ କାହିଁକି ବିଜୁଳି ଆଉ ଘଡ଼ଘଡ଼ି ମାରେ ନାହିଁ ? ଅତି ବେଶୀ ଥଣ୍ଡା ପଡ଼ିଲେ ଯାଇ ଲୁଣି ପାଣି କାହିଁକି ବସିଯାଏ ? -ମାନେ କାହିଁକି ଗାତ ଖୋଳନ୍ତି, କିନ୍ତୁ ମାନେ ଖୋଳନ୍ତି ନାହିଁ ? ଏମିତି କାହିଁକି ହୁଏ ଯେ, ଗ୍ରୀଷ୍ମ ଦିନେ କ୍ଷୀରପାତ୍ରର ଚାରିପାଖରେ ଗୋଟିଏ ଓଦା ତଉଲିଆ ବାନ୍ଧି ହୁଏ, ମାତ୍ର ଯେତେ ବେଶୀ ଗରମ ହେଉଥିଲେ ମଧ୍ୟ କ୍ଷୀର ତଥାପି ଗରମ ହୋଇଯାଏ ନାହିଁ ? ବର୍ଷା ହେବା ଆଗରୁ ଚାତକମାନେ କାହିଁକି ଏତେ ପାଖରେ ଆସି ଉଡ଼ନ୍ତି ? ସେମାନେ କାହିଁକି ବିଲରେ ବସା କରନ୍ତି, କିନ୍ତୁ ଅମୁକ ଚଢ଼େଇ ଗଛ ଉପରେ ? ବତକମାନେ ପହଁରୁଛନ୍ତି, କିନ୍ତୁ କୁକୁଡ଼ାମାନେ ପାରୁ ନାହାନ୍ତି କାହିଁକି ? ଆଜି କାହିଁକି ବ୍ୟୋମଯାନ ପଛରେ ଗୋଟିଏ ଧୂଆଁଦାଣ୍ଡି ପଡ଼ିଗଲା, କାଲି କାହିଁକି ପଡ଼ି ନଥିଲା ? ତରାମାନେ କାହିଁକି ଆକାଶରୁ ଖସନ୍ତି ଏବଂ କୋଉଠି ଯାଇ ପଡ଼ନ୍ତି ? ପାଣିରେ ଭଉଁରୀ ଉଠିବା ପରି ପବନ ମଧ୍ୟ କାହିଁକି ଗୋଟାଏ ଧୂଳିସ୍ତମ୍ଭ ସୃଷ୍ଟି କରିଥାଏ ? ଉଇଲୋ ଗଛ “କାନ୍ଦେ” କାହିଁକି ? –ଫୁଲମାନେ କାହିଁକି କେବଳ ବସନ୍ତର ଆରମ୍ଭରେ ଫୁଟନ୍ତି ? ଶୀତଦିନର ଗହମକୁ କାହିଁକି ଶରତମାସରେ ଓ ବସନ୍ତ କାଳର ଫସଲଗୁଡ଼ିକୁ ବସନ୍ତରେ ବୁଣାଯାଏ ? ଜୁଳୁଜୁଳିଆ କାହିଁକି ଜୁକୁଜୁକୁ ହୁଏ ? ଗାଈର ଗୋଟିଏ ବାଛୁରୀ ହୁଏ, କିନ୍ତୁ ଘୁଷୁରୀର କାହିଁକି ପଲେ ହୁଅନ୍ତି ? ସୂର୍ଯ୍ୟ ଖରାଦିନେ ଏତେ ଉଚ୍ଚକୁ ଉଠେ ଓ ଶୀତଦିନେ ଏତେ ତଳେ ରହେ କାହିଁକି ? ବରଫରେ ଜମି ଯାଇଥିବା କାଚ ଉପରେ ଏତେ ସୁନ୍ଦର କମମାନ କାହିଁକି ଦେଖିବାକୁ ମିଳେ ? ଶରତ ଆସିଲେ ଗଛର ପତ୍ରମାନେ ମାଟିଆ କାହିଁକି ହୋଇଯାଆନ୍ତି ?”

 

ପିଲାମାନଙ୍କ ଆଗରେ କେବଳ ପ୍ରକୃତିର ମର୍ମସତ୍ୟଟିକୁ ଖୋଲି ଦେଖାଇ ଦେବାକୁ ନୁହେଁ, ସେମାନଙ୍କର ଜିଜ୍ଞାସା ଓ କୌତୁହଳକୁ ଆହୁରି ଅଧିକ ପ୍ରଜ୍ଜ୍ୱଳିତ କରି ଆଣିବା ପାଇଁ ମଧ୍ୟ ମୁଁ ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଥିଲି । ପିଲାମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତରଗୁଡ଼ିକ, ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ବିଷୟରେ ଯାବତୀୟ କଥୋପକଥନ, –ଏହିସବୁ ହିଁ ଭାବି ଶିଖିବାର ପ୍ରଥମ ପାଠଶାଳା ରୂପେ କାର୍ଯ୍ୟ କରିଥିଲା । କେତୋଟି ପ୍ରଶ୍ନର କିପରି ଉତ୍ତର ଦିଆଯିବ, ସେକଥା ମୋତେ ଜଣା ନଥିଲା । ମନେ ହେଉଥିଲା, ବାହାରୁ ଗୋଟିଏ ପ୍ରଶ୍ନ ଯେତିକି ଅଧିକ ସହଜ ଲାଗୁଥିଲା, ତାହାର ଉତ୍ତର ଦେବା ସେତିକି କଷ୍ଟକର ହେଉଥିଲା । ପିଲାମାନଙ୍କର “ଦାର୍ଶନିକ” ପ୍ରଶ୍ନଗୁଡ଼ିକର କିପରି ଉତ୍ତର ଦେବାକୁ ହେବ, ବିଶେଷତଃ ସେଇଥିପାଇଁ ମୁଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଭେଟିଥିଲି । ପିଲାମାନଙ୍କ ଭାବନାରାଜ୍ୟର ଏହି ଅତି ଜଟିଳ ଭୁଲଭୁଲେୟାଟି ବିଷୟରେ ଆଲୋଚନା କରି ଆମେ ଗୋଟିଏ ସନ୍ଧ୍ୟା ବିତେଇ ଦେଉଥିଲୁ ।

 

ପିଲାମାନଙ୍କର ଭାବନା ବିଷୟରେ ବିଶେଷଜ୍ଞ ପ୍ରାଥମିକ ଶିକ୍ଷକମାନଙ୍କର ଅଭିଜ୍ଞତା ହିଁ ମୋତେ ଏହି ଉପସଂହାରରେ ଆଣି ପହଞ୍ଚାଇଥିଲା ଯେ, ଉପରୁ ଯାହା ଅତ୍ୟନ୍ତ ସରଳ ଓ ଅତ୍ୟନ୍ତ ସହଜ ବୋଲି ଲାଗୁଥାଏ, ସେଗୁଡ଼ିକର ଅନ୍ତରାଳରେ ହିଁ ପ୍ରକୃତରେ ପ୍ରଧାନ ଅସୁବିଧାଗୁଡ଼ିକ ଆତ୍ମଗୋପନ କରି ରହିଥାନ୍ତି । “ଶୀତଦିନିଆ ଗହମ କାହିଁକି ଶରତ ଋତୁରେ ବୁଣା ହୁଏ ଓ ବସନ୍ତ ଋତୁର ଫସଲଗୁଡ଼ିକ କାହିଁକି ବସନ୍ତଋତୁରେ ବୁଣାଯାଏ ?” ଏହି ପ୍ରଶ୍ନଟିର ଉତ୍ତର ଦେବା ପ୍ରକୃତରେ ତାରା ଏବଂ ଉଲ୍‍କାମାନଙ୍କର ଖସିବା ବିଷୟରେ କରାଯାଉଥିବା ପ୍ରଶ୍ନଟିର ଉତ୍ତର ଠାରୁ ଅଧିକ କଷ୍ଟକର । ପ୍ରକୃତିର ଜଗତଟି ମଧ୍ୟକୁ ଆମର “ଯାତ୍ରା” ଗୁଡ଼ିକୁ ମୁଁ ଏପରି ବ୍ୟବସ୍ଥା କରିବା ଉପରେ ଦୃଷ୍ଟି ରଖିଲି, ଯାହାଦ୍ୱାରା କି ପିଲାମାନେ ବସ୍ତୁ ଓ ଘଟଣାଗୁଡ଼ିକ ମଧ୍ୟରେ ରହିଥିବା କାର୍ଯ୍ୟ କାରଣ ସମ୍ବନ୍ଧଗୁଡ଼ିକୁ ଲକ୍ଷ୍ୟ କରି ଦେଖିପାରିବେ ଓ ନିର୍ଭରଶୀଳତାଗୁଡ଼ିକୁ ମଧ୍ୟ ଜାଣିପାରିବେ । ଶିକ୍ଷାରେ ସେଇଟି ହେଉଛି ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥା ।

 

ଯଦି ପୂର୍ବତନ ପାଠ ଘଣ୍ଟାରେ ଆମେ ପ୍ରକୃତି ମଧ୍ୟକୁ “ଭ୍ରମଣ” କରି ଯାଉଥିଲୁ, ତେବେ ସେଇଟି ସରିଯିବା ପରେ ଆମେ ଖେଳ ଖେଳୁଥିଲୁ । ପିଲାମାନେ ମନରୁ ଅନେକ ଗୋଷ୍ଠୀ-ଖେଳ ଭାବି ବାହାର କରୁଥିଲେ । ପ୍ରାକୃତିକ ଘଟନାବଳୀରେ ଜଗତଟି ପରୀଗପଗୁଡ଼ିକ ସହିତ ଗୋଟିଏ ବେଣୀରେ ବନ୍ଧା ହୋଇ ରହିଥିଲା । ଏପରି ଗୋଟିଏ ଖେଳ ଥିଲା, ଯେଉଁଥିରେ କି ପିଲାମାନେ ବିଶେଷ ଭାବରେ ଅଭିଭୂତ ହୋଇ ରହୁଥିଲେ । ଖେଳଟିର ନାମ ହେଉଛି, “ରହସ୍ୟଦ୍ୱୀପର ସନ୍ଧାନରେ” ଆମେ ସମସ୍ତେ ଦୁଇ ଦଳରେ ବାଣ୍ଟି ହୋଇ ଯାଉଥିଲୁ । ଗୋଟିଏ ଦଳ ଜଙ୍ଗଲ ଭିତରେ ବହୁ ଦୂରରେ ଯାଇ ରହୁଥିଲେ । ଖେଳର ଅଞ୍ଚଳଟିକୁ ଆମେ ଏପରି ଚିହ୍ନଗୁଡ଼ିକୁ ଦେଇ ଚିହ୍ନଟ କରି ରଖିଥିଲୁ, ଯାହାକି କେବଳ ଆମକୁ ହିଁ ଜଣାଥିଲା । ଏଇଟି ଦ୍ୱୀପର ସୀମା ରୂପେ ଚିହ୍ନଟ ହୋଇ ରହୁଥିଲା । ଦ୍ୱୀପରେ କେତେ ପାହାଡ଼ ଥିଲା, ବନ୍ୟଜନ୍ତୁମାନେ ବି ରହିଥିଲେ । ଏହି ଦ୍ୱୀପରେ ପିଲାମାନେ ଜାହାଜ ବୁଡ଼ିଯିବା ଫଳରେ ଏଠାରେ ଆସି ଆଶ୍ରୟ ନେଇଥିବା ପଥିକମାନଙ୍କର ଭୂମିକାକୁ ଅଭିନୟ କରୁଥିଲେ । ଗୋଟିଏ ଅଣଓସାରିଆ ରାସ୍ତାରେ ସେମାନେ ବେଶ୍ ଲୁକ୍କାୟିତ ଭାବରେ ଚିହ୍ନସବୁ ରଖିଥିଲେ, ଯେଉଁଟିରୁ କି ଦ୍ୱୀପ ଭିତରକୁ ରାସ୍ତାଟି ଚିହ୍ନିତ ହୋଇ ଯାଉଥିଲା । (ଏହି ଚିହ୍ନଗୁଡ଼ିକ ବିଷୟରେ ଦୁଇ ଦଳ ମଧ୍ୟରେ ଆଗରୁ ରାଜିନାମା ହୋଇ ରହୁଥିଲା । ) ଆମକୁ ଜାହାଜବୁଡ଼ିରୁ ରକ୍ଷା ପାଇଥିବା ପଥିକମାନଙ୍କୁ ଉଦ୍ଧାର କରିବାକୁ ହେଉଥିଲା ଏବଂ ପିଲାମାନେ ମାଇଲ୍ ପରେ ମାଇଲ୍ ବାଟ ବୁଲି “ଉପକୂଳରେଖା”କୁ ଖୋଜି ବୁଲୁଥିଲେ ଏବଂ ଦ୍ୱୀପଟି ଭିତରକୁ ଯାଇ ପାରିବାର ରାସ୍ତାଟିର ଅନ୍ୱେଷଣ କରୁଥିଲେ । ଏଥିପାଇଁ ଯେ କେବଳ ତୀକ୍ଷ୍‍ଣ ନଜର ଏବଂ ସାହସ ଆବଶ୍ୟକ ଥିଲା ତା’ନୁହେଁ, ଏଥିପାଇଁ ପ୍ରକୃତି ଭିତରେ ରହିଥିବା ବହୁତ ବହୁତ ବସ୍ତୁର ତଦାରଖ କରିପାରିବାର ଏବଂ ବୁଦ୍ଧିମାନ ପରି ଭାବିବାର ସାମର୍ଥ୍ୟ ଲୋଡ଼ା ଥିଲା । ଏହି ଖେଳରୁ ସାଧୁତା ଓ ସତ୍ୟବାଦିତା ବି ଶିଖି ହେଉଥିଲା । ପିଲାମାନେ ଦ୍ୱୀପ ମଧ୍ୟକୁ ପଡ଼ିଥିବା ଗୁପ୍ତ ପଥଟିକୁ ଠାବ କଲେ ଏବଂ ପଥିକମାନଙ୍କୁ ସାହାଯ୍ୟ କରିଥିଲେ । ଅସୁସ୍ଥମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ । ସେହି ଖେଳରେ ପାଇଲଟମାନେ ଆସିଲେ, ଡାକ୍ତରମାନେ ଆସିଲେ । ହଜିଯାଇଥିବା ପଥିକମାନେ ଓ ସେମାନଙ୍କୁ ଠାବ କରିଥିବା ବ୍ୟକ୍ତିମାନେ ଏହିପରି ଭେଟାଭେଟି ହେଲେ ଏବଂ କାଶା ରାନ୍ଧି ଖାଇଲେ । ତା’ପରେ ସମସ୍ତେ ନିଆଁ ଜାଳି ତା’ଚାରିପାଖରେ ଯାଇ ବସୁଥିଲେ ଓ ମୁଁ ପରୀଗପଟିଏ କହୁଥିଲି । ମୁଁ କାହାଣୀଟିକୁ କହୁ କହୁ ମଧ୍ୟ ପିଲାମାନେ ସେଥିରେ ଆଣି ସୂତା ଯୋଡ଼ି ଦେଉଥିଲେ ଏବଂ ନିଜର ଧାରଣା ଓ ବିଚିତ୍ର କଳ୍ପନାଗୁଡ଼ିକୁ ଲେଖି ପକାଉଥିଲେ ।

 

ପ୍ରକୃତି ମଧ୍ୟକୁ ଏହି ସବୁ “ଭ୍ରମଣ” ସମୟରେ ପକ୍ଷୀ ଓ ପଶୁମାନଙ୍କର ଜୀବନକୁ ନିରୀକ୍ଷଣ କରି ଦେଖିବା ଉପରେ ଅନେକ ଧ୍ୟାନ ଦିଆଯାଉଥିଲା । ଏହାଦ୍ୱାରା ଆମ ସମ୍ମୁଖରେ ଏକ ସମ୍ପୂର୍ଣ୍ଣ ନୂତନ ଓ ବିସ୍ମୟକର ଜଗତ ଉନ୍ମୋଚିତ ହୋଇଯାଇଥିଲା । ଶାନ୍ତ ଶରତକାଳର ଦିନ ଗୁଡ଼ିକରେ କିପରି ପଲେ ଚୁଟିଆମୂଷା ଛୁଆ ମାଆ ପଛେ ପଛେ ଦଉଡ଼ୁଥିଲେ ଓ ମାଆ ସେମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରୁଥିଲା, ଆମେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲୁ । ଝରଣା କୂଳରେ ଟିକିଟିକି ଠେକୁଆମାନଙ୍କୁ ଦେଖୁଥିଲୁ । ଗୋଟିଏ ମାଆ ଠେକୁଆ କିପରି ସଦ୍ୟ ପ୍ରସବ କରିଥିବା ତା’ର ଛୁଆଟିକୁ ତା’ ଆପଣା ଆହାର ଆପେ ଖୋଜିବାକୁ ଛାଡ଼ି ଦେଇ ଚାଲି ଯାଇଥିଲା, ଆମ ପିଲାମାନେ ସେକଥାଟିକୁ ବି ଦେଖିବାକୁ ପାଇଥିଲେ । ଛୁଆଟି ବିଚରା ଦୈବାତ୍ ଆଉ ଗୋଟିଏ ଠେକୁଆ ଆସିଲେ ଯାଇ ତାକୁ ଆହାର ଦେବ ବୋଲି ଅପେକ୍ଷା କରି ରହିଥିଲା । ଜୁଲାଇ ମାସରେ ପିଲାମାନେ କାଠବେଙ୍ଗମାନଙ୍କୁ ଦେଖୁଥିଲେ । ଥରେ ଗୋଟିଏ ଦୂର ଜାଗାରେ ଗୋଟିଏ କୋକୀଶିଆଳୀ ଗାତ ମଧ୍ୟ ଦେଖିବାକୁ ମିଳିଲା । କୋକୀଶିଆଳୀ କିପରି ତା’ର ଛୁଆମାନଙ୍କୁ ବୁଲାଇ ନେଉଥିଲା, ସେମାନଙ୍କୁ ଦଉଡ଼ି ଶିଖାଉଥିଲା ଓ ସେମାନଙ୍କ ସହିତ ଖେଳୁଥିଲା, ସେମାନେ ସେକଥା ବି ଦେଖିଲେ । ଜଙ୍ଗଲର ଗୋଟିଏ ଦୂର କୋଣରେ ଆମେ ଥରେ ଓଧ ବି ଦେଖିଲୁ । ଏହିସବୁ ଭ୍ରମଣ ଓ ପର୍ଯ୍ୟବେକ୍ଷଣ ଆମର ଭାବନାକୁ ସମୃଦ୍ଧ କରୁଥିଲା ଓ କଥା କହିବାର ତଥା ଭାବ ପ୍ରକାଶ କରିବାର ଶକ୍ତିକୁ ବିକଶିତ କରି ଆଣୁଥିଲା । ଏହିସବୁ ଭ୍ରମଣରୁ ପିଲାଙ୍କ ମୁଣ୍ଡକୁ ଯେତିକି ପ୍ରଶ୍ନ ଆସୁଥିଲା, ଶ୍ରେଣୀଗୃହରେ ଆମେ ପ୍ରକୃତିରେ ରହିଥିବା ଜୀବନ, ଶ୍ରମ ଓ ଦୂର ଦୂର ଦେଶ ବିଷୟରେ ଚର୍ଚ୍ଚା କଲାବେଳେ ପିଲାମାନଙ୍କର କୌତୂହଳ ଏବଂ ଜିଜ୍ଞାସା ସେତିକି ପରିଷ୍କାର ହୋଇ ଯାଉଥିଲା । ପ୍ରକୃତି ପର୍ଯ୍ୟବେକ୍ଷଣ ପରେ ପିଲାମାନଙ୍କର ଭାବଗତ ସ୍ଥିତିଟିକୁ ଲକ୍ଷ୍ୟ କରି ‘ବିସ୍ମୟ ଦ୍ୱାରା ହିଁ ଜ୍ଞାନ ପ୍ରତି ଶ୍ରଦ୍ଧାର ଉନ୍ମେଷ ହୁଏ’ ବୋଲି ପୂର୍ବର ସେହି ବିଜ୍ଞ ଉକ୍ତିଟି ବିଷୟରେ ମୋ’ର ବିଶ୍ୱାସ ଆହୁରି ଅଧିକ ଦୃଢ଼ ହୋଇ ଯାଇଥିଲା ।

 

ପ୍ରକୃତିର ରହସ୍ୟ ପ୍ରତି ବିସ୍ମୟର ପ୍ରକାଶ, କିଛି ଆବିଷ୍କାର କରିଥିବାରୁ ଆନନ୍ଦର ଅନୁଭବ,–ପିଲାମାନଙ୍କୁ ଜାଗୃତ ଏବଂ କ୍ରିୟାଶୀଳ କରି ଆଣିବାର ଏକ ପ୍ରେରଣା ରୂପେ ମୁଁ ଏଗୁଡ଼ିକୁ ସହାୟକ କରାଇବାରେ ପ୍ରୟାସ କଲି । ଆମ ଶ୍ରେଣୀରେ ଏପରି କେତୋଟି ପିଲା ଥିଲେ (ଭାଲ୍ୟା, ପେଟ୍ରିକ୍ ଓ ନିନା), ଯେଉଁମାନେ କି ନିତାନ୍ତ ସରଳ ବିଷୟଗୁଡ଼ିକ ସମ୍ବନ୍ଧରେ ଭାବିବାକୁ ମଧ୍ୟ ବହୁତ ସମୟ ଆବଶ୍ୟକ କରୁଥିଲେ । ପ୍ରତ୍ୟେକର କ୍ଷେତ୍ରରେ ଅବଶ୍ୟ ଅଲଗା ଅଲଗା କାରଣ ଥିଲା, ମାତ୍ର ସମସ୍ତଙ୍କ ଉପରେ ସେହି ଗୋଟିଏ ପ୍ରକାରର ଫଳ ଫଳିଥିଲା । ଏହିସବୁ ପିଲାଙ୍କର ମସ୍ତିଷ୍କର କୋଷଗୁଡ଼ିକ ଗୋଟାଏ ପ୍ରକାରର ଜଡ଼ତାର ସ୍ଥିତିରେ ରହିଥିଲେ । ମୁଁ ଶ୍ରେଣୀରେ ଯେତେବେଳେ ଯାହା ବୁଝାଉଥିଲି, ଏହି ପିଲାମାନେ ସେଥିପ୍ରତି ଆଗ୍ରହ ଦେଖାଉ ନଥିଲେ ।

 

ଏହି ପିଲାମାନଙ୍କର ଭାବିବା ଶକ୍ତି ଦୁର୍ବଳ ଥିଲା, ଯାହାର କାରଣ ଖୋଜିବାକୁ ଯାଇ ସେମାନଙ୍କ ମସ୍ତିଷ୍କରେ ଥିବା କୋଷଗୁଡ଼ିକରେ ରହିଥିବା ନିର୍ଜୀବତା ଓ ଜଡ଼ତା ବିଷୟରେ ମୋ’ର ଅନୁମାନଟି ଅଧିକ ଦୃଢ଼ ହୋଇଯାଇଥିଲା । ସେହି ପିଲାମାନେ ଭିନ୍ନ ଭିନ୍ନ ବସ୍ତୁ ଅଥବା ଘଟଣା ମଧ୍ୟରେ ରହିଥିବା ସୁତ୍ରଗୁଡ଼ିକୁ ନିର୍ଦ୍ଧାରଣ କରି ପାରୁନଥିଲେ ଓ ମନେ ବି ରଖି ପାରୁନଥିଲେ । ମନେକର, ସେମାନଙ୍କୁ ମୁଁ ଆପଲ୍, ଝୁଡ଼ି ଓ ପିଲାଙ୍କ ବିଷୟରେ ଗୋଟିଏ ପ୍ରଶ୍ନ ଦେଉଥିଲି । ପିଲାଟି ଆପଲ୍‌ ଆଉ ଝୁଡ଼ି ମନେ ରଖିଲେ, ପିଲାମାନଙ୍କୁ ଭୁଲି ଯାଉଥିଲା ଅଥବା ପିଲାମାନଙ୍କୁ ମନେ ରଖିଲେ ଆପଲ୍‌ ଓ ଝୁଡ଼ିକୁ ମନେ ରଖି ପାରୁନଥିଲା । ଏବଂ ସେହି କାରଣରୁ, ପାରିପାର୍ଶ୍ୱିକ ପୃଥିବୀର ବସ୍ତୁ ଓ ଘଟଣାଗୁଡ଼ିକ ବିଷୟରେ କାର୍ଯ୍ୟକାରଣ ସମ୍ବନ୍ଧଗୁଡ଼ିକ ବିଷୟରେ ଭାବନାସବୁ ଅଧିକ ଗଭୀର ହୋଇଯିବା ଦ୍ୱାରା ସେହି ସାନ ସାନ ଆବିଷ୍କାରଗୁଡ଼ିକ, ସତ୍ୟକୁ ପ୍ରତ୍ୟକ୍ଷ କରିବାର ସେହି ବିସ୍ମୟର ଅନୁଭୂତି,–ଏସବୁ ଭାଲ୍ୟା, ପେଟ୍ରିକ୍ ଓ ନିନାକୁ ଅପାର ଆନନ୍ଦ ଆଣି ଦେଇଥିଲା । ପିଲାମାନେ ସତେଅବା ଏକ ଆତ୍ମିକ ଉତ୍ତୋଳନ ଅନୁଭବ କଲେ । ସେମାନଙ୍କର ମୁଖମଣ୍ଡଳରେ ଆନନ୍ଦିତ ଶକ୍ତିମତ୍ତାର ଆଲୋକ ପ୍ରକଟ ହୋଇ ଉଠିଥିଲା । ଉଦାସୀନତା ଅନ୍ତର୍ହିତ ହୋଇଗଲା ଏବଂ ଅଧ୍ୟୟନ କରୁଥିବା ବିଷୟ ପ୍ରତି ବ୍ୟକ୍ତିଗତ ଆଗ୍ରହ ଜନ୍ମଲାଭ କଲା । ଯଦି ମୁଁ ଏପରି ଗୋଟିଏ ପ୍ରଶ୍ନର ଉତ୍‍ଥାପନ କରିପାରିଲି, ଯାହାଦ୍ୱାରା କି ପିଲାର ମୁହଁ ଉପରେ ଏକ ଭାବୋଜ୍ଜ୍ୱଳ ଆଭାସ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଲା, ସେଥିରୁ ଜାଣିବାକୁ ହେବ ଯେ, ସେହି ସମୟରେ ପିଲାଟିର ମସ୍ତିଷ୍କ ଭିତରେ ସେତେବେଳେ ଗତିଶୀଳ ପ୍ରକ୍ରିୟା ଅବଶ୍ୟ କାର୍ଯ୍ୟ କରୁଥିଲା । ସତେ ଯେପରି ଏପରି ଅନେକ ଶକ୍ତି ତା’ଭିତରେ ଏପର୍ଯ୍ୟନ୍ତ ନିଦ୍ରାବସ୍ଥାରେ ରହିଥିଲେ ଓ ବର୍ତ୍ତମାନ ସକ୍ରିୟ ହୋଇ ଉଠିଲେ । କେଡ଼େ ଆନନ୍ଦର ସହିତ ମୋ’ର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ମାନସିକ ବିକାଶ ଦୃଷ୍ଟିରୁ ଅତ୍ୟନ୍ତ ଜଟିଳ ପିଲାମାନେ ମଧ୍ୟ ଅଧିକରୁ ଅଧିକ ପରିମାଣରେ ଜାଗ୍ରତ ହେବାକୁ ଆରମ୍ଭ କରୁଥିଲେ । ଏଣିକି ସେମାନେ ଆଗ୍ରହୀ ହୋଇ ଗପ ଶୁଣିଲେ, ସମସ୍ୟାଟିକୁ ଅଧିକ ଭଲଭାବରେ ବୁଝିପାରିଲେ । ଏକଥା ମୁଁ ପ୍ରାଥମିକ ଶ୍ରେଣୀଗୁଡ଼ିକର ଶିକ୍ଷକମାନଙ୍କ ଆଗରେ ମଧ୍ୟ ପ୍ରକାଶ କରିଥିଲି ଓ ଆମେ ଏହି କାର୍ଯ୍ୟଟିକୁ ଭାବଦ୍ୱାରା ବୁଦ୍ଧିଶକ୍ତିର ଜାଗରଣ ବୋଲି କହୁଥିଲୁ ।

 

ପଢ଼ାଉଥିବା ବିଷୟଟିକୁ ନେଇ ଯେତେବେଳେ ଶିକ୍ଷକ ଭାଲ୍ୟା, ପେଟ୍ରିକ୍ ଓ ନିନାଙ୍କ ଭିତରେ ଆଗ୍ରହ ସୃଷ୍ଟି କରୁଥିଲେ, ସେତେବେଳେ ପ୍ରକୃତରେ କ’ଣ ଘଟୁଥିଲା, ମୁଁ ସେକଥା ବୁଝିବା ପାଇଁ ଚେଷ୍ଟା କଲି । ମୁଁ ଜୀବବିଜ୍ଞାନୀ, ମନୋବିଜ୍ଞାନୀ, ଶିକ୍ଷାବିତ୍ ଏବଂ ସ୍ନାୟୁରୋଗ–ବିଶେଷଜ୍ଞମାନଙ୍କର ଲେଖାଗୁଡ଼ିକୁ ପଢ଼ିଲି । ସୁବିଦିତ ବିଦ୍ୱାନ୍ ସିଗ୍‍ମଣ୍ଟ୍ ଫ୍ରଏଡ୍ (୧୮୫୬-୧୯୩୯)ଙ୍କର ରଚନାମାନ ପଢ଼ୁ ପଢ଼ୁ ମୁଁ ମସ୍ତିଷ୍କର ବିଭିନ୍ନ କୋଷଗୁଡ଼ିକର ପାରସ୍ପରିକ କ୍ରିୟା ବିଷୟରେ ଗୋଟିଏ ଆଗ୍ରହୋଦ୍ଦୀପକ କଥା ଜାଣିବାକୁ ପାଇଲି । ଅନେକ ଗବେଷକ ମସ୍ତିଷ୍କର ଯେଉଁ କେନ୍ଦ୍ରଗୁଡ଼ିକ ମନୁଷ୍ୟମନର ସଂବେଗଗତ ପ୍ରକ୍ରିୟାଗୁଡ଼ିକର ନିୟନ୍ତ୍ରଣ କରିଛନ୍ତି ବୋଲି ଦେଖାଇଛନ୍ତି, ଫ୍ରଏଡ଼୍ ସେଗୁଡ଼ିକ ଭାବିବାର କ୍ଷେତ୍ରରେ ଏକ ମୀମାଂସକ ଭୂମିକା ଗ୍ରହଣ କରନ୍ତି ବୋଲି କହିଛନ୍ତି; ତାଙ୍କର ମତ ଅନୁସାରେ ଘୋଡ଼ା ହିଁ (ଅର୍ଥାତ୍ ସଂବେଗଗୁଡ଼ିକ) ମାର୍ଗର ନିରୂପଣ କରି ଦିଅନ୍ତି । ଆରୋହୀ ଯେଉଁଠାକୁ ଯିବାକୁ ଇଚ୍ଛା କରୁଥାଏ, ଘୋଡ଼ା ତାକୁ ସେହି ଜାଗାକୁ ନେଇଯାଏ, ମାତ୍ର ସିଏ ସେହି କାର୍ଯ୍ୟଟିକୁ ଏପରି ଚତୁର ଭାବରେ କରେ ଯେ ଆରୋହୀ ସ୍ୱୟଂ ଘୋଡ଼ାକୁ ତା’ଇଚ୍ଛା ଅନୁସାରେ ଚଲାଉଛି ବୋଲି ଭାବିବାରେ ଲାଗିଥାଏ । ତେଣୁ ଫ୍ରଏଡ୍‍ଙ୍କର କହିବା ଅନୁସାରେ, ଭାବନାର ଉତ୍ସଟି ଠାରୁ ସଂବେଗଗୁଡ଼ିକର ଉତ୍ସ ଅଧିକ ମହତ୍ତ୍ୱପୂର୍ଣ୍ଣ ।

 

ଫ୍ରଏଡ୍‍ଙ୍କର ଅନେକ ସୈଦ୍ଧାନ୍ତିକ ଦାବିକୁ ଖଣ୍ଡନ କରିଥିଲେ ମଧ୍ୟ ରୁଷିଆର ମହାନ୍ ଶରୀରବିଜ୍ଞାନୀ ପାଭ୍‍ଲଭ୍ (୧୮୪୯-୧୯୩୬) ମଧ୍ୟ ସଂବେଗର ଉତ୍ସକୋଷଗୁଡ଼ିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ସିଏ ଲେଖିଥିଲେ ଯେ ଚିନ୍ତା କରିବାର ପ୍ରେରଣାଟି ପ୍ରଧାନତଃ ସଂବେଗର ଉତ୍ସକୋଷଗୁଡ଼ିକରୁ ଆସିଥାଆନ୍ତି ଏବଂ, ଯଦି ସେଗୁଡ଼ିକୁ ବାଦ୍ ଦିଆଯାଏ, ତେବେ ଚିନ୍ତା କରିବାର ଉତ୍ସଟି ମଧ୍ୟ ତା’ର ପ୍ରଧାନ ଶକ୍ତିସ୍ଥାନଟିରୁ ବଞ୍ଚିତ ହୋଇ ରହିଯିବ । ମାତ୍ର ପାଭ୍‍ଲଭ୍‍ଙ୍କର ମତରେ ମନୁଷ୍ୟର ଯାବତୀୟ ଭାବନା ଓ ଆଚରଣର ପ୍ରଧାନ ନିୟନ୍ତ୍ରଣକାରୀ ହେଉଛି ବୃଦ୍ଧିର ସ୍ଥାନ ଅର୍ଥାତ୍ ମସ୍ତିଷ୍କର ସମ୍ମୁଖଭାବ (ଆରୋହୀ ଇଚ୍ଛା କଲେ ଘୋଡ଼ାକୁ ଅଟକାଇ ରଖିପାରିବ ଓ ବୁଲାଇ ଓଲଟା ଦିଗକୁ ମଧ୍ୟନେଇ ଯାଇପାରିବ) । ପିଲାମାନଙ୍କର ବୌଦ୍ଧିକ ଶ୍ରମକୁ ନିରୀକ୍ଷଣ କରି ମୋ’ର ଆହୁରି ବିଶ୍ୱାସ ହୋଇଗଲା ଯେ, ସଂବେଗର ଉତ୍ସକୋଷରୁ ଯେଉଁ ପ୍ରେରଣାଗୁଡ଼ିକ ବୁଦ୍ଧି ଓ ଭାବନାର କୋଷକ୍ଷେତ୍ରକୁ ଆସନ୍ତି (ଖୁସୀ, ବିସ୍ମୟ, ଅଥବା ପୁଲକ ଅନୁଭବ କରିବା), ତାହା ହିଁ ସେଠାରେ ଥିବା ସୁପ୍ତ କୋଷଗୁଡ଼ିକୁ ଜାଗୃତ କରି ଆଣନ୍ତି, ସେଗୁଡ଼ିକୁ କ୍ରିୟାଶୀଳ କରନ୍ତି । ତେଣୁ ଅଭିଜ୍ଞତାରୁ ଜଣାଯାଇଛି ଯେ, ପିଲାମାନଙ୍କ ଭିତରେ ଜ୍ଞାନର ଏକ ପ୍ରୟୋଜନବୋଧ–କୌତୂହଳ ଓ ଜିଜ୍ଞାସାର ବିକାଶ ଘଟାଇପାରିଲେ ହିଁ ସାନ ପିଲାମାନଙ୍କର ବୈାଦ୍ଧିକ ଶିକ୍ଷଣର ମାର୍ଗ ପ୍ରଶସ୍ତ ହୋଇଯିବ ।

 

ପ୍ରାଥମିକ ଶ୍ରେଣୀଗୁଡ଼ିକରେ ଆମର ପ୍ରକୃତି-ଭ୍ରମଣ ଗୋଟାଏ ପରମ୍ପରାରେ ପରିଣତ ହୋଇ ଯାଇଥିଲା । ଜଙ୍ଗଲକୁ, କ୍ଷେତକୁ ବା ପୋଖରୀକୁ ଯିବେ ବୋଲି ପିଲାମାନେ ଅଧୀର ଭାବରେ ଅପେକ୍ଷା କରି ରହୁଥିଲେ ଏବଂ ଆଗରୁ ସେଥିପାଇଁ ଖେଳଗୁଡ଼ିକର ଚିନ୍ତା କରି ରଖୁଥିଲେ-। ପ୍ରତିବନ୍ଧକମାନଙ୍କୁ ଅତିକ୍ରମ କରିବା ହିଁ କ୍ରମେ ପିଲାମାନଙ୍କର ଯାବତୀୟ ଖେଳରେ ବିଷୟବସ୍ତୁ ହୋଇ ରହିଲା ଏବଂ ସେହି ଖେଳଗୁଡ଼ିକରେ ଖେଳାଳୀମାନେ ପ୍ରକୃତ ବା ଲୋକଶ୍ରୃତିର ବୀରମାନଙ୍କର ଭୂମିକା ଗ୍ରହଣ କରୁଥିଲେ । ପିଲାମାନଙ୍କର ଦ୍ୱିତୀୟ ଶ୍ରେଣୀରେ ମୁଁ ସେମାନଙ୍କୁ ରବିନ୍‍ସନ୍‍ କ୍ରୁସୋଙ୍କ ବିଷୟରେ କହିଥିଲି ଏବଂ ତା’ପରେ ଯେଉଁ ଚମତ୍କାର ଖେଳଟି ଆରମ୍ଭ ହେଲା, ତାହା କ୍ରମାଗତ ଏକାଧିକ ମାସ ଧରି ଚାଲିଥିଲା । ସ୍ପାର୍ଟାକସ୍‍ର କାହାଣୀଟିକୁ ଶୁଣିବା ପରେ ପିଲାମାନେ ପାହାଡ଼ଘାଟୀର ଅତଡ଼ା ସେପାଖକୁ ଗୋଟିଏ ଉଚ୍ଚ ପାହାଡ଼ ଉପରେ ବିଦ୍ରୋହୀ କ୍ରୀତଦାସମାନଙ୍କର ଏକ କାଳ୍ପନିକ ଶିବିର ନିର୍ମାଣ କରିଥିଲେ । ସୁଦୂର ଅତୀତରେ ଆମର ଏହି ଅଞ୍ଚଳରେ ଏକଦା ବାସ କରିଥିବା ସିଥିଆନ୍ ଗୋପାଳକ, ଶିକାରୀ ଓ ମାଛଧରାଳିମାନଙ୍କର କାହାଣୀଟି ଦ୍ୱାରା ପିଲାମାନେ ଏପରି ଅଭିଭୂତ ହୋଇ ଯାଇଥିଲେ ଯେ, ସେମାନେ ଏପରି ଖେଳଟିଏ ବାହାର କଲେ, ଯେଉଁଥିରେ କି ସେହି ପୁରାତନ ଶ୍ରମଜୀବୀମାନଙ୍କ ପରି ବାସ ଓ କାର୍ଯ୍ୟ କରୁଥିବା ପରି ଅଭିନୟ କରିଥିଲେ ।

 

ଅଧ୍ୟୟନ ସହିତ ମାନସିକ ତଥା ଶାରୀରିକ ଶକ୍ତିକୁ କାମରେ ଲଗାଉଥିବା ବହୁମୁଖୀ ନାନା ଖେଳକୁ ଅବଶ୍ୟ ଯୋଡ଼ି ରଖିବାକୁ ପଡ଼ିବ; ତଦ୍ଦ୍ୱାରା ସେହି ଖେଳଗୁଡ଼ିକ ସୁସ୍ଥ ଓ ପ୍ରେରଣାଦାୟକ ଅନୁଭୁତିଗୁଡ଼ିକର ଉଦ୍ରେକ କରାଇ ଆଣିବ ଏବଂ ପରିପାଶ୍ୱର୍ର ପୃଥିବୀଟି ପିଲାମାନଙ୍କ ପାଇଁ ଏପରି ଏକ ଆଗ୍ରହୋଦ୍ଦୀପକ ପୁସ୍ତକ ପରି ଦେଖାଯିବ, ଯାହାକୁ କି ସେମାନେ ପଢ଼ିବାକୁ ଇଚ୍ଛା କରିବେ । ପ୍ରକୃତି ମଧ୍ୟକୁ “ଭ୍ରମଣ” ଏବଂ ଖେଳ ଖେଳିବା ବ୍ୟତୀତ ଶାରୀରିକ ଶ୍ରମ ମଧ୍ୟ ବୌଦ୍ଧିକ ଓ ଦୈହିକ ବିକାଶ ନିମନ୍ତେ ଏକ ପ୍ରଶସ୍ତ କ୍ଷେତ୍ର ହୋଇ ରହିଥିଲା । ଆନନ୍ଦ ଓ ପ୍ରେରଣାଦାୟକ ଶ୍ରମର ଅନୁଭୂତି ବ୍ୟତୀତ ଯଥାର୍ଥରେ କୌଣସି ସୁଖଦାୟକ ଶୈଶବର କଳ୍ପନା କରାଯାଇ ପାରିବ ନାହିଁ । ଅଭିଜ୍ଞତା କହୁଛି ଯେ, ଗୋଟିଏ ସାନ ପିଲା ନିମନ୍ତେ ଶାରୀରିକ ଶ୍ରମ କହିଲେ କେବଳ କେତୋଟି କୌଶଳ ଓ ଅଭ୍ୟାସର ଶିକ୍ଷା କରିବାକୁ ବୁଝାଏ ନାହିଁ, କେବଳ ନୈତିକ ଶିକ୍ଷାକୁ ବୁଝାଏ ନାହିଁ, ମାତ୍ର ଏକ ସୀମାତୀତ ଏବଂ ବିସ୍ମୟଜନକ ଭାବରେ ସମୃଦ୍ଧିମନ୍ତ ଭାବନାଜଗତର ଅଧିକାରୀ ହେବାକୁ ମଧ୍ୟ ବୁଝାଇଥାଏ । ସେହି ଜଗତଟି ପିଲା ଭିତରେ ନୈତିକ, ବୌଦ୍ଧିକ ଓ ସୌନ୍ଦର୍ଯ୍ୟବୋଧଗତ ନାନା ଅନୁଭବକୁ ଉନ୍ମେଷିତ କରାଇ ଆଣିଥାଏ, ଯାହା ବ୍ୟତୀତ କି ପୃଥିବୀକୁ ଜାଣିବା ଆଦୌ ସମ୍ଭବ ହୁଅନ୍ତା ନାହିଁ । ଏବଂ, ଏଥିରେ ଅଧ୍ୟୟନ ମଧ୍ୟ ଅବଶ୍ୟ ଅନ୍ତର୍ଗତ ହୋଇି ରହିଛି । ଶାରୀରିକ ଶ୍ରମ ଓ ଅଧ୍ୟୟନକୁ ପରସ୍ପରର ପରବର୍ତ୍ତୀ କରି ରଖିବା ଦ୍ୱାରା ପିଲାକୁ ସ୍ୱପ୍ନ ଏବଂ ସୃଜନାତ୍ମକତାରେ ପୂର୍ଣ୍ଣ ହୋଇ ରହିଥିବା ପୃଥିବୀଟି ମଧ୍ୟରୁ ଏକ ଅତ୍ୟନ୍ତ ଆକର୍ଷକ ଯାତ୍ରାର ସୁଯୋଗ ମିଳିଯାଉଥିଲା । ବିଶେଷତଃ, ଶାରୀରିକ ଶ୍ରମର ପ୍ରକ୍ରିୟାଟି ଦ୍ୱାରା ମୋ’ର ଛାତ୍ରମାନଙ୍କ ଭିତରେ ମାନସିକ ସ୍ତରର ବହୁ ମହତ୍ତ୍ୱପୂର୍ଣ୍ଣ ଗୁଣ ଗଠିତ ହୋଇ ଆସିଥିଲା: ଜିଜ୍ଞାସୁତା, କୌତୁହଳ, ଭାବନାର ନମନୀୟତା ଏବଂ ଅଭିବ୍ୟକ୍ତିର ସ୍ପଷ୍ଟତା ପ୍ରଭୃତି ନାନା ଗୁଣ ।

 

ଶିଶୁର ଜୀବନରେ ଯଦି ଶାରୀରିକ ଶ୍ରମର ଏକ ଅନୁପ୍ରେରଣାର ଭାବନା ନିହିତ ହୋଇ ରହିଥାଏ, ତେବେ ପାଠପଢ଼ା ସମୟରେ ତା’ର ବୌଦ୍ଧିକ ଶ୍ରମ ମଧ୍ୟ ତା’ପାଇଁ ଅତ୍ୟନ୍ତ ଆଗ୍ରହପ୍ରଦ ଏବଂ ଆକର୍ଷକ ହୁଏ, ତାହାର ବିକାଶରେ ସହାୟକ ହୁଏ, ତାକୁ ସମ୍ପଦବାନ୍ କରିଥାଏ । ଦ୍ୱିତୀୟ ଶ୍ରେଣୀରେ ଆମେ ଏହି ପ୍ରିୟ କାର୍ଯ୍ୟଟିକୁ ସପ୍ତାହରେ ଥରେ ରଖିଥିଲୁ ଏବଂ ପିଲାମାନେ ଯେଉଁସବୁ କାର୍ଯ୍ୟକୁ ନିଜର ଭାବନା ଓ ଭାବମୟତା ଉଭୟଟିକୁ ଦେଇ କରି ପାରୁଥିଲେ, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ । ତୃତୀୟ ଏବଂ ଚତୁର୍ଥ ଶ୍ରେଣୀରେ ଆମେ ସପ୍ତାହକୁ ଦୁଇଥର ଲେଖାଏଁ ଏହା କଲୁ ।

 

ପ୍ରିୟ କାର୍ଯ୍ୟ ବୋଲି କହିବାର ଅର୍ଥ ନୁହେଁ ଯେ ପିଲା କୌଣସି ଗୋଟିଏ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିପାରିବା ପର୍ଯ୍ୟନ୍ତ ଶିକ୍ଷକ ନିଷ୍କ୍ରିୟ ଭାବରେ ଅପେକ୍ଷା କରି ରହିଥିବ । ବୈଷୟିକ ଶିକ୍ଷାରେ, ଏବଂ ସାଧାରଣ ଭାବରେ କହିଲେ ଶିକ୍ଷାର ସକଳ କାର୍ଯ୍ୟରେ କୌଣସି କଥାକୁ ତା’ନିଜ ବାଟରେ ଯିବା ଲାଗି ଆଦୌ ଛାଡ଼ି ଦିଆଯିବ ନାହିଁ । ପିଲାମାନଙ୍କର ଚତୁଷ୍ପାଶ୍ୱର୍ରେ ଏପରି ଅନେକ କାର୍ଯ୍ୟ ରହିଥିବ ଯାହାପ୍ରତି ସେମାନେ ଆଗ୍ରହ ପ୍ରକାଶ କରିବେ । ମୋ’ପିଲାମାନଙ୍କର ଚାରିପାଖ ଯାକ କିଶୋର ଓ ବହୁ ଯୁବକ ଯୁବତୀ କାର୍ଯ୍ୟ କରୁଥିଲେ । ଛାତ୍ରମାନେ ସମସ୍ତେ ବହୁ ଆଗ୍ରହୋଦ୍ଦୀପକ କାର୍ଯ୍ୟରେ ତତ୍ପର ରହିଥିଲେ । ସେମାନେ ବୃକ୍ଷ ଏବଂ ଶସ୍ୟର କର୍ଷଣ କରୁଥିଲେ, ଯନ୍ତ୍ର ଓ ଯାନ୍ତ୍ରିକ ପ୍ରଣାଳୀଗୁଡ଼ିକର ନମୁନା ତିଆରି କରୁଥିଲେ, ବିଭିନ୍ନ ପ୍ରକାରର ମାଟିକୁ ଏକାଠି କରୁଥିଲେ, କର୍ମଶାଳାରେ କାମ କରୁଥିଲେ ଅଥବା ମୁଖ୍ୟ ଜଳସେଚନ ବ୍ୟବସ୍ଥାରେ ନିଯୁକ୍ତ ହୋଇ ରହିଥିଲେ ।

 

ଗବେଷଣା, ଜିଜ୍ଞାସା ଏବଂ କୌତୂହଳ ପିଲାମାନଙ୍କ ଭିତରେ କାମ କରିବାର ଆଗ୍ରହକୁ ଜାଗ୍ରତ କରି ଆଣିଥାଏ । ମୁଁ ସର୍ବଦା ଏହାକୁ ହିଁ ନୀତି ବୋଲି ମାନି ଆସିଛି: ଶ୍ରମ ଆଦୌ ଏକ ଚରମ ଲକ୍ଷ୍ୟ ନୁହେଁ; ମାତ୍ର ଏହାକୁ ସାଧନ ରୂପେ ଗ୍ରହଣ କରି ଶିକ୍ଷାର ପ୍ରକ୍ରିୟାରେ ଆମେ ସାମାଜିକ, ଆଦର୍ଶଗତ, ନୈତିକ, ବୌଦ୍ଧିକ, ସର୍ଜନାତ୍ମକ ସୌନ୍ଦର୍ଯ୍ୟବୋଧଗତ ଏବଂ ସଂବେଗସ୍ତରୀୟ ନାନା ଲକ୍ଷ୍ୟ ହାସଲ କରିପାରିବା ।

 

ଅଧ୍ୟୟନକୁ ଯଦି ଭାବନା, ଅନୁଭବ, ସର୍ଜନାତ୍ମକତା, ସୌନ୍ଦର୍ଯ୍ୟ ଏବଂ ଖେଳ ରୂପକ ଉଜ୍ଜ୍ୱଳ ଆଲୋକଟି ଦ୍ୱାରା ଆଲୋକିତ କରି ରଖାଯାଏ, ତେବେ ତାହା ପିଲାମାନଙ୍କ ପାଇଁ ଏକ ଆଗ୍ରହୋଦ୍ଧୀପକ ଏବଂ ଆକର୍ଷକ କ୍ଷେତ୍ରରେ ପରିଣତ ହୋଇପାରିବ । ପିଲାକୁ କିପରି ଖାଇବାକୁ ଦିଆଯାଉଥିଲା, ସେ କିପରି ଶୋଉଥିଲା, କିପରି ଅନୁଭବ କରୁଥିଲା ଓ କିପରି ଖେଳୁଥିଲା, ତା’ର ଦିନକୁ କେତେ ଘଣ୍ଟା ବାହାରେ କଟୁଥିଲା, ସିଏ କ’ଣ ସବୁ ବହି ପଢ଼ୁଥିଲା, କ’ଣ ସବୁ ପରୀଗପ ଶୁଣୁଥିଲା, କ’ଣ ଆଙ୍କୁଥିଲା, ନିଜର ଭାବନା ଓ ଅନୁଭବଗୁଡ଼ିକୁ ଅଙ୍କନ ମାଧ୍ୟମରେ କିପରି ବ୍ୟକ୍ତ କରିପାରୁଥିଲା, ପ୍ରକୃତିର ସଂଗୀତ ଓ ଲୋକ–ତଥା ଶାସ୍ତ୍ରୀୟ ଉଭୟ କିମସର ସଂଗୀତ ତା’ର ଅନ୍ତର ଭିତରେ କିଭଳି ଅନୁଭୂତିମାନ ଜାଗ୍ରତ କରାଉଥିଲେ, ସିଏ କ’ଣ ସବୁ କରିବାକୁ ଭଲ ପାଉଥିଲା, ଅନ୍ୟମାନଙ୍କର ସୁଖ ଏବଂ ଦୁଃଖକୁ ସେ କେତେଦୂର ବୁଝି ପାରୁଥିଲା, ଅନ୍ୟମାନଙ୍କ ପାଇଁ କ’ଣସବୁ ସୃଷ୍ଟି କରୁଥିଲା ଏବଂ ଏହି କ୍ଷେତ୍ରରେ ତା’ ଭିତରେ କିଭଳି ଭାବସବୁ ଜାତ ହେଉଥିଲା,–ଏହିଗୁଡ଼ିକୁ ଜାଣିବାକୁ ଚେଷ୍ଟା କରି ମୁଁ ଅଧ୍ୟୟନର କ୍ଷେତ୍ରରେ ତାହାର ସଫଳତା ବିଷୟରେ ଯାହାକିଛି କରିବାକୁ ଆରମ୍ଭ କରୁଥିଲି ।

 

ଜ୍ଞାନଲାଭକୁ ଅନ୍ୟାନ୍ୟ କାର୍ଯ୍ୟକଳାପ ଠାରୁ ବିଚ୍ଛିନ୍ନ କରି ଦିଆନଯିବା ଯାଏ ଅଧ୍ୟୟନ ପିଲାମାନଙ୍କର ଅନ୍ତର୍ଗତ ଜୀବନର ଗୋଟିଏ ଅଂଶ ହୋଇ ରହିଥାଏ । ଗୁଣନ ଅଙ୍କ ଅଥବା ଏକ ଆୟତକାର କ୍ଷେତ୍ରର କ୍ଷେତ୍ରଫଳ ବାହାର କରିବାକୁ କେବଳ ତାହାରି ଭିତରେ ସୀମିତ କରି ରଖାଯାଉଥିବା ପର୍ଯ୍ୟନ୍ତ ସେଥିରେ ପିଲାର ଆଗ୍ରହ ଜନ୍ମାଇବା ଅତ୍ୟନ୍ତ କଷ୍ଟକର ହୁଏ । ଶ୍ରମ ସହିତ ସମ୍ବନ୍ଧିତ ନାନା ସର୍ଜନାତ୍ମକ ଲକ୍ଷ୍ୟ ହାସଲ କରିବାର ସାଧନ ହୋଇଥିଲେ ଯାଇ ଗୋଟିଏ ପିଲା ଜ୍ଞାନଲାଭରେ ଉତ୍ସାହ ପ୍ରକାଶ କରିଥାଏ । ଏକାବେଳେକେ ପିଲାବେଳରୁ ହିଁ ମୁଁ ଶରୀରଶ୍ରମକୁ ସେମାନଙ୍କ ଲାଗି ଆକର୍ଷକ କରିବା ନିମନ୍ତେ ଚେଷ୍ଟା କରିଥିଲି, ଯେପରିକି ସେଥିରେ ପିଲାର ଚତୁରତା ଏବଂ ପାରଙ୍ଗମତାକୁ ପ୍ରକଟ କରି ଆଣିବାର ସମ୍ଭାବନା ମଧ୍ୟ ରହିଥିବ । ଲବ୍ଧ ଜ୍ଞାନକୁ କିପରି କାମରେ ଲଗାଇବାକୁ ହେବ, ପିଲାମାନଙ୍କୁ ତାହାର ଶିକ୍ଷା ଦେବା ହେଉଛି ଶିକ୍ଷାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଯଦି ଜ୍ଞାନଟା କେବଳ ଏଡ଼େବଡ଼ ବୋଝରେ ହିଁ ପରିଣତ ହୋଇ ରହେ, ତେବେ ପରିଣାମ ଅତ୍ୟନ୍ତ ବିପଜ୍ଜନକ ହୁଏ: ଏବଂ, ଯେତେବେଳେ ବୌଦ୍ଧିକ ଶ୍ରମକୁ ସର୍ବାଧିକ ପରିମାଣରେ ଅଧିକରୁ ଅଧିକ ନୂଆ କୌଶଳ ଏବଂ ଅଭ୍ୟାସମାନ ଶିକ୍ଷା ଦେବା ସହିତ ସଂଯୁକ୍ତ କରି ରଖାଯାଇଥାଏ, ତେବେ ପ୍ରକୃତରେ ତାହା ହିଁ ଘଟିଥାଏ । ଏହିସବୁ କୌଶଳ ଓ ଅଭ୍ୟାସଗୁଡ଼ିକୁ ଯଦି କେବଳ ଶିଖାଇ ଦିଆଯାଉଥାଏ ଓ ସେଗୁଡ଼ିକୁ କୌଣସି କାର୍ଯ୍ୟରେ ଲଗାନଯାଏ, ତେବେ ସତେଅବା ତା’ର ଆଗ୍ରହ ଠାରୁ ବିଚ୍ଛିନ୍ନ ହୋଇଯିବା ପରି ଅଧ୍ୟୟନ କ୍ରମଶଃ ପିଲାର ଅନ୍ତର୍ଗତ ଜୀବନ ଭିତରୁ ବାହାରି ଚାଲିଯାଏ । ସେହି କଥାଟି ଯେପରି ନଘଟିବ, ସେଥିପାଇଁ ଉଦ୍ୟମ କରି, ପ୍ରତ୍ୟେକ ପିଲା ଯେପରି ସର୍ଜନାତ୍ମକ ଭାବରେ ଶିଖିଥିବା କୌଶଳ ଓ ଅଭ୍ୟାସଗୁଡ଼ିକୁ ବ୍ୟବହାର କରିପାରିବ, ଶିକ୍ଷକକୁ ସେହି ବିଷୟରେ ଅବଶ୍ୟ ଯତ୍ନ ନେବାକୁ ପଡ଼ିବ ।

Image

 

Unknown

‘ପ୍ରକୃତି-ପୁସ୍ତକ’ର ଶହେଟି ପୃଷ୍ଠା

 

ସୁପରିଚିତ ଗଣିତଜ୍ଞ ଫେଲିକ୍ସ କ୍ଲାଇନ୍ (୧୮୪୯-୧୯୨୫) ମାଧ୍ୟମିକ ବିଦ୍ୟାଳୟର ଛାତ୍ରକୁ ଏପରି ଗୋଟିଏ ତୋପ ସହ ତୁଳନା କରିଥିଲେ, ଯାହା ଭିତରେ କି ଦଶବର୍ଷ କାଳ ବିଭିନ୍ନ ଜ୍ଞାନ ଖୁନ୍ଦି ଦିଆଯାଇଥିଲା, ଏବଂ ଏଇଟିକୁ ଫୁଟାଇବା ପରେ ତା’ଭିତରେ ଆଉ ଆଦୌ କିଛି ରହିଲା ନାହିଁ । ଏପରି ଗୋଟିଏ ପିଲା, ଯାହାକୁ କି ସେ ଆଦୌ କିଛି ବୁଝୁନଥିଲେ ମଧ୍ୟ କିଛି ବିଷୟକୁ ମୁଖସ୍ଥ କରିବା ନିମନ୍ତେ ବାଧ୍ୟ କରାଯାଇଛି, ସେହି ବିଷୟଗୁଡ଼ିକୁ ତାକୁ ଆଦୌ ଆକର୍ଷିତ କରି ନାହିଁ ଏବଂ ତା’ଭିତରେ ଆଦୌ କୌଣସି ବିମ୍ବ ଅଥବା ସାହଚର୍ଯ୍ୟ ମଧ୍ୟ ସୃଷ୍ଟି କରିନାହିଁ, ତାହାରି ବୌଦ୍ଧିକ ଶ୍ରମକୁ ଅବଲୋକନ କରି ମୁଁ ସେହି ନିଷ୍ଠୁର ବ୍ୟଙ୍ଗଟିକୁ ସ୍ମରଣ କରିଥିଲି । ମୁଖସ୍ଥ କରାଯାଉଥିବା ବିଷୟଟିର ମର୍ମ ସମ୍ବନ୍ଧରେ ଆଦୌ କୌଣସି ଚିନ୍ତା ନକରି, ଆଦୌ କୌଣସି ସ୍ପଷ୍ଟ ଧାରଣା ନକରି, କୌଣସି ପ୍ରକାର ପର୍ଯ୍ୟବେକ୍ଷଣ ନକରି ଖାଲି ଘୋଷି ଦେଇ ମନେ ରଖିବା,–ଏହି ପ୍ରଧାନ ଦୋଷଟି ହିଁ ପିଲାକୁ ଜଡ଼ କରି ପକାଏ ଓ ଶେଷରେ ଅଧ୍ୟୟନ ଲାଗି ତା’ର ସମସ୍ତ ସ୍ପୃହାକୁ ମାରିପକାଏ ।

 

ପୂର୍ବପ୍ରାଥମିକ ବେଳର ପିଲାଟିଏ ଯେଉଁ ତୀକ୍ଷ୍ଣ ଓ ଦୃଢ଼ ସ୍ମରଣଶକ୍ତିର ପରିଚୟ ଦେଇଥାଏ, ଆମ ଭିତରୁ କିଏ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇନାହିଁ ? ପାଞ୍ଚବର୍ଷର ପିଲାଟିଏ ନିଜ ବାପା କିମ୍ବା ମାଆଙ୍କ ସାଙ୍ଗରେ କ୍ଷେତକୁ ଅଥବା ଜଙ୍ଗଲକୁ ଯାଉଛି । କେତେ କେତେ ସ୍ପଷ୍ଟ ପ୍ରତିରୂପ, ଛବି ଏବଂ ଘଟଣା ଦ୍ୱାରା ତା’ର ଭିତରଟା ପରିପୂର୍ଣ୍ଣ ହୋଇଯାଇଛି । ତା’ପରେ ମାସଟାଏ ବା ବର୍ଷଟାଏ ଗଲାପରେ ମାଆ ଓ ବାପା ପୁନର୍ବାର ବାହାରକୁ ସେହିପରି ବୁଲିଯିବାକୁ ମନ କରୁଛନ୍ତି । ପିଲାଟି ଆଗତୁରା ସେହି ସୁନ୍ଦର ସୂର୍ଯ୍ୟକିରଣ ପୂର୍ଣ୍ଣ ସକାଳଟିର କଳ୍ପନା କରିବା ଆରମ୍ଭ କରି ଦେଉଛି; କିପରି ଏକଦା, କେତେ ନା କେତେ ଦିନ ପୂର୍ବେ, ସିଏ ଥରେ ବାପାମାଆଙ୍କ ସହିତ ଜଙ୍ଗଲକୁ ଯାଇଥିଲା, ତାହା ସ୍ମରଣ କରୁଛି । ପିଲାଟିର ସ୍ମୃତି ଭିତରେ କେତେ ଟିକିନିଖି କଥା କେଡ଼େ ପରିଷ୍କାର ଭାବରେ ଝଟକି ଉଠୁଛି, ବାପା ମାଆ ସେଥିରେ ଭାରି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି : ପିଲାଟି ଗୋଟିଏ ବିଚିତ୍ର ଫୁଲର କଥା ମନେ ରଖିଛି, ଯାହାର ଦୁଇଟି ବହୁରଙ୍ଗୀ ପାଖୁଡ଼ା ରହିଥିଲା । ଗୋଟିଏ ଭାଇ ଓ ଭଉଣୀ କିପରି ଏକ ଫୁଲରେ ପରିଣତ ହୋଇ ଯାଇଥିଲେ, ପିଲାଟି ମନେ କରି ସେହି ଚମତ୍କାର କାହାଣୀଟିକୁ କହିଲାବେଳେ ବାପା ତାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଦିନେ ଜଙ୍ଗଲର ସୀମା ପାଖକୁ ଯାଇଥିବା ସମୟରେ ସିଏ ତାଙ୍କ ପତ୍ନୀଙ୍କୁ ସେହି କଥାଟି କହିଥିଲେ; ସେତେବେଳେ ପିଲାଟି ବାପା କହୁଥିବା କଥାଟିକୁ ଶୁଣୁଛି ବୋଲି ଆଦୌ ମନେ ହେଉନଥିଲା । ସେତେବେଳେ ସିଏ ଗୋଟିଏ ପ୍ରଜାପତି ପଛରେ ଗୋଡ଼ାଉଥିଲା; ପାରିପାର୍ଶ୍ୱିକ ପୃଥିବୀରୁ ଏପରି ଏକ ଟିକିନିଖି କଥାକୁ ସିଏ କିପରି ମନେ ରଖିପାରିଲା ?

 

ପ୍ରକୃତ କଥା ହେଉଛି ଯେ, ରଙ୍ଗମାନଙ୍କର ସ୍ୱଚ୍ଛ ଓ ରୋମାଞ୍ଚକାରୀ ଖେଳ, ପ୍ରତିରୂପମାନଙ୍କର ଟିକିନିଖି ରୂପ ଏବଂ ନାନା ଶବ୍ଦ,-ଏହି ସବୁକିଛି ସେମାନଙ୍କର ସ୍ମୃତି ଭିତରେ ଗଭୀର ଭାବରେ ଗଚ୍ଛିତ ହୋଇ ରହିଯାଇଥାଏ ଏବଂ ଏସବୁ ପାଇଁ ପିଲାମାନଙ୍କର ସ୍ମୃତି ସର୍ବଦା ଖୁବ୍ ତୀକ୍ଷ୍ମ ହୋଇ ରହିଥାଏ । ପାରିପାର୍ଶ୍ୱିକ ପୃଥିବୀରୁ ନାନା ପ୍ରତିରୂପ ଗ୍ରହଣ କରିବାର ପ୍ରକ୍ରିୟାରେ ପିଲାର ଚେତନା ଭିତରେ କେତେ ଅପ୍ରତ୍ୟାଶିତ ପ୍ରଶ୍ନମାନ ଜାଗ୍ରତ ହୋଇ ଆସନ୍ତି ଓ ସିଏ ସେସବୁ ଦ୍ୱାରା ତା’ର ଗୁରୁଜନମାନଙ୍କୁ ପ୍ରକୃତରେ ବିସ୍ମିତ କରି ଦେଇଥାଏ । ଏବଂ, ବିସ୍ମୟକାରୀ ଫୁଲଟିକୁ ମନେ ପକାଇ ପିଲା ବାପାଙ୍କୁ ପଚାରେ : “କହିଲ ବାପା, ସେହି ଭାଇ ଓ ଭଉଣୀ ଜଣେ ଆଉ ଜଣଙ୍କୁ କ’ଣ ସତରେ ଦେଖିପାରୁଥିବେ ? ତୁମେ ତ ଉଦ୍ଭିଦମାନଙ୍କ ଜୀବନ ଅଛି ବୋଲି କହୁଥିଲ–ତା’ର ଅର୍ଥ ହେଉଛି ଯେ, ସେମାନ ଶୁଣି ପାରୁଥିବେ, ଦେଖି ମଧ୍ୟ ପାରୁଥିବେ, ନୁହେଁ ? ସେମାନେ କ’ଣ କଥାବାର୍ତ୍ତା ହେଉଥିବେ ? ଏବଂ, ସେତେବେଳେ ଆମେ ସେମାନଙ୍କର କଥାକୁ କ’ଣ ଶୁଣି ବି ପାରିବା ?”ଏପରି ଏକ ଭାବନାର ପ୍ରବାହ ଯାହାକି ବାପାଙ୍କୁ ବିସ୍ମିତ କରି ଦେଉଥିବ; ମାତ୍ର ପିଲାଟି ବର୍ଷକ ଆଗରୁ କାହିଁକି ସେସବୁ ପଚାରି ନଥିଲା ? ଏବଂ, ଖାଲି ଯେ ସିଏ ଏତେ ଦିନଯାଏ ତାହାକୁ ମନେ ରଖିଲା, ସେତିକି ନୁହେଁ, ସେହି ମୁହୂର୍ତ୍ତଗୁଡ଼ିକର ଭାବଯୁକ୍ତ ଅନୁରଞ୍ଜନଗୁଡ଼ିକୁ ମଧ୍ୟ ମନେ ରଖିପାରିଲା ! ବାପାଙ୍କର ଦୃଢ଼ ବିଶ୍ୱାସ ହୋଇଗଲା ଯେ ପିଲାଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ସ୍ଥାନଟିର କଳ୍ପନା କରି ପାରିଲା, ସେଠାରେ ଫୁଟିଥିବା ବହୁବର୍ଣ୍ଣର ଫୁଲଗୁଡ଼ିକୁ, ନୀଳ ଆକାଶକୁ ଏବଂ ଦୂରରେ ଉଡ଼ିଯାଇଥିବା ବ୍ୟୋମଯାନର ଶବ୍ଦକୁ ବି ମନେ ରଖିଥିଲା ।

 

ଏହି ସବୁଟି ବିଷୟରେ ଚିନ୍ତା କରି ମୁଁ ନିଜକୁ ପଚାରିଲି, ଏପରି କାହିଁକି ହୁଏ ଯେ ବିଦ୍ୟାଳୟରେ ଦୁଇ ତିନିବର୍ଷ ପଢ଼ିବା ପରେ, ଏକ ଜୀବନ୍ତ ଏବଂ ନିର୍ମଳ କଳ୍ପନାଶକ୍ତି, ତୀକ୍ଷ୍ଣ ସ୍ମରଣ ଶକ୍ତି ଏବଂ ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ବସ୍ତୁଗୁଡ଼ିକ ପ୍ରତି ଏପରି ସମ୍ବେଦନଶୀଳ ଭାବଗତ ପ୍ରକ୍ରିୟା ରହିଥିବା ଗୋଟିଏ ପିଲା ବ୍ୟାକରଣର ନିୟମଗୁଡ଼ିକୁ ମନେ ରଖିପାରେ ନାହିଁ, ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦର ବନାନ ମନେ ରଖିବା ତା’ପାଇଁ ଏତେ କଷ୍ଟକର ହୋଇପଡ଼େ ବା ଛଅକୁ ନଅରେ ଗୁଣିଲେ କେତେ ହେବ, ସେକଥା ହିସାବ କରି କହିପାରେ ନାହିଁ ? ଅବଶ୍ୟ ସେହି ଜର୍ମାନ୍ ଗଣିତଜ୍ଞ ତୁଳନାରେ ମୋ’ର ସିଦ୍ଧାନ୍ତଟି ଆଦୌ ଏତେ ବେଶୀ କର୍କଶ ନଥିଲା: ବିଦ୍ୟାଳୟରେ ଜ୍ଞାନ ଆହରଣର ପ୍ରକ୍ରିୟାଟିର ପିଲାର ଅନ୍ତର୍ଗତ ଜୀବନ ସହିତ କୌଣସି ସଂପର୍କ ନଥାଏ । ପିଲାବେଳର ସ୍ମୃତିଶକ୍ତି ଏଇଥିପାଇଁ ତୀକ୍ଷ୍ଣ ଓ ଦୃଢ଼ ହୋଇଥାଏ ଯେ, ସେତେବେଳେ ପରିଚ୍ଛନ୍ନ ବିମ୍ବ, ଛବି ଅବବୋଧ ତଥା ଧାରଣାଗୁଡ଼ିକର ଏକ ନିର୍ମଳ ପ୍ରବାହ ପିଲା ଭିତରକୁ ଆସି ପାରୁଥାଏ । ପିଲାମାନଙ୍କର ଭାବନାଟିଏ ଶୁଣିଲେ ତା’ଭିତରେ ରହିଥିବା ସୂକ୍ଷ୍ମ, ଅପ୍ରତ୍ୟାଶିତ ଏବଂ ‘ଦାର୍ଶନିକ’ ପ୍ରଶ୍ନଗୁଡ଼ିକ ଆମକୁ ଅବାକ୍ କରି ଦିଅନ୍ତି, କାରଣ ପିଲାଟି ସେହି ପ୍ରବାହଟିର ଜୀବନଦାୟୀ ଉତ୍ସଟି ଦ୍ୱାରା ସଂବଳିତ ହେବାରେ ଲାଗିଥାଏ । ଏକଥା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ଶ୍ରେଣୀଗୃହର ଦ୍ୱାରଟି କଦାପି ଚତୁର୍ଦ୍ଦିଗର ପୃଥିବୀକୁ ପିଲାର ଚେତନା ଠାରୁ କିଳିକରି ରଖି ଦେବନାହିଁ । ମୁଁ ଏକଥା ଦେଖିବା ଲାଗି ଚେଷ୍ଟା କରିଥିଲି ଯେ, ଶୈଶବର ବର୍ଷଗୁଡ଼ିକରେ ଚତୁର୍ଦ୍ଦିଗର ପୃଥିବୀ ଏବଂ ପ୍ରକୃତି ମୋ’ ପିଲାମାନଙ୍କର ମନ ଭିତରକୁ ନିର୍ମଳ ବହୁସଂଖ୍ୟକ ବିମ୍ବ, ଚିତ୍ର, ଅବବୋଧ ଏବଂ ଧାରଣାମାନ ଆଣି ସତତ ଯୋଗାଇ ଦେଉଥିବ; ପିଲାମାନେ ଭାବନାର ନିୟମଗୁଡ଼ିକୁ ଏପରି ଏକ ଯଥାର୍ଥ ଅନୁପାତରେ ଗଢ଼ା ହୋଇଥିବା ଅଟ୍ଟାଳିକା ପରି ଦେଖିବେ, ଯାହାର ଗଠନଶୈଳୀ ଆହୁରି ଅଧିକ ସୁଗଠିତ ଅଟ୍ଟାଳିକା ଅର୍ଥାତ୍ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ରହିଥିବ । ଗୋଟିଏ ପିଲା ଯେପରି କେବଳ ଜ୍ଞାନଗୁଡ଼ିକର ଗୋଟିଏ ଖଣି, କେବଳ କେତେଟା ସତ୍ୟ, ନିୟମ ଓ ସୁତ୍ରମାନଙ୍କର ପେଡ଼ୀ ହୋଇ ନରହିବ, ସେଥିଲାଗି ପିଲାକୁ ଭାବି ଶିଖାଇବାକୁ ହେବ । ପିଲାମାନଙ୍କର ମନ ଏବଂ ସ୍ମୃତିଶକ୍ତି ଯେପରି ସ୍ୱଭାବରେ ତିଆରି ହୋଇଛି, ସେଥିରୁ ଏହା ଅତ୍ୟନ୍ତ ଆବଶ୍ୟକ ଯେ, ସେମାନଙ୍କର ଚତୁର୍ଦ୍ଦିଗରେ ରହିଥିବା ପ୍ରତ୍ୟକ୍ଷ ପୃଥିବୀଟି ଓ ତାହାର ଯାବତୀୟ ବିଧାନ ସେମାନଙ୍କ ସାମନାରେ କଦାପି ବନ୍ଦ ହୋଇ ରହିନଥିବ । ଗୋଟାଏ ମିନିଟ୍ ପାଇଁ ମଧ୍ୟ ନୁହେଁ । ମୋ’ର ପୂର୍ଣ୍ଣ ପ୍ରତ୍ୟୟ ହୋଇଯାଇଥିଲା ଯେ, ପିଲାମାନେ କେବଳ ଯେତେବେଳେ ବିଦ୍ୟାଳୟକୁ ଆସିବେ, ସେତେବେଳେ ସେମାନଙ୍କ ସ୍ମୃତିଶକ୍ତିର ତୀକ୍ଷ୍ଣତା ଏବଂ ଚିନ୍ତାର ନିର୍ମଳତା କଦାପି ସେହି କାରଣରୁ ଆଦୌ ଦୁର୍ବଳ ହୋଇଯିବ ନାହିଁ; ମାତ୍ର, ଯଦି ପାରିପାର୍ଶ୍ୱିକ ପୃଥିବୀ ହିଁ ପିଲାପାଇଁ ଭାବିବାର, ମନେ ରଖିବାର ଓ ନିଜର ଯୁକ୍ତିକୁ କାମରେ ଲଗାଇବାକୁ ଶିକ୍ଷା କରିବାର ପ୍ରକୃତ ପରିବେଶ ହୋଇ ପାରିଥିବ, ତେବେ ସେଗୁଡ଼ିକ ପ୍ରକୃତରେ ଆହୁରି ସମ୍ବଳିତ ହୋଇଯିବ ।

 

ବୌଦ୍ଧିକ ଶିକ୍ଷାରେ ପ୍ରକୃତିର ଭୂମିକାକୁ ଅତିରଞ୍ଜିତ କରି ଦେଖାଇବା ଉଚିତ ନୁହେଁ । ପିଲାମାନେ ପ୍ରକୃତି ଦ୍ୱାରା ପରିବେଷ୍ଟିତ ହୋଇ ରହିଲେ ଠିକ୍ ସେତିକି ଦ୍ୱାରା ବୌଦ୍ଧିକ ବିକାଶ ନିମନ୍ତେ ଏକ ଶକ୍ତିଶାଳୀ ଉତପ୍ରେରକ ମିଳିଯିବ ବୋଲି ଯେଉଁ ଶିକ୍ଷକ ବିଚାର କରୁଥିବେ, ତାଙ୍କର ସେହି ବିଚାରକୁ ଅତ୍ୟନ୍ତ ଭୁଲ ବୋଲି କୁହାଯିବ । ପ୍ରକୃତି ମଧ୍ୟରେ ଏପରି କୌଣସି ଯାଦୁକାରୀ ଶକ୍ତି ନାହିଁ ଯେ, ତାହା ବୁଦ୍ଧି, ଅନୁଭବ ଅଥବା ଇଚ୍ଛାଶକ୍ତି ଉପରେ ଆପେ ଆପେ କାର୍ଯ୍ୟ କରିବ । ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତିକୁ ଜାଣିବ ଏବଂ ସେଥିରେ କାର୍ଯ୍ୟ କରୁଥିବା କାରଣକାର୍ଯ୍ୟଗତ ସମ୍ବନ୍ଧଟିର ଭାବନା ଦ୍ୱାରା ଅନୁପ୍ରାଣିତ ହେବ, କେବଳ ସେତିକିବେଳେ ଯାଇ ପ୍ରକୃତି ଶିକ୍ଷାର ଏକ ଶକ୍ତିଶାଳୀ ଉତ୍ସ ରୂପେ କାମ ଦେବ । ପିଲାମାନେ ପ୍ରତିରୂପ, ବର୍ଣ୍ଣ ଓ ଧ୍ୱନି ଦ୍ୱାରା ଚିନ୍ତା କରନ୍ତି, ଏହି କଥାଟିକୁ କଦାପି ଏକ ଅନ୍ଧସତ୍ୟ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । ଏହି ବସ୍ତୁସତ୍ୟଟିକୁ ଏକ ମହତ୍ତ୍ୱପୂର୍ଣ୍ଣ କଥା ବୋଲି ଉଶିନସ୍କି ଦର୍ଶାଇ ଦେଇଥିଲେ । ମାତ୍ର ଯଦି ଗୋଟିଏ ପିଲା ପ୍ରତିରୂପ, ରଙ୍ଗ ଓ ଧ୍ୱନିର ମାଧ୍ୟମରେ ଚିନ୍ତା କରୁଛି, ସେଥିରୁ ଆମେ ଆଦୌ ଏପରି ଏକ ସିଦ୍ଧାନ୍ତ କରି ନେବାନାହିଁ ଯେ ପିଲାକୁ କଦାପି ଅମୂର୍ତ୍ତ ଭାବରେ ଭାବିବାକୁ ଶିକ୍ଷା ଦିଆଯିବା ଉଚିତ ନୁହେଁ । ଦୃଶ୍ୟ ସହାୟକର ଅର୍ଥାତ୍ ବୌଦ୍ଧିକ ଶିକ୍ଷାରେ ପ୍ରକୃତିର ବୃହତ୍ ଭୂମିକାଟିର ବ୍ୟବହାର ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଜଣେ ଅଭିଜ୍ଞ ଶିକ୍ଷାବିତ୍ ଏହିସବୁ ପ୍ରଣାଳୀକୁ ଅମୂର୍ତ୍ତ ଚିନ୍ତା କରିବାର ଏକ ମାଧ୍ୟମ ରୂପେ ମଧ୍ୟ ଅବଶ୍ୟ ଦେଖୁଥିବ ।

 

ଯାହା କିଛି ପିଲାମାନଙ୍କ ପାଇଁ ଭାବନାର ଉତ୍ସ ରୂପେ କାର୍ଯ୍ୟ କରିପାରିବ, ସେହିପରି ପ୍ରତ୍ୟେକ ଅବସରକୁ ବ୍ୟବହାର କରିବାକୁ ମୁଁ ଇଚ୍ଛା କରୁଥିଲି ଏବଂ ଦିନ ପରେ ଦିନ ଚାରିବର୍ଷ କାଳ ପିଲାମାନେ ସେମାନଙ୍କର ଭାବନା ଲାଗି ଉତ୍ସ ରୂପେ କାମ ଦେବାର ଏକ ଚତୁର୍ଦ୍ଦିଗସ୍ଥ ବସ୍ତୁ ଓ ଘଟଣାଗୁଡ଼ିକୁ ଅବଶ୍ୟ ଦେଖିବେ ବୋଲି ସ୍ଥିର କରି ନେଇଥିଲି । ଏହିପରି ଭାବରେ ଆମ ପ୍ରକୃତି–ପୁସ୍ତକର ତିନିଶହଟି ପୃଷ୍ଠା ଜନ୍ମଲାଭ କରିଥିଲା । ଏଥିରେ ତିନିଶହ ପର୍ଯ୍ୟବେକ୍ଷଣ ଅନ୍ତର୍ଭୃକ୍ତ ହୋଇ ରହିଥିଲା; ଏପରି ତିନିଶହଟି ସ୍ପଷ୍ଟ ଚିତ୍ର, ପିଲାମାନଙ୍କର ମନ ଉପରେ ଯାହାର ଏକ ପ୍ରଭାବ ଅବଶ୍ୟ ପଡ଼ିବ । କିପରି ଭାବିବାକୁ ହୁଏ, ତାହା ଶିକ୍ଷା କରିବା ପାଇଁ ଆମେ ସପ୍ତାହକୁ ଦୁଇଥର କରି ପ୍ରକୃତି ମଧ୍ୟକୁ ବୁଲି ଯାଉଥିଲୁ; କେବଳ ଅନାଇ ଦେଖିବାକୁ ନୁହେଁ, ଭାବିବାର ଶୈଳୀଗୁଡ଼ିକୁ ଶିକ୍ଷା କରିବା ପାଇଁ । ସେଗୁଡ଼ିକ ମୂଳତଃ ଭାବିବାକୁ ଶିକ୍ଷା ଦେଉଥିବା ଗୋଟିଏ ପାଠଘଣ୍ଟା ହିଁ ଥିଲେ; କେବଳ ମଉଜ କରି ବୁଲିବାର ଏକ ସମୟ ନୁହେଁ, ପାଠଘଣ୍ଟା ହୋଇ ରହିଥିଲେ । ମାତ୍ର, ସେହି ପାଠଘଣ୍ଟାଟି ଯେ ଏତେ ଅଧିକ ପରିମାଣରେ ଆକର୍ଷକ ଓ ଆଗ୍ରହୋଦ୍ଦୀପକ ହୋଇପାରୁଥିଲା, ତାହା ପିଲାର ଅନ୍ତର୍ଗତ ଜଗତଟିକୁ ଅଧିକ ସମୃଦ୍ଧ କରିବାର ଏକ ଅନୁକୂଳ ପରିସର ଯୋଗାଇ ଦେଉଥିଲା ।

 

ପିଲାମାନଙ୍କର ମନ ଉପରେ ଯେପରି ବାସ୍ତବ ସ୍ପଷ୍ଟ ଚିତ୍ରଗୁଡ଼ିକର ବିମ୍ବ ପ୍ରତିଫଳିତ ହୋଇପାରିବ, ସେଥିପାଇଁ ମୁଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରି ଦେଇଥିଲି । ଏହାଦ୍ୱାରା ସେମାନେ ଏପରି ଗୋଟିଏ ସ୍ଥିତିରେ ଆସି ପହଞ୍ଚିଯିବେ, ଯେଉଁଠାରେ କି ଭାବନାର ପ୍ରକ୍ରିୟାଗୁଡ଼ିକ ବଞ୍ଚିବାର ମୂଳ କଥାଗୁଡ଼ିକର ପ୍ରାୟ ଏକ ରୈଖିକ ପରିଚୟ ପାଇଯିବେ ଏବଂ ନିଜ ଚତୁର୍ଦ୍ଦିଗର ଜଗତକୁ ଦେଖୁଥିବା ବେଳେ ସେମାନେ ବସ୍ତୁଗୁଡ଼ିକର କାରଣ ଓ ପରିଣାମଗୁଡ଼ିକୁ ଜାଣିବାକୁ ସମର୍ଥ ହେବେ ଏବଂ ବସ୍ତୁଗୁଡ଼ିକର ସଂକେତ ଏବଂ ଗୁଣଗୁଡ଼ିକର ତୁଳନା ମଧ୍ୟ କରିପାରିବେ । ଏହି ପର୍ଯ୍ୟବେକ୍ଷଣ ପିଲାର ବୌଦ୍ଧିକ ବିକାଶ ବିଷୟରେ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିୟମକୁ ମଧ୍ୟ ଦୃଢ଼ କରି ଦେଇଥିଲା: ପଢ଼ୁଥିବା ପାଠଗୁଡ଼ିକରେ ପ୍ରଦତ୍ତ ସତ୍ୟଗୁଡ଼ିକ ଯେତିକି ଅଧିକ ଅମୂର୍ତ୍ତ ହୋଇଥିବ ଏବଂ ତେଣୁ ସେଥିଲାଗି ଯେତିକି ଅଧିକ ବୌଦ୍ଧିକ ପ୍ରୟାସ ଆବଶ୍ୟକ ହେଉଥିବ, ପିଲାମାନଙ୍କୁ ଜ୍ଞାନଲାଭର ଉତ୍ସଗୁଡ଼ିକ ମଧ୍ୟକୁ-ପ୍ରକୃତି ମଧ୍ୟକୁ–ସେତିକି ଅଧିକ ପରିମାଣରେ ଯିବାକୁ ହେବ ଏବଂ ସେମାନଙ୍କର ଚେତନା ମଧ୍ୟରେ ପାରିପାର୍ଶ୍ୱିକ ପୃଥିବୀର ପ୍ରତିରୂପମାନ ବିମ୍ବ ଆକାରରେ ସେତିକି ଅଧିକ ସ୍ପଷ୍ଟ ଭାବରେ ଆସି ପ୍ରତିଫଳିତ ହୋଇପାରିବ । ମାତ୍ର, ଏହି ସ୍ପଷ୍ଟ ପ୍ରତିରୂପଗୁଡ଼ିକ ପିଲାର ଚେତନା ଉପରେ ଫଟୋଗ୍ରାଫ୍‌ର ଫିଲ୍ମ ଉପରେ ପଡ଼ିଲା ପରି ଆଦୌ ପଡ଼ନ୍ତି ନାହିଁ । ସେହି ବିମ୍ବଗୁଡ଼ିକ ଯେତେ ସ୍ପଷ୍ଟ ହୋଇଥିଲେ ମଧ୍ୟ ସେଗୁଡ଼ିକୁ କଦାପି ଚରମ ଇଷ୍ଟ ବୋଲି କୁହାଯିବ ନାହିଁ ଏବଂ ସେତିକିକୁ ଅଧ୍ୟୟନର ଉଦ୍ଦେଶ୍ୟ ବୋଲି ମଧ୍ୟ କଦାପି ଧରି ନିଆଯିବ ନାହିଁ । ଯେଉଁଠାରେ ସୈଦ୍ଧାନ୍ତିକ ଭାବନା ଆରମ୍ଭ ହୁଏ, ଯେଉଁଠାରେ ସଜାଗ ଭାବନାକୁ ଏକ ସାଧ୍ୟ ରୂପେ ନଦେଖି ଏକ ସାଧନ ରୂପେ ଗ୍ରହଣ କରାଯାଏ, ସେହିଠାରେ ହିଁ ବୌଦ୍ଧିକ ଶିକ୍ଷା ଆରମ୍ଭ ହୋଇଥାଏ । ପାରିପାର୍ଶ୍ୱିକ ପୃଥିବୀର ସ୍ପଷ୍ଟ ପ୍ରତିରୂପଟି ଭିନ୍ନ ଭିନ୍ନ ଆକାର, ବର୍ଣ୍ଣ ଓ ଶବ୍ଦର ମାଧ୍ୟମରେ ସହସ୍ର ପ୍ରଶ୍ନର ଉତ୍ସ ରୂପେ କାର୍ଯ୍ୟ କରିଥାଏ । ସେହିସବୁ ପ୍ରଶ୍ନର ଅନ୍ତର୍ଭେଦ କରୁ କରୁ ଶିକ୍ଷକ ପ୍ରକୃତି–ପୁସ୍ତକର ପୃଷ୍ଠାଗୁଡ଼ିକୁ ଓଲଟାଇବାରେ ଲାଗିଯାଏ ।

 

ପ୍ରକୃତି ପୁସ୍ତକର ପ୍ରଥମ ପୃଷ୍ଠାଟିର ନାମ ହେଉଛି “ଜୀବନ୍ତ ଓ ଅଜୀବନ୍ତ” ଶରତଋତୁ ଆରମ୍ଭରେ ଦିନେ ଖରାବେଳେ ପୂରା ଖରା ପଡ଼ିଥିବା ବେଳେ ଆମେ ନଦୀକୁଳକୁ ଯାଇଥିଲୁ ଏବଂ ଘାସ ଉପରେ ଆରାମରେ ବସିଥିଲୁ । ଆମ ଆଖି ଆଗରେ ବିସ୍ତୃତ ତୃଣଭୂମି, ଶରତଋତୁର ନାନାବିଧ ଫୁଲରେ ଖଚିତ ହୋଇ ରହିଥାଏ । ନଦୀର ସଫା ପାଣିରେ ମାଛମାନେ ପହଁରୁଥାଆନ୍ତି, ପ୍ରଜାପତିମାନେ ଚାରିଆଡ଼େ ଫଡ଼ଫଡ଼ ହୋଇ ଉଡୁଥାଆନ୍ତି । ମୁଣ୍ଡ ଉପରେ ଆକାଶରେ ଚାତକପକ୍ଷୀ ଉଡ଼ିବାରେ ଲାଗିଥାଆନ୍ତି । ଆମେ ଗୋଟିଏ ଉଚ୍ଚ ପାହାଡ଼ଅତଡ଼ା ଉପରକୁ ଗଲୁ, ଗତ ଦୁଇବର୍ଷ ଧରି ସେଠାରେ ଅରାଏ ଭୂଇଁ ସମ୍ପୂର୍ଣ୍ଣ ଲଣ୍ଡା ହୋଇ ରହିଥିଲା । ସେଠାରେ ପିଲାମାନେ କାଦୁଅ ଓ ବାଲିର ବହୁସ୍ତରୀୟ ସ୍ତରଗୁଡ଼ିକୁ ପରୀକ୍ଷା କରି ଦେଖିଲେ, -ହଳଦିଆ, ଲାଲ୍, କେଶରୀ ଓ ଧଳା କେତେ କେତେ ରଙ୍ଗର । ଉପରେ ଧଳା ରଙ୍ଗର କାଦୁଅ ମାଟି ଓ ତା’ତଳକୁ ସୁନେଲି ରଙ୍ଗର ବାଲି, ତା’ପରେ ଆହୁରି ମୋଟା ସ୍ତରଟିଏ କେବଳ ଗୋଡ଼ିପଥରର । ପିଲାମାନେ ଉପର ମାଟିର କଳାସ୍ତରଗୁଡ଼ିକୁ ଅଧିକ ଗଭୀରରେ ରହିଥିବା ସ୍ତରଗୁଡ଼ିକ ସହିତ ତୁଳନା କରୁଥିଲେ ।

 

ମୁଁ ପଚାରିଲି, “ମାଟିର ଉପର ସ୍ତରରେ କ’ଣ ଦେଖୁଛ ?”

 

ପିଲାଏ ଉତ୍ତର ଦେଲେ, ସେଠି ଘାସର ଚେର ଅଛି । ତଳ ସ୍ତରଗୁଡ଼ିକରେ ଚେର ଦେଖାଯାଉ ନାହିଁ ।”

 

“ଅତଡ଼ା ଦାଢ଼ରେ ଯେଉଁସବୁ ଘାସ ହୋଇଛି, ତା’ର ପତରଗୁଡ଼ିକୁ ଦେଖ । ସୁନେଲି ବାଲିର ସ୍ତରରେ ମଧ୍ୟ ସେଇ ଘାସ ଦେଖିବାକୁ ପାଇବ । ଘାସ ଆଉ ବାଲି ଭିତରେ ବି ଫରକ ଅଛି କହିଲ ?”

 

“ଘାସ ଖରାଦିନେ ହୁଏ, ଶରତଋତୁ ଆସିଲେ ମରିବାକୁ ଆରମ୍ଭ କରେ ଏବଂ ବସନ୍ତ ଋତୁରେ ପୁନର୍ବାର ଜୀଇ ଉଠେ ।” – ପିଲମାନେ କହିଲେ, “ଏବଂ ଘାସର ସାନ ସାନ ମଞ୍ଜିଗୁଡ଼ିକ ମାଟିରେ ବିଞ୍ଚି ହୋଇଯାଏ । ସେଥିରୁ ପୁଣି ନୂଆ ଘାସ ହୁଏ ।”

 

“ମାତ୍ର, ବାଲିର ପୁଣି କ’ଣ ହୁଏ ?” ସବୁ ପିଲା, ବିଶେଷ କରି ପେଟ୍ରିକ୍, ଭାଲ୍ୟା ଓ ନିନାଙ୍କ ପରି ମନ୍ଥର ଗତିରେ ଭାବୁଥିବା ପିଲାମାନେ ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ବସ୍ତୁଗୁଡ଼ିକ ମଧ୍ୟରେ ତୁଳନା କରିପାରନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି । ଶ୍ରେଣୀରେ ଏପରି ପିଲା ତଥାପି ଅଛନ୍ତି, ଯେଉଁମାନଙ୍କ ଭାବନାର ଗତିକୁ ପୂର୍ଣ୍ଣ ଅଥଚ ମନ୍ଥର ଗତିର ନଦୀ ସହିତ ତୁଳନା କରାଯାଇପାରିବ-। ଏମାନେ ହେଉଛନ୍ତି ମିସା ଓ ସାଶା । ଲୁଇଡ଼ା ବୋଲି ସାନ ଝିଅଟିଏ ବି ଅଛି, ଯାହାର ଭାବନା ମୋ’ପାଇଁ ସାତଟା ଓ ମୋହର ଦେଇ ମୁଦା ହୋଇଥିବା ଗୋଟିଏ ବାକ୍ସ ପରି ଏକ ରହସ୍ୟ ହୋଇ ରହିଛି । ମୁଁ ପ୍ରଥମେ ଭାବିଥିଲି ଯେ, ପିଲାର ମାନସିକ ବିକାଶର ପ୍ରକ୍ରିୟା କେବଳ ଅପେକ୍ଷାକୃତ ଅଧିକ ମନ୍ଥର ହୋଇ ରହିଥିଲା ଏବଂ, ଅନ୍ୟ ପିଲାମାନଙ୍କୁ ଯାହା ଖୁବ୍ ସହଜ ଲାଗୁଥିଲା, ଏହି ପିଲାଟି ଖୁବ୍ କଷ୍ଟରେ ତାହା ବୁଝି ପାରୁଥିଲା । ମାତ୍ର ପିଲାର ଆଖିଗୁଡ଼ିକ ଅତ୍ୟନ୍ତ ଜୀବନ୍ତ ଓ ସମ୍ବେଦନଶୀଳ ଦେଖାଯାଉଥିଲେ । ସିଏ ଭାବନାଟିକୁ ଅନୁଭବ କରିପାରୁଥିଲା, ସତେଅବା ଅନ୍ତର୍ଗତ ଗୋଟିଏ ପ୍ରକାର ଶକ୍ତି ଦ୍ୱାରା ସେ ତାହାକୁ ଧାରଣ କରି ରଖିପାରୁଥିଲା; ମନେ ହେଉଥିଲା, ସିଏ ଯେପରି ଖୁବ୍ ଭଲକରି କଥାଟିକୁ ଜାଣିଥିଲା, ମାତ୍ର ପୂର୍ଣ୍ଣ ସଚେତନ ଭାବରେ ତାହାକୁ କଥାରେ ପ୍ରକାଶ କରିବାକୁ ଆଦୌ ତରତର ହେଉନଥିଲା ।

 

“ପିଲାମାନେ, ଏହି ସୁନେଲି ବାଲିକୁ ଦେଖ, ସବୁଜ ଘାସକୁ ମଧ୍ୟ ଦେଖ । ବା, ଆହୁରି ଭଲ କଥା ହେବ, ଯଦି ସବୁଜ ବାଲିକୁ ଓ ସବୁଜ ଘାସକୁ ଦେଖିପାରିବ । ଦୁଇଟି ଯାକ କେଡ଼େ ସମାନ, ପୁଣି କେଡ଼େ ଭିନ୍ନ ଭିନ୍ନ !”

 

ପିଲାମାନେ ଭାବିବାକୁ ଆରମ୍ଭ କରିଦେଲ,-ସେମାନେ ସବୁଜ ପଡ଼ିଆଟିକୁ ଦେଖୁଥାଆନ୍ତି, ଓ ଲଣ୍ଡା ପାହାଡ଼ ଅତଡ଼ାଟାକୁ ମଧ୍ୟ ଦେଖୁଥାଆନ୍ତି । ଲିଉଡ଼ାର ଆଖିଯୋଡ଼ିକ ଚିନ୍ତାମଗ୍ନ ହୋଇ ରହିଥାଆନ୍ତି, ପେଟ୍ରିକ୍‍ର ଭ୍ରୁ ଦୁଇଟି କୁଞ୍ଚିତ ହୋଇ ଯାଇଥାଏ । ଭାଲ୍ୟା ପୁଳାଏ ବାଲି ଧରି ଏ ହାତ ପାପୁଲିରୁ ସେ ହାତ ପାପୁଲିକୁ କରୁଥାଏ ।

 

ଲିଉଡ଼ା କହିଲା, “ବାଲିର ଫୁଲ ହୁଏ ନାହିଁ, ଘାସର ହୁଏ !”

 

“ଗାଈମାନେ ଘାସ ଚରନ୍ତି, ମାତ୍ର ବାଲିରେ ଚରିବା ଲାଗି କେବଳ ଚେଷ୍ଟା କରୁଥାନ୍ତି”–ପେଟ୍ରିକ୍ ବୁଝାଇଦେଲା ।

 

ଭାବନା ଭିତରେ ମଗ୍ନ ହୋଇ ରହିଥିବା ମିଶା କହିଲା, “ବର୍ଷା ହେଲେ ଘାସ କଅଁଳେ ମାତ୍ର ବର୍ଷା ହେଲେ ବାଲି କେମିତି କଅଁଳିବ ?”

 

ୟୁରା ଘୋଷଣା କଲା, “ବାଲି ତ କେତେ ଗଭୀର ଯାଏ ରହିଛି, ଘାସ ଖାଲି ଉପରିଭାଗରେ ।” ମାତ୍ର ସେରିଓଝା ଆପତ୍ତି କଲା, କହିଲା “ସମୁଦ୍ର କୂଳରେ ଘାସ ଅଛି କି ନାହିଁ ? ଘାସ ଖରାଆଡ଼କୁ ପ୍ରସାରିତ ହୋଇଯାଏ, ମାତ୍ର ଖରା ପଡ଼ିଲେ ବାଲି କେବଳ ଯାହା ଉଷୁମ ହୁଏ-।”

 

ତା’ପରେ ଆମେ କେହି ଜଣେ ଗୋଟାଇ ହାତରେ ଧରିଥିବା ଗୋଡ଼ି, ସବୁଜ ମାପଲ୍‍ଗଛର ପତ୍ର, ଖଣ୍ଡେ ନାଲି ରଙ୍ଗର କାଚ, ଘାସ ଫୁଲ, ପୋଖରୀରେ ପହଁରୁଥିବା ମାଛ, ଗୋଟିଏ ବତକପକ୍ଷୀ ପର, ପୋଲରେ ଲାଗିଥିବା ଢଳା ଲୁହାର ରେଲିଂ, ଏବଂ ଗଛ ଗଛ ଭିତରେ ଛନ୍ଦି ହୋଇ ରହିଥିବା ବଣଦ୍ରାକ୍ଷାର ଲଟା, – ଏଗୁଡ଼ିକର ତୁଳନା କରିଥିଲୁ । ପିଲାମାନଙ୍କର ଭାବନା ପୂର୍ଣ୍ଣ ଉତ୍ସାହରେ କୁଆଡ଼େ କୁଆଡ଼େ ଖେଳି ବୁଲୁଥିଲା । ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ବିଭିନ୍ନ ବସ୍ତୁ ଓ ବିଷୟଗୁଡ଼ିକ ମଧ୍ୟରେ ରହିଥିବା ପରସ୍ପର-ନିର୍ଭରଶୀଳତା କିପରି ଆଖିକୁ ମଧ୍ୟ ଦୃଷ୍ଟିଗୋଚର ହେଉଥିଲା, ପିଲାମାନେ ତାହା ଅନ୍ଦାଜ କରି ପାରୁଥିଲେ ଏବଂ ହଠାତ୍ ବାହାରକୁ ଦେଖାଯାଉନଥିବା ସମ୍ବନ୍ଧିତତାଗୁଡ଼ିକୁ ମଧ୍ୟ ଆବିଷ୍କାର କରିଥିଲେ । ଜୀବନ୍ତ ଓ ଅଜୀବନ୍ତ ବିଷୟରେ ପ୍ରଥମ ଧାରଣାଗୁଡ଼ିକ ସେମାନଙ୍କ ମନ ଭିତରେ ଆକାର ଧାରଣ କରି ଆସୁଥିଲା । କେତେ ବସ୍ତୁ ଅଛନ୍ତି, ଯେଉଁମାନେ ଜୀବନ୍ତ; ଓ ଆଉ କେତେକ ବସ୍ତୁ ଜୀବନ୍ତ ନୁହଁନ୍ତି, – ପିଲାମାନେ ବହୁ ଦୃଷ୍ଟାନ୍ତ ଭିତରେ ସେହି କଥାଟିକୁ ଦେଖିବାକୁ ପାଇଥିଲେ । ମାତ୍ର, ଯେତେବେଳେ ମୁଁ “ଜୀବନ୍ତ ଓ ଅଜୀବନ୍ତ ମଧ୍ୟରେ ଫରକ କ’ଣ” ବୋଲି ପଚାରିଲି, ପିଲାମାନେ କୌଣସି ଉତ୍ତର ଦେଇ ପାରିନଥିଲେ । ଏପରି ଗୋଟିଏ ଉପସଂହାର କରାଗଲା ଯେ, ଏପରି ଏକ ପ୍ରଶ୍ନର ସମ୍ମୁଖୀନ ହୋଇ ପିଲାମାନେ ପୁନର୍ବାର ନିଜ ଆଖିରେ ଦେଖିଥିବା କଥାଗୁଡ଼ିକ ପାଖକୁ ଫେରି ଆସିଥିଲେ । ସେମାନେ କେତେକ ସଂକେତକୁ ଠିକ୍ ଭାବରେ ଅବଶ୍ୟ ଦେଖିଥିଲେ ସତ, ମାତ୍ର ସେମାନେ କିଛି ଭୁଲ ମଧ୍ୟ କରିଥିଲେ ଓ ଆମେ ସେଠାରେ କରିଥିବା ପର୍ଯ୍ୟବେକ୍ଷଣଗୁଡ଼ିକ ଦ୍ୱାରା ସେଗୁଡ଼ିକର ସଂଶୋଧନ ହୋଇ ଯାଇଥିଲା, ଏବଂ କୋଷ୍ଟ୍ୟା “ଜୀଅନ୍ତା ପଦାର୍ଥମାନ ଚାଲନ୍ତି, ଅଜୀଅନ୍ତାମାନେ ଚାଲନ୍ତି ନାହିଁ” ବୋଲି କହିଲା, ତା କଥାରେ ସମସ୍ତେ ରାଜି ହୋଇଯାଇଥିଲେ; ମାତ୍ର ତା’ପରେ ସମସ୍ତେ ନୀରବ ହୋଇଗଲେ, ପିଲାଏ ନିଜ ଚତୁର୍ଦ୍ଦିଗକୁ ଅନାଇବାକୁ ଲାଗିଲେ ଏବଂ ତା’ପରେ ଏହି ଆଲୋଚନାଟି ଶୁଣାଯାଇଥିଲା :

 

“ନଈରେ ଭାସିଗଲା ବେଳେ ବାଡ଼ିଟାଏ ତ ଚାଲୁଛି, ମାତ୍ର ତା’ର କୌଣସି ଜୀବନ ନାହିଁ-।”

 

“ଟ୍ରାକ୍ଟର ମଧ୍ୟ ଚାଲେ, ମାତ୍ର ତା’ର ବି ଜୀବନ ନଥାଏ ।”

 

“ବୁଢ଼ିଆଣୀ ଜାଲ ପବନରେ ହଲହଲ ହେଉନଥାଏ, ମାତ୍ର ସିଏ ବି ତ ଜୀବନ୍ତ ନୁହେଁ ।”

 

“ପୁରୁଣା ଛାତ ଉପରେ ବସିଥିବା ଶିଉଳି ତ ଚାଲୁ ନାହିଁ, ମାତ୍ର ତା’ର ଜୀବନ ରହିଛି । ଶିଉଳି କ’ଣ ସତରେ ଜୀଅନ୍ତା ?”

 

“ବାଲିର ବି ଗତି ଅଛି । ଆମେ ବାଲିଖାଦାନକୁ ଯାଇଥିଲେ ନା ? ନଈର ବାଲି ମଧ୍ୟ କିପରି ଗତି କରନ୍ତି, ଆମେ ସେକଥା ମଧ୍ୟ ଦେଖିଲେଁ ।”

 

ନା – ତେବେ ଗତିଟା ଆଦୌ ଅସଲ ଫରକ ନୁହେଁ । ତେବେ ଜୀଅନ୍ତା ଓ ଅଜୀଅନ୍ତା ଭିତରେ ପ୍ରକୃତରେ କି ଫରକ ରହିଛି ? ପିଲାମାନେ ଚତୁର୍ଦ୍ଦିଗର ପୃଥିବୀରେ ଦେଖିଥିବା ଭିନ୍ନ ଭିନ୍ନ ବସ୍ତୁଗୁଡ଼ିକୁ ବାରବାର ତୁଳନା କରି ଦେଖୁଥାଆନ୍ତି । ଶୂରା ଉଲ୍ଲସିତ ଭାବରେ କହି ଉଠିଲା “ଜିଅନ୍ତାମାନେ ବଢ଼ନ୍ତି ଏବଂ ଯେଉଁମାନଙ୍କର ଜୀବନ ନାହିଁ, ସେମାନେ ବଢ଼ନ୍ତି ନାହିଁ ।”

 

ପିଲାମାନେ ଏହି କଥାଟି ଉପରେ ବିଚାର କରିବାରେ ଲାଗିଲେ ଏବଂ ପୁନର୍ବାର ଚତୁର୍ଦ୍ଦିଗର ପୃଥିବୀଟି ଉପରେ ଆଖି ବୁଲାଇ ଆଣୁଥିଲେ । ସେମାନେ ପ୍ରାୟ ସରବ ଭାବରେ ଚିନ୍ତା କରୁଥିଲେ; ଘାସର ଜୀବନ ଅଛି-ଘାସ ବଢ଼ୁଛି; ଗଛମାନଙ୍କର ଜୀବନ ଅଛି, ସେମାନେ ବି ବଢ଼ୁଛନ୍ତି, ଅମୁକ ବୁଦାଟିର ଜୀବନ ଅଛି, କାରଣ ସିଏ ବଢ଼ୁଛି । ବାଲିର ଜୀବନ ନାହିଁ, କାରଣ ବାଲି ବଢ଼ୁନାହିଁ-। ତେଣୁ ତଥ୍ୟ ହେଉଛି, ଯାହାକିଛିର ଜୀବନ ଅଛି, ସେ ବଢ଼ୁଛି; ଯାହାକିଛିର ଜୀବନ ନାହିଁ, ସିଏ ବଢ଼ୁନାହିଁ । ....ମିସା କକ୍ଷଣ ସବୁ ଭାବି ଦୂର ଆଡ଼କୁ ଚାହିଁଥାଏ । ତା’ର ସାଙ୍ଗମାନେ ଯାହା କହିଲେ, ସିଏ ସେକଥା ଶୁଣିଲାଟି କି ? ପିଲାମାନେ ସେମାନଙ୍କ ଚାରିପଟେ ଥିବା ଯାବତୀୟ ଜୀବନ ଥିବା ଓ ଜୀବନ ନଥିବା ବସ୍ତୁଗୁଡ଼ିକର ଉଲ୍ଲେଖ କରି ସାରିବା ପରେ କ୍ଷୁଦ୍ର ବାଳକଟି କହିଲା :

 

“ଯାହା କିଛି ଜୀଇଁଛି, ସୂର୍ଯ୍ୟକିରଣ ନଥିଲେ, ସେମାନେ ମୋଟେ ରହିପାରନ୍ତେ ନାହିଁ;” ଳତାପରେ ସିଏ ଆଙ୍ଗୁଠି ଦେଖାଇ ପଡ଼ିଆ ଓ ତୃଣଭୂମିକୁ ଉଦାହରଣ ଦେଉଥାଏ । ତା’ର ଏହି ଶବ୍ଦଗୁଡ଼ିକ ମୋତେ ଏହି ପ୍ରତ୍ୟୟଟି ଦେଇଗଲା ଯେ, ଭାବନାରେ ମନ୍ଥର ବ୍ୟକ୍ତିମାନେ ଅଧିକାଂଶତଃ ଆପଣାର ଅବବୋଧ, ମନୋଯୋଗିତା ଏବଂ ପ୍ରଖର ପର୍ଯ୍ୟବେକ୍ଷଣଗୁଡ଼ିକର କ୍ଷେତ୍ରରେ ବାରି ହୋଇ ପଡ଼ନ୍ତି । ମିସାର କଥାରେ ଅନ୍ୟ ପିଲାମାନଙ୍କର କଳ୍ପନାଶକ୍ତି ଆଲୋକିତ ହୋଇ ଉଠିଥିଲା, ପ୍ରାୟ ସମସ୍ତେ “ଏହି କଥାଟିକୁ ମୁଁ କାହିଁକି ଆଗରୁ ଚିନ୍ତା କରିପାରିଲି ନାହିଁ ?” ବୋଲି ନିଜକୁ ନୀରବରେ ପଚାରିବାରେ ଲାଗିଲେ । ସେହି ଉତ୍ସୁକତା ସେମାନଙ୍କୁ ପୁନର୍ବାର ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ବସ୍ତୁ ଗୁଡ଼ିକୁ ଅନୁଭବ କରିବା ଲାଗି ପ୍ରେରିତ କରିନେଲା ଓ ସେମାନେ ପୁଣି ସରବ ଭାବରେ ଚିନ୍ତା କଲେ : “ଘାସ, କେତେ କେତେ ଫୁଲ, ଗଛମାନେ ଓ ଗହମ, - ଏମାନେ ସୂର୍ଯ୍ୟ ବିନା ଆଦୌ ବଞ୍ଚିପାରିବେ ନାହିଁ । ମଣିଷମାନେ ମଧ୍ୟ ସୂର୍ଯ୍ୟ ବିନା ବଞ୍ଚିପାରିବେ ନାହିଁ । ....ମଣିଷମାନେ ବଞ୍ଚିପାରିବେ କି ? ନାଇଁ, ମଣିଷମାନେ ମାଟି ତଳେ କୋଉ ଭିତରେ ଯାଇ ବଞ୍ଚିରହିବା ବିଷୟରେ ତୁମେ କଳ୍ପନା ମଧ୍ୟ କରିପାରିବ ନାହିଁ । ଗଛରେ ଥିବା ଡାଳଗୁଡ଼ିକର ଛାଇ ଘାସ ଉପରେ ପଡ଼ିବାରୁ ଘାସ ଧଳା ହୋଇ ଯାଉଛି, ମରି ବି ଯାଉଛି । ମୋ’ବାପା ମୋତେ କହୁଥିଲେ ଯେ, ବର୍ଷା ହେବା ପରେ ଯଦି ସୂର୍ଯ୍ୟ ପୃଥିବୀକୁ ଗରମ କରୁନଥାନ୍ତା, ତେବେ ଶୀତଋତୁର ଫସଲମାନେ ମୋଟେ ସବୁଜ ହୁଅନ୍ତେ ନାହିଁ ଏବଂ ଖରା ବିନା ପୂରା ଖରାପ ହୋଇ ଯାଆନ୍ତେ । ....ମାତ୍ର, ସୂର୍ଯ୍ୟ ନଥିଲେ, ପଥରମାନେ ଯେମିତି ଅଛନ୍ତି, ସେମିତି ରହନ୍ତେ । ନା, ଠିକ୍ ସେମିତି ବି ରହି ପାରନ୍ତେ ନାହିଁ । ଅନ୍ଧାର ଭିତରେ ରହିଲେ ସେମାନଙ୍କ ଦିହରେ ବୋଳ ବସିଯାଆନ୍ତା । ବୋଳର ଜୀବନ ଅଛି ନା ନାହିଁ ? ସୂର୍ଯ୍ୟ ଯେ କେବଳ ଉପକାର କରୁଛି, ତାହା ବି ନୁହେଁ: ବେଶୀଦିନ ପର୍ଯ୍ୟନ୍ତ ବର୍ଷା ନହେଲେ ସୂର୍ଯ୍ୟ ଶସ୍ୟମାନଙ୍କୁ ଶୁଖାଇ କୁଟା କରି ଦେଉଛି । ଅର୍ଥାତ୍, ଜୀବନ ଥିବା ବସ୍ତୁମାନେ ଖାଲି ସୂର୍ଯ୍ୟକୁ ନୁହେଁ, ପାଣି ବି ଆବଶ୍ୟକ କରୁଛନ୍ତି ।”

 

ଏହିପରି ଭାବରେ ପିଲାମାନଙ୍କର ଭାବନା ଭିତରୁ ଗୋଟିଏ ଗୋଟିଏ ଝରଣା ବାହାରି ଯାଇଥିଲେ ଏବଂ ଏହି ଝରଣାଗୁଡ଼ିକ ଏକାଠି ମିଶି ଗୋଟିଏ ନଦୀ ତିଆରି କରିଦେଲେ । ଏବଂ, ପିଲାମାନଙ୍କ ଆଗରେ କ୍ରମେ ଅଧିକ ସ୍ପଷ୍ଟ ହୋଇଗଲା ଯେ, ସେମାନଙ୍କ ପାଖରେ ତଥାପି ସ୍ପଷ୍ଟ ହୋଇ ନଥିବା କ’ଣ ସବୁ ଘଟଣା ଜୀବନଧାରୀମାନଙ୍କର କ୍ଷେତ୍ରରେ ଘଟୁଥିଲା । ପୁନଶ୍ଚ ସେହି ଘଟଣାଗୁଡ଼ିକ ପ୍ରକୃତିରେ ଆମର ଚତୁର୍ଦ୍ଦିଗରେ ରହିଥିବା ସୂର୍ଯ୍ୟ, ଜଳ ଏବଂ ବାକି ପ୍ରତ୍ୟେକ ପଦାର୍ଥ ଉପରେ ନିର୍ଭରଶୀଳ ହୋଇ ରହିଥିଲେ । ....ପିଲାମାନେ ବର୍ତ୍ତମାନ ପ୍ରକୃତି-ପୁସ୍ତକର ପ୍ରଥମ ପୃଷ୍ଠାର ପ୍ରଥମ ଧାଡ଼ିଟିକୁ ପାଠ କରୁଥିଲେ । ସେମାନେ ବୁଝୁଥିଲେ ଯେ ସମୁଦାୟ ପୃଥିବୀରେ ଜୀବନ୍ତ ଓ ଅଜୀବନ୍ତ ଏହିପରି ଦୁଇଟି ଉପାଦାନ ଅଛନ୍ତି । ଜୀବନ୍ତ ଓ ଅଜୀବନ୍ତ ସଂପର୍କରେ ସେମାନଙ୍କ ପ୍ରଥମ ଧାରଣାରୁ କେତେ କେତେ ପ୍ରଶ୍ନ ଉତ୍‍ଥାପିତ ହୋଇ ଆସିଲା । ଘରକୁ ଫେରିବା ବାଟରେ ପିଲାମାନେ ପରିଚିତ ପ୍ରତ୍ୟେକ ବସ୍ତୁକୁ ପରୀକ୍ଷା କରି ଦେଖୁଥିଲେ ଏବଂ ଆଗରୁ ସେମାନେ ପ୍ରକୃତରେ କିଛି ନ ଦେଖିଥିଲା ପରି ହୃଦୟଙ୍ଗମ କରୁଥିଲେ । ସେମାନେ ଯେତିକି ଅଧିକ ଦେଖୁଥିଲେ, ସେମାନଙ୍କ ଭିତରେ ସେତିକି ପ୍ରଶ୍ନ ଉଦ୍ଦୀପିତ ହୋଇ ଆସୁଥିଲା: ଏଡ଼େ ଛୋଟିଆ ମଞ୍ଜିଟିରୁ ସାନ ଅଙ୍କୁରଟିଏ ବାହାରି ଏକ ବିରାଟ ଓକ୍ ଗଛରେ କିପରି ପରିଣତ ହୋଇଯାଉଛି ? ଏହି ପତ୍ର ଓ ଡାଳମାନେ, ଏହି ମୋଟା ଗଣ୍ଡିଟା ପୁଣି ତା’ ଭିତରୁ କୁଆଡ଼ୁ ଆସୁଛି-? ଶରତଋତୁରେ କାହିଁକି ପତ୍ରମାନେ ଗଛରୁ ଝଡ଼ି ଯାଉଛନ୍ତି ? ଶୀତଦିନେ ଏହି ଗଛମାନେ ଆଦୌ ବଢ଼ନ୍ତି ନାହିଁ ? ଏକାବେଳେକେ ସବୁ ପ୍ରଶ୍ନର ଉତ୍ତର ଦେବା ଆଦୌ ସମ୍ଭବ ନଥିଲା ଏବଂ ସେହିପରି ଉଦ୍ୟମ କରାଯିବା ବି ଉଚିତ ନୁହେଁ । ପିଲାମାନଙ୍କ ଭିତରୁ ଯେ ଏତେଗୁଡ଼ିଏ ପ୍ରଶ୍ନ ବାହାରୁଥିଲା, ତାହା ହିଁ ଏକ ଭଲ କଥା ଥିଲା । ଭାରି ଭଲ ହେଉଥିଲା ଯେ, ଚିନ୍ତା କରୁଥିବା ସମୟରେ ପିଲା ଜ୍ଞାନ ତଥା ଚିନ୍ତାର ଉତ୍ସକୁ ଯାଇ ପାରିବାକୁ ଶିକ୍ଷା କରୁଥିଲା - ଉତ୍ତର ପାଇଁ ଚତୁଃପାଶ୍ୱର୍ର ପୃଥିବୀକୁ ଯିବା ଲାଗି ଚେଷ୍ଟା କରୁଥିଲା । ଭାରି ଭଲ କଥା ଯେ, ନିଜ ଚିନ୍ତାରେ ପ୍ରସାରଣ ଘଟାଇ ସିଏ ନିର୍ଭୁଲ ଏବଂ ନିର୍ଦ୍ଦିଷ୍ଟ ଶବ୍ଦଟିକୁ ପାଇ ଯାଉଥିଲା । ଭାବନାର କ୍ଷେତ୍ରରେ ଭାବନାର ସ୍ପଷ୍ଟତା ହେଉଛି, ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଏବଂ ଚାରି ପାଖର ପୃଥିବୀ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ହିଁ ତାହାକୁ ଅର୍ଜନ କରାଯାଏ ।

 

ପ୍ରତ୍ୟେକ ପିଲା ପ୍ରତିରୂପ, ରଙ୍ଗ ଓ ଧ୍ୱନି ସାହାଯ୍ୟରେ ଚିନ୍ତା କରେ; ମାତ୍ର ତାହାର ଅର୍ଥ ନୁହେଁ ଯେ, ସେ ସବୁଦିନ ପାଇଁ ସେହି ଆକାରଯୁକ୍ତ ଭାବନାର ବେଢ଼ାଟି ଭିତରେ ହିଁ ଆବଦ୍ଧ ହୋଇ ରହିଥିବ । ଧାରଣାଗୁଡ଼ିକୁ ବୁଝିବାକୁ ସମର୍ଥ ହେବାର ପ୍ରକ୍ରିୟାରେ ପ୍ରତିରୂପ ମାଧ୍ୟମରେ ଭାବନା ଏକ ଆବଶ୍ୟକ ସୋପାନ ରୂପେ କାର୍ଯ୍ୟ କରିଥାଏ । କ୍ରମଶଃ ମୁଁ ପିଲାମାନଙ୍କୁ ଏହିସବୁ ବ୍ୟାବହାରିକ ଶବ୍ଦର ଅର୍ଥଜଗତ ସହିତ ପରିଚିତ କରାଇବାକୁ ଚେଷ୍ଟା କରିଥିଲି: ପ୍ରାକୃତିକ ଘଟଣା, କାରଣ, ପରିଣାମ, ଘଟଣା, ପାରିବେଶିକତା, ନିର୍ଭରଶୀଳତା, ପ୍ରଭେଦ, ସାଦୃଶ୍ୟ, ସମୁଦାୟ, ସଙ୍ଗତି, ଅସଙ୍ଗତି, ସମ୍ଭବ, ଅସମ୍ଭବ, ଇତ୍ୟାଦି ଇତ୍ୟାଦି । ଏକାଧିକ ବର୍ଷର ଅଭିଜ୍ଞତାରୁ ମୁଁ ଜାଣିଲି ଯେ, ଅମୂର୍ତ୍ତ ଭାବନାର ଗଠନରେ ଏହି ଶବ୍ଦଗୁଡ଼ିକ ଏତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସଚଳ ତଥ୍ୟ ଓ ଘଟଣାବଳି ବିଷୟରେ ଅନୁସନ୍ଧାନ ନକରି, ଆଖିରେ ଦେଖୁଥିବା କଥାଗୁଡ଼ିକ ବିଷୟରେ ଚିନ୍ତା ନକରି ମୂର୍ତ୍ତି ବିଷୟ, ବସ୍ତୁ ଓ ଘଟଣାଗୁଡ଼ିକରୁ ଅମୂର୍ତ୍ତ ସାଧାରଣ ସିଦ୍ଧାନ୍ତଗୁଡ଼ିକର କ୍ଷେତ୍ରକୁ ଆପଣାକୁ କ୍ରମେ ପରିଚାଳିତ ନକରି ଏହିସବୁ ଶବ୍ଦଗୁଡ଼ିକ ଉପରେ କତ୍ତୃତ୍ୱ ଅର୍ଜନ କରିବା ଆଦୌ ସମ୍ଭବ ନୁହେଁ । ପିଲାମାନଙ୍କ ମନ ଭିତରେ ଉଦିତ ହେଉଥିବା ପ୍ରଶ୍ନଗୁଡ଼ିକ ଏଥିରେ ସହାୟତା କରିଥାଆନ୍ତି । ପ୍ରକୃତରେ ମୂର୍ତ୍ତ ଘଟଣାଗୁଡ଼ିକ ଉପରେ ଦୃଷ୍ଟିପାତ କରି ସେଥିରେ ରହିଥିବା କାର୍ଯ୍ୟ-କାରଣ ସମ୍ବନ୍ଧର ସନ୍ଧାନ କରିବାକୁ ମୁଁ ପିଲାମାନଙ୍କୁ ଶିଖାଇ ଦେଲି । ଭାବନା ଏବଂ ମୂର୍ତ୍ତ ପ୍ରତିରୂପଗୁଡ଼ିକ ମଧ୍ୟରେ ରହିଥିବା ନିବିଡ଼ ସଂପର୍କକୁ ବହୁତ ଧନ୍ୟବାଦ, ତଦ୍ଦ୍ୱାରା ପିଲା କ୍ରମେ ଅମୂର୍ତ୍ତ ବିଷୟଗୁଡ଼ିକୁ ନେଇ କ୍ରିୟାଶୀଳ ହେବାର ଅଭ୍ୟାସଟିକୁ ମଧ୍ୟ ହାସଲ କରି ନେଇଥାଏ । ଅବଶ୍ୟ ଏହା ହେଉଛି ଏକ ଦୀର୍ଘ ପ୍ରକ୍ରିୟା, ଏଥିପାଇଁ ବର୍ଷ ବର୍ଷ ସମୟ ଲାଗେ ।

 

ପ୍ରକୃତି–ପୁସ୍ତକର ପାଠ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ହୋଇଥିଲା । ମାତ୍ର, ସେ ଆଗ୍ରହକୁ କଦାପି ଚରମ ଲକ୍ଷ୍ୟ ବୋଲି କୁହାଯିବ ନାହିଁ । ବହୁ ପୂର୍ବରୁ ଶ୍ରୀ ଉଶିନସ୍କି ଲେଖିଛନ୍ତି, “ପିଲାର ଯେଉଁଥିରେ ଆଗ୍ରହ ଅଛି, କେବଳ ସେତିକିନୁହେଁ, ଯେଉଁଥିରେ ତା’ର ଆଗ୍ରହ ନାହିଁ, ପିଲାକୁ ତାହା କରିବାକୁ ମଧ୍ୟ ଶିକ୍ଷା ଦେବା ଉଚିତ । ତୁମେ ପିଲାକୁ ଜୀବନ ନିମନ୍ତେ ପ୍ରସ୍ତୁତ କରୁଛି ଏବଂ, ଜୀବନରେ ସବୁ କର୍ତ୍ତବ୍ୟ କଦାପି ଆନନ୍ଦଦାୟକ ହୁଅନ୍ତି ନାହିଁ ।” ଅନ୍ୟାନ୍ୟ ସମାଜରେ ପିଲାମାନଙ୍କର ବ୍ୟକ୍ତିଗତ ଆବଶ୍ୟକତାଗୁଡ଼ିକର ପରିପୂରଣ ଦୃଷ୍ଟିରୁ ଯେପରି ଅଧ୍ୟୟନର ସାମଗ୍ରୀ, ପ୍ରକାର ତଥା ପ୍ରଣାଳୀର ବିଚାର କରାଯାଏ, ଋଷିଆର ଶିକ୍ଷା ବିଜ୍ଞାନ ତାହାର ସମର୍ଥନ କରେନାହିଁ ।

 

ରୁଷିଆର ଶିକ୍ଷାବ୍ୟବସ୍ଥାରେ ପିଲାର ବ୍ୟକ୍ତିଗତ ଆଗ୍ରହଗୁଡ଼ିକୁ ବିଦ୍ୟାଳୟରେ ନିର୍ଦ୍ଧାରିତ ହୋଇଥିବା ଶିକ୍ଷାଗତ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାର ଏକ ସାଧନ ରୂପେ ବ୍ୟବହାର କରାଯାଏ । ଲକ୍ଷ୍ୟଟି ହେଉଛି ଯେ, ପିଲା ବୈଜ୍ଞାନିକ ଜ୍ଞାନର ଏକ ବିଭାଗ ବିଷୟରେ ସୁପରିଚିତ ହେବ ଏବଂ ଦ୍ୱନ୍ଦମୂଳକ ଜଡ଼ବାଦୀ ପ୍ରକ୍ରିୟାରେ ନିଜର ପ୍ରତ୍ୟୟଗୁଡ଼ିକୁ ମଧ୍ୟ ତିଆରି କରି ନେଇପାରିବ । ପ୍ରକୃତିର ପୁସ୍ତକଟିକୁ ପାଠ କଲାବେଳେ ଆମେ ଯେ ଆଗ୍ରହୋଦ୍ଦୀପକ କେତେ ଖେଳ ଖେଳି ଦିନଟି ବିତାଇ ଦେଉଥିଲୁ, ସେକଥା ଆଦୌ ନୁହେଁ, ମାତ୍ର ଆମେ ଏପରି ଗୋଟାଏ ବାଟରେ ଆଗକୁ ଆଗକୁ ଯାଉଥିଲୁ, ଯାହାକି ଆମକୁ ନେଇ ଜ୍ଞାନଚୟର ପୃଥିବୀରେ ନେଇ ପହଞ୍ଚାଇ ଦେବ । ପ୍ରାକୃତିକ ନିୟମଗୁଡ଼ିକର ମୂଳସତ୍ୟଟି ଅଭିବ୍ୟକ୍ତ ହେଉଥିବା ପାରିପାର୍ଶ୍ୱିକ ପୃଥିବୀର ଯାବତୀୟ ଘଟଣା ବିଷୟରେ ପିଲାମାନେ ଚିନ୍ତା କରୁଥିଲେ, ପ୍ରତ୍ୟେକ ପିଲାର ବ୍ୟକ୍ତିଗତ ସନ୍ତୋଷବିଧାନ ସକାଶେ ମୁଁ ପ୍ରକୃତି-ପୁସ୍ତକରେ ରହିଥିବା ସାମଗ୍ରୀଗୁଡ଼ିକୁ ଆଦୌ କାମରେ ଲଗାଇ ନଥିଲି, ମାତ୍ର ସମସ୍ତଙ୍କର ଯେପରି ପୃଥିବୀ ସହିତ ଏକ ଦ୍ୱନ୍ଦମୂଳକ ଓ ବୈଜ୍ଞାନିକ ଧାରାରେ ପରିଚୟ ହୋଇପାରିବ, ମୁଁ ସେହି ଉଦ୍ଦେଶ୍ୟରେ ସେଗୁଡ଼ିକୁ ବ୍ୟବହାର କରୁଥିଲି । ଏହି କ୍ଷେତ୍ରରେ ପ୍ରୟୋଜନବାଦୀମାନେ “କରିବା ଦ୍ୱାରା ଶିଖିବା” ବୋଲି ଯେଉଁ ସୁବିଦିତ ଅନ୍ୟ ପ୍ରଣାଳୀଟିର ପ୍ରୟୋଗ କରିଥାଆନ୍ତି, ରୁଷିଆରେ ଅନୁସୃତ ଶିଶୁଶିକ୍ଷାର ନୀତିଗୁଡ଼ିକ ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

ରୁଷିଆର ଅନୁସୃତ ଶିକ୍ଷାନୀତିରେ ପିଲାକୁ କ୍ରିୟାଶୀଳ କରି ରଖିବାକୁ ହିଁ ଚରମ ଉଦ୍ଦେଶ୍ୟ ବୋଲି ଆଦୌ ମାନି ନିଆଯାଏ ନାହିଁ; ମାତ୍ର ପିଲାର ଶିକ୍ଷାଗତ ଓ ସାଧାରଣ ବିକାଶ ନିମନ୍ତେ ତାହାକୁ ଏକ ଉପାୟ ରୂପେ ବ୍ୟବହାର କରାଯାଏ । ଅବଶ୍ୟ ଏକଥା ସତ ଯେ, ପିଲାର ବ୍ୟକ୍ତିଗତ ଆଗ୍ରହକୁ ଜାଗ୍ରତ ନକରି ଆଦୌ କୌଣସି ଜ୍ଞାନର ବିତରଣ ସମ୍ଭବ ହୁଏନାହିଁ । ରୁଷିଆର ଶିକ୍ଷାତତ୍ତ୍ୱରେ ଆଗ୍ରହ କହିଲେ ଇସ୍କୁଲରେ ପାଠ ପଢ଼ୁଥିବା ପିଲା ଭିତରେ ବୁଦ୍ଧିଗତ ଆଲୋଚନା ଓ ଅନୁସନ୍ଧାନ ନିମନ୍ତେ ଏକ ସୃଜନଶୀଳ ଅନ୍ତର୍ବଳର ସୃଷ୍ଟି କରିବାକୁ ହିଁ ବୁଝାଇଥାଏ । ଗୋଟିଏ ପିଲା ଯେଉଁସବୁ ସତ୍ୟକୁ ନିଜର ବ୍ୟକ୍ତିଗତ ଲବ୍ଧ ସତ୍ୟରେ ପରିଣତ କରିପାରିବ, ତାହାରି ଦ୍ୱାରା ହିଁ ପାଠରେ ରହିଥିବା ତା’ର ଆଗ୍ରହ ଗଭୀର ହୋଇ ପାରିବ । ରୁଷିଆର ଶିକ୍ଷାସିଦ୍ଧାନ୍ତରେ ଆଗ୍ରହକୁ ଆଦର୍ଶ ସହିତ, ଏକ ବୈଜ୍ଞାନିକ-ପ୍ରତ୍ୟକ୍ଷବାଦୀ ଶିକ୍ଷା ସହିତ ଅବିଚ୍ଛିନ୍ନ ଭାବରେ ଯୁକ୍ତ କରି ରଖାଯାଇଥାଏ ।

 

ଆମେ ପ୍ରକୃତି-ପୁସ୍ତକରୁ ପୃଷ୍ଠା ପରେ ପୃଷ୍ଠା ପାଠ କଲୁ, – ଅଧ୍ୟୟନ କରୁଥିଲୁ ଓ ଚିନ୍ତା କରୁଥିଲୁ । ପିଲାମାନେ ଯେଉଁ ଦ୍ୱିତୀୟ ପୃଷ୍ଠାଟିକୁ ଜାଣିଲେ, ତାହାର ନାମ ଥିଲା, “ଅଜୀବନ୍ତ ପୃଥିବୀ ଜୀବନ୍ତ ପୃଥିବୀ ସହିତ ଏକାଠି ବନ୍ଧା ହୋଇ ରହିଛି” ଆମେ ସବୁଜ କୃଷିଘରଟିକୁ ଯାଇ ବଡ଼ପିଲାମାନେ କରିଥିବା କାକୁଡ଼ି, ଟମାଟୋ, ଯଅ, ଆଉ ବାଜରା ଫସଲକୁ ଦେଖୁଥିଲୁ । ସେଠାରେ ଭଙ୍ଗା ଇଟା ଉପରେ ଆମର ପରିଚିତ ସେହି ସୁନେଲି ରଙ୍ଗର ବାଲିକୁ ବିଛାଇ ଦେଇ ତା’ଉପରେ ନାନା ଫସଲର ଚାଷ କରାଯାଇଥିଲା, ଧାତୁ ଓ କାଠରେ ତିଆରି ପାତ୍ରମାନଙ୍କରେ ବାଲି ଭର୍ତ୍ତି କରାଯାଇ ତା’ଉପରେ ରାସାୟନିକ ଦ୍ରବ୍ୟଗୁଡ଼ିକୁ କିପରି ପ୍ରୟୋଗ କରାଯାଉଥିଲା, ପିଲାମାନେ ତାହା ଦେଖିବାକୁ ପାଇଥିଲେ । ଏହି ଉତ୍ସରୁ ହିଁ କାକୁଡ଼ି ଓ ଟମାଟୋମାନେ ନିଜର ଅଭିବୃଦ୍ଧି ପାଇଁ ଖାଦ୍ୟ ସଂଗ୍ରହ କରି ନେଉଥିଲେ । ନିର୍ଜୀବ ଗୋଡ଼ି ଓ ଧଳା ବାଲି ପାଣି ସହିତ କେଡ଼େ ବାଗରେ ମିଳାଇ ଯାଉଥିଲା ଓ ଏହି ସବୁକିଛି ଜୀବନ ନିମନ୍ତେ କାମରେ ଆସୁଥିବା ପରି ମନେ ହେଉଥିଲା । ପୁନଶ୍ଚ, ଯଅର ସବୁଜ କାଣ୍ଡଗୁଡ଼ିକ ବଢ଼ୁଥିବା ପାତ୍ରମାନଙ୍କର ଇଟା ଆଉ ବାଲି ବି ନଥିଲା, ଧଳା ପାଉଡ଼ରର ଏକ ବିଲୟନରୁ ତା’ର ଚେରମାନେ ଖାଦ୍ୟ ସଂଗ୍ରହ କରି ନେଉଥିଲେ-। ମାତ୍ର, ଫୁଲ ଆଉ ପାଚି ଆସୁଥିବା ଫଳଗୁଡ଼ିକୁ ମନୋଯୋଗ ସହକାରେ ଦେଖି ପିଲାମାନେ ଜାଣି ପାରିଲେ ଯେ, କେବଳ ଯେଉଁଠାରେ ପାଣି ଓ ସୂର୍ଯ୍ୟାଲୋକ ରହିଛି, ସେହିଠାରେ ହିଁ ଅଜୀବନ୍ତ ଜୀବନ୍ତ ନିମନ୍ତେ ଏକ ପରିବେଶ ରୂପେ କାର୍ଯ୍ୟ କରୁଛି । ତେଣୁ, ଆଲୋକ, ଉତ୍ତାପ ଓ ଜଳ ନ ହେଲେ, କୌଣସି ଜୀବନ ସମ୍ଭବ ହେବ ନାହିଁ । ସେଦିନ ମେଘ ଘୋରାଇଥାଏ ଏବଂ ସବୁଜ କୃଷିଘର ଭିତରେ ବିଜୁଳି ଆଲୁଅମାନ ଜଳୁଥାଏ । ବାହାରେ ଭାରି ଥଣ୍ଡା, ମାତ୍ର କୃଷିଘର ଭିତରେ ଉତ୍ତାପ - ପ୍ରଦାନକାରୀ ପାଇପ୍‍ମାନେ ବାୟୁକୁ ଗରମ କରି ରଖିଥାନ୍ତି ।

 

ମୁଁ ସେମାନଙ୍କୁ କହିଲି, “ପିଲାମାନେ, ଚାରିପାଖରେ ଯାହାକିଛି ଦେଖୁଛ, ସେଗୁଡ଼ିକୁ ଯତ୍ନର ସହିତ ଦେଖିବ ଏବଂ, ଅଜୀବନ୍ତ ବ୍ୟତୀତ ଜୀବନ୍ତ ପ୍ରକୃତରେ ସମ୍ଭବ ହୋଇପାରିବ କି ନାହିଁ, ସେ ବିଷୟରେ ଚିନ୍ତା କରିବ । ଆଗରେ ଦେଖ, ଗୋଟିଏ ବଡ଼ ପାତ୍ରରେ ବିଭିନ୍ନ ପ୍ରକାରର ରାସାୟନିକ ସାର ଥିବା ବହୁ ସାନ ସାନ ପାତ୍ର ରହିଛି । ଦେଖ, ତୁମର ବଡ଼ ସାଙ୍ଗମାନେ କିପରି ବିଭିନ୍ନ ପାତ୍ରରୁ ଧଳା, ହଳଦିଆ ଓ ପାଉଁଶିଆ ପାଉଡ଼ର ସବୁ ଦେଇ ପାଣିରେ ପକାଇ ଏକାଠି ଗୋଳି ଦେଉଛନ୍ତି । ସେମାନେ ବଗଡ଼ା ବାଲି ଆଉ ଖତମାଟି ମିଶାଇ ଉର୍ବର ମୃତ୍ତିକା ତିଆରି କରୁଛନ୍ତି । ଦେଖ, ସେଇ ମିଶ୍ରିତ ମାଟିରୁ କିପରି ଶସିଅଳ ଟମାଟୋମାନ ଫଳି ପାରୁଛି । ଗଛଟି ତା’ ପତ୍ର, ଡାଳ ଆଉ ଫଳ ନିମନ୍ତେ ଆବଶ୍ୟକ ଖାଦ୍ୟ କେଉଁଠାରୁ ପାଉଛି ? ଅଜୀବନ୍ତ ପଦାର୍ଥଗୁଡ଼ିକରୁ ହିଁ ପାଉଛି । ଅଜୀବନ୍ତ ହିଁ ଜୀବନ୍ତ ପାଇଁ ପରିବେଶ ଯୋଗାଇ ଦେଉଛି ।” ଏହି ସତ୍ୟଗୁଡ଼ିକ ପିଲାମାନଙ୍କର ଅନ୍ତର ଭିତରେ ପ୍ରକୃତିର ରହସ୍ୟଗୁଡ଼ିକ ବିଷୟରେ ବିସ୍ମୟ ଜାଗୃତ କରି ଆଣିଥିଲା-

 

ଏଠାରେ ଆରିଷ୍ଟଟଲ୍ (ଖ୍ରୀଷ୍ଟପୂର୍ବ ୩୮୪-୩୨୨)ଙ୍କର ଉକ୍ତି ବୋଲି କୁହାଯାଉଥିବା ସେହି ପୁରାତନ କଥାଟି ମନେ ପଡ଼ିଯାଉଛି ଯେ ବିସ୍ମୟ ହିଁ ଜ୍ଞାନ ପ୍ରତି ଶ୍ରଦ୍ଧାର ଜନନୀ ରୂପେ କାର୍ଯ୍ୟ କରିଥାଏ । ପ୍ରକୃତିରେ ଥିବା ରହସ୍ୟଗୁଡ଼ିକର ଉଦ୍‍ଘାଟନ ଦ୍ୱାରା ଅନ୍ତରରେ ଯେଉଁ ବିସ୍ମୟ ଜାତ ହୁଏ, ତାହା ହିଁ ଭାବନାକୁ ଏକ ନିର୍ଦ୍ଦିଷ୍ଟ ଦିଗ ଦେବାରେ ଶକ୍ତିଶାଳୀ ଉତପ୍ରେରକ ରୂପେ କାର୍ଯ୍ୟ କରିଥାଏ । କେତେ ଭିନ୍ନ ଭିନ୍ନ ପ୍ରକାରର ଉଦ୍ଭିଦ-ଟମାଟୋ, କାକୁଡ଼ି, ଯଅ-ଯେ ନାନା ରାସାୟନିକ ପଦାର୍ଥର ମିଶ୍ରଣରୁ ସମ୍ଭବ ହେଉଛି, ସେକଥା ଦେଖି ପିଲାମାନେ ମୋତେ ପ୍ରଶ୍ନବାଣରେ ବିଦ୍ଧକରି ଦେଇଥିଲେ: “ଏହି ତରଳ ମିଶ୍ରଣଗୁଡ଼ିକ ଏତେ ମୋଟା ଡାଳ ଆଉ ଏତେ ରଙ୍ଗ ଫୁଲରେ କିପରି ପରିଣତ ହୋଇଯାଇଛି ଓ ମହୁମାଛିମାନେ ଆସି ତା’ଚାରିପାଖରେ ଭଅଁଭଅଁ ହେଉଛନ୍ତି. ?” “ଜୀବନ୍ତ ବସ୍ତୁଗୁଡ଼ିକ ପ୍ରକୃତରେ କେଉଁଠାରୁ ଆସୁଛନ୍ତି ? ସୂର୍ଯ୍ୟ କ’ଣ ଏହି ଉଦ୍ଭିଦମାନଙ୍କ ପାଇଁ ସବୁଜ ଖଣ୍ଡମାନ ବୋହିନେଇ ଆସୁଛି ନା କେବଳ ଉତ୍ତାପ ଓ ଆଲୋକ ଦେଉଛି ?” “ଗୋଟିଏ ପ୍ରକାରର ମିଶ୍ରଣରୁ ସବୁଜ କାକୁଡ଼ି ଓ ନାଲିଆ ଟମାଟୋ ଦୁହେଁ କିପରି ସମ୍ଭବ ହେଉଛନ୍ତି ?” “କାକୁଡ଼ି ଓ ଟମାଟୋ ଏତେ ପାଖାପାଖି ହୋଇ ବଢ଼ୁଥିଲେ ମଧ୍ୟ ଗୋଟାଏ କାହିଁକି ଶାଗୁଆ ଓ ଆଉ ଗୋଟାଏ ଲାଲ୍ ହୋଇ ପାରୁଛି ?” “ଏହିସବୁ ହରରଙ୍ଗୀ ପାଉଡ଼ର ଭିତରେ ପ୍ରକୃତରେ କି ଦ୍ରବ୍ୟ ରହିଛି ?” “ମାଟିରେ ଖତ ମିଶାଇ ଦେଲେ ଗଛମାନେ ଶାଗୁଆ ବର୍ଣ୍ଣ କାହିଁକି ହୋଇଯାଉଛନ୍ତି ?”
 

ପିଲାର ପରବର୍ତ୍ତୀ ବୌଦ୍ଧିକ ବିକାଶ ନିମନ୍ତେ ଜୀବନ୍ତ ଓ ଅଜୀବନ୍ତ ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖିକରି ଜାଣିବା ପ୍ରକୃତରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । “ଜୀବନ୍ତ ପଦାର୍ଥମାନେ କୁଆଡ଼ୁ ଆସନ୍ତି ?” ଏବଂ “ସୂର୍ଯ୍ୟ କିପରି ଅଜୀବନ୍ତରୁ ଜୀବନ୍ତକୁ ତିଆରି କରି ଦେଉଛି-?” ଏହିସବୁ ପ୍ରଶ୍ନ ବିଷୟରେ ଚିନ୍ତା କରି ପିଲା ଜୀବନର ବୃହତ୍ ପୁସ୍ତକଟିକୁ ପଢ଼ିବା ଲାଗି ଆପଣାକୁ ପ୍ରସ୍ତୁତ କରିନିଏ ଏବଂ ଅତ୍ୟନ୍ତ ଜଟିଳ ପ୍ରକ୍ରିୟାଗୁଡ଼ିକର ରହସ୍ୟକୁ ଶିଖିବାରେ ସମର୍ଥ ହୁଏ ।

 

ପ୍ରକୃତି-ପୁସ୍ତକର ପାଠକୁ ମୁଁ ମାନସିକ ସକ୍ରିୟତା ସୃଷ୍ଟି କରିବାର ଏକ ସାଧନ ରୂପେ ଚିନ୍ତା କରୁଥିଲି । ଧାରଣା, ଛବି ଓ ପ୍ରତିରୂପ, - ଏଗୁଡ଼ିକରୁ ସକ୍ରିୟ ଭାବନାର ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ । ଶ୍ରୀଯୁକ୍ତ ଡିଷ୍ଟରଭେକ୍ ଲେଖିଥିଲେ, “ଯେଉଁ ପ୍ରଣାଳୀ ପିଲାମାନଙ୍କୁ କେବଳ ନିଷ୍କ୍ରିୟ ଭାବରେ ଦେଖିବାକୁ ହିଁ ଶିଖାଏ, ତାହା ହେଉଛି ଏକ ଦରିଦ୍ର ପ୍ରଣାଳୀ ଏବଂ, ଯାହା କିଛି ପିଲା ଭିତରେ କ୍ରିୟାଶୀଳତା ଜାଗ୍ରତ କରାଏ, ତାହା ଉତ୍ତମ ପ୍ରଣାଳୀ ।” ପ୍ରକୃତି –ପୁସ୍ତକଟିକୁ ପାଠ କରିବା ଦ୍ୱାରା ପିଲାମାନେ କେବଳ ପ୍ରକୃତିର ଚିତ୍ର ଓ ପ୍ରତିରୂପମାନ ଦେଖିବେ ନାହିଁ, ମାତ୍ର ସେମାନେ ସକ୍ରିୟ ଭାବରେ ଚିନ୍ତା କରିବାକୁ ଆରମ୍ଭ କରିବେ, ପୃଥିବୀର ମୂଳ ସିଦ୍ଧାନ୍ତଗୁଡ଼ିକୁ ଅନ୍ଦାଜ କରି ପାରିବେ ଏବଂ ବିଧିବଦ୍ଧ ଭାବରେ ବୈଜ୍ଞାନିକ ଜ୍ଞାନ ଯେପରି ହାସଲ କରିପାରିବେ, ମୁଁ ସେଥିଲାଗି ଚେଷ୍ଟା କରିଥିଲି ।

 

ସୁପରିଚିତ ରୁଷୀୟ ମନୋବିଜ୍ଞାନୀ କୋଷ୍ଟୁକ୍ ଲେଖିଛନ୍ତି, “ଶିକ୍ଷାର ପ୍ରକ୍ରିୟାଟି ପିଲାମାନଙ୍କର ବ୍ୟକ୍ତିଗତ କର୍ମଯୋଜନାର ଅନ୍ତର୍ଗତ ହୋଇ ରହିଥିଲେ ସର୍ବୋତ୍ତମ ସାମଗ୍ରୀଗୁଡ଼ିକ ହିଁ ସେମାନଙ୍କର ଚେତନା ଭିତରକୁ ପ୍ରବେଶ କରିଥାଏ ।” କେବଳ ସକ୍ରିୟ ହେବା ନିମନ୍ତେ ସକ୍ରିୟତା ନୁହେଁ, କେବଳ ବ୍ୟକ୍ତିଗତ ଆଗ୍ରହଗୁଡ଼ିକର ପରିତୋଷଣ ପାଇଁ ମଧ୍ୟ ନୁହେଁ, ମାତ୍ର ଯେଉଁ ସକ୍ରିୟତା ବୈଜ୍ଞାନିକ ଜ୍ଞାନତଥ୍ୟ ଗୁଡ଼ିକୁ ଅନାବୃତ କରି ଆଣେ, ରୁଷିଆର ଶିକ୍ଷାଶାସ୍ତ୍ରରେ ତାହା ହିଁ କ୍ରିୟାଶୀଳତା ଓ ବିଜ୍ଞାନକୁ ଏକାଠି ଯୋଡ଼ି ରଖିବାର ସାରକଥା ହୋଇ ରହିଛି ।

 

ଆମ ପ୍ରକୃତିପୁସ୍ତକର ପରବର୍ତ୍ତୀ ପୃଷ୍ଠାରେ “ପ୍ରକୃତିରେ ସବୁକିଛି ପରିବର୍ତ୍ତିତ ହୋଇ ଯାଉଥାଏ” ବୋଲି ଲେଖା ହୋଇଥିଲା । ଆମେ ଏହି ପୃଷ୍ଠାଟି ପାଖକୁ ଏକାଧିକ ବାର ଫେରି ଆସୁଥିଲୁ । ଦିନେ ଉଜ୍ଜ୍ୱଳ ଶରତର ଗୋଟିଏ ସକାଳବେଳା ପ୍ରାୟ ମଧ୍ୟାହ୍ନ ଭୋଜନ ସମୟରେ ଆମେ ବଗିଚା ଭିତରକୁ ଯାଇଥିଲୁ । ଆପଲ୍‌ ଓ ନାସପାତି ଗଛର ଡାଳଗୁଡ଼ିକ ଫଳଭାରରେ ତଳକୁ ନଇଁ ଆସିଥିଲେ । ପିଲାମାନଙ୍କୁ ମୁଁ କହିଥିଲି, “ପିଲାମାନେ, ଶୀତଦିନେ ଆମର ଏହି ବଗିଚାଟି କିଭଳି ଦେଖାଯାଉଥିଲା ଥରେ ମନେ ପକାଇଲ : ସେତେବେଳେ ସବୁ ଥୁଣ୍ଟା ହୋଇ ରହିଥିଲା, ଡାଳଗୁଡ଼ିକ ଉପରେ ବହଳ ହିମ ଓ ତୁଷାର ବସି ଯାଇଥିଲା....ମାତ୍ର ବର୍ତ୍ତମାନ ଡାଳଗୁଡ଼ିକ ଏକାବେଳେକେ ଗହଳ ସବୁଜ ବର୍ଣ୍ଣର ହୋଇ ଯାଇଛନ୍ତି ଏବଂ ଆପଲ୍ ଓ ନାସ୍ପାତିମାନେ ପୃଥିବୀର ରସରେ ଭରପୁର ହେବାରେ ଲାଗିଛନ୍ତି ।”

 

ଦୁଇମାସ ପରେ ଆମେ ପୁଣି ବଗିଚାକୁ ଗଲୁ । ସେତେବେଳେ ବଗିଚାଟି କିପରି ଦେଖାଯାଉଥିଲା ? ହଳଦିଆ ପତ୍ରମାନେ ମାଟି ଉପରେ ଗୋଟିଏ କଅଁଳ ଗାଲିଚା ପରି ବିଛାଇ ହୋଇ ରହିଥିଲେ ଏବଂ ଡାଳଗୁଡ଼ିକ ଅଧଥୁଣ୍ଟା ହୋଇ ଯାଇଥିଲେ । ଗୋଟାଏ ପୁରୁଣା, କୋରଡ଼ ହୋଇ ଯାଇଥିବା ଆପଲ୍‌ ଗଛ ଓ ଆଉ ଗୋଟିଏ ବଣୁଆ ସାନ ଆପଲ୍‍ଗଛ ପାଖାପାଖି ହୋଇ ଠିଆ ହୋଇଥାନ୍ତି । ପ୍ରଥମ ଗଛଟି ଆମ ଜେଜେବାପାମାନେ ଲଗାଇଥିଲେ । ତାହାର ଅଧେ ଡାଳ ମରି ଯାଇଥିଲେ । କେବଳ ଅଳ୍ପ କେତୋଟି ଶାଖା ଶାଗୁଆ ଥିଲା ଓ ସେଗୁଡ଼ିକରେ ଗୋଲ୍ ଗୋଲ୍ ଓ ଶସିଅଳ ଫଳମାନ ଫଳିଥିଲା । ଆଉ ଦୁଇବର୍ଷ ଗଲେ ଏହି ଗଛଟିକୁ କାଟି ଦିଆଯିବ । ମାତ୍ର, ସାନ ଗଛଟିର ନହନହକା ଡାଳରେ ଗୋଟିଏ କଅଁଳ ଗଜା ଶାଗୁଆ ହୋଇ ଆସୁଥିଲା । ଏହି ଶାଗୁଆ ଆଖିଟିକୁ ନେଇ ପିଲାମାନେ ପୁରୁଣା ଗଛଟିରେ କଲମି କରିଦେଲେ । ପରବର୍ତ୍ତୀ ବର୍ଷଗୁଡ଼ିକରେ ଏଇଟି ବି ଗୋଟିଏ ଗଛ ହେବ, ସେଥିରେ ଫୁଲ ଫୁଟିବ ଓ ସେଥିରେ ବି ସୁନାରଙ୍ଗର ଫଳଗୁଡ଼ିକ ଫଳିବାକୁ ଆରମ୍ଭ କରିବ ।

 

“ପିଲାଏ, ସାବଧାନ ହୋଇ ଚାରିପାଖକୁ ଅନାଇ ଦେଖ, - ଗୋଟାଏ ବି ଏମିତି ଗଛ ଅଛି, ଯିଏକି ସବୁବେଳେ ସେହି ଏକାପରି ହୋଇ ରହିଛି ?”

 

ଏହି ପିଲାମାନେ ନିଜ ଜୀବନରେ ଖୁବ୍ ବେଶୀ ଅଭିଜ୍ଞତା ହାସଲ କରି ନଥିଲେ ସତ, ମାତ୍ର ପିଲାଦିନରୁ ହିଁ ସେମାନେ ଶ୍ରମ ଓ ପ୍ରକୃତିର ପୃଥିବୀ ଭିତରେ ରହି ଆସିଥିଲେ ଏବଂ ଗଛମାନେ ବଢ଼ନ୍ତି, ଫୁଲ ଫୁଟାନ୍ତି ଓ ସେଗୁଡ଼ିକରେ ଫଳ ଧରେ ବୋଲି ସେମାନେ ଅବଶ୍ୟ ଜାଣିଥିଲେ । ....ସାନ ଗଜାଟିଏ କିପରି ମାଟି ଫଟାଇ ବାହାରି ଆସେ ଏବଂ ବଡ଼ ହୋଇ ସମ୍ପୂର୍ଣ୍ଣ ଗଛଟିଏ ହୋଇଯାଏ, ଆଗ ପତ୍ରଗଜା ବାହାରି କିପରି ପତ୍ରମାନେ ବି ବାହାରନ୍ତି, ପିଲାମାନେ ତାହାକୁ ବର୍ଣ୍ଣନା କରି କହୁଥିଲେ । ...ଜୀବନ୍ତ ବସ୍ତୁମାନଙ୍କର ଜଗତରେ କିପରି କ୍ଷିପ୍ର ପରିବର୍ତ୍ତନମାନ ହେଉଛି, ସେମାନେ ସେଥିରେ ବିସ୍ମିତ ହୋଇ ଯାଉଥିଲେ । ତା’ ଆଗଦିନ ଆମେ ଆର ବଗିଚାଟିକୁ ଯାଇ କଳା ପତ୍ରଗଜା ଓ ଲଣ୍ଡା ଡାଳଗୁଡ଼ିକୁ ଦେଖିଥିଲୁ । ଆଜି ପୁଣି ବଡ଼ିସକାଳୁ ସେଠାକୁ ଗଲୁ ଏବଂ ଆମ ଆଗରେ ଗୋଟିଏ ନୂଆ ଚିତ୍ର ଦେଖିବାକୁ ପାଇଲୁ : ଡାଳରେ ଗୋଲାପୀ ରଙ୍ଗର ସାନ ସାନ ଫୁଲମାନ ବାହାରି ଆସୁଥିଲା...ଏଡ଼େ ଶୀଘ୍ର ଏକାବେଳେକେ ରାତିକ ଭିତରେ କଢ଼ଗୁଡ଼ିକ ଫୁଟିଗଲେ କିପରି ଓ ଗଛମାନେ କେଡ଼େ ଶୀଘ୍ର ଫୁଲରେ ଭର୍ତ୍ତି ହୋଇଗଲେ ? ଡାଳ କାଟି ନେଲାବେଳେ ଗଛମାନଙ୍କୁ ଆଘାତ ଲାଗୁନଥିବ ? ଗଛମାନେ ବୁଢ଼ା ହୋଇ ମରିଯାଆନ୍ତି କାହିଁକି ? ପିଲାମାନଙ୍କୁ ଉତ୍ତରମାନ ଦେଇ ପାରିବା ଲାଗି ପ୍ରଶ୍ନଗୁଡ଼ିକ ବିଷୟରେ ମୋତେ ଢେର୍ ଚିନ୍ତା କରିବାକୁ ପଡ଼ିଥିଲା । ମାତ୍ର, ଉତ୍ତରଗୁଡ଼ିକ ପୁନର୍ବାର ଆହୁରି ନୂଆ କେତେ କେତେ ପ୍ରଶ୍ନକୁ ଉନ୍ମେଷିତ କରି ଆଣିଲେ ।

 

ପୋଖରୀ କୂଳରେ, ପାହାଡ଼ ଅତଡ଼ାଟିର ତଳେ, ବୁଦା ଭର୍ତ୍ତି ହୋଇଥିବା ଜଙ୍ଗଲ ଭିତରେ ଏବଂ ଖେତରେ ବସି ଆମେ ପ୍ରକୃତି-ପୁସ୍ତକର ଏହି ଅଧ୍ୟାୟଟିକୁ ପଢ଼ିଥିଲୁ । କୁନି କୁନି ବେଙ୍ଗ ଜାଆଁଳ ପଲ ପଲ ହୋଇ ପହଁରିବାରେ ଲାଗିଥାନ୍ତି । ଏଗୁଡ଼ିକ ଦିନେ ବଡ଼ ବେଙ୍ଗରେ ପରିଣତ ହେବେ ବୋଲି ପିଲାମାନେ ଜାଣିଥିଲେ । ମାତ୍ର, ଏହି ଘଟଣାଟି କିପରି ଘଟିବ ? ମାଛବାକ୍ସ ଭିତରେ ସବୁଠାରୁ ସାନ ମାଛକୁ ମଧ୍ୟ ମାଛ ବୋଲି ଚିହ୍ନି ହେଉଛି, ମାତ୍ର ବେଙ୍ଗଫୁଲାରୁ ବାହାରିବା ପରେ ବେଙ୍ଗଛୁଆଟି କାହିଁକି ମୋଟେ ବେଙ୍ଗପରି ଦିଶୁନାହିଁ ? କୋଠଖେତର ଚାଷୀମାନେ ରେଶମ ପୋକମାନଙ୍କୁ କିପରି ଖାଦ୍ୟ ଖାଇବାକୁ ଦେଉଥିଲେ, ଆମେ ସେକଥା ମଧ୍ୟ ଦେଖିଲୁ । ଏକାବେଳେକେ ପୋସ୍ତ ଆକାରରେ ସାନ ଡିମ୍ବଗୁଡ଼ିକରୁ ଏହି ସାନ ପୋକଗୁଡ଼ିକ ବାହାରୁଥିଲେ ଓ ରାକ୍ଷସ ପରି ଖାଇବାରେ ଲାଗି ଯାଉଥିଲେ । ସେମାନେ କାହିଁକି ତୁତଗଛର ପତର ହି ଖାଆନ୍ତି ? ରେଶମପୋକଟି ବଢ଼ି ନିଜ ମୂଳ ଆକାରର କେତେ ନା କେତେ ଗୁଣ ବଡ଼ ହୋଇଯାଏ, ସତେଅବା ପୁରୁଣା ଚମଟାକୁ ଦେହରୁ ଖସାଇ ଦିଏ, – ଏପରି କାହିଁକି ହୁଏ ? ପୋକଟି ନିଜ ଚାରିପାଖରେ ରେଶମ ଖୋସାଟିଏ ତିଆରି କରିଦିଏ ଏବଂ ସେହି ସୁନାଘରଟି ଭିତରେ ନିଜେ ଲୁଚି ରହିଥାଏ, – ସେଇଟି ଭିତରେ ପ୍ରକୃତରେ କ’ଣ ସବୁ ଘଟଣା ଘଟେ ? ଆମେ କେତୋଟି ଖୋସାକୁ ନେଇ ଝରକାରେ ରଖିଲୁ । କେତେ ସମୟ ପରେ ସେଥିରୁ ବଡ଼ ଓ କେଡ଼େ ସୁନ୍ଦର ପ୍ରଜାପତିମାନେ ବାହାରି ଆସିବାର ଦେଖିଲୁ । ପ୍ରଜାପତିମାନେ ଅଣ୍ଡା ଦେଲେ, ଏବଂ ପୁଣି ସେହି ପ୍ରକ୍ରିୟାଟି ଆରମ୍ଭ ହୋଇଗଲା । ଏହି ପୋକଗୁଡ଼ିକ ଏଡ଼େ କଅଁଳ ରେଶମ ତନ୍ତୁଗୁଡ଼ିକୁ କିପରି ତିଆରି କରୁଥିଲେ ? ଖୋସା ତିଆରି କରିବା ପୂର୍ବରୁ ସେମାନେ ଏତେ ପରିମାଣରେ ତୁତପତ୍ର ବି କାହିଁକି ଖାଉଥିଲେ ?

 

ପିଲାମାନଙ୍କର ଯାବତୀୟ କ୍ରିୟାଶୀଳତା ପ୍ରକୃତି ବିଷୟରେ ଏକ କ୍ରିୟାଶୀଳ ଜ୍ଞାନଲାଭ ସହିତ ଯେତିକି ଅଧିକ ପରିମାଣରେ ଯୋଡ଼ା ହୋଇ ରହିଥାଏ, ଭାବନାର ବସ୍ତୁଗୁଡ଼ିକ ସେତିକି ଅଧିକ ଗଭୀର ଭାବରେ ପାରିପାର୍ଶ୍ୱିକ ପୃଥିବୀ ମଧ୍ୟରେ ଦୃଷ୍ଟିଗୋଚର ହୋଇ ଆସୁଥାଏ । ମାସ ମାସ ଧରି ପିଲାମାନେ ଚତୁଷ୍ପାଶ୍ୱର୍ରେ ଥିବା ପ୍ରାକୃତିକ ସତ୍ୟଗୁଡ଼ିକୁ ଅଧିକରୁ ଅଧିକ ପରିମାଣରେ ଦେଖିଥିଲେ; ଆଗରୁ ସେଗୁଡ଼ିକ ପ୍ରତି ସେମାନେ କୌଣସି ଦୃଷ୍ଟି ଦେଇନଥିଲେ । ତେଣୁ, ଜୀବନର ଏପରି ଅନେକ ନମୁନା ସହିତ ସେମାନଙ୍କର ସାକ୍ଷାତ ହୋଇଗଲା, ସେମାନେ ଆଗରୁ ପରିଚିତ ଥିବା ସଂସାରଟି ସହିତ ଯେଉଁଗୁଡ଼ିକର କି କୌଣସି ମେଳ ନଥିଲା : ନିଜ ଘରେ ମାଟି ତଳେ ରହିଥିବା ଅନ୍ଧାରୁଆ ଓ ସନ୍ତସନ୍ତିଆ ଖାଦ୍ୟସଞ୍ଚୟ ଭଣ୍ଡାରରେ ସେମାନେ ଆଳୁର ଧଳା ଧଳା ଆଖି ଦେଖିବାକୁ ପାଇଥିଲେ । ଏଗୁଡ଼ିକ କ’ଣ ଭବିଷ୍ୟତରେ ଚେରରେ ପରିଣତ ହୋଇଯିବ ? ଗଛମାନଙ୍କର ଗଣ୍ଡି ଉପରେ ସୂର୍ଯ୍ୟକିରଣ ନପଡ଼ୁଥିବା ଉତ୍ତର ପାଖଟିରେ ଶିଉଳି ବସି ଯାଉଥିଲା । ସେହି ଶିଉଳି କ’ଣ ପାଇଁ ସୂର୍ଯ୍ୟଠାରୁ ଆପଣାକୁ ଲୁଚାଇ ରଖୁଥିଲା ? ଶିଉଳିର କୌଣସି ମଞ୍ଜି ନାହିଁ କାହିଁକି ? ତେବେ ତାହାର ବଂଶବୃଦ୍ଧି କିପରି ହେଉଛି ? ସବୁ ଉଦ୍ଭିଦରେ ଫୁଲ ହେଉଛି, ଶିଉଳିରେ କାହିଁକି ହେଉନାହିଁ ? ଶିଉଳି ତାହାହେଲେ କେଉଁ ପ୍ରକାର ଉଦ୍ଭିଦ ?

 

ପ୍ରକୃତି-ପୁସ୍ତକରୁ କେତୋଟି ଧାଡ଼ି ପଢ଼ି ପିଲାମାନଙ୍କର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, କେବଳ ଜୀବନ୍ତ ବସ୍ତୁଗୁଡ଼ିକରେ ହିଁ ପରିବର୍ତ୍ତନ ହେଉଥିଲା । ଆମେ ନଦୀକୂଳକୁ ଯାଇଥିଲୁ । ପିଲାମାନେ ସେଠାରେ ପଡ଼ିଥିବା ଧୂସର ବର୍ଣ୍ଣର ପଥରଗୁଡ଼ିକୁ ପରୀକ୍ଷା କରି ଦେଖିଲେ । ସେଗୁଡ଼ିକରେ ସାନ ସାନ ଫାଟ ହୋଇ ଯାଇଥିଲା । ସାନ ସାନ ପଥରଖଣ୍ଡମାନ ପିଲାମାନଙ୍କର ହାତଭିତରେ ଚିପି ହୋଇ ଚୁନା ହୋଇ ଯାଉଥିଲା । ସେଥିରୁ ପ୍ରମାଣ ମିଳିଗଲା ଯେ, ପଥରମାନେ ମଧ୍ୟ ଚିରକାଳ ପାଇଁ ପଥର ହୋଇ ରହୁନଥିଲେ । କେତେମାସ ପୂର୍ବରୁ ପିଲାମାନେ ଏକଥା କହିଥିବାର ମନେ ପକାଇଲେ : “ବାହାରେ ସୂର୍ଯ୍ୟାଲୋକରେ ହେଉ ଅଥବା ମାଟିତଳ ଭଣ୍ଡାରଘରେ ଅନ୍ଧାର ଭିତରେ ହେଉ, ପଥର ପଥର ହିଁ ରହିବ ।” ପଥରମାନେ ଦିନରେ ଉତ୍ତପ୍ତ ହୋଇଯାଆନ୍ତି ଓ ରାତିକୁ ଥଣ୍ଡା ହୋଇ ଯାଆନ୍ତି । ସେଗୁଡ଼ିକରେ ଫାଟଫାଟ ହୋଇଯାଏ, ଫାଟ ଭିତରେ ପାଣି ଯାଇ ପଶେ । ମନେ ହେଉଛି ପଥରମାନେ ମଧ୍ୟ ଚିରନ୍ତନ ନୁହଁନ୍ତି ।

 

“ପ୍ରକୃତିରେ ରହିଥିବା ସବୁକିଛି ବଦଳିଯାଏ,” – ଏହି କଥାଟିରୁ ଲବ୍ଧ ଅଭିଜ୍ଞତାଗୁଡ଼ିକୁ ଭାବି ଓ ବିଶ୍ଳେଷଣ କରି ମୋ’ର ପ୍ରତ୍ୟୟ ହୋଇଗଲା ଯେ, ପିଲା ସିଏ ଆଗରୁ ଲକ୍ଷ୍ୟ କରି ନଥିବା ଦୈନନ୍ଦିନ ଜୀବନର ଯେତେ ଯେତେ ଅଧିକ ଦେଖେ ଓ ଅଧିକ ନିୟମର ଆବିଷ୍କାର କରିବାରେ ଲାଗିଥାଏ, ସିଏ ସେତିକି ଅଧିକ ଜାଣିବା ଲାଗି ଇଚ୍ଛା କଲେ, ପାରିପାର୍ଶ୍ୱିକ ପୃଥିବୀ ବିଷୟରେ ତା’ର ଇନ୍ଦ୍ରିୟମାନେ ସେତିକି ଅଧିକ ଗ୍ରହଣଶୀଳ ହୁଅନ୍ତି ଏବଂ ଇନ୍ଦ୍ରିୟଗୁଡ଼ିକ ସେତିକି ଅନ୍ତରଙ୍ଗ ଭାବରେ ଭାବନାର ପ୍ରକ୍ରିୟାଗୁଡ଼ିକ ସହିତ ସଂଲଗ୍ନ ହୋଇ ରହନ୍ତି । ରୁଷୀୟ ନୃତତ୍ତ୍ୱବିତ୍ ନେସ୍ତୁର୍ଖ୍‍ଙ୍କର ରଚନାରେ ଗୋଟିଏ କଥା ରହିଛି, ଯାହାକି ମୋ ମତରେ, ଗୋଟିଏ ପିଲା ଭିତରେ ହେଉଥିବା ମାନସିକ ବିକାଶର ପ୍ରକ୍ରିୟାଗୁଡ଼ିକୁ ବୁଝିବା ନିମନ୍ତେ ଅସଲ ଓ ଯଥାର୍ଥ ଚାବିଟିକୁ ଆଣି ହାତରେ ଦେଇ ଯାଉଛି : ଶୈଶବ କାଳରେ ଗୋଟିଏ ଶିଶୁ ଅବ୍ୟାହତ ଭାବରେ ନୂତନ ତଥ୍ୟାବଳୀର ପ୍ରବାହଟି ଆଡ଼କୁ ଉନ୍ମୁକ୍ତ ହୋଇ ରହିଥିବାରୁ ଠିକ୍ ସେହି ସମୟରେ ହିଁ ମନୁଷ୍ୟଜୀବନରେ ଜ୍ଞାନ ଲାଗି ଏକ ଉତ୍ତରୋତ୍ତର ଉଦ୍ୟମ ଏବଂ ସାମର୍ଥ୍ୟ ସମ୍ଭବ ହୋଇଥାଏ ।

 

ତଥ୍ୟର ପ୍ରବାହ ଅବାଧ ଭାବରେ ଲାଗି ରହିଥିବ, – ମାନସିକ ବିକାଶ ନିମନ୍ତେ ତାହା ହେଉଛି ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆବଶ୍ୟକତା । ସେହି ସମୟରେ ପ୍ରକୃତିରେ କ’ଣ ଘଟେ ଯେ, କୌଣସି ଏକ କାରଣରୁ ସେହି ପ୍ରବାହଟି କ୍ରମଶଃ କ୍ଷୀଣ ହୋଇଯାଏ ଏବଂ ସେଇଟିକୁ ଆଉ ପ୍ରଶସ୍ତ କରି ହୁଏନାହିଁ ? ଗୋଟିଏ ପିଲା ନିଜେ ଯାହାକିଛି ଦେଖୁଥାଏ, ତାହାକୁ ତଥାପି ଏକ ତଥ୍ୟର ପ୍ରବାହ ବୋଲି କହି ହେବନାହିଁ । ପିଲାର ଶିକ୍ଷା ପାଇଁ ଏକାନ୍ତ ପ୍ରୟୋଜନ ଯେ, ବଡ଼ମାନେ ପାରିପାର୍ଶ୍ୱିକ ପୃଥିବୀ ବିଷୟରେ ସେମାନଙ୍କର ଜ୍ଞାନକୁ ପିଲା ଭିତରକୁ ସଞ୍ଚାରିତ କରି ଦେଉଥିବେ ଏବଂ ସେମାନଙ୍କର ଭାବନାଚୟରେ ରହିଥିବା ଶକ୍ତି କ୍ରମେ ପିଲାକୁ ସ୍ପର୍ଶ କରୁଥିବା ତଥ୍ୟ ପ୍ରବାହଟିକୁ ମଧ୍ୟ ପରିପୁଷ୍ଟ କରିବାରେ ଲାଗିଥିବ ।

 

ଜନ୍ମ ସମୟରୁ ସିଏ ସ୍କୁଲକୁ ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାର ଘର ଓ ପରିବେଶକୁ ମୁଁ ଅତ୍ୟନ୍ତ ମନୋଯୋଗ ସହିତ ଅଧ୍ୟୟନ କରିଥିଲି । ସେଥିରୁ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ସାଧାରଣ ସତ୍ୟମାନ ଉପଲବ୍ଧ ହୋଇ ଆସିଥିଲା । ସ୍କୁଲରେ ପ୍ରବେଶ କରିବା ପୂର୍ବର ବର୍ଷଗୁଡ଼ିକରେ ଯଦି ପିଲାଟିକୁ କେବଳ ନିଜ ମରଜି ଭିତରେ ଛାଡ଼ି ଦିଆଯାଉଥିଲା, ଏକ ସୁସ୍ଥ ମାନବିକ ପରିବେଶ ସମ୍ଭବ କରି ରଖିବା ନିମନ୍ତେ ସର୍ବାଦୌଆବଶ୍ୟକ ସେହି ତଥ୍ୟ ପ୍ରବାହଟିକୁ ସ୍ପଷ୍ଟ କରିବାରେ ଯଦି ବଡ଼ମାନେ ସମର୍ଥ ହେଉନଥିଲେ, ତେବେ ପିଲାଟିର ମସ୍ତିଷ୍କ କ୍ରମେ ଅକ୍ରିୟ ଓ ଜଡ଼ବତ୍ ହୋଇ ଆସୁଥିଲା : ଜିଜ୍ଞାସା ଏବଂ କୌତୂହଳ ମରିଯାଉଥିଲେ ଏବଂ ଉଦାସୀନତା ବୃଦ୍ଧି ପାଉଥିଲା । ଏହିସବୁ ପରିସ୍ଥିତିରେ, ଗୋଟିଏ ଶିଶୁର ବୌଦ୍ଧିକ ବିକାଶକୁ ନିରୂପିତ କରୁଥିବା ଜ୍ଞାନ ନିମନ୍ତେ ଉତ୍ତରୋତ୍ତର ପିପାସା ଓ ଚିନ୍ତା କରିବା ନିମନ୍ତେ ଆବଶ୍ୟକ ମହତ୍ତ୍ୱପୂର୍ଣ୍ଣ ଶକ୍ତିଟି ମଧ୍ୟ ଏକ ବୃହତ୍ ମାତ୍ରାରେ ଆସି ଦୃଷ୍ଟିଗୋଚର ହେଉଥିଲା । ପେଟ୍ରିକ୍ ତା’ପିଲାଦିନେ ନିଜ ଉପରେ ହିଁ ନିର୍ଭର କରୁଥିଲା । ତା’ମାଆ ଓ ଜେଜେବାପା ସକାଳୁ କାମ କରିବାକୁ ଚାଲିଯାଉଥିଲେ ଏବଂ ଏହି କୁନିପିଲାଟି ଘରେ ଏକୁଟିଆ ରହୁଥିଲା । ସିଏ ଖଳାଘରେ ଯାଇ ରହୁଥିଲା ଅଥବା ଚାରିପଟେ ବାଡ଼ ଦିଆ ହୋଇଥିବା ଦୁଆରର ଘାସ ପଡ଼ିଆଟି ଉପରେ ବୁଲୁଥିଲା । ସିଏ କେମିତି ଅଛି ବୋଲି ଜଣେ ପ୍ରତିବେଶୀ ମଝିରେ ମଝିରେ ଆସି ଆଖି ପକାଇ ଯାଉଥିଲେ । ପେଟ୍ରିକ୍ ଦୁଇରୁ ପାଞ୍ଚବର୍ଷ ଯାଏ ଏହିପରି ଭାବରେ “ପ୍ରତିପାଳିତ” ହେଲା । ଏହାକୁ ପରିବାବାଡ଼ିର ପ୍ରତିପାଳନ ବୋଲି କୁହାଯିବ । ପିଲାଟିର ଖାଇବା, ପିଇବା ଠିକ୍ ଥିଲା, ଦେହରେ ଯଥେଷ୍ଟ ପରିଧାନ ରହିଥିଲା, ଗୋଡ଼ରେ ଜୋତା ବି ଥିଲା; ମାତ୍ର, ଯାହା ସବୁଠାରୁ ଅଧିକ ଆବଶ୍ୟକ ସେହି ମାନବୀୟ ପରିବେଶଟିର ହିଁ ଅଭାବ ରହିଥିଲା । ପାଞ୍ଚବର୍ଷ ହେଲା ପରେ ପେଟ୍ରିକ୍ ଅନ୍ୟ ପିଲାଙ୍କ ସହିତ ଖେଳିଲା, ଅଧିକାଂଶ ପିଲା ତା’ର ସମବୟସୀ ଥିଲେ, ସେ ରାସ୍ତାରେ ଆସି ଖେଳିପାରିଲା । ସ୍କୁଲକୁ ଆସିବା ସମୟରେ ସିଏ ତା ମାତୃଭାଷାର ସରଳତମ ଶବ୍ଦଗୁଡ଼ିକର ଅର୍ଥ ମଧ୍ୟ ଜାଣି ନଥିଲା । ତା’ ମୁହଁରେ ଉଦାସୀନ ଭାବ, ଚାରିପାଖରେ ରହିଥିବା ବସ୍ତୁଗୁଡ଼ିକର ଉପେକ୍ଷା, – ଏସବୁ ଦେଖି ସିଏ ମୋତେ ସତେଅବା କୁନି ବୁଢ଼ାଟିଏ ପରି ମନେ ହୋଇଥିଲା । ଅର୍ଥାତ୍, ଭାବନାର ଜୀବନ୍ତ ଉପାଦାନଟି, ତା’ମସ୍ତିଷ୍କରେ ଥିବା ସହାୟକ କୋଷଗୁଡ଼ିକ ଅକ୍ରିୟ ହୋଇ ଯାଇଥିଲେ, କାରଣ ତା’ର ସ୍ନାୟୁସମ୍ପଦଟି ବିକଶିତ ହେବାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାଳରେ, ମସ୍ତିଷ୍କର ଶୈଶବ ସମୟରେ, ପିଲାଟି ପାରିପାର୍ଶ୍ୱିକ ପୃଥିବୀରୁ ଆସୁଥିବା ଯାବତୀୟ ସମାଚାର-ପ୍ରବାହରୁ ବଞ୍ଚିତ ହୋଇ ରହିଥିଲା । ତେଣୁ ପ୍ରକୃତି–ପୁସ୍ତକର ପଠନ ଏହି ସାନ ପିଲାଟିର ଶିକ୍ଷଣକ୍ଷେତ୍ରରେ ଏକ ବୃହତ୍ ଭୂମିକା ଗ୍ରହଣ କରିବାର ଏକାନ୍ତ ଆବଶ୍ୟକତା ରହିଥିଲା ।

 

ଆମେ ପ୍ରକୃତି ପୁସ୍ତକର ପରବର୍ତ୍ତୀ ପୃଷ୍ଠା “ଜୀବନର ବୀଜ” ପାଖକୁ ଆସିଥିଲୁ । ଶରତ ସମୟରେ ପିଲାମାନେ ନାସ୍ପାତି, ଆପଲ୍, ପୀଚ୍ ଏବଂ ପ୍ଲମ୍ ପ୍ରଭୃତି ଫଳର ମଞ୍ଜି ସଂଗ୍ରହ କରିଥିଲେ-। ସେଗୁଡ଼ିକୁ ସ୍କୁଲ ବଗିଚାରେ ଲଗାଇବାର କଥା ଥିଲା । ମଞ୍ଜିରୁ ଯେ ଗଛ ହୁଏ, ଏକଥା ସେମାନେ ନିଜ ଅଭିଜ୍ଞତାରୁ ଜାଣିଥିଲେ । ଯେତେବେଳେ ବସନ୍ତ ଓ ଗ୍ରୀଷ୍ମ ସମୟରେ ଚତୁର୍ଦ୍ଦିଗର ଭୂମି ଜୀବନରେ ଭରପୂର ହୋଇ ରହିଥିଲା, ଜଙ୍ଗଲ ଓ ତୋଟାମାନଙ୍କରେ ଗଛରେ ମଞ୍ଜି ସବୁ ପାକଳ ହେଉଥିଲେ ଏବଂ ବୃକ୍ଷଜାତିଟିର ବଂଶବୃଦ୍ଧି ହେଉଥିଲା । ଦିନେ ଆମେ ଭ୍ରମଣରେ ବାହାରିଗଲୁ । ବସନ୍ତ ପବନ ପପ୍ଲାର୍ ପ୍ରଭୃତି ଗଛରୁ ସାନ ସାନ ଧଳା ବର୍ଣ୍ଣର ଖୋସାଗୁଡ଼ିକୁ ଉଡ଼ାଇ ନେଇ ଯାଉଥିଲା । ପିଲାମାନେ ସେହି ଖୋସା ଭିତରୁ ସାନ ସାନ ମଞ୍ଜିଗୁଡ଼ିକୁ ପାଇଗଲେ । ଏହି ମଞ୍ଜିଗୁଡ଼ିକ ବିଷୟରେ ପ୍ରକୃତି କେତେ ଶ୍ରମ କରିଛି ବୋଲି ଭାବି ସେମାନେ ବିସ୍ମିତ ହୋଇଗଲେ: ଖୋସାଗୁଡ଼ିକ ଆସି ଶୁଖିଲା ମାଟି ଉପରେ ପଡ଼ିଥିଲା, ମାତ୍ର ଜଳୀୟ ଅଂଶ ମିଳିଯିବା ମାତ୍ରକେ ସେଗୁଡ଼ିକ ମାଟିରେ ଲାଖି ଯାଇଥିଲେ, ଏବଂ ସାନ ମଞ୍ଜିଟିରୁ ଗଜା ବାହାରିଲା । ପିଲାମାନେ ପ୍ରବଳ ଆଗ୍ରହରେ ପ୍ରକୃତି-ପୁସ୍ତକର ପ୍ରତ୍ୟେକଟି ଧାଡ଼ିକୁ ପଢ଼ୁଥିଲେ । ସେମାନେ ଦେଖି ପାରୁଥିଲେ, ମଞ୍ଜିଗୁଡ଼ିକ କିପରି ଗଛମାନଙ୍କରୁ “ତୀର ପରି ଛୁଟି” ଯାଉଥିଲେ ଏବଂ ଜୀବନଧାରୀ । ସେହି ବୀଜମାନେ ଚତୁର୍ଦ୍ଦିଗକୁ ବିକ୍ଷିପ୍ତ ହୋଇ ଯାଇଥିଲେ; ଯେଉଁ ମଞ୍ଜିଗୁଡ଼ିକ ଅନ୍ୟମାନଙ୍କ ଅପେକ୍ଷା ଚଞ୍ଚଳ ପାକଳ ହୋଇ ଯାଉଥିଲେ ସେମାନେ ପବନରେ ଦୋଳି ଖେଳୁଥିବା ଫୁଲଗୁଡ଼ିକରେ ଥୋପା ଭିତରୁ “ସାନ ସାନ ଝରକା” ଦେଇ ବାହାରକୁ ଉଡ଼ି ଯାଉଥିଲେ । ମଞ୍ଜିମାନେ ଯେଉଁସବୁ ନଖ, ପଞ୍ଛା ବା “ଲୁହାଖିଲ” ଗୁଡ଼ିକ ସାହାଯ୍ୟରେ ମଣିଷମାନଙ୍କର ଲୁଗାରେ ବା କୌଣସି ପଶୁଦେହର ରୁମ ଉପରେ ଆସି ଲାଗି ଯାଉଥିଲେ, ଆମେ ସେଗୁଡ଼ିକୁ ଯବକାଚ ଦେଇ ପରୀକ୍ଷା ପରି ଦେଖୁଥିଲୁ । ଆମେ କେତେ ପ୍ରକାରର ମଞ୍ଜି ସଂଗ୍ରହ କରିଥିଲୁ । ସାନ ମଞ୍ଜିଟିରୁ ଗୋଟାଏ ଏତେବଡ଼ ଗଛ କିପରି ସମ୍ଭବ ହେଉଛି, ପିଲାମାନେ ସେହି ବିଷୟରେ ଚିନ୍ତା କରୁଥିଲେ । ଏହି ମଞ୍ଜିମାନଙ୍କର ଜୀବନ ଅଛି ନା ନାହିଁ ? ଶୀତକାଳରେ ପିଲାମାନେ ସେହି ପୃଷ୍ଠାଟିର ଆଗ୍ରହୋଦ୍ଦ୍ୱୀପକ ଧାଡ଼ିଗୁଡ଼ିକୁ ପାଠ କରିଥିଲେ: କେତେକ ଗଛ ଅଛନ୍ତି, ଯେଉଁମାନଙ୍କର ମଞ୍ଜି ବରଫ ଉପରେ ଝଡ଼ିପଡ଼େ ଏବ ଗଜା ହେବା ପୂର୍ବରୁ ସେମାନଙ୍କୁ ଏକାଧିକ ସପ୍ତାହ ପାଇଁ ସେହି ବରଫରେ ହିଁ ରହିବାକୁ ପଡ଼େ ।

 

ଜ୍ଞାନର ଆହରଣ ପାଇଁ ପିଲାମାନେ ଯେତିକି ଅଧିକ ପ୍ରଗାଢ଼ ଭାବରେ ଚେଷ୍ଟା କରନ୍ତି, ନିଜର କାର୍ଯ୍ୟରେ ମଧ୍ୟ ସେମାନେ ସେତିକି ଅଧିକ ଆଗ୍ରହ ଦେଖାଇଥାନ୍ତି, ଏବଂ କାର୍ଯ୍ୟଟିର ଅନୁସନ୍ଧାନମୂଳକ ଦିଗଟି ସେତିକି ଅଧିକ ଗଭୀର ଭାବରେ ଉଦ୍‌ଘାଟିତ ହୋଇଯାଇଥାଏ । ଚତୁଷ୍ପାଶ୍ୱର୍ର ପୃଥିବୀରୁ ଆସୁଥିବା ଘଟଣା ପ୍ରବାହଟି ଜ୍ଞାନର ପ୍ରାପ୍ତି ଲାଗି ଏକ ବିଶେଷ ଭାବରେ ଶକ୍ତିଶାଳୀ ଉତପ୍ରେରକ ରୂପେ କାର୍ଯ୍ୟ କରୁଥାନ୍ତି, କାରଣ ସେତେବେଳେ ହାତଗୁଡ଼ିକ ମଧ୍ୟ ଭାବୁଥିବା ବ୍ୟକ୍ତିଟିକୁ ସାହାଯ୍ୟ କରନ୍ତି, ଶ୍ରମର ପ୍ରକ୍ରିୟା ଭିତରେ ରହିଥିବା ସମୟରେ ତାକୁ ସଚଳ କରି ଦେଇଥିବା ଗୋଟିଏ ପ୍ରଶ୍ନର ଉତ୍ତରକୁ ସେ ପାଇବାକୁ ଚେଷ୍ଟା କରୁଥାଏ, ସିଏ ଏକ ପ୍ରହେଳିକାର ସମାଧାନ ଖୋଜୁଥାଏ । ସେତେବେଳେ ତା’ପାଇଁ ଅନୁମାନ ହୋଇ ରହିଥିବା କଥାଟିର ପ୍ରକୃତ ସତ୍ୟଟିକୁ ସେ ନିର୍ଦ୍ଧାରଣ କରିବାକୁ ଇଚ୍ଛା କରୁଥାଏ । ଯେଉଁ ପିଲା ଶ୍ରମ ଭିତରେ ପ୍ରବିଷ୍ଟ ହୋଇ ସାରିଛି, ସିଏ ଆଦୌ ବାଧ୍ୟ ହୋଇ ନୁହେଁ, ମାତ୍ର ଯଥାର୍ଥ ଇଚ୍ଛା ଦ୍ୱାରା ଉଦ୍‍ବୁଦ୍ଧ ହୋଇ ହିଁ ଭାବିବାରେ ପ୍ରବୃତ୍ତ ହୋଇଥାଏ । ଆବିଷ୍କାର କରିବାର ବାସନାରୁ ହିଁ ଶ୍ରମଲାଗି ଗୋଟିଏ ପିଲାର ଅଭିଳାଷଟି ଉନ୍ମେଷିତ ହୋଇ ଆସିଥାଏ । ଯଦି ସେହି ଅଭିଳାଷଟିର ବିକାଶ ସାଧନ ହୋଇପାରେ, ତେବେ ପିଲା ଭିତରେ ଶ୍ରମ କରିବାର ଇଚ୍ଛାଟି ମଧ୍ୟ ଦୃଢ଼ତର ହୋଇଥାଏ । ଶିକ୍ଷାର ସିଦ୍ଧାନ୍ତରେ ଯାହାକୁ ଶ୍ରମ ପ୍ରତି ଶ୍ରଦ୍ଧା ବୋଲି କୁହାଯାଇଛି, ସେଇଟି କୌତୂହଳ, ଜିଜ୍ଞାସା ଏବଂ ଜଣେ ମନୁଷ୍ୟ ଭାବରେ ପିଲା ଭିତରେ ରହିଥିବା ସମ୍ମାନବୋଧ ଦ୍ୱାରା ଏକତ୍ର ପ୍ରକଟ ହୋଇ ଆସେ ।

 

ପ୍ରକୃତି-ପୁସ୍ତକର ଗୋଟିଏ ଅତ୍ୟନ୍ତ ଉତ୍ସାହଦାୟକ ପୃଷ୍ଠାରେ “ସୂର୍ଯ୍ୟ, ଜୀବନର ଉତ୍ସ” ବିଷୟଟିକୁ ପାଠ କଲାବେଳେ ତଦ୍ଦ୍ୱାରା ପିଲାମାନଙ୍କର ଚେତନା ତଥା ସଂବେଗମୟ ସ୍ମୃତିଗୁଡ଼ିକ ଉପରେ ଗଭୀର ଛାପ ପଡ଼ିଥିଲା । ଏକ ପ୍ରକମ୍ପିତ ଗ୍ରୀଷ୍ମଦିନରେ ଆମେ କ୍ଷେତକୁ ଗଲୁ, ବଗିଚା ଓ ଅଙ୍ଗୁରବାରିକୁ ମଧ୍ୟ ଯାଇଥିଲୁ । କିଆରୀଭର୍ତ୍ତି ଗହମ ଆଉ ସୂର୍ଯ୍ୟମୂଖୀ ଫୁଲ, ପେନ୍ଥା ପେନ୍ଥା ଅଙ୍ଗୁର, ସୁନାରଙ୍ଗର ନାସ୍‍ପାତି ଓ ପାଚି ଲାଲ୍ ପଡ଼ି ଆସୁଥିବା ଟମାଟୋ,–ଆମ ଆଗରେ ବିସ୍ତୀର୍ଣ୍ଣ ହୋଇ ରହିଥିଲେ । ଉର୍ବରତାର ଏହିସବୁ ଅବଦାନ ଭିତରେ ପିଲାମାନେ ସୂର୍ଯ୍ୟର ଆଲୋକ ଏବଂ ଉଷୁମକୁ ସ୍ପଷ୍ଟ ଦେଖି ପାରୁଥିଲେ । ସୂର୍ଯ୍ୟ ସକାଶେ ହିଁ ତ ମଣିଷର ଆବଶ୍ୟକ ସବୁଯାକ ଦ୍ରବ୍ୟ ତାକୁ ପୃଥିବୀ ପାଖରୁ ମିଳିଯାଇଥିଲା । ବହୁସଂଖ୍ୟକ ପର୍ଯ୍ୟବେକ୍ଷଣ, ତୁଳନା ଏବଂ କାର୍ଯ୍ୟକାରଣ–ସମ୍ବନ୍ଧର ନିରୂପଣ ଦ୍ୱାରା ଆମେ ଯେଉଁ ଉପସଂହାରରେ ଆସି ପହଞ୍ଚିଥିଲୁ, ତାହା ପିଲାମାନଙ୍କର ବିସ୍ମୟକୁ ଜାଗରୂକ କରି ଆଣିଲା ଏବଂ ସେହି ବିସ୍ମୟ ସେମାନଙ୍କ ଭାବନାର ଦ୍ରୁତ ଧାବନ ନିମନ୍ତେ ନୂତନ ଉତପ୍ରେରକମାନ ଯୋଗାଇ ଦେଇଥିଲା । ପିଲାମାନେ ସେମାନଙ୍କର ଚତୁର୍ଦ୍ଦିଗର ପୃଥିବୀକୁ ପରୀକ୍ଷା କରି ଦେଖିଥିଲେ ଏବଂ ଯାବତୀୟ ବସ୍ତୁର ଉତ୍ପତ୍ତି ବିଷୟରେ ଚିନ୍ତା କରିଥିଲେ । ସୂର୍ଯ୍ୟ ଯେ ଯାବତୀୟ ଜୀବନର ଏକମାତ୍ର ଅସଲ କାରଣ, ସେହି ବିଷୟରେ ଦୃଢ଼ ପ୍ରତ୍ୟୟ ହୋଇଯିବା ପରେ ସେମାନଙ୍କର ବିସ୍ମୟ ଅଧିକ ଗଭୀର ହୋଇ ଯାଇଥିଲା ।

 

ପାଉଁରୁଟି, ଆଳୁ ଓ ସୂର୍ଯ୍ୟମୁଖୀ ଫୁଲ, – ସୂର୍ଯ୍ୟ ନଥିଲେ ଏମାନେ କେହି ହେଲେ ନଥାନ୍ତେ । ମାଂସ, କ୍ଷୀର ଓ ଲହୁଣି ମଧ୍ୟ ନଥାନ୍ତା, କାରଣ ସୂର୍ଯ୍ୟର ଆଲୋକ ଏବଂ ଉତ୍ତାପ ସକାଶେ ହିଁ ତ ପୃଥିବୀରେ ଉଦ୍ଭିଦ ସମ୍ଭବ ହେଉଛି ଏବଂ ପଶୁମାନେ ସେହି ଉଦ୍ଭିଦକୁ ଖାଇ ବଞ୍ଚୁଛନ୍ତି । ଅତ୍ୟନ୍ତ ବିସ୍ମୟ ସହିତ ପିଲାମାନେ ପଚାରିଲେ, “ସୂର୍ଯ୍ୟ କ’ଣ” ? ଆମ ପାଖକୁ ପଠାଉଥିବା ଉତ୍ତାପକୁ ସୂର୍ଯ୍ୟ କେଉଁଠାରୁ ପାଉଛି ? ଶୀତଦିନେ କାହିଁକି ସେ ପୃଥିବୀକୁ କମ୍ ଉତ୍ତାପ ଦେଉଛି ? ଯଦି ସୂର୍ଯ୍ୟ ଦିନେ ନିଭିଯିବ, ତେବେ କ’ଣ ହେବ ?”

 

ପ୍ରକୃତି-ପୁସ୍ତକଟିକୁ ପଢ଼ୁଥିବା ସମୟରେ ଯେଉଁସବୁ ପ୍ରଶ୍ନ ଉତ୍‍ଥାପିତ ହୋଇ ଆସିଥିଲା, ତାହା ହିଁ ଉଚ୍ଚତର ଜ୍ଞାନ ଆଡ଼କୁ ଭାବନାକୁ ଉଦ୍ଧାବିତ କରିନେବାକୁ ଆରମ୍ଭ କଲା । ସେହି ଜ୍ଞାନଟିର ସାହାଯ୍ୟରେ ହିଁ ପିଲାମାନେ ଆଉ କେତେ ବର୍ଷ ମଧ୍ୟରେ ଜୀବନର ଜଟିଳ ରହସ୍ୟଗୁଡ଼ିକର ଉଦ୍ଘାଟନ କରିପାରିବେ । ପୂର୍ଣ୍ଣ ଜିଜ୍ଞାସା ସହିତ ଅନୁସନ୍ଧାନ କରି ପିଲାଏ ସତ୍ୟର ଯେପରି ଆବିଷ୍କାର କରିପାରିବେ, ମୁଁ ସେଇଥି ଲାଗି ହିଁ ପ୍ରୟାସ କରୁଥିଲି । ତାହା ହେଲେ, ସତ୍ୟ ସେମାନଙ୍କ ପାଇଁ ଆଉ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଏପରି ଏକ ତଥ୍ୟ ବା ସିଦ୍ଧାନ୍ତ ହୋଇ ଆଦୌ ରହିବ ନାହିଁ, ଯାହାକୁ କି ସେମାନଙ୍କର ଶିକ୍ଷକମାନେ ଗୋଟିଏ ଥାଳୀରେ ବାଢ଼ି ଦେଇ ସେମାନଙ୍କ ଆଗରେ ଆଣି ଥୋଇ ଦେଉଥିବେ । ସତ୍ୟ ସେମାନଙ୍କ ଚାରିପାଖରେ ଥିବା ଏହି ପୃଥିବୀର ହିଁ ଏକ ସ୍ପଷ୍ଟ ଚିତ୍ର ହୋଇ ରହିବ ଓ ସେମାନେ ଉଦ୍ଦାମତା ସହିତ ସ୍ପନ୍ଦିତ ହେଉଥିବା ହୃଦୟଗୁଡ଼ିକ ଦ୍ୱାରା ସେଗୁଡ଼ିକୁ ପ୍ରତ୍ୟକ୍ଷ କରୁଥିବେ । ଯଦି ଏକ ଆବିଷ୍କାର ଗୋଟିଏ ଶିଶୁକୁ ଉତ୍‍ସ୍ପନ୍ଦିତ କରିପାରିଲା, ତେବେ ଆବିଷ୍କୃତ ସତ୍ୟଟି ତା’ପାଇଁ ଏକ ବ୍ୟକ୍ତିଗତ ବିଶ୍ୱାସରେ ପରିଣତ ହୋଇଯିବ ଏବଂ ସାରା ଜୀବନ ତା’ ସହିତ ରହିବ । ବୁଦ୍ଧି ଦ୍ୱାରା ସମ୍ବଳିତ ଅନୁଭବ, ଲବ୍ଧ ଜ୍ଞାନ ଜନିତ ଆନନ୍ଦାନୁଭୂତି, ବିରାଟ ପ୍ରକୃତି ତଥା ତାହାର ବିଧାନଗୁଡ଼ିକର ଶୃଙ୍ଖଳା ସମ୍ମୁଖରେ ବିସ୍ମୟ ପ୍ରକାଶ, ନିର୍ଭରଯୋଗ୍ୟ ସ୍ମୃତିଶକ୍ତି ନିମନ୍ତେ ଆମେ ଏହିଗୁଡ଼ିକୁ ହିଁ ଅସଲ ଉତ୍ସ ବୋଲି ମାନିବା ।

 

କେତେକ ପିଲାଙ୍କର ସ୍ମୃତିଶକ୍ତିର ବିକାଶ ଏବଂ ସଂବଳନ ନିମନ୍ତେ ଏହି ବୃଦ୍ଧି ଦ୍ୱାରା ଉଦ୍ଦୀପିତ ଅନୁଭବଶକ୍ତିକୁ ଜାଗୃତ କରି ଆଣିବାକୁ ହିଁ ମୁଁ ପ୍ରଧାନ ଉପାୟ ବୋଲି ଜାଣିଲି । ଭାଲ୍ୟାର ସ୍ମୃତିଶକ୍ତି ସେତେ ସବଳ ନଥିଲା ; ସବୁକଥା ତା’ର ଗୋଟାଏ କାନରେ ପଶି ଆର କାନ ବାଟେ ବାହାରି ଯାଉଥିଲା । ଚତୁର୍ଦ୍ଦିଗରେ ରହିଥିବା ପୃଥିବୀର ଚିତ୍ରଗୁଡ଼ିକୁ ଦେଖି ସେହି ଝିଅଟିର ହୃଦୟ କିପରି ବିସ୍ମୟ ଦ୍ୱାରା ସବଳ ହୋଇଉଠିବ, ମୋତେ ସେହି ପ୍ରୟାସଟି କରିବାକୁ ହେଲା । ଆମେ କ୍ଷେତ, ଜଙ୍ଗଲ, ନଦୀକୂଳ, ବଗିଚା ଓ ମହୁମାଛି କେନ୍ଦ୍ରକୁ ଏକାଧିକ ଦିନ ବୁଲିଯାଉଥିଲୁ ଓ ପ୍ରକୃତି–ପୁସ୍ତକରୁ “ପ୍ରତ୍ୟେକ ଜୀବ ତା’ ପରିପାଶ୍ୱର୍ଗୁଡ଼ିକ ସହିତ ନିଜକୁ ଅନୁକୂଳିତ କରିବାରେ ଲାଗିଥାଏ” ଶୀର୍ଷକ ପୃଷ୍ଠାଟିକୁ ପାଠ କରୁଥିଲୁ । ପାଗ ଗରମ ହେଲେ କେତେ ଫୁଲ ବୁଜି ହୋଇ ଯାଆନ୍ତି ଓ ସନ୍ଧ୍ୟା ଆଡ଼କୁ ଶୀତଳ ଲାଗିଲେ ପୁଣି ପାଖୁଡ଼ା ଖୋଲନ୍ତି ବୋଲି ମୁଁ ପିଲାମାନଙ୍କୁ କହିଥିଲି । ବସନ୍ତ ଋତୁରେ ଧଳା ଫୁଲ ଫୁଟୁଥିବା ଗୋଟିଏ କଅଁଳ ଗଛ କିପରି ତୀର ପରି ଭୂଇଁ ଉପରେ ପଡ଼ିଥିବା ପତ୍ରର ମୋଟା ସ୍ତରକୁ ଭେଦ କରି ଉପରକୁ ଉଠି ଆସେ, ମହୁମାଛିମାନେ କିପରି ଫେଣା ତିଆରି କରି ତା’ର କୋଠରୀଗୁଡ଼ିକୁ ମହୁରେ ଭରି ଦିଅନ୍ତି, ଆର୍ଦ୍ରତା ପାଇବା ନିମନ୍ତେ ଅଙ୍ଗୁରଗଛର ଚେରମାନେ କିପରି ଭୂଇଁର ତିନିମିଟର ଗଭୀର ପର୍ଯ୍ୟନ୍ତ ଚାଲିଯାଇଥାଆନ୍ତି ଏବଂ ଉଇଲୋଗଛର ଡାଳମାନେ କିପରି ତଳେ ମାଟିରେ ପଡ଼ି ଚେର ଧରିଯାଆନ୍ତି ଓ ଆଉଗୋଟିଏ ଗଛରେ ପରିଣତ ହୁଅନ୍ତି, ମୁଁ ପିଲାମାନଙ୍କୁ ସେସବୁ ଦେଖାଇ ଦେଉଥିଲି । ...ଏହିସବୁ କଥାକୁ ପ୍ରଥମ ଥର ପାଇଁ ଶୁଣି ସାନ ଝିଅଟି କେଡ଼େ ଖୁସୀ ଓ ଆଶ୍ଚର୍ଯ୍ୟ ହୋଇ ଯାଉଥିଲା । ତା ‘ଆଖି ଭିତରେ ରହିଥିବା ଉଦାସୀନତା ଦୂର ହୋଇଗଲା ଏବଂ ତା’ ଜାଗାରେ ଏକ ଜୀବନ୍ତ ବ୍ୟକ୍ତିଗତ ଆଗ୍ରହ ଜନ୍ମଲାଭ କରିଥିଲା । ସାଧାରଣତଃ ଚୁପ୍ ହୋଇ ରହୁଥିବା ଭାଲ୍ୟା କଥା କହିବାକୁ ଆରମ୍ଭ କଲା ଓ ପଚାରିଲା : “କିନ୍ତୁ ମହୁମାଛି ତା’ଘରକୁ ଫେରି ଆସିବା ଲାଗି କିପରି ବାଟ ପାଇଯାଏ ? ତା’ର ମହୁଫେଣାକୁ କିପରି ଖୋଜିପାଏ ? ଭୂଇଁରେ ବରଫ ପଡ଼ି ରହିଥିବା ସମୟରେ ଫୁଟୁଥିବାରୁ ସେହି ଧଳାଫୁଲଟିକୁ ଥଣ୍ଡା ଲାଗେ ନାହିଁ ?” ଯେଉଁଠାରେ ପ୍ରଶ୍ନ ରହିଥାଏ, ସେଠାରେ ଭାବନା ମଧ୍ୟ ରହିଥାଏ ; ଏବଂ, ଭାବନା ରହିଥିଲେ ତେଣେ ସ୍ମୃତିଶକ୍ତି ମଧ୍ୟ ପାରିପାର୍ଶ୍ୱିକ ପୃଥିବୀ ଓ ପ୍ରକୃତିର ନିୟମଗୁଡ଼ିକୁ ଛବି ପରି ସାଇତି ରଖିପାରେ ।

 

ପ୍ରକୃତି-ପୁସ୍ତକର ଏହି ପୃଷ୍ଠାଗୁଡ଼ିକ ଆମେ ଗୋଟିକ ପରେ ଗୋଟିଏ ପାଠ କରିଥିଲୁ: “ଉଦ୍ଭିଦ ଓ ପ୍ରାଣୀଜଗତ”, “ଗୋଟିଏ ଜଳବିନ୍ଦୁ କିପରି ଗତି କରୁଥାଏ”, “ମଣିଷ ପ୍ରକୃତିର ଶକ୍ତିକୁ କାମରେ ଲଗାଏ”, “ବସନ୍ତ ଆସିଲେ ପ୍ରକୃତିର ନିଦ ଭାଙ୍ଗିଯାଏ”, “ଗ୍ରୀଷ୍ମକାଳର ଦୀର୍ଘତମ ଦିନ”, “ଜଙ୍ଗଲ, କ୍ଷେତ ଏବଂ ପଡ଼ିଆରେ ବସନ୍ତଋତୁରେ ଫୁଟୁଥିବା ଫୁଲମାନେ”, “ଗ୍ରୀଷ୍ମକାଳର ଫୁଲମାନେ”, “କଇଁଫୁଲ ଓ ଭାଓଲେଟ୍ ଫୁଲ”, “ଶରତୠତୁର କନ୍ୟା-ସେବତୀ”, “ପୋଖରୀର ପ୍ରାଣୀମାନେ”, “ଅଦିନ ଗ୍ରୀଷ୍ମର ଶେଷଦିନଗୁଡ଼ିକ”, “ପ୍ରକୃତି ଶୀତଋତୁ ପାଇଁ ଅପେକ୍ଷା କରିଥାଏ”, “ଶୀତଋତୁର ପ୍ରଥମ ସକାଳ”, “ଶୀତ-ଅରଣ୍ୟରେ ପକ୍ଷୀ ଜୀବନ”, “ଗହମର କେଣ୍ଡାଗୁଡ଼ିକ”, “ପକ୍ଷୀ ପରିବାରର ଜୀବନ”, “ଚାତକମାନେ ନିଜର ବସା ତିଆରି କରନ୍ତି”, “ଆଉ ଟିକିଏ ପରେ ଝଡ଼ ହେବ”, “ଶରତ ଋତୁରେ ବର୍ଷାପାଗ”, “ମଝିଶୀତରେ ଫୁଲମାନଙ୍କର ପୃଥିବୀ”, “ଜଙ୍ଗଲ ତା’ଆଦ୍ରତାର ସୁରକ୍ଷା କରିଥାଏ”, “ବଗମାନେ ଆସି ପହଞ୍ଚିଲେଣି”, “ଶୀତଆସିବାରୁ ପକ୍ଷୀଦଳ ଦକ୍ଷିଣଆଡ଼େ ଉଡ଼ିଯିବାକୁ ପ୍ରସ୍ତୁତ ହେଲେଣି”, “ଗ୍ରୀଷ୍ମକାଳରେ ଅସରାଏ ବର୍ଷା ପରେ ସୂର୍ଯ୍ୟ”, “ନଈ ଉପରେ ଇନ୍ଦ୍ରଧନୁ ପଡ଼ିଛି”, “ଶୀତ ଓ ବସନ୍ତ ଋତୁର ଫସଲ”, “ସୂର୍ଯ୍ୟମୁଖୀମାନେ ଫୁଟିଲେଣି”, “ଆକାଶର ତାରା”, “ମାଟି ଭିତରର ଜୀବନ”, “ସବୁଜ ପତ୍ର – ସୂର୍ଯ୍ୟରଶ୍ମିର ଏକ ଭଣ୍ଡାର”, “ଛତୁ ଓ ଶିଉଳି”, “ଓକ୍ ଗଛ କିପରି ମଞ୍ଜିରୁ ବାହାରି ଏଡ଼େ ବଡ଼ ହୁଏ”, – ଏବଂ ଆହୁରି କେତେ କ’ଣ ।

 

ଡିଷ୍ଟରଭେକ୍ ଲେଖିଥିଲେ, “ଅପାରଗ ଗୁରୁ ସତ୍ୟଗୁଡ଼ିକୁ ଆଣି ରଖିଦିଏ, ଜଣେ ଉତ୍ତମ ଶିକ୍ଷକ ସତ୍ୟକୁ ଖୋଜି ପାଇବାର ବାଟ ଦେଖାଇଦିଏ ।” ଆମ ସମୟରେ ପାରିପାର୍ଶ୍ୱିକ ପୃଥିବୀର ସତ୍ୟଗୁଡ଼ିକୁ ଜାଣିବାର ଅନୁସନ୍ଧାନମୂଳକ ପଦ୍ଧିତିଟି ଏକ ବିଶେଷ ତାତ୍ପର୍ଯ୍ୟ ବହନ କରିଥିଲା । ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା ଯେ, ପିଲାମାନଙ୍କର ଭାବନା ପଦ୍ଧତି ଅନୁସନ୍ଧାନ ତଥା ଅନ୍ୱେଷଣ ଉପରେ ହିଁ ଆଧାରିତ ହୋଇ ରହିବ, ଯେପରିକି ବୈଜ୍ଞାନିକ ସତ୍ୟଗୁଡ଼ିକର ଉପଲବ୍ଧି ସବାଆଗ ରହି ସତ୍ୟ ଓ ତଥ୍ୟଗୁଡ଼ିକର ସଂଗ୍ରହ, ବିଶ୍ଳେଷଣ, ତୁଳନା ଏବଂ ପାର୍ଥକ୍ୟ-ନିରୂପଣକୁ ପରିଚାଳିତ କରିପାରୁଥିବ । ପ୍ରକୃତି ମଧ୍ୟରେ ରହିଥିବା ଘଟଣା ଏବଂ ଚିତ୍ରଗୁଡ଼ିକର ପର୍ଯ୍ୟବେକ୍ଷଣ କରିବା ଦ୍ୱାରା ପିଲା ନିଜ ଭାବନାର ରୂପ ତଥା ପ୍ରକ୍ରିୟାଗୁଡ଼ିକ ଉପରେ କର୍ତ୍ତୃତ୍ୱ ଅର୍ଜନ କରିବ ଓ ନିଜର ବୁଝିବାଟିକୁ ମଧ୍ୟ ଅଧିକ ସମୃଦ୍ଧ କରୁଥିବ । ତା’ର ଜାଗରୂକ ଆଖି ଯାହାକିଛି ଉପରେ ପଡ଼ୁଥିବ, ସେଗୁଡ଼ିକ ମଧ୍ୟରେ କାର୍ଯ୍ୟକାରୀ ହୋଇ ରହିଥିବା କାର୍ଯ୍ୟକାରଣଗତ ସମ୍ବନ୍ଧଗୁଡ଼ିକୁ ସେ ବସ୍ତୁତଃ ସମ୍ପୂର୍ଣ୍ଣ ଭାବରେ ଭାବୁଥିବ ଓ ତାହାରି ଦ୍ୱାରା ଉପକୃତ ହେବାରେ ଲାଗିଥିବ । ଅଭିଜ୍ଞତାରୁ ମୋ’ର ବିଶ୍ୱାସ ହୋଇଯାଇଥିଲା ଯେ, ପ୍ରକୃତି-ପୁସ୍ତକଟିକୁ ପାଠ କରିବା ସମୟରେ ପିଲମାନଙ୍କର ଭାବନାରେ କେତୋଟି ତାତ୍ପର୍ଯ୍ୟପୂର୍ଣ୍ଣ ବିଶେଷ ଲକ୍ଷଣ ରହିଛି ବୋଲି ବାରି ହୋଇ ପଡ଼ୁଥିଲା : ଆପଣାର ଗୁଢ଼ ବୋଧଶକ୍ତି ଗୁଡ଼ିକୁ କାମରେ ଲଗାଉ ଲଗାଉ ପିଲାମାନେ ସେହି ବୋଧଗୁଡ଼ିକ ଆଧାରିତ ହୋଇ ରହିଥିବା ଧାରଣା, ପ୍ରତିରୂପ ଏବଂ ଚିତ୍ରଗୁଡ଼ିକୁ ନେଇ ଗମ୍ଭୀର ଭାବରେ ସଂଶ୍ଳିଷ୍ଟ ହୋଇ ରହିଥିଲେ ।

 

ନିଜ ଶୈଶବର ବର୍ଷମାନଙ୍କରେ ପ୍ରକୃତି-ପୁସ୍ତକଟିକୁ ପାଠ କରିଥିବା ମୋ’ର ଏହି ପିଲାମାନେ ଯେତେବେଳେ କିଶୋର ଅବସ୍ଥାରେ ଏବଂ ତା’ପରେ ଯୌବନରେ ଆସି ପହଞ୍ଚିଥିଲେ, ସେତେବେଳେ ସେମାନଙ୍କର ସାଧାରଣ ବୃଦ୍ଧିଗତ ବିକାଶରେ ପାରିପାର୍ଶ୍ୱିକ ପୃଥିବୀ ସହିତ ଘଟିଥିବା ସକ୍ରିୟ ପରିଚିତଟି କିପରି ସେମାନଙ୍କର ବୌଦ୍ଧିକ ଶ୍ରମ ଏବଂ ବହୁମୁଖୀ ବୌଦ୍ଧିକ ଆଗ୍ରହଗୁଡ଼ିକ ଉପରେ ପ୍ରତିଫଳିତ ହୋଇପାରୁଛି, ତାହା ଜାଣିବା ପାଇଁ ମୁଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲି । ମୋ’ର ଦୃଢ଼ ପ୍ରତ୍ୟୟ ହୋଇଯାଇଥିଲା ଯେ, ମୋ’ଛାତ୍ରମାନଙ୍କର ବୌଦ୍ଧିକ ଜୀବନଗୁଡ଼ିକ ସେମାନଙ୍କର ଜିଜ୍ଞାସାଶକ୍ତି ଦ୍ୱାରା ହିଁ ବିଶେଷ ଭାବରେ ଅଲଗା ବୋଲି ଚିହ୍ନି ହୋଇ ଯାଉଥିଲା । ସେମାନଙ୍କର ଯାବତୀୟ କାର୍ଯ୍ୟକଳାପରେ ସେମାନଙ୍କର ଚତୁର୍ଦ୍ଦିଗରେ ରହିଥିବା ସବୁକିଛି ସେମାନଙ୍କର ଅନୁଭବ ଏବଂ ଭାବନାଗୁଡ଼ିକୁ ଅନୁସଂଯୋଜିତ କରି ରଖିଥିଲା । କିଶୋର ଏବଂ ପ୍ରଥମ ଯୌବନ ବେଳର ବର୍ଷଗୁଡ଼ିକରେ ମୋ ଛାତ୍ରମାନଙ୍କର ମାନସିକ ଜୀବନରେ ଗୋଟିଏ ବିଶେଷ କଥା ବାରିହୋଇ ପଡ଼ୁଥିଲା ଯେ, ସେମାନେ ପ୍ରକୃତିର ବସ୍ତୁ ତଥା ଘଟଣାଗୁଡ଼ିକ ମଧ୍ୟରେ ରହିଥିବା ପରସ୍ପର-ସମ୍ବନ୍ଧିତତାଟିକୁ ଦେଖି ପାରୁଥିଲେ । ବହି ଭିତରେ ସେମାନଙ୍କୁ ଯାହାକିଛି ଅସ୍ପଷ୍ଟ ବା ଅବୋଧ୍ୟ ବୋଲି ମନେ ହେଉଥିଲା, ସେମାନେ ସେହି ଗୁଡ଼ିକ ବିଷୟରେ ପ୍ରକୃତ ସତ୍ୟକୁ ଖୋଜି ବାହାର କରିବାର ଚେଷ୍ଟା କରୁଥିଲେ । ପୁସ୍ତକମାନେ ସେମାନଙ୍କ ପାଇଁ ଜ୍ଞାନର ଉତ୍ସରେ ପରିଣତ ହୋଇ ଯାଇଥିଲେ ଏବଂ ସେମାନଙ୍କର ଆତ୍ମିକ ଜୀବନ ନିମନ୍ତେ ସେଗୁଡ଼ିକର ଆବଶ୍ୟକତା ମଧ୍ୟ ରହିଥିଲା ।

Image

 

Unknown

ବସ୍ତୁମାନଙ୍କ ଜଗତରୁ ସମାଜକୁ-ପ୍ରତ୍ୟେକ
ଦ୍ରବ୍ୟ କେଉଁଠାରୁ ଆସୁଥିଲା ?

 

ଜଣେ ମନୁଷ୍ୟର ଶିକ୍ଷା ଲାଗି ପ୍ରକୃତି ପ୍ରାଚୁର୍ଯ୍ୟର ଏକ ଉତ୍ସ ହୋଇ ରହିଥାଏ ସତ, ମାତ୍ର ସେହି ପ୍ରକୃତିକୁ ବୁଝିବାକୁ ଆରମ୍ଭ କରିବାରୁ ହିଁ ମନ, ଅନୁଭୂତିସକଳ, ଯାବତୀୟ ଦୃଷ୍ଟିକୋଣ ତଥା ପ୍ରତ୍ୟୟଗୁଡ଼ିକର ନିର୍ମାଣ ଆରମ୍ଭ ହୋଇଥାଏ । ଜଣେ ମନୁଷ୍ୟ ସମାଜରେ ବାସ କରୁଥାଏ ଏବଂ ସିଏ ଅନ୍ୟ ମନୁଷ୍ୟମାନଙ୍କ ସହିତ ଯେଉଁସବୁ ସମ୍ବନ୍ଧ ଦ୍ୱାରା ବାନ୍ଧି ହୋଇ ରହିଥାଏ, ମର୍ମତଃ ସେହିଗୁଡ଼ିକ ଅନୁସାରେ ହିଁ ତା’ର ଜୀବନ ଏକ ନିର୍ଦ୍ଦିଷ୍ଟ ଆକାର ଧାରଣ କରିଥାଏ । ଯେଉଁ ଚାରୋଟି ବର୍ଷ ପିଲାମାନେ ପ୍ରାଥମିକ ବିଦ୍ୟାଳୟର ସ୍ତରରେ ରହିଥିଲେ, ସେହି ସମୁଦାୟ ଅବଧିଟିରେ ମୁଁ ସେମାନଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ସତ୍ୟ ବିଷୟରେ ଚିନ୍ତା କରିବାକୁ ଶିଖାଇଥିଲି : ଜଣେ ମନୁଷ୍ୟର ପାର୍ଥିବ ତଥା ଆତ୍ମିକ ଆବଶ୍ୟକତାଗୁଡ଼ିକୁ ପୂରଣ କରୁଥିବା ଶହ ଶହ, ଏପରିକି ହଜାର ହଜାର ଅନ୍ୟ ମନୁଷ୍ୟ ଅଛନ୍ତି ବୋଲି ସିଏ ଜୀବନଧାରଣ କରିପାରୁଛି । ଶତ ଶତ ତଥା ସହସ୍ର ସହସ୍ର ଅନ୍ୟ ମନୁଷ୍ୟଙ୍କ ନିମିତ୍ତ ପାର୍ଥିବ ଏବଂ ଆତ୍ମିକ ମୂଲ୍ୟଗୁଡ଼ିକୁ ସୃଷ୍ଟି କରିବା ବ୍ୟତୀତ ଆମେ ସମାଜରେ କଦାପି ବଞ୍ଚି ରହି ପାରିବା ନାହିଁ । ସମାଜରେ ଚାଲିଥିବା ଶ୍ରମ ଏବଂ ପାରସ୍ପରିକ ସମ୍ବନ୍ଧର ପ୍ରକ୍ରିୟାଟି ମଧ୍ୟରେ ହିଁ ଜଣେ ବ୍ୟକ୍ତିର ନୈତିକ ପରିଚୟଟି ଆକାର ଲାଭ କରିଥାଏ, ତା’ଜୀବନର ଆତ୍ମିକ ମୂଲ୍ୟଗୁଡ଼ିକ ମଧ୍ୟ ସମ୍ଭବ ହୁଏ । ତେଣୁ ଜାଗତିକ ଏବଂ ଆତ୍ମିକ ସମ୍ପଦଗୁଡ଼ିକୁ ସୃଷ୍ଟି କରିବାର ମାଧ୍ୟମରେ ଯେ ଆମ ସମାଜରେ ବ୍ୟକ୍ତିଗତ, ପାରସ୍ପରିକ ସମ୍ବନ୍ଧ ଏବଂ ଜଣେ ନାଗରିକର ସମାଜଗତ ପରିଚୟଟି ଜନ୍ମଲାଭ କରିଥାଏ, ପିଲାମାନଙ୍କୁ ସେହି କଥାଟି ବୁଝିବାରେ ଓ ଅନୁଭବ କରିବାରେ ସମର୍ଥ କରାଇ ଆଣିବା ହେଉଛି ଜଣେ ଶିକ୍ଷକର ଶିକ୍ଷାଦାନରେ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ।

 

ବହୁ ଅଭିଜ୍ଞତାରୁ ମୋ’ର ବିଶ୍ୱାସ ହୋଇଗଲା ଯେ, ବସ୍ତୁଗୁଡିକ ବିଷୟରେ ସବୁକଥା ବୁଝିବାର ମାଧ୍ୟମରେ ଅର୍ଥାତ୍, ବସ୍ତୁଗୁଡ଼ିକ କେଉଁଠାରୁ ଆସୁଛି, ତାହାର ସତ୍ୟଟିକୁ ଜାଣିବା ଦ୍ୱାରା ହିଁ ପିଲା ସମାଜଗତ ସମ୍ବନ୍ଧଗୁଡ଼ିକୁ ବୁଝିବା ଲାଗି ସମର୍ଥ ହୋଇଥାଏ ।

 

ଆମେ ବିଦ୍ୟାଳୟର ଭୋଜନଶାଳାରେ ମଧ୍ୟାହ୍ନ ଭୋଜନ କଲୁ ଏବଂ ନିଜ ନିଜ ବାସନ ଧୋଇଲୁ । ପିଲାଏ, ଅପେକ୍ଷା କର, ଭୋଜନଶାଳାରୁ ବାହାରକୁ ଚାଲି ଯାଅନାହିଁ । ଚାଲ ଏଠି ଆଉ ଅଧଘଣ୍ଟେ ବସିବା । ଆଜି ଆମେ ଯେଉଁସବୁ ପଦାର୍ଥ ବ୍ୟବହାର କଲୁ, ସେଗୁଡ଼ିକ କେଉଁଠାରୁ ଆସୁଛି, ଚାଲ ସେହି ବିଷୟରେ ଚିନ୍ତା କରିବା । ଆଜି ସେମାନେ ଆମକୁ ଯାହାସବୁ ଜିନିଷ ଖାଇବାକୁ ଦେଲେ, ସେଗୁଡ଼ିକ କେଉଁଠାରୁ ଆସୁଛି ? ପିଲାମାନେ ଖାଇଥିବା ଗୋଟିଏ ଗୋଟିଏ ଜିନିଷର - ପାଉଁରୁଟି, ମାଂସ, ଆଳୁ, କ୍ଷୀର, ଲହୁଣୀ, ଅଣ୍ଡା,...... ନାମ କହିବାକୁ ଆରମ୍ଭ କଲେ । ଯେଉଁ ଚୁଲିରେ ଖାଦ୍ୟ ରନ୍ଧା ହୋଇଥିଲା, ତାହା ଅଳ୍ପଦିନ ତଳେ ନୂଆ ଇଟାରେ ତିଆରି ହୋଇଥିଲା-। ଚୁଲିରେ ଯେଉଁ କୋଇଲା ଗଳୁଥିଲା, ତାହା ଖଣିମାନଙ୍କରୁ ଆସୁଥିଲା । ଆମେ ବସିଥିବା ଚଉକୀ ଓ ଟେବୁଲ୍ ସବୁ ଧାତୁ ଏବଂ ପ୍ଲାଷ୍ଟିକରେ ତିଆରି ହୋଇଥିଲା ।

 

“ସବୁ ଜିନିଷର ନାମ କହିଦେଲେ ?” –ମୁଁ ପଚାରିଲି ।

 

ପିଲାଏ “ହଁ” ବୋଲି ଉତ୍ତର ଦେଲେ ।

 

“ମନ ଦେଇ ଦେଖ । ଆଉ ଗୋଟିଏ କଥା ତୁମେମାନେ ଏପର୍ଯ୍ୟନ୍ତ ଦେଖିନାହିଁ ।” ଘରକୋଣରେ ଥିବା ଶୀତଳ-ଆଲମିରା ବିଜୁଳିଶକ୍ତି ନହେଲେ ଆଦୌ ଚାଲନ୍ତା ନାହିଁ । କାନ୍ଥଗୁଡ଼ିକ ଉପରେ ବିଜୁଳିବତୀମାନ ଲାଗିଥିଲେ । ଏସବୁ ଉପରେ ପିଲାମାନଙ୍କର ନଜର ପଡ଼ିବ କି ନାହିଁ କେଜାଣି ?

 

ହଁ, ନଜର ପଡ଼ିଲା । ସେମାନେ ବୁଝିଗଲେ ଯେ, ବିଜୁଳିଶକ୍ତି ନଥିଲେ ଘରେ ରହିବା ଏବଂ ସ୍କୁଲରେ ପାଠ ପଢ଼ିବା ମଧ୍ୟ କଷ୍ଟକର ହୁଅନ୍ତା ।

 

ଏହିସବୁ ଯେଉଁ ଜିନିଷ ନଥିଲେ ଆମେ ଚଳିପାରନ୍ତୁ ନାହିଁ, ଏସବୁ କେଉଁଠୁ ଆସୁଛି ? ଏହି ପ୍ରଶ୍ନଟି ସହିତ ସମାଜଗତ ଉତ୍ପାଦନ ଏବଂ ଶ୍ରମସମ୍ବନ୍ଧଗତ ପୃଥିବୀଟି ମଧ୍ୟକୁ ଆମର “ଭ୍ରମଣ” ଗୁଡ଼ିକ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ପହୁଣ୍ଡରେ ହିଁ ଆମେ ନୂଆ ନୂଆ ଆବିଷ୍କାରମାନ କରି ପାରୁଥିଲୁ । ଏହିପରି ଭାବରେ ପିଲାମାନଙ୍କର ଶ୍ରମିକମାନଙ୍କ ପ୍ରତି ଏକ ସମ୍ମାନଭାବନା ଜାତ ହୋଇଥିଲା ଏବଂ ସେମାନେ ଏହି ସତ୍ୟଟିକୁ ମଧ୍ୟ ଜାଣି ପାରିଲେ ଯେ, ସେମାନଙ୍କର ଟେବୁଲ୍ ଉପରେ ଖାଇବା ଦ୍ରବ୍ୟମାନ ଆଣି ବାଢ଼ିଦେବା ସକାଶେ ସେମାନଙ୍କର ପ୍ରାୟ ପ୍ରତ୍ୟେକଙ୍କର ପିତାମାତାଙ୍କର ଶ୍ରମ ଆବଶ୍ୟକ ହେଉଥିଲା । ମାତ୍ର, କେବଳ ସେତିକିରେ ସବୁ ଉପଲବଧି ହେଉନଥିଲା । ଯେଉଁ ବ୍ୟକ୍ତିମାନେ ଟ୍ରାକ୍ଟର ତିଆରି କରୁଥିଲେ, ଲଙ୍ଗଳ ଓ କମ୍ବାଇନ୍ ଗଢ଼ି ଦେଉଥିଲେ, ସେମାନଙ୍କର ଶ୍ରମର ବି ପ୍ରୟୋଜନ ରହିଥିଲା; କାରଣ ସେସବୁ ମେସିନ୍ ନହେଲେ ଶସ୍ୟର ଅମଳ ବି ହୋଇପାରୁନଥାନ୍ତା । ଖଣି ଶ୍ରମିକମାନଙ୍କର ଶ୍ରମ ମଧ୍ୟ ଏକାନ୍ତ ଆବଶ୍ୟକ ଥିଲା, କାରଣ କୋଇଲା ନହେଲେ ମେସିନ୍ ତିଆରି କରିବାର ଧାତୁକୁ ମଧ୍ୟ ତରଳାଇ ହୋଇପାରିନଥାନ୍ତା-

 

ଅନ୍ୟ ଦ୍ରବ୍ୟଗୁଡ଼ିକ ସହିତ ପରିଚିତ ହେବା ସଙ୍ଗେ ସଙ୍ଗେ ଆମେ ସମାନ ପରିମାଣରେ ଆଶ୍ଚର୍ଯ୍ୟଜନକ ଆହୁରି ଅନେକ କଥା ମଧ୍ୟ ଜାଣିବାକୁ ପାଇଲୁ । ଆମ ଦେଶରେ ନିକଟ ଏବଂ ଦୂରରେ ଥିବା ଓ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଶହ ଶହ ବ୍ୟକ୍ତିଙ୍କୁ କୋଇଲା ଖଣିରୁ ବାହାରି ଆମ ପାଠଶାଳାର ରୋଷେଇଶାଳରେ ପହଞ୍ଚିବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ହେଉଥିଲା । ଆମ ଟେବୁଲଗୁଡ଼ିକ ତିଆରି କରିବାରେ ଏବଂ ବାଲି ଓ କାଦୁଅ ଏକାଠି ମିଶାଇ ଇଟା ଗଢ଼ିବାରେ ମଧ୍ୟ ଶହ ଶହ ଲୋକ କାମ କରୁଥିଲେ ।

 

ଠିକ୍ ସେହିପରି ଭାବରେ ଆମେ ସମାଜରେ ଉତ୍ପାଦନ-କେନ୍ଦ୍ରଗୁଡ଼ିକୁ ବି ଦେଖିବାକୁ ଯାଇଥିଲୁ । ସବୁଠାରେ ଏତେ ଲୋକ ପରସ୍ପର ସହିତ ମିଶି କିପରି କାର୍ଯ୍ୟ କରୁଛନ୍ତି, ଉଦାହରଣ ସ୍ୱରୂପ, ଆମ ଲୁଗାପଟା କେଉଁଠୁ ଆସୁଛି, କାଗଜ କିପରି ତିଆରି ହେଉଛି, ଆମ ପାଇଁ କେଉଁମାନେ ବହି ଓ ଫିଲ୍ମଗୁଡ଼ିକୁ ତିଆରି କରି ଦେଉଛନ୍ତି ଏବଂ କିଏ ସଂଗୀତ ଫାନ୍ଦି ଦେଉଛନ୍ତି, ଏଗୁଡ଼ିକୁ ଆବିଷ୍କାର କରିଥିଲୁ । ସପ୍ତାହ ସପ୍ତାହ ଓ ମାସ ମାସ ଧରି ସାମାଜିକ ସମ୍ବନ୍ଧିତତାର ଜଟିଳ ଜାଲଟିକୁ ଆମେ ବୁଝିବାକୁ ଚେଷ୍ଟା କରିଥିଲୁ । ଦ୍ରବ୍ୟଗୁଡ଼ିକର ଜଗତକୁ ମାଧ୍ୟମ କରି ମଣିଷଟିକୁ ଜାଣିଲୁ । ଯାବତୀୟ ବସ୍ତୁ, ଜଡ଼ଗତ ତଥା ଆତ୍ମିକ ଯାବତୀୟ ମୂଲ୍ୟ ଆମକୁ ପାଉଁରୁଟି ତିଆରି କରୁଥିବା ଷ୍ଟେଫାନ୍ ମାକ୍ସିମୋଭିଚ୍‍ଙ୍କୁ ଦେଖିବାରେ, ବୁଝିବାରେ ଓ ଅନୁଭବ କରିବାରେ ସାହାଯ୍ୟ କରିଥିଲା । ଆମେ ତାଙ୍କୁ ତାଙ୍କର କର୍ମସ୍ଥଳରେ ହିଁ ଭେଟିଥିଲୁ । ପିଲାମାନଙ୍କର ଆଖିକୁ ସେ କେବଳ ପାଉଁରୁଟି ତିଆରି କରୁଥିବା ଜଣେ ନଗଣ୍ୟ ମନୁଷ୍ୟ ପରି ଦିଶୁ ନଥିଲେ; ସେମାନେ ତାଙ୍କୁ ଜୀବନ ସୃଷ୍ଟି କରୁଥିବା ଏପରି ଜଣେ ବ୍ୟକ୍ତି ରୂପେ ଅନୁଭବ କଲେ, ଯିଏ ନଥିଲେ କି ଶହ ଶହ ହଜାର ହଜାର ଲୋକ ପ୍ରକୃତରେ ବଞ୍ଚି ପାରୁନଥାନ୍ତେ । ପ୍ରତ୍ୟେକ ସପ୍ତାହରେ ଶ୍ରମିକ ମାନଙ୍କ ସହିତ, ଶହ ଶହ ହଜାର ହଜାର ମଣିଷଙ୍କ ନିମନ୍ତେ ପାର୍ଥବ ଓ ଆତ୍ମିକ ବସ୍ତୁମାନ ଉତ୍ପାଦନ କରୁଥିବା ବ୍ୟକ୍ତିମାନଙ୍କ ସହିତ ଆମର ଭେଟ ହେଉଥିଲା; କମ୍ବାଇନ ଓ ଟ୍ରାକ୍ଟର ଚାଳକ, ଧାତୁ କାରିଗର ଓ ଲେଦ୍ ଶ୍ରମିକଙ୍କ ସହିତ ମଧ୍ୟ ସାକ୍ଷାତ ହେଉଥିଲା । ଠିକ୍ ଏହି ବସନ୍ତକାଳରେ ପିଲାମାନେ ତୃତୀୟ ଶ୍ରେଣୀ ଶେଷ କରିଥାନ୍ତି, – ଆମେ କ୍ରେମେନ୍‍ଚୁକ୍ ଜଳବିଦ୍ୟୁତ-କେନ୍ଦ୍ରକୁ ମଧ୍ୟ ଯାଇଥିଲୁ ଏବଂ ବିଜୁଳିଶକ୍ତି କିପରି ଉତ୍ପନ୍ନ ହେଉଛି, ତାହା ଦେଖିଥିଲୁ ସେଠାରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନଙ୍କୁ ମଧ୍ୟ ଭେଟିଥିଲୁ ।

 

ପିଲାମାନଙ୍କର ନୈତିକ ଦୃଷ୍ଟିକୋଣମାନ ଗଠିତ ହୋଇ ଆସିବାର କ୍ଷେତ୍ରରେ ସେମାନେ ଭେଟିଥିବା ଶ୍ରମିକ ମାନଙ୍କର ନିଜ ନିଜ କାମ ପ୍ରତି ରହିଥିବା ଦୃଷ୍ଟିକୋଣଗୁଡ଼ିକ ଏକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ରୂପେ କାର୍ଯ୍ୟ କରିଥିଲା । ଲୋକମାନେ ଅନ୍ୟମାନଙ୍କ ସକାଶେ ଯେଉଁସବୁ ବସ୍ତୁ ସୃଷ୍ଟି କରୁଥାନ୍ତି, ସେଗୁଡ଼ିକ ହଠାତ୍ ଦୃଷ୍ଟିପାତ କଲାବେଳକୁ ଅତ୍ୟନ୍ତ ମାମୁଲି ଓ ତାତ୍ପର୍ଯ୍ୟହୀନ ମନେ ହୋଇଥାନ୍ତି; ପାଉଁରୁଟି, ମାଂସ, କ୍ଷୀର, ଚିନି, ଓ ଅନ୍ୟାନ୍ୟ ଦ୍ରବ୍ୟ ଭଳି ଆମର ପାର୍ଥବ ଆବଶ୍ୟକତା ମେଣ୍ଟାଉଥିବା ପଦାର୍ଥଗୁଡ଼ିକ ବିଷୟରେ ଉଲ୍ଲେଖଯୋଗ୍ୟ କିଛିହେଲେ ନଥାଏ ବୋଲି ଖୁବ୍ ମନେ ହୋଇଥାଏ । ମାତ୍ର ଯେତେବେଳେ ଏହି ଶ୍ରମିକମାନେ ସେମାନଙ୍କର ଶ୍ରମ ଲାଗି ଗର୍ବ ଅନୁଭବ କରୁଥିଲେ ଏବଂ ତାହାକୁ ସମାଜର ଏକ ସେବା କରିବା ବୋଲି ବିଚାରୁଥିଲେ, ପିଲାମାନଙ୍କ ଉପରେ ତାହାର ଏକ ଶକ୍ତିଶାଳୀ ପ୍ରଭାବ ପଡ଼ିଥିଲା । ଶ୍ରମ ଯେ ଆମ ଭିତରେ ଏକ ଉତ୍ତୋଳନ ଘଟାଇଥାଏ ଏବଂ ଶ୍ରମ କରୁଥିବା ବ୍ୟକ୍ତିଙ୍କୁ ପରିପୂର୍ଣ୍ଣ ସନ୍ତୋଷ ଆଣିଦିଏ, ପିଲାମାନଙ୍କ ପାଇଁ ଏହା ଆଦୌ ଏକ ଅମୂର୍ତ୍ତ କଳ୍ପନା ହିଁ ନଥିଲା, ସେମାନେ ତାହାକୁ ଜୀବନର ଅସଲ କଥା ବୋଲି ହୃଦୟଙ୍ଗମ କରିଥିଲେ । ସମାଜର କଲ୍ୟାଣ ନିମିତ୍ତ ନିଷ୍ଠାପର ଭାବରେ ଶ୍ରମ କରିବା ଯେ ଜଣେ ବ୍ୟକ୍ତିର ଶକ୍ତି ତଥା ସର୍ଜନାତ୍ମକ ସାମର୍ଥ୍ୟକୁ ବ୍ୟକ୍ତ କରି ଆଣିବାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମାର୍ଗ, ନିଜର ବାଲ୍ୟକାଳରୁ ହିଁ ସଂପୃକ୍ତ ବ୍ୟକ୍ତିଟି ସେହି ବିଷୟରେ ନିଶ୍ଚିତ ହୋଇ ରହିଥିଲା ।

Image

 

ଜୀବନର ଗଣିତବହିରୁ ହଜାରେ ପ୍ରଶ୍ନ

 

ଜଣେ ପିଲା ସର୍ଜନାତ୍ମକ ଭାବରେ ଚିନ୍ତା କରିବ ଏବଂ ସବୁବେଳେ ସବୁ ବିଷୟରେ ଜିଜ୍ଞାସାର ଦୃଷ୍ଟିକୋଣ ରଖିଥିବ, - ପିଲାକୁ ସେହି ଶିକ୍ଷା ଦେବା ହେଉଛି ବିଦ୍ୟାଳୟର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଶୈଶବର ବର୍ଷଗୁଡ଼ିକୁ ମୁଁ ଚିନ୍ତା କରି ଶିଖିବାର ଗୋଟିଏ ବିଦ୍ୟାଳୟ ବୋଲି ଭାବୁଥିଲି ଏବଂ ଶିକ୍ଷକକୁ ଛାତ୍ରମାନଙ୍କର ଶରୀର ତଥା ଅନ୍ତର୍ଜଗତକୁ ତିଆରି କରି ଆଣିବାର ଦାୟିତ୍ୱ ବହନ କରିଥିବା ଜଣେ ବ୍ୟକ୍ତି ବୋଲି ଭାବୁଥିଲି । ପିଲାର ମସ୍ତିଷ୍କ ଏପରି ବିକାଶ ଲାଭ କରିବ ଓ ସବଳ ହେବ, ଯେପରିକି ଜଗତର ପ୍ରତିଫଳନ କରାଇ ପାରୁଥିବା ସେହି ଦର୍ପଣଟି ସର୍ବଦା ଗ୍ରହଣଶୀଳ ହୋଇ ରହିଥିବ । ଶାରୀରିକ ବ୍ୟାୟାମ ଏବଂ ଅସୁବିଧାଗୁଡ଼ିକୁ ଅତିକ୍ରମ କରିବା ଦ୍ୱାରା ଯେପରି ମାଂସପେଶୀ ବିକଶିତ ଓ ବଳଯୁକ୍ତ ହୁଏ, ଠିକ୍ ସେହିପରି ମସ୍ତିଷ୍କର ଗଠନ ଏବଂ ବିକାଶ ନିମିତ୍ତ ପ୍ରୟାସ ଓ ଉଦ୍ୟମର ଆବଶ୍ୟକତା ରହିଥାଏ ।

 

କୋଷଗୁଡ଼ିକର ଶକ୍ତିକୁ ଜାଗୃତ କରି ଆଣିବାର ଏକ ଜଟିଳ ଅନ୍ତର୍ଗତ ପ୍ରକ୍ରିୟା ଦ୍ୱାରା ପିଲାର ମସ୍କିଷ୍କ ବିକାଶ ଲାଭ କରେ ଏବଂ, ପାରିପାର୍ଶ୍ୱିକ ପୃଥବୀର ବସ୍ତୁ ତଥା ଘଟଣାଗୁଡ଼ିକ ମଧ୍ୟରେ, କାରଣ ଓ ପରିଣାମ ମଧ୍ୟରେ ରହିଥିବା ବିବିଧ ସଂପର୍କ ହିଁ ସେହି ପ୍ରକ୍ରିୟାଟିର ନିର୍ଦ୍ଧାରଣ କରି ଦେଇଥାନ୍ତି । ଜଣେ ଛାତ୍ର ସିଏ ବୁଝି ପାରୁନଥିବା କୌଣସି ବିଷୟରେ ଯେତେବେଳେ ଚିନ୍ତା କରେ, ଅନ୍ୱେଷଣ କରି ତାହାର ମର୍ମପ୍ରବେଶ କରିବାକୁ ଚେଷ୍ଟା କରୁଥାଏ, ସେତେବେଳେ ତା’ର ମସ୍ତିଷ୍କର କୋଷଗୁଡ଼ିକ ସେହି ପ୍ରୟାସଟି କରୁଥାନ୍ତି ଓ ସଚଳ ହୋଇ ରହିଥାନ୍ତି । ପାରିପାର୍ଶ୍ୱିକ ପୃଥିବୀରେ ରହିଥିବା ବସ୍ତୁମାନେ କିପରି ପରସ୍ପର ସହିତ ସମ୍ବନ୍ଧିତ ହୋଇ ରହିଥିଲେ, ସେକଥା ପିଲାମାନେ ଯେପରି ବୁଝିପାରିବେ ଓ ସେମାନଙ୍କ ମସ୍ତିଷ୍କର କ୍ଷୁଦ୍ର କୋଷଗୁଡ଼ିକ ଯେପରି ସକ୍ରିୟ ହୋଇ ରହୁଥିବ, ସେଥିରେ ସେମାନଙ୍କୁ ସାହାଯ୍ୟ କରିବା ମୋ’ର କାର୍ଯ୍ୟ ଥିଲା । ଏହାରି ଫଳରେ ସେମାନଙ୍କର ଜିଜ୍ଞାସାଶକ୍ତି ବିକାଶ ଲାଭ କରୁଥିଲା, ବୁଦ୍ଧି ତୀକ୍ଷ୍‍ଣ ହେଉଥିଲା, ପର୍ଯ୍ୟବେକ୍ଷଣର ସାମର୍ଥ୍ୟ ବୃଦ୍ଧି ପାଉଥିଲା ।

 

ମନୁଷ୍ୟର ମସ୍ତିଷ୍କ ଆଦୌ ଅବିଚ୍ଛନ୍ନ ଭାବରେ କାର୍ଯ୍ୟ କରୁନଥାଏ । ପାରିପାର୍ଶ୍ୱିକ ପୃଥିବୀରୁ ଆସୁଥିବା ବାର୍ତ୍ତାଗୁଡ଼ିକ ମସ୍ତିଷ୍କର ଗୋଟିଏ କୋଷପୁଞ୍ଜରେ ଉତପ୍ରେରଣା ସୃଷ୍ଟି କରନ୍ତି, ତା’ପରେ ଆଉ ଗୋଟିକୁ ସଞ୍ଚରିତ ହୋଇଥାନ୍ତି । ତେଣୁ ଭାବନା ମଧ୍ୟ ବସ୍ତୁରୁ ବସ୍ତୁକୁ ଡେଇଁବାରେ ଲାଗିଥାଏ । ସେହି ଡେଇଁବାର ହିଁ ଭାବନାର ପ୍ରକ୍ରିୟାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୋଟିଏ ଭାବନାରୁ ଆଉ ଗୋଟିଏ ଭାବନାରେ ପ୍ରବେଶ କରିବାର ସାମର୍ଥ୍ୟ କହିଲେ ଆପଣାର କ୍ରିୟାଶୀଳତାକୁ ଗୋଟିଏ କୋଷପୁଞ୍ଜରୁ ଆଉ ଗୋଟିଏ କୋଷପୁଞ୍ଜକୁ ସଞ୍ଚାରିତ କରିନେବା । ଯଥେଷ୍ଟ ମାନସିକ ଶକ୍ତି ରହିଥିଲେ ଯାଇ ତାହା ସମ୍ଭବ ହୋଇଥାଏ । ପିଲାଟିଏ ଭାବିପାରେ, – ତାହାର ଅର୍ଥ ହେଉଛି, ଗୋଟିଏ ସେକେଣ୍ଡରେ ବା ସେହିପରି ଏକ ସମୟ ମଧ୍ୟରେ ତାହାର ଭାବନା ଗୋଟିଏ ବସ୍ତୁରୁ ଆଉଗୋଟିଏ ବସ୍ତୁକୁ ବହୁବାର ସ୍ଥାନାନ୍ତରିତ ହୋଇ ଯାଇପାରେ । ସେହି ପ୍ରକ୍ରିୟାଟି ଏତେ ବେଶୀ କ୍ଷିପ୍ରତାର ସହିତ ଚାଲିଥାଏ ଯେ ଭାବୁଥିବା ବ୍ୟକ୍ତିଟି ସେହି ବିଷୟରେ ଆଦୌ ସଚେତନ ହୋଇପାରେ ନାହିଁ; ସିଏ ଏକାବେଳେକେ ଦୁଇଟି ବିଷୟରେ ଚିନ୍ତା କରୁଛି ବୋଲି ଆଦୌ ଜାଣିପାରେ ନାହିଁ । ଅର୍ଥାତ୍, ଜଣେ ଛାତ୍ର ଏକ ସମୟରେ ହିଁ ଭିନ୍ନ ବସ୍ତୁକୁ ନିଜ ଅବବୋଧ ମଧ୍ୟରେ ଗ୍ରହଣ କରୁଥାଏ, ସେଗୁଡ଼ିକର ବିଶ୍ଳେଷଣ ଓ ତୁଳନା କରିବାରେ ଲାଗିଥାଏ । ପ୍ରତ୍ୟେକ ପିଲା ଭିତରେ ସେହି ମହତ୍ତ୍ୱପୂର୍ଣ୍ଣ ମାନସିକ ସାମର୍ଥଟିର ବିକାଶ ଘଟାଇବା, – ତାହା ହେଉଛି ଆମର କାର୍ଯ୍ୟ ।

 

ମସ୍ତିଷ୍କର ଅନ୍ତର୍ଗତ ଶକ୍ତିଟିର ଜାଗୃତି ଘଟାଇବା ଏବଂ “ବୁଦ୍ଧିକ୍ଷେତ୍ରର ମାଂସପେଶୀ ଗୁଡ଼ିକରେ” କ୍ରିୟାଶୀଳତାର ସଂବଳନ ଘଟାଇବା, –ସେଥିପାଇଁ ମେଧାର କ୍ଷିପ୍ରତା ବଢ଼ାଇ ପାରୁଥିବା ନାନା ସମସ୍ୟା ରହିଛି । ପାରିପାର୍ଶ୍ୱିକ ପୃଥିବୀର ବସ୍ତୁ ଏବଂ ଘଟଣାଗୁଡ଼ିକ ଭିତରେ ସେହିସବୁ ସମସ୍ୟା ବିଦ୍ୟମାନ ରହିଥାନ୍ତି । ପିଲାମାନଙ୍କର ଦୃଷ୍ଟିକୁ ମୁଁ ସେହି ଆଡ଼କୁ ଆକର୍ଷିତ କରାଇ ନେଉଥିଲି, ଯେପରିକି ସେମାନେ ବୁଝି ପାରୁନଥିବା ରହସ୍ୟଗୁଡ଼ିକର ମର୍ମପ୍ରବେଶ କରିପାରିବେ ଏବଂ ସତ୍ୟଟିକୁ ଠାବ କରିପାରିବେ । ସେମାନେ ନିଜର ବୁଦ୍ଧିଶକ୍ତିକୁ ଖଟାଇପାରିବେ, ବସ୍ତୁ ଏବଂ ଘଟଣାଗୁଡ଼ିକ ମଧ୍ୟରେ ରହିଥିବା ସମ୍ବନ୍ଧଗୁଡ଼ିକୁ ଆବିଷ୍କାର କରିପାରିବେ । ଆମ ଚତୁର୍ଦ୍ଦିଗସ୍ଥ ପୃଥିବୀରେ ଏହିପରି ହଜାର ହଜାର ସମସ୍ୟା ରହିଥିଲେ । ଅନ୍ୟ ବ୍ୟକ୍ତିମାନେ ମଧ୍ୟ ସେଗୁଡ଼ିକ ବିଷୟରେ ଆଗରୁ ଭାବିଥିଲେ, ସେଗୁଡ଼ିକ ଲୋକସାହିତ୍ୟରେ ମଧ୍ୟ ଚମତ୍କାର କାହାଣୀ ଏବଂ ପ୍ରହେଳିକା ରୂପରେ ରହିଥିଲେ । ଥରେ ବିଶ୍ରାମ ସମୟରେ ମୁଁ ପିଲାମାନଙ୍କୁ ଏହି ସର୍ବପ୍ରଥମ ସମସ୍ୟାଟିର ସମାଧାନ କରିବା ଲାଗି ଦେଇଥିଲି:

 

“ତୁମକୁ ଗୋଟିଏ ହେଟା ବାଘ, ଗୋଟିଏ ଛେଳି ଓ ଗୋଟିଏ ବନ୍ଧାକୋବିକୁ ନଈ ଏପାରିରୁ ସେପାରିକୁ ନେବାକୁ ହେବ । ତୁମେ ସମସ୍ତଙ୍କୁ ଏକାବେଳେକେ ନେଇ ପାରିବ ନାହିଁ ବା ଛେଳିକୁ ହେଟା ପାଖରେ ଓ ବନ୍ଧାକୋବିକୁ ଛେଳି ପାଖରେ ଛାଡ଼ି ଯାଇ ପାରିବ ନାହିଁ । ତୁମେ ଯେତେଥର ଇଚ୍ଛା ସେତେଥର ପାର ହୋଇ ପାରିବ, ମାତ୍ର, କୋବିକୁ ହେଟା ସହିତ ଏକାଠି ନେଇ ପାରିବ, ଅଥବା ଯେକୌଣସି ଗୋଟିକୁ ମଧ୍ୟ ଏକାକୀ ପାରି କରାଇ ପାରିବ । ତେବେ କହିଲ, ଏମାନଙ୍କୁ କିପରି ନଈ ସେପାରିକୁ ନେଇପାରିବ ଅଥଚ କୌଣସି ଦୁର୍ଘଟଣା ଘଟିବ ନାହିଁ ।”

 

ଲୋକପ୍ରଜ୍ଞାରେ ଏହିପରି ନାନା ପ୍ରହେଳିକା ରହିଛି ଏବଂ ସାନପିଲାମାନଙ୍କୁ ସେଗୁଡ଼ିକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଲାଗିଥାଏ । ଏହି ତିନି “ଯାତ୍ରୀ” ନଦୀ ପାର ହେବେ ଅଥଚ ହେଟା ଛେଳିକୁ ବା ଛେଳି ବନ୍ଧାକୋବିକୁ ଖାଇ ପାରିବ ନାହିଁ, – ପିଲାମାନେ ତାହାର ଉପାୟ ବାହାର କରିବାରେ ଲାଗିଗଲେ । ଆମେ ସମସ୍ତେ ଗଡ଼ିଆ କୂଳରେ ବସିଥାଉ । ପିଲାମାନେ ବାଲି ଉପରେ ନଦୀର ଚିତ୍ରଟିଏ ଆଙ୍କିଥିଲେ ଓ ଗୋଡ଼ି ସଂଗ୍ରହ କରିଆଣିଲେ । ସମସ୍ତେ କଦାପି ପ୍ରହେଳିକାଟିକୁ ସମାଧାନ କରିପାରିବେ ନାହିଁ, ତଥାପି ସମସ୍ତେ ଭାରି ଜୋରରେ ଲାଗିଥାନ୍ତି । ମାନସିକ ଶକ୍ତି ବୃଦ୍ଧି କରାଇବା ଦିଗରେ ଏହା ଏକ ଚମତ୍କାର ଉପାୟ ଥିଲା ।

 

ଚେସ୍ ଖେଳରେ ଯେଉଁପରି ବୁଦ୍ଧି ଦରକାର ହୁଏ, ଏହି ପ୍ରହେଳିକାଗୁଡ଼ିକର ସମାଧାନରେ ମଧ୍ୟ ଠିକ୍ ସେହିପରି ବୁଦ୍ଧି ଦରକାର ହୋଇଥାଏ : ଏଥିପାଇଁ ସର୍ବଦା ଦୁଇତିନି ପାହାଚ ଆଗକୁ ଭାବିବାକୁ ପଡ଼ିଥାଏ । ପ୍ରଥମ ଶ୍ରେଣୀର ପାଠ ଆରମ୍ଭ ହୋଇଯିବାର ଅବ୍ୟବହିତ ପରେ ମୁଁ ମୋ’ର ସାତବର୍ଷିଆ ପିଲାମାନଙ୍କୁ ଏହି ସମସ୍ୟାଟିର ସମାଧାନ କରିବାକୁ ଦେଇଥିଲି । ତିନିଜଣ ପିଲା, ଶୂରା, ସେରୋଝା ଓ ୟୁରା ଦଶ ମିନିଟରେ ସମାଧାନ କରିଦେଲେ । ଏମାନଙ୍କ ଭାବନାର କ୍ଷିପ୍ର ପ୍ରବାହ ଆଗକୁ ଆଗକୁ ପ୍ରବାହିତ ହୋଇଯାଇଥିଲା ଏବଂ ତା’ସହିତ ସେମାନଙ୍କର ତୀକ୍ଷ୍‍ଣ ସ୍ମୃତିଶକ୍ତି ମଧ୍ୟ ସେଥିରେ ସାହାଯ୍ୟ କରିଥିଲା । ପନ୍ଦର ମିନିଟରେ ପ୍ରାୟ ସବୁପିଲା ସମାଧାନ କରି ନେଇଥିଲେ, ମାତ୍ର ଭାଲ୍ୟା, ନିନା, ପେଟ୍ରିକ୍ ଓ ସ୍ଲାଭା ତଥାପି କୌଣସି ଫଳ ଦେଖାଇ ପାରିଲେ ନାହିଁ । ମୁଁ ଦେଖିଲି ଯେ ସେମାନଙ୍କର ଭାବନାପ୍ରବାହଟି ହଠାତ୍ ବନ୍ଦ ହୋଇଗଲା । ଏହି ଛୁଆମାନେ ସମସ୍ୟାଟିକୁ ବେଶ୍ ବୁଝିପାରିଥିଲେ, ମାତ୍ର ସେଇଟି ଭିତରେ ପଶୁ ପଶୁ ସେମାନଙ୍କ ପାଇଁ ସମସ୍ତ ଧାରଣାଟି କ୍ରମେ ଅସ୍ପଷ୍ଟ ହୋଇଆସିଲା । ଅର୍ଥାତ୍, କ୍ଷଣକ ଆଗରୁ ପିଲାଟିର ଯାହା ମନେ ପଡ଼ୁଥିଲା, ସିଏ ସେଇଟିକୁ ଭୁଲିଗଲା ।

 

ଲୋକପ୍ରଜ୍ଞାର ସମୃଦ୍ଧ ରତ୍ନଭଣ୍ଡାରରୁ ମୁଁ ଆଉ କେତୋଟି ପ୍ରହେଳିକା ନେଇ ଆସିଥିଲି ଏବଂ ଭାବିଥିଲି ଯେ, ମୋ ‘ମାନ୍ଦା ପିଲାମାନଙ୍କ ଭିତରେ ମଧ୍ୟ ଆଗ୍ରହ ଜାଗୃତ ହୋଇ ଆସିବ । ଦୁଇଦିନ ପରେ ସେମାନଙ୍କୁ ମୁଁ ଏହି ସମସ୍ୟାଟି ଦେଲି : ଦଳେ ଫଉଜ ନଈ ପାରି ହେବାପାଇଁ କୂଳରେ ଆସି ପହଞ୍ଚିଲେ । ପୋଲ ଭାଙ୍ଗିଯାଇଥିଲା, ନଈରେ ବି ବହୁତ ପାଣି ଥିଲା । ସେମାନେ ତେବେ କ’ଣ କରିବେ ? ହଠାତ୍ ସେମାନଙ୍କର ମୁଖ୍ୟ ଦୁଇଜଣ ପିଲାଙ୍କୁ ସାନ ଡଙ୍ଗାଟିଏ ନେଇ କୂଳରେ ଖେଳୁଥିବାର ଦେଖିବାକୁ ପାଇଲେ । ଡଙ୍ଗାଟି ଏତେ ସାନ ଥିଲା ଯେ, ଥରକେ କେବଳ ଜଣେ ସୈନ୍ୟ ବା ଦୁଇଟିଯାକ ପିଲା ସେଥିରେ ସେପାରିକୁ ଯାଇ ପାରିବେ । ସେହି ଡଙ୍ଗାରେ ସମସ୍ତେ ନଈ ପାରିହେଲେ । କିପରି ହୋଇଥିବେ କହିଲ ?”

 

ପିଲାମାନେ ସମାଧାନରେ ଲାଗିଗଲେ । ମୁଁ ସେମାନଙ୍କୁ ଲକ୍ଷ୍ୟ କରି ଦେଖୁଥାଏ । ଏଥର ମଧ୍ୟ ସେମାନେ ବାଲିରେ ନଈର ଚିତ୍ରଟିଏ ଆଙ୍କିଥିଲେ ଏବଂ କିପରି ସମସ୍ତେ ପାରି ହେବେ, ନିଜ ମୁଣ୍ଡ ଭିତରେ ଚିନ୍ତା କରିବାକୁ ଲାଗିଲେ । ନିନା, ସ୍କାଭା ଓ ପେଟ୍ରିକ୍‍ଙ୍କର ମୁହଁଟି ବିରସ ଦେଖା ଯାଉଥାଏ । ଭାଲ୍ୟାର ଆଖିଗୁଡ଼ିକ ଆନନ୍ଦରେ ଚିକ୍‍ଚିକ୍ କରୁଥାନ୍ତି : ସିଏ ସମସ୍ୟାଟିର ସମାଧାନ କରି ଦେଇଥାଏ ।

 

ମାନ୍ଦାମାନଙ୍କୁ ଅଲଗା କରି ମୁଁ ପ୍ରୟାସ ଆରମ୍ଭ କରିଦେଇଥିଲି । ସେମାନଙ୍କୁ ମୁଁ ଆଉ କେତୋଟି ପ୍ରହେଳିକା ଦେଲି, ଯେଉଁଗୁଡ଼ିକରେ କି ସଂଖ୍ୟାଗୁଡ଼ିକୁ ଭଲ ଭାବରେ ବୁଝିପାରିବା ପାଇଁ ନାନା କୌଶଳର ସଂକେତ ରହିଥିଲା । ସେଥିରୁ ପାଞ୍ଚୋଟି ପ୍ରହେଳିକା ଏହିପରି :

 

୧. ‘ଚିଲ ଓ ଓକ୍ ଗଛ’: କେତୋଟି ଚିଲ ଉଡ଼ିଗଲେ ଓ କେତୋଟି ଓକ୍ ଗଛ ଉପରେ ଯାଇ ବସିଲେ । ଯଦି ପ୍ରତ୍ୟେକ ଗଛରେ ଗୋଟିଏ ଚିଲ ବସିଥିବ, ତେବେ ଗୋଟିଏ ଚିଲ ବଳକା ରହିଯିବ । ପ୍ରତ୍ୟେକ ଗଛରେ ଯଦି ଦୁଇଟି ଚିଲ ବସିବେ, ତେବେ ଗୋଟିଏ ଗଛ ଖାଲି ରହିଯିବ । ତେବେ ଚିଲ କେତୋଟି ଓ ଓକ୍ ଗଛ କେତୋଟି ?

 

୨. ‘ଗୋଚର ପଡ଼ିଆରେ’: ଦୁଇଜଣ ମେଣ୍ଢାଜଗୁଆଳ ଥିଲେ । ପ୍ରଥମ ଜଣକ ଦ୍ୱିତୀୟକୁ ଯଦି ଗୋଟିଏ ମେଣ୍ଢା ଦିଏ, ତେବେ ଦୁଇଜଣଙ୍କ ପାଖରେ ସମାନସଂଖ୍ୟକ ମେଣ୍ଢା ରହିବେ । ଯଦି ଦ୍ୱିତୀୟ ଜଣକ ପ୍ରଥମକୁ ଗୋଟିଏ ମେଣ୍ଢା ଦିଏ, ତେବେ ପ୍ରଥମ ପାଖରେ ଦ୍ୱିତୀୟ ଠାରୁ ଦୁଇଟି ଅଧିକ ମେଣ୍ଢା ହୋଇଯିବେ । ତେବେ ଦୁଇଜଣଙ୍କ ପାଖରେ କେତୋଟି ମେଣ୍ଢା ଅଛନ୍ତି ?

 

୩. “କେତୋଟି ହଂସ କହ”: ପଲେ ମାଈ ହଂସ ଆକାଶକୁ ଉଡ଼ିଗଲେ ଏବଂ ଗୋଟିଏ ଅଣ୍ଡିରା ହଂସକୁ ଭେଟିଲେ । ଅଣ୍ଡିରା ହଂସଟି କହିଲା, “ଶହେଯାକ ହଂସ କେମିତି ଅଛ ?”

 

ହଂସମାନେ ଉତ୍ତର ଦେଇ କହିଲେ, “ଆମ ସଂଖ୍ୟା ମୋଟେ ଶହେ ନୁହଁ । ଯଦି ଠିକ୍ ସଂଖ୍ୟା ଜାଣିବାକୁ ଇଚ୍ଛା କରୁଛ, ତେବେ ଆମର ସଂଖ୍ୟାକୁ ଆଗ ଦୁଇଗୁଣ କରିଦିଅ, ତା’ପରେ ସେଥିରେ ଅଧଗୁଣ ମିଶାଅ, ତା’ପରେ ଚଉଠ ଗୁଣ ଓ ତା’ପରେ ନିଜକୁ ମଧ୍ୟ ମିଶାଅ । ତେବେ ଯାଇ ସମସ୍ତେ ମିଶି ଶହେ ହେବେ ।” କହିଲ, ପଲରେ କେତୋଟି ହଂସ ଥିଲେ ?

 

୪.”ମୁଣ୍ଡ ଓ ପାଦ”: କୁକୁଡ଼ାମାନେ ଆହାର ଖୁମ୍ପି ଖାଉଥିଲେ ଏବଂ ଠେକୁଆମାନେ ଦୁଆରେ ଏଣେ ତେଣେ ବୁଲୁଥିଲେ । ସବୁମିଶି ସେମାନଙ୍କର ଦଶଟି ମୁଣ୍ଡ ଓ ଚବିଶଟି ପାଦ ଥିଲା । କହିଲ, ଠେକୁଆ କେତୋଟି ଆଉ କୁକୁଡ଼ା କେତୋଟି ?

 

୫. “କେତୋଟି ପେଣ୍ଡୁ ?”: ଦଶଟି ହଳଦିଆ ପେଣ୍ଡୁ, ଦଶଟି ନାଲିଆ, ପାଞ୍ଚୋଟି ଶାଗୁଆ ଓ ପାଞ୍ଚୋଟି କଳା ପେଣ୍ଡୁ ଗୋଟିଏ ମୁଣାରେ ଥିଲେ । ଆଖି ବୁଜି ଯେତେ କମ୍‍ସଂଖ୍ୟକ ପେଣ୍ଡୁ ନେଇ ପାରିବ, ସେଥିରୁ ବାହାର କରିନିଅ । ମାତ୍ର ଦୃଷ୍ଟି ରଖିଥାଅ ଯେ, ଗୋଟିଏ ରଙ୍ଗର ପେଣ୍ଡୁ ସାତୋଟି ଅବଶ୍ୟ ରହିବ । ତୁମେ କେତୋଟି ପେଣ୍ଡୁ ବାହାରକୁ ନେବ କହିଲ ?

 

ମନର ପ୍ରଶିକ୍ଷଣ ପାଇଁ ଏହିସବୁ ପ୍ରହେଳିକା ଏକ ଅପରିହାର୍ଯ୍ୟ ସାଧନ ରୂପେ କାର୍ଯ୍ୟ କରିଥାନ୍ତି । ସେଗୁଡ଼ିକର ସମାଧାନ କରିବା ଲାଗି ପିଲାମାନଙ୍କୁ ଏକାବେଳେକେ ଦୁଇରୁ ଚାରି ପର୍ଯ୍ୟନ୍ତ ଚାଲ୍ ମନେ ରଖିବାକୁ ପଡ଼ିଥିଲା । ଛଅମାସ ଭିତରେ ଭାଲ୍ୟା ଆଉ ସ୍ଲାଭା ସେଗୁଡ଼ିକର ସମାଧାନ କରିପାରିଲେ, ମାତ୍ର ତଥାପି ପେଟ୍ରିକ୍ ଆଉ ନିନା ପାରୁନଥାନ୍ତି । ସେମାନେ କିଛି ମନେ ରଖି ପାରୁନଥିଲେ ଏବଂ ଯଦି ମନେ ରଖି ନପାରୁଥିବ, ତେବେ କଦାପି ଏକାବେଳେକେ ଏକାଧିକ “ଚାଲ୍” କରିପାରିବ ନାହିଁ ।

 

ଏହି କଥାଟିକୁ ଆମେ କିପରି ବ୍ୟାଖ୍ୟା କରିପାରିବା ? ଏହା ଅତ୍ୟନ୍ତ ସ୍ପଷ୍ଟ ଯେ କେତୋଟି ପିଲା ଏକାବେଳେକେ ନିଜର ଭାବନାକୁ ଗୋଟିଏ ବସ୍ତୁରୁ ଆଉ ଗୋଟିଏ ବସ୍ତୁକୁ ସ୍ଥାନାନ୍ତରିତ କରି ପାରୁନଥିଲେ କି ବୁଝୁନଥିଲେ । ସେମାନଙ୍କର ମସ୍ତିଷ୍କ ସେଥିପାଇଁ ଅନୁରୂପ କାର୍ଯ୍ୟ କରୁନଥିଲା, ତାହା ଏକ ଭିନ୍ନ ପ୍ରଶ୍ନ । ପିଲାଙ୍କ ଭିତରେ ଉପଯୁକ୍ତ ସାମର୍ଥ୍ୟ ନଥିଲା ବୋଲି ହିଁ ଏପରି ହେଉଥିଲା ବୋଲି କହି ହେବନାହିଁ ସତ, ତଥାପି ସେହି କଥାଟିକୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ବି ଦେଇ ହେବନାହିଁ । ଯଦି ଭାବନାର ପ୍ରବାହଟି ହଠାତ୍ ଭାଙ୍ଗିଯାଏ ଏବଂ କିଛି କ୍ଷଣ ଆଗରୁ ଯାହା ଥିଲା ଓ ବର୍ତ୍ତମାନ ଯାହା ଅଛି, ଯଦି ପିଲାଟିଏ ଏକାବେଳେକେ ଦୁଇଟି ଯାକକୁ ଦେଖି ପାରୁନଥାଏ, ତେବେ ସିଏ ଆଦୌ କିଛି ହେଲେ ଭାବି ପାରିବ ନାହିଁ । ଭିନ୍ନ ଭିନ୍ନ ବସ୍ତୁ ଏବଂ ଘଟଣାଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କଗୁଡ଼ିକୁ ଜାଣିବା ତା’ପାଇଁ କଷ୍ଟକର ହେବ ।

 

ମୁଁ ପିଲାମାନଙ୍କର ବିଶେଷ କରି ଭାଲ୍ୟା, ପେଟ୍ରିକ୍ ଓ ନିନା ପ୍ରଭୃତି ଧୀର ଶିଖାଳିମାନଙ୍କର ଭାବନାକୁ ଅଧ୍ୟୟନ କରିଥିଲି; କୌଣସି ପ୍ରକାରର ସିଦ୍ଧାନ୍ତ ବାହାର କରିବାକୁ ନୁହେଁ, ମାତ୍ର ସେମାନଙ୍କର ଅଧ୍ୟୟନ-ପ୍ରକ୍ରିୟାକୁ ସହଜ କରାଇ ପାରିବା ପାଇଁ ମୁଁ ତାହା କରିଥିଲି । ଅନୁଭୂତି କହୁଛି ଯେ, ତୁମେ ପ୍ରଥମେ ପିଲାମାନଙ୍କୁ କେତେଗୁଡ଼ିଏ ବସ୍ତୁ ବା ଘଟଣାକୁ ମନେ ରଖିବାକୁ ଶିଖାଇବ ଓ ସେମାନେ ସେଗୁଡ଼ିକ ମଧ୍ୟରେ ରହିଥିବା ସଂପର୍କଗୁଡ଼ିକୁ ବିଷୟରେ ଚିନ୍ତା କରିବେ । ତା’ପରେ ପିଲାଟି ଦୂରରେ ରହିଥିବା କେତୋଟି ବସ୍ତୁ ବିଷୟରେ ମଧ୍ୟ ସେହିପରି କରି ଶିଖିବ । ଏହି ଅଧ୍ୟୟନରୁ ମୁଁ ସ୍ପଷ୍ଟ ଭାବରେ ଜାଣିପାରିଲି ଯେ, ପିଲାମାନେ ଅମୂର୍ତ୍ତ ଚିନ୍ତା କରିପାରନ୍ତି ନାହିଁ ବୋଲି ସମୁଚିତ ଭାବରେ ଚିନ୍ତା କରିପାରନ୍ତି ନାହିଁ । ତେଣୁ, ପିଲାମାନଙ୍କୁ ସେହିପରି ଚିନ୍ତା କରିବା ଶିଖାଇ ଦେବାକୁ ପଡ଼ିବ । ଭାଲ୍ୟା ତା’କଳ୍ପନା ଭିତରେ ହେଟାବାଘର କେବଳ ଗୋଟିଏ ଚିତ୍ର ହିଁ ଆଙ୍କିବାରେ ବ୍ୟସ୍ତ ରହିବ ନାହିଁ । ଛେଳିଟି କିପରି ବନ୍ଧାକୋବିକୁ ଖାଇଦେଉଛି, କେବଳ ସେହିଠାରେ ହିଁ ତା’ର ଭାବନା ଅଟକି ଯିବନାହିଁ । ଏହି ପ୍ରତିରୂପଗୁଡ଼ିକୁ ସେ ଅମୂର୍ତ୍ତ ଭାବରେ ମଧ୍ୟ ଧାରଣା କରିପାରୁଥିବ । ମାତ୍ର, ମୂର୍ତ୍ତ ଜଗତଟିକୁ ଗଭୀର ଭାବରେ ବୁଝିଲେ ଯାଇ ଜଣେ ଅମୂର୍ତ୍ତ ଜଗତରେ ପ୍ରବେଶ କରିପାରିବ । ପିଲାଟିର ଭାବିବା ସମୟରେ ତା’ର ମୁଣ୍ଡ ଭିତରେ କ’ଣ ସବୁ ଘଟୁଛି, ତାହାକୁ କଳ୍ପନା କରି ପାରିବାକୁ ହେବ । ସେମାନେ ଅବଶ୍ୟ ଚିନ୍ତା କରି ଶିଖିବେ, ନଚେତ୍ ପିଲାଏ ଘୋଷି ଘୋଷି ନାକେଦମ୍ ହୋଇଯିବେ ଏବଂ ତଦ୍ଦ୍ୱାରା ସେମାନଙ୍କର ଭାବନାଶକ୍ତି ଆହୁରି ଶିଥିଳ ହୋଇଯିବ । ମୋ’ଛାତ୍ରମାନଙ୍କର ମସ୍ତିଷ୍କ ଭିତରେ କ’ଣ ସବୁ ଘଟୁଛି, ମୁଁ ତାହା କଳ୍ପନା କରିବାକୁ ଚେଷ୍ଟା କରିଥିଲି । ପିଲାର ଭାବନାଗୁଡ଼ିକ ଯେତେବେଳେ ଗୋଟିଏ ଧାରଣାରୁ ଆଉ ଗୋଟିଏ ଧାରଣା ମଧ୍ୟରେ ପ୍ରବେଶ କରୁଛି, ସେତେବେଳେ ତା’ମସ୍ତିଷ୍କରେ ଏକ ନୂତନ କୋଷପୁଞ୍ଜ ସକ୍ରିୟ ହେଉଛି । ଏହି ପ୍ରବାହଟି ଅବିଚ୍ଛିନ୍ନ ରହିଥବା ଯାଏ ସିଏ ଭାବି ଭାବି ଯାଇ ପାରୁଛି । ପ୍ରତି କ୍ଷଣରେ ସେହି ପ୍ରକ୍ରିୟାଟି ଅନେକ ବାର ଚାଲିଛି । ଅର୍ଥାତ୍, ପିଲାଟି ଭାବୁଛି ଓ ବିଚାର କରୁଛି ।

 

ଅବିଚ୍ଛିନ୍ନ ଭାବରେ ଭାବି ପାରିବାର ଉତ୍ସଗୁଡ଼ିକ ସେହି ମସ୍ତିଷ୍କ ଭିତରେ ହଁ ଗୁପ୍ତ ହୋଇ ରହିଛି, ତା’ପାରିପାର୍ଶ୍ୱିକ ପୃଥିବୀର ସ୍ୱଭାବଟି ଭିତରେ ମଧ୍ୟ ରହିଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାଲ୍ୟା, ନିନା ଓ ପେଟ୍ରିକ୍, -ଏମାନଙ୍କର ମସ୍ତିଷ୍କ ଭିତରେ ସେହି ସ୍ନାୟୁଶକ୍ତିର ଯଥେଷ୍ଟ ବିକାଶ ହୋଇ ପାରିନାହିଁ; ଜାଗୃତିର ବିଭିନ୍ନ କେନ୍ଦ୍ରଗୁଡ଼ିକୁ ଯୋଡ଼ି ରଖୁଥିବା ଖିଅଗୁଡ଼ିକ ଦୁର୍ବଳ ରହିଯାଇଛି ଏବଂ ଖୁବ୍ ଶୀଘ୍ର ଅକ୍ରିୟ ହୋଇ ପଡ଼ୁଛି । ପିଲାଟି ଏକାବେଳେକେ ଏକାଧିକ ପ୍ରତିରୂପର ଭାବନାକୁ ଆଦୌ ଧରି ରଖିପାରୁନାହିଁ । ପେଟ୍ରିକ୍ ଯେତେବେଳେ ତାକୁ କେତେ ସେକେଣ୍ଡ ଆଗରୁ ସ୍ପଷ୍ଟ ହୋଇ ଯାଇଥିବା କଥାଟିକୁ ମନେ ପକାଇବାକୁ ଚେଷ୍ଟା କଲା, ସେତେବେଳେ ମୁଁ ଜାଣି ପାରିଲି ଯେ, ଖିଅଟି ପ୍ରକୃତରେ ତା’ର ହାତଛଡ଼ା ହୋଇଯାଇଥିଲା ।

 

ବିଭିନ୍ନ ପିଲାଙ୍କ କ୍ଷେତ୍ରରେ ଏପରି ବିଭିନ୍ନ କାରଣରୁ ଘଟିଥାଏ । ପ୍ରଧାନ କାରଣଟି ହେଉଛି ଯେ, ଆଦ୍ୟ ଶୈଶବର ସମୟରେ ଯେତେବେଳେ ପୃଥିବୀଯାକର ଅବବୋଧ ପିଲାଟି ଉପରେ ଏକ ପ୍ରବାହ ପରି ଅଜାଡ଼ି ହୋଇ ପଡ଼ୁଥାଏ, ସେତେବେଳେ ସେ ତା’ ଚତୁଷ୍ପାଶ୍ୱର୍ର ପୃଥିବୀ ମଧ୍ୟରେ ରହିଥିବା ବସ୍ତୁ ଓ ଘଟଣାଗୁଡ଼ିକର ସମ୍ବନ୍ଧ ବିଷୟରେ ବିଶେଷ ଚିନ୍ତା କରିନଥାଏ ଏବଂ ତା’ମସ୍ତିଷ୍କର ଭାବନାପିଣ୍ଡଗୁଡ଼ିକ ସେଥିପାଇଁ ଅନୁରୂପ ଭାବରେ ବିକଶିତ ହୋଇନଥାନ୍ତି । ବୟସ୍କମାନେ ପିଲାର ଭାବନାଶକ୍ତିର ବିକାଶ ବିଷୟରେ ଅନ୍ୟମନସ୍କ ଓ ଉଦାସୀନ ରହିଥିବାରୁ ହିଁ ସେପରି ଘଟିଥାଏ । ପିଲା ହୁଏତ ପ୍ରଥମ କରି କୌଣସି ବୟସ୍କକୁ “କାହିଁକି ?” ବୋଲି ପଚାରିଛି ଏବଂ ତାହାର ଉତ୍ତର ପାଇନାହିଁ । ଦ୍ୱିତୀୟ ଥର ପଚାରିଛି, ଉତ୍ତର ପାଇନାହିଁ । ବୟସ୍କମାନଙ୍କର ଉଦାସୀନତା (“ରହ, ମୋତେ ବ୍ୟସ୍ତ କରନା” ପରି ବେଳେ ବେଳେ ଏକ ସଂକ୍ଷିପ୍ତ ଉତ୍ତର) ପିଲାର ମସ୍ତିଷ୍କ ଭିତରେ ଥିବା ସୂକ୍ଷ୍ମ ସଂଯୋଗସୁତ୍ର ଗୁଡ଼ିକୁ କ୍ରମଶଃ ଦୁର୍ବଳ କରି ପକାଇଛି ।

 

ପାରିପାର୍ଶ୍ୱିକ ପୃଥିବୀ ପ୍ରତି ପ୍ରତିକ୍ରିୟା ବ୍ୟକ୍ତ କରୁଥିବା ପିଲାର ସଂବେଗକ୍ଷେତ୍ରରେ ରହିଥିବା ଦାରିଦ୍ର୍ୟ ମଧ୍ୟ ଏହାର ଏକ କାରଣ ରୂପେ କାର୍ଯ୍ୟ କରିଥାଏ । ତାହା ଦ୍ୱାରା ମସ୍ତିଷ୍କରୁ ଆସୁଥିବା ସଂବେଗଗତ ସ୍ପନ୍ଦନର କ୍ଷେତ୍ରଟି ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇଯାଏ ।

 

ପାଠପଢ଼ା ଅଗ୍ରସର ହେଉଥିବାର ପ୍ରତ୍ୟେକ ମାସରେ ପୂର୍ବପ୍ରାଥମିକ ପିଲାମାନଙ୍କର ପିତାମାତାଙ୍କୁ ଶିକ୍ଷାଦେବାର ମହତ୍ତ୍ୱ ବିଷୟରେ ମଧ୍ୟ ମୁଁ ସ୍ପଷ୍ଟ ହୋଇ ଯାଇଥିଲି । ବିଦ୍ୟାଳୟକୁ ଆସିବା ପୂର୍ବରୁ ଘରେ ବାପାମାଆଙ୍କ ସହିତ ରହୁଥିବା ସମୟରେ, ସେହି ବାପାମାଆଙ୍କୁ ମଧ୍ୟ ଶିକ୍ଷା ବିଷୟରେ ବହୁତ କିଛି ଅବଶ୍ୟ କହିବାକୁ ପଡ଼ିବ । ଏହାପରେ ଯେଉଁ ପିଲାମାନେ ସ୍କୁଲକୁ ଆସିବେ, ସେମାନଙ୍କ କଥା ବିଚାର କରି ଆମେ ଦୁଇରୁ ଛଅବର୍ଷ ପିଲା ରହିଥିବା ପିତାମାତାଙ୍କ ପାଇଁ ଗୋଟିଏ ବିଦ୍ୟାଳୟ ଆରମ୍ଭ କରିଥିଲୁ । ପିଲାର ଶାରୀରିକ, ମାନସିକ, ବୁଦ୍ଧିଗତ, ନୈତିକ ଏବଂ ସୌନ୍ଦର୍ଯ୍ୟବୋଧଗତ ବିକାଶ ବିଷୟରେ ସେଥିରେ ଏକ ପାଠ୍ୟକ୍ରମ ରହିଲା । ଯେଉଁ ପିଲାଏ ପରେ ବିଦ୍ୟାଳୟକୁ ଆସିବେ, ସେମାନଙ୍କର ବାପାମାଆ ସେମାନଙ୍କୁ କିପରି ଭାବି ଶିଖାଇବେ, ସେକଥା ମଧ୍ୟ କୁହାଗଲା । ବର୍ତ୍ତମାନ ଏହି ବିଦ୍ୟାଳୟଟି ସ୍ଥାୟୀ ଭାବରେ କାର୍ଯ୍ୟ କରୁଛି ।

 

ପିଲାର ପୂର୍ବପ୍ରାଥମିକ ବର୍ଷଗୁଡ଼ିକରେ, ଯେତେବେଳେ ମାଆ ଓ ବାପା ତା’ର ଏକମାତ୍ର ଶିକ୍ଷାଦାତା ହୋଇ ରହିଥାନ୍ତି, ସେତେବେଳେ ଶିକ୍ଷାଗତ ଜ୍ଞାନର ବିଶେଷ ଭାବରେ ଏକ ମହତ୍ତ୍ୱ ରହିଛି । ଏହି ବିଷୟରେ ବାପାମାଆଙ୍କର ଯେଉଁ ପ୍ରାଥମିକ ଜ୍ଞାନ ରହିଥାଏ ଏବଂ ପିଲାର ଅତି ଜଟିଳ ଆତ୍ମିକ ବିକାଶଟିର ଧାରାକୁ ସେମାନେ ଯେପରି ବୁଝିଥାନ୍ତି, ଦୁଇରୁ ଛଅବର୍ଷ ମଧ୍ୟରେ ହେଉଥିବା ପିଲାର ଆତ୍ମିକ ଜ୍ଞାନ ଅନେକ ପରିମାଣରେ ତାହାରି ଉପରେ ନିର୍ଭର କରିଥାଏ । ପିଲାକୁ କିପରି ଭାବି ଶିଖାଇବାକୁ ହେବ, ସେହିଗୁଡ଼ିକର ଆଲୋଚନାରେ ଆମେ ବହୁତ ସମୟ ଦେଇଥିଲୁ । ବାପାମାଆମାନଙ୍କୁ ଆମେ କେତୋଟି ଅଭ୍ୟାସ ମଧ୍ୟ ଶିଖାଇଥିଲୁ । ବହୁ ବର୍ଷର ଅଭିଜ୍ଞତାକୁ ଭିତ୍ତି କରି ଆମେ ସେମାନଙ୍କୁ ପାରିପାର୍ଶ୍ୱିକ ପୃଥିବୀ ବିଷୟରେ ହଜାରେ ପ୍ରଶ୍ନ ପଚାରିଥିଲୁ । ପିଲାଟି ପ୍ରଶ୍ନ ପଚାରିବା ବେଳେ, ତା’ର ଜିଜ୍ଞାସା ଓ କୌଶଳକୁ ବିକଶିତ କରାଇ ଆଣିବା ଦୃଷ୍ଟିରୁ କିପରି ତାହାର ଉତ୍ତର ଦେବାକୁ ହେବ, ଆମେ ସେଗୁଡ଼ିକୁ ବୁଝାଇ ଦେଇଥିଲୁ । ବାପାମାଆଙ୍କର ଏହି କାର୍ଯ୍ୟକ୍ରମ ସହିତ ସ୍କୁଲକୁ ଆସିନଥିବା ପିଲାଙ୍କ ସକାଶେ ପ୍ରକୃତି-ପରିଭ୍ରମଣର ମଧ୍ୟ ଏକ ଚାଲିବା କାର୍ଯ୍ୟକ୍ରମ ରଖିଥିଲୁ । ସେମାନେ କ’ଣ ସବୁ ଦେଖିବେ, ତାହାର ଏକ ଯୋଜନା କରି ଦେଇଥିଲୁ । ଏହି ପିଲାମାନଙ୍କର ବାପାମାଆଙ୍କ ଭିତରେ ପୁସ୍ତକକୁ ସମ୍ମାନର ଦୃଷ୍ଟିରେ ଦେଖିବାର ଏକ ବାତାବରଣ ଯେପରି ରହିବ, ଆମେ ସେଥିଲାଗି ବିଶେଷ ଦୃଷ୍ଟି ଦେଲୁ ।

 

ବହୁ ବର୍ଷର ଅଭିଜ୍ଞତାରୁ ମୁଁ ଏକଥା ମଧ୍ୟ ଜାଣିଛି ଯେ, କେତୋଟି ବଂଶାନୁଗତ କାରଣ ମଧ୍ୟ ପରେ ବୌଦ୍ଧିକ ଶିକ୍ଷାରେ ଅସୁବିଧାମାନ ସୃଷ୍ଟି କରିଥାଏ । ଯଦି ପିତାମାତା ସୁରାସକ୍ତ ହୋଇଥିବେ, ତେବେ ତାହା ପିଲାର ସମଗ୍ର ଶରୀର ସକାଶେ ଗୋଟିଏ ଭୟଙ୍କର ଶତ୍ରୁ ରୂପେ କାର୍ଯ୍ୟ କରିବ । ଏବଂ, ତାହା ମସ୍ତିଷ୍କ ନିମନ୍ତେ ବିଶେଷ ଭାବରେ କ୍ଷତିକାରକ ହେବ ।

 

ସମସ୍ୟା-ସମାଧାନର ଅନୁକୁଳ ଅବସ୍ଥାଟିଏ ଆସି ପହଞ୍ଚିଲେ ମୁଁ ପ୍ରତ୍ୟେକ ଥର ଭାବନାର ପ୍ରକ୍ରିୟାରେ ମନ୍ଦ ହୋଇ ରହିଥିବା ଏବଂ କଷ୍ଟରେ ମନେ ରଖିପାରୁଥିବା ଏହି ପିଲାମାନଙ୍କୁ ମୋ’ର ଅଧିକ ନିକଟବର୍ତ୍ତୀ କରି ରଖୁଥିଲି । ଶେଷଯାଏ ସେମାନଙ୍କ ନିମନ୍ତେ କେତେ କେତେ ପହେଲିର ଚିନ୍ତା ମଧ୍ୟ କରୁଥିଲି ଏବଂ ନିନାର କ୍ଷେତ୍ରରେ ହିଁ ମୋତେ ସର୍ବପ୍ରଥମ ସଫଳତା ମିଳିଥିଲା ।

 

ଥରେ ଶୀତଦିନେ ଆମେ ମାଛଘର ପାଖରେ ବସିଥାଉ । ପିଲାମାନେ ମାଛମାନଙ୍କୁ ଗଣିବାରେ ବ୍ୟସ୍ତ ଥାଆନ୍ତି । କେତେକଙ୍କ ହିସାବ ବେଶୀ ହେଉଥାଏ ତ ଆଉ କେତେକଙ୍କର କମ୍ ହେଉଥାଏ । ମୁଁ ସେମାନଙ୍କୁ ଗୋଟିଏ ପହେଲି ଆଣିଦେଲି : “ମାଛବାକ୍ସରେ ଭାଇ ଦୁଇଟା ବଡ଼ ଓ ଚାରିଟା ସାନ ମାଛ ଦେଖିଲା । ଭଉଣୀ ଦୁଇଟା ବଡ଼ ଓ ତିନିଟା ସାନ ମାଛ ଦେଖି ପାରୁଥାଏ । ମାଆ ତିନିଟା ବଡ଼ ମାଛ ଓ ପାଞ୍ଚଟା ସାନ ମାଛ ଦେଖିଲେ । ମାଆ ବାକ୍ସରେ ଥିବା ସବୁଯାକ ମାଛଙ୍କୁ ଦେଖିଥିଲେ । ତେବେ କେତୋଟି ମାଛ ଥିଲେ କହିଲ ?” ଅଧିକାଂଶ ପିଲାଙ୍କ ପାଇଁ ପ୍ରଶ୍ନଟି ଖୁବ୍ ସହଜ ଥିଲା, ମାତ୍ର ନିନା ବହୁତ ସମୟ ପାଇଁ ଚିନ୍ତା କରୁଥାଏ । ଶେଷରେ ଭାରି ଖୁସୀରେ ସେ ତାଳିମାରି କହିଲା, “ହଁ, ଭାଇ ଓ ଭଉଣୀ ସବୁ ମାଛଙ୍କୁ ଦେଖି ନଥିଲେ । ତେଣୁ, ସେହି ବାକ୍ସରେ ତିନୋଟି ବଡ ଏବଂ ପାଞ୍ଚୋଟି ସାନ ମାଛ ଥିଲେ । ମାଛମାନେ ଘାସ ଭିତରେ ଅଦୃଶ୍ୟ ହୋଇ ରହିଥିଲେ । ମାତ୍ର ମାଆ ସେମାନଙ୍କୁ ଦେଖି ପାରିଥିଲେ । ଭାଲ୍ୟା ଆଉ ପେଟ୍ରିକ୍ ମଧ୍ୟ ଏହିଭଳି ପ୍ରଶ୍ନ ଓ ଏଗୁଡ଼ିକ ଠାରୁ ଠିକିଏ ଅଧିକ କଷ୍ଟ କେତେର ପ୍ରଶ୍ନର ସମାଧାନ କରିବାକୁ ଆରମ୍ଭ କଲେ ।

 

ଏହିପରି ଭାବରେ ଏହି ପିଲାମାନେ ଯେଉଁ ସଫଳତା ହାସଲ କଲେ, ତାହାକୁ ଅଧିକ ମଜବୁତ କରିବା ସକାଶେ ମୁଁ ସେମାନଙ୍କୁ ଅଧିକ ପ୍ରଶ୍ନମାନ ଦେଇଥିଲି । ଅଧ୍ୟୟନର ତୃତୀୟ ବର୍ଷ ଆମେ ଯେତେବେଳେ କୋଠଚାଷର ଫଳ ବଗିଚାରୁ ଆପଲ୍‍ ତୋଳୁଥିଲୁ, ନିନା ଏହିପରି ଗୋଟିଏ ପହେଲିର ସମାଧାନ କରିଥିଲା: “ତିନିଭାଇ ପଡ଼ିଆରେ ନଡ଼ା କାଟୁଥିଲେ । ଖରାବେଳେ ସେମାନେ ଗୋଟିଏ ଓକ୍ ଗଛ ତଳେ ବିଶ୍ରାମ ନେଉ ନେଉ ଶୋଇ ପଡ଼ିଲେ । ସେମାନଙ୍କର ଭଉଣୀ ମଧ୍ୟାହ୍ନର ଖାଇବା ନେଇ ଆସି ପହଞ୍ଚିଲା : ସିଏ ସୁପ୍ ଆଣିଥିଲା, ପାଉଁରୁଟି ଆଣିଥିଲା, କେତୋଟି ଆପଲ୍‌ ମଧ୍ୟ ଆଣିଥିଲା । ସିଏ ଭାଇମାନଙ୍କୁ ନିଦରୁ ଉଠାଇଲା ନାହିଁ, ଖାଇବାର ଝୁଡ଼ିଟି ସେଇଠି ରଖି ଦେଇ ଚାଲି ଆସିଲା । ସବାବଡ଼ ଭାଇ ଉଠି ଆପଲ୍‍ଗୁଡ଼ିକୁ ଦେଖିଲା । ତାହାକୁ ତିନି ଭାଗରେ ବାଣ୍ଟିଦେଲା । କିନ୍ତୁ ନିଜର ପୂରା ଭାଗଟି ଖାଇଲା ନାହିଁ । ତା’ନିଜର ପ୍ରିୟ ସବା ସାନ ଭାଇ ପାଇଁ ଗୋଟିଏ ବଳକା ରଖିଲା । ତା’ପରେ ଗଡ଼ପଡ଼ ହେଉ ହେଉ ଶୋଇ ପଡ଼ିଲା । ମଝିଆଁ ଭାଇ ତା’ପରେ ଉଠିଲା । ବଡ଼ଭାଇ ଆଗରୁ ଉଠି ଆପଲ୍‌ ଖାଇ ସାରିଛି ବୋଲି ତ ସିଏ ଜାଣି ନଥିଲା । ତେଣୁ ସେ ଯାହା ଥିଲା, ତାହାକୁ ତିନିଭାଗ କରିଦେଲା । ମାତ୍ର, ନିଜ ଭାଗଟିକୁ ସବୁ ଖାଇଲା ନାହିଁ । ସବା ସାନ ଭାଇଟି ପାଇଁ ଗୋଟିଏ ବଳକା ରଖିଦେଲା । .......ତା’ପରେ ପୁଣି ଶୋଇ ପଡ଼ିଲା । ଶେଷକୁ ସବା ସାନ ଉଠିଲା । ଝୁଡ଼ିରେ ସାତୋଟି ଆପଲ୍‌ ରହିଥିବାର ଦେଖି ସେଗୁଡ଼ିକୁ କିପରି ବାଣ୍ଟିବ କିଛି ଠିକ୍ କରି ପାରିଲା ନାହିଁ । ଅନେକ ସମୟ ଭାବିଲା, କିନ୍ତୁ ତଥାପି ଠିକ୍ କରି ପାରିଲା ନାହିଁ । ସେତିକିବେଳେ ଅନ୍ୟ ଭାଇମାନେ ଉଠିଲେ ଓ ସବୁକଥା ବୁଝାଇ କହିଲେ । ତେବେ କହିଲ, ଭଉଣୀ ଘରୁ କେତୋଟି ଆପଲ୍‌ ଆଣିଥିଲା ?”

 

ଆମର ଅଧିକାଂଶ ଗଣିତପ୍ରଶ୍ନ କାମ ବିଷୟରେ ଥିଲା ଏବଂ ପିଲାମାନେ ତା’ସହିତ ଭଲ ଭାବରେ ପରିଚିତ ଥିଲେ । ଏସବୁର ସମାଧାନ କଲାବେଳେ, ସେମାନଙ୍କ ଠାରୁ ବଡ଼ମାନେ କିପରି ହଳ କରୁଥିଲେ, ବିହନ ବୁଣୁଥିଲେ, ଖତ ଦେଉଥିଲେ, ସେଗୁଡ଼ିକୁ ଅମାରରେ ନେଇ ରଖୁଥିଲେ, ଘର ତିଆରି କରୁଥିଲେ ଓ ରାସ୍ତା ମରାମତି କରୁଥିଲେ, ପିଲାମାନେ ସେହି କଥାକୁ ବାରମ୍ବାର ଲକ୍ଷ୍ୟ କରିପାରୁଥିଲେ । ଭାବନା ଓ ସ୍ମୃତିଶକ୍ତିର ବିକାଶ ଅବିଭାଜିତ ଭାବରେ ହେବାରେ ଲାଗିଥିଲା । ଅଧିକାଂଶ ପ୍ରଶ୍ନର ସମାଧାନ କଲାବେଳେ ପିଲାମାନେ ଛବି ଆଙ୍କି ପକାଉଥିଲେ ବା ରେଖା କାଟି ମଡେଲ୍‍ ତିଆରି କରୁଥିଲେ ଓ ସେଗୁଡ଼ିକୁ ନେଇ ଆଲୋଚନା କରାଯାଉଥିଲା । ପିଲାମାନେ ତୃତୀୟ ଶ୍ରେଣୀର ଅଧାଯାଏ ଆସିବା ବେଳକୁ ନିଜ ପ୍ରାଚୀରପତ୍ରରେ ମଧ୍ୟ ପହେଲି ପ୍ରଭୃତି ଲେଖି ବାହାର କଲେ । ଏଥିରେ କଠିନ ଶ୍ରମ ରହିଥିଲା, ପ୍ରତିଯୋଗିତାର ଏକ ଭାବ ମଧ୍ୟ ରହିଥିଲା । ତୃତୀୟ ଶ୍ରେଣୀରେ ଆମର ପ୍ରଥମ ଗଣିତ ଅଲିମ୍ପିକ୍ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସ୍ତରରେ ଗଣିତମାନ ଦିଆଗଲା, ଯେପରିକି ପ୍ରତ୍ୟେକ ପିଲା ଅବଶ୍ୟ କେତୋଟିର ସମାଧାନ କରିପାରିବ । କ୍ରମଶଃ ତାହା ଅନ୍ୟ ଶ୍ରେଣୀଗୁଡ଼ିକର ବି ଦୃଷ୍ଟି ଆକର୍ଷଣ କରିଥିଲା । ଓ ବିଦ୍ୟାଳୟର ସବୁ ଶ୍ରେଣୀ ସେହିପରି କରିଥିଲେ ।

 

“ଆମ ଚତୁର୍ଦ୍ଦିଗସ୍ଥ ପୃଥିବୀର ଗଣିତ ପୁସ୍ତକ”ରୁ ଅଙ୍କଗୁଡ଼ିକୁ କଷୁ କଷୁ ପିଲାମାନଙ୍କ ଭାବନା ଜାଗୃତ ହୋଇ ଆସୁଥିଲା ଓ ସେମାନେ ଭାବି ଶିଖିଲେ । ଯଦି ପିଲାମାନେ ଭାବି ଶିଖି ନଥିବେ, ଯଦି ଭାବନାର ପ୍ରକ୍ରିୟାଟି ସେମାନଙ୍କର ମସ୍ତିଷ୍କକୁ ଟାଣ କରି ନଥିବ, ତେବେ ସେମାନଙ୍କର ଗଣିତ କିମ୍ବା ଅନ୍ୟ କୌଣସି ବିଷୟରେ ବି ଉତ୍ତମ ଜ୍ଞାନ ହୋଇଗଲା ବୋଲି ଆଦୌ କୁହାଯିବ ନାହିଁ ।

 

ଲିଓ ଟଲଷ୍ଟୟ କହୁଥିଲେ, “ଗଣିତରେ ସୂତ୍ର ଓ ସଜ୍ଞାଗୁଡ଼ିକରୁ ଦୂରରେ ରହିବ, ମାତ୍ର ଯେତେ ଅଧିକ ସମ୍ଭବ କର୍ମଅବସର ସୃଷ୍ଟି କରୁଥିବ; ଯାହା ହେଲା, ତାହା ଧାରା ଅନୁସାରେ ହେଲା ନାହିଁ ବୋଲି ନୁହେଁ, ମାତ୍ର ଏହାର ପଶ୍ଚାତରେ କୌଣସି ଭାବନା ନଥିଲେ ଯାଇ ତାହାକୁ ଭୁଲ ବୋଲି କହିବ ।” ଏପରି କହି ସିଏ ଯେ ସଂଜ୍ଞା ଓ ସୂତ୍ରର ବିରୋଧ କରିଛନ୍ତି, ସେକଥା ମୋଟେ ନୁହେଁ । ପ୍ରଥମେ ସେହିପରି ମନେ ହେଉଥିଲେ ମଧ୍ୟ ସିଏ ତାହାର ଠିକ୍ ଓଲଟା କହିଛନ୍ତି । ଟଲଷ୍ଟୟ ଇଚ୍ଛା କରିଛନ୍ତି ଯେ ପିଲା ନିଜର ଚିନ୍ତା ଦ୍ୱାରା ସମସ୍ତ ଧାରା ଓ ସଂଜ୍ଞାର ମର୍ମକୁ ଭେଦ କରିବ । ଯଦି ଶିକ୍ଷକ ଏହିପରି ଗୋଟିଏ ପଦ୍ଧତିକୁ ଗ୍ରହଣ କରେ, ତେବେ ପିଲା ନିଜେ ସଂଜ୍ଞାଗୁଡିକୁ “ଆବିଷ୍କାର” କରିନେବ । ଆବିଷ୍କାରର ସେହି ଆନନ୍ଦଟି ହିଁ ପିଲାର ଭାବନାକୁ ବିକଶିତ କରାଇ ଆଣିବାର ଏକ ବୃହତ୍ ଭୂମିକା ଗ୍ରହଣ କରିଥାଏ । ସ୍ମରଣ ରଖିବା ଉଚିତ୍, କେବଳ ସାନ ପିଲାଙ୍କ ବିଷୟରେ ଟଲଷ୍ଟୟ ଏକଥା କହିଥିଲେ ।

 

ଗଣିତରେ ବୃହତ୍ତର ସଫଳତା ହାସଲ କରିବା ପାଇଁ ଏଇଟିକୁ ହିଁ ଏକମାତ୍ର ପ୍ରଣାଳୀ ରୂପେ ଗ୍ରହଣ କରାଯିବା ଉଚିତ ନୁହେଁ । ପାଠପଢ଼ା ସମୟରେ ଶିକ୍ଷାପ୍ରକ୍ରିୟାରେ ଏହାର କେବଳ ଏକ ସହାୟକ ଭୂମିକା ହିଁ ରହିଛି । ଏହାକୁ ମୁଁ ପ୍ରାଥମିକ ଶିକ୍ଷାର ପ୍ରଧାନ ଲକ୍ଷ୍ୟଟିକୁ ହାସଲ କରିବାରେ ଏକ ସେତୁ ପରି ହିଁ ବିଚାର କଲି । ପିଲାମାନଙ୍କୁ ସହଜ ଜ୍ଞାନ ଏବଂ ପ୍ରାୟୋଗିକ କୌଶଳଚୟର ଏକ ମୋଟାମୋଟି ଅଥଚ ଦୃଢ଼ ଧାରଣା ଆଣିଦେବା,-ଏଇଟି ହେଉଛି ପ୍ରଧାନ ଲକ୍ଷ୍ୟ । ପ୍ରତ୍ୟେକ ବର୍ଷ ପିଲା କ’ଣ ସବୁ ଅବଶ୍ୟ ଶିଖିବ ଓ ମନେ ରଖିବ, ମୁଁ ସେଗୁଡ଼ିକର ନିର୍ଦ୍ଧାରଣ କରି ଦେଇଥିଲି । ଗଣିତରେ ଯେଉଁ ସର୍ବମୂଳ କଥାଟି ଉପରେ ଆହୁରି ଆଗକୁ ରହିଥିବା ଗଣିତଶିକ୍ଷା ନିର୍ଭର କରୁଥାଏ, ସେଇଟି ହେଉଛି, ସଂଖ୍ୟାଗୁଡ଼ିକ ବିଷୟରେ ସୈଦ୍ଧାନ୍ତିକ ଜ୍ଞାନ । ପ୍ରଥମେ ଶ୍ରେଣୀରେ ହିଁ ମୁଁ ଏପରି ଏକ ସ୍ଥିତିରେ ଆସି ପହଞ୍ଚି ଯାଇଥିଲି ଯେଉଁଠାରେ କି ଚିନ୍ତା କରିବା ସକାଶେ ମୋଟେ ନ ଅଟକି ପ୍ରତ୍ୟେକ ଛାତ୍ର ଶହେ ପର୍ଯ୍ୟନ୍ତ ଯେକୌଣସି ମିଶାଣ ଓ ଫେଡ଼ାଣକୁ ଠକ୍ କରି କହି ଦେଇପାରୁଥିଲା । ଏହି ଲକ୍ଷ୍ୟରେ ଆସି ପହଞ୍ଚିବା ସକାଶେ ସଂଖ୍ୟାଗଠନର ବିଶ୍ଳେଷଣ ବିଷୟରେ ଅନେକ ଅଭ୍ୟାସ କରାଇବାକୁ ପଡ଼ିଥିଲା । ଗୁଣନର ଖନ୍ଦା ବିଷୟରେ ଜ୍ଞାନ ବ୍ୟତୀତ ମୁଁ ପ୍ରାଥମିକ ଶ୍ରେଣୀ କିମ୍ବା ତା’ର ପରବର୍ତ୍ତୀ ଶ୍ରେଣୀଗୁଡ଼ିକରେ କୌଣସି ସର୍ଜନାତ୍ମକ କାର୍ଯ୍ୟର କଳ୍ପନା ହିଁ କରି ପାରୁନଥିଲି ।

 

ଭଲ ସ୍ମୃତିଶକ୍ତି ନଥିବା ଗୋଟିଏ ପିଲା ପକ୍ଷରେ ଚିନ୍ତା କରିବା ବା କଳ୍ପନା କରିପାରିବା ଏକ କଷ୍ଟକର ବ୍ୟାପାର । ପିଲାମାନଙ୍କ ସ୍ମୃତିଶକ୍ତିକୁ କିପରି ମଜବୁତ କରିବାକୁ ହେବ, ସେମାନଙ୍କର ଚିନ୍ତାରେ କାମରେ ଲାଗୁଥିବା ସତ୍ୟ ଓ ସାଧାରଣ ସୂତ୍ରଗୁଡ଼ିକୁ ସେମାନେ କିପରି ଉତ୍ତମ ଭାବରେ ବୁଝିପାରିବେ, ସେହି ବିଷୟରେ ମୁଁ ଦୀର୍ଘ ଦିନରୁ ଚିନ୍ତା କରୁଥିଲି । “ଗଣିତ–ବାକ୍ସ”କୁ ସ୍ମୃତିଶକ୍ତିର ବିକାଶ ଲାଗି ଗୋଟିଏ ସାଧନ ରୂପେ ବ୍ୟବହାର କରାଗଲା । ଏହି ଦୃଶ୍ୟ ସହାୟକଟି ଦ୍ୱାରା ପିଲାମାନେ ନିଜ ଗଣିତଜ୍ଞାନର ଠିକ୍ ଭୁ୍ଲ୍ ଜାଣିପାରୁଥିବେ । କାଠର ବର୍ଗଘନମାନ, ଯାହାକୁ ପିଲାଏ ନିଜେ ତିଆରି କରିଥିଲେ, ସେଥିରେ ସଂଖ୍ୟାଗୁଡ଼ିକ ଲେଖା ରହିଥିଲା ଓ ପ୍ରତ୍ୟେକ ପାର୍ଶ୍ୱରେ ଥିବା ସଂଖ୍ୟାଗୁଡ଼ିକର ସମଷ୍ଟି ସମାନ ଥିଲା । ଗୁଣନଖନ୍ଦାଗୁଡ଼ିକୁ ପଇଟାଇ ରଖିବା ପାଇଁ ଏହି “ବାକ୍ସ”ଟି ଖୁବ୍ ସାହାଯ୍ୟ କରିଥିଲା ।

 

ସ୍ମୃତିର ବିକାଶ ଓ ସଂବଳନ ପାଇଁ ଗଣିତ “ଇଲେକ୍ଟ୍ରିନା” ମଧ୍ୟ ଚମତ୍କାର ସାଧନଟିଏ ଥିଲା । ପ୍ରତ୍ୟେକ ପିଲା ଏଇଟି ସାହାଯ୍ୟରେ ମଧ୍ୟ ଗୁଣନଖନ୍ଦାର ପୁନରାବୃତ୍ତି କରୁଥିଲେ ଏବଂ ସଂଖ୍ୟାଗୁଡ଼ିକୁ କହି ଦେଇ ପାରୁଥିଲେ । ତୃତୀୟ ଶ୍ରେଣୀକୁ ଆସି ଏଗୁଡ଼ିକୁ ଆମେ ନିଜେ ତିଆରି କରି ପାରିଲୁ । ଚତୁର୍ଥଶ୍ରେଣୀ ସରିଗଲା ବେଳକୁ ଏଥିରୁ ଚାରୋଟି ତିଆରି ହୋଇ ସାରିଥିଲା । ଭାବନା ସହିତ ହାତରେ କରୁଥିବା କାର୍ଯ୍ୟଟି ଏକାବେଳେକେ ଚାଲୁଥିଲେ, ତାହା ପିଲାର ବୁଦ୍ଧିବିକାଶରେ କେତେ ସାହାଯ୍ୟ କରେ ସେ ବିଷୟରେ ମୋ’ର ପୁନର୍ବାର ବିଶ୍ୱାସ ହୋଇଗଲା । ଏହିସବୁ ଯନ୍ତ୍ର ତିଆରି କରିବା ଫଳରେ ହିଁ ଦୁର୍ବଳ ସ୍ମୃତି ଥିବା ପିଲାମାନଙ୍କର ସ୍ମୃତିଗୁଡ଼ିକ ସବଳ ହୋଇ ପାରିଥିଲା । (ଅବଶ୍ୟ ଚିନ୍ତା କରିବାର ପ୍ରକ୍ରିୟାକୁ ମଜବୁତ୍ କରିବାର ଅନ୍ୟ ସାଧନ ସହିତ ସଂପୃକ୍ତ ଭାବରେ ହିଁ ଏହାର ନିର୍ଦ୍ଦିଷ୍ଟ ଫଳଗୁଡ଼ିକ ପ୍ରାପ୍ତ ହୋଇଥିଲା ।)

 

ଭାବିବାକୁ ଶିକ୍ଷା ଦେବାରେ ଚେସ୍ ଖେଳର ମଧ୍ୟ ବୃହତ୍ ସ୍ଥାନ ରହିଥିଲା । ଶୂରା, ଗାଲ୍ୟା, ସେରୋଝା, ୟୁରା, ଭାନ୍ୟା, ମିଶା ଓ ଆଉ କେତେ ଅନ୍ୟ ପିଲା ଆନନ୍ଦ ପାଠଶାଳା ସମୟରୁ ହିଁ ଚେସ୍ ଖେଳିବା ଆରମ୍ଭ କରି ଦେଇଥିଲେ । ସାନ ଛୁଆଗୁଡ଼ିଙ୍କୁ ଅନେକ ସମୟରେ ଚେସ୍ପାଲି ପାଖରେ ବସିଥିବାର ଦେଖାଯାଉଥିଲା । ଏହି ଖେଳ ଦ୍ୱାରା ଭାବନା ଶୃଙ୍ଖଳିତ ହେଲା, ସଂକେନ୍ଦ୍ରଣ ଶିକ୍ଷା କରାଯାଇପାରିଲା । ମାତ୍ର ସବୁଠାରୁ ଅଧିକ ପରିମାଣରେ ସ୍ମୃତିଶକ୍ତିର ହିଁ ବିକାଶ ହୋଇଥିଲା । ଯେଉଁସବୁ ଚାଲ ଆଗରୁ ଦିଆଯାଇଛି ଓ ପରେ ଯେଉଁଗୁଡ଼ିକୁ ଦେବାର ଅଛି, ସେଗୁଡ଼ିକ ବିଷୟରେ ପିଲାମାନେ କିପରି ଗମ୍ଭୀର ଭାବରେ ଚିନ୍ତା କରୁଥିଲେ, ମୁଁ ତାହା ଲକ୍ଷ୍ୟ କରୁଥିଲି । ଭାଲ୍ୟା, ନିନା ଓ ପେଟ୍ରିକ୍ ମଧ୍ୟ ଚେସ୍ ଖେଳି ଶିଖନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି । ସେମାନଙ୍କୁ ଖେଳଟିକୁ ଶିଖାଇ ଦେଲି । ପିଲାମାନେ ପରବର୍ତ୍ତୀ ଚାଲ୍‍ଟି ବିଷୟରେ ଚିନ୍ତା କଲେ । ଲ୍ୟୁବା ଓ ପାଭେଲ୍ ମଧ୍ୟ ଗଣିତ ମାଧ୍ୟମରେ ଚିନ୍ତା କରିଥିଲେ ବୋଲି ମୁଁ ଏଇଥିରୁ ହିଁ ଜାଣିଲି । ସେମାନେ ତୃତୀୟ ଶ୍ରେଣୀରେ ଚେସ୍ ଖେଳି ନ ଶିଖିବା ପର୍ଯ୍ୟନ୍ତ ସେମାନଙ୍କର ଚିନ୍ତାରେ ମୁଁ କେବେ କୌଣସି କ୍ଷିପ୍ରତା ବା ଦୃଢ଼ତା ଲକ୍ଷ୍ୟ କରି ନଥିଲି ।

 

ଚେସ୍ ଖେଳ ବ୍ୟତୀତ ବୌଦ୍ଧିକ ସାମର୍ଥ୍ୟ ଓ ସ୍ମୃତିଶକ୍ତିର ପୂର୍ଣ୍ଣ ବିକାଶ କଳ୍ପନା କରିହେବ ନାହିଁ । ପ୍ରାଥମିକ ବିଦ୍ୟାଳୟରେ ହିଁ ଖେଳ ବୁଦ୍ଧିବିକାଶର ଏକ ସହାୟକ ଉପାଦାନ ରୂପେ ବ୍ୟବହୃତ ହେବା ଆବଶ୍ୟକ । ଏଠାରେ ଅବଶ୍ୟ ପ୍ରାଥମିକ ବିଦ୍ୟାଳୟର ହିଁ ପ୍ରସଙ୍ଗ ପଡ଼ିଛି, ଯେଉଁ ସ୍ତରରେ କି ବୌଦ୍ଧିକ ଶିକ୍ଷାର ଏକ ବିଶେଷ ସ୍ଥାନ ରହିଛି ଏବଂ ତେଣୁ ତାହା ବିଶେଷ ଛାଞ୍ଚ ତଥା କର୍ମପଦ୍ଧତି ଆବଶ୍ୟକ କରୁଛି ।

Image

 

ଆମର ପୃଥିବୀ–‘ପରିକ୍ରମା’

 

ପିଲାର ମାନସିକ ଦୃଷ୍ଟି ଯେପରି ତା’ର ଘରପାଖରେ ଥିବା ବିଲ ଓ ବଣ ଠାରୁ କ୍ରମଶଃ ପ୍ରଶସ୍ତ ହୋଇଯାଇ ନିଜର ଦେଶ ଓ ସମଗ୍ର ପୃଥିବୀ ଆଡ଼କୁ ବିସ୍ତାରିତ ହୋଇଯିବ, ପ୍ରାଥମିକ ସ୍ତରର ଜଣେ ଶିକ୍ଷକ ସେଥିପ୍ରତି ଅବଶ୍ୟ ଦୃଷ୍ଟି ଦେବ ।

 

ପୃଥିବୀ ଗୋଟିଏ ବୃହତ୍‍କାୟ ପେଣ୍ଡୁ ପରି ସୂର୍ଯ୍ୟ ଚାରିପାଖରେ ଯେ ବୁଲୁଛି, ପ୍ରଥମ ଶ୍ରେଣୀରୁ ହିଁ ପିଲାମାନେ ବେଶ୍ ଭଲ ଭାବରେ ତାହା ବୁଝି ଯାଇଥିଲେ । ଅର୍ଥାତ୍, ପୃଥିବୀରେ ଏକା ସମୟରେ ଗୋଟାଏ ପାଖରେ ଗ୍ରୀଷ୍ମର ପ୍ରବଳ ଗରମ ରହିଛି ତ ଅନ୍ୟ ପାଖରେ ଉକ୍ରଟ ଶୀତକାଳ ରହିଛି; କେତେକ ସ୍ଥାନରେ ରାତି ହୋଇଛି ତ ଆଉ କେତେକ ସ୍ଥାନରେ ଦିନ ହୋଇଛି । ଦ୍ୱିତୀୟ ଶ୍ରେଣୀରୁ ଆମର ପୃଥିବୀ ମଧ୍ୟକୁ “ଯାତ୍ରାମାନ” ଆରମ୍ଭ ହୋଇଗଲା । ପିଲାମାନେ “ସବୁଜ ଶ୍ରେଣୀଗୃହ” ଆଗରେ ବସୁଥିଲେ, ସେମାନଙ୍କ ଆଗରେ ଗୋଟିଏ ବଡ଼ ଗ୍ଲୋବ୍ ରଖା ଯାଇଥିଲା ଓ କୁତ୍ରିମ ଭାବରେ ଆଲୋକିତ ସୂର୍ଯ୍ୟ ମଧ୍ୟ ରହିଥିଲା । “ପୃଥିବୀ” ସୂର୍ଯ୍ୟ ଚାରିପାଖରେ ବୁଲୁଥିଲା ଓ “ଚନ୍ଦ୍ର” ପୃଥିବୀର ଚାରିପାଖରେ ବୁଲୁଥିଲା । ଆମ ନିଜ ଦେଶଟିକୁ ଦେଖାଇ ଦେଇ ମୁଁ କହିଲି, “ପିଲାମାନେ, ଆମେସବୁ ଏଇ ଦେଶରେ ବାସ କରୁଛୁ । ଆମର ବାସସ୍ଥାନ ଦେଶର ପଶ୍ଚିମ ସୀମା ଠାରୁ ଖୁବ୍ ବେଶୀ ଦୂର ନୁହେଁ; ତେଣୁ ଆମେ ଏହିଠାରୁ ଏକ ଦୀର୍ଘଯାତ୍ରାରେ ପୂର୍ବ ଆଡ଼କୁ ବାହାରିବା–ବାଟରେ ନଗର ଓ ସହରମାନଙ୍କୁ ଦେଖିବା,–ଲୋକମାନେ କିପରି ବସବାସ କରୁଛନ୍ତି ଦେଖିବା ।” ମୁଁ ତା’ପରେ ସେମାନଙ୍କୁ ଆମ ବାଟରେ ପଡ଼ୁଥିବା ପ୍ରାନ୍ତର ଓ ନଦୀମାନଙ୍କ ବିଷୟରେ ଓ ଲୋକବସତି ଗୁଡ଼ିକ ବିଷୟରେ କହିଥିଲି । ମୁଁ କହୁଥିବା ସଙ୍ଗେ ସଙ୍ଗେ ଛବି ଓ ଫିଲ୍ମମାନ ମଧ୍ୟ ଦେଖାଯାଉଥିଲା ।

 

ସନ୍ଧ୍ୟା ହୋଇ ଆସୁଥାଏ, ଏବଂ ଏହି ଯାତ୍ରାରେ ଆମେ କେତେବେଳେ ଯେ ଦୁଇଘଣ୍ଟା ସମୟ କଟାଇ ସାରିଲୁଣି, ସେକଥା ମୋଟେ ଜଣାପଡ଼ୁନଥାଏ । ଆମେ ତ ମୋଟେ ଶହେ କିଲୋମିଟର ବି ଯାଇନଥାଉ । “ଯାତ୍ରା” ଆହୁରି ଆଗକୁ ଚାଲିବ ବୋଲି ପିଲାମାନେ ଅଧୀର ହୋଇ ଅପେକ୍ଷା କରିଥାନ୍ତି ।

 

.....ପୁଣି ଆମେ ନଗର, ସହର, ଜଙ୍ଗଲ, ନଦୀ, ତିଆରି ହେଉଥିବା ଯୋଜନା ଓ ପୁରାତନ ଅଟ୍ଟାଳିକାଗୁଡ଼ିକୁ ଦେଖିବାରେ ଲାଗିଗଲୁ । ମାତ୍ର, ଯାତ୍ରାଟି ତଥାପି ନୀରସ ଲାଗୁନଥାଏ । ସବୁ ନୂଆ ନୂଆ ମନେ ହେଉଥାଏ । ଏହିପରି ଅନେକ ଦିନ “ଯାତ୍ରା” କରିବା ପରେ ଆମେ ଭଲ୍‍ଗା ନଦୀ ପାଖରେ ଯାଇ ପହଞ୍ଚିଲୁ । ଭଲ୍‍ଗା କୂଳରେ ଆମେ ଜଳବିଦ୍ୟୁତ୍ ଉତ୍ପାଦନର କେନ୍ଦ୍ରଗୁଡ଼ିକୁ ଦେଖିଲୁ । ବିସ୍ତୀର୍ଣ୍ଣ ତୃଣଭୂମିରେ ମେଷପାଳକମାନଙ୍କୁ ଭେଟିଲୁ । ପିଲାମାନେ ସତେଅବା ଗୋଟିଏ ନିଃଶ୍ୱାସରେ ଷ୍ଟାଲିନ୍‍ଗ୍ରାଡ଼ର୍ (ବର୍ତ୍ତମାନ ଭୋଲଗୋଗ୍ରାଡ଼୍‍) ସେହି ମହାନ୍ ଯୁଦ୍ଧ କଥା ଶୁଣୁଥାନ୍ତି । ଯଦି ସେଠାରେ ହଜାର ହଜାର ବୀର ଛିଡ଼ା ହୋଇ ମୃତ୍ୟୁବରଣ କରିନଥାନ୍ତେ, ନିଷ୍ଠୁର ବଳବାନ୍ ଶତ୍ରୁର ଫଉଜକୁ ପଛକୁ ହଟାଇ ଦେଇ ନଥାନ୍ତେ, ସେମାନେ ଯଦି ତା’ର ମେରୁଦଣ୍ଡକୁ ଭାଙ୍ଗିଦେଇ ନଥାନ୍ତେ, ତେବେ ଆମେ ସେଦିନ କଦାପି ଆମ ଶ୍ରେଣୀଗୃହରେ ଏଡ଼େ ଆରାମରେ ବସି ପାରିନଥାନ୍ତୁ । ଏକାବେଳେକେ ଶୈଶବ ସମୟରୁ ହିଁ ପିଲାମାନଙ୍କୁ ମନୁଷ୍ୟଜାତିର ଭାଗ୍ୟ ବିଷୟରେ କରାଯାଉଥିବା ପ୍ରୟାସ ତଥା ଭାବନାର କ୍ଷେତ୍ର ମଧ୍ୟରେ ପ୍ରବେଶ କରାଇବାକୁ ପଡ଼ିବ । ସେମାନଙ୍କର ଅଜା ଓ ପଣଅଜାମାନଙ୍କର ବୀରତ୍ୱ ଏହି ପିଲାମାନଙ୍କୁ ଏହି କଥାଟିକୁ ଦୃଢ଼ ଭାବରେ କହି ଦେଇପାରୁ ଯେ, ଭାଗ୍ୟର ଘୂଣ୍ଣିବାୟୁରେ ଜଣେ ମନୁଷ୍ୟ କଦାପି ଏକ ଅସହାୟ ଧୂଳିକଣା ନୁହେଁ, ସିଏ ପ୍ରକୃତରେ ଏକ ମହାନ୍ ଶକ୍ତି ।

 

ପିଲାମାନେ ସେମାନଙ୍କର ଦେଶ ଭିତରେ ଅଧିକ ଗଭୀର ଭାବରେ ପ୍ରବେଶ କରିଥିଲେ ଏବଂ ସେମାନଙ୍କ ସମ୍ମୁଖରେ ଏକ ନୂତନ ଚିତ୍ର ଉନ୍ମୋଚିତ ହୋଇ ଯାଇଥିଲା; ସେମାନେ ସମୃଦ୍ଧିରେ ପରିପୂର୍ଣ୍ଣ ୟୁରାଲ୍ ପର୍ବତଶ୍ରେଣୀରେ ଯାଇ ପହଞ୍ଚିଲେ, –ତାହାର ଅସରନ୍ତି ଖଣିଜ ସମ୍ପଦ, ରହସ୍ୟମୟ ଟାଇଗାର ଅରଣ୍ୟ ଏବଂ ସାଇବିରିଆର ବୃହତ୍‍ ନଦୀସମୂହକୁ ଯାଇ ଭେଟିଥିଲେ । ଏକାଧିକ ଦିନ ପାଇଁ ଆମେ ନାନାବିଧ ପ୍ରସ୍ତରର ସୁନ୍ଦର ଭୂମିଟିରେ ଭ୍ରମଣ କରିଥିଲୁ, –ଏବଂ ନୂତନ ଖଣିଜର ସନ୍ଧାନ କରୁଥିବା ଭୂତତ୍ତ୍ୱବିତ୍‍ମାନେ ଆମ ସହିତ ରହିଥିଲେ । ତା’ପରେ ବୈକାଲ୍ ହ୍ରଦରେ ଷ୍ଟୀମର୍ ଚଢ଼ି ବୁଲିଲୁ, –ତା’ର ସୁନ୍ଦର ପର୍ବତ ଓ ଅରଣ୍ୟଗୁଡ଼ିକୁ ଦେଖି ମୁଗ୍ଧ ହେଲୁ, ସେଇଠି ରାତିରେ ନିଆଁ ଜାଳି ଗୋଟିଏ ଜାଗାରେ ଅବସ୍ଥାନ କଲୁ । ...ଆହୁରି ଆଗକୁ ଯାଇ ଦୂର ପୂର୍ବାଞ୍ଚଳର ସମ୍ପଦଗୁଡ଼ିକ ପିଲାମାନଙ୍କ ସମ୍ମୁଖରେ ଅନାବୃତ ହୋଇ ଯାଇଥିଲା । ଏବଂ ତା’ପରେ ସମୁଦ୍ର ପଡ଼ିଲା । ଏକ ସମୁଦ୍ରୀ ଜାହାଜରେ ବସି ଆମେ ସାଖାଲିନ୍ ଗଲୁ, କିଉରାଇଲ୍ ଦ୍ୱୀପପୁଞ୍ଜ ଦେଖିଲୁ । ସେହିଠାରେ ହିଁ ଆମ ଦେଶରେ ଦିବସର ଆରମ୍ଭ ହୁଏ । ଏହି ଭ୍ରମଣ ଆମକୁ ପ୍ରାୟ ତିନିମାସ ଲାଗିଲା ଏବଂ ପ୍ରତ୍ୟହ ଆମେ ୧୦୦ କିଲୋମିଟର ପଥ ଅତିକ୍ରମ କରୁଥିଲୁ । ବାଟରେ ଆମର ଚାଳିଶରୁ ଅଧିକ ଜାତିଙ୍କ ସହିତ ଭେଟ ହେଲା । ସେମାନେ ସମସ୍ତେ କେଡ଼େ ଚମତ୍କାର ମଣିଷ,–ଚାଷୀ, ମିସ୍ତ୍ରୀ, ଖଣିଶ୍ରମିକ, ମାଛଧରାଳି, ଏବଂ ଭୂତତ୍ତ୍ୱବିତ୍ । ଏବଂ, ଆମେ ଯେପରି ସୁଖରେ ଜୀବନଧାରଣ କରିପାରିବୁ, ସେଥିପାଇଁ ସେମାନେ ସମସ୍ତେ କାର୍ଯ୍ୟ କରୁଥିଲେ । ପିଲାମାନେ ଖୁବ୍ ଗର୍ବ ଅନୁଭବ କରୁଥାନ୍ତି : ଥରେ ଦେଖିଲ, ଆମ ଦେଶ କେଡ଼େ ବିରାଟ, କେତେ ବିସ୍ତୃତ, ସମୃଦ୍ଧ ଏବଂ ବନ୍ଧୁପୂର୍ଣ୍ଣ ।

 

ଆମେ ଆଉ କେତେ ଥର ମଧ୍ୟ ଆମ ଦେଶର ଭ୍ରମଣ କରିଥିଲୁ । ଉତ୍ତର ଦିଗକୁ ଯାଇ ତୁନ୍ଦ୍ରାଞ୍ଚଳ ଓ ଶକ୍ତିଶାଳୀ ମେରୁ ମହାସାଗରକୁ ଦେଖିଲୁ; ସାହସୀ ମେରୁ-ଆବିଷ୍କାରକବୃନ୍ଦ, ବଲ୍‍ଗା ହରିଣମାନଙ୍କର ଚରାଳି ଏବଂ କାଠକଟାଳି ମାନଙ୍କୁ ସାକ୍ଷାତ କଲୁ । ପଶ୍ଚିମ ଦିଗରେ ଆମ ସହିତ ବାସ କରୁଥିବା ହୁଜୁଲ୍‍ମାନଙ୍କୁ ଭେଟିଲୁ । ପର୍ବତ ଉପରେ ଥିବା ତୃଣଭୂମିଗୁଡ଼ିକୁ ଦେଖି ମୁଗ୍ଧ ହେଲୁ-। ଦକ୍ଷିଣରେ କକେସସ୍ ପର୍ବତମାଳା ଦେଇ ମଧ୍ୟଏସିଆର ସମତଳ ଭୂମିକୁ ମଧ୍ୟ ଯାଇଥିଲୁ-

 

ବାଟରେ ଏହିପରି ଗୋଟାଏ ବର୍ଷ ବିତିଗଲା । ତା’ପରେ “ଆମ ଦେଶ” କହିଲେ ପିଲାମାନଙ୍କର ମନ ଭିତରେ ଉଜ୍ଜ୍ୱଳ ଛବିମାନ ପୂର୍ଣ୍ଣ ହୋଇ ରହିବାକୁ ଲାଗିଲା, ରୁଷିଆର ଜନସମୂହଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର କଥା ଶୁଣି ସେମାନେ ଗର୍ବ ଅନୁଭବ କଲେ । ଆମକୁ ଦେଖି ଅନ୍ୟ ପ୍ରାଥମିକ ଶ୍ରେଣୀର ଶିକ୍ଷକମାନେ ମଧ୍ୟ ଏହିଭଳି “ଭ୍ରମଣ” ଗୁଡ଼ିକରେ ବାହାରିଥିଲେ । “ନିଜ ଭୂମି” ସହିତ ଆମ ଦେଶର ଲୋକମାନଙ୍କର ଯେଉଁ ମହାନ୍ ବିଜୟସବୁ ଗୁନ୍ଥା ହୋଇ ରହିଥିଲା, ଆମ ପିଲାମାନେ ସେଗୁଡ଼ିକର ତାତ୍ପର୍ଯ୍ୟକୁ ମଧ୍ୟ ବୁଝି ପାରିଥିଲେ ।

 

ତା’ପରେ ଆମ ଦେଶର ସୀମା ଡେଇଁ ଆମେ ଅନ୍ୟ ଦେଶଗୁଡ଼ିକୁ “ଭ୍ରମଣ” କରି ବାହାରିଥିଲୁ । ପୃଥିବୀର ବିଭିନ୍ନ ଅଞ୍ଚଳରେ ପ୍ରକୃତି କିପରି ବିବିଧ ଏବଂ ସୁନ୍ଦର, ପିଲାମାନଙ୍କୁ ମୁଁ ସେହିକଥା ଦେଖାଇ ଦେବାକୁ ଇଚ୍ଛା କରୁଥିଲି । ପୃଥିବୀର ଭିନ୍ନ ଭିନ୍ନ ଜନସମୂହଙ୍କ ମଧ୍ୟରେ ଯାହାକିଛି ଭଲ ରହିଛି, ସେମାନଙ୍କର କଳା ଓ ସଂସ୍କୃତି ତଥା ସେମାନେ କହୁଥିବା ବହୁବିଧ ଭାଷା ବିଷୟରେ ପିଲାଙ୍କ ଭିତରେ ଏକ ଆଗ୍ରହ ଜାତ କରାଯାଇଥିଲା । ଯେଉଁସବୁ ଦେଶରେ ସର୍ବଦା ଗ୍ରୀଷ୍ମଋତୁ ରହିଥାଏ, ପ୍ରଥମେ ଆମେ ସେହି ଦେଶଗୁଡ଼ିକୁ ଗଲୁ, ଏହିପରି ଭାବରେ ପିଲାମାନେ ମିଶର, ଭାରତ, ସିଂହଳ ଓ ଇଣ୍ଡୋନେସିଆର ଲୋକଙ୍କର ଜୀବନଧାରା, ସଂସ୍କୃତି ଏବଂ କରଣିମାନ ବି ଦେଖିଥିଲେ । ସତେ ଯେପରି ଡେଙ୍ଗା ଡେଙ୍ଗା ଡାଳଗଛର ତୋଟାମାନଙ୍କରେ ଭ୍ରମଣ କରୁଥିଲେ-। ବିଷୁବ ମଣ୍ଡଳୀୟ ଉତ୍ତପ୍ତ ସୂର୍ଯ୍ୟକୁ ଅନୁଭବ କରୁଥିଲେ, ଧୂଆଁଳିଆ ବର୍ଷାର ଅନୁଭୂତି ଲାଭ କଲେ, ସେହି ଦେଶଗୁଡ଼ିକରେ ଶ୍ରମିକମାନଙ୍କର ଜୀବନ ସହିତ ପରିଚିତ ହୋଇଥିଲେ । ପିରାମୀଡ୍‍ର ଦେଶ ମିଶରକୁ ଆମର ଭ୍ରମଣ ଅତ୍ୟନ୍ତ ଆକର୍ଷକ ଥିଲା । ଏହିପରି ଭାବରେ ଆମେ ତା’ପରେ ମଧ୍ୟ ଇଉରୋପ, ତୁରସ୍କ, ଇରାନ୍, ଆଫଗାନିସ୍ଥାନ୍‍, ଜାପାନ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଚାଲିଗଲୁ: କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ଦେଖି ଆସିଲୁ-

 

ପିଲାମାନଙ୍କୁ କେଡ଼େ ଭଲ ଲାଗିଲା । ଲୋକମାନେ ଯେଉଁଠାରେ ବାସ କରୁଥାନ୍ତୁ, ସେମାନଙ୍କର ଚମର ରଙ୍ଗ ଯାହା ହୋଇଥାଉ ଓ ସେମାନେ ଯେଉଁ ଭାଷା କହୁଥାନ୍ତୁ ପଛକେ, ସେମାନେ ସମସ୍ତେ ଶ୍ରମ କରୁଥିଲେ, ପିଲାମାନଙ୍କର ପ୍ରତିପାଳନ କରୁଥିଲେ ଓ ସୁଖର ସ୍ୱପ୍ନମାନ ଦେଖୁଥିଲେ ।

 

ପୃଥିବୀଯାକ “ଭ୍ରମଣ” କରି ପିଲାମାନେ ଦେଖିବାକୁ ପାଇଥିଲେ ଯେ ପୃଥିବୀରେ ସବୁ ମନୁଷ୍ୟ ଆଦୌ ସୁଖରେ ନାହାନ୍ତି । ଏପରି ଦେଶମାନ ରହିଛି, ଯେଉଁଠାରେ କି ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ଉପରେ ଅତ୍ୟାଚାର କରୁଛି, ଯେଉଁଠାରେ ଲୋକେ ଦରିଦ୍ର ହୋଇ ରହିଛନ୍ତି, ଭୋକିଲା ଅଛନ୍ତି । ସମାଜରେ ବହୁତ ଅନ୍ୟାୟ ରହିଛି । ପୃଥିବୀର ସବୁ ଅଞ୍ଚଳରେ ଶୋଷକ ଓ ଶୋଷିତମାନଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଲାଗି ରହିଛି । ବହୁତ ଲୋକ ଏବେ ମଧ୍ୟ ଶୋଷକମାନଙ୍କ ପାଖରେ ଦାସ ହୋଇ ରହିଛନ୍ତି, ପରାଧୀନତା ଭୋଗ କରୁଛନ୍ତି ବୋଲି ମୁଁ ପିଲାମାନଙ୍କୁ ଅନୁଭବ କରି ଶିଖାଇଥିଲି ।

 

ଯେତେବେଳେ ପୃଥିବୀରେ ଜଣେ ମଣିଷ ଆଉ ଜଣେ ମଣିଷକୁ ଶୋଷଣ କରୁଛି, ସେତେବେଳେ ଆମେ ସବୁ ମଣିଷଙ୍କୁ ଭଲ ପାଇବା ବୋଲି ସମ୍ଭବତଃ ଶିକ୍ଷା ଦିଆଯାଇ ପାରିବ ନାହିଁ, କାରଣ ସେତେବେଳ ଯାଏ ସବୁ ମଣିଷ କହିଲେ ଆଦୌ କିଛି ବୁଝାଇବ ନାହିଁ, କେବଳ ଶୋଷିତ ଏବଂ ଶୋଷକଙ୍କୁ ବୁଝାଇବ । ଆମ ନିଜ ଦେଶର ଅଦୂର ଅତୀତକୁ ଏକ ଭ୍ରମଣରେ ଯାଇ ମୁଁ ପିଲାମାନଙ୍କୁ ଆମ ଦେଶର ଜନଗଣଙ୍କର ମୁକ୍ତିଲାଗି କରିଥିବା ସଂଘର୍ଷ ବିଷୟରେ କହିଥିଲି । ଏହା ଅତ୍ୟନ୍ତ ମହତ୍ତ୍ୱପୂଣ୍ଣ ଯେ, ଯେଉଁ ବ୍ୟକ୍ତିମାନେ ଉଚ୍ଚ ଏବଂ ପବିତ୍ର ବିଚାରଗୁଡ଼ିକ ନିମନ୍ତେ ପ୍ରାଣବଳି ଦିଅନ୍ତି, ସେହିମାନେ ହିଁ ଆମ ଛାତ୍ରମାନଙ୍କର ଆଦର୍ଶ ହୋଇ ରହିଥିବା ଉଚିତ । ଏବଂ, ଯେଉଁମାନେ ପ୍ରତିବାଦ ନକରି ଅତ୍ୟାଚାରକୁ ସହିଯାଆନ୍ତି, ସେମାନଙ୍କ ପ୍ରତି ଘୃଣା ଅନୁଭବ କରିବା ଉଚିତ । ଏହି ପୃଥିବୀରେ ଲୋକମାନେ ହିଁ ଅଛନ୍ତି, ଶ୍ରମ କରୁଛନ୍ତି ଏବଂ ଏକ ସୁଖପୂର୍ଣ୍ଣ ଭବିଷ୍ୟତ ନିମନ୍ତେ ସଂଘର୍ଷ କରୁଛନ୍ତି, ପିଲାର ସମ୍ମୁଖରେ ସେହି ଚିତ୍ରଟିକୁ ସ୍ପଷ୍ଟ କରି ଦିଆଯାଉଥିବା ଉଚିତ ।

 

ଜାପାନରେ ଭ୍ରମଣ କଲାବେଳେ, ୧୯୪୫ ମସିହାରେ ହିରୋଶିମାରେ ଆଣବିକ ବୋମା ପଡ଼ିବା ପରେ ସହସ୍ର ସହସ୍ର ମନୁଷ୍ୟ କିପରି ତେଜଷ୍କ୍ରିୟତା ଦ୍ୱାରା ଆକ୍ରାନ୍ତ ହୋଇଥିଲେ, ପିଲାମାନେ ସେକଥା ଜାଣିବାକୁ ପାଇଥିଲେ । ମୁଁ ସେମାନଙ୍କୁ ସେହି ଦେଶର କୁନି ଝିଅ ସାଡାକୋ ସାସାଜି ବିଷୟରେ ବି କହିଲି, ଯିଏକି ସେଥିଲାଗି ସାଂଘାତିକ ରୋଗରେ ଶଯ୍ୟାଶାୟୀ ହୋଇ ରହିଥିଲା । ଆମ ପିଲାମାନେ ସୁଦୂରରେ ଥିବା ସେମାନଙ୍କର ଏହି କୁନି ଭଉଣୀଟି ପାଇଁ ଗଭୀର ଦୁଃଖ ଅନୁଭବ କରିଥିଲେ । ମୁଁ ସେମାନଙ୍କୁ ଖବଗକାଗଜରୁ ସାଡାକୋ ବିଷୟରେ ଗପଟିଏ ପଢ଼ି ଶୁଣାଇଥିଲି । ସିଏ କିପରି କାଗଜକୁ ଏକ ହଜାର ବଗ ତିଆରି କରିବ ବୋଲି ଲକ୍ଷ୍ୟ ରଖିଛି, ପିଲାମାନେ ସେକଥା ଜାଣିଲେ । (ଜାପାନର ଲୋକପରମ୍ପରା ଅନୁସାରେ ଯେଉଁ ମଣିଷ ନିଜ ହାତରେ ହଜାରଟି ବଗ ତିଆରି କରି ପାରିବ, ସିଏ ସର୍ବଦା ସୁଖୀ ହିଁ ରହିବ ।) ଇଉକ୍ରେନରେ ଲୋକମାନଙ୍କ ଭିତରେ ବି ସେହିଭଳି ଗୋଟିଏ ବିଶ୍ୱାସ ଅଛି : ନିଜର ପିଲାଟିଏ ବେମାର ପଡ଼ିଥିଲେ ତା’ର ସ୍ନେହଶୀଳା ମାଆ ଜରି କାଗଜରୁ କେତୋଟି ଚାତକପକ୍ଷୀ ତିଆରି କରିଦେଲେ ଝିଅର ଦେହ ଭଲ ହୋଇଯାଏ । ତେଣୁ, ସାନ ପୁଅଝିଅମାନେ ଏହିପରି ଚାତକପକ୍ଷୀ ତିଆରି କରି ସୁଦୂର ଜାପାନକୁ ପଠାଇଥିଲେ । ...କେତେ ବର୍ଷ ପରେ ଏମାନେ ବଡ଼ ହୋଇ ଯୁବକ ଓ ଯୁବତୀ ହୋଇଗଲେ, ତଥାପି ସାଡାକୋର ସ୍ୱାସ୍ଥ୍ୟ ବିଷୟରେ କିଛି ସମ୍ବାଦ ପାଇବାକୁ ସର୍ବଦା ଉଦ୍‍ଗ୍ରୀବ ହୋଇ ରହିଥିଲେ । ସିଏ ସଂସାରରୁ ଚାଲିଗଲା ବୋଲି ଦୁଃସମ୍ବାଦ ପାଇ ସେମାନେ ତାହାକୁ ସତେଅବା ନିଜର ବ୍ୟକ୍ତିଗତ କେହି ଚାଲିଗଲା ପରି ଅନୁଭବ କରିଥିଲେ ।

 

ପୃଥିବୀ କହିଲେ ପିଲା ଆଗରେ ଯେଉଁ ଚିତ୍ରଟି ସର୍ବଦା ସ୍ପଷ୍ଟ ହୋଇଉଠେ, ତାହା କେବଳ ସମୁଦ୍ର, ମହାସମୁଦ୍ର, ମହାଦେଶ ଓ ଦ୍ୱୀପ, ଦେଖି ନଥିବା ଗଛ ଓ ଜନ୍ତୁ, ଉତ୍ତରମେରୁର ଆଲୋକ ଏବଂ ଗ୍ରୀଷ୍ମପ୍ରଧାନ ଦେଶଗୁଡ଼ିକର ଉତ୍ତପ୍ତ ଗ୍ରୀଷ୍ମକାଳର ହିଁ ସମାହାର ନୁହେଁ । ସର୍ବପ୍ରଥମେ ପୃଥିବୀ କହିଲେ ମଣିଷମାନଙ୍କୁ ହିଁ ବୁଝାଇବ, ଏକ ସୁଖମୟ ଭବିଷ୍ୟ ନିମନ୍ତେ ମୋତେ କରୁଥିବା ଶ୍ରମ ଓ ସଂଘର୍ଷକୁ ବୁଝାଇବ । ସେହି ପୃଥିବୀ ମଧ୍ୟରେ ପିଲାମାନେ କେବଳ ଅନାସକ୍ତ ପର୍ଯ୍ୟବେକ୍ଷକ ପରି ଆଦୌ ପ୍ରବେଶ କରିବେ ନାହିଁ, କେବଳ କେଉଁଠି କ’ଣ ହେଉଛି ଜାଣିବେ ନାହିଁ କିମ୍ବା ଏଇଟା ସେଇଟା ବିଷୟରେ ଆଲୋଚନା କରିବେ ନାହିଁ, ସେମାନେ ମନୁଷ୍ୟମାନଙ୍କ ସହିତ ନିଜକୁ ମଧ୍ୟ ଭାଗୀ କରି ଶିଖିବେ ।

 

ନିଜ ଦେଶରେ ଏହିସବୁ “ଭ୍ରମଣ” କରୁଥିବା ସମୟରେ ଆମେ ପିଲାମାନଙ୍କୁ ବହୁତଗୁଡ଼ାଏ ତଥ୍ୟ ଏବଂ ବିବରଣକୁ “ଗିଳାଇଦେବା” ବିଷୟରେ ସବୁବେଳେ ସାବଧାନ ରହିବା । “ଏହି ପୃଥିବୀ ଏବଂ ସୂର୍ଯ୍ୟର ଓଜନ କେତେ, ସୂର୍ଯ୍ୟର ଗର୍ଭରେ କ’ଣ ସବୁ ରହିଛି, ମନୁଷ୍ୟ ଏବଂ ଉଦ୍ଭିଦଗୁଡ଼ିକର କୋଷଗୁଡ଼ିକ କିପରି ତିଆରି ହୋଇଛି ଏବଂ ମନୁଷ୍ୟମାନେ କ’ଣ ସବୁ ବିଚିତ୍ର ମେସିନ୍ ତିଆରି କରିବେ ବୋଲି ଭାବୁଛନ୍ତି, ବିଜ୍ଞାନର ଏଇସବୁ କଥାକୁ ଏଡ଼ି ରହିବାକୁ ହେବ ।” –ଲେଓ ଟଲଷ୍ଟୟ ସାନ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ସିଏ ଏପରି ଲେଖିବା ପରେ ବହୁବର୍ଷ ଅତିବାହିତ ହୋଇଗଲାଣି, ଏବଂ ବିଜ୍ଞାନର ବହୁ ବିଶାଳ ସଫଳତା ଫଳରେ ଏବେ ପୃଥିବୀକୁ ଆଉ ମୋଟେ ଚିହ୍ନି ହେଉନାହିଁ । ମାତ୍ର, ତଥାପି ଟଲଷ୍ଟୟଙ୍କର ପରାମର୍ଶଟିର ତଥାପି ମୂଲ୍ୟ ରହିଛି । ପିଲାମାନଙ୍କୁ ଏପରି କୌଣସି କାହାଣୀ କୁହାଯିବ ନାହିଁ, ଯାହା ସେମାନଙ୍କୁ ବିମୁଢ଼ କରିଦେବାର କୌଣସି ଆଶଙ୍କା ରହିଥିବ ।

Image

 

ପିଲାକୁ ବୁଦ୍ଧିଗତ ଶ୍ରମର ଆନନ୍ଦ ଦିଅ, ଏବଂ ଅଧ୍ୟୟନରେ ସଫଳତା ଲାଭ କରିବାର ଖୁସୀଟିକୁ ମଧ୍ୟ ଦିଅ

 

ଗୋଟିଏ ଛାତ୍ରର ବୁଦ୍ଧିଗତ ଶ୍ରମ, ଅଧ୍ୟୟନରେ ତା’ର ଯାବତୀୟ ସଫଳତା ଓ ବିଫଳତା,–ଏଗୁଡ଼ିକ ତା’ର ଆତ୍ମିକ ଜୀବନ, ତା’ର ଅନ୍ତର୍ଗତ ପୃଥିବୀକୁ ହିଁ ବୁଝାଇଥାଏ ଏବଂ, ସେଇଟି ଆଡ଼କୁ ଯଥେଷ୍ଟ ଦୃଷ୍ଟି ନରଖିଲେ ପରିଣାମ ଦୁର୍ଭାଗ୍ୟଜନକ ହୋଇପାରେ । ସିଏ ଯେ କିଛି ଖୋଜିପାଏ ବା କିଛି ସାମଗ୍ରୀ ଉପରେ ଦଖଲ ଅର୍ଜନ କରେ ତା’ନୁହେଁ, ସିଏ ତା’ କାର୍ଯ୍ୟଟିକୁ ଅନୁଭବ ବି କରୁଥାଏ, ସଫଳତା ଓ ବିଫଳତା ସହିତ ରହିଥିବା ତା’ର ଏକ ବ୍ୟକ୍ତିଗତ ସମ୍ବନ୍ଧକୁ ବ୍ୟକ୍ତ କରୁଥାଏ ।

 

ସାନ ପିଲାଟିଏ ପାଇଁ ଶିକ୍ଷକ ନ୍ୟାୟର ଏକ ଜୀବନ୍ତ ମୂର୍ତ୍ତି ହୋଇ ରହିଥାନ୍ତି । ପ୍ରଥମ ଶ୍ରେଣୀରେ ଫେଲ୍ ନମ୍ବର ରଖିଥିବା ଗୋଟିଏ ପିଲାର ଆଖି ଭିତରକୁ ଅନାଅ....ପିଲାଟି ଯେ ସେଥିପାଇଁ କେବଳ ଅସୁଖୀ ଅନୁଭବ କରୁଛି ତା’ନୁହେଁ, –ସିଏ ପ୍ରକୃତରେ ଶିକ୍ଷକକୁ ତା’ର ଜଣେ ଶତ୍ରୁ ବୋଲି ଭାବୁଛି । ପିଲାଟି ପାଠଟିଏ ବୁଝିପାରିଲା ନାହିଁ ବୋଲି ଯେଉଁ ଶିକ୍ଷକ ତାକୁ ଫେଲ୍ ନମ୍ବର ଦେଉଛି, ପିଲାମାନେ ତାହାକୁ ଅବିଚାର କରୁଥିବା ଜଣେ ବ୍ୟକ୍ତି ବୋଲି ହିଁ ଭାବିଥାନ୍ତି ।

 

ଗୋଟିଏ ସ୍କୁଲରେ ଏହି ଘଟଣାଟି ଘଟିଥିଲା; ଗୋଟିଏ ଗଛ କିପରି ନିଜର ଖାଦ୍ୟକୁ ନିଜେ ଗ୍ରହଣ କରୁଛି ଓ ନିଃଶ୍ୱାସ ନେଉଛି, ଗଜାରୁ କିପରି ପତ୍ରମାନେ ବାହାରୁଛନ୍ତି ଏବଂ ଫୁଲରୁ ଫଳ ହେଉଛି, ଥରେ ଗୋଟିଏ ଛାତ୍ର ଏହିସବୁ କଥାକୁ ବୁଝିପାରିଲା ନାହିଁ । ପିଲାଟିକୁ ଶିକ୍ଷକ ଡାକି ଆଣି ବାରବାର କହୁଥିଲେ: “ଏହି ସହଜ କଥାଗଡ଼ାକୁ ଯଦି ତୁ ନବୁଝି ପାରିବୁ, ତେବେ ଆଉ କ’ଣ ବୁଝିବୁ ?” ଥରେ ପାଠ ପଢ଼ାଉଥିବା ସମୟରେ ସିଏ କହିଥିଲେ, “ଆଉ କେତେଦିନ ଗଲେ ଚେଷ୍ଟ୍‍ନଟ୍‍ରୁ ଗଜା ବାହାରିବ; ଏବେ ଆମେ କ୍ଲାସଯାକ ସମସ୍ତେ ଚେଷ୍ଟ୍‍ନଟ୍ ଥିବା ରାସ୍ତାକୁ ଯିବା । ସମସ୍ତେ ବୁଝି ପାରୁଥିବା କଥାଗୁଡ଼ିକୁ ଯଦି ଆଲ୍ୟୋଶା ନକହି ପାରିବ, ତେବେ ତାକୁ ପ୍ରକୃତରେ ଗଧ ବୋଲି କୁହାଯିବ ।” ଶିକ୍ଷକ ତାଙ୍କର ଗଛଗୁଡ଼ିକୁ ଅତ୍ୟନ୍ତ ଭଲ ପାଉଥିଲେ, –ମଞ୍ଜିରୁ ବାହାରି ଧାଡ଼ିଏ ଚେଷ୍ଟ୍‍ନଟ୍‍ରୁ ଗଛ ଛିଡ଼ା ହୋଇ ରହିଥିଲେ । ପାଠ ପଢ଼ାଇବା ପୂର୍ବରୁ ସିଏ ଆଉଥରେ କେତେକ ପିଲାଙ୍କୁ ନେଇ ସେଠାକୁ ଯାଇଥିଲେ । ସାନ ସାନ ଗଛରୁ ସୁନ୍ଦର ସୁନ୍ଦର ଗଜାମାନ ବାହାରୁଥିଲେ । ମାତ୍ର, ପରଦିନ ଯେତେବେଳେ ପୁରା କ୍ଲାସଟା ସେଠାରେ ଯାଇ ପହଞ୍ଚିଲା, ସେତେବେଳେ ଶିକ୍ଷକ ଆତଙ୍କିତ ହୋଇ ଉଠିଲେ । ଗଛରେ ହୋଇଥିବା ଗଜାଗୁଡ଼ିକୁ କିଏ ଆସି ନଷ୍ଟ କରି ଦେଇଥିଲା । ପିଲାଙ୍କ ମନରେ ଭାରି ଦୁଃଖ ହେଲା । ଆଲ୍ୟୋଶା କିପରି ଆଖି ଏଡ଼େ ଏଡ଼େ କରି ବିଦ୍ରୋହୀ ହସଟିଏ ହସୁଥିଲା, ଶିକ୍ଷକ ସେକଥା ସ୍ପଷ୍ଟ ଦେଖିପାରୁଥିଲେ ।

 

ପିଲାଟି ଭିତରେ ରହିଥିବା ଦୁଃଖରେ ଏକ ଶକ୍ତିଶାଳୀ ବିସ୍ପୋରଣ ଘଟିଥଲା । ତା’ର ସାମର୍ଥ୍ୟ ଉପରେ ଶିକ୍ଷକଙ୍କର ଯେଉଁ ଅବିଶ୍ୱାସ ଥିଲା, ସିଏ ତାହାର ପ୍ରତିବାଦ କଲା । ମାତ୍ର, ଶିକ୍ଷାର ବାସ୍ତବ କ୍ଷେତ୍ରରେ ଏହିସବୁ ଘଟଣା ବହୁବାର ଘଟିଥାଏ –ପିଲାମାନେ ଖରାପ ନମ୍ବର ପରେ ପୁଣି ସେହି ଖରାପ ନମ୍ବର ରଖୁଥାନ୍ତି, –ସତେ ଯେପରି ସେମାନଙ୍କୁ ସେଇଟା ଆଦୌ କାଟୁନଥାଏ; ଅନେକ ସମୟରେ ଖରାପ ନମ୍ବର ରଖି ଗୋଟିଏ ପିଲା ତା’ ସାଙ୍ଗମାନଙ୍କ ପାଖରେ ଉପହାସର ପାତ୍ର ହୁଏ ଏବଂ କ୍ରମେ ସବୁଯାକ ପିଲା ଏହି କଥାଟି ବିଷୟରେ ବେଶ୍ ଅଭ୍ୟସ୍ତ ହୋଇଯାଆନ୍ତି ଯେ ଭାନ୍ୟା ବା ପେଟ୍ରିକ୍ ନିଶ୍ଚୟ ଖରାପ ନମ୍ବର ପାଇବେ ଓ ଫେଲ୍ ହେବେ । ପିଲାଟି ଭିତରେ ଗଢ଼ି ହୋଇ ଆସୁଥିବା ଆତ୍ମିକ ଜୀବନ ସକାଶେ ଏହା ଯେ କେତେ ଭୟଙ୍କର, ତାହା କଳ୍ପନା କରି ହେବନାହିଁ । ଏବଂ, ଯେଉଁ ମଣିଷଟିର ଆତ୍ମସାମର୍ଥ୍ୟବୋଧକୁ ପିଲାଟି ଦିନରୁ ଏପରି ବଧିରା କରି ଦିଆଯାଇଛି, ତା’ଠାରୁ ଆମେ ଆଉ କ’ଣ ଆଶା କରିପାରିବା ?

 

ପ୍ରତ୍ୟେକ ପିଲାର ଜ୍ଞାନ ଅର୍ଜନ କରୁଥିବାର ପ୍ରକ୍ରିୟାରେ ନିଜ ବିଷୟରେ ଏକ ସମ୍ମାନବୋଧ ଓ ଗର୍ବବୋଧ ଅବଶ୍ୟ ରହିଥିବ, ଏଥିପ୍ରତି ଦୃଷ୍ଟି ରଖିବା ହେଉଛି ଶିକ୍ଷାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ଶିକ୍ଷକ ତା’ଛାତ୍ର ଆଗରେ ପୃଥିବୀଟାକୁ କେବଳ ଖୋଲି ଦେବ ନାହିଁ, ସିଏ ଦେଖିବ ଯେପରି ଛାତ୍ର ମଧ୍ୟ ସେଥିରେ ସକ୍ରିୟ ଭାବରେ କିଛି ସୃଷ୍ଟି କରୁଥିବ ଓ ନିଜର ସଫଳତାଗୁଡ଼ିକରେ ଗର୍ବ ଅନୁଭବ କରୁଥିବ । ସକଳ ଅଧ୍ୟୟନ ଶେଣୀ ନାମକ ସମୂହରେ ହୁଏ ସତ, ମାତ୍ର ପିଲାମାନେ ପାଠକୁ ବୁଝିବାର ମାର୍ଗରେ ପ୍ରତ୍ୟେକ ସ୍ୱତନ୍ତ୍ର ଭାବରେ ହିଁ ଗତି କରୁଥାନ୍ତି । ବୁଦ୍ଧିଗତ ପ୍ରୟାସକୁ ଆମେ ସଂପୂର୍ଣ୍ଣ ଭାବରେ ଏକ ବ୍ୟକ୍ତିଗତ ପ୍ରକ୍ରିୟା ବୋଲି ଜାଣିବା; ଏବଂ ତାହା କେବଳ ସାମର୍ଥ୍ୟଗୁଡ଼ିକ ଉପରେ ନିର୍ଭର କରେନାହିଁ, ତାହା ପିଲାଟି କେଉଁ ଅବସ୍ଥାରେ ଅଛି, ତାହା ଉପରେ ମଧ୍ୟ ନିର୍ଭର କରେ, –ଆହୁରି ଅନେକ କଥା ଉପରେ ନିର୍ଭର କରେ, ଯାହାକି ଅନେକ ସମୟରେ ଆଦୌ ଆଖିରେ ପଡ଼େ ନାହିଁ । ସ୍କୁଲକୁ ଆସିବାବେଳେ ପିଲାମାନଙ୍କର ଅନ୍ତର ଖୋଲା ରହିଥାଏ, ସେମାନେ ଭଲ ପଢ଼ିବେ ବୋଲି ଏକ ପ୍ରକୃତ ଇଚ୍ଛା ସହିତ ସ୍କୁଲକୁ ଆସିଥାଆନ୍ତି । କାଳେ ସେମାନଙ୍କୁ ଅଳସୁଆ ଅଥବା ଅପାରୁଆ ବୋଲି କୁହାଯିବ, ଏକଥା ଭାବି ସେମାନଙ୍କୁ ଭାରି ଡର ମାଡ଼ୁଥାଏ । ଭଲ ଭାବରେ ପାଠ ପଢ଼ିବାର ବାସନା ହେଉଛି ଗୋଟିଏ ସୁସ୍ଥ ବାସନା, ଏହି ବାସନାଟି ହିଁ ଉଜ୍ଜ୍ୱଳ ଆଲୋକଶିଖାଟିଏ ପରି ପିଲାର ଜୀବନକୁ ଆଲୋକିତ କରି ରଖିଥାଏ, ପିଲା ପାଇଁ ଆନନ୍ଦର କାରଣ ହୋଇ ରହିଥାଏ । ଶିକ୍ଷକ ଉପରେ ତା’ର ଅଜସ୍ର ବିଶ୍ୱାସ ରହିଥାଏ ଏବଂ ଯଦି ଶିକ୍ଷକ ସେଇଟି ଉପରେ ଦୃଷ୍ଟି ନଦେଇ ପାରେ, ତେବେ ତାହାର ଅର୍ଥ ହେଉଛି ଯେ ସିଏ ତା’ପିଲାମାନଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଆଦୌ ଯଥେଷ୍ଟ ମୂଲ୍ୟ ଦେଉନଥାଏ । ଏବଂ, ଯଦି ଅସାବଧାନ ଭାବରେ ପିଲାର ହୃଦୟକୁ ସ୍ପର୍ଶ କରାଯାଏ, ଯଦି ଏପରି ଗୋଟିଏ ଶବ୍ଦ ଖାମଖିଆଲି ଭାବରେ କୁହାଯାଏ, ଯାହାକି ପିଲା ଭିତରେ ଦ୍ରୋହ ଅଥବା ଅନାସକ୍ତତାର ସୃଷ୍ଟି କରେ, ତେବେ ସେହି ଶିଖାଟି ଭାରି ସହଜରେ ନିର୍ବାପିତ ହୋଇଯାଏ । ନିଜର ଅଧ୍ୟୟନରେ ସଫଳତା ଲାଭ କରିବା ଦ୍ୱାରା, ଜ୍ଞାନର ଉଠାଣି ପଥରେ ଅଗ୍ରଗତି କରୁଛି ବୋଲି ଉପଲବ୍ଧି କରିବା ଦ୍ୱାରା ହିଁ ପିଲା ଭିତରେ ଜ୍ଞାନର ଯେଉଁ ପିପାସା ଜାଗୃତ ହୁଏ, ତାହା ହିଁ ସେହି କ୍ଷୀଣ ଆଲୋକଟି ପାଇଁ ଜୀବନଦାନକାରୀ ବାୟୁ ରୂପେ କାର୍ଯ୍ୟ କରିଥାଏ ।

 

ବୃଥା କାର୍ଯ୍ୟ କରୁଥିଲେ ଏବଂ କାର୍ଯ୍ୟ କରି କୌଣସି ଫଳ ନପାଇଲେ ବୟସ୍କମାନେ ତ ଅପ୍ରସନ୍ନ, ଅକର୍ମଠ ଏବଂ ଲକ୍ଷ୍ୟହୀନ ହୋଇ ପଡ଼ନ୍ତି, ଏବଂ ବିଦ୍ୟାଳୟରେ ଆମେ ପିଲାଙ୍କୁ ନେଇ ହିଁ ଯାହାକିଛି କରୁଛୁ । ଗୋଟିଏ ପିଲା ଯଦି ସିଏ କରୁଥିବା କାର୍ଯ୍ୟର କୌଣସି ଫଳ ପାଉନଥାଏ, ତେବେ ତା’ର ଜ୍ଞାନପିପାସା ମରିମରି ଯାଏ, ତା’ର ହୃଦୟ ଶୀତଳ ଏବଂ ଇଚ୍ଛାଶକ୍ତିହୀନ ହୋଇଆସେ ଏବଂ ଆଲୋକଟି ପୁନର୍ବାର ପ୍ରଜ୍ଜ୍ୱଳିତ ହୋଇ ପାରିବା ଯାଏ ସିଏ ଆଉ କୌଣସିଥିରେ ଉତ୍ସାହ ଅନୁଭବ କରେ ନାହିଁ । ଏବଂ, ଥରେ ଆଲୋକଟି ନିଭିଗଲେ ତାକୁ ଦ୍ୱିତୀୟ ଥର ପାଇଁ ଜଳାଇବା ପ୍ରକୃତରେ କେଡ଼େ କଷ୍ଟକର । ପିଲାର ନିଜର ଶକ୍ତି ଉପରୁ ବିଶ୍ୱାସ ଚାଲିଯାଏ, ସିଏ ତା’ମୁହଁରେ “ବୋତାମ ଲଗାଇଦିଏ”, ଭାରି ସତର୍କ ହୋଇଯାଏ, କ୍ରୁଦ୍ଧ ହୋଇ ରହିଥାଏ ଓ ଶିକ୍ଷକଙ୍କର ଯାବତୀୟ ପରାମର୍ଶ ଓ ମନ୍ତବ୍ୟ ପ୍ରତି କର୍କଶ ପ୍ରତିକ୍ରିୟା ବ୍ୟକ୍ତି କରୁଥାଏ । ବା, ଆହୁରି ଅଧିକ ଖରାପ ମଧ୍ୟ ହୋଇପାରେ : ତା’ର ନିଜପ୍ରତି କୌଣସି ସମ୍ମାନବୋଧ ରହେ ନାହିଁ, ଏବଂ ତା’ଦ୍ୱାରା ଆଉ କିଛି ସମ୍ଭବ ହେବ ନାହିଁ ବୋଲି ତା’ର କ୍ରମେ ବିଶ୍ୱାସ ବି ହୋଇଯାଏ । ଏପରି ଗୋଟିଏ ନିସ୍ପୃହ ଓ ଆସକ୍ତିହୀନ ପିଲାକୁ ଦେଖିଲେ ଯେକୌଣସି ବ୍ୟକ୍ତିର ବିରକ୍ତି ଜାତ ହେବ । ସେହି ପିଲାଟି ହୁଏତ ପୂରା ଗୋଟାଏ ଘଣ୍ଟା ଶିକ୍ଷକ ପାଖରୁ ଗାଳି ଶୁଣୁଥିବ, ନିଜ ସାଙ୍ଗମାନେ ତାକୁ କେତେ କ’ଣ କହୁଥିବେ, ମାତ୍ର ସିଏ ଆଦୌ ବିଚଳିତ ହେଉନଥିବ ! “ତୁ ଖୁବ୍ ପଛରେ ପଡ଼ିଗଲୁଣି ଓ ହୁଏତ ଏହି କ୍ଲାସରେ ଆଉ ବର୍ଷେ ରହିବୁ” ବୋଲି ଶୁଣୁଥିଲେ ମଧ୍ୟ ସିଏ କିଛି କହୁନଥିବ ।

 

ଗୋଟିଏ ଛାତ୍ର ଶୈଶବ ଓ କିଶୋର ଅବସ୍ଥାରେ ନିଜକୁ ଯେଉଁ ଦୃଷ୍ଟିରେ ଦେଖିଥାଏ, ତାହା ହିଁ ବହୁ ପରିମାଣରେ ତା’ର ନୈତିକ ଦୃଷ୍ଟିକୋଣଟିର ନିରୂପଣ କରିଦିଏ । ଉଶିନ୍‍ସ୍କି ଲେଖିଥିଲେ ଯେ, କୌଣସି ପିଲାର ଅନ୍ତରଟା ସ୍ୱଭାବତଃ ଆଳସ୍ୟପରାୟଣ ନଥାଏ; ତାହା ସ୍ୱାଧୀନ ହୋଇ କାର୍ଯ୍ୟ କରିବାକୁ ଇଚ୍ଛା କରୁଥାଏ, ସବୁକିଛିକୁ ନିଜେ କରିବାକୁ ଚାହୁଥାଏ । ପିଲାମାନେ ଭାବି ଶିଖିବେ, କାମ କରିବାକୁ ଶିଖିବେ, ପର୍ଯ୍ୟବେକ୍ଷଣ କରିବାକୁ ଶିଖିବେ, ମୌଳିକ ଶ୍ରମ କରିବାକୁ ଶିଖିବେ, ଭଲ ଭାବରେ କିପରି କାମ କରାଯାଏ ତାହା ବୁଝିବେ ଏବଂ ତା’ପରେ ଯାଇ ସେମାନେ ସଫଳ ହେଲେ ବୋଲି କୁହାଯିବ । ଯେଉଁ ପିଲା କେବେ ହେଲେ ଅଧ୍ୟୟନରୁ ଆନନ୍ଦ ପାଇନାହିଁ, କୌଣସି ଅସୁବିଧାକୁ ଡେଇଁଯିବାରୁ ଗର୍ବ ଅନୁଭବ କରିନାହିଁ, ସେ ପ୍ରକୃତରେ ବଡ଼ ଅସୁଖୀ ହୋଇ ରହିଥାଏ । ଜଣେ ଅସୁଖୀ ବ୍ୟକ୍ତି ସମାଜ ପାଇଁ ଏକ ଦୁର୍ଭାଗ୍ୟ, ଏବଂ ଏକ ଅସୁଖୀ ପିଲା ହେଉଛି ଆହୁରି ବଡ଼ ଦୁର୍ଭାଗ୍ୟ । ମୁଁ ଶୈଶବକୁ ଏକ ରୋମାଞ୍ଚପୂର୍ଣ୍ଣ ଦୃଷ୍ଟିରେ ଆଦୌ ଦେଖୁନାହିଁ, ମାତ୍ର ମୁଁ ତଥାପି କହିବି ଯେ, ସେହି ଶୈଶବ ସମୟରେ ମଧ୍ୟ ବହୁତ ମନୁଷ୍ୟ ଅଳସୁଆ ହୋଇ ରହିଥାନ୍ତି, କାମକୁ ଭଲ ପାଆନ୍ତି ନାହିଁ ଏବଂ ନିଜର ଯଥାଶକ୍ତି କାମ କରିବାକୁ ହେବ ବୋଲି ଭାବିବାକୁ ମଧ୍ୟ ଘୃଣା କରନ୍ତି । ମାତ୍ର, ଜଣେ ପିଲା କାହିଁକି ଏପରି ଢିଲା ହୋଇଯାଏ ? କାରଣ, ସିଏ କେବେହେଲେ କାମ କରିବାର ଆନନ୍ଦଟିକୁ ପାଇନଥାଏ । ସିଏ ସେହି ସୁଖଟିକୁ ଜାଣୁ, ସେହି ସୁଖକୁ ମୂଲ୍ୟ ଦେଇ ଜାଣୁ, ତେବେ ସିଏ ନିଜକୁ ମଧ୍ୟ ମୂଲ୍ୟ ଦେବ ଓ କାମ କରିବାକୁ ଭଲ ପାଇବ-

 

ପିଲାମାନଙ୍କୁ ଶ୍ରମର ଓ ଅଧ୍ୟୟନରେ ସଫଳତା ଲାଭ କରିବାର ଆନନ୍ଦଟିକୁ ଆଣିଦେବା, ସେମାନଙ୍କର ହୃଦୟରେ ଗର୍ବ ଓ ଆତ୍ମସମ୍ମାନର ବୋଧକୁ ଜାଗୃତ କରାଇ ଆଣିବା, ଏଇଟି ଶିକ୍ଷାରେ ସର୍ବପ୍ରଥମ ଅନୁଜ୍ଞା । ଆମମାନଙ୍କ ବିଦ୍ୟାଳୟରେ ଜଣେହେଲେ ଅସୁଖୀ ପିଲା ରହିବ ନାହିଁ, –ନିଜର କୌଣସି ସାମର୍ଥ୍ୟ ନାହିଁ ବୋଲି ନିଜ ଭିତରେ କୌଣସି ପିଲା ଅନୁଭବ କରୁନଥିବ । ନିଜ ଅଧ୍ୟୟନରେ ସଫଳତା ହିଁ ପିଲାକୁ ଅନ୍ତର୍ଗତ ବଳ ଆଣିଦେବ, ସେହି ବଳରେ ସିଏ ବାଧାଗୁଡ଼ିକୁ ଅତିକ୍ରମ କରିବ ଓ ଅଧ୍ୟୟନ ପାଇଁ ସ୍ପୃହା ଅନୁଭବ କରିବ ।

 

ଯଦି ପିଲାର ପାଠ ପଢ଼ିବାକୁ ସ୍ପୁହା ନଥାଏ, ତେବେ ଆମର ସକଳ ଯୋଜନା, ଗବେଷଣା ଓ ସଂରଚନା କେବଳ ମାଟି ହିଁ ହୋଇଯିବ । ଏବଂ, ଅଧ୍ୟୟନରେ ସଫଳତା ଲାଭ କରିବା ଦ୍ୱାରା ହିଁ ସ୍ପୃହା ସମ୍ଭବ ହୋଇଥାଏ । କଥାଟିରେ ଏକ ବିରୋଧାଭାସ ରହିଥିବା ପରି ବୋଧ ହେଉଥିବ; ସଫଳ ହେବାକୁ ହେଲେ ପିଲା ଆଦୌ ପଛରେ ପଡ଼ି ରହିଯିବ ନାହିଁ । ଏହା ଆଦୌ ବିରୋଧାଭାସ ନୁହେଁ । ଜ୍ଞାନ ହାସଲ କରିବାରେ ସଫଳତା ଲାଭ କଲେ, ଯେଉଁ ପ୍ରେରଣା ଜାତ ହୁଏ ତାହାରି ଦ୍ୱାରା ହିଁ ଅଧ୍ୟୟନ ପ୍ରତି ଆଗ୍ରହ ଜନ୍ମେ । ଏହି ପ୍ରେରଣା ବ୍ୟତୀତ ଅଧ୍ୟୟନ କରିବା ପିଲାମାନଙ୍କ ପାଇଁ ଏକ ବୋଝରେ ପରିଣତ ହୋଇଯାଏ । ସିଏ ଯେ ଅବଶ୍ୟ ସଫଳ ହେବ, ତା ଭିତରେ ସେହି ନିଶ୍ଚିତ ଆସ୍ଥାଟି ରହିଥିବ, ତା’ସହିତ ଅଧ୍ୟବସାୟ ମିଶିଲେ ମୁଁ ତାହାକୁ ହିଁ ପ୍ରେରଣା ବୋଲି କହିବି ।

 

ସିଏ ଲାଭ କରିଥିବା ଜ୍ଞାନ ସକାଶେ ଗୋଟିଏ ପିଲା ଯେଉଁ ନମ୍ବର ପାଏ, ତାହା ଜଣେ ଶିକ୍ଷକ ପିଲା ଭିତରକୁ ବାଟ ପାଇବାରେ କେତେ ଦୂର ସମର୍ଥ ହୋଇଛି, ପିଲାର ଅନ୍ତର ଭିତରେ ରହିଥିବା ଜ୍ଞାନପିପାସାର ଶିଖାଟିକୁ ଜଳାଇ ରଖିବାରେ କେତେ ସମର୍ଥ ହୋଇଛି, ତାହାରି ହିଁ ସଙ୍କେତ ଦେଇଥାଏ । ପିଲାମାନେ ଯେଉଁ ଚାରିବର୍ଷ ସମୟ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପାଠ ପଢ଼ିଥିଲେ, ସେତେବେଳେ ପିଲାମାନଙ୍କର କୌଣସି ଲିଖିତ ଅଥବା ମୌଖିକ କାର୍ଯ୍ୟ ପାଇଁ ମୁଁ କାହାକୁ ଜଣକୁ ହେଲେ ଫେଲ୍ କରିନଥିଲି । ପିଲାଏ ପଢ଼ି ଶିଖିଲେ, ଲେଖି ଶିଖିଲେ, ଅଙ୍କ ମଧ୍ୟ କଲେ । ଗୋଟିଏ ପିଲାକୁ ହୁଏତ ତା’ର ମୈାଳିକ ଶ୍ରମ ସକାଶେ ଫଳମାନ ମିଳିଥିଲା । ଆଉଗୋଟିଏ ପିଲାକୁ ହୁଏତ ମିଳିନଥିଲା । ଜଣେ ମୁଁ ପଢ଼ାଇବାକୁ ଇଚ୍ଛା କରିଥିବା ପାଠକୁ ବୁଝି ପାରିଥିଲା, ଆଉଜଣେ ବୁଝି ପାରିନଥିଲା, ମାତ୍ର ତାହାର ଆଦୌ ଅର୍ଥ ନୁହେଁ ଯେ ତା’ ଭିତରେ ଶିଖିବା ପାଇଁ କୌଣସି ସ୍ପୃହା ନଥିଲା । ପିଲାଟି କିଛି ସକାରାତ୍ମକ ଫଳ ପାଇବାର ଯୋଗ୍ୟ ହେବା ପରେ ଯାଇ ମୁଁ ତା’ର ମୌଳିକ ଶ୍ରମ ପାଇଁ ନମ୍ବର ଦେଉଥିଲି ଏବଂ ସେତିକି ହାସଲ କରିନଥିବା ପର୍ଯ୍ୟନ୍ତ କୌଣସି ନମ୍ବର ଦେଉନଥିଲି । ପିଲାଟିକୁ ଭାବିବାକୁ ପଡ଼ୁଥିଲା, ନିଜର ଚିନ୍ତାଗୁଡ଼ିକୁ ଠୁଳ କରି ଆଣିବାକୁ ପଡ଼ୁଥିଲା ଓ କାମଟିକୁ ସେ ଆଉଥରେ କରୁଥିଲା ।

 

ପ୍ରଥମ ଶ୍ରେଣୀରେ ସ୍କୁଲବର୍ଷ ଆରମ୍ଭ ହେବାର ଚାରିମାସ ପରେ ଯାଇ ମୁଁ ପ୍ରଥମ ଥର ସକାଶେ ନମ୍ବର ଦେଲି । ଅଧ୍ୟବସାୟ ସହିତ ନିଜ କାର୍ଯ୍ୟଟିକୁ କରିବା କହିଲେ କ’ଣ ବୁଝାଏ, ପିଲାଟି ସେ କଥା ବୁଝୁ, ଏକ୍ଷେତ୍ରରେ ତାହା ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଥିଲା । ପିଲା ସେପରି ଇଚ୍ଛା କରୁଥାଏ ବୋଲି ଯେ ନିଜ କାର୍ଯ୍ୟଟିକୁ ଖରାପ ଭାବରେ କରୁଥାଏ, ସେକଥା ଆଦୌ ନୁହେଁ । ଭଲ ଓ ଖରାପ କାମ ଭିତରେ ରହିଥିବା ଫରକଟିକୁ ସେ ବୁଝି ପାରିନଥାଏ ବୋଲି ତାହା କରିଥାଏ-। ଏବଂ, ସେଥିପାଇଁ ତାକୁ କାହିଁକି ଏକ ନମ୍ବର ଦିଆଯିବ ? ପିଲାଟିକୁ ମୁଁ ସେହି ଗୋଟିଏ କାମକୁ ବାରମ୍ବାର କରିବାକୁ ଶିଖାଇଲି, ଯେପରିକି ଆଉଥରେ ଚେଷ୍ଟାକଲେ ସେ କାମଟିକୁ ପୂର୍ବାପେକ୍ଷା ଭଲ ଭାବରେ କରିପାରୁଛି ବୋଲି ଅଭିଜ୍ଞତାରୁ ଶିଖିନେଇ ପାରିବ । ଏହାର ଏକ ବୃହତ୍ ଶିକ୍ଷାଗତ ମହତ୍ତ୍ୱ ରହିଛି; ଏହିପରି ଭାବରେ ପିଲା ନିଜର ସର୍ଜନାତ୍ମକ ଶକ୍ତିକୁ ଆବିଷ୍କାର କରିପାରୁଛି-। ବ୍ୟକ୍ତିଗତ ସଫଳତା ଦେଖି ଖୁସୀ ହୋଇ ପାରୁଛି ଏବଂ ଆହୁରି ଭଲ ଭାବରେ କାର୍ଯ୍ୟଟିକୁ କରିବା ସକାଶେ ଚେଷ୍ଟା କରୁଛି । ନାନା ଭୁଲ୍ ରହିଥିବା ନିଜର ପୂର୍ବ କାମଟି ସହିତ ଏହାର ତୁଳନା କରି ସେ ସେଥିରୁ ପ୍ରେରଣା ମଧ୍ୟ ଲାଭ କରିପାରୁଛି ।

 

ପ୍ରଥମ ଶ୍ରେଣୀର କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରି ମୁଁ ଜାଣିଲି ଯେ, ସବୁ ପିଲା ଆଦୌ ଏକାଭଳି ଚିନ୍ତା କରୁନଥିଲେ; ଏବଂ ତେଣୁ ସେମାନଙ୍କର କାର୍ଯ୍ୟର ମୁଁ ଭିନ୍ନ ଭିନ୍ନ ପ୍ରକାର ମୂଲ୍ୟାଙ୍କନ କରିଥିଲି । ଉଦାହରଣ ସ୍ୱରୂପ, ସେମାନେ ଭଅଁର ଶବ୍ଦଟିକୁ ଲେଖିଲେ; ଲିଡ଼ା, ସେରୋଝା, କାଟ୍ୟା, ସାନ୍ୟା, ପାଭେଲ୍–ଏମାନଙ୍କର ଅକ୍ଷରଗୁଡ଼ିକ ସୁନ୍ଦର ଓ ଗୋଲଗୋଲ୍ ଥିଲା । ୟୁରାର ଅକ୍ଷରମାନେ ଗାର ବାହାରକୁ ଚାଲି ଯାଉଥିଲେ ଓ ବଙ୍କା ଦିଶୁଥିଲେ । କୋଲ୍ୟା ଓ ଟୋଲ୍ୟା କିଛି ଲେଖିଲେ ନାହିଁ । ପ୍ରକୃତି–ପୁସ୍ତକ ପଢ଼ିବା ସମୟରେ ସେମାନେ ଯେପରି ଛବି ଆଙ୍କୁଥିଲେ ସେହିପରି ଅକ୍ଷରଗୁଡ଼ିକୁ ଆଙ୍କି ପକାଇଥିଲେ । ପେଟ୍ରିକ୍‍ର ଖାତାରେ କ’ଣ ସବୁ ବଙ୍କା ବଙ୍କା ଦେଖାଯାଉଥିଲା । ମୁଁ ପରବର୍ତ୍ତୀ ପାଠକୁ ଆଦୌ ଗଲି ନାହିଁ । ପିଲାଏ ସେହି ଶବ୍ଦକୁ ଏକାଧିକ ଥର ଲେଖିଲେ । ଗୋଟିଏ କଥାର ପୁନରାବୃତ୍ତି ପିଲାର ଉପରକୁ ଆରୋହଣ କରିବାକୁ ଲାଗି ଏକ ନୂତନ ପଦକ୍ଷେର ରୂପେ କାର୍ଯ୍ୟ କଲା ; ଖରାପ ଓ ଭଲ ଲେଖୁଥିବା ଉଭୟ କିସମର ପିଲାଙ୍କ ପାଇଁ ତାହା ଘଟିଲା । ପ୍ରଥମ ତୁଳନାରେ ଏବେ ଅଧିକ ଭଲ ହୋଇ ପାରୁଛି ବୋଲି ପିଲା ମଧ୍ୟ ଖୁସୀ ହେଲା ।

 

ସେଇ ଖୁସୀରୁ ହିଁ ଗୌରବବୋଧ ଜାତ ହୁଏ । ନିଜଦ୍ୱାରା କିଛି ହୋଇଥାଏ ବୋଲି ଅନୁଭବ ହୋଇଥାଏ । ଯେଉଁ ପିଲାଟି ବହୁବାର ସେଇ ଅନୁଭବଟିକୁ ପାଏ, ସେ କଦାପି ସହଜ ମାର୍ଗଟିକୁ ଗ୍ରହଣ କରି ନିଏ ନାହିଁ ବା ଆଉ କାହାଠାରୁ ନକଲ କରି ଆଣିବାକୁ ମନେ କରେ ନାହିଁ । ପିଲାମାନେ ନିଜର କାମକୁ ପୁନର୍ବାର କରି ଶିଖିବା ପରେ ଓ ଏହି ସଂପର୍କରେ ଏକ ଆନନ୍ଦ ଅନୁଭବ କରିବା ପରେ ଯାଇ ମୁଁ ସେମାନଙ୍କୁ ନମ୍ବର ଦେବାକୁ ଆରମ୍ଭ କଲି –ହଁ, କେବଳ ସକାରାତ୍ମକ ଫଳଗୁଡ଼ିକ ପାଇଁ ହିଁ ନମ୍ବର ଦେଇଥିଲି । ସ୍କୁଲରେ ପାଠପଢ଼ା ଆରମ୍ଭ ହେବାର ଚାରିମାସ ପରେ କେତେ ପିଲା ଏବଂ ଛଅମାସ ପରେ ଆଉ ଅନ୍ୟ କେତେଜଣ ପିଲା ନମ୍ବର ପାଇବାକୁ ଆରମ୍ଭ କରିଥିଲେ । ପେଟ୍ରିକ୍ ଓ ମିଶା ଦ୍ୱିତୀୟ ସ୍କୁଲବର୍ଷର ଆରମ୍ଭରେ ଯାଇ ପ୍ରଥମ ଥର ପାଇଁ ନମ୍ବର ପାଇଲେ । କିଛି ଉନ୍ନତି ଦେଖାଇ ପାରିବା ପର୍ଯ୍ୟନ୍ତ ମୁଁ ପ୍ରତ୍ୟହ ସେମାନଙ୍କ ପାଇଁ ଅଧିକ ସମୟ ଦେଲି ଏବଂ ସେମାନଙ୍କର ସେତେବେଳକୁ ନିଜ ଶକ୍ତି ଉପରେ ବିଶ୍ୱାସ ବି ଆସିଯାଇଥିଲା । ଶିକ୍ଷକ ତା’ନିଜ ଜ୍ଞାନକୁ ଅତ୍ୟନ୍ତ ଯାନ୍ତ୍ରିକ ଭାବରେ ପିଲା ପାଖକୁ ସ୍ତାନାନ୍ତରିତ କରି ଦେବାଟା କଦାପି ଅଧ୍ୟୟନ ନୁହେଁ, –ଏହା ହେଉଛି ସର୍ବପ୍ରଥମେ ମାନବିକ ସମ୍ପର୍କଗୁଡ଼ିକୁ ସ୍ଥାପନ କରିବା । ପିଲାଟି କିପରି ଭାବରେ ନିଜକୁ ତା’ଶିକ୍ଷକଙ୍କ ସହିତ ସମ୍ବନ୍ଧିତ କରି ରଖିଛି, ଜ୍ଞାନ ତଥା ଅଧ୍ୟୟନ ପ୍ରତି ତା’ର ମନୋଭାବ ବହୁ ପରିମାଣରେ ତାହାରି ଉପରେ ନିର୍ଭର କରିଥାଏ । ତା’ପ୍ରତି ଅନ୍ୟାୟ ହେଉଛି ବୋଲି ଯଦି ପିଲା ଅନୁଭବ କରୁଥିବ, ତେବେ ସେ ଆତଙ୍କିତ ହୋଇପଡ଼ିବ । ଏବଂ, ସାନ ପିଲାମାନେ ସର୍ବଦା ଏପରି ଭାବିଥାନ୍ତି ଯେ, ଫେଲ୍ ନମ୍ବର ଦେଇ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଏ; ସେମାନେ ସେଇଥିରୁ ବହୁତ ପ୍ରକାରେ ଉତ୍ପୀଡ଼ିତ ହୁଅନ୍ତି । କାରଣ, କୋଉ ପିଲା ଆଦୌ କିଛି ଶିଖିବାକୁ ଇଚ୍ଛା କରେ ନାହିଁ, ସେକଥା ଆଦୌ କେବେହେଲେ ଘଟେ ନାହିଁ । ସେ ଶିଖିବାକୁ ଇଚ୍ଛା କରୁଥାଏ, ମାତ୍ର ପାରୁନଥାଏ; ସେ ଏବେ ମଧ୍ୟ ମନ ଲଗାଇ ପାରୁନଥାଏ, ନିଜକୁ କାମରେ ଲଗାଇ ପାରୁନଥାଏ ।

 

ଯଦି ପିଲାମାନେ ଏହିପରି ଭାବରେ ବର୍ଷ ସାରା ସେମାନଙ୍କ ଉପରେ ଅନ୍ୟାୟ କରାଯାଉଛି ବୋଲି ଅନୁଭବ କରୁଥିବେ, ତେବେ ପ୍ରଥମେ ସେମାନଙ୍କର ସ୍ନାୟୁଗତ କ୍ରିୟାଶୀଳତାର କ୍ଷେତ୍ରଟି ଦୋହଲିଯିବ ଓ ତା’ପରେ ନାନାଭଳି ଅନ୍ତର୍ବାଧା ଆସି ପହଞ୍ଚିବ –ନୈରାଶ୍ୟ, ଦୁର୍ବଳତା, ନିଷ୍ଠୁରତା ଆସି ପହଞ୍ଚିଯିବ । ଉତ୍ତେଜିତ ହେବା ଓ ଅନ୍ତର୍ବାଧାମାନ ଅନୁଭବ କରିବା ମଧ୍ୟରେ ଏହିପରି ତୀବ୍ର ଭାବରେ ଉଲ୍ଲମ୍ଫନ ଲାଗିରହିଥିବା ସମୟରେ ଏପରି ଗୋଟିଏ ବେଳ ଆସିବ, ଯେତେବେଳେ କି ପିଲାର ଦେହ ଖରାପ ହେବ । ପ୍ରଥମେ ବିଚିତ୍ର ଲାଗୁଥିବା ଏହି ଅସୁସ୍ଥତାଗୁଡ଼ିକୁ ବିଦ୍ୟାଳୟ –ସମ୍ବନ୍ଧିତ ସ୍ନାୟୁରୋଗ ବୋଲି କୁହାଯିବ, ଅଥବା ଶିକ୍ଷାଦାନର ପ୍ରକ୍ରିୟା ପ୍ରତି ଏକ ଦୁର୍ବଳ ପ୍ରତିକ୍ରିୟା-ଜ୍ଞାପନ ବୋଲି କୁହାଯିବ । ଏହି ପ୍ରତିକ୍ରିୟାଟି ମଧ୍ୟରେ ଏପରି ଏକ ପରସ୍ପରବିରୋଧୀ ଉପାଦାନ ରହିଥିବ ଯେ, ଏହି ଘଟଣାଗୁଡ଼ିକ କେବଳ ବିଦ୍ୟାଳୟରେ ହିଁ ଘଟୁଥିବ; ବିଦ୍ୟାଳୟ ନାମକ ଏକ ପବିତ୍ର ସ୍ଥାନରେ ଯେଉଁଠାରେ କି ମାନବିକତା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଉପାଦାନ ହିସାବରେ ଛାତ୍ର ଏବଂ ଶିକ୍ଷକ ମଧ୍ୟରେ ପାରସ୍ପରିକ ଯାବତୀୟ ସମ୍ବନ୍ଧକୁ ନିର୍ଣ୍ଣୟ କରି ପାରୁଥାନ୍ତା । ତା’ପ୍ରତି ଅନ୍ୟାୟ କରାଯାଉଛି, ଏହି ବୋଧରୁ ହିଁ ପିଲା ଭିତରେ ଏହିଭଳି ପ୍ରତିକ୍ରିୟା ଜାତ ହୋଇଥାଏ । ପିଲାମାନଙ୍କ ସହିତ ଶିକ୍ଷକ ଅଥବା ପିତାମାତାଙ୍କର ରହିଥିବା ଅନ୍ୟାୟୋଚିତ ସମ୍ବନ୍ଧର ଅନେକାନେକ ପ୍ରଚ୍ଛନ୍ନ ପରିଣାମ ରହିଛି, –ଉଦାସୀନତା ବା ସ୍ପୃହାହୀନତା ହେଉଛି ସେଥିରେ ସର୍ବପ୍ରଥମ । ଶିକ୍ଷକ ପିଲାର ଅଗ୍ରଗତିରେ କୌଣସି ସ୍ପୃହା ନରଖିବା ହିଁ ପିଲାର ଯାବତୀୟ ନୈତିକ ଏବଂ କର୍ମସ୍ପୃହାଗତ ନିର୍ମାଣରେ ସବୁଠାରୁ ଅଧିକ ବିପଜ୍ଜନକ ବିଷୟ ହୋଇ ରହିଥାଏ । ତା’ପରେ ପିଲା ଉପରେ ତୋଡ଼ ଦେଖାଯାଏ, ଭୟପ୍ରଦର୍ଶନ କରାଯାଏ ଏବଂ ଉତ୍ତେଜନା ବି ପ୍ରକଟ କରାଯାଏ । ଯେଉଁ ବ୍ୟକ୍ତିମାନଙ୍କୁ ଆଦୌ ପ୍ରକୃତ ଶିକ୍ଷାଦାତା ବୋଲି କୁହାଯିବ ନାହିଁ, ଗୋଟିଏ ପିଲାକୁ ଅମୁକ ପାଠଟା ଆସୁନାହିଁ ବୋଲି ସେମାନେ ଖଳଙ୍କ ପରି ଆନନ୍ଦ ବି ଅନୁଭବ କରନ୍ତି, “ସେମାନଙ୍କର ପିଲା ପ୍ରକୃତରେ କିପରି” –ବାପାମାଆ ସେକଥା ଜାଣନ୍ତୁ ବୋଲି ଏମାନେ ସେହି ପିଲାମାନଙ୍କୁ ଫେଲ୍ ନମ୍ବର ଦେଇ କେଡ଼େ ଖୁସୀ ହେଉଥାନ୍ତି ।

 

ମୁଁ ଏକାଧିକ ବର୍ଷ ବିଦ୍ୟାଳୟ –ସମ୍ବନ୍ଧିତ ସ୍ନାୟୁରୋଗ ବେରାମଗୁଡ଼ିକ ବିଷୟରେ ଅଧ୍ୟୟନ କରିଥିଲି । ଶିକ୍ଷକଙ୍କ ତରଫରୁ ଅନ୍ୟାୟ ପାଇଲେ ପିଲାମାନଙ୍କର ସ୍ନାୟୁଗତ କ୍ରିୟାଶୀଳତା ନାନା ପ୍ରକାରର ପ୍ରତିକ୍ରିୟା ବ୍ୟକ୍ତ କରିଥାଏ; ସେମାନେ ଅତିକ୍ରିୟ ହୁଅନ୍ତି, ଅତ୍ୟନ୍ତ କାତର ଭାବରେ ଦଣ୍ଡସଚେତନ ହୋଇ ଯାଆନ୍ତି, ତିକ୍ତ ସ୍ୱଭାବର ହୁଅନ୍ତି ଓ ଅତ୍ୟନ୍ତ ବ୍ୟାଧିତ ଓ ଅସ୍ୱାଭାବିକ ମାତ୍ରାରେ ଯାବତୀୟ ଯତ୍ନଶୀଳତା ହରାଇ ବସନ୍ତି, ଉଦାସୀନ ହୁଅନ୍ତି, ଗଭୀର ନୈରାଶ୍ୟରେ ବୁଡ଼ି ରହିଥାନ୍ତି, ଶିକ୍ଷକଙ୍କ ଠାରୁ ଏବଂ ଘରୁ ଶାସ୍ତି ଭୋଗିବାକୁ ପଡ଼ିବ ବୋଲି ଭୀତ ହୋଇ ରହିଥାନ୍ତି । ସେମାନେ ହେରେଷା ହୋଇ ବୁଲନ୍ତି ଏବଂ ଏକାନ୍ତ ଅମାନିଆ ଭାବରେ କଥା କହନ୍ତି ଅଥବା ଅତ୍ୟନ୍ତ ବ୍ୟାଧିଗ୍ରସ୍ତ ଭାବରେ ନୃଶଂସ ଆଚରଣମାନ କରୁଥାନ୍ତି । (ଏଇଟି କ୍ୱଚିତ୍ ଦେଖାଯାଏ, ତଥାପି ଦେଖାଯାଏ) ପିତାମାତା ତଥା ଶିକ୍ଷକର ଶିକ୍ଷାଗତ କୌଶଳଗୁଡ଼ିକ ଦ୍ୱାରା ହିଁ କର୍ତ୍ତୃତ୍ୱ ଦ୍ୱାରା କିଛି ଲଦି ଦେବାର ପ୍ରତିବିଧାନ ସମ୍ଭବ ହେବ । ସେହି କୌଶଳର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି ଯେ, ଆମେ ପ୍ରତ୍ୟେକ ପିଲାର ଆତ୍ମିକ ଜଗତଟିକୁ ଅନୁଭବ କରିପାରୁଥିବା, ପ୍ରତ୍ୟେକ ପିଲାକୁ ଆବଶ୍ୟକ ଯଥାସମ୍ଭବ ଅଧିକ ଦୃଷ୍ଟି ଓ ଆତ୍ମିକ ବଳ ପ୍ରଦାନ କରି ପାରୁଥିବା, ଯେପରିକି ସିଏ ଅନୁଭବ କରି ପାରୁଥିବ ଯେ ତାକୁ କେହି ଭୁଲି ଯାଇନାହାନ୍ତି –ତା’ର ଦୁଃଖ, ଅପରାଧ ଏବଂ କଷ୍ଟସହନ ଗୁଡ଼ିକୁ ସମସ୍ତେ ସତକୁ ତ ବୁଝିପାରୁଛନ୍ତି ।

 

ଜଣେ ଶିକ୍ଷକ ଅବିବେକୀ ଭାବରେ କମ୍ ନମ୍ବର ଦେଇ ପିଲାକୁ ଫେଲ୍ କରିଦେବ ଓ ସେପରି କରି ତାକୁ ପିତାମାତାଙ୍କ ଠାରୁ ଶାସ୍ତି ଦିଆଇବ -ପିଲାଆଡ଼ୁ ବିଚାର କରି ଦେଖିଲେ ତାହାକୁ ହିଁ ଶିକ୍ଷକ କରୁଥିବା ସବୁଠାରୁ ବଡ଼ ଅନ୍ୟାୟ ବୋଲି କୁହାଯାଇପାରିବ । ସେ ଫେଲ୍ ନମ୍ବର ପାଇଛି ବୋଲି ବାପାମାଆ ଜାଣନ୍ତୁ, ଶିକ୍ଷକଙ୍କର ଏଥିରେ ବିଶେଷ ଆଗ୍ରହ ରହିଛି ବୋଲି ଯଦି ସେ ସୂଚନା ପାଏ, ତେବେ ସେହି ଶିକ୍ଷକ ଓ ସେହି ବିଦ୍ୟାଳୟ ପ୍ରତି ତା’ର ବିତୃଷ୍ଣା ଆସିବ । ତା’ପରେ ବୌଦ୍ଧିକ ଶ୍ରମ ହିଁ ତା’ଲାଗି ଏକ ଘୃଣାର ବସ୍ତୁ ହୋଇଯିବ । ଅନୁଭବଗୁଡ଼ିକ ଏହିପରି ଦନ୍ଥଡ଼ା ହୋଇଯାଇ ଅନ୍ୟମାନଙ୍କ ପ୍ରତି, ସର୍ବପ୍ରଥମେ ନିଜ ବାପମାଆଙ୍କ ପ୍ରତି ରହିଥିବା ତା’ସମ୍ବନ୍ଧର କ୍ଷେତ୍ରକୁ ପ୍ରସାରିତ ହୋଇଯିବ ।

 

ଏହି ଯେଉଁ ସମ୍ବେଦନାଶୂନ୍ୟ ହୃଦୟଟି ଅନ୍ୟାୟରୁ ଜନ୍ମଗ୍ରହଣ କରିଥାଏ, ପିଲାର ଆତ୍ମାକୁ ତା’ଠାରୁ ଆଉ ଅନ୍ୟ କିଛି ଏତେଦୂର ବିକୃତ କରିପକାଏ ବୋଲି ସମ୍ଭବତଃ କଳ୍ପନା କରି ହେବ ନାହିଁ । ଏହି ବିତୃଷ୍ଣାଭାବ ହେତୁ ପିଲା ଭଲ ଓ ମନ୍ଦ ବିଷୟରେ ଆପଣାର ସମ୍ବେଦନଶୀଳତାକୁ ହରାଇ ବସେ । ତା’ର ଚତୁର୍ଦ୍ଦିଗରେ ଭଲ ଓ ଖରାପ ମଣିଷ ଉଭୟ ରହିଛନ୍ତି ବୋଲି ସେ ବୁଝିପାରେ ନାହିଁ । ସେ ସନ୍ଦେହ କରେ, ମଣିଷମାନଙ୍କୁ ଅବିଶ୍ୱାସ କରେ, ଏବଂ, ପ୍ରଧାନତଃ ସେଇଥିରୁ ବିତୃଷ୍ଣା ଜନ୍ମଲାଭ କରେ ।

 

ଏବେ ଶିକ୍ଷାବିତ୍‌ମାନଙ୍କ ମହଲରେ ପ୍ରୋତ୍ସାହନ ଓ ଶାସ୍ତି ଦେବା ବିଷୟରେ ବହୁତ କଥା ଶୁଣାଯାଇଥାଏ । ଏହି ପ୍ରଲୋଭନକାରୀ ସିଦ୍ଧାନ୍ତମାନେ ସକାଳୁ ଜନ୍ମ ହୋଇ ସଞ୍ଜକୁ ମରି ଯାଉଥିବା ପୋକମାନଙ୍କ ପରି ଭାରି କ୍ଷଣସ୍ଥାୟୀ ହୋଇ ରହିଥାନ୍ତି । ....ଏବଂ, ଶିକ୍ଷାକ୍ଷେତ୍ରରେ ଯାବତୀୟ ଘଟଣା ମଧ୍ୟରେ ଏହି ନମ୍ବର ଦେବାକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଏବଂ ଉତ୍କଟତମ ଶାସ୍ତି ରୂପେ (ଏହାକୁ ସର୍ବଦା ଆଦୌ କାର୍ଯ୍ୟକାରୀ କରାଯାଏ ନାହିଁ) ବିଚାର କରାଯାଏ-। ଏଇଟି ହେଉଛି ସବୁଠାରୁ ଦାଢ଼ୁଆ ଅସ୍ତ୍ର ଏବଂ ଏଇଟିକୁ ବ୍ୟବହାର କରିବା ନିମନ୍ତେ ପ୍ରଭୂତ କୌଶଳ ଓ ସାମର୍ଥ୍ୟ ରହିଥିବା ଉଚିତ ।

 

ଏହି ଅସ୍ତ୍ରଟିକୁ ଯଥାର୍ଥ ଭାବରେ ବ୍ୟବହାର କରିପାରିବା ସକାଶେ, ସର୍ବପ୍ରଥମେ ଆମକୁ ପିଲାଟି ପରି ହିଁ ଦେବାକୁ ପଡ଼ିବ । ତାକୁ ଭଲ ପାଉଛ ବୋଲି ତୁମେ ତାକୁ ମୋଟେ କହିବ ନାହିଁ । ମାତ୍ର ତା’ ବିଷୟରେ ନିଜକୁ ସଂପୃକ୍ତ କରି ରଖିବାର ମାଧ୍ୟମରେ ହିଁ ତୁମେ ତା’ ପ୍ରତି ନିଜର ରହିଥିବା ଭଲ ପାଇବାକୁ ବ୍ୟକ୍ତ କରି ପାରୁଥିବ । ଟଲଷ୍ଟୟ ଲେଖିଥିଲେ, “ଯଦି ଶିକ୍ଷକ ତା’କାମକୁ ଭଲ ପାଉଥାଏ, ତେବେ ସେ ନିଶ୍ଚୟ ଜଣେ ଭଲ ଶିକ୍ଷକ ହୋଇ ପାରିବ । ଯଦି ତା’ର ପିଲାଙ୍କ ପ୍ରତି ଜଣେ ବାପା କିମ୍ବା ମାଆ ପରି ଭଲ ପାଇବା ରହିଥିବ, ତେବେ ସବୁଯାକ ଗ୍ରନ୍ଥକୁ ଅଧ୍ୟୟନ କରିଥିବା ଅଥଚ ନିଜର କାମକୁ ଅଥବା ଛାତ୍ରମାନଙ୍କୁ ଭଲ ପାଉନଥିବା ଆଉଜଣେ ଶିକ୍ଷକ ଠାରୁ ସେ ନିଶ୍ଚୟ ଜଣେ ଅଧିକ ଭଲ ଶିକ୍ଷକ ହୋଇପାରିବ । ସିଏ ପ୍ରକୃତରେ ଜଣେ ପୂର୍ଣ୍ଣଗୁଣ ଆଦର୍ଶ ଶିକ୍ଷକ ହୋଇପାରିବ ।”

 

ସମ୍ବେଦନଶୀଳତା ନାମକ ଗୁଣଟିକୁ କଦାପି କେବଳ ଅଧ୍ୟୟନ ଦ୍ୱାରା ହାସଲ କରାଯାଇପାରିବ ନାହିଁ । ଶିକ୍ଷକ ଭିତରେ ଯେଉଁ ମାନସିକ ସମ୍ବେଦନଶୀଳତା ରହିବ, ତାହା ତା’ର ସାଧାରଣ ବୌଦ୍ଧିକ, ନୈତିକ, ସୌନ୍ଦର୍ଯ୍ୟବୋଧଗତ ଓ ସମ୍ବେଗକ୍ଷେତ୍ରୀୟ ବିକାଶର ଏକ କ୍ରିୟାଶୀଳ ଐକ୍ୟ ଉପରେ ପ୍ରତିଷ୍ଠିତ ହୋଇ ରହିଥିବ ଏବଂ ସେହି ଐକ୍ୟ ଏକାଧାରରେ ଏକ ଉଚ୍ଚ ଶିକ୍ଷାଗତ ସ୍ତର ତଥା ସମୂହ ମଧ୍ୟରେ ରହିଥିବା ନୈତିକ ସମ୍ବନ୍ଧଚୟର ସମାଜଗତ ଅନୁଭବରୁ ହିଁ ନିଷ୍ପନ୍ନ ହେଉଥିବ । ଶିକ୍ଷକ ଏହି କଥାଟିକୁ ଜାଣିଥିବ ଏବଂ ଅନୁଭବ କରିଥିବ ଯେ, ତାହାରି ବିବେକ ଉପରେ ହିଁ ପ୍ରତ୍ୟେକ ପିଲାର ଭାଗ୍ୟ ନିର୍ଭରଶୀଳ ହୋଇ ରହିଛି, ସିଏ ବିଦ୍ୟାଳୟରେ ଯେଉଁ ମନୁଷ୍ୟଟିକୁ ଶିକ୍ଷା ଦେଉଛି, ତା’ର ବୁଦ୍ଧିସାମର୍ଥ୍ୟ, ସ୍ୱାସ୍ଥ୍ୟ ଏବଂ ସୁଖପ୍ରତି ତା’ନିଜର ଆତ୍ମିକ ତଥା ବୌଦ୍ଧିକ ସମୃଦ୍ଧତା ଉପରେ ହିଁ ନିର୍ଭର କରୁଛି ।

 

.........ଦ୍ୱିତୀୟ ଶ୍ରେଣୀରେ ଥରେ ବ୍ୟାକରଣ ପଢ଼ା ଯାଉଥିଲା । ନିୟମଗୁଡ଼ିକୁ ଓ ଦୃଷ୍ଟାନ୍ତଗୁଡ଼ିକୁ ବିଶ୍ଳେଷଣ ଓ ଅଧ୍ୟୟନ କରିବା ପରେ ପିଲାମାନେ ସ୍ୱାଧୀନ ଭାବରେ କିଛି ଅଭ୍ୟାସ କଲେ, –ସେମାନେ ନିଜ ଜ୍ଞାନକୁ ଅଧିକ ଗଭୀର କରିପାରିବେ ଓ ପରୀକ୍ଷା କରି ଦେଖିବେ, ତାହା ହିଁ ଏହାର ଲକ୍ଷ୍ୟ ହୋଇ ରହିଥିଲା । ସେସବୁ କାର୍ଯ୍ୟ ପାଇଁ ନମ୍ବର ଦିଆଯାଇପାରିବ । କାମଗୁଡ଼ିକୁ ପରୀକ୍ଷା କରି ଦେଖିଲାରୁ ଜଣାଯାଉଛି ଯେ, ମିଶା ଓ ପେଟ୍ରିକ୍ ମୋଟେ ଭଲ ଭାବରେ କାର୍ଯ୍ୟଟି କରି ନାହାନ୍ତି । ଯଦି ମୁଁ ସେମାନଙ୍କୁ ଫେଲ୍ ନମ୍ବର ଦେବି, ତେବେ ନିଜର ସମସ୍ତ ହୃଦୟ ଦେଇ ଶିଖିବା ଲାଗି ଇଚ୍ଛା କରୁଥିବା ସେହି ପିଲାମାନେ ତାହାକୁ “ତୁମର ଅନ୍ୟ ସାଙ୍ଗମାନେ ପାହାଚେ ଆଗେଇ ଗଲେ, କିନ୍ତୁ ତୁମେ ପାରିଲ ନାହିଁ” ବୋଲି ପ୍ରତ୍ୟକ୍ଷ କରିବେ । ମୁଁ ଭୁଲଗୁଡ଼ିକୁ ସଂଶୋଧନ କରିଦେଲି, କେତୋଟି ଭଲ ଉଦାହରଣ ଲେଖିଦେଲି ଏବଂ ସେହି ଦୁଇଜଣ ପିଲାଙ୍କୁ କୌଣସି ନମ୍ବର ଦେଲିନାହିଁ । ଖାତାଗୁଡ଼ିକୁ ଫେରାଇ ଦେଲାବେଳେ ପିଲାମାନଙ୍କୁ କହିଲି, “ମିଶା ଓ ପେଟ୍ରିକ୍‍ଙ୍କୁ କୌଣସି ନମ୍ବର ଦିଆହୋଇନାହିଁ । ପିଲାମାନେ, ଆହୁରି ଭଲ ଭାବରେ ଚେଷ୍ଟା କରିବ-। ନିଜେ ନିଜେ କିଛି ଲେଖି ଆଣିବ ଓ ନମ୍ବର ପାଇବ ।”

 

କାର୍ଯ୍ୟ ସନ୍ତୋଷଜନକ ନହେଲେ କୌଣସି ନମ୍ବର ଯେ ମିଳେ ନାହିଁ, ପିଲାମାନେ ସେହି କଥାଟି ବିଷୟରେ ଅଭ୍ୟସ୍ତ ହୋଇ ଯାଇଥିଲେ । ଗୋଟିଏ ପାଠକୁ ସମ୍ପୂର୍ଣ୍ଣ ଭାବରେ କରିଦେଲେ ଯେ ସେଥିରୁ ତୁମେ ଗୋଟିଏ ପାହାଚ ଆଗକୁ ଗଲ ବୋଲି ପ୍ରମାଣିତ ହୋଇଯିବ ଓ ଶିକ୍ଷକ ତୁମକୁ ସ୍ପଷ୍ଟ ଅଭିମତଟିଏ ଜଣାଇଦେବେ, ଏପରି କଦାପି ହେବ ନାହିଁ ବୋଲି ପିଲାମାନଙ୍କର ମନରେ ଦୃଢ଼ ହୋଇଯାଇଥିଲା । ପିଲା ଆଗରେ ସଫଳତାର ପଥଟିକୁ କଦାପି ବନ୍ଦ କରି ଦିଆଯାଉନଥିଲା-। ଯାହା ସିଏ ଏବେ କରିପାରିଲା ନାହିଁ, ଭବିଷ୍ୟତରେ ସେଇଟିକୁ କରିପାରିବ, ଏପରିକି ଆଜି ବା ଆସନ୍ତାକାଲି କରିଦେବ, –ଏହିପରି ଧାରଣାଟିଏ ଦିଆଯାଉଥିଲା । ଫେଲ୍ ନମ୍ବର ପାଇଲେ ପିଲାମାନେ ଯେପରି ଆଉ କିଛି ଆଦୌ ସମ୍ଭବ ହେବ ନାହିଁ ଓ ସିଏ ତା’ ସାଙ୍ଗମାନଙ୍କ ତୁଳନାରେ ପାହାଚେ ପଛରେ ପଡ଼ିରହିଲା ବୋଲି ଅନୁଭବ କରନ୍ତି, ମିଶା ଓ ପେଟ୍ରିକ୍ ମୋଟେ ସେଭଳି ଅନୁଭବ କରୁନଥିଲେ । ଏଠାରେ ପାଠ ସମୟରେ ପିଲାମାନେ “ଆମକୁ ପ୍ରଶ୍ନ ଦିଅନ୍ତୁ” ବୋଲି ନିଜେ କହନ୍ତି । ତେଣୁ ମୁଁ ସେମାନଙ୍କୁ ସେଥିରୁ ଗୋଟିଏ ଦିଏ । ସ୍କୁଲଦିବସଟି ମଧ୍ୟରେ ସେମାନେ ସମୟ ବାହାର କରି ସେଇଟିକୁ କରନ୍ତି (ଆମ ଦୈନନ୍ଦିନ ସ୍କୁଲ-କାର୍ଯ୍ୟକ୍ରମ ଏପରି ତିଆରି ହୋଇଥାଏ ଯେ ପ୍ରତ୍ୟେକ ପିଲା ତା’ର ଅତ୍ୟାବଶ୍ୟକ କାମଗୁଡ଼ିକୁ କରିବା ପାଇଁ ଅଧଘଣ୍ଟାଏ ସମୟ ପାଇଯାଏ ) । ସେହି ସାନ ପିଲା ଦୁଇଟି ସେମାନେ ଅନ୍ୟ ପିଲାଙ୍କ ଠାରୁ ଆଦୌ ଅପାରଗ ନୁହଁନ୍ତି ବୋଲି ଦର୍ଶାଇ ପାରିବାକୁ ଅନୁରୂପ ନମ୍ବର ପାଇବେ ବୋଲି ଯଥାଶକ୍ତି ଚେଷ୍ଟା କଲେ । ମୁଁ ସେମାନଙ୍କର ଖାତା ଦେଖିଲି, ଏବଂ ଏପରି ଘଟଣାରେ ଯାହା ପ୍ରାୟ ସବୁବେଳେ ଘଟିଥାଏ, ଏଥର ସେମାନେ ଭଲ ନମ୍ବର ହିଁ ପାଇଥିଲେ ।

 

ଯେଉଁସବୁ ପାଠରେ ସୃଜନାତ୍ମକ ବୁଦ୍ଧିଶକ୍ତି, ବିବେଚନା ଓ ଅନୁସନ୍ଧାନ ଆବଶ୍ୟକ ହୁଏ, ସେହିଭଳି କ୍ଷେତ୍ରରେ ନମ୍ବର ଦେବାକୁ ସାବଧାନତା ସହିତ ଏକ ଉତପ୍ରେରକ ରୂପେ ବ୍ୟବହାର କରିବା, –ପିଲା ଭିତରେ କାମ କରିବାର ପ୍ରେରଣା ଜାଗୃତ କରିବା ନିମନ୍ତେ ତାହାର ଏକ ବିଶେଷ ମହତ୍ତ୍ୱ ରହିଛି । ଗୋଟିଏ ପିଲା ଭିତରେ ଭାବନାର ପ୍ରକ୍ରିୟାଟି କ୍ଷିପ୍ର ଗତିରେ ଓ ମୀମାଂସକ ଭାବରେ ଗତି କରୁଥାଏ ଓ ଆଉଜଣକ ଭିତରେ ମନ୍ଥର ହୋଇ ରହିଥାଏ । ମାତ୍ର, ତାହାର ଅର୍ଥ ନୁହେଁ ଯେ ଗୋଟିଏ ପିଲା ଆଉ ଗୋଟିଏ ପିଲାଠାରୁ ଅଧିକ ଚତୁର ଥାଏ ବା ଅଧିକ କାମ କରୁଥାଏ । ପ୍ରାଥମିକ ବିଦ୍ୟାଳୟରେ ପାଟୀଗଣିତର ଅଙ୍କଗୁଡ଼ିକୁ କଷିବା ଶିକ୍ଷାର ପ୍ରଥମ ନିୟମଟିର କଷଟିପଥର ପରି କାର୍ଯ୍ୟ କରିଥାଏ : ତାହା ପିଲାଟିକୁ ବୌଦ୍ଧିକ ଶ୍ରମର ସଫଳତାଜନିତ ଆନନ୍ଦ ଆଣି ଦେଇଥାଏ, ସେମାନଙ୍କ ମଧ୍ୟରେ ଗୈାରବ ଏବଂ ଆତ୍ମସମ୍ମାନ-ବୋଧ ଜାଗୃତ କରି ଆଣେ । ପ୍ରଥମ ଅସୁବିଧାଗୁଡ଼ିକ ପିଲା ପାଇଁ ଯେପରି ପଥର ପରି ହୋଇ ତାକୁ ଅଟକାଇ ଦେବ ନାହିଁ, ସେହି ବିଷୟରେ ନିଶ୍ଚିତ ରହିବାକୁ ପଡ଼ିବ । ପିଲାମାନେ ସ୍ୱାଧୀନ ଭାବରେ ଭାବି ନଶିଖିବା ପର୍ଯ୍ୟନ୍ତ, ଗୋଟିଏ ଗଣିତର ବିଷୟଗୁଡ଼ିକୁ ଚିନ୍ତା କରି ନପାରିବା ପର୍ଯ୍ୟନ୍ତ ଏବଂ ସେଇଟିକୁ କଷି ପାରିବାର ଉପାୟଟିକୁ ବାହାର ନକରିଥିବା ପର୍ଯ୍ୟନ୍ତ, –ଅନ୍ୟ ଭାଷାରେ କହିଲେ, ସେହି କାର୍ଯ୍ୟଟିରେ ସଫଳତା ଲାଭ କରିବାର ଆନନ୍ଦଟିକୁ ଅନୁଭବ କରି ନଥିବା ପର୍ଯ୍ୟନ୍ତ ମୁଁ ପିଲାମାନଙ୍କୁ ଅଙ୍କର ନମ୍ବର ଦେଇନଥିଲି । ଏଠାରେ ସମସ୍ତଙ୍କ ପାଇଁ ଗୋଟିଏ ରୁଟିନ୍ ଲଦିଦେଲେ ଆଦୌ ହେବ ନାହିଁ; ଗୋଟିଏ ପିଲା ମାସକ ଭିତରେ ପାଟୀଗଣିତରେ ହୁଏତ ତିନିଥର ନମ୍ବର ପାଇବ, ଏବଂ ଆଉଜଣେ ହୁଏତ ଥରେ ହେଲେ ବି ପାଇବ ନାହିଁ । ମାତ୍ର, ତାହାର ଅର୍ଥ ନୁହେଁ ଯେ, ଦ୍ୱିତୀୟ ପିଲାଟି କିଛି କଲା ନାହିଁ ବା ତା’ର କୌଣସି ଅଗ୍ରଗତି ହେଲା ନାହିଁ । ସିଏ ଅଙ୍କଟିକୁ ବୁଝି ଶିଖିଲା; ଏବଂ ଯେଉଁ ଜଟିଳ ଗଣିତଟିକୁ ଜଣେ ପିଲା ସ୍ୱାଧୀନ ଭାବରେ ନିଜେ କରିଦେଇପାରିଲା, ତାହାକୁ ତା’ର ବିକାଶକ୍ରମରେ ଅବଶ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସୋପାନ ବୋଲି କହିବାକୁ ହେବ ।

 

ଯୋଉ ପିଲାମାନେ ଅଙ୍କରେ ମନୋଯୋଗ ଦେଇ ପାରୁନଥିଲେ, ସେମାନଙ୍କୁ ମୁଁ ବର୍ଷ ବର୍ଷ ଧରି ଲକ୍ଷ୍ୟ କରି ଦେଖିଥିଲି ଏବଂ ସେଥିରୁ ମୋ’ର ବିଶ୍ୱାସ ହୋଇଯାଇଥିଲା ଯେ, ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଯେଉଁମାନେ ପଛରେ ରହିଥାଆନ୍ତି, ସେମାନେ ସ୍ୱାଧୀନ ଭାବରେ ଗୋଟିଏ ଅଙ୍କ ବି କରି ପାରିନଥାନ୍ତି । ସେମାନେ ଖାଲି ସୁଅରେ ଭାସି ଯାଉଥାନ୍ତି; ସେମାନଙ୍କର ସାଙ୍ଗମାନେ ଯେଉଁଠାରେ ଆଗରୁ ଛିଡ଼ା ହୋଇ ସାରିଛନ୍ତି, ସେଠାରେ ଗୋଡ଼ ଲଗାଇବାକୁ ଚେଷ୍ଟା କରୁଥାନ୍ତି । କଳାପଟାରେ କଷା ହୋଇଥିବା ଅଙ୍କଗୁଡ଼ିକୁ ସେମାନେ ଟିପି ନେଉଥାନ୍ତି, ବା ପାଖ ପିଲାଙ୍କ ଠାରୁ ଦେଖି ନିଅନ୍ତି ; ମାତ୍ର ନିଜେ କିପରି ଅଙ୍କଟିଏ କରିବେ, ସେମାନଙ୍କର ସେ ବିଷୟରେ ମୂଳତଃ କୌଣସି ଧାରଣା ନଥାଏ ।

 

ଘୋଷି ପାଠ ହାସଲ କରିବାର କୌଣସି ପଦ୍ଧତି ବାହାର କରି ସେହି ଅସୁବିଧାଟିର ଦୂରୀକରଣ କଦାପି ସମ୍ଭବ ହେବନାହିଁ । ଗଣିତରେ ବୌଦ୍ଧିକ ଶ୍ରମ କରିବାକୁ ଭାବନାର କଷଟିପଥର ବୋଲି ହିଁ କୁହାଯିବ । ସମସ୍ୟା ବା ଅସୁବିଧାଟିର କାରଣ ହେଉଛି ଯେ, ପିଲାଟି ଆଦୌ ଚିନ୍ତା କରି ଶିଖିନାହିଁ; ପାରିପାର୍ଶ୍ୱିକ ପୃଥିବୀର ବସ୍ତୁ, ଘଟଣା, ନିର୍ଭରଶୀଳତା ଏବଂ ପାରସ୍ପରିକ ସମ୍ବନ୍ଧଗୁଡ଼ିକ ତା’ଲାଗି ଭାବନାର ଉତ୍ସ ରୂପେ କେବେ ହେଲେ କାମରେ ଲାଗିନାହାନ୍ତି-। ଅନୁଭବ କହୁଛି ଯେ, ଯଦି ଆଦ୍ୟ ଶୈଶବରୁ ଗୋଟିଏ ପିଲା ପାଇଁ ପ୍ରକୃତି ମଧ୍ୟକୁ “ଯାତ୍ରା” କରିବା ବୌଦ୍ଧିକ ଶ୍ରମର ଏକ ଯଥାର୍ଥ ବିଦ୍ୟାଳୟରେ ପରିଣତ ହୋଇପାରିଥିବ, ତେବେ ସେ ଗଣିତରେ କଦାପି ଫେଲ୍ ହେବ ନାହିଁ । ବସ୍ତୁଗୁଡ଼ିକ ପିଲାକୁ ଅବଶ୍ୟ ଭାବି ଶିଖାଇବେ: ସବୁ ସାଧାରଣ ପିଲା ବୁଦ୍ଧିମାନ, ମେଧାବୀ, ଜିଜ୍ଞାସୁ ଓ କୌତୂହଳୀ ହୋଇପାରିବା ନିମନ୍ତେ ଏଇଟି ହେଉଛି ବିଶେଷ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ ସର୍ତ୍ତ । ମୁଁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲି ଯେ, ଯଦି ପିଲାଟିଏ ଗୋଟିଏ ବିଷୟକୁ ବୁଝି ପାରୁନାହିଁ, ଯଦି ତା’ ଭାବନାଗୁଡ଼ିକ ପାଣିରୁ ବାହାରକୁ ପଡ଼ି ଯାଇଥିବା ମାଛଟିଏ ପରି ଛଟପଟ ହେଉଛନ୍ତି, ତେବେ ସେମାନେ ସବାଆଗ ନିଜର କାର୍ଯ୍ୟଟିକୁ ହିଁ ଭଲ ଭାବରେ ପରୀକ୍ଷା କରି ଦେଖିବେ । ଏହି ପିଲାମାନଙ୍କର ମନ ଶୁଖି ଆସୁଥିବା ହ୍ରଦ ପରି ହୋଇଯାଇଥିଲା କି, ଭାବନାର ସେହି ବୃହତ୍ ଜୀବନଦାୟୀ ଉତ୍ସଟି ଠାରୁ –ବସ୍ତୁଗୁଡ଼ିକର ଜଗତଠାରୁ ତା’ର ଖିଅ ଛିଣ୍ଡି ଯାଇଥିଲା କି ? ତେବେ ତୁମେ ସେହି କ୍ଷୁଦ୍ର ହ୍ରଦଟିକୁ ପ୍ରକୃତି, ବସ୍ତୁ ଏବଂ ପାରିପାର୍ଶ୍ୱିକ ପୃଥିବୀର ସେହି ମହାସମୁଦ୍ର ସହିତ ପୁନର୍ବାର ଯୋଡ଼ିଦେବ ଏବଂ ଦେଖିବ, ଜୀବନ୍ତ ଭାବନାର ନିର୍ଝରଗୁଡ଼ିକ କିପରି ପୁନର୍ବାର ଉତ୍ସରିତ ହେବାକୁ ଆରମ୍ଭ କରିବେ !

 

ମାତ୍ର ଏପରି ଭାବିଲେ ନିଶ୍ଚୟ ଭୁଲ ହେବ ଯେ, ପାରିପାର୍ଶ୍ୱିକ ଜଗତ ସ୍ୱୟଂ ପିଲାକୁ ଭାବିବା ନିମନ୍ତେ ଶିକ୍ଷା ଦେଇପାରିବେ । ସୈଦ୍ଧାନ୍ତିକ ଚିନ୍ତା ବ୍ୟତୀତ ବସ୍ତୁଗୁଡ଼ିକ ଏକ ଅଭେଦ୍ୟ ପ୍ରାଚୀରର ପଶ୍ଚାତରେ ପିଲାର ଦୃଷ୍ଟିରୁ ଲୁକ୍କାୟିତ ହୋଇ ରହିଯିବେ । ଚତୁର୍ଦ୍ଦିଗର ପରିବେଶରୁ ପିଲା ମୂଳ ସତ୍ୟଗୁଡ଼ିକୁ ଗ୍ରହଣ କରିପାରୁଥିଲେ ଯାଇ ପ୍ରକୃତି ତା’ପାଇଁ ବୌଦ୍ଧିକ ଶ୍ରମର ଏକ ବିଦ୍ୟାଳୟରେ ପରିଣତ ହୋଇପାରିବ । ବସ୍ତୁ ଓ ଘଟଣା ମଧ୍ୟରେ ଲାଗି ରହିଥିବା ପାରସ୍ପରିକ କ୍ରିୟାକୁ ପିଲାମାନେ ଦେଖିପାରୁଛନ୍ତି କି ନାହିଁ, ସଫଳ ଭାବରେ ଗଣିତର ସମସ୍ୟାଗୁଡ଼ିକର ସମାଧାନ କରିବା ତାହାରି ଉପରେ ନିର୍ଭର କରିଥାଏ ।

 

ପେଟ୍ରିକ୍ ବହୁଦିନ ପର୍ଯ୍ୟନ୍ତ ଗୋଟିଏ ଗଣିତର ପରିବେଶଗୁଡ଼ିକୁ ମୋଟେ ମନେ ରଖି ପାରୁନଥିଲା । ନିଜେ ମାନସିକ ଶକ୍ତିକୁ ପ୍ରୟୋଗ କରି ବସ୍ତୁ ଓ ଘଟଣା ମଧ୍ୟରେ ରହିଥିବା ପରସ୍ପର-ନିର୍ଭରଶୀଳତାକୁ ବୁଝିବା ହିଁ ଏହି ସାନ ଛୁଆଟି ଲାଗି ପ୍ରଧାନ ସମସ୍ୟା ହୋଇ ରହିଥିଲା । ମୁଁ ପିଲାମାନଙ୍କୁ ପ୍ରକୃତି ମଧ୍ୟକୁ ନେଇ ଯାଉଥିଲି, ସେମାନଙ୍କୁ ବାରବାର ପର୍ଯ୍ୟବେକ୍ଷଣ କରିବାକୁ ଶିଖାଉଥିଲି, ବସ୍ତୁ ବସ୍ତୁ, ଗୁଣ ଗୁଣ, –ଏଗୁଡ଼ିକୁ ତୁଳନା କରି ଦେଖିବାକୁ କହୁଥିଲି, –ଗୋଟିଏ ଉପରେ ଆଉ ଗୋଟିକର କ୍ରିୟାକୁ ଦେଖି ପାରିବାକୁ ଶିକ୍ଷା ଦେଉଥିଲି । ଏଗୁଡ଼ିକ ଆଡ଼କୁ ମୁଁ ପେଟ୍ରିକରେ ଦୃଷ୍ଟି ମଧ୍ୟ ଆକର୍ଷଣ କରୁଥିଲି । ସିଏ ଏପରି ଏକ ବିନ୍ଦୁରେ ଆସି ପହଞ୍ଚିଲା, ଯେଉଁଠାରେ କି ସେ ନିଜେ ସଂଖ୍ୟାଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ବୁଝି ପାରିଲା । ସିଏ ଯେ ବର୍ତ୍ତମାନ ନିଜେ ଗଣି ଶିଖିଗଲା ବା ଆଙ୍ଗୁଠି ସାହାଯ୍ୟରେ ଗଣି ଶିଖିଲା, ତାହା ନୁହେଁ, ମାତ୍ର ପରସ୍ପର ନିର୍ଭରଶୀଳତାର ତତ୍ତ୍ୱ ଦେଇ ସିଏ ଚିନ୍ତା କରିପାରିଲା, ତାହା ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ-

 

ଆମେ ତରଭୁଜ କିଆରୀର କୁଡ଼ିଆ ଭିତରେ ବସି କମ୍ବାଇନ୍‍ମାନେ କିପରି ଗହମ ସଂଗ୍ରହ କରୁଥିଲେ, ତାହା ଦେଖିଥିୁଲୁ । ମଝିରେ ମଝିରେ ଶସ୍ୟ ବୋଝାଇ କରି ଗୋଟିଏ ଗୋଟିଏ ଲରି କମ୍ବାଇନ୍ ପାଖରୁ ଚାଲି ଯାଉଥାନ୍ତି । ଶସ୍ୟ ଥରେ ଭରି ହେବାକୁ କେତେ ମିନିଟ୍ ସମୟ ଲାଗୁଥିଲା ? ପିଲାମାନେ ନିଜ ନିଜ ଘଡ଼ିକୁ ଆଗ୍ରହ ସହକାରେ ଦେଖିଲେ ଓ ସାତମିନିଟ୍ ଲାଗୁଛି ବୋଲି ଜାଣିଲେ । ଲୋକମାନେ ନିଜର କାମକୁ କିପରି ବ୍ୟବସ୍ଥିତ କରି ରଖିବେ, ଯେପରିକି କମ୍ବାଇନରେ କାମ ବନ୍ଦ କରିବାକୁ ପଡ଼ିବ ନାହିଁ ? ହଁ, ଡାଲାଟି ପୂରିବାକୁ ଆଉ ପାଞ୍ଚ ମିନିଟ୍, ଚାରି ମିନିଟ୍ ଓ ତା’ପରେ ତିନି ମିନିଟ୍ ରହିଲା ପିଲାମାନେ ଭୟଶଙ୍କିତ ହୋଇ ପଡ଼ିଲେ: ଏଥର କମ୍ବାଇନ୍‍କୁ ତଥାପି କାମ ବନ୍ଦ କରିବାକୁ ପଡ଼ିବ । ଆଉ ଦୁଇମିନିଟ୍ ଥାଏ, ଏହି ସମୟରେ ଟ୍ରକଟି ଜଙ୍ଗଲ ଭିତରୁ ଦୃଷ୍ଟିଗୋଚର ହେଲା । ମାତ୍ର, ଶସ୍ୟଗୋଦାମକୁ ଯିବା ଲାଗି ତାକୁ ପୂରା ଘଣ୍ଟାଏ ସମୟ ଲାଗୁଥିଲା । ଅର୍ଥାତ୍, ଲୋକମାନେ ଦୂରତା ଓ ସମୟକୁ ପରସ୍ପର ସହିତ ହିସାବ କରି ରଖିଥିଲେ । ଟ୍ରକ୍ କେତେଥର ବୋଝେଇ ହୋଇଗଲେ କମ୍ବାଇନ୍ ବନ୍ଦ ନହୋଇ କାମ କରିପାରିବ, ସେମାନେ ତାହା ଠିକ୍ କରିଦେଇଥିଲେ । ମାତ୍ର, ଯଦି ଗୋଦାମଘରେ ପହଞ୍ଚିବାକୁ ଗୋଟାଏ ଘଣ୍ଟା ଜାଗାରେ ଦୁଇଘଣ୍ଟା ଲାଗୁଥାନ୍ତା, ତେବେ ଗହମ ବୋହି ନେବାକୁ ବେଶୀ ନା କମ୍, କେତେ ଟ୍ରକ୍ ଦରକାର ହୁଅନ୍ତା ।

 

ପେଟ୍ରିକ୍ କହିଲା, “ନିଶ୍ଚୟ ଅଧିକ ଟ୍ରକ୍ ଦରକାର ହୁଅନ୍ତା”, –ଏବଂ ତା’ର ଆଖି ଦିଓଟି ଆନନ୍ଦରେ ଝଲମଲ୍ କରୁଥିଲା । “ବର୍ତ୍ତମାନ ତିନୋଟି ଟ୍ରକ୍ କାମ କରୁଛନ୍ତି । ଗୋଟିଏ ବୋଝେଇ ହେଉଛି, ଗୋଟିକରୁ ଗହମ କଢ଼ା ହେଉଛି । ଯଦି ରାସ୍ତା ଅଧିକ ଲମ୍ବା ହୋଇଥାଆନ୍ତା, ତେବେ ବାଟ ପାଇଁ ସେମାନେ ନିଶ୍ଚୟ ଅଧିକ ଟ୍ରକ୍ ଦରକାର କରନ୍ତେ ।”

 

ପିଲାଟି ତା’ମାନସିକ ଶକ୍ତିକୁ କାମରେ ଲଗାଉଥିଲା ଓ ମୁଁ ବେଶ୍ ଦେଖିପାରୁଥିଲି ଯେ, ରାସ୍ତା ଡବଲ୍ ହୋଇଥିଲେ କେତୋଟି ଟ୍ରକ୍ ଦରକାର ହୁଅନ୍ତା, ସିଏ ସେହି ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରି ଦେଇଥିଲା । ମାତ୍ର ସେତେବେଳେ ସେଇଟା ଆଦୌ ପ୍ରଧାନ ବିଷୟ ନଥିଲା-। ପ୍ରଧାନ କଥାଟି ହେଉଛି ଯେ, ଅଙ୍କମାନେ କୌଣସି ଲୋକର ଆଦୌ କଳ୍ପନାପ୍ରସ୍ତୁତ ନୁହଁନ୍ତି ବୋଲି ସିଏ ବର୍ତ୍ତମାନ ବୁଝି ପାରୁଥିଲା । ଆମ ଚାରିପାଖରେ ଗଣିତର ଅଙ୍କମାନେ ଥାଆନ୍ତି; କାରଣ ଗତି ଥାଏ, ଜୀବନ ଥାଏ ଓ ମନୁଷ୍ୟର ଶ୍ରମ ମଧ୍ୟ ରହିଥାଏ ।

 

ପେଟ୍ରିକ୍ ତୃତୀୟ ଶ୍ରେଣୀକୁ ଆସି ସାରିଥିଲା, ମାତ୍ର ତଥାପି ଅଙ୍କମାନ କଷି ପାରୁନଥିଲା-। ସିଏ ସ୍ୱାଧୀନ ଭାବରେ ଗୋଟିଏ ଅଙ୍କ ବି କଷି ପାରିନଥିଲା, ସବୁବେଳେ ସାଙ୍ଗମାନଙ୍କର ଅଥବା ଶିକ୍ଷକଙ୍କର ସାହାଯ୍ୟ ନେଉଥିଲା । ଏଥିପାଇଁ ମୁଁ ବେଶ୍ ଚିନ୍ତିତ ଥିଲି । ତଥାପି ପିଲାଟି ଯେ ଚିନ୍ତା କରିବାକୁ ଆରମ୍ଭ କଲାଣି, ମୁଁ ସେକଥା ନିଶ୍ଚିତ ଭାବରେ ଜାଣିଥିଲି । ତା’ପରେ ମୁଁ ତାକୁ ଗଣିତରେ ରହିଥିବା ସମସ୍ୟା ବିଷୟରେ ବିଶ୍ଳେଷଣ କରିପାରିବା ନିମନ୍ତେ ପ୍ରସ୍ତୁତ କଲି । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା ଯେ ପେଟ୍ରିକ୍‍କୁ ମୋଳିକ ବସ୍ତୁଗୁଡ଼ିକୁ ଏଣିକି ମନେ ରଖିବାକୁ ପଡ଼ିବ; କାରଣ ତା’ନହେଲେ କୌଣସି ଭାବନା ସମ୍ଭବ ହେବ ନାହିଁ । ପିଲାଟି ଗଣିତବାକ୍ସ ପାଖରେ ବସି ନିଜେ ଭୁଲ କରୁଛି କି ଠିକ୍ କରୁଛି ଦେଖୁଥିଲା । ୧୨-୮,୧୯+୧୩ ବା ୪୧-୧୯ କେତେ ହେବ, ଏସବୁ ବିଷୟରେ ବ୍ୟସ୍ତ ନହୋଇ ସିଏ ଅଙ୍କଗୁଡ଼ିକର ପରିବେଶଗୁଡ଼ିକୁ ବୁଝୁ ବୋଲି ମୁଁ ଚେଷ୍ଟା କରୁଥିଲି । (କାରଣ ଯଦି ତୃତୀୟ ଶ୍ରେଣୀର ଗୋଟିଏ ପିଲା ଏଗୁଡ଼ିକ ବିଷୟରେ ଭାବିବାକୁ ଆରମ୍ଭ କରିବ, ତେବେ ସିଏ କଦାପି ଅଙ୍କଟିକୁ କରିପାରିବ ନାହିଁ) ।

 

ମୁଁ ଅଭିଜ୍ଞତାରୁ ଜାଣିପାରିଲି ଯେ ଅନେକ ସମୟରେ ପିଲାମାନେ ବୀଜଗଣିତରେ ଦୁର୍ବଳ ରହିଯାନ୍ତି, କାରଣ ସେମାନେ ରାଶିଗୁଡ଼ିକର ସ୍ୱାଭାବିକ କ୍ରମଟି ବିଷୟରେ ସେତେଦୂର ଯାଏ ଚିନ୍ତା କରିନଥାନ୍ତି, ଯେଉଁଠାରେ କି ମୌଳିକ ବସ୍ତୁଗୁଡ଼ିକ ବିଷୟରେ ଭାବିବା ଆଉ ଆବଶ୍ୟକ ହୁଏନାହିଁ । ସେତେବେଳେ ସେମାନଙ୍କର ସମସ୍ତ ଚିନ୍ତାଶକ୍ତିକୁ ଅମୂର୍ତ୍ତ ଭାବନା ଆଡ଼କୁ ନିର୍ଦ୍ଦେଶିତ କରି ଦିଆଯାଇ ପାରନ୍ତା । ଯେଉଁ ପିଲାମାନେ, ସର୍ବପ୍ରଥମେ ପେଟ୍ରିକ୍, –ଶିଖିବାରେ ମାନ୍ଦା ଥିଲେ, ମୁଁ ସେମାନଙ୍କୁ ଯୋଗ, ବିୟୋଗ, ଗୁଣନ ଓ ଭାଗ ବିଷୟରେ ଅଧିକ ସଂଖ୍ୟାରେ ଅଙ୍କ ଦେବାକୁ ଆରମ୍ଭ କଲି ।

 

ଆମେ ପ୍ରକୃତି ମଧ୍ୟକୁ ଭ୍ରମଣ କରି ଯାଉଥିଲୁ ଏବଂ ଲୋକମାନେ କାମ କରୁ କରୁ ଯେଉଁସବୁ ବହୁସଂଖ୍ୟକ ଅଙ୍କଗୁଡ଼ିକୁ କରୁଥାନ୍ତି, ସେଗୁଡ଼ିକ ପ୍ରତି ମୁଁ ପିଲାଟିର ଦୃଷ୍ଟି ଆକର୍ଷଣ କରୁଥିଲି । ଶେଷକୁ ପେଟ୍ରିକ୍ ନିଜେ ନିଜେ ଅଙ୍କଟିଏ କଷି ମଧ୍ୟ ପାରିଲା । ତା’ର ଆଖି ଦୁଇଟି ପ୍ରଜ୍ଜ୍ୱଳିତ ହୋଇ ଉଠିଲେ । ସିଏ ମୋତେ ଅଙ୍କଟିର ବିଷୟବସ୍ତୁକୁ ବୁଝାଇବାକୁ ଆରମ୍ଭ କଲା : ତା’ର ବ୍ୟାଖ୍ୟା ପୂରା ସ୍ପଷ୍ଟ ହୋଇ ନଥିଲା, ତଥାପି ମୁଁ ବେଶ୍ ଦେଖି ପାରୁଥିଲି ଯେ ପିଲାଟି ଆଗରେ ବର୍ତ୍ତମାନ ଏପରି କିଛି ଉନ୍ମୋଚିତ ହୋଇ ଯାଇଥିଲା ଯାହାକି ଆଗରୁ କୁହୁଡ଼ି ଭିତରେ ଲୁଚି ରହିଥିଲା । ମୁଁ ଆଶ୍ୱସ୍ତିର ନିଃଶ୍ୱାସ ପକାଉଥିଲି । ଏହି କଥାଟିକୁ ନିଜ ମାଆଙ୍କ ଆଗରେ କହିବ ବୋଲି ପିଲାଟି ସ୍କୁଲ ଛୁଟି ହେବାଯାଏ ଅପେକ୍ଷା କରି ପାରିନଥିଲା । ମାଆ ଘରେ ନଥିଲେ, ତଥାପି ସିଏ କେଡ଼େ ଆନନ୍ଦରେ ଜେଜେବାପାଙ୍କୁ ଯାଇ କହିଲା, “ଆଜି ମୁଁ ନିଜେ ନିଜେ ଅଙ୍କଟିଏ କରିପାରିଲି ।” ପେଟ୍ରିକ୍ ତା’ନିଜ ସଫଳତା ପାଇଁ ଗର୍ବ ଅନୁଭବ କରୁଥିଲା ଏବଂ ମନୁଷ୍ୟ କିଛି ନିଜେ ହାସଲ କରିପାରିଲେ ଏହିପରି ଏକ ଶୁଦ୍ଧ ନୈତିକ ଗର୍ବବୋଧ ସମ୍ଭବ ହୋଇଥାଏ । ନିଜ କାମରେ ଗର୍ବ ଅନୁଭବ କରିନଥିବା ପର୍ଯ୍ୟନ୍ତ ଜଣକୁ କେବେହେଲେ ପ୍ରକୃତ ମନୁଷ୍ୟଟିଏ ବୋଲି କହିହେବ ନାହିଁ ।

 

ଏହି ଘଟଣାଟି ଆମ ଶିକ୍ଷାସମୂହଟିର ଭାବିବା ନିମନ୍ତେ ବହୁତ ଖାଦ୍ୟ ଯୋଗାଇ ଦେଇଥିଲା । ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ପିଲାମାନଙ୍କୁ ଆମେ ଏକ ନୂତନ ଆଲୋକରେ ଦେଖିବାକୁ ଆରମ୍ଭ କଲୁ । ହଠାତ୍ ଡେଇଁ ପଡ଼ିଲା ପରି ଏକାବେଳେକେ ଏକ ଦୃଢ଼ ସିଦ୍ଧାନ୍ତ କରି ପକାଇବ ନାହିଁ ଯେ ପିଲାଟି ଆଦୌ କିଛି ବୁଝୁନାହିଁ । ହୁଏତ ଦୁଇ ତିନିବର୍ଷ ପାଇଁ ସିଏ କିଛି ବୁଝୁ ନଥିବ, ମାତ୍ର କାଳକ୍ରମେ ସିଏ ଶିଖିବାକୁ ଆରମ୍ଭ କରିବ । ଭାବନା ହେଉଛି ଗୋଟିଏ ଫୁଲ ପରି, ଯାହାକି ଅତ୍ୟନ୍ତ ଧୀରେ ଧୀରେ ହିଁ ଜୀବନରସର ସଂଗ୍ରହ କରୁଥାଏ । ଯଦି ଆମେ ସେହି ରସକୁ ଆଣି ଚେରଗୁଡ଼ିକୁ ଯୋଗାଇ ଦେଇପାରିବା ଏବଂ ଫୁଲଟିକୁ ନେଇ ଖରାରେ ରଖିଦେବା, ତେବେ ତାହା ନିଶ୍ଚୟ ଫୁଟିବ । ଆମେ ପିଲାକୁ ଭାବି ପାରିବାର ଉପାୟ କହିଦେବା ଏବଂ ସକଳ ଭାବନାର ଉତ୍ସ ଅର୍ଥାତ୍ ଚତୁର୍ଦ୍ଦିଗର ପୃଥିବୀକୁ ତା’ଆଗରେ ଉନ୍ମୋଚିତ କରିଦେବା । ତେବେ ତାକୁ ଆମେ ମନୁଷ୍ୟ ଜୀବନର ଏକ ବୃହତ୍ ଆନନ୍ଦ, –ଜାଣିବାର ଆନନ୍ଦକୁ ପ୍ରଦାନ କରିପାରିବା ।

 

ଏହିସବୁ କଠିନ ଓ ଗମ୍ଭୀର ଶିକ୍ଷାଗତ ସମସ୍ୟା ବିଷୟରେ ବିଶେଷ ଭାବରେ ଚିନ୍ତା କରିବା ପାଇଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ବହୁ ସାନ୍ଧ୍ୟବୈଠକରେ ଏକତ୍ର ହୋଇଥିଲେ : ଗୋଟିଏ ପିଲା ବସ୍ତୁଗୁଡ଼ିକୁ ସିଧା ଗଣି ସଂଖ୍ୟାଟିକୁ ଜାଣିବାର ସ୍ତରରୁ କିପରି ସାଧାରଣ ନିୟମ ଓ ସୂତ୍ରଗୁଡ଼ିକର ସ୍ତରକୁ ଯାଇ ପାରିବ । ସବୁ ପିଲା ଯେପରି ସହଜ ଓ ଅନାୟାସ ଭାବରେ ଏହି ପରିବର୍ତ୍ତନଟିକୁ ସମ୍ଭବ କରିପାରିବେ, ସେଥିପାଇଁ ଆମେ ସେମାନଙ୍କୁ ବହୁ ଆଗ୍ରହୋଦ୍ଦୀପକ କଥା କହୁଥିଲୁ । ଅନେକ ପିଲା ଅଛନ୍ତି, ଯେଉଁମାନେ କି ଭଲ ଭାବରେ ଗଣନାର ସୂତ୍ରଗୁଡ଼ିକୁ ଧରି ନିଅନ୍ତି, ସେମାନେ ଟାଉ ଟାଉ ଗଣିଦେଇ ପାରନ୍ତି । ମାତ୍ର ଅଙ୍କଟିର ପ୍ରକୃତ ମର୍ମଟିକୁ ବୁଝିବା ବେଳକୁ କଷ୍ଟ ଅନୁଭବ କରନ୍ତି । ଯୋଉମାନେ ମୂର୍ତ୍ତ ବସ୍ତୁଗୁଡ଼ିକୁ ଭାବିବାରେ ନିପୁଣ ଭାବରେ ଅଭ୍ୟସ୍ତ ହୋଇ ଯାଇଥାନ୍ତି, ସଂଖ୍ୟାଗୁଡ଼ିକୁ ଛାଡ଼ି ଗଣିତର ମର୍ମଟିକୁ ବୁଝିବା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଯାଏ । ଉଦାହରଣ ସ୍ୱରୂପ, କେତେ ପିଲା ଅଙ୍କଟିକୁ ପଢ଼ିଦେବା ମାତ୍ରକେ ସଙ୍ଗେ ସଙ୍ଗେ ତାହାର ଉତ୍ତର ଦେବାକୁ ଚେଷ୍ଟା କରନ୍ତି : କାହିଁକି ଗଣନାଗୁଡ଼ିକ କରୁଛନ୍ତି, ସେହି କଥାଟି ବୁଝିବା ପୂର୍ବରୁ ହିଁ ଗଣନା ଆରମ୍ଭ କରିଦିଅନ୍ତି ।

 

ଆମେ ସମସ୍ତେ ଏହିଭଳି ପିଲାଙ୍କୁ ନିଶ୍ଚୟ ଦେଖିଥିବା । ପିଲାଏ କିପରି ମୂର୍ତ୍ତ ଗଣନାରୁ ଅମୂର୍ତ୍ତ ଚିନ୍ତାକୁ ଆସିପାରିବେ, ଆମେ ସେହି ବିଷୟରେ ପରସ୍ପର ସହିତ କଥାବାର୍ତ୍ତା କରିଥିଲୁ । ଆମେ ଏହି ସମାଧାନରେ ଆସି ପହଞ୍ଚିଲୁ ଯେ, ଏହି ପିଲାମାନଙ୍କୁ ଏପରି ଅନେକ ସମସ୍ୟା ଦିଆଯିବ, ଯେଉଁଥିରେ କି ଆଦୌ କୌଣସି ପାଟୀଗଣିତର କାମ ନଥିବ । ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଆମେ ପାଟୀଗଣିତର ଖୋଲା କ୍ଲାସମାନ କଲୁ : ଗୋଟିଏ ସମସ୍ୟାକୁ ପିଲାମାନେ କିପରି ସଂଖ୍ୟାଗଣନାର କୌଣସି ସାହାଯ୍ୟ ନନେଇ ସମାଧାନ କରନ୍ତି, ଆମେ ତାହାରି ତଥ୍ୟକୁ ଜାଣିବାକୁ ସ୍ଥିର କଲୁ । ଏହିପରି ଭାବରେ ଅସୁବିଧାର ସମ୍ମୁଖୀନ ହେଉଥିବା କେତେକ ପିଲାଙ୍କର ବୌଦ୍ଧିକ ବିକାଶ ଲାଗି ଆମେ ବାଟ ଖୋଜିବାକୁ ଲାଗିଲୁ ।

 

ନମ୍ବରଗୁଡ଼ିକୁ ଆମେ କଦାପି ଗୋଟିଏ ଗୋଟିଏ ଜଞ୍ଜିରରେ ପରିଣତ କରି ଦେବା ନାହିଁ, ଯାହାକି ପିଲାର ଚିନ୍ତା ପ୍ରକ୍ରିୟାକୁ ବାନ୍ଧି ପକାଇବ । ଏକାବେଳେକେ ଅତି ଦୁର୍ବଳ ପିଲା, ଯେଉଁମାନେ ତାତ୍କାଳିକ ଭାବରେ ଅତି ମାନ୍ଦା ବୋଲି ଲାଗୁଥିଲେ, ସେମାନେ ବୁଝି ପାରୁଥିବା ବିଷୟଗୁଡ଼ିକ ସମ୍ବନ୍ଧରେ ଅଧିକ ଚିନ୍ତା କରିବାକୁ ସେମାନଙ୍କୁ ମୁଁ ସୁଯୋଗ ପ୍ରଦାନ କରିଥିଲି । ପିଲାମାନଙ୍କର ଅଧ୍ୟୟନ ପ୍ରତି ରହିଥିବା ଆଗ୍ରହ କେବେ କମି ଯାଉନଥିଲା । ସେମାନଙ୍କ ଭିତରେ ଗର୍ବ, ସମ୍ମାନବୋଧ ଓ ନିଜର ଯୋଗ୍ୟତା ଉପରେ ବିଶ୍ୱାସକୁ ଜାଗ୍ରତ କରିଆଣି ମୁଁ ଆବିଷ୍କାର କଲି ଯେ ସେମାନେ ଏଣିକି ସ୍ୱାଧୀନ ଭାବରେ ସବୁ କରିବାଲାଗି ଇଚ୍ଛା କରୁଛନ୍ତି ।

 

ପିଲା ନିଜେ ଚିନ୍ତା କରୁ.....ପ୍ରଥମେ ଯେପରି ବୋଧ ହେଉଛି, ଏକଥାଟି ଆଦୌ ସେତେ ସହଜ ନୁହେଁ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏ ପିଲାମାନଙ୍କର ବୌଦ୍ଧିକ ଉଦ୍ୟମକୁ ତୁମେ ଯତ୍ନ ସହକାରେ ଦେଖ, ତେବେ ଜାଣିବାକୁ ପାଇବ ଯେ, ସେମାନଙ୍କ ମଧ୍ୟରୁ ସଂଖ୍ୟାଗରିଷ୍ଠ ଅଧିକାଂଶ (ଏପରି ପ୍ରାୟ ସର୍ବଦା ହିଁ ଘଟିଥାଏ) ସ୍ଥଳରେ ପିଲା ତୁମ ପ୍ରଶ୍ନଟିର ଉତ୍ତର ଦେଇ ପାରିଲା ନାହିଁ (ବା ଦତ୍ତ ପାଠଟିକୁ ପୂରା କରିପାରିଲା ନାହିଁ) କାରଣ, ଚିନ୍ତା କରିପାରିବାକୁ ବା ଏକାଗ୍ର ହୋଇ ପାରିବାରୁ ସିଏ କୌଣସି ସମୟ ପାଇନଥିଲା (ବା, ବେଳେବେଳେ ଏପରି ବି ହୁଏ ଯେ ପ୍ରଶ୍ନଟି ହଠାତ୍ ଆସି ପିଲାଟା ଉପରେ ହାବୁଡ଼ିଯାଏ ଓ ତାକୁ ବିଚଳିତ କରିପକାଏ) । ପିଲା କିପରି ନିଜେ ଚିନ୍ତା କରିବା ଲାଗି ସମୟ ପାଇବ, ଆମ ପ୍ରାଥମିକ ଶିକ୍ଷକମାନେ ବିଶେଷ କରି ସେହିକଥା ଆଲୋଚନା କରିବା ପାଇଁ ଏକାଠି ବସୁଥିଲେ । ଆମେ ସମସ୍ତେ ମିଶି ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଗୋଟିଏ ପିଲାକୁ ଉତ୍ତର ଜଣା ଅଛି କି ନାହିଁ, ସେହି ବିଷୟରେ ନିଷ୍ପତ୍ତି କରିନେବାକୁ ଶିକ୍ଷକ ଆଦୌ ତରତର ହେବ ନାହିଁ । ଅନେକ ସମୟରେ ଶିକ୍ଷକ ପିଲାକୁ ଏପରି ବି କହିଥାନ୍ତି, “ବସ୍, ତୁ ଉତ୍ତରଟିକୁ ଜାଣିନୁ !” ହୁଏତ ଠିକ୍ ସେତିକିବେଳେ ପିଲାକୁ ତା’ମୁଣ୍ଡ ଭିତରେ ଉତ୍ତରଟି ଆସି ଝଲକି ଉଠିବାକୁ ଯାଉଥିବ । ଅର୍ଥାତ୍, ପିଲା ଉତ୍ତର ଜାଣିଥିବ, ଏବଂ ତେଣୁ ଶିକ୍ଷକ ଯେପରି ତାକୁ ବସିବାକୁ କହିଦେଲେ, ସେଥିରେ ସେ ନିଶ୍ଚୟ ଅପମାନିତ ବୋଧ କରିବ । ଏହି ଘଟଣା କାହିଁକି ଘଟିଥାଏ ? ଆମେ କଦାପି ପଚାରିଦେବା ମାତ୍ରକେ ଏହି ପ୍ରଶ୍ନଟିର ଉତ୍ତର ପାଇ ପାରିନଥାନ୍ତୁ । ତେଣୁ ଆମକୁ ବହୁବାର ଆବଶ୍ୟକ ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିଲା ଏବଂ ବହୁ ତଥ୍ୟର ଅଧ୍ୟୟନ କରିବାକୁ ହେଲା ।

 

ଯେଉଁ ପିଲା ନିଜର ଇଚ୍ଛାଶକ୍ତି ଓ ଭାବନାର ଏକାଗ୍ରତା ଦ୍ୱାରା ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ, ତାକୁ କେହି ଉତ୍ତରଟି କହିଦେଉ ବା ସିଏ ଶିକ୍ଷକଙ୍କୁ ଠକିଦେଉ ଏହି ବିଷୟରେ ସିଏ ଅତ୍ୟନ୍ତ ବିମୁଖ ହୋଇ ରହିଥାଏ । ଗୋଟିଏ ପାଖରେ ମୁଁ ଓ ଅନ୍ୟ ପାଖରେ ପିଲାମାନେ, –ଦୁହିଁଙ୍କ ମଧ୍ୟରେ ସର୍ବଦା ଆସ୍ଥା ଓ ସଦିଚ୍ଛାର ଏକ ବାତାବରଣ ବିଦ୍ୟମାନ ରହିଥିଲା । ଯଥାଶକ୍ତି ଚେଷ୍ଟା କରିଥିଲେ ମଧ୍ୟ ସେମାନେ କୌଣସି ଗୋଟିଏ ବିଷୟକୁ ବୁଝି ପାରୁନଥିଲେ ବା ସେମାନଙ୍କୁ ଦିଆଯାଇଥିବା ପାଠଟିକୁ ସେମାନେ ସାରିନଥିଲେ ବୋଲି ମୋତେ କହିବାକୁ ମୋ’ର ଛାତ୍ରମାନେ ଆଦୌ ଭୟ କରୁନଥିଲେ । ସେମାନେ ନିଜର ସୁଖ ଦୁଃଖ ସବୁକିଛିକୁ ଆସି ମୋ’ ପାଖରେ କହି ଦେଉଥିଲେ । ସେହି ପିଲାଙ୍କ ଲାଗି ମୁଁ କେବେହେଲେ ଦୁଃଖର କାରଣ ହେଉନଥିଲି ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଫେଲ୍ ନମ୍ବର ପାଇଲେ ସେମାନେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଥିଲେ । ଯଦି ଜଣେ ଶିକ୍ଷକ ଗୋଟିଏ ପିଲାକୁ ପ୍ରାୟ ପ୍ରତିଦିନ, “ଦେଖ୍, ତୁ ପୁଣି ଫେଲ୍ ହୋଇଗଲୁ” ବୋଲି କହୁଥିବ, ତଦ୍ଦ୍ୱାରା ପିଲାଟିର ଆତ୍ମାଟି ନିଶ୍ଚୟ ପଥଭ୍ରଷ୍ଟ ହୋଇଯିବ । ନିଜକୁ ଦୁଃଖୀ ବୋଲି ଅନୁଭବ କରିବା ନିମନ୍ତେ ପିଲା ଆଦୌ ଗୁଡ଼ାଏ ଦୁଃଖ ଆବଶ୍ୟକ କରେ ନାହିଁ । ଏବଂ ଯେତେବେଳେ ଏହି କ୍ଷୁଦ୍ର ବ୍ୟକ୍ତିଟି ନିଜ ଦୁଃଖ ବିଷୟରେ ଦେହସୁହା ହୋଇଯାଏ ଓ ଚତୁର୍ଦ୍ଦିଗରେ ସବୁକିଛି ପ୍ରତି ଉଦାସୀନ ରହେ, ସେତେବେଳେ ଏହି ସଂକଟ ପ୍ରକୃତରେ ଦୁଇଗୁଣ ହୋଇଯାଏ । ତା’ହୃଦୟ ପଥର ପାଲଟିଯାଏ । ଏବଂ, ହୃଦୟ ନିର୍ମମ ପଥରଟିଏ ହୋଇଗଲେ ନୃଶଂସ ହେବାର ଭୂମିଟିଏ ମଧ୍ୟ ପ୍ରସ୍ତୁତ ହୋଇଯାଏ । ଯଦି କୌଣସି ଶ୍ରେଣୀରେ ଏହିପରି ଦୁଃଖୀ ପିଲାମାନେ ରହିଥାନ୍ତି ଓ ତା’ର ଶ୍ରେଣୀସାଙ୍ଗମାନେ ତାକୁ ଦୁଃଖମୁକ୍ତ କରିବାକୁ କୌଣସି ଉଦ୍ୟମ ନକରନ୍ତି, ତେବେ ସେହି ସମୂହଟି ଆଉ ମୋଟେ ଏକ ଉତ୍ତମ, ବନ୍ଧୁତ୍ୱପୂର୍ଣ୍ଣ ଓ ସଦିଚ୍ଛାସଚଳ ସମୂହ ହୋଇ ରହି ପାରେ ନାହିଁ ।

 

ଭଲ ନମ୍ବର ଦେଇ ଆମେ କୌଣସି ପିଲାକୁ ନଷ୍ଟ ବି କରି ଦେବାନାହିଁ । ବିଦ୍ୟାଳୟରେ ଅନେକ ସମୟରେ ଏହିଭଳି ଘଟିଥାଏ । ପିଲାଟିଏ ଗୋଟିଏ ଶବ୍ଦ ଉଚ୍ଚାରଣ କରିବା ମାତ୍ରକେ ତାକୁ ସର୍ବୋଚ୍ଚ ନମ୍ବର ଦେଇ ଦିଆଯାଏ । ଅନେକ ସମୟରେ ଏପରି ମଧ୍ୟ ଘଟେ ଯେ, ଏକାଧିକ ପିଲାକୁ ସେହି ଗୋଟିଏ ପ୍ରଶ୍ନ ପଚରା ଯାଇଥାଏ ଏବଂ ସେଥିରେ ପ୍ରତ୍ୟେକ ପିଲା ନମ୍ବର ପାଇଯାଏ । ଏହା ଫଳରେ ପିଲାମାନେ ଅଧ୍ୟୟନଟାକୁ ଖୁବ୍ ହାଲୁକା ଭାବରେ ଗ୍ରହଣ କରିନିଅନ୍ତି । ପିଲା ତା’ର ବୁଦ୍ଧିଶକ୍ତିକୁ କାମରେ ଲଗାଇଲେ ଯାଇ ତାକୁ କୌଣସି ନମ୍ବର ମିଳିବା ଉଚିତ ।

 

ପିଲା ଉତ୍ତମ ରୂପେ ବୁଝିଥିବ ଯେ, ବୌଦ୍ଧିକ ଯାବତୀୟ କାର୍ଯ୍ୟ ପାଇଁ ବହୁ ପରିମାଣରେ ଇଚ୍ଛାଶକ୍ତି ଓ ଏକାଗ୍ରତା ଆବଶ୍ୟକ ହୋଇଥାଏ ଏବଂ ସେଥିଲାଗି ନିଜକୁ ବହୁ ସୁଖକୁ ପ୍ରତ୍ୟାହାର କରିବାକୁ ପଡ଼େ । କର୍ମ ଓ ପ୍ରୟାସର ଏକ ବାତାବରଣରେ ହିଁ ଇଚ୍ଛାଶକ୍ତିର ନିର୍ମାଣ ହୁଏ, ଅଧ୍ୟବସାୟ ଶିକ୍ଷା ସମ୍ଭବ ହୁଏ । ଯେଉଁ ପିଲା ସିଏ ହାସଲ କରିଥିବା ସଫଳତାଗୁଡ଼ିକୁ ସମୀକ୍ଷାତ୍ମକ ଭାବରେ ଦେଖିପାରେ ଓ କିଞ୍ଚିତ୍ ବିଫଳତାକୁ ମଧ୍ୟ ଅଙ୍ଗେ ନିଭାଇଥାଏ, ସିଏ ନିଶ୍ଚୟ ଆହୁରି କଠିନ ଶ୍ରମ କରିବାକୁ ଇଚ୍ଛା କରିବ, ଅଧିକ ଭଲ ଭାବରେ ତାହାକୁ କରିବ ଓ କଦାପି ଆଳସ୍ୟପରାୟଣ ହେବ ନାହିଁ ।

 

ବ୍ୟକ୍ତିଗତ ଅନୁଭବକୁ ଭିତ୍ତି କରି ବୌଦ୍ଧିକ ଶ୍ରମରେ ସଫଳ ହେବାର ଉପାୟଟିକୁ ଜାଣିଗଲେ ସେଥିରୁ ପିଲାମାନଙ୍କୁ ଆତ୍ମସଂଯମର ତାଲୀମ୍ ମଧ୍ୟ ମିଳିଯିବ । କଠିନ ପରିଶ୍ରମ କରି ସର୍ବୋତ୍ତମ ଫଳ ହାସଲ କରିବାରେ ଅଭ୍ୟସ୍ତ ହେବା ଦ୍ୱାରା ପିଲାମାନେ ଆଉ ଯତ୍ନହୀନ ଭାବରେ ପ୍ରଦତ୍ତ କୌଣସି ପାଠକୁ ସାରିଦେବାକୁ, ଅଳସୁଆ ହେବାକୁ କିମ୍ବା ହେଳା କରିବାକୁ ଆଦୌ ସହ୍ୟ କରି ନେବେ ନାହିଁ । ଯେତେବେଳେ କର୍ମଜନିତ ଆନନ୍ଦ ଓ ନିଜର ଅଧ୍ୟୟନରେ ମିଳୁଥିବା ସଫଳତା ସେମାନଙ୍କର ଅଧ୍ୟୟନରେ ପ୍ରଧାନ ଉତପ୍ରେରକ ହୋଇ କାର୍ଯ୍ୟ କରିବ, ସେତେବେଳେ ଶ୍ରେଣୀରେ ଆଉ ଅଳସୁଆ ପିଲା ବୋଲି କେହି ରହିବେ ନାହିଁ । ଶିକ୍ଷାର କଳାରେ ନୈପୁଣ୍ୟ ଲାଭ କରିଥିବା ଯଥାର୍ଥ ଶିକ୍ଷକମାନେ ପିଲାମାନଙ୍କର ଆଳସ୍ୟ ସହିତ ଅଲଗା ଅଲଗା କରି କ୍ୱଚିତ ସଂଘର୍ଷ କରିଥାନ୍ତି । ସେମାନେ ଆଳସ୍ୟକୁ ବରଂ ମାନସିକ ସ୍ତରର ଏକ ନିଦ୍ରାଳୁତା ରୂପେ ଦେଖିଥାନ୍ତି ।

 

ନିଜର ବୁଦ୍ଧିକୁ କାମରେ ଲଗାଉଥିଲେ ଯାଇ ତାହାରି ସକାରାତ୍ମକ ଫଳସ୍ୱରୂପ ତୁମକୁ ନମ୍ବର ମିଳିବ, –ଏହି ବ୍ୟବସ୍ଥାଟି କ୍ରମେ ସମଗ୍ର ବିଦ୍ୟାଳୟରେ ସ୍ୱୀକୃତ ହେଲା, ଏପରିକି ମାଧ୍ୟମିକ ଏବଂ ଉଚ୍ଚ ଶ୍ରେଣୀଗୁଡ଼ିକର ଶିକ୍ଷକମାନେ ତାହାକୁ ଗ୍ରହଣ କରି ନେଇଥିଲେ । ସ୍କୁଲବର୍ଷର ଶେଷରେ ଅଥବା ମଝିରେ ଯଦି ଗୋଟିଏ ପିଲା ମୋଟେ କୌଣସି ନମ୍ବର ପାଇ ନଥିବ, ତେବେ କ’ଣ କରାଯିବ ବୋଲି ଜଣେ ପାଠକ ହୁଏତ ପଚାରିବାକୁ ଇଚ୍ଛା କରିବେ । ଅସଲ କଥା ହେଉଛି, ଫେଲ୍‍ନମ୍ବର ପାଇଥିବାର ଦୁର୍ଭାଗ୍ୟକୁ ଗୋଟିଏ ପିଲା କୌଣସି ନମ୍ବର ପାଇ ନଥିବାର ସ୍ଥିତି ସହିତ ତୁଳନା ହିଁ କରାଯାଇ ପାରିବ ନାହିଁ । ପିଲାମାନେ ଭାରି ସହଜରେ ବୁଝି ନେଇଥିଲେ ଯେ, ଯଦି ସେମାନେ ଏବେ ମଧ୍ୟ ଗୋଟିଏ ନମ୍ବର ପାଇନାହାନ୍ତି, ତାହାର ଅର୍ଥ ହେଉଛି ଯେ, ସେମାନେ ଯେତେ ଚେଷ୍ଟା କରିବା କଥା ତାହା କରିନାହାନ୍ତି । ତେଣୁ, ଏପରି ପ୍ରାୟ ଆଦୌ ଘଟିନଥିଲା ଯେ, ସ୍କୁଲବର୍ଷ ଶେଷ ହେବା ସମୟରେ କୌଣସି ପିଲା ଗୋଟିଏ ନମ୍ବର ବି ପାଇନଥିଲା । ଚାରିବର୍ଷ ମଧ୍ୟରେ ମାତ୍ର ଛଅଥର ଏପରି ହୋଇଥିଲା ଯେ ମୁଁ ବର୍ଷାଂଶ ଶେଷରେ ଜଣକୁ କୌଣସି ନମ୍ବର ଦେଇନଥିଲି । ଯଦି ସେମାନଙ୍କର ପୁଅ ବା ଝିଅ ଗୋଟିଏ ନମ୍ବର ବି ପାଇନାହାନ୍ତି, ତେବେ କୋଉଠି କ’ଣ ପ୍ରମାଦ ରହିଯାଇଛି ବୋଲି ବାପାମାଆମାନେ ମଧ୍ୟ ହୃଦୟଙ୍ଗମ କରୁଥିଲେ । ସେମାନେ ଏକଥା ମଧ୍ୟ ଜାଣୁଥିଲେ ଯେ ପିଲା ନମ୍ବର ଯେ ପାଇଲା ନାହିଁ, ତାହା ପିଲାର ଦୋଷ ନୁହେଁ, କୌଣସି ଅସୁବିଧା ହେତୁ ହିଁ ସେପରି ହେଲା ଏବଂ, ଏହି କ୍ଷେତ୍ରରେ ପିଲାର ଆବଶ୍ୟକ ଭାବରେ ସହାୟତା କରିବାକୁ ହେବ, –ଏବଂ ତେଣୁ ଆମେ ସମସ୍ତେ ମିଶି ତାହା ହିଁ କରିଥିଲୁ । ମୁଁ ବାପାମାଆମାନଙ୍କର ହୃଦବୋଧ କରାଇ ଦେଇଥିଲି ଯେ, ସେମାନେ ସେମାନଙ୍କର ପିଲାମାନେ ସର୍ବୋଚ୍ଚ ନମ୍ବର ପାଆନ୍ତୁ ବୋଲି ମୋଟେ ଦାବୀ କରିବେ ନାହିଁ ଅଥବା ଫେଲ୍‍ନମ୍ବର ଦେଖିଲେ ତାହାକୁ ଅଳସୁଆମି, ଅବହେଳା ଅଥବା ଯଥେଷ୍ଟ ଆଗ୍ରହର ଅଭାବ ବୋଲି କଦାପି ବିଚାର କରିବେ ନାହିଁ ।

 

ଶିକ୍ଷାରେ ଅତ୍ୟନ୍ତ ସଂବେଦନଶୀଳ ଏକ ଅସ୍ତ୍ର ଏହି ନମ୍ବର ଦେବାଟାକୁ କେତେକ ଶିକ୍ଷକ ଅତ୍ୟନ୍ତ ଖାମଖିଆଲି ଭାବରେ ବ୍ୟବହାର କରିଥାନ୍ତି । ବହୁତ ବିଦ୍ୟାଳୟରେ ଅଳପ ନମ୍ବର ରଖିବାକୁ ନିମ୍ନ ଦୃଷ୍ଟିରେ ଦେଖାଯାଉଥିଲା । “ଆମେ ଅଧ୍ୟୟନ କରିବୁ, ମାତ୍ର ଆମକୁ ଗୋଟିଏ ହାରାହାରି ନମ୍ବର ଦିଆଯିବ ନାହିଁ ।” କେବଳ ତରୁଣ ଅଗ୍ରଗାମୀମାନେ ନୁହଁନ୍ତି, ପିଲାମାନଙ୍କର ସମ୍ବାଦପତ୍ରରେ ମଧ୍ୟ ଏକଥା ପଢ଼ିବାକୁ ମିଳୁଥିଲା । ଛାତ୍ରମାନଙ୍କ ଭିତରେ ସନ୍ତୋଷଜନକ ଭାବରେ କାର୍ଯ୍ୟ କରିବାର ଏକ ମନୋଭାବକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷକ ପ୍ରକୃତରେ ନିଜର ମୁହଁଟାକୁ ବିକୃତ କରିଦେବ ବୋଲି ନିଜର ନାକଟାକୁ କାଟି ପକାଉଛି; ସିଏ ପିଲାମାନଙ୍କୁ ଉପରଠାଉରିଆ ଓ ଅଗମ୍ଭୀର ହେବାକୁ ଶିକ୍ଷା ଦେଉଛି ।

 

ଦ୍ୱିତୀୟ ଶ୍ରେଣୀ ଆରମ୍ଭ ହେବାର କେତେ ସପ୍ତାହ ପରେ ପିଲାମାନେ ନିଜେ ଗୋଟିଏ ଗୋଟିଏ ସାନ ଖାତା ତିଆରି କଲେ, ଯେଉଁଥିରେ କି ସେମାନେ ପାଠଗୁଡ଼ିକରୁ ପାଉଥିବା ସୂଚକଗୁଡ଼ିକ ଲେଖା ହୋଇ ରହିବ । କୌଣସି ଗୋଟିଏ ପିଲା ମଧ୍ୟ ତା’ ବାପାମାଆଙ୍କ ପାଖରୁ ନିଜେ ପାଇଥିବା ନମ୍ବରକୁ ଲୁଚାଇ ରଖିବା ପାଇଁ ଚେଷ୍ଟା କରି ନଥିଲା । ଯଦି ପିଲା ପାଉଥିବା ସୂଚକଟି ତା’ର ସଫଳତାଜନିତ ଆନନ୍ଦର ହିଁ ପ୍ରତିଫଳିନ କରୁଥାଏ, ତେବେ ସେପରି କଦାପି ଘଟିବ ନାହିଁ । ସେହି ବହିଗୁଡ଼ିକରେ ବାପାମାଆଙ୍କର ଦସ୍ତଖତ ଅବଶ୍ୟ ରହୁ ବୋଲି ଶିକ୍ଷକ ଆଦୌ ପ୍ରତ୍ୟାଶା ରଖିବ ନାହିଁ, –ଏଇଟି ସେହି ପୁରୁଣା ଅମଳଟାକୁ ସୂଚାଇ ଦେଉଛି, ଯେତେବେଳେ ବିଦ୍ୟାଳୟର ବାତାବରଣରେ ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ ପରସ୍ପର ପ୍ରତି ଅବିଶ୍ୱାସ ଓ ସନ୍ଦେହ ପୂର୍ଣ୍ଣ ହୋଇ ରହିଥିଲା । ଯଦି ଶ୍ରେଣୀରେ ଏହି ପାରସ୍ପରିକ ବିଶ୍ୱାସଟି ନରହେ, ଯଦି ପିଲା ଶିକ୍ଷକ ପାଖରେ ମିଥ୍ୟା କହିବାକୁ ଚେଷ୍ଟା କରେ, ଯଦି ନମ୍ବରଗୁଡ଼ିକ ବୟସ୍କ ପିଲା ଦେହରେ ପ୍ରହାର କରିବା ନିମନ୍ତେ ଏକ ବେତରେ ପରିଣତ ହୋଇଥାଏ, ତେବେ ତଦ୍ଦ୍ୱାରା ଯଥାର୍ଥ ଶିକ୍ଷାର ମୂଳଦୁଆଟି ହିଁ ଧ୍ୱସ୍ତବିଧ୍ୱସ୍ତ ହୋଇଯିବ ।

 

ଅନ୍ୟାୟ ଆଚରଣ କରି ପିଲାଙ୍କୁ ଫେଲ୍ ନମ୍ବର ଦେବା ସହିତ ବିଦ୍ୟାଳୟର ସବୁଠାରୁ ଅଧିକ ଅନିଷ୍ଟକାରୀ ସେହି ଅନର୍ଥଟି ମଧ୍ୟ ଆରମ୍ଭ ହୋଇଯାଏ : ପିଲାପ୍ରତି ଅନ୍ୟାୟ କରାଯାଏ ଓ ପିଲା ଶିକ୍ଷକ ଓ ବାପାମାଆଙ୍କୁ ମିଛ କଥା କହି ଶିଖେ । ବିଦ୍ୟାଳୟରେ ନିଜର ବିଫଳତାକୁ ବାପାମାଆଙ୍କ ପାଖରୁ ଲୁଚାଇ ରଖିବାକୁ ଓ ନିଜର ଅବହେଳାକୁ ଶିକ୍ଷକମାନଙ୍କ ପାଖରୁ ଲୁଚାଇ ରଖିବାକୁ ହିଁ ପିଲାମାନେ ଏହିସବୁ କୌଶଳର ଆଶ୍ରୟ ନିଅନ୍ତି । ପିଲାକୁ ଯେତେ କମ୍ ବିଶ୍ୱାସ କରାଯାଉଥାଏ, ସିଏ ସେତିକି ପରିମାଣରେ ଅଧିକ ମିଥ୍ୟାର ଉଦ୍ଭାବନ କରେ ଏବଂ ଆଳସ୍ୟ ତଥା ଅବହେଳା ଲାଗି ସେତିକି ଅନୁକୂଳ ଭୂମି ତିଆରି ହୋଇଯାଇଥାଏ । ଆଳସ୍ୟ ଅବିଶ୍ୱାସରୁ ହିଁ ଜନ୍ମଗ୍ରହଣ କରେ । ମୋ’ ପିଲାମାନେ ହେଉଛନ୍ତି ସର୍ବପ୍ରଥମେ ଜଣେ ଜଣେ ଜୀବନ୍ତ ବ୍ୟକ୍ତି ଓ ଜୀବନ୍ତ ପିଲା ଏବଂ ତା’ପରେ ଜୀବନ୍ତ ଛାତ୍ର । ମୁଁ ସେମାନଙ୍କୁ ଯେଉଁ ନମ୍ବର ଦେଉଛି, ତାହା ସେମାନଙ୍କର କେବଳ ଜ୍ଞାନକୁ ମାପୁନାହିଁ, ମାତ୍ର ସର୍ବପ୍ରଥମେ, ଜଣେ ଜଣେ ବ୍ୟକ୍ତି ହିସାବରେ ସେମାନଙ୍କ ସହିତ ମୋ’ର କିପରି ସମ୍ବନ୍ଧସବୁ ରହିଛି; ତାହାକୁ ହିଁ ମାପିବାରେ ଲାଗିଛି ।

 

ଆମେ ପିଲାମାନଙ୍କ ଭିତରେ ଜିଜ୍ଞସା ଓ କୌତୂହଳର ଅଗ୍ନିଟିକୁ, ଜ୍ଞାନ ଲାଗି ତା’ର ପିପାସାକୁ ପ୍ରଜ୍ଜ୍ୱଳିତ ଓ ସଞ୍ଚିତ କରି ରଖିବା,–ସବୁ ଶିକ୍ଷକଙ୍କୁ ମୁଁ ଏହି ପରାମର୍ଶ ଦେଇଥିଲି । ପିଲା ଉଦ୍ୟମ କରୁଥିବ ଓ ସେଥିରୁ ଆନନ୍ଦ ପାଉଥିବ, ନିଜ ଭିତରେ ସେହି ଉଦ୍ୟମକାରୀଟି ପାଇଁ ଗର୍ବ ଅନୁଭବ କରୁଥିବ –କେବଳ ସେହିପରି ଭାବରେ ହିଁ ଅଗ୍ନିଟି ଆବଶ୍ୟକ ଈନ୍ଧନ ଲାଭ କରିପାରିବ । ସେମାନଙ୍କୁ ମୁଁ କହିଥିଲି ଯେ ଆମେ ପ୍ରତ୍ୟେକ ସଫଳତାକୁ ପୁରସ୍କୃତ କରିବା, ପିଲା ଅସୁବିଧାଗୁଡ଼ିକୁ ଅତିକ୍ରମ କରି ଯାଉଥିବାର ପ୍ରତ୍ୟେକ ଦୃଷ୍ଟାନ୍ତକୁ ଆମେ ସ୍ୱୀକୃତି ଦେବା,–ନମ୍ବରଗୁଡ଼ିକର କୌଣସି ଅପବ୍ୟବହାର କରିବା ନାହିଁ; ଆମେ କେବେହେଲେ ପାସୋରି ଯିବାନାହିଁ ଯେ, ସ୍ୱୟଂ ସେହି ପିଲାଟିକୁ ଭିତ୍ତି କରି ହିଁ ଆମର ଶିକ୍ଷାକୌଶଳର ନକ୍ସାଟି ନିର୍ମିତ ହେଉଛି, –ଜ୍ଞାନ ପ୍ରତି ଏବଂ ଶିକ୍ଷକ ପ୍ରତି ରହିଥିବା ପିଲାର ମନୋଭାବକୁ ଭୂମି କରି ହିଁ ତାହା ଦଣ୍ଡାୟମାନ ରହିଛି । ସେହି ମନୋଭାବଟି ହେଲା, ଶିଖିବା ପାଇଁ ଆଗ୍ରହ, ପ୍ରେରଣା ଏବଂ ଅସୁବିଧାଗୁଡ଼ିକୁ ପାରିହୋଇ ଯିବା ଲାଗି ସମ୍ମତି । ଏହି ଆତ୍ମାଟିକୁ ଅତ୍ୟନ୍ତ ଯତ୍ନର ସହିତ ସମୃଦ୍ଧିବନ୍ତ କରିବାକୁ ହେବ, –କାରଣ ସେପରି ନହେଲେ, ବିଦ୍ୟାଳୟ ବୋଲି ମଧ୍ୟ ଆଉ କେଉଁଠାରେ କ’ଣ ରହିବ ?

Image

 

ପରୀଗପଗୁଡ଼ିକର ପ୍ରକୋଷ୍ଠ

 

ପରୀଗପ, ଖେଳ ଓ କଳ୍ପନା, –ଏଗୁଡ଼ିକ ପିଲାମାନଙ୍କର ଭାବନା, କୋମଳ ଅନୁଭବ ଏବଂ ଅଭିପ୍ରାୟ ଗୁଡ଼ିକର ଜୀବନଦାୟୀ ଉତ୍ସ ରୂପେ କାର୍ଯ୍ୟ କରନ୍ତି । ପରୀଗପର କଳ୍ପନାଗୁଡ଼ିକ ଦ୍ୱାରା ଜାଗୃତ ହେଉଥିବା ଅନୁଭୂତିଚୟର ପ୍ରଭାବରେ ପିଲା ଶବ୍ଦମାନଙ୍କ ସାହାଯ୍ୟରେ ଭାବିବାକୁ ଶିକ୍ଷା କରେ । ସେମାନଙ୍କର ଭାବନା ପରୀଗପରେ ଥିବା ପ୍ରତିରୂପଗୁଡ଼ିକ ମଧ୍ୟରେ ଯେ ବାସ କରୁଛନ୍ତି, ସେଥିରୁ ପିଲାମାନେ ଖୁବ୍ ଆନନ୍ଦ ଆହରଣ କରନ୍ତି । ଗୋଟିଏ ପିଲା ସେହି ଏକା ପରୀଗପଟିକୁ ବହୁବାର ଶୁଣୁଥିଲେ ମଧ୍ୟ ପ୍ରତ୍ୟେକ ଥର ସେଥିରେ ନୂତନ କିଛିର ଆବିଷ୍କାର କରୁଥାଏ । ସ୍ୱଚ୍ଛ, ଜୀବନ୍ତ ଓ ସାକାର ମୂର୍ତ୍ତ ଭିତରୁ ତା’ପାଇଁ ପରୀଗପଗୁଡ଼ିକରେ ଅମୂର୍ତ୍ତ ଭିତରକୁ ପ୍ରଥମ ସୋପାନଗୁଡ଼ିକ ପଡ଼ିଥାଏ । ସେମାନଙ୍କର ଆତ୍ମିକ ଜୀବନରେ ପରୀଗପର ଏକ ସମ୍ପୂର୍ଣ୍ଣ ଅନୁଭବ ନରହିଥିଲେ ମୋ’ ପିଲାମାନେ କଦାପି ଅମୂର୍ତ୍ତ ଭାବନା ନିମନ୍ତେ ସମର୍ଥ ହୋଇ ନଥାନ୍ତେ-

 

ଆନନ୍ଦ-ପାଠଶାଳା ଆରମ୍ଭ ହେବାର ତିନିମାସ ପରେ ଆମେ ପରୀଗପର ପ୍ରକୋଷ୍ଠଟିଏ ନିର୍ମାଣ କରିଥିଲୁ । ବଡ଼ ପିଲାମାନେ ଆମ ପାଇଁ ଏପରି ଏକ ବାତାବରଣ ତିଆରି ହେବାରେ ସାହାଯ୍ୟ କରିଥିଲେ, ଯେଉଁଥିରେ କି ପିଲାମାନେ ସତକୁ ସତ ପରୀଗପ ଗୁଡ଼ିକର ପ୍ରତିରୂପରେ ପୂର୍ଣ୍ଣ ହୋଇଥିବା ଏକ ଜଗତରେ ବାସ କରୁଛନ୍ତି ବୋଲି ଅନୁଭବ କରିପାରିବେ । ସେମାନଙ୍କର ଶୈଶବରେ ସେମାନଙ୍କର ମାଆମାନେ ଯେଉଁ ପରୀଗପମାନ କହିଥିଲେ, ତାହାରି ଏକ ମାୟା ଭିତରେ ପିଲାମାନେ ଯେପରି ବାସ କରିପାରିବେ, ସେଥିଲାଗି ଆମକୁ ବହୁତ କିଛି କହିବାକୁ ପଡ଼ିଥିଲା । ପ୍ରକୋଷ୍ଠର ଗୋଟିଏ କୋଣରେ ବାବା-ୟାଗା ଡାଆଣୀ ବାସ କରୁଥିଲା । ତା’ର କୁହୁକ କୁଡ଼ିଆଟି କୁକୁଡ଼ାଗୋଡ଼ ଉପରେ ଛିଡ଼ା ହୋଇଥିଲା ଓ ଚାରିପାଖରେ ବଡ଼ ବଡ଼ ଗଛ ରହିଥିଲା । କୁଡ଼ିଆଟିର ସେପାଖକୁ ପରୀଗପଗୁଡ଼ିକର ଚରିତ୍ରସବୁର ଆକୃତି ରଖାଯାଇଥିଲା; ସିଆଣିଆ କୋକିଶିଆଳୀ ଧୂସର ରଙ୍ଗର ହେଟାବାଘ ଓ ସବୁ ଜ୍ଞାନରେ ପ୍ରବୀଣ ପେଚା । ଆଉଗୋଟିଏ କୋଣକୁ ଜେଜେମାଆ ଓ ଜେଜେବାପାଙ୍କ କୁଡ଼ିଆ ଥିଲା । ସେଠି ଆକାଶରେ ହଂସମାନେ ଉଡ଼ିବାରେ ଲାଗିଥିଲେ । ତୃତୀୟ କୋଣରେ ନୀଳ ସମୁଦ୍ର, ଯାହାର କୂଳରେ ସେହି ଭଲ ବୁଢ଼ା ଓ ଦୁଷ୍ଟ ବୁଢ଼ୀଙ୍କର ଭଙ୍ଗାତୁଟା କୁଡ଼ିଆଘରଟି ଅବସ୍ଥିତ ଥିଲା । ଦୁଆର ପାଖକୁ ଗୋଟାଏ ପୁରୁଣା କୁଣ୍ଡ ଥୁଆ ହୋଇଥିଲା ଏବଂ ବୁଢ଼ାବୁଢ଼ୀ ସେଇଠି ମଇଳା ଉପରେ ବସି ରହିଥିଲେ । ସୁନାମାଛଟି ସମୁଦ୍ର ପାଣିରେ ପହଁରୁଥିଲା । ଚତୁର୍ଥ କୋଣଟିରେ ଶୀତଋତୁର ଜଙ୍ଗଲ, ବରଫଝଡ଼ ଭିତରେ ସାନ ଝିଅଟିଏ ଯିବାରେ ଲାଗିଛି । ତା’ ସାବତ ମାଆ ତାକୁ କୋଳି ତୋଳି ଆଣିବା ପାଇଁ ଜଙ୍ଗଲକୁ ପଠାଇଛି । କୁଡ଼ିଆର ଝରକା ଭିତରୁ ପିଲାଟିଏ ବାହାର ଆଡ଼କୁ ଅନାଇଛି । ଏବଂ, ତା’ପରେ ସେହି ବଡ଼ ହାତମୋଜା, ଯାହା ଭିତରେ ସାନ ମୂଷାଟି ବାସ କରୁଛି । ତା’ପରେ କାଠ ପଟାରେ ତିଆରି ହୋଇଥିବା ସେହି ଉଚ୍ଚ ଜାଗାଟି, –ସେଠାରେ କଣ୍ଢେଇ ସବୁ ରଖାଯାଇଛି –ସାନ ଝିଅଟିଏ, ଧୂସର ରଙ୍ଗର ଠେକୁଆଟିଏ, କୋକିଶିଆଳୀ ନନୀ, ଭାଲୁ, ହେଟାବାଘ, ଗୋଟିଏ ପିଲା, କୁଟାରେ ତିଆରି ଗୋଟିଏ ଷଣ୍ଢ ଓ କୁନି ରେଡ଼୍ ରାଇଡ଼ିଙ୍ଗ୍ ହୁଡ଼୍ ।

 

ଏହି ସବୁକିଛି ଆମେ ନିଜେ ତିଆରି କରିଥିଲୁ । କରିବାକୁ ବେଶ୍ କେତେ ଦିନ ଲାଗିଥିଲା । ମୁଁ କେତେ କ’ଣ କାଟିଲି, ଆଙ୍କିଲି, ଅଠା ଲଗାଇଲି ଏବଂ ପିଲାମାନେ ମୋତେ ସାହାଯ୍ୟ କରୁଥିଲେ । ମୁଁ ପ୍ରତ୍ୟେକ ବିଷୟରେ ସୌନ୍ଦର୍ଯ୍ୟର ଦିଗଟି ଆଡ଼କୁ ମଧ୍ୟ ଦୃଷ୍ଟି ରଖିଥିଲି । ପ୍ରକୋଷ୍ଠଟିରେ ଆଲୋକର ବ୍ୟବସ୍ଥା ମଧ୍ୟ ସେହି ଅନୁସାରେ ହୋଇଥିଲା । ଯେତେବେଳେ ମୁଁ ବେଙ୍ଗ ରାଜକୁମାରର କଥା କହୁଥିଲି, ସେତେବେଳେ ଜଙ୍ଗଲର ଗଛମାନଙ୍କରେ ସାନ ସାନ ପ୍ରଦୀପ ଜଳୁଥିଲା ଏବଂ ସମଗ୍ର କୋଠରୀଟିକୁ ଏକ ସବୁଜ କୁହୁଡ଼ି ଆଚ୍ଛାଦିତ କରି ରଖିଥିଲା । ଠିକ୍ କାହାଣୀ ଅନୁରୂପ ପରିବେଶଟିଏ ସୃଷ୍ଟି ହୋଇଥିଲା ।

 

ପିଲାମାନଙ୍କୁ ମୁଁ ଏହି ପ୍ରକୋଷ୍ଠ ମଧ୍ୟକୁ ଆଦୌ ବେଶୀଥର ନେଉନଥିଲି । ପ୍ରଥମେ ସପ୍ତାହରେ ଥରେ ନେଉଥିଲି ଓ ତା’ପରେ ଦୁଇ ସପ୍ତାହରେ ଥରେ । ଶରତ ଓ ଶୀତକାଳରେ, ଯେତେବେଳେ ଦୁଆରଟା ଅନ୍ଧାରିଆ ହୋଇ ଆସୁଥିଲା, ସେତେବେଳେ ଆମେ ଆଲୁଅ ନିଭାଇ ଦେଇ ସେହି ଗୋଧୂଳି ଭିତରେ ଯାଇ ବସୁଥିଲୁ । ହଠାତ୍ ପରୀଗପ ପ୍ରକୋଷ୍ଠରେ ଆଲୁଅ ଜଳି ଉଠୁଥିଲା, ଆକାଶରେ ତାରାମାନେ ଦିଶୁଥିଲେ । ଜଙ୍ଗଲର ଗଛଗୁଡ଼ିକ ଉପରକୁ ଜହ୍ନ ଉଠି ଆସୁଥିଲା । କୋଠରୀଟିରେ କ୍ଷୀଣ ଆଲୋକ ଜଳୁଥିଲା ଏବଂ କୋଣଗୁଡ଼ିକ ଅଧିକ ଅନ୍ଧାରୁଆ ହୋଇ ରହିଥିଲା । ମୁଁ ପିଲାମାନଙ୍କୁ ଗୋଟିଏ ବାବା-ୟାଗା ଗଳ୍ପ କହୁଥିଲି । ବାବାୟାଗାର ହାଡ଼ୁଆ ଗୋଡ଼ମାନ ଥିଲା । ମୋ’ କଥାରେ ପିଲାମାନଙ୍କ ପାଇଁ ନୂଆ କିଛି ନଥିଲା, ମାତ୍ର ସେମାନଙ୍କର ଆଖି ବିସ୍ମୟରେ ଉଜ୍ଜ୍ୱଳ ହୋଇ ଉଠୁଥିଲା । ବୀରମାନଙ୍କର ଦୁଃଖଭୋଗରେ ପିଲାମାନେ ଦୁଃଖ ଅନୁଭବ କରୁଥିଲେ, ମନ୍ଦକୁ ଘୃଣା କରୁଥିଲେ ଓ ଭଲ ନିମନ୍ତେ ଉତ୍ସୁକ ଭାବରେ ସହାନୁଭୂତି ଦେଖାଉଥିଲେ । ପିଲାମାନେ ପରୀଗପଗୁଡ଼ିକୁ କେବଳ କଳ୍ପନାର କାହାଣୀ ବୋଲି ଆଦୌ ଭାବନ୍ତି ନାହିଁ, –ସେଗୁଡ଼ିକ ସେମାନଙ୍କ ପାଇଁ ଏପରି ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ପୃଥିବୀ ହୋଇ ରହିଥାନ୍ତି, ଯେଉଁଥିରେ କି ସେମାନେ ନିଜେ ବାସ କରୁଥାନ୍ତି, ସଂଘର୍ଷ କରନ୍ତି ଏବଂ ନିଜର ସଦିଚ୍ଛାକୁ ପ୍ରୟୋଗ କରି ମନ୍ଦର ବିରୋଧ କରୁଥାନ୍ତି । ଯେପରି ଖେଳ ବେଗ ଆଣିଦିଏ, ସଂଗୀତ ଛନ୍ଦର ଅଭିବ୍ୟକ୍ତି ଘଟାଏ, ସେହିପରି ପରୀଗପର ଶବ୍ଦଗୁଡ଼ିକ ତା’ର ଆତ୍ମିକ ଶକ୍ତିକୁ ପ୍ରକଟ କରି ଆଣିବା ଲାଗି ଏକ ପ୍ରକୃତ ଆଙ୍ଗିକ ହୋଇ ରହିଥାଏ । ପିଲାଟିଏ ତାହାକୁ କେବଳ ଶୁଣିବାକୁ ହିଁ ଇଚ୍ଛା କରୁଥାଏ, ସିଏ ଗପଟିକୁ ନିଜକୁ ବି କହୁଥାଏ ।

 

ଥରେ କେତେ ଦିନ ଚାଲିଗଲା ଓ ପିଲାମାନେ “ଆମେ ପୁଣି କେବେ ପରୀଗପ ପ୍ରକୋଷ୍ଠକୁ ଯିବା ?” ବୋଲି ପଚାରିଲେ । ସେହି ପ୍ରକୋଷ୍ଠର ଆନନ୍ଦମୟ ସ୍ମୃତି ସେମାନଙ୍କୁ ଚଞ୍ଚଳ କରି ରଖିଥିଲା ଏବଂ ଦିନେ ସନ୍ଧ୍ୟାରେ ଆମେ ପୁନର୍ବାର ସେଠାକୁ ଯାଇଥିଲୁ । ପୁଣି ମୁଁ କାହାଣୀଟିଏ କହିଲି ଏବଂ ମୋ’ ପରେ ପିଲାଏ ବି ସେଇଟିକୁ କହିଲେ । ଏହିସବୁ ମୁହୂର୍ତ୍ତରେ ସବୁଠାରୁ ଅଧିକ ଲାଜକୁଳା ପିଲାମାନେ ମଧ୍ୟ ସାହସୀ ହୋଇ ଉଠୁଥିଲେ । ଅନ୍ୟ ସମୟରେ ଅତ୍ୟନ୍ତ ସଙ୍କୋଚର ସହିତ ମୁହଁରୁ ବାହାରୁଥିବା କଥାଗୁଡ଼ିକ ବର୍ତ୍ତମାନ କେତେ ସହଜ, ଛନ୍ଦୋମୟ ଓ ସ୍ପଷ୍ଟ ହୋଇ ପାରୁଥିଲା । ନିନା, ପେଟ୍ରିକ୍, ଲ୍ୟୁଡ଼ା ସ୍ଲାଭା ଓ ଭାଲ୍ୟା ପ୍ରଭୃତି ଯେଉଁ ପିଲାମାନଙ୍କର କଥା କହିବାରେ ଓ ଭାବିବାରେ ଅସୁବିଧା ରହିଥିଲା, ସେମାନେ ସମସ୍ତେ ଗପ କହିପାରିଲେ ।

 

ପରୀଗପ-ପ୍ରକୋଷ୍ଠକୁ ଆସିଲେ ପିଲାମାନେ ସବୁଥର ଖେଳିବାକୁ ଇଚ୍ଛା କରୁଥିଲେ । ପୁଅ ଝିଅ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ପ୍ରିୟ ଖେଳନା କିମ୍ବା କଣ୍ଢେଇ ଥିଲା । ଗୋଟିଏ ପିଲା କୁଟାରେ ତିଆରି ଷଣ୍ଢଟିକୁ ନେଇ ଖେଳିଲା, ଆଉ କିଏ ଜେଜେମାଆ କଣ୍ଢେଇଟିକୁ ନେଲା । ଆଉ କିଏ ଜେଜେବାପାଟିକୁ । ଏହିପରି ଭାବରେ ସେମାନେ କଳ୍ପନାର ଜଗତ ଭିତରେ ଯାଇ ପ୍ରବିଷ୍ଟ ହୋଇଗଲେ । କିଏ ନିଜର କଣ୍ଢେଇଟିକୁ ସାନ ଉଚ୍ଚଜାଗାଟିରେ ରଖି ତା’ସହିତ କୋମଳ ସାଂଗାତିକ ଭାଷାରେ କଥାବାର୍ତ୍ତା କଲା । କଣ୍ଢେଇର ଦେହ ଖରାପ ହେଲା ଏବଂ ଆଉ ଗୋଟିଏ ସାନ ଝିଅ ତା’ର ଶୁଶ୍ରୂଷା କରୁଥିଲା ।

 

ପିଲାମାନେ ବହୁବର୍ଷ ଧରି କଣ୍ଢେଇଗୁଡ଼ିକୁ ନେଇ ଖେଳିଲେ ବୋଲି ମୁଁ ଆଦୌ ବ୍ୟସ୍ତ ହୋଇ ପଡ଼ୁନଥିଲି । ଏହାକୁ ଆମେ କୌଣସି ପ୍ରକାରର “ପିଲାଳିଆମି” ବୋଲି ମୁଁ ଆଦୌ ବ୍ୟସ୍ତ ହୋଇ ପଡ଼ୁନଥିଲି । ଏହାକୁ ଆମେ କୌଣସି ପ୍ରକାରର “ପିଲାଳିଆମି” ବୋଲି କଦାପି କହିବା ନାହିଁ । ଅବଶ୍ୟ ବହୁତ ଶିକ୍ଷକ ଠିକ୍ ସେହିପରି ଭାବିଥାଆନ୍ତି । ଆନ୍ତୋଆନ୍ ସାଁ-ତେକ୍ସୁପେରୀ (୧୯୦୦-୧୯୪୪)ଙ୍କ ଭାଷାରେ କହିଲେ, ପିଲାମାନେ ଯାହାକୁ ନିଜର କରି ରଖିବାକୁ ଚେଷ୍ଟା କରୁଥାନ୍ତି, ତାହାରି କାଳ୍ପନିକ ପ୍ରତିରୂପଟି ସେମାନେ ଖେଳୁଥିବା କଣ୍ଢେଇ ଭିତରେ ହିଁ ରହିଥାଏ । ପ୍ରତ୍ୟେକ ପିଲା କୌଣସି ନା କୌଣସି କିଛିକୁ ନିଜର ଅତି ପ୍ରିୟ ଓ ନିଜର କରି ରଖିବାକୁ ଚାହେ । ନିଜ ନିଜ ପ୍ରିୟ କଣ୍ଢେଇଗୁଡ଼ିକ ସହିତ ପିଲାମାନଙ୍କର ଯେଉଁ ସମ୍ବନ୍ଧ ଗଢ଼ି ଉଠୁଥିଲା, ମୁଁ ତାହାକୁ ଯତ୍ନର ସହିତ ଲକ୍ଷ୍ୟ କରି ଦେଖୁଥିଲି । ପୁଅପିଲାମାନେ ଅଧିକ ସମୟ ପର୍ଯ୍ୟନ୍ତ କଣ୍ଢେଇମାନଙ୍କୁ ନିଜର ବନ୍ଧୁ କରି ରଖୁଥିଲେ ଦେଖି ମୋତେ କେଡ଼େ ଖୁସୀ ଲାଗୁଥାଏ । କୋଷ୍ଟ୍ୟାର କଣ୍ଢେଇଟିର ସେପରି କିଛି ବିଶେଷତ୍ୱ ନଥାଏ, –ଗୋଟିଏ ବୁଢ଼ା କେଉଟ, ବାଡ଼ି ଧରି ଛିଡ଼ା ହୋଇଛି, ତା’ର ଗୋଡ଼ଟା ପୁଣି ବାରବାର ଭାଙ୍ଗି ଯାଉଥାଏ । ଶେଷରେ କୋଷ୍ଟ୍ୟା ସେଥିରେ କାଠଗୋଡ଼ଟିଏ ଆଣି ଲଗାଇଦେଲା । ତା’ହାତରେ ଗୋଟିଏ ଗଣ୍ଠିଗଣ୍ଠିଆ ବାଡ଼ି ବି ଆଣିଦେଲା, ଯାହାକୁ ଧରି ସିଏ ନଈ ଆଡ଼କୁ ଯାଉଥାଏ । ପିଲାଟି ତା’ବୁଢ଼ା ସାଙ୍ଗଟି ସହିତ କେଡ଼େ ଖୁସୀ ହୋଇ କଥାବାର୍ତ୍ତା କରୁଥାଏ : ଅମୁକ ଅମୁକ ମାଛମାନେ କେଉଁସବୁ ଜାଗାରେ ମିଳିବେ, ତାକୁ କହି ଦେଉଥାଏ । ...ଲାରିସାର ପ୍ରିୟ କଣ୍ଢେଇ ହେଉଛନ୍ତି ଜେଜେମାଆ ଓ ତା’ର ନାତୁଣୀ, ନାତୁଣୀ ତା’ଜେଜେମାଆ ପାଇଁ ଚଷମା ତିଆରି କରିଦେଲା, ତା’ ପାଦତଳେ ଉଷୁମ କମ୍ବଳଟିଏ ପାରିଦେଲା, କାନ୍ଧରେ ଶାଲ୍ ପକାଇଦେଲା-। ଭାଲ୍ୟାର ବି ଦୁଇଟି କଣ୍ଢେଇ, ଗୋଟିଏ ବିଲେଇ ଓ ଆଉ ଗୋଟିଏ ମୂଷା । ପ୍ରତିଦିନ ସିଏ ବିଲେଇ ବେକରେ ଥିବା ଗଣ୍ଠିଟିକୁ ବଦଳାଇ ଦେଉଥିଲା ଓ କ’ଣ ପାଇଁ ତା’ମୂଷାକୁ ସବୁଜ ରଙ୍ଗର କମ୍ବଳଟିଏ ଆଣି ଦେଉଥିଲା ।

 

ପରୀଗପ-ପ୍ରକୋଷ୍ଠରେ ପିଲାମାନେ କରୁଥିବା କଳ୍ପନାଗୁଡ଼ିକର କୌଣସି ଅନ୍ତ ନଥିଲା-। ଗୋଟିଏ ବସ୍ତୁକୁ ଦେଖିବା ମାତ୍ରକେ ପିଲାଟି ସେଇଟିକୁ ତା’ମୁଣ୍ଡ ଭିତରେ ଥିବା ଆଉ କ’ଣ ସବୁ ବସ୍ତୁ ସହିତ ନେଇ ଯୋଡ଼ି ଦେଉଥିଲା ଏବଂ ସେଥିରୁ ନୂଆ କଳ୍ପନାଟିଏ ଜନ୍ମଲାଭ କରୁଥିଲା-। ପ୍ରକୋଷ୍ଠଟି ମଧ୍ୟରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ବଗଟିକୁ ଲାଗି କରି ସାନ ବିଲେଇ ଛୁଆଟିଏ ଥିଲା । ଭାରି ଭୟଭୀତ ଦେଖାଯାଉଥିଲା । ସେଥିରୁ ପିଲାମାନେ କେତେ କାହାଣୀ ତିଆରି କରିଦେଲେ । ଆହୁଲା ରହିଥିବା ସାନ ଡଙ୍ଗାଟିଏ ରହିଥିଲା ଓ ତା’ପାଖକୁ ବେଙ୍ଗଟିଏ ବସିଥିଲା । ଗୋଟିଏ ଗୁମ୍ଫାରୁ ଭାଲୁଛୁଆଟିଏ ବାହାରକୁ ଅନାଇଥିଲା ଓ ତା’ ଚାରିପାଖରେ ବଡ଼ ବଡ଼ ମାଛି ଓ ମଶା ଭଣ ଭଣ ହେଉଥିଲେ । ଏହି ସବୁକିଛିକୁ ଦେଖି ପିଲାମାନେ ମୋଟେ ଖାଲି ହସି ପକାଉନଥିଲେ, –ସେଗୁଡ଼ିକ ସେମାନଙ୍କର କଳ୍ପନାକୁ ବି ଜାଗୃତ କରି ଆଣୁଥିଲା-

 

କେଡ଼େ କଷ୍ଟରେ ଭାଲ୍ୟା ଭାବି ଶିଖିଲା ଓ ତା’ର ସ୍ମୃତିଶକ୍ତି ମଜବୁତ୍ ହେଲା, ମୁଁ ସେକଥା ପୂର୍ବରୁ ହିଁ ବର୍ଣ୍ଣନା କରିଛି । ତାହାର ଗୋଟିଏ ଉପାୟ ରୂପେ ପାରିପାର୍ଶ୍ୱିକ ପୃଥିବୀରେ ରହିଥିବା ବସ୍ତୁ ଓ ଘଟଣାଗୁଡ଼ିକ ମଧ୍ୟରେ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବରେ ଯେଉଁ ଖିଅ ସବୁ ଲାଗି ରହିଛି, ସେଥିରେ ବିସ୍ମୟ ପ୍ରକାଶ କରିବାର ଉଲ୍ଲେଖ ଅବଶ୍ୟ କରାଯାଇପାରିବ । କାହାଣୀଗୁଡ଼ିକ ମଧ୍ୟ କମ୍ ମହତ୍ତ୍ୱପୂର୍ଣ୍ଣ ସାଧନରୂପେ କାର୍ଯ୍ୟ କରି ନାହାନ୍ତି । ବହୁକାଳ ଧରି ଭାଲ୍ୟା କୌଣସି ଗପ ତିଆରି କରିପାରିନଥିଲା ଏବଂ ସେଥିପାଇଁ ମୁଁ ବେଶ୍ ଚିନ୍ତିତ ହୋଇ ରହିଥିଲି । କେବଳ ତୃତୀୟ ଶ୍ରେଣୀରେ ଯାଇ ସେ ଗୋଟିଏ ବେଙ୍ଗ, ଗୋଟିଏ ଡଙ୍ଗା, ଓ ଗୋଟିଏ ମାଛକୁ ନେଇ କାହାଣୀଟିଏ ତିଆରି କରିପାରିଲା । ତା’କାହାଣୀ ହେଉଛି: ନଈକୂଳରେ ବେଙ୍ଗ ଗୋଟିଏ ଡଙ୍ଗା ଦେଖିଲା । କେଉଟ ଅଜା ଡଙ୍ଗାଟିକୁ କୂଳରେ ରଖି ଗାଆଁ ଭିତରକୁ ପାଉଁରୁଟି ପାଇଁ ଯାଇଥିଲା । ବେଙ୍ଗର ଡଙ୍ଗା ବଢ଼ିବାକୁ ମନ ହେଲା । କାଦୁଅ ଭିତରୁ ସେ ଫକ୍ କରି ଡଙ୍ଗା ଉପରକୁ ଡେଇଁ ପଡ଼ିଲା । ହାତରେ ଆହୁଲା ଉଠାଇବାକୁ ଯାଉଛି, ଏହି ସମୟରେ ମାଛଟିଏ ତା’ପାଖକୁ ପହଁରି ଆସି କହିଲା: “ତୁ କ’ଣ ଭାବିଛୁ କି ? ବେଙ୍ଗମାନେ ତ ଏତିକି ଟିକିଏ ପାଣିରେ ପହଁରନ୍ତି, ମାତ୍ର ଡଙ୍ଗାମାନେ ଗଭୀର ପାଣିକୁ ଭଲ ପାଆନ୍ତି ।” ବେଙ୍ଗ ମାଛର କଥାକୁ ଶୁଣିଲା ନାହିଁ ତା’ସାନ ପାଣିଗାତଟି ପାଖକୁ ଡଙ୍ଗାଟିକୁ ନେବ ବୋଲି ବାହାରିଲା । ତା’ଉପରେ ପହଁରି ଆସିବା ବେଳକୁ ଡଙ୍ଗା ତାକୁ କହିଲା, “ହେ ବେଙ୍ଗ ଭାଇ, ତୁ ମୋତେ କୁଆଡ଼େ ଟାଣି ନେଉଛୁ, କହିଲୁ ?” ବେଙ୍ଗ ଉତ୍ତର ଦେଲା, “ମୁଁ ମୋ’ସାନ ପାଣିବସାଟି ପାଖକୁ ତୋତେ ନେଇଯିବି ଓ ମୁଁ କିପରି ଡଙ୍ଗା ବାହି ପାରୁଛି, ମୋ’ ନିଜ ଲୋକ ସେକଥା ଦେଖିପାରିବେ ।” ଡଙ୍ଗାଟାକୁ ବେଙ୍ଗ କାଦୁଅ ଭିତରକୁ କିପରି ବା ନେଇଥାଆନ୍ତା । ତେଣୁ ସେ କାଦୁଅରେ ଯାଇ ଲାଖିଗଲା ଓ ମୋଟେ ଆଗକୁ ଯାଇ ପାରିଲା ନାହିଁ-। ବେଙ୍ଗ କେତେ ଶବ୍ଦ କଲା, –ମାତ୍ର ଡଙ୍ଗା ଉହୁଙ୍କିଲା ନାହିଁ । ତା’ପରେ ଅନ୍ୟ ବେଙ୍ଗମାନେ ବାହାରି ଆସି ତା’ ଆଡ଼କୁ ଅନାଇଲେ । ବେଙ୍ଗ ଏଡ଼େ ପାଟି କରି କହିଲା, “ସମସ୍ତେ ଦେଖ, ମୁଁ କିପରି ଆହୁଲା ମାରି ଡଙ୍ଗା ଚଲାଇ ଜାଣିଛି !” ତା’ପରେ ଘାବରେଇ ଯାଇ ସେ କାଦୁଅ ଭିତରକୁ ଡେଇଁ ପଡ଼ିଲା ଓ ଚାରିଆଡ଼କୁ ଛିଟିକା ମାରି କାଦୁଅ ପଡ଼ିଲା, ବେଙ୍ଗମାନେ ପଲଟାଯାକ ଠୋ’ ଠୋ’ ହୋଇ ହସିବାକୁ ଲାଗିଲେ । ସେତିକିବେଳେ କେଉଟ ଅଜା ଗାଆଁରୁ ଫେରିଲା ଓ ଡଙ୍ଗାଟିକୁ କାଦୁଅ ଭିତରୁ ବାହାରକୁ ନେଇଗଲା । ବେଙ୍ଗ ଭାରି ଭୟରେ କୋଉଠି ଶିଉଳୀ ଭିତରେ ଯାଇ ଲୁଚିଗଲା । ସନ୍ଧ୍ୟା ହେବା ପରେ ଯାଇ ପୁଣି ସାହସ କରି ପଦାକୁ ଆସିଲା । ତାକୁ ଦେଖି ସମସ୍ତେ ଏଡ଼େ ପାଟିରେ ହସି ଉଠିଲେ । ସେହିଦିନ ଠାରୁ ସେମାନେ ପ୍ରତିଦିନ ରାତିରେ ସେହିପରି ସନ୍ଧ୍ୟାରୁ ସକାଳ ହେବା ଯାଏ ହସିବାରେ ଲାଗିଛନ୍ତି ଓ ସେମାନଙ୍କର ବୋବାଳି ସମସ୍ତେ ଶୁଣି ପାରୁଛନ୍ତି, ସେମାନେ ସେହି ବେଙ୍ଗଟିର ଦମ୍ଭ ଦେଖି ହସିବାରେ ଲାଗିଛନ୍ତି ।”

 

କାହାଣୀ ତିଆରି କରିବା ପିଲାଙ୍କ ପାଇଁ କାବ୍ୟିକ ସୃଜନଶୀଳତାର ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ପ୍ରକରଣ ହୋଇ ରହିଥାଏ । ପୁନଶ୍ଚ, ତାହା ମାନସିକ ବିକାଶର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ ରୂପେ କାର୍ଯ୍ୟ ମଧ୍ୟ କରିଥାଏ । ପିଲାଏ ସୃଷ୍ଟି କରନ୍ତୁ ଓ କଳାତ୍ମକ କଳ୍ପନାମାନ କରନ୍ତୁ ବୋଲି ଯଦି ତୁମେ ଇଚ୍ଛା କରୁଥାଅ, ତେବେ ତୁମକୁ ନିଜ ସର୍ଜନାତ୍ମକତାର ବହ୍ନିରୁ ଗୋଟିଏ କଣା ହେଉ ପଛକେ, ପିଲାର ମନ ଭିତରକୁ ସଂକ୍ରାମିତ କରିଦେବାକୁ ପଡ଼ିବ । ଯଦି ତୁମେ ନିଜେ କୌଣସି ସୃଷ୍ଟି କରୁନଥିବ, ପିଲାମାନଙ୍କର ଆଗ୍ରହ –ଜଗତକୁ ଯଦି ତୁମେ ନ୍ୟୁନ ଦୃଷ୍ଟିରେ ଦେଖୁଥିବ, ଯଦି ସେଗୁଡ଼ିକ ତୁମକୁ କେବଳ ଫମ୍ପା ଖେଳ ବୋଲି ମନେ ହେଉଥିବ, ତେବେ ତୁମେ ଆଦୌ କିଛି କରିପାରିବ ନାହିଁ ।

 

ପରୀଗପ-ପ୍ରକୋଷ୍ଠରେ ଟିନାର ଗୋଟିଏ ପ୍ରିୟ କଣ୍ଢେଇ ରହିଥିଲା । ଗୋଟିଏ କମାର ତରଳ ଧାତୁଗୁଡ଼ିକୁ ନେଇ କାମ କରୁଥିବା ସମୟରେ ତା’ର ମୁହଁଟା ନିଆଁ ପରି ଚକ୍‌ଚକ୍‌ ଦେଖାଯାଉଥିଲା । ଧାତୁ କାରଖାନାରେ ଝିଅଟି ଆଗରୁ କମାରମାନଙ୍କୁ ଦେଖିଥିଲା ଓ ବର୍ତ୍ତମାନ ତିନି ବର୍ଷ ପରେ, ନିଆଁର ନଦୀଟି ବିଷୟରେ ସିଏ ଏହି ଆଗ୍ରହୋଦ୍ଦୀପକ କାହାଣୀଟିକୁ ତିଆରି କଲା :

 

“ଗୋଟାଏ ବିରାଟ ଚୁଲି ଜଳୁଛି, ତା’ ଆଗରେ ଜଣେ ଯୋଦ୍ଧା ଛିଡ଼ା ହୋଇଛି । ସିଏ ଲୁହା ତରଳାଇବାରେ ଲାଗିଛି । ଲୁହା ତରଳି ଫୋଟକା ଫୋଟକା ଦିଶୁଛି । ଯୋଦ୍ଧାଟି ଚୁଲି ପାଖକୁ ଆସି ଦୁଆରଟା ଖୋଲି ଦେଲା –ନିଆଁର ନଈଟି ବାହାରକୁ ବହି ଆସିଲା । ନଈଟି ବହି ଯାଉଥାଏ ଓ କହୁଥାଏ, “ମଣିଷମାନେ, ତୁମେ ଶୀଘ୍ର ଏହି ନିଆଁଭଳି ଲୁହାକୁ ନେଇ ତୁମର ଦରକାର ଯାହାକିଛି ଏଥିରୁ ଗଢ଼ି ଦିଅ । ତା’ପରେ ଜଣେ ନିପୁଣ କାରିଗର ଆଗକୁ ବାହାରି ଆସିଲା, ତରଳା ଲୁହାକୁ ବାଲି ଉପରେ ଅଜାଡ଼ି ଦେଲା ଓ ଲୋକମାନଙ୍କର ଆବଶ୍ୟକ ସବୁକିଛି ତିଆରି କରିଦେଲା-।”

 

ଡାଙ୍କୋର ଗଛଟି ଏହିପରି : “ପୁଅ ସୈନ୍ୟବାହିନୀକୁ ଯାଉଥାଏ, ମା’ ତାକୁ ବିଦାୟ ଦେଉଥାଏ । ମା’ କହିଲେ, “ତୋ ଜନ୍ମମାଟିରୁ ମୁଠାଏ ସାଙ୍ଗରେ ନେଇ ଯାଇଥା । ତୁ ଏହି ମାଟିକୁ ରକ୍ଷା କରିବୁ ବୋଲି ସବୁବେଳେ ମନେ ରଖିଥିବୁ । ପୁଅ ମୁଠାଏ ମାଟି ନେଇ ଗୋଟିଏ ନାଲି ରଙ୍ଗର ରେଶମ ମୁଣା ଭିତରେ ରଖିଲା ଏବଂ କେବେହେଲେ ତାକୁ ପାଖରୁ ଛାଡ଼ିଲା ନାହିଁ । ଶତ୍ରୁ ଆମ ଦେଶକୁ ଆକ୍ରମଣ କଲା । ପୁଅଟି ଦେଶର ସୀମାରେ ଶତ୍ରୁପକ୍ଷର ସାମନା କଲା, ଗୋଟିଏ ମେସିନଗନ୍ରୁ ସେମାନଙ୍କ ଆଡ଼କୁ ଗୁଳି ମାରିଲା ଓ ସେଗୁଡ଼ାକ ସବୁ ନଈ ଭିତରେ ଯାଇ ପଡ଼ିଗଲା । ପୁଅ ଗୋଟିଏ ପାଦ ବି ପଛକୁ ଘୁଞ୍ଚିଲା ନାହିଁ । ଶତ୍ରୁପକ୍ଷରୁ ଗୋଟିଏ ଗୁଳି ଆସି ତା’ ମୁଣ୍ଡରେ ବାଜିଲା, ରକ୍ତ ବୋହି ଆଖି ଭିତରକୁ ଗଡ଼ି ଆସିଲା । ତା’ ହାତଗୁଡ଼ିକରେ ଆଉ ବଳ ନଥାଏ । ଶତ୍ରୁମାନେ ପାଖକୁ ଆସିଗଲେ ଓ ଭାବିଲେ : “ତାକୁ ଆମେ ବନ୍ଦୀ କରିନେବା ।” ସେହି ମୁଠାଏ ମାଟି କଥା ପୁଅର ମନେଥିଲା । ସିଏ ମୁଣିଟିକୁ ହାତ ବଢ଼ାଇ ଛୁଇଁଲା ଓ ତା’ସଙ୍ଗେ ସଙ୍ଗେ ତା’ ହାତ ଭିତରକୁ ଅମିତ ଶକ୍ତି ପ୍ରବାହିତ ହୋଇ ଆସିଲା । ତରୁଣ ସୈନିକ ପୁଣି ଥରେ ଗୁଳି ଚଳାଇଲ ଏବଂ ଶତ୍ରୁସୈନ୍ୟ ନଦୀ ଭିତରେ ପଡ଼ି ବୁଡ଼ି ମରିବାକୁ ଲାଗିଲେ –ଠିକ୍ ସେହି ସମୟରେ ସାହାଯ୍ୟ ଆସି ପହଞ୍ଚିଗଲା, –ଖର ଉଡ଼ାଜାହାଜ ଓ ଶକ୍ତିଶାଳୀ ଟ୍ୟାଙ୍କମାନେ ।”

 

ପିଲାମାନଙ୍କର ସେହି କାହାଣୀଗୁଡ଼ିକୁ ମୁଁ ଲେଖି ରଖିଥିଲି । ଏଗୁଡ଼ିକ ମୋ’ ପାଇଁ କେଡ଼େ ପ୍ରିୟ ହୋଇ ରହିଛନ୍ତି । ସୌନ୍ଦର୍ଯ୍ୟର ଅନୁଭୂତି ଓ ପିଲାମାନଙ୍କର ପ୍ରାଞ୍ଜଳ କହିବାଶକ୍ତି ମଧ୍ୟରେ ଯେ ଗୋଟିଏ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି, ମୁଁ ଦୃଢ଼ ଭାବରେ ତାହା ବିଶ୍ୱାସ କରୁଛି ଗୋଧୂଳିର ସେହି ମୁହୂର୍ତ୍ତଗୁଡ଼ିକରେ ମୋ’ର ଛାତ୍ରମାନେ ଡଜନ ଡଜନ କାହାଣୀ ତିଆରି କରି ଥୋଇ ଦେଇଥିଲେ ; ମୁଁ ସେଗୁଡ଼ିକୁ “ଗୋଧୂଳିର ଗଳ୍ପମାଳା” ନାମରେ ଗୋଟିଏ ପାଣ୍ଡୁଲିପି କରି ସାଇତି ରଖିଛି । ସେଥିରୁ ପଶୁ, ପକ୍ଷୀ, ଗଛ ଓ ଫୁଲମାନଙ୍କ ବିଷୟରେ କେତେ କେତେ ଆଗ୍ରହୋଦ୍ଦୀପକ ଗଳ୍ପ ରହିଛି । ଫୁଲଗୁଡ଼ିକୁ ନେଇ କାହାଣୀ ତିଆରି କରିବାର ଅନୁଭବଟି ମୋ’ ଲାଗି ଓ ପିଲାମାନଙ୍କ ଲାଗି ବିଶେଷ ଭାବରେ ଆନନ୍ଦଦାୟକ ହୋଇ ରହିଥିଲା । ଫୁଲ ବିଷୟରେ ମୁଁ ସେମାନଙ୍କୁ କେତେ ଗପ କହିଥିଲି । ମୁଁ ଗୋଟିଏ ଗଳ୍ପର ମୂଳଟିକୁ କହି ଦେଉଥିଲି ଓ ପିଲାମାନଙ୍କର କଳ୍ପନା ସେଥିରେ କେତେ କେତେ ଜୀବନ୍ତ ପ୍ରତିରୂପ ଆଣି ଯୋଡ଼ି ଦେଉଥିଲା ।

 

ପ୍ରଥମ ଥର ପାଇଁ ନୂଆ ଗପଟିଏ କହିବା, –ପିଲାମାନଙ୍କ ଜୀବନରେ ତାହା ଏକ ବୃହତ୍ ଘଟଣା ହୋଇ ରହିଯାଇଥିଲା । ହାନ୍‍ସ୍‍ କ୍ରିଷ୍ଟିଅନ୍ ଆନର୍‍ସନ୍‍ଙ୍କର “ତୁଷାରରାଣୀ” ଗପଟି ନିମନ୍ତେ ଆମେ ଯେଉଁ ପୃଷ୍ଠଭୂମିଟି ତିଆରି କରିଥିଲୁ, ତାହା ଆମେ କଦାପି ଭୁଲି ପାରିବୁ ନାହିଁ । ସେତେବେଳେ ବିଦ୍ୟାଳୟରେ ଦ୍ୱିତୀୟ ବର୍ଷ । ଶୀତ–ଆରମ୍ଭରେ ଗୋଧୂଳି ଆରମ୍ଭ ହୋଇଯାଇଥାଏ, ଏବଂ ପିଲାମାନେ ପରୀଗପ ପ୍ରକୋଷ୍ଠ ଭିତରକୁ ଆସିଥିଲେ । ତୀଖ ଛାତ ବିଶିଷ୍ଟ ସାନ ସାନ କେତୋଟି ଘର, ଉଚ୍ଚ ପର୍ବତ ଉପରେ ପରୀଗପର ଗୋଟିଏ ଦୁର୍ଗ-ଦ୍ରୁତ ବେଗରେ ଦଉଡ଼ି ଯାଉଥିବା ଗୋଟିଏ ହରିଣ ଏବଂ ଝଡ଼ ଦ୍ୱାରା ତିଆରି ହୋଇଥିବା ବରଫର ହୁଡ଼ାମାନ । ପିଲାମାନେ ଏଗୁଡ଼ିକୁ ନିଜ ହାତରେ ତିଆରି କରିଥିଲେ । ମାତ୍ର ସମସ୍ତେ ଆଗରୁ ଗପଟି ଶୁଣି ନଥିଲେ । ସାନ ଘରଗୁଡ଼ିକରେ ଆଲୁଅ ଜଳି ଉଠିଲା, ଆକାଶରୁ ଚେନା ଚେନା ବରଫ ଖସିପଡ଼ୁଥାନ୍ତି । ସନ୍ଧ୍ୟା ସମୟରେ ଅଧା ଅନ୍ଧାର ଆମକୁ ଘେରି ରହିଥାଏ । ପିଲାମାନେ ପ୍ରାୟ ନିଃଶ୍ୱାସ ବନ୍ଦ କରି ମୋ’ କଥା ଶୁଣୁଥାନ୍ତି । ମୋ’ କହିବା ସରିଲା, ପିଲାମାନେ ମୋତେ ଆଉଥରେ କହିବାକୁ କହିଥିଲେ । ଶବ୍ଦ ପ୍ରତି ଏହି ଆକର୍ଷଣ ମୋ’ର ଅତି ପ୍ରବଳ ଥିଲା । ପିଲାଏ ଯେତେଥର କହିଲେ, ମୁଁ ଗପଟିକୁ ସେତେଥର କହିଲି । ଶବ୍ଦଗୁଡ଼ିକୁ ମନେ ରଖିବାକୁ ନୁହେଁ, ଶବ୍ଦଗୁଡ଼ିକ ସେମାନଙ୍କର କାନକୁ ସଂଗୀତ ପରି ହୋଇ ରହିଥିଲା ବୋଲି ସେମାନେ ଗପଟି ବାରବାର ଶୁଣିବାକୁ ଚାହୁଥିଲେ ।

 

ସେହି ପରୀଗଳ୍ପ ପ୍ରକୋଷ୍ଠରେ ଗୋଟିଏ କଣ୍ଢେଇ ଥିଏଟର ଓ ନାଟକ ଅଭିନୟ କ୍ଲବ୍ ମଧ୍ୟ ଜନ୍ମଗ୍ରହଣ କରିଥିଲା । ସେଠାରେ ପିଲାମାନେ ୟୁକ୍ରେନରେ ଗୋଟିଏ ଲୋକଗଳ୍ପକୁ ମଞ୍ଚସ୍ଥ କରିଥିଲେ । ଗପଟିରେ ଅନେକ ସାହସୀ ପ୍ରାଣୀ ଘର କରି ରହୁଥିଲେ । କେଡ଼େ ଆଗ୍ରହରେ ସେମାନେ ତା’ପରେ “ବେଙ୍ଗ-ରାଜକୁମାର”କୁ ମଧ୍ୟ ମଞ୍ଚସ୍ଥ କଲେ । ଗୋଟିଏ ଜାପାନୀ ଲୋକଗପକୁ ଅଭିନୟ କରି ଦେଖାଇଲେ । ଚତୁର୍ଥ ସ୍କୁଲବର୍ଷରେ ସେମାନେ ଏକତ୍ର ମିଶି ଯେଉଁ ନାଟକଟି କଲେ, ସେଥିରେ ନିଜେ ହିଁ ସମସ୍ତ ଭୂମିକାରେ ଅଭିନୟ କରିଥିଲେ ।

 

ସେହି ପ୍ରକୋଷ୍ଠଟିରେ ହିଁ ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କ ପାଇଁ ରବିନ୍‍ସନ୍‍ କ୍ରୁସୋ, ଗଲିଭରର ଭ୍ରମଣକାହାଣୀ ଓ ଆଉ କେତୋଟି ଗପକୁ ପଢ଼ି ଶୁଣାଉଥିଲି । ବରଫଝଡ଼ ଝରକାର ସେପାଖରେ ବାଡ଼େଇ ହୋଇ ଯାଉଥାଏ ଏବଂ ପିଲାମାନେ ରବିନ୍‍ସନ୍‍ କ୍ରୁସୋ ସହିତ ଜାହାଜବୁଡ଼ିଠାରୁ ଆରମ୍ଭ କରି ଅପରନ୍ତା ଦ୍ୱୀପଟି ପର୍ଯ୍ୟନ୍ତ ଯାତ୍ରା କରିବାରେ ଲାଗିଥାନ୍ତି ଏବଂ ପ୍ରକୃତି ସହିତ ସେହି କଠୋର ସଂଗ୍ରାମରେ ତା’ ସହିତ ଭାଗୀ ହୋଇ ରହିଥାନ୍ତି । ସେକଥା ସେମାନେ କଦାପି ଭୁଲିବେ ନାହିଁ । ସେହିଠାରେ ହିଁ ଆମେ ଆନର୍‍ସନ୍, ଟଲଷ୍ଟୟ, ଉଶିନ୍‌ସ୍କି, ଗ୍ରିମ୍ ଭ୍ରାତାଦ୍ୱୟ ଓ ରୁଷିଆର ଚୁକୋଭିସ୍କି ଓ ମାର୍ଶାକ୍ ପ୍ରଭୃତି ଲେଖକଙ୍କର ସବୁଯାକ ଗଳ୍ପ ପାଠ କରିଥିଲୁ-। ଯଦି ପିଲାମାନଙ୍କୁ ସେମାନଙ୍କର ବାଲ୍ୟାବସ୍ଥାରେ ଏହିସବୁ ଗପ ପଢ଼ି ଶୁଣାଇ ଦିଆଯାଏ, ତେବେ ଭଲ ଓ ମନ୍ଦ, ସତ୍ୟ ଓ ଅସାଧୁତା ତଥା ସମ୍ମାନ ଓ ଅପମାନ ବିଷୟରେ ସେଗୁଡ଼ିକରେ ରହିଥିବା ନୈତିକ ମୂଲ୍ୟଗୁଡ଼ିକ ସେମାନଙ୍କର ନିଜସ୍ୱ ସମ୍ପତ୍ତିରେ ଅବଶ୍ୟ ପରିଣତ ହୋଇଯିବ-। ପରୀଗପମାନ ପ୍ରକୃତରେ ସେହି ପିଲାବେଳ ପାଇଁ ଉଦ୍ଦିଷ୍ଟ ।

 

ଆମେ କେତେ କ’ଣ ପାଠ କରିଥିଲୁ; ମୁଁ ଏଠାରେ ନାମିତ କରିଥିବା ଏହିସବୁ ପରୀଗପ ଓ କାହାଣୀଗୁଡ଼ିକୁ ମୁଁ ମୁଖସ୍ଥ କରି ରଖିଥିଲି । କେବଳ ଛବିଗୁଡ଼ିକୁ ଦେଖାଇବା ପାଇଁ ମୁଁ ସାଙ୍ଗରେ ବହି ନେଇ ଯାଉଥିଲି । ଆଦୌ କୌଣସି ଅତିରଞ୍ଜନ ନକରି ଏକଥା କୁହାଯାଇ ପାରିବ ଯେ, ଶୈଶବର ବର୍ଷଗୁଡ଼ିକରେ ଯାହାକିଛି ପାଠ କରାଯାଇଥାଏ, ତାହାକୁ ସର୍ବପ୍ରଥମେ ହୃଦୟର ଶିକ୍ଷା ବୋଲି କୁହାଯିବ, –ତଦ୍ଦ୍ୱାରା ମାନବୀୟ ସଦ୍‌ଗୁଣସମ୍ପନ୍ନତା ପିଲାର ଆତ୍ମାର ଗଭୀରତମ କୋଣଟିକୁ ମଧ୍ୟ ଯାଇ ସ୍ପର୍ଶ କରିଥାଏ । ଉଚ୍ଚ ଓ ଉଦାତ୍ତ ବିଚାରଗୁଡ଼ିକୁ ପ୍ରକାଶ କରୁଥିବା ଶବ୍ଦ ଗୋଟିଏ ପିଲାର ହୃଦୟ ଭିତରେ ମନୁଷ୍ୟଜୀବନର ମୂଳଭୂତ ସତ୍ୟ ରୂପେ ଯାଇ ସଞ୍ଚିତ ହୋଇ ରହେ ଏବଂ ସେଇଥିରୁ ହିଁ ବିବେକ ସାକାର ହୋଇ ଆସିଥାଏ ।

Image

 

Unknown

ଆହୁରି ଅଧିକ ପରୀଗଳ୍ପ-ଆମର ‘କୁହୁକ ଦ୍ୱୀପ’

 

ପିଲାମାନେ ଯାହା ଅସାଧାରଣ, ଯେଉଁସବୁ ଯାତ୍ରା ଓ ଦୁଃସାହସ ମଧ୍ୟରେ ରୋମାଞ୍ଚକରତା ଭରି ରହିଥାଏ, ଯାହା ଦ୍ୱାରା ପ୍ରକୃତିର ଆଦିମ ଶକ୍ତିଗୁଡ଼ିକ ସହିତ ସଂଘର୍ଷ କରିବାକୁ ପଡ଼େ, ସେହିଗୁଡ଼ିକ ପ୍ରତି ଆକର୍ଷଣ ଅନୁଭବ କରିଥାନ୍ତି । ମୁଁ ସେମାନଙ୍କୁ ଯେତେବେଳେ ପ୍ରଥମ ଥର ପାଇଁ ରବିନ୍‍ସନ୍‍ କ୍ରୁସୋଙ୍କର ଦୁଃସାହସ–କାହାଣୀଟିକୁ କହିଥିଲି, ସେତେବେଳେ ସେମାନେ ଏପରି ଅଭିନୟମାନ କରିବାକୁ ଇଚ୍ଛା କଲେ, ଯେଉଁଥିରେ କି ଦୂରଯାତ୍ରାମାନ କରିହେବ ଏବଂ ସମୁଦ୍ରର ତରଙ୍ଗମାଳା ଅଥବା କୌଣସି ଜଳପ୍ରପାତର ଭୀଷଣ ଶବ୍ଦକୁ ଶୁଣିହେବ । ସେମାନେ ଗୋଟିଏ କୁହୁକଦ୍ୱୀପ ତିଆରି କରିବାକୁ ନିଷ୍ପତ୍ତି କଲେ, –ଏପରି ଗୋଟିଏ ରହସ୍ୟପୂର୍ଣ୍ଣ କୋଣଟିଏ, ଯେଉଁଥିରେ କି ସେମାନେ କ୍ରୀଡ଼ାର ପୃଥିବୀ ଭିତରେ ଯାଇ ବାସ କରିପାରିବେ । ଆମେ ଆବଶ୍ୟକ ଡାଳପତ୍ର ଆଣି ଦ୍ୱୀପଟିକୁ ତିଆରି କରିଥିଲୁ । ସେଠି ରବିନ୍‍ସନ୍‍ କ୍ରୁସୋଙ୍କର ବାସସ୍ଥାନଟିକୁ ମଧ୍ୟ ତିଆରି କଲୁ ; ସେଠାରେ ଗୋଟାଏ ବାଡ଼ ବି ରହିଲା, ଯେପରିକି ବନ୍ୟଜନ୍ତୁମାନେ ତା’ଭିତରକୁ ଆସିପାରିବେ ନାହିଁ । ସାନ ଝରକାଟିଏ ରହିଲା, ଯାହା ମଧ୍ୟଦେଇ ସିଏ ଅସୀମ “ସାଗର” ଆଡ଼କୁ ଅନାଇ ପାରିବେ । ସାନ ପଟାଳିଟିଏ ତିଆରି ହେଲା ଓ ସେଠାରେ ଗହମ ଓ ଯଅ ମଞ୍ଜି ବୁଣି ଦିଆଗଲା । କୋଲ୍ୟା ଗୋଟିଏ ଛେଳିଛୁଆ ମଧ୍ୟ ତା’ଘରୁ ନେଇ ଆସିଲା, କାରଣ ରବିନ୍‍ସନ୍‍ କ୍ରୁସୋଙ୍କ ପାଖରେ କୁନି ଛେଳିଟିଏ ମଧ୍ୟ ଥିଲା । ପୁରୁଣା ପିପାମାନ ଆସିଲା, ଦଉଡ଼ି, ଓ ଇଟା ବି ଆସିଲା । ଆମେ ଧାତୁର ଛୁରୀସବୁ ତିଆରି କଲୁ, ମିଛିମିଛିକା ମାଛଧରା ଜାଲ ବି ଆସି ରହିଲା । ପ୍ରାଚୀନ କାଳର ଶିକାରୀମାନଙ୍କ ପରି ଆମେ ଦୁଇଖଣ୍ଡ ଶୁଖିଲା କାଠକୁ ଘଷି ନିଆଁ ଜଳାଇଲୁ । କାରଣ, ଆମେ ଅନୁମାନ କରିଥିଲୁ ଯେ, ନିଆଁ ସମ୍ଭବ କରିବା ନିମନ୍ତେ କ୍ରୁସୋଙ୍କ ପାଖରେ ଆଉ ଅନ୍ୟ କୌଣସି ସାଧନ ନଥିଲା ।

 

ବର୍ଷା ହେବା ଫଳରେ ଆମେ ଘର ତିଆରି କରିବା ପାଇଁ ମାଟି ଖୋଳି ନେଇଥିବା ଜାଗାଟି ପାଣିରେ ଭରିଗଲା ଓ ଗୋଟିଏ ଗଡ଼ିଆ ହୋଇଗଲା । ପିଲାଏ ସେହି ପାଣି ଭିତରେ ପଶି ଖୁବ୍ ଆନନ୍ଦରେ ଖେଳିଲେ । ନିଜ କଳ୍ପନା ଭିତରେ ସେମାନେ ସେଠାରେ ଅସୀମ ସାଗରକୁ ମଧ୍ୟ ଦେଖିଲେ । ଗୋଟାଏ କାଠଭେଳା ମଧ୍ୟ ତିଆରି ହେଲା । ଭାରି ପରିଶ୍ରମ କରିବାକୁ ହେଲା, ମାତ୍ର ସବୁକିଛିରେ ଆମକୁ ସଫଳତା ମିଳିଯାଇଥିଲା । ଡଙ୍ଗା ଉପରେ ପାଲ ଲାଗିଲା ଓ ତାହାକୁ ସମୁଦ୍ରରେ ଛାଡ଼ି ଦିଆଗଲା ।

 

ଗୋଟିଏ ସାନ ପାହାଡ଼ ପଛପଟେ, –ତାକୁ ପିଲାମାନେ ଗୋଟିଏ ଉଚ୍ଚ ପର୍ବତ ବୋଲି କଳ୍ପନା କରୁଥିଲେ, –ଆମେ ଲିଲିପୁଟ୍‌ମାନଙ୍କରେ ଦେଶ ତିଆରି କଲୁ । ବେତ ଓ କାଠଛଡ଼ ଦେଇ ସେହି ଦେଶର ରାଜଧାନୀ ତିଆରି ହୋଇଥିଲା । ସେଠାରେ କାଦୁଅରୁ ତିଆରି ହୋଇ ଘୋଡ଼ା, ଗାଈ ଓ ମେଣ୍ଢା ପ୍ରଭୃତି ଜନ୍ତୁମାନେ ରହିଲେ । ଆମେ ସେଠାକୁ ନିକାଞ୍ଚନ ସନ୍ଧ୍ୟାବେଳେ ଯାଉଥିଲୁ ଏବଂ ପ୍ରତ୍ୟେକ ପିଲା ସେତେବେଳେ ବୀରତ୍ୱ ଓ ସାହସର କାହାଣୀମାନ କହିବାକୁ ଇଚ୍ଛା କରୁଥିଲେ । ଗହନ ବୁଦାଗୁଡ଼ିକ ଭିତରେ ଆମେ ଗୋଟିଏ ସ୍ଥାନ ଆବିଷ୍କାର କଲୁ, ଯାହାକୁ ଆଦୌ କେବେହେଲେ ମରୁ ନଥିବା ଡ୍ରାଗନ୍‍ର ଗୁମ୍ପା ବୋଲି କୁହାଗଲା । ଏବଂ, ସେହିଠାରେ ଗୋଟିଏ ଗୁପ୍ତ ସ୍ଥାନରେ ଗୋଟିଏ ରାଜକୁମାରୀ ମଧ୍ୟ ମନଦୁଃଖରେ ବସି ରହିଥିଲା ।

 

ଯେତେବେଳେ ଖରାଦିନେ ବେଶୀ ଦୂରକୁ ଯାଇ ଦେଉନଥିଲା, ଆମେ ସେତେବେଳେ ଏହି କୁହୁକଦ୍ୱୀପକୁ ଆସି ସମୟ କଟାଉଥିଲୁ । ଗୋଟିଏ ସାନ କୁଡ଼ିଆ ବି ତିଆରି ହେଲା, ଯେଉଁଠାରେ କି ଆମେ ବସି ପରୀଗପ ଗୁଡ଼ିକର ରାଜ୍ୟକୁ ଉଡ଼ି ଚାଲିଯାଉଥିଲୁ । ପରୀଗପର ବୀରମାନେ ସମସ୍ତେ ଆମର ଅତି ପାଖରେ ରହିଥିଲେ ଏବଂ, ସନ୍ଧ୍ୟା ହୋଇ ଆସିବା ମାତ୍ରକେ ସେମାନେ ସତେଅବା ପ୍ରକୃତରେ ଜୀଇ ଉଠୁଥିଲେ । ପିଲାମାନଙ୍କର କଳ୍ପନାରୂପକ ଅଗ୍ନି ଏତିକିବେଳେ ହିଁ ଖୁବ୍ ଉଜ୍ଜ୍ୱଳ ହୋଇ ଜଳୁଥିଲା । ୟୁରା, ଗାଲ୍ୟା, ଟିନା ଭିତ୍ୟା ଏଠାରେ କେତେ ଚମତ୍କାର କାହାଣୀମାନ ରଚନା କରିପାରୁଥିଲେ । ବାତାବରଣ ହିଁ କଳ୍ପନାକୁ ପୂର୍ଣ୍ଣ ଭାବରେ କ୍ରିୟାଶୀଳ କରି ଆଣୁଥିଲା । ଭାବନାମାନେ ଅବାଧ ଓ ମୁକ୍ତ ଭାବରେ ବହିଯାଇ ପାରୁଥିଲେ । ଖୋଜିବା ମାତ୍ରକେ ଶବ୍ଦଗୁଡ଼ିକ ମିଳିଯାଉଥିଲା । ସୁନା ଇନ୍ଦ୍ରଧନୁଟି ବିଷୟରେ ସେରୋଝା ଏହି କାହାଣୀଟିକୁ ତିଆରି କରିଥିଲା :

 

“ଦିନେ ସନ୍ଧ୍ୟାବେଳେ ବିଶାଳ କମାରମାନେ ସୂର୍ଯ୍ୟଙ୍କ ପାଖକୁ ଯାଇ କହିଲେ, ସୂର୍ଯ୍ୟ ମହାଶୟ, ଆମର ଲୁହା ହାତୁଡ଼ିଗୁଡ଼ିକ ଭାଙ୍ଗିଗଲା । ତେଣୁ ଆମେ ବର୍ତ୍ତମାନ ଆଉ କିପରି ରୂପାର ସୂତାଗୁଡ଼ିକୁ ତିଆରି କରିପାରିବୁ ?” ଭାତିଗୁଡ଼ିକ ମଧ୍ୟ ପୁରୁଣା ହୋଇଗଲେଣି ଆମେ ପୃଥିବୀକୁ କିଛି ଲୁହା ଆଣି ଯିବୁ । ସୂର୍ଯ୍ୟ କମାରମାନଙ୍କୁ ବିଦାୟ ଦେଲେ । ମାତ୍ର, କଲା କଳା ମେଘ ଆସି ସେମାନଙ୍କର ବାଟ ଓଗାଳି ବସିଲେ । କେଡ଼େ ଉଚ୍ଚ ଉଚ୍ଚ ମେଘ । କମାରମାନେ ପୃଥିବୀ ଆଡ଼କୁ ଅନାଇଲେ, ମାତ୍ର କୁଆଡ଼େ ଯିବେ ବାଟ ପାଇଲେ ନାହିଁ । ସେମାନେ ପୁଣି ସୂର୍ଯ୍ୟଙ୍କ ପାଖକୁ ଫେରିଗଲେ ଓ କହିଲେ, “ସୂର୍ଯ୍ୟ ମହାଶୟ, ଆମେ କୋଉ ବାଟ ଦେଇ ପୃଥିବୀକୁ ଓହ୍ଲାଇବୁ ? ଆମ ପାଇଁ ଗୋଟିଏ ପୋଲ ତିଆରି କରି ଦିଅନ୍ତୁ ।” ସୂର୍ଯ୍ୟ ମେଘଗୁଡ଼ିକ ଆଡ଼କୁ ନିଜ କିରଣକୁ ନିକ୍ଷେପ କଲେ ଏବଂ କିରଣର ଗୋଟିଏ ସେତୁ ଆକାଶରେ ଝଲସି ଉଠିଲା । ପୃଥିବୀର ଲୋକମାନେ ଗୋଟିଏ ସୁନାରଙ୍ଗର ଇନ୍ଦ୍ରଧନୁ ଦେଖିବାକୁ ପାଇଲେ । କମାରମାନେ ପୃଥିବୀକୁ ଯାଇ ଲୋକମାନଙ୍କ ଠାରୁ ଲୁହା ମାଗି ଆଣିଲେ ଏବଂ ତା’ପରେ କିରଣର ସେହି ସେତୁ ଉପରଦେଇ ସୂର୍ଯ୍ୟଙ୍କ ପାଖକୁ ଫେରି ଆସିଲେ । ସେମାନଙ୍କର ଧଳା ଦାଢ଼ି ଦେଖି ସୂର୍ଯ୍ୟ ସେମାନେ ଫେରି ଆସିଲେ ବୋଲି ଜାଣିଲେ, ସୁନା କିରଣଗୁଡ଼ିକୁ ଫେରାଇ ନେଇଗଲେ ଏବଂ ଇନ୍ଦ୍ରଧନୁଟି ଅନ୍ତର୍ହିତ ହୋଇ ଯାଇଥିଲା । ସେହି ଦିନଠାରୁ ମେଘମାନେ ଆକାଶରେ ଆବିର୍ଭୂତ ହେବା ମାତ୍ରକେ ସୂର୍ଯ୍ୟ ଲୁହା ଆଣିବା ପାଇଁ କମାରମାନଙ୍କୁ ପୃଥିବୀକୁ ପଠାନ୍ତି, ମାତ୍ର, ଶୀତଦିନେ ଇନ୍ଦ୍ରଧନୁ ନଥାଏ, କାରଣ ଦିନଗୁଡ଼ିକ ଛୋଟ ହୋଇଯାଏ ଏବଂ କମାରମାନେ ମଧ୍ୟ ସେମାନଙ୍କର ହାତୁଡ଼ିଗୁଡ଼ିକୁ ବେଶୀ ବ୍ୟବହାର କରନ୍ତି ନାହିଁ ।”

 

ପ୍ରତ୍ୟେକ ପିଲା ସେଠାରେ ଗୋଟିଏ ଗୋଟିଏ ଗପ ତିଆରି କରିପାରିଲେ; ତେଣୁ ମୁଁ ଅତ୍ୟନ୍ତ ଆନନ୍ଦିତ ହୋଇ ଯାଇଥିଲି । ଗ୍ରୀଷ୍ମ ଦିନର ସେହି ଶାନ୍ତ ସନ୍ଧ୍ୟାଗୁଡ଼ିକୁ ମୁଁ ସର୍ବଦା ମନେ ରଖି ଆସିଛି; ସୂର୍ଯ୍ୟ ବୁଡ଼ିଯିବା ପରେ ଆକାଶ ପାଉଁଶିଆ ଦିଶିବାକୁ ଆରମ୍ଭ କରେ । ଏହିପରି ଚମତ୍କାର ଗ୍ରୀଷ୍ମଦିନଗୁଡ଼ିକ ବର୍ଷରେ ଏକାଧିକ ବାର ଆସିଥାଏ । ଆକାଶ ଧୂସରୋଜ୍ଜ୍ୱଳ ହୋଇ ରହିଥାଏ, ଅଧିକ ସମୟ ପାଇଁ ଗୋଧୂଳି ବି ଥାଏ ଏବଂ ବହୁତ ସମୟ ପର୍ଯ୍ୟନ୍ତ ତାରାମାନେ ଦେଖା ଯାଇନଥାନ୍ତି.....ପିଲାମାନେ ନୀରବ ହୋଇ ବସି ରହୁଥିଲେ, ପ୍ରକୃତିର ସୌନ୍ଦର୍ଯ୍ୟ ଆଡ଼କୁ ମୁଗ୍ଧ ହୋଇ ଅନାଇବାରେ ଲାଗିଥିଲେ । ଏହିଭଳି ମୁହୂର୍ତ୍ତମାନଙ୍କରେ କଳ୍ପନାର ବହ୍ନି ବିଶେଷ ଉଜ୍ଜ୍ୱଳ ହୋଇ ଜଳିବାକୁ ଆରମ୍ଭ କରେ । ଆମେ ନିନା ଫାନ୍ଦିଥିବା କାହାଣୀଟିକୁ ଶୁଣିଲୁ :

 

“ସୂର୍ଯ୍ୟ କୁହୁକ ବଗିଚାକୁ ଶୋଇବ ବୋଲି ଗଲା । ଦେହକୁ ଲମ୍ବାଇ ଶୋଇଲା ସିନା, ମାତ୍ର ଆଖି ବନ୍ଦ କରିବାକୁ ଭୁଲିଗଲା । କମାରମାନେ ଦିନ ତଥାପି ଯାଇନାହିଁ ବୋଲି ଭାବିଲେ । ସେମାନେ ରୂପାର ସୂତାଗୁଡ଼ିକୁ ତିଆରି କରିବାରେ ଲାଗିଥାନ୍ତି । ସୂତାଗୁଡ଼ାକ ଅତିବେଶୀ ବାହାରକୁ ଉବୁରି ପଡ଼ିଲେ ଏବଂ ଧୂଳିରେ ପରିଣତ ହୋଇଗଲେ । ସେହି ରୂପାଧୂଳିଗୁଡ଼ିକ ଆକାଶଯାକ ବିଛାଡ଼ି ହୋଇଗଲା । ନିଆଁ ପରି ଜଳିଲା ଓ ଚାରିଆଡ଼କୁ ଆଲୋକ ଦେଲା ।”

 

ଏହି ଚମତ୍କାର ଗଳ୍ପଟିକୁ ଶୁଣିବାବେଳେ ମୋ’ଛାତି ଉଲୁସି ଉଠୁଥାଏ । ପ୍ରକୃତିର ମନୋମୁଗ୍ଧକାରୀ ସୌନ୍ଦର୍ଯ୍ୟ ଓ କାହାଣୀଗୁଡ଼ିକର ଅଦ୍ଭୂତ ଚିତ୍ରରୂପମାନ ଯେତେବେଳେ ପିଲାମାନଙ୍କର ଚେତନାରେ ଭାବନାର ତୋରଣଗୁଡ଼ିକୁ ଖୋଲି ଦେଇ ଯାଉଥାଏ, ସେତେବେଳେ ମୁଁ ଆଉ କ’ଣ ହୋଇ ପାରନ୍ତି ? ଏପରି କାହିଁକି ହୁଏ ମୁଁ କରିପାରିବି ନାହିଁ; ମାତ୍ର ଜୁଲାଇ ମାସର ଦୀର୍ଘ ସନ୍ଧ୍ୟାଗୁଡ଼ିକରେ ଯେତେବେଳେ ପାଣ୍ଡୁର ଆକାଶ ସତେଅବା ଏକ ପ୍ରକାରର ରହସ୍ୟମୟ ଆଚ୍ଛାଦନ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିବା ପରି ମନେ ହେଉଥାଏ, ଏହିଭଳି ମୁହୂର୍ତ୍ତମାନଙ୍କରେ ପିଲାମାନଙ୍କର କଳ୍ପନାଗୁଡ଼ିକ କୁଆଡ଼େ ମନ କୁଆଡ଼େ ଧାଇଁ ଚାଲିଯାଆନ୍ତି, ଆଦୌ କୌଣସି ବାଧା ମାନନ୍ତି ନାହିଁ ।

 

ତୃତୀୟ ଶ୍ରେଣୀ ଶେଷ ହେବା ପରେ ପିଲାମାନେ କୁହୁକଦ୍ୱୀପରେ ଗୋଟିଏ ସେନାଛାଉଣି ତିଆରି କରିବାକୁ ଇଚ୍ଛା କଲେ । ଆଗ ଗୋଟିଏ ଗାତ ଖୋଳା ହେଲା, ବଡ଼ ପିଲାମାନେ ଏହି କାମରେ ଆମକୁ ସାହାଯ୍ୟ କରିବାକୁ ଆସିଥିଲେ । ବେଶ୍ କେତେ ମାସ ନାନା ପ୍ରକାରର କାର୍ଯ୍ୟକ୍ରମ ଚାଲିଲା । ପିଲାଏ ରାତିରେ ଖେଳିବାକୁ ଇଚ୍ଛା କଲେ ଏବଂ ସେମାନଙ୍କୁ ସେଥିରୁ ମୋଟେ ଅଟକାଇ ହେଲା ନାହିଁ । ସେମାନେ ପଇଁତରା ମାରି ଶିଖିଲେ, କମ୍ପାସ୍ ବ୍ୟବହାର କରିପାରିଲେ । କାଠର ମେସିନ୍‍ଗନ୍ ଏବଂ ରାଇଫେଲମାନେ ତିଆରି କଲେ । ବାହାରକୁ ଯିବା ପୂର୍ବରୁ ସୈନ୍ୟବାହୀନୀ ପରି ଆଦେଶ ଦେଇ ପାରୁଥିଲେ ।

 

ବିଦ୍ୟାଳୟର ଶେଷବର୍ଷରେ ସେମାନେ ରୁଷୀୟ ଲେଖକ ଓ କାହାଣୀକାର ବାଝବ୍‍ଙ୍କର ଗୋଟିଏ ବହି ଦ୍ୱାରା ଅଭିଭୂତ ହୋଇଯାଇଥିଲେ । ବହିଟିକୁ ମୁଁ ପଢ଼ି ଶୁଣାଇବା ବେଳେ ସେମାନଙ୍କର ଆଖିଗୁଡ଼ିକ ଆଲୋକିତ ହୋଇ ଉଠୁଥିଲା । ମାଟିତଳେ ଗୋଟିଏ ମଣିମୁକ୍ତା-ଭଣ୍ଡାର ତିଆରି କରିବାର ଭାବନାଟିଏ ଆସି କାହା ମୁଣ୍ଡରେ ଜୁଟିଥିଲା । ଆମେ କେତେ ରଙ୍ଗର ଭଳି ଭଳି କାଚ ଗୋଟାଇ ଆଣିଲୁ ଓ ସେଗୁଡ଼ିକୁ ଆମ ଗୁମ୍ଫାଟିର କାନ୍ଥମାନଙ୍କରେ ଲଗାଇ ଦେଇଥିଲୁ । ଗୁମ୍ଫାରେ ବିଜୁଳି ଆଲୁଅ ଲାଗିଲା, ଇନ୍ଦ୍ରଧନୁର ସବୁଯାକ ରଙ୍ଗ ଝଟକି ଉଠିବାକୁ ଲାଗିଲା । ପିଲାଏ ଯେପରି ଚକିତ ଓ ପୁଲକିତ ହୋଇ ଉଠିଲେ, ତାହାକୁ ମୋଟେ ବର୍ଣ୍ଣନା କରିହେବ ନାହିଁ । ସେଠାରେ ଆହୁରି ନୂଆ କେତେ କେତେ କାହାଣୀ ଜନ୍ମଲାଭ କଲେ । ଭାଲ୍ୟା, ପେଟ୍ରିକ୍ ଓ ନିନାଙ୍କର ଭାବନାଶକ୍ତି ମଧ୍ୟ କ୍ଷିପ୍ର ଅଗ୍ରଗତି କରିଥିଲା । ସେମାନେ ଯେଉଁସବୁ କାହାଣୀ ରଚନା କରି କହିଲେ, ସେଥିରେ ମୁଁ ବିସ୍ମିତ ହୋଇ ପଡ଼ିଥିଲି । ଲ୍ୟୁଡ଼ା ମଧ୍ୟ କାହାଣୀଟିଏ ତିଆରି କରିପାରିଲା ! ମୋ’ର ପୂରା ବିଶ୍ୱାସ ହୋଇଗଲା ଯେ, ମସ୍ତିଷ୍କର ବିକାଶ ମାନ୍ଦା ଥିବାରୁ ସେହି ସାନ ଝିଅଟି ମୋଟେ ଚୁପ୍ ହୋଇ ରହୁନଥିଲା; ଅସଲ କାରଣ ହେଉଛି ଯେ ସିଏ ଅସ୍ପଷ୍ଟତା ଭିତରେ ବୁଡ଼ି ରହୁଥିଲା ଓ ବଡ଼ ବିଷଣ୍ଣ ବି ରହୁଥିଲା ।

Image

 

ସଂଗୀତ ପିଲା ଆଗରେ ପୃଥିବୀର ସୌନ୍ଦର୍ଯ୍ୟକୁ ଉଦ୍‌ଘାଟିତ କରିଦିଏ

 

ଆନନ୍ଦ-ପାଠଶାଳା ପରି ପ୍ରାଥମିକ ଶ୍ରେଣୀଗୁଡ଼ିକରେ ମଧ୍ୟ ଆମେ ପ୍ରକୃତିର ସଂଗୀତ ଶୁଣିବା ଲାଗି ସର୍ବଦା ଉତ୍ସୁକ ହୋଇ ରହିଥିଲୁ । ତାହା ଫଳରେ ପିଲାମାନେ ସମ୍ମିଳିତ ସଂଗୀତ ଗାନ କରିବା ଲାଗି ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲେ । ଆମେ ଯେଉଁସବୁ ଗୀତ ଗାଇବାକୁ ଯାଉଥିଲୁ, ପ୍ରକୃତି ଭିତରେ ମଧ୍ୟ ସେହି ଧ୍ୱନିଗୁଡ଼ିକୁ ବାରି ଶୁଣି ପାରିବାକୁ ମୁଁ ପିଲାମାନଙ୍କୁ ଶିଖାଇଦେଲି ।

 

ସ୍କୁଲ୍‌ର ଅନତିଦୂରରେ ନିକାଞ୍ଚନ କୋଣଜାଗାଟିଏ ରହିଥିଲା । ସନ୍ଧ୍ୟାଆକାଶର ଛବିଟି ପୋଖରୀ ପାଣିର କାଚ ଉପରେ ନିର୍ମଳ ଭାବରେ ପ୍ରତିଫଳିତ ହେବାରେ ଲାଗିଥିଲା । ପକ୍ଷୀମାନଙ୍କର ସଂଗୀତ ନିକଟସ୍ଥ ତୃଣଭୂମିରୁ ଭାସି ଆସୁଥିଲା । ସନ୍ଧ୍ୟାର ସେହି ଶୀତଳ ସମୟରେ ଝିଣ୍ଟିକାମାନଙ୍କର ଗୀତକୁ ମଧ୍ୟ ବେଶ୍ ଶୁଣି ହେଉଥିଲା । “ସନ୍ଧ୍ୟାବେଳର ସୂର୍ଯ୍ୟାସ୍ତ”ନାମରେ ଗୋଟିଏ ଗୀତକୁ ଗାଇ ଶିଖିବା ପୂର୍ବରୁ ଆମେ ଏକାଧିକ ବାର ଏଠାରେ ପ୍ରକୃତିର ସଂଗୀତକୁ ଶୁଣିଥିଲୁ । ଏହି ଗୀତଟିରେ ସୂର୍ଯ୍ୟାସ୍ତ ସମୟର ସୌନ୍ଦର୍ଯ୍ୟକୁ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ଗ୍ରୀଷ୍ମକାଳୀନ ନୀରବ ସଂଜ ସମୟରେ ଏହି ଗୀତଟିର ଏକ ଅବଣ୍ଣନୀୟ ମୂର୍ଚ୍ଛନା ମଧ୍ୟ ରହିଥିଲା । ସେହି ସାନ କୋଣଜାଗାଟିରେ ହିଁ ଆମେ ଗୀତଟିକୁ ଶିକ୍ଷା କରିଥିଲୁ । ପିଲାଏ ନିଜେ ଗୀତଟିକୁ ଶିଖିବା ପାଇଁ ଇଚ୍ଛା କରିଥିଲେ । ଏବଂ, ତା’ପରେ କେତେ ସପ୍ତାହ ପରେ ସେମାନେ ଆମ ଗୀତ-କୋଠରୀରେ ମଧ୍ୟ ସେଇଟିକୁ ଗାଇଲେ । ସାଙ୍ଗରେ କିଛି ଲୋକବାଦ୍ୟ ମଧ୍ୟ ରହିଥିଲା । ଗୀତଟି ଗାଇବାବେଳେ ସେମାନେ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟକୁ ମନେ ପକାଉଥିଲେ ଏବଂ ସେମାନଙ୍କର ମୁହଁ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠୁଥିଲା ।

 

ଉଦୁଉଦିଆ ଖରାବେଳେ ମଧ୍ୟ ଆମେ ବନସ୍ତ ଭିତରକୁ ଯାଇ ତାହାର ସଂଗୀତ ଶୁଣିଥିଲୁ । ଡେଙ୍ଗା ଡେଙ୍ଗା ଗଛମାନଙ୍କରୁ ପତରଗୁଡ଼ିକର ଖସ୍ ଖସ୍ ଶବ୍ଦ ଶୁଣାଯାଉଥିଲା, କୋଉଠି ଗୋଟିଏ କାଠହଣା ଚଢ଼େଇ ଠୁକ୍ ଠୁକ୍ ଶବ୍ଦ କରୁଥିଲା । ସେହି ସଂଗୀତର ଆବେଶ ପିଲାମାନଙ୍କର ମନ ଭିତରେ ଏକ ରୁଷୀୟ ଗୀତର ମୂର୍ଚ୍ଛନା ସୃଷ୍ଟି କରି ଦେଉଥିଲା ।

 

ପିଲାମାନେ ଆହୁରି କେତେ ଲୋକଗୀତ ଓ ଶିଶୁ ସଂଗୀତ ମଧ୍ୟ ଗାଇ ଶିଖିଲେ । ଗୀତ ଗାଇବାକୁ ସମସ୍ତେ ଏତେ ଭଲ ପାଉଛନ୍ତି ଦେଖି ମୋତେ କେତେ ଖୁସୀ ଲାଗୁଥାଏ । ଗୀତ ଗାଇବା ସକାଶେ ସେମାନେ ଏକାଠି ହେବାର ଏକ ଆବଶ୍ୟକତା ମଧ୍ୟ ଅନୁଭବ କରିବାକୁ ଆରମ୍ଭ କଲେ । ସଂଗୀତ ସେମାନଙ୍କର ଜୀବନ ଭିତରେ ପ୍ରବେଶ କରିଥିଲା ଏବଂ ସେମାନଙ୍କର ଭାବନାରେ କେତେ କେତେ ସଂବେଗାତ୍ମକ ଆବେଗର ରଙ୍ଗ ବୋଳି ଦେଇଥିଲା; ସେମାନଙ୍କ ଭିତରେ ନିଜ ଜନ୍ମଭୂମି ନିମନ୍ତେ ଏକ ଭଲ ପାଇବା ଜାଗୃତ କରି ଆଣିଲା, ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ସୌନ୍ଦର୍ଯ୍ୟକୁ ମଧ୍ୟ ଭଲ ପାଇ ଶିଖାଇଲା ।

 

ଇଉକ୍ରେନ୍‌ର ଗୋଟିଏ ଲୋକସଂଗୀତ ଗାଇ ସେମାନେ ଆମ ଦେଶବାସୀଙ୍କର ବୀରତ୍ୱପୂର୍ଣ୍ଣ ଦୂର ଅତୀତର ଏକ ଜୀବନ୍ତ କଳ୍ପନା କରି ପାରିଥିଲେ । ଜନ୍ମଭୂମିର ସ୍ୱାଧୀନତା ଲାଗି ହେଇଥିବା ସଂଗ୍ରାମଟିର ସମୟଯାଏ ଫେରିଯାଇ ସେମାନେ ବହୁ ଶତାବ୍ଦୀ ପୂର୍ବର ପୂର୍ବପୁରୁଷମାନଙ୍କର ଆଖିରେ ମଧ୍ୟ ପୃଥିବୀକୁ ଦେଖିବାଲାଗି ସମର୍ଥ ହୋଇଥିଲେ, ଗୀତରେ ଯେଉଁଭଳି ବର୍ଣ୍ଣନା କରାଯାଇଛି, ଗହମକ୍ଷେତରେ ଚାଷୀମାନେ ଗହମ କାଟୁଥିଲେ ଏବଂ ମଝିରେ ମଝିରେ ବାର ବାର ଅତ୍ୟନ୍ତ ଉଦ୍‍ବିଗ୍ନ ଭାବରେ ଦିଗ୍‍ବଳୟ ଆଡ଼କୁ ଅନାଇ ରହୁଥିଲେ । ସେଠାରେ ଯେକୌଣସି ସମୟରେ ଶତ୍ରୁ ଆସି ପହଞ୍ଚି ଯିବାର ଆଶଙ୍କା ରହିଥିଲା ଏବଂ, ସେହି ପରିସ୍ଥିତିରେ ଦାଆକୁ ଫୋପାଡ଼ି ଦେଇ କିପରି ଅସ୍ତ୍ର ଧରି ଜନ୍ମଭୂମିର ରକ୍ଷା କରିବାକୁ ହେବ, ଛାଇରେ ଗହମକେଣ୍ଡାଗୁଡ଼ିକ ଭିତରେ ଶୋଇଥିବା ସାନ ଶିଶୁମାନଙ୍କର ଜୀବନ ମଧ୍ୟ କିପରି ରକ୍ଷା ହେବ, ସେଥିଲାଗି ସେମାନେ ପ୍ରସ୍ତୁତ ହୋଇ ରହିଥିଲେ । କେବଳ ସଂଗୀତ ହିଁ ଏହିସବୁ ଚିତ୍ରକୁ ହୃଦୟ ଏବଂ ମାନସ ଭିତରକୁ ସଞ୍ଚାରିତ କରି ନେଇପାରେ । କେବଳ ସଂଗୀତ ଦ୍ୱାରା ହିଁ ମନୁଷ୍ୟମାନଙ୍କର ଆତ୍ମାରେ ରହିଥିବା ସୌନ୍ଦର୍ଯ୍ୟଟି ଉଦ୍‌ଘାଟିତ ହୋଇ ଆସିପାରେ । ନିଜ ଦେଶର ଏହି ଗୀତଗୁଡ଼ିକର ସଂଗୀତ ଏବଂ ଶବ୍ଦଗୁଡ଼ିକ ମଧ୍ୟରେ ଏକ ପ୍ରଭାବଶାଳୀ ଶିକ୍ଷାଗତ ଶକ୍ତି ରହିଥାଏ, ଯାହାକି ପିଲା ଆଗରେ ଜାତିର ଆଦର୍ଶ ଏବଂ ଆକାକ୍ଷାଂଗୁଡ଼ିକୁ ଆଣି ଉଦ୍‌ଘାଟିତ କରି ଦେଇଥାଏ-

 

ସମ୍ବେଦନଶୀଳତା ଏବଂ ହାର୍ଦ୍ଦିକତା ପ୍ରଭୃତି ଏହିପରି କେତେକ ମାନବିକ ଗୁଣ ରହିଛି । ଚତୁର୍ଦ୍ଦିଗର ପୃଥିବୀ ପିଲାଟି ମଧ୍ୟରେ ସବୁକିଛିକୁ ନିବିଡ଼ ଭାବରେ ଅନୁଭବ କରିବାର ସାମର୍ଥ୍ୟ ଆଣିଦେଲେ ସେହି ଗୁଣଗୁଡ଼ିକର ଅଭିବ୍ୟକ୍ତି ସମ୍ଭବ ହୁଏ । ସମ୍ବେଦନଶୀଳ ପ୍ରକୃତିର ଜଣେ ମନୁଷ୍ୟ ଆଉଜଣେ ମନୁଷ୍ୟର ଦୁଃଖ, କଷ୍ଟ ଓ ନିରାନନ୍ଦକୁ କଦାପି ଭୁଲିଯାଇ ପାରିବନାହିଁ । ସାହାଯ୍ୟ କରିବା ଲାଗି ତା’ର ବିବେକ ତାକୁ ବାଧ୍ୟ ହିଁ କରିବ । ସଂଗୀତ ମନୁଷ୍ୟମାନଙ୍କ ଭିତରେ ସେହି ଗୁଣଟିକୁ ଜାଗୃତ କରି ଆଣିଥାଏ । କିପରି ଜୀବନ ବଞ୍ଚିବାକୁ ହୁଏ, ସେହିକଥା ଶିଖାଇବା ନିମନ୍ତେ ଯଦି ତୁମେ ଶବ୍ଦ ଆବଶ୍ୟକ କରୁଥିବ, ସେମାନେ ଭଲ ପାଇଁ ପ୍ରୟାସ କରନ୍ତୁ ବୋଲି ଯଦି ତୁମେ ଇଚ୍ଛା କରୁଥିବ, ତେବେ ତୁମେ ପିଲାମାନଙ୍କୁ ସେହି କୋମଳତା ଓ ସମ୍ବେଦନଶୀଳତାର ଶିକ୍ଷା ଦେବ । ପିଲାର ହୃଦୟ ଉପରେ ଯେଉଁ ବହୁବିଧ ପ୍ରଭାବ ଆସି ପଡ଼ିଥାଏ, ସେଥିରେ ସଂଗୀତର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି ।

 

ସଂଗୀତ ହିଁ ପୃଥିବୀକୁ କବିର ଆଖିରେ ଦେଖିବାର ସାମର୍ଥ୍ୟକୁ ବଳଶାଳୀ କରିଥାଏ । ମୋ’ର ଖୁବ୍ ମନେ ଅଛି, କିପରି ନିବିଡ଼ ଅନୁଭୂତିରେ ପୂର୍ଣ୍ଣ କେତେ କେତେ ଗୀତ ଗାଇବା ପରେ ଆମେ କ୍ଷେତଭୂମି ଆଡ଼କୁ ବୁଲି ଯାଇଥିଲୁ । ଆମ ଆଖିଆଗରେ ଗହମର କ୍ଷେତ ସାଗର ପରି ବିସ୍ତୃତ ହୋଇ ରହିଥିଲା ଏବଂ ଦୂରରେ ଥିବା ଶ୍ମଶାନଡ଼ିହ ଗୁଡ଼ିକ ନୀଳାଭ ଦେଖା ଯାଉଥିଲା । ସୁନେଲି ଫସଲର କ୍ଷେତ ଭିତରେ ଗୋଟିଏ ଅଣଓସାରିଆ ରାସ୍ତା ଅଙ୍କାବଙ୍କା ହୋଇ ଚାଲିଯାଇଥିଲା ଏବଂ ଚାତକଟିଏ ଆକାଶରେ ଉଡ଼ି ଗୀତ ଗାଉଥିଲା । ପିଲାମାନେ ଅଟକି ଛିଡ଼ା ହେଲେ, ସତେଯେପରି ସେମାନେ ନିଜ ଜନ୍ମଭୂମିର ଏହି ଖଣ୍ଡଟିକୁ ସର୍ବପ୍ରଥମ ଥର ସକାଶେ ଦେଖୁଛନ୍ତି । ଭାରା କହିଲା, “ଠିକ୍ ଫସଲକଟାଳି ମାନଙ୍କର ଗୀତଟିକୁ ଶୁଣୁଥିଲା ପରି ଲାଗୁଛି । ସେହି କ୍ଷଣଗୁଡ଼ିକରେ ମୁଁ ସେହି ଲୋକସଂଗୀତଟିର ଶବ୍ଦଗୁଡ଼ିକ ପ୍ରତ୍ୟେକ ପିଲାର ଆତ୍ମା ଭିତରେ ବାଜି ଉଠୁଥିବା ପରି ଅନୁଭବ କରୁଥିଲି । ଗୀତ ଗାଇଲେ ନିଜ ଜନ୍ମଭୂମିର ସୌନ୍ଦର୍ଯ୍ୟ ଆଡ଼କୁ ଆଖିମାନେ ଉନ୍ମୋଚିତ ହୋଇଯାଆନ୍ତି ଏବଂ ସେହି ସୌନ୍ଦର୍ଯ୍ୟ କ୍ରମେ ଏକାବେଳେକେ ନିଜର ଓ ଅଧିକ ନିବିଡ଼ ହୋଇ ଆସୁଥାଏ ।”

 

ନିଜ ଭାଷାରେ ଗୀତ ଗାଇବା ଦ୍ୱାରା ପିଲାମାନଙ୍କ ଲାଗି ସେମାନଙ୍କର ନିଜ ଭାଷାର ଜଗତଟି ମଧ୍ୟ ଉନ୍ମୋଚିତ ହୋଇ ଯାଇଥିଲା ଓ ନିଜ ଭାଷାକୁ ସେମାନେ ନିଜ ଜାତିର ଏକ ଅମୂଲ୍ୟ ଆତ୍ମିକ ସମ୍ପଦ ରୂପେ ଅନୁଭବ କରୁଥିଲେ ।

 

ପିଲାଦିନରୁ ସଂଗୀତ ନଶୁଣି ମୁଁ କୌଣସି ଶିକ୍ଷାର କଳ୍ପନା ବି କରି ପାରିବି ନାହିଁ । ଆନନ୍ଦ-ପାଠଶାଳା ଆରମ୍ଭ ହେବା ପୂର୍ବରୁ ଆମ ଶିକ୍ଷକମାନେ ଏକାଧିକ ଗୀତକୁ ରେକର୍ଡ଼ ଓ ଟେପ୍ କରି ରଖିଥିଲେ । ତାହାକୁ ଆମେ ଆମର ଏକ ସମ୍ପଦଭଣ୍ଡାର ବୋଲି ଭାବୁଥିଲୁ ଓ ପିଲାମାନେ ତାହା ଦ୍ୱାରା ସଂପୂର୍ଣ୍ଣ ଉପକୃତ ହୋଇ ପାରୁନଥିଲେ ବୋଲି ଆମ ମନରେ ଖୁବ୍ ଦୁଃଖ ହେଉଥିଲା । ପିଲାମାନଙ୍କର ପ୍ରଥମ ଶ୍ରେଣୀ ସରିବା ବେଳକୁ ଆମପାଖରେ ଏହିପରି ସତେଇଶଟି ସମ୍ପଦ ସାଇତା ହୋଇ ରହିଥିଲା । ସପ୍ତାହକୁ ଦୁଇଥର କରି ଆମେ ସେଗୁଡ଼ିକୁ ଶୁଣିବା ଲାଗି ସଂଗୀତ-କୋଠରୀକୁ ଯାଉଥିଲୁ । କେତେକ ଗୀତ ପିଲାମାନଙ୍କର ଅତି ପରିଚିତ ହୋଇ ଯାଇଥିଲା । ଏହି ପିଲାଙ୍କର ଚାରିବର୍ଷ ସମୟ ଭିତରେ ଆମ ସଂଗ୍ରହର ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇ ଯାଇଥିଲା । ପିଲାଏ ପ୍ରତ୍ୟେକ ମାସରେ ଅନ୍ତତଃ ଗୋଟିଏ ନୂଆ ଗୀତ ଶୁଣନ୍ତୁ ଏବଂ ଏପରି ଭାବରେ ଶୁଣନ୍ତୁ, ଯେପରିକି ସେଇଟିକୁ ଶୁଣିବାଟିକୁ ସେମାନେ ଜୀବନସାରା ଆତ୍ମିକ ସନ୍ତୋଷ ଲାଭ କରିବାର ଉତ୍ସରୂପେ ଅନୁଭବ କରି ପାରୁଥିବେ । ପିଲାମାନେ ଗୁଡ଼ାଏ ଗୀତ ଶୁଣୁଥିବେ, କେବଳ ଉପରିଆ ଆନନ୍ଦ ପାଉଥିବେ ଏବଂ ସେମାନଙ୍କର ହୃଦୟରେ ତାହାର କୌଣସି ପ୍ରଭାବ ପଡ଼ୁନଥିବ,-ଏହି ବିଷୟରେ ମୋ’ର ସର୍ବଦା ଆଶଙ୍କା ରହିଥିଲା ।

 

ଗୋଟିଏ ସଂଗୀତ ଶୁଣାଇବା ପୂର୍ବରୁ ମୁଁ ସେଥିରେ ରହିଥିବା କଳ୍ପନାଚିତ୍ର ଗୁଡ଼ିକର ପ୍ରକୃତ କାହାଣୀମାନ କହି ଦେଉଥିଲି । ସେହି କାହାଣୀ ଗୁଡ଼ିକର ଅନେକ ମହତ୍ତ୍ୱ ରହିଥିଲା; ତଦ୍ଦ୍ୱାରା ସଂଗୀତଟିକୁ ଶୁଣିବା ସକାଶେ ପିଲାମାନଙ୍କୁ ଯଥାର୍ଥ ମାନସିକ ସ୍ଥିତିଟି ମିଳି ଯାଉଥିଲା । ପିଲାମାନେ ସଂଗୀତଟିକୁ ଶୁଣିସାରିବା ପରେ ନିଜର କଳ୍ପନାରେ ତାହାର କେତେ କେତେ ଚିତ୍ର ଆଙ୍କି ଦେବାରେ ଲାଗିଥିଲେ । ସେହି ଚିତ୍ରଗୁଡ଼ିକ ସେମାନଙ୍କର ମନରେ ଉକ୍ତ ସଂଗୀତଟିକୁ ଆଉ ଥରେ ଶୁଣିବାର ବାସନାକୁ ଜାଗୃତ କରି ଆଣୁଥିଲା । କୌଣସି ସଂଗୀତର ଅର୍ଥ ବୁଝାଇ ଦେବା ଲାଗି ଶିକ୍ଷକର ଅନେକ ସାମର୍ଥ୍ୟ ରହିଥିବା ଆବଶ୍ୟକ । ସଂଗୀତର ଭାଷା ହେଉଛି ବସ୍ତୁତଃ ଅନୁଭୂତିର ଭାଷା । ଏପରିକି ଅତି ସରଳ କେତୋଟି ଶବ୍ଦଦ୍ୱାରା ରଚିତ ହୋଇଥିବା ଲୋକଗୀତ ଗୁଡ଼ିକ ମଧ୍ୟ ସେଗୁଡ଼ିକୁ ଗାଇହୁଏ ବୋଲି ଏକ କଳାତ୍ମକ ମର୍ଯ୍ୟାଦା ସ୍ତରକୁ ଉନ୍ନୀତ ହୋଇ ଯାଇଥାନ୍ତି । ତେଣୁ, ଶିକ୍ଷକ ଯେଉଁ ବ୍ୟାଖ୍ୟା ଦେବେ, ତାହା ସ୍ପଷ୍ଟ ହୋଇଥିବ ଓ ଅତ୍ୟନ୍ତ କଳାତ୍ମକ ଭାବରେ କାହାଣୀଟିର ଉପସ୍ଥାପନା କରି ପାରୁଥିବ ।

 

ସଂଗୀତର ସୌନ୍ଦର୍ଯ୍ୟ ଭାବନାଲାଗି ମଧ୍ୟ ଏକ ଶକ୍ତିଶାଳୀ ଉତ୍ସ ରୂପେ କାର୍ଯ୍ୟ କରିଥାଏ-। ସଂଗୀତର ପ୍ରଭାବରେ ପିଲାର କଳ୍ପନା ଭିତରେ ଯେଉଁ ସ୍ପଷ୍ଟ ଚିତ୍ରଗୁଡ଼ିକ ଉକୁଟି ଆସନ୍ତି, ତଦ୍ଦ୍ୱାରା ଭାବନା ଜୀବନ୍ତ ହୋଇଉଠେ ଏବଂ ତାହାର ବହୁସଂଖ୍ୟକ ଧାରାମାନେ ଗୋଟିଏ ନଦୀର ଆକାରରେ ସମ୍ମିଳିତ ହୋଇ ଆସନ୍ତି । ପିଲାଏ ନିଜର କଳ୍ପନାରେ ଯାହାକିଛି ଅନୁଭବ କରୁଥାନ୍ତି, ସେଗୁଡ଼ିକୁ ଶାବ୍ଦିକ ରୂପ ଦେବାକୁ ଉଦ୍ୟମ କରୁଥାନ୍ତି । ଯେଉଁ ପିଲାମାନଙ୍କର ଭାବନା ଶକ୍ତି ମନ୍ଦ ଥିଲା, ସଂଗୀତ ଶୁଣିବା ସେମାନଙ୍କ ପାଇଁ ମାନସିକ ବିକାଶର ଏକ ଶକ୍ତିଶାଳୀ ଉତ୍ସରୂପେ କାର୍ଯ୍ୟ କରିଥିଲା । ସଂଗୀତ କୋଠରୀରେ ଆମେ ବାଜା ବଜାଉଥିଲୁ ଏବଂ ଆମର ପ୍ରିୟ ଗୀତଗୁଡ଼ିକୁ ଗାନ କରୁଥିଲୁ । ଦ୍ୱିତୀୟ ଶ୍ରେଣୀ ବେଳକୁ ଆମ ବାଦ୍ୟବୃନ୍ଦରେ ମୋ’ଶ୍ରେଣୀର ନଅଟି ପିଲାଙ୍କ ସମେତ ଅନ୍ୟ ଶ୍ରେଣୀଗୁଡ଼ିକରୁ ଚାରୋଟି ପିଲା ରହିଥିଲେ । ବାଜାଗୁଡ଼ିକୁ ପିଲାମାନେ ନିଜେ ତିଆରି କରିଥିଲେ । ସେମାନେ ନିଜେ ତୋଟାକୁ ଯାଇ ଉପଯୁକ୍ତ ଉପକରଣଗୁଡ଼ିକୁ ବାଛୁଥିଲେ, ଛାଇରେ କଟା ହୋଇଥିବା ଡାଳଗୁଡ଼ିକୁ ପାଗ କରୁଥିଲେ, ବାଦ୍ୟଯନ୍ତ୍ର ଗୁଡ଼ିକର ଧ୍ୱନିକୁ ପରୀକ୍ଷା କରି ଦେଖୁଥିଲେ ଏବଂ ସେଗୁଡ଼ିକରେ ସ୍ୱଚ୍ଛ ଓ ମଧୁର ଧ୍ୱନିମାନ ସଂଯୁକ୍ତ କରୁଥିଲେ । ତୃତୀୟ ଶ୍ରେଣୀ ବେଳକୁ ଆମର ଦୁଇଟି ଆକର୍ଡିଆନ୍ ଓ ତିନୋଟି ବେହେଲା ଆସିଲା । କେତେକ ପିଲା ସେଗୁଡ଼ିକୁ ବଜାଇ ଶିଖିଗଲେ । ପ୍ରାଥମିକ ବିଦ୍ୟାଳୟ ଶେଷ କଲାବେଳକୁ ଉଣେଇଶି ଜଣ ପିଲାଙ୍କର ଘରେ ନିଜର ଆକର୍ଡ଼ିଆନ୍ ଓ ବେହେଲା ହୋଇ ଯାଇଥିଲା । ଏକାଧିକ ପିଲାଙ୍କର ସଂଗୀତ ପ୍ରତି ବିଶେଷ ରୁଚି ହୋଇଯାଇଥିଲା । ତଥାପି ସେମାନଙ୍କର ବ୍ୟକ୍ତିଗତ ପ୍ରତିଭାଗୁଡ଼ିକର ବିକାଶ ନୁହେଁ, ସବୁ ପିଲା ଯେ ସଂଗୀତକୁ ଭଲ ପାଇବେ ଓ ଅନ୍ତର୍ଗତ ଭାବରେ ସେମାନଙ୍କର ସଂଗୀତ ପ୍ରତି ଏକ ପ୍ରୟୋଜନ ରହିଥିବ, ମୁଁ ଏହାକୁ ହିଁ ସର୍ବପ୍ରଧାନ ଲକ୍ଷ୍ୟ ରୂପେ ଦେଖୁଥିଲି ।

 

ଶୈଶବରେ ଯାହାକିଛିର ହେଳା କରାଯାଇଥାଏ, ଯୌବନର ବର୍ଷଗୁଡ଼ିକରେ ସେଗୁଡ଼ିକର କୌଣସି କ୍ଷତିପୂରଣ ହୁଏ ନାହିଁ, ବୟସ୍କ ଜୀବନରେ ତ ଆହୁରି କମ୍ ହୁଏ । ଗୋଟିଏ ପିଲାର ଅନ୍ତର୍ଗତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ନିୟମଟି ପ୍ରଯୁଜ୍ୟ ହୋଇପାରିବ । ପିଲାର ସୌନ୍ଦର୍ଯ୍ୟବୋଧ ଜାଗୃତ କରିବାର କ୍ଷେତ୍ରରେ ଏହି କଥାଟିକୁ ବିଶେଷ ଭାବରେ ହିଁ କୁହାଯିବ । ତେଣୁ, ଶୈଶବ ସମୟରେ ହିଁ ପିଲାମାନେ ନିଜ ଜୀବନରେ ସୌନ୍ଦର୍ଯ୍ୟ ପାଇଁ ଯେପରି ଏକ ଆବଶ୍ୟକତା ଅନୁଭବ କରିବେ, –ଶିକ୍ଷକ ସେଥିପ୍ରତି ଅବଶ୍ୟ ଦୃଷ୍ଟି ରଖିବ । କାରଣ, ତାହା ହିଁ ପିଲାର ଅନ୍ତର୍ଜୀବନଗତ ସମଗ୍ର ରଚନାଟିକୁ ଏବଂ ସମୂହ ପ୍ରତି ତା’ର ସମ୍ବନ୍ଧର ନିର୍ଦ୍ଦାରଣ କରି ଦେଇଥାଏ । ସୌନ୍ଦର୍ଯ୍ୟର ପ୍ରୟୋଜନ ନୈତିକସୌନ୍ଦର୍ଯ୍ୟର ଅଭିବୃଦ୍ଧି ଘଟାଏ ଏବଂ ବର୍ବରତା ତଥା କୁତ୍ସିକତା ପ୍ରତି ଏକ ଅସହିଷ୍ଣୁତାର ଉଦ୍ରେକ କରି ଆଣିଥାଏ ।

 

“ହାତରେ ଗୋଟିଏ ବେହେଲା ଧରିଥବା ପର୍ଯ୍ୟନ୍ତ ଜଣେ ମନୁଷ୍ୟ କଦାପି ମନ୍ଦ କାର୍ଯ୍ୟ କରିବ ନାହିଁ” –ଇଉକ୍ରେନ୍‍ର ବିଖ୍ୟାତ ଭାବୁକ ଗ୍ରିଗରୀ ସ୍ଲୋଭୋରୋଡ଼ା (୧୭୨୨-୧୭୯୪) ଏକଦା ଏହି କଥାଟିକୁ କହିଥିଲେ ବୋଲି କଥିତ ଅଛି । ତେଣୁ, ଆଳଙ୍କାରିକ ଭାଷାରେ କହିଲେ, ଜଣେ ଶିକ୍ଷକଙ୍କର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଯେ, ସିଏ ପ୍ରତ୍ୟେକ ପିଲାର ହାତରେ ଗୋଟିଏ ବେହେଲା ନେଇ ଧରାଇଦେବେ, ଯେପରିକି ସେମାନେ ସଂଗୀତ ସମ୍ଭବ ହେବାର ସୂତ୍ରଟିକୁ ପାଇଯିବେ । ଆମର ଏହି କାଳରେ ଯେତେବେଳେ ସଂଗୀତକୁ ଲିପିବଦ୍ଧ କରି ରଖିବା ଓ ବହୁବିତରିତ କରି ପାରିବାର ଯାନ୍ତ୍ରିକ ସାଧନମାନ ସଂଗୀତକୁ ଏକ ବିଶ୍ୱଜନୀନତା ପ୍ରଦାନ କରିବାକୁ ଯାଉଛି, ସେତେବେଳେ ଶିକ୍ଷାକ୍ଷେତ୍ରର ଏହି କାର୍ଯ୍ୟଟିର ଏକ ବିଶେଷ ତାତ୍ପର୍ଯ୍ୟ ମଧ୍ୟ ରହିଛି । ସମ୍ପୂର୍ଣ୍ଣ ନିଶ୍ଚିତ ରହିବା ଉଚିତ ଯେ, ଆଗାମୀ ପୁରୁଷ କେବଳ ସଂଗୀତର ଉପଭୋକ୍ତା ହିଁ ହେବେ ନାହିଁ, -ଏହା ହିଁ ନୈତିକ ତଥା ସୌନ୍ଦର୍ଯ୍ୟବୋଧଗତ ଶିକ୍ଷାର ଏକ ସମସ୍ୟା ହୋଇ ରହିବ ।

Image

 

ଶିଶୁର ଅନ୍ତର୍ଗତ ଜୀବନରେ ପୁସ୍ତକ

 

ଶିଶୁର ଅନ୍ତର୍ଗତ ଜୀବନରେ ବହିର ଗୋଟିଏ ବୃହତ୍ ଭୂମିକା ରହିଛି । ମାତ୍ର, ପିଲାଟି ଆଗ ଭଲ କରି ପଢ଼ି ଜାଣିଲେ ଏହି କଥାଟିର କିଛି ମୂଲ୍ୟ ଅଛି ବୋଲି କୁହାଯିବ । ଭଲ କରି ପଢ଼ି ଜାଣିବା କହିଲେ ପ୍ରକୃତରେ କ’ଣ ବୁଝାଏ ? ସର୍ବପ୍ରଥମ କଥା ହେଉଛି ପିଲା ପଢ଼ିବାର ମୌଳିକ କୌଶଳଗୁଡ଼ିକୁ ଆୟତ୍ତ କରିଥିବ । ପିଲା ଆପେ ଆପେ ପଢ଼ିବାକୁ ସମର୍ଥ ହେବ -ଏହି କଥାଟିକୁ ମୁଁ ପିଲାର ଏକ ଅନ୍ତର୍ଗତ ପ୍ରୟୋଜନ ବୋଲି ଗ୍ରହଣ କରି ନେଇଥିଲି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପିଲାମାନେ ପ୍ରତି ସପ୍ତାହରେ ବା ଦୁଇ ସପ୍ତାହରେ ଲାଇବ୍ରେରୀରୁ ବହିଟିଏ ନେଉଥିଲେ ଓ ତାହାକୁ ବଡ଼ ପାଟି କରି ପଢ଼ୁଥିଲେ । ଏପରି ନହେଲେ ପିଲା ଆଦୌ ବାଧାହୀନ ଭାବରେ ପଢ଼ି ଜାଣିବ ନାହିଁ ଅଥବା ଯାହା ପଢ଼ୁଛି, ତାହାକୁ ବୁଝି ବି ପାରିବ ନାହିଁ ।

 

ଦ୍ୱିତୀୟ ଶ୍ରେଣୀରେ ପ୍ରତ୍ୟେକ ଛାତ୍ର ପାଖରେ ଏପରି ଗୋଟିଏ ଖାତା ରହୁଥିଲା, –ତାହାକୁ ଆମେ “ଶବ୍ଦର ଭଣ୍ଡାର” ବୋଲି କହିପାରିବା, –ଯେଉଁଥିରେ କି ସିଏ ଯେଉଁ ଶବ୍ଦଗୁଡ଼ିକୁ ବେଶ୍ ଆଗ୍ରହୋଦ୍ଦୀପକ ବୋଲି ଭାବୁଥିଲା ବା ଯାହାର ଅର୍ଥ ତାକୁ ଜଣା ନଥିଲା, ସିଏ ଲେଖି ରଖୁଥିଲା । ତା’ପରେ ମୁଁ ସେମାନଙ୍କୁ ଶବ୍ଦଗୁଡ଼ିକର ଅର୍ଥବ୍ୟଞ୍ଜନାକୁ ବୁଝାଇ କହି ଦେଉଥିଲି । ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ପିଲାମାନଙ୍କର ଖାତାଗୁଡ଼ିକ ଢଗ, ପ୍ରବଚନ ଓ ପିଲାଙ୍କୁ ଭଲ ଲାଗୁଥିବା ବାକ୍ୟଗୁଡ଼ିକରେ ଭର୍ତ୍ତି ହୋଇ ଯାଇଥିଲା ।

 

ପଢ଼ିବାକୁ ସମର୍ଥ ହେବା, ଏଇଟା କେବଳ ପଢ଼ି ଶିଖିବାର ପ୍ରଥମ କଥା । ଗୋଟିଏ ପିଲା ହୁଏତ ନିର୍ଭୁଲ ଭାବରେ ଡଗ ଡଗ କରି ସବୁ ପଢ଼ି ଦେଇ ପାରିବ, ମାତ୍ର ଏପରି ବହୁତ ସମୟରେ ଘଟିଥାଏ, ତା’ର ଜୀବନରେ ତଥାପି ବହିଗୁଡ଼ିକୁ ସିଏ ଏପରି ଗୋଟିଏ ପଥ ବୋଲି ଗ୍ରହଣ କରି ନେଇନଥିବ, ଯାହାର ସାହାଯ୍ୟରେ କି ସିଏ ନିଜ ବୌଦ୍ଧିକ, ନୈତିକ ଓ ସୌନ୍ଦର୍ଯ୍ୟବୋଧଗତ ବିକାଶର ଉଚ୍ଚତାଗୁଡ଼ିକରେ ଯାଇ ପହଞ୍ଚି ପାରିବ । ପଢ଼ିବାକୁ ସମର୍ଥ ହେବାର ଅର୍ଥ ହେଉଛି, ଶବ୍ଦଗୁଡ଼ିକର ଅର୍ଥ, ସୌନ୍ଦର୍ଯ୍ୟ ଏବଂ ବ୍ୟଞ୍ଜନାଗୁଡ଼ିକ ବିଷୟରେ ଗ୍ରହଣଶୀଳ ହୋଇପାରିବା । ଯେଉଁ ପିଲାର ମନ ଭିତରେ ସିଏ ପଢ଼ୁଥିବା ଶବ୍ଦଟି ପାରିପାର୍ଶ୍ୱିକ ପୃଥିବୀର ବର୍ଣ୍ଣ ଓ ସଂଗୀତ ସହିତ ସଚଳ ଭାବରେ କ୍ରୀଡ଼ା କରିପାରୁଛି, ପ୍ରକୃତରେ ସେଇ ପଢ଼ି ଜାଣିଛି । ପଢ଼ିବା ହେଉଛି ଗୋଟିଏ ଝରକା, ଯାହାର ମାଧ୍ୟମରେ ପିଲାମାନେ ପୃଥିବୀକୁ ଏବଂ ନିଜକୁ ଦେଖନ୍ତି ତଥା ଜାଣିବାକୁ ସମର୍ଥ ହୁଅନ୍ତି । ପଠନ କେବଳ ସେତିକିବେଳେ ଗୋଟିଏ ପିଲା ଆଗରେ ଆସି ଉନ୍ମୋଚିତ ହୋଇଯାଏ, ଯେତେବେଳେ କି ପଢ଼ି ପାରିବା ସହିତ, ଯୁଗପତ୍ ଭାବରେ ଅଥବା ଏପରିକି ପ୍ରଥମ କରି ବହିଟିଏ ଖୋଲିବା ଆଗରୁ ଶବ୍ଦଗୁଡ଼ିକ ଉପରେ ଦଖଲ ଆସିଯିବାକୁ କଠିନ ଉଦ୍ୟମ କରାଯାଇଥାଏ । ଏହାର ଅର୍ଥ ହେଉଛି, ତା’ର କାମ, ଖେଳ, ପ୍ରକୃତି ସହିତ ତା’ର କ୍ରିୟାଶୀଳ ସମ୍ପର୍କ, ସଂଗୀତ ଓ ସୃଜନଶୀଳତା –ତା’ର ଉଦ୍ୟମଗୁଡ଼ିକ ଏହି ଯାବତୀୟ ପରିସର ତଥା ଅନ୍ତର୍ଗତ ଜୀବନ ସହିତ ଯୋଡ଼ି ହୋଇ ରହିଥାଏ ।

 

ଗୋଟିଏ ପିଲା ତା’ର ପ୍ରଥମ ଶବ୍ଦଟିକୁ ପାଠ କରିବା ପୂର୍ବରୁ ସିଏ ତା’ର ପ୍ରଥମ ଶିକ୍ଷକ ତା’ର ମାଆ ଓ ତା’ର ବାପାଙ୍କୁ ତାକୁ କିଛି ପଢ଼ି ଶୁଣାଇବାର ଅଭିଜ୍ଞତା ଅର୍ଜନ କରିଥିବ । ପ୍ରକୃତି ମଧ୍ୟକୁ “ଭ୍ରମଣ” କରି ଯିବାକୁ ମଧ୍ୟ କଦାପି ଏକ ପୁସ୍ତକ ଠାରୁ ଅଲଗା ବୋଲି କଳ୍ପନା କରି ହେବନାହିଁ । ବହିରେ ପାଠ କରିଥିବା ଶବ୍ଦଗୁଡ଼ିକର ସୌନ୍ଦର୍ଯ୍ୟକୁ ଅନୁଭବ କରିନଥିଲେ, ଗୋଟିଏ ପିଲା ଚତୁର୍ଦ୍ଦିଗର ପୃଥିବୀର ସୌନ୍ଦର୍ଯ୍ୟ ଆଡ଼କୁ ମଧ୍ୟ ଆଦୌ ମନ ବଳାଇବ ନାହିଁ । ପିଲାର ହୃଦୟ ଏବଂ ଚେତନା ଆଡ଼କୁ ପଡ଼ିଥବା ପଥଟିର ଦୁଇଟି ପାର୍ଶ୍ୱ ରହିଛି । ଏଗୁଡ଼ିକ ପ୍ରଥମେ ପରସ୍ପରର ବିରୋଧୀ ବୋଲି ମନେ ହୋଇଥାନ୍ତି: ଗୋଟିଏ ବହି ଏବଂ ବଡ଼ ପାଟିରେ ପଢ଼ି ଶୁଣାଇ ଦିଆ ହେଉଥିବା ଶବ୍ଦରୁ କଥିତ ଶବ୍ଦକୁ ପଢ଼ିଛି; ଏବଂ ଆଉ ଗୋଟିଏ ପିଲାର ଅନ୍ତର୍ଜଗତରେ ପୂର୍ବରୁ ହିଁ ସଞ୍ଚିତ ହୋଇ ରହିଥିବା ଜୀବନ୍ତ ଶବ୍ଦରୁ ବହିକୁ, ପଠନ ଓ ଲିଖନ ଆଡ଼କୁ ପଡ଼ିଛି । ଆଗରୁ ପିଲାର ଭାବରାଜ୍ୟଟିକୁ ଏପରି ପ୍ରସ୍ତୁତ କରି ନେବାକୁ ପଡ଼ିବ, ଯେପରିକି ନମ୍ବର ପାଇବା ସକାଶେ ପିଲା ପଢ଼ିବା ଓ ଲେଖିବା ଶିକ୍ଷା କରିବନାହିଁ, ମାତ୍ର ତା’ର ଅନ୍ତର୍ଜୀବନ ପାଇଁ ଏଗୁଡ଼ିକର ପ୍ରୟୋଜନ ରହିଛି ବୋଲି ସେ ପଢ଼ି ଶିଖିବ ଓ ଲେଖି ଶିଖିବ; କାରଣ ପଢ଼ି ଓ ଲେଖି ନଶିଖିଲେ ତାକୁ ବହୁ ଆନନ୍ଦରୁ ବଞ୍ଚିତ ରହିବାକୁ ପଡ଼ିବ ।

 

ଆନନ୍ଦ-ପାଠଶାଳାରେ ମଧ୍ୟ ମୋ’ ଛାତ୍ରମାନେ ଚତୁର୍ଦ୍ଦିଗର ପୃଥିବୀ ବିଷୟରେ ସେମାନଙ୍କର ଅନୁଭବ ଓ ଭାବନାଗୁଡ଼ିକୁ ଅଙ୍କନ ମାଧ୍ୟମରେ ପ୍ରକାଶ କରିଥିଲେ ଏବଂ ସେଗୁଡ଼ିକୁ ଗୋଟିଏ ଗୋଟିଏ ଶୀର୍ଷକ ମଧ୍ୟ ଦେଇଥିଲେ । ତାହା ସେମାନଙ୍କୁ ଭବିଷ୍ୟତରେ ପଢ଼ି ଶିଖିବା ଓ ଲେଖି ଶିଖିବା ଲାଗି ମଧ୍ୟ ପ୍ରସ୍ତୁତ କରି ଆଣିଥିଲା । ପ୍ରକୃତି ମଧ୍ୟକୁ ସେମାନେ ଯେଉଁ “ଭ୍ରମଣଗୁଡ଼ିକରେ” ଯାଉଥିଲେ, ସେଗୁଡ଼ିକୁ ଆମ ଶିକ୍ଷା ବ୍ୟବସ୍ଥାରେ କଦାପି ଏକ ଚରମ ଲକ୍ଷ୍ୟ ବୋଲି କୁହାଯିବ ନାହିଁ; ଶବ୍ଦର ମାଧ୍ୟମରେ ପିଲାର ବୌଦ୍ଧିକ ବିକାଶ ଲାଗି ଏହା ଏକ ସାଧନ ହୋଇ ରହିଥିଲା । ସେହି ବୌଦ୍ଧିକ ଶିକ୍ଷା ବ୍ୟତୀତ ପିଲାମାନେ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତି ହୁଏତ ଉଦାସୀନ ହୋଇ ରହି ଯାଇଥାନ୍ତେ, ଚତୁର୍ଦ୍ଦିଗର ଅସୁମାରି ବିଚିତ୍ର ଜୀବନ ବିଷୟରେ ମଧ୍ୟ ନିଷ୍ପୃହ ହୋଇ ରହିଥାନ୍ତେ । ପିଲା ଭାବି ଶିଖିବ, ବସ୍ତୁ ଓ ଘଟଣାଗୁଡ଼ିକର ପର୍ଯ୍ୟବେକ୍ଷଣ ଦ୍ୱାରା ସିଏ ସେଗୁଡ଼ିକର ପାରସ୍ପରିକ କ୍ରିୟା-ପ୍ରତିକ୍ରିୟାକୁ ମଧ୍ୟ ଜାଣିବ, ସେଥିରୁ ସିଏ ପ୍ରକୃତିରୁ ସାଧାରଣ ନିୟମ ଗୁଡ଼ିକ ବିଷୟରେ ନିଜକୁ ଅବଗତ କରାଇବା, –ଏହା ହିଁ ସର୍ବପ୍ରଧାନ ଲକ୍ଷ୍ୟ ଥିଲା ।

 

ଏହା ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ ଯେ, ଶିକ୍ଷକ ପିଲାମାନଙ୍କ ପଠନ ସାମଗ୍ରୀ ଗୁଡ଼ିକୁ ଯଥାର୍ଥ ଭାବରେ ନିର୍ବାଚନ କରିବ । ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ, ପଠନ ପାଇଁ ନିର୍ବାଚିତ ପୁସ୍ତକଗୁଡ଼ିକ ମଧ୍ୟରେ ପିଲା ଗ୍ରହଣ କରି ପାରିବାଭଳି ବହୁତ କଳାତ୍ମକ ମୂଲ୍ୟର ଅଭାବ ରହିଥାଏ-। ସ୍କୁଲ ବର୍ଷ ଆରମ୍ଭ ହେବାର ତିନିମାସ ପରେ ଆମେ ପିଲାଙ୍କ ପାଇଁ ଏପରି ଅନେକ ଆଗ୍ରହୋଦ୍ଦୀପକ କାହାଣୀ ଓ ପରୀଗଳ୍ପମାନ ପଢ଼ିବାକୁ ଆରମ୍ଭ କଲୁ, ଯାହାକି ସେମାନଙ୍କର କୌଣସି ପଠନପୁସ୍ତକରେ ଆଗରୁ ଅନ୍ତର୍ଭୂକ୍ତ ନଥିଲା, ପିଲାମାନଙ୍କ ଭିତରେ ମୁଁ ଇଉକ୍ରେନ୍ ଓ ରୁଷିଆର ବହୁ ଗଳ୍ପ ରହିଥିବା ଗୋଟିଏ ବହିକୁ ବାଣ୍ଟି ଦେଇଥିଲି । ସେଥିରୁ ଗୋଟିଏ ଗପ ସେମାନଙ୍କୁ ପଢ଼ି ଶୁଣାଇଲି । ଆଗ ଗପଟିକୁ କହିଦେଲି, ଛବି ଆଙ୍କି ଦେଖାଇ ବି ଦେଇଥିଲି, ତା’ପରେ ପିଲାମାନେ ବହି ଖୋଲିଥିଲେ । ଜଣ ଜଣ କରି ସେମାନେ ଗପଟିକୁ ପଢ଼ିଲେ । ଆମେ ସେଇଟିକୁ ବହୁବାର ପାଠ କଲୁ, ମାତ୍ର ପିଲାମାନେ ତଥାପି କ୍ଳାନ୍ତ ହୋଇ ପଡ଼ିଲେ ନାହିଁ । ଜଣେ ଗପଟିକୁ ପଢ଼ୁଥିବା ସମୟରେ ଅନ୍ୟ ପିଲାମାନେ କେଡ଼େ ମନୋଯୋଗ ଦେଇ ଶୁଣୁଥିଲେ; ମନେ ହେଉଥିଲା, ସତେ ଯେପରି ସେମାନେ ସମସ୍ତେ ସେହି ଗୋଟିଏ ଗୀତକୁ ଗାଉଛନ୍ତି । ପ୍ରତ୍ୟେକ ପିଲା ନିଜ ଢଙ୍ଗରେ ପଢ଼ୁଥିଲେ ଏବଂ ପ୍ରତ୍ୟେକର କ୍ଷେତ୍ରରେ ଶବ୍ଦଗୁଡ଼ିକ ଏକ ବିଶେଷ ବର୍ଣ୍ଣବ୍ୟଞ୍ଜନା ମଧ୍ୟ ଧାରଣ କରୁଥିଲା । ଏପରି ପଠନ ପ୍ରକୃତରେ ଏକ ସଂଗୀତ ପରି ହିଁ ଶୁଭେ, –ଶବ୍ଦଗୁଡ଼ିକ ଏକ ସଂଗୀତର ମୂର୍ଚ୍ଛନା ସୃଷ୍ଟି କରିବାରେ ଲାଗିଥାନ୍ତି ।

 

ଭାଷାର ସୌନ୍ଦର୍ଯ୍ୟକୁ ପିଲା ପୂର୍ଣ୍ଣ ଭାବରେ ଅନୁଭବ କରି ପାରୁଥିବ, ଏହା ବିଶେଷ ଭାବରେ ମହତ୍ତ୍ୱପୂର୍ଣ୍ଣ । ଉଦାହରଣ ସ୍ୱରୂପ, ଗୋଟିଏ ପିଲା, “କୁନି ଷଣ୍ଢଟି ଗହଳି ଜଙ୍ଗଲ ଭିତରେ ଯାଇ ପ୍ରବେଶ କଲା ଓ ସେଠାରେ ଗୋଟିଏ ହେଟାବାଘ ସହିତ ତା’ର ଭେଟ ହେଲା”, –ଏହି ବାକ୍ୟଟିକୁ ପାଠ କରିବା ମାତ୍ରକେ ପିଲାର ମନ ଭିତରେ “ଗହନ ଜଙ୍ଗଲ”ର କେତେ କେତେ ଅବିସ୍ମରଣୀୟ ଛବି ଆବିର୍ଭୂତ ହେବାକୁ ଆରମ୍ଭ କରିବ: ଜଙ୍ଗଲ ଭିତରେ ସନ୍ଧ୍ୟା ସମୟରେ ଝାପ୍‍ସା ଆଲୁଅ ପଡ଼ିଥିବ, ରାତି ବେଳେ କେତେ ରହସ୍ୟପୂର୍ଣ୍ଣ ଶବ୍ଦ ଶୁଣାଯାଉଥିବ ଏବଂ ଏକ ଝଡ଼ ଆସୁଥିବାର ସୂଚନା ଦେଇ ପତ୍ରମାନେ ଖସ୍ ଖସ୍ ଶବ୍ଦ କରିବାରେ ଲାଗିଥିବେ । “ଗହନ ଜଙ୍ଗଲ” ବୋଲି ଶୁଣିବା ମାତ୍ରକେ ପିଲାର ନିଜ ଭିତରୁ ଏହିସବୁ ଦୃଶ୍ୟମାନ ସାକାର ହୋଇ ଆସୁଥିବ । ଏଭଳି ନହେଉଥିଲେ, କିପରି ପଢ଼ିବା ଉଚିତ, ଶବ୍ଦଗୁଡ଼ିକୁ କିପରି ଉଚ୍ଚରାଣ କରିବା ଉଚିତ, କେଉଁ ଉଚ୍ଚାରଣରେ କିପରି ଜୋର୍ ଦିଆଯିବା ଉଚିତ, –ଏସବୁକୁ ଯେତେ ବୁଝାଇ କହିଲେ ମଧ୍ୟ ହୁଏତ ପିଲା ତଥାପି ଯଥାର୍ଥ ପଠନର ଧାରାଟିକୁ ଆଦୌ ଶିକ୍ଷା କରିପାରିବ ନାହିଁ ।

 

ବିଦ୍ୟାଳୟରେ କାର୍ଯ୍ୟ କରିବାର ପ୍ରଥମ ଦିନରୁ ହିଁ ମୁଁ ଏହି ଲକ୍ଷ୍ୟ ରଖିଥିଲି ଯେ, ପିଲାମାନଙ୍କ ହାତରେ ଯେପରି ଗୋଟିଏ ଖରାପ ବହି ମଧ୍ୟ ଆସି ପଡ଼ିବ ନାହିଁ । ଏହା ପ୍ରକୃତରେ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥା : ଜଣେ ବ୍ୟକ୍ତି ତା’ ସମଗ୍ର ଜୀବନ କାଳରେ ହୁଏତ ପ୍ରାୟ ଦୁଇ ହଜାରରୁ ଅଧିକ ବହି ପଢ଼ିପାରିବ ଏବଂ ସେହି କାରଣରୁ ଏହି କଥାଟି ଅବଶ୍ୟ ଦେଖିବା ଉଚିତ ହେବ ଯେ, ଶୈଶବ ଓ କିଶୋର ଅବସ୍ଥା ବେଳେ ପଠନସାମଗ୍ରୀର ନିର୍ବାଚନ ଅତ୍ୟନ୍ତ ଯତ୍ନଶୀଳ ଭାବରେ ହୋଇଥିବା ଉଚିତ । ପିଲା ହୁଏତ ଅଳପ ପଢ଼ୁ ପଛକେ, ମାତ୍ର ସେ ଯେଉଁଟିକୁ ପଢ଼ିଥିବ, ସେଇଟି ତା’ର ହୃଦୟ ଏବଂ ମାନସ ଉପରେ ପ୍ରକୃତରେ ଏକ ଗଭୀର ପ୍ରଭାବ ଅବଶ୍ୟ ପକାଉ । ପିଲାଟି ବାର ବାର ସେହି ବହିଟି ପାଖକୁ ଫେରିଆସୁ ଓ ତା’ଭିତରୁ ପ୍ରତ୍ୟେକ ଥର ନୂଆ ନୂଆ ମୂଲ୍ୟର ଆବିଷ୍କାର କରିପାରୁ !

 

ପ୍ରଥମ ଶ୍ରେଣୀରୁ ହିଁ ଆମର ଲାଇବ୍ରେରୀଟିଏ ତିଆରି ହୋଇ ଯାଇଥିଲା । ସେଥିରେ ଚାରୋଟି ବିଭାଗ ଥିଲା : (୧) ଏପରି କାହାଣୀ ସବୁ ରହିଥିବା ବହି, ଯାହାକି ମୋ’ ମତରେ ପିଲାମାନଙ୍କର ନୈତିକ, ବୌଦ୍ଧିକ ଏବଂ ସୌନ୍ଦର୍ଯ୍ୟବୋଧଗତ ଶିକ୍ଷାପାଇଁ ଅତ୍ୟନ୍ତ ଉପଯୁକ୍ତ ହୋଇଥିବ । (ଆମେ ଏପରି ପ୍ରତ୍ୟେକ ବହିରୁ ପନ୍ଦର କପି କିଣିଥିଲୁ, ଯେପରିକି ପଠନଶିକ୍ଷା ସମୟରେ ପ୍ରତି ଦୁଇଜଣ ପିଲାଙ୍କ ହାତରେ ଗୋଟିଏ ବହି ରହିପାରିବ ।) ପ୍ରାଥମିକ ବିଦ୍ୟାଳୟର ଚାରୋଟିଯାକ ବର୍ଷ ପାଇଁ ଏହି ବିଭାଗଟି ଉଦ୍ଦିଷ୍ଟ ହୋଇ ରହିଥିଲା । ପିଲାମାନେ ବୁଝିପାରିବା ଭଳି ଏଥିରେ ଗଭୀର ଭାବନାମାନ ରହିଥିଲା, -ତାହାକୁ ପଢ଼ି ପିଲାମାନେ ନିଜର କଳ୍ପନାରେ କଳାତ୍ମକ ପ୍ରତିରୂପମାନ ରଚନା କରି ପାରୁଥିଲେ । ଏହି ବିଭାଗରେ ଟଲ୍‍ଷ୍ଟୟ, ଆନର୍‍ସନ୍, ଗ୍ରିମ୍ ଭ୍ରାତାଦ୍ୱୟ, ପୁଷ୍ଟିନ୍, କୋଲୋରେଙ୍କୋ, ତୁର୍ଗେନିଭ୍, ଚେକଫ୍ ଓ ଗର୍କି ପ୍ରଭୃତି ଅନେକ ଲେଖକଙ୍କର କାହାଣୀମାନ ରହିଥିଲା । ଏହି କାହାଣୀଗୁଡ଼ିକୁ ଆମେ ଶ୍ରେଣୀ ଭିତରେ ପଢ଼ୁଥିଲୁ, ଶ୍ରେଣୀରେ ବାହାରେ ମଧ୍ୟ ପଢ଼ୁଥିଲୁ । ଏହି ବିଭାଗଟିକୁ ଏକାଠି ବସି ଶୁଣିବା ନିମନ୍ତେ ରେକର୍ଡ଼ କରି ରଖା ଯାଇଥିବା କେତେକ ସଂଗୀତ ସହିତ ତୁଳନା କରାଯାଇ ପାରିବ ।

 

ଦ୍ୱିତୀୟ ବିଭାଗରେ ସମସାମୟିକ ରୁଷୀୟ ଓ ଇଉକ୍ରେନୀୟ ଲେଖକମାନଙ୍କର ଗଳ୍ପଗୁଡ଼ିକୁ ରଖା ଯାଇଥିଲା । ସେଗୁଡ଼ିକରେ ସୋଭିଏତ୍ ରାଷ୍ଟ୍ରର ଅଧିବାସୀମାନଙ୍କ କଥା ଥିଲା । ଜନ୍ମଭୂମିର ରକ୍ଷା ପାଇଁ ସେମାନେ ବୀରତ୍ୱର ସହିତ ଯେଉଁସବୁ ସଂଗ୍ରାମ କରିଥିଲେ, ସେହିଗୁଡ଼ିକୁ ବର୍ଣ୍ଣନା କରାଯାଇଥିଲା ଏବଂ ତୃତୀୟ ବିଭାଗଟିରେ ପରୀଗପ ରହିଥିଲା, କବିତା ଓ କାଳ୍ପନିକ କାହାଣୀମାନ ଥିଲା, ଏଗୁଡ଼ିକ ସ୍କୁଲ ବାହାରର ପଠନ ପାଇଁ ରଖା ଯାଇଥିଲା । ଯୋଉ ପିଲାକୁ ଯେଉଁଟି ଭଲ ଲାଗୁଥିଲା, ସିଏ ସେଇଟିକୁ ନେଇ ଯାଉଥିଲା । ଶ୍ରେଣୀ ପାଠାଗାରର ଚତୁର୍ଥ ବିଭାଗରେ ଗ୍ରୀସଦେଶର ପୁରାଣକଥା ରହିଥିଲା । ଖୁବ୍ କଷ୍ଟରେ ଆମେ ଏହି ବିଭାଗର ବହିଗୁଡ଼ିକୁ ଯୋଗାଡ଼ କରି ପାରିଥିଲୁ । ପିଲାମାନେ ବୁଝି ପାରୁଥିବା ଏକ ଭାଷାରେ ସେଗୁଡ଼ିକ ଲେଖା ହୋଇଥିବା ଏକାନ୍ତ ଆବଶ୍ୟକ ଥିଲା । ପ୍ରାଚୀନ ପୁରାଣକଥାମାନ ପିଲାମାନଙ୍କର ବୌଦ୍ଧିକ ଅଭିବୃଦ୍ଧିରେ ଅତୀବ ସାହାଯ୍ୟ କରିଥାନ୍ତି । ସେଗୁଡ଼ିକ ପିଲାମାନଙ୍କୁ କେବଳ ଅତୀତର କେତୋଟି କାହାଣୀ ଆଣି କହିଦିଅନ୍ତି, ସେକଥା ଆଦୌ ନୁହେଁ, ପିଲାମାନଙ୍କର କଳ୍ପନାକୁ ମଧ୍ୟ ଜାଗୃତ କରନ୍ତି, ମାନସିକ ବିକାଶ ଘଟାନ୍ତି ଏବଂ ସୁଦୂର ଅତୀତ ବିଷୟରେ ଆଗ୍ରହର ଉଦ୍ରେକ କରାଇଥାନ୍ତି ।

 

ପ୍ରଥମ ବର୍ଷର ମଝିରୁ ହିଁ ଆମର ସାମୂହିକ ପଠନର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା । ମୁଁ ପ୍ରତ୍ୟେକ ପିଲାଙ୍କୁ ଆଗେ ପଢ଼ିବାକୁ ଥିବା ବହିରୁ ଖଣ୍ଡେ ଲେଖାଏଁ ଦେଇଥିଲି, ଯେପରିକି ଘରେ ମଧ୍ୟ ସେମାନେ ତାହାକୁ ପଢ଼ିପାରିବେ । ଆମେ କେତେକ ନୂଆ ବହି ମଧ୍ୟ ପଢ଼ିଲୁ । ଗୋଟିଏ ପିଲା ଯେତେବେଳେ ନିଜେ ମୁଗ୍ଧ ହୋଇଥିବା କୌଣସି ସାମଗ୍ରୀକୁ ତା’ସାଙ୍ଗମାନଙ୍କୁ ମଧ୍ୟ ପଢ଼ି ଶୁଣାଇବାକୁ ଇଚ୍ଛା କରିବ, ଶବ୍ଦର ମାଧ୍ୟମରେ ନିଜର ଅନୁଭବ ଏବଂ ଭାବନାଗୁଡ଼ିକୁ ପ୍ରକାଶ କରିବ, ବହିମାନେ ପ୍ରକୃତରେ ତା’ ଅନ୍ତର୍ଗତ ଜୀବନର ଏକ ଅଂଶରେ ପରିଣତ ହୋଇ ଯାଇଛନ୍ତି ବୋଲି ସେତେବେଳେ ଯାଇ କୁହାଯିବ । ଲାଇବ୍ରେରୀର ପ୍ରଥମ ବିଭାଗଟିରୁ ପ୍ରତ୍ୟେକ ବହିକୁ ଆମେ ଦଶରୁ ଅଧିକ ଥର ପାଇଁ ପାଠ କରିଥିଲୁ ଏବଂ ତଥାପି ପିଲାମାନଙ୍କୁ ତାହା ଖରାପ ଲାଗିନଥିଲା । ଦୁଇ ତିନି ସପ୍ତାହ ପୂର୍ବରୁ ପଢ଼ା ହୋଇଥିବା ବହିଗୁଡ଼ିକୁ ମଧ୍ୟ ପିଲାମାନେ ଭୁଲି ଯାଉନଥିଲେ ଓ ତାହାକୁ ପୁନର୍ବାର ପଢ଼ିବାକୁ ଚାହୁଥିଲେ, -ଅନେକ ସମୟରେ ଖାସ୍ ସେହି ସକାଶେ ହିଁ ସ୍କୁଲକୁ ଆସୁଥିଲେ । ତିନି ଚାରି ମାସ ପରେ ମଧ୍ୟ ସେମାନେ ସେମାନଙ୍କର ଏକ ପ୍ରିୟ ପୁସ୍ତକକୁ ଆଉଥରେ ପାଠ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ଏବଂ, ତାହା ସମ୍ମିଳିତ ପଠନରେ ପୁନର୍ବାର ସ୍ଥାନ ପାଉଥିଲା ।

 

ଆମର ପ୍ରିୟ କାହାଣୀଗୁଡ଼ିକ ପାଇଁ ମଧ୍ୟ ଆମେ କିଛି କ୍ଲାସ୍ ସମୟ ଅଲଗା ରଖିଥିଲୁ । କବିତାପାଠ ବି ଆମ କାର୍ଯ୍ୟକ୍ରମରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲା । ମୁଁ ସେମାନଙ୍କୁ ବିଭିନ୍ନ କବିଙ୍କର କବିତାଗୁଡ଼ିକୁ ଆବୃତ୍ତି କରି ଶୁଣାଉଥିଲି । ପିଲାଏ ନିଜର ପ୍ରିୟ କବିତାଗୁଡ଼ିକୁ କଣ୍ଠସ୍ଥ ବି କରି ରଖୁଥିଲେ । ଚାରିବର୍ଷରେ ବହୁତ କବିତା ମନେ ରଖି ପାରିଲେ । ଅବଶ୍ୟ ଏକଥା ସତ ଯେ, କାବ୍ୟିକ ଭାଷାର ଚମତ୍କାର ଧ୍ୱନିଗୁଡ଼ିକ ସେମାନଙ୍କୁ ଭଲ ଲାଗିଲେ ଯାଇ ସେମାନେ ତାହା କରୁଥିଲେ । ଆମେ ବେଳେ ବେଳେ ନାଟକ ପଠନ ବି ଆରମ୍ଭ କଲୁ । ଯାହାକୁ ଯେଉଁ ବିଷୟଟି ଭଲ ଲାଗିଥିଲା, ସେହି କାହାଣୀ ବା କବିତାଟିକୁ ସିଏ ଏଥିରେ ପାଠ ବା ଆବୃତ୍ତି କରୁଥିଲା । ଅନ୍ୟ ଶ୍ରେଣୀର ପିଲାମାନେ ମଧ୍ୟ ଯୋଗ ଦେବାକୁ ଆସୁଥିଲେ ଏବଂ କ୍ରମେ ସେହି କାର୍ଯ୍ୟକ୍ରମଟି ସମଗ୍ର ବିଦ୍ୟାଳୟରେ ଚାଲୁ ହୋଇଗଲା । ବର୍ଷ-ଆରମ୍ଭ ଓ ବର୍ଷ-ଶେଷରେ ଆମେ ମାତୃଭାଷା-ଉତ୍ସବ ପାଳନ କରୁଥିଲୁ । ପିଲାମାନେ ଏହି ଉତ୍ସବକୁ ଗ୍ରାମର ବଡ଼ମାନଙ୍କୁ ନିମନ୍ତ୍ରିତ କରି ଆଣୁଥିଲେ ଏବଂ କାହାର ପାଠ ଓ ଆବୃତ୍ତି ସବୁଠାରୁ ଭଲ ହେଲା, ସେକଥା ସେହି ବଡ଼ମାନେ ବିଚାର କରି କହି ଦେଉଥିଲେ । ଏହି ଅଦ୍ଭୂତପୂର୍ବ ପ୍ରତିଯୋଗିତାର ବିଜୟୀମାନଙ୍କୁ ବହି ପୁରସ୍କାର ଦିଆଯାଉଥିଲା । ବଡ଼ମାନେ ସ୍ୱୟଂ କବିତା ଆବୃତ୍ତି କରୁଥିଲେ ଓ କାହାଣୀ କହୁଥିଲେ । ବେଳେ ବେଳେ ଜଣେ ବଡ଼ ଏବଂ ଜଣେ ପିଲା ହୁଏତ ସେହି ଗୋଟିଏ କବିତାର ହିଁ ଆବତ୍ତି କରୁଥିଲେ । ଚତୁର୍ଥ ବର୍ଷର ବସନ୍ତ-ଉତ୍ସବ ଦୁଇଦିନ ଧରି ଚାଲିଥିଲା, କାରଣ ବହୁସଂଖ୍ୟକ ବ୍ୟକ୍ତି କାହାଣୀ, କବିତା ବା ପରୀଗପ ପଢ଼ି ଶୁଣାଇବାକୁ ବା ଆବୃତ୍ତି କରିବାକୁ ଇଚ୍ଛା କରୁଥିଲେ ।

 

ଆମ ଉତ୍ତମ ପଢ଼ାଳିମାନେ ନିଜ ଘରେ ମଧ୍ୟ ବାପାମାଆ ମାନଙ୍କୁ ପୁସ୍ତକ ପାଠ କରି ଶୁଣାଇଲେ, ଏବଂ ପିଲାମାନେ କିପରି ପଢ଼ି ପାରିଲେଣି, ତାହା ଦେଖିବାକୁ ବଡ଼ମାନେ ମଧ୍ୟ ସ୍କୁଲକୁ ଆସୁଥିଲେ । କେତେ ପଠନଗୋଷ୍ଠୀ ମଧ୍ୟ ଆରମ୍ଭ ହୋଇଗଲା, ସେଥିରେ ବଡ଼ମାନେ ଓ ଅତ୍ୟନ୍ତ ସମ୍ମାନିତ ବ୍ୟକ୍ତିମାନେ ମଧ୍ୟ ଅଂଶଗ୍ରହଣ କରୁଥିଲେ । ଏହିସବୁ ଗୋଷ୍ଠୀର ଆୟୋଜନ କରିବା ଦ୍ୱାରା ବହିପ୍ରତି ଓ ପଠନ ପ୍ରତି ଆମ ପିଲାମାନଙ୍କର ଆଗ୍ରହ ବୃଦ୍ଧି ପାଇବାରେ ବି ଲାଗିଲା । ଗୋଟିଏ ପାରମ୍ପରିକ ଉତ୍ସବରେ ସମଗ୍ର ସ୍କୁଲ ଅଂଶଗ୍ରହଣ କଲା । ନୂଆ ବର୍ଷ ଆରମ୍ଭ ହେବାର ପୂର୍ବଦିନ, ଅର୍ଥାତ୍, ଅଗଷ୍ଟ ୩୧ରେ ପିଲା ଓ ବାପାମାଆ ଉଭୟେ ବିଦ୍ୟାଳୟକୁ ଆସୁଥିଲେ । ସେଦିନ ପ୍ରତ୍ୟେକେ ବହି ପୁରସ୍କାର ଦେଉଥିଲେ :–ପିଲାମାନେ ପରସ୍ପରକୁ, ବାପାମାଆମାନେ ପିଲାମାନଙ୍କୁ ପୁରସ୍କାର ଦେଉଥିଲେ । କୋଠଚାଷର ଶାସନ କର୍ତ୍ତୃପକ୍ଷ ମଧ୍ୟ ସେଦିନ ପଠନଗୋଷ୍ଠୀର ସର୍ବୋତ୍ତମ ନେତାମାନଙ୍କୁ ପୁରସ୍କାର ଦେବ ବୋଲି ନିୟମ ହୋଇ ଯାଇଥିଲା । ଏହି ପଠନ ଯେପରି ଏକ ସ୍ୱତଃପ୍ରେରିତ ପ୍ରୟୋଜନରେ ପରିଣତ ହୋଇଯିବ, ମୁଁ ସେଥିଲାଗି ପ୍ରତ୍ୟେକ ପିଲାକୁ ତା’ର ଏକ ବ୍ୟକ୍ତିଗତ ପାଠାଗାର ଆରମ୍ଭ କରିବା ପାଇଁ ଉତ୍ସାହ ଦେଇଥିଲି । ଅଧ୍ୟୟନର ପ୍ରଥମ ଦୁଇବର୍ଷ ମଧ୍ୟରେ ଯେପରି ପ୍ରତ୍ୟେକ ପରିବାରରେ ଗୋଟିଏ ପାଠାଗାର ତିଆରି ହୋଇଯିବ, ମୁଁ ସେଥିଲାଗି ଉଦ୍ୟମ କରିଥିଲି । ଗୋଟିଏ ଗୋଟିଏ ପରିବାରରେ ପାଞ୍ଚଶହରୁ ଅଧିକ ବହି ବି ଥିଲା; ଅନ୍ୟ ପରିବାର ମାନଙ୍କରେ ତା’ଠାରୁ କମ୍ ବହି ଥିଲା ସତ, ମାତ୍ର ପ୍ରତି ମାସରେ ସେଥିରେ ନୂଆ ନୂଆ ବହି ଆସି ମିଶୁଥିଲା । ଯଦି କୌଣସି ପରିବାରକୁ ଗୋଟିଏ ମାସରେ କୌଣସି ନୂଆ ବହି ନଆସୁଥିଲା, ତେବେ ମୁଁ ତାହାକୁ ଏକ ସଙ୍କଟ ବୋଲି ବିଚାର କରୁଥିଲି ।

 

ଆତ୍ମଶିକ୍ଷଣ ଓ ବ୍ୟକ୍ତିଗତ ବୌଦ୍ଧିକ ଜୀବନର ଯାବତୀୟ ପ୍ରକ୍ରିୟା ଏହି ପୁସ୍ତକରୁ ହିଁ ଆରମ୍ଭ ହୋଇଥାଏ । ଶିକ୍ଷାଦାନର ପ୍ରକ୍ରିୟାରେ ଏପରି ଗୋଟିଏ ମୁହୂର୍ତ୍ତ ଆସି ପହଞ୍ଚେ, ଯେତେବେଳେ କି, ଏପର୍ଯ୍ୟନ୍ତ ପିଲାର ହାତକୁ ନିଜ ହାତରେ ଧରି ବାଟ ଚାଲି ଆସିଥିବା ଜଣେ ଶିକ୍ଷକ ପିଲାକୁ ନିଜ ଧାରାରେ ଚାଲିବା ପାଇଁ ଛାଡ଼ିଦିଏ ଏବଂ, ‘ତୁ ଏଣିକି ନିଜେ ଯିବୁ, ନିଜେ ଚାଲିବୁ ଓ ବଞ୍ଚି ଶିଖିବୁ’ ବୋଲି ତାକୁ କହିପାରେ । ଏହିପରି ଏକ ପଦକ୍ଷେପ ଗ୍ରହଣ କରିବା ସକାଶେ ଏକ ବୃହତ୍ ଶିକ୍ଷାଗତ ପ୍ରଜ୍ଞାର ଆବଶ୍ୟକତା ରହିଛି । ଆଉ ଜଣେ ବ୍ୟକ୍ତିକୁ ବୌଦ୍ଧିକ ଓ ନୈତିକ ଭାବରେ ଏକ ସ୍ୱାଧୀନ ଜୀବନ ନିମନ୍ତେ ପ୍ରସ୍ତୁତ କରିବାକୁ ହେଲେ ତାକୁ ଆଣି ପୁସ୍ତକର ଜଗତ ମଧ୍ୟରେ ପ୍ରବିଷ୍ଟ କରାଇ ଦେବାକୁ ହୋଇଥାଏ । ପୁସ୍ତକମାନେ ହିଁ ପ୍ରତ୍ୟେକ ପିଲା ଲାଗି ସଙ୍ଗୀ ହୁଅନ୍ତି, ଶିକ୍ଷକ ହୁଅନ୍ତି, ଉପଯୁକ୍ତ ମାର୍ଗଦର୍ଶକ ହୋଇ ରହନ୍ତି । ପଠନ, ମନନ ଓ ଚିନ୍ତନ ପାଇଁ ପ୍ରତ୍ୟେକ ପିଲା ପାଖରେ ଯେପରି ଆବଶ୍ୟକ ନୀରବ ବାତାବରଣ ରହିବ, ମୁଁ ତାହାକୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗତ କାର୍ଯ୍ୟ ରୂପେ ଗ୍ରହଣ କରିଥିଲି । ନିର୍ଜନତା କହିଲେ କଦାପି ଏକୁଟିଆ ହୋଇ ରହିବାକୁ ବୁଝାଏ ନାହିଁ । ପୁସ୍ତକମାନେ ଗୋଟିଏ ପିଲାର ଏକ ଆତ୍ମିକ ଆବଶ୍ୟକତାରେ ପରିଣତ ହୋଇ ପାରିଲେ ଯାଇ ସେହି ନିର୍ଜନତା ସମ୍ଭବ ହେବ । ପିଲାମାନଙ୍କୁ କିପରି ବହିସବୁ ଭଲ ଲାଗୁଥିଲା ଓ ବହିଗୁଡ଼ିକରୁ ସେମାନେ କିଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଆଶା କରୁଥିଲେ, ମୁଁ ତାହା ଜାଣିବାକୁ ପ୍ରୟାସ କଲି । ପ୍ରତ୍ୟେକ ପିଲାକୁ ଏହି ବିଷୟରେ ମୁଁ ଯେପରି ଯଥାର୍ଥ ପରାମର୍ଶ ଦେଇପାରିବି ଓ ପିଲାଟିକୁ ସିଏ ଚାହୁଥିବା ପ୍ରକୃତ ବହିଟିକୁ ଆଣି ଦେଇପାରିବି, ଏହା ହିଁ ତାହାର ଉଦ୍ଦେଶ୍ୟ ଥିଲା ।

 

ଚାରୋଟି କଥା ଏକତ୍ର ହୋଇପାରିଲେ ଯାଇ ଏକ ବିଦ୍ୟାଳୟ ସଂସ୍କୃତିର ଏକ ଯଥାର୍ଥ ଉତ୍ସରେ ପରିଣତ ହୋଇପାରିବ: ପିଲା ନିଜ ଦେଶକୁ ଭଲ ପାଉଥିବ, ଅନ୍ୟ ମନୁଷ୍ୟମାନଙ୍କୁ ସମ୍ମାନର ଦୃଷ୍ଟିରେ ଦେଖୁଥିବ, ତାକୁ ବହିମାନେ ଭଲ ଲାଗୁଥିବେ ଏବଂ ସିଏ ମାତୃଭାଷାକୁ ମଧ୍ୟ ଭଲ ପାଉଥିବ ।

 

କିଶୋରମାନଙ୍କ ସହିତ ଜଣେ ଶିକ୍ଷକ ରୂପେ କାର୍ଯ୍ୟ କରିବାର କଠିନ ସମସ୍ୟାଗୁଡ଼ିକ ବିଷୟରେ ମୁଁ ଏହି ପିଲାମାନଙ୍କୁ ନେଇ କାମ ଆରମ୍ଭ କରିବା ପୂର୍ବରୁ ହିଁ ବହୁତ କିଛି ପାଠ କରିଥିଲି-। ମୋତେ ସମସ୍ତେ କହୁଥିଲେ, “ସାନ ପିଲାଙ୍କ ସହିତ କାମ କରିବା ସବୁଠାରୁ ସହଜ କଥା; ମାତ୍ର ସେହି ପିଲାଟି ଯେତେବେଳେ ବଡ଼ ହୋଇ କିଶୋର ବୟସକୁ ଆସିଯାଏ, ସେତେବେଳେ ସେ ଏପରି ବଦଳିଯାଏ ଯେ ତାକୁ ଆଉ ଜମା ଚିହ୍ନି ହୁଏ ନାହିଁ । ସିଏ ଆଉ ଆଗ ପରି କୋମଳ ନଥାଏ, ତା’ର ଗ୍ରହଣଶୀଳତା ଓ ନମ୍ରତା ତାକୁ ଛାଡ଼ି ଚାଲି ଯାଇଥାନ୍ତି । ସିଏ ନିର୍ମମ ହେବାକୁ ଲାଗେ, ଉଦାସୀନ ହୋଇଯାଏ ।” ଏହି କଥା ସବୁ ଯେ ଆଦୌ ଠିକ୍ ନୁହେଁ, ମୋ’ର ସେହି ବିଶ୍ୱାସ ହୋଇ ଯାଇଥିଲା । ଯଦି ‘ଭଲ’ ବୋଲି ପଦାର୍ଥଟିକୁ ଶିକ୍ଷକ ସୃଷ୍ଟି କରିନଥିବେ, ପିଲାଟି ତା’ର ସ୍ୱଭାବତଃ ଭଲ ବୋଲି ଯଦି ସିଏ ଭାବି ନେଇଥିବେ, ତେବେ ଯାଇ ସେହି ‘ଭଲ’ଟି ଅନ୍ତର୍ହିତ ହୋଇଯିବାର କୌଣସି ଅବକାଶ ରହିଥିବ । ପିଲାଟି ଯଦି ପିଲା ଦିନରୁ ହିଁ ପୁସ୍ତକକୁ ଭଲ ପାଇବାର ଶିକ୍ଷା ପାଇନଥାଏ, ପୁସ୍ତକପଠନର କାର୍ଯ୍ୟଟିକୁ ସିଏ ତା’ର ଜୀବନବ୍ୟାପି ଅବଶ୍ୟ କରିବ ବୋଲି ଦୃଷ୍ଟି ରଖି ଯଦି ତାକୁ ପଠନ ମଧ୍ୟକୁ ଅଣାଯାଇନଥାଏ, ତେବେ କିଶୋର ବୟସର ବର୍ଷଗୁଡ଼ିକ ପ୍ରକୃତରେ ଶୂନ୍ୟଗର୍ଭ ହିଁ ହୋଇଯିବ, –ମନ୍ଦଟା ହିଁ ସତେ ଅବା କୁଆଡ଼ୁ ଆସି ଅବଶ୍ୟ ପହଞ୍ଚିଯିବ ।

Image

 

ମାତୃଭାଷା

 

ଇୟୁକ୍ରାନିଆନ୍ ଭାଷା ହେଉଛି ଇଉକ୍ରେନ୍‌ବାସୀଙ୍କର ମାତୃଭାଷା । ଏବଂ, ବର୍ତ୍ତମାନ ୩୬ ନିୟୁତରୁ ଅଧିକ ଲୋକ ଏହି ଭାଷାରେ କଥା କହୁଛନ୍ତି । ମାତ୍ର, ଆମ ଜାତିର ଇତିହାସ ଏପରି ଏକ ଧାରାରେ ବିକଶିତ ହୋଇ ଆସିଛି ଯେ, ରୁଷ୍ ଭାଷା ସହିତ ଏହି ଭାଷାର ଅତି ନିକଟ ସାମଞ୍ଜସ୍ୟ ରହିଛି । ହଜାର ହଜାର ଏପରି ଶବ୍ଦ ରହିଛି, ଯାହାକି ଦୁଇଟିଯାକ ଭାଷାରେ ଏକାଭଳି ଶୁଣାଯାଏ, ଅଥଚ ସେଗୁଡ଼ିକର ଅଲଗା ଅଲଗା ଅର୍ଥ ରହିଥାଏ । ଗୋଟିଏ ଗୋଟିଏ କ୍ଷେତ୍ରରେ ସେଗୁଡ଼ିକ ଅଲଗା ଅଲଗା ଭାବ ମଧ୍ୟ ପ୍ରକାଶ କରନ୍ତି । ଉଦାହରଣ ସ୍ୱରୂପ, ଗୋଟିଏ ଶବ୍ଦ ହୁଏତ ଏ ଭାଷାରେ କରୁଣ ଭାବ ବ୍ୟକ୍ତ କରେ ତ ଅନ୍ୟ ଭାଷାରେ ବ୍ୟଙ୍ଗର ସୂଚନା ଦେଇଥାଏ ।

 

ଭାଷା ହେଉଛି ଗୋଟିଏ ଜାତିର ସମ୍ପଦସମୂହର ଏକ ଅଂଶ । “ମୁଁ ଯେତୋଟି ଭାଷା ଜାଣିଛି, ମୋ’ର ଜାତି ମଧ୍ୟ ସେତିକି ସଂଖ୍ୟାର” ବୋଲି ପ୍ରବାଦଟିଏ ମଧ୍ୟ ରହିଛି । ମାତ୍ର, ନିଜର ମାତୃଭାଷା ଉପରେ ଯେଉଁ ବ୍ୟକ୍ତିର ଦଖଲ ନଆସିଛି, ତା’ ପାଇଁ ଅନ୍ୟ ଜାତିମାନଙ୍କର ଭାଷା ସର୍ବଦା ଅପହଞ୍ଚ ହୋଇ ରହିବାକୁ ବାଧ୍ୟ ହେବ । ନିଜ ଭାଷାର ସୌନ୍ଦର୍ଯ୍ୟକୁ ଅନୁଭବ ନକଲେ, ଅନ୍ୟ ଭାଷାଗୁଡ଼ିକରେ ରହିଥିବା ସୌନ୍ଦର୍ଯ୍ୟକୁ ଆଦୌ ଅନୁଭବ କରିହେବ ନାହିଁ । ନିଜ ଭାଷାରେ ସୂକ୍ଷ୍ମ ବ୍ୟଞ୍ଜନାଗୁଡ଼ିକ ମଧ୍ୟରେ ଯେତିକି ଅଧିକ ଗଭୀର ଭାବରେ ପ୍ରବେଶ ଘଟୁଥିବ, ସେଗୁଡ଼ିକ ପ୍ରତି ଜଣେ ବ୍ୟକ୍ତି ଯେତେ ଅଧିକ ଗ୍ରହଣଶୀଳ ହୋଇ ପାରିଥିବ, ଅନ୍ୟମାନଙ୍କର ଭାଷାରେ ଦଖଲ ଅର୍ଜନ କରିବା ଲାଗି ତା’ର ମାନସଭୂମି ସେତିକି ଅଧିକ ସମର୍ଥ ହୋଇପାରିବ ।

 

ନିଜ ମାତୃଭାଷାର ଐଶ୍ୱର୍ଯ୍ୟଟି ପିଲାମାନଙ୍କ ଲାଗି ସ୍କୁଲ ଜୀବନର ପ୍ରଥମ ଚରଣରୁ ହିଁ ଯେପରି ଉନ୍ମୁକ୍ତ ହୋଇ ରହିବ, ମୁଁ ସେଥିଲାଗି ନିଶ୍ଚିତ ହେବାକୁ ଚେଷ୍ଟା କରିଥିଲି । ପ୍ରକୃତି ମଧ୍ୟକୁ “ଭ୍ରମଣ” କରି ଯାଉଥିବା ସମୟରେ ମୋ’ ଛାତ୍ରମାନେ ଇଉକ୍ରେନୀୟ ଓ ରୁଷୀୟ ଉଭୟ ଭାଷାର ଭାବଗତ ଏବଂ ଶାବ୍ଦିକ ବ୍ୟଞ୍ଜନାଗୁଡ଼ିକୁ ଜାଣିବା ଲାଗି ସମର୍ଥ ହେଉଥିଲେ । ସେମାନେ ଯେପରି ଭାଷାଟିର ସୌନ୍ଦର୍ଯ୍ୟକୁ ଅନୁଭବ କରିପାରିବେ, ଶବ୍ଦଗୁଡ଼ିକ ପ୍ରତି ସଯତ୍ନ ଦୃଷ୍ଟିକୋଣ ରଖିପାରିବେ ଏବଂ ସେଗୁଡ଼ିକର ଶୁଦ୍ଧତା ବିଷୟରେ ସଚେତନ ରହିବେ, ସେଥିଲାଗି ମୁଁ ପ୍ରଭୂତ ଉଦ୍ୟମ କରିଥିଲି-

 

ଜଣେ ବକ୍ତିର ବୁଦ୍ଧିଗତ ବିକାଶ କେତେ ହୋଇଛି, ନିଜର ଭାବଗୁଡ଼ିକୁ କଥାରେ ପ୍ରକାଶ କରିବା ଲାଗି ସେ ଅର୍ଜନ କରିଥିବା ଶକ୍ତି ତାହାର ଦର୍ପଣ ପରି କାର୍ଯ୍ୟ କରିଥାଏ । ପିଲାର ଅନୁଭବ ଓ ଭାବନାଗୁଡ଼ିକୁ ବିକଶିତ କରି ଆଣିବାରେ ମାତୃଭାଷାର ସର୍ବଦା ଏକ ଶକ୍ତିଶାଳୀ ପ୍ରଭାବ ରହିଥାଏ । ପ୍ରାଥମିକ ବିଦ୍ୟାଳୟର ସ୍ତରରେ ତାହାର ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ, ତାହାକୁ କଦାପି ଅତିରଞ୍ଜିତ କରି କହି ହେବନାହିଁ

 

ଆମେ ପ୍ରକୃତି ଭିତରକୁ ଯାଉଥିଲୁ –ବଣ, ବଗିଚା, ପଡ଼ିଆ, ଶସ୍ୟକ୍ଷେତ୍ର, ନଦୀକୂଳ ପ୍ରଭୃତି ନାନାଆଡ଼େ ଯାଉଥିଲୁ । ପାରିପାର୍ଶ୍ୱିକ ପୃଥିବୀର ଐଶ୍ଚର୍ଯ୍ୟ ଆଡ଼କୁ ପିଲାମାନଙ୍କର ଆଖିକୁ ଉନ୍ମୀଳିତ କରି ଦେବାରେ ଶବ୍ଦ ହିଁ ସର୍ବଦା ସହାୟତା କରୁଥିଲା । ପିଲାମାନେ ଯାହା କିଛି ଦେଖୁଥିଲେ ଏବଂ ଶୁଣୁଥିଲେ, ତାହାର ସୌନ୍ଦର୍ଯ୍ୟକୁ ଅନୁଭବ କରି ହିଁ ସେମାନେ ଶବ୍ଦଗୁଡ଼ିକର ସୂକ୍ଷ୍ମ ବ୍ୟଞ୍ଜନା ସହିତ ପରିଚିତ ହେଉଥିଲେ; ଏହି ଶବ୍ଦଗୁଡ଼ିକର ମାଧ୍ୟମରେ ହିଁ ସୌନ୍ଦର୍ଯ୍ୟ ସେମାନଙ୍କର ଆତ୍ମା ଭିତରକୁ ପ୍ରବେଶ କରୁଥିଲା । ପ୍ରକୃତି ମଧ୍ୟକୁ “ଭ୍ରମଣ” ସେମାନଙ୍କର ସୃଜନଶୀଳତାର ପ୍ରଥମ ଉତପ୍ରେରକ ରୂପେ କାର୍ଯ୍ୟ କରୁଥିଲା । ପିଲାମାନେ ନିଜର ଅନୁଭବ ଓ ଧାରଣାଗୁଡ଼ିକୁ ଶବ୍ଦରେ ପ୍ରକାଶ କରିବାକୁ ଆଗ୍ରହୀ ହେଲେ, –ସୌନ୍ଦର୍ଯ୍ୟ ବିଷୟରେ କଥାବାର୍ତ୍ତା ହୋଇଥିଲେ । ପ୍ରକୃତି ବିଷୟରେ ସାନ ସାନ ରଚନାମାନ ଲେଖିଲେ । ଏହିସବୁ ରଚନା ସେମାନଙ୍କର କହିବା ଓ ଭାବିବାର ବିକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପ୍ରତ୍ୟେକ ପିଲା ତା’ର ରଚନାଟିର ଯୋଜନା କରି ନେଇଥିଲା ଓ ତା’ପରେ ଶ୍ରେଣୀରେ ବସି ସେଇଟିକୁ ଲେଖିଥିଲା । ଅଧ୍ୟୟନର ପ୍ରଥମ ବର୍ଷ ପିଲାମାନେ ମୌଖିକ ଭାବରେ ଯେଉଁ ମିନି-ରଚନାମାନ ପ୍ରସ୍ତୁତ କରି ପରେ ଶ୍ରେଣୀରେ ଲେଖିଥିଲେ, ଏଠାରେ ମୁଁ ତାହାର କେତୋଟି ଦୃଷ୍ଟାନ୍ତ ଦେବି । ସେମାନେ ଏଗୁଡ଼ିକୁ ନିଜର ବ୍ୟକ୍ତିଗତ ଖାତା ଅଥବା “ଆମ ମାତୃଭାଷା”ନାମକ ସାଧାରଣ ଖାତାରେ ଲେଖି ରଖିଥିଲେ:

 

ଚାତକର ଗୀତ (ଲାରିସା)

 

ଧୂସର ବର୍ଣ୍ଣର କ’ଣ ଗୋଟିଏ ମୁଣ୍ଡା ପରି ଦେଖାଯାଉଛି ଓ ନୀଳ ଆକାଶରେ ଥର ଥର ହେଉଛି । ଏଇଟି ଗୋଟିଏ ଚାତକପକ୍ଷୀ । ସିଏ ଗାଉଥିବା ମଧୁର ଗୀତଟିକୁ ମୁଁ ଶୁଣିପାରୁଛି । ଶୁଣି ଶୁଣି ମୋତେ ମୋଟେ କ୍ଳାନ୍ତ ଲାଗୁନାହିଁ । ଚାତକପକ୍ଷୀଟି ସତେ ଯେପରି ସୂକ୍ଷ୍ମ, ଅତିସୂକ୍ଷ୍ମ ରୂପେଲି ସୂତାଗୁଡ଼ିକୁ ନେଇ ଖେଳିବାରେ ଲାଗିଛି । ସୂତାଗୁଡ଼ିକ ସୁନେଲି ରଙ୍ଗର ଗହମ କ୍ଷେତରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଲମ୍ବି ରହିଛି । ଗହମଶୀଷା ଗୁଡ଼ିକ ମନ ଦେଇ ସେହି ଚଢ଼େଇର ଗୀତକୁ ଶୁଣୁଛନ୍ତି ।

 

ସୂର୍ଯ୍ୟ ଅସ୍ତ ହେଲା (ସେରୋଝା)

 

ସୂର୍ଯ୍ୟ ଅସ୍ତ ହୋଇଗଲା । ବିଲସବୁ ଅନ୍ଧାର ହୋଇ ଆସିଲେ । ଗୋଧୂଳି ପାହାଡ଼ର ଗାତ ଭିତରୁ ବାହାରି କ୍ଷେତ ଓ ପଡ଼ିଆ ଉପରେ ପ୍ରସାରିତ ହୋଇଗଲା । ଠିକ୍ ଗୋଟିଏ ନଦୀପରି ପ୍ରସାରିତ ହୋଇଗଲା । ମାତ୍ର, ପପ୍‍ଲାର୍ ଗଛଗୁଡ଼ିକ ଉପରେ ସୁନେଲି ରଶ୍ମିଗୁଡ଼ିକ ତଥାପି ଚକ୍‌ଚକ୍‌ ହେବାରେ ଲାଗିଥାଏ । ସତେ ଯେପରି ସୂର୍ଯ୍ୟ ତା’ର ଶେଷ ବିଦାୟବାର୍ତ୍ତା ପ୍ରେରଣ କରୁଥାଏ । ରଶ୍ମିଗୁଡ଼ିକ ଚକ୍‌ଚକ୍‌ ହେଲେ ଓ ନିଭିଗଲେ । ସୂର୍ଯ୍ୟକିରଣ ମହାଶୟ, ବିଦାୟ !

 

ମହୁମାଛିମାନେ ପାଣି ପିଅନ୍ତି (ଗାଲ୍ୟା)

 

ମହୁମାଛିମାନେ କିପରି ପାଣି ପିଅନ୍ତି, ମୁଁ ତାହା ଦେଖିଲି । ସରୁ ସରୁ ଘାସ ପତରରୁ ପାଣିର ବିନ୍ଦୁ ସବୁ ଗୋଟାଏ ଚିକ୍କଣ ଉଇଲୋ କାଠମୁଣ୍ଡା ଉପରେ ପଡ଼ୁଥାନ୍ତି । କାଠମୁଣ୍ଡାଟି ଓଦା ହୋଇଗଲା । ମହୁମାଛି ମାନଙ୍କୁ ଉଇଲୋ ଗଛର ବାସନା ଭାରି ଭଲ ଲାଗେ । ମହୁମାଛିମାନେ ସେଠାକୁ ଉଡ଼ିଯାଇ ପାଣି ପିଇଲେ । କୁନି ମହୁମାଛିମାନେ, ତୁମେମାନେ କିଛି ସମୟ ବିଶ୍ରାମ କର; ଅନେକ ବାଟ ଉଡ଼ିଯିବାକୁ ରହିଛି ନା ?

 

ବଣଗହମରେ ଫୁଲ ଧରିଛି (ଭାରା)

 

ବଣଗହମରେ ଫୁଲ ଧରିଲା । ବିଲଟାଯାକ ଗୋଟାଏ ଧଳା କମ୍ବଳ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିବା ପରି ଦେଖାଗଲା । ମାତ୍ର, ସେଇଟା ହେଉଛି ଏକ ଜୀବନ ଥିବା କମ୍ବଳ, ଏବଂ ତାହାର ବାସନା କେତେ ଚମତ୍କାର ! ପ୍ରତ୍ୟେକ ଫୁଲରେ ମହୁମାଛି ବସିଛନ୍ତି । କମ୍ବଳଟା ଗୁଣୁଗୁଣୁ ଶବ୍ଦ କରୁଛି –ମହୁମାଛିମାନଙ୍କର ଗୁଣୁଗୁଣୁ ଶବ୍ଦ ସକାଶେ ସେପରି ମନେ ହେଉଛି । ଗୋଟାଏ ଏଡ଼େବଡ଼ ବାଳବାଳୁଆ ଭଅଁର ଆସି ଗୋଟିଏ କୁନି ଫୁଲ ଉପରେ ବସିଲା । ଫୁଲର ଡେମ୍ଫଟି ହଲିବାକୁ ଆରମ୍ଭ କଲା ଓ ନଇଁ ପଡ଼ିଲା । ଭଅଁର ମୋଟେ ବସି ରହି ପାରିଲା ନାହିଁ । ତଳକୁ ପଡ଼ିଯାଇ ରାଗରେ ଗଅଁ ଗଅଁ ହେବାକୁ ଲାଗିଲା ।

 

କମ୍ବାଇନ୍-ଯନ୍ତ୍ରର ଡ୍ରାଇଭର (ୟୁରା)

 

ମୋ’ କକା ଗୋଟିଏ ବଡ଼ କମ୍ବାଇନ୍ ଚଳାନ୍ତି । ତାଙ୍କ ଆଗରେ ଗହମର ଫସଲ ଠିଆ ହୋଇ ରହିଥାଏ । କମ୍ବାଇନ୍‍ର ଦାଢ଼ୁଆ ଦାଆମାନେ ଗହମଗଛକୁ କାଟି ବେଙ୍ଗଳାଯନ୍ତ୍ର ପାଖରେ ଆଣି ଜମା କରିଦିଅନ୍ତି । ବେଙ୍ଗଳାଯନ୍ତ୍ର ଗଛଗୁଡ଼ିକରୁ ଦାନା ବାହାର କରିନିଏ । ଦାନାଗୁଡ଼ିକ ଏକାଠି ଗୋଟିଏ ସାନ ଧାରାରେ ଗୋଟିଏ ତଳକୋଠରୀକୁ ଚାଲିଯାଆନ୍ତି । ଗୋଟିଏ ଟ୍ରକ୍ ତା’ ପାଖକୁ ଆସି ସେହି ଶସ୍ୟକୁ ଗୋଟିଏ ଚଟାଣ ଜାଗାକୁ ନେଇଯାଏ । ସେହି ଗହମରୁ ବହୁତ ପାଉଁରୁଟି ତିଆରି ହୁଏ ।

 

ଆମ ବେଙ୍ଗଳା-ଯନ୍ତ୍ର (ଭାନ୍ୟା)

 

ଆମ ସ୍କୁଲରେ ଗୋଟିଏ ଛୋଟ, ଭାରି ଛୋଟ ବେଙ୍ଗଳା-ଯନ୍ତ୍ର ରହିଛି । ଦେଖିବାକୁ ଠିକ୍ ଏହିପରି.... । ଛାତ୍ରମାନେ ସ୍କୁଲ କ୍ଷେତରୁ ଗହମ କାଟି ଆଣିଲେ । ସବୁକୁ ମିଶାଇି ପାଞ୍ଚୋଟି ହଳା କଲେ । ତା’ପରେ କୁନି ଯନ୍ତ୍ରଟା ଗଅଁ ଗଅଁ ହେବାକୁ ଆରମ୍ଭ କଲା । ସିଏ ହଳାରୁ ଦାନାଗୁଡ଼ିକୁ ବାହାର କରିନେଲା । ସେମାନେ ଗହମକୁ ଅଖାରେ ପୂରାଇଲେ । ଆମେ ସେହି ମଞ୍ଜିଗୁଡ଼ିକୁ ବୁଣିବା ।

 

ଆପଲ୍‍ଗଛରେ ଫୁଲ ଫୁଟିଛି (ପାଭ୍ଲୋ)

 

ଓଃ, ଆପଲ୍ ଗଛରେ ଫୁଲ ଫୁଟିଥିବା ବେଳେ ବଗିଚା କେଡ଼େ ସୁନ୍ଦର ଦେଖାଯାଏ । ଫୁଲର ଧଳା ପାଖୁଡ଼ାଗୁଡ଼ିକ ସୂର୍ଯ୍ୟ ଆଡ଼କୁ ମେଲେଇ ହୋଇ ରହିଥାନ୍ତି । ସୁଲୁସୁଲୁ ପବନ ଆସି ଫୁଲଗୁଡ଼ିକୁ ଗେଲ କରୁଥାଏ ଏବଂ ସେଗୁଡ଼ିକ ସାନ ସାନ ରୂପାଘଣ୍ଟା ପରି ଟିଙ୍ଗି ଟିଙ୍ଗି ବାଜୁଥାଆନ୍ତି-। ବଗିଚାଟା ଯାକ ଟିଙ୍ଗି ଟିଙ୍ଗି ହୋଇ ବାଜି ଉଠେ ଓ ଖରାରେ ହସୁଥାଏ । ଏବଂ, ପବନର ଗତି କମି ଆସିଲେ ମହୁମାଛିମାନଙ୍କର ଗୁଣୁଗୁଣୁ ଶବ୍ଦ ଶୁଣାଯାଏ । ସେମାନେ ଗଛ ଉପରେ ଉଡ଼ିବାରେ ଲାଗିଥାନ୍ତି । ସେମାନେ ସବୁଠାରୁ ଅଧିକ ଶବ୍ଦ କରି ବାଜୁଥିବା ଘଣ୍ଟାଟିକୁ ସନ୍ଧାନ କରୁଥାନ୍ତି । ଏବଂ, ବଗିଚାଟି ହଜାର ହଜାର ତାର ଏକାଠି ବାଜି ଉଠିବା ପରି ଗୀତ ଗାଉଥାଏ । ମହୁମାଛି ଗୋଟିଏ ସୁକୁମାର ଘଣ୍ଟି ଦେଖି ତାହାରି ଉପରେ ଯାଇ ବସେ, ନିଜର ସାନ ସାନ ଗୋଡ଼କୁ ବଢ଼ାଇଦିଏ ଓ ସାନ ଡେଣାଗୁଡ଼ିକୁ ଫଡ଼ଫଡ଼ କରୁଥାଏ । ସୁନାରଙ୍ଗର ପରାଗ ଖଣ୍ଡେ ମେଘ ପରି ଘଣ୍ଟିଟି ଉପରକୁ ଉଠି ଆସୁଥାଏ ।

 

ଖୁଡ଼ୀ ଡାଶାଙ୍କ ସାଙ୍ଗରେ ଚାଷ ଜମିରେ (କୋଲ୍ୟା)

 

ଖୁଡ଼ୀ ଡାଶା କାମ କରୁଥିଲା ବେଳେ ଆମେ ଖେତକୁ ଯାଇଥିଲୁ । ସିଏ ତିରିଶିଟି ଗାଈଙ୍କ ଠାରୁ ଗୋରସ କାଢ଼ନ୍ତି । ଗୋରସ ରହିବା ସକାଶେ ବଡ଼ ବଡ଼ ପାତ୍ର ଥାଏ । ସେମାନେ ଗୋରସକୁ ଲହୁଣୀ ତିଆରି କାରଖାନାକୁ ନେଇଯାଆନ୍ତି । ସେଠାରେ ଗୋରସରୁ ଲହୁଣୀ ବାହାର କରାଯାଏ ।

 

ସଂଜ ହେଲେ ବଗମାନେ ଗୀତ ଗାଆନ୍ତି (ଟିନା)

 

ସୂର୍ଯ୍ୟ ପହାଡ଼ ଗଛରେ ଡୁବିଯାଏ । ବଗମାନେ ନୀଳ ଆକାଶରେ ଉଡ଼ୁଥାଆନ୍ତି । ସେମାନେ କହୁଥାନ୍ତି, “ହେ ସବୁଜ ପଡ଼ିଆ, ଆମେ ଗ୍ରୀଷ୍ମ ଦେଶର ସାଗରରୁ ଏଠାକୁ ଆସିଛୁ ।” ଗଛର ଡାଳମାନେ ହଲିବାକୁ ଆରମ୍ଭ କରନ୍ତି । ସବୁଜ ଘାସରେ ଖସଖସ ଶବ୍ଦ ହୁଏ । ପୋଖରୀ ବି ଡାକି କରି କହୁଥାଏ, “ହେ, ବଗମାନେ, ସେହି ଗ୍ରୀଷ୍ମ ସାଗରରେ ତୁମେମାନେ କ’ଣ ଦେଖିଲ ଆମକୁ କହ ।”

 

ଦୟାଶୀଳ ସଂଜଅଜା (ସାନ୍ୟା)

 

ତାରାମାନେ ଆକାଶରେ ଜକଜକ କରୁଥାନ୍ତି । ସଂଜଅଜା ପାହାଡ଼ ଭିତରର ଗାତଭିତରୁ ଆସି ପହଞ୍ଚିଯାଆନ୍ତି । ଭାରି ବୁଢ଼ା, ଦେହଯାକ ବାଳ ସାଲୁବାଲୁ, ହାତରେ ବାଡ଼ି ଧରି ଚାଲନ୍ତି । ସିଏ ଗାଆଁକୁ ଯାଇ ଗୋଟିଏ ଘର ଭିତରେ ପଶନ୍ତି ଓ ନିଜର ଉଷୁମ ନରମ ପାପୁଲିଗୁଡ଼ିକରେ ପିଲାମାନଙ୍କୁ ଉଠାଇ ନିଅନ୍ତି । ପିଲାମାନଙ୍କୁ ନିଦ ମାଡ଼ୁଥାଏ, ସେମାନେ ଶୋଇକରି ମଧୁର ସ୍ୱପ୍ନମାନ ଦେଖନ୍ତି । (ଏହି ସାନ୍ୟା ଆନନ୍ଦପାଠଶାଳାରେ ସନ୍ଧ୍ୟା ବିଷୟରେ ଗୋଟିଏ ଗପ କଳ୍ପନା କରିଥିଲା । ଏବଂ ବର୍ତ୍ତମାନ ତା’ ସ୍ମୃତିରେ ସେହି ଗପଟି ପୁନର୍ବାର ଜାଗୃତ ହୋଇ ଉଠିଲା ।)

 

ଆମ କକା କୁଜମା (ଫେଡ଼୍ୟା)

 

ଆମେ କକା କୁଜମାଙ୍କ ଘରକୁ ଯାଇଥିଲୁ । ସିଏ ଘର ତିଆରି କାମ କରନ୍ତି । ଇଟା ବସାଇ କାନ୍ଥ ଗଢ଼ନ୍ତି । ବର୍ତ୍ତମାନ ଗୋଟିଏ ଭଣ୍ଡାର ଘର ତିଆରି କରୁଛନ୍ତି । ସିଏ ପଚାଶଟା କୋଠାଘର ତିଆରି କରିସାରିଛନ୍ତି । ସେଗୁଡ଼ିକରେ ବହୁତ ଲୋକ ବାସ କରନ୍ତି । କକା କହନ୍ତି, “ମୋ’ ତିଆରି ଘରସବୁ ଦୁଇଶହ ବର୍ଷ ଯାଏ ରହିବ । ମୁଁ ଯେ କେଡ଼େ ବଢ଼ିଆ ରାଜମିସ୍ତ୍ରୀ ଥିଲି, କେତେ କେତେ ଲୋକ ସେହି କଥା ମନେ ପକାଉଥିବେ ।”

 

ନୀଳଫୁଲମାନେ (କାଟ୍ୟା)

 

ଜଙ୍ଗଲ ଭିତରୁ ସୂର୍ଯ୍ୟ ବାହାରି ଆସିଲା । ପାଇନ୍‍ଗଛ ଉପରୁ ବରଫମାନେ ତରଳି ଝରିପଡ଼ିଲେ । ଉଷୁମ ଜଳବିନ୍ଦୁ ଗୁଡ଼ିକ ବରଫ ଉପରେ ପଡ଼ୁଥାନ୍ତି । ବରଫ ହୁଡ଼ା ଓ ଶୁଖିଲା ଡାଳପତ୍ର ଭିତରେ ତାହା ଫଳରେ ସାନ ସାନ ଗାତ ହୋଇଗଲା । ପାଣି ପଡ଼ିବା ଜାଗାଗୁଡ଼ିକରେ ସବୁଜ ଡାଳଗୁଡ଼ିକ ତୀର ପରି ଦେଖା ଯାଉଥାନ୍ତି । ଏବଂ, ସେହିଠାରେ ନୀଳବର୍ଣ୍ଣର ଫୁଲଗୁଡ଼ିକ ଫୁଟିଥାନ୍ତି । ବରଫ ଆଡ଼କୁ ସେମାନେ ବିସ୍ମିତ ଭାବରେ ଅନାଇ ପଚାରୁ ଥାଆନ୍ତି, “ଆମେ ସହଳ ହୋଇ ନିଦରୁ ଉଠି ପଡ଼ିଲୁ କି ?” ଚଢ଼େଇମାନେ ଗୀତ ଗାଇ ଉତ୍ତର ଦେଲେ, “ନାଇଁ, ନାଇଁ, ତୁମେ ମୋଟେ ସହଳ ଆସିନାହଁ, ବିଲକୁଲ୍ ଠିକ୍ ସମୟରେ ଆସିଛ !” ତା’ପରେ ବସନ୍ତଋତୁ ଆରମ୍ଭ ହେଲା ।

 

ସୂର୍ଯ୍ୟ ଓ କଳାମେଘ (ଟୋଲ୍ୟା)

 

ସୁନାରଙ୍ଗର ଶସ୍ୟ କିଆରୀଟିଏ ଥିଲା ଏବଂ ସୂର୍ଯ୍ୟ ସେଠାରେ ପ୍ରତ୍ୟେକଟି ଶସ୍ୟକେଣ୍ଡା ସହିତ ଖେଳିବାରେ ଲାଗିଥାଏ । ହେ ଶସ୍ୟ କିଆରୀ, ତୁ ସତରେ କେଡ଼େ ସୁନ୍ଦର କହିଲୁ ! କିନ୍ତୁ ଅନାଇଲୁ, ଗୋଟିଏ କଳାମେଘ ଆସି କିପରି ତୋ’ ଉପରେ ଘୋଟି ଗଲାଣି ! ସୂର୍ଯ୍ୟ ଘୋଡ଼ାଇ ହୋଇ ଗଲାଣି । ଶସ୍ୟକେଣ୍ଡା ଗୁଡ଼ିକ ଉପରେ ପଡ଼ୁଥିବା ସୁନେଲି ଚକ୍‌ଚକ୍‌ କିରଣ ବି ଲୁଚି ଯାଉଛି-। କ୍ଷେତଟି ପୂରା ଧୂସର ଦେଖାଗଲା, ସତେ ଯେପରି କିଏ ଗୋଟାଏ ଧୂସର କମ୍ବଳ ଆଣି ପୃଥିବୀକୁ ଢାଙ୍କି ଦେଇ ଚାଲିଗଲା । ତୁ ଯେତେ ସମ୍ଭବ ଶୀଘ୍ର ମେଘମାନଙ୍କ ଭିତରୁ ବାହାରି ଆ । ହେ ଖରା, ଆମେ ଅପେକ୍ଷା କରିଛୁ !

 

ଆକାଶରୁ ସାନ ସାନ ତାରା ଖସୁଛନ୍ତି (ଲ୍ୟୁବା)

 

ଅଗଷ୍ଟ ମାସରେ ଆକାଶରୁ ସାନ ସାନ ତାରା ତଳକୁ ଖସନ୍ତି । ଅନ୍ଧାରୁଆ ଜଙ୍ଗଲ ଭିତରେ ଗୋଟିଏ ବଡ଼ ଓସାରିଆ ବାଟ ରହିଥାଏ ଏବଂ ତାରାମାନେ ସେହି ବାଟ ଉପରେ ଆସି ପଡ଼ନ୍ତି । ବାଇଗଣି ରଙ୍ଗର ଫୁଲମାନେ ଫୁଟି ଉଠନ୍ତି ।

 

ଶ୍ରେଣୀ ଘରେ ବେଶ୍ ଉଷୁମ (ସାଶା)

 

ଆମ ଶ୍ରେଣୀ ଘରେ ବେଶ୍ ଉଷୁମ ଓ ଆରାମ ଲାଗୁଛି । ଉଷୁମ କରିବାକୁ ସେହିପରି ଉପକରଣମାନ ଲାଗିଛି, ଯାହା ଭିତରେ ପାଣି ପ୍ରବାହିତ ହେଉଛି । ତଳେ ଗୋଟାଏ ବଡ଼ କୁଣ୍ଡରେ ପାଣି ଫୁଟୁଛି । ଚୁଲିରେ କୋଇଲା ଜଳୁଛି । ପୃଥିବୀ ଗର୍ଭରୁ କେତେ ତଳୁ କୋଇଲା ବାହାରୁଛି ଓ ରେଳ ରାସ୍ତାରେ ଆମଯାଏ ଆସୁଛି । ସେମାନେ କୋଇଲାକୁ ଭୂଇଁ ଉପରେ ଢାଳି ଦେଉଛନ୍ତି । ଗୋଟିଏ ଟ୍ରକ୍ ତାକୁ ଆମ ସ୍କୁଲକୁ ଆଣୁଛି । ଖଣି ଓ ରେଳବିଭାଗରେ କାମ କରୁଥିବା ଲୋକେ ଏତେ ମିହନ୍ତ କରୁଛନ୍ତି ବୋଲି ସିନା ଆମେ ଉଷୁମରେ ରହିପାରୁଛୁ !

 

ଶୀତଋତୁରେ ଚଢ଼େଇ (ମିଶା)

 

ଗତ ଶୀତଋତୁରେ ଏହି ଚଢ଼େଇମାନେ ଦକ୍ଷିଣ ଆଡ଼କୁ ଗଲେ ନାହିଁ । ଆମର ଏଠାରେ ସେତେ ଦାରୁଣ ଶୀତ ପଡ଼ିନାହିଁ ବୋଲି ସେମାନେ କିପରି ଜାଣିଲେ ? ମୁଁ ଦେଖୁଥିଲି, ସେମାନେ ସନ୍ଧ୍ୟାବେଳେ କିପରି ବଡ଼ ବଡ଼ ପଲ ହୋଇ ବସୁଥିଲେ ଏବଂ ଗୋଟିଏ ଗଛରୁ ଆଉ ଗୋଟିକୁ ଉଡ଼ି ଯାଉଥିଲେ । ସେମାନେ ଉଷୁମ ଜାଗା ଖୋଜୁଥିଲେ । ଭାରି ବ୍ୟସ୍ତ ହୋଇ ଶବ୍ଦ କରୁଥିଲେ । ବରଫଝଡ଼ ହେଲାବେଳେ ସେମାନେ ଆମ ଖଳାଘରକୁ ଉଡ଼ି ଆସିଥିଲେ । ସେମାନେ ଯେଉଁଠି ମନ ସେଠି ବସି ପଡ଼ୁଥିଲେ,ଏପରିକି ଗାଈ ଉପରେ ବି । ମାତ୍ର, ଥଣ୍ଡା ଥିଲେ ମଧ୍ୟ ଯେଉଁସବୁ ଦିନରେ ଭଲ ଖରା ପଡ଼ୁଥିଲା, ସେମାନେ ତୁଷାରସ୍ନାନ କରୁଥିଲେ । କୌଣସି ଚଢ଼େଇ ଯଦି ପଥରଟାଏ ପଡ଼ିଲା ପରି ବରଫସୁଅ ଭିତରେ ଆସି ପଡ଼ିବ, ତେବେ ବରଫ ଭିତରେ ନିଶ୍ଚୟ ପୋତି ହୋଇଯିବ ତା’ପରେ ପୁଣି ସୁଅ ଭିତରୁ ବାହାରି ଆସିବ ଓ ଆନନ୍ଦରେ ଚିଁ ଚିଁ ହେବ ।

 

ବଡ଼ଦିନ ଗଛ (ଡେଙ୍କୋ)

 

ମୁଁ ଆଉ ମାଆ ମିଶି ବଡ଼ଦିନ ଗଛକୁ ଟେବୁଲ୍ ଉପରେ ରଖିଲୁ । ଆମେ ତାକୁ ସଜାଇଲୁ । ସବାତଳେ ବରଫଅଜାଙ୍କୁ ରଖିଲୁ । ରାତି ହେଲା । ବାହାରେ ଚକଚକ ଚନ୍ଦ୍ରକିରଣ ପଡ଼ିଲା । ବରଫଅଜା କ’ଣ କରିବେ ଦେଖିବା ଲାଗି ମୁଁ ଅପେକ୍ଷା କରିଥାଏ । ସିଏ ତାଙ୍କ ବେତଟିକୁ ଉପରକୁ ଉଠାଇଲେ, ଗଛତଳୁ ବାହାରି ଆସିଲେ ଓ ଟେବୁଲ୍ ଚାରିପାଖରେ ଚାଲିବାକୁ ଆରମ୍ଭ କଲେ । ସେହିପରି ଚାଲିଥାନ୍ତି ଓ ସଅଁ ସଅଁ କରି ନିଶ୍ୱାସ ନେଉଥାନ୍ତି । ଏବଂ ଧଳା ତୁଷାରଖଣ୍ଡମାନେ ଗଛର ଡାଳ ଉପରେ କ’ଣ ସବୁ ଫୁସୁଫୁସୁ ହେଉଥାନ୍ତି । ଧୂସର ଠେକୁଆଟି ଗୋଟିଏ ଡାଳରେ ଥିରି ହୋଇ ବସିଥାଏ । ସେହିଠାରୁ ଡିଆଁ ମାରି ସିଏ ବରଫଅଜାଙ୍କ ମୁଣା ଭିତରେ ଆସି ପଡ଼ିଲା । ଏଇଟା ନିଶ୍ଚୟ ନୂଆବର୍ଷର ଗୋଟିଏ ଉପହାର ହୋଇଥିବ ।

 

ୟୁଖିମ୍ ଅଜା (ଲ୍ୟୁଡ଼ା)

 

ମୋ’ ଅଜା ୟୁଖିମ୍ ଜଙ୍ଗଲରେ କାମ କରନ୍ତି । କୋଠକୃଷିରେ ସିଏ ଗତ ତେଇଶି ବର୍ଷ ହେଲା କାମ କରି ଆସୁଛନ୍ତି । ଗାଆଁର ପଛପଟକୁ ଗୋଟିଏ ଓକ୍ ତୋଟା ରହିଛି, ସେଗୁଡ଼ିକ ତାଙ୍କର; ସିଏ ଗଛଗୁଡ଼ିକୁ ଲଗାଇଥିଲେ । ଅଜା କହନ୍ତି ଯେ ଏହି ଗଛମାନେ ତିନିଶହ ବର୍ଷ ବଞ୍ଚିବେ-। ମୁଁ ବି ମୋ’ ନିଜ ଓକ୍‍ଗଛ ଗୁଡ଼ିକୁ ଲଗାଇବି ।

 

ଦୁଷ୍ଟ ବୁଢ଼ିଆଣୀ (କୋଷ୍ଟ୍ୟା)

 

ରୋଷଘର ଭଣ୍ଡାରର ଗୋଟିଏ ଅନ୍ଧାରୁଆ କୋଣରେ ବୁଢ଼ିଆଣୀଟିଏ ଜାଲ କରିଥିଲା । ଏଥର ସିଏ କ’ଣ ସବୁ କରିବ, ମୋ’ର ସେକଥା ଦେଖିବାକୁ ମନ ହେଲା । ବୁଢ଼ିଆଣୀ କାନ୍ଥ ଉପରେ ବସିଥାଏ ଓ ନିଜ ଗୋଡ଼ଗୁଡ଼ିକୁ ଘଷିବାରେ ଲାଗିଥାଏ । ସତେ ଯେପରି ତା’ ଜାଲଗୁଡ଼ିକୁ ହଲାଉଥିବା ପରି ମନେ ହେଉଥାଏ । ଗୋଟିଏ ମାଛି ଗୁଣୁଗୁଣୁ ହୋଇ ଉଡ଼ି ଆସିଲା, ବୁଢ଼ିଆଣୀ ଶୁଣିବ ବୋଲି ସିଆଡ଼କୁ ଅନାଇଲା । ମାଛିଟି ଜାଲ ଭିତରକୁ ଉଡ଼ିଆସିଲା ଓ ତା’ରି ଭିତରେ ଲାଗିଗଲା । ତା’ର ଗୁଣୁଗୁଣୁ ଶବ୍ଦଟା ଆହୁରି ବଢ଼ିଗଲା, ଭାରି ବିକଳ ବି ଶୁଭିଲା । ବୁଢ଼ିଆଣୀ ସେତେବେଳକୁ ମାଛି ଆଡ଼କୁ ଧାଇଁବାକୁ ଆରମ୍ଭ କଲାଣି । ଦୁଷ୍ଟ ବୁଢ଼ିଆଣୀ, ତୁ କଦାପି ମାଛିକୁ ମାରିପାରିବୁ ନାହିଁ । ମୁଁ ତୋ ଜାଲକୁ ଛିଣ୍ଡାଇ ପକାଇବି ଓ ମାଛିକୁ ମୁକୁଳାଇ ଆଣିବି । ଯା, ଏଥର ଉଡ଼ିଯା, ଆଉ କେବେହେଲେ ବୁଢ଼ିଆଣୀର ଜାଲରେ ପଡ଼ିବୁ ନାହିଁ ଟି !

 

ବିଲାତିବାଇଗଣ (ସ୍ଲାଭା)

 

ସବୁଜ ଗଛମାନଙ୍କରେ ନାଲି ନାଲି ବିଲାତିବାଇଗଣ ଫଳିଛି । ସକାଳକୁ ସେଗୁଡ଼ିକ ଉପରେ କାକରବିନ୍ଦୁ ଲାଗି ରହିଥାଏ । ବିନ୍ଦୁଗୁଡ଼ିକ ଉପରେ ସୁନେଲି ସୂର୍ଯ୍ୟକିରଣ ଖେଳ ଖେଳୁଥାଏ । ଗୋଟିଏ ଧଳା ପ୍ରଜାପତି ଆସି ଗୋଟିଏ ନାଲିଆ ବିଲାତିବାଇଗଣ ଉପରେ ବସିଲା-। ମହୁମାଛିଟିଏ ଗୁଣୁଗୁଣୁ ହେଉଥାଏ । ବିଲାତିବାଇଗଣଟାକୁ ସିଏ ଗୋଟିଏ ନାଲିରଙ୍ଗର ଫୁଲ ବୋଲି ଭାବୁଥାଏ । ସିଏ କିଛି ସମୟ ପାଇଁ ତା’ ଉପରେ ବୁଲିଲା ଓ ତା’ ପରେ ସେଠୁ ଉଡ଼ିଗଲା-

 

ପିଲାମାନଙ୍କର ଏହି ରଚନାଗୁଡ଼ିକ ପାଇଁ ଅନେକ କାମ କରିବାକୁ ପଡ଼ିଥିଲା । ପିଲାମାନଙ୍କୁ ଆଗ ପାରିପାର୍ଶ୍ୱିକ ପୃଥିବୀର ବସ୍ତୁଗୁଡ଼ିକୁ ଦେଖାଇବାକୁ ହେବ, ଯେପରିକି ସେଗୁଡ଼ିକ କେବଳ ଭାଷାର ମାଧ୍ୟମରେ ନୁହେଁ, ସେମାନଙ୍କର ହୃଦୟ ଏବଂ ଆତ୍ମାର ମାଧ୍ୟମରେ ମଧ୍ୟ ସେମାନଙ୍କର ମାନସରାଜ୍ୟରେ ଯାଇ ପ୍ରବେଶ କରି ପାରିଥିବ । ଶବ୍ଦଗୁଡ଼ିକ ପିଲାର ମନ ଭିତରେ ଗୋଟିଏ ଗୋଟିଏ ସ୍ପଷ୍ଟ ପ୍ରତିରୂପ ରୂପେ ବାସ କରୁଥିବେ ଏବଂ ତେଣୁ, ଶ୍ରେଣୀରେ ଏହିସବୁ ରଚନା ଲେଖିଥିବା ସମୟରେ ଆମ ପିଲାମାନେ ଲେଖିବା ସହିତ ଚିତ୍ରମାନ ବି ଆଙ୍କି ଦେଇଥିଲେ-

 

ଚାରିପାଖରେ ରହିଥିବା ପୃଥିବୀର ସୌନ୍ଦର୍ଯ୍ୟ ଦ୍ୱାରା ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଗୋଟିଏ ପିଲା ରଚନାମାନ ଲେଖିବାକୁ ଆରମ୍ଭ କରିଦେବ, ଏପରି ଆଶା କରିବା ଏକ ନିର୍ବୋଧତା ହିଁ ହେବ । ସୃଜନଶୀଳତା ଏକ ସହଜାତ ପ୍ରବୃତ୍ତି ରୂପେ ଆଦୌ ପିଲା ଭିତରେ ରହିନଥାଏ । ସେଥିଲାଗି ଶିକ୍ଷା ବି ଦେବାକୁ ହୋଇଥାଏ । ଶିକ୍ଷକଠାରୁ ପ୍ରକୃତିର ବର୍ଣ୍ଣନାମାନ ଶୁଣିଲେ ଯାଇ ପିଲା ନିଜେ ମଧ୍ୟ ରଚନାଟିଏ ଲେଖିବାକୁ ମନ କରେ । ଦିନେ ଏକ ଥିର ସଞ୍ଜବେଳେ ପୋଖରୀ ହୁଡ଼ାରେ ବସିଥିବା ବେଳେ ହିଁ ମୁଁ ପିଲାମାନଙ୍କୁ ସର୍ବପ୍ରଥମ ରଚାନାଟିକୁ ଶୁଣାଇଥିଲି । ଆଖିରେ ଦେଖୁଥିବା ଗୋଟିଏ ଦୃଶ୍ୟକୁ କିପରି ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଇ ପାରିବ, ପିଲାମାନେ ସେକଥା ବୁଝନ୍ତୁ ଓ ଅନୁଭବ କରନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି । ପ୍ରଥମେ ସେମାନେ ମୁଁ ତିଆରି କରିଥିବା ରଚନାଗୁଡ଼ିକୁ ଦୋହରାଇଥିଲେ । ଏବଂ ତା’ପରେ କ୍ରମେ ସେମାନେ ନିଜେ ବି ପ୍ରାଣକୁ ସ୍ପର୍ଶ କରୁଥିବା ପ୍ରକୃତିଚିତ୍ରଗୁଡ଼ିକୁ ବର୍ଣ୍ଣନା କରିବାକୁ ଆରମ୍ଭ କରିଦେଲେ । ସେହି ପିଲାମାନଙ୍କର କ୍ଷେତ୍ରରେ ବ୍ୟକ୍ତିଗତ ସର୍ଜନାତ୍ମକତାର ପ୍ରକ୍ରିୟାଟି ଆରମ୍ଭ ହୋଇଯାଇଥିଲା । ଏହି ପ୍ରକ୍ରୟାରେ ଶବ୍ଦଗୁଡ଼ିକର ବ୍ୟଞ୍ଜନାଗୁଡ଼ିକୁ ଅନୁଭବ କରିପାରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରତ୍ୟେକ ଶବ୍ଦକୁ ଗୋଟିଏ ପିଲା ଯେତେବେଳେ ଆପଣାର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସ୍ଥାନରେ ରହିଥିବା ପୂର୍ବରୁ ନିର୍ମିତ ଇଟାଟିଏ ପରି ଅନୁଭବ କରେ, କେବଳ ସେତିକିବେଳେ ଯାଇ ସିଏ ରଚନାମାନ ଲେଖିବାକୁ ଆରମ୍ଭ କରେ । ଏବଂ, ଯେଉଁ ଅବସ୍ଥାଟି ସକାଶେ ଯେଉଁ ଇଟାଟି ପ୍ରକୃତରେ ଖାପ ଖାଉଥାଏ, ପିଲାମାନେ ଠିକ୍ ସେହି ଇଟାଟିକୁ ବାଛି ଶିଖନ୍ତି । ଯେଉଁ ଶବ୍ଦଟା ସବାଆଗ ମୁଣ୍ଡ ଭିତରକୁ ଆସିଲା, ସେଇଟାକୁ ଯାଇ ମାଡ଼ି ବସିବା, ଏପରି ମୋଟେ ହୁଏ ନାହିଁ । ସେମାନଙ୍କର ସମ୍ବେଦନଶୀଳତା ମୋଟେ ସେମାନଙ୍କୁ ସେଭଳି କରିବାକୁ ଦିଏ ନାହିଁ ।

 

ଏହିପରି ରଚନାମାନ ତିଆରି କରିବା ମୋ’ ଛାତ୍ରମାନଙ୍କର ଏକ ପ୍ରିୟ କାର୍ଯ୍ୟରେପରିଣତ ହୋଇ ଯାଇଥିଲା । ସେମାନେ ଯାହାକିଛି ଦେଖୁଥିଲେ ବା ଅଙ୍ଗେ ନିଭାଉଥିଲେ, ସେହି ପ୍ରତ୍ୟେକଟି ବିଷୟରେ କହିବାକୁ ଚେଷ୍ଟା କଲେ । ଚତୁର୍ଦ୍ଦିଗର ପୃଥିବୀରେ ରହିଥିବା ସୌନ୍ଦର୍ଯ୍ୟ ସହିତ ସେମାନଙ୍କର ସମ୍ବନ୍ଧଟିକୁ ପ୍ରକାଶ କରିବା ପାଇଁ ଶବ୍ଦଗୁଡ଼ିକ ଏକ ସାଧନ ରୂପେ ବ୍ୟବହୃତ ହେଉଥିଲେ । ଦ୍ୱିତୀୟ, ତୃତୀୟ, ଓ ଚତୁର୍ଥ ଶ୍ରେଣୀରେ ପିଲାମାନେ ସେମାନଙ୍କଠାରୁ ଅଧିକ ବୟସର ସାଥୀମାନଙ୍କ ବିଷୟରେ–କୋଠକୃଷିର ଚାଷୀ ଓ ଶ୍ରମିକମାନଙ୍କ ବିଷୟରେ, ରୁଷିଆର ଅଧିବାସୀମାନଙ୍କ ବିଷୟରେ, ଆପଲଗଛ ମାନଙ୍କରେ କଢ଼ ଧରିବା ବିଷୟରେ, ଘାସଫୁଲଗୁଡ଼ିକ ମଉଳିଯିବା ବିଷୟରେ, ଅଦିନ ଗ୍ରୀଷ୍ମର ରୂପା ପରି ଚିକ୍ ଚିକ୍ ଦେଖାଯାଉଥିବା ବୁଢ଼ିଆଣୀ ଜାଲଗୁଡ଼ିକ ବିଷୟରେ ଏବଂ କୋଠକ୍ଷେତର ବଗିଚାରେ ଆପଲ୍ ପରା ହେଉଥିବା ବିଷୟରେ ରଚନାମାନ ଲେଖିଥିଲେ । ଚାରି ବର୍ଷ ମଧ୍ୟରେ ପ୍ରତ୍ୟେକ ପିଲା ଚାଳିଶିରୁ ପଚାଶଟି ରଚନା ଲେଖି ପାରିଥିଲା । ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ପଢ଼ାବର୍ଷରେ ସେମାନେ ଲେଖିଥିବା କେତୋଟି ରଚନା ନିମ୍ନରେ ଦିଆଯାଉଛି ।

 

ଏତେ କଠିନ ଭାବରେ କାର୍ଯ୍ୟକରିବା ପାଇଁ ସୌନ୍ଦର୍ଯ୍ୟ ସୃଷ୍ଟି ଲାଗି ପ୍ରୟାସ କରିବା ବ୍ୟତୀତ ସେପରି ଅନ୍ୟ ଉତପ୍ରେରକଟିଏ ପାଇବା ପ୍ରକୃତରେ କଷ୍ଟକର । ଏହି ପ୍ରୟାସଟି ସମ୍ପୂର୍ଣ୍ଣ ଗୋଷ୍ଠୀଟିକୁ ପ୍ରେରଣା ଆଣି ଦେଇଥିଲା । ଏପରି ଗୋଟିଏ ପିଲା ନଥିଲା, ଯିଏ କି ଫୁଲଗୁଡ଼ିକର ଯତ୍ନ ନେବାରେ କୌଣସି ଭାଗ ନେଉନଥିଲା । ପ୍ରଥମ ବର୍ଷର ଗ୍ରୀଷ୍ମ ଋତୁରେ ପ୍ରକୃତି ଆମକୁ ଆମର ପରିଶ୍ରମ ଅନୁସାରେ ଫଳ ଦେଇନଥିଲା ସତ, ମାତ୍ର ପିଲାମାନେ ସର୍ବଦା ସଫଳତା ଲାଭ କରିବାର ସ୍ୱପ୍ନ ଭିତରେ ବିଭୋର ହୋଇ ରହିଥିଲେ । ଦ୍ୱିତୀୟ ବର୍ଷର ବସନ୍ତକାଳରେ ଘାନ ଲନଟି ଏକ ସମତଳ ସବୁଜ ଗାଲିଚାରେ ପରିଣତ ହୋଇଯାଇଥିଲା ଏବଂ ସେଥିରେ କେତେ ପ୍ରକାରର ଜଙ୍ଗଲୀ ଫୁଲ ମଧ୍ୟ ଫୁଟିଥିଲେ । ତୃତୀୟ ବର୍ଷରେ ଆମର କୋଣଟି ସବୁଜ ଏବଂ ପୁଷ୍ପରାଜିର ଗୋଟିଏ ସାମ୍ରାଜ୍ୟରେ ରୂପାନ୍ତରିତ ହୋଇ ଯାଇଥିଲା । ପିଲାମାନେ ଅନେକ ସମୟରେ ସେଠାକୁ ଯାଇ ରୁଣ୍ଡ ହେଉଥିଲେ, ବହି ପଢ଼ୁଥିଲେ ଅଥବା ଗପମାନ କହୁଥିଲେ ।

 

ଝରକାକାଚରେ ଦେଖା ଦେଉଥିବା ତୁଷାରଫୁଲମାନେ
କେଉଁଠୁ ଆସନ୍ତି ? (ଟାନ୍ୟା, ଚତୁର୍ଥ ଶ୍ରେଣୀ)

 

ମୁଁ ମାଆକୁ ପଚାରିଲି : “ଝରକାକାଚରେ ଦେଖାଯାଉଥିବା ତୁଷାରଫୁଲମାନେ କେଉଁଠାରୁ ଆସନ୍ତି ?” ମାଆ କହିଲେ, ଶୀତଅଜାର ଗୋଟିଏ ସାନ ନାତିପିଲା ଅଛି, ସେଇ ଏଗୁଡ଼ିକୁ ଆଙ୍କିଦେଇ ଯାଏ । ସେଇ ରାତିହେଲେ ତା’ ଅଜା ସହିତ ବୁଲି ବାହାରେ ଏବଂ ଝରକାର କାଚଗୁଡ଼ିକୁ ଛବି ଆଙ୍କି ଭର୍ତ୍ତି କରିଦିଏ ।” ସିଏ ସତକୁ ସତ କିପରି ଏହା କହୁଥିଲା ମୁଁ ଦେଖିବାକୁ ଇଚ୍ଛା କଲି । ସେଦିନ ଶୋଇବି ବୋଲି ବିଛଣାକୁ ଗଲି, ମାତ୍ର ମୋଟେ ଆଖି ବନ୍ଦ କଲିନାହିଁ । ସମସ୍ତେ ଶୋଇବାକୁ ଚାଲିଗଲେ । ଝରକା ସେପାଖରେ ଥିବା ଗଛଟି କିଡ଼ିକିଡ଼ି ଶବ୍ଦ କରୁଥାଏ । ସାନ ନାତିପିଲାଟା ଆସିଲା, ଆସି ଝରକା ଉପରକୁ ଉଠିଗଲା । ରୂପା ପେନସିଲଟିଏ ନେଇ କାଚ କଡ଼େ କଡ଼େ ବୁଲୁଥାଏ । ଗୁଣୁଗୁଣୁ ହୋଇ ଗୀତ ଗାଉଥାଏ । ଦେଖିଲି ସିଏ ଚାହୁ ଚାହୁ ଅପୂର୍ବ ସୁନ୍ଦର ଫୁଲଟିଏ ଆଙ୍କି ଦେଇଗଲା । ଏଡ଼େ ଏଡ଼େ ପତ୍ରମାନ ଓ ସାନସାନ ପାଖୁଡ଼ା । ସକାଳ ହେଲାରୁ ଚିକ୍ ଚିକ୍ ସୂର୍ଯ୍ୟକିରଣ ଆସି ପଡ଼ିଲା ଏବଂ ଫୁଲଟି ଏକାବେଳେକେ ଜୀବନ୍ତ ହୋଇ ଉଠିଲା ପରି ଦେଖାଯାଉଥିଲା । ମୁଁ ଏସବୁ କଥା ସ୍ୱପ୍ନରେ ଦେଖୁଥିଲି ନା ସତକୁ ସତ ଦେଖୁଥିଲି କେଜାଣି ?

 

ଶୀତଋତୁ ଅଧାରେ ଫୁଲମାନଙ୍କର ପୃଥିବୀ (ଗାଲ୍ୟା, ତୃତୀୟ ଶ୍ରେଣୀ)

 

ଶୀତଋତୁରେ କାଚଘରେ ସେବତୀ ଫୁଲମାନେ ଫୁଟିଥିଲେ । କାଲୁଆ କୁହୁଡ଼ିକୁ ସେମାନଙ୍କର କୌଣସି ଭୟ ନଥିଲା । ମାତ୍ର, ତା’ପରେ ଉତ୍ତର ଦିଗରୁ ହିମ ମାଡ଼ିଆସିଲା । ବାଲଟିରେ ଥିବା ପାଣି ବରଫ ହୋଇ ବସିଗଲା । ସେହି ଦାରୁଣ ଶୀତରୁ ଫୁଲଗୁଡ଼ିକୁ ଯେମିତି ହେଲେ ବଞ୍ଚାଇବାକୁ ହେବ । ସେଗୁଡ଼ିକୁ ଆଣି ଆମେ କୁଣ୍ଡରେ ଲଗାଇ ଦେଲୁ ଓ କୁଣ୍ଡଗୁଡ଼ିକୁ ନେଇ କାଚଘରେ ରଖିଦେଲୁ । ଗଛର କାଣ୍ଡଗୁଡ଼ିକୁ କାଟିଦେଲୁ । ଗଛଗୁଡ଼ିକ ପୁଣି ସବୁଜ ପତର ଦେଲେ ଓ ତା’ପରେ ଫୁଲ ଫୁଟିଲା । ସକାଳୁ ଯେତେବେଳେ ମୁଁ ନିଦରୁ ଉଠିଲି, ସେତେବେଳେ ଭୂଇଁ ଉପରେ ବରଫ ପଡ଼ିଥିବାର ଦେଖିଥିଲି । ଏଣେ ବରଫ ପଡ଼ିଥାଏ, ତେଣେ ଖରା ଚିକ୍ ଚିକ୍ ମାରୁଥାଏ । ମୁଁ ଟାଉ ଟାଉ ହୋଇ କାଚଘର ଆଡ଼କୁ ଦଉଡ଼ିଗଲି । ସେବତୀ ଫୁଲମାନେ ଫୁଟିଥାଆନ୍ତି : ଧଳା, ଆକାଶୀ ନୀଳ ଓ ଗାଢ଼ନୀଳ ରଙ୍ଗର । ଏବଂ, କାଚ ସେପାଖକୁ ବରଫ ଜମା ହୋଇ ରହିଥାଏ । ସେବତୀ ଫୁଲଗୁଡ଼ିକ ଉଜ୍ଜ୍ୱଳ ଖରାଆଡ଼କୁ ଅନାଇ ମୁରୁକି ମୁରୁକି ହସୁଥାଆନ୍ତି ।

 

ଆମେ କିପରି ବିଲରୁ ଘରକୁ ଆସିଲୁ (ପାଭ୍ଲୋ, ଦ୍ୱିତୀୟ ଶ୍ରେଣୀ)

 

ଖରାଦିନେ ମାଆ ଓ ମୁଁ ପାଳ ତିଆରି କରି କ୍ଷେତକୁ ଯାଇଥିଲୁ । ମାଆ କୁଟାକୁ ନେଇ ଗୋଟିଏ ଶଗଡ଼ ଉପରେ ରଖିଲେ । ଦଉଡ଼ି ଦେଇ କୁଟାକୁ ମଜବୁତ କରି ବାନ୍ଧିଲେ । ଘୋଡ଼ାମାନେ ଧୀରେ ଧୀରେ ଚାଲୁଥାନ୍ତି । ଆମେ ପାଳ ଉପରେ ଉଚ୍ଚରେ ଯାଇ ବସିଥାଉ । ସୂର୍ଯ୍ୟ ଅସ୍ତ ହୋଇଗଲା ଓ ତାରାମାନେ ଦେଖାଯିବାକୁ ଆରମ୍ଭ କଲେ । ମୁଁ ସେଇ କୁଟା ଉପରେ ଶୋଇ ଉପରକୁ ଅନାଇ ଆକାଶକୁ ଦେଖୁଥାଏ । ଆମ ଶଗଡ଼ଟା ଗୋଟାଏ ବଡ଼ ଡଙ୍ଗା ପାଲଟି ଯାଇଥାଏ-। ଆମେ ତା’ଉପରେ ବସି ସମୁଦ୍ର ପାରି ହେଉଥିବା ପରି ଲାଗୁଥାଏ । ତାରାମାନେ ଆମ ଉପରେ ରହିଥାନ୍ତି । କେଡ଼େ ଘଞ୍ଚ ହୋଇ ପଡ଼ିଥାଆନ୍ତି । ଏଡ଼େ ପାଖରେ ଥିବା ପରି ମନେ ହେଉଥାଏ ଯେ, ସତେ ଯେପରି ହାତ ବଢ଼ାଇଦେଲେ ତୁମେ ସାନ ତାରାଟିଏ ତୋଳି ଆଣି ପାରିବ । ସବୁଜ ସମୁଦ୍ରବେଳାଟି କାହିଁ କେତେ ଦୂରରେ ଯାଇ ରହିଥାଏ । ସେଠି ଚଢ଼େଇଟିଏ ଗୀତ ଗାଉଥାଏ, ଝିଣ୍ଟିକାମାନେ ବେହେଲା ବଜାଉଥାଆନ୍ତି । ଆମ ଡଙ୍ଗାଟି ରହିଗଲା ଓ ସାନ ତାରାମାନେ ମିଞ୍ଜି ମିଞ୍ଜି ହେବାକୁ ଲାଗିଲେ । ଡଙ୍ଗା ଯାଇ କୂଳରେ ଲାଗିଲା । ମାଆ ଉଠି ଛିଡ଼ା ହେଲେ, ମାତ୍ର ମୁଁ ଆଉ କିଛି ସମୟ ସେଇଠି ସେହିପରି ପଡ଼ି ରହିବାକୁ ଇଚ୍ଛା କରୁଥାଏ ।

 

ଶରତକାଳର ଗୋଟିଏ ମେଘୁଆ ଦିନ (ଶୂରା, ତୃତୀୟ ଶ୍ରେଣୀ)

 

ଦିନମାନେ ଛୋଟ ହୋଇ ଆସିଲେ, ରାତି ବଡ଼ ହେଲା । ସକାଳେ ନଈ ଉପରେ କୁହୁଡ଼ିର ଆଚ୍ଛାଦନ ଭାସୁଥିବାର ଦେଖିବାକୁ ମିଳିଲା । ସୂର୍ଯ୍ୟ କୁଆଡ଼େ ଗଲା ? ସିଏ କାହିଁକି ମେଘଖଣ୍ଡ ଗୁଡ଼ିକୁ ଉଡ଼ାଇ ସଫା କରି ଦେଲାନାହିଁ ? ଆକାଶରୁ ଶରତକାଳୀନ କାକରବିନ୍ଦୁର ବର୍ଷା ହେବାକୁ ଲାଗିଲା । ଗଛଗୁଡ଼ିକର ଡାଳମାନେ ତଳକୁ ନଇଁ ପଡ଼ିଥାନ୍ତି । ପତର ଝଡ଼ିବା ଆରମ୍ଭ ହେଲା । ଡାଳମାନଙ୍କରେ ବଡ଼ ବଡ଼ କାକର ବିନ୍ଦୁ ଲଟକି ରହିଥାନ୍ତି । ସେଇ କୁହୁଡ଼ି ଭିତରୁ ସମୁଦ୍ରବଗଟାଏ ରାବିବାକୁ ଲାଗିଲା । ବୋଧହୁଏ ସିଏ ଦକ୍ଷିଣ ଦିଗକୁ ଉଡ଼ି ପାରୁନଥାଏ ଏବଂ ସେଥିଲାଗି ଲୋକମାନଙ୍କ ପାଖରେ ଅଭିଯୋଗ କରୁଥାଏ । ଜଙ୍ଗଲ କେଡ଼େ ଶାନ୍ତ ହୋଇ ରହିଥାଏ । ସେଇଆଡ଼ୁ ଗୋଟିଏ କାଠହଣା ଚଢ଼େଇର କାଠକୁ ହାଣୁଥିବା ଶବ୍ଦ କେତେଥର ପାଇଁ ଶୁଣାଗଲା ଏବଂ ତାପରେ ବନ୍ଦ ହୋଇଗଲା । ଓକ୍‌ଗଛରୁ ସୁନାରଙ୍ଗର ଫଳମାନେ ପତ୍ର ଉପରେ ଆସି ପଡ଼ୁଥାନ୍ତି । ପୃଥିବୀଟାଯାକ ଗୋଟାଏ ଧଳା କୁହୁଡ଼ି ପରସ୍ତ ଦ୍ୱାରା ଢାଙ୍କି ହୋଇ ରହିଥାଏ ।

 

ଶରତଋତୁ କେତେବେଳେ ଆରମ୍ଭ ହୁଏ ?

(ସେରୋଝା, ଚତୁର୍ଥ ଶ୍ରେଣୀ)

 

ସକାଳୁ ଗାଆଁ ଉପରର ଆକାଶରେ ଚାତକପକ୍ଷୀମାନେ ଭାରି ଉତ୍ତେଜିତ ଭାବରେ ଉଡ଼ିବାକୁ ଆରମ୍ଭ କଲେ । ତା’ପରେ ଗୋଟାଏ ଜାଗାରେ ପଲ ହୋଇ ବସିଲେ । ଟେଲିଫୋନ୍ ତାର ଉପରେ ଧାଡ଼ି ହୋଇ ବସି ଶାନ୍ତ ଭାବରେ କ’ଣ ସବୁ କିଚିରି ମିଚିରି ହେବାକୁ ଆରମ୍ଭ କଲେ-। ଶୀତ ଆସିଲେ ସେମାନେ କେଉଁ ଦିନ ଦକ୍ଷିଣ ଆଡ଼କୁ ବାହାରିବେ ବୋଲି ଆଲୋଚନା କରୁଥିଲେ । ତା’ଆରଦିନକୁ ସେମାନେ ଚାଲି ଯାଇଥିଲେ । ସେମାନେ କେଉଁଠାରେ ଥିଲେ ? ଏବଂ, ଶରତଋତୁ ପାଖେଇ ଆସୁଛି ବୋଲି ଜାଣିପାରିଲେ କେମିତି ? କାରଣ, ଦିନବେଳେ ତଥାପି ଉଷୁମ ଲାଗୁଥିଲା । ସୂର୍ଯ୍ୟ କେଡ଼େ ସରାଗରେ କିରଣ ଦେଉଥିଲା । ଶରତକାଳର ଉଜ୍ଜ୍ୱଳ ଚକଚକ ସନ୍ଧ୍ୟାସମୟଟା ମୋତେ ଖୁବ୍ ଭଲ ଲାଗେ । ଗୋଧୂଳିର ନାଲି ରଙ୍ଗଗୁଡ଼ିକ ସେତେବେଳେ ଅଧିକ ସମୟ ପାଇଁ ରହନ୍ତି । ପପ୍ଲାର୍ ଗଛର ପତ୍ରଗୁଡ଼ିକ ମଧ୍ୟ ନାଲିଆ ଦେଖାଯାଏ । ସୂର୍ଯ୍ୟାସ୍ତର ରଙ୍ଗ ସେଗୁଡ଼ିକ ଉପରେ ପ୍ରତିଫଳିତ ହୋଇଥାଏ । କେବଳ ପୋଖରୀରେ ଯାହା ସନ୍ଧ୍ୟାବେଳେ କୋଳାହଳ ଲାଗି ରହିଥାଏ: ଦକ୍ଷିଣକୁ ଉଡ଼ି ଯାଉଥିବା ଚଢ଼େଇମାନେ ସେଇଠି ବିଶ୍ରାମ କରୁଥାନ୍ତି-। ସକାଳ ଆଡ଼କୁ ପୋଖରୀଟା ଗୋଟାଏ କୁହୁଡ଼ି ପରସ୍ତ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ ଏବଂ ଘାସ ଉପରେ କାକର ପଡ଼ିଥାଏ, କାକର ଗୋଟାଏ ପ୍ରକାରର ଧୂସରବର୍ଣ୍ଣ ଦିଶୁଥାଏ, ଗ୍ରୀଷ୍ମଋତୁର କାକର ଠାରୁ ଭିନ୍ନ ରଙ୍ଗର । ବର୍ତ୍ତମାନ ଶରତଋତୁ ଆରମ୍ଭ ହୋଇ ଆସୁଛି ।

 

ଜୀବନରେ ସର୍ବପ୍ରଧାନ କଥା କ’ଣ (ଭାରା, ଚତୁର୍ଥ ଶ୍ରେଣୀ)

 

ଜୀବନରେ ସବୁଠାରୁ ପ୍ରଧାନ କଥାଟି କ’ଣ ? କୋଇଲା ଖଣିର ଶ୍ରମିକମାନେ କହନ୍ତି ଯେ କୋଇଲା ହେଉଛି ସର୍ବପ୍ରଧାନ । ଯଦି କୋଇଲା ନଥାନ୍ତା, ତେବେ ମେସିନ୍ ମାନେ ଅଚଳ ହୋଇ ପଡ଼ିଥାନ୍ତେ; ଆଦୌ କୌଣସି ଧାତୁ ନଥାନ୍ତା । ଲୋକମାନେ ଥଣ୍ଡାରେ କାଲୁଆ ହୋଇ ଯାଆନ୍ତେ ....

 

ଧାତୁ ଶ୍ରମିକମାନେ କହନ୍ତି ଯେ ଧାତୁ ହେଉଛି ସର୍ବପ୍ରଧାନ । ଧାତୁ ନଥିଲେ ମେସିନ୍ ମଧ୍ୟ ନଥାନ୍ତା, କୋଇଲା ନଥାନ୍ତା, ରୁଟୀ ମିଳନ୍ତା ନାହିଁ ଏବଂ ଲୁଗାପଟା ବି ନଥାନ୍ତା ।

 

ଚାଷୀମାନେ କହୁଛନ୍ତି, ଖାଦ୍ୟ ହେଉଛି ପ୍ରଧାନ । ଖାଦ୍ୟ ନ ଥିଲେ କେହି କାମ କରିପାରନ୍ତେ ନାହିଁ–ଖଣି ଶ୍ରମିକ, ଧାତୁ ଶ୍ରମିକ, ଉଡ଼ାଜାହାଜର ପାଇଲଟ୍ ବା ସୀମା-ଜଗୁଆଳି କେହି କାମ କରି ପାରନ୍ତେ ନାହିଁ ।

 

ସେମାନଙ୍କ ଭିତରୁ କାହା କଥାଟା ଠିକ୍ ? ଜୀବନରେ ପ୍ରଧାନ କଥା ପ୍ରକୃତରେ କ’ଣ ? ପ୍ରଧାନ କଥା ହେଉଛି ଶ୍ରମ । ଶ୍ରମ ନଥିଲେ କୋଇଲା ନଥାନ୍ତା, ଧାତୁ ନଥାନ୍ତା ଏବଂ ଖାଦ୍ୟ ବି ନଥାନ୍ତା ।

 

ଅଗ୍ନିଘୋଡ଼ା (ସାନ୍ୟା, ଚତୁର୍ଥ ଶ୍ରେଣୀ)

 

ମାଆ ମୋତେ ଏହି କଥାଟିକୁ କହିଛନ୍ତି । ଯେତେବେଳେ ଗାଆଁରେ ପ୍ରଥମ କୋଠଫାର୍ମ ଆରମ୍ଭ ହେଲା, ସେତେବେଳେ କୃଷକମାନେ ଗୋଟିଏ ଘୋଡ଼ା କିଣିଥିଲେ । ତା’ ନାଆଁ ହେଉଛି ଅଗ୍ନି । ଘୋଡ଼ାଟିକୁ କେହି ମଣ କରିପାରିଲେ ନାହିଁ । ସବୁଠାରୁ ସାହସୀ ଓ ଅଭିଜ୍ଞ ଲୋକମାନେ ମଧ୍ୟ ତା’ପାଖକୁ ଯିବାକୁ ଭୟ କଲେ । ସିଏ ତା’ଗୋଡ଼ଖୁରା ଦେଇ ମାଟି ଖୋଳି ପକାଉଥିଲା, ଦାନ୍ତରେ କାମୁଡ଼ି ଦେଉଥିଲା ଏବଂ ଗଅଁ ଗଅଁ ଶବ୍ଦ କରୁଥିଲା ।

 

ତଥାପି, ୟୁର୍କୋ ବୋଲି ଜଣେ ତରୁଣ ଯୁବକ ଏହି ଅମଣିଆ ଘୋଡ଼ା ଉପରେ ଜିନ୍ ପକାଇ ଦେଇ ପାରିଥିଲା । ଘୋଡ଼ାଟା ଗର୍ଜନ କରୁଥାଏ, ବୋବାଳି ଛାଡ଼ିଥାଏ; ହଠାତ୍ ହୁଁ କରି ରାସ୍ତା ଉପରକୁ ବାହାରିଗଲା ଓ ୟୁର୍କୋକୁ ପିଠି ଉପରୁ ତଳେ ପକାଇଦେଲା । କେତେଟା କୁଦା ମାରିସାରିବା ପରେ ଗାଆଁସୀମାରେ ଯାଇ ଛିଡ଼ାହେଲା । ସେଠି ରାସ୍ତା ମଝିରେ ଦୁଇଟି ପିଲା ଖେଳୁଥାନ୍ତି । ସେମାନେ ଘୋଡ଼ାଟି ଆଗକୁ ଧାଇଁଗଲେ ଓ ତା’ ଆଗଗୋଡ଼ ଦୁଇଟିକୁ କୁଣ୍ଡାଇ ଧରିଲେ । ସେମାନଙ୍କ ମାଆଙ୍କର ସେକଥା ଦେଖି ହୃତ୍‍କମ୍ପ ହେଲାଣି, ସିଏ ଭାବିଲେ ଯେ ଘୋଡ଼ାଟା ପିଲାମାନଙ୍କୁ ହୁଏତ ଜୀବନରୁ ମାରିଦେବ ବା ସେମାନଙ୍କୁ ଗୋଡ଼ତଳେ ମକଚି ପକାଇବ-। ମାତ୍ର, ଘୋଡ଼ାଟା ଧୀର ହୋଇ ଠିଆ ହୋଇଥାଏ । ପ୍ରଥମେ ଗୋଡ଼କୁ ଆଗ ଆଡ଼କୁ ହଲାଇଲା ଓ ପୁଣି ସେହିପରି ଛିଡ଼ାହୋଇ ରହିଲା । ପିଲାମାନଙ୍କୁ ଛୁଇଁବାକୁ ଭୟ କରୁଥିବା ପରି ସେମାନଙ୍କ ଆଡ଼କୁ ଆଖି ମିଞ୍ଜି ମିଞ୍ଜି କରି ଅନାଇ ରହିଥାଏ । ପିଲାମାନେ ଖେଳିବାରେ ଲାଗିଥାନ୍ତି-। ତା’ ପରେ ଘୋଡ଼ା ଥିରି କରି ପିଲା ଦୁହିଁଙ୍କ ଚାରିପାଖରେ ଥରେ ଘୁରିଗଲା ଓ ପୁଣି ଗାଆଁ ଭିତର ଦେଇ ଦଉଡ଼ିବାକୁ ଲାଗିଲା । ଲୋକମାନେ ତାକୁ ଧରିଲେ ଓ ଅସ୍ତାବଲ ଭିତରେ ନେଇ ପୂରାଇଦେଲେ ।

 

ଚୁଟିଆମୂଷା (ଫେଡ଼୍ୟା, ଚତୁର୍ଥଶ୍ରେଣୀ)

 

ଆମ ଦୁଆର ବାହାରେ କେତେକ ଚୁଟିଆମୂଷା ବସା କରିଛନ୍ତି । ସନ୍ଧ୍ୟା ହେଲେ ପୂରା ପରିବାରଟି ବାହାରକୁ ବାହାରି ଆସୁଛି ଏବଂ ପୋଖରୀ ଆଡ଼କୁ ଧାଉଁଛି । ସବାଆଗ ବୁଢ଼ା ଚୁଟିଆମୂଷାଟି ଯାଉଛି ଓ ପାଞ୍ଚୋଟିଯାକ ଛୁଆ ତା’ ପଛେ ପଛେ ଯାଉଛନ୍ତି । ମାଆ ଚୁଟିଆମୂଷା ସବା ପଛରେ ଥାଏ । ପୋଖରୀକୁ ଯାଇ ସେମାନେ କ’ଣ କରନ୍ତି ? ମୁଁ ଠଉରାଇବାକୁ ଚେଷ୍ଟା କଲି ଓ ତା’ପରେ ଯାଇ ଜାଣିଲି : ସେମାନେ ସେଠି ପାଣି ପିଅନ୍ତି ଓ ଧୁଆଧୋଇ ହୁଅନ୍ତି । ତା’ପରେ ଗୋଡ଼ର ପଂଝାଗୁଡ଼ିକ ସାହାଯ୍ୟରେ ମାଟିରେ ଗାତ ଖୋଳନ୍ତି ଏବଂ ଚେରମୂଳ ଯାହା ପାଆନ୍ତି ଖାଆନ୍ତି । ଏହି କାମଟି ବାପା ଓ ମାଆ ଚୁଟିଆମୂଷା କରନ୍ତି । ମାତ୍ର ଛୁଆମାନେ ଏଣିକି ତେଣିକି ଦୌଡ଼ିବାରେ ଲାଗିଥାନ୍ତି ଓ ଖେଳୁଥାଆନ୍ତି । ସେମାନେ ଏପରି ଗୋଟିଏ ନିକାଞ୍ଚନ କୋଣଜାଗା ଦେଖି ବସା କରିଛନ୍ତି, ଯେଉଁଆଡ଼କୁ କି କେହି ଯାଆସ କରନ୍ତି ନାହିଁ ।

 

ଦିନେ ହଠାତ୍ ଏକ କୁକୁର ଆସି ସେଠାରେ ପହଞ୍ଚି ଗଲା । ଆଗ ବୁଢ଼ା ଚୁଟିଆମୂଷା ଆଡ଼କୁ ଦୌଡ଼ିଲା । ବିଚରା ମୂଷାଟି ଏକ ପେଣ୍ଡୁ ପରି ଗୋଲ ହୋଇଗଲା ଓ ଥିର୍ ହୋଇ ପଡ଼ି ରହିଲା ଏବଂ ସବୁ ଚୁଟିଆମୂଷା ସେହିପରି ଗୋଟିଏ ପେଣ୍ଡୁ ପରି ହୋଇଗଲେ । କୁକୁର ଆଗ ବୁଢ଼ାକୁ ଦାନ୍ତରେ ଧରିଲା ଓ ପୋଖରୀ ଆଡ଼କୁ ପଳାଇଲା । ତାକୁ ନେଇ ପାଣିରେ ଛାଡ଼ିଦେଲା, ମାତ୍ର ମୂଷାଟି ପହଁରି କୂଳକୁ ଖେଳିବାକୁ ଆରମ୍ଭ କଲା, ମାତ୍ର ମୁଁ ଯାଇ କୁକୁରକୁ ହୁରୁଡ଼ାଇ ଦେଲି ।

 

ତହିଁ ଆରବର୍ଷ ବସନ୍ତଋତୁରେ କେବଳ ବୁଢ଼ା ଚୁଟିଆମୂଷାଟି ସେଠି ବସା କରି ରହିଥାଏ-। ଅନ୍ୟମାନେ କୁଆଡ଼େ ଗଲେ କେଜାଣି ? ହୁଏତ ଗୋଟାଏ କୋଉ ଅନ୍ୟ ଜାଗାକୁ ଚାଲିଯାଇଛନ୍ତି-। ମାତ୍ର ବଡ଼ଟି ଯିବାକୁ ଇଚ୍ଛା କରିନାହିଁ । ମୁଁ ପିଆଲାରେ କିଛି କ୍ଷୀର ନେଇ ଦୁଆରେ ରଖିଦେଲି । ଚୁଟିଆ ମୂଷାଟି ଆସି ପିଇବାକୁ ଲାଗିଲା । ସିଏ ଆଉ ମୋଟେ ଡରିଲା ନାହିଁ । ମୁଁ ତାକୁ କେତେ ଗେଲ କଲି । ଆଲୁଅ ଲଗାଇଦେଲି । ଚୁଟିଆମୂଷାଟି ଆଲୁଅ ସାମନାରେ ଛିଡ଼ା ହୋଇ ସେହିଆଡ଼କୁ ଅନାଇଥାଏ । ମୁଁ ଗୋଟାଏ ପୁରୁଣା ଖବରକାଗଜ ନେଇ ଚଟାଣ ଉପରେ ପାରିଦେଲି । ମୂଷାଟି ସେଇଟିକୁ ନେଇ ଖେଳିବାକୁ ଆରମ୍ଭ କଲା । ରାତି ହେଲାରୁ ସିଏ ଦୁଆରେ ଥିବା ତା’ନିଜ ଘରକୁ ଚାଲିଗଲା ।

 

ଆର୍ତେମ୍ ମିଖାଇଲୋଭିଚ୍–ବୁଡ଼େନିର ଜଣେ ସୈନିକ (ଡାଙ୍କୋ, ଚତୁର୍ଥ ଶ୍ରେଣୀ)

 

ଆର୍ତେମ୍ ମିଖାଇଲୋଭିଚ୍ ଆମ ତରୁଣ ପୁରୋଗାମୀମାନଙ୍କର ସଭାମାନଙ୍କରେ ଯୋଗ ଦେଉଥିଲେ । କୋଠଚାଷରେ ସିଏ ପରିବା ବଗିଚାରେ କାମ କରନ୍ତି । ଆମେ ତାଙ୍କୁ ଖାଲି ଜଣେ ଅଜା ବୋଲି ଭାବିଥିଲୁ, ମାତ୍ର ସିଏ ବୁଡ଼େନିର ଜଣେ ସୈନିକ ମଧ୍ୟ ଥିଲେ, ୧୯୧୮-୨୨ ର ଗୃହଯୁଦ୍ଧରେ ବୀର ପରି କାର୍ଯ୍ୟ କରିଥିଲେ । ସିଏ ଦିନେ ପହରା ଦେଉଥିବା ସମୟରେ କିପରି ଶତ୍ରୁପକ୍ଷକୁ ଆକ୍ରମଣ କରିଥିଲେ, ଆମକୁ ସେକଥା କହୁଥିଲେ । ଦିନେ ଯୁଦ୍ଧରେ ଆହତ ହୋଇ ଶତ୍ରୁପକ୍ଷର ସୈନ୍ୟମାନଙ୍କ ଦ୍ୱାରା ବନ୍ଦୀ ହେଲେ । ସେମାନେ ତାଙ୍କୁ ଗୁଳି କରି ମାରିଦେବାକୁ ନେଇଗଲେ । ମାତ୍ର, ପ୍ରାଣରୁ ମାରିଲେ ନାହିଁ ଓ ଆହୁରି ଅଧିକ ଆହତ କରି ଛାଡ଼ି ଦେଇଗଲେ । ସିଏ ଘୁଷୁରି ଘୁଷୁରି ଆସି ଜଣେ ଚାଷୀର କୁଡ଼ିଆରେ ଆଶ୍ରୟ ମାଗିଲେ । ସେମାନେ ତାଙ୍କୁ ଭାଡ଼ି ତଳେ ଲୁଚାଇ ରଖିଲେ ଓ ଭଲ କରାଇଲେ । ସିଏ ପୁଣି ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲେ । ଆମ ଅଜା ଆର୍ତେମ୍ ମିଖାଲୋଭିଚ୍ ହେଉଛନ୍ତି, ଏହିପରି ଜଣେ ବ୍ୟକ୍ତି । ମୁଁ ଠିକ୍ ତାଙ୍କରି ଭଳି ହେବାକୁ ଇଚ୍ଛା କରୁଛି ।

 

ବିଜୟ-ଦିବସର ପାଳନ (ଭୋଲୋଡ଼୍ୟା, ତୃତୀୟ ଶ୍ରେଣୀ)

 

ବିଜୟ-ଦିବସ ଆସି ପହଞ୍ଚିଲା । ଠିକ୍ ଏହି ଦିନ ଯୁଦ୍ଧ ଶେଷ ହୋଇଥିଲା । ଆମ ସୋଭିଏତ୍ ସେନାବାହିନୀ ଫାସିଷ୍ଟମାନଙ୍କ ଉପରେ ବିଜୟୀ ହୋଇଥିଲେ । ତୋପ ଓ ଗୁଳିଗୁଳାର ଶବ୍ଦମାନ ବନ୍ଦ ହେଲା । ଏବେ, ପ୍ରତିବର୍ଷ ଏହି ଦିନଟିରେ ରାଜ୍ୟର ଅଧିବାସୀ ସେମାନଙ୍କର ବିଜୟଟିକୁ ପାଳନ କରନ୍ତି ଏବଂ ପ୍ରାଣବଳି ଦେଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରନ୍ତି । ଭ୍ଲାଡ଼ିମିର୍ ଇଲିଚ୍ ଲେନିନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ ଏବଂ ସବୁ ଲୋକଙ୍କୁ କହିଥିଲେ, “ଇଉକ୍ରେନ୍, ରୁଷିଆ, ଶ୍ୱେତରୁଷିଆ ଓ ମଲଡ଼େଭିଆ, –ହେ ସବୁ ଅଞ୍ଚଳର ଅଧିବାସୀମାନେ, –ତୁମେମାନେ ଏକାଠି ହୁଅ ଓ ଶାନ୍ତିରେ ବାସ କର,–ତେବେ ତୁମମାନଙ୍କୁ କେହି ପରାସ୍ତ କରି ପାରିବ ନାହିଁ ।”

 

ସାମୂହିକ ଭାବରେ ମଧ୍ୟ ଆମେ କେତେକ ରଚନା ପ୍ରସ୍ତୁତ କରୁଥିଲୁ । ଶରତଋତୁର ଏକ ମେଘ ଘୋଡ଼ାଇଥିବା ଦିନରେ ପିଲାମାନେ ସ୍ୱପ୍ନ ଦେଖିବାର ସେହି କୋଣଟିରେ ବସିଲେ । ମଝିରେ ନିଆଁ ଜଳୁଥାଏ । ମୁଁ ସେମାନଙ୍କୁ ଦୂରଦୁରାନ୍ତର ଗ୍ରୀଷ୍ମପ୍ରଧାନ ଦ୍ୱୀପଗୁଡ଼ିକର କଥା କହୁଥାଏ-। କୌଣସି ଏକ କାରଣରୁ ପିଲାମାନେ ସେବର୍ଷର ଗ୍ରୀଷ୍ମକାଳର ଗରମକୁ ମନେ ରଖିଥିଲେ–ନଈକୁ ମନେ ରଖିଥିଲେ, ତରଭୁଜ କିଆରୀରେ ଆମେ କଟାଇଥିବା ଛୁଟିଟିକୁ ବି ମନେ ରଖିଥିଲେ । ସେହିସବୁ ମନେ ରଖିବାରୁ ରଚନାଟିଏ ତିଆରି ହୋଇଗଲା ଏବଂ ପରେ ପିଲାମାନେ ତାହାକୁ “ଆମ ମାତୃଭାଷା” ଖାତାରେ ଲେଖି ରଖିଥିଲେ ।

 

ତରଭୁଜ କିଆରୀରେ ଆମେ କିପରି ରହିଥିଲୁ

 

ତାତିଲା ମାଟି ଉପରେ ବଡ଼ ବଡ଼ ତରଭୁଜ ସବୁ ଗଡ଼ୁଥାନ୍ତି । ନୀଳ, ସବୁଜ ଓ ଫିକାସବୁଜ କେତେ ରଙ୍ଗର ତରଭୁଜ । ସକାଳକୁ ସେଗୁଡ଼ିକ ଉପରେ କାକର ପଡ଼ିଯାଇଥାଏ । ଭାରି, ଭାରି ଥଣ୍ଡା ଲାଗୁଥାଏ । ଘାସ ଉପରେ କାକର ପଡ଼ିଥାଏ, ଆମ କୁଡ଼ିଆଟି ଉପରେ ମଧ୍ୟ କାକର ପଡ଼ିଥାଏ । ଦିନେ ଡାଙ୍କୋ ବଡ଼ି ସକାଳୁ ଉଠିଲା ଓ କିଆରୀରୁ ଗୋଟାଏ ବଡ଼ ତରଭୁଜ ତୋଳି ଆଣିଲା । ତାକୁ ଖଣ୍ଡ କରି କାଟିଲା । ଅନ୍ୟମାନେ ଯେମିତି ଜଣ ଜଣ କରି ଉଠୁଥାନ୍ତି, ସେ ସେମାନଙ୍କୁ ଖଣ୍ଡେ ଖଣ୍ଡେ ଥଣ୍ଡା ତରଭୁଜ ଦେଉଥାଏ । କହୁଥାଏ, “ଯିଏ ସବା ଶେଷକୁ ଯାଇ ଉଠିବ, ସିଏ ତରଭୁଜର ମଝି ସୁଆଦିଆ “ବୁଢ଼ାଟିକୁ” ପାଇବ ।” ସମସ୍ତେ ଉଠିଗଲେ, କେବଳ ସାଶା ଉଠି ନଥାଏ । ଆମେ ସମସ୍ତେ ବସି ଅପେକ୍ଷା କରିଥାଉ–ସିଏ କେତେବେଳେ ନିଦରୁ ଉଠିବ-? ଅପେକ୍ଷା କରି କରି ବିରକ୍ତ ଲାଗିଲା ଏବଂ ଆମେ ସେହି “ବୁଢ଼ା” ଅଂଶଟିକୁ ନିଜେ ଖାଇଦେଲୁ-। ଆମେ ଆଉ ଗୋଟାଏ ତରଭୁଜ ଆଣିଲୁ । ତାହାରି ମଝି ଅଂଶଟା ସାଶାକୁ ଦେଲୁ-

 

ସକାଳଟା ଖୁବ୍ ଶାନ୍ତ ଲାଗୁଥାଏ, ଚାରିଆଡ଼େ କୁହୁଡ଼ି ଘୋଟି ହୋଇ ରହିଥାଏ । ପର୍ବତ ଅତଡ଼ା ପାଖରୁ ମାଡ଼ି ମାଡ଼ି କୁହୁଡ଼ି କିଆରୀ ଗୋଟାଯାକ ଆଚ୍ଛାଦିତ ହୋଇ ରହିଥାଏ । ମେଘ ଉଢ଼ୁଆଳରୁ ସୂର୍ଯ୍ୟ ଉଙ୍କିମାରି ବାହାରି ଆସିଲା, ତରଭୁଜମାନଙ୍କ ଉପରେ ବି ସୂର୍ଯ୍ୟକିରଣ ପଡ଼ିଲା । ମନେ ହେଉଥାଏ, ସେଗୁଡ଼ିକ ଯେପରି ମୋଟେ ତରଭୁଜ ନୁହନ୍ତି, –ସେଗୁଡ଼ିକ ହେଉଛନ୍ତି କାଚରେ ତିଆରି ଗୋଟିଏ ଗୋଟିଏ ଗାଢ଼ନୀଳ, ସବୁଜ ଓ ଧୂସର ରଙ୍ଗର ପେଣ୍ଡୁ, –ଏବଂ ଗୋଟିଏ ଧଳା ନଈର ସୁଅରେ ଭାସି ଚାଲି ଯାଉଛନ୍ତି ।

 

ଦିନବେଳେ ତରଭୁଜ କିଆରି ଉପରେ ଗୋଟାଏ । ଗରମ ପବନ ବହିଗଲା । ନୀଳ ଆକାଶରେ ଚାତକମାନେ ଗୀତ ଗାଉଥାନ୍ତି । ସେମାନେ କାହିଁକି ତରଭୁଜ କିଆରୀରେ ଓହ୍ଲାଇଲେ ନାହିଁ ? ଚାତକମାନେ କାହିଁକି କେବଳ ଗହମ, ଯଅ ବା ବାଜରା କିଆରୀରେ ବସା ତିଆରି କରନ୍ତି ଓ ଛୁଆ ପାଳନ୍ତି, –ଏବଂ ଅଧିକତମ କ୍ଷେତ୍ରରେ ସୁଆଁ କ୍ଷେତରେ ?

 

ତରଭୁଜ କିଆରୀର ସେପାଖର ପାହାଡ଼–ଅତଡ଼ା ପାଖରେ ଆମେ ଏକ ପିମ୍ପୁଡ଼ିହୁଙ୍କାର ସନ୍ଧାନ ପାଇଗଲୁ । ପିମ୍ପୁଡ଼ିମାନେ କିପରି ଡଗଡଗ ହୋଇ କୁଆଡ଼େ ଏଣେ ତେଣେ ଧାଉଁଥିଲେ, ସେକଥା ଅଜାଙ୍କ ଆଖିରେ ପଡ଼ିଯାଇଥିଲା । ସିଏ କହିଲେ ଯେ ପାଖରେ ନିଶ୍ଚୟ ଗୋଟାଏ ପିମ୍ପୁଡ଼ିହୁଙ୍କା ରହିଛି ଏବଂ ପିମ୍ପୁଡ଼ିମାନେ ହିଁ ଆମକୁ ସେହି ଖବରଟି କହିଦେଇ ପାରିବେ । ପିମ୍ପୁଡ଼ିମାନଙ୍କର ଯିବା ବାଟରେ ସିଏ କେତେ ଖଣ୍ଡ ମିଠା ତରଭୁଜ ନେଇ ରଖିଦେଲେ । ପିମ୍ପୁଡ଼ିମାନେ ତତ୍‌କ୍ଷଣାତ୍‌ ସେଗୁଡ଼ିକ ଉପରେ ଆସି ବେଢ଼ିଗଲେ । ସେମାନେ ସେଥିରୁ ଖଣ୍ଡେ ଖଣ୍ଡେ ଦାନା ଧରି କିପରି ବୋହିନେଲେ, ଆମେ ସେକଥା ଦେଖୁଥାଉ । ଆମେ ସେମାନଙ୍କ ପଛେ ପଛେ ଯାଇ ହୁଙ୍କା ପାଖରେ ପହଞ୍ଚିଲୁ । ସାନ ମାଟିଆ ରଙ୍ଗର ହୁଙ୍କାଟି ସତେ ଅବା ଗୋଟିଏ ଜୀବନ୍ତ କ’ଣଟିଏ ପରି ଦେଖାଯାଉଥାଏ । ପିମ୍ପୁଡ଼ିମାନେ ବୋହି ଆଣୁଥିବା ପଦାର୍ଥଗୁଡ଼ିକୁ କୁଆଡ଼େ ଭିତର ଆଡ଼କୁ ନେଇ ଚାଲିଯାଉଥାନ୍ତି ଏବଂ ପୁଣି ତରଭୁଜ କିଆରୀକୁ ଫେରି ଆସୁଥାନ୍ତି । ପିମ୍ପୁଡ଼ିମାନେ ଜଙ୍ଗଲ ପାଇଁ ଓ ମଣିଷମାନଙ୍କ ପାଇଁ ଯେ କେତେ ଉପକାର କରନ୍ତି, ଅଜା ଆମକୁ ସେକଥା କହିଥିଲେ । ଗୋଟିଏ ଗୋଟିଏ ହୁଙ୍କା କେତେ ମାଣ ଜଙ୍ଗଲକୁ ପୋକମାନଙ୍କର କବଳରୁ ରକ୍ଷା କରିଥାଏ । ଆମେ ସେହି ହୁଙ୍କାଟିକୁ ନିରାପଦ ରଖିବାକୁ ଆରମ୍ଭ କଲୁ ଏବଂ ଅଜା ଆମକୁ ନୂଆ ହୁଙ୍କାମାନ ତିଆରି କରିବାର ଉପାୟ ମଧ୍ୟ ବତାଇ ଦେଲେ ।

 

ଆମେ ସେଠୁ ଘରକୁ ଗଲାବେଳେ ଅଜା ପ୍ରତ୍ୟେକଙ୍କୁ ଗୋଟିଏ କରି ବଡ଼ ତରଭୁଜ ଦେଲେ । ବହୁଦିନ ପାଇଁ ତରଭୁଜଗୁଡ଼ିକ ଆମ ଝରକା ଉପରେ ରହିଲେ । ସେଗୁଡ଼ିକୁ ଦେଖି ଆମେ ତାତିଲା ପବନକୁ, ବିସ୍ତୀର୍ଣ୍ଣ ତୃଣଭୂମିକୁ, ଚାତକମାନଙ୍କୁ, ଅଜାଙ୍କୁ ଓ ଆମଠାରୁ ଖଣ୍ଡେ ଦୂରରେ ବାସ କରୁଥିବା ଝିଣ୍ଟିକାର ଗୀତକୁ ମନେ ପକାଇ ପାରୁଥିଲୁ । ସେଇ ଝିଣ୍ଟିକାଟି ଏବେ କେଉଁଠି ଥିବ କେଜାଣି ।

 

ଭାଷାର ସୌନ୍ଦର୍ଯ୍ୟ କବିତାରେ ହିଁ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଫୁଠି ଉଠିଥାଏ । କବିତା ଅଥବା ଗୀତଗୁଡ଼ିକ ଦ୍ୱାରା ଅନୁପ୍ରାଣିତ ହୋଇ ପିଲାମାନେ ଶବ୍ଦଗୁଡ଼ିକ ମଧ୍ୟରେ ରହିଥିବା ସାଂଗୀତିକତାକୁ ଶୁଣିବାକୁ ଇଚ୍ଛା କରୁଥିବା ପରି ମନେ ହୁଏ । ସେଥିଲାଗି ପିଲାମାନେ କବିତାଗୁଡ଼ିକୁ ମୁଖସ୍ଥ ବି କରିପକାନ୍ତି । ଯେଉଁସବୁ ଶବ୍ଦ ପିଲାର ଆତ୍ମାକୁ ଗଭୀରରେ ଭେଦ କରି ଯାଇଥାଏ, ସେଗୁଡ଼ିକର ପୁନରାବୃତ୍ତି କରି ସେ ପ୍ରକୃତ ସନ୍ତୋଷ ଲାଭ କରିଥାଏ, ପିଲାମାନେ ଯେପରି କାବ୍ୟିକ ଭାଷାର ସଂଗୀତମୟତାକୁ ଅନୁଭବ କରିବେ ଓ ଅଙ୍ଗେ ନିଭାଇବେ, ମୁଁ ସେଥିଲାଗି ମଧ୍ୟ ଚେଷ୍ଟା କରିଥିଲି । ପାରିପାଶ୍ୱିର୍କ ପୃଥିବୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ରହିଥିଲା ବେଳେ ପ୍ରକୃତିର କ୍ରୋଡ଼ରେ ସେହିସବୁ ମୁହୂର୍ତ୍ତରେ ମୁଁ ସେମାନଙ୍କ ଲାଗି କବିତା ଆବୃତ୍ତି କରୁଥିଲି । ଦିନେ ବଡ଼ ଅପ୍ରତ୍ୟାଶିତ ଭାବରେ ଆମେ କ୍ଷେତ ଦେଖିବାକୁ ଗଲୁ; ଆମ ଆଗରେ ପୁଷ୍କରିଣୀଟିର ଅପୂର୍ବ ଶୋଭା ବିସ୍ତାରିତ ହୋଇ ରହିଥିଲା, ତା’ର ଥିର ଜଳ ଉପରେ ଉଇଲୋ ଗଛମାନଙ୍କର ଛାଇ ପଡ଼ିଥାଏ । ପିଲାମାନଙ୍କ ପାଇଁ ମୁଁ ପ୍ରକୃତି ବିଷୟରେ ଲେଖା ହୋଇଥିବା କେତେ ଧାଡ଼ୀ କବିତା ଆବୃତ୍ତି କଲି । ସେମାନେ ମଧ୍ୟ ମୋ’ ସହିତ ଆବୃତ୍ତି କରୁଥାନ୍ତି । ସେହି ଆନନ୍ଦରେ ସେମାନେ ମଧ୍ୟ ଏପରି ଗୋଟିଏ ଭାଷା ସୃଷ୍ଟି କରିପାରିବା ଲାଗି ଇଚ୍ଛା କଲେ, ଯାହାକି ସଂଗୀତର ମୂର୍ଚ୍ଛନାରେ ଝଙ୍କୃତ ହୋଇ ଉଠିବ । ସେମାନଙ୍କର ହୃଦୟ କାବ୍ୟିକ ପ୍ରେରଣାରେ ଅଭିଭୂତ ହୋଇ ରହିଥିଲା । ତା’ପରେ ସେହି କୁନି କୁନି ପୁଅ ଓ ଝିଅମାନେ ନିଜେ କବିତା ଲେଖି ବସିଲେ । ପ୍ରଥମେ ଲାରିସା କ୍ଷେତ ଉପରେ ଏକାବେଳେକେ କେତେ ନା କେତେ ଦୂରକୁ ଚାହିଁ ରହିଲା; ତା’ର ଆଖିଗୁଡ଼ିକ ନିଆଁ ପରି ଝଲସି ଉଠିଥାଏ ଏବଂ ସିଏ ତା’ପରେ ଅତ୍ୟନ୍ତ ଧୀର ଭାବରେ କେତୋଟି ଶବ୍ଦ ଉଚ୍ଚାରଣ କଲା, ସେଗୁଡ଼ିକ ଏହିପରି ଶୁଭୁଥାଏ :

 

“ଗହମର ହଳଦିଆ କିଆରୀରେ

ତରଙ୍ଗ ପରେ ତରଙ୍ଗ ଉଠୁଛି,”

“ସୂର୍ଯ୍ୟର କିରଣରେ କଳା ନେଳିଆ ପାହାଡ଼ମାନେ

କମ୍ପି ଉଠୁଛନ୍ତି ।”

 

ସମସ୍ତେ ଶିହରି ଉଠିଲେ; ସେମାନେ ସମସ୍ତେ ଶବ୍ଦରୁ ସଙ୍ଗୀତ ସୃଷ୍ଟି କରିବା ପାଇଁ ଇଚ୍ଛା କଲେ । ନିଜର ଅନୁଭୂତି, ଭାବନା ଏବଂ ଅଙ୍ଗେ ନିଭାଇଥିବା ପୃଥିବୀକୁ ବ୍ୟକ୍ତ କରି ଆଣିବାକୁ ସେମାନେ ସତେଅବା ଏକ ବାଟ ପାଇଗଲେ ! ପିଲାର ହୃଦୟରେ କାବ୍ୟର ପ୍ରେରଣାକୁ ଜାଗୃତ କରି ଆଣିବାର ଅର୍ଥ ହେଉଛି, ତା’ଲାଗି ଆଉ ଗୋଟିଏ ଜୀବନଦାୟୀ ଉତ୍ସକୁ ଉନ୍ମୋଚିତ କରିଦେବା-। ଏଥିରେ ଏହି ବିଶେଷ ଶକ୍ତିଟି ନିହିତ ହୋଇ ରହିଛି ଯେ, ଏଥିରେ କେବଳ କୌଣସି ବସ୍ତୁ ବା ଘଟଣା ଯେ ଶବ୍ଦର ମାଧ୍ୟମରେ ଅଭିବ୍ୟକ୍ତ ହୋଇଆସେ ତା’ନୁହେଁ, ଅତ୍ୟନ୍ତ ଗଭୀର ଭାବରେ ନିଜର ବ୍ୟକ୍ତିଗତ ଭୂମିରେ ମଧ୍ୟ ଅବବୋଧଗୁଡ଼ିକୁ ଅନୁଭବ କରିହୁଏ ।

 

ପିଲାମାନେ ଜଣେ ଜଣେ ତରୁଣ କବି ହୋଇ ବାହାରିବେ ବୋଲି ଯେ ସେମାନଙ୍କୁ କବିତା ରଚନା କରିବାର ସର୍ଜନାତ୍ମକତା ବିଷୟରେ ଶିକ୍ଷା ଦିଆଯିବ, ସେକଥା ଆଦୌ ନୁହେଁ, ମାତ୍ର ତଦ୍ଦ୍ୱାରା ପ୍ରତ୍ୟେକ ଶିଶୁ ହୃଦୟ ମଧ୍ୟରେ ଏକ ଉଦାରତା ଅବଶ୍ୟ ସମ୍ଭବ କରିହେବ । ପିଲାମାନଙ୍କର ହୃଦୟରେ କାବ୍ୟପ୍ରେରଣାର ଜାଗୃତି ଘଟାଇବା ଲାଗି ମୁଁ ପ୍ରତ୍ୟେକ ସୁଯୋଗର ବ୍ୟବହାର କରିଥିଲି, ଯେପରିକି ସେମାନଙ୍କର ଆତ୍ମାରେ ଭାଷା ମଧ୍ୟ ଏକ ବ୍ୟକ୍ତିଗତ ଧ୍ୱନ୍ୟାତ୍ମକତା ଅର୍ଜନ କରିବାକୁ ସମର୍ଥ ହେବ ।

 

ଶୀତଋତୁର ଏକ ଶାନ୍ତ ସକାଳ ସମୟ । ଗଛମାନେ ଶୁଭ୍ର ହିମରେ ଆଚ୍ଛାଦିତ ହୋଇ ରହିଥାନ୍ତି । ଡାଳଗୁଡ଼ିକରୁ ସାନ ଓ ସୂକ୍ଷ୍ମ ତୁଷାର ଛୁଞ୍ଚିମାନ ଓହଳି ରହିଥାନ୍ତି । ସତେ ଯେପରି ସେଗୁଡ଼ିକୁ କିଏ ରୂପାରୁ ତିଆରି କରି ଖଞ୍ଜି ଦେଇଛି ! ଆମେ ସମସ୍ତେ ସ୍କୁଲ ବଗିଚାକୁ ଗଲୁ । ସେହି ଅଦ୍ଭୂତପୂର୍ବ ସୌନ୍ଦର୍ଯ୍ୟକୁ ଯେପରି ନଷ୍ଟ କରି ଦିଆନଯାଏ, ସେଥିଲାଗି ଡାଳମାନଙ୍କରେ ହାତ ମାରିବାକୁ ବି ମନ ହେଲା ନାହିଁ । ଆମେ ଗୋଟିଏ ଜାଗାରେ ଠିଆ ହେଲୁ ଏବଂ ମୁଁ ଶୀତଋତୁର ସୌନ୍ଦର୍ଯ୍ୟ ଉପରେ କବି ପୁଷ୍ଟିନ୍ ଓ ହାଇନେଙ୍କର କବିତାମାନ ଆବୃତ୍ତି କଲି । ସେହି କବିତା ଏବଂ ସେହି ସୋନ୍ଦର୍ଯ୍ୟର ମନ୍ତ୍ରାକର୍ଷଣରେ ପିଲାମାନେ ବି ହିମ ଦ୍ୱାରା ଆଚ୍ଛାଦିତ ବୃକ୍ଷଗୁଡ଼ିକୁ ବର୍ଣ୍ଣନା କରିବା ଲାଗି ଶବ୍ଦମାନ ପାଇଗଲେ । ସେମାନେ ଏକାଠି ବସି ତାହା କଲେ । ପ୍ରତ୍ୟେକ ଥର ଗୋଟିଏ ଦଳ ମଶି କବିତା ତିଆରି କଲେ । ଆମେ ଏକାଧିକ ଥର ସେହି ହିମାବୃତ ବଗିଚା ଭିତରକୁ ଆସିଥିଲୁ । ଆଗରୁ ଗପଗୁଡ଼ିକରେ ସ୍ଥାନ ପାଇଥିବା ଅଦ୍ଭୁତ ଚିତ୍ରରୂପ ଗୁଡ଼ିକ କବିତାଟି ମଧ୍ୟରେ ଜୀବନ୍ୟାସ ଲାଭ କରିଥିଲା :

 

ଗୋଟିଏ ସୁନାଚୂଲି ହାତରେ ଧରି

କୁହୁକ କମାରଟି ଆସିଲା,

ସେଥିରେ ରୂପାକୁ ତରଳାଇଲା ଓ

ସେହି ତରଳା ରୂପାରେ ବଗିଚାର ଗଛଗୁଡ଼ିକୁ ଢାଙ୍କିଦେଲା ।

ସିଏ ରାତିଯାକ ସେହି କାମଟି କରୁଥିଲା....

ସୁନାର ହାତୁଡ଼ିକୁ ଢୁ’ଢୁ’ କରି ପିଟୁଥିଲା.....

ଆମ ବଗିଚାଟାଯାକ ରୂପାଛାଉଣି ହୋଇଗଲା

ଗୋଟିଏ ଛୁଞ୍ଚି ଆଉ ଗୋଟିଏ ଛୁଞ୍ଚିକୁ ଲାଗିକରି ରହିଛି,

ଏବଂ ବଗିଚାରେ କେତେ ବାଜଣା, କେତେ ବାଜଣା ବାଜୁଛି,

ମାତ୍ର, ସେଇ କୁହୁକ କମାରଭାଇ କୁଆଡ଼େ ଗଲା କହିଲ ?

ସିଏ ପୁଣି ସେଇ ସୂର୍ଯ୍ୟ ପାଖକୁ ପଳାଇ ଯାଇଛି,

ତା’ର ସୁନାର ଡେଣାରେ ଉଡ଼ି ଉଡ଼ି ।

ସେଠାରୁ ସିଏ ଆହୁରି ରୂପା ଆଣିବ,

ନିଜ ମୁଣିରେ ପୂରାଇବ,ପୁଣି

ଆମ ପାଖକୁ ଉଡ଼ି ଆସିବ । ପୁଣି ରୂପା ତରଳା ହେବ ?

ଏବଂ ବଗିଚା ଗୀତ ଗାଇ ଉଠିବ.....

କିନ୍ତୁ ସୂର୍ଯ୍ୟ କମାରର ବାଟ ଚାହିଁ ବସିଛି.....

ତୁ କୁଆଡ଼େ ଉଡ଼ି ଚାଲିଗଲୁରେ ସାଙ୍ଗ ?

ସେଠାରେ ଏତେ ବେଳଯାଏ କ’ଣ କରୁଛୁ,

ବଗିଚାରେ ମୋ’ ରୂପାଗୁଡ଼ାକୁ ତରଳାଇବାରେ ଲାଗିଛୁ ?

ତୁ କ’ଣ ଭୁଲିଗଲୁ କିରେ,

ତୋତେ ମୋ’ହାରଟାକୁ ମଧ୍ୟ ତିଆରି କରିବାକୁ ହେବ ?

ଏବଂ, ସିନ୍ଦୁର ବର୍ଣ୍ଣର ସୂର୍ଯ୍ୟକିରଣ

ଆମ ରୂପା ବଗିଚା ଭିତରକୁ ଉଙ୍କି ମାରୁଛି ।

ଏବଂ, ତା’ର ସୌନ୍ଦର୍ଯ୍ୟକୁ ଦେଖି,

ସୂର୍ଯ୍ୟ ଏକାବେଳେକେ ଅବାକ୍.....

 

ପିଲାମାତ୍ରେକେ ଜଣେ ଜଣେ କବି । କ’ଣ ଗୋଟାଏ ଆଚମ୍ଭିତ କଥା ଘଟିବ ଓ ତା’ପରେ ଯାଇ ପିଲା ଭିତରକୁ କାବ୍ୟର ପ୍ରେରଣା ଆସିବ, ଏଥିଲାଗି ଅପେକ୍ଷା କରି ରହିବାଟା ଅତ୍ୟନ୍ତ ନିର୍ବୋଧତା ହେବ । ପ୍ରକୃତିଦତ୍ତ ପ୍ରତିଭା ବିଷୟରେ ମୁଁ ମୋଟେ ଭାବପ୍ରବଣ ହୋଇ କିଛି ବିଶ୍ୱାସ କରେ ନାହିଁ; ପ୍ରତ୍ୟେକ ପିଲା ସ୍ୱଭାବତଃ ଜଣେ କବି ବୋଲି ମୁଁ ଆଦୌ ଭାବେ ନାହିଁ । ଜଣେ ମନୁଷ୍ୟ ସୌନ୍ଦର୍ଯ୍ୟକୁ ଅନୁଭବ କଲେ ଯାଇ ତା’ର ଆତ୍ମା ଭିତରେ କବିଟିଏ ଜାଗି ଉଠେ । ଏହି ଅନୁଭବଟିର କର୍ଷଣ ବ୍ୟତୀତ ପିଲା ସୌନ୍ଦର୍ଯ୍ୟ ଏବଂ ଭାଷା ପ୍ରତି ଉଦାସୀନ ହୋଇ ରହିଥାଏ, ଏପରି ଗୋଟାଏ ପ୍ରାଣୀ ହୋଇ ରହିଯାଏ, ଯାହାପାଇଁ ପୋଖରୀ ଭିତରକୁ ଟେକାଟିଏ ଫୋପାଡ଼ିବା ଏବଂ ବୁଲବୁଲ୍ ଚଢ଼େଇ ଗୀତ ଗାଇବା ମଧ୍ୟରେ ଆଦୋ କୌଣସି ଫରକ୍ ନଥାଏ । ପିଲାକୁ କାବ୍ୟର ପ୍ରେରଣା ଆଣି ଦେବା, ତା’ର କାବ୍ୟିକ ସର୍ଜନାତ୍ମକତାର ଜୀବନ୍ତ ଉତ୍ସରଣଟିଏ ସମ୍ଭବ କରିବା, ଏଗୁଡ଼ିକ ତାକୁ ବହି ପଢ଼ି ଶିଖାଇବା ଓ ଅଙ୍କ କଷି ଶିଖାଇବା ପରି ସମାନ ଭାବରେ ମହତ୍ତ୍ୱପୂର୍ଣ୍ଣ । କେତେକ ପିଲଙ୍କ ଭିତରେ ଏହି ଉତ୍ସଟି ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରଖର ଭାବରେ ପ୍ରବାହିତ ହେଉଥାଏ । କେତେକ ପିଲାଙ୍କ ଭିତରେ ମୁଁ ଦେଖିବାକୁ ପାଇଥିଲି ଯେ, କାବ୍ୟପ୍ରେରଣା ଲାଭ କରି ସେମାନେ କ୍ଷଣକ ସକାଶେ ଆଖି ବୁଜି ଆଦୌ କୁଆଡ଼େ ପଳାଇ ଯାଆନ୍ତି ନାହିଁ । ଅଥବା ସେମାନଙ୍କ ଭିତରେ ହଠାତ୍ କୌଣସି ନିଆଁ ଆଦୌ ଜଳିଉଠେ ନାହିଁ, –ସେମାନଙ୍କ ହୃଦୟରେ ତାହା ଏକ ସତତ ଆତ୍ମିକ ଆବଶ୍ୟକତା ରୂପେ ବିଦ୍ୟମାନ ରହିଥାଏ ।

 

କାବ୍ୟର ସର୍ଜନାତ୍ମକତା ହେଉଛି, ଭାଷା ବିକାଶର ସର୍ବୋଚ୍ଚ ସ୍ତର ଏବଂ ତାହା ମନୁଷ୍ୟ ବିକାଶର ଅସଲ ମର୍ମଟିକୁ ହିଁ ଅଭିବ୍ୟକ୍ତ କରି ଆଣିଥାଏ । ପ୍ରତ୍ୟେକ ମନୁଷ୍ୟ ଏହି କାବ୍ୟଗତ ସର୍ଜନାତ୍ମକତାକୁ ଅବଶ୍ୟ ଅନୁଭବ କରିପାରିବ । ଏଥିପାଇଁ କୌଣସି ବିଶେଷ ମେଧାର ଆବଶ୍ୟକତା ନଥାଏ, ମାତ୍ର ତାହା ବ୍ୟକ୍ତିର ଜୀବନରେ ଏକ ଉଦାତ୍ତତା ଆଣି ଦେଇଥାଏ । ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ସର୍ଜନାତ୍ମକତାର ଏହି ଅତ୍ୟନ୍ତ ସୂକ୍ଷ୍ମ କ୍ଷେତ୍ରଟି ଅତ୍ୟନ୍ତ ଗଭୀର ଭାବରେ ବ୍ୟକ୍ତିଗତ ହୋଇ ରହିଥିବ, ପ୍ରତ୍ୟେକ ପିଲା ପାଇଁ ତା’ ହୃଦୟର ଏକ ବ୍ୟାପାର ହୋଇ ରହିଥିବ ।

 

ତୃତୀୟ ଶ୍ରେଣୀରେ ଲାରିସା, ସାନ୍ୟା, ସେରୋଝା, କାଟ୍ୟା, ଭାରା, କୋଲ୍ୟା, ଟାନ୍ୟା ଏବଂ ଲିଡ଼ା ନିଜେ ଗୋପନରେ ରଚନା କରିଥିବା ପଦ୍ୟଗୁଡ଼ିକୁ ଏକୁଟିଆ ଆସି ମୋ’ପାଖରେ ଆବୃତ୍ତି କରିବାକୁ ଆରମ୍ଭ କରିଦେଇଥିଲେ । ଟିକିଏ ଅଧିକ ବୟସର ଅନ୍ୟ ପିଲାମାନେ ମଧ୍ୟ କବିତା ବନାଉଥିଲେ ବୋଲି ମୁଁ ଜାଣିଥିଲି, ମାତ୍ର ସେମାନେ ଲାଜରେ ସେମାନଙ୍କର ସେହି ଆଗ୍ରହଟି ବିଷୟରେ କୌଣସି କଥା ପକାଉନଥିଲେ । ଏବଂ, ସେହି କଥାଟି ମଧ୍ୟ ଅତ୍ୟୁତ୍ତମ ଥିଲା ।

 

ପିଲାମାନେ କବିତା ରଚନା କରିବାରେ ଅସାଧାରଣ ବୋଲି ଆଦୌ କିଛି ନାହିଁ । ଆମେ ଏହାକୁ ଆତ୍ମିକ ଶକ୍ତିର ଏକ ସାଧାରଣ କ୍ରିୟାଶୀଳତା ବୋଲି ଜାଣିବା, –ଏହାକୁ ଏକ ସାଧାରଣ ସର୍ଜନାତ୍ମକ ଅଗ୍ନିଶିଖାଟିଏ ବୋଲି ଜାଣିବା, ଯାହାକୁ ବାଦ୍ ଦେଇ ଏକ ପରିପୂର୍ଣ୍ଣ ଶୈଶବର ଆଦୌକୌଣସି କଳ୍ପନା ହିଁ କରାଯାଇ ପାରିବ ନାହିଁ । ମାତ୍ର, ଏହି ପିଲାମାନଙ୍କର ଆତ୍ମିକ ଜୀବନଗୁଡ଼ିକ ଯେ ଏହିପରି ସମ୍ପଦପୂର୍ଣ୍ଣ ହୋଇ ଉଠିଥିଲା, ସେଥିରୁ ମୁଁ ଅତୀବ ଆନନ୍ଦ ଲାଭ କରିଥିଲି ।

 

ଏହି କାବ୍ୟ ରଚନା କରିବାର ପ୍ରେରଣା କୋଲ୍ୟାର ଜୀବନକୁ ଯେପରି ଉଦାତ୍ତ କରି ଆଣିଥିଲା, ସେଥିରେ ମୁଁ ବିଶେଷ ଭାବରେ ଖୁସୀ ହୋଇଥିଲି । ଆମର ବନ୍ଧୁତା ଅଧିକ ଦୃଢ଼ ହେବାରେ ଲାଗିଥାଏ । ଆମ ସ୍କୁଲ୍ ବଗିଚା ଭିତରେ ଏପରି ଗୋଟିଏ କଣଜାଗା ରହିଥିଲା, ଯେଉଁଠାରେ କି ମୋତେ ଏକୁଟିଆ ରହିବାକୁ ଭଲ ଲାଗୁଥିଲା । ପାଗ ଭଲ ଥିଲେ ମୁଁ ସେଠାରେ ହାଲୁକା ହୋଇ ବସି ବେହେଲା ବଜାଉଥିଲି । ଦୈବାତ୍ କୋଲ୍ୟା ମଧ୍ୟ ମୋ’ର ସେହି ଜାଗାଟିକୁ “ଆବିଷ୍କାର” କରି ନେଇଥିଲା । ସମ୍ଭବତଃ ସିଏ ମଧ୍ୟ ନିଜ ପାଇଁ ନିକାଞ୍ଚନ ଜାଗାଟିଏ ଖୋଜୁଥିଲା, ମୋତେ ଦେଖି ସିଏ ଟିକିଏ ଅପ୍ରସ୍ତୁତ ହୋଇ ପଡ଼ିଲା, ସେଠାରୁ ଚାଲିଯିବାକୁ ଇଚ୍ଛା କରୁଥିଲା; ମାତ୍ର ମୁଁ ତାକୁ ରହିବାକୁ କହିଥିଲି । ମୁଁ ବେହେଲା ବଜାଇଲି, ମୋ’ର ସେହି ଧ୍ୱନିଗୁଡ଼ିକ ମଧ୍ୟରେ ସେହି ଗ୍ରୀଷ୍ମ ଦିନଟିର ସାନ୍ଧ୍ୟ ସୌନ୍ଦର୍ଯ୍ୟଟି ପ୍ରତି ରହିଥିବା ମୋର ଆନନ୍ଦକୁ ପ୍ରକାଶ କରିବାକୁ ଚେଷ୍ଟା କରୁଥିଲି ।

 

ତା’ପରେ ମୁଁ ସେଇଥିରେ ଏତେ ବେଶୀ ନିମଗ୍ନ ହୋଇଗଲି ଯେ, ସେହି ସାନ ବାଳକଟି ମୋ’ ଆସି ପାଖରେ ବସିଛି ବୋଲି ମୋ’ର ପ୍ରକୃତରେ କୌଣସି ଦୃଷ୍ଟି ପଡ଼ିନଥିଲା । ମୁଁ କୋଲ୍ୟା ଆଡ଼କୁ ମୋ’ ବେହେଲାଟିକୁ ବଢ଼ାଇ ଦେଇଥିଲି । ମୁଁ ଯାହା ବଜାଉଥିଲି, କୋଲ୍ୟା ଠିକ୍ ତାହାକୁ ବଜାଇବାକୁ ଚେଷ୍ଟା କଲା, ମାତ୍ର ସଫଳ ହୋଇ ପାରିଲା ନାହିଁ । ତେଣୁ ବଜାଇବା ବନ୍ଦ କରିଦେଲା-। ଆମେ ଏକାଠି ନୀରବ ହୋଇ ବସିଲୁ, –ସୂର୍ଯ୍ୟାସ୍ତକୁ ଦେଖି ଖୁସୀ ହେଉଥିଲୁ, ସନ୍ଧ୍ୟାବେଳର ସେହି ନିସ୍ତବ୍ଧତାକୁ କାନ ଡେରି ଶୁଣୁଥିଲୁ । ଆମେ ଉଭୟେ ପରିପାଶ୍ୱର୍କ ପୃଥିବୀର ସୌନ୍ଦର୍ଯ୍ୟ ଦ୍ୱାରା ପ୍ରତିପାଳିତ ହୋଇ ଆସିଥିଲୁ, ସମ୍ଭବତଃ ସେଇଥିପାଇଁ କୋଲ୍ୟାର ମୋ’ ଉପରେ ବିଶ୍ୱାସ ହୋଇଗଲା ଓ ପ୍ରକୃତି ବିଷୟରେ ଲେଖିଥିବା କବିତାଟିକୁ ସେ ମୋତେ ଦେଖାଇ ପାରିଲା-। ସେଇଟି ଏହିପରି :

 

ସବୁଜ ପତ୍ରଗୁଡ଼ିକ ଭିତରେ ଗାଢ଼ନୀଳ ରଙ୍ଗର ଫୁଲଗୁଡ଼ିକ;

ଫୁଲଗୁଡ଼ିକ ଉପରେ ଗୋଟିଏ ମହୁମାଛି ଉଡ଼ିବାରେ ଲାଗିଛି ।

ଗୋଟିଏ ବୁଲବୁଲ୍ ଚଢ଼େଇ ରାତିରେ ବଗିଚା ଭିତରକୁ ଉଡ଼ି ଆସି

ଲାଇଲାକ୍ ଗଛର ଉଢ଼ୁଆଳରେ ଗୀତଟିଏ ଗାଉଛି ।

ସକାଳେ ବଗିଚାରେ ଘଡ଼ଘଡ଼ର ଗର୍ଜନ ଶୁଭୁଥାଏ,

ଏବଂ ଅସରାଏ ବର୍ଷା ଫୁଲଗୁଡି଼କୁ ଧୋଇଦେବାକୁ ଆସେ ।

ଧଳା ପାଣିମେଘ ଖଣ୍ଡେ ବଗିଚା ଉପର ଦେଇ ଭାସି ଯାଉଥାଏ ।

ମାତ୍ର, ଲାଇଲାକ୍ ଫୁଲ ଠିକ୍ ଆକାଶ ପରି ନୀଳ ଦିଶୁଥାଏ ।

 

ସେଦିନ ସନ୍ଧ୍ୟାରେ କୋଲ୍ୟା ଓ ମୁଁ ବଗିଚାରେ ଅନେକ ସମୟ ଯାଏ ବସି ରହିଥିଲୁ । ପିଲାଟି ସେଠାକୁ ବାରବାର ଆସିବାକୁ ଆରମ୍ଭ କଲା ଏବଂ ସବୁଥର ଗୋଟିଏ ଗୋଟିଏ ସାନ କବିତା ଆବୃତ୍ତି କରୁଥିଲା । ଏଠି ମୁଁ ଆଉ ଗୋଟିଏ କବିତାର ଉଲ୍ଲେଖ କରିବି, ଯାହାକି ମୋ’ ସ୍ମୃତିରେ ଏପରି ସ୍ଥାୟୀ ହୋଇ ରହିଯାଇଥିଲା ଯେ, ସିଏ ଏହାକୁ ଆବୃତ୍ତି କରିବାର ବର୍ଷେ ପରେ ମଧ୍ୟ ମୁଁ ତାହାକୁ ମନେ ପକାଇ ଲେଖି ଦେଇ ପାରିଲି : ନାଲିଆ ସୂର୍ଯ୍ୟ ପାହାଡ଼ ସେପଟେ ଅସ୍ତ ହୋଇଗଲା ।

 

ଆକାଶଟା ଯାକ ସିନ୍ଦୁର ରଙ୍ଗରେ ଝଳି ଉଠିଲା :

କାଲି ଭାରି ବତାସ ହେବ ।

ପଲେ ଡାମରା କାଉ ଅସ୍ଥିର ହୋଇ ଉଡ଼ି ପଳାଇଲେ ।

ସେମାନେ ପଶ୍ଚିମ ଦିଗକୁ, କଳା ଦିଶୁଥିବା ଜଙ୍ଗଲ ଆଡ଼କୁ ଉଡ଼ି ପଳାଇଲେ ।

ଡେଙ୍ଗା ପପ୍ଲାର୍ ଗଛରୁ ପତ୍ରର ଖସ୍ ଖସ୍ ଶବ୍ଦ ଶୁଭିଲା ।

ସବୁ ଥିର, ନିସ୍ତବ୍ଧ ହୋଇଗଲା ।

ଦୂରରୁ ରାସ୍ତା ଆଡ଼ୁ ଗୋଟାଏ ଶଗଡ଼ର କେଁ କଟର ଶବ୍ଦ ଶୁଣା ଯାଉଥିଲା ।

ତା’ପରେ ନାଲିଆ ଆକାଶ ଅନ୍ଧାରୁଆ ହୋଇ ଆସିଲା,

ଦିନର ଉତ୍ତାପକୁ ଧୂସର ପାଉଁଶ ଆବୃତ୍ତ କରି ରଖୁଥାଏ-

ଆକାଶରେ ତାରାଟିଏ ଦୃଶ୍ୟ ହୋଇ ଆସୁଥାଏ;

ହଁ, ଏଥର ରାତି ହେଲା ।

 

ମୁଁ ଜାଣିବାକୁ ପାଇଲି ଯେ କୋଲ୍ୟା ତା’ର କବିତାଗୁଡ଼ିକୁ ପ୍ରକୃତରେ ଲେଖୁନଥାଏ : ସିଏ ସେଗୁଡ଼ିକୁ ପୂରା ମନେ ରଖିଥାଏ । କବିତାଗୁଡ଼ିକ ତା’ର ସ୍ମୃତିରେ ଓ ତା’ ହୃଦୟରେ ଲେଖି ହୋଇ ରହିଥାନ୍ତି । ମୋ’ର ଅଧିକାଂଶ ଛାତ୍ର ଫର୍ଦ୍ଦେ ଧଳା କାଗଜ ସମ୍ମୁଖରେ ବସି ମୋଟେ କବିତାଗୁଡ଼ିକୁ ଲେଖୁନଥିଲେ । ଏଗୁଡ଼ିକ ଲେଖା ହୋଇ ରହିବା ପାଇଁ ଆଦୌ ଜନ୍ମ ହୁଅନ୍ତି ନାହିଁ । ପିଲାମାନେ ଯେଉଁ ରୀତିରେ ଛବି ଆଙ୍କନ୍ତି, ଠିକ୍ ସେହି ରୀତିରେ ହିଁ କବିତା ରଚନା କରନ୍ତି ।

 

କୌଣସି ଏକ ଆତ୍ମିକ ଅନ୍ତରଙ୍ଗତାର ମୁହୂର୍ତ୍ତରେ ଶୂରା ମଧ୍ୟ ମୋତେ ତା’ କବିତାକୁ ଆଣି ଦେଖାଇଥିଲା । ଥରେ ଶାତଋତୁରେ ଆମେ ସ୍କି କରିବାକୁ ଏକାଠି ଜଙ୍ଗଲକୁ ଯାଇଥିଲୁ । ସୂର୍ଯ୍ୟ ନାଲିଆ ବର୍ଣ୍ଣ ଧାରଣ କରି ଅସ୍ତ ହୋଇ ଯାଉଥାଏ । ସନ୍ଧ୍ୟାରେ ସୂର୍ଯ୍ୟରଶ୍ମି ପଡ଼ି ପାଇନ୍ ଗଛର ଗଣ୍ଡିଗୁଡ଼ିକ ଲୁହାରେ ତିଆରି ହୋଇଥିବା ପରି ଦିଶୁଥାନ୍ତି । ପ୍ରକୃତିର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଆମେ ଜଙ୍ଗଲ ଭିତରେ ଗୋଟିଏ ଖୋଲା ସ୍ଥାନରେ ଛିଡ଼ା ହୋଇଥିଲୁ । ଏବଂ, ଠିକ୍ ସେହି କ୍ଷଣଗୁଡ଼ିକରେ ଶୂରା କାଠହଣା ଚଢ଼େଇ ବିଷୟରେ ଲେଖିଥିବା କବିତାଟିଏ ଆବୃତ୍ତି କଲା :

 

ପାଇନ୍ ଗଛର ବକଳ ତଳେ

ହଜାର ହଜର ତନ୍ତୁ ଛନ୍ଦି ହୋଇ ରହିଛି;

କାଠହଣା ଚଢ଼େଇ ଗଛ ଅଗରେ ଯାଇ ବସେ ।

ଆଗ ସେ ଗଛର ଉପର ପରସ୍ତଟି ଉପରେ ଥଣ୍ଟ ବାଡ଼ାଏ,

ଏଡ଼େ ଅଳପ ଶବ୍ଦଟିଏ ହୁଏ ଯେ,

ପ୍ରାୟ କିଛି ଶୁଣାଯାଏ ନାହିଁ ।

ସୂର୍ଯ୍ୟ ଯେତିକି ନିକଟରେ ଥାଏ,

ତନ୍ତୁ ମଧ୍ୟ ସେତିକି ପତଳା ହୋଇଥାଏ ।

ଏଣେ ପୃଥିବୀରେ ଗଅଁଗଅଁ ଶବ୍ଦ କରି ଗୋଟାଏ ଘଣ୍ଟା

ଧୀରେ ଧୀରେ ବାଜୁଥାଏ, –ନାଲିଆ ବକଳ ତଳେ ପିତଳର ଘଣ୍ଟାଟିଏ ।

କାଠହଣା ଡେଇଁପଡ଼େ, ତନ୍ତୁଟିକୁ ଖେଳାଇ ଆଣେ,

ତାହାକୁ ଥଣ୍ଟ ଦେଇ ଖୁମ୍ପା ମାରୁଥାଏ ଓ ତନ୍ତୁଟି ଶବ୍ଦ କରିବାକୁ ଆରମ୍ଭ କରେ....

ପୂରା ଜଙ୍ଗଲ ଗୀତ ଗାଇ ଉଠେ, ମାତ୍ର ସେତେବେଳକୁ

କାଠହଣା ଆଉ ଗୋଟିଏ ତନ୍ତୁ ସନ୍ଧାନ କରୁଥାଏ ।

 

ତା’ ଶୈଶବ ସମୟରେ ଭାରା ଡଜନ ଡଜନ କବିତା ତିଆରି କରିଥିଲା । ଝିଅଟି ଭାରି ସଂବେଦନଶୀଳା, ତା’ର ଆତ୍ମାଟି ଭାରି କୋମଳ । ଥରେ ଏକ ଗ୍ରୀଷ୍ମସନ୍ଧ୍ୟାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସିଏ ପୋଖରୀ ଧାରରେ ପାଣି ଉପରକୁ ନଇଁ ଆସିଥିବା ଉଇଲୋ ଡାଳଗୁଡ଼ିକୁ ଚାହିଁ ଦେଖୁଥିଲା । ପାଣିର ଦର୍ପଣ ଉପରେ ଆକାଶ ପ୍ରତିଫଳିତ ହୋଇ ରହିଥାଏ । ତାହାର ବେଶ୍ କିଛିଦିନ ପରେ ଭାରା ସେହି ସନ୍ଧ୍ୟାଟି ବିଷୟରେ ଲେଖିଥିବା ଗୋଟିଏ କବିତା ମୋତେ ଆସି ଶୁଣାଇଥିଲା :

 

ନୀଳ ଆକାଶ, ଶାଗୁଆ ଉଇଲୋ ଗଛ, ଧଳା ଧଳା କୁଡ଼ିଆ–

ସବୁର ଛାଇ ଯାଇ ପାଣି ଭିତରେ ପଡ଼ିଛି ।

ମୁଁ ସେହି ଆକାଶନୀଳ ଦର୍ପଣଟି ପାଖରେ ଛିଡ଼ା ହୋଇଛି,

ଏବଂ, ମୋ’ ସାମନାରେ ପୃଥିବୀ ଅସୀମ ହୋଇ ଲମ୍ବି ଯାଇଛି ।

ସନ୍ଦୁରରଙ୍ଗର ସୂର୍ଯ୍ୟାସ୍ତଗୁଡ଼ିକ ଆଉ ଧଳା ଧଳା ମେଘଖଣ୍ଡ,

ତାରାମାନେ ବି ମିଟିମିଟି କରୁଛନ୍ତି,–ଦୂରରେ ରାସ୍ତାଟିଏ ଚାଲିଯାଇଛି,

ଚଢ଼େଇଟିଏ ଉଡ଼ି ଚାଲିଗଲା,–ସୂର୍ଯ୍ୟଠାରୁ ବିଦାୟ ନେଇ ।

ଏହି ଅଦ୍ଭୁତ ପୃଥିବୀର ଏକ ସ୍ଥାନୀୟ ସଂଗୀତ ରହିଛି;

ଶୁଣ, କେହି ଜଣେ ମୋଟା ତାର ଉପରେ

ହସ୍ତସଞ୍ଚାଳନ କରୁଛି,–ଏବଂ ନୀଳ ଆକାଶଟା ବି

ତା’ରି ସହିତ ଗୀତ ଗାଇ ଉଠୁଛି,

ଉଇଲୋମାନେ ଗାଉଛନ୍ତି, କୁଡ଼ିଆଗୁଡ଼ିକ ବି ।

କେବଳ ସନ୍ଧ୍ୟାବେଳେ ଏହି ପୋଖରୀ କୂଳରେ ହିଁ

ମୋତେ ଏହି ସଂଗୀତଟି ଶୁଣାଯାଏ,-

ସୂର୍ଯ୍ୟ ନିଆଁର ସମୁଦ୍ର ହୋଇ ଜଳୁଥାଏ,–

ସମୁଦ୍ର ଏଠୁ ବହୁତ, ବହୁତ ଦୂରରେ,

ଧଳା କପୋତମାନେ ନୀଡ଼କୁ ବାହୁଡ଼ି ଯାଉଥାନ୍ତି,

ଏବଂ, ଗଛର କୋରଡ଼ ଭିତରେ ବାଦୁଡ଼ି

ନଖ ପଜାଉଥାଏ ।

ଦିନଟା ଯାକ ବହି ବହି କ୍ଳାନ୍ତ ହୋଇ ଯାଇଥିବା ପବନ ବି

ବିଶ୍ରାମ ନେବାକୁ ବାହାରିଲାଣି

ସେଇ ଅନ୍ଧାରୁଆ ପାହାଡ଼, –ଅତଡ଼ା ଭିତରେ ।

 

ପ୍ରତି ବର୍ଷ ଶରତଋତୁ ଆସନ୍ନ ହୋଇ ଆସୁଥିବା ସମୟରେ ପିଲାମାନେ ଗ୍ରୀଷ୍ମଋତୁକୁ ବିଦାୟ ଦେବାକୁ ଇଚ୍ଛା କରୁଥିଲେ । ଆମେ ଓକ୍ ଗଛ ପାଖକୁ ଯାଇ ବିଗତ ଗ୍ରୀଷ୍ମଋତୁଟି ବିଷୟରେ ପଦମାନ ତିଆରି କରୁଥିଲୁ । ବଗମାନଙ୍କ ବିଷୟରେ ଓ ପ୍ରଥମ ଶରତର ଉଷୁମ ଦିନଗୁଡ଼ିକ ବିଷୟରେ କବିତା ରଚନା କରୁଥିଲୁ । ଚତୁର୍ଥ ଥର ପାଇଁ ଗ୍ରୀଷ୍ମଋତୁକୁ ବିଦାୟ ଦେଉଥିବା ସମୟରେ ପିଲାମାନେ ଆମର ସବୁଠାରୁ ଅଧିକ ପ୍ରିୟ ବସ୍ତୁ ଆମ ଜନ୍ମଭୂମି ବିଷୟରେ ଏକାଠି କବିତାଟିଏ ଲେଖିଥିଲେ । ପିଲାମାନଙ୍କର କଳ୍ପନା ଭିତରେ ବସ୍ତୁରୂପ ଗୁଡ଼ିକ କେଡ଼େ ପରିଷ୍କାର ହୋଇ ରହିଥାଏ, ତାହାକୁ ହିଁ ବିଶେଷ ଭାବରେ ଦୃଷ୍ଟି ଦେବାକୁ ହେବ ଓ ପ୍ରଶଂସା କରିବାକୁ ହେବ । ଯେଉଁ ପିଲାଙ୍କର ଆତ୍ମିକ ଜୀବନରେ କାବ୍ୟିକ ପ୍ରେରଣା ଏକ ଆବଶ୍ୟକତାରେ ପରିଣତ ହୋଇ ଯାଇଥିଲା, ସେମାନେ ଉତ୍ତମ ଓ ସର୍ବୋତ୍ତମ କବିତାମାନ ଯେପରି ପଢ଼ିବାକୁ ପାଇବେ, ସେଥିଲାଗି ମୁଁ ବିଶେଷ ଦୃଷ୍ଟି ଦେଇଥିଲି । ଆମେ କବିତାର ଗୋଟିଏ କୁନି ଲାଇବ୍ରେରୀ ତିଆରି କରି ପକାଇଲୁ-। ଯେଉଁ ପିଲାମାନଙ୍କ ପାଇଁ ବାକ୍ୟଗତ ସର୍ଜନାତ୍ମକତା ଏକ ଆବଶ୍ୟକତାରେ ପରିଣତ ହୋଇ ନଥିଲା, ଯେଉଁମାନଙ୍କର ଚିତ୍ତରେ କାବ୍ୟିକ ଭାଷାକୁ ବିକଶିତ କରାଇ ଆଣିବାର ଆବଶ୍ୟକତା ରହିଥିଲା, ମୂଳତଃ ଏହି ଲାଇବ୍ରେରୀଟି ସେହିମାନଙ୍କର ପ୍ରୟୋଗରେ ଆସିଥିଲା । ମୁଁ ପୁନର୍ବାର କହିବି ଯେ, ପିଲାମାନଙ୍କର କାବ୍ୟଗତ ସର୍ଜନାତ୍ମକତାକୁ ହୁଏତ ବିଶେଷ ପ୍ରତିଭାର ଏକ ଲକ୍ଷଣରୂପେ ବିଚାର କରି ହେବ ନାହିଁ । ପିଲାଙ୍କର ଛବି ଆଙ୍କିବା ପରି ଏଇଟି ମଧ୍ୟ ଗୋଟିଏ ସ୍ୱାଭାବିକ ଘଟଣା : ସବୁ ପିଲା ଛବି ଆଙ୍କନ୍ତି, ସେହିପରି ସବୁ ପିଲା ଏପରି ଏକ ପର୍ଯ୍ୟାୟ ମଧ୍ୟଦେଇ ବି ଗତି କରନ୍ତି । ମାତ୍ର, ପିଲାମାନଙ୍କ ଆଗରେ ଜଣେ ଶିକ୍ଷକ ପାରିପାଶ୍ୱିର୍କ ପୃଥିବୀ ଏବଂ ଭାଷାର ସୌନ୍ଦର୍ଯ୍ୟକୁ ଉଦ୍‌ଘାଟିତ କରିଦେଇ ପାରିଲେ ଯାଇ ସେମାନଙ୍କର ଆତ୍ମିକ ଜୀବନରେ କାବ୍ୟଗତ ସର୍ଜନାତ୍ମକତା ଏକ ସାଧାରଣ ଘଟଣାରେ ପରିଣତ ହୋଇପାରେ । ଠିକ୍ ଯେପରି ସଂଗୀତ ବିନା ସଂଗୀତ ପ୍ରତି ଆକର୍ଷଣ ଜନ୍ମାଇବା ସମ୍ଭବ ହୁଏ ନାହିଁ, ସେହିପରି ସର୍ଜନାତ୍ମକତାକୁ ବାଦ୍ ଦେଇ କାବ୍ୟିକ ସର୍ଜନାତ୍ମକତା ପ୍ରତି ଶ୍ରଦ୍ଧାକୁ ମଧ୍ୟ ସମ୍ଭବ କରାଯାଇ ପାରେ ନାହିଁ ।

 

ଯେଉଁ ବ୍ୟକ୍ତିର ପୁଷ୍କିନ୍, ହାଇନେ ଓ ସେହିଭଳି ଅନ୍ୟ କବିମାନଙ୍କ ପ୍ରତି ଶ୍ରଦ୍ଧା ରହିଥାଏ, ସିଏ ତା’ର ଚତୁଷ୍ପାଶ୍ୱର୍ରେ ରହିଥିବା ସୌନ୍ଦର୍ଯ୍ୟ ବିଷୟରେ ସୁନ୍ଦର କଥାମାନ କହିବାକୁ ଇଚ୍ଛା ମଧ୍ୟ କରୁଥାଏ । ସେହି ବ୍ୟକ୍ତି ଲାଗି ସୌନ୍ଦର୍ଯ୍ୟ ସୃଷ୍ଟି କରିବାର ଆବଶ୍ୟକତା ପରି ପ୍ରୟୋଜନୀୟ ପୃଥିବୀଟିର ସନ୍ଧାନ କରିବା ମଧ୍ୟ ଏକ ପ୍ରୟୋଜନରେ ପରିଣତ ହୋଇ ଯାଇଥାଏ । ସେହି ବ୍ୟକ୍ତିର ଜୀବନରେ ହିଁ ମନୁଷ୍ୟସମାଜ ଭିତରେ ରହିଥିବା ସୌନ୍ଦର୍ଯ୍ୟର ସନ୍ଧାନ ସର୍ବପ୍ରଥମେ ମନୁଷ୍ୟ ହାସଲ କରିଥିବା ସମ୍ପଦ ଓ ସମୃଦ୍ଧିଗୁଡ଼ିକ ପ୍ରତି ସମ୍ମାନର ମାଧ୍ୟମରେ ଅଭିବ୍ୟକ୍ତ ହୋଇଥାଏ,–ଏବଂ ଏଭଳି ବ୍ୟକ୍ତିଟିଏ କେବେହେଲେ ଅମାର୍ଜିତ ହୁଏନାହିଁ, ଜଣେ ସର୍ବନିନ୍ଦୁକ ହେବାକୁ ମଧ୍ୟ କଦାପି ଇଚ୍ଛା କରେ ନାହିଁ ।

Image

 

ସୌନ୍ଦର୍ଯ୍ୟର ଆମ ଏକାନ୍ତ କୋଣଟି

 

ପ୍ରଥମ ଶ୍ରେଣୀ ଶେଷ ହେବା ଆଗରୁ ବସନ୍ତଋତୁରେ ଆମେ ସୌନ୍ଦର୍ଯ୍ୟର ଆମ ଏକାନ୍ତ କୋଣଟିକୁ ତିଆରି କରିବାକୁ ଆରମ୍ଭ କରି ଦେଇଥିଲୁ । ପିଲାମାନେ ବହୁଦିନ ଧରି ତାହାର ସ୍ୱପ୍ନ ଦେଖି ଆସିଥିଲେ । ଆମର କଳ୍ପନାରେ ଥିଲା ଯେ, ଏହା ଗୋଟିଏ ଶାନ୍ତ ସ୍ଥାନ ହୋଇଥିବ, ଯେଉଁଠାରେ କି ପାରିପାଶ୍ୱିର୍କ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମନୁଷ୍ୟ ହାତର କିଛି ସୃଷ୍ଟି ମଧ୍ୟ ମିଶି କରି ରହିଥାଏ । ଆମର ସ୍ୱପ୍ନ ଭବିଷ୍ୟତ ମଧ୍ୟକୁ ପ୍ରଲମ୍ବିତ ହୋଇ ରହିଥିଲା; ଆମର ସେହି କୋଣଟିରେ କିପରି ଅଧିକରୁ ଅଧିକ ଗଛ ଅବଶ୍ୟ ରହିବ, ଆମେ ସେହି ବିଷୟରେ ଖୁବ୍ ଚିନ୍ତା କରିଥିଲୁ । ଆମେ ସେଠାରେ ବିଶ୍ରାମ ନେବୁ, କାମ କରିପାରିବୁ, ବସନ୍ତଋତୁର ସ୍ୱାଗତ କରିବୁ ଏବଂ ଗ୍ରୀଷ୍ମକୁ ମଧ୍ୟ ବିଦାୟ ଦେଇ ପାରିବୁ ।

 

ସ୍କୁଲର ଜମି ଓ ଗୋଟିଏ ବୁଦାଜଙ୍ଗଲର ମଧ୍ୟବର୍ତ୍ତୀ ସ୍ଥାନରେ ପିଲାମାନେ ଗୋଟିଏ ଖୋଲା ଜାଗା ଆବିଷ୍କାର କରିନେଲେ, ପାହାଡ଼ ଅତଡ଼ାର ଢାଲୁରେ ସେଠାରେ ଘାସ ଖୁବ୍ ଘନ ହୋଇ ବଢ଼ିଥିଲା । ବର୍ଷାଋତୁରେ ଏଠାରେ ଅଧିକ ପରିମାଣରେ ଜଳୀୟ ଅଂଶ ରହୁଥିଲା । ସେହି ଜାଗାଟିରୁ ଆମେ ଅନାବନା ଗଛ ବାଛିଦେଲୁ ଓ ତାହାକୁ ଏକ ସବୁଜ ଲନରେ ପରିଣତ କରିଦେବାକୁ ଆରମ୍ଭ କଲୁ ।

 

ମୁଁ ପିଲାମାନଙ୍କୁ କହିଲି, “ଆମର ଏହି କୋଣଟି ଗୋଟିଏ ସବୁଜ ସାମ୍ରାଜ୍ୟ ହୋଇ ରହିବ । ପାହାଡ଼ଅତଡ଼ାର ଢାଲୁଟାଯାକ ଲତା ମାଡ଼ିବ ଏବଂ ସେହି ଆଢ଼ୁଆଳରେ ବୁଲ୍‌ବୁଲ୍ ଓ ଅନ୍ୟ ଚଢ଼େଇମାନେ ବସା କରି ରହିବେ ।”

 

ଏହି ସ୍ୱପ୍ନଟି ପିଲାମାନଙ୍କୁ ଖୁବ୍ ପ୍ରେରଣା ଦେଇଥିଲା । ଖୋଲା ସ୍ଥାନଟିକୁ ଏକ ସବୁଜ ଲନରେ ପରିଣତ କରିବାକୁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା । ଆମେ ଅନ୍ୟ ଜାଗାମାନଙ୍କରୁ ସାନ ସାନ ଚେକା ଆଣି ରୁଆଇଦେଲୁ ଓ ସେଥିରେ ପାଣି ଦେଲୁ । ସବୁଜ ଘାସ ପାଣି ପାଇବ ବୋଲି ପିଲାମାନେ ଉତ୍କଣ୍ଠାର ସହିତ ବର୍ଷାକୁ ଅପେକ୍ଷା କରି ରହିଥିଲେ । ଜଙ୍ଗଲ ଭିତରେ କେତେ ନା କେତେ ଲଟା ଗଛ ଥିଲା; ସେଗୁଡ଼ିକୁ ଆଣି ଆମେ ଢାଲୁଟିରେ ଲଗାଇଦେଲୁ । ଆମର ଭାଗ୍ୟ ପ୍ରକୃତରେ ଭାରି ଭଲ; ଗ୍ରୀଷ୍ମଋତୁରେ ଖୁବ୍ ଭଲ ବର୍ଷା ହେଲା ଏବଂ ତେଣୁ ଆମେ ଲଗାଇଥିବା ସବୁଯାକ ଗଛ ବଞ୍ଚିଗଲେ । ଜଙ୍ଗଲରୁ ଆମେ କେତେ କେତେ ଲିଲିଗଛର କନ୍ଦା ଆଣି ଲନ୍‍ର ଏକ କଣରେ ଲଗାଇ ଦେଇଥିଲୁ । ତିନୋଟି ଜଙ୍ଗଲୀ କୋଳିଗଛରେ ଗୋଲାପ କଲମୀ କରିଦେଲୁ । ଏହିଠାରେ ହିଁ ଫୁଲର ସାମ୍ରାଜ୍ୟଟିଏ ସମ୍ଭବ ହୋଇ ଆସିବ । ଲନ୍ ଯାକ ବି ଗଛସବୁ ଲାଗିଲା । ପିଲାଏ ଇଚ୍ଛା କଲେ ଯେ ଏଥିରେ ଜଙ୍ଗଲୀ ଫୁଲର ନାନା ଗଛ ମଧ୍ୟ ଲାଗିବ । ଆମକୁ ସେହିପରି ବହୁତ ଗଛ ମଧ୍ୟ ମିଳି ଯାଇଥିଲେ । କାଚଘର ଭିତରୁ କେତେ ସେବତୀବୁଦା ଆସି ମଧ୍ୟ ଏଠାରେ ଲଗା ହେଲା । ଅର୍ଥାତ୍, ଶରତଋତୁ ଶେଷ ପର୍ଯ୍ୟନ୍ତ ବି ସେଗୁଡ଼ିକ ଫୁଲ ଦେଉଥିବେ ।

 

ଭାରା ଗୋଟିଏ ସୂର୍ଯ୍ୟମୂଖୀ ଲଗାଇଲା । ଲନ୍‍ର ଗୋଟିଏ ଦୂରବର୍ତ୍ତୀ କୋଣଜାଗାରେ ପିଲାମାନେ ଚିନା ଲଗାଇ ଦେଲେ । ନିନା ଓ ସାଶାଙ୍କ ବାପା ଆମକୁ ଖର୍ବ ଆପେଲ୍ ଗଛର ଚାରା ଆଣି ଦେଉଥିଲେ । ଭିତ୍ୟା କହିଲା ଯେ ତାର ଜେଜେମାଆ ଟୁଲିପ୍ ଗଛ ଲଗାଇଛନ୍ତି । ଆମେ ସେଠାରୁ କିଛି ଟୁଲିପ୍ ମୂଳ ଆଣି ଲଗାଇଲୁ । ଖରାଋତୁରେ ଦିନେ ପିଲାଏ ଜଙ୍ଗଲ ଭିତରେ ଫୁଲ ଫୁଟୁଥିବା ଗୋଟିଏ ବଡ଼ ଲିଣ୍ଡେନ୍ ଗଛ ଦେଖିବାକୁ ପାଇଥିଲେ । ସେହି ଗଛର ଡାଳରେ ହଜାର ହଜାର ମହୁମାଛି ଗୁଣୁଗୁଣୁ ହେଉଥାନ୍ତି । ସମସ୍ତ ଅରଣ୍ୟରେ ବୀଣା ବାଜି ଉଠୁଥିଲା ପରି ଲାଗୁଥାଏ-। ପିଲାମାନେ ସେଠାକୁ ଗଲେ, ପ୍ରକୃତିର ସେହି ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ନୀରବରେ ଠିଆ ହୋଇ ରହିଲେ । ସେମାନଙ୍କର ଏହି ସୌନ୍ଦର୍ଯ୍ୟ କୋଣଟିର ପାଖାପାଖି ସେମାନେ କେତୋଟି ଲିଣ୍ଡେନ୍ ଗଛ ମଧ୍ୟ ଲଗାଇବେ ବୋଲି ଇଚ୍ଛା କଲେ । ତେଣୁ, ଶରତଋତୁ ଆସିବା ପରେ ଆମେ ଜଙ୍ଗଲକୁ ଯାଇ କେତୋଟି ଲିଣ୍ଡେନ୍ ଚାରା ଖୋଳି ଆଣିଲୁ ଓ ଦୁଇଧାଡ଼ୀ କରି ଲଗାଇଦେଲୁ-। ପିଲାମାନେ ସ୍ୱପ୍ନ ଦେଖୁଥାନ୍ତି : “ଯେତେବେଳେ ଏଗୁଡ଼ିକ ବଡ଼ ହୋଇଯିବେ, ସେତେବେଳେ ଏଗୁଡ଼ିକରେ ଘଞ୍ଚପତ୍ର କଅଁଳିବ ଏବଂ ସର୍ବଦା ଛାଇ ହେଉଥିବା ପଥଟିଏ ତିଆରି ହୋଇଯିବ-।”

 

ପ୍ରତ୍ୟେକ ଶ୍ରେଣୀରେ ପିଲାଏ ଅଲଗା ଅଲଗା କରି ନିଜର ଏହିପରି ଗୋଟିଏ ଶୋଭାଉଦ୍ୟାନ ତିଆରି କରିନେଲେ । ୧୯୫୫ ମସିହା ଶରତଋତୁରେ ପୂରା ବିଦ୍ୟାଳୟଟି ଏକାଠି ଗୋଟିଏ ଶୋଭାଉଦ୍ୟାନ ତିଆରି ମଧ୍ୟ କରିଥିଲା । ବିଦ୍ୟାଳୟକୁ ଲାଗିକରି ଆମେ ଗୋଟିଏ ଗୋଲାପ ବଗିଚା ମଧ୍ୟ ତିଆରି କଲୁ । ଜଙ୍ଗଲି କୋଳିଗଛ ଆଣି ତା ଉପରେ ଭିନ୍ନ ଭିନ୍ନ କିସମର ଗୋଲାପକୁ କଲମ କରିଦେଲୁ । ପ୍ରତ୍ୟେକ ବର୍ଷ ହିଁ ବଗିଚାଟି ଅଧିକ ସୁନ୍ଦର ଦେଖାଯାଉଥାଏ । ବସନ୍ତ ଓ ଶରତ ଋତୁରେ ଫୁଲର ଏକ ସମୁଦ୍ରରେ ପରିଣତ ହୋଇଯାଏ । ସେଠାକୁ ପ୍ରତ୍ୟେକେ ପ୍ରକୃତିର ଶୋଭାକୁ ଦେଖି ଚମତ୍କୃତ ହେବାକୁ ଆସୁଥିଲେ, କାମ କରିବାକୁ ଆସୁଥିଲେ, –ସୌନ୍ଦର୍ଯ୍ୟ ସୃଷ୍ଟି କରିବାକୁ ଆସୁଥିଲେ ।

 

ଗୋଲାପ ବଗିଚାଟିକୁ ପୂରା ସ୍କୁଲ୍ ତିଆରି କରିଥିଲା । ସମୂହ ପାଇଁ ଉପକାରୀ ଏହି ପରିଶ୍ରମରେ ଯେଉଁ ଶ୍ରେଣୀ ସବୁଠାରୁ ଅଧିକ ପରିମାଣରେ ସଫଳ ହୋଇଥିଲା, ବଗିଚାରୁ ଫୁଲମାନ କାଟି ବିତରଣ କରିବା ନିମନ୍ତେ ତାହାରି ଅଧିକାର ଥିଲା । ଅଧିକାଂଶ ସମୟରେ ଆମ ପ୍ରଥମିକ ଓ ମଧ୍ୟ-ବିଦ୍ୟାଳୟର ଶ୍ରେଣୀମାନେ ହିଁ ଏଥିରେ ଜିତୁଥିଲେ । ପ୍ରତ୍ୟେକ ଦିନ ସେମାନେ ଏକାଧିକ ଡଜନ ଗୋଲାପଫୁଲ କାଟି ଆଣି ପାରୁଥିଲେ । ଫୁଲଗୁଡ଼ିକୁ ଶ୍ରେଣୀକୁ ଆଣି ନିଜର ଶିକ୍ଷକମାନଙ୍କୁ, ମାଆମାନଙ୍କୁ ଓ ଗ୍ରାମର ସର୍ବଶ୍ରେଷ୍ଠ ଶ୍ରମିକମାନଙ୍କୁ ଭେଟି ଦେଉଥିଲେ । ପ୍ରଥମ ଶସ୍ୟକେଣ୍ଡା ବାହାରିବାର ଉତ୍ସବ ଦିନଟିରେ ପିଲାମାନେ ଗୋଲାପଗୁଡ଼ିକୁ ଏକାଠି ବାନ୍ଧି ଏକ ବଡ଼ ବୁକେ ତିଆରି କରୁଥିଲେ ଏବଂ ତାହାକୁ କୋଠକ୍ଷେତରେ ସର୍ବଶ୍ରେଷ୍ଠ ଶ୍ରମିକମାନଙ୍କୁ ନେଇ ଉପହାର ଦେଉଥିଲେ ।

 

ସୌନ୍ଦର୍ଯ୍ୟ ସୃଷ୍ଟି ନିମନ୍ତେ କାର୍ଯ୍ୟ କରିବା ଦ୍ୱାରା ତରୁଣ ହୃଦୟ ଉଦାରତା ଲାଭ କରେ ଏବଂ ଜୀବନ ଉଦାସୀନ ହେବାରୁ ରକ୍ଷା ପାଏ । ପୃଥିବୀ ପୃଷ୍ଠରେ ସୌନ୍ଦର୍ଯ୍ୟର ସୃଷ୍ଟି କରି ଆମର ଏହି ପିଲାମାନେ ବି ଅଧିକ ଭଲ ହୋଇ ପାରିଲେ, ଅଧିକ ଶୁଦ୍ଧ ଏବଂ ଅଧିକ ସୁନ୍ଦର ହୋଇଥିଲେ-

Image

 

ଜୀବନାଦର୍ଶଗୁଡ଼ିକର ଉତ୍ସ

 

ମୋ’ର ଛାତ୍ରମାନଙ୍କ ଭିତରୁ ପ୍ରତ୍ୟେକଙ୍କୁ ମୁଁ ସତେ ଅବା ଜଣେ ଜଣେ ବୟସ୍କ ରୂପରେ କଳ୍ପନା କରୁଥିଲି । କୋଉ ପିଲାଟି ବଡ଼ ହୋଇ ଜଣେ କେଉଁଭଳି ନାଗରିକ ଓ କେଉଁଭଳି ମନୁଷ୍ୟ ହେବ, ସେହି ଚିନ୍ତା ମୋତେ ବେଶ୍ ବିଚଳିତ କରି ପକାଉଥିଲା । ସମାଜ ପାଇଁ ସିଏ କ’ଣ ସବୁ ଆଣିଦେବ, କେଉଁଥିରେ ଆନନ୍ଦ ଅନୁଭବ କରିବ, କ’ଣ ସବୁକୁ ପ୍ରଶଂସା କରିବ ଓ କେଉଁଥିରେ ଅସହିଷ୍ଣୁତା ପ୍ରକାଶ କରିବ ? କେଉଁଥିରେ ସୁଖୀ ହେବ, ଏବଂ ପୃଥିବୀ ପାଇଁ କେଉଁ ପ୍ରକାରର ଉତ୍ତରାଧିକାର ଛାଡ଼ିଯିବ ?

 

ଜଣେ ଶିକ୍ଷକ ଏବଂ ଶିକ୍ଷାଦାତା ହିସାବରେ ମୁଁ ଶିଶୁମାନଙ୍କର କୋମଳ ହୃଦୟଗୁଡ଼ିକ ମଧ୍ୟରେ ସେହିସବୁ ଉଚ୍ଚମୂଲ୍ୟ ଗୁଡ଼ିକର ପ୍ରତିଷ୍ଠା କରାଇବା ନିମନ୍ତେ ଚେଷ୍ଟା କଲି, ଯେଉଁଗୁଡ଼ିକୁ ସୃଷ୍ଟି କରିବା ପାଇଁ ମନୁଷ୍ୟସମୂହ ଶତାଦ୍ଦୀ ଶତାଦ୍ଦୀ ଧରି ସଂଗ୍ରାମ କରି ଆସିଛି, –ନିଜର ଜନ୍ମଭୂମି ପ୍ରତି ପ୍ରେମ, ମୁକ୍ତିର ଶ୍ରଦ୍ଧା, ଅତ୍ୟାଚାର ଏବଂ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିକୁ ନିଜର ଦାସ କରି ରଖିବାର ମନୋଭାବ ପ୍ରତି ଅସହିଷ୍ଣୁତା ଏବଂ ଜନଗଣଙ୍କର ସୁଖ ଏବଂ ସ୍ୱାଧୀନତା ନିମନ୍ତେ ନିଜର ଶକ୍ତି ଓ ନିଜ ଜୀବନକୁ ଉତ୍ସର୍ଗ କରିବା ଲାଗି ପ୍ରସ୍ତୁତ ରହିବା । ଏହି କଥାଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ନିଜର ଜନ୍ମଭୂମି ତଥା ଉଚ୍ଚ ଆଦର୍ଶଗୁଡ଼ିକ ବିଷୟରେ ବଡ଼ ବଡ଼ କଥାଗୁଡ଼ିକୁ ଆମେ ଏଡ଼େ ବଡ଼ ପାଟି କରି କେବଳ କେତେଟା ଶୂନ୍ୟଗର୍ଭ ଶଦ୍ଦ ଦ୍ୱାରା ଛାତ୍ରମାନଙ୍କର ମୁଣ୍ଡ ଭିତରେ ଆଣି ପୂରାଇ ଦେବାନାହିଁ, ଯେପରିକି ବାରାବାର ଉଚ୍ଚାରଣ କରିବା ଦ୍ୱାରା ସେଗୁଡ଼ିକର ଆଉ କୌଣସି ସତେଜତା ରହିବ ନାହିଁ ଓ ତା’ ପରେ କ୍ରମଶଃ ବିଲୁପ୍ତ ହୋଇଯିବ । ତେଣୁ ପିଲାମାନେ ବୃହତ କଥା ଓ ଭାବନାଗୁଡ଼ିକ ବିଷୟରେ ଯଥାସମ୍ଭବ କମ୍ କହନ୍ତୁ ପଛକେ, ମାତ୍ର ସେହି ଆଦର୍ଶଗୁଡ଼ିକ କର୍ମଲାଗି ସେମାନଙ୍କର ଉତ୍ସାହ, ଭଲ ପାଇବା ଓ ଘୃଣା କରିବା, ଶ୍ରଦ୍ଧା ଓ ଅଟଳତା ମଧ୍ୟରେ ସତତ ବଞ୍ଚି ରହିଥାନ୍ତୁ ।

 

ପିଲାମାନେ ଯେଉଁସବୁ ଶଦ୍ଦର ଅର୍ଥକୁ ବୁଝି ପାରନ୍ତି ନାହିଁ, ସେଗୁଡ଼ିକୁ ସେମାନଙ୍କ ଦ୍ୱାରା କୁହାଇବା ନିମନ୍ତେ ଚେଷ୍ଟା କରିବା, –ଏହା ବିଶେଷ ଭାବରେ ଏକ ଅସହ୍ୟ କଥା । କାରଣ, ଏପରି କରି ଜନଗଣ ଅତ୍ୟନ୍ତ ପବିତ୍ର ବୋଲି ଅନୁଭବ କରୁଥିବା କଥାଗୁଡ଼ିକୁ କେତେଟା ଶୂନ୍ୟଗର୍ଭ ଶଦ୍ଦରେ ହିଁ ପରିଣତ କରି ଦିଆଯାଇ ପାରିବ ।

 

ମାଟି ଉପରକୁ ମାତ୍ର ଅଳପ ବଢ଼ି ପାରିଥିବା ଗୋଟିଏ ସାନ ଚାରାଗଛର ଚେରକୁ ସାବଧାନ ମାଳିଟିଏ ଯେପରି ବଳଯୁକ୍ତ କରିବାକୁ ଚେଷ୍ଟା କରୁଥାଏ, ତାକୁ ଯେପରି ବହୁତ ବର୍ଷ ବଞ୍ଚି ରହି ପାରିବାର ସମର୍ଥତା ଆଣି ଦେଉଥାଏ, ଠିକ୍ ସେହିପରି ଜଣେ ଶିକ୍ଷକ ମଧ୍ୟ ତା’ ଦାୟିତ୍ୱରେ ରହିଥିବା ସାନ ପିଲାମାନଙ୍କର ପରିପାଳନ ପ୍ରତି ଦୃଷ୍ଟି ଦେଉଥିବ; ସିଏ ସେମାନଙ୍କୁ ନିଜ ଜନ୍ମଭୂମି ପ୍ରତି ଅଗାଧ ଶ୍ରଦ୍ଧା, ଶ୍ରମ କରୁଥିବା ବ୍ୟକ୍ତିମାନଙ୍କ ଲାଗି ପ୍ରୀତି ଏବଂ ସମାଜର ଉଚ୍ଚ ଆଦର୍ଶ ଉପରେ ବିଶ୍ୱାସକୁ ଶିକ୍ଷା ଦେବାରେ ଲାଗିଥିବ । ପିଲାଟି ଦେଖି ଶିଖୁଥିବା ସମୟରେ, ବୁଝିବାର ଶକ୍ତି ଅର୍ଜନ କରି ଆସୁଥିବା ଓ ଚତୁର୍ଦ୍ଦିଗର ପୃଥିବୀଟିର ମୂଲ୍ୟାୟନ କରିବାକୁ ସମର୍ଥ ହୋଇ ଆସୁଥିବା ସମୟରେ ତାହାକୁ ଏହିସବୁ ଗୁଣର ଶିକ୍ଷା ଦିଆଯାଇ ପାରିବ ।

 

ପୂର୍ବ ପୁରୁଷମାନେ ଯାହା କିଛି ସୃଷ୍ଟି କରି ଯାଇଛନ୍ତି ନିଜର ଜନ୍ମଭୂମିର ସ୍ୱାଧୀନତା ନିମନ୍ତେ ଯାହା କିଛି ଦାରୁଣ ସଂଗ୍ରାମ ଦ୍ୱାରା ହାସଲ କରାଯାଇଛି, ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ପିଲାମାନେ ସେଗୁଡ଼ିକୁ ସମୁଚିତ ମୂଲ୍ୟ ଦେଇ ପାରୁଥିବେ । ଜନ୍ମଭୂମି କହିଲେ ସାନ ପିଲାଟିଏ ଖଣ୍ଡେ ରୁଟି ଏବଂ ଅରାଏ ଗହମ ବିଲକୁ ହିଁ ବୁଝେ, –ଜଙ୍ଗଲ ଭିତରେ ରହିଥିବା ଅରାଏ ଖୋଲା ଭୂଇଁ, ସାନ ପୋଖରୀଟି ଉପରେ ଥିବା ସାନ ଆକାଶଟିଏ ଏବଂ ରାତିରେ ଶୋଇବାକୁ ଗଲାବେଳେ ନିଜ ମାଆ ପାଖରୁ ଶୁଣୁଥିବା ଗୀତ ଏବଂ ଗପଗୁଡ଼ିକୁ ହିଁ ବୁଝୁଥାଏ । ଶୈଶବର ସେହି ସୁବର୍ଣ୍ଣକାଳରେ, ଯେତେବେଳେ ପିଲାମାନେ ଭାଷା ଓ ପ୍ରତିରୂପଗୁଡ଼ିକ ବିଷୟରେ ଓ ଆଉ ଜଣେ ବ୍ୟକ୍ତିର ଆତ୍ମିକ ଜଗତଟି ବିଷୟରେ ବିଶେଷ ଭାବରେ ସମ୍ବେଦନଶୀଳ ହୋଇ ରହିଥାନ୍ତି, ସେତେବେଳେ ପୂର୍ବତନ ପୁରୁଷଟି ଗୌରବ ଅନୁଭବ କରୁଥିବା ଯାବତୀୟ କଥାକୁ ପିଲାର ହୃଦୟ ଭିତରକୁ ବହନ କରି ଆଣିବାକୁ ପଡ଼ିବ, ସ୍ୱାଧୀନ ଶ୍ରମର ସୁଖ ଲାଗି ଚାଲିଥିବା ସଂଗ୍ରାମର ମୂଲ୍ୟ ବିଷୟରେ ତାକୁ ସବୁ କିଛି କହିଦେବାକୁ ପଡ଼ିବ । ଜୀବନର ମୈାଳିକ ଆବଶ୍ୟକତାଗୁଡ଼ିକୁ ପିଲାମାନେ ଯେପରି ଖାମଖିଆଲୀ ଭାବରେ ଉପଭୋଗ କରିବାକୁ ମନ କରିବେ ନାହିଁ, ସେଥିପ୍ରତି ମୁଁ ତୀକ୍ଷ୍‍ଣ ଦୃଷ୍ଟି ରଖିଥିଲି । ପିଲାର ଚାରିପାଖର ପୃଥିବୀ ଓ ନିଜ ବିଷୟରେ ବୁଝିବା ଆଦୌ ଏକ ପାଖିଆ ହୋଇଯିବ ନାହିଁ । ପୃଥିବୀକୁ ଏବଂ ନିଜକୁ ଜାଣି ପିଲାମାନେ ପୂର୍ବପୁରୁଷମାନେ ସୃଷ୍ଟି କରିଥିବା ଭୌତିକ ତଥା ଆତ୍ମିକ ମୂଲ୍ୟଗୁଡ଼ିକ ନିମନ୍ତେ ସେମାନଙ୍କର ଦାୟିତ୍ୱଟିକୁ ମଧ୍ୟ ଅବଶ୍ୟ ଜାଣିବେ ।

 

ଆମ ପରିଭ୍ରମଣ ଗୁଡ଼ିକୁ ଆମେ ସ୍ଥାନୀୟ ଅଞ୍ଚଳଟିର ଅତୀତ ମଧ୍ୟକୁ “ଯାତ୍ରା” କରିବା ବୋଲି କହୁଥିଲୁ ଓ ସେହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବିଲ, ଜଙ୍ଗଲ, ନଦୀକୂଳ ଓ ପାଖରେ ଥିବା ଗ୍ରାମମାନଙ୍କୁ ବୁଲି ଯାଉଥିଲୁ । ଆମ ଜନସମୂହର ଆତ୍ମିକ ଜୀବନରେ ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ି ରଖିଥିବା ଏହିସବୁ ଯାବତୀୟ ବସ୍ତୁକୁ ମୁଁ ପିଲାମାନଙ୍କୁ ଦେଖାଇ ଦେବାକୁ ଚେଷ୍ଟା କରୁଥିଲି-। ମୁଁ ସେମାନଙ୍କୁ କହୁଥିଲି : “ତୁମ ଆଗରେ ତୁମେମାନେ ଗୋଟିଏ ଉର୍ବର ଚାଷ ଜମି ଦେଖି ପାରୁଛ । ସେଥିରେ ଗହମର ପାଚିଲା କେଣ୍ଡାମାନେ ମୁଣ୍ଡ ଲହଲହ କରୁଛନ୍ତି । ଜଙ୍ଗଲର ଧାରରେ ଥିବା ସେହି ବିଲଟିରେ ଗୃହଯୁଦ୍ଧ ସମୟରେ ଶତ୍ରୁ ପକ୍ଷର ସୈନ୍ୟମାନେ ଆମ ବାହିନୀର ଜଣେ ସୈନ୍ୟକୁ ଗୁଳିକରି ମାରି ଦେଇଥିଲେ । ଏବଂ, ଦେଶକୁ ରକ୍ଷା କରିବାର ବୃହତ୍ତ ଯୁଦ୍ଧରେ ଆୟାସପୂର୍ଣ୍ଣ ପ୍ରଥମ ଗ୍ରୀଷ୍ମଋତୁଟି ସମୟରେ ଆମ ପକ୍ଷର ଅଳ୍ପ କେତେଜଣ ସୈନ୍ୟ ଓ ଶତ୍ରୁ ପକ୍ଷର ଘମାଘୋଟ ଲଢ଼େଇ ଚାଲିଥିଲା । ଏଇଠି ଆମ ବୀରମାନେ ପ୍ରାଣବଳି ଦେଇଥିଲେ । ପିଲାଏ, ଏଠାରେ ଏହି ବଡ଼ ଓସାରିଆ କ୍ଷେତ୍ରଟିକୁ ଦେଖ । ସେଠାରେ ଅଜ୍ଞାତ ବ୍ୟକ୍ତିମାନଙ୍କୁ କବର ଦିଆଯାଇଛି । ଏହି ମାଟି ସେମାନଙ୍କର କୃତିଗୁଡ଼ିକୁ ସଞ୍ଚିତ କରି ରଖିଛି । ଏହି ହଜାର ହଜାର କବର ତଳେ ହଜାର ହଜାର ଅଚିହ୍ନିତ ବ୍ୟକ୍ତିଙ୍କୁ ପୋତାଯାଇଛି । ଏହି ମାଟିରେ କେତେ କେତେ ବୀରଙ୍କର ରକ୍ତ ଭେଦି ରହିଛି ଏବଂ ସେମାନଙ୍କର କାର୍ଯ୍ୟଗୁଡ଼ିକୁ ଲୋକେ ସବୁଦିନ ପାଇଁ ମନେ ରଖିବେ । ସେମାନେ ଯଦି ଜନ୍ମଭୂମି ପାଇଁ ପ୍ରାଣ ଦେଇ ନଥାନ୍ତେ, ତେବେ ତୁମେମାନେ ଆଜି କଦାପି ନିଜ ଭୂମିର ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରୁନଥାନ୍ତ । ଶତ୍ରୁମାନେ ତୁମମାନଙ୍କୁ ନେଇ ଭୃତ୍ୟ ପରି କାମରେ ଲଗାଉଥାନ୍ତେ ।”

 

ସାନ ପିଲାଟି ତା’ ଜନ୍ମଭୂମିର ନିୟତି ବିଷୟରେ ଚିନ୍ତା କରୁ । ଜନ୍ମଭୂମିର ଭବିଷ୍ୟତ ବିଷୟରେ ନିଜର ଦାୟିତ୍ୱକୁ ଅନୁଭବ କରୁ । ଅତୀତର ଘଟଣାବଳୀ ବର୍ତ୍ତମାନର ଉତ୍ସ ରୂପେ ତା’ ଆଗରେ ଉପସ୍ଥାପିତ ହେବାରେ ଲାଗିଥାନ୍ତୁ ।

 

ଶୈଶବର ବର୍ଷଗୁଡ଼ିକୁ ଆମେ ଶୋଚନାମୁକ୍ତ ଆନନ୍ଦ, ଖେଳ ପରୀଗପର ସମୟରୂପେ ବିଚାର କରୁଥିଲେ ମଧ୍ୟ ଠିକ୍ ସେହି ଅବସ୍ଥାରେ ହିଁ ଆଦର୍ଶଗୁଡ଼ିକ ମଧ୍ୟ ଜନ୍ମଲାଭ କରିଥାନ୍ତି । ଠିକ୍ ସେହି ଅବସ୍ଥାରେ ହିଁ ନାଗରିକର ପ୍ରଥମ ଅଙ୍କୁରୋଦ୍‍ଗମ ହୋଇଥାଏ । ତୁମର ଛାତ୍ରମାନେ ବଡ଼ ହୋଇ କେଉଁ ପ୍ରକାରର ନାଗରିକ ହେବେ, ଶୈଶବ କାଳରେ ଚତୁର୍ଦ୍ଦିଗର ପୃଥିବୀରୁ ସେମାନଙ୍କ ସମ୍ମୁଖରେ ଯାହାସବୁ ଉନ୍ମୋଚିତ କରାଯାଇଥାଏ, ତାହାରି ଉପରେ ହିଁ ନିର୍ଭର କରିଥାଏ । ସେମାନଙ୍କ ଭିତରେ କ’ଣ ସବୁ ଆନନ୍ଦ ଦେଉଛି ଓ ବିସ୍ମୟର ସୃଷ୍ଟି କରୁଛି, କ’ଣ ସବୁ ସେମାନଙ୍କର ଶାନ୍ତିଭଙ୍ଗ କରୁଛି ଏବଂ କନ୍ଦାଉଛି, ତାହାରି ଉପରେ ନିର୍ଭର କରିଥାଏ । ଏହି ବିଚିତ୍ର ପୃଥିବୀ, ସେଥିରେ ରହିଥିବା ଯାବତୀୟ ବିରୋଧ ଓ ଜଟିଳତା ପିଲାଟିର ସମ୍ମୁଖରେ ଉଦ୍‌ଘାଟିତ ହେବାରେ ଲାଗିଥାନ୍ତି; ସେଥିରେ ସୁନ୍ଦର ଥାଏ, କୁତ୍ସିତ ବି ରହିଥାଏ, ସୁଖ ରହିଥାଏ ଏବଂ ଦୁଃଖ ରହିଥାଏ । ଚତୁର୍ଦ୍ଦିଗର ପୃଥିବୀରେ ଯାହା ସବୁ ଘଟେ, ଅତୀତରେ ତଥା ଉପସ୍ଥିତ କାଳରେ ଜନସମୂହ ଯେଉଁ ସବୁ ମୂଲ୍ୟଗୁଡ଼ିକ ନିମନ୍ତେ ଜୀବନ ବଞ୍ଚିଥାନ୍ତି ଓ ବଞ୍ଚୁଥାନ୍ତି, ପିଲା ସେଗୁଡ଼ିକୁ ଭଲ ଓ ମନ୍ଦ ଦୁଇ ଭାଗରେ ବିଭକ୍ତ କରି ଦେଖୁଥାଏ । ଶୈଶବର ଅବସ୍ଥାରେ ପିଲା ଭିତରେ ଯେପରି ମାନବିକତା ଏବଂ ନାଗରିକତାର ମୂଳଦୁଆଗୁଡ଼ିକ ପଡ଼ି ପାରିବ, ସେଥିଲାଗି ତା’ ମଧ୍ୟରେ ଭଲ ଓ ମନ୍ଦ ବିଷୟରେ ଏକ ସମୁଚିତ ଧାରଣା ଅବଶ୍ୟ ଦେବାକୁ ହେବ ।

 

ସେହି କଥାଟିକୁ ମୁଁ ନିମ୍ନଲିଖିତ ପ୍ରକାରେ ବୁଝୁଛି : ପାରିପାର୍ଶ୍ୱିକ ପୃଥିବୀରୁ ପିଲାମାନେ ଯାହା କିଛି ଶିକ୍ଷା କରନ୍ତି, ସମାଜରେ ଯାହା ସବୁ ଘଟଣା ଘଟେ, ଅତୀତ ଏବଂ ବର୍ତ୍ତମାନ କାଳରେ ଲୋକମାନେ ଯାହା କରିଛନ୍ତି ବା କରୁଛନ୍ତି –ଏହି ସବୁ କିଛି ପିଲାମାନଙ୍କ ଭିତରେ ଗଭୀର ନୈତିକ ପ୍ରତିକ୍ରିୟାମାନ ଅବଶ୍ୟ ସୃଷ୍ଟି କରୁଥିବା ଉଚିତ । ପିଲା ଭଲ ଓ ମନ୍ଦକୁ ଗଭୀର ଭାବରେ ବୁଝିବ; କାରଣ ଯାହାକୁ ସେ ଅନ୍ତରଙ୍ଗ ଭାବରେ ବୁଝିବ, କେବଳ ତାହାକୁ ହିଁ ଗ୍ରହଣ କରିପାରିବ । ଭଲଟିକୁ ବୁଝି ତା’ ଭିତରେ ଆନନ୍ଦ ଜାତ ହୁଏ, ପ୍ରେରଣା ଆସେ ଏବଂ ସେଗୁଡ଼ିକୁ ଗ୍ରହଣ କରିବାକୁ ତାର ଇଚ୍ଛା ହୁଏ । ମନ୍ଦଟିକୁ ଜାଣିଲେ ତା’ ବିରକ୍ତି ଜାତ ହୁଏ, ଅସହିଷ୍ଣୁତା ଜନ୍ମେ ଏବଂ ସତ୍ୟ ଓ ନ୍ୟାୟ ପାଇଁ ସଂଗ୍ରାମ କରିବା ନିମନ୍ତେ ସିଏ ସେଥିରୁ ଏକ ଆତ୍ମିକ ବଳ ମଧ୍ୟ ପାଇଥାଏ । ପିଲାର ଆତ୍ମା ସତ୍ୟଗୁଡ଼ିକ ପାଇଁ ଆଦୌ ଏକ ଶୀତଳଭଣ୍ଡାର ହୋଇ ରହିବା ଉଚିତ ନୁହେଁ । ଉଦାସୀନତା ଏବଂ ଆବେଗଶୂନ୍ୟତା, –ମୁଁ ସର୍ବଦା ଏହି ଦୁଇଟିଯାକ ଦୋଷକୁ ଏଡ଼ାଇବାକୁ ଚେଷ୍ଟା କରିଥାଏ । ସାନବେଳେ ପିଲାଟିଏ ଯଦି ହୃଦୟକୁ ବରଫ ପରି ଶୀତଳ କରି ରଖିଥିବ, ତେବେ ବଡ଼ ହୋଇ ସିଏ କେବଳ ଏକ ଉପଭୋଗୀ ହୋଇ ବାହାରିବ । ତେଣୁ, ଯାହା ମନ୍ଦ ଓ ଯାହା କିଛି ମନ୍ଦର ସୃଷ୍ଟି କରୁଛି, ତାହାଲାଗି ଅସହିଷ୍ଣୁତା ପ୍ରକଟ କରିବା ଲାଗି ପିଲାଟି ଦିନରୁ ହିଁ ଏକ ଅଗ୍ନିକଣା ପ୍ରଜ୍ଜ୍ୱଳିତ ହୋଇ ରହିଥିବା ଉଚିତ ।

 

ଜଣେ ମନୁଷ୍ୟ ଆଉ ଜଣେ ମନୁଷ୍ୟ ଉପରେ ଅତ୍ୟାଚାର କରିବା ଯେ ଏକ ଅତ୍ୟନ୍ତ ମନ୍ଦ କଥା, ଗୋଟିଏ ପିଲାର ମନରେ ସେହି ସତ୍ୟଟି ବିଷୟରେ ପ୍ରତ୍ୟୟ ଜନ୍ମାଇବା ଆଦୌ କଷ୍ଟକର ହେବ ନାହିଁ । ମନ୍ଦ କହିଲେ କ’ଣ ବୁଝାଏ, ସେହି ପ୍ରଶ୍ନଟି ପଚରାଗଲେ ପିଲାମାନେ ନିର୍ଭୁଲ ଉତ୍ତର ଦେଇପାରିବେ ସତ, ମାତ୍ର ଗୋଟିଏ ମନୁଷ୍ୟ ଆଉ ଗୋଟିଏ ମନୁଷ୍ୟକୁ ନିଜର ଦାସ କରି ରଖିବାର ସ୍ପଷ୍ଟ ଦୃଷ୍ଟାନ୍ତଗୁଡ଼ିକୁ ଦେଖି ପିଲା ଯଦି ଘୃଣା ଅନୁଭବ ନକରିଛି, ଯଦି ମନ୍ଦ ଘଟାଉଥିବା ମନୁଷ୍ୟମାନଙ୍କୁ ସେ ଘୃଣା ନକରିଛି, ତେବେ ସିଏ କଦାପି ଜଣେ ଯଥାର୍ଥ ନାଗରିକ ହୋଇ ପାରିବ ନାହିଁ ।

 

ପିଲାମାନଙ୍କ ଆଗରେ ମୁଁ କେତେ କେତେ ବହି ପଢ଼ି ଶୁଣାଉଥିଲି ଏବଂ, ଯେଉଁମାନେ ମନୁଷ୍ୟତାର ମହତ ରକ୍ଷା ପାଇଁ ଯୁଦ୍ଧ କରିଥିଲେ, ଅତ୍ୟାଚାର ଓ ଉତ୍ପୀଡ଼ନ ବିରୋଧରେ ଅସହିଷ୍ଣୁତାର ସ୍ୱରୋତ୍ତୋଳନ କରିଥିଲେ, ସେମାନଙ୍କୁ ସେହି ବ୍ୟକ୍ତିମାନଙ୍କର ଜୀବନରୁ କାହାଣୀମାନ କହିଥିଲି । ପିଲାମାନେ କେଡ଼େ ଉତ୍ସୁକ ହୋଇ ପୋଲାଣ୍ଡର ଲେଖକ ଲେଖିଥିବା ସେହି କାହାଣୀଟିକୁ ବାରମ୍ବାର ଶୁଣିଥିଲେ । ପ୍ରଥମ ଥର ପଠନରେ ହିଁ ସେମାନେ ଆନ୍ଦୋଳିତ ହୋଇ ଉଠିଥିଲେ । ଯେଉଁ ଜମିଦାର ଅରକ୍ଷ ବାଳକଟିକୁ ଜୀବନରେ ମାରି ଦେଇଥିଲା, ସେମାନେ ତାକୁ ରାକ୍ଷସ ଓ ରକ୍ତଶୋଷଣକାରୀ ବୋଲି କହିଥିଲେ । ସେମାନଙ୍କର ହାତ ମୁଠା ହୋଇ ଉପରକୁ ଉଠି ଆସିଥିଲା, ଆଖି କ୍ରୋଧପୂର୍ଣ୍ଣ ହୋଇଗଲା । ଗୋଟିଏ ଗୋଟିଏ କାହାଣୀର ପ୍ରତ୍ୟେକ ଶବ୍ଦ ସେମାନଙ୍କର ମନେ ରହିଯାଉଥିଲା । ଏହି କ୍ରୋଧରୁ ହିଁ ଏକ ଆତ୍ମିକ ବଳ ଜନ୍ମଲାଭ କରିଥାଏ । ଆପଣାକୁ ମନ୍ଦର ହିଁ ଏକ ଦୁର୍ଦମ୍ୟ ଶତ୍ରୁ ବୋଲି ଅନୁଭବ କରି ପିଲା ସେଥିରୁ ଅଧିକ ବଳ ପାଏ ଏବଂ, ସିଏ ଯେ ସତ୍ୟ ଲାଗି ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛି, ସେହି ବିଷୟରେ ଏକ ଆତ୍ମପ୍ରତ୍ୟୟ ଲାଭ କରେ । ଏହିଭଳି ଜଣେ ପିଲା ହିଁ ନିଜ ଚତୁର୍ଦ୍ଦିଗର ପୃଥିବୀ ମଧ୍ୟରେ ରହିଥିବା ଭଲ ଓ ମନ୍ଦ ବିଷୟରେ ସଚେତନ ହୋଇ ରହିଥାଏ ।

 

ଦରିଦ୍ର କୃଷକଘରର ପିଲାମାନେ ନିଜର ଶୈଶବ ଏବଂ ଯୌବନ ସମୟକୁ କିପରି ନିରାନନ୍ଦମୟ ଭାବରେ ଅତିବାହିତ କରନ୍ତି, ସେହି ବିଷୟରେ ଇଉକ୍ରେନ୍‍ର ପ୍ରଖ୍ୟାତ ଲେଖକ ଆର୍ଖିପ୍ ଟେସଲେଙ୍କୋ ଲେଖିଥିବା କାହାଣୀସବୁ ପିଲାମାନଙ୍କର ମନ ଉପରେ ଗଭୀର ରେଖାପାତ କରିଥିଲା । ବୁଦ୍ଧିମତୀ ଦରିଦ୍ର କୃଷକ ଝିଅଟି କିପରି ଧନୀ ଓ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ଅପମାନିତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା, ସେହି କାହାଣୀଟିକୁ ଆମେ ପାଠ କଲାବେଳେ, ପିଲାମାନଙ୍କର ଆଖି କ୍ରୋଧପୂର୍ଣ୍ଣ ହୋଇ ଉଠୁଥିଲା ।

 

ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଆମେ “ଟମକକାଙ୍କ କୁଟୀର” କୁ ଦୁଇଥର ପଢ଼ିଥିଲୁ । ମଣିଷମାନେ କେବେ ପଶୁମାନଙ୍କ ପରି କିଣାବିକା ହେଉଥିଲେ, ପିଲାମାନେ ସେକଥା କଳ୍ପନା କରି ପାରିନଥିଲେ ଏବଂ କ୍ରୀତଦାସମାନଙ୍କ ପାଇଁ ସହାନୁଭୂତିରେ ପୂର୍ଣ୍ଣ ହୋଇ ଉଠିଥିଲେ । ବର୍ତ୍ତମାନ ଯୁଗରେ ଭଲ ଓ ମନ୍ଦ ଭିତରେ କିପରି ସଂଗ୍ରାମ ଚାଲିଛି, ତାହାର ଏକ ପରିଷ୍କାର ଛବି ପିଲାମାନଙ୍କର ମନ ଭିତରେ କ୍ରମଶଃ ଦାନା ବାନ୍ଧି ଆସିଥିଲା : ପୃଥିବୀରେ ନିୟୁତ ଲୋକ ନିଜ ପାଇଁ ନୁହେଁ, ମାତ୍ର ଜମି ମାଲିକ ଓ ବଡ଼ଲୋକ ମାନଙ୍କ ପାଇଁ କାମ ଖଟୁଥିଲେ । ସେହିସବୁ ସମାଜରେ ଶୈଶବ କ’ଣ ବୋଲି ନଜାଣି ମଧ୍ୟ ଶିଶୁମାନେ ବଡ଼ ହେଉଥିଲେ ଏବଂ ସେମାନଙ୍କ ଭିତରେ ରହିଥିବା ସର୍ବୋତ୍ତମମାନଙ୍କୁ, ଯେଉଁମାନେ ନିଜ ନିଜ ଭୂମିରେ ସ୍ୱାଧୀନତା ଲାଗି ସଂଗ୍ରାମ କରୁଥିଲେ, ସେମାନଙ୍କୁ ଗୁଳି ମାରି ଉଡ଼ାଇ ଦିଆ ଯାଉଥିଲା । ଫାଶୀରେ ଲଟକାଇ ଦିଆଯାଉଥିଲା ଅଥବା ଜୀବନଯାକ ବନ୍ଦୀ ହୋଇ ରହିବାକୁ ବାଧ୍ୟ କରାଯାଉଥିଲା

 

ଗ୍ରୀସ୍ ଦେଶର ବୀର ନିକୋସ୍ ବିଲୋୟାନିସ୍‍ଙ୍କୁ ଯେଉଁ ଦୁର୍ଭାଗ୍ୟ ଭୋଗ କରିବାକୁ ପଡ଼ିଥିଲା, ପିଲାମାନେ ସେକଥା ମୋଟେ ଭୂଲି ପାରିନଥିଲେ । ନାତ୍ସୀମାନେ ଗ୍ରୀସ୍ ଦେଶକୁ ଅଧିକାର କରି ନେଇଥିବା ସମୟରେ ବିଲୋୟାନିସ୍ ଆକ୍ରମଣକାରୀମାନଙ୍କ ସହିତ ଯୁଦ୍ଧ କରିଥିଲେ । ଯେତେବେଳେ ତାଙ୍କ ଦେଶ ନାତ୍ସୀମାନଙ୍କ କବଳରୁ ମୁକ୍ତ ହେଲା, ସେତେବେଳେ ବଡ଼ ଲୋକମାନଙ୍କର ଏକ ବିଚାରାଳୟ ଦେଶଦ୍ରୋହର ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା-। ନିକୋସ୍ ବିଲୋୟାନିସ୍ ହାତରେ ଗୋଟିଏ ଲାଲ୍ କାର୍ନେସନ୍ ଫୁଲ ଧରି ଫାଶୀଖୁଣ୍ଟକୁ ଝୁଲିବାକୁ ଯାଇଥିଲେ । ଏବଂ ଠିକ୍ ସେହିଦିନ, ଠିକ୍ ସେହିପରି ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ତାଙ୍କର ସ୍ତ୍ରୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ । ପିଲାଟି ଜେଲ୍ ଭିତରେ ବାସ କରୁଥିଲା ଶୁଣି ଆମ ପିଲାମାନେ ତାହାକୁ କିପରି ଭାବରେ କ’ଣ ସାହାଯ୍ୟ କରିପାରିବେ, ସେହି ବିଷୟରେ ବ୍ୟାକୁଳ ହୋଇ ଉଠିଥିଲେ । କିଛି ନା କିଛି ଅବଶ୍ୟ କରିବାପାଇଁ ମନ କରି ସେମାନେ ପିଲାଟିର ମାଆଙ୍କ ପାଖକୁ ଚିଠିଟିଏ ଲେଖି ରେଡକ୍ରସ୍ ହାତରେ ପଠାଇଥିଲେ । ଧଳା ରେଶମ କନା ଉପରେ ନାଲିଆ କାର୍ନେସନ୍ ଫୁଲର କମକଟା ହୋଇଥିବା ଉପହାରଟିଏ ମଧ୍ୟ ସେମାନେ ତା’ ପାଖକୁ ପଠାଇଥିଲେ । ତା’ପରେ ପ୍ରତିବର୍ଷ ମଧ୍ୟ ସେମାନେ ଶ୍ରୀମତୀ ବିଲୋୟାନିସ୍ଙ ପାଖକୁ ଚିଠି ଲେଖୁଥିଲେ ଓ ସାନ ପିଲାଟିର ଜନ୍ମଦିନକୁ କ’ଣ ଉପହାର ପଠାଉଥିଲେ । ପ୍ରାୟ ସବୁଥର ଧଳା ରେଶମ ଉପରେ ଗୋଲାପ, ପପି ଅଥବା ଲାଇଲାକ ଫୁଲଟିଏ କମ ପଡ଼ିଥିଲା । ଏହି ଅତି ସାମାନ୍ୟ ବୋଲି ବୋଧ ହୋଉଥିବା କାର୍ଯ୍ୟଟିର ମଧ୍ୟ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପଡ଼ୁଥିଲା, କାରଣ ତାହା ମନ୍ଦକୁ ମନ୍ଦ ବୋଲି ଘୋଷଣା କରିବା ଓ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବାର ପ୍ରତୀକ ହୋଇ ରହିଥିଲା ।

 

ସାମାଜିକ ଜୀବନର ପୃଥିବୀଟି ମଧ୍ୟକୁ ପିଲାମାନଙ୍କୁ ପରିଚିତ କରାଇ ଦେଉଥିବା ସମୟରେ ମୁଁ ସେମାନଙ୍କର ମନରେ ଏହି ପ୍ରତ୍ୟୟଟିକୁ ଆଣି ଦେବାକୁ ଉଦ୍ୟମ କରୁଥିଲି ଯେ, ମନୁଷ୍ୟ–ଇତିହାସର ସବୁଠାରୁ ଅଧିକ ଅନ୍ଧକାରମୟ ସମୟରେ ମଧ୍ୟ, ଯେତେବେଳେ ମନ୍ଦର ପ୍ରବଳ ଶକ୍ତିମାନେ କୋଟି କୋଟି ମନୁଷ୍ୟଙ୍କ ଉପରେ ଅତ୍ୟାଚାର କରୁଥିଲେ, ସେତେବେଳେ ମଧ୍ୟ ଏପରି କେତେକ ବ୍ୟକ୍ତି ଅବଶ୍ୟ ଥିଲେ, ଯେଉଁମାନେ କି ଅନ୍ୟାୟର ବିରୋଧ କରି ସାହସର ସହିତ ଛିଡ଼ା ହେଉଥିଲେ । ସେହିପରି ବ୍ୟକ୍ତିମାନଙ୍କର ଜୀବନ ଓ କାର୍ଯ୍ୟଗୁଡ଼ିକ ହିଁ ତରୁଣ ପରବର୍ତ୍ତୀମାନଙ୍କ ନିମନ୍ତେ ପଥପ୍ରଦର୍ଶନକାରୀ ତାରା ପରି ହୋଇ ରହିଛି । ମନୁଷ୍ୟ ଜାତିର ଯେଉଁ ସର୍ବୋତ୍ତମ ପୁତ୍ର ଓ କନ୍ୟାମାନେ ନିଜ ଭୂମିର ସ୍ୱାଧୀନତା ନିମନ୍ତେ, ଶୋଷଣର ବିଲୁପ୍ତି ପାଇଁ ଏବଂ ମନୁଷ୍ୟର ସମ୍ମାନ ପ୍ରତିଷ୍ଠା ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ, ସେହିମାନଙ୍କର ସାହସ, ବିରତ୍ୱ ଏବଂ ଆନୁଗତ୍ୟକୁ ସ୍ମରଣ କରି ମୋ’ର ଏହି ପିଲାମାନେ ମଧ୍ୟ ଅନୁପ୍ରାଣିତ ହୁଅନ୍ତୁ ବୋଲି ମୁଁ ସର୍ବଦା ପ୍ରୟାସ କରୁଥିଲି । ଆନ୍ତୋନିଓ ଗ୍ରାମସି କହିଛନ୍ତି ଯେ, ସତ୍ୟ ସର୍ବଦା ବିପ୍ଳବର ବାର୍ତ୍ତାକୁ ବହନ କରିଥାଏ । ଲାଟିନ୍ ଭାଷାରେ ରହିଥିବା ଗୋଟିଏ ପ୍ରବଚନ ଅନୁସାରେ, “ଶବ୍ଦଗୁଡ଼ିକ ଶିକ୍ଷା ଦିଅନ୍ତି, ମାତ୍ର ଦୃଷ୍ଟାନ୍ତଗୁଡ଼ିକ ଏକାବେଳେ ଦୀକ୍ଷିତ କରି ନିଅନ୍ତି ।” ବିଖ୍ୟାତ ଜୀବନଗୁଡ଼ିକର ଦୃଷ୍ଟାନ୍ତ, ମନୁଷ୍ୟ ସମାଜକୁ ସୁଖ ଆଣି ଦେବା ପାଇଁ ହୋଇଥିବା ବିଜୟଗୁଡ଼ିକ, –ଏହିଗୁଡ଼ିକର ଆଲୋକ ହିଁ ଶିଶୁର ଜୀବନକୁ ଆଲୋକିତ କରିନିଏ । ମାତ୍ର, ମାନବିକ, ପ୍ରଗତିଶୀଳ ଓ ବୈପ୍ଳବିକ ବିଚାରଗୁଡ଼ିକୁ ନିଜ ଜୀବନରେ ବଞ୍ଚିବାକୁ ହୁଏ, କେବଳ ଦୃଷ୍ଟାନ୍ତଗୁଡ଼ିକ ହିଁ ସେହି ଶିକ୍ଷା ପ୍ରଦାନ କରିଥାନ୍ତି । ଶ୍ରେଷ୍ଠ ଜର୍ମାନ କବି ଗୁଏଟେ ଲେଖିଛନ୍ତି ଯେ, ଯିଏ ବିଚାରଗୁଡ଼ିକରୁ ନିଜକୁ ପ୍ରତ୍ୟାହାର କରି ନେଇଆସେ, ସିଏ କେବଳ ଭାବ ଭିତରେ ହିଁ ଉତ୍ତେଜିତ ହୋଇ ରହିଥାଏ ।

 

ପୋଲାଣ୍ଡ୍‌ର ଅଧିବାସୀମାନଙ୍କର ଜାତୀୟ ବୀର ୟାନୁସ୍ କୋର୍ଚ୍ଚାକ୍‌ଙ୍କର କାହାଣୀଗୁଡ଼ିକ ପିଲାମାନଙ୍କ ଉପରେ ପ୍ରଭୂତ ପ୍ରଭାବ ପକାଇଥିଲା । କୋର୍ଚ୍ଚାକ୍ ନାମକ ଏହି ବ୍ୟକ୍ତିଟି କିପରି ସିଏ ଭଲ ପାଉଥିବା ପିଲାମାନଙ୍କ ସହିତ ଏକାଠି ମୃତ୍ୟୁବରଣ କରିଥିଲେ, ସେକଥା ଶୁଣି ପିଲାମାନେ ବିସ୍ମିତ ହୋଇ ଯାଉଥିଲେ । ସିଏ ଇଚ୍ଛା କରିଥିଲେ ନିଜର ଜୀବନକୁ ରକ୍ଷା କରି ପାରିଥାନ୍ତେ, ମାତ୍ର ସେଭଳି କାର୍ଯ୍ୟକୁ ସେ ଅସମ୍ମାନଜନକ ବୋଲି ବିଚାର କଲେ, କାରଣ ହଜାର ହଜାର ସଂଖ୍ୟାରେ ନିରୀହ ଶିଶୁ ସେତେବେଳେ ନାତସୀମାନଙ୍କ ହାତରେ ମରିବାକୁ ଯାଉଥିଲେ । ପିଲାମାନଙ୍କ ସକାଶେ ୟାନୁସ୍ କୋର୍ଚ୍ଚାକ୍ ଯଥାର୍ଥ ମାନବତ୍ୱର ଏକ ପ୍ରତୀକ ହୋଇ ରହିଲେ । ଆମେ ଶିକ୍ଷକମାନେ ପ୍ରତ୍ୟେକ ପିଲାକୁ ନୈତିକ ସାହସର ସୌନ୍ଦର୍ଯ୍ୟ ବିଷୟରେ ସଚେତନ କରି ଆଣିବା, ଯେପରିକି ପ୍ରାଥମିକ ସ୍ତରରେ ମଧ୍ୟ ସିଏ ନିଜକୁ ଶ୍ରମିକ ଜନଗଣଙ୍କ ସହିତ ରହିଥିବା ଏକ ଜୀବନ୍ତ ଓ ସୃଜନାତ୍ମକ ଅଂଶ ବୋଲି ଅନୁଭବ କରି ପାରିବ ।

Image

 

Unknown

ଅନ୍ୟମାନଙ୍କ ପ୍ରତି ସଂବେଦନଶୀଳ ନହୋଇଗୋଟିଏ
ଦିନ ବି ବଞ୍ଚିବା ଉଚିତ ନୁହେଁ

 

ଜୀବନର ପ୍ରତ୍ୟକ୍ଷ କ୍ଷେତ୍ରଟି ଏହି କଥାଟିକୁ ଦର୍ଶାଇଦେବ ଯେ, ଯଦି କୌଣସି ପିଲା ଆନନ୍ଦକୁ “ଭକ୍ଷଣ” ହିଁ କରେ ଏବଂ ସେହି ଆନନ୍ଦକୁ ସମ୍ଭବ କରିବା ଲାଗି ଆଦୌ କିଛି କରୁନଥାଏ, ସେଥିପାଇଁ ଯଦି ତା’ର କୌଣସି ଆତ୍ମିକ ପ୍ରଚେଷ୍ଟା ନଥାଏ, ତେବେ ତାହାର ହୃଦୟଟି ନିତାନ୍ତ ଶୀତଳ, ଅନୁଭୂତିହୀନ ଏବଂ ଉଦାସୀନ ହୋଇ ପଡ଼ିବାର ଖୁବ୍ ଆଶଙ୍କା ରହିଥାଏ ।

 

ଅନ୍ୟ ମନୁଷ୍ୟମାନଙ୍କ ନିମନ୍ତେ ଭଲର ସୃଷ୍ଟି କରିବା ଦ୍ୱାରା ହିଁ ପିଲାମାନେ ପ୍ରଭୂତ ନୈତିକ ଶକ୍ତିର ଅଧିକାରୀ ହୋଇଯାନ୍ତି । ଆମର ଚତୁର୍ଦ୍ଦିଗରେ ଏପରି ବହୁତ ଲୋକ ରହିଛନ୍ତି ଯେଉଁମାନେ କି ସହାୟତା, ଯତ୍ନ, କୋମଳତା, ଉଷ୍ମହୃଦୟତା ଏବଂ ସହାନୁଭୂତି ଆବଶ୍ୟକ କରୁଛନ୍ତି, ପିଲାଟି ଭିତରେ ତାହା ଅନୁଭବ କରିବାର ସାମର୍ଥ୍ୟ ଆଣି ଦେବା ହିଁ ଆମ ଦେଶର ଶିକ୍ଷାଳୟଗୁଡ଼ିକର ଏକ ଶିକ୍ଷାଗତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇ ରହିଛି । ପିଲାମାନେ ଏପରି ସଚେତନ ଥିବେ ଯେ, ସେମାନେ ଏପରି ମନୁଷ୍ୟମାନଙ୍କୁ ଦେଖୁଥିଲେ ମଧ୍ୟ ନଦେଖିଲା ପରି ହୋଇ କଦାପି ଆଗକୁ ଚାଲିଯିବେ ନାହିଁ । ଅନ୍ୟମାନେ ଦେଖି ତାକୁ ପ୍ରଶଂସା କରିବେ ବୋଲି ନୁହେଁ, ମାତ୍ର ଏକାନ୍ତ ନିଃଶ୍ୱାର୍ଥ ଭାବରେ ହିଁ ପିଲା ଅନ୍ୟମାନଙ୍କର ଉପକାର କରିବାକୁ ଇଚ୍ଛା ପ୍ରକାଶ କରୁଥିବେ ।

 

ପିଲା ଭିତରେ ଉଚିତ ବିବେକଟିଏ ରହିବ, ଅନ୍ୟମାନଙ୍କର ଉପକାର କରିବା ଲାଗି ସିଏ ସମ୍ମତ ହୋଇ ରହିଥିବ, –ଏଥିପାଇଁ ଆବଶ୍ୟକ ଯେ, ପ୍ରତିକୂଳ ସ୍ଥିତିରେ ଥିବା ଦୁଃଖୀ ମନୁଷ୍ୟମାନଙ୍କର ଅନୁଭବଗୁଡ଼ିକ ସହିତ ସିଏ ଏକାତ୍ମ ହୋଇ ରହିଥିବ । ଆଉ ଜଣେ ବ୍ୟକ୍ତିର ଅନ୍ତର୍ଗତ ପୃଥିବୀଟି ବିଷୟରେ ସଂବେଦନଶୀଳ ହୋଇ ରହିଥିବା, ଆଉ ଜଣଙ୍କର ଦୁଃଖରେ ଅନୁସ୍ପଦନ ଜଣାଇ ପାରିବା, –ଏଇଥିରୁ ହିଁ ଜଣେ ବ୍ୟକ୍ତି ତା’ର ସର୍ବଶ୍ରେଷ୍ଠ ମାନବିକ ଆନନ୍ଦଟିର ଯୋଗ୍ୟ ହୋଇ ଆସେ ଏବଂ ଏଇଟି ବ୍ୟତୀତ ସିଏ ନୈତିକ ସୌନ୍ଦର୍ଯ୍ୟର ଆଦୌ କୌଣସି ପରିଚୟ ପାଇପାରେ ନାହିଁ । ଆନନ୍ଦ-ପାଠଶାଳାରେ ମୋ’ ପିଲାମାନେ ମାନବିକ ଜ୍ଞାନର ଏହି ପଥଟିରେ ପ୍ରଥମ ପଦକ୍ଷେପଗୁଡ଼ିକୁ ପକାଇ ସାରିଥିଲେ ଏବଂ ପ୍ରାତ୍ୟହିକ ଜୀବନରେ ସେମାନେ ଯେଉଁମାନଙ୍କୁ ଭେଟୁଥିଲେ, ସେମାନଙ୍କର ଆଖି ଭିତରେ ରହିଥବା ଦୁଃଖ, ବିଷାଦ ଏବଂ ଉଦବେଗକୁ ଦେଖିପାରିବା ଲାଗି ଶିକ୍ଷା ମଧ୍ୟ କରିଥିଲେ । ଶୈଶବର ସମ୍ପୂର୍ଣ୍ଣ କାଳଟି ମଧ୍ୟରେ ଯେତେବେଳେ ଅନ୍ୟ ମନୁଷ୍ୟମାନଙ୍କ ପ୍ରତି ସଂବେଦନାପୂର୍ଣ୍ଣ ନହୋଇ ଗୋଟିଏ ଦିନ ମଧ୍ୟ ଚାଲି ନଯାଉଥାଏ, କେବଳ ସେତିକିବେଳେ ଯାଇ ଏହି ସାମର୍ଥଟି ବୟସ୍କର ନୈତିକ ଜୀବନ ମଧ୍ୟକୁ ପ୍ରବେଶ କରିଥାଏ ଏବଂ ତା’ର ଆତ୍ମିକ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇପାରେ ।

 

ମୋ’ ପିଲାମାନଙ୍କୁ ମୁଁ ସର୍ବଦା ଅନ୍ୟ ମନୁଷ୍ୟମାନଙ୍କର ଅନୁଭବ ସହିତ ଏକାତ୍ମ ହେବାର ଶିକ୍ଷା ଦେଉଥିଲି ଓ ପିଲାଟି ଯେପରି ନିଜକୁ ଅନ୍ୟମାନଙ୍କର ସ୍ଥିତିରେ ରଖି ଚିନ୍ତା କରିପାରିବ ଓ ସାହାଯ୍ୟ ଏବଂ ହେପାଜତ ପାଇଁ ରହିଥିବା ତା’ର ଆବଶ୍ୟକତାକୁ ନିଜେ ମଧ୍ୟ ବୁଝି ପାରିବ, ମୁଁ ସେଥିଲାଗି ଚେଷ୍ଟିତ ରହିଥିଲି । ଆଉ ଜଣେ ବ୍ୟକ୍ତିର ଦୁଃଖକୁ ପିଲା ନିଜର ଦୁଃଖ ବୋଲି ଅବଶ୍ୟ ଅନୁଭବ କରୁଥିବ; ସହାୟ ଆବଶ୍ୟକ କରୁଥିବା ମନୁଷ୍ୟମାନଙ୍କୁ କିପରି ସାହାଯ୍ୟ କରିହେବ, ସିଏ ସେ ବିଷୟରେ ଭାବୁଥିବ । ବ୍ୟକ୍ତିଗତ ସମ୍ପର୍କସ୍ଥାପନ, ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଲାଗି ରହିଥିବା ପାରସ୍ପରିକ କ୍ରିୟା,–ମାନବିକତାର ଶିକ୍ଷା ଦେବାର କ୍ଷେତ୍ରରେ ଏଗୁଡ଼ିକର ଏକ ବିଶେଷ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ନିଜର ପଡ଼ିଶାରେ ବାସ କରୁଥିବା ଜଣେ ବ୍ୟକ୍ତିକୁ ସାହାଯ୍ୟ କରିବା ଅପେକ୍ଷା ମନୁଷ୍ୟ ଜାତିକୁ ଭଲ ପାଇବା ଅନେକ ଅଧିକ ସହଜ । ଜଣେ ମନୁଷ୍ୟର ବ୍ୟକ୍ତିତ୍ୱକୁ ନଜାଣି ମନୁଷ୍ୟମାନଙ୍କୁ ଜାଣିବା ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ । ନିଜର ଜଣେ ବନ୍ଧୁର ଦୁଃଖକୁ ଠଉରାଇ ନପାରୁଥିବା ପର୍ଯ୍ୟନ୍ତ ତା’ର ଦୁଃଖ କଦାପି ଜଣେ ପିଲାର ହୃଦୟ ଭିତରେ ପ୍ରବେଶ ହିଁ କରି ପାରିବ ନାହିଁ । ମନୁଷ୍ୟ ଜୀବନର ସୁଖ ଓ ଦୁଃଖ ଉଭୟଟିକୁ ଜାଣି ନପାରୁଥିବା ପର୍ଯ୍ୟନ୍ତ ଜଣେ ପିଲା କଦାପି ସଂବେଦନଶୀଳ ଓ ସହାନୁଭୂତିସମ୍ପନ୍ନ ହୋଇପାରିବ ନାହିଁ ।

 

ଆମ ନିଜ ଶ୍ରେଣୀଟି ମଧ୍ୟରେ କ’ଣ ପ୍ରକୃତରେ କମ୍ ଦୁଃଖ ରହିଥିଲା ? ଏଥିପାଇଁ ଆମକୁ ଆଦୌ ଖୁବ୍ ବେଶୀ ଅଣ୍ଡାଳି ହେବାକୁ ପଡ଼ିନଥିଲା । ପିଲାମାନେ ଖିଲଖିଲ୍ ହୋଇ ହସୁଥିଲେ ଓ ଏକ ଖୁସୀ ପରିବେଶ ସର୍ବଦା ବିରାଜିତ ରହିଥିଲା ସତ, ମାତ୍ର କେତେକ ପିଲାଙ୍କର ଆଖିରେ ଦୁଃଖ ବସା କରି ରହିଥିଲା । ଭାଲ୍ୟା ସ୍କୁଲକୁ ଆସିବାର ତିନି ବର୍ଷ ପରେ ତା’ ବାପାଙ୍କର ଦେହ ଗୁରୁତର ଭାବରେ ଅସୁସ୍ଥ ହୋଇ ପଡ଼ିଲା । କୁନି ଝିଅଟି ସବୁବେଳେ ନୀରବ ଓ ଭାବନାମଗ୍ନ ହୋଇ ରହିଥାଏ । ନିନା ଓ ସାଶାଙ୍କର ମାଆ ମଧ୍ୟ ସାଂଘାତିକ ଭାବରେ ବେମାର ପଡ଼ିଲେ ଏବଂ ବାପାଙ୍କୁ ଘର କାମରେ ସାହାଯ୍ୟ କରିବା ସକାଶେ ଦୁଇଟିଯାକ ଝିଅଙ୍କୁ ବହୁତ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ରହିବାକୁ ହୋଇଥିଲା । ଶୂରାର ଆଈମାଆ ବେମାର ହେଲେ ଓ ତାଙ୍କୁ ଏକାଧିକ ବାର ଡାକ୍ତରଖାନା ନେବାକୁ ହେଲା । ପ୍ରଥମେ ସପ୍ତାହକ ପାଇଁ ଓ ତା’ପରେ ମାସ ମାସ ଧରି ସେ ଡାକ୍ତରଖାନାରେ ରହିଲେ । ସାନ ବାଳକଟି ପାଇଁ ଏହା ଅତ୍ୟନ୍ତ ଦୁଃଖର କାରଣ ହୋଇ ରହିଥିଲା-। ଆଈମାଆ ଅସୁସ୍ଥ ଥିବା ସମୟରେ ପିଲାଟି ତା’ କାକୀଙ୍କ ପାଖରେ ରହୁଥିଲା । କାକୀ ଜଣେ ଅତ୍ୟନ୍ତ ଭଲ ମଣିଷ ଓ ସିଏ ଶୂରାର ସମସ୍ତ ଯତ୍ନ ନେଉଥିଲେ, ମାତ୍ର ଆଈମାଆଙ୍କ ପାଖରୁ ଛାଡ଼ି ହୋଇ ଯିବାରୁ ପିଲାଟି ଖୁବ୍ ଦୁଃଖ ପାଉଥିଲା । ଦିନେ ଶରତଋତୁରେ ଖୁବ୍ ଥଣ୍ଡା ପଡ଼ିଥାଏ, ଶୂରା ତା’ଆଈମାଆଙ୍କୁ ଦେଖିଯିବ ବୋଲି ସ୍ଥିର କଲା । କାଳୀଙ୍କୁ ମୋଟେ କୌଣସି କଥା ନକହି ଡାକ୍ତରଖାନାକୁ ବାହାରିଗଲା । ବାଟରେ ଝଡ଼ବର୍ଷା ହେଲା ଓ ସେ ଗୋଟାସୁଦ୍ଧା ଓଦା ହୋଇଗଲା; ତା’କୁ ଥଣ୍ଡା ଧରିଲା ଓ ସିଏ ଖୁବ୍ ଅସୁସ୍ଥ ହୋଇ ବିଛଣାରେ ପଡ଼ି ରହିଲା । ତା’ ଆଈମାଆ ଯେଉଁ ଡାକ୍ତରଖାନାରେ ଥିଲେ, କିଛିଦିନ ଅନ୍ତେ ତାକୁ ମଧ୍ୟ ସେହି ଡାକ୍ତରଖାନାରେ ଯାଇ ରହିବାକୁ ହେଲା-

 

ଭୋଲୋଡ଼୍ୟାର ଘରେ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା । ତା’ ମାଆ ଚୁନପଲସ୍ତରା କାମ କରୁଥିଲେ । ତାଙ୍କୁ ପ୍ରତ୍ୟହ ବସ୍ ଧରି କାମକୁ ଯିବାକୁ ହେଉଥିଲା । ଆସନ୍ନ ବସନ୍ତଋତୁରେ ଯେତେବେଳେ ଭୂଇଁରେ ତଥାପି ବରଫ ବସି କରି ରହିଥିଲା, ବସଟି ଗୋଟିଏ ମଣିଷ ବୋଝେଇ କାର୍ ସହିତ ଧକ୍କା ଲଗାଇଲା । ସେଥିରେ ଭୋଲୋଡ଼୍ୟାର ମାଆ ସାଂଘାତିକ ଭାବରେ ଆହାତ ହୋଇଥିଲେ । ସିଏ ଏଣିକି ଜୀବନଯାକ ପଙ୍ଗୁ ହୋଇ ରହିବେ ବୋଲି ଡାକ୍ତର କହୁଥାନ୍ତି । ଠିକ୍ ସେହି ସମୟରେ, ଭୋଲୋଡ଼୍ୟା ଜୀବନରେ ଉପଯୁକ୍ତ ରାସ୍ତାରେ ଯାଉ ବୋଲି ଅନେକ ଯତ୍ନନେଇଥିବା ତା’ର ଆଈ ମଧ୍ୟ ମରିଗଲେ ।

 

କୋଲ୍ୟାର ପରିବାର ଆଉ ଏକ ପ୍ରକାରର ଦୁଃଖର ସମ୍ମୁଖୀନ ହୋଇଥିଲା । ଚୋରୀ ମାଲ୍ ପାଖରେ ରଖିଥିବାରୁ ତା’ର ବାପା ଗିରଫ ହେଲେ, ତାଙ୍କୁ ଦୁଇବର୍ଷ ଜେଲ୍‌ଦଣ୍ଡ ହେଲା । ପରିବାରର ନୈତିକ ବାତାବରଣଟି ଅବଶ୍ୟ କ୍ରମେ ଅଧିକ ପରିଷ୍କୃତ ହୋଇ ଆସିଥିଲା, ମାତ୍ର ଘଟିଥିବା ଘଟଣା ବାଳକଟିର ମନରେ ଏକ କଠୋର ଆଘାତ ଆଣି ଦେଇଥିଲା ।

 

ପ୍ରତିଦିନ ପିଲାମାନଙ୍କ ସହିତ ଭେଟ ହେଲାବେଳେ ମୁଁ ସେମାନଙ୍କର ମୁହଁକୁ ଦେଖୁଥିଲି-। ଶିକ୍ଷାଦାନ କରିବାର ଜଟିଳ ପ୍ରକ୍ରିୟାଟି ମଧ୍ୟରେ ଗୋଟିଏ ପିଲାର ଦୁଃଖପୂର୍ଣ୍ଣ ଆଖିଗୁଡ଼ିକ ଅପେକ୍ଷା ଆଉ ଅଧିକ ପ୍ରତିବନ୍ଧକ ପ୍ରକୃତରେ କ’ଣ ହୋଇପାରେ ? ଯଦି ପିଲାର ମନରେ ଦୁଃଖ ରହିଥିବ, ତେବେ ସିଏ ଶ୍ରେଣୀର କୌଣସିଥିରେ ମନୋଯୋଗୀ ହୋଇ ପାରିବ ନାହିଁ । ତାହାକୁ ଗୋଟିଏ ଭାରି କଷି ହୋଇ ରହିଥିବା ସୂତା ସହିତ ତୁଳନା କରିହେବ, ଅସାବଧାନ ହୋଇ ଛୁଇଁବା ମାତ୍ରକେ ଯାହାକି ପଟ୍ କରି ଛିଡ଼ିଯିବାର ଆଶଙ୍କା ରହିଥିବ । ପ୍ରତ୍ୟେକ ପିଲାର ନିଜ ଦୁଃଖକୁ ଅନୁଭବ କରିବାର ଅଲଗା ଧାରାଟିଏ ରହିଛି : ଜଣକୁ ସାନ୍ତ୍ୱନା ଦେଲେ ତାକୁ ଭଲ ଲାଗିବ; କିନ୍ତୁ ଦୟାପରବଶ ହୋଇ କିଛି କହିଲେ ତାହା ହୁଏତ ଆଉ ପିଲାମାନଙ୍କର ମନକୁ ଅଧିକ ଆଘାତ ଆଣିଦେବ । ତେଣୁ ମନୁଷ୍ୟସୁଲଭ ଏକ ପ୍ରଜ୍ଞା ହିଁ ଏହି କ୍ଷେତ୍ରରେ ସର୍ବପ୍ରଥମ ଶିକ୍ଷାଗତ କୌଶଳ ରୂପେ କାର୍ଯ୍ୟ କରିବ : ଆହାତ ହୃଦୟଟିକୁ ତୁମେ ଆଦୌ ଚହଲାଇ ଦେବାକୁ ଯିବ ନାହିଁ, ପିଲାର ମନରେ କୌଣସି ଅଧିକ ଦୁଃଖ ଆଣିଦେବ ନାହିଁ, ତା’ ଅନ୍ତର ଭିତରେ ରହିଥିବା କ୍ଷତସ୍ଥାନଗୁଡ଼ିକୁ ତୁମେ ଆଦୌ ସ୍ପର୍ଶକରିବ ନାହିଁ । ଯେଉଁ ପିଲାଟି ନିଜର ଦୁଃଖରେ ହତଚକିତ ହୋଇ ରହିଥିବ, ସିଏ କଦାପି ପୂର୍ବଭଳି ଅଧ୍ୟୟନ କରିପାରିବ ନାହିଁ । ଦୁଃଖ ମନୁଷ୍ୟର ଭାବନା କ୍ଷେତ୍ରରେ ମଧ୍ୟ ଗୋଟିଏ ଦାଗ ଆଣି ପକାଇଦିଏ । ତେଣୁ ଜଣେ ଶିକ୍ଷକ ପାଇଁ ସର୍ବପ୍ରଥମ କାର୍ଯ୍ୟ ହେଉଛି ଯେ, ସିଏ ପିଲାଟିର ଦୁଃଖ, ବିଷାଦ ଏବଂ କଷ୍ଟକୁ ଦେଖିବ, ପିଲାଟିର ଅନ୍ତରଟିକୁ ଅନୁଭବ କରିବାକୁ ଚେଷ୍ଟା କରିବ । ପିଲାର ଦୁଃଖ ସହିତ ସିଏ ଆପଣାକୁ ଯେଉଁପରି ଭାବରେ ସମ୍ବନ୍ଧିତ କରି ପାରିଥିବ, ପିଲାର ଆତ୍ମାକୁ ବୁଝିବା ପାଇଁ ଓ ଅନୁଭବ କରିବା ପାଇଁ ସିଏ ଯେତିକି ପରିମାଣରେ ସମର୍ଥ ହେଉଥିବ, ତାହା ହିଁ ଜଣେ ଶିକ୍ଷକ ଲାଗି ତା’ ଶିକ୍ଷାଗତ ସକଳ କୌଶଳର ମୂଳଦୁଆ ହୋଇ କାର୍ଯ୍ୟ କରିବ ।

 

ଯଦି ଜଣେ ଛାତ୍ର ଦୁଃଖ ମଧ୍ୟ ଦେଇ ଜୀବନଯାପନ କରୁଥିବ, ତେବେ ତୁମେ ତାକୁ ତାଗିଦା କରି ଯିବନାହିଁ, ତା’ଠାରୁ କୌଣସି ମନୋଯୋଗ ଅଥବା କର୍ମଠତା ମଧ୍ୟ ଆଶା କରିବ ନାହିଁ । କ’ଣ ଘଟିଛି ବୋଲି ତାକୁ ପଚାରିବ ନାହିଁ ; ବର୍ଣ୍ଣନା କରି ସବୁ କହିପାରିବା ପିଲା ପକ୍ଷରେ କଷ୍ଟକର ହିଁ ହେବ । ଯଦି ପିଲାଟିର ତା’ ଶିକ୍ଷକ ଉପରେ ବିଶ୍ୱାସ ରହିଥିବ, ଯଦି ଶିକ୍ଷକ ତା’ର ବନ୍ଧୁ ବୋଲି ସିଏ ଭାବୁଥିବ, ତେବେ ସିଏ ଶିକ୍ଷକ ପାଖରେ ଯଥାଶକ୍ତି କିଛି କହିଦେଇ ପାରିବ । ଯଦି ସିଏ ନୀରବ ରହୁଥିବ, ତେବେ ତାର ବ୍ୟଥିତ ହୃଦୟକୁ ତୁମେ ସ୍ପର୍ଶ ମଧ୍ୟ କରିବ ନାହିଁ । ....ଅନୁଭବ କରି ଶିଖାଇବା ହେଉଛି ଶିକ୍ଷାର କ୍ଷେତ୍ରରେ ସବୁଠାରୁ ଅଧିକ କଷ୍ଟକର । ଏବଂ, ପିଲାଟି ବୟସରେ ଯେତେ ବଡ଼ ହୋଇଥିବ, ତେବେ, କିଞ୍ଚିତ ଉପମା ଦେଇ କହିଲେ, ତା’ର ହୃଦୟର କୋମଳ ତନ୍ତ୍ରୀଗୁଡ଼ିକୁ ଯାଇ ଛୁଇଁବା ଶିକ୍ଷକ ପାଇଁ ସେତିକି ଅଧିକ କଷ୍ଟକର ହିଁ ହେବ ।

 

ପିଲାକୁ ଅନୁଭବ କରିବାକୁ ଶିକ୍ଷା ଦେବା, ତା’ ଆଖିରେ ଅନ୍ତରଙ୍ଗ ବୋଲି ବୋଧ ହେଉଥିବା ଜଣେ ବ୍ୟକ୍ତିର ଅନ୍ତର୍ଜଗତକୁ ଯେପରି ସିଏ ଦେଖିପାରିବ, ସେଥିପାଇଁ ଶିକ୍ଷକ ପିଲାମାନଙ୍କର ଅନୁଭବକୁ ଅବଶ୍ୟ ସମ୍ମାନ ଦେଇ ପାରୁଥିବ, ସର୍ବପ୍ରଥମେ ତା’ର ଦୁଃଖକୁ ସମ୍ମାନ ଦେଇ ପାରୁଥିବ । ଅତ୍ୟନ୍ତ ହାଲୁକା ମୁଣ୍ଡରେ ପିଲା ସହିତ ଯୁକ୍ତି କରି ବସିବା, –ତୁମେ ପିଲାମାନେ ଅତିରିକ୍ତ ଭାବପ୍ରବଣ ହୋଇପଡ଼ ବୋଲି ଆମ ବୟସ୍କମାନଙ୍କୁ ଖୁବ୍ ଭଲ କରି ଜଣା ଅଛି, –ଇତ୍ୟାଦି କହିବା ଓ ତଦ୍ୱାରା କୌଣସି ପିଲାର ଦୁଃଖାନୁଭୂତିକୁ ଛିନ୍ନଭିନ୍ନ କରି ପକାଇବାକୁ ଚେଷ୍ଟା କରିବା ଠାରୁ ବଡ଼ ଓ ପିଲାମାନଙ୍କର ନୈତିକ ଓ ସଂବେଗଗତ ସମ୍ବନ୍ଧର କ୍ଷେତ୍ରରେ ଅଧିକ କୁତ୍ସିତ ଓ ଅସୁନ୍ଦର ସମ୍ଭବତଃ ଆଉ କିଛି ହେଲେ ନାହିଁ ।

 

ତୁମକୁ ସର୍ବପ୍ରଥମେ ପିଲାର ଭାବାବେଗ ଗୁଡ଼ିକୁ ମନେ ରଖିବାକୁ ହେବ । କୈଣସି ବିଶେଷ ପଦ୍ଧତିର ସାହାଯ୍ୟ ନେଇ ତୁମେ କଦାପି ସେକଥା ଶିଖାଇ ପାରିବ ନାହିଁ । ଶିକ୍ଷକ ଭିତରେ ଏକ ଉଚ୍ଚତର ସ୍ତରଯାଏ ସଂବେଗଗତ ନୈତିକ ବିକାଶ ସମ୍ଭବ ହୋଇଥିଲେ ଯାଇ ସେପରି ଘଟି ପାରିବ । ପିଲାଟିର ଦୁଃଖ ଯେଉଁ କାରଣରୁ ହୋଇଥାଉ ପଛକେ, ଏହି କ୍ଷେତ୍ରରେ ସର୍ବଦା କିଛି ସାଧାରଣ ଉପାଦାନ ରହିଥାଏ । ଆଖିଗୁଡ଼ିକ ବିରସ ଓ ବିଷର୍ଣ୍ଣ ଦେଖାଯାଏ; ଯାହା ପିଲାଙ୍କଠାରେ ସାଧାରଣତଃ ଦେଖା ଯାଇନଥାଏ, ସେଗୁଡ଼ିକ ଅତ୍ୟନ୍ତ ଚିନ୍ତାମଗ୍ନ ଭାବରେ ଟଳମଟଳ ହେଉଥାନ୍ତି, ଭାରି ଉଦାସୀନ, ନିରାଶ ଓ ଏକାକୀ ହୋଇ ରହିଥାନ୍ତି । ଦୁଃଖ ସମୟରେ ପିଲା ଖେଳ ଦେଖିବାକୁ ମନ କରେ ନାହିଁ; ସାଙ୍ଗମାନଙ୍କର ଆନନ୍ଦବିନୋଦରେ ମଧ୍ୟ ଅଂଶଗ୍ରହଣ କରେ ନାହିଁ । ଯେତେ ଯାହା ଘଟୁଥିଲେ ମଧ୍ୟ ତା’ର ମନ ଦୁଃଖପୂର୍ଣ୍ଣ ଭବନାଗୁଡ଼ିକରୁ ବାହାରକୁ ବାହାରି ପାରୁ ନଥାଏ । ସେତେବେଳେ ତା’ ଅନ୍ତର ଭିତରଟା ଆଦୌ ସ୍ପର୍ଶ ନକରି ତା’ର ଦୁଃଖକୁ ଅନୁଭବ କରିବା ଦ୍ୱାରା ହିଁ ତୁମେ ସର୍ବୋତ୍ତମ ସାହାଯ୍ୟ କରିପାରିବ । ଆଶାଳୀନ ଭାବରେ ଯାଇ ହସ୍ତକ୍ଷେପ କଲେ ହୁଏତ ତିକ୍ତତା ହିଁ ପରିଣାମ ହେବ ଏବଂ, ଆଦୌ ଅଧିର ନହେବାକୁ ଉପଦେଶ ଦେବା, ଆତ୍ମସମ୍ବରଣ କରିବାକୁ କହିବା, –ଯଦି ଏସବୁର ପଶ୍ଚାତରେ କୌଣସି ପ୍ରକୃତ ମାନବୀୟ ଅନୁଭବ ନଥାଏ, ତେବେ ପିଲାମାନଙ୍କ ସକାଶେ ତାହା ଅତ୍ୟନ୍ତ ଅପ୍ରାସଙ୍ଗିକ ହୋଇ ରହିଥିବ ।

 

ଯେତେବେଳେ ସାଶାର ଆଈ ବେମାର ପଡ଼ିଲେ, ସେତେବେଳେ କୁନି ବାବୁଟି ସର୍ବଦା ବିଷଣ୍ଣ ଏବଂ ଚିନ୍ତାମଗ୍ନ ହୋଇ ରହିଲା ଏବଂ, ତା’ ସହିତ ବଡ଼ ସଂଶୟାଚ୍ଛନ୍ନ ବି ହୋଇ ରହିଥିଲା । ଯଦି କେହି ତାକୁ କିଛି କହୁଥିଲା, ତେବେ ସତେଅବା ତା’ର କୌଣସି ଘାଆ ଥାନରେ ହାତ ବାଜିଗଲା ପରି ସିଏ ଚିହିଙ୍କି ଉଠୁଥିଲା । ଦିନେ ମୁଁ ତା’ର ଦୁଇ ଧୂସର ଆଖି ଲୁହରେ ପୂର୍ଣ୍ଣ ହୋଇ ରହିଥିବାର ଦେଖିବାକୁ ପାଇଲି । “ସଶା କାନ୍ଦୁଛି” ବୋଲି ପିଲାମାନେ ବି କହିଲେ । ଏପରି ପ୍ରତ୍ୟାଶା କରିବା ଅତ୍ୟନ୍ତ ନିର୍ବୋଧତା ହେବ ଯେ ପିଲାଟିଏ ପିଲା ବୋଲି ହିଁ ତା’ର ସାଙ୍ଗ କିମ୍ବା କୌଣସି ବୟସ୍କ ଲାଗି ସହାନୁଭୂତି ଅନୁଭବ କରିବ । ପିଲାମାନେ ସ୍ୱାଧୀନ ଭାବରେ ବାଟ ଚାଲିବାକୁ ଆରମ୍ଭ କରିବାକୁ ଯେପରି ଶିକ୍ଷା ଦିଆଯାଏ, ଏକାତ୍ମ ହେବାର କଳାଟିକୁ ମଧ୍ୟ ସେହିପରି ସାବଧାନ ଓ ସୁବିବେଚିତ ଭାବରେ ଶିଖାଇବାକୁ ହେବ ଏବଂ, ଜଣେ ଅନୁଭୂତିଯୁକ୍ତ ଶିକ୍ଷକର ଅସ୍ତ୍ରାଗାରରେ ଏକାତ୍ମତା ଶିକ୍ଷା ଦେବାର ଏକ ଶକ୍ତିଶାଳୀ ଅସ୍ତ୍ର ମଧ୍ୟ ରହିଥିବ । ସେହି ଅସ୍ତ୍ରଟି ହେଉଛି ଭାଷା ।

 

ମୁଁ ଏପରି ଗୋଟିଏ ମୁହୂର୍ତ୍ତ ବାଛିଲି ଯେତେବେଳେ କି ସାଶା ଶ୍ରେଣୀଗୃହରେ ନଥିଲା । ମୁଁ ପିଲାମାନଙ୍କୁ କହିଲି, “ଜଣେ ଲୋକ ଦୁଃଖିତ ହୋଇ ପଡ଼ିଲା ବୋଲି ତୁମେମାନେ ମୋଟେ ଆଶ୍ଚର୍ଯ୍ୟ ହୋଇଯିବ ନାହିଁ । ବର୍ତ୍ତମାନ ସାଶାର ମନ ଭିତରେ ବହୁତ ଦୁଃଖ ରହିଛି । ନିକଟ ଆତ୍ମିୟସ୍ୱଜନ ବୋଲି ତା’ପାଖରେ କେବଳ ତା’ର ଆଈମାଆ ଅଛନ୍ତି । ନିଜମାଆଙ୍କୁ ସେ ଆଦୌ ମନେ ପକାଇ ପାରୁ ନାହିଁ । ଏବଂ ଆଈମାଆ ବେମାର ପଡ଼ିଛନ୍ତି । ହୁଏତ ତାଙ୍କୁ ଡାକ୍ତରଖାନା ନିଆଯିବ;–ଏବଂ ତା’ପରେ ତା’ ନିଜର ବୋଲି ଆଉ କ’ଣ ରହିବ ? ତୁମେମାନେ ନିଜକୁ ତାହାର ସ୍ଥିତିରେ ଅଛ ବୋଲି କଳ୍ପନା କର, ତେବେ ଦୁଃଖ କ’ଣ ଜାଣି ପାରିବ । ଯେଉଁ ବୃଦ୍ଧ ବ୍ୟକ୍ତିଙ୍କୁ ଆମେ ରାସ୍ତାରେ ଭେଟିଥିଲୁ ମନେ ଅଛି ? ତାଙ୍କର ଦୁଃଖପୂର୍ଣ୍ଣ ଆଖିଗୁଡ଼ିକ ତୁମେମାନେ ମନେ ରଖିଛ ? ବୃଦ୍ଧ ଜଣକ ଖୁବ୍ ଦୁଃଖୀ ବୋଲି ତୁମେମାନେ ଅନୁଭବ କଲ । ତୁମେମାନେ ତୁମର ଜଣେ ସାଙ୍ଗର ଆଖିରେ ମଧ୍ୟ ସେହି ଦୁଃଖକୁ ଦେଖି ପାରିବ ନାହିଁ କାହିଁକି ? ଦେଖୁଛ ତ, ସାଶା ଏହି କେତେ ଦିନ ହେଲା କିପରି ଚୁପ୍ ଓ ଚିନ୍ତାମଗ୍ନ ହୋଇ ରହିଛି ! ସିଏ ଶ୍ରେଣୀଗୃହରେ ଅଛି, ଅଥଚ ତା’ ଭାବନାଗୁଡ଼ିକ ଆଈମାଆଙ୍କର ବିଛଣା ପାଖରେ ରହିଛି । ଯଦି ସେ ବର୍ତ୍ତମାନ ପାଇଁ କିଛି ଦିନ ଘରେ ରହିଯିବ, ତେବେ ସିଏ କାହିଁକି ସ୍କୁଲକୁ ଆସିଲା ନାହିଁ ବୋଲି ତରତର ହୋଇ ତାକୁ ଆଦୌ ପଚାରିବ ନାହିଁ । ନିଜ ଦୁଃଖକୁ ବର୍ଣ୍ଣନା କରି କହିବା ଜଣେ ଲୋକ ପକ୍ଷରେ ଖୁବ୍ କଷ୍ଟକର । ତେଣୁ, ଏକ ସାଧାରଣ ନିୟମ ହେଉଛି ଯେ, ଯଦି ଜଣେ ଦୁଃଖୀ ହୋଇ ରହିଛି, କଷ୍ଟ ପାଉଛି, ତେବେ ହଠାତ୍ କୁତୂହଳୀ ହୋଇ ତାକୁ କିଛି ପଚାରିବ ନାହିଁ । ତାକୁ ସାହାଯ୍ୟ କଲାଭଳି ବରଂ କିଛି କରିବ-। ତା’ ଘାଆରେ କଦାପି ଲୁଣ ଢାଳିବାକୁ ଚେଷ୍ଟା କରିବ ନାହିଁ । ତୁମ ଶ୍ରେଣୀର କାହା ଜୀବନରେ କିଛି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ବୋଲି ଯଦି ତୁମେ ଜାଣିବ, ତେବେ ଏପରି ଆଚରଣ କରିବ, ଯେପରିକି ତୁମର କୌଣସି କଥା ବା କୌଣସି କାର୍ଯ୍ୟ ତା’ର ଦୁଃଖକୁ ଆହୁରି ବଢ଼ାଇ ଦେବାରେ କଦାପି ସାହାଯ୍ୟ ନକରେ । ଏବଂ, ଆଉ ଗୋଟିଏ କଥା ମଧ୍ୟ ମନେ ରଖିବ –ସାଶା ଓ ତା’ର ଆଈମାଆଙ୍କୁ କିପରି ସାହାଯ୍ୟ କରି ପାରିବ, ସେ ବିଷୟରେ ମଧ୍ୟ ଭାବିବ । ମାତ୍ର, ସାହାଯ୍ୟ କରୁଛ ବୋଲି ଅଦୌ ଦେଖାଇ ହେବ ନାହିଁ;–କେବେହେଲେ କହିବ ନାହିଁ ଯେ, ତୁମେମାନେ ଖୁବ୍ ଭଲ ମଣିଷ, କାରଣ ନିଜର ଜଣେ ସାଙ୍ଗକୁ ସାହାଯ୍ୟ କରିପାରିଲ । ନିଜର ଭଲପଣିଆକୁ ଦେଖାଇ ହେବା, –ଏଇଟା ମୋଟେ ସ୍ପୃହଣୀୟ ନୁହେଁ । ନିଜ ସାଙ୍ଗକୁ ସାହାଯ୍ୟ କର ବୋଲି ଯଦି ତୁମର ହୃଦୟ କହୁନଥାଏ, ତେବେ ଭଲପଣିଆର ଯେତେ ଯାହା ପ୍ରଦର୍ଶନ କଲେ ମଧ୍ୟ ତୁମେ ତଦ୍ୱାରା ଭଲ ମଣିଷ ହୋଇ ଯିବନାହିଁ ।”

 

ସାଶା ଶ୍ରଣୀଗୃହକୁ ଫେରି ଆସିଲା ଏବଂ ତା’ପରେ ମୁଁ ତା’ ବିଷୟରେ ଆଉ ପଦେ ହେଲେ କହି ନଥିଲି । ମୁଁ କାହିଁକି ସଙ୍ଗେ ସଙ୍ଗେ ଅନ୍ୟ ଏକ ବିଷୟରେ କହିବାକୁ ଆରମ୍ଭ କଲି, ପିଲାମାନେ ସେକଥା ବେଶ୍ ଅନୁଭବ କରି ପାରିଥିଲେ । ଖେଳଛୁଟି ସମୟରେ, ସେମାନେ ସାନ ପିଲାଟିକୁ ଓ ତା’ ଆଈକୁ କିପରି ସାହାଯ୍ୟ କରିପାରିବେ, ସେମାନେ ସେହି ବିଷୟରେ ଆଲୋଚନା କରିଥିଲେ । ପିଲାମାନେ ତା’ପାଇଁ ଆପଲ୍ ଆଣିଲେ, ତାକୁ ମାଛ ଆଣି ଦେଲେ, –ଏବଂ ଏସବୁ କାର୍ଯ୍ୟକୁ ସେମାନେ ଅତ୍ୟନ୍ତ ଶୁଦ୍ଧ ଅଭିପ୍ରାୟ ସହିତ କରିଥିଲେ । ଯେତେବେଳେ ଆଈମାଆ ଡାକ୍ତରଖାନାକୁ ଗଲେ ଓ ସାଶା ଯାଇ ତା’ କାକୀଙ୍କ ସାଙ୍ଗରେ ରହିଲା, ସେତେବେଳେ ପିଲାଏ ବହୁତ ସମୟରେ ଯାଇ ସେମାନଙ୍କୁ ଦେଖି ଆସୁଥିଲେ । ବର୍ଷାରେ ତିନ୍ତି ଯେତେବେଳେ ପିଲାଟିକୁ ସର୍ଦ୍ଦି ହୋଇଗଲା ଓ ସିଏ ବେମାର ହୋଇ ଆଈଙ୍କ ସହିତ ଏକା ଡାକ୍ତରଖାନାରେ ଯାଇ ଭର୍ତ୍ତି ହେଲା, ସେତେବେଳେ ପିଲାମାନେ ଅତ୍ୟନ୍ତ ଦୁଃଖୀ ହୋଇ ପଡ଼ିଥିଲେ । ସ୍କୁଲ ଛୁଟି ଥିବା ଦିନ ଆମେ ସମସ୍ତେ ଡାକ୍ତରଖାନା ଯାଉଥିଲୁ । ପିଲାଏ ସେମାନଙ୍କର ସାଙ୍ଗଟି ଲାଗି ଆପଲ୍ ଓ ଏଇଟା ସେଇଟା ଖାଇବା ଦ୍ରବ୍ୟ ଆଣି ଆସୁଥିଲେ । ଏବଂ, ଶୂରାର ବାପା ତା’ ପାଇଁ ଯେଉଁ ଚକୋଲେଟ୍ କିଣି ଦେଇଥିଲେ, ସିଏ ସେଇଟିକୁ ମଧ୍ୟ ସାଶା ପାଇଁ ନେଇ ଯାଇଥିଲା । ସବୁ ପିଲା ସାଶାକୁ ଦେଖିବା ପାଇଁ ୱାର୍ଡକୁ ଯାଇଥିବା ବେଳେ ଆମକୁ ପ୍ରାୟ ଗୋଟିଏ ଓଳି ସେଥିପାଇଁ କଟାଇବାକୁ ପଡ଼ୁଥିଲା ।

 

ଏସବୁଥିରେ ମୁଁ ଖୁସୀ ହେଉଥିଲି ସତ, ମାତ୍ର ବିଚଳିତ ବି ହୋଇ ଯାଉଥିଲି । ଏକ ସାମୂହିକ ଉଦବେଗର ଫଳସ୍ୱରୂପ ଏପରି ହେଉଥିଲା । ନିଜର ଭଲ କାମଟିକୁ ଯେପରି ଅନ୍ୟମାନେ ଦେଖିପାରିବେ, ମୁଖ୍ୟତଃ ସେହି କାରଣରୁ କେତେକ ପିଲା ସେମାନଙ୍କର ବନ୍ଧୁଟି ସକାଶେ କିଛି ଭଲ କାମ କରିବାକୁ ଇଚ୍ଛା କରୁଥିଲେ । ଭୋଲୋଡ଼୍ୟା କହିଲା ଯେ, ତା’ର ବାପା ତା’ ପାଇଁ ଯେଉଁ ନୂଆ ସ୍କେଟିଂ ଜୋତା କିଣି ଦେଇଛନ୍ତି, ସିଏ ତାହାକୁ ମଧ୍ୟ ଶୂରାକୁ ଡାକ୍ତରଖାନାରେ ନେଇ ଦେଇଦେବ ।

 

“ତୋ ବାପାଙ୍କୁ ପଚାରିଛୁ ?” –ମୁଁ ପଚାରିଲି ।

 

“ହଁ, ପଚାରିଛି ।”

 

“ତେବେ ତାକୁ ଡାକ୍ତରଖାନା କାହିଁକି ଆଣିବୁ ? ଶୂରା କ’ଣ ବର୍ତ୍ତମାନ ସେଗୁଡ଼ିକୁ ବ୍ୟବହାର କରିପାରିବ ? ଆଗ ସିଏ ଭଲ ହୋଇ ଘରକୁ ଆସୁ, ତା’ପରେ ତୁ ଯାଇ ତା’ଘରେ ଦେଇ ଆସିବୁ ।”

 

ଭୋଲୋଡ଼୍ୟା ତା’ ସ୍କେଟିଂ ଜୋତାକୁ ଶୂରାକୁ ଆଉ ଦେଲା ନାହିଁ । ଭିତରେ ଇଚ୍ଛାଟି ଭାରି ଦୁର୍ବଳ ଥିଲା । ....ଏହି ଘଟଣାଟି ପରେ ମୁଁ ଦୟାର୍ଦ୍ରତା, ଉଷ୍ମହୃଦୟତା, ଓ ସହାନୁଭୂତି ଶିକ୍ଷା ଦେବା ବିଷୟରେ ବେଶ୍ ଚିନ୍ତା କରିଥିଲି । ଏଗୁଡ଼ିକ ପ୍ରକୃତରେ ଭାରି ସ୍ପର୍ଶକାତର ଓ ଜଟିଳ ବିଷୟ-। ମୋ’ ଭଲ କରିବାର ବଦଳରେ ମୋତେ ଯେଉଁ ପୁରସ୍କାରଟି ମିଳିବ, ତାହାର ହିସାବ କରି ନୁହେଁ, ମାତ୍ର ଭଲ କାମଟିଏ କରିବାର ପ୍ରୟୋଜନ ରହିଛି ବୋଲି ସିଏ ଭଲ କାମଟିକୁ କରିବ, ମୁଁ ଗୋଟିଏ ପିଲାକୁ ଏକଥା କିପରି ଶିଖାଇ ଦେଇ ପାରିବି ? କାହାର ଭଲ କରିବା, –ଏହି କଥାଟିର ମୂଳରେ ପ୍ରକୃତରେ କ’ଣ ରହିଥାଏ ଏବଂ ତାହା ପ୍ରକୃତରେ କେଉଁଠାରୁ ଆରମ୍ଭ ହୁଏ ? ଅବଶ୍ୟ ସହାନୁଭୂତିର ଶିକ୍ଷା ହେଉଥିବା ସମୟରେ ସାମୂହିକ ଆତ୍ମିକ ଆବେଗଟିର ମଧ୍ୟ ବହୁତ ତାତ୍ପର୍ଯ୍ୟ ରହିଥାଏ । ତଥାପି, ଏକାତ୍ମତାର ଗୁଣଟି ଯେ ଗୋଟିଏ ପିଲାର ଆତ୍ମିକ ଜୀବନସ୍ଥ ବ୍ୟକ୍ତିଗତ ମଣ୍ଡଳଟି ମଧ୍ୟରେ ଗଭୀର ଭାବରେ ପ୍ରବେଶ କରିଥିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ-

 

ମୋ’ର ସବୁଯାକ ପିଲା ଯେପରି ଏକ ଅନ୍ତର୍ଗତ ଆବଶ୍ୟକତା ଏବଂ ଏକ ଗଭୀର ପରିତୃପ୍ତିର ଅନୁଭବ ନିମନ୍ତେ ଭଲ କାମଗୁଡ଼ିକୁ କରିବେ, ନିଜର ସାଙ୍ଗମାନଙ୍କୁ ଅଥବା ସାଧାରଣ ଭାବରେ ଅନ୍ୟ ମନୁଷ୍ୟମାନଙ୍କୁ ସାହାଯ୍ୟ କରି ପାରୁଥିବେ, ମୁଁ ସେଥିଲାଗି ଉଦ୍ୟମ କରୁଥିଲି । ନୈତିକ ଶିକ୍ଷାର କ୍ଷେତ୍ରରେ ସମ୍ଭବତଃ ଏହି କଥାଟି ହେଉଛି ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ : ଆମେ ଜଣେ ମନୁଷ୍ୟକୁ କାହାର ଭଲ କରିବା ପାଇଁ ଶିକ୍ଷା ଦେବା; ମାତ୍ର, ତାହାକୁ ଏହିଭଳି କରିବା ଉଚିତ ବୋଲି କୌଣସି ସିଧା ଉପଦେଶ ଦେବା ନାହିଁ । ଏହି କଥାଟିକୁ କିପରି ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ? ସ୍ଥୁଳତଃ, ପିଲାର ଆନ୍ତରିକ ବଳଟିର ବିକାଶ କରାଇ ଆଣିବାକୁ ହେବ, ଯାହାଫଳରେ କି ସିଏ ଅନ୍ୟର ଭଲ କରିବ ହିଁ କରିବ; ଅର୍ଥାତ୍ ପିଲାକୁ ଏକାତ୍ମକ ହେବାର ବିଦ୍ୟାଟିକୁ ଶିଖାଇବାକୁ ପଡ଼ିବ । ମାତ୍ର ଏଇଟି ମଧ୍ୟ କିପରି ସମ୍ଭବ ହେବ ? ତୁମେ କିପରି ଏହି ବିନ୍ଦୁଟିରେ ଆସି ପହଞ୍ଚିପାରିବ, ଯେଉଁଠାରେ କି ଆଉ କାହାରି ଦୁଃଖ ଦେଖିବା ସଙ୍ଗେ ସଙ୍ଗେ ପିଲାମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ଆପଣାକୁ ସେହି ବ୍ୟକ୍ତିଟିର ସ୍ଥାନରେ ରଖି ଚିନ୍ତା କରିପାରିବେ, –ଯେପରିକି ସୁସ୍ଥ ଭାବନାଶକ୍ତି ସ୍ୱଚ୍ଛ ସଂବେଦନାକୁ ସମ୍ଭବ କରି ଆଣିବ ? ସାନ ପିଲାଟିର ବ୍ୟକ୍ତିତ୍ୱ ଦୁଃଖ ଭିତରେ ଥିବା ବିକ୍ତିଟିର ବ୍ୟକ୍ତିତ୍ୱ ସହିତ ନିଜକୁ ଯୁକ୍ତ କରି ଦେଇପାରିବ, ଯେପରିକି ପିଲା ଦୁଃଖ ଭୋଗୁଥିବା ମନୁଷ୍ୟଟି ଭିତରେ ନିଜକୁ ଦେଖି ପାରିବ ଓ ନିଜକୁ ଅନୁଭବ କରିପାରିବ ?

 

ଆମ ଶିକ୍ଷକ-ବୈଠକ ଗୁଡ଼ିକରେ ପିଲାମାନଙ୍କର ଆତ୍ମିକ ଜୀବନ ଏବଂ ପାରସ୍ପରିକ ସମ୍ବନ୍ଧଗୁଡ଼ିକ ପରି ଜଟିଳ ବିଷୟରେ ଗଭୀର ଆଲୋଚନାମାନ ହେଉଥିଲା ଏବଂ ସେଗୁଡ଼ିକ କ୍ରମେ ଗୋଟିଏ ଗୋଟିଏ ମନୋବିଜ୍ଞାନର ଚର୍ଚ୍ଚାକୁ ରୂପାନ୍ତରିତ ହୋଇ ଯାଇଥିଲା । ଖାଲି ପ୍ରାଥମିକ ସ୍ତରର ଶିକ୍ଷକମାନେ ନୁହଁନ୍ତି, ମଧ୍ୟ ଓ ଉଚ୍ଚତର ଶ୍ରେଣୀର ଶିକ୍ଷକମାନେ ମଧ୍ୟ ସେଥିରେ ଭାଗ ନେଉଥିଲେ । ଆମେ ସାନ ପିଲା, କିଶୋର ଏବଂ ତରୁଣ ମଣିଷଟିକୁ କେନ୍ଦ୍ର କରି ଚର୍ଚ୍ଚାଗୁଡ଼ିକୁ କରୁଥିଲୁ । ମନୋବିଜ୍ଞାନର ସେହି ଆଲୋଚନା ଗୁଡ଼ିକରେ ଆମେ ବିବରଣୀ ଗୁଡ଼ିକୁ ପାଠ କରୁଥିଲୁ ଏବଂ ନିର୍ଦ୍ଦିଷ୍ଟ ପିଲାଙ୍କର ଅନ୍ତରଗତ ପୃଥିବୀଗୁଡ଼ିକ ବିଷୟରେ ତଥ୍ୟ ଆଣି ଯୋଗାଇ ଦେଉଥିଲୁ; ସେମାନଙ୍କର ବୌଦ୍ଧିକ, ନୈତିକ, ସଂବେଗଗତ, ଶାରୀରିକ ତଥା ସୌନ୍ଦର୍ଯ୍ୟବୋଧଗତ ବିକାଶ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଆଣୁଥିଲୁ । ବିଦ୍ୟାଳୟକୁ ଆସିବା ପୂର୍ବରୁ ସେମାନେ ଯେଉଁଭଳି ପରିବେଶରେ ଲାଳିତ ପାଳିତ ହୋଇଥିଲେ ଏବଂ ସେହି ବାତାବରଣ ସେମାନଙ୍କର, ବୁଦ୍ଧି, ଭାବନା, ଅନୁଭୂତି, ଇଚ୍ଛାଶକ୍ତି, ଚରିତ୍ରଗଠନ ତଥା ବ୍ୟକ୍ତିଗତ ପ୍ରତ୍ୟୟଗୁଡ଼ିକୁ ଯେପରି ଭାବରେ ପ୍ରଭାବିତ କରୁଛି, ସେଗୁଡ଼ିକର ମଧ୍ୟ ଆଲୋଚନା ହେଉଥିଲା । ପ୍ରଥମିକ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ବିବରଣୀ ମଧ୍ୟ ଓ ଉଚ୍ଚତର ଶ୍ରେଣୀଗୁଡ଼ିକର ଶିକ୍ଷକମାନଙ୍କୁ ମଧ୍ୟ ସାମଗ୍ରୀ ଯୋଗାଇ ଦେଉଥିଲା, ଯାହାଦ୍ୱାରା କି ସେମାନେ କିଶୋର ତଥା ତରୁଣମାନଙ୍କୁ ମଧ୍ୟ ପ୍ରଭାବିତ କରିପାରିଲେ-। ଏହି ସବୁ କିଛି ମିଶି ସାମୂହିକ ଭାବରେ ଆମର ଶିକ୍ଷାଗତ ପ୍ରତ୍ୟେୟଗୁଡ଼ିକୁ ବଳଯୁକ୍ତ କରି ପାରିଥିଲା ଯେସବୁ ଶିକ୍ଷକଙ୍କ ସହିତ ଆମେ ଶିକ୍ଷା ଦେଉଥିବା ବ୍ୟକ୍ତିଟିର ଦୃଷ୍ଟିରୁ ବିଚାର କଲେ ପ୍ରତ୍ୟେକ ଶିକ୍ଷକକୁ ତା’ର ପ୍ରତ୍ୟେକ ଛାତ୍ର ବିଷୟରେ ଏକ ଗଭୀର ଓ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରି ପାରିଥିବା ଏକାନ୍ତ ଆବଶ୍ୟକ ।

 

କେତେ ପିଲାଙ୍କର ଅନ୍ତର୍ଜଗତରେ ରହିଥିବା ବହୁଜଟିଳ କ୍ଷେତ୍ରଗୁଡ଼ିକୁ ସମ୍ପୂର୍ଣ୍ଣରୂପେ ବୁଝି ପାରିବାକୁ ହେଲେ ଦୁଇ ତିନିଘଣ୍ଟା ସମୟ ଆଦୌ ପର୍ଯ୍ୟାପ୍ତ ନୁହେଁ ବୋଲି ଆମେ ଉପଲବ୍ଧି କଲୁ । ତେଣୁ କୋଲ୍ୟାର ବିକ୍ତିତ୍ୱ ବିଷୟରେ ମୋ’ର ବିବରଣୀଟି ଉପସ୍ଥାପିତ ହୋଇ ସାରିବା ପରେ ଅନ୍ୟ ଶିକ୍ଷକମାନେ ମଧ୍ୟ ସେଥିରେ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆଣି ଯୋଡ଼ି ଦେଇ ପାରିଲେ : ପିଲାଟି ବିଦ୍ୟାଳୟରେ ଦେଖୁଥିବା ସକଳ ବସ୍ତୁକୁ ତା’ ନିଜ ସଂବେଗଜଗତଟି ମଧ୍ୟରେ ପ୍ରକୃତରେ କିପରି ଭାବରେ ଦେଖୁଛି, ଅର୍ଥାତ୍ ମଣିଷ ମଣିଷ ଭିତରେ ରହିଥିବା ସମ୍ବନ୍ଧଗୁଡ଼ିକୁ ସିଏ କିଭଳି ବୁଝିଛି, ଅନ୍ୟ ମନୁଷ୍ୟମାନଙ୍କ ସହିତ ତା’ର କିଭଳି ସମ୍ବନ୍ଧ ରହିଛି, ଇତ୍ୟାଦି ଇତ୍ୟାଦି । ଏଥିରୁ ଆମେ ଜଣେ ପିଲା ମଧ୍ୟରେ ଭଲ କରିବା ନିମନ୍ତେ ରହିଥିବା ପ୍ରେରଣାଟି ବିଷୟରେ, ପିଲା କିପରି ଅନ୍ୟ କାହାର ଉପକାର କରିବାକୁ ପ୍ରବୃତ୍ତ ହୁଏ, ସେହି ବିଷୟରେ ଏକ ଆଗ୍ରୋହଦ୍ଦୀପକ ନୂତନ ସିଦ୍ଧାନ୍ତରେ ଆସି ପହଞ୍ଚିଲୁ । ଶିକ୍ଷକମାନେ ମଧ୍ୟ ସେହିପରି ମତ ଦେଇଥିଲେ । ଦୁଃଖ ଭିତରେ ରହିଥିବା ନିଜର ବନ୍ଧୁମାନଙ୍କ ପ୍ରତି ପିଲାମାନେ ଯେତିକି ଅଧିକ ସହାନୁଭୂତି ପ୍ରଦର୍ଶନ କରୁଥିଲେ, ସେମାନଙ୍କର ହୃଦୟ ସେତିକି ଅଧିକ ସଂବେଦନଶୀଳ ହୋଇ ଯାଉଥିଲା । ପିଲାମାନେ ତୃତୀୟ ଶ୍ରେଣୀରେ ଥିଲାବେଳେ ପ୍ରେବୃଆରୀ ମାସର ଗୋଟିଏ କାଲୁଆ ଦିନରେ ମିଶା, କୋଲ୍ୟା, ଏବଂ ଲାରିସା ଦଉଡ଼ି ଦଉଡ଼ି ଆସି ମୋ’ ଘରେ ପହଞ୍ଚିଥିଲେ । କ’ଣ ଗୋଟାଏ ଘଟଣାରେ ସେମାନେ ବଡ଼ ବିଚଳିତ ହୋଇ ଯାଇଥିଲେ ।

 

କୋଲ୍ୟା କହିଲା, “ଭାନ୍ୟାର ଭାଇ ଲୋନ୍ୟା ମରିଗଲା । ସେମାନେ ତା’ ବାପାଙ୍କ ପାଖକୁ ତାର କରିଛନ୍ତି ଏବଂ କାଲି ସେ କାଜାକ୍‌ସ୍ତାନ୍ ଯାଉଛି । ଆମେ କ’ଣ କରିପାରିବା ?”

 

ପିଲାମାନଙ୍କର ଆଖିଗୁଡ଼ିକ ଜାଣିବାକୁ ଚାହୁଥିଲା; ଆମେ ଆମ ସାଙ୍ଗକୁ କିପରି ସାହାଯ୍ୟ କରି ପାରିବୁ ଆପଣ କହିଦିଅନ୍ତୁ !

 

ଦୁଃଖଦ ଘଟଣାଟି କିପରି ଘଟିଲା, ଆମେ ସେହିଦିନ ହିଁ ଜାଣିପାରିଲୁ । ଅଠର ବର୍ଷ ବୟସର ଟ୍ରାକ୍ଟର-ଚଲାଳି ଲ୍ୟୋନ୍ୟା ପଶୁମାନଙ୍କର ଗୁହାଳକୁ ପାଳ ନେଇ ଯାଉଥିଲା । ବାଟରେ ବରଫଝଡ଼ ହେଲା । ଟ୍ରାକ୍ଟରଟିକୁ ଛାଡ଼ି ଦେଇ ସେ ନିକଟରେ ଥିବା ଗାଁ ଭିତରକୁ ଯାଇ ପାରିଥାନ୍ତା-। ମାତ୍ର ସିଏ ସେପରି କଲା ନାହିଁ; ଭାବିଥିଲା ଝଡ଼ଟା ଅଳ୍ପ ସମୟରେ ବନ୍ଦ ହୋଇଯିବ ଏବଂ ସିଏ ଠିକ୍ ସମୟରେ ପାଳକୁ ନେଇ ଉଚ୍ଚିତ ସ୍ଥାନରେ ପହଞ୍ଚାଇ ଦେଇ ପାରିବ । ମାତ୍ର, ଝଡ଼ ଆହୁରି ବଢ଼ିଗଲା ଓ ହଠାତ୍ ହିମ ଘୋଟି ଆସିଲା । ଲ୍ୟୋନ୍ୟା ଟ୍ରାକ୍ଟରରେ ଥିବା ତା’ ବସିବା ଥାନରେ ହିଁ ହିମଗ୍ରସ୍ଥ ହୋଇ ମରିଗଲା । ...ଭାନ୍ୟା ଅନେକ ଦିନ ପାଇଁ ସ୍କୁଲ୍‌କୁ ଆସି ନଥିଲା । ପିଲାଏ ବି ଭାରି ଦୁଃଖ କଲେ; ସେମାନଙ୍କର ସବୁ କିଚିରି ମିଚିରି ବନ୍ଦ ହୋଇଯାଇଥିଲା, ଜଣେ ସାଙ୍ଗକୁ କିପରି ସାହାଯ୍ୟ କରି ହେବ ବୋଲି ସେମାନେ ପଚାରୁଥିଲେ । କିଏ ଜଣେ କହିଲା ଚାଲ ତାଙ୍କ ଘରକୁ ଯିବା । ମୁଁ ମନା କଲି : “ଭାନ୍ୟା, ତା’ର ମାଆବାପା ଓ ଭାଇଭଉଣୀ ଭାରି ଦୁଃଖ ଭିତରେ ରହିଥିବେ । ଆମେ ସେମାନଙ୍କର ଘରକୁ ଗଲେ, ଲ୍ୟୋନ୍ୟା କିପରି ଦିନେ ସ୍କୁଲ୍‌କୁ ଯାଇଥିଲା, ଆମକୁ ଦେଖି ତା’ ମାଆଙ୍କର ସେକଥା ମନେ ପଡ଼ିଯିବ ଏବଂ ତାଙ୍କର ଦୁଃଖ ଆହୁରି ଅଧିକ ଅସହ୍ୟ ହେବ । ମାଆଙ୍କର ମନ ଟିକିଏ ବଦଳି ଯାଉ, ତା’ପରେ ଯାଇ ଆମେ ଭାନ୍ୟାକୁ ଦେଖିବାକୁ ଯିବା । ଏବଂ ଯେତେବେଳେ ସିଏ ପୁଣି ସ୍କୁଲ୍‌କୁ ଆସିବ, ତା’ର ଭାଇ କିପରି ମଲା ବୋଲି ତୁମେମାନେ ଆଦୌ ପଚାରିବ ନାହିଁ । ସେହି ବିଷୟରେ କିଛି ଭାବିବା ବା କହିବା ତା’ ପାଇଁ ଅତ୍ୟନ୍ତ କଠିନ ହେବ । ଭାନ୍ୟା ପାଖରେ ମନ ରହିଥିବ, ତୁମେମାନେ ତା’ର କଥାଗୁଡ଼ିକ ମାନୁଥିବ, ମାତ୍ର ତା’ର ମନରେ ଆଘାତ ଦେବାଭଳି ତୁମେମାନେ ଆଦୌ କିଛି କହିବନାହିଁ-।”

 

ଭାନ୍ୟାର ବାପା କାଜାକ୍‌ସ୍ତାନ୍‌ରୁ ଫେରି ଆସିବାପରେ ମୋତେ କହିଥିଲେ ଯେ, ସେହି କୁମାରୀ ଭୂମିରେ ଅବସ୍ଥିତ ଗୋଟିଏ ଗାଁକୁ ତା’ଙ୍କ ବଡ଼ ପୁଅର ନାମ ଅନୁସାରେ ନାମିତ କରାଯିବ । ଏକଥା ମୋତେ ବାପା କହିଲେ ଓ ମୁଁ ପିଲାମାନଙ୍କୁ ଆସି ସେହି କଥାଟିକୁ କହିଲି । ସେତେବେଳେ ଆମ ଶ୍ରେଣୀଟି ତରୁଣ ଅଗ୍ରଗାମୀ ଦଳରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥାଏ । ଦିନେ ଶାଖାଟିକୁ ସେମାନେ ବର୍ତ୍ତମାନ କାହା ନାମରେ ନାମିତ କରିବେ, ଓ ପରବର୍ତ୍ତୀ ବର୍ଷର ତିନୋଟି ଯାକ ଦଳ କିପରି ନାମିତ ହେବ, ପିଲାମାନେ ସେହି ବିଷୟରେ ଚିନ୍ତା କରିଥିଲେ । ଏବଂ ମୁଁ ଯାହା ପ୍ରତ୍ୟାଶା କରୁଥିଲି, ସେମାନେ ନିଜେ ସେହି କଥାଟିକୁ କହିଲେ : ଭାନ୍ୟା ଯେଉଁ ଦଳ ଭିତରେ ରହିବ, କର୍ତ୍ତବ୍ୟ କରୁଥିବା ସମୟରେ ଜୀବନ ଦେଇଥିବା ତା’ର ବଡ଼ ଭାଇ ଲେଓନିଡ଼୍ ଅନୁସାରେ ତାହାର ନାମକରଣ ହେବ । ସାନ ଛୁଆଟି ତା’ ମାଆଙ୍କୁ ଯାଇ ଏକଥା କହିଲା । ମୁଁ ପିଲାମାନଙ୍କୁ ଗୋଟିଏ ଆଲ୍‍ବମ୍ ତିଆରି କରିବାକୁ ପ୍ରସ୍ତାବ ଦେଲି, ଯେଉଁଥିରେ କି ଆମେ ପ୍ରତ୍ୟେକେ ସ୍କୁଲ୍ ବିଷୟରେ କିଛି ଅଙ୍କନ କରିବା । ପ୍ରତ୍ୟେକ ପିଲା ଲେଓନିଡ଼୍ ଓ ସିଏ ସ୍କୁଲରେ କଟାଇଥିବା ବର୍ଷଗୁଡ଼ିକ ସହିତ ସମ୍ବନ୍ଧିତ କିଛି ନା କିଛି ଆଙ୍କି କରି ରଖିବାକୁ ଇଚ୍ଛା ପ୍ରକାଶ କଲେ । ଲେଓନିଡ଼୍ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଯେଉଁ ଆପଲ୍‌ ଗଛଟି ଲଗାଇଥିଲା, ବଡ଼ ପିଲାମାନେ ଆମକୁ ସେଇଟି ଦେଖାଇ ଦେଇଥିଲେ । ପଦାର୍ଥ ବିଜ୍ଞାନର କୋଠରୀରେ ଆମେ ଲେଓନିଡ଼୍ ଓ ତା’ର ସାଙ୍ଗମାନେ ତିଆରି କରିଥିବା ମଡେଲ୍‍ ବଗଟିଏ ଦେଖିବାକୁ ପାଇଲୁ । ଲେଓନିଡ଼୍ ଚଢ଼େଇ ଭଲ ପାଉଥିଲା ଏବଂ, ସିଏ ଓ ତା’ର ସାଙ୍ଗମାନେ ଏକଦା ବନାଇଥିବା ସାନ କପୋତ-ଅଡ଼ାଟିକୁ ସ୍କୁଲରେ ସମସ୍ତେ ମନେ ରଖିଥିଲେ । ପିଲାମାନେ ଏହି ସବୁ ବିଷୟକୁ ଆଲବମରେ ଲେଖି ରଖିଲେ । ମୁଁ ଲେଓନିଡ଼୍‍ର ଗୋଟିଏ ଚିତ୍ର ଆଙ୍କିଦେଲି । ଆଲବମଟିକୁ ନେଇ ଆମେ ତା’ର ମାଆଙ୍କ ପାଖକୁ ଗଲୁ-। ଏହି ଉପହାରଟି ତାଙ୍କ ଲାଗି ପ୍ରକୃତରେ ଅମୂଲ୍ୟ ଥିଲା : ବିଦ୍ୟାଳୟ ତାଙ୍କ ପୁଅର ସ୍ମୃତିଟିକୁ ସୁରକ୍ଷିତ କରି ରଖୁଛି ବୋଲି ଜାଣି ସେ ଖୁବ୍ ଖୁସି ହେଲେ । ଲେଓନିଡ଼୍ ନାଆଁରେ ନାମିତ ତରୁଣ ଅଗ୍ରଗାମୀ ଦଳ ପାଇଁ ମଧ୍ୟ ଆମେ ଠିକ୍ ସେହି ଭଳି ଆଲବମ୍‌ଟିଏ ତିଆରି କରିଥିଲୁ-

 

ଏକଥାଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ସହାନୁଭୂତିପୂର୍ଣ୍ଣ ଅନୁଭୂତି ଓ ଉତ୍ତମ କାର୍ଯ୍ୟଗୁଡ଼ିକୁ ଆଦୌ କେବଳ ଦେଖାଣିଆ କଥାରେ ପରିଣତ କରି ଦିଆଯିବ ନାହିଁ । ଯାହାକିଛି କରା ହେଲା, ତାହା ବିଷୟରେ ଯଥାସମ୍ଭବ କମ୍ କଥା କୁହାଯିବ ଏବଂ, ଉତ୍ତମ କାର୍ଯ୍ୟଗୁଡ଼ିକ ବିଷୟରେ କୌଣସି ପ୍ରଶଂସା ହେବ ନାହିଁ । ଯଦି ପିଲାଟିଏ ନିଜ ମନ ଭିତରେ ନିଜର କାର୍ଯ୍ୟଗୁଡ଼ିକୁ ସାହସିକ ଓ ପ୍ରଶଂସାର ଯୋଗ୍ୟ ବୋଲି ଭାବିବାକୁ ଆରମ୍ଭ କରେ, ତେବେ ତାହାକୁ ସବୁଠାରୁ ଅଧିକ ବିପଜ୍ଜନକ ବୋଲି କୁହାଯିବ । ଅଧିକାଂଶ କ୍ଷେତ୍ରରେ ସ୍ୱୟଂ ବିଦ୍ୟାଳୟ ହିଁ ସେହି ଦୋଷଟିକୁ କରିଥାଏ । ଥରେ ଜଣେ ପିଲା ଆଉ କିଏ ହଜାଇ ଦେଇଥିବା ଏକ ଦଶପଇସି ପାଇଲା, ତାକୁ କ୍ଲାସକୁ ଆଣିଲା ଏବଂ ସିଏ ସେଇଟିକୁ ପାଇଛି ବୋଲି ସମସ୍ତେ ଜାଣିଲେ । ପଡ଼ିଶାରେ ଥିବା ଆଉ ଗୋଟିଏ ସ୍କୁଲରେ ଯେଉଁ ମଜା କଥାଟି ଘଟିଥିଲା, ଏକଥାରୁ ମୋ’ର ସେଇଟି ଭାରି ମନେ ପଡ଼ିଯାଉଛି । ବାଟରୁ ପାଇଥିବା ପାଞ୍ଚ ପଇସିଟିଏ ହାତରେ ଧରି ଗୋଟିଏ ଝିଅ କ୍ଲାସକୁ ଆସିଲା ଓ ତା’ର ଶିକ୍ଷକ ତା’ ଉପରେ ପ୍ରଶଂସାମାନ ଢାଳି ଦେଇଗଲେ । ........ଏବଂ, ତା’ପରେ ପରବର୍ତ୍ତୀ ଖେଳଛୁଟି ସମୟରେ ତିନିଜଣ ବାଳିକା ଓ ଗୋଟିଏ ବାଳକ ଶିକ୍ଷକଙ୍କ ପାଖକୁ ଦଉଡ଼ି ଯାଇଥିଲେ ଓ ପ୍ରତ୍ୟେକେ ସେମାନଙ୍କର କେହି ସାଙ୍ଗ ହଜାଇ ଦେଇଥିବା ପଇସା ପାଇଛନ୍ତି ବୋଲି ଦାବି କରିଥିଲେ : ଜଣେ ପଇସିଟିଏ ଓ ଅନ୍ୟମାନେ ଦୁଇ ପଇସା ପାଇଥିଲେ । ସେମାନେ ପ୍ରଶଂସା ପାଇବା ନିମନ୍ତେ ଅପେକ୍ଷା କରିଥାନ୍ତି; ମାତ୍ର କୋଉଠି କ’ଣ ଗୋଳମାଳ ରହିଯାଉଛି ବୋଲି ଶିକ୍ଷକ ଆଘ୍ରାଣ କରିପାରୁଥିଲେ ଓ ଟିକିଏ ବିରକ୍ତି ପ୍ରକାଶ କଲେ । ....ପିଲାମାନେ ଏହିପରି ଭାବରେ ‘ଉତ୍ତମକାର୍ଯ୍ୟ’ ର ଦୃଷ୍ଟାନ୍ତମାନ ଆଣି ଖଞ୍ଜି ଦେଇଥାନ୍ତି ଏବଂ ଯଦି ସେମାନଙ୍କୁ ସେଥିଲାଗି ପ୍ରଶଂସା କରାନଯାଏ, ତେବେ ସେମାନେ ଅପ୍ରସନ୍ନ ହୋଇ ଯାଆନ୍ତି ।

 

ସଦୟ ହେବା ଜଣେ ବ୍ୟକ୍ତିର ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଥିବା ଉଚିତ୍-। ଏହିସବୁ କାର୍ଯ୍ୟ ଦ୍ୱାରା ପିଲାମାନେ ନିଜ ହୃଦୟ ଭିତରେ ଗଭୀର ସନ୍ତୋଷ ଅନୁଭବ କରୁଥିବେ, ସବୁବେଳେ ସେହି କଥାଟି ଉପରେ ଦୃଷ୍ଟି ରହିଥିବା ଉଚିତ୍‍ । ଶିକ୍ଷକର କଥା ଶୁଣି ଓ ନିଜ ଗୋଷ୍ଠୀର ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ଆଉ ଜଣେ ବ୍ୟକ୍ତିର ଅନ୍ତରସ୍ଥ ଜଗତ ପ୍ରତି ଜଣେ ପିଲା ଉଷ୍ମତା ପ୍ରକଟ କରିଥାଏ । ଏହିପରି ଭାବଗୁଡ଼ିକୁ ପିଲାମାନଙ୍କ ମଧ୍ୟରେ ଜାଗୃତ କରାଇ ଆଣିବାର ବହୁତ ମହତ୍ତ୍ୱ ରହିଛି ।

 

ମୋ’ ପିଲାମାନେ ସେମାନଙ୍କର ପୁରୁଣା ବନ୍ଧୁ ଆନ୍ଦ୍ରେଇ ଅଜାଙ୍କୁ କେବେହେଲେ ଭୁଲିଯାଇ ନଥିଲେ । ଶୀତଋତୁର ମାସଗୁଡ଼ିକରେ ବୃଦ୍ଧ ବ୍ୟକ୍ତିଜଣକ ଶୀତକାଳର ମହୁଘର ନିକଟରେ ଥିବା ଗୋଟିଏ ସାନ କୁଟୀରରେ ବାସ କରୁଥିଲେ । ପିଲାମାନେ ତାଙ୍କ ପାଇଁ ଆପଲ୍ ଆଣୁଥିଲେ, ଛବି ଆଙ୍କି ତାଙ୍କୁ ଦେଇ ଆସୁଥିଲେ । ଅଜା ପିଲାମାନଙ୍କର ସଦୟ ପ୍ରତ୍ୟେକ ଶଦ୍ଦ ଲାଗି କୃତଜ୍ଞତା ପ୍ରକାଶ କରୁଥିଲେ । ସିଏ ଏକୁଟିଆ ଥିବାରୁ ଭାରି କଷ୍ଟରେ ଥିବେ ବୋଲି ଅନୁଭବ କରୁଥିବାରୁ ପିଲାମାନେ ତା’ଙ୍କ ପ୍ରତି ଏତେ ସହାନୁଭୂତି ରଖୁଥିଲେ ।

 

ମାର୍ଚ୍ଚ ମାସରେ ଦିନେ ବେଶ୍ ଉଷୁମ ଲାଗୁଥାଏ, –ପିଲାମାନେ ଆନ୍ଦ୍ରେଇ ଅଜାଙ୍କ ପାଖକୁ ଧାଇଁଗଲେ । ସେମାନେ ମହୁମାଛି ବାହାର କରିବାରେ ତା’ଙ୍କୁ ସାହାଯ୍ୟ କରିବେ ବୋଲି ଇଚ୍ଛା କରୁଥିଲେ । ସେଦିନ ସମସ୍ତଙ୍କ ଛୁଟି ଥାଏ । ବସନ୍ତ ଋତୁର ସୁନେଲି ବାର୍ତ୍ତାବାହକମାନେ କିପରି ଚତୁର୍ଦ୍ଦିଗ ବ୍ୟାପି ଉଡ଼ୁଥାନ୍ତି, ଛୁଆମାନେ ସେଥିରେ ଖୁବ୍ ଖୁସୀ ହୋଇ ଯାଉଥିଲେ । ମହୁବଗିଚା ଆଡ଼କୁ ପଡ଼ିଥିବା ରାସ୍ତାରେ ଯାଉ ଯାଉ ପାଣି ପିଇବା ପାଇଁ ଆମେ ଜଣେ ବୁଢ଼ୀର କୁଡ଼ିଆ ଭିତରକୁ ଯାଇଥିଲୁ । ସିଏ ଆମକୁ ଘର ତିଆରି କିଛି ଚିଜ ଖାଇବାକୁ ଦେଲେ ଏବଂ ପରେ ମଧ୍ୟ ବହୁତ ଥର ଆସିବା ଲାଗି ଆମକୁ କହିଥିଲେ ।

 

ଓଲ୍‍ଗା ଫ୍ୟୋଡ଼ୋରୋଭ୍ନା ଯୁଦ୍ଧ ସମୟରେ ବର୍ଷଗୁଡ଼ିକରେ ଦାରୁଣ ଦୁଃଖ ମଧ୍ୟରେ ଜୀବନ ଅତିବାହିତ କରିଥିଲେ । ତାଙ୍କର ଦୁଇ ପୁଅ, ସ୍ୱାମୀ ଓ ଭାଇ ଯୁଦ୍ଧରେ ନିହତ ହେଲେ ଏବଂ ଫାସିଷ୍ଟ୍ ଜର୍ମାନୀର କୋଇଲାଖଣି ଗୁଡ଼ିକରେ ଅତିରିକ୍ତ ଶ୍ରମ କରିବାକୁ ବାଧ୍ୟ ହୋଇ ତାଙ୍କର ଝିଅ ମରିଯାଇଥିଲେ । ତାଙ୍କର କଠୋର ଜୀବନ ବିଷୟରେ ମୁଁ ପିଲାମାନଙ୍କୁ କହିଥିଲି ଏବଂ ପିଲାମାନେ ଓଲ୍‍ଗା ଆଈଙ୍କ ସହିତ ବନ୍ଧୁତା ବାନ୍ଧିବାକୁ ଇଚ୍ଛା କଲେ । ସେମାନେ ଅନେକ ସମୟରେ ତାଙ୍କୁ ଦେଖିବାକୁ ଯାଉଥିଲେ । ସେତେବେଳେ ସିଏ ତାଙ୍କର ପୁଅମାନେ ଓ ସ୍ୱାମୀ ପାଇଥିବା ସମ୍ମାନ ଆଉ ମେଡ଼ାଲ୍‍ଗୁଡ଼ିକୁ ଆମକୁ କାଢ଼ି ଦେଖାଉଥିଲେ । ଓଲ୍‍ଗା ଆଈଙ୍କୁ କିଛି ଆନନ୍ଦ ଆଣି ଦେବାର ଏକ ବାସନା ପିଲାମାନଙ୍କର ହୃଦୟରେ ଜାଗୃତ ହେବାକୁ ଲାଗିଲା । ଫଳଗଛ ଲଗାଇବାର ଋତୁ ଆସି ଉପସ୍ଥିତ ହେବା ମାତ୍ରକେ ଆମେ ତାଙ୍କର ଦୁଇ ପୁଅ, ଝିଅ, ଭାଇ ଓ ସ୍ୱାମୀଙ୍କ ସ୍ମୃତିରେ ପାଞ୍ଚୋଟି ଆପଲ୍ ଗଛ ଓ ପାଞ୍ଚୋଟି ଲେଖାଏଁ ନାସପାତି, ଚେରି ଓ ଅଙ୍ଗୁରଲଟା ରୋପଣ କରିଥିଲୁ । ତା’ପରେ ଆମେ ସ୍ୱୟଂ ଆଈଙ୍କ ଲାଗି ମଧ୍ୟ ଗଛ ଲାଗାଇଲୁ । ଏହାଦ୍ୱାରା ଆଈ ଯେଉଁ କୃତଜ୍ଞତାଭାବ ଦେଖାଇଥିଲେ, ତାହାକୁ ବର୍ଣ୍ଣନା କରିହେବ ନାହିଁ । ଭାରି ଗରମ ହେଉଥିବା ଗ୍ରୀଷ୍ମଦିନଗୁଡ଼ିକରେ ଆମେ ସେହି ଗଛଗୁଡ଼ିକରେ ପାଣି ଦେବାକୁ ଯାଉଥିଲେ । ଅବଶ୍ୟ ଏକଥା ସତ ଯେ, ଆମେ ନଯାଉଥିଲେ ସିଏ ନିଜେ ସେହି କାର୍ଯ୍ୟଟିକୁ ନିଶ୍ଚୟ କରୁଥାନ୍ତେ । ଗ୍ରୀଷ୍ମଦିନରେ ପିଲାମାନେ ତାଙ୍କ ପାଖରେ ଗୋଟାଏ ଗୋଟାଏ ପୂରା ଦିନ କଟାଇ ଦେଉଥିଲେ ।

 

ଓଲ୍‌ଟା ଆଈ ପିଲାମାନଙ୍କର ପୂରା ବନ୍ଧୁ ହୋଇଗଲେ । ପିଲାମାନଙ୍କର ଯାବତୀୟ ଛୁଟିଦିନରେ ତାଙ୍କୁ ମଧ୍ୟ ସାମିଲ୍ କରି କାର୍ଯ୍ୟକ୍ରମ ହେଉଥିଲା । ଚେରି, ଆପଲ୍, ନାସ୍ପାତି ଓ ଅଙ୍ଗୁର ପାଚି ଆସିବା ସମୟରେ ଆମେ ସେହି କ୍ଷଣଟିକୁ ମୋଟେ ହାତଛଡ଼ା କରୁନଥିଲୁ, ଆମେ ଆଈଙ୍କ ବଗିଚାକୁ ଯାଇ ପ୍ରଥମ ପାଚିଲା ଫଳଗୁଡ଼ିକୁ ତୋଳି ଆଣୁଥିଲୁ ଏବଂ ତାଙ୍କୁ ଆଣି ଦେଉଥିଲୁ । ପିଲାମାନେ ଯେତେବେଳେ ସପ୍ତମ ଶ୍ରେଣୀକୁ ଆସିଲେ, ସେତେବେଳେ ଓଲ୍‍ଗା ଆଈ ଗୁରୁତର ଭାବରେ ଅସୁସ୍ଥ ହୋଇଥିଲେ । ସ୍କୁଲ୍-ବର୍ଷ ଶେଷ ହେବାର ସପ୍ତାହକ ପରେ ତାଙ୍କର କାଳ ହେଲା । ପିଲାମାନେ ଗଭୀର ଦୁଃଖ ପାଇଥିଲେ । ଆମେ ପରେ ଆବିଷ୍କାର କରିଥିଲୁ ଯେ, ଓଲ୍‍ଗା ଫ୍ୟୋଡ଼ୋରୋଭ୍ନ ତାଙ୍କର କୁଟୀର ଓ ଫଳବଗିଚାକୁ ପିଲାମାନଙ୍କ ନାମରେ ଉଇଲ୍ କରିଦେଇଥିଲେ-। ସେହି ଉଇଲ୍‍କୁ ଦେଖି କୋଠଚାଷର ମୁଖ୍ୟ ବଡ଼ ଅଡ଼ୁଆରେ ପଡ଼ିଯାଇଥିଲେ : ଏହି ସାନ ପିଲାମାନେ ଏସବୁ ସମ୍ପତ୍ତିର ମାଲିକ ବୋଲି କିପରି ଅର୍ଥ କରାଯିବ ? ଏହି କଥାଟି କୌଣସି ଆଇନ୍‍ର ଅଧିନରେ ଆସୁନଥିଲା । ତଥାପି କୋଠଚାଷର କୃଷକମାନେ ଏକ ସମାଧାନ ପାଇବାରେ ଆସି ସାହାଯ୍ୟ କଲେ । ସେମାନେ କହିଲେ ଯେ, ଏହି ସାନ ଜମିଟି ଉପରେ ପିଲାମାନେ ସେମାନଙ୍କର ଉତ୍ତମ କାର୍ଯ୍ୟଗୁଡ଼ିକୁ କରିବେ । ସେହି କୁଟୀରରେ ରହିବା ପାଇଁ ଆମେ ଆନ୍ଦ୍ରେଇ ଅଜାଙ୍କୁ ନିମନ୍ତ୍ରଣ କରି ଆଣିଲୁ ଏବଂ ସିଏ ଖୁସୀ ହୋଇ ଆସିଲେ । ଏହା ତାଙ୍କର ମହୁବଗିଚା ଠାରୁ ବେଶୀ ଦୂରରେ ନଥିଲା । ଚତୁର୍ଥ ଶ୍ରେଣୀରେ ଥିଲାବେଳେ ଭାରା ଆଉ ଜିନା ଅନ୍ୟ ପିଲାମାନଙ୍କ ସହିତ ବନ୍ଧୁ ବାନ୍ଧିଲେ ଓ ସେମାନଙ୍କୁ ତରୁଣ ଅଗ୍ରଗାମୀମାନଙ୍କ ସହିତ ଯୋଗଦେବାକୁ ତିଆରି କରି ଆଣିଲେ । ପିଲାମାନେ ବେଳେବେଳେ ସେମାନଙ୍କର ଏହି ବଗିଚାରେ ଗୋଟିଏ ଗୋଟିଏ ପୂରା ଦିନ ବିତାଇ ଦେଉଥିଲେ ।

 

ମାତୃଭୂମିର ସ୍ୱାଧୀନତା ରକ୍ଷା କରିବାକୁ ଯାଇ ନିଜର ପୁଅ ଯଦି ଯୁଦ୍ଧରେ ପ୍ରାଣ ଦିଏ, ତେବେ ତାହା ସେହି ପୁଅର ମାଆ ପାଇଁ ଦାରୁଣ ଦୁଃଖର କାରଣ ହୋଇଥାଏ । ଆମ ପିଲାମାନେ ସେହି ଦୁଃଖକୁ ଅନୁଭବ କରନ୍ତୁ, ସେଥିରେ ଭାଗ ନିଅନ୍ତୁ : ଭଲ୍‍ଗାରୁ ଏଲବ୍ ନଦୀ ଯାଏ, ଉତ୍ତର ମହାସାଗରରୁ ଭୂମଧ୍ୟସାଗରର ଉଷ୍ମ ଜଳ ଯାଏ ଅଚିହ୍ନିତ କବରଗୁଡ଼ିକରେ ଯେଉଁମାନଙ୍କର ପୁତ୍ରମାନେ ଚିରନିଦ୍ରାରେ ଶୋଇଛନ୍ତି, ସେମାନଙ୍କର ହଜାର ହଜାର ମାଆ ଇସ୍କୁଲ୍ ପିଲାମାନଙ୍କ ସହିତ ବନ୍ଧୁ ବାନ୍ଧନ୍ତୁ । ମାତୃଭୂମିର ସେହି ଦାରୁଣ ଦୁଃଖକୁ ଅଙ୍ଗେ ନିଭାଇ ନଥିଲେ ପିଲାମାନଙ୍କର ହୃଦୟକୁ ତାହାରି ଦ୍ୱାରା ଅନୁପ୍ରାଣିତ କରିବା କଦାପି ସମ୍ଭବ ହେବ ନାହିଁ । ଭୟାନକ ଉତ୍ପୀଡ଼ନ, ଅଗ୍ନିକାଣ୍ଡ ଓ ବିଧ୍ୱଂସ, –ଏହି ଦୁଃଖଗୁଡ଼ିକୁ ଆମ ଦେଶବାସୀ କଦାପି ପାସୋରି ପାରିବେ ନାହିଁ ବା ସେଗୁଡ଼ିକୁ ଭିଆଇଥିବା ଫାସିଷ୍ଟ୍‍ମାନଙ୍କୁ କେବେହେଲେ କ୍ଷମା ଦେବେ ନାହିଁ ।

 

ଜଣେ ପିଲା କୌଣସି ମାଆର ଦୁଃଖକୁ ଯେତିକି ଗଭୀର ଭାବରେ ନିଜ ଭିତରେ ଅନୁଭବ କରିପାରିବ, ସିଏ ସେତିକି ସଂବେଦନଶୀଳ ହେବ, ଜଣେ ନାଗରିକ ହିସାବରେ ତା’ର ପ୍ରତ୍ୟୟଗୁଡ଼ିକ ସେତିକି ଅଧିକ ଦୃଢ଼ ହେବ, ଏବଂ ନିଜର ଜନ୍ମଭୂମିର ଭବିଷ୍ୟତ ନିମନ୍ତେ ସିଏ ନିଜକୁ ସେତିକି ଦାୟୀ ବୋଲି ଅନୁଭବ କରିପାରିବ । ତେଣୁ, ଜନ୍ମଭୂମିକୁ ରକ୍ଷା କରିବାର ସେହି ମହାନ ଯୁଦ୍ଧରେ ଯାହାର ପୁଅଟିଏ ବୀର ପରି ପ୍ରାଣବଳି ଦେଇଛି, ସେହିଭଳି ଜଣେ ମାଆକୁ ତରୁଣ ଅଗ୍ରଗାମୀ ମାନଙ୍କର ଏକ ବୈଠକକୁ କିମ୍ବା ଗୋଟିଏ ସ୍କୁଲକୁ ନିମନ୍ତ୍ରଣ କରି ଆଣିବାର କାର୍ଯ୍ୟକ୍ରମକୁ ଅତୀବ ସ୍ୱାଧୀନତା ସହିତ ଆୟୋଜନ କରିବାକୁ ହେବ । ଏହାକୁ ପିଲାମାନଙ୍କର ଶିକ୍ଷାଯୋଜନାର ଏକ ସାଧାରଣ କାର୍ଯ୍ୟକ୍ରମ ପରି ବିଚାର କରାଯିବା ଆଦୌଉଚିତ ହେବନାହିଁ । ଯେଉଁ ବ୍ୟକ୍ତିର ବ୍ୟକ୍ତିଗତ ଦୁଃଖଟି ଏକ ସମୁଦାୟ ଜନସମୂହର ଦୁଃଖର ପ୍ରତିଫଳନ ପରି ହୋଇ ରହିଛି, ତାଙ୍କ ସହିତ କରା ଯାଉଥିବା ଯେକୌଣସି ସାକ୍ଷାତ୍‍କାର ପିଲାମାନଙ୍କ ଉପରେ ଏକ ଗଭୀର ରେଖାପାତ କରିପାରିବା ହିଁ ଉଚିତ ହେବ ।

 

ଜଣେ ଉତ୍ତମ ନାଗରିକକୁ ତିଆରି କରି ଆଣିବା ହେଉଛି କେବଳ ସିଦ୍ଧାନ୍ତରେ ନୁହେଁ, ଶିକ୍ଷାର ପ୍ରୟୋଗକ୍ଷେତ୍ରରେ ମଧ୍ୟ ଏକ ଅତ୍ୟନ୍ତ ଜଟିଳ ସମସ୍ୟା । ଏହି କ୍ଷେତ୍ରରେ ଏକଥା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ ଏହି ବିଷୟକ ଯାବତୀୟ ଜ୍ଞାନ ପିଲାର ହୃଦୟ ମଧ୍ୟରେ ପ୍ରବେଶ କରିବ ଏବଂ ତା’ର ବାସ୍ତବ ଜୀବନର ଏକ ଅଂଶ ହୋଇ ରହିବ । ନିଜ ଜନ୍ମଭୂମି ବିଷୟରେ ଲାଭ କରାଯାଇଥିବା ଯେକୌଣସି ଜ୍ଞାନ ଓ ଆମ ଜନଗଣଙ୍କ ନିମନ୍ତେ ଯାହା କିଛି ପବିତ୍ର ଓ ପ୍ରିୟ, ତାହା କେବଳ କେତେଟା ତଥ୍ୟ ମାତ୍ର ନୁହେଁ ଯେ ତାକୁ ଗ୍ରହଣ କରି ଆମେ ଇଚ୍ଛା ହେଲେ ନିଜ ଜୀବନରେ ପ୍ରତିଦିନର କାର୍ଯ୍ୟଗୁଡ଼ିକରେ ଆଚରଣ କରିବା ଅଥବା ପାସୋରି ଦେଇପାରିବା । ଅନେକ ସତ୍ୟ ଅଛି, ଯାହାକି ଜଣେ ଛାତ୍ରର ବ୍ୟକ୍ତିଗତ ଜୀବନକୁ ଅବଶ୍ୟ ପ୍ରଭାବିତ କରିବ । ବ୍ୟକ୍ତିର ମହାନତାକୁ ମାଧ୍ୟମ କରି ନିଜ ଜନ୍ମଭୂମିର ମହାନତାକୁ ବୁଝିଲେ ଯାଇ ଗୋଟିଏ ପିଲା ସେଗୁଡ଼ିକୁ ପବିତ୍ର ବୋଲି ବିଚାର କରି ପାରିବ ।

 

“ଗୋଟିଏ ଜାତିର ସ୍ମୃତି ହେଉଛି ଏକ ବିରାଟ ଗ୍ରନ୍ଥ ଯେଉଁଥିରେ କି ସବୁ କିଛି ଲିଖିତ ହୋଇ ରହିଥାଏ ।” –ଏବଂ ସେଇ ଗ୍ରନ୍ଥଟିକୁ ପାଠ ନକରିଥିବା ଯାଏ ଜଣେ ଉତ୍ତମ ନାଗରିକର ସବୁ ଶିକ୍ଷା କେବଳ ନିରର୍ଥକ ହିଁ ହେବ । ତେଣୁ, ସେହି ଗ୍ରନ୍ଥର ପ୍ରତ୍ୟେକ ଶବ୍ଦ ତଥା ଅକ୍ଷରକୁ ଗଭୀର ଭାବରେ ଆତ୍ମସ୍ଥ କରିବାକୁ ପଡ଼ିବ । ଏକ ବିଦ୍ୟାଳୟ ଓ ବାସ୍ତବ ଜୀବନ ମଧ୍ୟରେ ସର୍ବଦା ସମ୍ବନ୍ଧ ରହିଥିବା ଉଚିତ ବୋଲି ଆମେ ଯେଉଁ କଥାଟିକୁ ଅଭ୍ୟସ୍ତ ଭାବରେ କହିଥାଉ, ତଦ୍ଦ୍ୱାରା ମୁଁ ସର୍ବପ୍ରଥମେ ଏହିକଥା ବୁଝିଥାଏ ଯେ ଜନ୍ମଭୂମି ପ୍ରତି ଯାବତୀୟ ଭଲ ପାଇବାକୁ ଓ ଜନ୍ମଭୂମି ଲାଗି ବହୁତ ଦୁଃଖର କାରଣ ହୋଇଥିବା ଶତ୍ରୁ ଓ ବିଜେତାମାନଙ୍କ ପ୍ରତି ରହିଥିବା ଯାବତୀୟ ଘୃଣାକୁ ଆମେ ଜନଗଣର ହୃଦୟରୁ ପିଲାମାନଙ୍କର ହୃଦୟ ଏବଂ ମନ ଭିତରକୁ ପ୍ରବାହିତ କରି ଆଣିବା । ଜାତିର ସେହି ମହାନ ସ୍ମୃତିଗ୍ରନ୍ଥଟି ସହିତ ଘଟୁଥିବା ଆମର ପ୍ରତ୍ୟେକ ପରିଚୟ ମନୁଷ୍ୟର ବ୍ୟକ୍ତିତ୍ୱ ଗଠନରେ ନିରନ୍ତର ସବୁଠାରୁ ଅଧିକ ଜଟିଳ ଓ ଦାୟିତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇ ରହିଥାଏ ।

Image

 

ଉଚ୍ଚ ଅନୁଭୂତିଗୁଡ଼ିକ ଦ୍ୱାରା ଅନୁପ୍ରାଣିତ ଶ୍ରମ

 

ଆମ ଛାତ୍ରମାନଙ୍କର ଜୀବନ ଭିତରେ ପ୍ରବେଶ କରିପାରିଲେ ଶ୍ରମ ହିଁ ଏକ ମହାନ୍ ଶିକ୍ଷକ ରୂପେ କାର୍ଯ୍ୟ କରିଥାଏ, ସହଚାରିତା ଏବଂ ବନ୍ଧୁତାର ଆନନ୍ଦ ଆଣିଦିଏ, ଜିଜ୍ଞାସାର ବୃଦ୍ଧି ଘଟାଏ, ବାଧାଗୁଡ଼ିକୁ ଅତିକ୍ରମ କରିଯାଉଥିବା ଉଲ୍ଲାସ ପ୍ରଦାନ କରେ, ଚତୁର୍ଦ୍ଦିଗରେ ରହିଥିବା ପୃଥିବୀ ନିତ୍ୟନୂତନ ନାନାବିଧ ସୌନ୍ଦର୍ଯ୍ୟ ଆଡ଼କୁ ବାଟ ଫିଟାଇଦିଏ ଏବଂ ନାଗରିକତାର ଭାବନାକୁ ଜାଗୃତ କରି ଆଣେ; ପାର୍ଥିବ ନାନା ମୂଲ୍ୟର ସ୍ରଷ୍ଟା ରୂପେ ନିଜକୁ ଏକ ଅନୁଭବ ଆଣିଦିଏ । ସେଗୁଡ଼ିକ ନଥିଲେ ମଣିଷର ଜୀବନ ହିଁ ସମ୍ଭବ ହୋଇ ପାରୁ ନଥାନ୍ତା ।

 

ଶ୍ରମ ଜନିତ ଆନନ୍ଦ ଏକ ଅତ୍ୟନ୍ତ ଶକ୍ତିଶାଳୀ ଶିକ୍ଷାମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଶୈଶବ କାଳରେ ପ୍ରତ୍ୟେକ ପିଲା ଏହି ମହାନ ଅନୁଭବଟିକୁ ଅବଶ୍ୟ ଲାଭ କରିବ ।

 

ଆମ ବିଦ୍ୟାଳୟ-ଜୀବନର ପ୍ରଥମ ଶରତରେ ବଡ଼ ଛାତ୍ରଛାତ୍ରୀମାନେ ଆମ ପାଇଁ ସ୍କୁଲ୍ ଜାଗାରେ କେତେ ଡଜନ ବର୍ଗମିଟର ଜମି ଅଲଗା କରି ଦେଇଥିଲେ । ଆମେ ସେହି ଜମିଟିକୁ କୋଦାଳ ଦେଇ ହାଣିଲୁ । ଗାଁ ପିଲାମାନେ ଏହି କାମଟି କରିବାରେ ପୂର୍ବରୁ ଅଭ୍ୟସ୍ତ ହୋଇ ଯାଇଥାନ୍ତି । ତା’ପରେ ମୁଁ ପିଲାମାନଙ୍କୁ କହିଲି, “ଆମେ ଏଠାରେ ଶୀତଦିନିଆ ଗହମ ଚାଷ କରିବା, ତା’ପରେ ଗହମ ଅମଳ ହେଲେ ତାକୁ ଅଟା କରିବା । ତେବେ ଆମ ପାଇଁ ପ୍ରଥମ ରୁଟି ତିଆରି କରିପାରିବା ।” ପିଲାମାନେ ରୁଟି କ’ଣ ବୋଲି ତ ଆଗରୁ ଜାଣିଥିଲେ ଏବଂ ନିଜର ବାପା ମାଆଙ୍କ ପରି କାମ କରିବାକୁ ଆରମ୍ଭ କରିଦେଲେ । ଏବଂ ଯୁଗପତ୍ ଭାବରେ, ଆମର ଏହି କାର୍ଯ୍ୟଟିରେ ଏକ ରୋମାଞ୍ଚକର ଉପାଦାନ ନିହିତ ହୋଇ ରହିଥିଲା; ସତେ ଯେମିତି ଆମେ ଗୋଟିଏ ଖେଳ ଖେଳୁଛୁ ବୋଲି ଲାଗୁଥିଲା ।

 

ଆମର ପ୍ରଥମ ରୁଟିକୁ ନିଜେ ସମ୍ଭବ କରିବାର ସ୍ୱପ୍ନ ହିଁ ଆମକୁ ପ୍ରେରଣା ଦେଲା ଓ କେତେକେତେ ଅସୁବିଧାକୁ ଅତିକ୍ରମ କରାଇ ନେଇଥିଲା । ଏବଂ ଆମେ ତ ବେଶ୍ କେତେଜଣ ଏହି କାମ କରୁଥିଲୁ : ପିଲାମାନେ ସାନସାନ ବାଉଁଶିଆରେ ଖତ ବୋହି ଆଣି ମାଟିରେ ମିଶାଇଲେ, ଗହମ ଗଛର ଧାଡ଼ି ପାଇଁ ସିଆରା ବାନ୍ଧିଲେ ଏବଂ ବିହନଗୁଡ଼ିକୁ ଗୋଟିଗୋଟି କରି ବାଛିଥିଲେ । ବିହନ ବୁଣା ପ୍ରକୃତରେ ଏକ ଆନନ୍ଦମୟ ଉତ୍ସବରେ ପରିଣତ ହୋଇଥିଲା । ଶ୍ରମର ପ୍ରେରଣା ପ୍ରତ୍ୟେକ ପିଲାଙ୍କୁ ଅନୁପ୍ରେରିତ କରି ନେଇଥିଲା ।

 

ବିଲବୁଣା ସରିଲା, ମାତ୍ର କେହି ଆଉ ଘରକୁ ଗଲେ ନାହିଁ । ଆମେ ବସି ବସି ସ୍ୱପ୍ନ ଦେଖିବାକୁ ଇଚ୍ଛା କରୁଥିଲୁ । ତେଣୁ ମୁଁ ଯାଇ ଗୋଟିଏ ଗଛତଳେ ବସିଲି । ଏବଂ ପିଲାମାନଙ୍କୁ ସୁନାଗହମର ଦାନାଟିଏ ବିଷୟରେ ଗୋଟିଏ ଗପ କହିଲି । ମୁଁ ଗପଟି ବିଷୟରେ ଚିନ୍ତା କରିଥିଲି ଏବଂ, ପିଲା ସମୟରେ ମୋ’ର ଏହି ପିଲାମାନେ ଯେଉଁ ଶ୍ରମ କରୁଛନ୍ତି, ତାହା ଆଦୌ ଏକ ପିଲାଳିଆ କଥା ନୁହେଁ, ସେଥିରେ ନାଗରିକତାର ପ୍ରଥମ ଆନନ୍ଦଗୁଡ଼ିକ ନିହିତ ହୋଇ ରହିଛି ବୋଲି ପିଲାମାନେ ହୃଦୟଙ୍ଗମ କରନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି । ମୁଁ ଇଚ୍ଛା କରୁଥିଲି ଯେ ଗୋଟିଏ ପିଲା ଶ୍ରମର ମାଧ୍ୟମରେ ହିଁ ସାମାଜିକ ଜୀବନ ମଧ୍ୟରେ ଆସି ପ୍ରବେଶ କରୁ; ସତେ ଯେପରି ଏକ ପ୍ରଶସ୍ତ ରାସ୍ତା ଉପରେ ବାଟ ଚାଲୁ ଚାଲୁ ସେ ଲୋକମାନଙ୍କୁ ଓ ନିଜକୁ ଜାଣୁ, ଜଣେ ନାଗରିକ ହିସାବରେ ଗୌରବାନ୍ୱିତ ହେବାର ଅନୁଭବଟିକୁ ଲାଭ କରୁ । ଶ୍ରମ ଯେ ଆଦୌ ସହଜ ହେବା ଉଚିତ ନୁହେଁ, ସେକଥା ମୁଁ ମୋଟେ ଭୁଲିନଥିଲି । ପିଲାମାନେ ଏହି କାର୍ଯ୍ୟଟିରେ ଯେତିକି ପରିମାଣରେ କାୟିକ ଏବଂ ଆତ୍ମିକ ପ୍ରୟାସ ଖଟାଇ ପାରିବେ, ତାହା ସେମାନଙ୍କର ଅଭିବୃଦ୍ଧି–ପ୍ରକ୍ରିୟାଟିକୁ ହିଁ ନିର୍ଦ୍ଧାରିତ କରିନେବ । ଶ୍ରମର ପରିଣାମ ସ୍ୱରୂପ ହିଁ ସିଏ ବୃଦ୍ଧି ଲାଭ କରୁଥିବ । ଶ୍ରମ କେତେବେଳେ ପିଲାମାନଙ୍କ ପାଇଁ ଉପଯୁକ୍ତ ହେବ, ଆମକୁ ଆୟାସର ସେହି ସ୍ତରଟିକୁ ଠିକ୍ କରିବାକୁ ହେବ ଏବଂ ତହିଁ ସଙ୍ଗେ ସଙ୍ଗେ ତାହା ସେମାନଙ୍କର ବୃଦ୍ଧିରେ ମଧ୍ୟ ସାହାଯ୍ୟ କରୁଥିବ । ବହୁବର୍ଷର ଅଭିଜ୍ଞତା ମୋତେ ଏହି ଦୃଢ଼ ବିଶ୍ୱାସ ଆଣି ଦେଇଥିଲା ଯେ, ଯେତେବେଳେ ପିଲାମାନେ କରୁଥିବା ଶ୍ରମରେ ଜଣେ ବୟସ୍କ କରୁଥିବା ଉତ୍ପାଦନସମର୍ଥ କ୍ରିୟାଶୀଳତାର ଏକ ଉପାଦାନ ନିହିତ ହୋଇ ରହିଥାଏ, ଅର୍ଥାତ୍ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକ୍ଷେତ୍ରରେ ଯେତେବେଳେ ଏକ ବାସ୍ତବ ଫଳଲାଭର ଉପାଦାନ ଅନ୍ତର୍ଭୂକ୍ତ ହୋଇ ରହିଥାଏ, ସେତେବେଳେ ଯାଇ ଏହି ଲକ୍ଷ୍ୟଟି ହାସଲ ହେବା ସମ୍ଭବ ହୁଏ ।

 

ଗହମଗୁଡ଼ିକରୁ କେଉଁଦିନ ଗଜା ବାହାରିବ, ପିଲାମାନେ ସେକଥା ଦେଖିବାକୁ ଉତ୍କଣ୍ଠା ସହିତ ଅପେକ୍ଷା କରି ରହିଥିଲେ; କେଡ଼େ ଶୀଘ୍ର ସେମାନଙ୍କର ଏହି କ୍ଷେତଟି ସବୁଜ ଦେଖାଯିବ, ସେକଥା ଭାବି ସେମାନେ ବିସ୍ମିତ ଅନୁଭବ କରୁଥିଲେ । ଏବଂ, ଯେତେବେଳେ ଗଜା ସବୁ ବାହାରି ଆସିଲା, ପିଲାମାନେ ଦେଖିବା ପାଇଁ ସବୁଦିନ ସକାଳେ ସେଠାକୁ ଦଉଡ଼ି ଯାଉଥିଲେ । ଏଗୁଡ଼ିକ ଶୀଘ୍ର ଗଛ ହୋଇଯିବେ ନା କିଛି ଡେରି ଲାଗିବ ? ଶୀତକାଳରେ ଆମେ ବିଲଟିକୁ ବରଫ ଦ୍ୱାରା ଢାଙ୍କି ରଖିଥିଲୁ, ଯେପରିକି ଗହମ ଦାନାଗୁଡ଼ିକ ଉଷୁମ ପାଇପାରିବେ । ବସନ୍ତ ଆସିବାରୁ ଗଜାମାନେ ଯେତେବେଳେ ସମସ୍ତ କ୍ଷେତଟିକୁ ଗୋଟିଏ କମ୍ବଳ ପରି ଢାଙ୍କି ଦେଇଥିଲେ, ତା’ପରେ ସେଥିରୁ ଯେପରି ଭାବରେ ଗହମ ଗଛ ବାହାରି ଆସିଲା, ପିଲାମାନେ ସେସବୁ ଦେଖି ପ୍ରକୃତରେ କେଡ଼େ ଉଲ୍ଲସିତ ହୋଇ ଉଠିଥିଲେ । ସେମାନେ ପ୍ରତ୍ୟେକ ଗଜା ଓ ପ୍ରତ୍ୟେକଟି ଗଛ ଲାଗି ସତେଅବା ଭାରି ଚିନ୍ତିତ ହୋଇ ରହିଥିଲେ ।

 

ବିହନ ବୁଣିବା ଯେତିକି ଆନନ୍ଦଦାୟକ ହୋଇଥିଲା, ଫସଲ କାଟିବା ତା’ଠାରୁ ଅଧିକ ଆନନ୍ଦର ହିଁ କାରଣ ହୋଇଥିଲା । ପିଲାମାନେ ନିଜର ସର୍ବୋତ୍ତମ ପୋଷାକମାନ ପିନ୍ଧି ସ୍କୁଲକୁ ଆସିଲେ । ପ୍ରତ୍ୟେକ ପିଲା କେଡ଼େ ଯତ୍ନର ସହିତ ଗହମକୁ କାଟୁଥାଏ ଓ ସାନ ସାନ କେରାରେ ବାନ୍ଧି ଦେଉଥାଏ । ସେଗୁଡ଼ିକୁ ପିଟି ଦାନା ବାହାର କରିବା ଆହୁରି ଏକ ଉତ୍ସବରେ ପରିଣତ ହେଲା-। ସେମାନେ ଦାନାଗୁଡ଼ିକୁ ଏକତ୍ର କଲେ, ଗୋଟିଏ ଦାନା ବି ଛାଡ଼ି ଆସିଲେ ନାହିଁ ଏବଂ ତାହାକୁ ଗୋଟିଏ ଅଖା ଭିତରେ ଭର୍ତ୍ତି କରିଥିଲେ । ଆନ୍ଦ୍ରେଇ ଅଜା ସେହି ଗହମକୁ ପେଷି ଅଟା ଆଣି ଦେଲେ ଓ ସେଥିରୁ ରୁଟି ତିଆରି କରିଦେବା ସକାଶେ ଆମେ ଟିନାର ମାଆଙ୍କୁ ଅନୁରୋଧ କରିଥିଲୁ । ପିଲାମାନେ ତାଙ୍କୁ ସାହାଯ୍ୟ କଲେ; ପୁଅ ପିଲାମାନେ ପାଣି ଆଣିଲେ, ଝିଅମାନେ କାଠ ସାଉଁଟି ଆଣିଲେ । ତା’ପରେ ତା’ପରେ ଚାରିଟା ପୂରା ଏଡ଼େ ବଡ଼ ବଡ଼ ଧଳା ପାଉଁରୁଟି ତିଆରି ହୋଇଗଲା – ଆମର ଶ୍ରମ, ଆମର ଯତ୍ନ ଓ ଆମର ଉଲ୍ଲାସ ସାର୍ଥକ ହେଲା । ପିଲାମାନଙ୍କର ଦୃଦୟ ଗର୍ବରେ ଫାଟି ପଡ଼ୁଥାଏ ।

 

ତା’ପରେ, ସେହି ଦୀର୍ଘ ପ୍ରତୀକ୍ଷିତ ଦିବସଟି, –ଆମ ପ୍ରଥମ ପାଉଁରୁଟିକୁ ନେଇ ଭୋଜି କରିବାର ଦିନଟି ଆସି ପହଞ୍ଚିଲା । ପିଲାମାନେ ଆନ୍ଦ୍ରେଇ ଅଜା ଓ ନିଜର ବାପାମାଆମାନଙ୍କୁ ନିମନ୍ତ୍ରଣ କରିଥିଲେ । ଝିଅମାନେ ମହମହ ବାସୁଥିବା ପାଉଁରୁଟି ଖଣ୍ଡ ଗୁଡ଼ିକୁ ଟେବୁଲ୍ ଉପରେ ଆଣି ରଖିଦେଲେ । ତା’ଉପରେ କମ କରା ଧଳା ଟେବୁଲ୍ କନାଟିଏ ଘୋଡ଼ା ହୋଇଥାଏ । ଏବଂ, ଆନ୍ଦ୍ରେଇ ଅଜା ଥାଳିଆ ଥାଳିଆ କରି ମହୁ ବାଢ଼ିଦେଲେ । ବାପାମାଆମାନେ ପାଉଁରୁଟିକୁ ଖାଇ ପିଲାମାନଙ୍କର ପ୍ରଶଂସା କରୁଥାଆନ୍ତି । ସେମାନଙ୍କର ଶ୍ରମ ସକାଶେ ସେମାନେ ପିଲାମାନଙ୍କୁ ଧନ୍ୟବାଦ ଦେଇଥିଲେ ।

 

ପିଲାଏ ସେହି ଦିନଟିକୁ ଆଦୌ ଭୁଲିଲେ ନାହିଁ । ଉତ୍ସବ ଦିନ ଶ୍ରମ ବିଷୟରେ ଅଥବା ମଣିଷ କ’ଣ ସବୁ ସାଧ୍ୟ କରିପାରେ, ସେ ବିଷୟରେ କୌଣସି ବଡ଼ ବଡ଼ କଥା କୁହାଯାଇ ନଥିଲା । ସବୁଠାରୁ ପ୍ରଧାନ କଥାଟି ଥିଲା ଯେ ପିଲାମାନେ ଖୁବ୍ ଗର୍ବ ଅନୁଭବ କରୁଥିଲେ : ସେମାନେ ନିଜ ପାଉଁରୁଟିକୁ ନିଜେ ଅର୍ଜନ କରିଛନ୍ତି ଏବଂ ନିଜର ବାପାମାଆମାନଙ୍କୁ ଏତେ ଆନନ୍ଦ ଆଣି ଦେଇପାରିଛନ୍ତି । ଏବଂ, ନିଜ ହାତରେ ପରିଶ୍ରମ ନିମନ୍ତେ ମନୁଷ୍ୟ ଯେଉଁ ଗର୍ବ ଅନୁଭବ କରିଥାଏ, ତାହାକୁ ଆମେ ନୈତିକ ଶୁଦ୍ଧତା ଏବଂ ଉଚ୍ଚତାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଗୋଟିଏ ଉତ୍ସ ବୋଲି ଅବଶ୍ୟ କହିବା ।

 

ଆମ ପ୍ରଥମ ପାଉଁରୁଟିକୁ ନେଇ ଏହି ପର୍ବ ପାଳନ ଅନ୍ୟ ଶ୍ରେଣୀଗୁଡ଼ିକର ବି ଦୃଷ୍ଟି ଆକର୍ଷଣ କରିଥିଲା । ସେମାନେ ବି ନିଜ ନିଜର ପାଉଁରୁଟି ସକାଶେ ଗହମ ଲଗାଇବାକୁ ଇଚ୍ଛା କଲେ । ଅନ୍ୟମାନେ କାହିଁକି ଏପରି ଗୋଟିଏ ପର୍ବ ପାଳନ କଲେ ଓ ସେମାନେ ସେଥିରୁ ବଞ୍ଚିତ ହେଲେ, ତାହାର କାରଣ ପଚାରି ସେମାନେ ନିଜ ନିଜର ଶିକ୍ଷକମାନଙ୍କୁ ଆଉ ବସାଇ ଉଠାଇ ଦେଲେ ନାହିଁ ।

 

ଏହି ଘଟଣା ଶିକ୍ଷକମାନଙ୍କୁ ଭାବିବା ନିମନ୍ତେ ଖାଦ୍ୟ ଯୋଗାଇ ଦେଇଥିଲା । ସମସ୍ତେ ଦେଖି ପାରିଥିଲେ ଯେ, ଜମିକୁ ଚାଷ କରି ସେଥିରେ ସାର ଦେବା ପରି ଅତି ସରଳ ବ୍ୟାପାରଟିକୁ ପିଲାମାନେ ଜଙ୍ଗଲ ଭିତରେ ବୁଲି ଯାଉଥିବା ଅଥବା ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଗୋଟିଏ ବହି ପଢ଼ୁଥିବା ପରି ହିଁ ଗ୍ରହଣ କରି ନେଇଥିଲେ ଓ ତାହା କରିବା ଲାଗି ଇଚ୍ଛା କରୁଥିଲେ । ଶିକ୍ଷକମାନେ ଆସି କହିଲେ ଯେ, ଯେଉଁ ଅଳସୁଆ ପିଲାମାନେ ଆଦୌ କୌଣସି କାର୍ଯ୍ୟରେ ଆଗ୍ରହ ନଥିଲା ପରି ମନେ ହେଉଥିଲେ, ସେମାନେ ମଧ୍ୟ ଶ୍ରମ କରିବାର ଏକ କାର୍ଯ୍ୟକ୍ରମଟିକୁ ପାଇ ଅଦ୍ଭୂତପୂର୍ବ ଭାବରେ ବଦଳି ଯାଇଥିଲେ । ସେମାନେ କାମ କରିବାକୁ ଆଗ୍ରହ ପ୍ରକାଶ କଲେ । “ ଏସବୁ କ’ଣ ଘଟୁଛି ?” ବୋଲି ଆମେ ଭାବୁଥିଲୁ । ଏବଂ, ସବୁକିଛି ଗୋଟିଏ ପ୍ରଧାନ କଥାକୁ ହିଁ ସୂଚାଇ ଦେଉଥିଲା,–ସେମାନେ ଅତୀବ ଅନୁପ୍ରାଣିତ ହୋଇ ପାରିଥିଲେ । ଆନନ୍ଦ ବା ସ୍ଫୂର୍ତ୍ତି ଅନୁଭବ କରିବା ହେଉଛି ପିଲାର ସଂବେଗଗତ ଜୀବନର ଗୋଟିଏ ଅଂଶ । ଯେତେବେଳେ କୌଣସି କାର୍ଯ୍ୟ ତାକୁ ଆନନ୍ଦ ଦେବ, ସେଇ କାର୍ଯ୍ୟଟିକୁ ସିଏ ନିଶ୍ଚୟ କରିବ । ଶ୍ରମରୁ ସେ ଯେତିକି ଗଭୀର ଆନନ୍ଦ ପାଉଥିବ, ପିଲାଟି ତଦ୍ଦ୍ୱାରା ସେତିକି ଅଧିକ ପରିମାଣରେ ନିଜର ବ୍ୟକ୍ତିଗତ ସମ୍ମାନଟିକୁ ଅନୁଭବ କରୁଥିବ ଏବଂ ସାମୂହିକ କାର୍ଯ୍ୟରେ ସେତିକି ଅଧିକ ସ୍ପଷ୍ଟ ଭାବରେ ନିଜର ଅଂଶଟିକୁ ଆବିଷ୍କାର କରିପାରୁଥିବ । ଶ୍ରମଜନିତ ଆନନ୍ଦ ହେଉଛି ଶିକ୍ଷାର ଏକ ଶକ୍ତିଶାଳୀ ସାଧନ ଏବଂ ସେହି କାରଣରୁ ହିଁ ଗୋଟିଏ ପିଲା ଆପଣାକୁ ନିଜର ସମୂହଟି ମଧ୍ୟରେ ଜଣେ ବୋଲି ଆବିଷ୍କାର କରିବାକୁ ସମର୍ଥ ହୋଇଥାଏ । ଏହାର ଅର୍ଥ ନୁହେଁ ଯେ, ଶ୍ରମ ଏହାଦ୍ୱାରା କୌଣସି ପ୍ରକାରର ଏକ ମନୋରଞ୍ଜନରେ ପରିଣତ ହୋଇଯାଏ । ଏଥିରେ ଉଦ୍ୟମ ଲୋଡ଼ା ହୁଏ, ଅଧ୍ୟବସାୟ ଆବଶ୍ୟକ ହୁଏ; ମାତ୍ର ଆମେ କଦାପି ଏକଥା ଭୂଲିଯିବା ନାହିଁ ଯେ, ଏହି କ୍ଷେତ୍ରରେ ଆମେ ଏପରି ପିଲାମାନଙ୍କୁ ନେଇ କାର୍ଯ୍ୟଟିକୁ କରୁଛୁ, ଯେଉଁମାନଙ୍କର ସମ୍ମୁଖରେ ପୃଥିବୀଟି ଉନ୍ମୋଚିତ ହେବା ଆରମ୍ଭ ହିଁ ହେଉଛି ।

 

ପିଲାମାନେ ଏଣିକି ପ୍ରତ୍ୟେକ ବର୍ଷ ପ୍ରଥମ ପାଉଁରୁଟୀର ଉତ୍ସବ ପାଳନ କରିଥିଲେ । ତହିଁ ଆରବର୍ଷ ସେମାନେ ଏକ ନୂଆ ଜମି ହାତକୁ ନେଲେ ଓ ଶୀତଦିନିଆ ଗହମ ଲଗାଇଲେ; ନିଜ ପିତାମାତାମାନଙ୍କୁ ନିମନ୍ତ୍ରଣ କଲେ, ତଳ ଶ୍ରେଣୀର ପୂର୍ବପ୍ରାଥମିକ ପିଲାଙ୍କୁ ମଧ୍ୟ ଡାକିଥିଲେ । ମୋ’ର ଏହି ପିଲାମାନେ ବଡ଼ ହୋଇ ଯୁବକ ଓ ଯୁବତୀ ହୋଇଯିବା ପରେ ମଧ୍ୟ ପରମ ଉଲ୍ଲାସର ସହିତ ବିଦ୍ୟାଳୟର ଏହି ସାନ ଜମିଟିରୁ ଗହମ ଅମଳ କରିବାକୁ ଆସୁଥିଲେ । ଗହମକୁ ପେଷୁଥିଲେ ଓ ପାଉଁରୁଟୀ ତିଆରି କରୁଥିଲେ । ଏବଂ, ଏହି ସବୁକିଛି କାର୍ଯ୍ୟରେ ପୂର୍ବର ସେହି କ୍ରୀଡ଼ା ଓ ରୋମାଞ୍ଚକରତା ପୂର୍ଣ୍ଣ ହୋଇ ରହିଥିଲା । ଶ୍ରମରୁ ଯେଉଁ ଆନନ୍ଦ ମିଳେ, ତାହାକୁ ଆଉ କୌଣସି ପ୍ରକାରର ଆନନ୍ଦ ସହିତ ମୋଟେ ତୁଳନା କରି ହେବନାହିଁ । ସୌନ୍ଦର୍ଯ୍ୟର ଅନୁଭୂତି ବ୍ୟତୀତ ଏହାର କୌଣସି ଅର୍ଥ ରହିବ ନାହିଁ, ମାତ୍ର ଏହି କ୍ଷେତ୍ରରେ ପିଲା ଯାହା ପାଇଲା, କେବଳ ସେତିକି ନୁହେଁ, ସିଏ ଯାହା ସବୁ ସୃଷ୍ଟି କରିପାରିଲା, ସର୍ବପ୍ରଥମେ ତାହାକୁ ହିଁ ସୌନ୍ଦର୍ଯ୍ୟ ବୋଲି କୁହାଯିବ । ଶ୍ରମଜନିତ ଆନନ୍ଦ, ତାହା ହେଉଛି ଜୀବନ ବଞ୍ଚିବାର ସୌନ୍ଦର୍ଯ୍ୟ ଏବଂ, ଏହି ସୌନ୍ଦର୍ଯ୍ୟଟି ସହିତ ପରିଚୟ ଲାଭ କରି ପିଲା ବାଧା ଅତିକ୍ରମ କରୁଥିବାର ଗର୍ବଟିକୁ ମଧ୍ୟ ଅନୁଭବ କରିବାରେ ଲାଗିଥାଏ ।

 

ଯେଉଁମାନେ ନିଜର ଶ୍ରମକୁ ଖଟାଇ ପାରନ୍ତି, ସ୍ୱେଦ ଏବଂ ଶ୍ରାନ୍ତିର ଅନୁଭବ ଲାଭ କରିଥାନ୍ତି, କେବଳ ସେହିମାନେ ହିଁ ଉକ୍ତ ଆନନ୍ଦର ଅଧିକାରୀ ହୋଇପାରନ୍ତି । ଶୈଶବ-ସମୟ ଯେ କେବଳ ଏକ ଶେଷହୀନ ଛୁଟିରେ ହିଁ ପରିଣତ ହୋଇଥିବ, ତାହାର ଆଦୌ କୌଣସି କାରଣ ନାହିଁ ;–ଯଦି କେହି କୌଣସି ଉଦ୍ୟମ ନକରିବେ, ପିଲାମାନଙ୍କର ଶକ୍ତି ଭିତରେ ରହିଥିବା ଶ୍ରମକୁ ଯଦି ସେମାନେ କରୁନଥିବେ, ତେବେ ପିଲା କେବେହେଲେ ଶ୍ରମରୁ ଉପଲବ୍ଧ ସେହି ଆନନ୍ଦଟିକୁ ପାଇପାରିବ ନାହିଁ । ତେଣୁ ଉଚ୍ଚତର ଶିକ୍ଷାର ଯାବତୀୟ ବିବେକରେ ପିଲାକୁ ଶ୍ରମର ମୂଲ୍ୟ ବିଷୟରେ ଅବଶ୍ୟ ଶିକ୍ଷା ଦିଆଯିବା ଉଚିତ୍‍ । ମନୁଷ୍ୟମାନଙ୍କ ଲାଗି ଶ୍ରମକୁ ଜୀବନର କେବଳ ଏକ ଆବଶ୍ୟକତା ବୋଲି କୁହାଯିବ ନାହିଁ, କାରଣ ଶ୍ରମ ବ୍ୟତୀତ ଜୀବନର କୌଣସି ଅର୍ଥ ହିଁ ରହିବ ନାହିଁ; ମାତ୍ର ତାହାକୁ ଅନ୍ତର୍ଗତ ଜୀବନର ବହୁମୁଖୀ ପରିପ୍ରକାଶର ଏକ କ୍ଷେତ୍ର ବୋଲି କୁହାଯିବ, ଚରିତ୍ରର ଏକ ସମୃଦ୍ଧି ବୋଲି ହିଁ କୁହାଯିବ । ମନୁଷ୍ୟସମୂହର ପାରସ୍ପରିକ ସମ୍ବନ୍ଧ ମଧ୍ୟରେ ଯେଉଁ ଐଶ୍ୱର୍ଯ୍ୟ ରହିଥାଏ, ଶ୍ରମର ମାଧ୍ୟମରେ ହିଁ ତାହାର ପ୍ରକାଶ ସମ୍ଭବ ହୁଏ । ସେହି ସମ୍ବନ୍ଧଗୁଡ଼ିକୁ ପିଲା ଅନୁଭବ ନକରୁଥିବା ପର୍ଯ୍ୟନ୍ତ ଶ୍ରମ ପ୍ରତି ଶ୍ରଦ୍ଧାକୁ କଦାପି ଶିଖାଇ ହୁଏ ନାହିଁ । ଶ୍ରମର ଯାବତୀୟ କାର୍ଯ୍ୟକ୍ରମରେ ମନୁଷ୍ୟମାନଙ୍କ ଆଗରେ ଆତ୍ମଅଭିବ୍ୟକ୍ତି ଏବଂ ଆତ୍ମପ୍ରତିଷ୍ଠାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମଟି ଉଦ୍‌ଘାଟିତ ହୋଇ ଆସିଥାଏ । ଶ୍ରମ ବିନା ବ୍ୟକ୍ତି ଫମ୍ପା ହୋଇଯାଏ ବୋଲି କିମ୍ବଦନ୍ତୀ କହୁଛି । ପ୍ରତ୍ୟେକ ଛାତ୍ର ନିଜର ବ୍ୟକ୍ତିଗତ ମୂଲ୍ୟ ତଥା ଗୈାରବକୁ ଅନୁଭବ କରିବାଟି ଯେପରି ସଫଳ ଶ୍ରମସାଧନା ଉପରେ ପ୍ରତିଷ୍ଠିତ ହୋଇ ରହେ, ଏହାକୁ ଆମେ ଶିକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଜାଣି ରଖିବା ।

 

ବିଦ୍ୟାଳୟ-ଜୀବନର ପ୍ରଥମ ବସନ୍ତଋତୁରେ ପିଲାମାନେ ଏକ ମାତୃଉଦ୍ୟାନ ଆରମ୍ଭ କରିଥିଲେ, –ସେଥିରେ ସେମାନେ ଏକତ୍ରିଶଟି ଆପଲ୍ ଗଛ ଓ ଠିକ୍ ସେତିକି ଅଙ୍ଗୁର ବୁଦା ଲଗାଇଥିଲେ । ମୁଁ ଛାତ୍ରମାନଙ୍କୁ କହିଲି, “ପିଲାମାନେ ଏହି ବଗିଚାଟି ହେଉଛି ଆମ ମାଆମାନଙ୍କ ନିମନ୍ତେ । ଆମ ପ୍ରତ୍ୟେକଙ୍କ ପାଇଁ ଆମର ମାଆ ହେଉଛନ୍ତି ସବୁଠାରୁ ଅଧିକ ପ୍ରିୟ ଓ ଅଧିକ ନିକଟ ବ୍ୟକ୍ତି । ତିନି ବର୍ଷରେ ଏହି ଆପଲ୍‌ ଗଛ ଓ ଅଙ୍ଗୁରଲଟାରେ ଫଳ ଫଳିବ, ସେହି ପ୍ରଥମ ଆପଲ୍ ଓ ପ୍ରଥମ ଅଙ୍ଗୁରକୁ ଆମେ ଆମର ମାଆମାନଙ୍କୁ ଉପହାର ଦେବା । ସେମାନଙ୍କୁ ଆନନ୍ଦ ଦେବା । ମନେ ରଖ, ତୁମ ମାଆମାନଙ୍କର କେତେ ନା କେତେ ଦୁଃଖ ରହିଛି, ଚିନ୍ତା ରହିଛି । ସେହିସବୁ ଚିନ୍ତାର ବଦଳରେ କିଛି ଆନନ୍ଦ ଦେଇ ଆମେ ସେମାନଙ୍କୁ ପୁରସ୍କୃତ କରିବା ।”

 

ନିଜ ପରିବାରର ବଡ଼ମାନଙ୍କ ପାଇଁ, ବାପାମାଆମାନଙ୍କ ପାଇଁ କିଛି ଆନନ୍ଦ ସମ୍ଭବ କରିବାର ବାସନାରୁ ହିଁ ମାତୃଉଦ୍ୟାନରେ ଆମର କାର୍ଯ୍ୟଟି ଅନୁପ୍ରେରିତ ହୋଇଥିଲା । ମାଆକୁ ଭଲ ପାଇବା କହିଲେ, ମନୁଷ୍ୟ ଜୀବନରେ ଅତି ଗଭୀର ସ୍ତରର କେତେ କ’ଣକୁ ଯେ ବୁଝାଏ, କେତେକ ପିଲା ତଥାପି ସେହି ବିଷୟରେ ଅବଗତ ନଥିଲେ । ମୁଁ ପ୍ରତ୍ୟେକ ପିଲା ମଧ୍ୟରେ ସେହି ଅନୁଭବଟିକୁ ଜାଗୃତ କରିବା ଲାଗି ଚେଷ୍ଟା କରିଥିଲି । ଗାଲ୍ୟା ତା’ ସାବତମାଆଙ୍କ ପାଇଁ ଗଛଟିଏ ଲଗାଇଥିଲା; ସାଶା ତା’ ଆଈମାଆ ଓ ଭିଟ୍ୟା ତା’ କାକୀଙ୍କ ଲାଗି ଗଛ ଲଗାଇଲେ । ଏଥିପାଇଁ କୌଣସି କାର୍ଯ୍ୟରେ କେହି କୌଣସି ଉଦାସୀନତା ଦେଖାଇ ନଥିଲେ । ବସନ୍ତ ଓ ଗ୍ରୀଷ୍ମ ଋତୁରେ ପିଲାଏ ଗଛମାନଙ୍କରେ ପାଣି ଦେଲେ ଓ ପୋକମାନଙ୍କୁ ମାରି ଦେଇଥିଲେ । ଆପଲ୍ ଗଛ ଓ ଅଙ୍ଗୁରଲତା ଗୁଡ଼ିକ ସବୁଜବର୍ଣ୍ଣ ଧାରଣ କଲା । ତୃତୀୟ ବର୍ଷକୁ ପ୍ରଥମ ଫୁଲ ଫୁଟିଲା ଏବଂ ତା’ପରେ ପ୍ରଥମ ଫଳଗୁଡ଼ିକ ଆବିର୍ଭୂତ ହୋଇ ଆସିଲେ । ନିଜ ନିଜ ଗଛରେ ହିଁ ଫଳଗୁଡ଼ିକ ଅଧିକରୁ ଅଧିକ ବେଗରେ ପାକଳ ହୋଇଯାଉ ବୋଲି ପ୍ରତ୍ୟେକେ ଇଚ୍ଛା କରୁଥିଲେ ।

 

ଟୋଲ୍ୟା, ଟିନା ଓ କୋଲ୍ୟା ମଧ୍ୟ ଏହି କାର୍ଯ୍ୟରେ ଆନନ୍ଦ ପାଇଲେ ଓ ସେମାନଙ୍କର ଗଛରେ ମଧ୍ୟ ଶସିଅଳ ଆପଲ୍‌ ଓ ସୁନାରଙ୍ଗର ଅଙ୍ଗୁରପେନ୍ଥାମାନ ପାକଳ ହୋଇ ଆସୁଥିଲା ଜାଣି ମୁଁ ଖୁବ୍ ଖୁସି ହେଉଥିଲି । ପିଲାମାନେ ପାଚିଲା ଫଳଗୁଡ଼ିକୁ ତୋଳି ନିଜ ନିଜ ମାଆମାନଙ୍କ ପାଖକୁ ନେଇ ଯାଇଥିଲେ । ପିଲାମାନଙ୍କର ଜୀବନରେ ତାହା ପ୍ରକୃତରେ ଗୋଟିଏ ଗୋଟିଏ ଅବିସ୍ମରଣୀୟ ଦିନ ହୋଇ ରହିଲା । କୋଲ୍ୟା ଯେତେବେଳେ ତା’ ମାଆଙ୍କ ପାଇଁ ଆପଲ୍‍ଗୁଡ଼ିକୁ ତୋଳୁଥିଲା, ସେତେବେଳେ ଉଜ୍ଜ୍ୱଳ ହୋଇ ଉଠିଥିବା ତା’ର ଆଖିଗୁଡ଼ିକ ମୋ’ର ଏବେ ମଧ୍ୟ ମନେ ରହିଛି ।

 

ବିଦ୍ୟାଳୟର ଦ୍ୱିତୀୟ ବର୍ଷରେ ପିଲାମାନଙ୍କର ଶ୍ରମ ବହୁ ଉଚ୍ଚ ଅନୁଭୂତି ଦ୍ୱାରା ଅନୁପ୍ରାଣିତ ହୋଇ ଉଠିଥିଲା । ନିଜ ବାପାମାଆଙ୍କ ବଗିଚାରେ ଘରେ ପ୍ରତ୍ୟେକ ପିଲା ଗଛମାନ ଲଗାଇଲେ – ବାପାଙ୍କ ପାଇଁ, ମାଆଙ୍କ ପାଇଁ, ଆଈ ଓ ଅଜାଙ୍କ ପାଇଁ ସେଗୁଡ଼ିକୁ ଲଗାଇଥିଲେ । “ଏଇଟା ହେଉଛି ମୋ’ ମାଆଙ୍କ ବା ମୋ’ ବାପାଙ୍କ ଗଛ”, –ପିଲାମାନେ କେଡ଼େ ଗର୍ବର ସହିତ କହୁଥିଲେ । ସାଶା ନିଜ ବାପାମାଆଙ୍କର ସ୍ମୃତିରେ ଆପଲ୍‌ ଗଛ ଲାଗାଇଥିଲା । ନିଜ ସାବତାମାଆ ମାନଙ୍କୁ ଭୁଲି ନଯାଇ ଗାଲ୍ୟା ଓ କୋଷ୍ଟ୍ୟା ସେମାନଙ୍କର ମାଆମାନଙ୍କର ସ୍ମୃତିରେ ଫଳଗଛ ଲଗାଇଥିଲେ, ସାବତମାଆଙ୍କ ସକାଶେ ଅଲଗା ଆପଲ୍‌ ଗଛ ଲଗା ହୋଇଥିଲା ।

 

ଅନ୍ୟ ଯେକୌଣସି କାର୍ଯ୍ୟ ତୁଳନାରେ ପିଲାମାନେ ଏହି ଫଳଗଛଗୁଡ଼ିକ ପ୍ରତି ଅଧିକ ପ୍ରାଣସ୍ପର୍ଶୀ ଶ୍ରଦ୍ଧା ଓ ଦୃଷ୍ଟି ପ୍ରଦର୍ଶନ କରୁଥିଲେ । ଆପଲ୍‌ ଗଛଗୁଡ଼ିକରେ କେବେ ଫୁଲ ଫୁଟିବ ବୋଲି ସମସ୍ତେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରି ରହୁଥିଲେ । ଗଛରୁ ପ୍ରଥମ ଫଳଗୁଡ଼ିକ ତୋଳି ମାଆମାନଙ୍କ ପାଇଁ ନେବେ ବୋଲି ଅପେକ୍ଷା କରି ରହୁଥିଲେ । ସେମାନେ ଏଗୁଡ଼ିକୁ ଆଉ କେହି ଦେଇଥିବା କର୍ତ୍ତବ୍ୟ ପରି ଆଦୌ କରୁନଥିଲେ । ଏଗୁଡ଼ିକୁ ଆମେ ସେମାନଙ୍କର ନୈତିକ ବିକାଶରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି କହିବା, ଯାହାଦ୍ୱାରା କି ସେମାନେ ନିଜେ କରିଥିବା ଏକ କାର୍ଯ୍ୟର ସୌନ୍ଦର୍ଯ୍ୟକୁ ଅନୁଭବ କରି ପାରୁଥିଲେ ।

 

ମାଆ ହେଉଛି ଯେକୌଣସି ବ୍ୟକ୍ତିର ଜୀବନରେ ସବୁଠାରୁ ଅଧିକ ପବିତ୍ର ଓ ସବୁଠାରୁ ଅଧିକ ସୁନ୍ଦର ଦ୍ରବ୍ୟଟିଏ । ସେମାନଙ୍କ ମାଆମାନଙ୍କୁ କିଞ୍ଚିତ୍ ଆନନ୍ଦ ଦେବାର ପଶ୍ଚାତରେ ଯେଉଁ ନୈତିକ ସୌନ୍ଦର୍ଯ୍ୟ ରହିଚି, ମାଆମାନଙ୍କର ତାହା ଅନୁଭବ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହିପରି ଭାବରେ ଆମ ସମୂହଟିରେ କ୍ରମେ ଗୋଟିଏ ପରମ୍ପରା ଜନ୍ମଲାଭ କରିଥିଲା : ଶରତଋତୁରେ ଭୂମି ଓ ମନୁଷ୍ୟର ଶ୍ରମ ଏକାଠି ମିଶି ମନୁଷ୍ୟ ପାଇଁ ଯେଉଁ ପ୍ରାଚୁର୍ଯ୍ୟମୟ ଉପହାରଗୁଡ଼ିକୁ ଆଣି ଯେତେବେଳେ ପହଞ୍ଚାଇ ଦେଉଥିଲେ, ସେହି ବେଳଟିକୁ ଆମେ ଶରତକାଳୀନ ମାତୃପର୍ବ ରୂପେ ପାଳିବାକୁ ଆରମ୍ଭ କଲୁ । ପ୍ରତ୍ୟେକ ପିଲା ନିଜର ଶ୍ରମ ଦ୍ୱାରା ଯାହା କିଛି ସୃଷ୍ଟି କରିଥିଲା, ଗ୍ରୀଷ୍ମଋତୁଟା ଯାକ ବା ଏପରିକି ବର୍ଷ ବର୍ଷ ଧରି ସିଏ ଯାହାକୁ ନେଇ ସ୍ୱପ୍ନ ଦେଖୁଥିଲା, ସେଦିନ ସେ ସେଗୁଡ଼ିକୁ ନିଜର ମାଆଙ୍କୁ ଆଣି ଦେଉଥିଲା : ଆପଲ୍‌, ଫୁଲ, ନିଜ ସ୍କୁଲ୍ ପଟାଳିରୁ ଅମଳ ହୋଇଥିବା କେତେ କେଣ୍ଡା ଗହମ, ଇତ୍ୟାଦି ଇତ୍ୟାଦି । (ନିଜ ବାପାମାଆଙ୍କର ବଗିଚା ଭିତରେ ପ୍ରତ୍ୟେକ ପିଲା ନିଜ ଶ୍ରମରେ କିଛି ଉତ୍ପନ୍ନ କରିବ ବୋଲି ପ୍ରିୟ ସାନ ଅରାଟିଏ ରହିଥିଲା) । “ତୁମେମାନେ ନିଜ ମାଆଙ୍କର ଯତ୍ନ ନେବ”, ଶରତକଳୀନ ମାତୃପର୍ବ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରୁଥିବା ସମୟରେ ଆମେ ପିଲାମାନଙ୍କ ମନ ଭିତରେ ଏହି ଭାବନାଟିକୁ ଦୃଢ଼ କରିଆଣୁଥିଲୁ । ନିଜ ମାଆଙ୍କ ନାମରେ ଶ୍ରମ କରିବାରେ ଜଣେ ପିଲା ଯେତିକି ଅଧିକ ସମୟ ଓ ଶକ୍ତି ଦେଉଥିଲା, ତା’ର ହୃଦୟରେ ସେତିକି ଅଧିକ ସହୃଦୟତା ସମ୍ଭବ ହୋଇ ପାରୁଥିଲା ।

 

ଆମେ ଏକ ବସନ୍ତକାଳୀନ ମାତୃପର୍ବ ମଧ୍ୟ ପାଳନ କଲୁ । ଜଙ୍ଗଲ ଭିତରେ ଏପରି ଗୋଟିଏ କୋଣର ଆବିଷ୍କାର କରାଗଲା, ଯେଉଁଠାରେ କି ଗ୍ରୀଷ୍ମକାଳରେ ଅନେକ କୋଳି ପାଚୁଥିଲା । ପିଲାମାନେ ସେହି ଜାଗାଟିକୁ ବଣକୋଳିର କୋଣ ବୋଲି ନାଆଁ ଦେଇଥିଲେ । ଏହି ଅଦ୍ଭୁତ ସ୍ଥାନଟି ସହିତ ସମ୍ପର୍କ ସ୍ଥାପନ କରିବାର ମୁହୂର୍ତ୍ତଗୁଡ଼ିକରେ ପିଲାମାନେ ଅତିଶୟ ଆନନ୍ଦ ଅନୁଭବ କରୁଥିଲେ । ସେହି ଅନନ୍ଦରେ ସେମାନେ ନିଜର ମାଆମାନଙ୍କୁ ମଧ୍ୟ ଭାଗ ଦେବାକୁ ଚାହୁଁଥିଲେ । ଏବଂ, ଧରଣୀକୁ ସୁନ୍ଦର କରି ଫୁଟୁଥିବା ପ୍ରଥମ ଫୁଲଗୁଡ଼ିକୁ ନେଇ ପିଲାମାନେ ନିଜ ମାଆମାନଙ୍କୁ ଦେବେ ବୋଲି ଚିନ୍ତା ମଧ୍ୟ କରିଥିଲେ । ଏହିପରି ଭାବରେ ବସନ୍ତକାଳୀନ ମାତୃପର୍ବ ଜନ୍ମଲାଭ କଲା । ସେଦିନ ସେମାନେ ଯେ କେବଳ ଘଣ୍ଟି ପରି ଦିଶୁଥିବା ଚକ୍‌ଚକ୍‌ ବରଫବିନ୍ଦୁଗୁଡ଼ିକୁ ନିଜ ମାଆଙ୍କ ପାଖକୁ ଆଣୁଥିଲେ ତା’ନୁହେଁ, କାଚଘରେ ନିଜେ ଫୁଟାଇଥିବା ଫୁଲ ମଧ୍ୟ ଆଣୁଥିଲେ-। ମାଆମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଛୁଟିଦିନ ଗୁଡ଼ିକ ପାଳନ କରାଉଥିବା ସମୟରେ ଆମକୁ ଅନାବଶ୍ୟକ କୋଳାହଳ ଏବଂ “ସାଂଗଠନିକ ଶୃଙ୍ଖଳା”ଠାରୁ ଦୂରରେ ରହିବାକୁ ପଡ଼ିବ । ଏହି ମାତୃପର୍ବ ଗୁଡ଼ିକ ଗୋଟିଏ ଗୋଟିଏ ଅନ୍ତରଙ୍ଗ ପାରିବାରିକ ମିଳନ ହୋଇ ରହୁ ବୋଲି ଆମେ ସର୍ବବିଧ ପ୍ରୟାସ କରୁଥିଲୁ । ଗୁଡ଼ାଏ କୋଳାହଳ ହେବା ଆଦୌ ମୁଖ୍ୟ କଥା ନୁହେଁ, ଅନୁଭବଗୁଡ଼ିକ ହିଁ ଯଥେଷ୍ଟ ଗଭୀର ହୋଇଥିବା ଉଚିତ ।

 

ଇଉକ୍ରେନ୍‌ର ଗୋଟିଏ ପ୍ରବଚନରେ କୁହାଯାଇଛି ଯେ, ନିଜ ମାଆଙ୍କ ସକାଶେ କୌଣସି ଭଲ କାର୍ଯ୍ୟ କରିବା ଅପେକ୍ଷା ମନୁଷ୍ୟ ଜାତିକୁ ଭଲ ପାଇବା ଅଧିକ ସହଜ । ଏହି ପ୍ରବଚନଟିରେ ଯେକୌଣସି ଶିକ୍ଷକ ଲାଗି ବହୁତ ପ୍ରଜ୍ଞା ଭରି ରହିଛି । ନିଜ ପାଖରେ ରହୁଥିବା ପ୍ରିୟଜନମାନଙ୍କ ପ୍ରତି ସ୍ନେହ ଦ୍ୱାରା ହୃଦୟ ବଳିଷ୍ଠ ନ ହୋଇଥିବା ଯାଏ କୌଣସି ସହୃଦୟତା ଶିକ୍ଷା ଦେବା ସମ୍ଭବ ହୁଏ ନାହିଁ । ନିଜର ସହଚାରୀ ଜଣେ ମଣିଷକୁ ଭଲ ପାଅ ବୋଲି ଶବ୍ଦରେ କହିବା ଓ ପ୍ରକୃତରେ ଭଲ ପାଇବା, –ଦୁଇଟିଯାକ ଆଦୌ ଏକା କଥା ନୁହେଁ । ପରିବାର ହିଁ ଯଥାର୍ଥ ବିଦ୍ୟାଳୟ ରୂପେ ସହୃଦୟତା ଏବଂ ସହାନୁଭୂତି ଶିକ୍ଷା ଦେଇଥାଏ । ନିଜର ପିତାମାତା, ସେମାନଙ୍କର ପିତାମାତା ଓ ନିଜ ସନ୍ତାନମାନଙ୍କୁ ଭଲ ପାଇବା, ଆମେ ତାହାକୁ ହିଁ ମାନବିକତାର କଷଟି ପଥର ବୋଲି ଜାଣିବା-

 

ପିଲାମାନେ ଆପଣାର ଶ୍ରମ ଦ୍ୱାରା ସୌନ୍ଦର୍ଯ୍ୟର ସୃଷ୍ଟି କରୁଥିବେ, –ସୌନ୍ଦର୍ଯ୍ୟବୋଧ ଓ ନୈତିକତାର ଐକ୍ୟ ନିମନ୍ତେ ଏହା ହିଁ ସର୍ତ୍ତ ହୋଇ ରହିଥାଏ । ସ୍କୁଲ-ଜୀବନର ପ୍ରଥମ ଶରତଋତୁରେ ଆମେ କେତେକ ବଣୁଆ ଗୋଲାପ ମଞ୍ଜି ସଂଗ୍ରହ କରି ସ୍କୁଲ ଜମିର ଗୋଟିଏ କୋଣକୁ ଅଲଗା କରି ରଖା ହୋଇଥିବା ଏକ ଜାଗାରେ ସେଗୁଡ଼ିକୁ ଲଗାଇ ଦେଇଥିଲୁ । ସେଥିରେ ଧଳା, ଲାଲ୍, ନାରଙ୍ଗୀ ଓ ହଳଦିଆ ଗୋଲାପ ଫୁଲର କଲମୀ କରାଗଲା । ଏହିପରି ଭାବରେ ଆମର ନିଜ “ଗୋଲାପ ବଗିଚା”ଟି ତିଆରି ହୋଇଗଲା । ପ୍ରଥମ ଫୁଲଗୁଡ଼ିକ ଫୁଟିଲା ସମୟରେ ପିଲାମାନଙ୍କର ଆନନ୍ଦ କହିଲେ ନସରେ । କାଳେ ଫୁଲଗୁଡ଼ିକର କୌଣସି କ୍ଷତି ହେବ, ସେହି ଆଶଙ୍କାରେ ପିଲାମାନେ ଗଛଗୁଡ଼ିକରେ ହାତ ଲଗାଇବାକୁ ମଧ୍ୟ ଇଚ୍ଛା କରୁନଥିଲେ । ଫୁଲଗୁଡ଼ିକୁ ଠିକ୍ ଭାବରେ କାଟି ପାରିଲେ ପୂରା ଖରାଦିନଟା ଏହିପରି ଫୁଲ ଫୁଟୁଥିବ ବୋଲି ମୁଁ ପିଲାମାନଙ୍କୁ କହିବାରୁ ପିଲାମାନେ ଉଲ୍ଲସିତ ହୋଇ ଉଠିଲେ । ସମସ୍ତେ ନିଜନିଜର ମାଆଙ୍କ ପାଖକୁ ଫୁଲ ନେବାକୁ ଇଚ୍ଛା କଲେ । ଆପଲ୍‌ ଫଳ ସହିତ ନିଜର ମାଆମାନଙ୍କୁ ବିଡ଼ାଏ ଗୋଲାପଫୁଲ ଦେଇ ସେମାନେ ପ୍ରଭୂତ ଆନନ୍ଦ ଅନୁଭବ କରିଥିଲେ ।

 

ପ୍ରଥମ ସ୍କୁଲବର୍ଷର ବସନ୍ତଋତୁରେ ଆମେ ବହେ ଫୁଲଗଛ ଲଗାଇଥିଲୁ । ସବୁବେଳେ ସେଗୁଡ଼ିକର ଯତ୍ନ ନେବାକୁ ହେଉଥିଲା ଏବଂ ସେଗୁଡ଼ିକରେ ପାଣି ଦେବା ଆଦୌ ସହଜ କାର୍ଯ୍ୟ ନଥିଲା । ସେତେବେଳେ ସ୍କୁଲ୍‌ର ବଡ଼ ପିଲାମାନେ ଗୋଟିଏ ଜଳଭଣ୍ଡାର ତିଆରି କରି ସେଥିରେ ପମ୍ପ ବସାଇଥାନ୍ତି । ସେଥିରୁ ଫୁଲକିଆରୀ ଗୁଡ଼ିକୁ ପାଣି ଆଣିବା ଦ୍ୱାରା ପିଲାମାନଙ୍କର କାମ ଖୁବ୍ ସହଜ ହୋଇଗଲା । ଏବଂ, ଡାଙ୍କୋ ସମେତ ସବୁଯାକ ପିଲା ମୋଟେ ଅଧଘଣ୍ଟା ମଧ୍ୟରେ ପାଣି ଦେବା କାମ ଶେଷ କରି ଦେଉଥିଲେ ।

 

ପ୍ରତ୍ୟେକ ପିଲାପାଇଁ ଫୁଲଗଛ ଲଗାଇବା ଏକ ବ୍ୟକ୍ତିଗତ ଆନନ୍ଦରେ ପରିଣତ ହେଉ ବୋଲି ମୁଁ ଇଚ୍ଛା କରୁଥିଲି । ଯେଉଁ କାର୍ଯ୍ୟଗୁଡ଼ିକରେ ସୌନ୍ଦର୍ଯ୍ୟ ଓ ସର୍ଜନାତ୍ମକତା, ସୃଜନ ଏବଂ ମାନବିକତା ଏକତ୍ର ହୋଇ ରହିଥାଆନ୍ତି, ହୃଦୟର ଉତ୍ତୋଳନ ଘଟାଇବା ପାଇଁ ସେପରି ହୁଏତ ଆଉ କୌଣସି କାର୍ଯ୍ୟ ନାହିଁ । ଗୋଲାପ ଗଛମାନଙ୍କର ଯତ୍ନ ନେବା ଏହିପରି ଗୋଟିଏ କାର୍ଯ୍ୟ । ମୋ’ର ଉଦ୍ଦେଶ୍ୟ ଥିଲା ଯେ ପ୍ରତ୍ୟେକ ପିଲା ତା’ଘରେ ମଧ୍ୟ ନିଜର ଏକ ଫୁଲପଟାଳି ରହୁବୋଲି ଇଚ୍ଛା ପ୍ରକାଶ କରିବ । ତୃତୀୟ ଓ ଚତୁର୍ଥ ଶ୍ରେଣୀ ବେଳକୁ ମୋ’ପିଲାମାନେ ସେମାନଙ୍କର ଘର ପଟାଳିରେ ଫୁଟିଥିବା ଗୋଲାପଗୁଡ଼ିକର ପ୍ରଶଂସା କରିବାକୁ ଆରମ୍ଭ କରି ଦେଇଥିଲେ ।

 

ଜୀବନରେ ଅଭିଜ୍ଞତାରୁ ମୋ’ର ଏହି ଦୃଢ଼ ବିଶ୍ୱାସ ହୋଇଯାଇଛି ଯେ, ଯଦି ଗୋଲାପର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରିବା ପାଇଁ ପିଲା ଗୋଲାପ ଗଛଗୁଡ଼ିକୁ ଲଗାଉଥିବ, ସୌନ୍ଦର୍ଯ୍ୟର ଆସ୍ୱାଦନ ଏବଂ ଆଉଜଣେ ମନୁଷ୍ୟର ସୁଖ ତଥା ଆନନ୍ଦବର୍ଦ୍ଧନ ନିମନ୍ତେ ସେହି ସୌନ୍ଦର୍ଯ୍ୟର ସର୍ଜନାକୁ ହିଁ ସିଏ ଯଦି ତା’ କାୟଶ୍ରମର ସଂପୂର୍ଣ୍ଣ ପ୍ରତିଦାନ ବୋଲି ଅନୁଭବ କରୁଥିବ, ତେବେ ସେଇ ପିଲାଟି କୌଣସି ମନ୍ଦ କାର୍ଯ୍ୟ କରିପାରିବ ନାହିଁ, ସିଏ ନୀଚ ହେବ ନାହିଁ, ନିନ୍ଦୁକ ଅଥବା ହୃଦୟହୀନ ବି ହେବ ନାହିଁ । ନୈତିକ ଶିକ୍ଷାରେ ଏଇଟିକୁ ହିଁ ଗୋଟିଏ ଜଟିଳ ସମସ୍ୟା ବୋଲି କୁହାଯାଇପାରିବ । ଜଣେ ବ୍ୟକ୍ତିକୁ ଆତ୍ମିକ ଉଦାରତା ଶିକ୍ଷା ଦେବା ପାଇଁ ସୌନ୍ଦର୍ଯ୍ୟ ମଧ୍ୟରେ ହିଁ ଆଦୌକୌଣସି ଯାଦୁକାରିଣୀ ଶକ୍ତି ନଥାଏ । ଯେତେବେଳେ ସୌନ୍ଦର୍ଯ୍ୟକୁ ସମ୍ଭବ କରାଇ ପାରୁଥିବା କାର୍ଯ୍ୟଟି ଉଚ୍ଚ ନୈତିକ ବିଶ୍ୱାସ ଏବଂ ସର୍ବୋପରି ଅନ୍ୟ ବ୍ୟକ୍ତିମାନଙ୍କ ପ୍ରତି ସମ୍ମାନବୋଧ ଦ୍ୱାରା ମନୁଷ୍ୟର ସ୍ତରକୁ ସ୍ପର୍ଶ କରିବାକୁ ସମର୍ଥ ହୁଏ, କେବଳ ସେତିକିବେଳେ ଯାଇ ସୌନ୍ଦର୍ଯ୍ୟ ଆମକୁ ନୈତିକ ଶୁଦ୍ଧତା ଓ ମାନବିକତାର ଶିକ୍ଷା ପ୍ରଦାନ କରିଥାଏ । ମଣିଷମାନଙ୍କ ପାଇଁ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିବା ଶ୍ରମଟି ମନୁଷ୍ୟତା ସହିତ ଯେତିକି ଅଧିକ ଗଭୀର ଭାବରେ ଅନୁରଞ୍ଜିତ ହୋଇ ରହିଥାଏ, ଜଣେ ବ୍ୟକ୍ତି ନିଜକୁ ସେତିକି ଅଧିକ ସମ୍ମାନ ସହିତ ଦେଖୁଥାଏ ଏବଂ ନୈତିକତାର ପଥରୁ ବିଚ୍ୟୁତ ହୋଇଯିବାକୁ ସିଏ ସେତିକି ଅସହନୀୟ ବୋଲି ଅନୁଭବ କରେ ।

 

ନୈତିକତା ଶିକ୍ଷା ଦେବାରେ ସୌନ୍ଦର୍ଯ୍ୟର ପ୍ରକୃତରେ କିଭଳି ଭୂମିକା ରହିଛି, ଶିକ୍ଷକମାନଙ୍କ ମଧ୍ୟରେ ସେହି ପ୍ରସଙ୍ଗଟିର ଆଲୋଚନା ହୋଇଥିଲା । ଜଣେ ଛାତ୍ରର ଅନ୍ତରସ୍ଥ ଜଗତକୁ ପ୍ରଭାବିତ କରିବାର ଏକ ସାଧନ ରୂପେ ବିଶେଷତଃ ତା’ର ସଂବେଗଗୁଡ଼ିକୁ ପ୍ରଭାବିତ କରିବାର କ୍ଷେତ୍ରରେ ସୌନ୍ଦର୍ଯ୍ୟକୁ ଆମେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଚାର କରିଥିଲୁ, ମାତ୍ର ସେହି ପ୍ରଭାବଶାଳୀତାକୁ ଅତିବେଶୀ ମୂଲ୍ୟଦେବା ବିଷୟରେ ମଧ୍ୟ ସାବଧାନ ହୋଇ ରହିଗଲୁ । କେଉଁସବୁ ସ୍ଥିତିରେ ଯାଇ ସୌନ୍ଦର୍ଯ୍ୟ ଶିକ୍ଷାଗତ ପ୍ରଭାବର ଏକ ସାଧନ ରୂପେ କାର୍ଯ୍ୟ କରେ ? ମନୋବିଜ୍ଞାନର ଏକ ଚର୍ଚ୍ଚାଗୋଷ୍ଠୀରେ ଆମେ ନିଜକୁ ସେହି ପ୍ରଶ୍ନଟି ପଚାରିଥିଲୁ । ଶିକ୍ଷାଗତ ପ୍ରକ୍ରିୟାଟିର ମାନଦଣ୍ଡଗୁଡ଼ିକୁ ବିଶ୍ଳେଷଣ କରି ଆମେ ପ୍ରଶ୍ନଟିର ଉତ୍ତର ବାହାର କଲୁ । ପ୍ରାଥମିକ, ମଧ୍ୟ ଓ ଉଚ୍ଚତର ଶ୍ରେଣୀଗୁଡ଼ିକରେ ଛାତ୍ରମାନଙ୍କର ଅନ୍ତର୍ଗତ ଜୀବନ ଉପରେ ଶିକ୍ଷକର ଯେଉଁ ପ୍ରଭାବ ପଡ଼େ, ସେଗୁଡ଼ିକର ପ୍ରଣାଳୀ ଓ ସାଧନଗୁଡ଼ିକର ଆମେ ବହୁତ ବିଶ୍ଳେଷଣ ଓ ବିଚାର-ବିନିମୟ କଲୁ । ଏବଂ, ସେଥିରୁ ଆମର ଏହି ବିଶ୍ୱାସଟି ଅଧିକ ଦୃଢ଼ ହୋଇଯାଇଥିଲା ଯେ, ଏପରି କୌଣସି ମାତ୍ର ଗୋଟିଏ ସର୍ବଶକ୍ତିଶାଳୀ ପ୍ରଣାଳୀ ନାହିଁ ଯାହାକି ଶିକ୍ଷାର କ୍ଷେତ୍ରରେ ସଫଳତାକୁ ସୁନିଶ୍ଚିତ କରିଦେଇ ପାରିବ ଏବଂ ଯୁଗପତ୍ ଭାବରେ ଶିକ୍ଷଣ-ପ୍ରକ୍ରୟାର ଅନ୍ୟାନ୍ୟ କ୍ଷେତ୍ରରେ ରହିଥିବା ଅପୂର୍ଣ୍ଣତା ତଥା ଅଭାବଗୁଡ଼ିକର ମଧ୍ୟ ପୂରଣ କରିଦେଉଥିବ ।

 

ଉଦାହରଣ ସ୍ୱରୂପ, ସୌନ୍ଦର୍ଯ୍ୟବୋଧର ଶିକ୍ଷା ଦେବାର କ୍ଷେତ୍ରରେ ଜଣେ ଶିକ୍ଷକ ହୁଏତ ଏକ ଚମତ୍କାର କାର୍ଯ୍ୟ କରି ଦେଖାଇ ଦେଇପାରିବ, ମାତ୍ର ଯଦି ଉଚିତ ଶିକ୍ଷାର ଅନ୍ୟ ଉପାଦାନ ଏବଂ ଅଂଶଗୁଡ଼ିକରେ ଅସମ୍ପୂର୍ଣ୍ଣତା ରହି ଯାଉଥିବ, ତେବେ ସୌନ୍ଦର୍ଯ୍ୟଶିକ୍ଷା-ଜନିତ ଶିକ୍ଷାଗତ ପ୍ରଭାବଟି ମଧ୍ୟ ଦୁର୍ବଳ ହୋଇ ଆସିବ ଏବଂ ଏପରିକି ଆଦୌକୌଣସି ପ୍ରଭାବ ପକାଇ ନପାରିବାର ସ୍ତରକୁ ମଧ୍ୟ ଖସି ଆସିବ । ସମାନ ମହତ୍ତ୍ୱ ରହିଥିବା ପ୍ରକ୍ରିୟାଗୁଡ଼ିକ ଯେତେବେଳେ ଏକତ୍ର ଚାଲୁଥିବ, ସେତେବେଳେ ଯାଇ ପିଲାର ଅନ୍ତରସ୍ଥ ଜଗତଟି ଉପରେ ପଡ଼ୁଥିବା ପ୍ରତ୍ୟେକ ପ୍ରଭାବର କୌଣସି ଶିକ୍ଷାଗତ ଶକ୍ତିଶାଳୀତା ବିଦ୍ୟମାନ ରହିଥିବ । କେତେକ ପରିସ୍ଥିତିରେ ଜଣେ ବ୍ୟକ୍ତି ହୁଏତ ଫୁଲମାନଙ୍କ ବିଷୟରେ ଖୁବ୍ ଯତ୍ନ ନେଉଥିବ, ସେମାନଙ୍କର ସୌନ୍ଦର୍ଯ୍ୟରେ ହର୍ଷ ଅନୁଭବ କରୁଥିବ ଏବଂ ତେଣେ ଜଣେ ନିନ୍ଦୁକ, ଉଦାସୀନ ବା କଠୋରହୃଦୟ ମନୁଷ୍ୟ ହୋଇ ମଧ୍ୟ ବେଶ୍ ରହିପାରିବ-। ବ୍ୟକ୍ତିତ୍ୱ ଉପରେ ତା’ର ଅନ୍ତର୍ଜଗତର କ୍ଷେତ୍ରରେ ଅନ୍ୟ ସାଧନାଗୁଡ଼ିକର କିପରି ପ୍ରଭାବ ପଡ଼ୁଛି, ଏବଂ ଆମେ ଶିକ୍ଷାଦାତାମାନେ ବହୁତ ଆଶାନ୍ୱିତ ହୋଇ ରହିଥିବା ସେହି ପ୍ରଭାବଟି ସହିତ କିଭଳି ସହାବସ୍ଥାନ ରହିଛି, ସବୁକଥା ତାହାରି ଉପରେ ହିଁ ନିର୍ଭର କରିବ ।

 

ଏହିସବୁ ଉତ୍ସଗୁଡ଼ିକ ବିଷୟରେ ଶିକ୍ଷକମାନଙ୍କର ପ୍ରତ୍ୟୟ ମଧ୍ୟ ହୋଇଥିଲା । ବାସ୍ତବ, ପ୍ରକୃତ ଜୀବନରେ ଆସି ପହଞ୍ଚୁଥିବା ସ୍ଥିତିଗୁଡ଼ିକର ଆଲୋଚନା କରି ଆମେ ଶିକ୍ଷାଗତ ବିବିଧ ପ୍ରଭାବ ମଧ୍ୟରେ ସୁଷମତା ରକ୍ଷା କରିବାର ସମସ୍ୟାଟି ପାଖରେ ଆସି ପହଞ୍ଚୁଥିଲୁ । ଏଇଟିକୁ ଶିକ୍ଷାର ଏକ ମୌଳିକ ମାନଦଣ୍ଡ ବୋଲି ବିଚାର କରୁଛି । ଆମ ବିଦ୍ୟାଳୟରେ ଏହି ପ୍ରଶ୍ନଟିର ସମାଧାନ ହୋଇଯାଇଛି ବୋଲି ମୁଁ ଆଦୌ ଭାବୁନାହିଁ, ତଥାପି ସମାଧାନ ଦିଗରେ ବହୁତ କିଛି କରାଯାଇ ପାରିଛି । ଏହି ସମସ୍ୟାଟିର ସର୍ବମୂଳ କଥାଟି ଏହିପରି ଭାବରେ ଶିକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ମାପକ ରୂପେ ବ୍ୟକ୍ତ କରାଯାଇ ପାରିବ : ପ୍ରଭାବର ବିଭିନ୍ନ ସାଧନର ବ୍ୟକ୍ତିତ୍ୱ ଉପରେ ଶିକ୍ଷାଗତ କିପରି ପ୍ରଭାବ ପଡ଼ିବ, ତାହା ଅନ୍ୟ ସାଧନଗୁଡ଼ିକ କେତେଦୂର ସୁବିଚାରିତ, ଲକ୍ଷ୍ୟୋଦ୍ଦିଷ୍ଟ ଏବଂ ଫଳପ୍ରଦ ହୋଇପାରିଛି, ତାହାରି ଉପରେ ହିଁ ନିର୍ଭର କରିବ । ଶିକ୍ଷାର ଏକ ସାଧନ ହିସାବରେ ସୌନ୍ଦର୍ଯ୍ୟର କେତେ ଶକ୍ତି ରହିଛି, ତାହା ଶ୍ରମଶକ୍ତିକୁ କିପରି ଏକ ଶିକ୍ଷାଗତ ପଦ୍ଧତି ରୂପେ ପ୍ରତିଷ୍ଠିତ କରାଯାଇପାରେ ଏବଂ ବୁଦ୍ଧି ତଥା ସଂବେଗର ଶିକ୍ଷା କେତେଦୂର ଗଭୀର ଓ ସୁବିଚାରଯୁକ୍ତ ହୋଇପାରୁଛି, ତାହାରି ଉପରେ ହିଁ ନିର୍ଭର କରିବ । ଯେତେବେଳେ ଘରେ ବଡ଼ମାନଙ୍କର ବ୍ୟକ୍ତିଗତ ଦୃଷ୍ଟାନ୍ତ ଏକ ଶକ୍ତି ରୂପେ କ୍ରିୟାଶୀଳ ହୋଇ ରହିଥିବ ଓ ଶିକ୍ଷାକ୍ଷେତ୍ରରେ ଅନ୍ୟ ପଦ୍ଧତିଗୁଡ଼ିକରେ ନୈତିକ ଶୁଦ୍ଧତା ଉଚ୍ଚ ଭାବନା ଏକ ପ୍ରେରଣା ରୂପେ ଅବସ୍ଥାନ କରୁଥିବ, ସେତିକିବେଳେ ଯାଇ ଶିକ୍ଷକ କହୁଥିବା କଥାଗୁଡ଼ିକ ମଧ୍ୟ ଶିକ୍ଷା ସହିତ ସଂପୃକ୍ତ ଏକ ଶକ୍ତି ରୂପେ କାର୍ଯ୍ୟ କରିବାକୁ ସମର୍ଥ ହେବେ ।

 

ଶିକ୍ଷାକ୍ଷେତ୍ରର ପ୍ରଭାବଗୁଡ଼ିକ ମଧ୍ୟରେ ଶହ ଶହ ଓ ହଜାର ହଜାର ପରସ୍ପର ନର୍ଭରଶୀଳତା ଓ ସର୍ତ୍ତାଧୀନତାଗୁଡ଼ିକୁ ଯଦି ବିଚାରକୁ ନିଆଯିବ ଏବଂ, ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଯଦି ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ପ୍ରୟୋଗ ମଧ୍ୟ କରାଯିବ, ତେବେ ତାହାରି ଦ୍ୱାରା ହିଁ ଶିକ୍ଷାର ଫଳଦାୟକତାକୁ ନିର୍ଦ୍ଧାରଣ କରିହେବ । ମୋ’ ମତରେ, ଶିକ୍ଷାବିଜ୍ଞାନ ଜୀବନ ସହିତ ସମତାଳ ହୋଇ ରହି ପାରୁ ନାହିଁ ବୋଲି ଯେଉଁ ଯାବତୀୟ ଅପବାଦ ଦିଆ ଯାଇଥାଏ, ସେଇଟି ପ୍ରକୃତରେ ଗୋଟିଏ ବିଷୟ ଉପରେ ଦୃଷ୍ଟି ନେଦଉଥିବା ହେତୁ ସମ୍ଭବ ହୋଇଥାଏ : ଯଦି ଶହ ଶହ ଅନ୍ୟାନ୍ୟ ପ୍ରଭାବ ଅନୁପସ୍ଥିତ ଥାଏ, ତେବେ ବ୍ୟକ୍ତିତ୍ୱ ଉପରେ ପଡ଼ୁଥିବା ଯେକୌଣସି ପ୍ରଭାବର ଶକ୍ତି ମଧ୍ୟ କ୍ଷୀଣ ହୋଇ ଆସେ; ଅନ୍ୟ ଶହ ଶହ ମାନଦଣ୍ଡକୁ ଉପଲବ୍ଧି କରାଯାଇ ନପାରିଲେ ଯେକୋଣସି ଗୋଟିଏ ମାନଦଣ୍ଡ ମଧ୍ୟ କେତୋଟି ଫମ୍ପା ଶବ୍ଦାବଳୀରେ ପରିଣତ ହୋଇଯାଏ । ଶିକ୍ଷାର ବିଜ୍ଞାନଟି ପଛରେ ରହିଯାଏ, କାରଣ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଉଥିବା ଆହୁରି ଡଜନ ଡଜନ ଓ ଶହ ଶହ ନିର୍ଭରଶୀଳତା ଏବଂ ପରସ୍ପର ନିର୍ଭରଶୀଳତା ତାହା ଅନୁସନ୍ଧାନ କରି ଦେଖିପାରି ନଥାଏ । ଯେତେବେଳେ ତାହା ସେହି ସୂକ୍ଷ୍ମ ନିର୍ଭରଶୀଳତା ଓ ସର୍ତ୍ତାଧୀନତାଗୁଡ଼ିକର ଅନୁସନ୍ଧାନ ଓ ବ୍ୟାଖ୍ୟା କରିପାରିବ, ସେତେବେଳେ ଯାଇ ଏକ ନିର୍ଭୁଲ୍ ତଥା ଯଥାର୍ଥ ବିଜ୍ଞାନରେ ପରିଣତ ହୋଇପାରିବ ।

 

.........ଏମିତି ଆମେ ଆହୁରି କେତେ କେତେ ଫୁଲଉତ୍ସବର ଉଦ୍ଭାବନ କରିଥିଲୁ । ବିଭିନ୍ନ ଫୁଲକୁ ନେଇ ବସନ୍ତକାଳୀନ ପର୍ବଗୁଡ଼ିକ ଆରମ୍ଭ ହୋଇଗଲା । ସେଦିନ ଆମେ ଜଙ୍ଗଲକୁ ଯାଉଥିଲୁ, ବିଦ୍ୟାଳୟ-ଜୀବନର ପ୍ରଥମ ବର୍ଷ ଆମେ ତିଆରି କରିଥିବା ଫୁଲଗଛ-ବଗିଚାକୁ ମଧ୍ୟ ଯାଉଥିଲୁ । ପ୍ରତ୍ୟେକ ପିଲା ବିଡ଼ାଏ ଫୁଲ ସଂଗ୍ରହ କରୁଥିଲା । ପ୍ରତ୍ୟେକ ଥର ନୂଆ ରଙ୍ଗର ଫୁଲରେ ଗୁଚ୍ଛ କରିବାକୁ ଚେଷ୍ଟା କରୁଥିଲା । ଆମେ ଲନ୍ ଉପରକୁ ଯାଇ ଗୁଚ୍ଛଗୁଡ଼ିକ ବିଷୟରେ ନିଜର ଖୁସୀ ପ୍ରକଟ କରୁଥିଲୁ । ସେଗୁଡ଼ିକୁ ଆମେ ମାଆମାନଙ୍କ ପାଖକୁ ନେଉଥିଲୁ, ଆନ୍ଦ୍ରେଇ ଅଜା ଓ ଓଲ୍‍ଗା ଆଈଙ୍କ ଭଳି ବନ୍ଧୁମାନଙ୍କ ପାଇଁ ନେଇ ଯାଉଥିଲୁ । ଆମେ ପୂର୍ବ-ପ୍ରାଥମିକ ଶ୍ରେଣୀର କୁନିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରୁଥିଲୁ ଓ ସେମାନଙ୍କୁ ଦେବା ପାଇଁ ସାନ ପୁଷ୍ପଗୁଚ୍ଛମାନ ତିଆରି କରୁଥିଲୁ ।

 

ଦ୍ୱିତୀୟ ଛୁଟି ଦିନଟିରେ ଗୋଲାପମାନଙ୍କର ଉତ୍ସବ ପାଳିତ ହେଉଥିଲା । ଆମେ ସମସ୍ତେ ବିଦ୍ୟାଳୟର ଗୋଲାପ ବଗିଚାରେ ଓ ଉଦ୍ୟାନର କିଆରୀଗୁଡ଼ିକରେ ଯାଇ ରୁଣ୍ଡ ହେଉଥିଲୁ ।

 

ତୃତୀୟ ଛୁଟି ଦିନଟି ବଣର ଫୁଲମାନଙ୍କର ଉତ୍ସବ । ଏଇଟିରେ ପିଲାମାନଙ୍କର ସବୁଠାରୁ ବେଶୀ ଆନନ୍ଦ ହେଉଥିଲା । ସକାଳ ସମୟରେ, ଯେତେବେଳେ ଫୁଲମାନେ ବିଶେଷ ଭାବରେ ସୁନ୍ଦର ଦେଖାଯାନ୍ତି, ଆମେ ଗହୀରଆଡ଼େ ଯାଉଥିଲୁ । ଗୋଟିଏ ସୁନ୍ଦର ପୁଷ୍ପଗୁଚ୍ଛ ଚୟନ କରି ଆଣିବା ହେଉଛି ଯଥାର୍ଥରେ ଗୋଟିଏ ଭାରି ସୃଜନାତ୍ମକ କାର୍ଯ୍ୟ । ଗୁଚ୍ଛଗୁଡ଼ିକୁ ଆମେ ସ୍କୁଲକୁ ଆଣୁଥିଲୁ, ବିଶ୍ରାମ ନେଉଥିଲୁ ଏବଂ ଆମ ବଗିଚାରେ ମଧ୍ୟ କାହିଁକି ବଣର ଫୁଲମାନେ ଫୁଟିବେ ନାହିଁ ବୋଲି ସ୍ୱପ୍ନ ଦେଖୁଥିଲୁ । କେଉଁଠି ସବୁଠାରୁ ଅଧିକ ସୁନ୍ଦର ଫୁଲଗୁଡ଼ିକ ଫୁଟୁଥିଲେ, ସେଗୁଡ଼ିକୁ ଠାବ କରି ଆମେ ସେଠାରୁ ମଞ୍ଜି ସଂଗ୍ରହ କରି ଆଣୁଥିଲୁ । ଶରତଋତୁରେ ମୂଳଗୁଡ଼ିକୁ ଖୋଳି ଆଣୁଥିଲୁ । ତା’ପରେ ସେଗୁଡ଼ିକୁ ଆମ ବଗିଚାରେ ଲଗାଉଥିଲୁ ଏବଂ ତାହାଫଳରେ କେତେ କେତେ ବଣୁଆ ଫୁଲ ମଧ୍ୟ ଆମ ବଗିଚାରେ ଫୁଟିବାକୁ ଆରମ୍ଭ କଲେ ।

 

ଫୁଲମାନଙ୍କର ଶରତଉତ୍ସବ ବା ସେବତୀଫୁଲର ପର୍ବଦିନ ଆମେ ବିରସ ମନରେ ଗ୍ରୀଷ୍ମକୁ ବିଦାୟ ଦେଉଥିଲୁ । ଯଥାସମ୍ଭବ ଅଧିକ ବିଳମ୍ବରେ ସେଇଟିକୁ ପାଳନ କରିବା ଲାଗି କଠିନ ପରିଶ୍ରମ କରିବାକୁ ବି ହେଉଥିଲା । ....ସେବତୀ ଗଛଗୁଡ଼ିକୁ ହିମ ଓ ଥଣ୍ଡା ପବନରୁ ରକ୍ଷା କରିବାକୁ ହେଉଥିଲା ଓ ରାତିରେ ସେଗୁଡ଼ିକୁ କାଗଜ ତିଆରି ଘୋଡ଼ଣିମାନଙ୍କ ଦ୍ୱାରା ଘୋଡ଼ାଇ ଦିଆଯାଉଥିଲା । ଶରତଋତୁର ଫୁଲଉତ୍ସବ ଶେଷ ହୋଇଗଲେ ଆମେ ଗଛଗୁଡ଼ିକୁ ନେଇ କାଚଘର ଭିତରେ ଲଗାଇ ଦେଉଥିଲୁ ।

 

ତୃତୀୟ ଶ୍ରେଣୀରେ ପିଲାମାନେ ସର୍ବପ୍ରଥମେ ତୁଷାରବିନ୍ଦୁମାନଙ୍କର ଉତ୍ସବକୁ ପାଳନ କରିଥିଲେ । ଜଙ୍ଗଲରେ ସେତେବେଳେ ମଧ୍ୟ ତଥାପି ବରଫ ରହିଥାଏ, ମାତ୍ର ପୃଥିବୀର ଶୀତନିଦ ଭାଙ୍ଗି ସାରିଥାଏ । ଧଳା ଓ ବାଇଗଣୀ ରଙ୍ଗର ପ୍ରଥମ ଫୁଲଗୁଡ଼ିକ ଖାଲିଜାଗା ମାନଙ୍କରେ ଫୁଟିବା ଆରମ୍ଭ କରି ଦେଇଥିଲେ । ସେଦିନ ମଧ୍ୟ ପିଲାମାନେ ନିଜ ମାଆମାନଙ୍କୁ କ୍ଷୁଦ୍ର ପୁଷ୍ପଗୁଚ୍ଛମାନ ନେଇ ଦେଉଥିଲେ ।

 

ଶ୍ରମରେ ନିହିତ ହୋଇ ଯେଉଁ ଆନନ୍ଦ ରହିଥିଲା, ପିଲାମାନେ ତାହାର ମୂଳଟିକୁ ଦେଖିପାରନ୍ତୁ ବୋଲି ମୁଁ ପ୍ରୟାସ କରୁଥିଲି । ନିଜର ମୁଣ୍ଡ ଉପରେ ସଂସାରଟିଏ ଖଞ୍ଜି କରି ରଖିବେ ବୋଲି ନୁହେଁ, ମାତ୍ର ସିଏ ତିଆରି କରିଥିବା ଘରକୁ ଲାଗି କରି ଯେପରି ଫୁଲମାନ ଫୁଟୁଥିବେ, ଜଣେ ମନୁଷ୍ୟ ସେଇଥିଲାଗି ହିଁ ଶ୍ରମ କରିବ । ଫୁଲଗୁଡ଼ିକ ତାକୁ ଆନନ୍ଦ ଆଣି ଦେଉଥିବେ । ଜଣେ ମନୁଷ୍ୟ ତା’ର ଶୈଶବ ସମୟରୁ ହିଁ ଆନନ୍ଦର ସୃଷ୍ଟି କରିବା ନିମନ୍ତେ ଶ୍ରମ କରିବ ।

 

ପିଲାମାନେ ସ୍କୁଲ ଆରମ୍ଭ କରିବାର ଗୋଟିଏ ବର୍ଷ ପରେ ସେମାନଙ୍କର ବାପାମାଆଙ୍କର ବଗିଚାରେ ସୌନ୍ଦର୍ଯ୍ୟମଣ୍ଡିତ ବିଶେଷ କୋଣଟିଏ ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରିଥିଲା । ପ୍ରାୟ ସବୁପିଲା ଗୋଲାପଗଛ ଲଗାଇଥିଲେ । ତାହାଛଡ଼ା ପ୍ରତ୍ୟେକ ପିଲାଙ୍କର ନିଜନିଜର ପ୍ରିୟ ଫୁଲମାନ ମଧ୍ୟ ରହିଥିଲା । ଭାରା, ଲିଡ଼ା, ପାଭ୍ଲୋ, ସେରୋଝା, କାଟ୍ୟା, ଲାରିସା, ଓ କୋଷ୍ଟ୍ୟା ସେବତୀଫୁଲକୁ ଭଲ ପାଉଥିଲେ, ସାନ୍ୟା, ଜିନା, ଲ୍ୟୁବା, ଲ୍ୟୁଡ଼ା, ଓ ସାଶା ଘରେ କାର୍ନେଶନ୍ ଓ ଟୁଲିପ୍ ଲଗାଇଥିଲେ । ଭାନ୍ୟା, ଭିଟ୍ୟା ଓ ପେଟ୍ରିକ୍ କେତେଗୁଡ଼ିଏ ଲାଇଲାକ୍ ଗଛ ନେଇ ପୋତିଥିଲେ । କିପରି ଫୁଲମାନଙ୍କର ଯତ୍ନ ନେବାକୁ ହେବ, କିପରି ଚାରା ତିଆରି କରିବାକୁ ହେବ ଓ ଗଛଗୁଡ଼ିକ ସକାଶେ ସର୍ବୋତ୍ତମ ଜାଗାଟିଏ ବାଛିବାକୁ ହେବ–ମୁଁ ସେକଥାମାନ ପିଲାମାନଙ୍କୁ ଦେଖାଇ ଦେଇଥିଲି ।

 

ଫୁଲମାନଙ୍କୁ ଭଲ ପାଇବା ବିଷୟରେ ଥରେ କୋଲ୍ୟା ଏବଂ ତା’ମାଆଙ୍କ ମଧ୍ୟରେ ଏକ ଯୁକ୍ତି ହୋଇଥିଲା । ପିଲାଟି କାଚଘରେ କାମ କରିବାକୁ ଭାରି ଭଲ ପାଉଥିଲା । ତାକୁ ମୁଁ ତିନୋଟି ସେବତୀ ଗଛ ଦେଇଥିଲି ଏବଂ ସେଗୁଡ଼ିକୁ କିପରି ଲଗାଇବାକୁ ହୁଏ, ତାହା ବତାଇ ଦେଇଥିଲି । ସେତିକିବେଳେ ଆମେ ଭଲ ବିଲାତିବାଇଗଣର କିଛି ଚାରା ଆଣି ମଧ୍ୟ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଉଥିଲୁ । କୋଲ୍ୟା ପ୍ରାୟ ଡଜନେ ଟମାଟୋ ଚାରା ନେଇ ଘରକୁ ଆସିଲା । ସେବତୀଗୁଡ଼ିକ ବି ସାଙ୍ଗରେ ଆଣିଥିଲା । ତା’ମାଆ ଟମାଟୋ ଚାରାଗୁଡ଼ିକୁ ଲଗାଇଲେ, କୋଲ୍ୟା ସେବତୀଗୁଡ଼ିକୁ । ଦୁଇ ସପ୍ତାହ ପରେ ମାଆ ଦେଖିଲେ ଯେ ସେବତୀଗୁଡ଼ିକରେ ଭଲ ଚେର ହୋଇଯାଇଛି ସିଏ କ’ଣ ଭାବି ସେଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେଲେ । ପିଲାଟି ସେଗୁଡ଼ିକୁ ବାଡ଼ ପାଖରେ ଯାଇ ପଡ଼ିଥିବାର ଦେଖିଲା, କାନ୍ଦି କାନ୍ଦି ମାଆଙ୍କ ପାଖରେ ଯାଇ ପହଞ୍ଚିଲା । ମାଆ ହସିବାକୁ ଆରମ୍ଭ କଲେ: “ତୁ ଏଇଦିନୁ ଗଛଗୁଡ଼ାକ ଲାଗି ଦୁଃଖ ଅନୁଭବ କରିବାକୁ ଆରମ୍ଭ କଲୁଣି ? ସେଗୁଡ଼ାକ କି କାମରେ ଲାଗିବ କହିଲୁ ? ସେଗୁଡ଼ାକ ନଥାଇ ଆମର ସାରା ଜୀବନ ବିତିଗଲାଣି । ଆଗକୁ ମଧ୍ୟ ସେହିପରି ରହିବ ।” କୋଲ୍ୟା କିଛି କହିଲା ନାହିଁ, ସେବତୀଗୁଡ଼ିକୁ ନେଇ ଖଳା ପଛପଟେ ଲଗାଇ ଦେଇଥିଲା-

 

କିଛିଦିନ ପରେ ସେ ମାଆଙ୍କ ପାଖକୁ କେତେଗୁଡ଼ିଏ ନୀଳ ରଙ୍ଗର ଫୁଲ ଆଣି କହିଲା, “ମାଆ, ଦେଖିଲ, କେଡ଼େ ସୁନ୍ଦର ହୋଇଛି !” ତା’ର ଏହି ଶବ୍ଦଗୁଡ଼ିକ ଭିତରେ କେତେ ନା କେତେ ସଂବେଗ ଭରି ରହିଥିଲା । ସମ୍ଭବତଃ ସେ କହିବାକୁ ଇଚ୍ଛା କରୁଥିଲା, “ମାଆ, ଆମ ନିଜ ପରିବାରରେ ମଧ୍ୟ ଜୀବନଟି ଠିକ୍ ଏହିଫୁଲଗୁଡ଼ିକ ପରି ସୁନ୍ଦର ହୁଅନ୍ତେ ବୋଲି ମୁଁ କେତେ ନଭାବେ !”

 

“ଚଢ଼େଇମାନଙ୍କର ଚିକିତ୍ସାଗାର”ରେ ପିଲାମାନେ ଅତ୍ୟନ୍ତ ଉତ୍ସାହ ସହିତ କାର୍ଯ୍ୟ କରୁଥିଲେ । ଝଡ଼ ପରେ ଆମେ ଜଙ୍ଗଲକୁ ଯାଇ ସର୍ବଦା ଚଢ଼େଇଛୁଆମାନ ପାଉଥିଲୁ, ଯେଉଁମାନେ କି ସେମାନଙ୍କ ବସାରୁ ଭୂଇଁ ଉପରକୁ ଖସି ପଡ଼ିଥିଲେ । ଦିନର ଯେକୌଣସି ସମୟରେ ମଧ୍ୟ “ଚଢ଼େଇ ଚିକିତ୍ସାଗାର”ରୁ ପିଲାମାନଙ୍କର କଣ୍ଠସ୍ୱର ଶୁଣିବାକୁ ମିଳୁଥିଲା । .....ଏବଂ ଶୀତଦିନର ପ୍ରବଳ ହିମ ସମୟରେ ପିଲାମାନେ ଚିକିତ୍ସାଳୟର ଝରକା ବାହାରେ ବୋଇତାଳୁ ମଞ୍ଜି ରହିଥିବା ଗୋଟିଏ ପାତ୍ର ରଖି ଦେଉଥିଲେ । ସେଠାକୁ ଅନେକ ନୀଳ ଚଢ଼େଇ ମଧ୍ୟ ଖାଇବାକୁ ଚାଲି ଆସୁଥିଲେ । ସେଠାରେ ଯଥେଷ୍ଟ ଖାଇବା ଜିନିଷ ନଥିବାର ଦେଖିଲେ, ସେମାନେ ଖୁବ୍ କିଚିରି ମିଚିରି କରୁଥିଲେ । ଆମକୁ ଅଧିକ ଖାଦ୍ୟ ଦିଅ ବୋଲି ସତେଅବା ଦାବୀ କରିବାରେ ଲାଗିଥିଲେ । ପିଲାମାନେ ଟେବୁଲ୍ ଉପରେ କଖାରୁମଞ୍ଜି ବିଞ୍ଚି ରଖି ଦେଉଥିଲେ ଓ ସେମାନେ ଭିତରକୁ ପଶି ଆସି ଖୁମ୍ପି ଖୁମ୍ପି ଖାଦ୍ୟ ଖାଉଥିଲେ । ଚଢ଼େଇମାନେ କ୍ରମେ ପିଲାମାନଙ୍କ ସହିତ ଅଭ୍ୟସ୍ତ ହୋଇଗଲେ ଏବଂ ଅଧିକ ସମୟ ରହିବାକୁ ଆରମ୍ଭ କଲେ । ହିମପାତ ହେଉଥିବା ରାତିମାନଙ୍କରେ ଆଦୌ ପୁଣି ବାହାରକୁ ଉଡ଼ି ପଳାଉ ନଥିଲେ । କେଡ଼େ ଅନନ୍ଦରେ କିଚିରି ମିଚିରି କରୁଥିଲେ, ପିଲାମାନଙ୍କର କାନ୍ଧରେ, ହାତରେ ଓ ମୁଣ୍ଡ ଉପରେ ବି ଆସି ବସି ଯାଉଥିଲେ । ଖରାପାଗ ହେଲେ ଚଢ଼େଇମାନେ ଦାନା ଖାଇବା ପାଇଁ ଭିତରକୁ ଆସୁଥିଲେ ଓ ତା’ପରେ ଫୁରକିନା ଉଡ଼ି ପଳାଉଥିଲେ । ପିଲାମାନେ ସେମାନଙ୍କର ଚଢ଼େଇବନ୍ଧୁମାନଙ୍କ ଠାରୁ ମୋଟେ ଅଲଗା ହେବାକୁ ଇଚ୍ଛା କରୁନଥିଲେ । ଚଢ଼େଇମାନେ ମଧ୍ୟ ତାହା ଅନୁଭବ କରୁଥିବା ପରି ମନେ ହେଉଥିଲା : ସେମାନେ ଯେପରି ଉଙ୍କିମାରି ଚାହୁଁଥିଲେ, ସେଥିରେ ସେମାନେ ପିଲାମାନଙ୍କ ଠାରୁ କ୍ଷମା ମାଗୁଥିବା ଭଳି ଲାଗୁଥିଲା : ଆମକୁ ତୁମେମାନେ କ୍ଷମା କରିବ, ମାତ୍ର ଆମେ ଏଠାରେ କଦାପି ଦୀର୍ଘ ସମୟ ରହିପାରିବୁ ନାହିଁ ।

 

କୋଲ୍ୟା, ୟୁରା, ସାଶା, କୋଷ୍ଟ୍ୟା ଓ ପାଭ୍ଲୋ ଘଣ୍ଟା ଘଣ୍ଟା ଧରି ଚଢ଼େଇଙ୍କର ଏହି ଚିକିତ୍ସାଗାରରେ ରହି ଯାଉଥିଲେ । ନିଜ ଘରେ ମଧ୍ୟ ଚଢ଼େଇଙ୍କ ଲାଗି ସାନ ସାନ ଖାଇବା-ଜାଗା ତିଆରି କରିବା ସକାଶେ ମୁଁ ପିଲାମାନଙ୍କୁ କହିଥିଲି । ସେମାନେ ସେଗୁଡ଼ିକୁ ତିଆରି କଲେ, ତା’ଭିତରେ କଖାରୁମଞ୍ଜି ରଖିଦେଲେ । ପାଭ୍ଲୋ ଏକ ପୂରା ଚଢ଼େଇଘର ତିଆରି କରି ଦେଇଥିଲା ।

 

ଏସବୁ କଥାର ଶିକ୍ଷାର କ୍ଷେତ୍ରରେ କି ମହତ୍ତ୍ୱ ଅଛି ବୋଲି ପ୍ରଥମେ ହୁଏତ ଭାରି ମନେ ହେଉଥିବ । ମାତ୍ର, ବସ୍ତୁତଃ, ଜୀବନ ଥିବା ବସ୍ତୁମାନଙ୍କର ଯତ୍ନ ନେବା ଦ୍ୱାରା ସମ୍ବେଦନଶୀଳତା ଓ ଉଷ୍ମତାର ଶିକ୍ଷା ମିଳିଥାଏ ।

 

ଆଗରୁ ମୁଁ ଯେଉଁ “ଚାତକପକ୍ଷୀର ଛୁଟି” ବିଷୟରେ କହିସାରିଛି, ତୃତୀୟ ଶ୍ରେଣୀରୁ ତାହା ଶ୍ରମ ଏବଂ କଳାତ୍ମକ ସର୍ଜନାତ୍ମକତା ନିମନ୍ତେ ଏକ ଅନନ୍ୟ ଅବସରରେ ପରିଣତ ହୋଇଯାଇଥିଲା । ଗହମ ଅଟାକୁ ଚକଟି ଝିଅମାନେ ସେଥିରୁ ଚାତକର ଚେହେରା ଥିବା ସାନ ସାନ ଆକୃତିର ପିଠା ତିଆରି କରୁଥିଲେ । ଆପଣାର ସେହି ସହଜ ଅଭିବ୍ୟକ୍ତିଟି ସାହାଯ୍ୟରେ ପ୍ରତ୍ୟେକେ ଚାତକପକ୍ଷୀ କିପରି ବେଗରେ ଉଡ଼ୁଥାଏ, ସେହି କଥାଟିକୁ ପ୍ରକାଶ କରିବାକୁ ଚେଷ୍ଟା କରିଥିଲେ । ଝିଅମାନେ ନିଜ ନିଜ ଚାତକମାନଙ୍କୁ ପରସ୍ପରକୁ ଦେଖାଇଲେ ଏବଂ ସେଗୁଡ଼ିକ ମଧ୍ୟରେ କେବଳ ବେଗଟିକୁ ନୁହେଁ, ଏକ ସଂଗୀତକୁ ମଧ୍ୟ ସନ୍ଧାନ କରି ପାରିଥିଲେ । “ତୋ’ ଚାତକ ଚୁପ୍ ରହିଛି, ମୋ’ ଚାତକ ଗାଇ ପାରୁଛି,” –ସେଦିନ କାହା ପାଟିରୁ ଏପରି ମନ୍ତବ୍ୟଟିଏ ମଧ୍ୟ ଶୁଣିବାକୁ ମିଳିଥିଲା ।

 

ପିଲାମାନେ ବଡ଼ ହୋଇଯିବା ପରେ ବିଲରେ ଏବଂ ପଶୁଗୃହରେ କାମ କରିବାକୁ ଆରମ୍ଭ କରିବା ଆବଶ୍ୟକ । ସେମାନଙ୍କ ଭିତରେ କିଏ ଚାଷୀ ହେବେ, କେହି ଗଉଡ଼ୁଣୀ ହେବେ; କେହି କୃଷିବିଜ୍ଞାନୀ ହେବେ କିମ୍ବା ଉଦ୍ୟାନ ଆଡ଼େ ମନ ଦେବେ । ବିଲରେ ଅଥବା କୃଷିସଂସ୍ଥାରେ ସହଜକାର୍ଯ୍ୟଗୁଡ଼ିକୁ କରିବାର ସୌନ୍ଦର୍ଯ୍ୟ ବିଷୟରେ ସେମାନଙ୍କୁ ଶିକ୍ଷା ଦେବାକୁ ହିଁ ପଡ଼ିବ । ଏଇଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ସାଧାରଣ କୃଷି-ବିଷୟକ ଶ୍ରମଗୁଡ଼ିକରୁ ସେମାନେ ଅନନ୍ଦ ଲାଭ କରିବେ, ଏବଂ ଶ୍ରମର ଯାବତୀୟ କର୍ମନିର୍ଘଣ୍ଟରେ ଖେଳ ଓ ପାରସ୍ପରିକ ପ୍ରେରଣା ନିମନ୍ତେ ସ୍ଥାନ ନରହିଲେ ତାହା କଦାପି ସମ୍ଭବ ହେବ ନାହିଁ । ନିଜର ଗୋଷ୍ଠୀଟି ଭିତରେ ରହିଥିବା ପାରସ୍ପରିକ ସମ୍ବନ୍ଧ ମଧ୍ୟରେ ଏକ ସୌନ୍ଦର୍ଯ୍ୟ ରହିଥିବାର ଅନୁଭବ କରିବା, ବନ୍ଧୁତା, ସହଚାରିତା ଏବଂ ପାରସ୍ପରିକ ସହଯୋଗ ବ୍ୟତୀତ କିଛି ସମ୍ଭବ ହେବ ନାହିଁ । ମୋ’ର ଛାତ୍ରମାନେ ସର୍ବଦା ଗୋଷ୍ଠୀକାର୍ଯ୍ୟକୁ ଅତ୍ୟନ୍ତ ଆଗ୍ରହ ସହିତ ଗ୍ରହଣ କରୁଥିଲେ ଏବଂ ସେଗୁଡ଼ିକର ଫଳ ବିଷୟରେ ମଧ୍ୟ ଉତ୍ସୁକତା ପ୍ରକାଶ କରୁଥିଲେ । ଆମର ଶ୍ରେଣୀଟି ଏକାଠି ହୋଇ କାର୍ଯ୍ୟ କରିବାର ପଦ୍ଧତିଟି ସହିତ ଅଭ୍ୟସ୍ତ ହୋଇଯାଇଥିଲା ।

 

ବସନ୍ତଋତୁର ଆରମ୍ଭରେ ଆମେ ଟାନ୍ୟାର ବାପାଙ୍କୁ ସାକ୍ଷାତ କରିବା ଲାଗି ପଶୁବିଭାଗକୁ ଯାଇଥିଲୁ । ସିଏ ଖଳାଘରେ ଗୋଟିଏ ଉଷୁମ ଜାଗା ଠିକ୍ କରି ସେଠାରେ ଆମପାଇଁ ଚାରୋଟି ମେଣ୍ଢାଛୁଆଙ୍କୁ ନେଇ ରଖିଥିଲେ । ଆମେ ଏହି କ୍ଷୁଦ୍ର ଜୀବନପିଣ୍ଡ ଗୁଡ଼ିକର ଦେଖାଚାହାଁ କରିବୁ ବୋଲି ଠିକ୍ ହେଲା । ସେମାନଙ୍କୁ ସବୁଦିନ ଖାଇବାକୁ ଦେବାପାଇଁ ଆସିବୁ, ସେମାନଙ୍କ ଆଗରେ କୁଟା ପକାଇବୁ, ଉଷୁମ କ୍ଷୀର ପିଇବାକୁ ଦେବୁ–ଯେପରିକି ସେମାନେ ଶୀଘ୍ର ଦମ୍ଭ ଓ ବଳବାନ ହୋଇଆସିବେ । ମୁଁ ପିଲାମାନଙ୍କୁ ଏକଥା ବୁଝାଇ ଦେଇଥିଲି ।

 

ଅନେକ ସମୟରେ ଏପରି କୁହାଯାଇଥାଏ ଯେ, ଅନେକ ପିଲା ବଡ଼ ଅଳସୁଆ ଥାଆନ୍ତି, ସେମାନଙ୍କୁ ଆଦୌ କିଛି ଆଗ୍ରହୋଦ୍ଦୀପକ ଲାଗେ ନାହିଁ; ଏପରି କଠିନ ହୃଦୟ କେତେ କେତେ ରହିଥାଏ ଯେ, ସେମାନଙ୍କୁ କିଛି କେବେହେଲେ କାଟେ ନାହିଁ । ଏକଥା ମୋଟେ ଠିକ୍ ନୁହେଁ । ଉଦାହରଣ ସ୍ୱରୂପ, ପଶୁବିଭାଗର ମେଣ୍ଢାଛୁଆଙ୍କର ଯତ୍ନ ନେବାର କାମରୁ ଆରମ୍ଭ କରିବା ସକାଶେ ପିଲାମାନଙ୍କୁ (ବଡ଼ କିଶୋର ବୟସର ପିଲା ନୁହଁନ୍ତି, ଏଗାର ବାର ବର୍ଷ ମଧ୍ୟ ପ୍ରକୃତରେ ବିଳମ୍ବ ହୋଇଯିବ) ଅନୁପ୍ରେରିତ କରିବାକୁ ଚେଷ୍ଟା କର । ସେମାନଙ୍କ ସହିତ ମାସେ ଦୁଇମାସ ଏକାଠି କାମ କର; ଦେଖିବ, କିପରି କଠିନତମ ହୃଦୟଗୁଡ଼ିକରେ ମଧ୍ୟ ବରଫ ତରଳିବାକୁ ଆରମ୍ଭ କରିବ । ଏକାଠି କାମ କରିବାରୁ ଯଦି ପିଲାମାନେ ଆନନ୍ଦ ଲାଭ କରି ପାରିବେ, ତେବେ ବଡ଼ ହୋଇ ସେମାନେ ବଳିଷ୍ଠ ଶ୍ରମିକ ହୋଇପାରିବେ । ଆମ ଶ୍ରେଣୀରେ ଜଣେ ହେଲେ ଉଦାସୀନ ଏବଂ ଆଳସ୍ୟପରାୟଣ ପିଲା ନଥିଲା, ଏବଂ, ସହଜ ଶ୍ରମରେ ସେମାନେ ଅନୁପ୍ରାଣିତ ହୋଇଥିବା ଯୋଗୁଁ ଏପରି ଘଟିଲା ।

 

ଆମେ ଭଲ କୁଟା ସଂଗ୍ରହ କରି ଆଣିଲୁ, ସେଗୁଡ଼ିକୁ ଟିକିଟିକି କରି ଶାବକମାନଙ୍କ ପାଇଁ ‘କ୍ଷୀରି’ ତିଆରି କଲୁ । ସେମାନଙ୍କୁ କ୍ଷୀର ବି ଦେଲୁ । ଯେତେବେଳେ ସେମାନେ ସବୁଜ ଘାସ ଖାଇ ପାରିଲେ, ପିଲାମାନେ କାଚଘର ଭିତରୁ କଅଁଳିଆ ଯଅ ଓ ବାଜରା ଗଛ କାଟି ସେମାନଙ୍କୁ ଖୁଆଇଲେ । ଏବଂ ଘାସମାନେ ସବୁଜ ହେବା ମାତ୍ରକେ ସେମାନେ ଛୁଆଗୁଡ଼ିଙ୍କ ପାଇଁ ବେକା ବେକା ତଟକା ଖାଦ୍ୟ ବୋହି ଆଣିଲେ । ଟାନ୍ୟାର ବାପା ଖଳାଘର ପାଖରେ ଗୋଟିଏ ମେଣ୍ଢା ଅଡ଼ା ତିଆରି କରିଦେଲେ, ଯେଉଁଠାରେ କି ଶାବକମାନେ ଦିନଯାକ ଖେଳି ଓ ଡେଇଁ ବୁଲି ପାରିଲେ । ଏହାକୁ ଆମେ ଆମର “ମେଷ କ୍ଷେତ୍ର” ବୋଲି କହିଲୁ ।

 

ତୃତୀୟ ସ୍କୁଲ୍ ବର୍ଷ ସମୟରେ ଯତ୍ନନେବାର ଏକ ନୂତନ ଏବଂ ଅଧିକ ଗମ୍ଭୀର ଦିଗ ଉନ୍ମୋଚିତ ହୋଇ ଯାଇଥିଲା । ଆମ ଛୁଆମାନେ ବାଛୁରୀମାନଙ୍କର ଦାୟିତ୍ୱ ନେବାକୁ ଇଚ୍ଛା କରିଥିଲେ ଏବଂ ସେଥିଲାଗି ଗୋରୁବିଭାଗରେ ଆମ ପାଇଁ ଆହୁରି ଗୋଟିଏ ଅଲଗା ସ୍ଥାନ ନିରୂପଣ କରି ଦିଆଗଲା । ନିଜ ମେଣ୍ଢାଛୁଆ ଓ ବାଛୁରୀମାନଙ୍କ ପାଇଁ ପିଲାମାନେ ପୂରା ଶୀତଦିନଯାକ କାଚଘରେ ସବୁଜ ଘାସର ଚାଷ କରିଥିଲେ । ଖରାଋତୁରେ ଆମେ ବାଛୁରୀଙ୍କ ସକାଶେ ପାଳକୁ ଖରା ଦେଇ ରଖିଲୁ । ପ୍ରାୟ ପ୍ରତିଦିନ ବହୁତ ପିଲା ଖଳାଘରକୁ ଯାଉଥିଲେ ।

 

ବସନ୍ତ ଆସିଯିବାରୁ ମେଣ୍ଢା ଓ ମେଣ୍ଢାଛୁଆଙ୍କୁ ବିଲ ଭିତରକୁ ନିଆ ଯାଇଥିଲା । ପିଲାମାନଙ୍କୁ ବଡ଼ ଏକୁଟିଆ ଲାଗିଲା । ଦିନଟିଏ ପାଇଁ ହେଉ ପଛକେ, ସେମାନେ ପ୍ରକୃତିର ବେଷ୍ଟନୀ ଭିତରେ କ୍ଷେତରେ ରହିବାକୁ ଇଚ୍ଛା କରିଥିଲେ । ଆମେ ରବିବାର ଦିନ କ୍ଷେତକୁ ଯାଉଥିଲୁ । ମେଣ୍ଢା ଓ ମେଣ୍ଢାଛୁଆ ମାନଙ୍କୁ ଚରାଉଥିଲୁ ଏବଂ କଟା ହୋଇଥିବା କୁଟାକୁ ଏକତ୍ର କରି ଆଣୁଥିଲୁ । ବସନ୍ତକାଳର ପ୍ରଥମ ଘାସ ମେଣ୍ଢାଛୁଆମାନଙ୍କ ଲାଗି ଅତ୍ୟନ୍ତ ସ୍ୱାସ୍ଥ୍ୟକର ଥିଲା । ଗ୍ରୀଷ୍ମଋତୁରେ ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନେ ପ୍ରାୟ ପ୍ରତ୍ୟହ କ୍ଷେତକୁ ଯାଉଥିଲେ । ଜୀବନରୁ ଏହି ଶିକ୍ଷାଟି ମିଳୁଛି ଯେ, ପିଲାଦିନରେ ଅନୁରୂପ ଦୈନନ୍ଦିନ କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ହୋଇନଥିଲେ ଜଣେ ମନୁଷ୍ୟ ସାଧାରଣ କୃଷିବିଷୟକ କାର୍ଯ୍ୟଗୁଡ଼ିକୁ କେବେହେଲେ ଭଲ ପାଇପାରିବ ନାହିଁ ।

 

ବିଦ୍ୟାଳୟର ଏହି ଶ୍ରମ–ଅଧ୍ୟୟନ ଥାନଟିରେ ରୋମାଞ୍ଚକରତାର ଶିଖାଟି ମଧ୍ୟ ପିଲାମାନଙ୍କର କାର୍ଯ୍ୟକୁ ଆଲୋକିତ କରି ରଖିଥିଲା । ପ୍ରଥମ ଶ୍ରେଣୀରେ ଆମକୁ ୧/୧୦ ହେକ୍ଟେଆର ଜମି ମିଳିଥିଲା ଏବଂ ବଡ଼ ପିଲାମାନଙ୍କର ସାହାଯ୍ୟରେ ପିଲାମାନେ ସେଠାରେ ଇଟା କାନ୍ଥ ଦେଇ ସାନ ଘରଟିଏ ତିଆରି କରିଥିଲେ । ସେଥିରେ ଟାଇଲରେ ଛାତ ପଡ଼ିଥିଲା, ଚଟାଣଟା କାଠରେ ତିଆରି ହୋଇଥିଲା, ସାନ ଚୁଲିଟିଏ ଥିଲା, ପାଣି ନନ୍ଦ ଥିଲା, ବିଜୁଳି ଆଲୁଅ ବି ଆସୁଥିଲା-। ଗୋଟିଏ ପ୍ରକୃତ ଘର ପରି ସବୁ ଖଞ୍ଜା ହୋଇ ରହିଥିଲା, କେବଳ ଆକାରଟି ଏତେ ବଡ଼ ନଥିଲା, ଏହି ଘରଟିକୁ ପିଲାମାନେ “ସାନ ଉଦ୍ୟାନଘର” ବୋଲି କହିଲେ । ସେହି ନିବିଡ଼ ଥାନଟିରେ ପିଲାଏ ଯାଇ ବହି ପଢ଼ୁଥିଲେ, ପ୍ରକୃତି ବିଷୟରେ ଗପ ଶୁଣୁଥିଲେ । ପରେ ପିଲାମାନେ ଯେତେବେଳେ ତୃତୀୟ ଶ୍ରେଣୀକୁ ଆସିଗଲେ, ଏହି ସାନ ଘରଟି ଭିତରେ ବସି ଆମେ ମଞ୍ଜିଗୁଡ଼ିକୁ ନେଇ ନାନା ପ୍ରୟୋଗ ଆରମ୍ଭ କରିଥିଲୁ ।

 

ସେହି ସାନ ଘରଟିକୁ ତିଆରି କରିବାକୁ ଶ୍ରମ ଏବଂ ଖେଳ ଉଭୟ ବୋଲି କୁହାଯାଇ ପାରିବ । କାମଟି ସମ୍ପୂର୍ଣ୍ଣ ହୋଇଗଲା ପରେ ପିଲାମାନେ ନିଜ ହାତରେ ସର୍ଜନା କରିଥିବା ବସ୍ତୁ ଗୁଡ଼ିକ ପ୍ରତି ଏକ ଅଧିକ ଯତ୍ନପୂର୍ଣ୍ଣ ଦୃଷ୍ଟି ରଖିଥିଲେ । ସେମାନେ ବେଶ୍ ଭଲ ଭାବରେ ବୁଝିଥିଲେ ଯେ, ଏହି ସାନ ଘରଟି ସେମାନଙ୍କର ଶ୍ରମ ଦ୍ୱାରା ହିଁ ସମ୍ଭବ ହୋଇପାରିଛି । କୌଣସି ପ୍ରକାରର ବ୍ୟାଖ୍ୟାନକୁ ଆମେ କଦାପି ଜୀବନର ପ୍ରତ୍ୟକ୍ଷ ଅନୁଭବର ସ୍ଥାନାପନ୍ନ ରୂପେ ବ୍ୟବହାର କରିପାରିବା ନାହିଁ ।

 

ଗୋଟିଏ ପିଲା ଏକ ସାଧାରଣ ସମ୍ପତ୍ତିକୁ ଯେପରି ସମ୍ମାନ ଦେଇ ପାରିବ, ସେଥିଲାଗି ତା’ର ଅନ୍ୟମାନଙ୍କ ସହିତ ଏକାଠି କାର୍ଯ୍ୟ କରିବାର ବ୍ୟକ୍ତିଗତ ଅଭିଜ୍ଞତା ରହିଥିବା ଆବଶ୍ୟକ । ଜଣେ ବ୍ୟକ୍ତି ଲାଗି ଏକ ସାଧାରଣ ସମ୍ପତ୍ତି ପ୍ରିୟ ବୋଲି ମନେ ହେଲେ ଯାଇ ତା’ପକ୍ଷରେ ବସ୍ତୁଗତ ମୂଲ୍ୟର ମର୍ମଟିକୁ ବୁଝିବା ସମ୍ଭବ ହେବ ଏବଂ, ଶୈଶବରୁ ହିଁ ସେହି ଗୁଣଟିକୁ ଅର୍ଜନ କରିବାକୁ ହେବ । ଶିକ୍ଷକମାନେ ଅନେକ ସମୟରେ କହିଥାନ୍ତି ଯେ, କିଶୋର ବୟସରେ ଅନେକ ପିଲା ସମାଜର ସମ୍ପତ୍ତିକୁ ନଷ୍ଟ କରିଦେବେ ବୋଲି ଏକ ମନୋଭାବ ରଖିଥାନ୍ତି । ସେମାନେ କାହିଁକି ଏପରି ସଂବେଦନାହୀନ ହୋଇପଡ଼ନ୍ତି ? କିଶୋର ବୟସ ଓ ପ୍ରଥମ ଯୌବନରେ ଜଣେ ବ୍ୟକ୍ତି ମିତବ୍ୟୟୀ ହେଉ ଓ ନିଜ ଭିତରେ ଶୃଙ୍ଖଳାର ବୋଧ ଅର୍ଜନ କରୁ ବୋଲି ଯଦି ଆମେ ଇଚ୍ଛା କରୁଥିବା, ସମାଜଗତ ଆଗ୍ରହଗୁଡ଼ିକ ବିଷୟରେ ତା’ର ଭାବନା ବିନୟଯୁକ୍ତ ହେଉ ହେଉ ବୋଲି ଯଦି ଆମେ ଚାହୁଥିବା, ଯାହା ତା’ର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ସେଗୁଡ଼ିକ ପ୍ରତି ମଧ୍ୟ ତା’ର ଅନ୍ତରରେ ଦାୟିତ୍ୱବୋଧ ରହିଥାଉ ଓ ବାହାରକୁ ପ୍ରକାଶ ପାଉ ବୋଲି ଯଦି ଇଚ୍ଛା କରୁଥିବା, ତେବେ ତା’ର ଶୈଶବ ସମୟରେ ତାକୁ କୌଣସି ସାମାଜିକ ବସ୍ତୁକୁ ମୂଲ୍ୟ ଦେଇ ଦେଖିବାକୁ ହେବ । ଏହି ଗୁଣଟି ତା’ର ବ୍ୟକ୍ତିଗତ ଆନନ୍ଦବୋଧ ଭିତରେ ଅନୁସିକ୍ତ ହୋଇ ରହିବା ଆବଶ୍ୟକ ।

 

ଯେଉଁ ଅରାଟିରେ ଆମେ ଗହମ, ବାଜରା, ସୁଆଁ, ମାଣ୍ଡିଆ ଓ ସୂର୍ଯ୍ୟମୁଖୀ ଲଗାଇଥିଲୁ, ତା’କୁ ଲାଗିକରି ଆମର “ସାନ ସବୁଜ ଘର”ଟି ଅବସ୍ଥିତ ଥିଲା । ଆମେ ସହି ଘରେ ବିହନ ବାଛୁଥିଲୁ ଓ ଅମଳ ହୋଇଥିବା ଶସ୍ୟକୁ ସାଇତି ରଖିଥିଲୁ । ସେଠି ଆମେ ସାରକୁ ଏକାଠି ମିଶାଉଥିଲୁ । ଜାଣିବାର ରୋମାଞ୍ଚକର ଅନୁଭବ ଦ୍ୱାରା ପିଲାମାନଙ୍କର ଯାବତୀୟ ଶ୍ରମ ଅନୁପ୍ରେରିତ ହୋଇ ରହୁଥିଲା । ସେମାନେ ସୁଚିନ୍ତିତ ଭାବରେ ସବୁ କାର୍ଯ୍ୟ କରୁଥିଲେ । ପ୍ରକୃତିର ସକଳ ରହସ୍ୟ ଏବଂ ବିଧାନ ସେମାନଙ୍କ ପାଖରେ ଉଦ୍‌ଘାଟିତ ହୋଇଯାଉଥିଲା । ଯେଉଁ ଜ୍ଞାନ ମନୁଷ୍ୟକୁ ପ୍ରକୃତିର ଶକ୍ତିଗୁଡ଼ିକୁ କାମରେ ଲଗାଇବାରେ ସାହାଯ୍ୟ କରେ, ତାହାକୁ ସିଏ କେବଳ ଶ୍ରମର ମାଧ୍ୟମରେ ଅର୍ଜନ କରୁ ବୋଲି ମୋ’ ପିଲାମାନେ ବ୍ୟକ୍ତିଗତ ଅନୁଭବ ଦ୍ୱାରା ଦୃଢ଼ ଭାବରେ ଜାଣନ୍ତୁ ବୋଲି ମୁଁ ସୁନିଶ୍ଚିତ ହେବାକୁ ଚେଷ୍ଟା କରୁଥିଲି । ସେମାନଙ୍କୁ ମୁଁ ଗୋଟିଏ ଗହମ ଦାନା ବିଷୟରେ କହିଥିଲି । ଶ୍ରମ ହିଁ କିପରି ତା’ର ସମୁଦାୟ ଜୀବନକୁ ନିରୂପିତ କରୁଛି, ତାହା ବୁଝାଇ ଦେଇଥିଲି । ପିଲାମାନେ ମୃତ୍ତିକା ଭିତରେ ଜୀବନର ସେହି ବିସ୍ମୟମୟ ପୃଥିବୀଟିକୁ ଆବିଷ୍କାର କରିଥିଲେ । ଆମେ ଜୈବ ଦ୍ରବ୍ୟଗୁଡ଼ିକୁ ଜମିକୁ ନେଉଥିଲୁ, ଏବଂ ତଦ୍ଦ୍ୱାରା ମାଟି ଉର୍ବର ହେଉଥିଲା-। ପ୍ରତ୍ୟେକ ପିଲା ଶହେଟି ଗହମଦାନା ପୋତିଲା ଏବଂ ସମୁଦାୟ ପ୍ରକ୍ରିୟାଟିକୁ ଆଗ୍ରହର ସହିତ ନିରୀକ୍ଷଣ କରୁଥିଲା । ଗହମଗଛରେ ଅଧିକ ଫଳ ଫଳିବା ଓ ଗହମର ଦାନାଗୁଡ଼ିକ ଯେପରି ଅଧିକ ଭାରି ହେବ, ସେଥିଲାଗି ମାଟିକୁ ଖାଦ୍ୟ ଖୁଆଇବାର ପ୍ରଚେଷ୍ଟାଟି ପିଲାମାନଙ୍କୁ ଖୁବ୍ ପ୍ରେରଣା ଦେଇଥିଲା । ପ୍ରତ୍ୟେକ ପିଲା ତା’ର ଗଛଗୁଡ଼ିକୁ ଯଥାସମ୍ଭବ ଅଧିକ ଭଲ ଭାବରେ ଅଧିକ ପୃଷ୍ଟିସାରଯୁକ୍ତ ମିଶ୍ରଣ ଦ୍ୱାରା ଭୁଞ୍ଜାଇବାକୁ ଇଚ୍ଛା କରୁଥିଲା । ସହଜତମ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିବା ନିମନ୍ତେ ଉତ୍ସାହରେ ପୂରି ରହିଥିବା ଏହି ପିଲାମାନଙ୍କ ପାଇଁ ଏହା ପ୍ରକୃତରେ ଏକ ସୃଜନଶୀଳ ଅବକାଶ ହୋଇ ରହିଲା । ସେମାନେ ଭାରି ସାବଧାନ ହୋଇ ଗହମ କେଣ୍ଡାଗୁଡ଼ିକୁ କାଟିଥିଲେ ଏବଂ ଓଜନ କରିବା ପାଇଁ ହଜାରଟି ଦାନାର ଗୋଟିଏ ଗୋଟିଏ ଗଦା କରି ରଖିଲେ । ଯିଏ ସବୁଠାରୁ ଅଧିକ ଅମଳ କରିଥିଲା, ସିଏ ଅତ୍ୟନ୍ତ ଗର୍ବ କରୁଥିଲା ଏବଂ ତାକୁ ଦେଖି ଅନ୍ୟ ପିଲାମାନେ ମଧ୍ୟ ଅଧିକ ଭଲ କରିବାକୁ ସଂକଳ୍ପ କରି ନେଇଥିଲେ ।

 

ମୋ’ର ଦୃଢ଼ ପ୍ରତ୍ୟୟ ହୋଇଯାଇଥିଲା ଯେ ପିଲାମାନେ ଏହାଦ୍ୱାରା ଗଛମାନଙ୍କୁ ଭଲ ପାଇ ଶିଖିଲେ ଏବଂ ମୃତ୍ତିକାର ଜୀବନକୁ ଅନୁଭବ କରିବା ଲାଗି ସମର୍ଥ ହେଲେ । ତୃତୀୟ ଓ ଚତୁର୍ଥ ଶ୍ରେଣୀରେ, ସେମାନେ ସାଧାରଣ ପରିମାଣର ଦୁଇଗୁଣ ଗହମଗଛ ଲଗାଇଥିଲେ । କାଚଘର ଓ “ସାନ ସବୁଜଘର”ଟିରେ ମଧ୍ୟ ଆମେ ପୃଷ୍ଟିକାରୀ ଉର୍ବରକରେ କାକୁଡ଼ି ଏବଂ ଟମାଟୋ ଲଗାଇଥିଲୁ । ଖତ ଓ ଚିକିଟା ମାଟିକୁ ମିଶାଇ ପିଲାମାନେ ଶୀତଦିନେ ଉର୍ବରକ ପ୍ରସ୍ତୁତ କରିଥିଲେ ଏବଂ ବସନ୍ତଋତୁରେ ସେମାନେ ତାହାକୁ କ୍ଷେତକୁ ନେଇ ଯାଇଥିଲେ । ଶରତଋତୁରେ ଟମାଟୋ ଓ କାକୁଡ଼ିର ଅମଳ ପରିମାଣ ଚମତ୍କାର ହୋଇଥିଲା ।

 

କେତେକ ପିଲା “ସବୁଜ ପ୍ରୟୋଗଶାଳା”ରେ ମଧ୍ୟ କାର୍ଯ୍ୟ କରୁଥିଲେ ଏହି ସାନ ଘରଟିକୁ ମଧ୍ୟ ବିଦ୍ୟାଳୟର ପିଲାମାନେ ତିଆରି କରିଥିଲେ । ଏଠାରେ, ବଡ଼ ପିଲାମାନଙ୍କର ତତ୍ତ୍ୱାବଧାନରେ ମୋ’ର ପିଲାମାନେ ଉଦ୍ୟାନକୃଷି ଏବଂ ଉଦ୍ଭିଦ ରୋପଣରେ ଅନେକ ଆଗ୍ରହୋଦ୍ଦୀପକ ପ୍ରୟୋଗମାନ କରିପାରିଥିଲେ । ବିଭିନ୍ନ ଫଳଗଛର ପ୍ରକାରକୁ କିପରି ଜଙ୍ଗଲର କୋଳିଗଛରେ କଲମ କରିବାକୁ ହୁଏ, ମୁଁ ପିଲାମାନଙ୍କୁ ତାହା ଦେଖାଇ ଦେଇଥିଲି । ଦ୍ୱିତୀୟ ଶ୍ରେଣୀ ବେଳକୁ ସବୁ ପିଲା ସେହି ସୂକ୍ଷ୍ମ ପ୍ରକ୍ରିୟାଟିକୁ ଶିଖି ସାରିଥିଲେ । ସେମାନେ ପ୍ରକୃତି ଉପରେ ଜ୍ଞାନର ଶକ୍ତିଶାଳିତା ଏବଂ ତତ୍ତ୍ୱ ଓ ପ୍ରୟୋଗ ମଧ୍ୟରେ ରହିଥିବା ଐକ୍ୟକୁ ଅନୁଭବ କରି ପାରିଲେ ।

 

କଲମ କରାଯାଇଥିବା ଗଛର ପରିଣାମ କ’ଣ ହେଉଛି, ପିଲାମାନେ ବସନ୍ତଋତୁ ଆସିବା ଯାଏ ତାହା ଦେଖିବାକୁ ଉଦବିଗ୍ନ ହୋଇ ଅପେକ୍ଷା କରିଥିଲେ । ଯେତେବେଳେ କଲମ ଡାଳଗୁଡ଼ିକରେ ସାନ ସାନ ପତର ବାହାରିଲା, ପିଲାମାନଙ୍କର ଆଉ ଅନନ୍ଦର ସୀମା ରହିଲା ନାହିଁ-। ଆମେ ଗୋଟିଏ ସାମୂହିକ ଚାରାଘର ତିଆରି କଲୁ ଓ ସେମାନେ ସେଥିରେ ପ୍ରତିବର୍ଷ ଚାରା ପ୍ରସ୍ତୁତ କରିବେ ବୋଲି ଠିକ୍ କଲେ । ଚାରାଘରଟି ଆଉ ଗୋଟିଏ ଅତି ପ୍ରିୟ କର୍ମସ୍ଥାନରେ ପରିଣତ ହୋଇଗଲା । ତୃତୀୟ ଶ୍ରେଣୀ ପରେ ଗ୍ରୀଷ୍ମଋତୁରେ ଗୋଟାଏ ଘଞ୍ଚ ଜଙ୍ଗଲଜାଗା ଭିତରେ ଆମେ ଗୋଟିଏ ବଣ ପ୍ଲମ୍ ଗଛ ଦେଖିବାକୁ ପାଇଲୁ । ସେହି ଗଛରେ ଆମେ ପ୍ରତ୍ୟେକ କିଛି ନା କିଛି କଲମ କଲୁ, –କିଏ ବାଦାମ, ଆଉ କିଏ ପ୍ଲମ୍, ଆଉ କିଏ ପୀଚ୍ କଲମ କଲା । ସବୁଯାକ କଲମରୁ ଗଛ ବାହାରିଲା । ଗୋଟିଏ ଗଛ ଉପରେ ଯେତେବେଳେ ଏତେ ଏତେ ପ୍ରକାରର ଫଳଗଛ ବାହାରିଲା, ସେତେବେଳେ ପିଲାମାନେ ଅତୀବ ବିସ୍ମୟ ସହିତ ତାହା ଦେଖିଥିଲେ । ଏବଂ, ଦୁଇ ବର୍ଷ ପରେ ଗଛମାନଙ୍କରେ ଫଳ ବି ଦେଖିବାକୁ ମିଳିଲା ।

 

ମୁଁ ପୂର୍ବରୁ କହିଛି ଯେ, ଭାବନା, ସୃଜନଶୀଳତା ଏବଂ ଜିଜ୍ଞାସାନୁରାଗୀ ବୁଦ୍ଧି ଲାଗି ପ୍ରକୃତି ଠାରୁ ବଳି ସମୃଦ୍ଧତର ଉତ୍ସ ଆଉ କିଛି ନାହିଁ । ପ୍ରକୃତିର ନିୟମଗୁଡ଼ିକୁ ବୁଝିବାରେ ସମର୍ଥ ହୋଇ ଗୋଟିଏ ପିଲା ଏକ ବ୍ୟକ୍ତିରେ ପରିଣତ ହୁଏ ଏବଂ ତେଣୁ କ୍ରମେ ନିଜକୁ ପ୍ରାକୃତିକ ବିକାଶର ଦୀର୍ଘ ପଥଟିରେ ଉଚ୍ଚତମ ସ୍ତର ବୋଲି ମଧ୍ୟ ଜାଣିପାରେ । ମାତ୍ର, କେବଳ ପ୍ରକୃତି କଦାପି ବିସ୍ମୟର ସୃଷ୍ଟି କରିପାରିବ ନାହିଁ, ଗୋଟିଏ ଶିଶୁର ପ୍ରକୃତିଦତ୍ତ ଶକ୍ତିର ବିକାଶ କରାଇ ପାରିବ ନାହିଁ, ତା’ର ବୁଦ୍ଧିକୁ ତାଲୀମ ଦେଇ ପାରିବ ନାହିଁ ବା ଭାବନାକୁ ବଳିଷ୍ଠ କରିପାରିବ ନାହିଁ । କୌଣସି କ୍ରିୟାଶୀଳ ସଂବଳନ ବ୍ୟତୀତ, ଶ୍ରମ ବ୍ୟତୀତ ପ୍ରକୃତିର ରହସ୍ୟଗୁଡ଼ିକୁ ଉଦ୍‌ଘାଟିତ କରି ଆଣିବା ଅଥବା ସ୍ୱାଙ୍ଗୀକୃତ କରିବା ଆଦୌ ସମ୍ଭବ ହେବ ନାହିଁ । ପ୍ରକୃତିର ଶକ୍ତିଗୁଡ଼ିକୁ କାମରେ ଲଗାଇବା ସକାଶେ ବ୍ୟକ୍ତି ପ୍ରଥମ ସଚେତନ ପଦକ୍ଷେପଟି ନେଇ ପାରିଲେ ଯାଇ ପ୍ରକୃତି ମଧ୍ୟ ସେହି ବ୍ୟକ୍ତିକୁ ଉପକୃତ କରିଥାଏ, –ପ୍ରଥମେ ଅଳ୍ପ ପରିମାଣରେ ଉପକୃତ କରେ ଏବଂ ବ୍ୟକ୍ତି ଅଧିକ ଉଦ୍ୟମ କରିବା ଏବଂ ଯୁଗପତ୍ ଭାବରେ ଜାଣିବା ଓ ସୃଜନାତ୍ମକ ହେବା ସଙ୍ଗେ ସଙ୍ଗେ ଅଧିକ ଉଦାର ଭାବରେ ମଧ୍ୟ ଉପକୃତ କରେ । ପିଲାମାନେ ଯେତେ ଅଧିକ ଶ୍ରମ କରିବେ, ସେମାନଙ୍କର ମନ ଭିତରେ ପ୍ରକୃତିର ରହସ୍ୟମାନ ସେତିକି ଅଧିକ ଉଦ୍‌ଘାଟିତ ହୋଇ ଯାଉଥିବ । ସେମାନେ ଅଧିକ ଅଧିକ ନୂତନ ଓ ଏପର୍ଯ୍ୟନ୍ତ ଅବୋଧ୍ୟ ହୋଇ ରହିଥିବା ସତ୍ୟଗୁଡ଼ିକର ସମ୍ମୁଖୀନ ହେଉଥିବା ସଙ୍ଗେ ସଙ୍ଗେ ସେତିକି ଅଧିକ ଉଦ୍‌ଘାଟିତ ହୋଇ ଯାଉଥିବ । ମାତ୍ର, ସେମାନେ ଏପର୍ଯ୍ୟନ୍ତ ଯେତିକି ଅଧିକକୁ ବୁଝିପାରିନଥିବେ, ସେମାନେ ସେତିକି ଅଧିକ କ୍ରୀୟାଶୀଳ ଭାବରେ ଚିନ୍ତା କରୁଥିବେ; ଅବୋଧ୍ୟତା ହେଉଛି ଭାବନାକୁ ଉନ୍ମେଷିତ କରି ଆଣିବାରେ ନିଶ୍ଚିତତମ ଉତପ୍ରେରକ । ହଳ ହୋଇଥିବା ଜମିଟିରେ ଗହମର ଦାନା ବୁଣା ହେବା ଠାରୁ ଗହମ ଅମଳ ପର୍ଯ୍ୟନ୍ତ ପିଲାମାନେ ‘କିପରି’ ଓ ‘କାହିଁକି’ ର ଦୁଇଶହରୁ ଅଧିକ ପ୍ରଶ୍ନ ନେଇ ଆସି ପହଞ୍ଚି ଯାଇଥିଲେ । ପ୍ରକୃତି ଉପରେ ପ୍ରଭାବ ପକାଉଥିବା ଏକ କ୍ଷେତ୍ରରେ ଆବିଷ୍କାର ପ୍ରକୃତରେ କଷ୍ଟକର ହେବ, ଯାହାକି ଜମିରେ କାମ କରିବା ଭଳି ବୃକ୍ଷମାନଙ୍କର ଖାଦ୍ୟଶସ୍ୟର ବା ଶିଳ୍ପୋଯୋଗୀ ଅନ୍ୟାନ୍ୟ ଫସଲର କର୍ଷଣ ପରି ଭାବନା ରାଜ୍ୟକୁ ଏତେ ଅଧିକ ପରିମାଣରେ ଉତପ୍ରେରିତ କରି ପାରୁଥିବ ।

 

ପିଲାମାନେ ନିଜର ପ୍ରତିଭା ଓ ବିଶେଷ ପ୍ରବୃତ୍ତିମାନ ଆବିଷ୍କାର କରିବାରେ ସାହାଯ୍ୟ କରିବା ପାଇଁ ମୁଁ ସେମାନଙ୍କର କାର୍ଯ୍ୟରେ ମଧ୍ୟ ପରିବର୍ତ୍ତନ କରି ଦେବାକୁ ଚେଷ୍ଟା କରୁଥିଲି । ସ୍କୁଲ୍ ୱାର୍କଶପ୍‌କୁ ଲାଗି କରି ଆମେ ସାନପିଲାଙ୍କ ଲାଗି ଗୋଟିଏ ବଖରା ତିଆରି କରିଦେଲୁ । ସେଠାରେ ଯନ୍ତ୍ରପାତି ଲାଗି ଟେବୁଲ୍ ସବୁ ରଖିଲୁ । ଏବଂ, ତା’ପରେ ମୁଁ ମୋ’ର ବହୁ ଦିନର ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାର ବାଟ ପାଇଗଲି, –ବଡ଼ପିଲାମାନେ ଦିଓଟି ସାନ ଆକାରର ଲେଦ୍ ତିଆରି କରିଦେଲେ ଏବଂ ଗୋଟିଏ ଭଅଁର ବି ବନାଇ ଦେଲେ । କରତ ପ୍ରଭୃତି ଆହୁରି ଅନେକ ଉପକରଣର ବାକ୍ସ ଆସି ପହଞ୍ଚି ଗଲା । ଧାତୁର ଚଦର ଓ ତାର ମାନ ଆସିଲା । ଏଥିରେ କାମ କରି ଧାତୁରୁ କିଛି ତିଆରି କରିବା ଓ ମଡେଲ୍‍ ବନାଇବା ପାଇଁ ଅନେକ କୁନିପିଲାଙ୍କର ଆଗ୍ରହ ଜାତ ହେଲା । ଧୀରେ ଧୀରେ କୁନି ମିସ୍ତ୍ରୀମାନଙ୍କର ଗୋଟିଏ କ୍ଲବ୍ ଆରମ୍ଭ ହୋଇଗଲା । ମଡେଲ୍‍ ଗଢ଼ିବାରେ, କ’ଣ ଗୋଟିଏ ତିଆରି କରିବାର ଓ ସୂକ୍ଷ୍ମ କାଠକାମ କରିବାରେ ପିଲାମାନେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ।

 

ମଧ୍ୟାହ୍ନଭୋଜନ ପରେ ଆମେ ସେଠାରେ ଏକାଠି ହୋଇ ନାନାବିଧ ଆଗ୍ରହୋଦ୍ଦୀପକ ମଡେଲମାନ ତିଆରି କରୁଥିଲୁ, –ପବନ ଦ୍ୱାରା ଚାଳିତ ଗୋଟିଏ ବିଜୁଳିଶକ୍ତିର ଷ୍ଟେସନ, ଶସ୍ୟ ବାଛି ଦେବାର କେତୋଟି ଯନ୍ତ୍ର, ପାଛୁଡ଼ିବାର ଯନ୍ତ୍ର, ପୂରା ବାସ୍ତବ ପରି ଦିଶୁଥିବା କେତୋଟି ଘର, କ୍ଷୁଦ୍ର ଉପକରଣଗୁଡ଼ିକୁ ରଖିବା ପାଇଁ ଗୋଟିଏ ଡେସ୍କ୍ ଓ ବାକ୍ସ । ପିଲାମାନେ ଏକାଠି ମିଶି ଯାବତୀୟ କାର୍ଯ୍ୟ କରୁଥିଲେ, କାଠ ଓ ଧାତୁର ସରଞ୍ଜାମମାନ ତିଆରି କରୁଥିଲେ । ସାନ ମଡେଲଗୁଡ଼ିକୁ ତିଆରି କରିବା ଲାଗି ଅଧିକ କଷ୍ଟକର ଲାଗୁଥିଲା ଏବଂ ଏହିସବୁରେ ହିଁ ପିଲାମାନେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ।

 

ପିଲାମାନଙ୍କର ପ୍ରତିଭା ଓ ପ୍ରବୃତ୍ତିଗୁଡ଼ିକୁ ଜାଗୃତ କରି ଆଣିବା ହିଁ ସେମାନଙ୍କୁ ଏହିସବୁ କାର୍ଯ୍ୟ ଭିତରେ ପ୍ରବିଷ୍ଟ କରାଇବାର ମୁଖ୍ୟ ଅଭିପ୍ରାୟ ଥିଲା । ଏଥିରୁ ସେମାନେ ସୃଜନଶୀଳତାର ଆନନ୍ଦ ଲାଭ କରିବେ, ଭବିଷ୍ୟତରେ କାମରେ ଲାଗି ପାରିବା ଭଳି ଅଧିକରୁ ଅଧିକ ସାମର୍ଥ୍ୟ ଓ କୌଶଳ ହାସଲ କରି ପାରିବେ । ମୁଁ ସେମାନଙ୍କୁ ଯାହାସବୁ କରି ଦେଖାଉଥିଲି, ସେଥିରେ ସେମାନଙ୍କ ଆଗ୍ରହ ଜନ୍ମାଇବାକୁ ଚେଷ୍ଟା କରୁଥିଲି । କାଠ ଓ ଧାତୁର କାମଗୁଡ଼ିକୁ କରିବା ଲାଗି ଯନ୍ତ୍ରପାତିଗୁଡ଼ିକୁ କିପରି ବ୍ୟବହାର କରିବାକୁ ହୁଏ, ସେମାନଙ୍କୁ ଦେଖାଇ ଦେଉଥିଲି । ଜଣେ ଶିକ୍ଷକର କୌଶଳକୁ ଏକ ଅଗ୍ନିକଣା ସହିତ ତୁଳନା କରାଯାଇ ପାରିବ, ଯାହାକି ପିଲାମାନଙ୍କର ପ୍ରବୃତ୍ତିର ଅଗ୍ନିକୁ ପ୍ରଜ୍ଜ୍ୱଳିତ କରେ ଓ ସେମାନଙ୍କୁ ପ୍ରେରିତ କରିଆଣେ । ପିଲାମାନଙ୍କର ଆଖି ସମ୍ମୁଖରେ କାଠରେ ଗୋଟିଏ କଣ୍ଢେଇର ଶୋଇବା ଖଟ ତିଆରି କରିବାରୁ ହିଁ ମୁଁ ସେମାନଙ୍କ ଲାଗି ୱାର୍କଶପ୍‍ର କାମକୁ ଆରମ୍ଭ କରିଥିଲି । ବନି ଆସୁଥିବା ସାନ ପଦାର୍ଥଟି ଅଧିକରୁ ଅଧିକ ପରିମାଣରେ ଗୋଟିଏ ପ୍ରକୃତ ଖଟ ପରି ଦିଶି ଆସୁଥିବା ସଙ୍ଗେ ସଙ୍ଗେ ପିଲାମାନଙ୍କ ଆଖିଗୁଡ଼ିକ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା । ପିଲାମାନେ ସେହି କାର୍ଯ୍ୟରେ ଯୋଗଦେବା ପାଇଁ ମୁଖର ହୋଇ ଉଠିଥିଲେ । ଅନେକ ସଙ୍ଗେ ସଙ୍ଗେ ମୋତେ ସେହି ଜାଗାରେ ସାହାଯ୍ୟ କରିବାକୁ ବାହାରି ଆସିଥିଲେ: କାଚକାଗଜ ଦେଇ କାଠକୁ ପାଲିଶ୍ କଲେ । ମୁଁ ବିଜୁଳି ବିଭାଗକୁ ବାହାରିବା ବେଳକୁ ମୋ’ ସାଙ୍ଗକୁ କେତେ ସାହାଯ୍ୟକାରୀ ଓ ପ୍ରକୃତ ସହକର୍ମୀ ଆସି ଜୁଟି ଯାଇଥିଲେ । ୟୁରା, ଭିଟ୍ୟା ଓ ମିଶା ଖୁବ୍ ଅଳ୍ପ ସମୟରେ ହତିଆରଗୁଡ଼ିକୁ ବ୍ୟବହାର କରି ଶିଖିଗଲେ । ଏବଂ ତେଣୁ, ଆମେ ଏକାସମୟରେ ଏକାଧିକ ମଡେଲ୍‍ ତିଆରି କରିବା ଆରମ୍ଭ କରି ଦେଇଥିଲୁ ।

 

ଏଠାରେ ଟିକିଏ ଅନ୍ୟକଥା ପକାଇବାର ପ୍ରୟୋଜନ ହେବ । ପିଲାମାନଙ୍କର ଯାବତୀୟ ପ୍ରତିଭା ଓ ବୁଦ୍ଧିମତ୍ତାର ଉତ୍ସ ସେମାନଙ୍କର ଆଙ୍ଗୁଠି ଅଗରେ ହିଁ ରହିଥାଏ । କିଞ୍ଚିତ୍ ଅଳଙ୍କାର ଲଗାଇ କହିଲେ, ଆଙ୍ଗୁଠିଗୁଡ଼ିକରୁ ହିଁ ସର୍ଜନାତ୍ମକ ଯାବତୀୟ ଭାବନାକୁ ପୁଷ୍ଟ କରୁଥିବା ସାନ ଝରଣାଗୁଡ଼ିକ ବହି ଆସୁଥାନ୍ତି । ପିଲାମାନଙ୍କର ଅଙ୍ଗୁଳିଗୁଡ଼ିକ ଯେତିକି ଅଧିକ ପରିମାଣରେ ନିଶ୍ଚିତ ଏବଂ କୁଶଳ ହୁଅନ୍ତି, ସେମାନଙ୍କର ହାତ ଏବଂ ଶ୍ରମର ଯେକୌଣସି ଏକ ସାଧନ ମଧ୍ୟରେ ପାରସ୍ପରିକ କ୍ରିୟାଶୀଳତା ସେତିକି ଅଧିକ ନିପୁଣ ହେଉଥାନ୍ତି, ଏବଂ ସେହି ପାରସ୍ପରିକ କ୍ରିୟା ଲାଗି ଆବଶ୍ୟକ ବେଗଗୁଡ଼ିକ ଯେତିକି ଜଟିଳ ହୁଅନ୍ତି, ପିଲାର ବୁଦ୍ଧି ମଧ୍ୟରେ ରହିଥିବା ସର୍ଜନାତ୍ମକ ଉପାଦାନଗୁଡ଼ିକ ମଧ୍ୟ ସେତିକି ସ୍ପଷ୍ଟ ହୋଇ ଆସନ୍ତି । ପିଲାର ହାତ, ସ୍ୱଭାବ ଏବଂ ସାମୂହିକ ଶ୍ରମରେ ହେଉଥିବା ପାରସ୍ପରିକ କ୍ରିୟାଟି ଯେତିକି ଅଧିକ ଗଭୀର ଭାବରେ ତା’ ଅନ୍ତର୍ଗତ ଜୀବନରେ ପ୍ରବେଶ କରିବାକୁ ସମର୍ଥ ହୁଏ, ସିଏ ସେତିକି ଏକାଗ୍ର ହୋଇଆସେ, ମନଯୋଗୀ ଓ ସଜାଗ ହୁଏ ଏବଂ ସେତିକି ଟିକିନିଖି ଭାବରେ ଅନୁସନ୍ଧାନ ବି କରିପାରେ ।

 

ଅନ୍ୟ ଭାଷାରେ କହିଲେ, ପିଲାର ହାତଦୁଇଟି ଯେତିକି କର୍ମକୁଶଳ ହୁଅନ୍ତି, ତା’ର ପ୍ରତିଭା ମଧ୍ୟ ସେତିକି ଅଧିକ ପ୍ରଖର ହୋଇଥାଏ । କୌଣସି ପ୍ରକାରର ସହଜାତ ପ୍ରବୃତ୍ତିଦ୍ୱାରା କୌଶଳ ଆଦୌ ହାସଲ ହୁଏ ନାହିଁ । ତାହା ପିଲାର ବୌଦ୍ଧିକ ତଥା ଦୈହିକ ଶକ୍ତି ଉପରେ ନିର୍ଭର କରୁଥାଏ । କୌଶଳ ପରିପୂର୍ଣ୍ଣତର ହୋଇ ଆସିବା ସଙ୍ଗେ ସଙ୍ଗେ ମାନସିକ ଶକ୍ତି ମଧ୍ୟ ଅଧିକ ବଳଯୁକ୍ତ ହୁଏ, ମାତ୍ର କୌଶଳ ବୁଦ୍ଧି ଠାରୁ ହିଁ ବଳ ପାଉଥାଏ । ପିଲାମାନେ ନିଜ ହାତକୁ କାମରେ ଲଗାଇ ସେମାନଙ୍କର ଚାରିପାଖରେ ରହିଥିବା ସାଧନଗୁଡ଼ିକୁ ବ୍ୟବହାର କରି ପାରିପାର୍ଶ୍ୱିକ ପୃଥିବୀକୁ ଜାଣନ୍ତୁ ବୋଲି ମୁଁ ଇଚ୍ଛା କରୁଥିଲି ଓ ସେଥିପାଇଁ ଚେଷ୍ଟା ମଧ୍ୟ କରୁଥିଲି । କେବଳ ଆଖିଦ୍ୱାରା ନୁହେଁ, ନିଜର ହାତଗୁଡ଼ିକ ଦ୍ୱାରା ମଧ୍ୟ ପିଲା ଦେଖି ପାରୁଥିବ; କେବଳ ପ୍ରଶ୍ନଗୁଡ଼ିକ ଦ୍ୱାରା ନୁହେଁ, ଶ୍ରମର ମାଧ୍ୟମରେ ମଧ୍ୟ ସେ ନିଜର କୌତୂହଳଟିକୁ ପ୍ରକାଶ କରି ପାରୁଥିବ ଓ ତାହାର ବିକାଶ କରୁଥିବ ।

 

‘ଆନନ୍ଦ-ପାଠଶାଳା’ର ପ୍ରଥମ ଦିନଗୁଡ଼ିକରୁ ହିଁ ମୋ’ ପିଲାମାନେ ଗୋଟିଏ ବନସ୍ପତି-ସଂଗ୍ରହାଳୟ ତିଆରି କରିଥିଲେ ଏବଂ ବିଭିନ୍ନ ପ୍ରକାରର ମଞ୍ଜି ଓ ବିଭିନ୍ନ ପ୍ରକାରର କାଠର କିସମ ସଂଗ୍ରହ କରି ରଖିଥିଲେ । ଖାଲି ପର୍ଯ୍ୟବେକ୍ଷଣ ଦ୍ୱାରା ନୁହେଁ, ହାତୁଡ଼ି, କଇଁଚି, ଛୁରୀ ପ୍ରଭୃତି ସହଜ ଉପକରଣ ଗୁଡ଼ିକର ସାହାଯ୍ୟରେ ନିଜ ହାତଗୁଡ଼ିକର କାର୍ଯ୍ୟାବଳୀ ଦ୍ୱାରା ହିଁ ସେମାନେ ଜଡ଼ବସ୍ତୁର ଧର୍ମଗୁଡ଼ିକ ବିଷୟରେ ଅଧ୍ୟୟନ କରିଥିଲେ । ଉପକରଣଗୁଡ଼ିକୁ ସେମାନେ ବିଭିନ୍ନ ଧାତୁର କ୍ଷେତ୍ରରେ ବ୍ୟବହାର କରିପାରୁଥିଲେ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପିଲାମାନେ ସାନ ସାନ ଛୁରୀରେ କାମ କରି ଶିଖିଲେ । ବିଭିନ୍ନ ପ୍ରକାରର ଗଛରୁ କାଠ କାଟି ଆଣି ପାରୁଥିଲେ, ସେଗୁଡ଼ିକୁ ପାଲିଶ୍ କରୁଥିଲେ; ଅଠାରେ ଯୋଡ଼ି ପାରୁଥିଲେ ବା ଫର୍ଦ୍ଦ ଫର୍ଦ୍ଦ କରି ସିଲେଇ କରିପାରୁଥିଲେ । ସେମାନଙ୍କର କଠିନତା ତଥା ଅନ୍ୟାନ୍ୟ ଗୁଣକୁ ତୁଳନା ମଧ୍ୟ କରୁଥିଲେ । କେତେକ ଗଛରୁ ବାହାରୁଥିବା ସିଠା ଦେଇ ସେମାନେ ଅକ୍ଷର ତିଆରି କରୁଥିଲେ, କେତେ କେତେ ପଶୁପକ୍ଷୀଙ୍କର ଆକୃତି ମଧ୍ୟ ଗଢ଼ି ପକାଉଥିଲେ । ସବୁ ପିଲା ନିଜ ପାଇଁ ଏହିପରି ‘କାଠର ବର୍ଣ୍ଣମାଳା’ ତିଆରି କରି ନେଇଥିଲେ । ଆମ ଗାଆଁ ପାଖରେ ଗୋଟିଏ ପଥର ଗୁମ୍ଫା ଥିଲା । ଆମେ ଅନେକ ସମୟରେ ସେଠାକୁ ଯାଇ ପଥରର ଭିନ୍ନ ଭିନ୍ନ ନମୁନା ସଂଗ୍ରହ କରୁଥିଲୁ । ଆପଣାର ସାନ ହାତୁଡ଼ି ଦେଇ ପିଲାମାନେ ଅଭ୍ରର ଖଣ୍ଡମାନ ବାହାର କରି ଆସୁଥିଲେ ଏବଂ ବିଭିନ୍ନ ରଙ୍ଗର ପଥରକୁ ଏକାଠି ସଜାଇ ଗୋଟିଏ ସଂଗ୍ରହ ସମ୍ଭବ କରିଥିଲେ । କାଦୁଅରୁ ମିଛିମିଛିକା ଇଟା ଗଢ଼ୁଥିଲେ, ସେଗୁଡ଼ିକୁ ଖରାରେ ଦେଇ ଶୁଖାଉଥିଲେ ଓ ସେଥିରୁ ସାନ ମଡେଲ୍‍ ଗୃହମାନ ନିର୍ମାଣ କରୁଥିଲେ । ଖରାଦିନେ ଫସଲ ଅମଳ ସମୟରେ ଆମେ ମାଣ୍ଡିଆ ଓ ଗହମ କୁଟାକୁ କାଟି ସମାନ ଲମ୍ବର ରିବନ୍ ତିଆରି କରୁଥିଲୁ ଓ ସେଥିରୁ ଟୋପିସବୁ ବୁଣି ପାରୁଥିଲୁ ।

 

ଏହାଦ୍ୱାରା ପିଲାମାନଙ୍କୁ ମୋଟେ ଶିଳ୍ପକ୍ଷେତ୍ରର ନିର୍ମାଣକାର୍ଯ୍ୟଗୁଡ଼ିକ ପାଇଁ ତିଆରି କରା ଯାଉନଥିଲା । ସେମାନଙ୍କ ହାତର କର୍ମକୁଶଳତାର ବିକାଶ ଘଟାଇ ମୁଁ ସେମାନଙ୍କର ବୁଦ୍ଧିଶକ୍ତିକୁ ବିକାଶ କରାଇ ଆଣୁଥିଲି । ଆମେ ବିଜୁଳିଶକ୍ତିର ମଡେଲ୍‍ ଷ୍ଟେସନ୍‍ଟିକୁ ତିଆରି କରିସାରିବା ପରେ ପିଲାମାନେ ପବନଚକରେ ଧାତୁବଦଳରେ କାଠପଟା ଲଗାଇବାକୁ ପ୍ରସ୍ତାବ ଦେଲେ । ସେରୋଝ୍ୟା କହିଲା, “ପଟା କାଢ଼ିବା ପାଇଁ କାଠ ଟାଣ ହୋଇଥିବା ଉଚିତ, ହାଲୁକା ବି ହୋଇଥିବା ଉଚିତ, ଯେପରିକି ସେଗୁଡ଼ିକ ପବନରେ ଘୁରି ପାରୁଥିବ ।

 

ପ୍ରାଥମିକ ବିଦ୍ୟାଳୟର ଚାରୋଟି ବର୍ଷ ଭିତରେ ପିଲାମାନେ ବିଭିନ୍ନ ପ୍ରକାରର ପ୍ରାୟ ତିରିଶଟିରୁ ଅଧିକ ମଡେଲ୍‍ ତିଆରି କରିଥିଲେ । ପ୍ରତ୍ୟେକ ବର୍ଷ ହିଁ ସେମାନଙ୍କର ବ୍ୟକ୍ତିଗତ ଆଗ୍ରହଗୁଡ଼ିକ ପ୍ରକଟ ହେବାରେ ଲାଗିଥିଲା । ଶୂରା, ଭିଟ୍ୟା, ମିଶା, ସେରୋଝା ଓ ୟୁରାଙ୍କୁ କ୍ରମେ ମେସିନ୍ ଓ ମେସିନ୍‌ର କାର୍ଯ୍ୟଗୁଡ଼ିକ ଭଲ ଲାଗିଲା । ସେମାନେ ବର୍ତ୍ତମାନ ଘଣ୍ଟା ଘଣ୍ଟା ଧରି ଲଗାତର କାମ କରି ପାରିଲେ ଏବଂ ସେମାନଙ୍କର ଅଜାଣତରେ ସମୟ ବହି ଯିବାରେ ଲାଗିଲା । ବେଳେ ବେଳେ ସେମାନଙ୍କୁ ଘରକୁ ଯାଆ ବୋଲି କହି ତଡ଼ିବାଟା ମଧ୍ୟ କଷ୍ଟକର ହୋଇପଡ଼ିଲା । ସେମାନଙ୍କର ଏହି ସବୁ କାର୍ଯ୍ୟକଳାପ ଦେଖି, ସେମାନେ ଆନନ୍ଦ-ପାଠଶାଳା ବେଳରୁ ହିଁ କିପରି ପ୍ରଥମ ଶ୍ରେଣୀରେ କାଠର ଅକ୍ଷରମାନ ତିଆରି କରିଥିଲେ, ମୋ’ର ସେକଥା ମନେ ପଡ଼ିଗଲା । ସେତେବେଳେ ସେହି ସବୁ ପିଲାବେଳିଆ ଆଗ୍ରହରେ ସେମାନଙ୍କର ଭବିଷ୍ୟତର ଧନ୍ଦା ବିଷୟରେ କିଛି ଧାରଣା ନିତାନ୍ତ ନିର୍ବୋଧତା ହୋଇଥାନ୍ତା । ଅଭିଜ୍ଞତା କହୁଛି ଯେ ଆମେ ଶିଖୁଥିବା କୌଶଳଟି ମଧ୍ୟ କେତେ ଜଟିଳ ଭାବରେ ପରିବର୍ତ୍ତିତ ହେଉଥାଏ । ପିଲାବେଳେ ଜଣେ ମନୁଷ୍ୟ ଯାହା ହେବ ବୋଲି ସ୍ୱପ୍ନ ଦେଖିଥିଲା, ଖୁବ୍ କ୍ୱଚିତ୍ ହିଁ ବଡ଼ ହୋଇ ସିଏ ପ୍ରକୃତରେ ତାହା ହୋଇଥାଏ ।

 

ଶାରୀରିକ ଶ୍ରମର ବୌଦ୍ଧିକ ଶିକ୍ଷା ସହିତ ନିବିଡ଼ ସମ୍ପର୍କ ରହିଛି । ହସ୍ତକୌଶଳକୁ ଏକ ଜିଜ୍ଞାସୁ ମନ, ତୀକ୍ଷ୍ଣ ବୁଦ୍ଧିମତ୍ତା ଏବଂ ସୃଜନଶୀଳ କଳ୍ପନାର ଏକ ଭୈାତିକ ପରିପ୍ରକାଶ ବୋଲି କୁହାଯିବ । ତେଣୁ, ଗୋଟିଏ ପିଲା ଯାହା କିଛିର ନକ୍ସାଟିଏ ତିଆରି କରୁଛି, ତାହାକୁ ସିଏ ହାତଦ୍ୱାରା ତିଆରି କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।

 

ଚତୁର୍ଥ ଶ୍ରେଣୀରେ ପିଲାମାନେ ସେମାନଙ୍କର ନିଜ ହତିଆରଗୁଡ଼ିକୁ ତିଆରି କରିପାରିଲେ । ତା’ବୋଲି ଯେ ପ୍ରଥମେ ଯେଉଁ ଛୁରୀଗୁଡ଼ିକ ଦେଇ କାଠରୁ ପରୀଗପରେ ଥିବା ପଶୁ ଓ ପ୍ରାଣୀମାନଙ୍କର ଆକୃତି ତିଆରି କରିଥିଲେ, ସେଗୁଡ଼ିକୁ ପାସୋରି ଦେଲେ, ସେକଥା ଆଦୌ ନୁହେଁ । ସେରୋଝା ଓ ମେଶା ଦୁଇଟି ମତ୍ସ୍ୟାଗାର ତିଆରି କଲେ, ଗୋଟିଏ ଶ୍ରେଣୀଗୃହ ପାଇଁ, ଅଉଗୋଟିଏ ପରୀଗପର ବଖରାଟି ପାଇଁ ।

 

ଆଉ ଗୋଟିଏ ଆଗ୍ରହୋଦ୍ଦୀପକ କାର୍ଯ୍ୟ ମଧ୍ୟ ପିଲାମାନଙ୍କୁ ଖୁବ୍ ଆନନ୍ଦ ଦେଉଥିଲା : ଆମେ ବିଜୁଳିଶକ୍ତିର ଗୋଟିଏ କ୍ଷୁଦ୍ର ଷ୍ଟେସନ୍ ତିଆରି କଲୁ ଓ ସେଥିରେ ଗୋଟିଏ କମ୍ବତ୍ସନ୍ ଇଞ୍ଜିନ୍ ଲାଗିଥିଲା । ସେଥିରେ ଯେଉଁ ବିଜୁଳି ଶକ୍ତି ପ୍ରବାହିତ ହେଉଥିଲା, ତାହା ପିଲାମାନଙ୍କ ପାଇଁ ନିରାପଦ ଥିଲା ।

 

ତୃତୀୟ ଏବଂ ଚତୁର୍ଥ ଶ୍ରେଣୀରେ ପିଲାମାନେ ସପ୍ତାହରେ ଦୁଇଘଣ୍ଟା ସମୟ ସେମାନେ ବିଶେଷ ଭଲ ପାଉଥିବା କାମ ପାଇଁ ଦେଉଥିଲେ । ସେମାନେ ‘ସାନ ସବୁଜ ଘର’, ୱାର୍କସପ୍, କାଚ ଉଦ୍ଭିଦ ଘର, ବା କର୍ମ-ଅଧ୍ୟୟନର କ୍ଷେତ୍ର ଯେଉଁଠାକୁ ଇଚ୍ଛା ହେଉଥିଲା, ସେଇଠାକୁ ଯାଉଥିଲେ । ଯେଉଁମାନେ ପସନ୍ଦ କରୁଥିଲେ, ସେମାନେ ମେଣ୍ଢାଛୁଆ ଓ ବାଛୁରୀମାନଙ୍କର କାମ କରିବାକୁ ଯାଉଥିଲେ । ଏହି ସମୟରେ ପ୍ରତ୍ୟେକ ପିଲା ତାକୁ ଭଲ ଲାଗୁଥିବା କାର୍ଯ୍ୟଟିକୁ କରୁଥିଲା । ମୁଁ ଏ ସପ୍ତାହରେ ଗୋଟିଏ ଜାଗାକୁ ଯାଉଥିଲି ତ ଆର ସପ୍ତାହରେ ଆଉ ଗୋଟିକୁ ଯାଉଥିଲି । ପ୍ରତ୍ୟେକ ଦଳରେ ଏପରି ପିଲା ରହୁଥିଲେ, ଯେଉଁମାନଙ୍କ ଭିତରେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟପ୍ରତି ବିଶେଷ ଆଗ୍ରହ ରହିଛି ବୋଲି ଜଣା ପଡ଼ି ଯାଉଥିଲା । ସେହିମାନେ ହିଁ କ୍ଷୁଦ୍ର ଦଳଗୁଡ଼ିକରେ ସଂଗଠକ ହୋଇ ରହୁଥିଲେ ଓ ଆପଣାର ଦୃଷ୍ଟାନ୍ତ ଦେଖାଇ ସାଙ୍ଗମାନଙ୍କୁ ପ୍ରେରଣା ଦେଉଥିଲେ । ୟୁରା ୱାର୍କସପ୍‌ର କାମରେ ନେତୃତ୍ୱ ନେଉଥିଲା । ଭାନ୍ୟା ଫଳବଗିଚାରେ ଓ ଭାରା କୃଷିଉଦ୍ୟାନରେ ରହୁଥିଲା । ସାଶା ପଶୁପାଳନ ବିଭାଗର ଦାୟିତ୍ୱରେ ଥିଲା । ଏହି ପିଲାମାନେ ଏତେ କଥା କରିପାରୁଛନ୍ତି ଓ ସେମାନଙ୍କର ଖେଳସାଥୀ ମାନଙ୍କର ତୁଳନାରେ ଏତେ ବେଶୀ ଜାଣିଛନ୍ତି, ଏକଥା ଦେଖି ମୁଁ କେତେ ଖୁସୀ ହେଉଥିଲି । ଅନ୍ୟ ପିଲାମାନେ ସେମାନଙ୍କର ଅନୁକରଣ କରୁଥିଲେ ଏବଂ ସମସ୍ତଙ୍କର କାର୍ଯ୍ୟଟି ସୃଜନାତ୍ମକ ସାମର୍ଥ୍ୟର ସତେଅବା ଏକ ପ୍ରତିଯୋଗିତା ଭଳି ବୋଧ ହେଉଥିଲା ।

 

ଶାରୀରିକ ତଥା ବୌଦ୍ଧିକ ଶକ୍ତିର ଏକ ଆନନ୍ଦମୟ କ୍ରୀଡ଼ା ରୂପେ ଏବଂ ଆତ୍ମସମ୍ମାନର ସମ୍ବଳନ ରୂପେ ଶ୍ରମ ମୋ’ର ଏହି ପିଲାମାନଙ୍କ ଜୀବନରେ ପ୍ରବେଶ କରି ପାରିଥିଲା । ନିଜ ଶୈଶବ ସମୟରେ ହିଁ ପ୍ରତ୍ୟେକ ବ୍ୟକ୍ତି ତା’ର ପ୍ରିୟ କାର୍ଯ୍ୟଟିର କ୍ଷେତ୍ରରେ ତାତ୍ପର୍ଯ୍ୟପୂର୍ଣ୍ଣ ସଫଳତା ହାସଲ କରି ସାରିଥିବା ଉଚିତ ଏବଂ ନିଜ ସୃଜନାତ୍ମକ ଶକ୍ତିଗୁଡ଼ିକର ଭୈାତିକ ଫଳଗୁଡ଼ିକୁ ଦେଖି ସାରିଥିବା ଉଚିତ । ଗୋଟିଏ ପିଲା ସକାଶେ ଯେତିକି ସମ୍ଭବ, ସିଏ ଭଲ ପାଉଥିବା କୌଣସି ଏକ କାର୍ଯ୍ୟରେ ସେତିକି ନିପୁଣତା ଲାଭ କରିପାରିଥିବା ଉଚିତ । ସ୍କୁଲ୍‌କୁ ଯାଉଥିବା ସମୟରେ ହିଁ ଉତ୍ତମ ତଥା ସୁନ୍ଦର ଭାବରେ କିଛି ନା କିଛି କରି ଦେଖାଇ ଦେବାକୁ ଶିକ୍ଷା କରିଥିବା ଉଚିତ । ନିଜକୁ ଭଲ ଲାଗୁଥିବା କୌଣସି ଉଦ୍ୟମରେ ସଫଳତା ହାସଲ କରି ଯେଉଁ ଗର୍ବର ଅନୁଭବ ହୁଏ, ତାହା ହିଁ ଆତ୍ମଜ୍ଞାନର ସର୍ବ ପ୍ରଥମ ଉତ୍ସ, ଗୋଟିଏ ପିଲାର ଆତ୍ମା ଭିତରେ ସୃଜନାତ୍ମକ ପ୍ରେରଣାର ପ୍ରଥମ ପ୍ରକାଶ । ଏବଂ, ଏହି ପ୍ରେରଣା, କିଛି ସମ୍ପନ୍ନ କରିଥିବାର ଆନନ୍ଦ ଓ ପୂର୍ଣ୍ଣବିକଶିତ ଶକ୍ତିର ଅନୁଭୂତି, –ଏଗୁଡ଼ିକ ବ୍ୟତୀତ କୌଣସି ବ୍ୟକ୍ତି ଯେ ଜୀବନରେ ପ୍ରକୃତରେ ଗୋଟିଏ ସ୍ଥାନ ପାଇଯିବ, ଏହାର ଆଦୌକୌଣସି ନିଶ୍ଚୟତା ନାହିଁ । ଶ୍ରମର ମାଧ୍ୟମରେ ନିଜର ବ୍ୟକ୍ତିତ୍ୱ ଏବଂ ମୈାଳିକତା ପ୍ରକାଶ ପାଉନଥିବା ଗୋଟିଏ ପିଲା ମଧ୍ୟ ଆମ ବିଦ୍ୟାଳୟରେ ନରହୁ, ମୁଁ ସେହି କଥା ଦେଖିବାକୁ ଚେଷ୍ଟା କରୁଥିଲି ।

 

ମୋ’ ପିଲାମାନଙ୍କର ସେହି ଶୈଶବକାଳକୁ ମନେ ପକାଇବା ସମୟରେ ମୁଁ ଉପରି ଉଜ୍ଜ୍ୱଳ ଆଖିଗୁଡ଼ିକୁ ଦେଖିବାକୁ ପାଏ, ଯେଉଁମାନେ କି ଗୋଟିଏ କାମକୁ ଉତ୍ତମ ରୂପେ କରିଛନ୍ତି ବୋଲି ଗର୍ବ ଅନୁଭବ କରୁଛନ୍ତି । ନିଜେ ତିଆରି କରିଥିବା ରେଡ଼ିଓ ଯନ୍ତ୍ରଟି ସହିତ ସେରୋଝା ଦିଶିଯାଏ । ସେଇଟିକୁ ସେ ଚତୁର୍ଥ ଶ୍ରେଣୀରେ ତିଆରି କରିଥିଲା : ସେଇଥିପାଇଁ ତିନିମାସ କାଳ କଠୋର ଅଧ୍ୟବସାୟ କରି ସିଏ ସଫଳତାର ଅପାର ଆନନ୍ଦ ଲାଭ କରିଥିଲା । ନିଜର ଫୁଲଭର୍ତ୍ତି ପୀଚ୍‍ ଗଛଟି ପାଖରେ ଫେଡ଼୍ୟା ଦିଶି ଦିଶି ଯାଏ । ଗୋଟିଏ ବଣକୋଳିର ଗଛ ଉପରେ ଏଇଟିକୁ ସେ କଲମ କରିଥିଲା ଏବଂ ସେଥିରେ କେବେ ଫୁଲ ଧରିବ ଓ ଫଳ ଧରିବ ବୋଲି ଅପେକ୍ଷା କରି ରହିଥିଲା । ପଶୁଗୁହାଳ ଭିତରୁ ଭାଲ୍ୟା କେଡ଼େ ଖୁସୀ ହୋଇ ମେଣ୍ଢାଛୁଆଟିକୁ ଆଣୁଥିବାର ଚିତ୍ରଟି ମଧ୍ୟ ଦିଶିଯାଏ । ଏହି ରୋଗିଣା, ବକଟେ ଛୁଆଟିର ଯତ୍ନ ନେଇ ସିଏ ତାକୁ ସୁସ୍ଥ ଓ ସବଳ କରି ଦେଇଥିଲା । ନିଜର ରକ୍ତରଙ୍ଗ ଗୋଲାପଗୁଡ଼ିକ ଆଡ଼କୁ ଅନାଇ ଟିନା ସୂର୍ଯ୍ୟ ଏବଂ ନୀଳ ଆକଶକୁ ଦାନ୍ତ ନିକୁଟୁଥିଲା । ସିଏ ବି ଦେଶୀ ଡାଳରେ ତିନୋଟି ଗୋଲାପ କଲମ କରିଥିଲା ଏବଂ ଗଛଗୁଡ଼ିକ ବଡ଼ ହୋଇ ଏକ ସୌନ୍ଦର୍ଯ୍ୟମୟ ପୁଷ୍ପହାସରେ ରୂପାନ୍ତରିତ ହୋଇଗଲେ । ଧୂସର ବର୍ଣ୍ଣର ଆଖିଥିବା ସେହି ସାଶାନାମକ ବାଳକଟି କଥା ଭାବିଲା ବେଳେ, ହାତରେ ଗୋଟିଏ ଗହମକେଣ୍ଡା ଧରି ଛିଡ଼ା ହୋଇଥିବା ପିଲାଟି ମୋ’ ଆଗରେ ଆସି ଉଭା ହୋଇଯାଏ । ଆମେ ହିସାବ କରି ଦେଖିଲୁ ଯେ, ମାତ୍ର ତିନି ବର୍ଗମିଟର ଜାଗାରେ ସିଏ ଯେତିକି ଓଜନର ଗହମ ଫଳାଉଥିଲା, ସେହି ଅନୁପାତରେ ଗୋଟିଏ ହେକ୍ଟେୟାରରେ ଅଶୀ ସେଣ୍ଟ୍‍ନର୍ ଗହମ ଫଳିଥାନ୍ତା । ....ସ୍କୁଲ୍ କୂଅର ଅନତିଦୂରରେ ଗୋଟିଏ ଆପଲ୍ ଗଛ ବହୁ ଡାଳପତ୍ର ମେଲି ଛିଡ଼ା ହୋଇଛି । ସବୁ ବର୍ଷ ସେଥିରେ ଫୁଲ ଫୁଟିଲେ ମୁଁ ସେହି ଗୋଲାପୀ ଫୁଲର ଅନନ୍ୟ ଶୋଭାରେ ସମ୍ମୋହିତ ହୋଇପଡ଼େ ଏବଂ ମୋତେ ଲାଗେ, କହରା ରଙ୍ଗର ବେଣୀଗୁଡ଼ିକୁ ହଲାଇ ଗୋଟିଏ କୁନି ଝିଅ ସେହି ଗଛଟି ପାଖକୁ ଦଉଡ଼ିଯାଇ କହୁଛି : “ଏଇଟି ମୋ’ ଆପଲ୍ ଗଛ !” ଏହି ଗଛଟିରେ ପ୍ରଥମ ଥର ଫୁଲ ଧରିବା ସମୟରେ କାଟ୍ୟା ଠିକ୍ ସେହିକଥା କହିଥିଲା । କୋଷ୍ଟ୍ୟାର କଥା ମନେ ପଡ଼ିଲେ ମୋତେ ଭାରି ଦୁଃଖ ଲାଗେ : ସିଏ ନିଜ ବାହୁ ଭିତରେ ସାନ ବାଛୁରୀଟିଏ ଧରିଥିଲା; ମାତ୍ର ଏତେ ଗେଲ ଓ ସ୍ନେହ ସତ୍ତ୍ୱେ ବାଛୁରୀଟି କୌଣସି ଅନୁସ୍ପନ୍ଦନ ଜଣାଉ ନଥିଲା, –ବାଛୁରୀଟିର ଦେହ ଭଲ ନଥିଲା ।

 

ଏହପରି ଭାବରେ ସବୁ ପିଲା ମନେ ପଡ଼ନ୍ତି । ମୁଁ ଦେଖେ, ପିଲାମାନେ କାମରେ ମଗ୍ନ ହୋଇ ରହିଛନ୍ତି । ମାତ୍ର ମୁଁ କେବେହେଲେ ଭାବେ ନାହିଁ ଯେ ଏହି ଆଗ୍ରହଟି ହିଁ ସେମାନଙ୍କର ଜୀବନପଥ ଗୁଡ଼ିକୁ କୌଣସି ପ୍ରକାରେ ନିର୍ଦ୍ଧାରିତ କରି ରଖିଥିଲା । ଜଣେ ପିଲା ଯଦି ଜୀବନ୍ତ ବସ୍ତୁଗୁଡ଼ିକର ଜଗତକୁ ଭଲ ପାଇ ବଡ଼ ହୋଇଥାଏ, ଯଦି ଫଳବଗିଚା କିମ୍ବା କ୍ଷେତ୍ରରେ ସିଏ କରିଥିବା କାମ ତାକୁ ଆନନ୍ଦ ଦେଇଥାଏ, ତାହାର ଅର୍ଥ ନୁହେଁ ଯେ ସିଏ ବଡ଼ ହୋଇ ଉଦ୍ୟାନରେ କାର୍ଯ୍ୟ କରିବ ଅଥବା କୃଷି ବିଜ୍ଞାନୀ ହେବ । ପ୍ରତିଭା, ସାମର୍ଥ୍ୟ ଏବଂ ପ୍ରବୃତ୍ତିଗୁଡ଼ିକୁ ଆମେ ଫୁଲ ଫୁଟିଥିବା ଗୋଲାପଗଛ ଗୁଡ଼ିକ ସହିତ ତୁଳନା କରିପାରିବା; ଆଗ ଗୋଟିଏ ଫୁଟେ ଓ ତା’ପରେ ଆଉ ଗୋଟିକରେ ପାଖୁଡ଼ା ମେଲିବା ଆରମ୍ଭ ହୁଏ । ପ୍ରତ୍ୟେକ ପିଲାଠାରେ ଏକାଧିକ ଆଗ୍ରହ ରହିଥାଏ, ତା’ ନହେଲେ ପିଲାର ଅନ୍ତର୍ଗତ ଜୀବନଟି ପ୍ରକୃତରେ ସମୃଦ୍ଧିମନ୍ତ ହୋଇପାରିବ ବୋଲି ଆଦୌ କଳ୍ପନା କରାଯାଇ ପାରିବ ନାହିଁ । ମାତ୍ର ଗୋଟିଏ କଥା ସବୁବେଳେ ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଥିଲା । ଗୋଟିଏ ପିଲା କୌଣସି ପ୍ରକାର ଶ୍ରମ କରି ନିଜେ ଅନୁଭବ କରିପାରିବା ଭଳି ସଫଳତା ହାସଲ କରିନଥିବା ପର୍ଯ୍ୟନ୍ତ ତାକୁ କେହି ଜଣେ ବ୍ୟକ୍ତି ବୋଲି କଦାପି ମନେ ରଖିବେ ନାହିଁ । ମାତ୍ର, ଆପଣାର କାର୍ଯ୍ୟଟିରୁ ଗଭୀର ବ୍ୟକ୍ତିଗତ ଆନନ୍ଦ ଲାଭ କରିବା ସଙ୍ଗେ ସଙ୍ଗେ ହିଁ ମନୁଷ୍ୟର ବ୍ୟକ୍ତିତ୍ୱ ଆବିର୍ଭୂତ ହୋଇ ଆସିଥାଏ ।

 

ଯେଉଁ କାର୍ଯ୍ୟରେ ମନୁଷ୍ୟ ପରିପୂର୍ଣ୍ଣତା ହାସଲ କରେ, ତାହା ଏକ ଶକ୍ତିଶାଳୀ ଶିକ୍ଷା ଲାଗି ନିମିତ୍ତ ହୋଇ କାର୍ଯ୍ୟ କରିଥାଏ । ଆପଣାକୁ ଜଣେ ସ୍ରଷ୍ଟାରୂପେ ଅନୁଭବ କରି ବ୍ୟକ୍ତି ଯେପରି ଅଛି ତା’ଠାରୁ ଅଧିକ ଭଲ ହେବାକୁ ଇଚ୍ଛା କରେ । ଶୈଶବକାଳରେ, କିଶୋର ଅବସ୍ଥା ଆସିବାର ଠିକ୍ ପୂର୍ବରୁ ଜଣେ ମନୁଷ୍ୟ ଯେ ଆପଣାର ସୃଜନାତ୍ମକ ଶକ୍ତି ଓ ସାମର୍ଥ୍ୟଗୁଡ଼ିକୁ ଉପଲବ୍ଧି କରେ, ଏହି କଥାଟିର ତାତ୍ପର୍ଯ୍ୟଟିକୁ କଦାପି ବଢ଼ାଇ କୁହାଯାଇ ପାରିବ ନାହିଁ । ବ୍ୟକ୍ତିତ୍ୱଟିଏ ତିଆରି ହେବାରେ ମୂଳଭୂତ କଥାଟି ହିଁ ସେହି ଉପଲବ୍ଧି ମଧ୍ୟରେ ନିହିତ ହୋଇ ରହିଥାଏ ।

 

ଆମେ ପୂର୍ବରୁ ଆଲୋଚନା କରିଥିବା ଶିକ୍ଷାଗତ ପ୍ରଭାବଗୁଡ଼ିକରେ ଏକ ସୁଷମତା ସମ୍ଭବ କରିବାର ସମସ୍ୟା ବିଷୟରେ ଗୋଟିଏ ଆବଶ୍ୟକ କଥା ଅବଶ୍ୟ କହି ରଖିବାକୁ ହେବ । ମନୁଷ୍ୟର ବ୍ୟକ୍ତିତ୍ୱ ଉପରେ ପ୍ରକୃତ ପ୍ରଭାବ ପକାଉଥିବା ଶ୍ରମ ସର୍ବଦା ଶିକ୍ଷାଗତ ଅନ୍ୟ ପ୍ରଭାବଗୁଡ଼ିକ ସହିତ ସଂଲଗ୍ନ ହୋଇ ରହିଥାଏ ଏବଂ, ସେହି ଅନ୍ୟ ଉପାଦାନ ଗୁଡ଼ିକ ଅନୁପସ୍ଥିତ ରହିଥିଲେ ଶ୍ରମ ମଧ୍ୟ ଏକ ଘୃଣା ଉଦ୍ରେକକାରୀ ବାଧ୍ୟତାରେ ପରିଣତ ହୋଇଯାଏ ଏବଂ ସେହି କ୍ଷେତ୍ରରେ ତାହା ମନ ଅଥବା ଆତ୍ମାକୁ ଆଦୌ କିଛି ପ୍ରଦାନ କରିପାରେ ନାହିଁ । ବ୍ୟକ୍ତିତ୍ୱ-ଅର୍ଜନର ସମସ୍ୟାଗୁଡ଼ିକୁ ଆଲୋଚନା କରିଥିବା ଆମର ମନୋବିଜ୍ଞାନ-ସମ୍ବନ୍ଧୀ ସେମିନାର ଶ୍ରମ ସହିତ ସେହି ଅନ୍ୟାନ୍ୟ ପ୍ରଭାବଗୁଡ଼ିକର ସୁଷମ ଉପସ୍ଥିତି ବିଷୟରେ ବିଶଦ ମନୋଯୋଗ ସହିତ ବିଚାର କରିଥିଲା । ବୌଦ୍ଧିକ ଶିକ୍ଷାରେ ହସ୍ତଦ୍ୱୟର ଭୂମିକା ବିଷୟରେ ପ୍ରସ୍ତୁତ ବିବରଣୀଟିର ଚର୍ଚ୍ଚା ହେବା ସମୟରେ ତାହା ପ୍ରଭୂତ ଆଗ୍ରହର ଉଦ୍ରେକ କରିଥିଲା । ଶ୍ରମ ଏବଂ ଅନ୍ୟାନ୍ୟ ଶିକ୍ଷାକ୍ଷେତ୍ରୀୟ ପ୍ରଭାବ ଭିତରେ ରହିଥିବା ପରସ୍ପର-ନିର୍ଭରଶୀଳତା ଓ ପାରସ୍ପରିକ ପ୍ରଭାବଶାଳିତାର ସମସ୍ୟାଟିକୁ ଆମ ଶିକ୍ଷକମାନେ ଏବେ ମଧ୍ୟ ଅଧ୍ୟୟନ କରିବାରେ ତତ୍ପର ରହିଛନ୍ତି ।

Image

 

ପିଲାମାନେ, ତୁମେମାନେ ହିଁ ତୁମ ଜନ୍ମଭୂମିର ଭବିଷ୍ୟତ ମାଲିକ

 

ପିଲାମାନେ ପ୍ରଥମ ଶ୍ରେଣୀରେ ଥିଲାବେଳେ ମୁଁ ମୋ’ର ପ୍ରଥମ ସାହାଯ୍ୟକାରୀ ହିସାବରେ ଷଷ୍ଠଶ୍ରେଣୀର ବାରବର୍ଷ ବୟସର ଓଲ୍ୟାକୁ ପାଇଥିଲି । ସେହି ଝିଅଟି ସାନ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲା ଏବଂ ନିଜେ ଇଚ୍ଛା କରି ଏହି ଦାୟିତ୍ୱଟିକୁ ଗ୍ରହଣ କରି ନେଇଥିଲା । (ଆମ ବିଦ୍ୟାଳୟରେ ଏହିସବୁ କାର୍ଯ୍ୟରେ କାହାକୁ ନିଯୁକ୍ତ କରାଯାଏ ନାହିଁ । ଯେଉଁମାନେ ସାନ ପିଲାମାନଙ୍କୁ ଭଲ ପାଆନ୍ତି ଓ ସେମାନଙ୍କ ସହିତ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ସେହିମାନେ ଏହି ଦାୟିତ୍ୱଟିକୁ ଗ୍ରହଣ କରନ୍ତି ।) ଓଲ୍ୟା ଆସି ମୋତେ ଅନେକ କାମରେ ସାହାଯ୍ୟ କଲା: ପିଲାମାନଙ୍କ ସାଙ୍ଗରେ ଖେଳିଲା, ସେମାନଙ୍କ ସହିତ ଜଙ୍ଗଲକୁ ଓ କ୍ଷେତ ଆଡ଼କୁ ବୁଲିଗଲା ଏବଂ ଦେଶକୁ ରକ୍ଷା କରିବାର ମହାନ୍ ଯୁଦ୍ଧରେ ଦେଶବାସୀଙ୍କର ବୀରତ୍ୱର କାହାଣୀମାନ ସେମାନଙ୍କୁ କହିଥିଲା ।

 

ସେହି ବୀରତ୍ୱର କାହାଣୀଗୁଡ଼ିକ ଏତେ ଚମତ୍କାର ଯେ, ଓଲ୍ୟା ସେଗୁଡ଼ିକୁ ଲେଖି ପକାଇଥିଲା । ଏହିପରି ଭାବରେ କ୍ରମେ ଗୋଟିଏ ହାତଲେଖା ପତ୍ରିକା ଆରମ୍ଭ ହୋଇଗଲା । ସେଥିରେ ଶହେରୁ ଅଧିକ ବୀରଙ୍କର କାହାଣୀ ସ୍ଥାନ ପାଇଲା । ବୀରମାନଙ୍କର ଫଟୋ ମଧ୍ୟ ଦିଆଯାଇଥିଲା । ବର୍ତ୍ତମାନ ସେଥିରେ ଛଅଶହରୁ ଅଧିକ କାହାଣୀ ରହିଛି । ନିଜର ଜନ୍ମଭୂମି ପ୍ରତି ପ୍ରେମ ଜାଗୃତ କରାଇ ଆଣିବାଲାଗି ତାହା ଏକ ଅମୂଲ୍ୟ ପୁସ୍ତକ ରୂପେ କାର୍ଯ୍ୟ କରୁଛି ।

 

କୌଣସି ପ୍ରକାରେ ବାଧ୍ୟ ହୋଇ ନୁହେଁ, ନିଜ ଭିତରୁ ଏକ ଆବଶ୍ୟକତା ଅନୁଭବ କରି ହିଁ ଓଲ୍ୟା ସର୍ବଦା ପିଲାମାନଙ୍କ ସହ ଯାଇ ମିଶୁଥିଲା । ଏହି ଆବଶ୍ୟକତାକୁ ମୁଁ ଏକ ଚମତ୍କାର ଗୁଣ ବୋଲି ବିଚାର କରିଥାଏ, –ମାନବିକତାର ଏକ ଗୁଣ ବୋଲି ଭାବେ । ଏହି ଗୁଣଟି ଯେଉଁମାନଙ୍କ ଠାରେ ରହିଛି, ସେହିମାନେ ହିଁ ଜଣେ ଜଣେ ଉତ୍ତମ ଶିକ୍ଷକ ହୋଇପାରିବେ ଏବଂ ନିଜର କାର୍ଯ୍ୟରୁ ଅପାର ଆନନ୍ଦ ଲାଭ କରିବେ । ମନୋଯୋଗ ସହକାରେ ବିଦ୍ୟାଳୟର ପିଲାମାନଙ୍କୁ ପରୀକ୍ଷା କରି ଦେଖ, ଏବଂ ତୁମେ ପୁଅ ଓ ଝିଅ ଏପରି ଅନେକଙ୍କୁ ଦେଖିବାକୁ ପାଇବ, ଯେଉଁମାନେ କି ନିଜଠାରୁ ଆହୁରି କୁନି ସାଙ୍ଗମାନଙ୍କ ଲାଗି କିଛି ନକରି ମୋଟେ ଘଡ଼ିଏ ହେଲେ ବି ବଞ୍ଚି ପାରିବେ ନାହିଁ । ପୁଅପିଲାମାନଙ୍କ ଭିତରେ ସେହି ପ୍ରୟୋଜନଟି ଅନେକ ସମୟରେ ଦୁଷ୍ଟାମି, ଗେଲ ଓ କୌଶଳ ରୂପେ ପ୍ରକାଶ ପାଇଥାଏ । ଗୋଟିଏ ଛୋଟ ପିଲା ନେତା ହେବାକୁ ଚେଷ୍ଟା କରୁଥିବ, ଅନ୍ୟ ସାଥୀମାନେ ତା’ରି କଥା ଅନୁସାରେ କାମ କରନ୍ତୁ ବୋଲି କହୁଥିବ, ମାତ୍ର ନିଜର ଶକ୍ତିଗୁଡ଼ିକୁ ଖାସ୍ କେଉଁଆଡ଼େ ପରିଚାଳିତ କରିବାକୁ ହେବ, ସେହି ବିଷୟରେ କିଛି ଜାଣି ନଥିବ । ଏହି ଉଜ୍ଜ୍ୱଳ ଶକ୍ତିଟିକୁ ଦବାଇ ନଦେବା ପାଇଁ ମୁଁ ଶିକ୍ଷକମାନଙ୍କୁ ପରାମର୍ଶ ଦେବି । ଦୁଷ୍ଟ, ଚଗଲା ପିଲାମାନଙ୍କ ମଧ୍ୟରେ ହିଁ ତୁମର ସମ୍ଭାବ୍ୟ ସାହାଯ୍ୟକାରୀମୀନେ ଲୁକ୍କାୟିତ ହୋଇ ରହିଥାନ୍ତି । ସେମାନଙ୍କର ଶକ୍ତିକୁ ଉଚିତ ଏକାଧିକ ଦିଗରେ ନିର୍ଦ୍ଦେଶିତ କରିଦେବାକୁ ତୁମପାଖରେ ସାମର୍ଥ୍ୟ ରହିଥିଲେ ହେଲା !

 

ଜନ୍ମଭୂମି ପ୍ରତି ପ୍ରୀତି ସବାଆଗ ଏହି ଭୂମିର ସୌନ୍ଦର୍ଯ୍ୟର ଗୁଣଗାନ କରିବାରୁ ଆରମ୍ଭ ହୋଇଥାଏ । ପିଲାଟିଏ ଯାହାକିଛି ଦେଖେ, ସେଗୁଡ଼ିକ ତା’ ଆତ୍ମାର ଏକ ଅଂଶ ହୋଇ ରହିଯାଏ । ଓଲ୍ୟା ଓ ମୁଁ ପିଲାମାନଙ୍କର ଆଖିଗୁଡ଼ିକୁ ସେମାନଙ୍କର ଜନ୍ମଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସେମାନଙ୍କର ଦେଶବାସୀ ଏହି ଏହି ଭୂମିରେ ଯାହା କିଛି ସୃଷ୍ଟି କରିଛନ୍ତି, ତାହାରି ଆଡ଼କୁ ଉନ୍ମୋଚିତ କରି ଦେଇଥିଲୁ । ଆମେ ତୃଣଭୂମି ଆଡ଼କୁ ଯାଇ କୌଣସି ଉଚ୍ଚ ଜାଗା ଦେଖି ବସୁଥିଲୁ-। ଆଖି ସାମନାରେ ବିସ୍ତୃତ ହୋଇ ରହିଥିବା କ୍ଷେତରେ ଗହମ ବୁଣା ହୋଇଥିଲା; ଫଳଗଛର ବଗିଚା ଓ ଲମ୍ବା ଲମ୍ବା ପପ୍ଲାର୍ ଗଛଗୁଡ଼ିକ କେଡ଼େ ସୁନ୍ଦର ଦେଖାଯାଉଥିଲେ ! ଆକାଶ ନୀଳ ହୋଇ ରହିଥିଲା ଓ ଚାତକ ଚଢ଼େଇମାନେ ଗୀତ ଗାଉଥିଲେ । ଏହି ସୁନ୍ଦର ଭୂମିଟିରେ ଆମର ପିତୃପିତାମହ ନିଜର ଜୀବନଟିକୁ ବଞ୍ଚିଛନ୍ତି, ଆମେ ମଧ୍ୟ ଏହି ଭୂମିଟିରେ ବଞ୍ଚିବାକୁ ଆସିଛି; ଏଇଠି ଆମର ସନ୍ତାନ ହେବେ, ଆମେ ବୁଢ଼ା ହେବା, ଏବଂ ଏଇଠି ହିଁ ମରିବା, –ଏହିଗୁଡ଼ିକ ଅନୁଭବ କରିବାଦ୍ୱାରା ନିଜର ଜନ୍ମଭୂମି ଲାଗି ଅଗାଧ ଶ୍ରଦ୍ଧା ଜାତ ହେଉଥିବ । ଆମ ନିଜ ଭୂମିଟି ଅପେକ୍ଷା ଆହୁରି ଅନେକ ଭୂମିରେ ପ୍ରକୃତି ଅଧିକ ସୁନ୍ଦର ଓ ପ୍ରାଚୁର୍ଯ୍ୟପୂର୍ଣ୍ଣ ହୋଇପାରେ, କିନ୍ତୁ ନିଜ ଭୂମିଟିର ସୌନ୍ଦର୍ଯ୍ୟ ହିଁ ପିଲାମାନଙ୍କ ନିମନ୍ତେ ସବୁଠାରୁ ଅଧିକ ପ୍ରିୟ ହୋଇ ରହିବ । ବସନ୍ତ କାଳରେ ଗଛମାନେ କିପରି ଧଳା ରଙ୍ଗରେ ଆବୃତ ହୋଇ ରହିଛନ୍ତି, ସୁନେଲି ଫୁଲଗୁଡ଼ିକ ଉପରେ ମହୁମାଛିମାନେ କିପରି ଉଡ଼ିବାରେ ଲାଗିଛନ୍ତି, ଆପଲମାନେ ପାଚୁଛନ୍ତି ଓ ଟମାଟୋ ଲାଲ୍ ହୋଇଯାଉଛି, –ପିଲାମାନେ ସେହି କଥାଗୁଡ଼ିକୁ କେବଳ ଦେଖିବେ ନାହିଁ, ଏଗୁଡ଼ିକୁ ସେମାନେ ନିଜ ନିଜ ଜୀବନର ଆନନ୍ଦ ଏବଂ ପୂର୍ଣ୍ଣତା ରୂପେ ପ୍ରକୃତରେ ଅନୁଭବ କରି ପାରୁଥିବେ-

 

ପ୍ରଥମ ଶରତର ଉଷୁମ ଦିନଗୁଡ଼ିକରେ ଆପଲ୍‍ଗଛର ଡାଳଗୁଡ଼ିକ ଫଳଭାରରେ ଆନତ ହୋଇ ରହିଥାନ୍ତି, ଅଙ୍ଗୁରପେନ୍ଥା ଗୁଡ଼ିକ ପାଚି ଆସୁଥାନ୍ତି, ସୁନେଲି ଗହମ ଫସଲର ଗଦାମାନ ମକଚା ହେବା ନିମନ୍ତେ ଅପେକ୍ଷା କରି ରହିଥାନ୍ତି ଏବଂ ରୂପେଲି ବୁଢ଼ିଆଣୀ ଜାଲମାନ ସ୍ୱଚ୍ଛ ବାୟୁରେ ଚିକିଚିକି ହୋଇ ଦୋହଲିବାରେ ଲାଗିଥାନ୍ତି । ଓଲ୍ୟା ଆଉ ମୁଁ ପିଲାମାନଙ୍କୁ ଗାଆଁର ସୀମାଆଡ଼େ ବୁଲାଇ ନେଇଗଲୁ । ସେଠାରେ ଉଚ୍ଚ ପର୍ବତଟିଏ ଛିଡ଼ା ହୋଇ ରହିଥାଏ, ସେଠାରୁ ଦୂରଆଡ଼କୁ ଅନାଇଲେ କେଡ଼େ ସୁନ୍ଦର ଦେଖା ଯାଉଥାଏ । ତରଭୁଜ-କିଆରୀର ନୀଳରଙ୍ଗର ତରଭୁଜମାନ ଏବଂ ଆହୁରି ଦୂରରେ ରହିଥିବା ଫଳବଗିଚାଟି ବି ଦୃଷ୍ଟିଗୋଚର ହେଉଥାଏ । ବଗିଚାଟି ସେପାଖକୁ ଡେଙ୍ଗା ଡେଙ୍ଗା ପପ୍‍ଲାର୍, –ତା’ପରେ ବିସ୍ତୃତ ତୃଣଭୂମି, ଶୀତଦିନିଆ ଗହମର କ୍ଷେତ ଓ ଏକାବେଳେକେ ଦିଗ୍‍ବଳୟ ଉପରେ ଦୂର ପର୍ବତମାନଙ୍କର ଘନନୀଳ ଆଭାସ । ପିଲାମାନେ ଏକ ଅନନ୍ୟ ଅନୁଭୂତି ମଧ୍ୟରେ ଡୁବି ରହିଥାନ୍ତି । ଦିଗନ୍ତ ପ୍ରସାରିତ ସେହି ସୌନ୍ଦର୍ଯ୍ୟ ଭିତରେ ସେମାନେ ନିଜ ସୁଖମୟ ଶୈଶବର ଏକ ଅଂଶକୁ ଅନୁଭବ କରୁଥାନ୍ତି । ସେମାନଙ୍କ ବାପାମାଆମାନେ ରାତିରେ ସେହି ଦୂର କ୍ଷେତଗୁଡ଼ିକରୁ ହିଁ ଘରକୁ ଫେରି ଆସୁଥିଲେ । ଆମେ ପାହାଡ଼ଟି ଉପରେ ବସିଥାଉ ଏବଂ ପିଲାମାନଙ୍କୁ ମୁଁ କାହାଣୀଟିଏ କହୁଥାଏ । ମନ୍ଦ ଉପରେ ଭଲର ବିଜୟ-କାହାଣୀଟି ଶୁଣି ପିଲାମାନେ ଖୁସୀ ହୋଇ ଯାଉଥାନ୍ତି ।

 

ଆମେ ସପ୍ତାହକ ପରେ ସେହି ପାହାଡ଼କୁ ପୁନର୍ବାର ଯାଇଥିଲୁ ଏବଂ ବର୍ତ୍ତମାନ ପ୍ରକୃତିର ସେହି ମନୋହର ଚିତ୍ରଟିରେ କିଛି ନୂଆ କଥା ଦେଖିବାକୁ ମିଳିଲା : ପ୍ରଥମ ଶରତର ରଙ୍ଗ ଚାରିଦିଗରେ ଛାଇ ହୋଇ ଯାଇଥିଲା, –ଆପଲ୍‍ଗଛ ଓ ପପ୍‍ଲାର୍‍ଗୁଡ଼ିକ ସୁନାରଙ୍ଗରେ ଗାଧୋଇଥିବା ପରି ଦିଶୁଥିଲେ, ସବୁଜ ଗହମକ୍ଷେତ ଆହୁରି ଅଧିକ ଉଜ୍ଜ୍ୱଳ ଦେଖା ଯାଉଥିଲା, ଆକାଶ ବି ଅଧିକ ନୀଳ ଦିଶୁଥିଲା । ଆମେ ପ୍ରତି ସପ୍ତାହରେ ସେଠାକୁ ଯାଉଥିଲୁ ଏବଂ ମନ୍ଦ ଉପରେ ଭଲର ବିଜୟର କାହାଣୀମାନ ଶୁଣିଥିଲୁ । ପ୍ରକୃତିର ଗୀତ ଶୁଣୁଥିଲୁ, ସ୍ୱଚ୍ଛ ବାୟୁର ସେବନ କରୁଥିଲୁ ଏବଂ, ବସନ୍ତଋତୁରେ ଏଠାକୁ ଆସିଲେ ଚାତକ ଚଢ଼େଇ ସହିତ ଆମର ଭେଟ ହେବ, ସେହି କଥାଟିର ସ୍ୱପ୍ନ ମଧ୍ୟ ଦେଖୁଥିଲୁ । କ୍ରମେ ସେହି ସ୍ଥାନଟି ପିଲାମାନଙ୍କର ଜୀବନରେ ଏକ ଅଂଶ ହୋଇ ରହିଗଲା, ସେମାନଙ୍କର ଅତୀବ ପ୍ରିୟ ହୋଇଗଲା ।

 

ସପ୍ତାହକ ପରେ ଆମେ ପୁଣି ସେହି ଢିପ ଥାନଟିକୁ ଯାଇଥିଲୁ । ସେହି ସ୍ଥାନଟି ସହିତ ମଧ୍ୟ ଜନ୍ମଭୂମି ପାଇଁ ପ୍ରାଣ ଦେଇଥିବା ଜଣେ ବୀରଙ୍କର ସ୍ମୃତି ଯୋଡ଼ା ହୋଇ ରହିଥିଲା । ସେହି ବୀର କିଏ, କେଉଁଠାରେ ଜନ୍ମ ହୋଇଥିଲେ, କେଉଁଠି ପାଠ ପଢ଼ିଥିଲେ ଓ ତାଙ୍କର ମାଆ କିଏ ଥିଲେ, ପିଲାମାନେ ଏହି ସବୁକିଛି ବିଷୟ ଜାଣିବାକୁ ଇଚ୍ଛା କରିଥିଲେ । ସେମାନେ ନିଜର ଭାବନାକୁ ବ୍ୟକ୍ତ କରିବା ସକାଶେ କିଛି କରିବେ ବୋଲି ମଧ୍ୟ ଚାହିଁଥିଲେ । ଗଛଗୁଡ଼ିକରୁ ପତ୍ର ଝରିପଡ଼ିବା ପରେ ଆମେ ଗୋଟିଏ ସାନ ଓକ୍‍ଗଛ ସେହି ସ୍ଥାନକୁ ଆଣିଲୁ । ଢିପଟି ଖାଲି ସବୁଜ ଦେଖାଯିବ ବୋଲି ଯେ ଆମେ ସେଠାରେ ସେଇଟିକୁ ଲଗାଇଲୁ ସେକଥା ନୁହେଁ, ଆମେ ଜଣେ ବୀରଙ୍କ ପାଇଁ ଏକ ଜୀବନ୍ତ ସ୍ମାରକର ସ୍ଥାପନା କରୁଥିଲୁ ।

 

ପିଲାମାନେ ଜାଣିଥିଲେ ଯେ, ସେହି ଢିପଟା ଉପରେ ଗଛଟିକୁ ବଢ଼ିପାରିବା ଲାଗି ବେଶ୍ କଷ୍ଟକର ହେବ, ମାତ୍ର ସେଥିଲାଗି ସେମାନେ ଆଦୌ ଭୟ କରୁନଥିଲେ । ଶୀତଋତୁରେ ଆମେ ଗଛଟିକୁ କାଲୁଆ ପବନରୁ ସୁରକ୍ଷିତ କରି ରଖିଲୁ, ତାହାକୁ ବରଫ ଦେଇ ଘୋଡ଼ାଇ ଦେଇଥିଲୁ । ଯେତେବେଳେ ବସନ୍ତଋତୁରେ ସେହି ଜାଗାଟି କଅଁଳିଆ ଘାସଦ୍ୱାରା ଆଚ୍ଛାଦିତ ହୋଇଗଲା, ସେତେବେଳେ ଗଛଟିରେ ପତ୍ରର ଗଜା ବାହାରି ଲାଣି କି ନାହିଁ ଦେଖିବାପାଇଁ ପିଲାମାନେ ସେଠାକୁ ନିତି ଦଉଡ଼ି ଯାଉଥିଲେ । ସେମାନେ କେବଳ ଗୋଟିଏ ଗଛର ଯତ୍ନ ନେଉନଥିଲେ, ସେମାନେ ଜଣେ ବୀରଙ୍କୁ ହିଁ ଭେଟିବାପରି ଅନୁଭବ କରୁଥିଲେ । ଗଛରେ ସବୁଜ ପତ୍ର ବାହାରିଲା । ଯେଉଁଦିନ ସେହି ବୀର ସେଠାରେ ପ୍ରାଣବଳି ଦେଇଥିଲେ, ପିଲାମାନେ ସେହି ଦିନଟିକୁ ପ୍ରତି ବର୍ଷ ପାଳିବାକୁ ଆରମ୍ଭ କଲେ । ସେଦିନ ବଡ଼ିସକାଳୁ ସ୍କୁଲ୍‌କୁ ଆସି ପହଞ୍ଚି ଯାଉଥିଲେ, ସାଙ୍ଗରେ ଫୁଲ ଆଣୁଥିଲେ ଏବଂ ଗୋଟିଏ ହାର ଗୁନ୍ଥି ସେଠାରେ ରଖି ଦେଉଥିଲେ । ପିଲାମାନଙ୍କୁ ସଚେତନ କରି ଦେଇ ମୁଁ କହିଥିଲି, “ପୂର୍ବପୁରୁଷମାନେ ଯେଉଁ ଭୂମିର ରକ୍ଷା କରିବା ପାଇଁ ନିଜର ରକ୍ତ ଦେଇଛନ୍ତି, ସେହି ଭୂମି ତୁମମାନଙ୍କର । ଏହି ଭୂମିକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ତୁମମାନଙ୍କର ଦାୟିତ୍ୱ ।”

 

ଢିପ ଉପରର ସେହି ଗଛଟି ଅଧିକରୁ ଅଧିକ ଡେଙ୍ଗା ହୋଇ ଯାଉଥାଏ । ଏହିପରି ଦଶନ୍ଧି ପରେ ଦଶନ୍ଧି ଅତିକ୍ରାନ୍ତ ହୋଇଯିବ, ଯୁଦ୍ଧରେ ଲଢ଼ିଥିବା ମନୁଷ୍ୟମାନେ ଚାଲିଯିବେ ଏବଂ ପରବର୍ତ୍ତୀ ପୁରୁଷମାନେ ସେମାନଙ୍କର ବୀରୋଚିତ କାର୍ଯ୍ୟଗୁଡ଼ିକ ସ୍ମରଣ କରିବାରେ ଲାଗିଥିବେ । ଯୁଦ୍ଧ ପୂର୍ବରୁ ଆମର ଏହି ଗାଆଁରେ ୫୧୦୦ ଜଣ ଲୋକ ବାସ କରୁଥିଲେ । ଜନ୍ମଭୂମିକୁ ରକ୍ଷା କରିବାର ମହାନ୍‍ ସମରରେ ସେଥିରୁ ୭୮୫ ଜଣ ପୁରୁଷ ଓ ୫୨ ଜଣ ସ୍ତ୍ରୀ, –ମୋଟ ୮୩୭ ଜଣ ବ୍ୟକ୍ତି ବୀର ପରି ଜୀବନ ଦେଇଥିଲେ । ଆହୁରି ୬୯ ଜଣ ଶତ୍ରୁର ବନ୍ଦୀଶାଳା ମାନଙ୍କରେ ମରିଥିଲେ । ସେମାନଙ୍କ ଉପରେ କେତେ ଅତ୍ୟାଚାର କରା ଯାଇଥିଲା; କାହାକୁ ହତ୍ୟା କରାଗଲା ଓ କାହାକୁ ପୋଡ଼ି ମାରି ଦିଆଗଲା ।

 

ଓଲ୍ୟା ଆମ ପିଲାମାନଙ୍କୁ ଜଙ୍ଗଲକୁ ସୁରକ୍ଷିତ କରି ରଖିବାର କାର୍ଯ୍ୟରେ ସାହାଯ୍ୟ କରି ଶିଖାଇଲା । ଦିନେ ଜଙ୍ଗଲ ଭିତରେ ପଦଚାରଣା କରୁ କରୁ ପିଲାମାନେ ଦେଖିଲେ ଯେ କେତକ ଗଛର ବକଳ ଦେହରୁ ଗୋଲ କରି ଅରାଏ କାଟି ନିଆଯାଇଛି । ଖୁବ୍ ସ୍ପଷ୍ଟ ହୋଇଯାଉଥିଲା ଯେ, କେହି ଜଣେ ବ୍ୟକ୍ତି ଏହି ଗଛଗୁଡ଼ିକ ମରିଯାଆନ୍ତୁ ବୋଲି ଇଚ୍ଛା କରିଥିଲା । କାରଣ, ତା’ହେଲେ ସେଗୁଡ଼ିକ କାଟି ନେବା ପାଇଁ ଗୋଟିଏ ବାହାନା ମିଳିଯିବ । ଯଦି ଗଛମାନେ ମରି ସାରିଲେଣି, ତେବେ ସେଗୁଡ଼ିକ ଆଉ କାହିଁକି ରହିବେ ? ଏକଥା ଦେଖି ପିଲାମାନେ ଭାରି ବ୍ୟସ୍ତ ହୋଇ ପଡ଼ିଲେ । ଓ ଏପରି କିପରି ଘଟିଲା ବୋଲି ଭାବିବାକୁ ଲାଗିଲେ । ଆମେ ଗଛ ଲଗାଇବା, ବଢ଼ାଇବା–ଓ ଆଉ କିଏ ଆସି ସେଗୁଡ଼ିକୁ ନଷ୍ଟ କରିଦେଉଥିବ; କୋଉ ଲୋକଟି ଏପରି କଲା ବୋଲି ସେମାନେ ଅବଶ୍ୟ ବାହାର କରିବେ ।

 

ସେହିଦିନ ଠାରୁ ସେମାନେ ଅତର୍କିତ ଭାବରେ ଜଙ୍ଗଲର ତନଖି କରିବାକୁ ଲାଗିଲେ । ସନ୍ଧ୍ୟାବେଳେ ସେଠାକୁ ଯାଇ ଅପରାଧୀମାନଙ୍କ ପାଇଁ ଅପେକ୍ଷା କରୁଥିଲେ । କିଛିଦିନ ପରେ ସେମାନେ ସିଧା ଧରା ପଡ଼ିଲେ । ଦୁଇଜଣ ଚାଷୀ କୁରାଢ଼ି ଧରି ଗଛଗୁଡ଼ିକୁ କାଟିବା ପାଇଁ ଆସିଥିଲେ । ଗଛଗୁଡ଼ିକୁ ନଷ୍ଟ କରି ଦେଉଥିବା ଏହି ଲୋକମାନଙ୍କ ବିଷୟରେ ସେମାନେ କୋଠଚାଷର କର୍ମଚାରୀମାନଙ୍କୁ କହିଦେଲେ । ନଷ୍ଟ କରିଥିବା ଗୋଟିଏ ଗଛ ବଦଳରେ ଅପରାଧୀମାନଙ୍କୁ ଦଶଟି ଲେଖାଏଁ ଗଛ ଲଗାଇବାକୁ ବାଧ୍ୟ କରାଗଲା । ପିଲାଏ ଖୁବ୍ ଖୁସୀ ହୋଇଯାଇଥିଲେ : ନ୍ୟାୟର ହିଁ ବିଜୟ ହେଲା । ଅତର୍କିତ ଭାବରେ ଜଙ୍ଗଲକୁ ଯାଉଥିବା ବେଳେ ଥରେ ପିଲାମାନେ ଦେଖିଲେ ଯେ, କେତେକ କୃଷକଙ୍କର ହତା ଭିତରେ ଅନାବାଦୀ ବହୁତ ଗଛ ବଢ଼ି ଅରମା କରି ରଖିଛି । ପିଲାମାନେ କେତୋଟି ଆପଲ୍‌ ଚାରାଗଛ ନେଇ ଆସିଲେ ଓ ଚାଷୀମାନେ ନିଜ ହତାରୁ ଅରମା ସଫା କରି ସେଠାରେ ଆପଲ୍‌ ଲଗାନ୍ତୁ ବୋଲି ପ୍ରସ୍ତାବ ଦେଲେ । ତିନିଜଣ କୃଷକ ଏତେ ଅଳସୁଆ ଥିଲେ ଯେ ପିଲାମାନଙ୍କର କଥା ରଖିଲେ ନାହିଁ । ତହୁଁ ପିଲାମାନେ ନିଜର ଅନୁଷ୍ଠାନରୁ ଗୋଟିଏ ଚିଠି ଲେଖି ଆଣିଲେ, ଯେଉଁଥିରେ ଲେଖା ହୋଇଥିଲା, “ଆପଣମାନଙ୍କର ହତା ଅନାବନା ଗଛରେ ଅଳିଆ ହୋଇ ପଡ଼ିଛି, ଆମକୁ ଆଦୌ ଭଲ ଲାଗୁନାହିଁ-। ସେହି ଅରମା ଭିତରେ କୋଉଦିନ ଯେ ହେଟାମାନେ ଆସି ପହଞ୍ଚିଯିବେ, ସେକଥା କିଏ ନାହିଁ କରିପାରିବ ? ଆପଣ ଏହି ଆବର୍ଜନା ମଧ୍ୟରେ କିପରି ରହିପାରୁଛନ୍ତି ? ଆମେ ବିନୟର ସହିତ ଅନୁରୋଧ କରୁଛୁ ଆପଣ ବାଳୁଙ୍ଗାଗୁଡ଼ିକୁ ସଫା କରି ଦିଅନ୍ତୁ ଏବଂ ସେଇ ଜାଗାରେ ଆପଲ୍‌ ଲଗାନ୍ତୁ, ଅଙ୍ଗୁର ଲଗାନ୍ତୁ, ଫୁଲଗଛ ଲଗାନ୍ତୁ । ଆପଣଙ୍କ ଘର ପାଖରେ ଆମେ ପାଞ୍ଚୋଟି ଆପଲ୍‌ ଗଛ ଓ ତିନୋଟି ଅଙ୍ଗୁର ବୁଦା ରଖିଯାଉଛୁ । ଆସନ୍ତା କାଲି ସେଗୁଡ଼ିକୁ ଲଗାଇବାକୁ ହିଁ ପଡ଼ିବ-। ସେଗୁଡ଼ିକୁ ଆପଣ ଲଗାଇବେ ଓ ଭଲ କରି ପାଣି ଦେବେ । ମାତ୍ର, ଯଦି ଅଳସୁଆମି କରି ସେକଥା ନକରିବେ, ତେବେ ଆମେ ନିଜେ ଆସି ଗାତ ଖୋଳିଦେବୁ, ଅରମା ସଫା କରିବୁ ଓ ଗଛଗୁଡ଼ିକୁ ଲଗାଇ ଦେଇଯିବୁ । ଏହିପରି ଭାବରେ ସେଠାରେ ଗୋଟିଏ ବଗିଚାତିଆରି ହୋଇଯିବ, ମାତ୍ର ସେଇଟି ଆପଣଙ୍କର ନୁହେଁ, ଆମ ତରୁଣ ଅଗ୍ରଗାମୀ ଅନୁଷ୍ଠାନର ହିଁ ସମ୍ପତ୍ତି ହୋଇ ରହିବ-।”

 

ଏକାବେଳେକେ ଏକ ଅଭିନବ ରୀତିରେ ଚିଠିଗୁଡ଼ିକ ଦେଇ ଦିଆଗଲା : ଖୋଲା ଥିବା ଗୋଟିଏ ଝରକା ଦେଇ ଘର ଭିତରର ଗୋଟିଏ ଟେବୁଲ୍ ଉପରକୁ ପକାଇ ଦିଆଗଲା । ଏହି କାର୍ଯ୍ୟଟି ସନ୍ଧ୍ୟା ସମୟରେ ହେଲା, ଯେପରିକି କେହି ଦେଖି ନ ପାରିବେ । ଚାରାଗଛ ଗୁଡ଼ିକୁ ଅଣାଗଲା । ଏହି ଖେଳଟିକୁ ଖେଳିବାକୁ ପିଲାମାନଙ୍କୁ ଖୁବ୍ ଭଲ ଲାଗୁଥିଲା । ସେମାନେ ଅଧୀର ହୋଇ ତହିଁ ଆରଦିନ ପାଇଁ ଅପେକ୍ଷା କରି ରହୁଥିଲେ : ଅଳସୁଆ ଲୋକମାନେ ପ୍ରକୃତରେ କ’ଣ କରିବେ କେଜାଣି ? ସ୍କୁଲ୍ ଛୁଟି ହେବା ପରେ ସେମାନେ ରାସ୍ତାଗୁଡ଼ିକୁ ଯାଇ ଦେଖିଥିଲେ ଏବଂ ହତାଗୁଡ଼ିକୁ ଆଉ ମୋଟେ ଚିହ୍ନି ହେଉ ନଥିଲା : ଏଣୁ ତେଣୁ ଗଛଗୁଡ଼ିକ ସଫା ହୋଇ ଫଳଗଛ ଗୁଡ଼ିକ ଲାଗି ସାରିଥିଲା । ସମ୍ବାଦଟା ସଙ୍ଗେ ସଙ୍ଗେ ସ୍କୁଲସାରା ପ୍ରଘଟ ହୋଇ ଯାଇଥିଲା । ଥରେ ଖବର ମିଳିଲା ଯେ କୋଠକୃଷିର କେତେଜଣ କୃଷକ ତୁତ ବଗିଚାରୁ ବଡ଼ ନିର୍ଦ୍ଦୟ ଭାବରେ ଡାଳପତ୍ର ଭାଙ୍ଗି ନେଉଥିଲେ । ତରୁଣ ଆଗ୍ରଗାମୀମାନେ ସେମାନଙ୍କୁ ଧରିଲେ ଓ ଡାଳଭଙ୍ଗା ବନ୍ଦ ହୋଇଗଲା ।

 

ଗ୍ରୀଷ୍ମଋତୁରେ ସଂଗଠନ କୋଡ଼ିଏ କିଲୋଗ୍ରାମ ବଛା ଗହମ ବିହନ ପ୍ରସ୍ତୁତ କରିବାର ଦାୟିତ୍ୱ ଗ୍ରହଣ କଲା । ସେହି ବିହନକୁ ସଙ୍କର କୃଷିର ପ୍ରୟୋଗଶାଳାରେ ବ୍ୟବହାର କରିବାର କଥା ଥିଲା । ପିଲାମାନେ ବାଛି ବାଛି ସବୁଠାରୁ ଭଲ ଗହମକେଣ୍ଡା ଗୁଡ଼ିକୁ ତୋଳି ଆଣିଲେ, ସେଗୁଡ଼ିକୁ ସ୍କୁଲରେ ଗୋଟିଏ ଶୁଖିଲା ଜାଗା ଦେଖି ସାଇତି ରଖିଲେ । ବସନ୍ତଋତୁରେ ମକଚା ହୋଇ ବିହନ ବାହାରିଲା ଏବଂ କୃଷିବିଜ୍ଞାନୀଙ୍କ ପାଖକୁ ପଠା ଯାଇଥିଲା । ପିଲାମାନେ ସେହି ବିଷୟରେ ଏତେ ଅଧିକ ପରିମାଣରେ ସଂପୃକ୍ତ ବୋଲି ଅନୁଭବ କରୁଥିଲେ ଯେ, ଯେତେବେଳେ ବିହନଗୁଡ଼ିକୁ ବୁଣା ଗଲା, ସେତେବେଳେ ଚତୁର୍ଥ ଶ୍ରେଣୀରେ ଥିବା ଏହି ପିଲାମାନେ ସେମାନଙ୍କର ବିହନଗୁଡ଼ିକୁ କିପରି ବୁଣାଯାଉଛି, ତାହା ନିଜ ଆଖିରେ ଦେଖିବା ସକାଶେ କ୍ଷେତକୁ ମଧ୍ୟ ଯାଇଥିଲେ । ବିହନରୁ ଗଜା ବାହାରିବା ପରେ ଆଉଥରେ ବି ଗଲେ । ଗହମ କଟା ହେଉଥିବା ସମୟରେ ସେମାନେ ତାକୁ ବୋହି ଆଣିବାରେ ସେମାନଙ୍କ ଠାରୁ ଅଧିକ ବୟସର ପିଲାମାନଙ୍କୁ ସାହାଯ୍ୟ କରିଥିଲେ । ସେମାନେ ଏହିପରି ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବା ଓ ସେମାନଙ୍କର ଚାରିପାଖରେ ରହିଥିବା ପୃଥିବୀର ଯାବତୀୟ କାର୍ଯ୍ୟ ପ୍ରତି ଗ୍ରହଣଶୀଳ ହୋଇ ରହି ପାରୁଥିବାର ଦେଖି ମୋତେ ଖୁବ୍ ଆନନ୍ଦ ଲାଗୁଥିଲା । ବୁଣା ହୋଇଥିବ ବିହନରୁ ଭଲ ଗଛ ହୋଇଛି ବୋଲି ଖୁସୀ ହୋଇ ଆମେ କ୍ଷେତରୁ ସ୍କୁଲ୍‌କୁ ଆସୁଥିଲୁ । କୋଠକୃଷିରୁ ଫଳବଗିଚା ବାଟେ ଫେରୁଥିବା ବେଳେ ସାନ ଆପଲ୍‌ ଗଛଗୁଡ଼ିକରେ ସାଁବାଳୁଆ ଲାଗିଥିବାର ଦେଖି ପିଲାମାନ ଶଙ୍କିତ ହୋଇ ଉଠୁଥିଲେ । ଜୀଅନ୍ତା ଗଛଗୁଡ଼ିକୁ ନଷ୍ଟ କରି ଦେଉଥିବା ଏହି ବିପଦଟିକୁ ଦେଖି ସେମାନେ କିପରି ବା ଉଦାସୀନ ହୋଇ ଚାଲିଯାଆନ୍ତେ ? ସେମାନେ ବଗିଚା ଭିତରକୁ ଯାଇ ସାଁବାଳୁଆମାନଙ୍କୁ ମାରି ଦେଉଥିଲେ । ଅନ୍ୟ ଗଛଗୁଡ଼ିକ ମଧ୍ୟ ସେହିପରି ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହା ଅତ୍ୟନ୍ତ ସାବଧାନତା ସହ ଦେଖୁଥିଲେ ।

 

ସର୍ବସାଧାରଣ କୃଷିକ୍ଷେତ୍ରରେ ହୋଇଥିବା ପ୍ରତ୍ୟେକ ଗହମକେଣ୍ଡା, ସର୍ବସାଧାରଣ ବଗିଚାରେ ବଢ଼ୁଥିବା ପ୍ରତ୍ୟେକଟି ଗଛ, ମକଚା ହୋଇ ଅମଳ କରାଯାଉଥିବା ପ୍ରତ୍ୟେକଟି ଗହମଦାନାକୁ ଯେଉଁ ପିଲାମାନେ ନିଜର କିଶୋର ବୟସରେ ସେମାନଙ୍କର ମାଆ ଓ ବାପା ସେମାନଙ୍କୁ ଦେଇଥିବା ଗୋଟିଏ ଖେଳନା, ଗୋଟିଏ ପ୍ରିୟ ଚିତ୍ରବହି, ସ୍ଲେଟ୍ ବା ସ୍କି ଇତ୍ୟାଦି ପରି ବ୍ୟକ୍ତିଗତ ଆନନ୍ଦ ଦେଉଥିବା ଦ୍ରବ୍ୟଗୁଡ଼ିକ ସଦୃଶ ସମାନ ଭାବରେ ମୂଲ୍ୟବାନ ବୋଲି ଅନୁଭବ କରିପାରୁଛନ୍ତି, ସେମାନେ ବଡ଼ ହୋଇ ନିଜର ଜନ୍ମଭୂମିକୁ ନିଶ୍ଚୟ ଭଲ ପାଇବେ । ସମାଜର ସମ୍ପତ୍ତିରୂପେ ଗଣା ହେଉଥିବା ପ୍ରତ୍ୟେକ ବସ୍ତୁଟି ଲାଗି ଜଣେ ପିଲା ଯେତେବେଳେ ନିଜର ଶ୍ରମ ଦେଇଥାଏ, ଜନଗଣଙ୍କ ପାଇଁ ଯେତେବେଳେ ସେ କିଛି ନା କିଛି ସୃଷ୍ଟି କରୁଥାଏ, ଯେତେବେଳେ ତା’ ନିଜ ହାତଦ୍ଦ୍ୱାରା ସମ୍ଭବ ହୋଇଥିବା ପାର୍ଥିବ ବସ୍ତୁଗୁଡ଼ିକ ତାକୁ ଗଭୀର ବ୍ୟକ୍ତିଗତ ଆନନ୍ଦ ଆଣି ଦେଉଥାଏ, ସେତେବେଳେ ସମାଜର ସେହି ସମ୍ପତ୍ତିଗୁଡ଼ିକ ମଧ୍ୟ ତା’ ଲାଗି ଗଭୀର ଭାବରେ ବ୍ୟକ୍ତିଗତ ହୋଇଯାଇଥାନ୍ତି । ଯେଉଁ ବସ୍ତୁଟିକୁ ପିଲା ଭଲ ପାଉଛି, ସେଇଟି କ’ଣ ତା’ର ବ୍ୟକ୍ତିଗତ ଖୁସୀର ଏକ କାରଣ ହୋଇଥିବା ଏକାନ୍ତ ଆବଶ୍ୟକ, ଅଥବା ସିଏ ଅନ୍ୟ ମନୁଷ୍ୟମାନଙ୍କୁ ମଧ୍ୟ ତା’ ବିଚାର ମଧ୍ୟକୁ ନେଇ ପାରିବ ? ଏହି ପ୍ରଶ୍ନର ଉତ୍ତରଟି ହିଁ ସର୍ବଦା ଗୋଟିଏ ପିଲାର ନୈତିକ ଗୁଣଚୟର ମାନଦଣ୍ଡ ହୋଇ ରହି ଆସିଥିଲା । ଟାଣ ବର୍ଷା ଅସରାଏ ହୋଇ ବଗିଚାର ଗହମ ଗଛଗୁଡ଼ିକ ଭାରି ନଇଁ ପଡ଼ିଛନ୍ତି ବୋଲି ଯେତେବେଳେ କୋଲ୍ୟା କିମ୍ବା ଭାଲ୍ୟାର ମନରେ କଷ୍ଟ ହେଉଥିଲା, ସେତେବେଳେ ମୁଁ ନିଜର ମନ ଭିତରେ ଖୁସୀ ହିଁ ହେଉଥିଲି । ପିଲା ଯେପର୍ଯ୍ୟନ୍ତ ଏହିସବୁ ଅଘଟଣର ସମ୍ମୁଖୀନ ହୋଇନାହିଁ, ନିଜ ଭିତରେ ସେଥିପାଇଁ ବେଦନା ପାଇନାହିଁ, ସେପର୍ଯ୍ୟନ୍ତ ଜଣେ ଶିକ୍ଷକ କଦାପି ଆଶ୍ୱସ୍ତ ହୋଇ ବସିଯିବ ନାହିଁ, କାରଣ ତାର ଛାତ୍ରଟି ହୁଏତ କେବଳ ଜଣେ ଉଦାସୀନ ଦ୍ରଷ୍ଟା ହୋଇ ଜୀବନ ମଧ୍ୟରେ ପ୍ରବେଶ କରିବ ବୋଲି ତଥାପି ଆଶଙ୍କା ରହିଥିବ ।

 

ପିଲାଦିନେ ଯେଉଁମାନେ ଅନ୍ୟ ମନୁଷ୍ୟମାନଙ୍କ ପାଇଁ ଆଦୌ କିଛି ଭାବି ନାହାନ୍ତି ଓ କେବଳ ଆନନ୍ଦର ଉପଭୋକ୍ତା ଭାବରେ ହିଁ ବଢ଼ିଛନ୍ତି, ସେହିମାନଙ୍କ ମଧ୍ୟରୁ ହିଁ ଅହଙ୍କାରୀ ଓ ଅହଂବାଦୀମାନେ ଅବଶ୍ୟ ବାହାରିବେ । ଭୋଲୋଡ଼୍ୟା ଓ ସ୍ଲାଭାଙ୍କର ଜୀବନରେ ସେହି ବିପଦର ଆଶଙ୍କା ରହିଛି ବୋଲି ଗନ୍ଧ ପାଇ ମୁଁ ଆତଙ୍କିତ ହୋଇ ପଡ଼ିଥିଲି । ସେମାନଙ୍କ ଘର ଲୋକ ସେମାନଙ୍କ ସକାଶେ ସବୁକିଛି କରି ଦେଉଥିଲେ । ବାପାମାଆ ଯଦି ସେମାନଙ୍କ ପାଇଁ କିଛି ନୂଆ ଓ ଭଲ ଜିନିଷ କିଣି ଦେଉନଥିଲେ, ସେତେବେଳେ ଏମାନେ ଭାରି ଦୁଃଖୀ ହୋଇ ପଡ଼ୁଥିଲେ । ଆଉ ଗୋଟିଏ ପ୍ରକାରର ଭାବନା ଓ ଦୁଃଖ ଦ୍ୱାରା ହିଁ ଏହି ଅହଂପ୍ରଣୋଦିତ ଅଭିଳାଷଗୁଡ଼ିକର ମୁକାବିଲା କରାଯାଇ ପାରିବ, –ସବୁ ମଣିଷଙ୍କ ପାଇଁ ଯାହା କିଛିର ଭୌତିକ ତଥା ଆତ୍ମିକ ମୂଲ୍ୟ ରହିଛି, ସେହିଗୁଡ଼ିକ ବିଷୟରେ ଆପଣାକୁ ସଂପୃକ୍ତ କରି ରଖିବା ଦ୍ୱାରା ତାହାର ମୁକାବିଲା କରାଯାଇପାରିବ ।

 

ଗ୍ରୀଷ୍ମଋତୁର ଉତ୍ତପ୍ତ ଦିନମାନଙ୍କରେ ମୁଁ ଦେଖିବାକୁ ପାଇଥିଲି ଯେ, ଆନନ୍ଦ ପାଠଶାଳାରେ ଆମେ ଲଗାଇଥିବା ଲିଣ୍ଡେନ୍ ଗଛଟି ଭାରି ଶୁଖି ଶୁଖି ଯାଉଛି । ଭୋଲୋଡ଼୍ୟା ଓ ସ୍ଲାଭାକୁ ଡାକି କହିଲି, “ଆମ ବନ୍ଧୁଟି ଅଧିକ ଆଦ୍ରତା ଦରକାର କରୁଛି ।” ସେମାନଙ୍କୁ କିଛି ଦେଖାଇବି ବୋଲି ମୁଁ ବଗିଚାକୁ ନେଇ ଯାଇଥିଲି ଓ ଉତ୍ତାପହେତୁ ମଉଳି ଯାଇଥିବା ଗଛଟି ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲି । ମୁଁ ପିଲାମାନଙ୍କୁ କହିଲି, “ଗଛଟି ଆମର ସାହାଯ୍ୟ ଲୋଡ଼ୁଛି ଏବଂ ଆମେ ଇଚ୍ଛା କଲେ ତାକୁ ସେହି ସାହଯ୍ୟ ଦେଇ ମଧ୍ୟ ପାରିବା । ଏହି ପ୍ରକାରର ଗଛଟି ବିଶେଷତଃ ସାନ ହୋଇଥିବା ବେଳେ ଜଳୀୟ ଅଂଶ ରହିଥିବା ବାୟୁ, ଆଦ୍ରତା ଏବଂ ଶୀତଳ ଛାଇ ଅବଶ୍ୟକ କରିଥାଏ । ଚାଲ, ଏହି କୁନି ବନ୍ଧୁଟିକୁ କିଛି ସାହାଯ୍ୟ କରିବା । ଆମେ ପାଣିନଳ ପାଖରୁ ଏଠାକୁ ଗୋଟିଏ ସାନ ନଳ ପକାଇ ଦେବାର ବ୍ୟବସ୍ଥା କରିଦେବା । ମଝିରେ ମୋଟେ ବେଶୀ ବାଟ ହେବନାହିଁ ଏବଂ ଆମେ ସେହି ନଳଟିକୁ ଏହି ଗଛଯାଏ ନେଇ ଆସିପାରିବା, ଯେପରିକି ଗଛଟି ଉପରେ ବର୍ଷା ପରି ପାଣି ଆସି ପଡ଼ିପାରିବ । ତେବେ ଗଛକୁ ସବୁବେଳେ ଶୀତଳ ଲାଗିବ ।” ପିଲାମାନେ ପ୍ରଥମେ ପ୍ରଥମେ ମୋ’ କଥା ପ୍ରତି ସେତେ ଧ୍ୟାନ ଦେଇ ନଥିଲେ, ମାତ୍ର ଯେତେବେଳେ ମୁଁ ସେମାନଙ୍କୁ କୃତ୍ରିମ ବୃଷ୍ଟି ବିଷୟରେ କହିଲି, ସେମାନେ ବେଶ୍ କୌତୂହଳ ଦେଖାଇଲେ । କାମ ଆରମ୍ଭ ହୋଇଗଲା ଓ ପିଲାମାନେ ତାହାକୁ ଗୋଟିଏ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଖେଳ ବୋଲି ଭାବୁଥିଲେ । ଏବଂ, ଏମିତି ପିଲା ପୃଥିବୀରେ କେଉଁଠାରେ ଅଛି ଯିଏକି ଖେଳକୁ ଭଲ ନପାଏ ? ସେମାନେ ଖେଳ ଆରମ୍ଭ କରିଦେଲେ, ଆମେ ଗଛ ପର୍ଯ୍ୟନ୍ତ ଗୋଟିଏ ନଳ ଆଣି ପକାଇ ଦେଲୁ; ଉପରେ କୃତ୍ରିମ ଜଳବୃଷ୍ଟିର ଯନ୍ତ୍ର ଖଞ୍ଜି ଦିଆଗଲା ଏବଂ ପ୍ରାୟ ଦୃଶ୍ୟ ହେଉ ନଥିବା ମେଘମାନେ ଉପରୁ ଜଳବୃଷ୍ଟି କରିବାକୁ ଲାଗିଲେ । ମଧ୍ୟାହ୍ନର ଉତ୍ତପ୍ତ ସମୟରେ ପିଲାମାନେ ଯନ୍ତ୍ରଟିକୁ ଖୋଲି ଦେଉଥିଲେ ଓ ସନ୍ଧ୍ୟା ପୂର୍ବରୁ ବନ୍ଦକରି ଦେଉଥିଲେ । ପିଲାମାନେ କ୍ରମେ ଗଛ ପାଇଁ ନିଜର ଦାୟିତ୍ୱଟିକୁ ବି ଅନୁଭବ କରିବାକୁ ଲାଗିଲେ: ପାଣି ବୃଷ୍ଟି ହେଉଥିବା ବେଳେ ଗଛଟି ପ୍ରକୃତରେ କିପରି କ’ଣ ଅନୁଭବ କରୁଥିଲା ! ନୂଆପତ୍ର କଅଁଳୁଥିବା ଡାଳଗୁଡ଼ିକ ପୁଣି ସତେଜ ହୋଇ ଆସିବାରୁ ସେମାନେ କେଡ଼େ ଖୁସୀ ହୋଇଗଲେ ! ଏହିପରି ଭାବରେ ସେମାନଙ୍କ ବ୍ୟକ୍ତିଗତ ସୁଖ ଅନୁଭବ ସହିତ କୌଣସି ସମ୍ବନ୍ଧ ରଖିନଥିବା ଏକ ଆଗ୍ରହ ମଧ୍ୟ ପିଲାମାନଙ୍କର ଜୀବନରେ ପ୍ରବେଶ କରିଥିଲା ।

 

ମାତ୍ର ଏହାକୁ କେବଳ ଏକ ଆରମ୍ଭ ବୋଲି ହିଁ କୁହାଯିବ । ଜଣେ ବଣିଆ ଯେପରି ଦନ୍ଥଡ଼ା ହତିଆର ଦେଇ ହୀରାକୁ ପାଲିସ୍ କରୁଥାଏ, ହୀରାଟିର ସବୁ ପାଖକୁ ନିରେଖି ଦେଖୁଥାଏ, ସର୍ବୋତ୍ତମ ହୀରାଟିଏ ବାହାର କରିବାକୁ ହେଲେ ପଥରଟିକୁ ନେଇ ସେ କ’ଣ କରିବ ବୋଲି ଯେପରି ଭାବୁଥାଏ, ଠିକ୍ ସେହିପରି, ପିଲାର ହୃଦୟରେ ପଶି କିପରି ଗଭୀରତମ କୋଣଯାଏ ମଧ୍ୟ ପହଞ୍ଚି ହେବ, ଜଣେ ଶିକ୍ଷକଙ୍କୁ ସେହି ବିଷୟରେ ଅବଶ୍ୟ ଭାବିବାକୁ ପଡ଼ିବ । ମିଠା କୋଳି ସଂଗ୍ରହ କରିବାକୁ ଭୋଲୋଡ଼୍ୟା ଓ ମୁଁ ବେଶ୍ କେତେଥର ଅରଣ୍ୟକୁ ଯାଇଥିଲୁ । ଆମେ ମଞ୍ଜିଗୁଡ଼ିକୁ ପରେ ବୁଣି ଦେଇଥିଲୁ ଓ ସବୁଜ ଗଦାଗୁଡ଼ିକରେ ପାଣି ଦେଉଥିଲୁ । କଲମ କରିବାର ସମୟ ହୋଇଯିବାରୁ ଆମେ ଧଳା ଗୋଲାପର ଡାଳଗୁଡ଼ିକୁ ନେଇ ସେଥିରେ କଲମୀ କରିଦେଲୁ । ଏହାକୁ ଖାଲି କାମ ବୋଲି କୁହା ଯିବନାହିଁ; ଏହାକୁ ଅତ୍ୟନ୍ତ ସାବଧାନତା ସହିତ ଗୋଟିଏ ପିଲାର ହୃଦୟକୁ ସ୍ପର୍ଶ କରିବା ବୋଲି କୁହାଯିବ । ପିଲାଟି କ୍ରମେ ଏପରି ଏକ ସ୍ଥିତିରେ ଯାଇ ପହଞ୍ଚିଥିଲା, ଯେଉଁଠାରେ କି ତା’ ନିଜର ଆନନ୍ଦ ଓ ଦୁଃଖାନୁଭବ ଗୁଡ଼ିକର ଉତ୍ସ କେବଳ ତା’ର ବ୍ୟକ୍ତିଗତ ଜୀବନର ସୁଖରେ ନୁହେଁ, ମାତ୍ର ତାକୁ ବେଷ୍ଟନ କରି ରହିଥିବା ପୃଥିବୀରେ ହିଁ ଆବିଷ୍କୃତ ହୋଇଥିଲା-

 

ସ୍ଲାଭା ପାଇଁ ମୋତେ ବହୁତ ଧ୍ୟାନ ଦେବାକୁ ପଡ଼ୁଥିଲା । ପଶୁବିଭାଗରେ ସିଏ ଓ ଓଲ୍ୟା ମିଶି ଗୋଟିଏ ରୋଗଗ୍ରସ୍ତ ମେଣ୍ଢାଛୁଆକୁ ଭଲ କରିଥିଲେ । କୌଣସି ଜୀବର ଯତ୍ନ ନେବାକୁ ସେମାନେ ଏକ ଖେଳ ବୋଲି ଅନୁଭବ କରୁଥିଲେ; ମାତ୍ର ସେହି କାର୍ଯ୍ୟରେ କ୍ରମେ ଆଗ୍ରହ ମଧ୍ୟ ବୃଦ୍ଧି ପାଉଥିଲା ଏବଂ କିଛିଦିନ ମଧ୍ୟରେ ସ୍ଲାଭା ଆପଣାକୁ ଜଣେ ପଶୁମାନଙ୍କର ମେହେନତୀ ପରିପାଳକ ରୂପେ ଗଢ଼ିଆଣି ପାରିଥିଲା । ଦିନେ ହାଡ଼ଭଙ୍ଗା ଥଣ୍ଡା ପଡ଼ିଥିବା ଶୀତରାତିରେ ସିଏ ଯେପରି ଅଶ୍ରୁଛଳଛଳ ମୁହଁରେ ମୋ’ ପାଖକୁ ଆସିଥିଲା, ମୁଁ ତାହା କେବେହେଲେ ଭୁଲିବି ନାହିଁ । ସିଏ ଅଭିଯୋଗ କରି କହିଥିଲା ଯେ ତା’ ପ୍ରିୟ ବାଛୁରୀଟି କଅଁଳିଆ ବାଜରା ଗଛ କାଟିକରି ଦିଆଗଲେ ଖାଇବାକୁ ଭାରି ଭଲ ପାଏ, ମାତ୍ର ଏଠି କାଚଘରେ କେବଳ ଯଅଗଛକୁ ଛାଡ଼ି ଆଉ କିଛିହେଲେ ନଥିଲା । ବାଜରା ବିନା ସିଏ ଆଉ କିପରି ଗୁହାଳ ଭିତରକୁ ଯାଇ ପାରିବ ? ତେଣୁ, ଆମେ ବାଜରା ଚାଷ କରିବା ବି ଆରମ୍ଭ କଲୁ ।

 

ନିଜର ବ୍ୟକ୍ତିଗତ ପ୍ରୟୋଜନଗୁଡ଼ିକ ସହିତ କୌଣସି ପ୍ରତ୍ୟକ୍ଷ ସମ୍ବନ୍ଧ ନଥିବା ଗୋଟିଏ ଦ୍ରବ୍ୟରେ ପିଲାମାନଙ୍କୁ ଆଗ୍ରହୀ କରି ଆଣିପାରିଲେ, ତାହା ସେମାନଙ୍କର ଅହଂଭାବକୁ ଆରୋଗ୍ୟ କରି ଆଣିବାରେ ଚମତ୍କାର ଭାବରେ ସହାୟକ ହୋଇ ପାରିବ । ସମାଜର କଲ୍ୟାଣ ହେଉଥିବା କୌଣସି କାର୍ଯ୍ୟରେ ଗୋଟିଏ ପିଲାର ବ୍ୟକ୍ତିଗତ ଆଗ୍ରହ ଜନ୍ମିବାକୁ ଆରମ୍ଭ କଲେ, ତା’ର ହୃଦୟରେ କେବେହେଲେ କୌଣସି ଆତ୍ମଦୟାର ଅନୁଭବ ସମ୍ଭବ ହେବ ନାହିଁ । ସେହି କିସମର ପିଲାଙ୍କର ଆତ୍ମାଗୁଡ଼ିକୁ ଏକ ଅହଙ୍କାରିତା କାମୁଡ଼ି ଧରିଥାଏ ଓ ସେମାନଙ୍କର ଜୀବନଗୁଡ଼ିକ ଏକ ସର୍ବଶକ୍ତିଶାଳୀ “ମୁଁ” ର ଚତୁର୍ଦ୍ଦିଗରେ କେନ୍ଦ୍ରିତ ହୋଇ ରହିଥାନ୍ତି ।

Image

 

Unknown

ସାହସୀଙ୍କ ଦଳ, ନିର୍ଭୀକମାନଙ୍କର ଦଳ

 

ମୋ’ ପିଲାମାନଙ୍କର ଶାରୀରିକ ଏବଂ ନୈତିକ ବିକାଶର କ୍ଷେତ୍ରରେ ଏପରି ଗୋଟିଏ ସମୟ ଆସି ପହଞ୍ଚିଥିଲା, ଯେତେବେଳେ କି ସେମାନଙ୍କର ଶକ୍ତି ଏକାବେଳେକେ ଉଚ୍ଛୁଳି ଉଠିବା ପରି ମନେ ହେଲା । ପ୍ରଥମେ ଆଖି ପକାଇ ଦେଖିବା ବେଳକୁ ସେହି ଶକ୍ତି ନାନା ବିଚିତ୍ର ଓ ଅବୋଧ୍ୟ କର୍ମର ମାଧ୍ୟମରେ ଆତ୍ମପ୍ରକାଶ କରୁଥିବା ପରି ଲାଗିଲା । ମୋ’ ଆଖି ସାମନାରେ ହିଁ ଏକ ପ୍ରଚଣ୍ଡ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲା : ଯେଉଁମାନେ ଲାଜକୁଳା ଥିଲେ, ସେମାନେ ଦୁଃସାହସୀ ହେଲେ; ଭୀରୁ ଓ ସଂକୋଚୀମାନେ ସାହସୀ ହେଲେ, ନିଜର ନିଷ୍ପତ୍ତିଗୁଡ଼ିକୁ ନିଜେ ଗ୍ରହଣ କରିପାରିଲେ ।

 

ବଡ଼ ପିଲା ଓ ସମୂହକ୍ଷେତରେ କୃଷକମାନେ କିପରି ପାଳଗଦା ତିଆରି କରୁଛନ୍ତି, ତାହା ଦେଖିବାକୁ ଆମେ ଦିନେ କ୍ଷେତକୁ ଯାଇଥିଲୁ । ଟ୍ରାକ୍ଟର ଚଲାଉଥିବା ବ୍ୟକ୍ତିଟି ନିଜ ଟ୍ରାକ୍ଟରରେ ଲାଗିଥିବା ଗୋଟିଏ ମୋଟା ତାର କିପରି ଗୋଟାଏ ଗୋଟାଏ ସମ୍ପୂର୍ଣ୍ଣ ପାଳବୋଝକୁ ଏତେ ଉଚ୍ଚଯାଏ ଉଠାଇ ପାରୁଥିଲା, ପିଲାମାନେ ସେହି କଥାଟିରେ ଅତ୍ୟନ୍ତ ଆଗ୍ରହୀ ହୋଇପଡ଼ିଲେ । ତାରଟି ଶୂନ୍ୟରେ ପନ୍ଦର ମିଟର ପର୍ଯ୍ୟନ୍ତ ଲମ୍ବିଯାଇ ପାରୁଥିଲା । ପାଳଗଦା ପାଖରୁ ଆମେ କମ୍ବାଇନ୍ ପାଖକୁ ଗଲୁ । ତା’ପରେ ମୁଁ ଦେଖିବାକୁ ପାଇଲି ଯେ ପୁଅପିଲା ତାରଟିକୁ ନିଜ ହାତରେ ଧରି ପକାଇଲା ଓ ତାହାକୁ ଜାବୁଡ଼ି ଧରିଲା । ତାରଟା ତାକୁ ସଙ୍ଗେ ସଙ୍ଗେ ଶୂନ୍ୟରେ ବହୁତ ଉଚ୍ଚକୁ ଉଠାଇ ନେଲା । ଦେଖିଲି, ଶୂରା ଆମ ଭିତରେ ନଥିଲା । ପିଲାମାନେ ଶୂରାକୁ ବେଶ୍ ଦେଖି ପାରୁଥିଲେ ଓ ଆନନ୍ଦରେ ଚିତ୍କାର କରି ପାଳଗଦା ପାଖକୁ ଦଉଡ଼ିଗଲେ । ସମ୍ଭବତଃ ସେମାନେ ସମସ୍ତେ ଏହିପରି ଏକାବେଳେକେ ଖୁବ୍ ଶୂନ୍ୟକୁ ଉଠିଯିବାର ଆନନ୍ଦଟିକୁ ଉପଭୋଗ କରିବାକୁ ଇଚ୍ଛା କରୁଥିଲେ । ଶୂରା କିପରି ପାଳସ୍ତୁପ ଉପରୁ ତଳକୁ ଆସିପାରିବ, ସେହିକଥା ଭାବି ଅନାଉ ଅନାଉ ସିଏ ସତେଅବା ଗୋଟାଏ ଗାଡ଼ି ପରି ଖସ୍‍ଖସ୍ ହୋଇ ଉପରୁ ତଳକୁ ଖସି ଆସିଲା । ପିଲାଟିର ଏହି ଅସାଧାରଣ ସଫଳ ଯାତ୍ରାଟିରେ ମୁଁ ହର୍ଷ ପ୍ରକାଶ କରିବି ନା ଯଥାସମ୍ଭବ ଶୀଘ୍ର ପିଲାମାନଙ୍କୁ ସେହି ସ୍ଥାନରୁ ଅନ୍ୟତ୍ର ନେଇଯିବି, ମୁଁ ହଠାତ୍ ତାହା ସ୍ଥିର କରି ପାରିନଥିଲି ।

 

ଯେକୌଣସି ପ୍ରକାରେ ମୁଁ ପିଲାମାନଙ୍କୁ ଶାନ୍ତ କରି ଆଣିଲି ଓ ସେମାନେ ଯେପରି ଶୂରାର ଅନୁକରଣ କରିବାକୁ ଚେଷ୍ଟା ନକରିବେ, ସେଥିଲାଗି ସେମାନଙ୍କୁ ନିବୃତ୍ତ କରି ରଖିପାରିଲି । ମାତ୍ର, ମୋ’ ଆକଟରେ ସେମାନେ ଅତ୍ୟନ୍ତ ଅପ୍ରସନ୍ନ ହୋଇ ଯାଇଥିବା ପରି ଦେଖା ଯାଉଥିଲା । ମୁଁ ବୁଝି ପାରିଲି ଯେ, ସମ୍ପୂର୍ଣ୍ଣ ନିରାପଦ ଭାବରେ ପିଲାମାନେ ଯେପରି ଏହି ଦୁଃସାହସିକ ଯାତ୍ରାଟିକୁ କରିପାରିବେ, ମୁଁ ସେଥିଲାଗି ସିନା ଚେଷ୍ଟା କରିବି, ମାତ୍ର ସେଇଟିକୁ ନିଷିଦ୍ଧ କରିଦେବି କାହିଁକି ? ତେଣୁ ଆମେ ସେହି ତାର ତଳେ ଗୋଟିଏ ସାନ ପାଳଗଦା ତିଆରି କଲୁ ଓ ପ୍ରଥମେ ପୁଅମାନେ ଓ ତା’ପରେ ଝିଅମାନେ ଏହିପରି ପ୍ରତ୍ୟେକ ପିଲା ଜଣକ ପରେ ଜଣେ ଯାତ୍ରାଟିକୁ କରିପାରିଲେ ।

 

ସେହି ସମୟରେ ବିଜୁଳିଶକ୍ତି ନିମନ୍ତେ ଆମର କୌଣସି ସ୍ଥାୟୀ ଉତ୍ସ ନଥିଲା ଏବଂ ବଡ଼ ପିଲାମାନେ ଆମଲାଗି ଗୋଟିଏ ବିଜୁଳିଶକ୍ତିର କେନ୍ଦ୍ର ତିଆରି କରି ଦେଇ ଥିଲେ, ଯାହାକି ପବନ ସାହାଯ୍ୟରେ କାମ କରୁଥିଲା । ଗୋଟିଏ ବାର ମିଟର ଉଚ୍ଚ ଟାୱାର ଉପରେ ପବନଚକ ଲାଗିଥିଲା-। ଟାୱାର ଉପରେ କାଠର ଏକ ସମତଳ ପ୍ଲାଟଫର୍ମ ଥିଲା ଓ କୁଟାରାସ୍ତାଟିଏ ଥିଲା, ଯାହା ଉପରେ ଯାଇ ମୋଟର ପାଖରେ ପହଞ୍ଚି ହେଉଥିଲା । ଦିନେ ଖୁବ୍ ଜୋରରେ ପବନ ବୋହୁଥାଏ, ପିଲାମାନେ ଗୋଟିଏ ଗୁଡ଼ି ଉଡ଼ାଉଥାନ୍ତି । ପ୍ରତ୍ୟେକ ପିଲା ଅନ୍ୟମାନଙ୍କ ତୁଳନାରେ ଗୁଡ଼ିଟିକୁ ଅଧିକ ଉଚ୍ଚକୁ ନେବା ପାଇଁ ଚେଷ୍ଟା କରୁଥାଏ । ଭାନ୍ୟା କହିଲା, “ମୁଁ ଅନ୍ୟମାନଙ୍କ ଠାରୁ ଅଧିକ ଉଚ୍ଚଯାଏ ଗୁଡ଼ି ନେଇ ପାରିବି ।” ଛୁଆଟା ଟାୱାର ଉପରକୁ ଚଢ଼ିଗଲା, ପ୍ଲାଟଫର୍ମ ଚାରିପାଖରେ ଥିବା କାଠବାଡ଼ ଉପରେ ଆଉଜି ପଡ଼ିଲା ଏବଂ ସୂତା ଛାଡ଼ିବାକୁ ଆରମ୍ଭ କଲା । ମୁଁ ତ୍ରସ୍ତ ହୋଇ ଦେଖିବାକୁ ପାଇଲି ଯେ ଭାନ୍ୟା ଗୋଟିଏ କଡ଼କୁ ଘୁଞ୍ଚାଇ ଦେଇଥିବା ପାଳ–ଆସ୍ତରଣଟି ଉପରୁ ତଳକୁ ଖସି ପଡ଼ିଲା । ପିଲାଟା ସେଇଟା ଉପରେ ଯାଇ ଡେଇଁବାକୁ ଆରମ୍ଭ କରି ଦେଇଥାଏ ଓ ତା’ ଗୋଡ଼ ତଳେ କ’ଣ ଅଛି ବୋଲି ଆଦୌ ଦେଖୁ ନଥାଏ । ତା’ ଆଖିମାନେ ଗୁଡ଼ିଟା ଉପରେ ଯାଇ ନିବଦ୍ଧ ହୋଇ ରହିଥାନ୍ତି । ସେଦିନ ଭାଗ୍ୟକୁ କୌଣସି ଦୁର୍ଘଟଣା ଘଟି ନଥିଲା ।

 

ଉଚ୍ଚ ଜାଗାଟିଏ ଦେଖିଲେ ପିଲାମାନେ ସେଠାକୁ ନଯାଇ ଆଦୌ ସମ୍ଭାଳି ରହି ପାରନ୍ତି ନାହିଁ । ଉଚ୍ଚତାର ସୁଖକର ଅନୁଭବ ସେମାନଙ୍କୁ ଆନନ୍ଦ ଦାନ କରେ । ମାତ୍ର, ଆମେ ଶିକ୍ଷକମାନେ ପିଲାମାନଙ୍କ ଭିତରେ ଏହିସବୁ ପ୍ରବଳାକାଂକ୍ଷା ଦେଖି ଆଶଙ୍କିତ ହୋଇଉଠୁ । ପିଲାମାନଙ୍କର ଯେଉଁସବୁ ଯେତେ ଯେତେ କାର୍ଯ୍ୟ ମୋ’ ମନରେ କୌଣସି ଉଦବେଗ ଜାତ କରାଇଥିଲା, ସେଗୁଡ଼ିକ ଉଚ୍ଚସ୍ଥାନଗୁଡ଼ିକ ପ୍ରତି ରହିଥିବା ଚୁମ୍ବକୀୟ ଆକର୍ଷଣ ସହିତ ସମ୍ବନ୍ଧିତ ହୋଇ ରହିଥିଲା ।

 

ବିଦ୍ୟାଳୟର ଅନତିଦୂରରେ ପୁରୁଣା ଗୀର୍ଜାଟିଏ ଥିଲା । କୋଡ଼ିଏ ମିଟର ଉପରେ ଯେଉଁଠି ଘଣ୍ଟାଟି ବନ୍ଧା ହୋଇଥିଲା, ସେଠାରେ ଚାରିପାଖକୁ ଢାଲୁ ହୋଇ ଆସିଥିବା ଗୋଲାକାର ସଂଯୋଜକଟିଏ ଥିଲା । ଦିନେ ସୂର୍ଯ୍ୟସ୍ନାତ ବସନ୍ତଋତୁରେ ମୁଁ ସେହି ସ୍ଥାନଟିକୁ ଅନାଇଦେବା ମାତ୍ରକେ ତିନୋଟି ପିଲାଙ୍କର ରୂପ କ୍ରୁଶ୍ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ପାଇଥିଲି । ଚିହ୍ନି କରି ଜାଣିଲି, ସେମାନେ ହେଉଛନ୍ତି ସେରୋଝା, କୋଲ୍ୟା ଏବଂ ଶୂରା । ମୋର ହୃତ୍‍କମ୍ପ ଜାତ ହେଲା । ପିଲାମାନେ ମୋତେ ଦେଖି ଲୁଚିଯିବାକୁ ଚେଷ୍ଟା କଲେ, ଅର୍ଥାତ୍ ସଂଯୋଜକଟିର ଗୋଟିଏ ଧାରରୁ ଆଉ ଗୋଟିଏ ଧାରକୁ ଦୌଡ଼ିବାକୁ ଆରମ୍ଭ କଲେ । ପିଲାଙ୍କୁ ପାଟିକରି ଡାକିବାଟା ଚରମ ନିର୍ବୋଧତା ହୋଇଥାଆନ୍ତା । ତଦ୍ଦ୍ୱାରା କେବଳ ଅନିଷ୍ଠ ଘଟିଥାନ୍ତା । ମୁଁ ବିଦ୍ୟାଳୟକୁ ଯାଇ ସବୁପିଲାଙ୍କୁ ସାଙ୍ଗରେ ଧରି ଅରଣ୍ୟକୁ ଯିବା ଲାଗି କହିଥିଲି । ବା, ସେମାନେ ଇଚ୍ଛା କଲେ କ୍ଷେତ ଆଡ଼କୁ ବି ଯାଇ ପାରିବେ । ବଡ଼ ପିଲାମାନଙ୍କୁ ଘରକୁ ପଠାଇ ଦିଆଯିବ । ଅର୍ଥାତ୍, ଗୋଟିଏ କଥାରେ କହିଲେ, ଏହି କଥାଗୁଡ଼ିକୁ କରିବାକୁ ହେବ, ଯେପରିକି କେହି ଗୀର୍ଜାର ଛାତ ଉପରେ ଥିବା ପିଲାଙ୍କୁ ଦେଖି କୌଣସି ଚିତ୍କାର କରିବାର ଅବସର ନପାଇବେ । ମୁଁ ୱାର୍କଶପ୍‍କୁ ଗଲି, ସେଠାରେ ଗୀର୍ଜାଘରର ଘଣ୍ଟାଟିକୁ ସ୍ପଷ୍ଟ ଭାବରେ ଦେଖି ହେଉଥିଲା ଓ ହାତଦୁଇଟା ଉପରେ ମୁଣ୍ଡଟାକୁ ରଖି ମୁଁ ଝରକା ପାଖରେ ବସି ରହିଲି । ପାଳଗଦା ପାଖରେ ସେଇ ଖେଳଟା ନିମନ୍ତେ ଅନୁମତି ଦେଇ ସମ୍ଭବତଃ ପିଲାମାନଙ୍କର ମୁଣ୍ଡରେ ଉଚ୍ଚତାଗୁଡ଼ିକୁ ଉପଭୋଗ କରିବା ପାଇଁ ମୁଁ ଏକ ଆକର୍ଷଣ ଜାଗୃତ କରାଇ ଦେଇଥିଲି । ତା’ପରେ ଦେଖିଲି, ଗୋଟିଏ ଗୋଟିଏ ଜାଗାରେ ପୂରା ଅସୁରକ୍ଷିତ ହୋଇ ରହିଥିବା ଗୋଟିଏ ପୁରୁଣା ଓ କଳଙ୍କିଲଗା ପାଇପ୍‍କୁ ଆଶ୍ରା କରି ପିଲାମାନେ ସେହି ଉପରୁ ତଳକୁ ଖସି ଆସିଥିଲେ........

 

ଗ୍ରୀଷ୍ମକାଳରେ ଥରେ ଅସରାଏ ବର୍ଷା ହୋଇଯିବା ପରେ ପୋଖରୀ ଉପରର ପୋଲଟି ତଳେ ଏକ ଜଳପ୍ରପାତର ସୃଷ୍ଟି ହୋଇଥିଲା । ଗୋଟିଏ ବୁଢ଼ୀ ଆସି ମୋ’ ପିଲାମାନେ କ’ଣ କରୁଛନ୍ତି ଯାଇ ଦେଖିବା ପାଇଁ ମୋତେ କହିଲା । ମୁଁ ପୋଖରୀ ଆଡ଼େ ବାହାରି ଗଲି । ପୋଲ ଉପରୁ ମୁଁ ଜଣେ ହେଲେ କାହାକୁ ଦେଖି ପାରିଲି ନାହିଁ, ମାତ୍ର, ପୋଲ ତଳେ ପିଲାମାନଙ୍କର ପାଟି ଶୁଣି ପାରିଲି । ପୋଲର ବାଡ଼ାରେ ଟୋଲ୍ୟା ଓ ଭିଟ୍ୟା ଗୋଟିଏ ଲମ୍ବ ଦଉଡ଼ି ବାନ୍ଧିଥିଲେ ଓ ଦୋଳିଟିଏ ତିଆରି କରି ନେଇଥିଲେ । ସେମାନେ ସେହି ପ୍ରବଳ ଜଳପ୍ରପାତ ଉପରେ ଦୋଳି ଖେଳୁଥିଲେ ଓ ଉଲ୍ଲାସରେ ଚିତ୍କାର କରୁଥିଲେ.......

 

ପେଟ୍ରିକ୍, ଭିଟ୍ୟା ଓ କୋଲ୍ୟା କେଉଁଠାରୁ କାଠର ପୀପାଟିଏ ପାଇଥିଲେ । ପୀପାର ତଳ ଭାଗଟା କୋଉଦିନୁ ଉଡ଼ି ଯାଇଥିଲା । ସେମାନେ ପୀପାଟାକୁ ଉଚ୍ଚ ପୋଖରୀହୁଡ଼ା ପାଖକୁ ଆଣିଲେ । ସେମାନେ ପାଳି କରି ଜଣେ ଲେଖାଏଁ ସେହି ପୀପା ଭିତରେ ଯାଇ ପଶୁଥିଲେ ଓ ଅନ୍ୟ ଦୁଇଜଣ ତାକୁ ଥିରି କରି ହୁଡ଼ା ଉପରୁ ତଳକୁ ଗଡ଼ାଇ ଦେଉଥିଲେ । ଏହି ଆନନ୍ଦଟିରୁ କେହି ମୋଟେ ବଞ୍ଚିତ ହେବାକୁ ଚାହୁନଥିଲେ । ପୀପାଟି ତଳକୁ ପୋଖରୀ ଭିତରକୁ ଗଡ଼ି ଆସି ପାଣିର କେତେ ମିଟର ଦୂରରେ ଅଟକି ରହିଯାଉଥିଲା । ଆଦୌ କୌଣସି ଦୁର୍ଘଟଣା ନଘଟାଇ ସେମାନେ କିପରି ସେହି କଥାଟିକୁ କରି ପାରୁଥିଲେ, ମୁଁ ଏବେ ମଧ୍ୟ ତାହା ବୁଝି ପାରିଲିନାହିଁ । କେବଳ ପିଲାମାନଙ୍କର କ୍ଷେତ୍ରରେ ହିଁ ସବୁକିଛି ଏହିପରି ସୁଖଦ ଭାବରେ ସମ୍ପନ୍ନ ହୋଇ ପାରିଥାଏ ।

 

ଥରେ ଜଙ୍ଗଲ ଭ୍ରମଣ ସମୟରେ ଆମେ କେତେଜଣ କାଠ କଟାଳିଙ୍କ କାର୍ଯ୍ୟ ଦେଖିବାର ସୁଯୋଗ ପାଇଥିଲୁ । କୋଠକ୍ଷେତ ପାଇଁ ସେମାନେ ନିର୍ମାଣସାମଗ୍ରୀ ସଂଗ୍ରହ କରୁଥିଲେ । କଟା ହେଉଥିବା କେଡ଼େ କେଡ଼େ ଗଛ କଟା ହୋଇ ତଳେ ପଡ଼ୁଥିବା ବେଳେ ପିଲାମାନେ ଏକନିଘା ହୋଇ ତାହା ଦେଖିଥିଲେ । ଆମେ ତା’ପରେ ଘରକୁ ଫେରି ଆସିଥିଲୁ; ଏବଂ, ଶୂରା ଓ ଡାଙ୍କୋ ଯେ ଆମ ସହିତ ନାହାନ୍ତି, ସେକଥା କାହାରି ଆଖିରେ ପଡ଼ିନଥିଲା । ଗୋଟିଏ ଖୋଲା ଜାଗା ଦେଖି ଆମେ ଟିକିଏ ବିଶ୍ରାମ ନେଉଛୁ, ଏହି ସମୟରେ ଜଣେ ବୁଢ଼ା କାଠୁରିଆ ଦୁଇଟିଯାକ ପିଲାଙ୍କୁ ସାଙ୍ଗରେ ଧରି ସେଠାରେ ପହଞ୍ଚିଲା ଓ ଆମକୁ କହିଲା ଯେ, ଏମାନେ ଗୋଟିଏ ଗଛ ଉପରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, ଯେପରିକି ଗଛଟି କଟା ହୋଇ ଯେତେବେଳେ ତଳକୁ ପଡ଼ିବ, ସେମାନେ ମଧ୍ୟ ଉପର ଡାଳରେ ବସି ସେଇଟି ସହିତ ତଳ ଆଡ଼କୁ ଉଡ଼ିଆସି ପାରିବେ ।

 

ତୃତୀୟ ଓ ଚତୁର୍ଥ ଶ୍ରେଣୀ ସମୟରେ ପ୍ରାୟ ଛଅମାସ ସମୟ ଭିତରେ ଏହିସବୁ ଘଟଣା ଘଟିଥିଲା । ମୁଁ ଅନୁଭବ କରୁଥିଲି ଯେ, ପିଲାମାନଙ୍କୁ ଏହି କାର୍ଯ୍ୟଗୁଡ଼ିକରୁ କ୍ଷାନ୍ତ କରି ରଖିବା ଏବଂ ଆଦୌ କିଛି ଘଟୁନାହିଁ ବୋଲି ନିଶ୍ଚିନ୍ତ ହୋଇ ରହିବା ଏଇଟି ମୋଟେ ଏକ ସମାଧାନ ନୁହେଁ । ସେମାନଙ୍କ ଶକ୍ତିର ଉଦ୍ଦାମ ସ୍ରୋତଟି କେବଳ କ୍ରିୟାଶୀଳ ରହିବା ଦ୍ୱାରା କଦାପି ଶାନ୍ତ ହେବ ନାହିଁ; ବିପଦର ସମ୍ମୁଖୀନ ହୋଇ ପିଲାମାନେ ଆପଣାର ନିର୍ଭୟତାକୁ ପରୀକ୍ଷା କରି ଦେଖିବା ସକାଶେ ମଧ୍ୟ ଅବଶ୍ୟ ଇଚ୍ଛା କରିବେ । ପିଲାମାନେ ଯେ ସାହସୀ କାର୍ଯ୍ୟମାନ କରିବା ଲାଗି ତୃଷିତ ହୋଇ ଉଠିଛନ୍ତି, ତାହା ଦର୍ଶାଇ ଦେଉଛି ଯେ, ମୋ’ ଛାତ୍ରମାନଙ୍କର ଜୀବନର ଦ୍ୱାର ଉପରେ ସାହସର ଅବଶ୍ୟ ଆକର୍ଷଣଟି ଆସି କରାଘାତ କରିବାକୁ ଆରମ୍ଭ କଲାଣି । ପିଲାମାନଙ୍କର ସେହି ଶକ୍ତିକୁ ଉଚିତ ମାର୍ଗରେ ଧାବିତ ହେବା ଲାଗି ସୁଯୋଗମାନ ଅବଶ୍ୟ ଯେଗାଇ ଦେବାକୁ ପଡ଼ିବ ।

 

ପାଠକମାନେ ଲକ୍ଷ୍ୟ କରିଛନ୍ତି ଯେ, ଯେଉଁସବୁ କାର୍ଯ୍ୟ ପ୍ରଥମେ ଦୁଃସାହସିକ ବୋଲି ମନେ ହେଉଥିଲା, ସେଗୁଡ଼ିକୁ ବାଳକମାନେ ହିଁ ପ୍ରଧାନତଃ କରୁଥିଲେ । ଏପରି ଜଣେ ବି ବାଳକ ନଥିଲା, ଯିଏ କି ମୋତେ ଚିନ୍ତାରେ ଆଣି ପକାଇ ନାହିଁ । ଏପରିକି ଡାଙ୍କୋ, ଯାହାକୁ ମୁଁ ଡରୁଆ ବୋଲି ଭାବୁଥିଲି ଓ ଯିଏ ଆଦୌ କିଛି ପାରିବ ବୋଲି ହୁଏତ କୌଣସି ନିଷ୍ପତ୍ତି ନେଇ ପାରନ୍ତା ନାହିଁ, ୧୯୫୫ ମସିହା ଶରତକାଳରେ ସିଏ ମଧ୍ୟ ମୋତେ ବିସ୍ମୟରେ ପକାଇ ଦେଇଥିଲା । ବରଫ ଅତ୍ୟନ୍ତ ପତଳା ହୋଇ ରହିଥିବା ସମୟରେ ସେ ପୋଖରୀ ଉପରେ ଏପାଖରୁ ସେପାଖ ଯାଏ ଚାଲି ଯାଇଥିଲା । ଭିତରକୁ ଗଳି ପଡ଼ିବାର ସମ୍ଭାବନାକୁ ହ୍ରାସ କରିବା ନମନ୍ତେ ସିଏ ନିଜ ସମ୍ମୁଖରେ ତା’ ବହିଗୁଡ଼ିକୁ ଆଗକୁ ଠେଲି ଠେଲି ନେଉଥିଲା । ବରଫ ସେତେବେଳକୁ ଫାଟିବାକୁ, ବଙ୍କା ହେବାକୁ ଆରମ୍ଭ କଲାଣି, ଗଭୀର ଜାଗାମାନଙ୍କରେ ବରଫ ଉପରେ ପାଣି ବି ଜମି ରହିଲାଣି-। ତଥାପି କ’ଣ ଜାଦୁ ହେଲା ପରି ବରଫ ଭାଙ୍ଗିଲା ନାହିଁ ଏବଂ ପିଲାଟି ନିରାପଦ ଭାବରେ ସ୍କୁଲରେ ଆସି ପହଞ୍ଚି ପାରିଲା । ତା’ର ଦୁଇଜଣ ସ୍କୁଲ୍‌ବନ୍ଧୁ ତା’ପଛେ ପଛେ ଆସୁଥିଲେ; ମାତ୍ର ସେମାନଙ୍କ ଆଗରେ ଥିବା ବରଫ ଅତଡ଼ା ଖାଇ ଭାଙ୍ଗିପଡ଼ିଲା, ଭାଗ୍ୟକୁ ଠିକ୍ ଧାର ପାଖରେ ଭାଙ୍ଗିଥିଲା ।

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏପରି ଘଟଣାମାନ ଯେପରି ନଘଟେ, ସେଥିଲାଗି ସାବଧାନ ରହିବାକୁ ହେବ । ମାତ୍ର, କେବଳ ସେତିକି ଆଦୌ ସବୁ କଥା ନୁହେଁ । ପ୍ରତ୍ୟେକ ମନୁଷ୍ୟକୁ ବିପଦର ସମ୍ମୁଖୀନ ହେବାଲାଗି ବାହାରି ଯିବାକୁ ପଡ଼ିବ ଏବଂ ତାହାକୁ ଅତିକ୍ରମ କରିବାକୁ ପଡ଼ିବ ।

 

ଏହିପରି ଆମେ ସାହସୀ ଏବଂ ନିର୍ଭୀକମାନଙ୍କର ଦଳଟିଏ ତିଆରି କରିନେଲୁ । ବାଳକମାନେ ସମସ୍ତେ ସେହି ଦଳରେ ନାମ ଲେଖାଇଥିଲେ ଏବଂ କିଛି ଦିନ ପରେ କେତେକ ବାଳିକା ବି ଯୋଗ ଦେଲେ । ମୁଁ ପ୍ରବଳ ଇଚ୍ଛାଶକ୍ତି, ସାହସ ଏବଂ ନୀର୍ଭିକତା ଅବଶ୍ୟକ କରୁଥିବା ନାନା ଖେଳ ଓ ମନୋବିନୋଦନର କଳ୍ପନା କରି ନେଇଥିଲି । ପୋଖରୀ ଧାରରେ ଏକ ବଡ଼ ପାହାଡ଼ ଅତଡ଼ା ରହିଥିଲା । ସେଠାରେ ପୋଖରୀର ତଳଟା ମଧ୍ୟ ନିରାପଦ ଥିଲା । ଦିନେ ଜୁଲାଇ ମାସରେ ବେଶ୍ ଗରମ ହେଉଥିବା ବେଳେ ପିଲାମାନେ ପହଁରିବା ପାଇଁ ସେଠାକୁ ଗଲେ । ଅତଡ଼ା ଉପରେ ଠିଆ ହୋଇ କିପରି ତଳକୁ ଡେଇଁବାକୁ ହୁଏ ଓ କିପରି ଆସି ପାଣିରେ ପଡ଼ିବାକୁ ହୁଏ, ମୁଁ ଆଗ ସେକଥା ଦେଖାଇ ଦେଇଥିଲି । ମୋ’ପରେ ଶୂରା, ସେରୋଝା, କୋଲ୍ୟା, ଭିଟ୍ୟା, ଓ ଫେଡ଼୍ୟା ଲମ୍ଫ ପ୍ରଦାନ କରିଥିଲେ । ତହିଁ ଆରଦିନ ୟୁରା, କୋଷ୍ଟ୍ୟା ଓ ପେଟ୍ରିକ୍ ଡେଇଁବାକୁ ସାହସ କରି ପାରିଲେ । ତୃତୀୟ ଦିନ ଟୋଲ୍ୟା, ମିସା, ଶାସା ଓ ଭାନ୍ୟା ମଧ୍ୟ କରିପାରିଲେ । କେବଳ ପାଭ୍ଲୋ, ଭୋଲ୍ୟୋଡ଼୍ୟା, ଡାଙ୍କୋ ଓ ସ୍ଲାଭା ବାକୀ ରହିଥାଆନ୍ତି । ସେମାନଙ୍କୁ ସାଙ୍ଗ ପିଲାମାନେ ଚିଡ଼ାଇବାରେ ଲାଗିଲେ । ସେତେବେଳେ ଝିଅମାନେ ତଳେ ପାଣିରେ ପହଁରୁଥାନ୍ତି; ସେମାନେ ବି ଥଟା କରି ପଦେ ପଦେ କହିଲେ । ଟିନା ସ୍ୱୟଂ ଅତଡ଼ାଟି ଉପରକୁ ଆସି ଲମ୍ଫ ମାରିବାକୁ ଇଚ୍ଛା କରିଥିଲା । ସିଏ ଲମ୍ଫ ଦେଲା ଏବଂ ଚମତ୍କାର ଭାବରେ ଲମ୍ଫ ଦେଇଥିଲା । ତା’ପଛେ ପଛେ ଲାରିସା ଓ ଭାରା ବି ଲମ୍ଫ ଦେଲେ । ପୁଅମାନଙ୍କୁ ଖୁବ୍ ଲଜ୍ଜା ହେଲା । ପରିଶେଷରେ, ପାଭ୍ଲୋ, ଡାଙ୍କୋ ଓ ସ୍ଲାଭା ମଧ୍ୟ ଡେଇଁଲେ ।

 

ଏକମାତ୍ର ଭୋଲୋଡ଼୍ୟା ପାରୁନଥାଏ । ମୁଁ ଦେଖି ପାରିଲି, ତାକୁ ଡର ମାଡ଼ୁଛି ବୋଲି ଭାବି ପିଲାଟି ଭାରି ବ୍ୟସ୍ତ ହୋଇ ପଡ଼ୁଥାଏ, ତଥାପି ନିଜର ଭୟକୁ ଜୟ କରିପାରୁ ନଥାଏ । ଆମେ ଭୋଲୋଡ଼୍ୟା ପାଇଁ ଅପେକ୍ଷାକୃତ କମ୍ ଉଚ୍ଚ ଜାଗାଟିଏ ବାଛିଲୁ । ସିଏ ଝିଅମାନଙ୍କ ସହିତ ସେଠାରୁ ଡେଇଁପଡ଼ି ପାରିଲା, ମାତ୍ର ତଥାପି ସବା ଉଚ୍ଚ ଜାଗାଟିରୁ ମୋଟେ ଡେଇଁ ପାରୁନଥାଏ । ସିଏ ଯେପରି ସାହସିକ କାର୍ଯ୍ୟମାନ କରି ପାରିବ, ମୋତେ ସେଥିପାଇଁ ତା’ସହିତ ବହୁତ ସମୟ ଦେବାକୁ ହୋଇଥିଲା । ଯେତେବେଳେ ପିଲାମାନେ ବସନ୍ତ ଋତୁରେ ଚଢ଼େଇମାନଙ୍କ ପାଇଁ ବସାମାନ ଟାଙ୍ଗୁଥିଲେ, ସେତେବେଳେ ତାକୁ ମୁଁ ଗୋଟାଏ ଡେଙ୍ଗା ଗଛ ଉପରକୁ ଉଠାଇ ପାରିଲି । ପ୍ରଥମଥର ସକାଶେ ପିଲାଟି ଆପଣାର ଭୟ ଉପରେ ଏକ ବିଜୟ ହାସଲ କରି ପାରିଲା । ମୋତେ ପିଲାମାନେ ଗୋପନରେ ଆସି କହିଥିଲେ ଯେ, ଭୋଲୋଡ଼୍ୟା ଥରେ ଏକୁଟିଆ ବଡ଼ ଅତଡ଼ାଟି ଉପରକୁ ଯାଇଥିଲା, ଦେହରୁ ଲୁଗାପଟା ବାହାର କଲା, ସେଠାରେ ଦୀର୍ଘ ସମୟ ବସି ରହିଲା, ସେଠୁ ଡେଇଁବ ବୋଲି ଉହୁଙ୍କି ବି ଗଲା, ମାତ୍ର ତଥାପି ଡେଇଁବା ବେଳକୁ ଡରିଗଲା । ଆମର ସବୁଠାରୁ ଅଧିକ ସାହସୀ ତିନିଜଣଯାକ ଝିଅଙ୍କର ଅନୁସରଣ କରି ଭାଲ୍ୟା ସେହି ଉଚ୍ଚ ଜାଗାରୁ ପ୍ରକୃତରେ ଡେଇଁ ପାରିଲା । ଭାଲ୍ୟା ଝିଅ ଏକଥା କରିବ ବୋଲି କେହି ଆଦୌ ଆଶା କରି ନଥିଲେ । ଭାଲ୍ୟାର କରାମତି ଭୋଲୋଡ଼୍ୟାକୁ ଆହୁରି ଗୋଳମାଳରେ ପକାଇଦେଲା । ସିଏ ନିଜର ଦୁଇ ଆଖିକୁ କଷି କରି ବନ୍ଦ କରି ରଖିଲା ଓ ପାଣି ଭିତରକୁ ଡେଇଁ ପଡ଼ିଲା ଭାଲ୍ୟା ପରେ ନିନା, ଗାଲ୍ୟା, ଲୁସ୍ୟା, ଜିନା, କାଟ୍ୟା ଓ ସାଶା ମଧ୍ୟ ଡେଇଁଲେ ଏବଂ ସେମାନଙ୍କ ପରେ ଅବଶିଷ୍ଟ ସବୁ ଝିଅ ବି ଡେଇଁଥିଲେ । ମୋ’ର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ପୁଅମାନଙ୍କ ଠାରୁ ଝିଅମାନଙ୍କର ହିଁ ଉଲ୍ଲେଖଯୋଗ୍ୟ ଭାବରେ ଅଧିକ ଇଚ୍ଛାଶକ୍ତି ରହିଛି । ସେମାନେ ଅତୀବ ସାହସ ସହିତ ଏବଂ କିଛି ସାହସିକ କାର୍ଯ୍ୟ କରିବା ପରେ ପୁଅମାନେ କରୁଥିବା କୌଣସି ଅଭିନୟ ନକରି ନିଜର ଭୟ ଓ କୌଣସି କାର୍ଯ୍ୟ କରିବା ବିଷୟରେ ନିଜ ମନର ଅନିଶ୍ଚିତତାକୁ ବେଶ୍ ଅତିକ୍ରମ କରିଯାଇ ପାରନ୍ତି ।

 

ତୃତୀୟ ଶ୍ରେଣୀ ପରେ ଆମେ ପ୍ରକୃତିର କ୍ରୋଡ଼ରେ ଛୁଟି ପାଳନ କରୁଥିବା ସମୟରେ ପିଲାମାନେ ମେରୁ–ଆବିଷ୍କାରକ ମାନଙ୍କର ଖେଳଟିକୁ ଫାନ୍ଦି ବାହାର କଲେ । ସେହି ଖେଳର ନିୟମ ଅନୁସାରେ, ବଣଜଙ୍ଗଲରେ ପୂର୍ଣ୍ଣ ଗୋଟିଏ ବହୁଦୂରବର୍ତ୍ତୀ ଦ୍ୱୀପରେ, –ଏହା ପ୍ରକୃତରେ ଚାରିପାଖରେ ଜଳ ବେଷ୍ଟିତ ହୋଇ ରହିଥିବା ଏକ ତୁଷାରପାହାଡ଼ ହିଁ ଥିଲା, ଜାହାଜ ଭାଙ୍ଗିଯିବାରୁ ନିରାଶ୍ରୟ ହୋଇ ଯାଇଥିବା ମେରୁ–ଆବିଷ୍କାରକମାନେ ଅଟକି ଯାଇଥିଲେ । ଏବଂ, ଆମ ତରଫରେ ଏବେ ବୃହତ୍ତର ସ୍ଥଳଭାଗଟି ରହିଥିଲା । ମେରୁ–ଆବିଷ୍କାରକ ମାନଙ୍କ ଲାଗି ଆମେ ପାଉଁରୁଟି ଓ ଆଳୁ ପ୍ରଭୃତି ଅତ୍ୟାବଶ୍ୟକ ପଦାର୍ଥ ଆଣି ପହଞ୍ଚାଇ ଦେଉଥିଲୁ । ତୁଷାର ପାହାଡ଼ ଏବଂ ବୃହତ୍ତର ସ୍ଥଳ ଭାଗର ମଝିରେ ଗୋଟିଏ କ୍ଷୁଦ୍ର ହ୍ରଦ ରହିଥିଲା । ଖେଳର ନିୟମ ଅନୁସାରେ ମେରୁ ଅଞ୍ଚଳର ଘନ ରାତ୍ରୀକାଳୀନ ଅନ୍ଧାର ଭିତରେ ହିଁ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକୁ ଆଣି ପହଞ୍ଚାଇବାକୁ ପଡ଼ୁଥିଲା ।

 

ଏବଂ, ଏଥିପାଇଁ ସ୍ୱେଚ୍ଛାସେବୀମାନେ ବାହାରି ଆସିଲେ । ପିଲାମାନଙ୍କୁ ଟିକିଏ ଭୟ ବି ଲାଗୁଥିଲା : ଶୁଣାଯାଉଥିଲା ଯେ, ଦ୍ୱୀପରେ ଗୋଟାଏ ଗୁମ୍ଫା ଭିତରେ ହେଟାବାଘ ଥିଲା । ମାତ୍ର, ଶୂରା ଓ ସେରୋଝ୍ୟା ସେହି ରାତ୍ରିଯାତ୍ରାରେ ବାହାରି ପଡ଼ିଥିଲେ । ପାଉଁରୁଟି, ଆଳୁ, ଦିଆସିଲି ପ୍ରଭୃତି ଦେଇ ଆମେ ଗଣ୍ଠିଲିଟିଏ ବାନ୍ଧିଦେଲୁ । ପାଣି ଭିତରେ ଦୁଇଟା ପୁରୁଣା ରବରଟିଉବ୍ ନେଇ ପକାଇଦେଲୁ, –ଖେଳରେ ତାହା ଜାହାଜର କାମ କଲା । ସୂର୍ଯ୍ୟ ଅସ୍ତ ହେଲା, ହ୍ରଦ ଏବଂ କ୍ଷୁଦ୍ର ଦ୍ୱୀପଟି କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥାନ୍ତି । ଆକାଶରେ ତାରାମାନେ ଦିଶିଲେ, ପିଲାମାନେ କପଡ଼ା ଓହ୍ଲାଇଲେ, ନିଜ ଲୁଗାପଟାକୁ ପିଠି ଉପରେ ବାନ୍ଧିଲେ ଓ ନୀରବରେ ବାହାରି ପଡ଼ିଲେ । ଗୋଟାଏ ମିନିଟ୍ ପରେ ସେମାନେ ଆଉ ଦୃଷ୍ଟିଗୋଚର ହୋଇ ନଥିଲେ ଏବଂ କେତେ ମିନିଟ୍ ପରେ ପାଣି ଭିତରେ ହାଲୁକା ହୋଇ କ’ଣ ଗୋଟାଏ ପଡ଼ିଲା ପରି ଶୁଭିଲା, –ଏବଂ ତା’ପରେ ସେଇଟା ମଧ୍ୟ ଶୁଣାଗଲା ନାହିଁ । ସାହସୀ ଓ ନିର୍ଭୟ ଦଳଟାଯାକ କୂଳରେ ବସି ରହିଥାନ୍ତି, ଆମ ସହିତ ଆମ ସାନ କୁକୁର ଟ୍ରାଭକା ବି ଥାଏ । ଘଣ୍ଟାଏ ବିତିଗଲା । ଚତୁର୍ଦ୍ଦିଗରେ କିଟିମିଟି ଅନ୍ଧାର । ବର୍ତ୍ତମାନ ଦ୍ୱୀପ କିମ୍ବା ହ୍ରଦ କିଛି ଦିଶୁ ନଥାନ୍ତି । ହଠାତ୍ ସେହି ଅନ୍ଧାର ଭିତରେ ମିଞ୍ଜିମିଞ୍ଜି ହୋଇ ଆଲୁଅଟିଏ ଜଳି ଉଠିଲା । ଅର୍ଥାତ୍, ଆମ ତରୁଣ ଆବିଷ୍କାରକମାନେ ଜାହାଜ ଭାଙ୍ଗିଥିବା ଜାଗାରେ ଯାଇ ପହଞ୍ଚିଗଲେ । ସେମାନେ ସେହିଠାରେ ଥାଇ ଆମକୁ ସଂକେତ ଦେଉଥିଲେ ଯେ, ବର୍ତ୍ତମାନ ଆଉ ଦୁଇଜଣ ଜାହାଜରେ ବସି ଆସି ପାରିବେ ।

 

ଆମେ ପାଉଁରୁଟି, ଆଳୁ, ପିଆଜ ପ୍ରଭୃତି ଦେଇ ପୁଣି ଗଣ୍ଠିଲିଟିଏ ତିଆରି କଲୁ ଓ ଟିଉବ୍ ଉପରେ ନେଇ ରଖିଲୁ । ଆଉ ଦୁଇଜଣ ପିଲା ପ୍ରସ୍ତୁତ ହୋଇଗଲେ । ଆଗେ ବହୁ ପୁରାତନ ସମୟରେ ଏହି ହ୍ରଦରେ କିପରି ବଡ଼ ବଡ଼ ମାଛ ମଧ୍ୟ ଦେଖିବାକୁ ମିଳୁଥିଲା, ଗୋଟିଏ ଝିଅ ସମସ୍ତଙ୍କୁ ସେକଥା କହୁଥାଏ । ହୁଏତ ମାଛ ଏବେ ମଧ୍ୟ ଥିବେ.....ବର୍ତ୍ତମାନ ବାହାରିଥିବା ଦୁଇଜଣ ବାଳକଙ୍କୁ ଭୟ ଦେଖାଇବା ଲାଗି ହିଁ ଏହି କଥାଟି କୁହାଯାଉଥାଏ । ଅନ୍ଧାର ଭିତରେ ପାଣି ଭିତର ଦେଇ ବାଟ କାଟି ଯିବାଟା ପୁଅ ଦୁହିଁଙ୍କ ପାଇଁ ଅବଶ୍ୟ ଭୀତିକାରକ ଥିଲା; ମାତ୍ର ଯାହା ହେବ ପଛକେ ସେମାନେ ସେମାନଙ୍କର ନିଷ୍ପତ୍ତିକୁ କଦାପି ବଦଳାଇବେ ନାହିଁ । ଦୁଇ ପିଲା ପାଣିରେ ଗୋଡ଼ ଦେଇଛନ୍ତି କି ନାହିଁ, ହଠାତ୍ ପାଣିରେ ଗୋଟାଏ କ’ଣ ଜିନିଷ ପଡ଼ିଲା ପରି ବଡ଼ ଶବ୍ଦଟାଏ ହେଲା । ଗୋଟାଏ ମାଛ ମାରି ହେଉଥିଲା, ମାତ୍ର ପିଲାମାନେ ତଥାପି ଝିଅଟି କହିଥିବା କଥାକୁ ଭୁଲିଯାଇ ନଥିଲେ । ଆଉ ଘଣ୍ଟାଏ ପରେ ଅନ୍ଧାର ଭିତରେ ପୁଣି ଆଲୋକ ଦେଖାଯାଇଥିଲା । ତା’ପରେ ଦୁଇଟିଯାକ ଆଲୁଅ ନିଭି ଯାଇଥିଲେ । ତାହା ପ୍ରମାଣ କଲା ଯେ ଆବିଷ୍କାରକ ମାନଙ୍କର ଦୁଇଟିଯାକ ଦଳ ବର୍ତ୍ତମାନ ପରସ୍ପରକୁ ଭେଟି ପାରିଲେ । ଆମେ ଗଡ଼ପଡ଼ ହେଉଥାଉ, ମାତ୍ର କାହାରି ଆଖିକୁ ନିଦ ଆସୁ ନଥାଏ ।

 

ଦ୍ୱୀପ ଉପରେ ଗୋଟିଏ ଜାଗାରେ ନିଆଁ ଜଳି ଉଠିଲା । ପିଲାମାନେ ଯେକୌଣସି ପ୍ରକାରେ ରାତିଟା କଟାଇଦେବେ, ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆଖି ମୋଟେ ବନ୍ଦ ହେବ ନାହିଁ । ପରସ୍ପର ପାଖକୁ ଆହୁରି ଲାଗି ଆସି ଓ ସାନ ବୃତ୍ତଟିଏ କରି ସେମାନେ ଅଧୀର ହୋଇ ପୂର୍ବ ଦିଗକୁ ଅନାଇ ରହିଥାନ୍ତି । ଆକାଶ ଫରଚା ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି । ରାତି ପାହିଲା ଏବଂ ଗଛଗୁଡ଼ିକର ଅଗରେ ସୁନା ସକାଳକିରଣ ଦୃଷ୍ଟିଗୋଚର ହେବା ମାତ୍ରକେ ଯାଇଥିବା ପିଲାମାନେ ପହଁରି ଆମ ପାଖକୁ ଫେରି ଆସିବେ । ଯେଉଁମାନେ ନିଜର ଭୟକୁ ଜୟ କରିବାର ଆନନ୍ଦଟିକୁ ଏବେ ମଧ୍ୟ ଲାଭ କରିନାହାନ୍ତି, ସେମାନେ ଏମାନଙ୍କୁ ଈର୍ଷା କରିବେ । ଏବଂ, ଯେଉଁମାନେ ନିଜର ଭୟକୁ ଜୟ କରିପାରିଥିଲେ, ସେମାନେ ସତେ ଅବା ଜଣେ ବଡ଼ ମଣିଷର ସଂଯମ ଦେଖାଇ “ଜୟ କରିବାର ଆଦୌ ସେପରି କିଛି ନଥିଲା” ବୋଲି ଉତ୍ତର ଦେବେ ।

 

ଅନ୍ଧାର ରାତି ଭିତରେ ଆମେ ସବୁ ପିଲାଙ୍କୁ ସେହିପରି ପଠାଇଥିଲୁ, ଏପରିକି ଭୋଲୋଡ଼୍ୟାଙ୍କୁ ମଧ୍ୟ । ଖେଳଟି ପୂର୍ଣ୍ଣ ଉତ୍ସାହରେ ଚାଲିଥିବା ସମୟରେ, ଖାଲି ପୁଅମାନେ କାହିଁକି ଗଲେ ଝିଅମାନେ ଯାଇପାରିଲେ ନାହିଁ, ଝିଅମାନେ ତାହା ଜାଣିବାକୁ ଚାହିଁଲେ । ଏହିପରି ପ୍ରଶ୍ନଟିଏ ହେବ ବୋଲି ମୁଁ ଆଶା କରୁଥିଲି : ତେଣୁ ଟିନା ବି ଦ୍ୱୀପକୁ ଗଲା, ସାଙ୍ଗରେ କୋଲ୍ୟାକୁ ନେଇ ଯାଇଥିଲା, ଭାରା ଟୋଲ୍ୟାକୁ ନେଇଗଲା । ସେହି ଦ୍ୱୀପରେ ପୁଅପିଲା ମାନଙ୍କୁ କିଛି ଶୁଖିଲା କୁଟା ମିଳି ଯାଇଥିଲା ଓ ସେମାନେ ସେଥିରେ ଝିଅମାନଙ୍କ ପାଇଁ ବିଛଣାଟିଏ କରି ଦେଇଥିଲେ । ରାତ୍ରିସମୟ, ଚତୁର୍ଦ୍ଦିଗ ନିସ୍ତବ୍ଧତା ଓ ପାଖରେ କେହି ନାହାନ୍ତି, –ଏହି ସବୁକିଛିରେ ପିଲାମାନେ ଖୁବ୍ ଆଗ୍ରହୀ ହୋଇଥାନ୍ତି, କାରଣ ଏଗୁଡ଼ିକ ବାଧାମାନ ଲଙ୍ଘି ଯିବାକୁ ସେମାନଙ୍କୁ ଏକ ରୋମାଞ୍ଚକର ଆହ୍ୱାନ ଯୋଗାଇ ଦେଇଥାଏ । ଆମ ପିଲାଏ ଆଉ ଗୋଟିଏ ଆଗ୍ରହପୂର୍ଣ୍ଣ ଖେଳର ବି ଉଦ୍ଭାବନ କରିଥିଲେ–ଏଇଟି ହେଉଛି ଭୂତତ୍ତ୍ୱବିତ୍ ମାନଙ୍କର ଖେଳ । ଗହନ ଅରଣ୍ୟ ଭିତରେ, ଅରଣ୍ୟ ସୀମାର ପାଞ୍ଚ କିଲୋମିଟର ଭିତରକୁ ଝିଅମାନେ ଗୋଟିଏ କୁଡ଼ିଆ ତିଆରି କରିଥିଲେ ଏବଂ ଦିନବେଳେ ସେଠାରେ ଯାଇ ରହିଥିଲେ । ଖଣିଦ୍ରବ୍ୟର ସନ୍ଧାନ କରୁଥିବା ଦଳର ଏହି ଜାଗାଟି ମୂଳଜାଗା ରୂପେ ବ୍ୟବହୃତ ହୋଇଥିଲା । ଖେଳଟିରେ ନିୟମ ରଖାଯାଇଥିଲା ଯେ ଭୂତତ୍ତ୍ୱବିତ୍ ଅର୍ଥାତ୍ ପୁଅପିଲାମାନେ ରାତିର ଅନ୍ଧାର ଭିତରେ ଜଙ୍ଗଲବାଟ ଦେଇ ନିଜର ସେହି ମୂଳ ଜାଗାଟିରେ ପହଞ୍ଚିବେ । ପିଠିରେ ପଥରର ନମୁନାମାନ ଧରି ପିଲାମାନେ ବାହାରି ପଡ଼ିଲେ । ବାହାରେ ଅନ୍ଧାର ହୋଇ ଆସୁଥିବା ସମୟରେ ସେମାନେ ସ୍କୁଲରୁ ବାହାରିଲେ ଏବଂ ଘଣ୍ଟାକ ମଧ୍ୟରେ ଜଙ୍ଗଲର ଧାରରେ ଯାଇ ପହଞ୍ଚିଗଲେ । ସେମାନଙ୍କୁ ଅନ୍ଧାରରେ ହିଁ ବାଟ ବାହାର କରି ଯିବାକୁ ହୋଇଥିଲା ଏବଂ ତା’ ସହିତ ଜଙ୍ଗଲ ଭିତରେ ବହିଯାଉଥିବା ଗୋଟିଏ ନଈ ବି ପାରିହେବାକୁ ପଡ଼ିଥିଲା । ବାଟରେ ଧାଡ଼ୀଏ ପାହାଡ଼ ମଧ୍ୟ ଥିଲା । ନିୟମ ହୋଇଥିଲା ଯେ ଝିଅମାନେ ଆଦୌ କୌଣସି ସଙ୍କେତ ଦେବେ ନାହିଁ । ଜଙ୍ଗଲବାଟ ଅତିକ୍ରମ କରିବାକୁ ବେଶ୍ ଦୁଇଘଣ୍ଟା ସମୟ ଲାଗିଥିଲା । ମଧ୍ୟରାତ୍ରି ପରେ ପିଲାମାନେ ସେହି ମୂଳ ଜାଗାଟିରେ ଯାଇ ପହଞ୍ଚିଲେ । ଖୁବ୍ କ୍ଳାନ୍ତ ହୋଇ ଯାଇଥିଲେ, ତଥାପି ଆନନ୍ଦ ଓ ଉନ୍ମାଦନାରେ ଭରପୂର ହୋଇ ରହିଥିଲେ ।

 

ଅଗଷ୍ଟ ମାସରେ ଥରେ ବର୍ଷା ହେଉଥିବା ସମୟରେ କୋଠଚାଷର ଗାଈପଲରୁ ଚଉଦଟି ବାଛୁରୀ ପଛରେ ରହିଗଲେ । ପାଣି ଜମିଥିବା ଗହୀର ଭିତରେ ପଶୁଗୁଡ଼ିକ କୁଆଡ଼େ ଏଣେତେଣେ ଚାଲିଯାଇଥିଲେ । ବଡ଼ମାନେ ବହୁ ସମୟ ଧରି ସେମାନଙ୍କୁ ଖୋଜିଲେ, ମାତ୍ର କୌଣସି ସନ୍ଧାନ ପାଇଲେ ନାହିଁ । ଶୂରା ଓ ଭିତ୍ୟା ମୋତେ ଏକ ପ୍ରସ୍ତାବ ଦେଇ କହିଲେ, “ଚାଲ, ଆମେ ବାଛୁରୀମାନଙ୍କୁ ଖୋଜିବାକୁ ଯିବା ।” ତେଣୁ ନିର୍ଭୀକ ଦଳରୁ ନଅଜଣ, –ଛଅଜଣ ବାଳକ ଓ ତିନିଜଣ ବାଳିକା ମୋ’ ସାଙ୍ଗରେ ଏହି ଆଭିଯାନରେ ବାହାରି ପଡ଼ିଲେ । ଆମେ ସାଙ୍ଗରେ କିଛି ଖାଦ୍ୟପଦାର୍ଥ, କମ୍ପାସ୍ ଓ ନଈ ପାରି ହେବାକୁ ଦୁଇଟା ଟିଉବ୍ ମଧ୍ୟ ନେଇଥିଲୁ । ପିଲାମାନଙ୍କର ମନ ହରଷରେ ପୂରି ରହିଥିଲା । ଗହୀରଯାକ ଆମେ ତନ୍ନ ତନ୍ନ କରି ବୁଲି ଦେଖିଲୁ । ସ୍ଥାନେ ସ୍ଥାନେ ଦୁଇ ବା ତିନି ଜଣିଆ ଦଳରେ ମଧ୍ୟ ବାଣ୍ଟି ହୋଇ ଯାଇଥିଲୁ । ଚାରିଦିନ ଭିତରେ ଜଙ୍ଗଲର ଫର୍ଚା ଜାଗାମାନଙ୍କରେ ଏଗାରଟି ବାଛୁରୀଙ୍କର ସନ୍ଧାନ ମିଳି ଯାଇଥିଲା । ବର୍ଷାବେଳେ ବନ୍ୟାଜଳ ଆସିଥିବା ଜୋରଗୁଡ଼ିକରେ ସମ୍ଭବତଃ ବାକୀ ବାଛୁରୀମାନେ ଭାସିଯାଇ ମରି ଯାଇଥିଲେ । ଅନୁସନ୍ଧାନ କରିବାର ଏହି ଦିନଗୁଡ଼ିକର ସ୍ମୃତି ପିଲାମାନଙ୍କର ମନରେ ସ୍ଥାୟୀ ହୋଇ ରହିଥିଲା । ଗାଲ୍ୟା, ଲୁସ୍ୟା ଓ ସାନ୍ୟା–ଏହି ସାନ ଝିଅମାନେ, ଯେଉଁମାନେ ଅନ୍ଧାର, ବେଙ୍ଗ ଓ କାଉଚିଆ ସାପମାନଙ୍କୁ ଭାରି ଭୟ କରୁଥିଲେ, ସେହି ଘଟଣାଟିକୁ ବିଶେଷ ଭାବରେ ମନେ ପକାଉଥିଲେ । ସେହି ଅଭିଯାନରେ କୋକିଶିଆଳି ଓ ପେଚାମାନଙ୍କ ସହିତ ମଧ୍ୟ ସେମାନଙ୍କର ଭେଟ ହୋଇଥିଲା-

 

ଚତୁର୍ଥଶ୍ରେଣୀର ଗ୍ରୀଷ୍ମଋତୁ ପରେ ଆମେ ପର୍ବତାରୋହୀ ବନିବାର ଖେଳ ମଧ୍ୟ ଖେଳିଥିଲୁ । ଗୋଟିଏ ମୁଣ୍ଡିଆରୁ ଅତଡ଼ା ଭିତରକୁ ଆମେ ବାନ୍ଧିଥିବା ଗୋଟିଏ ଦଉଡ଼ିସିଡ଼ି ପକାଇ ଦିଆଗଲା । ପର୍ବତାରୋହଣର ଆମ ଛାଉଣୀ ତଳେ ଅବସ୍ଥିତ ଥିଲା ଏବଂ ଆମେ ସେହିଠାରୁ ପର୍ବତାରୋହୀ ହୋଇ ଯାତ୍ରା କରୁଥିଲୁ । ଠିକ୍ କାନ୍ଥ ପରି ତୀଖ ହୋଇ ଉଠିଥିବା ଗୋଟାଏ ପାହାଡ଼କୁ ଚଢ଼ି ଉପରକୁ ଯିବା, ତା’ପରେ ଗୁରୁଣ୍ଡି ଗୁରୁଣ୍ଡି ଅତଡ଼ା ମଧ୍ୟରେ ପ୍ରବେଶ କରିବା ଓ ଶେଷକୁ ସେଇ ବାଟେ ତଳକୁ ଓହ୍ଲାଇବା, ଏହା ହିଁ ଆମର କାମ ହୋଇ ରହିଥିଲା । ଅଧିକାଂଶ ପିଲା ଉଚ୍ଚ ଜାଗାଗୁଡ଼ିକୁ ଯିବା ପାଇଁ ଆଉ ମୋଟେ ଭୟ କରୁନଥିଲେ, ତଥାପି ପ୍ରଥମେ ପ୍ରଥମେ ସେମାନଙ୍କ ମନରେ ବି କିଞ୍ଚିତ୍ ଭୟ ଜାତ ହୋଇଥିଲା । ସର୍ବପ୍ରଥମେ ଭିତ୍ୟା ଗଲା ଓ ଫେରିଆସିଲା; ତା’ପରେ ୟୁରା ସେରୋଝା ଗଲେ । ଅବଶ୍ୟ ୟୁରା ଅଧା ବାଟରୁ ଲେଉଟି ଆସିଥିଲା । ଅନ୍ୟମାନଙ୍କ ପାଇଁ ଏପରି ଆଉ ଗୋଟିଏ ତୀଖଜାଗା ବାଛିବାକୁ ହେଲା, ଯାହାକି ଆଦୌ ସେତେ ବେଶୀ ତୀଖ ନଥିଲା । ସେଠାରେ ଆମେ ଲଗାଏତ୍ ବେଶ୍ କେତେଦିନ ପାଇଁ ଖେଳିଥିଲୁ । ଝିଅମାନେ ପୁଅମାନଙ୍କ ସହିତ ପ୍ରତିଯୋଗିତା କରୁଥିଲେ । ଟିନା, ଲାରିସା ଓ କୋଷ୍ଟ୍ୟା ସମସ୍ତଙ୍କ ଅପେକ୍ଷା ଅଧିକ ସାହସୀ ଓ ନିର୍ଭୟ ବୋଲି ପ୍ରମାଣିତ ହେଲେ । ଭୋଲୋଡ଼୍ୟା ଓ ସ୍ଲାଭା ମାତ୍ର ତିନି ମିଟର ଉଚ୍ଚକୁ ଗଲା ପରେ ମୁଣ୍ଡ ବୁଲାଉଛି ବୋଲି କହୁଥିବାରୁ ସେମାନେ ଏମାନଙ୍କୁ ଚିଡ଼ାଉଥିଲେ । ପରିଶେଷରେ ସବୁ ପୁଅ ଓ ସବୁ ଝିଅ ଅତଡ଼ା ପାହାଡ଼ଟା ଉପରେ ବିଜୟଲାଭ କରିଥିଲେ ।

 

ନିଜର ସାହସ ଏବଂ ଭୟଶୂନ୍ୟତାର ପରିଚୟ ଦେଇ ପିଲାମାନେ ଗଭୀର ଆନନ୍ଦ ପ୍ରକାଶ କରିଥିଲେ । ସାହସିକତା ହେଉଛି ଗୋଟିଏ ନୈତିକ ଗୁଣ, ଏବଂ ତାହା ମନୁଷ୍ୟ ମାତ୍ରକେ ସମସ୍ତଙ୍କ ଭିତରେ ରହିଥିବା ଉଚିତ । କେବଳ କୌଣସି ବିଶେଷ ପରିସ୍ଥିତିରେ ନୁହେଁ, ପ୍ରାତ୍ୟହିକ ଜୀବନର ବଞ୍ଚିବାରେ ଓ ଉଦ୍ୟମ କରିବାରେ ସାହସ ରହିଥିବା ଉଚିତ୍‍ ।

 

ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସମାପ୍ତ ହେବାକୁ ଯେତେ ଅଳ୍ପ ସମୟ ରହୁଥିଲା, ମୋ’ର ଧ୍ୟାନ ଦେବା ସେତିକି ବୃଦ୍ଧି ପାଉଥିଲା: ପିଲାମାନେ ଏଣିକି କିଶୋର ହେବେ । ନିଜ ବିଷୟରେ ବିଭିନ୍ନ ସମସ୍ୟା ନେଇ ସେମାନେ ଚିନ୍ତିତ ହେବାକୁ ମଧ୍ୟ ଆରମ୍ଭ କରିଥିଲେ । ପୁଅ ଝିଅ ଉଭୟ ଭାବୁଥିଲେ : “ମୁଁ ଜଣେ କିଭଳି ବ୍ୟକ୍ତି ହୋଇ ପାରୁଛି ? ମୋ ବିଷୟରେ କ’ଣ ସବୁ ଭଲ କ’ଣ ସବୁ ମନ୍ଦ ? ମୋ’ ସାଥୀମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି ?”

 

କିଶୋରାବସ୍ଥା ସମାଗତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଆତ୍ମଶିକ୍ଷାର ସମୟ ମଧ୍ୟ ଆସି ପହଞ୍ଚିଯାଏ । ଭବିଷ୍ୟତ ବିଷୟରେ, ଯେତେବେଳେ କି ପିଲାମାନଙ୍କର ଇଚ୍ଛାଶକ୍ତି ଓ ଅଧ୍ୟବସାୟର ସାମର୍ଥ୍ୟ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷାଗତ ବଳ ରୂପେ ପରିଗଣିତ ହେବ, ସେହି ବିଷୟଟିକୁ ମନ ଭିତରେ ରଖି ସେମାନଙ୍କର ଶୈଶବ ସମୟରେ ମୁଁ ସେମାନଙ୍କ ଭିତରେ ଆତ୍ମଶିକ୍ଷା ଲାଗି ଏକ ଆଗ୍ରହକୁ ଜାଗୃତ କରି ଆଣିବା ଲାଗି ଚିନ୍ତା କରିଥିଲି । ପ୍ରତ୍ୟେକ ପିଲାର ଜୀବନରେ ଶ୍ରମ ଓ ଖେଳ ଲାଗି ଅବଶ୍ୟ ଗୋଟିଏ ନିର୍ଘଣ୍ଟ ରହିଥିଲା । ସେମାନେ ପ୍ରତ୍ୟହ ସକାଳେ ଛଅଟାବେଳେ ନିଦରୁ ଉଠୁଥିଲେ, ବ୍ୟାୟାମ କରୁଥିଲେ, ଥଣ୍ଡା ପାଣିରେ ଧୁଆଧୋଇ ହେଉଥିଲେ, ଜଳଖିଆ ଖାଇ ଘରପାଠ କରୁଥିଲେ । ସ୍କୁଲ୍‌କୁ ଯିବା ପୂର୍ବରୁ ପ୍ରତ୍ୟେକ ପିଲାକୁ ଅନ୍ତତଃ ଘଣ୍ଟାଏ ବୌଦ୍ଧିକ କାମ କରିବାକୁ ହେଉଥିଲା । ନିୟମିତ ଭାବରେ ଏକ ନିର୍ଘଣ୍ଟ ଅନୁସାରେ ସବୁ କାମ କରିବା ଯେପରି ଆତ୍ମ ଶିକ୍ଷଣର ଏକ ସାଧନ ହୋଇ ରହିବ, ମୁଁ ସେହିକଥା ଦେଖିବାକୁ ସର୍ବଦା ଚେଷ୍ଟା କରୁଥିଲି । ଭୋଲୋଡ଼୍ୟା ଓ ସ୍ଲାଭା ସକାଳୁ ସହଜେ ଉଠି ପାରୁନଥିଲେ, କାରଣ ସେମାନଙ୍କର ବାପାମାଆ ସେମାନଙ୍କୁ ଉଠାଇ ଦେବାକୁ ଚାହୁଁ ନଥିଲେ ଓ ସେମାନଙ୍କୁ ରାତିରେ ଠିକ୍ ସମୟରେ ଶୀଘ୍ର ଶୁଆଇ ବି ପାରୁନଥିଲେ । ମୁଁ କେବଳ ସେହି ପିଲାମାନଙ୍କ ସହିତ ନୁହେଁ, ସେମାନଙ୍କର ବାପାମାଆଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲି । ସ୍ଲାଭା ଆତ୍ମଶିକ୍ଷଣ ଆଡ଼କୁ ଆକୃଷ୍ଟ ହେଲା ଓ ଆତ୍ମସଂଯମ ଶିକ୍ଷା କରିପାରିଲା । ମାତ୍ର ଭୋଲୋଡ଼୍ୟା ସେତିକି ମଧ୍ୟ ଶିଖି ପାରିଲା ନାହିଁ-। ତା’ର ପରିବାର ତାକୁ ସେହିପରି ହୁଗୁଳା ହୋଇ ରହିବାକୁ ହିଁ ଶିକ୍ଷା ଦେଇଥିଲା ।

Image

 

ଆମେ ଗ୍ରୀଷ୍ମଋତୁକୁ ବିଦାୟ ଦେଲୁ

 

ଚତୁର୍ଥଶ୍ରେଣୀର ଶେଷକୁ ମୋ’ ପିଲାମାନେ–ଷୋଳଟା ପୁଅ ଓ ପନ୍ଦରଜଣ ଝିଅ–ସମସ୍ତେ ପଞ୍ଚମ ଶ୍ରେଣୀରେ ପ୍ରବେଶ କରିଥିଲେ । କେବଳ ବାରଜଣ ପିଲାଙ୍କର ସବୁ ବିଷୟରେ ଖୁବ୍ ଭଲ ନମ୍ବର ରହିଥିଲା ଏବଂ ବିଦ୍ୟାଳୟ ପକ୍ଷରୁ ଏମାନଙ୍କୁ ବିଶେଷ ସମ୍ମାନସୂଚକ ପ୍ରମାଣପତ୍ର ମିଳିଥିଲା । ତେରଜଣ ଭଲ ଓ ଖୁବ୍ ଭଲ ନମ୍ବର ରଖିଥିଲେ ଓ ବାକୀ ଛଅଜଣ ପିଲାଙ୍କର ସନ୍ତୋଷଜନକ, ଭଲ ଓ ଖୁବ୍‌ଭଲ ନମ୍ବର ରହିଥିଲା ।

 

ଏହି ପିଲାମାନେ ମାନବିକତାର ବିଦ୍ୟାଳୟରେ ଏତୋଟି ବର୍ଷ ରହିଲେ, ଅନ୍ୟ ମନୁଷ୍ୟମାନଙ୍କର ଆନନ୍ଦ ଓ ନିରାନନ୍ଦକୁ ନିଜର ହୃଦୟରେ ନିବିଡ଼ ଭାବରେ ଅନୁଭବ କରୁଥିଲେ, ନିଜର ଜନ୍ମଭୂମିକୁ ଭଲ ପାଉଥିଲେ ଓ ତାହାର ଶତ୍ରୁମାନଙ୍କୁ ଘୃଣା ବି କରୁଥିଲେ, –ଆପଣାର ଶିକ୍ଷାକାର୍ଯ୍ୟରେ ମୁଁ ତାହାକୁ ହିଁ ସବୁଠାରୁ ବଡ଼ ସଫଳତା ବୋଲି ବିଚାର କରୁଥିଲି । ଜୀବନରେ ପରିବର୍ତ୍ତନ ଆଣିଦେବା ପାଇଁ ଶ୍ରମର ଯେଉଁ ଭୂମିକା ରହିଛି, ସେମାନେ ସେହି କଥାଟିକୁ ବୁଝିଥିଲେ; ଅତି ଚମତ୍କାର ଭାବରେ ନିଜର ମାତୃଭାଷା ଉପରେ ଦଖଲ ଅର୍ଜନ କରିଥିଲେ, ଏବଂ, ପର୍ଯ୍ୟବେକ୍ଷଣ କରିବା, ଭାବିବା, ପଢ଼ିବା, ଲେଖିବା ଓ ନିଜର ଭାବନାଗୁଡ଼ିକୁ ଶବ୍ଦ ଦ୍ୱାରା ବ୍ୟକ୍ତ କରିବା, –ଏହି ପାଞ୍ଚୋଟି କଥାର ଶିକ୍ଷା କରିଥିଲେ । ମୋ’ର ଦୃଢ଼ ପ୍ରତ୍ୟୟ ହୋଇଥିଲା ଯେ, ପିଲାମାନଙ୍କୁ ସାତବର୍ଷ ହେବା ଆଗରୁ ମଧ୍ୟ ପଢ଼ିବା ଓ ଲେଖିବା ଶିଖାଇ ହେବ, ଅର୍ଥାତ୍ ପ୍ରଥମ ଶ୍ରେଣୀକୁ ଆସିବା ପୂର୍ବରୁ ସେମାନେ ତାହାକୁ ଶିକ୍ଷା କରି ପାରିବେ । ସେହି ଲକ୍ଷଟି ଥରେ ହାସଲ ହୋଇଗଲେ, ପିଲାର ବୌଦ୍ଧିକ ସାମର୍ଥ୍ୟଗୁଡ଼ିକ ଭାବନା ତଥା ସର୍ଜନାତ୍ମକତା ନିମନ୍ତେ ମୁକ୍ତ ହୋଇଯାଇ ପାରିବେ ।

 

ଜୀବନର ଏକ ସମସ୍ୟାବହୁଳ ଅବସ୍ଥା, –କିଶୋରାବସ୍ଥାରେ ପ୍ରବେଶ କରିବାକୁ ପିଲାମାନେ ଯେ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହୋଇଯାଇଥିଲେ, ତାହାକୁ ମୁଁ ଆଦୌ କମ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବୁନଥିଲି । ଶୈଶବରୁ କିଶୋରାବସ୍ଥାକୁ ଅଲଗା ବୋଲି ସୂଚିତ କରି ଦେଉଥିବା ସେହି ଅଦୃଶ୍ୟ ରେଖାଟି ପାଖକୁ ପିଲାମାନେ କେତେବେଳେ ଆସି ପହଞ୍ଚିଯିବେ, ପ୍ରାଥମିକ ବିଦ୍ୟାଳୟରେ ମୁଁ ସେହି ସମୟଟି ବିଷୟରେ ଚିନ୍ତା କରୁଥିଲି । ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ସେହି ରେଖାଟିକୁ ଅତିକ୍ରମ କରି ସାରିଛନ୍ତି । ଚତୁର୍ଥ ଶ୍ରେଣୀରେ ହିଁ କିଶୋର ବୟସର ସମସ୍ୟାଗୁଡ଼ିକ ଆସି ଦେଖା ଦେବାକୁ ଆରମ୍ଭ କରିଥିଲେ ।

 

......ଅଗଷ୍ଟ ମାସର ଏକ ଶାନ୍ତ ସାନ୍ଧ୍ୟ ମୁହୂର୍ତ୍ତରେ ଆମେ ଗ୍ରୀଷ୍ମଋତୁକୁ ବିଦାୟ ଦେବା ନିମନ୍ତେ ଆମ “ସୌନ୍ଦର୍ଯ୍ୟର କୋଣ”ଟିକୁ ଯାଇଥିଲୁ ।

 

ଗଛମାନଙ୍କର ଆଗରେ ସୂର୍ଯ୍ୟର ଶେଷ କିରଣଗୁଡ଼ିକ ପ୍ରତିଫଳିତ ହୋଇ ରହିଥାନ୍ତି । ଆମେ ଚାରିବର୍ଷ ତଳେ ଲଗାଇଥିବା ଗଛମାନଙ୍କରେ ଆପ୍‌ଲମାନେ ପାଚି ଆସୁଥାଆନ୍ତି । ଦ୍ରାକ୍ଷାଲତାର କୁଞ୍ଜରେ ଅଙ୍ଗୁରପେନ୍ଥା ଗୁଡ଼ିକ ଉପରେ ଭଅଁରଟିଏ ଭଅଁ ଭଅଁ ହେଉଥାଏ । ପାଖର କୋଉ କ୍ଷେତରୁ ଗୋଟିଏ ଟ୍ରାକ୍ଟର ଚାଲୁଥିବାର ଶବ୍ଦ ଭାସି ଆସୁଥାଏ । ଝିଅମାନେ କିଆରୀରୁ ଗହମର କେଣ୍ଡାମାନ ଛିଣ୍ଡାଇ ଆଣିଲେ ଓ କୋଳିଗୁଡ଼ିକ ସହିତ ବେଣୀ କରି ବାନ୍ଧିଦେଲେ । ଶାନ୍ତ ଗ୍ରୀଷ୍ମ ସନ୍ଧ୍ୟା ବିଷୟରେ ଆମେ ଗୋଟିଏ ଗୀତ ଗାଇଲୁ । ଗୀତର ଧ୍ୱନି ମିଳାଇଗଲା । ପିଲାମାନେ ସେହି ସନ୍ଧ୍ୟାକାଳୀନ ଆକାଶକୁ ଅନାଇ ରହିଥାନ୍ତି । ପ୍ରକୃତିର କେତେ କେତେ ସଙ୍ଗୀତ ଏବଂ ଆମେ ବିଦାୟ ଦେଇଥିବା ଗ୍ରୀଷ୍ମଟିର ସ୍ମୃତି ପିଲାମାନଙ୍କର ହୃଦୟ ଭିତରେ ପ୍ରତିଧ୍ୱନିତ ହେଉଥାନ୍ତି । ଚତୁର୍ଦ୍ଦିଗର ସେହି ପୃଥିବୀ, –ସନ୍ଧ୍ୟାକାଳୀନ ଆକାଶ, ନାଲି ରଙ୍ଗର ସୂଯ୍ୟାସ୍ତ, ହଳଦିଆ ରଙ୍ଗର କୋଳିସବୁ, ଓହଳି ରହିଥିବା ଅଙ୍ଗୁରପେନ୍ଥା, ଲଟା ମାଡ଼ି ସବୁଜ କାନ୍ଥ ପରି ଦିଶୁଥିବା ବୁଦାଗଛମାନେ, ଧଳା ଧଳା ସେବତୀ ଫୁଲ, ଏବଂ ଭଅଁରର ଭଅଁ ଭଅଁ ଶଦ୍ଦ, –ଏହି ସମଗ୍ର ଜଗତଟି ଆମ ସମ୍ମୁଖରେ ଏକ ଜାଦୁକାରୀ ବୀଣା ପରି ପ୍ରସାରିତ ହୋଇ ରହିଥିଲା ଏବଂ ପିଲାମାନେ ତା’ର ତାରଗୁଡ଼ିକୁ ସ୍ପର୍ଶ କରିବା ମାତ୍ରକେ ସେଥିରୁ ସମ୍ମୋହନକାରୀ ଗୀତମାନ ଝଙ୍କୃତ ହୋଇ ଉଠିଲା, –ସେହି ଗୀତ ହେଉଛି ଭାଷାର ଗୀତ । ଏହା ବହୁ ହର୍ଷ ଏବଂ ଦୁଃଖର ସଙ୍ଗୀତ । ମୁଁ ନିଜେ ମଧ୍ୟ ଏକାବେଳେକେ ଖୁସୀ ହେଉଥିଲି, ଦୁଃଖିତ ମଧ୍ୟ ହେଉଥିଲି । ପିଲାମାନେରେ, ତୁମେ ତ କିଶୋର ଅବସ୍ଥାକୁ ଆସିଗଲଣି । ଭବିଷ୍ୟତରେ ତୁମମାନଙ୍କ ଲାଗି କ’ଣ ପ୍ରତୀକ୍ଷା କରି ରହିଛି ?

 

ମୁଁ ପ୍ରତ୍ୟେକ ଦିନ ତୁମମାନଙ୍କ ସହିତ ରହିଥିବି, ତୁମକୁ ଯୌବନ ଓ ପରିପକ୍ୱ ଜୀବନର ମଧ୍ୟଦେଇ ବାଟ ଦେଖାଇ ନେଉଥିବି । ପାଞ୍ଚବର୍ଷ ହେଲା ମୁଁ ତୁମମାନଙ୍କର ପଥପଦର୍ଶକ ହୋଇ ରହିଥିଲି ଏବଂ ତୁମମାନଙ୍କୁ ମୋ’ର ହୃଦୟ ଦେଇ ଦେଇଥିଲି । ବେଳେବେଳେ ମୋ’ ହୃଦୟ କ୍ଳାନ୍ତ ବି ହୋଇ ପଡ଼ୁଥିଲା । ଯେତେବେଳେ ସେଇଟା ଥକି ଯାଉଥିଲା, ପିଲାମାନେ, ସେତେବେଳେ ମୁଁ ତୁମମାନଙ୍କ ପାଖକୁ ଉଡ଼ି ଯାଉଥିଲି । ଏବଂ ତୁମମାନଙ୍କର ଆନନ୍ଦପୂର୍ଣ୍ଣ କଥାମାନ ହିଁ ମୋ’ ହୃଦୟ ଭିତରେ ନୂତନ ବଳ ଆଣି ଅଜାଡ଼ି ଦେଉଥିଲା, ତୁମମାନଙ୍କ ମୁହଁର ହସ ନୂତନ ଶକ୍ତିକୁ ଜନ୍ମ ଦେଉଥିଲା । ତୁମମାନଙ୍କର ଜୀଜ୍ଞାସା-ଦୀପ୍ତ ଚାହାଣୀମାନ ମୋ’ର ଭାବନାଗୁଡ଼ିକୁ ଜାଗୃତ କରି ଆଣୁଥିଲା । ହେ ମୋ’ର ପ୍ରିୟ ପିଲାମାନେ, ମୋ’ ସ୍ୱପ୍ନ ଭିତରେ ମୁଁ ତୁମମାନଙ୍କୁ ବୟସ୍କରୂପେ ଦେଖିପାରୁଛି । ତୁମ ପ୍ରତ୍ୟେକଙ୍କୁ ମୁଁ ଜଣେ ସାହସୀ ଦେଶପ୍ରେମୀ ରୂପେ ଦେଖୁଛି : ଏପରି ଜଣେ ଜଣେ ବ୍ୟକ୍ତି ରୂପେ ଦେଖୁଛି, ଯାହା ପାଖରେ କି ଏକ ନିଷ୍କପଟ ଏବଂ ଉଦ୍ଦୀପ୍ତ ହୃଦୟ ରହିଛି, ଏକ ସ୍ୱଚ୍ଛ ମସ୍ତିଷ୍କଶକ୍ତି ରହିଛି ଓ ସୁନାପରି ମୂଲ୍ୟବାନ୍ ହାତମାନେ ମଧ୍ୟ ରହିଛନ୍ତି ।

Image